Unknown

 

 

 

 

 

 

 

 

 

 

ସାରଳା ମହାଭାରତ - ଆଦିପର୍ବ

(ପ୍ରଥମ ଖଣ୍ଡ)

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

 

ବିଷୟ

୧.

ଗଣେଶ ବନ୍ଦନା

୨.

ସାରଳାଦେବୀଙ୍କ ବନ୍ଦନା

୩.

ମହାଭାରତର ପ୍ରଶସ୍ତି

୪.

ବଂଶାନୁଚରିତ

୫.

ଯଯାତି ଉପଖ୍ୟାନ

୬.

ଶମ୍ଭୁରାଣ ଉପଖ୍ୟାନ

୭.

ଶାନ୍ତନୁ ଉପଖ୍ୟାନ

୮.

ଶାନ୍ତନୁ ବିବାହ

୯.

ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ବିବାହ

୧୦.

ଭୀଷ୍ମଙ୍କ ବିବାହ ପ୍ରସ୍ତାବ

୧୧.

ଭୀଷ୍ମଙ୍କ ପ୍ରତିଜ୍ଞା

୧୨.

ଅମ୍ୱା ଉପାଖ୍ୟାନ

୧୩.

ଅମ୍ୱା ଚରିତ

୧୪.

ଅପୁତ୍ରିକ ହୋଇ ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ମୃତ୍ୟୁ

୧୫.

ବ୍ୟାସଙ୍କ ଦ୍ୱାରା ଧୃତରାଷ୍ଟ୍ର,ପଣ୍ତୁ ଓ ବିଦୁରଙ୍କର ଜନ୍ମ

୧୬.

ଅମ୍ୱିକା ଓ ଅମ୍ୱାଳିକାଙ୍କୁ ସତ୍ୟବତୀଙ୍କର ଉପଦେଶ

୧୭.

ବ୍ୟାସଙ୍କ ଔରସରେ ଅମ୍ୱିକାଙ୍କ ଗର୍ଭରୁ ଧୃତରାଷ୍ଟ୍ରଙ୍କ ଜନ୍ମ ଓ ଅମ୍ୱିକାଙ୍କର ମୃତ୍ୟୁ

୧୮.

ସତ୍ୟବତୀଙ୍କ ଦ୍ୱାରା ବ୍ୟାସଙ୍କ ଆଗମନ ଓ ଅମ୍ୱାଳିକା ଗର୍ଭରୁ ପାଣ୍ତୁଙ୍କ ଜନ୍ମ

୧୯.

ସତ୍ୟବତୀଙ୍କ ଦ୍ୱାରା ଶିବସ୍ତୁତି

୨୦.

ବ୍ୟାସଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କୁ ଦିବ୍ୟଚକ୍ଷୁ ଦାନ, ସଞ୍ଜୟଙ୍କଠାରୁ ଧୃତରାଷ୍ଟ୍ର ଓ ପଣ୍ତୁଙ୍କର ବିଦ୍ୟାପାଠ

୨୧.

ଅମ୍ୱାଳିକାର ପ୍ରୟାଗରେ ଝାସ

୨୨.

ଗୁରୁ ଲୋକେଶ୍ୱରଙ୍କର ପଣ୍ତୁ ଓ ଧୃତରାଷ୍ଟ୍ରଙ୍କୁ ବିଦ୍ୟାଦାନ

୨୩.

ଧୃତରାଷ୍ଟ୍ରଙ୍କର ବିବାହ ପ୍ରସ୍ତାବ ଓ ଅନେକ ରାଜକନ୍ୟାଙ୍କର ମୃତ୍ୟୁ

୨୪.

ବିଦୁରଙ୍କ ଜନ୍ମ

୨୫.

ବ୍ୟାସଙ୍କର ଗାନ୍ଧାରସେନ ସାକ୍ଷାତ

୨୬.

ସାହାଡ଼ା ବୃକ୍ଷ ମହାତ୍ମ୍ୟ

୨୭.

ଗାନ୍ଧାରୀ ସହ ଧୃତରାଷ୍ଟ୍ରଙ୍କ ବିବାହ

୨୮.

କୁନ୍ତୀଙ୍କ ବାଲ୍ୟଚରିତ, ଦୁର୍ବାସାଙ୍କ ସେବା ଓ ତାଙ୍କଠାରୁ ବରପ୍ରାପ୍ତି

୨୯.

କର୍ଣ୍ଣଙ୍କ ଜନ୍ମ

୩୦.

ରାଧାଙ୍କର ଜନ୍ମଚରିତ ଓ ତାହାଙ୍କଦ୍ୱାରା କର୍ଣ୍ଣ ପ୍ରତିପାଳନ

୩୧.

କୁନ୍ତୀଙ୍କ ସହ ପଣ୍ତୁଙ୍କର ବିବାହ

୩୨.

ପଣ୍ତୁଙ୍କର ବନେ ଅବସ୍ଥିତି ଓ ରାଜ୍ୟ ପରିଚାଳନା

୩୩.

ପଣ୍ତୁ ମହାରାଜାଙ୍କର ଧୃତରାଷ୍ଟ୍ରଙ୍କ ସହିତ ସାକ୍ଷାତ ଓ ମାଦ୍ରୀସହ ବିଭା

୩୪.

ପଣ୍ତୁଙ୍କର ମୃଗୟା ଓ ଅଗ୍ନିକା ମହାଋଷିଙ୍କର ଶାପ ପ୍ରଦାନ

୩୫.

ଧୃତରାଷ୍ଟ୍ରଙ୍କର ପଣ୍ତୁଙ୍କୁ ରାଜ୍ୟକୁ ଫେରାଇବା ନିମନ୍ତେ ଆସିବା ଓ ଶିବସ୍ତୁତି

୩୬.

ଶତଶୃଙ୍ଗ ପର୍ବତର ବର୍ଣ୍ଣନା

୩୭.

ପଣ୍ତୁ ଓ କୁନ୍ତୀଙ୍କ ଆଳାପ, ଅଗସ୍ତିଙ୍କ ଆଗମନ ଓ ଉପଦେଶ

୩୮.

ଯୁଧିଷ୍ଠିରଙ୍କ ଜନ୍ମ

୩୯.

ଦୁର୍ଯ୍ୟୋଧନ ପ୍ରଭୃତିଙ୍କ ଜନ୍ମ

୪୦.

ଭୀମ ଜନ୍ମ

୪୧.

ଅର୍ଜୁନଙ୍କ ଜନ୍ମ

୪୨.

ପୁତ୍ରନିମନ୍ତେ ମାଦ୍ରୀର ନାରାୟଣଙ୍କୁ ସ୍ମରଣ, ନାରାୟଣଙ୍କ ନାସ୍ତିରେ ଦୁର୍ବାସାଙ୍କର ଅନ୍ୟଦେବତାଙ୍କୁ ସ୍ମରଣ କରିବାକୁ ମାଦ୍ରୀଙ୍କୁ କଥନ

୪୩.

ଦୁର୍ବାସାଙ୍କ କୁନ୍ତୀଙ୍କ ପୁତ୍ରଦର୍ଶନ କାଳରେ ହରିଅର୍ଜୁନଙ୍କ ସାକ୍ଷାତ। ବ୍ୟାସଙ୍କୁ କୃଷ୍ଣ-ଅର୍ଜୁନଙ୍କର ମିତ୍ରତା ଯୁଗଯୁଗ କରିହେବା ବର୍ଣ୍ଣନା। କୃଷ୍ଣଙ୍କର ଦ୍ୱାରା ବିଶ୍ୱରୂପ ଦର୍ଶନ

୪୪.

ନକୁଳଙ୍କର ଜନ୍ମ

୪୫.

ଦୁର୍ବାସାଙ୍କ ହସ୍ତିନୀ ଗମନ, ତାଙ୍କ ବରରେ ଗାନ୍ଧାରୀଙ୍କର ପୁନର୍ବାର ଏକ ପୁତ୍ର ଓ କନ୍ୟା ଜନ୍ମ

୪୬.

ଗାନ୍ଧାରୀଙ୍କ ଅନ୍ଧପଟଳ ବାନ୍ଧିବା, କୁନ୍ତୀଙ୍କର ହସ୍ତିନାକୁ ଯିବା, କର୍ଣ୍ଣକୁ ଦେଖିବା ଓ ଗାନ୍ଧାରୀଙ୍କୁ

 

ଅନ୍ଧପଟଳ ବାନ୍ଧିବାରୁ ନିବର୍ତ୍ତାଇବା

୪୭.

କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ଗାନ୍ଧାରୀଙ୍କୁ ଅନ୍ଧପଟଳ ଛାଡ଼ିବାକୁ ଅନୁରୋଧ

୪୮.

ସହଦେବଙ୍କ ଜନ୍ମ

୪୯.

କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ପାଣ୍ତୁଙ୍କ ମୃତ୍ୟୁରେ ଶୋକପ୍ରକାଶ

୫୦

କୁନ୍ତୀଙ୍କର ଶତଶୃଙ୍ଗ ପର୍ବତରେ ରହିବା ଓ ଭୀଷ୍ମଙ୍କ ଦ୍ୱାରା ଧୃତରାଷ୍ଟ୍ରଙ୍କୁ ପଣ୍ତୁଙ୍କ ମୃତ୍ୟୁଖବ ରକହିବା

୫୧.

ଭୀଷ୍ମଙ୍କ ମୁଖରୁ ପଣ୍ତୁଙ୍କ ମୃତ୍ୟୁବାର୍ତ୍ତା ଶୁଣି ଧୃତରାଷ୍ଟ୍ରଙ୍କଶୋକ

୫୨.

ଗାନ୍ଧାରୀଙ୍କର ଶତଶୃଙ୍ଗ ପର୍ବତକୁ କୁନ୍ତୀଙ୍କୁ ଆଣିବା ନିମନ୍ତେ ଗମନ, ବ୍ୟାସଙ୍କର କୁନ୍ତୀଙ୍କୁ ଉପଦେଶ

୫୩.

ଧୃତରାଷ୍ଟ୍ରଙ୍କ ଶୋକରେ ଯୁଧିଷ୍ଠିର ତତ୍ତ୍ୱକଥା କହି ସାନ୍ତ୍ୱନା ପ୍ରଦାନ କରିବା

୫୪.

ଗାନ୍ଧାରୀଙ୍କ କଥାରେ କୁନ୍ତୀଙ୍କ ଶତଶୃଙ୍ଗକୁ ସ୍ତୁତି ଓ ହସ୍ତିନା ଗମନ

୫୫.

ରାଜକୁମାରଙ୍କ ବିଦ୍ୟାଶିକ୍ଷା ପ୍ରସଙ୍ଗେ ଦ୍ରୋଣଙ୍କ ଜନ୍ମ ଉପାଖ୍ୟାନ

୫୬.

ଦ୍ରୋଣଙ୍କ ଜନ୍ମ ଓ କୃପୀସହ ବିବାହ

୫୭.

ଦ୍ରୋଣ ଓ ଦ୍ରୁପଦଙ୍କ ଚରିତ

୫୮.

ଦ୍ରୁପଦଙ୍କ ରାଜ୍ୟପ୍ରାପ୍ତି ଓ ତାଙ୍କଦ୍ୱାରା ଦ୍ରୋଣଙ୍କ ଅପମାନ

୫୯.

ଦ୍ରୋଣଙ୍କର ପର୍ଶୁରାମଙ୍କଠାରୁ ଅସ୍ତ୍ର ପ୍ରାପ୍ତି

୬୦.

ପର୍ଶୁରାମଙ୍କ ବନ୍ଦନା

୬୧.

ଦ୍ରୋଣଙ୍କ ହସ୍ତିନା ଆଗମନ, କୃପଙ୍କ ଘରେ ବାସ ଓ ଗୁରୁପଦ ଲାଭ

୬୨.

ଜାରାଶବର ଉପାଖ୍ୟାନ

୬୩.

ଯୁଧିଷ୍ଠିରାଦିଙ୍କ ଅସ୍ତ୍ର ପରୀକ୍ଷା

୬୪.

ଦ୍ରୋଣଙ୍କୁ କୁମ୍ଭୀର ମୁଖରୁ ଅର୍ଜୁନଙ୍କ ରକ୍ଷା

୬୫.

ଦ୍ରୋଣଙ୍କର ଅର୍ଜୁନକୁ ବ୍ରହ୍ମଶିରା ଶରପ୍ରଦାନ

୬୬.

କୌରବ ପାଣ୍ତବାଦିଙ୍କର ଅସ୍ତ୍ର ପରୀକ୍ଷା

୬୭.

ଗାନ୍ଧାରୀ ଓ କୁନ୍ତୀଙ୍କର ବିବାଦ

୬୮.

ଏକଲବ୍ୟ ଉପାଖ୍ୟାନ

୬୯.

ଅର୍ଜୁନର ସ୍ନାନ ପଦାର୍ଥ ଆଣିବା ଓ ନିଜର ଅସ୍ତ୍ରକୁଶଳତା ଦର୍ଶାଇ ଦ୍ରୋଣଙ୍କଠାରୁ ବରପ୍ରାପ୍ତି

୭୦.

ଦ୍ରୋଣଙ୍କ ନିର୍ଦେଶରେ କୁରୁପାଣ୍ତବଙ୍କର ଦ୍ରୁପଦଙ୍କୁ ବନ୍ଦୀକରି ଘେନିଆସିବା

୭୧.

ଦ୍ରୁପଦଙ୍କର ତପସ୍ୟା

୭୨.

ଅର୍ଜୁନର ପ୍ରତିଜ୍ଞା

୭୩.

ଦ୍ରୋଣଙ୍କର ପ୍ରୟାଗ ଗମନ, ଅଶ୍ୱଥିମା ଓ କୃପଙ୍କର ତପସ୍ୟା, କୌରବଙ୍କଦ୍ୱାରା ସେମାନଙ୍କୁ ଆଣିବା ଓ ରାମକୃଷ୍ଣଙ୍କ ଦର୍ଶନ

୭୪.

କୌରବଙ୍କର ବଳରାମଙ୍କଠାରୁ ଗଦାବିଦ୍ୟା ଶିକ୍ଷା, ଅର୍ଜୁନଙ୍କର ଶିକ୍ଷା ନକରିବାର କାରଣ କଥନ

୭୫.

ଭାନୁମତି ବିବାହ

୭୬.

ବିରୁପାକ୍ଷ ସଙ୍ଗେ ସମର

୭୭.

ଦୁର୍ଯ୍ୟାଧନର ଭାନୁମତୀ ସହହସ୍ତିନାରେ ପ୍ରବେଶ

୭୮.

କୁରୁପାଣ୍ତବଙ୍କ ଝିମାଣି ଖେଳ

୭୯.

କୁନ୍ତୀ ସହ ପାଣ୍ତବଙ୍କର ଇନ୍ଦ୍ରପ୍ରଶସ୍ତେ ଅବସ୍ଥିତି

୮୦.

ଦୁର୍ଯ୍ୟାଧନର ଅପମାନ ଓ ପାଷାଣ ଗୃହ ନିର୍ମାଣ

୮୧.

ଦୁର୍ଯ୍ୟାଧନର ପାଷାଣ ଗୃହ ନିର୍ମାଣ

୮୨.

ଶକୁନିର ମନ୍ତ୍ରୀତ୍ୱ ଲାଭ

୮୩.

ଜତୁଗୃହ ନିର୍ମାଣ ଓ ଭୀମର ବିଷଲଡ଼ୁ ଭକ୍ଷଣ

୮୪.

ପାଣ୍ତବାସୁର ବଧ

୮୫.

ଜତୁଗୃହ ଦାହର ମନ୍ତ୍ରଣା

୮୬.

ଦୁର୍ଯ୍ୟାଧନ ଆଜ୍ଞାରେ ପୁରୋଚନର ବାରୁଣାବନ୍ତ ଗମନ

୮୭.

ବିଦୁର ଜତୁଗୃହଦ୍ୱାରେ ପ୍ରବେଶ

୮୮.

ଝିମାଣିଶାଳ ନିର୍ମାଣ

୮୯.

ଖନିକାର ଟସକର ବୃତ୍ତାନ୍ତ

୯୦.

ଶ୍ରୀହରିଙ୍କର ବାଳଲୀଳା ଓ ଖନିକାରର ବିବର ନିର୍ମାଣ

୯୧.

ବିଦୁରଙ୍କର ବାରୁଣାବନ୍ତ ଗମନ

୯୨.

ଜତୁଗୃହ ଦାହ ଓ ଭୀମଙ୍କର ଅଗ୍ନିସ୍ତବ

୯୩.

କୁମ୍ଭୀର ଦୈତ୍ୟ ବଧ

୯୪.

ଭୀମକୁ ଜଳପ୍ରଭା ପ୍ରଦାନ ଓ ଭୀମର ଭୀଷ୍ମରୂପ ଧାରଣ

୯୫.

ଶବରୁଣୀର ପଞ୍ଚପୁତ୍ରଙ୍କର ପୂର୍ବ ବୃତ୍ତାନ୍ତ

୯୬.

ବଶିଷ୍ଠଙ୍କର ଅଷ୍ଟବସୁଙ୍କ ପ୍ରତି ଅଭିଶାପ

୯୭.

ପାଣ୍ତବଙ୍କ ମୃତ୍ୟୁ ଶୁଣି ଧୃତରାଷ୍ଟ୍ରଙ୍କର ଶୋକ ଓ ପ୍ରେତକ୍ରିୟା ସାଧନ     

 

ଗଣେଶଙ୍କ ବନ୍ଦନା

 

ଜୟତୁ ଦଧି-ମଙ୍ଗଳ ବିଘ୍ନରାଜ

ଯାହାର ପ୍ରସନ୍ନେ ସିଦ୍ଧ ହୁଅଇ ସର୍ବକାର୍ଯ୍ୟ।୧।

ସକଳ ବିଘ୍ନବିନାଶନ ଜୟତୁ ଗଜାନନ

ମଙ୍ଗଳ ଯୋଗେଶ୍ୱର ପରମାନନ୍ଦ ପାର୍ବତୀ ନନ୍ଦନ।୨।

 

ମଙ୍ଗଳ ଶଙ୍ଖଚକ୍ର ସରୋଜ ଦଧିମୁଖ

ମଙ୍ଗଳ ବରଦାୟକ ନାଥ ସଦୟ ପ୍ରତକ୍ଷ।୩।

ମହାବ୍ରହ୍ମ ଯୋଗେଶ୍ୱର ସିନ୍ଦୂରେ ଗଜମୁଖ ମଣ୍ଡି

ଯମ ଦର୍ପ ଗଞ୍ଜି ସର୍ବ ଅପରାଧ ଦୁଖ ଖଣ୍ଡି।୪।

 

ଜୟତୁ ଜୟତୁ ଦେବ ଚନ୍ଦ୍ର ଯେ ଶେଖର

ଜୟତୁ ଜୟତୁ ଦେବ ସିଦ୍ଧ ଲମ୍ୱୋଦର।୫।

ଜୟତୁ ଜୟତୁ ଦେବ ସୁରଗଣ ରଖନ୍ତା

ଜୟତୁ ଜୟତୁ ଦେବ ପରମ ଗତି ଦ୍ୟନ୍ତା।୬।

 

ସ୍ୱାମୀ ସାଂଗ୍ରାମେ ବଧ ଯହୁଂ ନୋହିଲା ତ୍ରିପୁରା

ତୋହୋର ବୁଦ୍ଧିବଳେ ନାଶ ଗଲାଟି ମହାବୀରା।୭।

 

ହେଳେଣ ତୁ ନାଶକଲୁ ଷାଠିୟେ ସହସ୍ର ବରଷେ

ଆକାଶରେ ସାଧୁ ସାଧୁ କଲେ ତୋତେଟି ତ୍ରିଦଶେ।୮।

 

ତୋଷେଣ ବର ତୋତେ ଦେଲେକ ଦେବରାଜା

ସକଳ ଭୁବନେ ସ୍ୱାମୀ ଆଗେ ତୋତେ ପୂଜା।୯।

ଯେବଣ ବେଳେ ଶାହସ୍ରକୁ ଅନକୂଳ କଲେ ବେଦବ୍ୟାସେ

ବିଧି ଗାଢେ ଆଗ୍ୟାଂ ତୋତେ ଦେଲେ ନିରାଳସେ।୧୦।

 

ଗ୍ରନ୍ଥକୁ କବିତ୍ୱ ହୋଇବ ବ୍ୟାସ ମହାମୁନି

ତୁ ଲେଖନ କର ଶୁଭ ଅନକୂଳ ଘେନି।୧୧।

ଗଙ୍ଗା ଯମୁନା ସରସ୍ୱତୀ ତିନି ନଦୀ

ରାମଘାଟ ତୀର୍ଥେ ସଙ୍ଗମ ହୋଇଲେ ଭେଦି।୧୨।

 

ପଶ୍ଚିମ ପାରୁଶେ ବାଞ୍ଛାକଳ୍ପବଟ

ପଶ୍ଚିମମୁଖୀ ଧବଳାଙ୍ଗୀ ସରସ୍ୱତୀ ନଦୀତଟ।୧୩।

ସେହୁ ସିଦ୍ଧ ଦେବତାୟେ ବିଜୟେ ସେହୁଥାନେ

ତ୍ରିବେଣୀ ସ୍ନାହାନ କରି ସେ ମାଧବ ଦରଶନେ।୧୪।

 

ବଟର ତଳେ ସେ ବସିଲେ ଯୋଗଧ୍ୟାନେ

ଶ୍ରୀଭୁଜେ ଲେଖନ ସ୍ୱାମୀ ତଲୟେ ୟେକମନେ।୧୫।

 

ବ୍ୟାସେ କହନ୍ତି ତୁ ଲେଖନ କର ସ୍ୱାମୀ

ଆଦି ସିଦ୍ଧ ଗ୍ରନ୍ଥ ତୁ କହିଲୁ ମହାବ୍ରହ୍ମି।୧୬।

 

ସ୍ୱାମୀ ଯେବଣ ଶାହାସ୍ର ଲେଖନ କଲୁ ଯେବଣ ଯୋଗେ

ସେ ଅମୃତ ଦୃଷ୍ଟିରେ ପ୍ରସନ୍ନ ହୋଅ ବେଗେ।୧୭।

ଗିରିଜାର ନନ୍ଦନ ସତ ମତି ଧ୍ୟାନେ

ଶ୍ରୀକରେ ଲେଖନ ଘେନି ବସିଲେ ୟେକମନେ।୧୮।

 

ଯୋଗେଣ ଯୋଗେଶ୍ୱର ସଦାନନ୍ଦର ତନୟେ

ମନଚଇତନ ୟେକତ୍ୱ କଲୁ ଅଜପା ଯୋଗ ଲୟେ।୧୯।

କରୁଣାମୟେ ନାଥ ଶରଣ ପଞ୍ଜର ବୀରଧୁ

ସଂସାର ବାରାନିଧି ନାଥ ବରଦାତା ଦେବ ସାଧୁ।୨୦।

 

ବିସ୍ତର ଉଦର ଯାହାର ଗ୍ୟାନ ସଚ୍ଚା

ପୃଥୁଳ ଶରୀର ନାଥ ଅଭୟେ କାଳବଞ୍ଚା।୨୧।

ୟେ ଘୋର ସଂସାର ସାହେର ତରିବାକୁ ବଳାଇଲି ମନୀଷା

ଦୁସ୍ତରୁ ତରାଅ ନାଥ ପୁରାଅ ମନବାଞ୍ଛା।୨୨।

 

ଶିଖିପୁଚ୍ଛ ମଉଳି ବତିଶ ଗୁଣେକଳା

ଭର ହରଷ ନାଥ ନୃତ୍ୟ ରଙ୍ଗେଣ ଭୋଳା।୨୩।

 

ଦିବାରାତ୍ର ନ ଜାଣଇଂ ଯେବଣ ମହାତମା

ଅନନ୍ତ କାଳ ବଞ୍ଚାଇଲା ସେ ପୁରୁଷଉତ୍ତମା।୨୪।

 

ପୁରୁଷଙ୍କର ସିଦ୍ଧ ତୁ ଦେବଙ୍କର ଆଦି

ଦର୍ଶନେ ଦୁରିତ ହରଇ ପ୍ରସନ୍ନେ କାର୍ଯ୍ୟ ସିଦ୍ଧି।୨୫।

ଶ୍ରୀବିଘ୍ନନାଥ ଚରଣେ ମୋର ସେବା

ୟେ ଶ୍ରୀମହାଭାରଥ କହିବି ମୋତେ

ପ୍ରସନ୍ନ ହୋଇବା।୨୬।

 

ତବ ପଦ୍ମପାଦେ ମୋର ବିନୟ ଭଗତି

ପର୍ଶୁଧର ନାଥ ତୁ ସଦୟେ ଗଣପତି।୨୭।

ଆଦି ଅନ୍ତ ମଧ୍ୟ ତୁ ଅଟୁ ସର୍ବଥାନେ

ଗ୍ରନ୍ଥ ଭିଆଇଲୁ ତୁ ଭୂତ ଭବିଷ୍ୟ ବର୍ତ୍ତମାନେ।୨୮।

 

ଶ୍ରିୟାମାତ ବଲ୍ଲଭ ଚରଣେ ମୋର ଆଶ

ବଦନ୍ତି ଗ୍ରନ୍ଥିକ ଶୂଦ୍ରମୁନି ସାରୋଳ ଦାସ।୨୯।

 

ସାରଳାଦେବୀଙ୍କ ବନ୍ଦନା

 

ଜମ୍ୱୁଦ୍ୱୀପ ଭ୍ରଥଖଣ୍ଡ ଓଡ଼ରାଷ୍ଟ୍ର ମଣ୍ଡଳରେ

ଉତ୍ପଳେଶ୍ୱର ଲିଙ୍ଗ ଚିତ୍ରଉତ୍ପଳା ଦକ୍ଷିଣ କୂଳରେ।୧।

ଜୟନ୍ତାର ନିଜଭୂମି ଯାଜନଗ୍ର ନିକଟେ ଦକ୍ଷିଣ ବାଣରାସି

କୁଶସ୍ଥଳୀ ଭୂମି ଦ୍ୱାରିକା ଯେ କ୍ଷେତ୍ର ପୁଣ୍ୟବାସୀ।୨।

 

ଶ୍ରୀଯମେଶ୍ୱର ମହାଲିଙ୍ଗ ମଉଦଧିର ଉତ୍ତର ତଟେ

ନୀଳସୁନ୍ଦର ପର୍ବତ ନୀଳ କଳ୍ପବଟେ।୩।

ବିଜୟେ ରାମକୃଷ୍ଣ ସୁଭଦ୍ରା ନାମେ ବ୍ରହ୍ମା

ଚାରିଶତ ବତିଶ ସହସ୍ର ବରଷକୁ ଯୋଗଲୟେ ମହାତମା।୪।

 

କଳି କାଳଧ୍ୱଂସିଣ ଭୋଗେଣ କୋଟି ପୂଜା

ପ୍ରଳମ୍ୱିତେ ଖଟଇଂ ଶ୍ରୀକପିଳେଶ୍ୱର ମହାରଜା।୫।

ସେ ନୀଳସୁନ୍ଦର ଗିରି ଉତ୍ତର କଚ୍ଛାଡେ

ସାର ଭୂମି ଭ୍ରଥଖଣ୍ଡ ପୂର୍ବଦିଗ ଈଶାନ୍ୟର ଆଡେ।୬।

 

ଚନ୍ଦ୍ରଭାଗା ନାମେଣ ୟେକଇ ନଦୀଗୋଟି

ବୃଦ୍ଧମାତାଙ୍କ ପାରୁଶେ ମଉଦଧିରେ ଯାଇଂ ଫୁଟି।୭।

ସେ ନଦୀର ତୀରେ ପ୍ରଶୁରାମ ଘାଟଇଂ

କନକାବତୀ ନାମେ ପାଟଣା ପ୍ରକାଶଇ।୮।

 

ତହିଂର ସନ୍ନିଧ୍ୟେ ସାରୋଳ ନାମେ ଗ୍ରାମେ

ବିଜେ ମାହେଶ୍ୱରୀ ସାରୋଳ ଚଣ୍ଡୀ ନାମେ।୯।

ମହାଯୋଗେଶ୍ୱରୀ ସେ ପରମ ବଇଷ୍ଣବୀ

ପ୍ରତକ୍ଷେ ବର ଦିଅଇ ସେ ପରମ ସାଧବୀ।୧୦।

 

ବାଞ୍ଛା ସାର୍ଥୁକ ସେ ଦେବୀର ଅଟଇ

ପାଷାଣ ହୋଇକରି ବାଞ୍ଛା ତାହାର ଫୁଟଇ।୧୧।

ସର୍ବ ମଙ୍ଗଳା ରୂପ ମାତାଙ୍ଗୀ ମତ୍ତଭୋଳୀ

ଗ୍ରନ୍ଥ ଅର୍ଥ ଶୁଣଇଂ ସେ ହରଷେ କୁତୋହଳୀ।୧୨।

 

ଶ୍ରୀସାରୋଳାଚଣ୍ଡୀ ନାମେ ସେ ଅଟଇ ମହାଦେବୀ

ତାହାଙ୍କର ପୁତ୍ର ମୁଂ ଯେ ସାରୋଳ ଦାସ କବି।୧୩।

ପ୍ରସନ୍ନେଣ ଆଗ୍ୟାଂ ମୋତେ ଦିଲେ ଶାକାମ୍ଭେରୀ

ଲଭ ତୁ କପିଳାସ ଶ୍ରୀମହାଭାରଥ କରି।୧୪।

 

ଶୁଣି ବୁଧ ଜନେ ନ ଧର ଆନ ଚିତ୍ତ

ଜନ୍ମେଣ ମୁରୁଖ ମୁହିଂ ନୋହଇ ପଣ୍ଡିତ।୧୫।

ୟେକ ଲୟେ କରିଣ ଶୁଣସି ସାବଧାନେ

ଫିଟିବାକ ପାତକ ସବୁ ଦୁଷୁକୃତ ମାନେ।୧୬-୪୫।

 

ମହାଭାରତର ପ୍ରଶସ୍ତି

 

କୁମ୍ଭ ଋଷିର ନନ୍ଦନ ଯେ ଅଗସ୍ତି ମହଋଷି

ମହା ବ୍ରହ୍ମବେତ୍ତା ସେ ଅମୃତ ରସ ଭାଷି।୧।

ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଙ୍କି

କହ ପଣ୍ଡିତ ମହାତମା ଅମୃତ ରସ ବାକି।୨।

 

ଶ୍ରୀମହାଭାରଥ ନାମ ହୋଇଲା କେମନ୍ତେ

ୟେହା ତଦନ୍ତ କରି କହିବା ମୁନି ମୋତେ।୩।

ଶୁଣ ହୋ ବଇବସୁତ ମନୁ ଆଦି ପର୍ବ ଚରିତ

ଦେବତାମାନେ ଯେ ତୋଳିଲେ ସମସ୍ତ ହାଦେ ଗ୍ରନ୍ଥ।୪।

 

ତୁଳାଦଣ୍ଡ କଲେ ଯେ ଦ୍ୱାଦଶ ଯୋଜନ କାଠି

ତିନି ତିନି ଉଚ୍ଚ ଯୋଜନ କଲେ ବେନି କର୍ଣ୍ଣ କୋଟି।୫।

ବିଷ୍ଣୁ ଅନନ୍ତ କୋଟି ବ୍ରହ୍ମା ଅନନ୍ତ କୋଟି

ସବୁ ପୂରୋଇଲେ ନେଇ ତୁଳାଦଣ୍ଡ କାଠି।୬।

 

ଅଷ୍ଟାଦଶ ପୁରାଣ ପଞ୍ଚବିଂଶ ଲକ୍ଷ

ରାମାୟଣ ଚଣ୍ଡୀଯୁଦ୍ଧ ସମସ୍ତ ପୁରାଣ ପ୍ରତକ୍ଷ।୭।

 

ବିଷ୍ଣୁ ପୁରାଣ ରାଜା ମାରକଣ୍ଡ ପୁରାଣ ପାତର

ଶିବ ପୁରାଣ ମନ୍ତ୍ରୀ ନାରଦ ପୁରାଣ ଡଗର।୮।

 

ୟେ ଚାରି ପୁରାଣନ୍ତ ମୁଖ୍ୟ କରି ସମସ୍ତ ପୁରାଣ

ୟେମାନ ବସାଇଲେ ନେଇ ତୁଳାଦଣ୍ଡ କତିକେଣ।୯।

ଆରକ କଛେ ଭାରଥ ଅଷ୍ଟାଦଶ ଥୋଇଲେ

ସମସ୍ତ ଶାହାସ୍ର ଗ୍ରନ୍ଥୁଂ ୟେ ମହାଗରୁ ହୋଇଲେ।୧୦।

 

ଯୁଗତେ ସେ ଯହୁଁ ହୋଇଲା ମହାଭାରା

ତହୁଁ ମହାଭାରଥ ନାମ ଦେଲେ କଶ୍ୟପ ଅଙ୍ଗିରା।୧୧।

ତେଣୁକରି ହୋଇଲା ସେମହାଭାରଥ ନାମ

ତୁଳନ୍ତେ ଯହୁଁ ହୋଇଲା ୟେ ମହା ଅସମ।୧୨-୫୭।

 

ବଂଶାନୁଚରିତ

(ସମ୍ଭବପର୍ବ)

 

ବଇବସୁତ ମନୁ ହୋଇଲେ ପ୍ରଳମ

ତବ ପ୍ରସନ୍ନେ ମୁନି ମୁଁ ଅରଜିଲି ଅନେ କଧର୍ମ।୧।

ଶ୍ରୀକରେ ଅର୍ଘ୍ୟ ଘେନି ପଖାଳିଲେ ପାଦ ବେନି

ମୋକ୍ଷକଇଂ କାରଣ ମୋତେ କହିବା ଅଗସ୍ତି ମହାମୁନି।୨।

 

ବସନ କୁଣ୍ଡଳ ରତ୍ନମାଳ ଗନ୍ଧୟେ ଚନ୍ଦନ

ଧୂପ ଦୀପ ନଇବେଦ୍ୟ ଉପହାର ନାନା ଦ୍ରବ୍ୟମାନ।୩।

ୟେତେକ ଦେଇଣ ସେ ମନୁ ମହାରାଜା

ଅନେକ ବାଗେଣ ସେ ମୁନିଙ୍କି କଲେ ପାଦପୂଜା।୪।

 

ଘଟଋଷିର ନନ୍ଦନ ମୋତେ ପ୍ରତିକାର କରିବା

ତୋହୋର ପଦ୍ମପାଦେ ମୋହୋର ଅହର୍ନିଶି ସେବା।୫।

ବଦୟନ୍ତି ମହାମୁନି ଶୁଣ ଯୁଗପତି

ସପତଦ୍ୱୀପା ପୃଥୀରେ ସୋମବଂଶହିଂ ଆଧିପତି।୬।

 

ଆଦିହୁଂ ଶୂନ୍ୟ ଶୂନ୍ୟହୁଂ ଜାତ ପବନ

ପବନହୁଂ ଜାତ ହୋଇଲେ ଯୋଗପୁରୁଷ ଶୂନ୍ୟ।୭।

ଯୋଗପୁରୁଷ ତହୁଂ ଉପୁଜିଲା ଗାୟତିରୀ

ୟେହାଙ୍କର ତହୁଂ ଉପୁଜିଲା ମହାମନ୍ତ୍ର ଚାରି।୮।

 

ୟେ ମହାମନ୍ତ୍ର ତହୁଂ ଉପୁଜିଲା ଚାରିପାଦ

ୟେଥୁଂ ଉତପତ୍ତି ହୋଇଲେ ଯମଦ।୯।

ଯମଦୁଂ ଉତପତ୍ତି ହୋଇଲା କର୍ମଣ

ୟେହାର ତହୁଂ ଉତପତ୍ତି ହୋଇଲା ନିରିଗୁଣ।୧୦।

 

ନିର୍ଗୁଣ ତହୁଂ ଉତପତ୍ତି ହୋଇଲା ବୁଦୁବୁଦ

ବୁବୁବୁଦରୁ ଉପୁଜିଲା ଅଣ୍ଡ ଯେ ବିବୁଧ।୧୧।

ଅଣ୍ଡଫୁଟିଣ ସେ ହୋଇଲା ନିରଞ୍ଜନ

ନିରଞ୍ଜନୁଂ ଶକତି ହୋଇଲା ଉତପନ।୧୨।

 

ଶକତି ତହୁଂ ଉତପତ୍ତି ହୋଇଲେ ପୁତ୍ର ତିନି

ବ୍ରହ୍ମା ବିଷ୍ଣୁ ମହେଶ୍ୱର ୟେ ତିନି ନାମ ଘେନି।୧୩।

ଆହୋ ତ୍ରିଦଶ ଦେବତାୟେ ଯେ ମନ୍ଥିଲେ ସମୁଦର

ତହୁଂ ଉତପତ୍ତି ହୋଇଲେ ଶଶଧର।୧୪।

 

ଶଶଧରୁଂ ଉତପତ୍ତି ହୋଇଲା ସନ୍ତତି

ସତାଇଶ କନ୍ୟା ପ୍ରଦାନ କଲା ଦଚ୍ଛ ପ୍ରଜାପତି।୧୫।

ଚନ୍ଦ୍ର ହରିଲା ଯେ ବୃହସ୍ପତିଙ୍କ ଭାରିଯା ତାରା

ରସେଣ ପଡିଲା ସେ ଉତ୍ତମ ପରଦାରା।୧୬।

 

ଚନ୍ଦ୍ରଙ୍କର ବୀର୍ଯ୍ୟେ, ତାରା କନ୍ୟାର ରଜେ

ତହୁଂ ଉତପତ୍ତି ହୋଇଲା ବୁଧ ନାମେଣ ଆତ୍ମଜେ।୧୭।

ଆହୋ ବୁଧର ନନ୍ଦନ ଯେ ଅଟଇ ପୁରୁରବା

ଅମରାଧିନାଥ ସେ ହୋଇଲା ରାଜଦେବା।୧୮।

 

ପୁରୁରବାୟେ ବାଣ୍ଟିଲେ ସଚରାଚର ପୃଥୀ

ନବଦ୍ୱୀପ ସପତ ସାଗର ବସାଇଲେ ବସୁମତୀ।୧୯।

ପୁରୁରବାର ନନ୍ଦନ ଆୟୁ ମହୀପାଳେ

ୟେ ଯେ ସପତ ଦ୍ୱୀପା ପୃଥୀକି କଲା ୟେକ ସ୍ଥଳେ।୨୦।

 

ଆୟୁର ନନ୍ଦନ ଯେ ହୋଇଲା ନଘୋଷ

ଇନ୍ଦ୍ରପଦେ ବସିଲା ସେ ଅମର ଆକାଶ।୨୧-୭୮।

 

ଯଯାତି ଉପାଖ୍ୟାନ

 

ପୁରୁରବାର ତହୁଂ ଉତପତ୍ତି ହୋଇଲେ କୁରୁବଂଶେ

ନଘୋଷର ନନ୍ଦନ ଯୁଦ୍ଧ ଯଯାତି ପରକାଶେ।୧।

ବଡ ପ୍ରତାପୀ ସେ ଯେ ହୋଇଲା ଯଯାତି

ନବକନ୍ୟା ପ୍ରଦାନ ସେ ହୋଇଲା ନବ ଜାତି।୨।

 

ଶୁକ୍ରଙ୍କର ଦୁହିତା ସେ ଅଟଇ ଦେବଯାନୀ

ଦେବକୁଳୁଂ ପ୍ରଦାନ ଯେ ହୋଇଲେ ନନ୍ଦିନୀ।୩।

ଅସୁର କୁଳୁଂ ପ୍ରଦାନ ହୋଇଲେ ଶରମେଷ୍ଠୀ

ତକ୍ଷକ ନାଗର ଯେ ଦୁହିତା ସନ୍ତୁଷ୍ଟି।୪।

 

ନାଗକୁଳୁଂ କନ୍ୟାୟେକ ହୋଇଲା ପ୍ରଦାନ

ୟେମନ୍ତ ଭାଗ୍ୟରାଜା ଅଟଇ ବିଦ୍ୟମାନ।୫।

ମାନବ କୁଳର ରାଜା ଅଟଇ ବୁଧସେନ

ତାହାର ତହୁଂ ବୃନ୍ଦାବତୀ କନ୍ୟା ହୋଇଲା ପ୍ରଦାନ।୬।

 

ଗୋପାଳ ନୃପତି ଯେ ଋତୁ ଧ୍ୱଜବୀର

ଯୁଗାବତୀ ବୋଲି ଦୁହିତାୟେ ଥିଲା ଯେ ତାହାର।୭।

 

ତାହାକୁ ପ୍ରଦାନ ହୋଇଲେ ଯଯାତି

ନିଷାଦ କୁଳରୁ ପ୍ରଦାନ ହୋଇଲେ ରେବତୀ।୮।

 

ଶବର ରାଜା ଯେ ଅଟଇ ଅଜର

ମୃଗାକ୍ଷୀ ନାମେ ଦୁହିତା ଯେ ଅଟଇ ତାହାର।୯।

ତାହାକୁ ପ୍ରଦାନ ହୋଇଲେ ଯଯାତି

କନ୍ୟାୟେକ ଦିଲା କୋଶଳ ବ୍ରାହ୍ମଣ ନୃପତି।୧୦।

 

ଇନ୍ଦୁଦେଶର ରାଜାୟେ ପଛିମ ସଉରାଷ୍ଟ୍ରଇଂ

ତାହାର ଦୁହିତା ନାମ କୃଷ୍ଣାବତୀ ଅଟଇ।୧୧।

ପ୍ରବାଳସେନ ବୋଲି ହାଦେ ଇନ୍ଦୁ ନୃପତି

ନବମେ ପ୍ରଦାନ ହୋଇଲା ତାହାର ଦୁହିତୀ।୧୨।

 

ୟେମନ୍ତେ ନବଜାତିରୁ ନବକନ୍ୟା ପ୍ରଦାନ

ନବ ପୁତ୍ର ଉପୁଜିଲା ଯଯାତିଙ୍କର ବିଦ୍ୟମାନ।୧୩।

ଆଦ୍ୟରେ ପୃଥିବୀ ନବଭାଗ ରାଜାକଲେ

ନବ ଖଣ୍ଡ ମେଦିନୀ ନବ ପୁତ୍ରେ ବାଣ୍ଟି ଦିଲେ।୧୪।

 

ତାହାର ଜ୍ୟେଷ୍ଠ ପୁତ୍ର ନାମ ପୁରୁ ମହୀପତି

ଓଡ଼ିୟାଣୀ ଭାରିଯାର ସେ ଅଟଇ ସନ୍ତତି।୧୫।

ମାତାଙ୍କର ଭାଗ ୟେ ଓଡ଼ରାଷ୍ଟ୍ର ମଣ୍ଡଳେ

ତହୁଂ ସେ ଓଡ଼ରାଷ୍ଟ୍ର ଭ୍ରଥଖଣ୍ଡେ ସର୍ବକାଳେ।୧୬।

 

ପୁରୁର ନନ୍ଦନ ଯେ ପ୍ରବୀର ନୃପତି

ବାର ରାଷ୍ଟ୍ରକରିଣ ଭିଆଇଲେ ରାଷ୍ଟ୍ରପତି।୧୭।

ୟେକା ଖଣ୍ଡ କଇଂ ଯେ କଲେକ ସାତ ସାତ ଖଣ୍ଡ

ମଣ୍ଡଳ ଭିଆଣ କରି ଯେ ଭିଆଇଲେ ପାରିଦଣ୍ଡ।୧୮।

 

ପ୍ରବୀରନନ୍ଦନମନସିବାନାମେଣବୀରା

ଅନେକଦୁଷ୍ଟନ୍ତମାରିସେଉଶ୍ୱାସିଲେମହୀଭାରା।୧୯।

ପ୍ରବୀର ନନ୍ଦନ ଯେ ମନସିବା ନୃପତି

ୟେହାଙ୍କର ନନ୍ଦନ ୟେ ଅନୁପାମ ଚକ୍ରବ୍ରତୀ୨୦

 

ଆଗେଣ ଥାଠ ସନ୍ୟ କିଛି ନଥାଇଂ ୟେହାଙ୍କର ତୁଲେ

ୟେକାୟେ ଛାତ୍ରଧରାଇ ନବ ଖଣ୍ଡ ମେଦିନୀ ସାଧ୍ୟ କଲେ।୨୧।

ଆପଣେ ଅନୁସରି ଭିଆଇଲେ ସପତ ଦ୍ୱୀପା ପୃଥୀ

ଧାତୁବାଦ ପୁରୁଷ ୟେ ଅନୁପାମ ଚକ୍ରବ୍ରତୀ।୨୨।

 

ଅନୁପାମର ନନ୍ଦନ ଅଟଇ ଈଳୀନବୀର

ଦୁଷ୍ୟନ୍ତ ବୋଲି କରି ଯେ ପୁତ୍ରେକ ହୋଇଲା ତାହାର।୨୩।

ମନ୍ଦର ଦେଶର ରାଜା କଉସ୍ତୁଭ ନରପତି

ତାହାର ଦୋହିତାର ନାମ ଅଟଇ ମନ୍ଦାରବତୀ।୨୪।

 

ୟେ ଦୁଷ୍ୟନ୍ତର ମହିମା ନ ଯାଇଂ କହଣ

ସମୋଦ୍ର ଛଡ଼ାଇ ନେଲା ସେ ଅଶୀ ସହସ୍ର ଯୁଣ।୨୫।

ସମୋଦ୍ର ଭିତରେ ନେଇଂ ଶୁଭ ଖମ୍ୱେକ ପୋତିଲା

ସେହିଠାରୁଂ ସମୋଦ୍ର ସୀମା ଲଘିଂ ନୁଆରିଲା।୨୬।

 

ତୋଷେ ମୋଦବତୀ କନ୍ୟା ଦେଲା ବରମାଳା

ଆବର ଭାରିଯା ତାର ହେଲା ଶକୁନ୍ତଳା।୨୭।

 

ଦୁଷ୍ୟନ୍ତର ନନ୍ଦନ ଯେ ଅଟଇ ବୀର ଭ୍ରଥ

ସମୋଦ୍ର ଘୁଞ୍ଚାଇଂ ଦିଲା ଯୋଜନ ସାତ ଶତ।୨୮।

ସାତ ଶତ ଯୋଜନେକ ଯେ ଖଣ୍ଡେ ଖଣ୍ଡେ କଲା

ତହୁଂ ସେ ଭ୍ରତ ଖଣ୍ଡ ମେଦିନୀ ବୋଲାଇଲା।୨୯।

 

ୟେହି ସେ ଭିଆଇଲେ ଗ୍ରାମେକେ ସୀମାୟେ

ନଳକ ମାତ୍ର କରି ପୃଥିବୀ ବାଣ୍ଟିଣ ଠୂଳ କୟେ।୩୦।

ଆହୋ ଭ୍ରଥର ନନ୍ଦନ ୟେ ଅଟଇ ଭୂମନୁ

ସମସ୍ତ ଶାହାସ୍ର ସାଧିଲେ ଭୂତ ଭବିଷ ଗ୍ୟାନୁଂ।୩୧।

 

ୟେ ପୃଥ୍ୱୀ ପୁଣ ଭାଗ ମୂଳ କଲେ

ମଣ୍ଡଳ ଖଣ୍ଡ ଖଣ୍ଡ କରି ନବ ସୃଷ୍ଟି ଭିଆଇଲେ।୩୨।

ଭୂମନୁର ନନ୍ଦନ ଉପୁଜିଲେ ବିରଥ

ୟେ ସେ ଭିଆଇଲେ ଯୋଦ୍ଧା ପାତ୍ର ଅମନାତ୍ୟ।୩୩।

 

ୟେହାଙ୍କର ନନ୍ଦନ ଉପୁଜିଲା ବିଭୁଋକ୍ଷ

ଖଣ୍ଡ ମଣ୍ଡଳ କରି ୟେ ବାଣ୍ଟିଲେ ରାଜ୍ୟ ଯେ ପ୍ରତକ୍ଷ।୩୪-୧୧୨।

 

Unknown

ଶମ୍ଭୁରାଣଉ ପାଖ୍ୟାନ

 

ବିଭୁଋଷର ନନ୍ଦନ ଶମ୍ଭୁରାଣ ଆଧିପତି

ଆଦି ଦିଗପାଳ ମାନନ୍ତ ସେ ବରିଲା ସବୁନ୍ତି।୧।

ବିଶ୍ୱାନଳ କରିୟେ କଲାକ ଭିଆଣ

ମହାପ୍ରତାପୀ ଯେ ହୋଇଲା ଶମ୍ଭୁରାଣ।୨।

 

ସୂର୍ଯ୍ୟଙ୍କର ନନ୍ଦନୀ ଯେ ହୋଇଲା ତପତୀ

ଦେବତାୟେ ସହି ନ ପାରିଲେ କନ୍ୟାର ତେଜ ଯେ ମୂରତି।୩।

କେବଳ ମାତ୍ର ତାହାକୁ ସଂଗ୍ୟାଂ ଜନ୍ମ ଦେଲେ

ଅତ୍ୟନ୍ତମତେ କେ କତିକି ଯାଇଂ ନୁଆରିଲେ।୪।

 

ଆକାଶେ ସୟଂବର କରିଲେ ଦେବଆଦି

ଦିଗପାଳ ମାନନ୍ତ ବରି ସଭାୟେ ସମ୍ପାଦି।୫।

ତ୍ରିଦଶ ଦେବତାୟେ ବସିଲେ ଆସ୍ତାନେ

ତପତୀ ସୟଂବର ଚରିତ ବିଦ୍ୟମାନେ।୬।

 

ନବସାଗର ଯେ ବ୍ରହ୍ମଋଷିମାନନ୍ତ ଘେନି

ମଳୟ ମଣ୍ଡଳେ ଯାଇଂ ବିଜୟେ ପଦ୍ମଯୋନି।୭।

 

ଚଉଦ କୋଟି ଯେ ଶିବଗଣନ୍ତ ଘେନି ତୁଲେ

ବୃଷ ଭବାହନେ ଯାଇଂ ରୁଦ୍ରେ ବିଜେ କଲେ।୮।

 

ଅଳକା ଭୁବନୁଂ ବିଜେ କୁବେର ଦେବତା

ସାତ ପଦ୍ମ ସଇନି ଘେନି ଧନାଧିପ ଉପଗତା।୯।

ଅମର ଭୁବନ ତେଜି ଅଇଲେ ଅମରାଧି

ଅଇରାବ୍ରତ ଆରୋହି ବିଜୟେ ଜମ୍ଭୋଭେଦୀ।୧୦।

 

ଚଉଷଠି ପୁତ୍ର ଘେନିଣ ଅମରଗଣ

ବିଜୟେ ସୁରନାଥ ସୂର୍ଯ୍ୟ ସଭାୟେଣ।୧୧।

ଅଣଚାଶ ପବନ ପକ୍ଷ ଯେ କିନ୍ନର

କାଳ ଗଣନ୍ତ ଘେନି ବିଜୟେ ନାଶକର।୧୨।

 

ମଧୁକର ମଳୟ ବସନ୍ତ ଅନନ୍ତ

ବିଜୟେ କରୁଣାକର ଗଗନାଧିନାଥ।୧୩।

ଗର୍ଜନ ନାଦ କରି ନିର୍ଘାତ ନରପତି

ସଅମ୍ୱରେ ବିଜୟେ ଯାଇ ମଣ୍ଡଳ ଚକ୍ରବ୍ରତୀ।୧୪।

 

ମେଘମାଳ ସହିତେ ନୃପତି ହେମବନ୍ତ

ସେହି ପ୍ରବେଶ ହୋଇଲେ ମଳୟପର୍ବତ।୧୫।

ଆହୋ ଗନ୍ଧର୍ବ ଯକ୍ଷ କିନ୍ନର ସୁର ସିଦ୍ଧ ମୁନି

ସୟମ୍ୱର କଲେ ସେ ଦେବତା ମାନନ୍ତ ଘେନି।୧୬।

 

ୟେସନେକ ସୟମ୍ୱର ଦେଖିଣ ବିବୁଧ ଆଦି

ଦେବତାନ୍ତ ସମାର୍ଜନା କଲେ ଦେବ ଯେ ଅନାଦି।୧୭।

ତ୍ରିଦଶ ଦେବତାମାନେ ବସିଲେ ଆସ୍ତାନେ

ବିନୟଭାବେ ପଚାରନ୍ତି ଗଗନାଧି ଶୂନ୍ୟେ।୧୮।

 

ୟେ ମୋହୋର ଦୁହିତା ଯେ ଅଟଇ ତପତୀ

ସୟଂବର ନିମନ୍ତେ ମୁଂ ବରିଲି ସବୁନ୍ତି।୧୯।

ୟେ ଯାହାର କଣ୍ଠେ ନେଇ ଦେବ ପୁଷ୍ପମାଳି

ସେ ତାହାର ବଲ୍ଲଭ ହୋଇବ ସତ୍ୟ ପ୍ରତିପାଳି।୨୦।

 

ତ୍ରିଦଶ ଦେବତା ୟେ ଅନେକ ବେଶ ବେଶନେ

ବିଜୟେ ବୃନ୍ଦାଅର୍କେ ପଦ୍ମ ଯେ ଆସନେ।୨୧।

ବଦୟନ୍ତି କରତା ଶୁଣ ଗୋ ତପତୀ

ତୋହୋର ନିମନ୍ତେ ମୁଂ ବରିଲି ସବୁନ୍ତି।୨୨।

 

ଯାହାକୁ ଇଛା ଗୋ ବର ତୋହୋର ଚିତ୍ତେ

ପାରିଜାତକ ପୁଷ୍ପମାଳ ଗୋ ଦିଅ ତୋହାର ହୃଦଗତେ।୨୩।

ପିତାର ବଚନ ଯେ ଶୁଣିଣ ତପତୀ

ମାଳା ଘେନି ମିଳିଲା ସେ ସୁରନାଥର କତି।୨୪।

 

ତପତୀର ତେଜ ଜାଳା ଅନଳ ପରାୟେ

ଭୟେଣ ଅନ୍ତର ତହୁଂ ଯେ ହୋଇଲେ ସୁରରାୟେ।୨୫।

ଇନ୍ଦ୍ରଦେବତା ଯହୁଂ ଅନ୍ତର ହୋଇଲା

ମାଳା ଘେନି ତପତୀ କୁବେର ସନ୍ନିଧ୍ୟେ ମିଳିଲା।୨୬।

 

ପାଶକୁ ଆସନ୍ତେ ସେ ସାଂଗ୍ୟାର ଦୁଲଳା

ତପତୀର ତେଜ ଯେ ଲାଗିଲା ମହାଜାଳା।୨୭।

କୁବେର ଦେବତା ଯେ ସଭାରେ ନ ରହିଲେ

ଉଠିଣ ଆପଣା ଭୁବନେ ଚଳିଗଲେ।୨୮।

 

ତହୁଂ ମାଳା ଘେନି ଚଳିଲା ସୂର୍ଯ୍ୟର ନନ୍ଦନୀ

ସନ୍ନିଧ୍ୟେଣ ଦେଖିଲା ସେ ଦେବ ପଦ୍ମଯୋନି।୨୯।

ଆହୋ ତପତୀର ତେଜ ଯେ ମହା ଅନଳ ପରାୟେ

ମରୁଳ ଆରୋହି ପିତା ହୋଇଲେ ଅନ୍ତର୍ଦ୍ଧାୟେ।୩୦।

 

ପିତାମହଙ୍କୁ ନ ଦେଖି ସେ ଦିନକର କୁମାରୀ

ମାଳା ଘେନି ମିଳିଲା ଯହିଂ ବିଜୟେ ତ୍ରିପୁରାରି।୩୧।

ସଦାଶିବ କତିକୁ ଯାଆନ୍ତେଣ ଅବଳା

ରୁଦ୍ର ଶରୀରେ ସେ ଲାଗିଲା ମହାଜାଳା।୩୨।

 

ଭୟେଣ ଘୁଞ୍ଚିଲେ ସେ ଦେବ ପଞ୍ଚୁ ମଉଳି

ଶିବଗଣ ମାନନ୍ତ ଘେନି ସେ କପିଳାସେ ଗଲେ ଚଳି।୩୩।

ପୁଣି ମାଳାୟେକ ଯେ ଘେନିଣ ତପତୀ

ବିଜୟେ ସୁନ୍ଦରୀ ଯାଇଁ ହେମବନ୍ତର କତି।୩୪।

 

ଦେଖିଣ ଭୟେ ସେ କଲା ହେମବନ୍ତ

ଆସ୍ତାନୁଂ ଉଠି ସେ ଚଳିଗଲା ଶୂନ୍ୟପଥ।୩୫।

ଆହୋ ତପତୀର ତେଜେ ପଳାଇଲେ ବୃନ୍ଦାଅର୍କେ

ଯେ ଯାହାର ଭୁବନେ ଯେ ମିଳିଲେ ଦେବଲୋକେ।୩୬।

 

ଆଦିତ୍ୟ ବୋଇଲେ ୟେ ସୟଂବର ସରିଲା

କେହିତ କନ୍ୟାକୁ ମୋ ବରଣ ନୋହିଲା।୩୭।

ଦୋହିତା ହୋଇଂ ଯେବେ ପିତା ଘରେଣ ରଜବତୀ

ପିତୃଲୋକମାନେ ଯେ ପାବନ୍ତି ନର୍କ ଗତି।୩୮।

 

ୟେସନେକେ ବିଚାର କରନ୍ତେଣ ଦେବ ସୂର୍ଯ୍ୟ

ଅଶ୍ୱେକ ଚଢିଣ ବିଜେ କଲେ ଶମ୍ଭୁରାଣ ମହାରାଜ।୩୯।

ବଦୟନ୍ତି କରତାର ଶୁଣ ଗୋ ତପତୀ

ୟେ ମହାରାଜା ଗୋ ସୋମବଂଶର ଆଧିପତି।୪୦।

 

ୟେହାର ବଂଶେ ଗୋ ଅମରେ ହୁଅନ୍ତି ପାଟ

ମାଳା ଘେନି ୟାଇଂ ଗୋ ୟେହାର ସନ୍ନିଧ୍ୟେଣ ଭେଟ।୪୧।

ପିତାଙ୍କର ବଚନେଣ ସେ ମୃଗନୟନୀ

ମିଳିଲାକ ସୁନ୍ଦରୀ କରେ ମାଳ ଅର୍ଘ୍ୟ ଘେନି।୪୨।

 

ଅଶ୍ୱ ଉପରେଂ ବିଜେ କରିଛନ୍ତି ଶମ୍ଭୁରାଣ

ମାଳା ଘେନିଣ ତପତୀ ମିଳିଲା ସନ୍ନିଧ୍ୟେଣ।୪୩।

ନୃପତି ହୃଦରେ ନେଇ ଦିଲାକ ପୁଷ୍ପମାଳେ

ଶ୍ରୀଭୁଜେ ଧରିନେଇ ଶମ୍ଭୁରାଣ ବସାଇଲେ କୋଳେ।୪୪।

 

ଦେଖିଣ ପରମ ସାନନ୍ଦ ଦେବ ଅଂଶୁମାଳୀ

ସାଧୁ ସାଧୁ ଶମ୍ଭୁରାଣ ବୋଲି ଜୟେ ଧୁନି ତୋଳି।୪୫।

ଅନେକ ସମ୍ଭର୍ବେ ସେ ରାଜାଧିରାଜପତି

ତପତୀ ପ୍ରଦାନ ଯେ କଲାକ ଯଥାରୀତି।୪୬।

 

ଶମ୍ଭୁରାଣ ବିଳସଇ ସେ ସୁନ୍ଦରୀ ତପତୀ

କୁରୁ ନାମେଣ ପୁତ୍ର ତହୁଂ ହୋଇଲା ଉତପତ୍ତି।୪୭-୧୫୯।

 

ଶାନ୍ତନୁ ଉପାଖ୍ୟାନ

 

ତହୁଂ ସେକୁରୁବଂଶ ଜଗତେ ବିଖ୍ୟାତି

କୁରୁର ଭାରିଯା ଯେ ଅଟଇ ଭାନୁବତୀ।୧।

ୟେହାର ତହୁଂ ଉପୁଜିଲା ପାର୍ଥିବ ନରପତି

ୟେମନ୍ତେଣ ସୋମବଂଶ ହୋଇଲା ଉତପତ୍ତି।୨।

 

ପାର୍ଥିବର ଭାରିଯା ଚିତ୍ର ଯେ ଉତ୍ପଳା

ଶାୟେଂତନୁ ରାଜଋଷି ୟେହାଙ୍କର ବଳା।୩।

ଶାୟେଂତନୁ ମହାରାୟେ ରୁଦ୍ରଙ୍କୁ ସେବାକଲେ

ସପତ ଦ୍ୱୀପେ ସେ ୟେକାଙ୍ଗ ଚକ୍ରବ୍ରତୀ ହେଲେ।୪।

 

ଅତିଅନ୍ତ ଭଗତି ସେ କାଶୀ ସେବାକରି

କଷା କଉପୁନି ହୋଇଲେ ମାଥେ ଜଟାଧାରୀ।୫।

ସୋମେକ ରୂପେ ହର ଗୋହତ୍ୟା ଦୋଷ କଲେ

ହଟକେଶ୍ୱର ବୋଲି ପାତାଳେ କପିଳାସେ ରଞ୍ଚିଲେ।୬।

 

ଶିବ ସେବା କରି ତହୁଂ ରହିଲେ ଶାୟେଂତନୁ

ମଞ୍ଚକୁ ନ ଆସନ୍ତି ସେ ପାତାଳ ଭୁବନୁଂ।୭।

 

ପାତାଳେ ଥାଇଂ ସେ ମଞ୍ଚକୁ ଦ୍ୟନ୍ତିଦୃଷ୍ଟି

ଦିବ୍ୟଚକ୍ଷୁରେ ଦେଖନ୍ତି ରାଜ୍ୟକୁ ପଡିଲେ ଅରଷ୍ଟି।୮।

 

ଦଇତ ଦାନବେ ଯେବେ କରନ୍ତି ଅନୀତି

ପାତାଳେ ଥାଇଂ ସେ ନାରାଜ ବିନ୍ଧିଲେ ମଞ୍ଚେ ହୋନ୍ତି ବିନଶ୍ୟତି।୯।

ୟେସନେକ ସେବାକରି ଥାନ୍ତି ବିଶ୍ୱନାଥ

ସପତ ଦ୍ୱୀପା ନିଛତ୍ରୀ କରି ରାଜ୍ୟ କରନ୍ତି ୟେକ ଛତ୍ର।୧୦।

 

ସପତ ଦ୍ୱୀପକୁ ମନ୍ତ୍ରବଳେ ସେ ସପତ ନାରାଜ ପେଷି

ସୁଦରଶନ ଚକ୍ର ପ୍ରାୟେ ବୁଲଇ ଦିବାନିଶି।୧୧।

ବଳ ଦୁର୍ବଳ କଲେ ସେ ପକାବନ୍ତି ଶିରଛେଦି

ୟେମନ୍ତେ ସପତ ଦ୍ୱୀପ ସତ୍ୟରେ ଚଳାନ୍ତି ସମ୍ପାଦି।୧୨।

 

ଆହୋ ସୋମବଂଶ ରାଜ୍ୟେ ପରଜା ଉପୁଜାଇ ଯେବଣ କୃଷି

ବାଟିକେ ଚିନାୟେ ସଂଜା ଦେଇ ନିଅଇ ବେନିରାଶି।୧୩।

ଇନ୍ଦ୍ରଦେବତାର ତୁଲେ ତାର ଅନେକ ଭାବେ ପୀରତି

କୃଷି ଭୂମିରେ ମେଘେ ବରଷନ୍ତି ରାତି।୧୪।

 

ସନ୍ତାନ ଶୋଚନା ନାସ୍ତି ବ୍ରତନ୍ତିଜନପ୍ରଜା

ୟେସନେକ ସାର୍ଥୁକ ସେ ସୋମବଂଶ ରାଜା।୧୫।

ଗଙ୍ଗା ଜାତ ହୋଇଲେ ଯେ ନିର୍ଘାତର ଘରେ

ଧବଳ ରୁଚିର ବପୁ ଶୁକ୍ଲାମ୍ୱର ଶରୀରେ।୧୬।

 

ନିର୍ଘାତ ପାଳଇ ସେ ଅନାଦି ନିରଞ୍ଜନୀ

ତ୍ରୟୋଦଶ ବରଷ ଯେ ହୋଇଲା ନନ୍ଦନୀ।୧୭।

ନିର୍ଘାତ ବୋଇଲା ମାଗୋ ମୁଂ କେମନ୍ତ କରିବି

କୁମାରୀ ରୂପ ହୋଇଲୁ ତୋତେ କାହାକୁ ମୁହିଂ ଦେବି।୧୮।

 

ବଡାଇ ନିରାକୁଳୀ ତୁ ଅଟୁ ଦେବୀତୋୟା

ତୋତେ ଦେଖିଣ ମୁଂ କରଇ ବଡ ଭୟା।୧୯।

ଗଙ୍ଗା ବୋଇଲେ ତୁ ଶୁଣସି ମୋହୋର ପିତା

ମୋହୋର ବଲ୍ଲଭ ସେ ଅଟଇ ରୁଦ୍ର ଯେ ଦେବତା।୨୦।

 

ସେ ମୋହୋର ପ୍ରାଣନା ଥଅଟନ୍ତି ଦେବ ଯେ ତ୍ରିଶୂଳୀ

ସେହି ସେ ସହିପାରନ୍ତି ନା ମୋହୋର ଆର୍ଦୋଳି।୨୧।

ନିର୍ଘାତ ବୋଇଲା ମାଗୋ ଶୁଣ ଧବଳାଙ୍ଗି

ବ୍ରହ୍ମହତ୍ୟା କଲା ସେ ରୁଦ୍ର ପରମ ଯୋଗୀ।୨୨।

 

ଅନେକ ତୀର୍ଥ ସେ କଲେ ବିଶ୍ୱକାଶୀ

ପାତାଳେ ବସିଲେ ସେ ହୋଇଣ ବଡଦୋଷୀ।୨୩।

ଗଙ୍ଗା ବୋଇଲେ ପିତା ମୁଂ ଥିବି ତୋହୋର ଘରେ

ଯେତେକାଳେ ଆସିବେ ବରିବି ବିଶ୍ୱେଶ୍ୱରେ।୨୪-୧୮୩।

 

ଶାନ୍ତନୁ ବିବାହ

(ଚିତ୍ରବୀର୍ଯ୍ୟ, ବିଚିତ୍ରବୀର୍ଯ୍ୟ ଓ ଭୀଷ୍ମଙ୍କର ଜନ୍ମ)

 

ୟେମନ୍ତେ ପିତାର ଘରେ ଯେ ଅଛଇ ଗଙ୍ଗା ବାଳୀ

କୁମାରୀ ମାନଙ୍କ ସଂଗେ ସେ ଖେଳଇ କୁତୁହୋଳୀ।୧।

ପିତାର ଘରେ ଯହୁଂ ସହସ୍ରେ ବରଷ ବହିଗଲା

ଦୋହିତାକୁ ଦେଖିଣ ନିର୍ଘାତ ଅନେକ କ୍ରୋଧକଲା।୨।

 

ସ୍ତିରୀ ଜନ୍ମ ନିଷ୍ଫଳ ଗୋ ହୋଇଲା ମାତା ତୁକୁ

ଲାଞ୍ଛନା ହୋଇଲା ମୁକୁ ସୟଂବର କରି ବରିକି ଆଣିମି ଦେବତାଙ୍କୁ।୩।

ଯାହାକୁ ଭାବଇ ମା ଗୋ ତୋହୋର ମନଇଛା

ମାଳା ଦେଇଂ ବର ଗୋ ଯେ ତୋହୋର ମନବାଞ୍ଛା।୪।

 

ଗଙ୍ଗା ବୋଇଲେ ତୁ ବିମୁଖ ନୋହ ତାତ

ରୁଦ୍ର ଦେବତାହୁଂ ଆନରେ ମୋର ନାହିଁ ପ୍ରିୟମତ।୫।

ସେ ମୋହୋର ବଲ୍ଲଭ ମୁଂ ତାହାର ନାରୀ

ଅନେକ ଜନ୍ମରେ ମୁହିଂ ସଦାଶିବଙ୍କ ମନୋହାରୀ।୬।

 

ନିର୍ଘାତ ବୋଇଲା ମା ଗୋ କହଇ ମୁହିଂ ତୋତେ

ତୋହୋର ଅବସ୍ଥା ୟେଣ ଅନେକ ଦୋଷ ମୋତେ।୭।

ଅବିଭାୟୀ ଦୋହିତା ପିତା ଘରେ ହୋଇଲେ ରଜବତୀ

ୟେକୋଇଶ ପୁରୁଷ ପରିଯନ୍ତେ ପିତୃଲୋକଙ୍କୁ ଅଗତି।୮।

 

ଗଙ୍ଗା ବୋଇଲେ ଯେବେ ଅନେକ ଯୁଗ ବହିଯିବ

ୟେହି ମତେ ଥିବି ତାତ ହୋଇଣ ବାଳଭାବ।୯।

ନିର୍ଘାତ ପରମ ସାନନ୍ଦ ସେ ଦୋହିତାର ବଚନେ

ରହିଲେ ଜାହ୍ନବୀ ଯେ ପିତାର ଭୁବନେ।୧୦।

 

ଗଙ୍ଗାର ଜନମେଣ ଯେ ସତ୍ୟଯୁଗ ବହିଗଲା

ରୁଦ୍ର ଦେବତାଙ୍କୁ ସେ ଭେଟ ନ ପାଇଲା।୧୧।

ସତ୍ୟ ଯୁଗ ସତର ଲକ୍ଷ ଅଠାଅଶୀ ସହସ୍ର ବରଷ

ଖେଳଇ ନିର୍ଘାତ ଘରେ ଦେବୀ ବାଳୁତ ବୟସ।୧୨।

 

ତ୍ରେତୟା ଯୁଗ ବାର ଲକ୍ଷ ଛୟାଣୋଇ ସହସ୍ର ବରଷ ହାଦେ ଗଲା

ତଦ୍ୟାପି ଗଙ୍ଗାର ତୁଲେଶ୍ୱର ଭେଟ ନପଡିଲା।୧୩।

ତ୍ରେତୟା ଯୁଗ ଅନ୍ତରେ ଯେ ରୁଦ୍ର ପଞ୍ଚୁମନୁ

ଦିବାରାତ୍ରେଣ ଖଟିଥାନ୍ତି ସେ ଋଷି ଶାୟେଂତନୁ।୧୪।

 

ସଦାନନ୍ଦ ପୁରୁଷ ଆସି ପ୍ରସନ୍ନ ହୋଇଲେ

ଦୁତୀ ଈଶ୍ୱର ପଦ ସେ ଶାୟେଂତନୁକୁ ଯେ ଦିଲେ।୧୫।

ବୋଲନ୍ତି କପାଳୀ ତୁ ଯାଅସି ସ୍ୱର୍ଗମଞ୍ଚ

ଭ୍ରମଣ କରି ଦେଖ ତୁହି ଭୁବନ ସୁସଞ୍ଚ।୧୬।

 

କେବଣ ପୁରେ ଯେ କେବଣ ହୋଇଛନ୍ତି ଦେବେ

ୟେହା ବୁଝସି ତୁ ଚଳ ସ୍ୱର୍ଗମଞ୍ଚ ୟେବେ।୧୭।

ସଦାଶିବର ବଚନେ ସେ ଚଳନ୍ତି ସୋମବଂଶୀ

ରୁଦ୍ର ଅବତାର ସେ ଶାୟେଂତନୁ ମହଋଷି।୧୮।

 

ବଇଲେକ ଆରୋହି ସେ ମଥାରେ ଜଟାଧାରୀ

ଧବଳ ବର୍ଣ୍ଣ ଶରୀର ସେ ଦିଶଇ ଯେହ୍ନେ ତ୍ରିପୁରାରି।୧୯

ଗମଇ ଆକାଶେ ସେ ସୋମବଂଶୀ ଚକ୍ରବ୍ରତୀ

ଲକ୍ଷେକ ଡମ୍ୱରୁ ସେ ଶୂନ୍ୟେଣ ବାଜନ୍ତି।୨୦।

 

କରେଣ ପିନାକୀ ସମାନେଣ ୟେକ ଧନୁୟେ

ଆରେକ ଭୁଜେଣ ଶୋହଇ ତ୍ରିଶୂଳ ଗୋଟାୟେ।୨୧।

ଭସ୍ମ ବିଲେପନ ରୁଦ୍ରାକ୍ଷ ମାଳାହୃଦେ

ଧବଳ ଶରୀର କି ପ୍ରତକ୍ଷେ ସଦାନନ୍ଦେ।୨୨।

 

ୟେସନେକେ କରଇ ସେ ଆକାଶେ ଦିଗ ବିଜେ

ଈଶ୍ୱର ପ୍ରାୟେ ଦେଖି ପୂଜା କଲେ ଦେବରାଜେ।୨୩।

ଅୟେଂଳା ବୃକ୍ଷ ତଳେ ଗଙ୍ଗା ତପ କରୁଥିଲା

ଭୋଳମତି ବେଳେଣ ତାର ଚିତ୍ତ ଯେବଳିଲା।୨୪।

 

ଦେଖିଣ ବଚନ ଯେ ବୋଲଇ ନିରିଘାତ

ଶାୟେଂତନୁର ଭାରିଯା ହୁଅସି ଗୋ ମାତ।୨୫।

ପିତାର ବଚନେ ସେ ତୁଷ୍ଟ ଧବଳାଙ୍ଗୀ

ନିର୍ଘାତ ହାତରୁ ମାଳା ୟେକ ନେଇ ଗଳାରେ ତାହାକଇଂ ଲାଗି।୨୬।

 

ଜଳ ତିଳ ଘେନିଣ ସଂକଳ୍ପ ରାୟେ କଲା

ଦୋହିତା ତୋତେ ଦେବି ବୋଲି ସତ୍ୟ ମନାସିଲା।୨୭।

ୟେ ମୋହୋର ସତ୍ୟ ସତ୍ୟ ବୋଲଇ ତିନିବାରେ

ବରିଣ ନିର୍ଘାତ ଯେ ବସାଇଲା କୋଳରେ।୨୮।

 

ଅନେକ ବାଗେଣ ସେ ଯେ ପୂଜା ବିଧି କଲା

ଦୋହିତାର ନିମନ୍ତେ ସେ ସତ୍ୟ ଯେ ପାଳିଲା।୨୯।

ବର ବେଶ ହୋଇଣ ବସିଲେ ଶାୟେଂତନୁ ମହଋଷି

ଦୃଭାସା ମହଋଷି ତହିଂ ମିଳିଲେ ବେଗେ ଆସି।୩୦।

 

ମେଷ କୃଷ୍ଣ ଚତୁର୍ଥୀ ଯେ ତିଥି ଚନ୍ଦ୍ରବାରେ

ହସ୍ତା ନକ୍ଷତ୍ର ଯେ ବେଳ ତୃତୀୟ ପ୍ରହରେ।୩୧।

କନ୍ୟା ଲଗ୍ନ ତାର ଚନ୍ଦ୍ର ଶୁଦ୍ଧି ଶୁଭ ବେଳ

ବୃଦ୍ଧି ନାମେ ଯୋଗ ପୁଣି କରଣ ତୈତିଳ।୩୨।

 

ୟେସନେକ ସମୟେ ଯେ ସୀଉକାର ସାରି

ଓହୋ କୁଳର ସେ ଗୋତ୍ରନ୍ତ ଉଚ୍ଚାରି।୩୩।

ବୋଲନ୍ତି ପୁରୋହିତେ ଯେ ଗୋତ୍ର କହ ବର

ପିତାମାତାଙ୍କର ନାମ ଯେ ତୋହୋର ଧର।୩୪।

 

ଶାୟେଂତନୁ ବୋଇଲେ ଆମ୍ଭେ ଅଟୁ ସୋମଗୋତ୍ରୀ

ଆମ୍ଭ ପଣବାପା ଯେ ଶମ୍ଭୁରାଣ ନୃପତି।୩୫।

ଶମ୍ଭୁରାଣର ପୁତ୍ର ଯେ ଅଟଇ କୁରୁ ନରନାଥ

ତାହାର ନନ୍ଦନ ପାର୍ଥିବ ନୃପତି ସାମରଥ।୩୬।

 

ପାର୍ଥିବର ନନ୍ଦନ ଯେ ଆମ୍ଭେ ଅଟୁ ପୁତ୍ର।୩୭।

ଶାୟେଂତନୁର ମୁଖୁଂ ୟେସନକ ବାକ୍ୟଶୁଣି

ବିସ୍ମୟ ହୋଇଲେ ସେ ଗଙ୍ଗା ଗୋସାମଣୀ।୩୮।

 

ଗଙ୍ଗା ବୋଇଲେ ତୁ ମନ୍ଦକୃତ୍ୟ କଲୁ ତାତ

ନୋହଇ ଈଶ୍ୱର ୟେ ନୋହୋଇ ବିଶ୍ୱନାଥ।୩୯।

ଈଶ୍ୱର ଦେବତାର ଯେ କୁଳ ଗୋତ୍ର ନାହିଁ

ପିତା ଅଜା ପଣଅଜା ତାହାର ପୁଣ ଅଛି କାହିଂ।୪୦।

 

ଯେ ସେ ସ୍ୱାମୀ ଅଟଇ ଈଶ୍ୱର ଦଇବତ

ଅକୁଳ ଅମାର୍ଗ ନିଶ୍ଚଳ ନାହିଂ ତାର ଗୋତ୍ର।୪୧।

ୟେତେ କହି ଗଙ୍ଗା ଉଠିଣ ଗଲେ ପିତାର କୋଳରୁ

ନିର୍ଘାତ ବୋଇଲା ମାଗୋ କିପାଇଂ ନାସ୍ତି କରୁ।୪୨।

 

ଈଶ୍ୱର ବରିବି ବୋଲି ମୁଁ ମନେ କଲି ଇଛା

ଦୁଇଯୁଗ ପରିଯନ୍ତେ ଦୁଖପଡ଼ି ନ ପାଇଲି ମନବାଞ୍ଛା।୪୩।

ନିର୍ଘାତ ବୋଇଲେ ମାଗୋ ମୁଂ ଯେ ସତ୍ୟ କଲି

ସଂକଳ୍ପ କରନ୍ତେ ମୁଂ ଯେ ତୋତେ ପଚାରିଲି।୪୪।

 

ତୋହୋର ବଚନେ ମୁଂ ଯେ ସତ୍ୟ କଲି ୟେହାଙ୍କୁ

ସତ୍ୟ ଭଗ୍ନ ଦୋଷ ମାଗୋ ହୋଉଛିଟି ମୁକୁ।୪୫।

ପିତାର ବଚନ ଯେ ଶୁଣିଣ ଧବଳାଙ୍ଗୀ

ବାହୁଡ଼ିଣ ଆସି ଦେବୀ ବସିଲାକ ବେଗି।୪୬।

 

ଗଙ୍ଗା ବୋଇଲେ ତୁମ୍ଭେ ଶୁଣ ଶାୟେଂତନୁ

ମୋହୋର ବଲ୍ଲଭ ଯେ ଅଟନ୍ତି ପଞ୍ଚୁନନୁ।୪୭।

ଈଶ୍ୱର ବୋଲି ମୁଂ ତୋତେ କଲି ସନମତ

ନଜାଣି ସତ୍ୟ ତୋତେ କଲା ମୋର ତାତ।୪୮।

 

ତୋହୋର ମନରେ ଯେ ବିଚାର କର ଭାଳି

ତୁ ସହି ପାରିବୁଟିକି ମୋହୋର ଆର୍ଦୋଳି।୪୯।

ଆହୋ ଈଶ୍ୱର ଦେବତା ଯେ ସହି ନୁଆରିଲା

ବ୍ରହ୍ମାର କମଣ୍ଡଳେ ସେ ଦେଇଣ ମୋତେ ଗଲା।୫୦।

 

ପିତାମହ ସହି ନ ପାରିଲା ମୋହୋର ଆରଦୋଳି

ବାମନ ନାରାୟଣ ପାଦେ ମୋତେ ନେଇ ଢାଳି।୫୧।

ଆହୋ ବାମନ ଦେବତା ମୋତେ ନ ପାରିଲା ସହି

ମେରୁର କ୍ରୋଟରେ ଛାଡ଼ିଗଲା ମୋତେ ନେଇ।୫୨।

 

ସେ ନ୍ୟାୟରୁ ଥାଇ ମୁହିଂ ହୋଇଲି ଅମୋକ୍ଷ ଗତି

ଗୃହ ବାସ ନିମନ୍ତେ ମୁଂ ବଳାଇଲି ମତି।୫୩।

ନିର୍ଘାତର ଘରେ ଜାତ ହୋଇ ଲୁଚାଇଲି ବର୍ଣ୍ଣ ଚିହ୍ନ

ଆରତ ହୋଇଲି ମୁଂ ନ ଦେଖି ତ୍ରିଲୋଚନ।୫୪।

 

ମୁହିଂ ଯେବେ ତୋହୋର ହୋଇବିଟି ମନୋହାରୀ

ପାରିବୁଟିକି ମୋତେ ସଂଭରଣ କରି।୫୫।

ଶାୟେଂତନୁ ବୋଇଲେ ତୁ ବଡ଼ଇ ଜଞ୍ଜାଳୀ

ଭ୍ରଥାହିଂ ସେ ସହିବନା ଭାର୍ଯ୍ୟାର ଆର୍ଦୋଳି।୫୬।

 

ଭ୍ରଥାର ଆର୍ଦୋଳି ଯେବେ ଭାରିଯା ନ ସହିବ

ପତିପତ୍ନୀର କେମନ୍ତେ ଗୃହବାସ ହୋଇବ।୫୭।

ଆଜହୁଂ ନୃପତି ତୋତେ ମୁହିଂ କହଇ ନିରାଧାରି

ବାଇ ବାତୁଳୀ ମୁଂ ଯେ ଅଟଇ ଦ୍ରୋହକାରୀ।୫୮।

 

ଅନେକ ଦୋଷ କଲେ କୋପ ନ କରିବୁ

ଦଶଦୋଷ କଲେ ଅପ୍ରାଧ ନ ଧରିବୁ।୫୯।

ଭର୍ତ୍ସନା ନ ବୋଲିବୁ ନ ଦେବୁ ମୋତେ ଗାଳି

ଅନୁବ୍ରତେ ଖଟିଣଥିବୁ ମୋ ମନର ହିଆଳି।୬୦।

 

ଗଙ୍ଗା ବୋଲିଣ ତୁ ବୋଲୁଥିବୁ ଅନୁବ୍ରତେ

ଗାଙ୍ଗୀ ବୋଇଲେ ନ ଥାଇଟି ପୂରୋଇ ମୋର ବ୍ରତେ।୬୧।

ଶାୟେଂତନୁ ବୋଇଲେ ୟେ ମୋହୋର ସତ୍ୟ କଥା

ଅନେକ ଦୋଷ କଲେ ସହିବି ତୋତେ ହୋଇବି ଭଗତା।୬୨।

 

ୟେହେନେକ ସତ୍ୟବ୍ରତ କଲେଟି ସତ୍ୟ ବାକି

ପ୍ରଦାନ ହୋଇଲେ ସେ ଧବଳାଙ୍ଗୀ ସାଧବୀକି।୬୩।

ସତ୍ୟେଣ ପ୍ରଦାନ ଯେ କଲେକ ନିର୍ଘାତ

ଅନେକ ସମ୍ଭରେଣ ସେ ଦେଲେକ ଦୁହିତ।୬୪।

 

ହୋମ ଘୃତ ପାରଣା କରନ୍ତି ବର କନ୍ୟା

ୟେସନେକ ପ୍ରଦାନ ସେ ବିଭାର ବିଧାନା।୬୫।

ୟେସନେକ ସମୟେ ଯେ ନିଶାର ଆଗତେ

ଶଯ୍ୟାୟେଣ ମଧୁଶଯ୍ୟା ବାକ୍ୟ ଅନୁମତେ।୬୬।

 

ଦିନା ପାଞ୍ଚ ସାତ ସାରି ଗଲେ ନିଜ ଦେଶେ

ପ୍ରବେଶ ହୋଇଲେ ଗିରି ବାରୁଣାବନ୍ତ ପାଶେ।୬୭।

ଯମୁନାର କୂଳେ ସେ ରହିଲେ ନିଜ ରାଜ୍ୟେ

ଗଙ୍ଗା ସନ୍ନିଧ୍ୟେଣ ଖଟିଥାନ୍ତି ଶାୟେଂତନୁ ମହାରାଜେ।୬୮।

 

ୟେମନ୍ତେଣ ଅନେକ ବଢିଲା ପୀରତି

ଗଙ୍ଗାର ତୁଲେ ସେ ଅନେକ ମେଳମତି।୬୯।

ସହସ୍ରେ ବରଷ ପରିଯନ୍ତେ ବହିଗଲା

ମହାଚଞ୍ଚଳା ସେ ଋଷିଙ୍କି କଟାଳିଲା।୭୦।

 

ନିୟମର ଦିନ ଜାଣି ସେ ବଢାଇଲା ରତି

ବାରବ୍ରତ କାଳେଣ କଟାଳି ମାଗଇ ସୁରତି।୭୧।

ବାଆସ୍ତରି ଉପବାସ ଯେ ଋଷିଙ୍କର ଥିଲା

ପ୍ରୀତି ଲଗାଇଣ ସେ ସମସ୍ତ ଛଡ଼ାଇଲା।୭୨।

 

ଶ୍ରୀୟେକାଦଶୀ ବ୍ରତ ମାତ୍ର ୟେ ଅଛଇ ଋଷିଙ୍କର

ତହିଁକି କଟାଳ ଯେ କରୁଅଛଇ ଅପାର।୭୩।

ମକର ମାସ ଶୁକଳ ପକ୍ଷ ଶ୍ରୀୟେକାଦଶୀ

ଅନେକ ସମ୍ପାଦେ ୟେ ଖଟନ୍ତି ମହଋଷି।୭୪।

 

ଶାୟେଂତନୁଙ୍କ ୟେ କଠୋର ବ୍ରତଭାବ ଦେଖି

ଋଷିଙ୍କି ପ୍ରିୟଭାବ ବଢାଇଲା ସେ ଧବଳମୁଖୀ।୭୫।

ବୋଲଇ ଧବଳାଙ୍ଗୀ ଶୁଣ ହୋ ସୋମବଂଶି

ବଡ ନିଷ୍ଠା ପରା ତ ଖଟୁ ୟେକାଦଶୀ ଦିବାନିଶି।୭୬।

 

ଶାୟେଂତନୁ ବୋଲନ୍ତି ଶୁଣସି ସଂଘାତ

ମୁକତିକି କାରଣ ଯେ ଶ୍ରୀୟେକାଦଶୀ ବ୍ରତ।୭୭।

ନାରାୟଣ ଆତ୍ମା ୟେ ଅଟଇ ମହାବ୍ରହ୍ମ

ସଂସାର ଅଗାଦକୁ ନାଉକା ଅଟଇ ଧର୍ମ।୭୮।

 

ରାଗ ମୋହ ଅହଂଙ୍କାର ୟେ ସଂସାର ରଞ୍ଚନା

ଅଦଉଡ଼ି ବନ୍ଧନ ୟେ ସଂସାର ଧାରଣା।୭୯।

ୟେମାନ ଯେତେକ ରାଗ ମୋହ ହିଂସା

ସଂସାର ସାଗର ୟେ ଅଣାକାର ଜଳ ଧ୍ୱଂସା।୮୦।

 

ବଦୟନ୍ତି ଶାୟେଂତନୁ ଶୁଣସିରେ ପ୍ରିୟା

ତୋହୋର ମୋହୋର ୟେକଇ ଭାବରେ ସତଶ୍ରିୟା।୮୧।

ତୁହି କରୁକିନା ୟେବେ ୟେକାଦଶୀ ବ୍ରତ

ତୋହୋର ମୋହୋର ବଇକୁଣ୍ଠେ ବସିବାରେ ସଂଘାତ।୮୨।

 

ୟେସନେକ ମହିମା ଗୋ ୟେବ୍ରତ ୟେକାଦଶୀ

ପାଳିଲେ ଅବଶ୍ୟ ହୁଅଇ ବଇକୁଣ୍ଠବାସୀ।୮୩।

ଶୁଣିଣ ବଚନ ସେ ବୋଲଇ ଧବଳାଙ୍ଗୀ

ୟେକା ମାତ୍ରକ ତୁମ୍ଭେ ନୋହିଲ ପରମଯୋଗୀ।୮୪।

 

ରାଜ୍ୟଭାର ଆବୋରିଲ ପୁଣ ସଂସାର ନିମନ୍ତେ

କ୍ଷତ୍ରି ବୃତ୍ତି ନ ଛାଡିଲ ଯେ ବଂଶକୃତ ଅର୍ଥେ।୮୫।

ରାଜପଦ ସେ ଯେ ଅତି ଉତକର୍ମ

କ୍ଷତ୍ରିବୃତ୍ତି ଆଚରିଲ ସେ ତପିଙ୍କର କିସ ଧର୍ମ।୮୬।

 

ରାଜ୍ୟକୁ ଉପକାର ଯହିଂ ରାଜନୀତି

ତୁମ୍ଭର ଉପବାସ କାହିଁକି ଋଷିଯତି।୮୭।

ରାଜାର ତହୁଂ ଉପବାସ ନୋହୋଇ ରାଜ୍ୟ ଚିନ୍ତି

ଦଣ୍ଡସାଜି ଦିଗ ବିଜେ କରିବ ନା ନରପତି।୮୮।

 

ପର ଭୂମି ଜିଣିଣ ଘେନିମ ପରରାଷ୍ଟ୍ର

ସମ୍ଭର କରିଣ ମୁରାଟେ ସାଜୁଥିବ ନିଜ ଥାଟ।୮୯।

ଦଣ୍ଡ ପଲାଣି ଯେ ଦୁଷ୍ଟନ୍ତ ନିବାରିବ

ସନ୍ଥଜନ ପାଳି ତପୋଧନ ଉଦ୍ଧରିବ।୯୦।

 

ତୁ ମହାଭିଗ୍ୟଂ ଯେବେ ଅଟୁ ମହଋଷି

ରାଜପଦେ ବସି କିମ୍ପା ଭଜୁ ୟେକାଦଶୀ।୯୧।

ଦୁର୍ଭାର ବଚନ ଯେ ବୋଇଲା ଜାହ୍ନବୀ

ୟେ ମହାରାଜ୍ୟେ ପଶିଣ କିମ୍ପା ବ୍ରତରାଜ ସେବି।୯୨।

 

ଧର୍ମ ଦୂଷିତ ଯେ ଲୋଡଇ ଦେବି ତୋୟା

ଋଷିମଣି ତ ନୁଆରନ୍ତି ତାହାର ଚରିତ ମାୟା।୯୩।

ଅନେକ ଅଭାବ ବୋଲି ବୋଇଲା ମହାସତୀ

ଋଷିଙ୍କର ତୁଲେ ସେ ବଢାଇଲା ପୀରତି।୯୪।

ଦିବା ରାତ୍ରେ ରମଣେଣ ହୋଅନ୍ତି ଅଶାନ୍ତି

ନିରନ୍ତରେ ରତି କ୍ରୀଡାରେ ବଞ୍ଚନ୍ତି।୯୫।

 

ଆତ୍ମାହାଦେଅଟଇଦଶମୀ

ନିରାହାରୟେକାଦଶୀନାରାୟଣଙ୍କରବ୍ରହ୍ମି।।

ଶିବଙ୍କରଆତ୍ମାଯେଦୁଆଦଶୀଦିନ

ତିନିଦିବସରଧର୍ମଅଟଇଭିନ୍ନଭିନ୍ନ।।

କହଇ ଅନେକ ମତେ ଚାଟୁ ପଟଳେ

ଆବୋରି ବସିଲା ଯାଇଂ ଋଷିଙ୍କର କୋଳେ।୯୬।

 

ବେଗେଣ ବିବସନ କଲାକ ଋଷିଙ୍କି

ଭୋଳେଣ ପଡିଲେ ଋଷି ଜାହ୍ନବୀ ରୂପ ଦେଖି।୯୭।

ଛାଡ଼ିଲେ ବ୍ରତରାଜ ସେ ଜଞ୍ଜାଳୀର ଭାବେ

ଇଚ୍ଛିଲେ ଶୃଙ୍ଗାର ଯେ ଶାୟେଂତନୁ ରାଜଦେବେ।୯୮।

 

ୟେମନ୍ତେ ଅନେକ ଯେ ବଢିଲା ପୀରତି

ଦିବାରାତ୍ର ରମନ୍ତି ସେ ହୋଇଣ ଅଶାନ୍ତି।୯୯।

ୟେମନ୍ତେ ସମୟେ ପ୍ରୀତି ଯେ ଅନେକ ବଢିଗଲା

ପୁଣି ହାଦେ ବେନି ସହସ୍ର ବରଷ ହୋଇଲା।୧୦୦।

 

ୟେସନେ ଚଞ୍ଚଳା ଜାହ୍ନବୀ ଦୁଷ୍ଟ ଯେ ପ୍ରକୃତି

ଆହୋ ନିଶ୍ଚଳ ହୋଇଣ ଥାଇକି ନୋହଇ ତାର ଶାନ୍ତି।୧୦୧।

ବାହାର ହୋଇବାକୁ ଭାବ ସେ ଛାଡ଼ିଲା

ଶାୟେଂତନୁ ଋଷିଙ୍କି ସେ ଅନେକ ଦୁଃଖ ଦିଲା।୧୦୨।

 

ବେଳକାଳ ଜାଣି ନ ଦିଅଇ ଅନ୍ନ ପାଣି

ଋଷିଙ୍କି ଭାବ ନଦିଅଇ ଦିବା ଯେ ରୟେଣୀ।୧୦୩।

ଧର୍ମ ଛାଡ଼ି ଶାୟେଂତନୁ ପଶିଲେ ଶୃଙ୍ଗାରେ

କାଳେ ନ ଦିଲାକ ଦେହ ଡେଲାଇଲା ଦୂରେ।୧୦୪।

 

ରମଣୀ ମନ୍ଦିରେଣ ଲେଖନ ପିତୁଳୀ

ରତିବନ୍ଧ ଲିହାଇଲେ କ୍ରୀଡା ରସେ କେଳି।୧୦୫।

ଅନେକ ଚାଟୁ ପଟଳ କରନ୍ତି ଗଙ୍ଗାକୁ ବାଉନି

ଋଷିଙ୍କି କଥା ସେ ନ କହଇ ମାନେନୀ।୧୦୬।

 

ରତି ଶାହାସ୍ର ପୁରାଣ ସେ ଶିଖାନ୍ତି ବ୍ରହ୍ମଚାରୀ

ଶାୟେଂତନୁଙ୍କର ଥିଲେ ଗଙ୍ଗା ନ ପଶଇ ଅନ୍ତେଶ୍ୱର ପୁରୀ।୧୦୭।

ଦଣ୍ଡ କୋମଣ୍ଡଳୁ ଶ୍ରୁବ ଶ୍ରୁଚ ଯେ ପ୍ରୋକ୍ଷଣୀ

ଚୁଲିରେ ଲାଇଣ ଯେ ଜାଳଇ ଅବଳା ତରୁଣୀ।୧୦୮।

 

କୁଶ ବିଡ଼ି ଆଦିକରି କଷା ବାସ ଯେ କପଟୀ

ଜଳନ୍ତ ଅନଳେ ଭରି ସବୁ କରଇ ଭସ୍ମଘଟି।୧୦୯।

ୟେମନ୍ତେ ଅନେକ ମତେ କରାଇଲା ବିମୁଖ

ଗୃହବାସ ନିମନ୍ତେ ଋଷି ସହିଲେ ଅନେକ ଦୁଖ।୧୧୦।

 

ଭୋଖର ବେଳେ ସେ ଅନ୍ନ ନ ଦିଅଇ ସଞ୍ଚି

ଅଭୋଖ ବେଳେ ସେ ଅନେକ ମତେ ଯାଚି।୧୧୧।

ଅନେକ ବେଶ ବେଶନ ହୋଇ ମହାଋଷି

ଶୃଙ୍ଗାର ନିମନ୍ତେ ସେ ସନ୍ନିଧ୍ୟେ ଥାନ୍ତି ବସି।୧୧୨।

 

ପଛୁଂ ଆସି କୋଳକରି ଧରନ୍ତେ ଶାୟେଂତନୁଂ

ମହାବଳା ବାଳୀ ସେ ବାହାର ହୁଅଇ ଭୁବନୁଂ।୧୧୩।

ପଳାଇ ପଶଇ ସେ ବହୁତ ସ୍ତିରୀଙ୍କର ମେଳେ

କାମର ଚେଷ୍ଟାରେ ମହାତମା ଅନେକ ବିକଳେ।୧୧୪।

 

ଚିତ୍ର ବନ୍ଧ ପିତୁଳୀମାନେ ଅଛନ୍ତି ଯେ କାନ୍ଥେ

ତାହାଙ୍କୁ ଚୁମ୍ୱନ ଦିଅଇ ମୁନି ମଦନ ଆରତେ।୧୧୫।

ହୃଦରେ ଲଗାଇଣ ସେ କରନ୍ତି ଆଲିଙ୍ଗନ

ସେ ଚିତ୍ର ପିତୁଳୀ କି କରନ୍ତି ରମଣ।୧୧୬।

 

ଆହୋ କାମ ବୋଲି କରି ସେ ଯେବଣ ପୁରୁଷ

ପୟାଣ କରନ୍ତେ ସେ ଅବସ୍ଥା ଦିଅଇ ଅବଶ୍ୟ।୧୧୭।

ପୁରୁଷ ହୋଉ ବା ସ୍ତିରୀ ଜନ୍ମ ହୋଉ

ଅନଙ୍ଗ ଶର ଘାତ କାହାର ବେଳେ ସହୁ।୧୧୮।

 

ଆରତରେ ମହାତମା ସେ ପିତୁଳୀକୁ କଲେ କେଳି

ଧାତିକାରେ କାମ ସେ ଯେ ପଡ଼ିଲାକ ଢଳି।୧୧୯।

ପିତୁଳୀ ରମଣେ ମୁନି ଛାଡ଼ିଲେକ ବୀର୍ଯ୍ୟ

ସଇନ୍ଦୁ ଅମୋହ ରେତୁଂ ମୁନିଙ୍କର ଉପୁଜିଲା ଆତ୍ମଜ।୧୨୦।

 

ପୁତ୍ରେକ ଉପୁଜିଲା ଯେ ସୁନ୍ଦର ବଳବନ୍ତା

ଦେଖିଣ କୋଳେ ତାକୁ ଧଇଲେ ତପୋବନ୍ତା।୧୨୧।

ଚିତ୍ର ପିତୁଳୀରୁ ଯେ ଉପୁଜିଲା ଆତ୍ମଜ

ଚିତ୍ରବୀର୍ଯ୍ୟ ନାମ ଦେଲେ ସୋମବଂଶ ମହାରାଜ।୧୨୨।

 

ପୁତ୍ରକୁ ଘେନିଣ ମହାତମା ହୋଇଲେ ବାହାର

ଗଙ୍ଗାକୁ ଲୁଚାଇ ଦିଲେ ନେଇ ସତ୍ୟବତୀ କୋଳର।୧୨୩।

ଗଙ୍ଗା ନ ଜାଣୁଂ ୟେହାକୁ ପ୍ରତିପାଳ ଅତି ଯତ୍ନେ

ପୁତ୍ରକୁ କୋଳେ ଧଇଲେ ପାରେଶ୍ୱର ମହାମୁନ୍ୟେ।୧୨୪।

 

ପୁତ୍ର ଗୋଟିକି ଯତନେ ପାଳିଲେ ସତ୍ୟବତୀ

ବଢଇ ଚିତ୍ରବୀର୍ଯ୍ୟ ଅଯୋନି ଜାତ ମୂର୍ତ୍ତି।୧୨୫।

ଗଙ୍ଗାର ମେଳ ପୁଣି ଯେ ଭାବନ୍ତି ତପୋଧନି

ଭୟେଣ ତାହାକୁ କିଛି ନ ବୋଲନ୍ତି ମହାମୁନି।୧୨୬।

 

ପାରେଶ୍ୱର ଶାୟେଂତନୁ ଦୁହିନ୍ତି ବସାଇ

ପୁଛନ୍ତି ମଧୁବତୀ ମାତା ଆଶ୍ୱାସ କରାଇ।୧୨୭।

ବାବୁ ଶାୟେଂତନୁ ମୋହୋର ବୋଲ କର

ଧର୍ମେଣ ବ୍ରତଇ ନା ବାବୁ ୟେହୁ ଯେ ସଂସାର।୧୨୮।

 

ଆମ୍ଭେ ତୋହୋର ମାତା ପିତା ଆମ୍ଭନ୍ତ ନ ଭାଳି

ବାବୁ କାହୁଂ ତୁ ପ୍ରଦାନ ହୋଇଲୁ ଗଙ୍ଗା ଯେ ଜଞ୍ଜାଳି।୧୨୯।

ତାହାକୁ ଉପେକ୍ଷା କରସିରେ ବାବୁ

ଅନେକ ଦୁଖ ପାଇବୁ ପ୍ରାଣେ ନାଶ ଯିବୁ।୧୩୦।

 

ବାବୁ ଗୁରୁଜନଙ୍କର ବଚନ ନ କରଇ ଯେବଣ ବଳା

ବଂଶ ନାଶଯାଇଟି ଅଗାଦେଂ ବୁଡ଼ଇ ଭେଳା।୧୩୧।

ରୁଦ୍ର ଦେବତାର ସେ ଅଟଇ ଜାହ୍ନବୀ

ଈଶ୍ୱର ଦେବତାଙ୍କୁ ସେ ଅନେକ ପ୍ରାଭବୀ।୧୩୨।

 

ଶାୟେଂତନୁ ବୋଇଲେ ମା ଗୋ ତୁମ୍ଭେ ଗୁରୁଜନ

ଦ୍ରୋହ ଲଗାଇ ବଞ୍ଚିଲେ ତୁମ୍ଭର ବଚନ।୧୩୩।

ମାତାର ବଚନ ମେଣ୍ଟିଲେ ଆୟୁଷ ହୋଇ କ୍ଷୟେ

ପିତାର ବଚନ ଭାଙ୍ଗିଲେ ଧର୍ମ ନାଶ ଯାୟେ।୧୩୪।

 

ମାତାଙ୍କର ବଚନେ ଶାୟେଂତନୁ ବୋଇଲେ

ମା ଗୋ ଦିବସ ନସରଇ ମୋହୋର ଗଙ୍ଗାକୁ ନ ଦେଖିଲେ।୧୩୫।

ତୁମ୍ଭେ ଆମ୍ଭର ଗୁରୁଜନ ପିଅର ଯେ ମାତେ

ତୁମ୍ଭଙ୍କୁ ଉପେକ୍ଷା କରଇ ମୁଂ ଗଙ୍ଗାର ନିମନ୍ତେ।୧୩୬।

 

ଗୁରୁଜନଙ୍କର ବଚନ ମେଣ୍ଟିଲେ ପ୍ରିୟଭାବେ

ଗଙ୍ଗାୟେ ବିନୋପନ୍ତି ଶାୟେଂତନୁ ରାଜଦେବେ।୧୩୭।

ୟେକ ଦିନେ ଗଙ୍ଗା ପଚାରିଲେ ଶାୟେଂତନୁ ମହାଗ୍ୟାଂତା

ତୁମ୍ଭେ ଯେ ହୋଇଥାଅ ରୁଦ୍ରରେ ଭଗତା।୧୩୮।

 

ସେ ବିଶ୍ୱନାଥ କାହିଂ ଅଛନ୍ତି ମୁନି ହେ

ୟେହା ତଦନ୍ତ କରି ମୋତେ କହିବା ସନ୍ଦେହେ।୧୩୯।

ଶାୟେଂତନୁ ବୋଇଲେ ପାତାଳ ଭୁବନେ

ହଟକେଶ୍ୱର କପିଳାସେ ବିଜୟେ ତ୍ରିଲୋଚନେ।୧୪୦।

 

ପୁଣି ପରମ ସାନନ୍ଦ ଯେ ହୋଇଲେ ଜାହ୍ମବୀ

ପୋଡୁ ୟେହାର ଘର ବାହାର ହୋଇଯିବି।୧୪୧।

ଅନୁବ୍ରତେ ପେଟ ମାଡ଼ି ଶୋଇଥାଇ କାନ୍ଦି

ତିନିଦିନେ ଅନ୍ନ ବେଳେକ ନ ଦିଅଇ ରାନ୍ଧି।୧୪୨।

 

ସନ୍ନିଧ୍ୟେ ବସି ସେ ଶାୟେଂତନୁ ମୁନିବର

ଆଶ୍ୱାସନା କରନ୍ତି ଯେ ଗଙ୍ଗାର ଶରୀର।୧୪୩।

କପାଳ ଆଉଂସି କ୍ଷଣେ ଚରଣ ମଞ୍ଚାଳି

ଗାଢେଣ ଧରି ମୁନି କରନ୍ତି ହାଦେ କେଳି।୧୪୪।

 

ଗାଢେଣ ଯେତେବେଳେ ଧରନ୍ତି ତପୋବନ୍ତ

କେଶ ଧରି ମୁନିଙ୍କି ସେ ମାଡ଼ ମାରଇ ବହୁତ।୧୪୫।

ମାଥେଣ ମୁଥ ମାରି ପାଦେଣ ପ୍ରହାରଇ

ନଖଦନ୍ତ ଘାଟେ ଶରୀର ବିଦାରଇ।୧୪୬।

 

ଋଷିଙ୍କର ବସନମାନ ଖଣ୍ଡି ଖଣ୍ଡି କରି ପକାଇଚିରି

ମାଳି ପୋଥି ବେଦ କରାଣ୍ଡି ବାମ୍ଫିରେ ପକାଇଲା ଲୋଚି କରି।୧୪୭।

ୟେମନ୍ତେ ଅନେକ ଅବସ୍ଥା ମୁନିଙ୍କି ଦେଲେ ଦେବୀ ଗଙ୍ଗା

ଦୁର୍ଧ୍ୱଂସ ବୃଦ୍ଧ କରି ଗାଳି ଦିଅଇ ଉରଭଙ୍ଗା।୧୪୮।

 

ଅନେକ ମନ୍ଦ ବୋଲଇ ବହୁତ ଦିଅଇ ଗାଳି

ଶାୟେଂତନୁ ବୋଇଲେ ଗଙ୍ଗା ତୁ ୟେଡେ ବଡ ଜଞ୍ଜାଳୀ।୧୪୯।

ସଦଘର ଅସଦ ତୁ କରୁ ଅନମିତେ

ସଂସାର ଯାକରେ ଲୋକେ ଅନୀତି ବୋଲନ୍ତି ତୋତେ।୧୫୦।

 

ପୁରୁଷଙ୍କ ଆଶା ଭଗ୍ନ କରନ୍ତି ଯେବଣ ନାରୀ

ଜନ୍ମେ ଜନ୍ମେ ହୁଅନ୍ତି ସେ ଅତ୍ୟନ୍ତ ପାପାଚାରୀ।୧୫୧।

ପତିକି ପଢାଉ ତୁ ଆନକୁ ସର୍ବକହୁ

ସୁପଥ ଛାଡିଣ ତୁ ଅମଡ଼ା ପଥ ବହୁ।୧୫୨।

 

ସୂପକାର କରିଣ ରନ୍ଧନ କରାବନ୍ତି ନିତି

ଆବର ରାନ୍ଧଣା ନ ଯୋଗାଇ ୟେସନେକ ପ୍ରକୃତି।୧୫୩।

ଅନୀତି ପ୍ରକାରେଣ ଲଗାବନ୍ତି କଳି

ରାନ୍ଧଣା ପାଗ ଭାଙ୍ଗଇ ଅନମିତେ ପାଡ଼ଇ ବୋବାଳି।୧୫୪।

 

ସଂସାରେ ତାହାର ନିନ୍ଦା କରନ୍ତି ସକଳେ

ୟେ ବଚନ ଶୁଣି ଗଙ୍ଗା କାନ୍ଦନ୍ତି ବିକଳେ।୧୫୫।

ଋଷିୟେ ବୋଲନ୍ତି ଯେ ରହ ରହ ସଂଘାତ

କିସ ଅର୍ଥେ ରୋଳ କରୁ ଅନମିତ।୧୫୬।

 

ୟେହିମତେ ନବ ସହସ୍ର ବରଷ ଗଲା

ସହନ୍ତି ଶାୟେଂତନୁ ତୁକାର ନ ବୋଇଲା।୧୫୭।

ୟେସନେକ ଅନେକ କାଳ ସହିଲେ ଶାୟେଂତନୁ ମହାଋଷି

ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବାସୀ।୧୫୮।

 

ଅନେକ ସାନନ୍ଦ ଯେ ହୋଇଲେ ଶାୟେଂତନୁ

ୟେଘାନ୍ତି ସହିବ ଯେ ଆଶାବତୀର ତନୁ।୧୫୯।

ବନ୍ଦାପନା ଉତ୍ସବ ସୁମନ୍ତଙ୍କୁ ପଚାରି

ଦଶମାସ ସଂପୂର୍ଣ୍ଣରେ ହେଲା ଗର୍ଭ ଭାରି।୧୬୦।

 

କନ୍ୟା ମାସ ଶୁକ୍ଲପକ୍ଷ ନବମୀର ତିଥି

ଶ୍ରବଣା ନକ୍ଷତ୍ର ଯେ ବାର ବୃହସ୍ପତି।୧୬୧।

ରାତ୍ର ହୋଇଅଛି ୟେ ପଞ୍ଚଦଶ ଘଡ଼ି

ଗଙ୍ଗାର ଗର୍ଭୁଂ ହାଦେ ପୁତ୍ରେକ ଅବତିର।୧୬୨।

 

ଗଣ୍ଡ ମୂଳ ନକ୍ଷତ୍ର ନାସ୍ତି ଯେ ଶ୍ରବଣା ମକରେ

ପୁତ୍ର ମୁଖ ଚାହିଂବାକୁ ଶାୟେଂତନୁ ପଶିଲେ ଭିତରେ।୧୬୩।

ସୁବର୍ଣ୍ଣର ପାତ୍ରେଣ ଅର୍ଘ୍ୟେକ ଯେ ଘେନି

ଭିତର ପୁରକୁ ଯେ ଗମନ୍ତି ମହାମୁନି।୧୬୪।

 

ଶାୟେଂତନୁ ପଶନ୍ତେ ଦେଖିଲା ମାହେଶ୍ୱରୀ

ପୁତ୍ରକୁ ହାଣି ପକାଇଲା ସେ ବେନି ଖଣ୍ଡ କରି।୧୬୫।

ନାରାୟଣ ନାରାୟଣ ସୁମରି ଶାୟେଂତନୁ

ବିମୁଖେ ବାହାର ହୋଇଲେ ଜାତକ ଭୁବନୁଂ।୧୬୬।

 

କୋପେଣ ମହାତ୍ମା ଯେ ବିମୁଖ ହୋଇଲେ

ପଣ୍ଡିତ ଭାବେ ପୁଣ କୋପ ସଂଘରିଲେ।୧୬୭।

ଦଶମାସ ଗର୍ଭରେ ଧଇଲାକ ମାତା

ସେ ଏବେ ମୁର୍ଚ୍ଛିପାରଇ ତା ଗର୍ଭର ବ୍ୟଥା।୧୬୮।

 

ଆମ୍ଭର କିସ ହୋଇଲା ବୋଲି ବିଚାରିଲେ

ଏତେକବିଚାରିସେ କିଛିହିଂ ନ ବୋଇଲେ।୧୬୯।

ଆମ୍ଭର କୋପକଲେ ସେ ବାହାର ହୋଇଯିବ

ଘରଖଣ୍ଡି ଯେ କରିଅଛୁଂ ସେ ୟେହି କ୍ଷଣି ଭାଞ୍ଜିବ।୧୭୦।

 

ୟେତେ ବୋଲି ମହାତମା କୋପ ଯେ ସଂଘରି

ଗଙ୍ଗାର ସନ୍ନିଧ୍ୟେଣ ପ୍ରବେଶ ହୋଇଲେ ବାହୁଡ଼ି।୧୭୧।

ଅନେକ ମତେଣ ଖଟନ୍ତି ମନର ହିଆଳି

ଋଷିଙ୍କର ସଂଗତେ ସେ ଲଗାଇଲା କଳି।୧୭୨।

 

ପୁଣି ଶାୟେଂତନୁଙ୍କୁ ଯାଇତେ ନଦିଲା ତାର କତି

କାମ ସଂଘରଣ କରି ମୂର୍ଛିଲେ ବ୍ରହ୍ମପତି।୧୭୩।

ଅନେକ ମତେଣ ସେ ଚାଟୁ ପଟଳ ବୋଲି

ଶୃଙ୍ଗାର ନଦେଇ ସେଋଷିଙ୍କି ପକାଇଲା ପେଲି।୧୭୪।

 

ଅସମ୍ଭାଳ ହୋଇଣ ସେ ଚିତ୍ରଲେଖନ ପିତୁଳୀ

ବିବସନ ହୋଇଣ ତାର ତୁଲେ କଲେ କେଳି।୧୭୫।

ମୁଖରେ ଚୁମ୍ୱନଦେଇ ସେ ରତି କରାଇଲେ ବିଚିତ୍ର ଗତି

ଢଳିଲା ଅମୋହ ରେତ ପଡ଼ିଲା ଯାଇଂ କ୍ଷିତି।୧୭୬।

 

ଋଷିଙ୍କ ଅମୋହ ରେତ ନାଶ ଯେ ନୋହିଲା

ସଇନ୍ଦୁ ଜାତ ହୋଇ ପୁତ୍ରେକ ଉପୁଜିଲା।୧୭୭।

କୋଳ କରି ଶାୟେଂତନୁ ଧଇଲେ ଆତ୍ମଜ

ସେ ପୁତ୍ର ନାମ ହାଦେ ଦେଲେ ଟି ବିଚିତ୍ରବୀର୍ଯ୍ୟ।୧୭୮।

 

ଗଙ୍ଗାକୁ ଲୁଚାଇଣ ନେଲେ ନିଶାରାତି

ଗଙ୍ଗାର ଡରେ ପୁତ୍ରକୁ ସମର୍ପିଲେ ସତ୍ୟବତୀ।୧୭୯।

ବଦୟନ୍ତି ଅଗସ୍ତି ଶୁଣ ଆହୋ ଯୋଗେଶ୍ୱର

ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ହାଦେ ଅଯୋନି ଅବତାର।୧୮୦।

 

ପୁଣିହିଂ ସତସଙ୍ଗ ହୋଇଲେ ସେ ଗଙ୍ଗାର ତୁଲେ

ଆରବେଳେ ଗଙ୍ଗା ଗର୍ଭବତୀ ହୋଇଲେ।୧୮୧।

ଆହୋ ମିଥୁନ ଶୁକ୍ଲପକ୍ଷ ପୂର୍ଣ୍ଣମୀର ରାତି

ଉତ୍ତରାଷାଢା ନକ୍ଷତ୍ରେ ପୁତ୍ରେକ ହୋଇଲେ ଉତପତ୍ତି।୧୮୨।

 

ଅର୍କବାର ଉତ୍ତରାଷାଢା ମକର ଯେ ରାଶି

ୟେମନ୍ତ ଯୋଗେଣ ଯେ ପୁତ୍ରେକ ପରକାଶି।୧୮୩।

ପୁତ୍ର ଦେଖିବାକୁ ହରଷ ତପୋନିଷ୍ଠି

ପୁଣି ଗଙ୍ଗା କାଟିଲା ସେ ପୁତ୍ରର ମୁଣ୍ଡ ଗୋଟି।୧୮୪।

 

ଦେଖିଣ ଆଶିର୍ଯ୍ୟ ହୋଇଲେ ତପୋଧନୀ

ନାରାୟଣ ନାରାୟଣ ସୁମରି ବାହାର ହୋଇଲେ ମୁନି।୧୮୫।

ଆତ୍ମଜ ନିଧନେ ସେ ବହୁତ ବ୍ୟଥା ପାଇଲେ

କ୍ରୋଧ କରି ଭର୍ତ୍ସନା କରିବାକୁ ବିଚାରିଲେ।୧୮୬

 

ପୁଣିହିଂ ବିଚାରଲେ ଋଷି ସେ ମାତା ଗର୍ଭଧାରୀ

ଦଶମାସ ଗର୍ଭରେ ଧଇଲା ସେ ଅନକ ଦୁଖେପଡ଼ି।୧୮୭।

ସେ ଯେବେ ସଂହାଥେ ପୁତ୍ରନ୍ତ ନାଶକରି

ଆମ୍ଭର କିମ୍ପା କୋପ ବୋଲନ୍ତି ତପଚାରୀ।୧୮୮।

 

ୟେତେ ବୋଲି ମହାତମା ଯେ କୋପ ସଂଘରିଲେ

ପୁଣି ଗଙ୍ଗାକୁ ବହୁତ ସମାର୍ଜନା କରିଣ ବୋଇଲେ।୧୮୯।

ମକର ମାସକୃଷ୍ଣ ପକ୍ଷ ତିଥି ପ୍ରତିପଦା

ସୋମବାର ଅଶ୍ଳେଷା ନକ୍ଷତ୍ର ଯୁଗତା।୧୯୦।

 

ସେ ଦିନ ଋଷି ଗଲେ ସମୋଦ୍ର ସ୍ନାହାନେ

ଗଙ୍ଗାକଇଂ ସଙ୍ଗେ ଘନିଗଲେ ତପୋଧନେ।୧୯୧।

ପାରେଶ୍ୱର ସତ୍ୟବତୀ ଗଲେ ସିନ୍ଧୁ ସ୍ନାହାନକୁ

ସଙ୍ଗେ ଘେନିଗଲେ ଚିତ୍ର ବିଚିତ୍ରବୀର୍ଯ୍ୟକୁ।୧୯୨।

 

ସମୋଦ୍ରେ ସ୍ନାହାନ ସାରି ଚନ୍ଦ୍ରଭାଗାୟେଣ ପଶି

ବାଳ କୁମରନ୍ତ ଘେନି ସ୍ନାହାନ କରନ୍ତି ପାରେଶ୍ୱର ମହାଋଷି।୧୯୩।

ୟେମନ୍ତର ସମୟେ ଯାଇ ହୋଇଲେ ଶାୟେଂତନୁ

ଦୁଇକୁମାର ବାହାର ହୋଇଲେ ଜଳର ଉଦ୍ୟାନୁଂ।୧୯୪।

 

ବାଭିୟେ ବାଭିୟେ ବୋଲି ଧଇଲେ ଶାୟେଂତନୁଙ୍କ ବେନିପାଦ

ଦେଖିଣ ଧବଳାଙ୍ଗୀ ଯେ ହୋଇଲେ ବିଷାଦ।୧୯୫।

ଗଙ୍ଗା ପଚାରିଲେ ୟେ କାହାର ତନୟେ

ତୁମ୍ଭର ନିଜ ତନୁ ପ୍ରାୟେକ ଦିଶନ୍ତି ମୁନିହେ।୧୯୬।

 

ଡରେଣ ଶାୟେଂତନୁ ବୋଇଲେ ନୋହଇ ଆମ୍ଭରହିଂ

ନ ପୁଣ ପୁତ୍ର ବୋଲନ୍ତେ ୟେହାନ୍ତ ମାରଇ।୧୯୭।

ୟେତେକ ବିଚାରି ସେ ଚିତ୍ତେଣ ତପୋନିଷ୍ଠି

ରାଗେଣ ଗଙ୍ଗା ବୋଇଲେ ୟେ ତୁମ୍ଭର ପୁତ୍ର ଦୁଇଗୋଟି।୧୯୮।

 

ଶାୟେଂତନୁ ବୋଇଲେ ପାଇବୁ ଆମ୍ଭେକାହିଂ

ତୋହୋର ତହୁଂ ଆମ୍ଭର ଗୋ ଆନ ଭାରିଯା ତ ନାହିଂ।୧୯୯।

ଶୁଣିଣ କୋପ ଯେ କଲାକ ଧବଳୀ

ଭୂତ ଭବିଷ୍ୟ ଜାଣଇ ସେ ପରମ ନିରାକୁଳୀ।୨୦୦।

 

ରାଗେଣ ବୋଇଲେ ଶାୟେଂତନୁ ଲୁଚାଇଲୁ ଯେବେ ମୋତେ

ଅପୁତ୍ରିକ ହୋଇ ୟେବେ ମରନ୍ତୁ ତୋହୋର ବେନିପୁତ୍ରେ।୨୦୧।

ୟେତେକ ଶାପ ଯହୁଂ ଦେଲେ ଧବଳାଙ୍ଗୀ

ପୁତ୍ରନ୍ତ ଘେନି ପାରେଶ୍ୱର ଚଳିଲେ ତହୁଂ ବେଗି।୨୦୨।

 

ପ୍ରବେଶ ହୋଇଲେ ଯାଇଂ ଯମ ପ୍ରଶସ୍ଥ ସ୍ଥାନରେ

ସ୍ନାହାନ ସାରି ଶାୟେଂତନୁ ଅଇଲେ ରାଜ୍ୟରେ।୨୦୩।

ଗଙ୍ଗାର ତୁଲେ ଶାୟେଂତନୁ କଲେ ଯେ ଅନେକ ପୀରତି

ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀ।୨୦୪।

 

ପ୍ରିୟା ମେଳ ବେଳେ ତାଙ୍କୁ ପଚାରନ୍ତି ତପୋଧନି

ପୁତ୍ରନ୍ତ କିଂପା ନାଶକରୁ ରେ ଧବଳ ବଦନି।୨୦୫।

ଗଙ୍ଗା ବୋଇଲେ ମୋର ଦୁଷ୍ଟ ଯେ ପ୍ରକୃତି

ପୁତ୍ର ବୋଲି ନାହିଂ ମୋର ସଦୟ ଭାବମତି।୨୦୬।

 

ତୁଳ ମାସ କୃଷ୍ଣପକ୍ଷ ତୃତୀୟା ଭୋଗ ଚନ୍ଦ୍ରବାର

ରୋହେଣୀ ନକ୍ଷତ୍ର ବେଳ ଦେଢ ଯେ ପ୍ରହର।୨୦୭।

ପୁତ୍ରେକ ଉପୁଜିଲା ଗଙ୍ଗାର ଗର୍ଭଗତେ

ଦେଖିବାକୁ ଶାୟେଂତନୁ ପଶିଲେ ପୁତ୍ରର ନିମନ୍ତେ।୨୦୮।

 

ଋଷିଙ୍କର ଦେଖନ୍ତେ ଗଙ୍ଗା ଘେନିଲେ କରାଞ୍ଚଳୀ

ରହ ରହ ଗଙ୍ଗା ଗୋ ଶାୟେଂତନୁ ବୋଲି।୨୦୯।

ମହା ବଇରାଗେ କରାଞ୍ଚଳୀ ଘେନିଲେ ଗୋସାମଣୀ

କରେ ତୋଳି ଘେନି କୁମରକୁ ପକାଇଲେ ହାଣି।୨୧୦।

 

ଶିବ ଶିବ ବୋଲିବାହୁଡ଼ିଲେ ତପଚାରୀ

ସତ୍ୟ ଭଗ୍ନ ନିମନ୍ତେଣ କିଛି ବୋଲିତ ନପାରି।୨୧୧।

ପୁଣି ସମୟେକେ ଗଙ୍ଗା ଯେ ହୋଇଲେ ଗର୍ଭବତୀ

ପୁତ୍ରେକ ଉପୁଜିଲା ମଦନ ମୂରତି।୨୧୨।

 

ଋଷିଙ୍କର ଦେଖନ୍ତେ ସେ କଲାକ ଶିରଛେଦ

ଶାୟେଂତନୁ ବୋଇଲେ ୟେତ ବଡ଼ ପରମାଦ।୨୧୩।

ୟେହିମତି ଗଙ୍ଗାର ଛଡ଼ ପୁତ୍ର ଉପୁଜିଲା

ଋଷିଙ୍କର ଦେଖନ୍ତେ ତାହା ସମସ୍ତ ନାଶକଲା।୨୧୪।

 

ପୁଣି ସମୟେକେ ହୋଇଲା ଗର୍ଭବତୀ

କିଛିହିଂ ନ ବୋଲନ୍ତି ଶାୟେଂତନୁ ମହାଯତି।୨୧୫।

ଦଶମାସ ଗର୍ଭଭାରା ସହି ନ ପାରି କାତ୍ୟାୟନୀ

କୋଳ କରି ସମ୍ୱୋଧନା କରନ୍ତି ମହାମୁନି।୨୧୬।

 

ଗଙ୍ଗା ବିଚାରନ୍ତି ମୁଁ ଅନେକ କଷ୍ଟଦେଲି

ଆତ୍ମାରୁ ଜାତ କରି ପୁତ୍ରନ୍ତ ନାଶକଲି।୨୧୭।

ୟେତେକ ଦୋଷେଣ ମୋତେ କୋପ ତ ନକଲା

ଭ୍ରଛନା ନକରିଣ ଯେ ଗାଙ୍ଗୀ ନବୋଇଲା।୨୧୮।

 

ଛାଡ଼ି ଯାଇ ନପାରଇଂ ଯେ ମୁହିଂ ସତ୍ୟବ୍ରତେ

ସତ୍ୟକୁ ଲଘିଂଣ ୟେଥୁଂ ଯିବଇଂ କେମନ୍ତେ।୨୧୯।

ୟେ ଘାନ୍ତି ୟେ ପୁତ୍ରଗୋଟିକି ଅବଶ୍ୟ ମାରିବି

ଭର୍ତ୍ସନା ନ ବୋଇଲେ ଆପଣା ତୋଟି ମେଲାଇବି।୨୨୦।

 

ୟେସନେକ ବିଚାରନ୍ତେ ହୋଇଲା ଗର୍ଭଭାରି

ମହାବଳବନ୍ତ ପୁତ୍ର ଭାରା ସହିତ ନୁଆରି।୨୨୧।

ବୋଲଇ ମାହେଶ୍ୱରୀ ଶୁଣିମା ମୁନିହେ

ବଡ଼ ବଳବନ୍ତା ପୁତ୍ରୟେ ଘାନ୍ତି ଗୋଟିୟେ ଗର୍ଭେରହେ।୨୨୨।

 

ଋଷି ବୋଇଲେ ବଳବନ୍ତା ହୋଉକି ସୁନ୍ଦର ହିଂ ହୋଉ

ପ୍ରାପତ ଯେବେ ନୋହଇ ସେ ଜନ୍ମହୋଉ କି ନା ନୋହୁ।୨୨୩।

ୟେତେ ବୋଲି ବିଚାର କରନ୍ତି ଶାୟେଂତନୁ

ଅଳସ ସୁନ୍ଦରୀ ଦଶମାସ ଯେ ସମ୍ପୂର୍ଣ୍ଣୁଂ୨୨୪

 

ବିଛାମାସ କୃଷ୍ଣପକ୍ଷ ପ୍ରତିପଦା ଦିନେ

ରୋହିଣୀ ନକ୍ଷତ୍ର ଭୃଗୁବାର ବିଦ୍ୟମାନେ।୨୨୫।

ସିଦ୍ଧି ନାମେ ଯୋଗ ପୁଣି କରଣ ବାଣିଜ୍ୟ

ରାତ୍ର ପାଞ୍ଚଦଣ୍ଡରେ ଜନମ ହୋଇଲା ତନୁଜ।୨୨୬।

 

ପୁତ୍ରର ପ୍ରସବ ଶୁଣି ଗଣନ୍ତି ମହାଋଷି

ଅମୃତ ଯୋଗେ ପୁତ୍ର ଉପୁଜିଲା ରୋହିଣୀ ବୃକ୍ଷରାଶି।୨୨୭।

ଶୁକ୍ରଙ୍କର ବେଳେ ଉତପତ୍ତି ହୋଇଲାକ ବଳା

ପୃଥୁଳ ସୁସଞ୍ଚ ବତିଶ ଗୁଣେ କଳା।୨୨୮।

 

ପଞ୍ଚମରେ ଶନିଶ୍ଚର ଚତୁର୍ଥେ ବୃହସ୍ପତି

ରବି ସପତମେ ଚନ୍ଦ୍ର ଲଗ୍ନରେ ଅଛନ୍ତି।୨୨୯।

ତୃତୀୟେ ରାହୁ ଯେ କେତୁ ଅଛଇ ନବମେ

ମଙ୍ଗଳ ଯେ ୟେକାଦଶେ ଶୁକ୍ରହିଂ ନବମେ।୨୩୦।

 

ଅଷ୍ଟମେ ବୁଧ ଶୁଭ ଯୋଗେଣ ବସେ

ବାମେଣ ଯୋଗ୍ନୀ ଈଶାନ୍ୟ କୋଣେ ବସେ।୨୩୧।

ବତିଶ ପାଦରେ ଅଛଇ ମାହେନ୍ଦ୍ର ଯୋଗ

ୟେକତ୍ରିଂଶ ପାଦେ ଜନ୍ମ ନାହିଂ ଆରେକ ପାଦେ ଭୋଗ।୨୩୨।

 

ପାଦେଣ ଯେ ଜାତ ହୋଇଲାକ ବାଳ

ଦେଖିଣ ଜାହ୍ନବୀ ଧଇଲେକ କୋଳ।୨୩୩।

ଶାୟେଂତନୁ ଦେଖି ବୋଇଲେ ୟେ ବଡ଼ ବିଚକ୍ଷଣ ବଳା

ଜଗଜ୍ଜିତା ଯୋଗେଶ୍ୱର ଚଉଷଠି ଗୁଣେ କଳା।୨୩୪।

 

ବୋଲନ୍ତି ଜାହ୍ନବୀ ଆସ କି ନା ରାୟେ

ଦେଖ କିନା ମୁନି ହେ ତୁମ୍ଭର ତନୟେ।୨୩୫।

ଶାୟେଂତନୁ ବୋଇଲେ ସେ ଅପ୍ରାପତ ଆମ୍ଭଙ୍କୁ

ଆମ୍ଭର ନ ଦେଖିଲେ ଶୁଝଇ ଆମ୍ଭର ପୁତ୍ରକୁ।୨୩୬।

 

ଆସ ହୋ ଭଗବନ୍ତ ଦେଖ କି ନା ବଳା

ଦେଖନ୍ତେ ମୁକତ ଅଟଇ ପୁଣ୍ୟଶୀଳା।୨୩୭।

ପୁତ୍ର ଗୋଟି ଉତପତ୍ତି ଗର୍ଭୁଂ ଯେତେବେଳେ

ମୁଖ ଚାହାନ୍ତେଣ ମାତା ପିତାର ଜୀବନ ସୁଫଳେ।୨୩୮।

 

ଦୁତୀୟେଣ ପିତା ତାର ଚାହିଂବ ବଦନ

ଜନ୍ମକୁ ଫିଟଇ ତାର ଅପୁତ୍ରିକ ଲକ୍ଷଣ।୨୩୯।

ଜୀଉ ଅବା ମରୁ ଅବା ମନ୍ଦର କରମେ

ପିତା ମୁକତ ହୋଅଇ ଅନେକ ହାଦେ ଧର୍ମେ।୨୪୦।

 

ୟେତେ ବିଚାରି ସେ ପଣ୍ଡିତ ଭାଗ୍ୟବନ୍ତ

ସୁବର୍ଣ୍ଣ ପାତ୍ରେ ଅର୍ଘ୍ୟେକ ଘେନିଲେ ମୁନିହସ୍ତ।୨୪୧।

ସୁବର୍ଣ୍ଣ ଦୀପେଣ ଗୁଆ ଘୃତ ଯେ ପୂରୋଇ

ନେତର ବଳିତା ୟେ ଶ୍ରୀଫଳେକ ଲାଇ।୨୪୨।

 

ଚଳନ୍ତି ମହାତ୍ମା ଯେ ପୁତ୍ର ଦେଖିବାକୁ

ପୁତ୍ର ନ ନିରେଖି ଚଳନ୍ତି ଭିତର ପୁରକୁ।୨୪୩।

ଅନ୍ତୁଡ଼ିଘରେ ଯାଇଂ ବିଜୟେ ସୋମବଂଶୀ

ପୁତ୍ରକୁ ଘେନିଣ ଗଙ୍ଗା ସାଷ୍ଟାମେ ଅଛି ବସି।୨୪୪।

 

ଦେଖ ଦେଖ ମହାତ୍ମା ୟେ ତୋହୋର ପୁତ୍ରଗୋଟି

ଅର୍ଘ୍ୟ ଦେଇ ନିରେଖି ଚାହାନ୍ତି ତପନିଷ୍ଠି।୨୪୫।

କରେଣ ଘେନିଲା ଗଙ୍ଗା ବିଜେ କର୍ଣ୍ଣକଟାରି

ଋଷିଙ୍କର ଦେଖନ୍ତେ ସେ ପୁତ୍ରକୁ ଲୋଡ଼ଇ ମାରି।୨୪୬।

 

ଗଙ୍ଗାର ହାଥ ଯେ ଧଇଲେ ଶାୟେଂତନୁ

ଆଲୋ ଗାଙ୍ଗି କେତେ ପୁତ୍ର ନାଶକଲୁ କିନୁ।୨୪୭।

ଆଲୋ ଛଡ଼ ପୁତ୍ର ମାଇଲୁ ନ ପୂରିଲା ତୋର ଅଭୀଷ୍ଟି

ଆଲୋ ଆଲୋ ଗାଙ୍ଗି ତୁ ଅଟୁ ବଡ଼ ମନ୍ଦ ନଷ୍ଟି।୨୪୮।

 

ଯେତେକ ଅଛନ୍ତି ସେ ସଂସାରେ ପୋଖତୀ

ସବୁରି ଅପାଦ ପଡୁ ମୁଣ୍ଡେ ତୋର ନିତି।୨୪୯।

କଟାରି ଘେନି ସେ ଚାପୋଡ଼େକ ମାରି

ପେଲି ପକାଇ ପୁଅକୁ ଘେନିଲେ ଉଛୁଡ଼ି।୨୫୦।

 

ଗଙ୍ଗା ଉଷତ ହୋଇଲେ ଶାୟେଂତନୁଙ୍କର ବଚନେ

ଆହୋ ସତ୍ୟ ପରିଲା ମୋର ଯାଉଅଛି ମହାମୁନ୍ୟେ।୨୫୧।

ୟେତେକ ବୋଲିବାକୁ ମୁଂ ବାଟ ଚାହିଂଥିଲି

ଗାଙ୍ଗି ବୋଲିବା ପାଇଁ ଛଡ଼ ପୁତ୍ର ମାଇଲି।୨୫୨।

 

ୟେତେ ବୋଲି ଦେବୀ ଯେ ଉଠିଲେ ବହନ

ପୁତ୍ରକୁ ଛାଡ଼ି ଗଙ୍ଗା ହୋଇଲେ ତୋଷମନ।୨୫୩।

ଶାୟେଂତନୁ ଉଠି ଧଇଲେ କୋଳକରି

ସଞ୍ଚୟେ ୟେ ବ୍ରତ ଯେ ପୂରିଲା ତୋହୋରି? ୨୫୪।

 

ୟେବେ ଯେ ଜାତ କଲୁ ବାଳୁତ ପୁତ୍ରଗୋଟି

କେମନ୍ତେ ବ୍ରତିବୟେ ନ ପାଇଲେ କ୍ଷୀର ଫୁଟି।୨୫୫।

ଲେଉଟିଣ ଚାହିଁ ସେ ଜାହ୍ନବୀ ବୋଇଲା

ଜୀଁଇଲେ ଜୀଉଂ ମଲେ ମରୁ ମୋହୋର କିସ ଗଲା।୨୫୬।

 

ଗାଢେଣ କୋଳ କରି ଧଇଲେ ମହାମୁନି

ରାଗେଣ ପେଲି ପକାଇଲା କାନ୍ତାନୀ।୨୫୭।

ତୁ କିଂପା ମୋତେ ଆବୋରିଣ ଧରୁ

ବ୍ରତ ପୂରିଲା ବାହାର ହୋଇଲି ମୁଂ ତୋର ଘରୁ।୨୫୮।

 

ସତ୍ୟ ମାନିଥିଲି ୟେତେ ଦିନ ପରିଯନ୍ତେ

ଭୃତ୍ୟପଣେ ସେବା ମୁଂ କରିଥିଲି ତୋତେ।୨୫୯।

ଗଙ୍ଗା ବୋଇଲେ ମୁଂ ଥାଇ ଗାଙ୍ଗି ବୋଇଲେ ନ ଥାଇ

ଗାଙ୍ଗି ବୋଇଲୁ ତୁ ଯାଉଛି ମୁଂ ବ୍ରତ ପୂରୋଇ।୨୬୦।

 

ୟେବେ ମୁଂ ତୋହୋର ଗୁରୁ ତୁ ମୋହୋର ଶିଷି

ଗୁରୁ ପତ୍ନୀକି କିଂପାଇ ଛୁଇଂଲୁ ମହଋଷି।୨୬୧।

କୋପେଣ ବଚନ ବୋଇଲେ ଗଙ୍ଗାଦେବୀ

ମତେ ଯେ ଛୁଇଂଲୁ ତୋତେ ମୁହିଂ ଶାପ ଦେବି।୨୬୨।

 

ୟେ ପୁତ୍ର ତହୁଂ ଜାତ ହୋଇବ ଯେବଣ ସୁତ

ତୁ ଶାୟେଂତନୁ ଶିରଚ୍ଛେଦ ହୁଅ ତାର ହସ୍ତ।୨୬୩।

ଡରେଣ ଛାଡ଼ିଲେ ସେ ଶାୟେଂତନୁ ମହାମୁନି

ଧାତିକାରେ ଜଳେ ସମ୍ଭାଇଲେ ଅନାଦି କାତ୍ୟାୟନୀ।୨୬୪।

 

ପୁତ୍ର ଗୋଟି ଘେନି ମୁନିବିସ୍ମୟ ମନ ହୋଇ

ବିଚାରି ବିଚାରି ମୁନି ଯେ ଭୀଷ୍ମ ନାମ ଦେଇ।୨୬୫।

ଜୀଇଲେ ଜୀଉଁ ମଲେ ଅବା ମରୁ ଗଙ୍ଗା ଯେ ବୋଇଲା

ଇଛା ମୃତ୍ୟୁ ବର ସେ ଭୀଷ୍ମଙ୍କର ଯେ ହୋଇଲା।୨୬୬।

 

ପାରେଶ୍ୱର ଶାୟେଂତନୁ ଭୂରିଶ୍ରବା ତିନି ଭ୍ରାଥେ

ପାରେଶ୍ୱର ହୁଂ ବ୍ୟାସେ ହୋଇଲେ ସମ୍ଭୂତେ।୨୬୭।

ଶାୟେଂତନୁର ତହୁଂ ଉପୁଜିଲେ ଚିତ୍ର ବିଚିତ୍ରବୀର୍ଯ୍ୟ

ଭୀଷ୍ମ ହିଂ ଉପୁଜିଲେ ତୃତୀୟ ଆତ୍ମଜ।୨୬୮।

 

ଶାୟେଂତନୁ ମହାଋଷିଙ୍କର ତିନି ଯେ ସନ୍ତତି

ଆଦିହୁଂ କୁରୁବଂଶ ହୋଇଲେ ୟେଥୁଁ ଉତପତ୍ତି।୨୬୯-୪୫୨।

 

ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ବିବାହ

 

ଭାରଦ୍ୱାଦଶଙ୍କର ନନ୍ଦିନୀ ପଦ୍ମାବତୀ

ବ୍ୟାସ ପ୍ରଦାନ ହୋଇଲେ ସେ କନ୍ୟା ରୂପବନ୍ତୀ।୧।

ପଦ୍ମଦଳ ଦେଶର ରାଜା ପଦ୍ମନାଭ

ପଞ୍ଚଭୂତ ଲୟକରି ସେ ଖଟଇ ବାସୁଦେବ।୨।

 

ଦାନେଣ ଅତି ପୁଣ୍ୟ ସେ ମାନେଣ ଚକ୍ରବ୍ରତୀ

ଗ୍ୟାନେଣ ପଣ୍ଡିତ ସେ ସକଳ ହିତେ ବ୍ରତୀ।୩।

ସେ ରାଜାର ରାଜ୍ୟେ ଅଧର୍ମ ନ ପଶି

ଯତ ସତ କ୍ରିୟା ସେ ଯୋଗେଣ ନିର୍ଦ୍ଦୋଷୀ।୪।

 

ସାଗରେକ ରଥ ବେନି ସାଗରେକ ହାଥୀ

ସାତସାଗର ବାଜୀ ତିନିସାଗର ପାରିଦଣ୍ଡ ନୃପତି।୫।

ଅଷ୍ଟାଦଶ କ୍ଷଉଣୀ ଖଟଇଂ ସଇନି

ମହାସମ୍ପଦ ରାଜା ସେ ଅଟଇ ମହାଗ୍ୟାନୀ।୬।

 

ପଦ୍ମନାଭ ରାଜା ଯେ ଜଗତେ ବିଖ୍ୟାତି

ବେଦ ଶାହାସ୍ରେ ସେ ଅଟଇଂ ନିର୍ଜିତୀ।୭।

ମନ୍ତ୍ରୀ ଅମନାତ୍ୟ ଯେ ନିରବଧି ଖଟନ୍ତି

ସେ ପଦ୍ମନାଭ ରାଜାର ଶତେକ ସନ୍ତତି।୮।

 

ଚାରି କନ୍ୟା ତାହା ତହୁଂ ହୋଇଲେ ଉତପତ୍ତି

ସୁରନାଭ, ସଉନାଭ, ବଜ୍ରନାଭ ବୀର

ଯୋଗନାଭ, ବଳନାଭ, ଶୁଦ୍ଧନାଭ ଶୂର।୯।

ଜୟନାଭ, ସମନାଭ, ଗଗନନାଭ ନାମ ଦେବା

ନୀଳନାଭ, ବରୁଣନାଭ, ଅରୁଣନାଭ ପ୍ରଭା।୧୦।

 

ୟେହି ମତେ ପଦ୍ମନାଭର ଅନେକ ସନ୍ତତି

ଭାଗ୍ୟବର ସେବି ସେ ଅଟଇ ମହାଛତ୍ରୀ।୧୧।

ମଳୟ ନୀଳବଂଶେ ହୋଇଲେ ଉତପତ୍ତି

ୟେହି ରୂପେ ବଂଶ ତାର ବଡ଼ାଇ ବିଖ୍ୟାତି।୧୨।

 

ତାହାର ତହୁଂ ଉପୁଜିଲା ଚାରି ଯେକୁମାରୀ

ଅମ୍ୱା, ଅମ୍ୱିକା, ଅମ୍ୱାଳିକା, ଅମ୍ୱିଳିକା ସୁନ୍ଦରୀ।୧୩।

ଗନ୍ଧର୍ବ ଅଂଶେ ସେ ଅଟନ୍ତି ବିଦ୍ୟାଧରୀ

ତୈଲୋକ୍ୟେ ରୂପେ ତାଙ୍କୁ ନାହିଂ ପଟାନ୍ତରି।୧୪।

 

ଚିତ୍ର ବିଚିତ୍ର ସେ ଶାୟେଂତନୁଙ୍କର ବଳା

ଅମ୍ୱିକା ବାଳୀ ଯେ ଚିତ୍ରବୀର୍ଯ୍ୟକୁ ବରିଲା।୧୫।

ବିଭା ଯୋଗେଣ ସେ କରଇ ପ୍ରଦାନ

ମାନିଲା ନୃପତି ସେ ସଂକଳ୍ପ କରି ମନ।୧୬।

 

ମକର ଶୁକ୍ଲ ଦଶମୀ ରୋହିଣୀ ନକ୍ଷତ୍ରେ

ସୋମବାର ଶୁଭ ଯୋଗ ଧଇଲେ ପଣ୍ଡିତେ।୧୭।

ସେଦିନରେ କଲେକ ସେହୁ ବିଭା ଅନକୂଳ

ଅନେକ ସାନନ୍ଦେଣ କଲେ ଉତ୍ସବ ମଙ୍ଗଳ।୧୮।

 

ଅନେକ ସମ୍ଭର୍ବେଣ ସୋମବଂଶର ନୃପତି

ବରକୁ ଘେନିଣ ଯେ ଚଳନ୍ତି ବରଜାତି।୧୯।

ଅନେକ ବୀର ତୂର ଉଦ୍ଦଣ୍ଡ ପାଟଛତ୍ର

ଚଳାଇ ଚତୁରଙ୍ଗ ସଇନି ଯେ

ଗଜ ଅଶ୍ୱ ପାଦାନ୍ତି ରଥ।୨୦।

 

ଚଳନ୍ତି ଶାୟେଂତନୁ ପାରେଶ୍ୱର ଭୂରିଶ୍ରବା

ଅନେକ ଦେଶର ଯେ ଚଳିଲେ ରାଜଦେବା।୨୧।

ପ୍ରବେଶ ହୋଇଲେ ଯାଇଂ ପଦ୍ମଦଳ ଦେଶେ

ଚିତ୍ରବୀର୍ଯ୍ୟ କୁମର ବିଜୟ ବରବେଶେ।୨୨।

 

କାଶ୍ୟପ ଗୋତ୍ରେ ଯେ ପଦ୍ମନାଭ ନରପତି

ସୋମ ଗୋତ୍ରେଣ ଯେ ଶାୟେଂତନୁ ମହାଯତି।୨୩।

ସୀଉକାର ବରଣ କଲେ କଉଶିକ ପୁରୋହିତେ

ବିଭାର ସଂଯୋଗ କରନ୍ତି ବେନି କୁଳ ଗୋତ୍ରେ।୨୪।

 

ୟେସନେକେ ପ୍ରଦାନ କଲେକ କୁମାରୀ

ଅନେକ ଯେ ଯଉତୁକେ ବିଭାଯୋଗ ସାରି।୨୫।

ହୋମ କରଣେ ବିଭାବିଧି ହୋଇଲା ସମାପତ

କୁମାର କୁମାରୀ ପାରଣା କରନ୍ତି ଯେ ଘୃତ।୨୬।

 

ବିଭା ସାରିଣ ବରକନ୍ୟା ଗଲେ ନିଜପୁରେ

ଭୋଜନ ଆଞ୍ଚୋବନ ସାରିଣ ବିଜୟେ ଶୟନ ମନ୍ଦିରେ।୨୭।

ୟେସନେକେ ବରକନ୍ୟା ବିଭାର ସଂଯୋଗେ

ରାଜାମାନେ ଭୋଜନ କଲେ ଅନେକ ସମ୍ଭର୍ବେ।୨୮।

 

ବରକନ୍ୟାକଇଂ ବିଭା କରାଇ ନୃପତି

ଚଳନ୍ତି ସାନନ୍ଦେ ସେ ସୋମବଂଶ ଆଧିପତି।୨୯।

ବିଚିତ୍ରବୀର୍ଯ୍ୟ ବିଭା ପରମ ସାନନ୍ଦେ

ତାହାଙ୍କର କନ୍ୟାକୁ ଦିଲାକ ଆନନ୍ଦେ।୩୦।

 

ଅମ୍ୱାଳିକା ନାମେ କନ୍ୟା ଅମ୍ୱିକାଉଂ ସାନ ଯେ ବହେଣୀ

ବିଚିତ୍ରବୀର୍ଯ୍ୟକୁ ପ୍ରଦାନ କଲାକ ନୃପମଣି।୩୧।

କନ୍ୟାନ୍ତ ଘେନି ବାହୁଡ଼ିଲେ ଶାୟେଂତନୁ ମହାମୁନ୍ୟେ

ପ୍ରବେଶ ମହାତ୍ମା ଯାଇଂ ଆପଣା ଭୁବନେ।୩୨-୪୮୪।

 

ଭୀଷ୍ମଙ୍କ ବିବାହ ପ୍ରସ୍ତାବ

 

ବଦନ୍ତି ଅଗସ୍ତି ଶୁଣ ହୋ ଯୁଗପତି

ଚିତ୍ରବୀର୍ଯ୍ୟ ବିଚିତ୍ରବୀର୍ଯ୍ୟ ବିଭାର ଯୁଗତି।୧।

କନ୍ୟାନ୍ତ ଘେନିଣ ଯେ ବିଳସନ୍ତି କୁମରେ

ସନ୍ତାନ ଜାତ ନୋହିଲା ପୁତ୍ରଙ୍କର କୋଳେ।୨।

 

ଦେଖିଣ ବିରସ ଶାୟେଂତନୁ ମହଋଷି

ଗଙ୍ଗାର ଶାପ ମନରେ ଉପଲେସି।୩।

ବିଶେଷେ ମାହେଶ୍ୱରୀ ଆବର ନିଜମାତା

ଗଙ୍ଗାର ଶାପ୍ୟ ସେ ପ୍ରତକ୍ଷେଣ ବିଧାତା।୪।

 

ମନରେ ବିଚାରି ସେ ଭାଳନ୍ତି ତପନିଷ୍ଠି

କେମନ୍ତେ ପୁତ୍ର ମୋର ମାତା ଶାପ ମେଣ୍ଟି।୫।

ମନେ ମନେ ବିଚାର କରନ୍ତି ତପୋଧନି

ଶାପ ବଞ୍ଚାଇବାକୁ ବୁଦ୍ଧି କରନ୍ତି ମହାଗ୍ୟାନୀ।୬।

 

ଅନେକ ଯାଗ ଯଜ୍ଞ ମନ୍ତ୍ର ଯେ ବରଣ

ତଥାପି ଗଙ୍ଗାର ଶାପ ନଗଲା ମେଣ୍ଟଣ।୭।

ଅପୁତ୍ରିକ ହୋଇଲେ ଚିତ୍ର ବିଚିତ୍ରବୀର୍ଯ୍ୟେ

ସନ୍ତାନ ନୋହିଲା ସେ ବଂଶର ଗ୍ରାହିଜ୍ୟେ।୮।

 

ବିଚାରନ୍ତି ମହାତମା ସୋମବଂଶ ଆଧିପତି

ଭୀଷ୍ମଙ୍କୁ ରାଇଣ ସେ ମହାଋଷି ପଚାରନ୍ତି।୯।

ତୁ ବାବୁ ପ୍ରଦାନ ହୋଅସି କୁମାରୀ

ବଂଶକୁ ରକ୍ଷାକର ସନ୍ତାନ ଜାତକରି।୧୦।

 

ୟେତେକ ବିଚାର ସେ କରିଣ ମହଋଷି

ଭୀଷ୍ମଙ୍କ ପାଇଁ କନ୍ୟା ସେ ଲୋଡ଼ନ୍ତି ସୋମବଂଶୀ।୧୧।

ସେହି ପଦ୍ମଦଳ ଦେଶେ ପଦ୍ମନାଭ ନୃପତି

ଅମ୍ୱା କନ୍ୟା ବୋଲି ତାର ଆରେକ ଦୋହିତି।୧୨।

 

ତାହାକୁ ସୟମ୍ୱର ସେ କଲାକ ନୃପମଣି

ଲକ୍ଷେକ ନୃପତି ସେ ବରଣ କରିଆଣି।୧୩।

ଅନେକ ଉତ୍ସବ ସେ କଲାକ ମଳୟାନିଳ

ଆରମ୍ଭେ ମିଳିଲେ ଯାଇଁ ସମସ୍ତ ମହୀପାଳ।୧୪।

 

ସମସ୍ତ ରାଜାଙ୍କୁ ଦିଅଇ ମଣୋହିଂ

ଅଶ୍ୱଗଜଙ୍କୁ ବାରି ଘାସ ଚରଣି ସମସ୍ତ ତୁଲାଇଂ।୧୫।

ଆହୋ ଦ୍ୱାଦଶ ଯୋଜନ ଯେ ଛାୟାର ମଣ୍ଡପ

ୟେସନେକ ସମ୍ପଦ ଯେ କରିଅଛି ନୃପ।୧୬।

 

ପୃଥିବୀରୁ ବରିଆଣିଲେ ଚାରି ଊଣା ଲକ୍ଷେକ ନୃପତି

ଅନେକ ସମ୍ଭର୍ବେଣ ସେ ବସିଣ ଅଛନ୍ତି।୧୭।

ବଦୟନ୍ତି ଅଗସ୍ତି ଶୁଣ ହୋ ରାଜସାଇଁ

ଶାୟେଂନ୍ତନୁକୁ ଚାରଗଣେ ନିମନ୍ତ୍ରଣ କଲେ ଯାଇଂ।୧୮।

 

ଅମ୍ୱାର ସୟମ୍ୱର ଉତ୍ସବ ବୋଲନ୍ତି ନିମନ୍ତ୍ରଣେ

ଭୀଷ୍ମ ବୋଲନ୍ତି ହୋ ଶୁଣ ଚାରଗଣେ।୧୯।

ଆହୋ ବୋଲନ୍ତି ଗାଙ୍ଗେବ ପଦ୍ମଦଳ ମନ୍ଦ କଲା

ଦୁଇ ଦୋହିତା ଆମ୍ଭ ଦୁଇ ଭାଇନ୍ତ ଦେଲା।୨୦।

 

ଆରେକ କନ୍ୟା ଯେବେ ଅଛଇଂ ତାହାର

ଆମ୍ଭଙ୍କୁ ସେକନ୍ୟା ପ୍ରଦାନ କରୁ ଦଣ୍ଡଧର।୨୧।

ୟେତେକ ବିଚାରି ସେ ଚାରଗଣ ସମସ୍ତେ

ପଦ୍ମଦଳ ଦେଶକୁ ଯେ ବାହୁଡ଼ିଲେ ଦୂତେ।୨୨।

 

ପଦ୍ମନାଭ ରାଜାକୁ କହିଲେ ବେଗେ ଯାଇ ଚାର

ଭୋଦେବ ନାଶଗଲା ୟେ ତୋହୋର ସୟଂବର।୨୩।

ଆମ୍ଭେ ଅନେକ ଦେଶୟେ ନିମନ୍ତ୍ରଣ କରିଗଲୁଂ

କୁଞ୍ଜଗଳ ଦେଶେ ଯାଇଂ ପ୍ରବେଶ ହୋଇଲୁଂ।୨୪।

 

ଶାୟେଂତନୁକୁ ନିମନ୍ତ୍ରଣ କଲୁ ମାଳା ଦେଇ

ଭୀଷ୍ମ ବୋଇଲେ ଆମ୍ଭନ୍ତ କତିରେ ବସାଇ।୨୫।

ଅମ୍ୱିକା ଅମ୍ୱାଳିକା କନ୍ୟା ଚିତ୍ର ବିଚିତ୍ରବୀର୍ଯ୍ୟକୁ ଦେଲେ

ଆରେକ କନ୍ୟା ଯେବେ ଅଛି ମୋତେ କିମ୍ପାଇଂ ନ ବରିଲେ।୨୬।

 

ଆହୋ ଚାରଗଣେ ତୁମ୍ଭେ କହ ବେଗେ ଯାଇଂ

ଅମ୍ୱା କନ୍ୟାକୁ ଭୀଷ୍ମେ ବୋଇଲେ ଆମ୍ଭଙ୍କୁ ଦେବାପାଇଂ।୨୭।

ଶୁଣିଣ ବିରସ ଯେ ହୋଇଲେ ନୃପତି

ଆଗହୁଂ ନ ଫୁଟରେ ଗୋପ୍ୟ କର ରୀତି।୨୮।

 

ଲକ୍ଷେ ରାଜା ହାଦେ କରି କଲି ସୟମ୍ୱର

ଅନେକ ଆରମ୍ଭେଣ ବସିଲେ ନୃପବର।୨୯।

ଆହୋ ଯତନେଣ ଆଣିଲି ମୁଂ ସୟଂମ୍ୱର ନିମନ୍ତେ

ନାସ୍ତି କଲେ ରାଜା ୟେ କି ଜୀଆଂଇବେ ମୋତେ।୩୦।

 

ଶୁଣିଣ ଚାରଗଣେ ହୋଇଲେକ ମନେ ତୁଷ୍ଟି

ବହନ କରି ଆଣିଲେ ସଭାକୁ କନ୍ୟା ଗୋଟି।୩୧।

ମା ଗୋ ରାଜାନ୍ତ ନିମନ୍ତ୍ରିଲି ତୋହୋରି ନିମନ୍ତେ

ବରବେଶ ହୋଇ ୟେବେ ବସିଲେ ନୃପନାଥେ।୩୨

 

କନ୍ୟାକଇଂ ଦେଖାବନ୍ତି ସୟମ୍ୱର ବିଧାନେ

ମାଳା ଦେଇ ବର ଗୋ ଯାହାକୁ ଇଛା ତୋର ମନେ।୩୩।

ଆହୋ ୟେମନ୍ତ ସମୟେ ଭୀଷ୍ମଙ୍କର ଦୂତ

ମନୁମଥ ସେନାପତି ଘେନିଣ ଶତେକ ରଥ।୩୪।

 

ସୟମ୍ୱର ସ୍ଥାନେ ଆସି ପ୍ରବେଶ ହୋଇଲେ ମନୁମଥ

ବୋଲନ୍ତି ଚାରଗଣେ ଆମ୍ଭେ ଭୀଷ୍ମଙ୍କର ଦୂତ।୩୫।

ଯେବଣ କନ୍ୟାକୁ କରୁଅଛ ସୟମ୍ୱର

ସେ ଅବା କନ୍ୟାକୁ ତୁ ଭୀଷ୍ମଙ୍କୁ ପ୍ରଦାନ କର।୩୬।

 

ପଦ୍ମନାଭ ବୋଇଲେ ସେ ଗାଙ୍ଗେବ ମହାକ୍ଷତ୍ରୀ

ଆଗହୁଂ ଜାଣିଥିଲେ କିମ୍ପାଇ ସୟମ୍ୱର କରନ୍ତି।୩୭।

ଦେଖ ୟେବେ ସୟମ୍ୱର କଲଇଂ ଲକ୍ଷେକ ରାଜା ଆଣି

ୟେହା ଭାଙ୍ଗିଣ କି ପାରିବି ୟେହି କ୍ଷିଣି।୩୮।

 

ମନୁମଥ ବୋଇଲା ତୁମ୍ଭେ ହୋ ଶୁଣ ରାଜାମାନେ

ତୁମ୍ଭେ ଯେ ଅଇଲ ସୟମ୍ୱର ବିଧାନେ।୩୯।

ୟେ ପଦ୍ମନାଭ ରାଜାର ବେନି ଯେ କୁମାରୀ

ଚିତ୍ର ବିଚିତ୍ରବୀର୍ଯ୍ୟଙ୍କୁ ପ୍ରଦାନ ତାହାଙ୍କରି।୪୦।

 

ଅମ୍ୱେ କନ୍ୟାକୁ ଭୀଷ୍ମଦେବଙ୍କୁ ଦେବା

ୟେ କନ୍ୟାକୁ ପ୍ରଦାନ ହୋଇବେ ଗାଙ୍ଗବା।୪୧।

ତୁମ୍ଭେ ହୋ ବିଚାର ସମସ୍ତ ରାଜାଗଣ

ଭୀଷ୍ମେ ବିଜେ ହାଦେ କରିବେ ୟେହି କ୍ଷଣ।୪୨।

 

ଯେବେ ହୋ ତୁମ୍ଭେ କରିବ ଅବଗ୍ୟାଂ

ଭୀଷ୍ମଙ୍କର ଛାମୁକୁ ତୁମ୍ଭର କିସ ଯେ ପ୍ରତଗ୍ୟାଂ।୪୩।

ରାଜାଗଣମାନ ଶୁଣି ସମସ୍ତେ ଭୟକଲେ

ଭୀଷ୍ମଙ୍କର ଆଗତ ଶୁଣି ସେ ସଭାରୁ ଉଠିଲେ।୪୪।

 

ସମସ୍ତ ରାଜାୟେ ବୋଇଲେ ପଦ୍ମନାଭକୁ ରାଇ

ଆମ୍ଭେ ଯାଉଅଛୁ ଯେ ଯାହା ଭୁବନକଇଂ।୪୫।

ୟେ କନ୍ୟାକୁ ତୁମ୍ଭେ ପ୍ରଦାନ କରସି ହୋ ଭୀଷ୍ମଙ୍କୁ

ଗାଙ୍ଗେବର ଭୟ ଯେ ଲାଗିଲା ଆମ୍ଭଙ୍କୁ।୪୬।

 

ପଦ୍ମନାଭ ବୋଇଲେ ମୁଂ ଯେ ବରିଲି ତୁମ୍ଭନ୍ତ

ଅବଶ୍ୟ ପ୍ରଦାନ ମୁଂ କରିବି ଦୋହିତ।୪୭।

ରାଜାମାନେ ବୋଇଲେ ହୋ ୟେଡ଼େ କାହାର ସାହାସ

ଜଳନ୍ତା ଜୋଇରେ କେହୁ ନେଇଣ ଦେବ ଝାସ।୪୮।

 

ୟେତେ ବୋଲି ରାଜାଙ୍କୁ ଲାଗିଲା ବଡ଼ ଭୟେ

ସୟମ୍ୱର ଭଗ୍ନକରି ପଳାଇଲେ ସର୍ବରାୟେ।୪୯।

ସଭା ଭଗ୍ନ କରି ତହୁଂ ଚଳିଲେ ସମସ୍ତ ନୃପତି

ଅନେକ ଅଭିମାନେ ଗଲେ ଯେ ଯାହାର କ୍ଷିତି।୫୦।

 

ପଦ୍ମନାଭ ରାଜା ଅନେକ ସାନନ୍ଦ

ଭୀଷ୍ମକୁ କନ୍ୟା ଦେବି ବୋଲି ବଡ଼ାଇ ଆହ୍ଳାଦ।୫୧।

ଗଙ୍ଗାର ନନ୍ଦନ ଯେବେ ହୋଇବେ ମୋହୋର ଜୁଆଇଂ

ୟେହାଉଂ ଭାଗ୍ୟ ମୁହିଂ ଆଉ ଅବା ପାଇବଇଂ କାହିଂ।୫୨।

 

ଦୋହିତାକୁ କୋଳେ ଧରି ବୋଇଲା ପଦ୍ମନାଭ ରାଜନ

ଅନେକ ପୁଣ୍ୟ ଯେ ତୋହୋର ସାଧୁ ସାଧୁ ଜୀବନ।୫୩।

ଗଙ୍ଗାର ନନ୍ଦନ ତୋର ହୋଇବା ହାଦେ ବର

ପଞ୍ଚୁ କଟକରେ ସେ ଅଟଇ ଠାକୁର।୫୪।

 

ଅମର ବର ପାଇଛି ଯାହାର ମୃତ୍ୟୁଇଚ୍ଛା

ଜଗଜ୍ଜିତାନାଥ ସେ ଅଭୟେ ବରବାଞ୍ଛା।୫୫।

ଅନେକ ଉତ୍ସବ ଯେ କରଇ ନରସାଇଂ

ପରମ ସାନନ୍ଦେଣ ଯେ ଦିଲା ଅନେକ ବଧାଇ।୫୬।

 

ୟେସନେକ ସମୟେ ଯେ ଜଣାଇଲେ ନରପତି

ମନୁମଥ ସେନାପତିକି ରାଇ ସେ ବୋଇଲେ ଚକ୍ରବ୍ରତୀ।୫୭।

ଆହୋ ବହନ ହୋଇ ଯାଇ ତୁ କହ ଶାୟେଂନ୍ତନୁକୁ

ସତ୍ୟ କଲି କନ୍ୟା ମୁଂ ଯେ ଦେବଇ ଭୀଷ୍ମଙ୍କୁ।୫୮।

 

ପ୍ରତକ୍ଷେ ଦେଖିଲ ହୋ ଭାଞ୍ଜିଲା ସୟମ୍ୱର

ଭୀଷ୍ମକୁ ଦେବଇଂ କନ୍ୟା ସତ୍ୟ ସତ୍ୟ ଯେ ମୋହୋର।୫୯।

ଆଗ୍ୟାଂ ପ୍ରମାଣେ ସେ ଗଲାକ ଦୂତପତି

ଭୀଷ୍ମଙ୍କ ଛାମୁରେ ଯାଇଂ ପ୍ରବେଶ ତଡ଼ତି।୬୦।

 

କରପତ୍ର ଯୋଡ଼ିଣ ସେ ସେନାପତି କହିଲା

ତୋହୋର ଆଗ୍ୟାଂୟେ ଦେବ ସୟମ୍ୱର ଭାଞ୍ଜିଲା।୬୧।

ଅନେକ ସାନନ୍ଦ ରାଜା ହୋଇଲା ତୋହୋର ଯେ ନାମେ

ବହୁତ ହରଷ ହୋଇଲା ରାଜା ତୁମ୍ଭ ଅନୁକର୍ମେ।୬୨।

 

ସ୍ୱାମୀ ବହନ ଯିବା ଚାଲ ସାଜ ୟେବେ ସଇନି

ପ୍ରୋହିତ ହକାରି ବିଭା ଅନକୂଳ ଘେନି।୬୩।

ଅମୃତ ଯୋଗେ ମକର ଶୁକଳ ସପତମୀ

ସେ ଦିନ ଅନକୂଳ କଲେ କୁରୁରାଜ ସ୍ୱାମୀ।୬୪।

 

ବାହୁଡ଼ାଇ ଚାରଗଣେ ପେଷିଲେ ବେଗେଁ ଦୂତ

ମକର ଶୁକଳ ସପତମୀ ବିଭାଯୋଗ ଅମୃତ।୬୫।

ଚାରଗଣେ କହିଲେ ଯାଇଂ ପଦ୍ମନାଭ ରାଜା ଆଗେ

ମଙ୍ଗଳ ଘେନିଲା ରାଜା ତୁମ୍ଭର ଅନକୂଳ ଯୋଗେ।୬୬।

 

ବରବେଶ ହୋଇଛନ୍ତି ଭୀଷ୍ମ ମହାରଥୀ

ଗଙ୍ଗାଉ ଉଦେ ଯେ ଅନେକ ବିଦ୍ୟା ଭଗତି।୬୭।

ନ ଚାହିଁ ନ ପଢି ଶିଖିଲେ ଅକ୍ଷର ଲେଖନ

ଗୁରୁ ବିହୁନେ ଶିଖିଲେ ଅନେକ ବିଦ୍ୟାମାନ।୬୮।

 

ମନ୍ତ୍ରେଣ ଶହସ୍ରେଣ ଯେ ହୋଇଲେ ଭଗତି

ଅଣଗୁରୁ ବିଦ୍ୟା ଶିଖିଲେ ଭୀଷ୍ମ ମହାରଥୀ।୬୯।

ବିଭାଯୋଗ ଘେନି ସେ ସଜ ହୋଅନ୍ତି କୁରୁବୀରେ

ଶୁଭମଙ୍ଗଳ ଯୋଗ ଦିଅନ୍ତି ପାରେଶ୍ୱରେ।୭୦।

 

ଭୀଷ୍ମ ରୁହାଇଲେ ପ୍ରଶୁରାମଙ୍କ ସହିତେ

ହରିରାମ ନୀଳରାମ ରଘୁରାମ ଚାରିଭ୍ରାଥେ।୭୧।

ବିଶ୍ୱାମିତ୍ର ଆଦି କରି ଅଟନ୍ତି ବ୍ରହ୍ମଚାରୀ

ଯଦୁରାମ ଆଦି କରି ଅଟନ୍ତି ପ୍ରବେଶ ବାରୁଣାବନ୍ତ ପୁରୀ।୭୨।

 

କାଶୀଶ୍ୱର ରାଜା ଯେ ନିର୍ଝର ଗଣପତି

ଋତୁପର୍ଣ୍ଣ ସଦାନନ୍ଦ ଆବର ଅନେକ ବୀର ଚକ୍ରବ୍ରତୀ।୭୩।

ଅରୁଣସେନ ମାଧବସେନ ବିକ୍ରମସେନ ରାୟେ

ବନ୍ଧୁଯୋଗେଣ ଯେ ଯାହାର ଦଣ୍ଡ ଘେନି ଆୟେ।୭୪।

 

ୟେସନେକ ଦ୍ୱାରେ ବାଜଇ ବୀରତୂର

ଅନେକ ଥାଠ ସଇନି ମହା ଯେ ସମ୍ଭର।୭୫।

ଅନେକ ଅପକ୍ଷରୀ କରନ୍ତି ନୃତ୍ୟ ଗୀତ

ମଙ୍ଗଳ କୟେବାର ତହିଁ କରନ୍ତି ଚଣ୍ଡପୁତ୍ର।୭୬।

 

ରଥ କୋଟିୟେ ଯେ ଗଜ ପାଞ୍ଚଖର୍ବ

ବାର ପରାଉଧ ଖୁରୁସାଣି ଚୋଖାର ତୁରଙ୍ଗବ।୭୭।

ଉଦ୍ଦଣ୍ଡ ପାଟଛତ୍ର ଆଲମ୍ୱ ପାଞ୍ଚଲକ୍ଷି

ଉଭାରିଲେ ଦାଣ୍ଡେ ଯେହ୍ନେ ଦିବସେ ସୂର୍ଯ୍ୟ ନଦେଖି।୭୮।

 

ଟମକ ନିଶାଣ ଢୋଲ ତୂର ଶଙ୍ଖନାଦେ

ଅକାଶ ଉଛୁଳଇ ହୋ ଗର୍ଜନ ଶବଦେ।୭୯।

ଲକ୍ଷେକ ଗୋ ଦୋହନ କରାନ୍ତି ଶିବଆଳେ

ବିଷ୍ଣୁ ବରଣେ ତିନି ଲକ୍ଷ ବ୍ରାହ୍ମଣ ଜପନ୍ତି ମନ୍ତ୍ରବଳେ।୮୦।

 

ଦେବୀଙ୍କି ଅନେକ ହାଦେ ଶୀତଳ ଦ୍ରବ୍ୟପୂଜା

ପୋଢ ମେଷ ଛାଗଳ ଦିଅନ୍ତି ବଳି ଭୋଜା।୮୧।

ଗ୍ରହଶାନ୍ତି ମନ୍ତ୍ର ତହିଂ ପଢନ୍ତି ଗଣକେ

ଚାରିଦ୍ୱାରେ ଅନ୍ନ ଛତ୍ର ଦିଅନ୍ତି ଯେ ଲୋକେ।୮୨।

 

ମୃଦଙ୍ଗ ତାଳକଂସାଳ ରସବେଣୀ

ସ୍ୱର୍ଗର ଅପଛରୀ ଭରହର ଗାୟେଣୀ।୮୩।

ଆହୋ ଭିତରେଣ ଦେବପୂଜା ସାରିଣଗାଙ୍ଗବେ

ବ୍ରହ୍ମା ବରଣ ପୂଜା ସାରିଣ ସର୍ବଦେବେ।୮୪।

 

ବରବେଶ ହୋଇଣ ଧବଳାଙ୍ଗୀର ବଳା

ଅନେକ ସ୍ତୁତି ସେ କରନ୍ତି ଦେବୀ ସର୍ବମଙ୍ଗଳା।୮୫।

ନମୋ କାତ୍ୟାୟିନୀ ଗୋ ବିଂଝଗିରିବାସୀ

ଦେବଙ୍କର ତେଜ ଘେନି ଯାହାର ଶରୀର ପରକାଶି।୮୬।

 

ସହସ୍ରେକ ଭୁଜଦେବୀ ତୋର ଅନେକ ଆୟୁଧ

ମାନନୀ ରୂପ ଧରି ଅସୁର କଲୁ ବଧ।୮୭।

ଅଭୟ ପିଙ୍ଗଳାକ୍ଷୀ ଗୋ ନାଶ କର ଦର୍ପଭାଞ୍ଜି

ନବ କୋଟି କାନ୍ତାନୀ ଯାହାର ଶରୀରୁ ଉପୁଜି।୮୮।

 

ଅଘୋର ରୂପ ଟହ ଟହ ହାସମୁଖୀ

ଆକାଶ କ୍ଷେପଣୀ ଗୋ ନିଶ୍ଚିନ୍ତ ବେନିଆଖି।୮୯।

ଡିବି ଡିବି ବାଦ୍ୟ ମା ଗୋ ଶ୍ରୀଭୁଜେ ଡମ୍ୱରୁ

ଶମଶାନେ ଭ୍ରମଣୀ ଗୋ ନର ଅସ୍ଥିମାଳା ଉରୁ।୯୦।

 

ହାଣ ହାଣ ମାର ମାର ଡାକେଶ୍ୱରୀ ଡାକେ ତୋଳି

ରଣରଙ୍ଗ ମନ୍ଥନୀ ନାଚନ୍ତି କୁତୋହଳୀ।୯୧।

ବିବସନସାହୀ ମା ଗୋ ମତ୍ତ ଯେ ମାତାଙ୍ଗୀ

ରସନ ଝଟନ ବିହଡ଼ ଦାଢ ଲାଗି।୯୨।

 

ଆକାଶେଣ ଦୃଷ୍ଟି ଗୋ ପାତାଳେଣ ଦୃଷ୍ଟି

ବାହାନ ଇଚ୍ଛିଲୁ ମା ଗୋ ଗଜ ରିପୁ ପିଠି।୯୩।

କାଳ କାମ ନିଦ୍ରା ଗୋ ମୋହନୀ କାମସେଣା

ଉଡ଼ଙ୍ଗ ମାଳ ହୃଦେ ଗୋ ବାହୁଟି କଙ୍କଣା।୯୪।

 

ଜଟାକୁଣ୍ଡଳୀ ଗୋ ଭୂଷଣ୍ଡି ଘୁମୁରା

ବକ୍ଷ ସ୍ଥଳେ ଲୁଳଇ ଯାର ମନ୍ଦାର ମାଳାହାରା।୯୫।

ଚଞ୍ଚପୁଟ ଚାଞ୍ଚପୁଟ ନୃତ୍ୟରଙ୍ଗେଣ ଭୋଳୀ

ହାକେଣୀ ଡାକେଣୀ ଗୋ ରଣରଙ୍ଗେ କୁତୋହଳୀ।୯୬।

 

ଚନ୍ଦ୍ରଘଣ୍ଟା ମହାମାୟା ବିଜୟା ବିରୂପା

ଟହଟହ ହାସ ଗୋ ମହାପିଙ୍ଗଳା ମହାତପା।୯୭।

ଯୋଗେଣ ଯୋଗେଶ୍ୱରୀ ଗୋ ଜୟତୁ ଜୟ ଗୋସାମଣୀ

ଅପାଦଖଣ୍ଡଣୀ ଗୋ ସୁରଲୋକ ରକ୍ଷଣୀ।୯୮।

 

ଶ୍ରୀଚଣ୍ଡୀ ସାରୋଳା ସର୍ବମଙ୍ଗଳା ପରସାଦେ

ଶ୍ରୀମହାଭାରଥ ଆଦିପର୍ବ ଶାହାସ୍ର ସଂବାଦେ।୯୯।

ଶ୍ରୀମଙ୍ଗଳା ନାମ ଗୋଟିକି ମୋର ତଲ୍ଲୟେ ଧ୍ୟାୟେ

ଶୂଦ୍ରମୁନି ସାରୋଳା ଦାସକୁ ପ୍ରସନ୍ନ ହୋଅ ମାୟେ।୧୦୦-୫୮୪।

 

ଭୀଷ୍ମଙ୍କ ପ୍ରତିଜ୍ଞା

 

ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତି

ଦେବୀଙ୍କି ଅନେକ ସ୍ତୁତି କଲେକ ଭୀଷ୍ମ ମହାରଥୀ।୧।

ଅନେକ ବାଞ୍ଛା କରନ୍ତି ଗଙ୍ଗାର ତନୟ ମହାରଥା

ବିଭାକୁ ଅନକୂଳ ଯୋଗ ମୋତେ ଦେବା ଜଗତମାତା।୨।

 

ଯେ ତୋତେ ଆରାଧନା କରଇ କରୁ ତାକୁ ରକ୍ଷା

ଭଗତ ଜନମତ୍ସଳୀ ଗୋ ପୂରାଅ ମୋର ମନବାଞ୍ଛା।୩।

ଶିରେଣ ରତ୍ନମଣି ଗୋ ମୁକୁଟ ଢଳହଳା

ହୃଦେଣ ଭୂଷଣ କଣ୍ଠେଣ ରତ୍ନମାଳା।୪।

 

ତାଡ଼ ତୋଢର ସୀମନ୍ଥି ଜଗଦଳା କର୍ଣ୍ଣେ କର୍ଣ୍ଣାଞ୍ଚଳ

ଖେଳନ୍ତା ସିଂହ ଜାଣି ଦିଶଇଂ ଜାହ୍ନବୀର ବାଳ।୫।

ନୟନେ ଅଞ୍ଜନ ଗୋ ପୟରେଣ ଅଳତା

ନବତନ ବସନ କୁଙ୍କୁମ ଭୂଷଣେ ମନ୍ତ୍ରସୂତା।୬।

 

ଦଧିମାଛ ଅନକୂଳ ଶୁଭଯୋଗ ଘେନି

ଗଣିକାଗଣମାନେ ଦିଅନ୍ତି ହୁଳହୁଳି ଧୁନି।୭।

ବେନି ଲକ୍ଷ ଚାମର ଢାଳନ୍ତି ସନ୍ନିଧାନେ

ବିଜୟେ ଗାଙ୍ଗେବ ଯାଇଂ ଶାୟେଂତନୁଙ୍କ ବିଦ୍ୟମାନେ।୮।

 

ପାଦେଣ ପାଦଅର୍ଘ୍ୟ ଦେଇଣ ପରିଣାମି

ବିଭା କାର୍ଯ୍ୟକୁ ବିଜୟେ କରିବା ଦେବସ୍ୱାମୀ।୯।

ଦଧିବାମନ ସୁମରି ଅନକୂଳ କରିବା

ପଦ୍ମନାଭ ରାଜ୍ୟକୁ ଦେବ ବିଜେ କରିଯିବା।୧୦।

 

ଭୀଷ୍ମଙ୍କ ମୁଖରୁ ୟେସନେକ ବାକ୍ୟ ଶୁଣି

ଶାୟେଂତନୁ ଥମ୍ୱୀଭୂତ ପୂର୍ବ ବେବସ୍ଥାୟେ ଜାଣି।୧୧।

ହେଠମାଥ ହୋଇ ବସିଲେ ତପନିଷ୍ଠି

ବେନି ଲୋଚନରୁ ହୋଇଲା ଅଶ୍ରୁଜଳ ବୃଷ୍ଟି।୧୨।

 

ପିତାର କ୍ରୋଧ ଦେଖି ପଚାରନ୍ତି ମହାରଥୀ

ସାନନ୍ଦେଣ ଅଶ୍ରୁଜଳ କି ବିଷାଦେଣ ପିତାମତି ? ୧୩।

ଶାୟେଂତନୁ ବୋଇଲେ ଭୀଷ୍ମଙ୍କ ମୁଖ ଚାହିଁ

ବାବୁ ଆନନ୍ଦ ହୋଇଲି ତୋହୋର ବୋଲ ପାଇ।୧୪।

 

ପୁଣ ବିଷାଦ ହୋଇଲି ବାବୁ ମୁଂ ପୂର୍ବର କଥା ମଣି

ଚକ୍ଷୁକେ ଆନନ୍ଦ ଚକ୍ଷୁକେ ବିଷାଦ ସେ ବହଇ ପାଣି।୧୫।

ଭୀଷ୍ମ ବୋଇଲେ ଆନନ୍ଦ ହୋଇଲ ମୋତେଦେଖି

ବିଷାଦ ସ୍ଥାନ କେହୁ ସ୍ୱାମୀ କହ ଉପଲେଖି।୧୬।

 

ଶାୟେଂତନୁ ବୋଇଲେ ବାବୁ ତୋହୋର ମାତା ଗାଙ୍ଗୀ

ତୋତେ ନାଶ କରନ୍ତେ ଆମ୍ଭେ ହୋଇଲୁ ବଇରାଗୀ।୧୭।

ରାଗେଣ ତାହାଙ୍କୁ ଆମ୍ଭେ ବୋଇଲୁ ଭର୍ତ୍ସନା

ନ ସହି ଚଳିଯାନ୍ତେ ଅନାଦି ଅପର୍ଣ୍ଣା।୧୮।

 

ଆମ୍ଭେ ଯାଇ ଗଙ୍ଗାକୁ ଧଇଲୁ କୋଳକରି

ପ୍ରସବ କରି ଗଙ୍ଗା କିମ୍ପେ ପୁଅନ୍ତ ପକାଇଲୁ ମାରି।୧୯।

ଗଙ୍ଗା ବୋଇଲା ମୁଁ ତୋହୋର ପରମଗୁରୁ

ବରତ ପୂରିଲା ମୋର କିଂପାଇ ମୋତେ ଧରୁ।୨୦।

 

କୋପେଣ ଶାପ ମୋତେ ଦେଲେକ ଧବଳୀ

ୟେ ପୁତ୍ରର ବୀର୍ଯ୍ୟେ ପୁତ୍ର ଉପୁଜିଲେ ତୁ ହୋଇବୁ ବିଷାବଳି।୨୧।

ବାବୁ ତୁ ଯେବେ ବିଭାରେ ହୋଇବୁ ନନ୍ଦନ

ଅବଶ୍ୟ ପୁତ୍ର ଯେ ତୋହୋର ହୋଇବ ଉତପନ୍ନ।୨୨।

 

ବାବୁ ତୋହୋର ମାତା ଯେ ଶାପ ଦେଇଅଛି ମୋତେ

ଅବଶ୍ୟ ଶିର ଛେଦନ ହୋଇବି ତୋହୋର ପୁତ୍ରଙ୍କର ହାଥେ।୨୩।

 

ପିତାର ବଚନ ଶୁଣି ଭୀଷ୍ମ ଯେ ମୁରାଟ

ଧାତିକାରେ କାଢି ପକାଇଲେ ମଥାରୁ ମୁକୁଟ।୨୪।

ଛାଡ଼ିଲେ ବରବେଶ ବସିଲେ ଭୀଷ୍ମ ମହତମା

ବାଦ୍ୟମାନ ରୁହାଇଲେ ବିଷାଦ ସର୍ବଆତ୍ମା।୨୫।

 

ପ୍ରଶୁରାମ ବୋଇଲେ ଭୀଷ୍ମ କିଂପାଇ ବିରସିଲୁ

ବରବେଶ ତେଜି କିମ୍ପା ମୁକୁଟ ଫେଇଲୁ।୨୬।

ଭୀଷ୍ମେ ବୋଇଲେ ତୁମ୍ଭେ ଶୁଣ ରାଜଦେବେ

ମୋହୋର କିସ ବିଭା ଯେ ପିତାର ଅଭାବେ।୨୭।

 

ଅନେକ ବାଗେ ପିତା ଅର୍ଜଇ ହାଦେ ପୁତ୍ର

ପୁତ୍ର ବାଞ୍ଛା କରଇ ଯେ ବଂଶ ରକ୍ଷା ହୋଇବା ନିମନ୍ତ।୨୮।

ମୋହୋର ପୁତ୍ର ହୋଇଲେ ଯେବେ ପିତା ନାଶ ଯିବ

ସେ ବିଭାରେ ହାଦେ ମୋର କିସ ଧର୍ମ ଉପୁଜିବ।୨୯।

 

ପୁତ୍ର ସେ ରକ୍ଷା ଯେ କରଇ ନିଜ ବଂଶ

ମୋହୋର ପୁତ୍ରରେ ଯେବେ ଶାୟେଂତନୁ

ପ୍ରାୟେ ପିତା ଯିବେ ନାଶ।୩୦।

ଆବର ବିଭାୟେଣ ମୋର କିସ ପିରୋଜନ

ଛାଡ଼ିଲି ମାୟା ମୋହ ନୋହୁ ଯେ ସନ୍ତାନ।୩୧।

 

ଡାହାଣା ବ୍ରତେକ ଶଙ୍ଖେ ଜଳ ତିଳ ଲାଇ

ଦାରା ସଂଘରିଲେ ଭୀଷ୍ମେ ସଂକଳ୍ପ କରାଇ।୩୨।

ଶରୀରେ ଆୟୁଷ ଥାଇଂ ମୋହୋର ଯେତେ କାଳ ପରିଯନ୍ତେ

ସତ୍ୟ ସତ୍ୟ ତିନିବାର ସତ୍ୟ ଅଲଘିଂତ ନିୟମ ଅଛି ମୋତେ।୩୩।

 

ନୋହୁ ନୋହୁ ଭାରିଯା ପୁତ୍ର ସନ୍ତାନହିଂ ପଛେ ନୋହୁ

ଯେମନ୍ତେ ଶାୟେଂତନୁ ମୋର ଚିର ଆୟୁରହୁ।୩୪।

ଉପେଖିଲେ କାମ ମୋହ ସଂଘରଣ କଲେ ଦାରା

ଯାବତ ଉଦୟେ ହୋଇବେ ଚନ୍ଦ୍ର ଦିବାକରା।୩୫।

 

ତୋହୋର ୟେଡ଼େ ବିରସ ମୋହୋର ବିଭା ଶୁଣି

ପରମଯୋଗୀ ପୁରୁଷ ସେ ଭୀଷ୍ମ କ୍ଷତ୍ରି ଚୂଡାମଣି।୩୬।

ସାଚୋ ସାଚୋ ବାରତା ଶୁଭଇ ପଦ୍ମଦଳ ଦେଶେ

ଭୀଷ୍ମେ ବିଜେ କରି ଆସୁଅଛନ୍ତି ବରବେଶେ।୩୭।

 

ବରଣ କାଳେ ଯେତେ ଯୁବତୀ ଜନେ ଆସି

ଅମ୍ୱା କନ୍ୟାର ଆଗରେ ସମସ୍ତେ ପରଶଂସି।୩୮।

ଧନ୍ୟ ଧନ୍ୟ ତୁ ପୁଣ୍ୟ କରିଥିଲୁ ଗୋ ଆୟି

ଗଙ୍ଗାର ନନ୍ଦନ ଭୀଷ୍ମେ ହୋଇବେ ତୋହୋର ଗୋସାଇଂ।୩୯।

 

ପିତା ମାତା ତୋର ସାର୍ଥୁକ, ଜୀବନ ତୋର ଧନି

ଶୁଭକ୍ଷଣେ ଉପୁଜିଲୁ ଅମୃତ ଯୋଗ ଘେନି।୪୦।

ଅନେକ ସାନନ୍ଦେ ଯେ ଉତ୍ସବ ରାୟେ କରି

ଭୋଜନ ଯୋଗାଡ଼ ଯଉତୁକ ସମ୍ଭାର ଆଦିକରି।୪୧।

 

ରଥ ଗଜ ଅଶ୍ୱପାଦାନ୍ତି ଘେନି ଅନେକ କୋଟି

ସମ୍ଭରେ ପଦ୍ମନାଭ ରାଜା ଆସଇ ପାଛୋଟି।୪୨।

ଦଣ୍ଡ ଘେନି ରାଜା ଆସଇ ପୃଥିବୀ ପୂରନ୍ତେ

ତ୍ରିପୁରା ନଦୀର ଯେ ଉତ୍ତର ତଟାନ୍ତେ।୪୩।

 

ଭୀଷ୍ମଙ୍କର ତହିଂକି ଯେଉଁ ଦୂତେ ଯାଇଥିଲେ

ବାହୁଡ଼ିବିସ୍ମୟ ହୋଇଣ ଆସି ପଦ୍ମନାଭକୁ କହିଲେ।୪୪।

ଭୋ ସ୍ୱାମି ଭୀଷ୍ମ ମହାରଥୀ ବିଭା ହୋଇ ଆସୁଥିଲେ

ଆସନ୍ତେଣ ପିତା ଶାୟେଂତନୁ ନିରୋଧିଲେ।୪୫।

 

ଯୋଗାଡ଼ ମାନନ୍ତ ଠାବେ ଠାବେ ରୁହାଇଲେ

ବରଜାତି ଲୋକମାନେ ସବୁ ବାହୁଡ଼ିଣ ଗଲେ।୪୬।

ପଦ୍ମନାଭ ବୋଇଲେ ମୁଂ କେବଣ ପାପଦୋଷୀ

କିମ୍ପାଇଂ ନିରୋଧ କଲେ ଶାୟେଂତନୁ ମହଋଷି।୪୭।

 

ବାହୁଡ଼ଇ ନରନାଥ ଆପଣା ନିଜପୁରୀ

ଚାରଗଣ ବଚନକୁ କେବେହେଂ ସଂପ୍ରତେ ନକରି।୪୮।

ସେ ଦିନକଇଂ ବାଟ ଚାହିଂ ରହିଲା ନରପତି

ସେ ଯୋଗାଡ଼ମାନ ସବୁ ବିନ୍ୟାସିଲେ ବରଜାତି।୪୯।

 

ଦିନା ଚାରି ବାଟ ଚାହିଂ ରାଜା ବିମୁଖ ହୋଇଲା

ଜଉନାଭ ବୋଲି ତାର ପୁତ୍ରକୁ ବରଗିଲା।୫୦।

ୟେଥିର ତଦନ୍ତ ବାବୁ ବୁଝସିରେ ଯାଇଂ

ଭୀଷ୍ମେ ବିଭା ହୋଇ ନ ଅଇଲେ କିସ ପାଇଂ।୫୧।

 

ରାଜାର ବଚନେ ତହୁଂ ଗଲେ ବେନି ପୁତ୍ରେ

ସପତ ଦିନେ ପ୍ରବେଶ ହୋଇଲେ ବାରୁଣାବନ୍ତେ।୫୨।

ଶାୟେଂତନୁଙ୍କୁ ପ୍ରଣପତ୍ୟ ଜଉନାଭ ସଉନାଭ

ସ୍ୱାମୀ ବିଭା ହୋଇ କିଂପା ନଗଲେ ଭୀଷ୍ମଦେବ।୫୩।

 

ଶାୟେଂତନୁ ବୋଇଲେ ସେ ଦାରା ସଂଘରିଲା

ଆମ୍ଭର ନିମନ୍ତେ ସେ ବିଭା ଯେ ନୋହିଲା୫୪

ତୁମ୍ଭେ ଆବର ଭୀଷ୍ମକୁ ନ କରିବ ବାବୁ ଆଶ

ଆନକୁ ପ୍ରଦାନ କର ଯାଅ ହୋଇଣ ନିରାଶ।୫୫।

 

ଭୀଷ୍ମଙ୍କୁ ରାଇ ଆଣିଲେ ପିତା, ତାହାଙ୍କର କତି

ବାବୁ ପଦ୍ମନାଭ ରାଜା ପଠିଆଇଲା ପୁତ୍ର ଯେ ଦୁହିନ୍ତି।୫୬।

କନ୍ୟା ଗୋଟିକି ବାବୁ ତୁ ହୁଅସି ପ୍ରଦାନ

ସନ୍ତାନ ନଥିଲେ ତୁଟଇ ଧର୍ମମାନ।୫୭।

 

ଭୀଷ୍ମେ ବୋଇଲେ ଆବର ହୋଅଇ କି ସେ କଥା

ମୋହୋରେ ନାଶ ଯିବକି ତୋହୋର ପ୍ରାୟେ ପିତା।୫୮।

ଅନେକ ଜଣାବନ୍ତେ ନାସ୍ତିହିଂ ସେହୁ କଲେ

ରାଜାର ବେନିପୁତ୍ରେ ବାହୁଡ଼ିଣ ଗଲେ।୫୯।

 

ଆପଣା ରାଜ୍ୟରେ ସେ ହୋଇଲେ ପରବେଶ

ପିତାଙ୍କୁ ବାରତା କହିଲେ ତାତ ଛାଡ଼ସି ଭୀଷ୍ମଙ୍କର ଆଶ।୬୦।

ପିତାର ନିମନ୍ତେ ସେ ସଂଘରିଲେ ଦାରା

ସଂକଳ୍ପ କରିଣ ସେ ଛାଡ଼ିଲେ ମହାବୀରା।୬୧।

 

ପୁତ୍ରଙ୍କର ମୁଖରୁ ୟେସନେକ ବାଣୀ ଶୁଣି

ବିଚାରି ବୋଇଲା ସେ ପଦ୍ମନାଭ ନୃପମଣି।୬୨-୬୪୬।

 

ଅମ୍ୱା ଉପାଖ୍ୟାନ

Unknown

(ଅମ୍ୱାଙ୍କ ନିମନ୍ତେ ଶାଲ୍ୱ ନୃପତି ବରଣ)

 

ବାବୁ ଅମ୍ୱା କନ୍ୟାକୁ ଶାଲୁ ମାଗୁଥିଲା ପୂର୍ବେ

ମୁହିଂ ତାହାକୁ ନାସ୍ତି କଲି ମତ୍ତ ଗର୍ବେ।୧।

ସୟମ୍ୱର କରିଥିଲି ତାହା ଭୀଷ୍ମନାଶ କଲା

କାଳେ ଦୁହିତାକୁ ମୋର ପ୍ରଦାନ ନୋହିଲା।୨।

 

ବାବୁ ଅଞ୍ଜନସେନ ନାମେ ଅଟଇ ତାର ମନ୍ତ୍ରୀ

ଶାଲୁର ତହିଂକି ତାକୁ ପଠିଆଇଲା ଭୂଅପତି।୩।

ଶାଲୁକଇଂ ମାଳା ଦେଇ ବରିଆସ ଯା ବହନ କରି

ତାହାକଇଂ ପ୍ରଦାନ କରିବି ୟେ ମୋହୋର ଯୋଗେଶ୍ୱରୀ।୪।

 

ରାଜାର ବଚନେ ଚଳିଲା ମନ୍ତ୍ରୀବର

ଶାଲୁର ଦେଶେଣ ଯେ ପ୍ରବେଶ ସତ୍ୱର।୫।

ଶାଲୁକୁ ଜଣାଇଂ ଯାଇଂ କଲାକ ଦର୍ଶନ

କହିଲାକ ମନ୍ତ୍ରୀବର ସକଳ ବିଧାନ।୬।

 

ତୁ ଯହୁଂ ଆଗହୁଂ କୁମାରୀକୁ ମାଗୁଥିଲୁ ରାୟେ

ପଦ୍ମନାଭ ନୃପତି ତୋତେ ଦେବ ଦୁହିତା ଗୋଟିୟେ।୭।

ଶାଲୁ ବୋଇଲା ଯେ ଅମ୍ୱେ କନ୍ୟା ବାଳୀ

ସେହି ସେ ଅଟଇ ମୋର ମନର ହିଆଳି।୮।

 

ମନ୍ତ୍ରୀ ବୋଇଲା ସେହି ସେ ହୋଅଇ ଯୁଗତେ

ଅମ୍ୱା ନାମେ କନ୍ୟାହିଂ ସେ ତୋତେ ଦେବଇଂ ଯଥାର୍ଥେ।୯।

ଶୁଣିଣ ସାନନ୍ଦ ସେ ହୋଇଲା ମହୀପତି

ମାଳା ଦେଇଂ ବରିଲା ସେ ପଦ୍ମନାଭର ମନ୍ତ୍ରୀ।୧୦।

 

ବୃଷ ଶୁକଳ ତ୍ରୟୋଦଶୀ ଶୁକ୍ରବାର

ଅନୁରାଧା ନକ୍ଷତ୍ର ହାଦେ ଭୋଗ ସେ ଦିନର।୧୧।

ସମଦଣ୍ଡ ଘେନି ତୋହୋର ଯିବୁଟି ଦଣ୍ଡସାଇଂ

ଶାଲୁ ଅନେକ ଗଉରବ କଲା ହରଷ ହୋଇ।୧୨।

 

ପଦ୍ମନାଭ ନୃପତି ଯେବେ ମୋତେ ଦେବଟି ଦୋହିତ

ୟେହାଉଂ ମୁହିଂ ଆନ କିଲୋଡ଼ିବି ପୁଣ୍ୟ ଅର୍ଥ।୧୩।

ବର ବରିଣ ଅଇଲା ସେ ପଦ୍ମନାଭ ମନ୍ତ୍ରୀ

ଅନେକ ଉତ୍ସବ ତହିଂ କଲେକ ନୃପତି।୧୪।

 

ଅମ୍ୱା କନ୍ୟାର ନିମନ୍ତେ ରାୟେ ପଦ୍ମନାଭ

ପୁଣିହିଂ ବିଭା ଯୋଗାଡ଼ କଲାକ ସମ୍ଭର୍ବ।୧୫।

 

ଇଷ୍ଟ କୁଟୁମ୍ୱ ବନ୍ଧୁବାନ୍ଧବନ୍ତ ମାନ

ଅନେକ ଦେଶର ରାଜା କଲା ନିମନ୍ତ୍ରଣ।୧୬।

ଅନେକ ରଥ ଘେନି ସେ ଶାଲୁ ଦଣ୍ଡଧାରୀ

ବିଭା ଯୋଗେଣ ରାଜା ଆସଇ ଥାଟଚାଳି।୧୭।

 

ଚଉବିଂଶ ନଗ୍ରେ ଆସି ହୋଇଲା ପ୍ରବେଶ

ଶାଲୁକୁ ପଚାରିଲା ନୃପତି ମହୀଦାସ।୧୮।

ଶାଲୁବୋଇଲା ମୋତେ ବରିଲା ପଦ୍ମନାଭ

ଅମ୍ୱେ କନ୍ୟା ମୋତେ ଯେ ପ୍ରଦାନ କରିବ।୧୯।

 

ମହୀଦାସ ବୋଇଲା କିଂପା ଅନମିତ୍ତେ ଅଇଲୁ

ଡଗର ମୁଖେ କି ବାରତା ନ ପାଇଲୁ।୨୦।

ଅମ୍ୱେ କନ୍ୟାକଇଂ ସୟଂବର କଲା

ଗଙ୍ଗାର ନନ୍ଦନ ଭୀଷ୍ମର ଯେ ସୟଂବର ଭାଜିଲା।୨୧।

 

ଆମ୍ଭର ଥାଉଂ ଥାଉଂଣ ଯେ ମାଳା ଦେଇ ବରି

ଭୀଷ୍ମେ ହାଦେ ପ୍ରଦାନ କରିବ କୁମାରୀ।୨୨।

ୟେସନକ ବାରତା ଯହୁଂ ପାଇଲା ବାଟରେ

ଶାଲୁ ବାହୁଡିଲା ଯେ ଭୀଷ୍ମଙ୍କର ଡରେ।୨୩।

 

ନିଚୟେ ଯେବେ କନ୍ୟା ଭୀଷ୍ମଙ୍କୁ ବରିଲା

ଯୁଗତେ ସେ କନ୍ୟା ଗୁରୁପତ୍ନୀ ହେଲା।୨୪।

ଶାଲୁ ବାହୁଡ଼ିଲା ଯେ ୟେସନେକ କଥା ଶୁଣି

ବାଟ ଚାହିଂ ସେ ଯେ ପଦ୍ମନାଭ ନୃପମଣି।୨୫।

 

ଦିବସ ରାତ୍ର ଯେ ବେନି ଅନକୂଳ ସରିଲା

ରାତ୍ର ହିଂ ପାହିଲା ହୋ ଶାଲୁ ତ ନଇଲା।୨୬।

ଡଗର ବାରତା କହିଲା ବେଗେଯାଇ

ଭୀଷ୍ମଙ୍କର ଡରେ ସେ ନଇଲା ଗୋସାଇଂ।୨୭।

 

ପୁଣି ହିଂ ସେହି ଅନକୂଳ ନାଶ ଗଲା

ଯୁବା ବୟସ ଯେ ଅମ୍ୱା କନ୍ୟାର ହୋଇଲା।୨୮।

ତୃତୀୟେ ବରିଲା ସେ ନୃପତି ବୀରବାହୁ

ଭୀଷ୍ମଙ୍କର ବରଣ ଶୁଣି ନ ଅଇଲା ସେହୁ।୨୯।

 

ଚତୁର୍ଥେଣ ମାନ-ଅରଜୁନକୁ ବରିଲା

ବରପୂର୍ବା ବୋଲି ସେ ବିଭା ହିଂ ନୋହିଲା।୩୦।

ୟେମନ୍ତେ ଅନେକ ଦେଶ ରାଜା ବରିଲା ନୃପତି

ଭୀଷ୍ମଙ୍କର ଡରେ କେହି ନୋହିଲେ ତାର କତି।୩୧।

 

ପଞ୍ଚଦଶ ବରଷ ହୋଇଲା କୁମାରୀ

ଯୁବା ବୟସ ଯହୁଂ ହୋଇଲା ମନୋହାରୀ।୩୨।

ଯହୁଂ ପ୍ରଦାନ କେହି ନୁହନ୍ତା ହୋଇଲା

ଦୋହିତାକୁ ଘେନି ରାଜା ବାରୁଣାବନ୍ତେ ଗଲା।୩୩।

 

ଭୀଷ୍ମଙ୍କର ସନ୍ନିଧ୍ୟେ ଯାଇଂ ମିଳିଲା ନୃପମଣି

ଛାମୁରେଣ ଉଭା ରାୟେ କଲାକ ଦୁଲଣୀ।୩୪।

ବୋଇଲା ଭୋ ଗାଙ୍ଗେବ ୟେ ଆମ୍ଭର ଅଟଇ କୁମାରୀ

ନ ନାଶିଲୁ ନ ପୋଷିଲୁ ଛାଡ଼ିଲୁ ବରଣ କରି।୩୫।

 

କେବଣ ଦ୍ରୋହ କଲା ତୋତେ ୟେ ମୋହୋର ଦୁଲଣୀ

ୟେବେହେଂ ସମ୍ଭାଳ ଅଇଲି ଛାମୁକୁ ତୋହୋର ଘେନି।୩୬।

ଭୀଷ୍ମେ ବୋଇଲେ ମୁଂ ତୋହୋର ଦୁହିତାକୁ ବରିଲି

ତାହାକୁ ଉପେଖିକି ଆନକୁ ବିଭାହେଲି।୩୭।

 

ପିତା ମୋହୋର ନାଶଯିବ ମୋହୋର ପୁତ୍ର ହୋଇଲେ

ଦାରା ସଂଘରିଲି ମୁହିଂ ଶାୟେଂତନୁଙ୍କର ବୋଲେ।୩୮।

ଯାହାକଇ ପାରୁ ତୁ ପ୍ରଦାନ କର ବାଳୀ

ମୁହିଂ ଉପେକ୍ଷା କଲି ସତ୍ୟ ପ୍ରତିପାଳି।୩୯।

 

ପଦ୍ମନାଭ ବୋଇଲେ ଭୋ ଭୀଷ୍ମ ଅନେକ

ଦେଶରୁ ମୁଂ ବରିଲି ଦଣ୍ଡଧରେ

କେହି ପ୍ରଦାନ ନୋହିଲେ ତୋହୋର ଯେ ଡରେ।୪୦।

ଶାୟେଂତନୁ ପରାଶର ଭୁରିଶ୍ରବାନ୍ତ ବୋଲାଇ

ଜଣେ ଜଣେ ଗୁହାରି କରଇ ସେ ଦୋହିତାକୁ ଦେଖାଇ।୪୧।

 

ଯଉବନବନ୍ତୀ ସେ ସୁସଞ୍ଚ କାମେନୀ

ଅମୂଲ୍ୟ ରୂପବନ୍ତୀ ଯେ ତ୍ରୈଲୋକ୍ୟ ମୋହିନୀ।୪୨।

ଅନେକ ବାଗେ ତିଆରିଲେ ପିତାମହ ଲୋକେ

କାହାରି ବୋଲ ଭୀଷ୍ମ ନ କଲେ ଦୃଢବାକ୍ୟେ।୪୩।

 

ସତ୍ୟେଣ ସଂସାର ଅଛଇ ନା ପ୍ରବର୍ତ୍ତି

ସତ୍ୟ ମେଣ୍ଟିଲେ ପ୍ରାଣୀ ହୋଅନ୍ତି ନର୍କଗତି।୪୪।

ମୁହିଂ ଯେ ବ୍ରତ କଲି ପିତାର ନିମନ୍ତେ

ତୁମ୍ଭେ କିଂପା ଧର୍ମ ମୋହୋର ଭାଞ୍ଜୁଛ ଅନମିତ୍ତେ।୪୫।

 

ସବୁଙ୍କରି ବଚନ ଯହୁଂ ଧଂସିଲେ ଗାଙ୍ଗେବ

ଦେଖିଣ ବିରସ ଯେ ହୋଇଲେପଦ୍ମନାଭ।୪୬।

ପଦ୍ମନାଭ ବୋଇଲା ଯେ ଦୁହିତାକୁ ରାଇ

ତୁ ଆବର ମୋର ପୁରେ କରିବୁ କିସ ଯାଇ।୪୭।

 

ଭୀଷ୍ମଙ୍କୁ ସେବା ଗୋ କରିଥାଅ ଅନୁବ୍ରତେ

ପୋଷିଲେ ପୋଷୁ ଅବା ନାଶିଲେ ନାଶୁ ତୋତେ।୪୮।

ସେବା କରୁଥିଲେ କରଇ ଅବା ଦୟା

ବିଚାରିଣ ଖଟି ଗୋ ଥାଅ ମହାମାୟା।୪୯।

 

ଅମ୍ୱା କନ୍ୟାକୁ ସେ ଛାଡିଣ ନରନାଥ

ଚଳିଲେ ନିଜ ରାଜ୍ୟେ ରାଜା ବିମୋହିତ ଚିତ୍ତ।୫୦।

ରାଜାର ନନ୍ଦନୀ ଯେ ନବଯଉବନୀ

ଭୀଷ୍ମଙ୍କର ନବରେ ଖଟଇ ସେ ଦିବା ଯେ ରୟେଣୀ।୫୧।

 

ଭୀଷ୍ମେ କୋପ କଲେ ଦେଖିଣ ସେ ନାରୀ

ବୋଇଲେ ୟେ ପାମେରୀ କି ନିଅ ବାଳ ଧରି।୫୨।

କୋପେଣ ବାହାର କଲେ ପାତ୍ର ଅମନାତ୍ୟେ

ଦେଖିଣ ସୁନ୍ଦରୀ ଯେ ବିମୋହିତ ଚିତ୍ତେ।୫୩।

 

ବୋଲଇ ସୁନ୍ଦରୀ ଶୁଣ ହୋ ଗାଙ୍ଗେବ

ମୋତେ ନାଶ କଲେ କିସ ଧର୍ମ ତ ହୋଇବ।୫୪।

ୟେହା ଶୁଣି ବୋଇଲେ ଯେ ଶାୟେଂତନୁର ଶିଷି

ତୋତେ ଦେଖିଲେ ମୁହିଂ ମନରେ ବଡ଼ ତ୍ରାସୀ।୫୫।

 

ବହୁତ ଭୟ ମୋତେ ଲାଗଇ ତୋତେଦେଖି

ପଳାଇଣ ଯାଅ ତୁ ମୋହୋର ରାଜ୍ୟକୁ ଉପେକ୍ଷି।୫୬।

ଅମ୍ୱା କନ୍ୟା ବୋଇଲା ଆର କାହିଂକି ମୁଂଯିବି

ମୋହୋରେଣ ଅବଶ୍ୟ ତୁ ହୋଇବୁ ପରାଭବି।୫୭।

 

ଅମ୍ୱା କନ୍ୟାବୋଇଲା ମୁଂ ଯାଉଅଛି କି ନା

ଯହିଂ ତହିଂ ମଲେ ମୁଂ ହତ୍ୟା ତୋତେ ସିନା।୫୮।

ଅନେକ ଭର୍ତ୍ସନା ଯହୁଂ ବୋଇଲା ଭୀଷ୍ମଙ୍କର ଆଗେ

ତୋତେ ନାଶିବି ବୋଲି ମୁଂ ଝାସିବି ପ୍ରୟାଗେ।୫୯-୭୦୫।

 

ଅମ୍ୱା ଚରିତ

 

ୟେତେକ ବୋଲିଣ ସେ ଆସଇ ସୁନ୍ଦରୀ

ପ୍ରଶୁରାମଙ୍କ ଆଗେ କାନ୍ଦି କଲାକ ଗୁହାରୀ।୧।

ଗଙ୍ଗା କୂଳେ ବସିଣ ଯେ କାନ୍ଦି ଯୁବତୀ

ପ୍ରଶୁରାମେ ପଚାରିଲେ ଆୟି ତୁ ଅଇଲୁ କାହାର କତି।୨।

 

ୟେ ତୋହୋର ରୂପ ଗୁଣ ଦେବେ ଅଗୋଚର

ତୋତେ ଉପେକ୍ଷା କଲା ଗୋ କେବଣ ପାମର।୩।

ଅମ୍ୱା କନ୍ୟା ବୋଇଲା ଗୋସାଇଂ ମୁହିଂ ବଡ଼ ଦୁଖୀ

ମୁହିଂ ଯେ ଶରଣ ମାଗଇ ମହତ ଜନଦେଖି।୪।

 

ପ୍ରଶୁରାମ ବୋଇଲେ ଗୋ ଯେ ତୋହୋର ଇଚ୍ଛା

ସତ୍ୟ କଲୁ ଆମ୍ଭେ ତୋର ପୂରୋଇବୁ ମନବାଞ୍ଛା।୫।

ୟେ ଆମ୍ଭର ସତ୍ୟ ସତ୍ୟ ତ୍ରିବାର ହିଂ ସତ୍ୟି

ୟେହି କ୍ଷଣି ଦେବୁଁ ବର ମାଗରେ ଯୁବତୀ

 

ଅମ୍ୱା କନ୍ୟା ବୋଇଲା ମୋତେ ଦେବ ପ୍ରସନ୍ନ ହୋଇବା

ଆନେ କାର୍ଯ୍ୟ ନାହିଂ ମୋତେ ସ୍ୱାମୀ ଦାନ ଦେବା।୭।

ମାଗରେ ସୁନ୍ଦରୀ ଯାହାକୁ ତୋର ଇଚ୍ଛା

ତିନିଲୋକରେ ଦେବୁଂ ଯାହାକୁ କରୁ ବାଞ୍ଛା।୮।

 

ଅମ୍ୱା କନ୍ୟା ଯେ ବୋଇଲା ତୁମ୍ଭେ ଶୁଣସି ମହାଯତି

ବରିଣ ପ୍ରଦାନ ମୋତେ ନୋହିଲା ଭୀଷ୍ମ ମହାରଥୀ।୯।

ମୁହିଂ ଯେ ଅମ୍ୱା କନ୍ୟା ପଦ୍ମନାଭର କୁମାରୀ

ମୁଂ ତାହାକଇଂ ଦାନ ମାଗଇ ମୋତେ ଦେବା ତପଚାରୀ।୧୦।

 

ପ୍ରଶୁରାମ ବୋଇଲେ ନୀଳରାମ ରଘୁରାମଙ୍କୁ ରାଇ

ଭୀଷ୍ମକୁ ସମର୍ପଣ କରି ଆସ ୟେହାକଇଂ ତୁମ୍ଭେ ନେଇ।୧୧।

ସ୍ୱାମୀର ଆଗ୍ୟାଂ ସେ କରି ନିବେଶିତ ଶିର

କନ୍ୟା ଘେନିଗଲେ ନୀଳରାମ ରଘୁରାମ ବାରୁଣାବନ୍ତ ପୁର।୧୨।

 

ଆହୋ ଭୀଷ୍ମେ ତୋତେ ପ୍ରଶୁରାମଙ୍କର

ଆଗ୍ୟାଂ ହୋଇଲାକ ବାବୁ

ଅମ୍ୱେ କନ୍ୟାକୁ ତୁ ପ୍ରଦାନ ହୋଇବୁ।୧୩।

ଭୀଷ୍ମେ ବୋଇଲେ ରଘୁରାମଙ୍କ ମୁଖ ଚାହିଁ

ତୁମ୍ଭର ଡରାଣେ କି ବିଭା ହୋଇବଇ ମୁହିଂ।୧୪।

 

ମୋହୋର ଭୟକି ତୁମ୍ଭର ପ୍ରଶୁରାମଙ୍କୁ

କିପାଇଂ ପ୍ରଦାନ ହୋଇବି ମୁଂ ଅମ୍ୱା କନ୍ୟାକୁ।୧୫।

ନୀଳରାମ ବୋଇଲେ ପ୍ରଶୁରାମଙ୍କ ଆଗ୍ୟାଂ ମେଣ୍ଟୁ

ଅବଶ୍ୟ ତୋହୋର ଶିର ଚ୍ଛେଦ ହୋଇବ କଣ୍ଠତଟୁ।୧୬।

 

ପ୍ରଶୁରାମ ଆଗେ କହିବି ମୁଂ ଯାଇଂ

ନିଚୟେ ମରିବୁ ରେ ଦୁଷ୍ଟ ମତି ପାଇଂ।୧୭।

କୋପରେ ଭୀଷ୍ମ ବୋଇଲେ ନୀଳରାମକଇଂ

ପ୍ରଶୁରାମ ଆଗେ ତୋର କହୁ କିନା ଯାଇ।୧୮।

 

ନୀଳରାମ ରଘୁରାମ ଯେ ଗଲେକ ବାହୁଡ଼ି

ଅମ୍ୱା କନ୍ୟା ହିଂ ପଛେ ଗୋଡ଼ାଇଛି କାନ୍ଦି କରି।୧୯।

ପ୍ରଶୁରାମେ ବିଜେ କରିଅଛନ୍ତି ତ୍ରିପୁରା ପର୍ବତେ

ରଘୁରାମ ନୀଳରାମ ପ୍ରବେଶ ହୋଇଲେ ବେନି ଭ୍ରାତେ।୨୦।

 

ପ୍ରଣପତ୍ୟ ହୋଇଣ ନୀଳରାମ ଯେ ବୋଇଲା

ସ୍ୱାମୀ ଭୀଷ୍ମ ଆମ୍ଭଙ୍କୁ ଯେ ଅନେକ କୋପ କଲା।୨୧।

ବୋଇଲା ଆସୁକିନା ବାବୁ ତୋହୋର ପ୍ରଶୁରାମ

କେତେମାନେ ପାରୁ ସେହୁ ଆସିକରୁ ଯେ ସାଂଗ୍ରାମ।୨୨।

 

ଅମ୍ୱା କନ୍ୟା କାନ୍ଦଇ ଯେ ବଡ଼ଇ ବଇକୁଲେ

ପ୍ରଶୁରାମ ମହାକୋପ କଲେ ଆଗ୍ୟାଂ ଯେ ମେଣ୍ଟିଲେ।୨୩।

ଧାମଇଂ କୋପେଣ ଯେ ପ୍ରଶୁଧର ନାଥ

ପଛେଣ ଗୋଡ଼ାବନ୍ତି ନୀଳ ରଘୁ ହଳୀରାମ ତିନି ଭ୍ରାଥ।୨୪।

 

ମାନିନୀ ଅବସ୍ଥା ଯେ ହୋଇଣ ଅମ୍ୱା ଯୁବତୀ

ସେହି ଗୋଡ଼ାଇ ଅଛି ତାହାଙ୍କର ପଛକତି।୨୫।

କାଳାନଳ ମୂର୍ତ୍ତି ହୋଇ ମହାବୀର ପ୍ରଶୁରାମ

ରାଗେ ପ୍ରବେଶ ହୋଇଲେ ଯାଇଂ ଭୀଷ୍ମଙ୍କର ଆସ୍ଥାନ।୨୬।

 

ପ୍ରଶୁରାମଙ୍କର କୋପ ଦେଖିଣ ଯେ ଭୀଷ୍ମ ମହାରଥୀ

ରାଗେଣ ନ ଗଲେ ସେ ପ୍ରଶୁରାମଙ୍କରକତି।୨୭।

କୋପେଣ ପ୍ରଶୁରାମ ଯେ ବୋଲନ୍ତି ଉତ୍ତର

ଆରେ ମୋହୋର ଆଗ୍ୟାଂ ଭ୍ରଷ୍ଟକ ଲୁ

କେବଣ ଦର୍ପ ଯେ ତୋହୋର।୨୮।

 

ଆମ୍ଭର ଜାଣନ୍ତେ ତୁ ଯେ ବରିଲୁ ୟେହାକୁ

ବରିଣ ବିଭା ନୋହିଲୁ ତୁ ରେ ୟେ ଅମ୍ୱା କନ୍ୟାକୁ।୨୯।

ପାରେଶ୍ୱରେ ବୋଇଲେ ବାବୁ ଶୁଣ ତୁ ରେ ଭୀଷ୍ମ

ତୋତେ କୋପ କରିଣ ଅଛନ୍ତି ପ୍ରଶୁରାମ।୩୦।

 

ବଡ଼ାଇ ଦୁଷ୍ଟ କାଳାନ୍ତକୟେ ମହାବିକ୍ରମ

ଯୁଗାନ୍ତେକ ନାଥ ୟେ ଅଟଇ ଦୁତିଯମ।୩୧।

ବାବୁ ଜମଦଗ୍ନିଙ୍କର ଯହୁଂ ବିଷାଦ ଦେଖିଲା

ତିନି ଭାଇ ମାତାଙ୍କର ଶିର ଚ୍ଛେଦି ପକାଇଲା।୩୨।

 

ଅଣଦୟା ପୁରୁଷ ଅଣ ଯେ ଉପ୍ରୋଧୀ

ଅଭୟେ ଅବୟେ ୟେ ତ୍ରୈଲୋକେ ମହାଯୋଧୀ।୩୩।

ୟେହାର କୋପ କଲେ ବାବୁ କେହି ତ ନବର୍ତ୍ତି

ୟେକୋଇଶ ବାର ନିକ୍ଷତ୍ରୀ କଲାକ ୟେହୁ ପୃଥୀ।୩୪।

 

ସତ୍ୟଯୁଗ ଭୋଗ କଲା ୟେ କ୍ଷତ୍ରି ବୃତ୍ତ ପଣେ

ଅନେକ ଉପାୟେ ବିଦ୍ୟା ରଞ୍ଚିଲା ୟେ ଆପଣେ ଆପଣେ।୩୫।

ୟେହାଙ୍କର ତୁଲେ ବାବୁ ତୁ ନୋହସି ବିବାଦୀ

କଟାକ୍ଷ ନୟନେ ଚାହିଂଲେ ଯେ ହୋଇବୁ ଶିର ଚ୍ଛେଦୀ।୩୬।

 

ଆମ୍ଭର ଶପତ ବାବୁ ନାସ୍ତିତୁ ନ କର

ଅମ୍ୱେ କନ୍ୟାକୁ ପ୍ରଦାନ ହୋଅ ଆମ୍ଭର ବୋଲ କର।୩୭।

ଭୀଷ୍ମେ ବୋଇଲେ ମୁଂ କେମନ୍ତେ ପ୍ରଦାନ ହୋଇବି

ଭାରିଯାର ନିମନ୍ତେ କେମନ୍ତେ ମୁଂ ପିତାଙ୍କୁ ନାଶ ଯେ କରିବି।୩୮।

 

ପାରେଶ୍ୱର ବୋଇଲେ ବାବୁ ତାହାକୁ ପ୍ରଦାନ ହୋଇ

ଶୃଙ୍ଗାର ବଞ୍ଚାଇ ପଛେ ତାକୁ ଅପବାଦ ବାକ୍ୟ ଦେଇ।୩୯।

ଭୀଷ୍ମ ବୋଇଲେ ତୁମ୍ଭେ ଶୁଣ ପିତୃଗଣେ

ମୁହିଂ ଶୁଣିଲି ଯେ ଅଗସ୍ତିଙ୍କର ପୁରାଣେ।୪୦।

 

ତିରିଶ ଦିବସେ ଅଶୁଦ୍ଧ ହୋଅନ୍ତି କାମ ନାରୀ

ପ୍ରଥମ ଦିନ ଛୁଇଂଲେ ଚାଣ୍ଡାଳ ଛୁଇଂଲା ଦୋଷ ସରି।୪୧।

ଯେତେବସ୍ତ୍ରେ ଛୁଇଂ ତେତେ ବସ୍ତ୍ରେ ସ୍ନାହାନ ଯେ କରି

ସେ ଦିନେ ଉପବାସ କଲେ ସେ ଦିନର ପାପହରି।୪୨।

 

ଦୁତୀୟ ଦିବସେ ଛୁଇଂଲେ ରଜବତୀ ନାରୀ

ପ୍ରତକ୍ଷେ ହୋଅନ୍ତି ବ୍ରହ୍ମହତ୍ୟା ଦୋଷ ସରି।୪୩।

ତୃତୀୟ ଦିବସେ ଯେ ସେ ସ୍ତୀରୀକୁ ଛୁଅନ୍ତି

ପୂଜା ଲିଙ୍ଗ ଭାଙ୍ଗିଲେ ପାଇ ଯେବଣ ଅଗତି।୪୪।

 

ଚତୁର୍ଥ ଦିବସେ ଯେ ହୋଅନ୍ତି ସ୍ତିରୀଙ୍କର ପାଶ

ଗୋହତ୍ୟା ବ୍ରହ୍ମହତ୍ୟା ମାତୃହରଣ ହିଂ ଦୋଷ।୪୫।

ଶୁଦ୍ଧ ସ୍ନାହାନ କରିବ ପଞ୍ଚମ ଦିବସେ

ସେ ଦିନ ପୁରୁଷ ଯିବ ତାହାଙ୍କର ପାଶେ।୪୬।

 

ନାନା ଧର୍ମ ଇଚ୍ଛି ପିତୃ କାର୍ଯ୍ୟ ଆଦି କରି

ସମସ୍ତ ତେଜ୍ୟା କରି ତାହାରେ ହୋଇବ ବ୍ରତଚାରୀ।୪୭।

ପଞ୍ଚମ ଦିନୁଂ ସପତମ ଦିନ ପରିଯନ୍ତେ

ଯେବଣ ପୁରୁଷ ଉପେକ୍ଷା କରନ୍ତି ନାନା ବ୍ରତ କର୍ମ ଅର୍ଥେ।୪୮।

 

ସେ ବହିଲା ଶ୍ରୋଣିତ ଆହାର କରନ୍ତି ତାହାର ପିତୃଲୋକେ।

ୟେସନେକ ଅଛି ଶାହାସ୍ର ଧର୍ମ ବାକ୍ୟେ।୪୯।

ଭୀଷ୍ମେ ବୋଇଲେ ବିଭା ହୋଇଣ କେମନ୍ତେ ଶୃଙ୍ଗାର ନଇଚ୍ଛିବି

ମୋହୋର ପୁତ୍ର ହୋଇଲେ ତୁମ୍ଭନ୍ତ ନାଶ ଯେ କରିବି।୫୦।

 

ୟେସନେକ ବଚନ ଯହୁଂ ବୋଇଲେ ଗାଙ୍ଗବେ

ଶୁଣିଣ ତୁଷ୍ଟ ହୋଇଲେ ପାରେଶ୍ୱର ଦେବେ।୫୧।

ପ୍ରଶୁରାମ-କଇକୋପେ ବୋଇଲେ ଭୀଷ୍ମ ମହାରଥୀ

ଆହୋ ପ୍ରଶୁରାମ ମୋହୋର ତୋତେ କିସ ଭୀତି।୫୨।

 

ପଳା ଯା ମିଛେ ୟେଥେଂ ନ ଦେଖା ବଡ଼ ପଣ

ସହୋଦ୍ରେ କଳଙ୍କ ନ କରାଅସି ଅକାରଣ।୫୩।

ତୁ ମୋହୋର ସହୋଦ୍ର ଅଟୁ ହୋ ଯଥାଅର୍ଥ

ୟେହି ଛାର ପାଇଂ କିମ୍ପା ମରିବୁ ଦେବ ଭ୍ରାଥ।୫୪।

 

କିଞ୍ଚିତ ଦୋଷେଣ ହାଦେ ବଡ଼ପଣ ନ ନାଶି

ଶ୍ରିକାଳ ଯୁଦ୍ଧେ ସିଂହ ହୁଅଇଟି ଧଂସି।୫୫।

ଭୀଷ୍ମଙ୍କର ମୁଖୁଂ କଟୁ ବଚନ ଯେ ଶୁଣି

କୋପେଣ ଧାଇଂଲା ସେ ବୀର ପର୍ଶୁଧର ପାଣି।୫୬।

 

ଯହୁଂ କୋପେଣ ଧାଇଂଲେ ସେ ଜମଦଗ୍ନିର ବଳା

ମାଇଲେ ଭୀଷ୍ମଙ୍କୁ ସେ କୋପେଣ ଅନଗଳା।୫୭।

ଭୀଷ୍ମଙ୍କୁ ପ୍ରଶୁରାମ ଯେ ଧଇଲେ ଆକର୍ଷି

ଭୀଷ୍ମଙ୍କୁ ତଳେ ପାଡ଼ି ହୃଦେ ମାଡ଼ିବସି।୫୮।

 

ମୁଣ୍ଡ ମୋଡ଼ି ଭୀଷ୍ମଙ୍କର ଲୋଡ଼ନ୍ତି ପର୍ଶୁଧର

ଧାତିକାରେ ଲେଉଟାଇଲେ ଗଙ୍ଗାର କୁମର।୫୯।

ପ୍ରଶୁରାମଙ୍କୁ ତଳେ ପାଡ଼ି ମାଡ଼ିବସିଲେ ହୃଦଗତେ

ବାମ କରେ ଚାପିଣ ପ୍ରହାର କଲେ ମୁଥେ।୬୦।

 

ଭୀଷ୍ମଙ୍କର ମୁଥ ପଡିଲା ଯେ ବଜ୍ରଘାତ ଜାଣି

ପ୍ରଶୁରାମଙ୍କର ନାସିକା ବାଟେ ବହିଲାକ ଶ୍ରୋଣି।୬୧।

ଦେଖିଣ ଧାଇଂ ପଡ଼ିଲେ ଶାୟେଂତନୁ

ଭୀଷ୍ମଙ୍କର ଭୁଜ ଧଇଲେ ଯୁଗମନୁ।୬୨।

 

ରହ ରହ ବାବୁ ରେ ଭୀଷ୍ମ ମହାରଥୀ

ସୋଦରେ ସୋଦରେ କିମ୍ପା ହେଉଛ ନାଶ ଗତି।୬୩।

ଶାୟେଂତନୁ ପାରେଶ୍ୱର ରୁହାଇଲେ ସାଂଗ୍ରାମ

ଲାଜ ପାଇ ତହୁଂ ଗଲେକ ପ୍ରଶୁରାମ।୬୪।

 

ଅମ୍ୱା କନ୍ୟା ତହୁଂ ପ୍ରାଗ ତୀର୍ଥକଇଂ ଗଲା

ତ୍ରିବେଣୀରେ ସ୍ନାହାନ କରି ସେ ମାଧବ ପୂଜିଲା।୬୫।

ଭୋ ମାଧବ ମୋତେ ତୁହି ହୋଇଥାଅ ସାକ୍ଷୀ

ଭୀଷ୍ମଙ୍କର ପ୍ରମାଦେ ଯେ ମୁଂ ହୋଇଲି ନିରିମାଖୀ।୬୬।

 

ଭୀଷ୍ମଙ୍କର ଉପରେ ହତ୍ୟା ହୋଉ ଯେ ମୋହୋର

ମାଧବସାକ୍ଷୀ କରି ଝାସିଲା ପ୍ରୟାଗର।୬୭।

ମୁହିଂ ସ୍ତିରୀ ମାତର ନୁହଇ ନା ଯୋଧି

ଜନ୍ମେ ଜନ୍ମେ ଭୀଷ୍ମକଇଂ ମୁହିଂ କରିବଇ ସାଧି।୬୮।

 

ୟେ ମୋହୋର ରୂପଗୁଣ ଲକ୍ଷଣ ଦେଖନ୍ତେ

ଭୀଷ୍ମ ଶହସ୍ର ଛାଡ଼ିବ ସଂଗ୍ରାମେ ଯୁଗତେ।୬୯।

ତ୍ରିଶୂଳୀରେ ପଶି ଯେ ଲଗାଇଲା ବହନି

ଲଗାଇଲା ମାତ୍ରକେ ଯେ ଜଳିଲା ତତକ୍ଷଣି।୭୦।

 

ଅପୁତ୍ରକ ହୋଇ ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କର ମୃତ୍ୟୁ

 

ବଦୟନ୍ତି ଅଗସ୍ତି ଶୁଣ ଯୋଗେଶ୍ୱର

ୟେସନେକ ଚରିତ ହାଦେ ଯେ ହୋଇଲା ଭୀଷ୍ମଙ୍କର।୧।

ଭୀଷ୍ମ ଦାର ସଂଘରିଲେ ପିତାର ନିମନ୍ତେ

ଗଙ୍ଗାର ଶାପୁଂ ଅପୁତ୍ରିକ ହୋଇଲେ ଆବର ବେନିଭ୍ରାଥେ।୨।

 

ୟେମନ୍ତେଣ ରାଜ୍ୟ କରନ୍ତି ବେନିଭାଇ

ଅନେକ ଯାଗ ଯଗ୍ୟଂ କରନ୍ତି ସନ୍ତତି ଅର୍ଥ ପାଇଂ।୩।

ଗଙ୍ଗାର ଶାପକେ ଆନ କରି ପାରି

ଅନେକ ବାଗେଣ ଯେ ପୁତ୍ର ନୋହିଲା ତାହାଙ୍କରି।୪।

 

ଅପୁତ୍ରିକ ହୋଇ ରାଜ୍ୟ କଲେ ତିନିଭ୍ରାଥେ

ପଞ୍ଚୁକଟକେ ରାଜ୍ୟକଲେ ନବ ସହସ୍ର ବରଷ ପରିଯନ୍ତେ।୫।

ମହାକ୍ଷତ୍ରୀ ପଣେ ଅନେକ ରାଜ୍ୟ ସାଧି

ଚିତ୍ରବିଚିତ୍ରଙ୍କୁ ହୋଇଲା ଗଳିତ କୋଷ୍ଠ ବ୍ୟାଧି।୬।

 

ଅନେକ ବେଦ ବୈଦ୍ୟେ କରି ଉତୁରି ନୋହିଲା

ନାନା ମଉଷଧି କିଛିହିଂ ନ କାଟିଲା।୭।

ୟେହି ରୋଗେଣ ନାଶ ଗଲାକ ଚିତ୍ରବୀର୍ଯ୍ୟ

ବଞ୍ଚିତେ ନୁଆରିଣ ସେ ହୋଇଲେ ପ୍ରାଣ ତ୍ୟାଜ।୮।

 

ସମୟକେ ବିଚିତ୍ରବୀର୍ଯ୍ୟ ପ୍ରୟାଗେଣ ଗଲେ

ଅପୁତ୍ରିକ ଦୋଷେ ସେ ତ୍ରିବେଣୀ ସଙ୍ଗମେ ଝାସ ଦେଲେ।୯।

ଚିତ୍ରବିଚିତ୍ରବୀର୍ଯ୍ୟ ନାଶ ଗଲେ ଅପୁତ୍ରିକ ହୋଇ

ଭୀଷ୍ମେ ଦାରା ସଂଘରିଲେ ପୁତ୍ର ଜାତ ନାହିଂ।୧୦।

 

ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ଜଇନ୍ତା ବାରୁଣା

ହତପାଟ ହୋଇଲା ନାହିଂ ନା ଧାରଣା।୧୧।

ଭୀଷ୍ମେଦିଗ ବିଜେ କରି ଶତ୍ରୁଙ୍କୁ ବିନାଶି

ପଞ୍ଚୁରାଜ୍ୟ ସମ୍ଭାଳିଲେ ଅଇରି ଦର୍ପଧଂସି।୧୨।

 

ପାରେଶ୍ୱର ପଚାରିଲେ ଶାୟେଂତନୁଙ୍କୁ ରାଇ

ୟେଡେ ବଡ଼ ବଂଶ ବୁଡ଼ିଲା ଗଙ୍ଗାର ଶାପ୍ୟ ପାଇ।୧୩-୭୮୮।

 

ବ୍ୟାସଙ୍କ ଦ୍ୱାରା ଧୃତରାଷ୍ଟ୍ର, ପଣ୍ଡୁ ଓ ବିଦୁରଙ୍କ ଜନ୍ମ

 

ପାରେଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ସତ୍ୟବତି

ଅମ୍ୱିକା ଅମ୍ୱାଳିକା ତିଆର ଦୁହିନ୍ତି।୧।

ବଂଶେଣ ପୁତ୍ର ଗୋ ଉପୁଜେ ଯେମନ୍ତେ

ବଧୂନ୍ତ ପଠିଆଅ ବ୍ୟାସଙ୍କ ସମେତେ।୨।

 

ବ୍ୟାସଋଷି କରନ୍ତୁ ବଧୂନ୍ତ ରମଣ

ସନ୍ତାନ ଉପୁଜିବ ବଂଶକୁ ହୋଇବ କାରଣ।୩।

ସତ୍ୟବତୀ ବୋଇଲେ ସ୍ୱାମି ହୋଅଇ କି ୟେମନ୍ତ

ଦେଢଶୁର ଭାଇବୋହୂ ଅଗ୍ରାହ୍ୟ ଅତିଅନ୍ତ।୪।

 

ୟେତେକ ବିଚାରି ଚଳିଲେ ସତ୍ୟବତୀ

ଅମ୍ୱିକା ଭୁବନେ ଯାଇଂ ବିଜୟେ ମହାସତୀ।୫।

ଦେଖିଣ ପୂଜାବିଧି କଲେକ ଯୋଗେଶ୍ୱରୀ

ଗୁରୁପତ୍ନୀଙ୍କ ପାଦେ ପ୍ରଳମ୍ୱିତ କରି।୬।

 

ଶରୀର ଆଶ୍ୱସନା କଲେକ ସତ୍ୟବତୀ

ବଇକୁଲ୍ୟ ହୋଇଂ ଭାଷନ୍ତି ଉକତି।୭।

ୟେଡ଼େ ବଡ଼ ବଂଶ ନାଶଗଲାକ ଅନମିତ୍ତେ

ଭସ୍ମଗଲାର ଗୋ ପୁଣ ଅଙ୍କୁରଇ କେମନ୍ତେ।୮।

 

ସନ୍ତାନ ଜାତକୁ ଅଛଇଟିକି ବୁଦ୍ଧି

କେମନ୍ତେ ଉପାୟେ ଗୋ କରିବା କାର୍ଯ୍ୟସିଦ୍ଧି।୯।

କରପତ୍ର ଯୋଡିଣ ଯେ ଅମ୍ୱିକା ବୋଇଲା

ସମସ୍ତେ ତ ଦେଖିଲେ ମୋହୋର ସତୀପଣେ ଦିନଗଲା।୧୦।

 

ସତ୍ୟବତୀ ବୋଇଲେ ଗୋ ମୋତେ ନ ବୋଲ ନିକି ୟେହା

ବଂଶ ଜାତ କରିବା ଗୋ ଛାଡ଼ ଧର୍ମରାହା।୧୧।

ଅମ୍ୱିକା ବୋଇଲେ ଗୋ କରିବୁ ତୁମ୍ଭର ବୋଲ

ଆମ୍ଭେ ସତ୍ୟବ୍ରତ ଛାଡିବୁ ପୁରୁଷ କାହା କର।୧୨।

 

ଭୀଷ୍ମଙ୍କୁ ବୋଲ ଯା ଆସନ୍ତୁ ଆମ୍ଭର ଯେ ତହିଂ

ଭୀଷ୍ମରେ ବଂଶ ରକ୍ଷା କରି ଆନରେ କାର୍ଯ୍ୟ ନାହିଂ।୧୩।

ବଧୂଙ୍କର ବଚନେ ଚଳିଲେ ସତ୍ୟବତୀ

ୟେକାନ୍ତେ ବସାଇ କହିଲେ ଭୀଷ୍ମ ମହାରଥୀ।୧୪।

 

ବାବୁ ତୋହୋର ସତ୍ୟବଚନ ଯେ ନୋହିବାକ ଆନ

ଆରେ ବଂଶ ଯେ ବୁଡ଼ାଇଲ କେବଣ ବିଧାନ।୧୫।

ବାବୁ ଅମ୍ୱିକା ଅମ୍ୱାଳିକା ତୁଲେ କର ତୁ ରମଣ

ପୁତ୍ର ଉପୁଜାଅ ବଂଶ କର ଉଦ୍ଧାରଣ।୧୬।

 

ବଦୟନ୍ତି ଗାଙ୍ଗବେ ତୁ ଶୁଣ ଅନାଦି ମାହେଶ୍ୱରି

ତୁ ପରମଗୁରୁ ତୋହୋର କୋପକଇଁ ଡରି।୧୭।

ମୁଂ ଯେ ଦାରା ସଂଘରିଲି ପିତାର ନିମନ୍ତେ

ସତ୍ୟ କଲାର କୃତ ମୁଂ ଗୋ ଲଙ୍ଗିବି କେମନ୍ତେ।୧୮।

 

ମାତାର ବଚନ ଯହୁଂ ନ କଲେ ହାଦେ ଭୀଷ୍ମେ

ସତ୍ୟବତୀ ଉଠିଗଲେ ହୋଇଣ ବଡ଼ ବିସ୍ମେ।୧୯।

ଅନେକ ବିଚାରି ତହୁଂ ସତ୍ୟବତୀ ଗଲେ ଉଠି

ଯମୁନା ନଦୀ କୂଳେ ବ୍ୟାସଙ୍କୁ ଯାଇଂ ଭେଟି।୨୦।

 

ବ୍ୟାସେ ପ୍ରଣପତ୍ୟ ହୋଇଲେ ମାତା ସତ୍ୟବତୀକି

ଭୋ ମାତା ତୁମ୍ଭେ ଗୋ ବିଜେ କରିଥିଲ କାହିଂକି।୨୧।

ବସିଲେ ମାହେଶ୍ୱରୀ ଭାଣ୍ଡୀର ବଟ ତଳେ

ବେନି ଲୋଚନରୁ ଯେ ବହଇ ଅଶ୍ରୁଜଳେ।୨୨।

 

ମା ଗୋ ଧଇର୍ଯ୍ୟ ହୋଇଣ ଥିର କରି କହ

କେବଣ ସନ୍ଧି ଗୋ ଲାଗିଲା ସନ୍ଦେହ।୨୩।

କ୍ରୋଧ ଶାନ୍ତି କରି କହନ୍ତି ଦାସ ରାଜାର କୁମାରୀ

ବାବୁ ତୁ ମୋହୋର ପୁତ୍ର ପଣ୍ଡିତ ତପୀ ବ୍ରହ୍ମଚାରୀ।୨୪।

 

ବାବୁ ଚିତ୍ରବିଚିତ୍ରବୀର୍ଯ୍ୟ ଅପୁତ୍ରିକ ହୋଇ ମଲେ

ଶାୟେଂତନୁ ନିମନ୍ତେ ଭୀଷ୍ମେ ଦାରା ସଂଘରିଲେ।୨୫।

ତୁମ୍ଭର କାଳକୁ ୟେବେ ନାଶ ଗଲା ସୋମବଂଶ

କେହି ବିଚାର ନକଲ ୟେଥିର ଅର୍ଥ କିସ।୨୬।

 

ବାବୁ କେବଣ ବାଗେ ବଂଶ ହୋଇବାକ ରକ୍ଷା

ସଂସାର ଜନଙ୍କର ବାବୁ ତୁ ପୂରାଅ ମନବାଞ୍ଛା।୨୭।

ବାବୁ ଦୁତୀ ନାରାୟଣ ବୋଲି ତୋତେ ବଦନ୍ତି ସୟଳେ

ଅନାଦି ଗର୍ଭେ ତୁ ଯେ ପଶୁ ସର୍ବକାଳେ।୨୮।

 

ଯାବତ କାଳକୁ ବାବୁ ୟେ କଥା ରହିଲା

ବ୍ୟାସ ପ୍ରାୟେ ମହଋଷି ଥାଉଂ ବଂଶ ନାଶଗଲା।୨୯।

ଅନାଦି ପୁରୁଷ ତୁ ଅଣାକାର ଚେତା

ତୁ ତ ନକଲୁ ବାବୁ ଗୋତ୍ର ବର୍ଗ ଚିନ୍ତା।୩୦।

 

ବ୍ୟାସ ବୋଇଲେ ମା ଗୋ ଶୁଣ ଆଦିନାରୀ

କେବଣ ବୁଦ୍ଧିରେ ୟେବେ ପାରିବା ଗୋ ବଂଶକୁ ଉଦ୍ଧାରି।୩୧।

ପାଟେଣ ପୁତ୍ର ଯେବେ ହୋଇବ ସନ୍ତତି

ତେବେ ସେ ବଂଶକୁ ହୋଇବ ନା ମହାକ୍ଷତ୍ରୀ।୩୨।

 

ଯଗ୍ୟଂ କରିବା ଯେବେ ସନ୍ତତି ନିମନ୍ତେ

ସତ୍ୟବତୀ ବୋଇଲେ ହୋଇବ କାଳ କେତେ।୩୩।

ବାବୁ ୟେକା ବଂଶକେ ହତ ଜମ୍ୱୋଦୀପ ଆଦି କରି ସାତ ବଂଶପାଟ

ଭୀଷ୍ମଙ୍କର ଭୟେ ସେ ନିବର୍ତ୍ତି ଅଛି ପରଥାଟ।୩୪।

 

ବାବୁ ୟେହି ଦ୍ୱାଦଶ ଦିବସରେ ଯେବେ ହୋଇବ କୁମର

ତେବେ ସେ ରାଜ୍ୟ ରକ୍ଷା ହୋଇବ ବିଚାରି କାର୍ଯ୍ୟକର।୩୫।ସଂ

କହନ୍ତି ଧାର୍ମିକ ମା ଗୋ କହ କେବଣ ବୁଦ୍ଧି

ଶୀଘ୍ରେଣ କେବଣ ମତେ ହୋଇବ କାର୍ଯ୍ୟସିଦ୍ଧି।୩୬।

 

ସତ୍ୟବତୀ ବୋଇଲେ ବାବୁ ଅଛିନି କଥାୟେ

ତୁ ମୋହୋର ନନ୍ଦନରେ ମୁଂ ତୋହୋରମାୟେ।୩୭।

ତୁ ଇହ କୁଳକୁ ବାବୁରେ ଉପେକ୍ଷା କର ଲାଜ

ସମସ୍ତ ଧର୍ମ ଛାଡ଼ି ଘେନିବା ପୁତ୍ର କାର୍ଯ୍ୟ।୩୮।

 

କଥାୟେ କହିବି ବାବୁ ଯଦି ନ କରିବୁ ନାସ୍ତି

ମୋହୋର ଶପତଟି ତୋତେ, ବଦନ୍ତି ସତ୍ୟବତୀ।୩୯।

ସେ ଯେ ପରମ ପଣ୍ଡିତ ବଦୟନ୍ତି ମହାତମା

ଗୁରୁବଚନ ମେଣ୍ଟି ନାଶଗଲା ସନକ ନାମେ ବ୍ରହ୍ମା।୪୦।

 

ମାତା ପିତା ବଚନ ଯେ ପୁତ୍ରକୁ ନିରାଧାର

ୟେହା ଚିହ୍ନିଲେ ପିଣ୍ଡ ପ୍ରାଣ ୟେକଇ ଶରୀର।୪୧।

ସବ୍ୟେ ଅସବ୍ୟେଣ ଗୁରୁ ବୋଇଲା ଯେବଣ ବାଣୀ

ୟେହା ବଞ୍ଚିଲେ ନାଶ ଗଲାଟି ମତ୍ତପ୍ରାଣୀ।୪୨।

 

ଯେହେହ୍ନେକ ଆଗ୍ୟାଂ ମୋତେ ଦେବାକ ହୋଉ ବେଗି

ସତ୍ୟବତୀ ପ୍ରତିବାଚ ତୁହି ସେ ମୋହୋର ପରମଯୋଗୀ।୪୩।

ବାବୁ ଆମ୍ଭର ବଧୂ ଯେ ଅମ୍ୱିକା ଅମ୍ୱାଳିକା

ୟେହାଙ୍କର ତୁଲେ ପ୍ରୀତି ହୋଅ ପୁତ୍ର ୟେକା।୪୪।

 

ରତି ରଙ୍ଗକର ତୁହି ଦୁହିଙ୍କର ତୁଲେ

ଶୁଣିଣ ବ୍ୟାସେ ଯେ ଥମ୍ଭୀଭୂତ ହୋଇଲେ।୪୫।

ମା ଗୋ ୟେତ ବଡ଼ାଇ ଦୁର୍ଲଭ ୟେତ ବଡ଼ାଇ ଅନ୍ତର

ଆମ୍ଭର ଲଘିଂଲେ ନାଶ ଗଲାଟି ସଂସାର।୪୬।

 

ସତ୍ୟବତୀ ବୋଇଲେ ବାବୁ କିଂପା ନ ଭରସୁ

ସଂସାର ଜନଙ୍କର ଅଲୋପ୍ୟ ପାପ ଧଂସୁ।୪୭।

ବିଶେଷେଣ ପରମଦାରା ଆବର ଭ୍ରାଥ ବଧୂ

ପୁତ୍ର ଉତପତ୍ତି ହୋଇଲେ ଯେ ବଂଶ ହୋଇବ ସାଧୁ।୪୮।

 

ବାବୁ ତୋହୋର ବୀର୍ଯ୍ୟେଣ ଉପୁଜିବ ଯେବଣ ପୁତ୍ର

ଗ୍ୟାନବନ୍ତ ବଳବନ୍ତ ହୋଇବ ହାଦେ ପଣ୍ଡିତ ଭାଗ୍ୟବନ୍ତ।୪୯।

ବାବୁ ଆମ୍ଭର ବଂଶେଣ ଥିବେ ଯେତେକ ପାପୀ

ସମସ୍ତନ୍ତ ମୋକ୍ଷ କରିବ ସେ ପୁତ୍ର ଅଦ୍ୟାପି।୫୦।

 

ତୁ ୟେ କଥାକୁ ହେଳା ନକର ରେ ବାବୁ

ବଡ ବୋହୂ ଅମ୍ୱିକା ତହିଂକି ୟେହି କ୍ଷଣି ଯିବୁ।୫୧।

ବ୍ୟାସେ ପ୍ରତିବାଚ ମାତା ଗୋ ମୋହୋର ହୋଇଲା ସନମତ

ତୁମ୍ଭେ ଯାଇଂ ତିୟାର ଗୋ ବଧୂ ଯେ ମାନନ୍ତ।୫୨।

 

ବ୍ୟାସଙ୍କୁ ସନମତ କରାଇ ଚଳିଲେ ସତ୍ୟବତୀ

ଅମ୍ୱିକା ଭୁବନେ ସେ ପ୍ରବେଶ ହୋଇଲେକ ଝାତି।୫୩-୮୪୧।

 

ଅମ୍ୱିକା ଓ ଅମ୍ୱାଳିକାଙ୍କୁ ସତ୍ୟବତୀଙ୍କର ଉପଦେଶ

 

ୟେକାନ୍ତେ ବସାଇଲେ ପଦ୍ମନାଭର ବେନି କୁମାରୀ

ପରମ ଅର୍ଥ କହି ସତ୍ୟବତୀ ଯେ ତିୟାରି।୧।

କଥାୟେ ପଚାରିବୁଂ ସତ୍ୟ କର ତୁମ୍ଭେ ବେନି

ସତ୍ୟକର ତୁମ୍ଭେ ଗୋ ସୋମବଂଶର ଠାକୁରାଣୀ।୨।

 

ଶୁଣି ଅମ୍ୱିକା ଅମ୍ୱାଳିକା କରନ୍ତି ଦଇନି

କେମନ୍ତେ କରିବୁଂ ୟେହା ହୋଇବ ଧର୍ମହାନି।୩।

ମା ଗୋ ତୁମ୍ଭେ ଆମ୍ଭର ଠାକୁରାଣୀ ଆମ୍ଭେ ତୁମ୍ଭର ଦାସୀ

ସ୍ୱାମୀଙ୍କର ବଚନ କାହିଂ ସେବକ ଜନ ନାସ୍ତି ଯେ ପ୍ରକାଶି।୪।

 

ମା ଗୋ ଗତ ବୁଦ୍ଧିମାନ ହରାଇଲୁ ସମସ୍ତେହେଂ

ରାଜ୍ୟ ଭ୍ରଷ୍ଟ ହୋଇଲା ଚିନ୍ତା ଲାଗିଲା ସନ୍ଦେହେ।୫।

କେବଣ ବାଗେ ୟେବେ ଭସ୍ମ ଯେ ଅଙ୍କୁରି

ତୁମ୍ଭେ ଯେମନ୍ତେ ଆଗ୍ୟାଂ ଦେବ ପରମ ମାହେଶ୍ୱରୀ।୬।

 

ସତ୍ୟବତୀ ପ୍ରତିବାଚ ତୁମ୍ଭେ ଦୁହେଂ ମୋହୋର ଦେହ ଛୁଅଂ

ପାପ ବୋଲଇଂ କି ପୁଣ୍ୟ ବୋଲଇଂ ତୁମ୍ଭେ ୟେକ ମନ ହୁଅ।୭।

ଅମ୍ୱିକା ବୋଇଲେ ତୁମ୍ଭେ ପରମ ମାହେଶ୍ୱରୀ

ୟେତେ କାଳ ପରିଯନ୍ତେ ଆଗ୍ୟାଂରେ ବ୍ରତୁଂ ତୁମ୍ଭରି।୮।

 

ୟେବେ ମରିବା ବେଳକୁ କିଂପା ବଞ୍ଚିବୁ ଗୁରୁ ବାକ୍ୟ

ବିଚାରି କହିବା ଯେଣେ ଆମ୍ଭଙ୍କୁ ହୋୟେ ଶକ୍ୟ।୯।

ମା ଗୋ ଭୀଷ୍ମଙ୍କର ତହିଂ ଗଲି ତୁମ୍ଭନ୍ତ ତିଆରି

ଦାରା ହେଲେ ସଂଘରିଲା ଭୀଷ୍ମ ନିରାଧାରୀ।୧୦।

 

ବ୍ୟାସ ଯେ ମୋହୋର ଅଟନ୍ତି ଜ୍ୟେଷ୍ଠପୁତ୍ର

ତାହାର ତୁଲେ ତୁମ୍ଭେ ହୋଇବ ପ୍ରିୟ ମତ।୧୧।

ମା ଗୋ ଅମୋହ ରେତ ତାହାର ଅକ୍ଷୟେ ଯେ ବୀର୍ଯ୍ୟ

ସଇନ୍ଦୁ ଉତପତ୍ତି ହୋଇବ ଗୋ ବେନି ଯେ ଆତ୍ମଜ।୧୨।

 

ସତ୍ୟବତୀଙ୍କ ତହୁଂ ୟେସନେକ ବାକ୍ୟ ଶୁଣି

ମୂର୍ଚ୍ଛାଗତ ହୋଇଲେ ସେ ବେନି ଯେ ବହେଣୀ।୧୩।

ବେନି ଭୁଜେ କୋଳ କରି ସେ ଧଇଲେ ଦୁହିନ୍ତି

ମୁଖେ ଚୁମ୍ୱନ ଦେଇ ପ୍ରବୋଧନ୍ତି ମହାସତୀ।୧୪।

 

ମା ଗୋ ବହୁତ ଅନ୍ତର କଥା କହିଲ ନ ବିଚାରି

ଦେଢଶୁରର କେମନ୍ତେ ହୋଇବୁଂ ମନୋହାରୀ।୧୫।

ନୀତିବନ୍ତ ହୋଇ ମା ଗୋ ଅନୀତି କିଂପାଇଂ କହିଲ

ଜଳ ଅଗ୍ନି କିମ୍ପା ଏକ ଯେ ଯୋଗ କରାଇଲ।୧୬।

 

ମା ଗୋ ଅଗ୍ନି ଯେ ଅଟନ୍ତି ହାଦେ ଦେବ ବ୍ରହ୍ମା

ଗଙ୍ଗା ଯେ ସେ ବାମଦେବଙ୍କର ବାମା।୧୭।

ୟେ ନ୍ୟାୟୁଂ ବ୍ରହ୍ମା ଯେ ରୁଦ୍ରଙ୍କ ତହୁଂ ଅଟନ୍ତି ଜ୍ୟେଷ୍ଠ

ଗଙ୍ଗା ଅଗ୍ନି ତ କରାଇଲେ ୟେକ ଭେଟ।୧୮।

 

ନ ଜାଣି ଜଳ ଅଗ୍ନି ଯେ ଧରନ୍ତି ୟେକ ହସ୍ତେ

ଜ୍ୟେଷ୍ଠ ଶଶୁର ଭ୍ରାଥ ବଧୂ ୟେକ ଯୋଗ ପାପ ଯୁଗତେ।୧୯।

ସେ ପାପେ ଦୂଷିତ ହୁଅନ୍ତି ଯେବଣ ଜନ

ମହାପାପ ଦୋଷ ୟେହୁ ଚିତ୍ରଗୁପତେ ସେ କରନ୍ତି ଲେଖନ।୨୦।

 

ୟେ କଥା ବିଚାର କିଂପା ନ କର ଗୋ ଶାଶୁ

ୟେତେ ନରକ ଦୋଷରେ ଦେଖୁଂ ଦେଖୁଂ କିଙ୍କେ ପଶୁ।୨୧।

ସତ୍ୟବତୀ ବୋଇଲେ ଗୋ ଉପୁଜିଲେ ସନ୍ତତି

ସେ ପୁତ୍ରେ ସକଳ ଦୋଷ କରନ୍ତି ନାଶାନ୍ତି।୨୨।

 

ବ୍ୟାସର ଅଂଶେ ଉପୁଜିବ ଯେବଣ ପୁତ୍ର

ପାପ କଳଙ୍କ କିଛି ନଥିବ ଆମ୍ଭର ଯେ ଗୋତ୍ର।୨୩।

ଉଠିଣ ମହାତ୍ମାଣୀ ଧଇଲେ ବେନି ହସ୍ତ

ମା ଗୋ ନାସ୍ତି ନ କରିବଟି ମୋହୋର ଶପତ।୨୪।

 

ଅମ୍ୱିକା ଅମ୍ୱାଳିକାବୋଇଲେ ବସ ଗୋ ତୁମ୍ଭେ ପରମଗୁରୁ

ୟେକେତ ଅପୁତ୍ରିକ ହୋଇଲୁଂ କଟାଳ କେତେ କରୁ।୨୫।

ସତ୍ୟବତୀ ବୋଇଲେ ମା ଗୋ ଶୁଣ ପୂର୍ବର କଥା

ସନ୍ତାନ ଧର୍ମ କହଇ ଶୁଣ ଗୋ ବାରତା।୨୬।

 

ନୀଳା କମଳା ବୋଲି ବେନି ଯେ ଭୟେଣୀ

ଦାସ ରାଜାଙ୍କର ସେ ଅଟନ୍ତି ପାଟରାଣୀ।୨୭।

ମା ଗୋ ଦାସରାଜା ରାଜ୍ୟ କଲେ ଦଶସହସ୍ର ବର୍ଷ ପରିଯନ୍ତେ

ସନ୍ତାନ ନୋହିଲା ସେ ଥିଲେ ସତ୍ୟ ବ୍ରତେ।୨୮।

 

ମା ଗୋ ରାଜାର ବୀର୍ଯରେ ଯହୁଂ ନୋହିଲା ସନ୍ତତି

ପର ଦାରାୟେଣୀ ସେ ହୋଇଲେ ବେନି ଯୁବତୀ।୨୯।

ଯାହାର ବୀର୍ଯ୍ୟେ ସେ ଉପୁଜଇ ପୁତ୍ର

ତାହାନ୍ତ ଘେନି ଶୃଙ୍ଗାର କରାଇଲେ ଗୁପତ।୩୦।

 

ୟେମନ୍ତେ ହେଂ ସନ୍ତାନ ନ ପାଇଲେ ବେନି ଦେବୀ

କାଳେ ନ ମାନିଲେ ସେ ମାନିତି ଗୁରୁ ଗଉରୋବି।୩୧।

ମଳାଶୁର ଜ୍ୟେଷ୍ଠାଶୁର ଭଗିନୀଜାମାତା

ୟେଣେହେଂ ରେତ ଯୋଗ କରାଇଲେ ଅପ୍ରମିତା।୩୨।

 

ୟେମନ୍ତେଣ ରେତ ଯୋଗ କରାଇଲେ ଅନୀତି

ୟେକା ଦୁହିତାୟେ ମୁଂ ହୋଇଲି ଉତପତ୍ତି।୩୩।

ମାତା ବୋଇଲେ ମୁଂ ଉପୁଜାଇଲି ଅସଦ ବାଟେ

ତୁ ସତ୍ୟବତୀ ଥାଅ ଗୋ ନାଉକା ଜଳଘାଟେ।୩୪।

 

ଦାସରାଜାର ପୁତ୍ର ନାହିଂ ମୁହିଂ ୟେକଇ ଦୁହିତା

ଧର୍ମକୁ ଯେ ଆଗତ କରାଇଲେ ମୋହୋର ଯେ ପିତା।୩୫।

ମୁଂ ଦ୍ୱାଦଶ ବରଷ ହୋଇଲି ଯେତେବେଳେ

ପିତା ଥାପିଲେ ମୋତେ ଯେ ଯମୁନା ନଦୀକୂଳେ।୩୬।

 

ପିତାୟେ ବୋଇଲେ ଗୋ ତୁ ନାବ ବାହୁଥିବୁ

ଦୁଇ କୁଳ ଲୋକଙ୍କୁ ତୁ ପାରି କରି ଦେଉଥିବୁ।୩୭।

ଧନ କଉଡି କିଛି ନ ଘେନିମୁ ଯାଚିଲେ

ସୁଖେଣ ପାରି କରିଦେବୁ ନାବେଣ ବସିଲେ।୩୮।

 

ପିତାର ଆଗ୍ୟାଂରେ ମୁଂ ରହିଲି ଯମୁନାର ତଟେ

ସୁଖେଣ ପାରିକରି ଦିଅଇ ମୁହିଂ ଜଳଘାଟେ।୩୯।

ମାତାଙ୍କର ଅନୀତି ଅସଦ ପଣ ଦେଖିକରି

କେହି ପ୍ରଦାନ ନୋହିଲେ ମୋତେ, ପିତା ହିଂ ବର ନ ବରି।୪୦।

 

ୟେମନ୍ତେ ରାତ୍ର ଦିବସେ ନଉକାୟେ ମୋର ବସିଥାଇଂ

କଷଣ ନିମନ୍ତେ ଯେ ଆସଇ ତା ଦିଅଇ ପାରିଆଇ।୪୧।

ୟେମନ୍ତେ ନାବ ମୁଂ ବାହିଲି ବେନି ସମ୍ୱତ୍ସର

ଦିନେକ ନାବରେ ଆସି ବସିଲେ ପାରେଶ୍ୱର ମୁନିବର।୪୨।

 

ପାରେଶ୍ୱର ବୋଇଲେ ଆମ୍ଭେ ତପନିଷ୍ଠି

ଆନ କାହାକଇଂ ନ ବସାଅ ନାବଗୋଟି।୪୩।

ମୁଂ ବୋଇଲି ୟେ ନାବେ ପଞ୍ଚାଶ ଜଣ ବସି

ୟେକା କେମନ୍ତେଣ ଭଡ଼ାୟେ ହୋଇବ ମହାଋଷି।୪୪।

 

ପାରେଶ୍ୱର ବୋଇଲେ ଆମ୍ଭେ କିଛିହିଂ ନୋହୁଂ ଗରୁ

ତପୋଧନ ଲୋକ ଆମ୍ଭେ ନାବେ ବସିବାକୁ ଡରୁ।୪୫।

ୟେକା ୟେବେ ଆମ୍ଭନ୍ତ ନିଅ ତୁମ୍ଭେ ପାରିଆଇ

ନୋହିଲେ ନାବରୁ ଆମ୍ଭେ ଯାଉଛୁଂ ଉହ୍ଲାଇ।୪୬।

 

ବସ ମହାଋଷି ବୋଲି ଲୋକନ୍ତ ବାହାର କଲି

ପାରେଶ୍ୱରଙ୍କୁ ବସାଇଂ ମୁଂ ନାବନ୍ତ ବାହିଲି।୪୭।

ନଦୀରେ ନାବ ବାହି ବେଗେ ଚଳିଗଲୁଂ

ମଧ୍ୟ ନଦୀରେ ଯାଇ ପ୍ରବେଶ ହୋଇଲୁଂ।୪୮।

 

ସ୍ତନ ଜଘନ ଅତ୍ୟନ୍ତମାନ ପୃଥୁଳ ସୁନ୍ଦର କାୟା

ନାବରେ ଦେଖି ମହାତମା ମୋତେ କଲେ ମାୟା।୪୯।

ନ ଚଳଇ ନାବ ମୁଂ ଯେ ବାହି ବାହି ଫୁଟି

ମଧ୍ୟ ନଦୀରେଣ ହାଦେ ବୁଲଇ ମୋର ନାବ ଗୋଟି।୫୦।

 

ଘୃମେଣ ତ୍ରିପଣ୍ଡ ହୋଇଲାନି ମୋର କାୟେ

ଦେହରୁ ପଣନ୍ତ ଗୋ ଉଡ଼ିଗଲା ବାୟେ।୫୧।

ଋଷି ଆଗ ମଙ୍ଗେ ମୁହିଂ ଥାଇ ପଛ ମଙ୍ଗେ

ନୟନ ପୂରୋଇ ମୁନି ମୋର ଦେଖନ୍ତି ସ୍ତନ ଜଘେଂ।୫୨।

 

କାମେଣ ବେଭଳ ସେ ହୋଇଲେ ତପଚାରୀ

ଆରମ୍ଭେ ବୋଲନ୍ତି ଆଲୋ ବେଗେଣ କରୁ କିନା ପାରି।୫୩।

ଋଷି ହେ ଦୁଇ ବରଷ ହେଲା ମୁଂ ବାହୁ ଅଛି ନାବ

କେଉଂଣିସି ଦିନେ ନାହିଂ ୟେସନେକ ଭାବ।୫୪।

 

ତୁମ୍ଭର ମାୟା, ନୋହିଲେ ଗଙ୍ଗା କି ଆମ୍ଭକୁ ଲୋଭ କଲା

ନଦୀରେ ଡେଇଂପଡ଼ ତୁମ୍ଭେ ମୋହୋର କିସ ଗଲା।୫୫।

ପାରେଶ୍ୱରେ ବୋଇଲେ ତୁ ନାବ ବାହି ଯେ ନପାରୁ

ଆମ୍ଭନ୍ତ ଅପଛ୍ୟାତି ଦେଇ କାହିଂ ନଦୀରେ ପକାଇଂ ଲୋଡ଼ି ମାରୁ।୫୬।

 

ଗଙ୍ଗା ଯେବେ କଷଣ କଲାଟି ମହାଋଷି

ମୁହିଂ ୟେ ନଦୀ ଭିତରେ ପଡୁଅଛି ଝାସି।୫୭।

ଭୋ ଜାହ୍ନବି ଗୋ କର ମୋତେ ଭୋଗ୍ୟ

ରାଜକୁମାରୀ ମୁଂ ୟେଥକୁ ନୋହିଲିଟି ଯୋଗ୍ୟ।୫୮।

 

ୟେତେ ବୋଲି ଜଳେ ପଡ଼ନ୍ତେଣ ଝାସି

କୋଳକରି ମୋତେ ଧଇଲେ ପାରେଶ୍ୱର ମହଋଷି।୫୯।

କୋଳେ ଧରିଣ ମୁନି ଜାନୁରେ ବସାଇଲେ

ମଦନ ଆରତେ ମୁନି ମୁଖେ ଚୁମ୍ୱ ଦେଲେ।୬୦।

 

କାମ ଅସାଷ୍ଟମେ ମୁନି ରମଣ କଲେ ବାଞ୍ଛା

ବଦନ୍ତି ମହାଋଷି ଆମ୍ଭର ତୋତେ ଇଛା।୬୧।

ଆପଣେ ବଧୂଙ୍କ ଅଗ୍ରତେ କହନ୍ତି ସତ୍ୟବତୀ

ଆମ୍ଭର ଚରିତମାନ ମା ଗୋ ଶୁଣ ୟେସନେକ ରୀତି।୬୨।

 

ପାରେଶ୍ୱର ବୋଇଲେ ମାୟା କଲୁ ତୁକୁ

ତୁ ଗୋ ସତ୍ୟବତୀ ୟେବେ ରମଣ ଦିଅ ମୁକୁ।୬୩।

ମୁହିଂ ବୋଇଲି ମୁନିହେ ଛାଡ଼ ଛାଡ଼ ମୁକୁ

ଲଜ୍ଜା କିଂ କେ ନପାଇଲ ମୋତେ ଶୃଙ୍ଗାର ମାଗିବାକୁ।୬୪।

 

ମୁହିଂ ବାଳସ୍ତିରୀ ପୁଣ ଅବିଭାଇତ ଅରଜବତୀ

ଆମିଷେ ବଢିଲୁ ଆମ୍ଭେ ଅଟୁ କଇବ୍ରତୀ।୬୫।

ପରସ୍ତିରୀ ବ୍ରହ୍ମସ୍ତିରୀ ଆବର ଗୁରୁଙ୍କ ପତନୀ

ହରିଲେ କେବଣ ଦୋଷ କହ ଆହେ ମହାମୁନି।୬୬।

 

ଅଗ୍ୟାନ ଲୋକମାନଙ୍କୁ ମୁନି ହେ ତୁମ୍ଭେ ଗ୍ୟାନଦାତା

ତୁମ୍ଭର ଅନୀତି ଆଚାର ଲୋଭ ଅପ୍ରମିତା।୬୭।

ଅଗ୍ୟାନୀ ପ୍ରାଣୀଙ୍କି ତ କିଛି ଦୋଷନାହିଂ

ପଣ୍ଡିତ ହୋଇ ପାପ କଲେ ତାଙ୍କୁ ମୁକତି ଅଛି କାହିଂ।୬୮।

 

ଗଣ୍ଡୁଷ କର ବୋଲି ମୁନି ମନ୍ତ୍ରିଣ ଦେଲେ ଚଳୁ

ହୋଇବୁ ତୁ ରଜବତୀ ଭବରସ ତୋହୋର ଯେ ଗଳୁ।୬୯।

କମଣ୍ଡଳୁ ଜଳ ଘେନି ମୁନି କରାଇଲେ ସ୍ନାହାନ

କସ୍ତୂରୀ ଗନ୍ଧ ଆମୋଦଇ ୟେକଇ ଯୋଜନ।୭୦।

 

ଗନ୍ଧ ସମୀର ବହିଲା ୟେକ ଯୁଣ ପରିଯନ୍ତେ

ପାରେଶ୍ୱର ଯୋଜନଗନ୍ଧା ନାମ ଦେଲେଟି ଯେ ମୋତେ।୭୧।

ଯେବଣ ଜଳେ ତୁହି ଋତୁସ୍ନାହନ କରୁଥିବୁ

କର୍ପୂର ଚନ୍ଦନ ଗନ୍ଧ ଘେନି ଯୋଜନେ ବହିବୁ।୭୨।

 

ଆଲୋ ବ୍ରହ୍ମଋଷି ଆମ୍ଭେ ତୋତେ କଲୁ ଶ୍ରଦ୍ଧା

ଆଜହୁଂ ନାମ ତୋର ହୋଉ ଯୋଜନ ଯେ ଗନ୍ଧା।୭୩।

ସତ୍ୟବତୀ ବୋଇଲେ ତୁମ୍ଭେ ଶୁଣ ପାରେଶ୍ୱର

ଆକାଶେଣ ଉଦିତ ହାଦେ ଦେଖ କରତାର।୭୪।

 

ଦିବସେ ଶୃଙ୍ଗାର କରନ୍ତେ ବଡ଼ ଦୋଷ

ଶିରଚ୍ଛେଦ ଦୋଷ ଶାପ ଦିଅଇଟି ଜନ୍ତୁନାଶ।୭୫।

ପାରେଶ୍ୱର ବୋଇଲେ ନ ଦେଖୁ କରତାର

ଧୋତି ଅନ୍ତରୀକ୍ଷେ ରୁହାଇଲେ ନଦିଶିଲେ କରତାର।୭୬।

 

ଦିବସ ଶୃଙ୍ଗାରେ ଯେ ବନିତା ରହିଲା

ମେଷମାସ ଶୁକ୍ଲପକ୍ଷ ତିଥି ତୃତୀୟା ହୋଇଥିଲା।୭୭।

ଦିବସେ ଶୃଙ୍ଗାର କଲେ ଆୟୁଷ ହୋଇ କ୍ଷୟେ

ସନ୍ତାନ ଉତପତ୍ତି ହୋଇଲେ ଦୁଷ୍ଟ ହୋଅଇ ତନୟେ।୭୮।

 

ଦୁହିତା ହୋଇଲେ ସେ ହୋଅଇ ମହାରୋଗୀ

ହତବୀର୍ଯ୍ୟ ହତଆଷ୍ୟ ହୋଇ ନାଶଯାଇ ବେଗି।୭୯।

ଦିବସ ଶୃଙ୍ଗାର ମୁନି ହୋୟେ ୟେସନେକ ଅବସ୍ତା

ତୁମ୍ଭେ ବ୍ରହ୍ମଋଷି ତୁମ୍ଭ ତହୁଂ ନିକି ମୁହିଂ ଗ୍ୟାଂତା।୮୦

 

ଲୋକେ ପୂରିଅଛନ୍ତି ଯେ ବେନି କୂଳାଣ୍ଟରେ

ରାଜକୁମାରୀ ହୋଇ କେସନେ ପଶିବି ଅବାଟରେ।୮୧।

ତତକ୍ଷଣେ ମାୟା ଯେ କଲେକ ବ୍ରହ୍ମଚାରୀ

ବଇଶାଖ ମାସେ ଯେ ଆଚ୍ଛାଦିଲା କୁହୁଡି।୮୨।

 

ଋଷିଙ୍କର ମନ୍ତ୍ରବଳେ ନାବ ରହିଲା ମଧ୍ୟ ନଦୀ

ବେନି କୂଳାଣ୍ଟେ ନ ଲାଗଇ ଋଷି ଅଟେ ମନ୍ତ୍ରବାଦୀ।୮୩।

ମୁନି ହେ ଧର୍ମ ନାଉକାୟେ ଅଗାଦ ଜଳ ଭିତରେ

ପାପକୁ ଭୟେ କେମନ୍ତେ ନ କର ପାରେଶ୍ୱରେ।୮୪।

 

କାମଦେବ ବୋଲି ଯେବଣ ମହାତମା

ମେଣ୍ଟି ନୁଆରି କୋପେ ଶାପ ଦେଲେ ବ୍ରହ୍ମା।୮୫।

ଧର୍ମ ଛାଡ଼ି କନ୍ୟାକୁ କୋଳେ ଧଇଲେ ବ୍ରହ୍ମଋଷି

ଯୋଜନଗନ୍ଧାର ତୁଲେ ଶୃଙ୍ଗାର ରସେ ପଶି।୮୬।

 

ବିଶେଷେ ମହାତମା ରତିଶାସ୍ତ୍ରେ ଜିତା

ଅନେକ ରସେ ଶୃଙ୍ଗାର ସହିଲା ବନିତା।୮୭।

ମେଷମାସ ଶୁକଳ ପକ୍ଷ ତିଥି ଯେ ତୃତୀୟା

ସେ ଦିନ ଋଷିଙ୍କର ଶୃଙ୍ଗାର ସତଶ୍ରିୟା।୮୮।

 

ତୈତିଳ କରଣ ଭୃଗୁବାର ଶୁଭଯୋଗ

ମେଷ ସଂକରାନ୍ତିର ଯେ ସାତଦିନ ଭୋଗ।୮୯।

ନବମ ଘରେ ଚନ୍ଦ୍ର ବୃହସ୍ପତି ୟେକାଦଶେ

ବାମେ ଯୋଗିନୀ ଅମୃତ ବେଳା କାଳ ବଶେ।୯୦।

 

ମାହେନ୍ଦ୍ର ଯୋଗେ ଉତପତ୍ତି ହୋଇଲାକ ବଳା

ଅତି ସୁନ୍ଦର ସେ କୃଷ୍ଣବର୍ଣ୍ଣ କଳା।୯୧।

ସଇନ୍ଦୁ ନନ୍ଦନ ଯେ ହୋଇଲା ଉତପତ୍ତି

ଦେଖିଣ ପରମ ସାନନ୍ଦ ହୋଇଲେ ସତ୍ୟବତୀ।୯୨।

 

ପୁତ୍ରକଇଂ କୋଳକଲେ ପାରେଶ୍ୱର ମହାଋଷି

ମାହେନ୍ଦ୍ର ଯୋଗେଣ ହୋଇଲା ରୋହିଣୀ ବୃଷରାଶି।୯୩।

ପୁତ୍ରକଇଂ କୋଳେ ଧଇଲେ ପାରେଶ୍ୱର

ବ୍ୟାଲ୍ଲୋଳ ରୂପ ଦେଖି ନାମ ଦେଲେ ବ୍ୟାସ ମୁନିବର।୯୪।

 

ପୁତ୍ରକଇଂ କୋଳେ ଧରିଅଛନ୍ତି ମହାମୁନି

ରୋଦନ ସରୂପେ ପୁତ୍ର ଶବଦ କରଇ ବେଦଧୁନି।୯୫।

ଦେଖିଣ ମହାତମାର ନ ଫୁରଇ କିଛି

ମହାବ୍ରହ୍ମ ଭେଦିଲା ସେ ଅଜପା ଲୟେ ବଚ୍ଛି।୯୬।

 

ମହାଗ୍ୟାନୀ ପୁତ୍ର ଦେଖି ଗଙ୍ଗା ଲୋଭ କଲା

ଭଡ଼ ଭଡ଼ କରି ଗଙ୍ଗା ନାବ ବୁଡ଼ାଇଲା।୯୭।

ବୁଡ଼ନ୍ତେଣ ନାଉକା ଭାସିଲେ ବ୍ରହ୍ମଯତି

ନଦୀ ଭିତରକୁ ପୁତ୍ର ପକାଇଲେ ଝାତି।୯୮।

 

ଆଗୋ ଅଗାଦ ଜଳରେ ପଡ଼ିଲା ବାଳ ଶିଷି

ଅନାଦି ତୋୟା ସମ୍ଭାଳିଲେ ମୁନି ବେଦବ୍ୟାସି।୯୯।

ଗଙ୍ଗାକୁ ଲାଗିଲା ମହାତେଜ ଜାଳା

ତ୍ରାସେଣ ଛାଡିଲା ସେ ଅନାଦି ଚଞ୍ଚଳା।୧୦୦।

 

ଅଗାଦ ଗଭୀରେ ପଡ଼ିଲା ବାଳଶିଷି

ଅନନ୍ତ କୋଟି ବ୍ରହ୍ମାଣ୍ଡ ଭେଦି ପାତାଳ ବୈକୁଣ୍ଠେ ଯାଇ ବସି।୧୦୧।

ମହାବ୍ରହ୍ମ ଭେଦିଲା ସେ ବାଳୁତ ତନୟେ

ଅଣାକାର ବିଷ୍ଣୁ ଦେଖିଲା ସେ ଅନନ୍ତ ଯୋଗ ଲୟେ।୧୦୨।

 

ଦେଖିଣ କୋଳେ ଧଇଲେ ସ୍ୱାମୀ ଯେ ପୁରୁଷ ଅଣାକାର

ସାନନ୍ଦେଣ ଗୋପ୍ୟ କଲେ ସେ ଉଦର ଭିତର।୧୦୩।

ଶୂନ୍ୟପୁରୁଷର ସେ ଦେଖିଲା ବର୍ଣ୍ଣଚିହ୍ନ

କୋଟି କୋଟି ଅବତାର ସେ ହୋଇଲେ ପ୍ରସନ୍ନ।୧୦୪।

 

ସମସ୍ତ କୁତୋହଳେ ଦେଖିଲା ଅନାଦି

ଶୂନ୍ୟପୁରୁଷ ଗର୍ଭେ ପଶିଲା ମହାବ୍ରହ୍ମ ସାଧି।୧୦୫।

ଶୂନ୍ୟକୁ ଶୂନ୍ୟ ସେ କଲାକ ଲେଖନ

ଅକାଳେ ଭିଆଇଲେ ଭୂତ ଭବିଷ୍ୟ ବର୍ତ୍ତମାନ।୧୦୬।

 

ବାଞ୍ଛିଣ ବ୍ରହ୍ମା ଯେ କହିଲେ ଅନୁବ୍ରତେ

ଆଗ୍ୟାଂ ହୋଇଲା ୟେହା ତୁ ବିସ୍ତାର କର ଜଗତେ।୧୦୭।

ଅଘଟଣ ଅକାରଣ ଅଲୟ ଭୁବନ

ୟେଥକୁ ଶୁଣନ୍ତା ନାହିଂ ତୋହୋ ଅର୍ଥମାନ।୧୦୮।

 

ଶୁଣ ଗୋ ବଧୂମାନେ ବୋଲନ୍ତି ସତ୍ୟବତୀ

ୟେତେ ବାଗେ ହାଦେ ସନ୍ତତି ଉତପତ୍ତି।୧୦୯।

ଆଗୋ ବାରତା ପାଇଣ ଅଇଲା ଦାସରାୟେ

ପାରେଶ୍ୱରଙ୍କୁ ଆଣିଣ ମୋତେ ପ୍ରଦାନ ଯେ କୟେ।୧୧୦।

 

ଆମ୍ଭ ଆଦିଜନ୍ମ ଗୋ ଅଟଇ କଇବ୍ରତୀ

ବ୍ୟାସ ବଞ୍ଚାଇଲା ହାଦେ ଅଜାତି ଅଗତି।୧୧୧।

ମହାବ୍ରହ୍ମ ଘେନିଣ ସମସ୍ତ ୟେକତ୍ୱ କଲା

ସେ ବେଦବ୍ୟାସ ଅନେକ ପୁରୁଷ ଉଦ୍ଧରିଲା।୧୧୨।

 

ମା ଗୋ ବ୍ୟାସଙ୍କର ବୀର୍ଯ୍ୟେ ଉପୁଜିବ ଯେବଣ ପୁତ୍ର

ବଳବନ୍ତ ଧାର୍ମିକ ହୋଇବ ବୀର୍ଯ୍ୟବନ୍ତ।୧୧୩।

ତୁମ୍ଭେ ଆନ କିଛି ନ ଧର ଗୋ ମନେ

ପରମ ଗତିଲଭ ଗୋ ବ୍ୟାସର ପରସନ୍ନେ।୧୧୪।

 

ଅମ୍ୱିକା ବୋଇଲେ ଗୋ ଶୁଣ ସତ୍ୟବତୀ

ସ୍ତିରୀଜନ୍ମ ପୋଡ଼ୁ ପୋଡ଼ୁ ଆମ୍ଭେ ଗୋ ଅଟୁ ମନ୍ଦଜାତି।୧୧୫।

ସଦାୟେଣ ଅଶଉଚ ଅନୀତି ଅକ୍ରିୟା

ସମସ୍ତ ବିଧଂସିଲୁ ନାମ ସତଶ୍ରିୟା।୧୧୬।

 

ମଦିରା ଖାଇ ଯେହ୍ନେ ହୁଅଇ ହେଠମାଥ ଅସମ୍ଭାଳି

ପୁରୁଷ ସୁନ୍ଦର ଦେଖିଲେ ଆମ୍ଭେ ହୋଉ ମତ୍ତଭୋଳୀ।୧୧୭।

ତେଣୁଟି ପ୍ରମଦା ନାମ ଯେ ଅଟଇ ଆମ୍ଭର

ଅନୁବ୍ରତେ ଇଚ୍ଛା କରୁଂ ପୁରୁଷ ସୁନ୍ଦର।୧୧୮।

 

ଆମ୍ଭେ ଅବା ବାଞ୍ଛା କଲୁ ଅନିର୍ଯାପି

ସେ କିମ୍ପା ଲଘିଂବେ ବ୍ୟାସ ପଣ୍ଡିତ ମହାତପୀ।୧୧୯।

ସତ୍ୟବତୀ ବୋଇଲେ ଗୋ ତୁମ୍ଭର ଇଚ୍ଛାକଲେ

ୟେହିକ୍ଷଣି ଅଣାଇବି ତୁମ୍ଭର ବୋଇଲେ।୧୨୦।

 

ବଦୟନ୍ତି ବଧୂମାନେ ୟେଥି ଯେତେ ପାତକ ହୋଇ

ସେ ପାତକରେ କାରେଣୀ କେ ହୋଇବ ଗୋସାଇଂ।୧୨୧।

ସତ୍ୟବତୀ ବୋଇଲେ ମୁଂ ଯେ ଭେଟାଉଛି ତୁମ୍ଭଙ୍କୁ

ୟେ ପାପମାନ ଗୋ ଲାଗିବଇଂ ମୁକୁ।୧୨୨।

 

ଯଦ୍ୟପି ବଧୂମାନେ ପଶନ୍ତି ଅନ୍ୟବାଟେ

ଗୁରୁପତ୍ନୀମାନେ ତାହା ରଖନ୍ତି ଆକଟେ।୧୨୩।

ତୁମ୍ଭେ ଯେବେ ମା ଗୋ ଭିଆଇଲ ୟେମନ୍ତ

ତୁମ୍ଭର ବଚନେ ଆମ୍ଭେ କଲୁ ସନମତ।୧୨୪।

 

ବ୍ୟାସଙ୍କ ଔରସରେ ଅମ୍ୱିକାଙ୍କ ଗର୍ଭରୁ 

ଧୃତରାଷ୍ଟ୍ରଙ୍କ ଜନ୍ମ ଓ ଅମ୍ୱିକାଙ୍କ ମୃତ୍ୟୁ

 

ଆହୋ ବଧୂନ୍ତ ତିଆରି ଚଳିଲେ ସତ୍ୟବତୀ

ବ୍ୟାସଙ୍କୁ ତହୁଂ ଘେନି ସେ ଯେ ଅଇଲେ ନିଶାରାତି।୧।

ଅମ୍ୱିକାର ଭୁବନେ ଯାଇଂ ହୋଇଲେ ପରବେଶ

ସତ୍ୟବତୀ ତିଆରି ପେଷିଲେ ବେଦବ୍ୟାସ।୨।

 

ଶୁତିଲେ ସୁନ୍ଦରୀ ସେ ଦିବ୍ୟ ଯେ ପଲଙ୍କେ

ରତ୍ନମୟ ମନ୍ଦିରେ ପ୍ରବେଶ ମୁନି ୟେକେ।୩।

ବ୍ୟାସକଇ ଦେଖିଣ ଅନେକ ସଲଜ୍ଜ ଭୟମତି

ହେଠମାଥ ହୋଇ ଶଯ୍ୟାରେ ଶୁତିଲା ମହାସତୀ।୪।

 

ବ୍ୟାସେ ବିଜେକଲେ ଯାଇ ପଲଙ୍କ ଉପରେ

ଅଭ୍ରମ ପୁରୁଷଙ୍କୁ ଆକ୍ରେଷିଲା କାମ ଶରେ।୫।

ପରମ ପୁରୁଷ ଦେଖି ଦେବୀ କଲେ ମହାଭୟେ

ଶରୀର କମ୍ପଇ ତାର କଦଳୀପତ୍ର ପ୍ରାୟେ।୬।

 

ମହା ସଲଜ୍ଜିତ ସେ ବ୍ୟାସଦେବ ତପନିଷ୍ଠି

କାମେଣ ବିଭଳିତ ହୋଇଲେ ଗ୍ୟାନଭ୍ରଷ୍ଟି।୭।

ଅମ୍ୱିକାର ମେଳେ ବ୍ୟାସ ମହାଋଷି

କୋଳକରି ମହାତମା ଧଇଲେ ଆକ୍ରେଷି।୮।

 

ଆରେ ପରମ ବଧୂ ଉଠରେ ମାନିନି

ବିନୟେ ଉତ୍ତର ଦ୍ୟନ୍ତି ବ୍ୟାସ ମହାମୁନି।୯।

ଯୋଗ ତେଜି ମହାତମା ମଦନ ବେଭଳେ

ଅମ୍ୱିକା କନ୍ୟାକୁ ଘେନିଲେ ମୁନି କୋଳେ।୧୦।

 

ସଲଜ୍ଜିତ ସଂକୋଚିତ ମାନିନୀ ମାନବତୀ

ହେଠ ବଦନ ହୋଇ ସେ ବସିଲା ମନେ ମହାଭ୍ରାନ୍ତି।୧୧।

ଅନେକ ଚାଟୁ ପଟଳ କହନ୍ତି ମୁନିବ୍ୟାସେ

ନ ଦିଅଇ ସମାସ୍ୟା ନ କହଇ ହରଷେ।୧୨।

 

ଦ୍ୱାରେ ଲାଗିଣ ଯେ ଅଛଇଂ ସତ୍ୟବତୀ

ଭୋ ଧର୍ମଦେବତା କର ବଧୂର ପୀରତି।୧୩।

କାମଦେବତାଙ୍କୁ ସୁମରଣା କଲେକ ମନେ ଧ୍ୟାନେ

ଶ୍ରୀଜଗମୋହନ ପୁରୁଷକୁ ଯେ ଦେବୀ ସୁମରନ୍ତି ପଞ୍ଚୁ ମନେ।୧୪।

 

କମଳାର ନନ୍ଦନ ଜୟ ତୁ ଅନଙ୍ଗ

ଯୋଗ ନିର୍ଜିତ ତଲ୍ଲୟେ ଶଙ୍କର ଦର୍ପ ଭଙ୍ଗ।୧୫।

ଭୁବନ ସୁନ୍ଦର ତୁ ମୁନିମାନଙ୍କର ତପ ଭାଞ୍ଜୁ

ସ୍ତିରୀ ପୁରୁଷଙ୍କର ତୁ ସମସ୍ତ ଦର୍ପ ଗଞ୍ଜୁ।୧୬।

 

ଜୟ ତୁ ଜୟ ସୁନ୍ଦର ଅନଙ୍ଗ ପୁଷ୍ପଧନୁ

ମହାପଦ୍ମ ନ ତୁ ମାଧବ ନାରାୟଣଙ୍କର ତନୁ।୧୭।

ଶ୍ରୀହସ୍ତେ ଶୋଭାବନ ପୁଷ୍ପ ପଞ୍ଚୁବାଣ

ଯୁବାଜନ ଦର୍ପ ମର୍ଦ୍ଦନ୍ତା ମୟାଣ।୧୮।

 

ରତି ଦେବୀଙ୍କର ବଲ୍ଲଭ ଚରଣେ ନମସ୍ତେ

ବିଜେକର କାମ ତୁ ଅମ୍ୱିକାର ଗାତ୍ରେ।୧୯।

ଜୟତୁ ଜୟତୁ ଦେବ ସୟଳ ସଂସାର ହିତକାରୀ

ଛଡ ଋତୁ ଭୋଗ କରନ୍ତା ତୁ ପୁଷ୍ପ ଚାପଧାରୀ।୨୦।

 

ମାଦନ ମୋହନ ଶୋଷଣ ତାପନ ସ୍ତମ୍ଭନ ପଞ୍ଚୁଶର

ତପ ଭଗ୍ନ କଲୁଟି ତ୍ରିପୁରାରି ଶିବଙ୍କର।୨୧।

କୁମାର ସମ୍ଭବ ହୋଇଲାକ ତୋହରେ

ତାରକା ବଧ କଲା ସେ କାର୍ତ୍ତିକ ଛଡ଼ଶିରେ।୨୨।

 

ତାରଣ କାରଣ ତୁ ଉଦ୍ଧାରଣ ଦଇବତ

ତରୁଣ ନାରାୟଣ ତୁ ସକଳ ଜନ ବର୍ଦ୍ଧୁତ।୨୩।

ଶ୍ରୀବଚ୍ଛ ଲକ୍ଷଣ ନନ୍ଦନ ଚରଣେ ନମୋସ୍ତୁତେ

ବିନୟ ଶୂଦ୍ର ମୁନି ସାରୋଳା ଦାସ ନିତ୍ୟେଂ।୨୪।

 

ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ଯାହା ପୁଚ୍ଛା କଲୁ ଶତ ମନୁ ତନୁ।୨୫।

ଅନେକ ସ୍ତୁତି ଯହୁଂ କଲାକ ଯୋଜନଗନ୍ଧା

ଶୁଣିଣ ପରମ ସାନନ୍ଦ ସେ ଭେଟିଲା ପଞ୍ଚୁଶର ଯୋଦ୍ଧା।୨୬।

 

ଅମ୍ୱିକାର ଅଙ୍ଗେ ପଡ଼ିଲା ସେ ଅନଙ୍ଗ ସୁନ୍ଦର

ଭେଦିଲା ମୟାଣ ବାଣ ପଞ୍ଚୁଶର।୨୭।

କାମ ଅସାଷ୍ଟମେଣ ପଡ଼ିଲା ଯୁବତୀ

ବ୍ୟାସଙ୍କର ତୁଲେ ସେ ଇଚ୍ଛିଲାକ ରତି।୨୮।

 

ଆହୋ ସେହୁ ମାହେସ୍ୱରୀ, ୟେକେ ବ୍ୟାସ ମହାମୁନି

ନିର୍ଜନ ମନ୍ଦିରେ ସେ ଶୃଙ୍ଗାର କଲେକ ଯେ ବେନି।୨୯।

ଅକ୍ଷୟେ ମହାତମା ସେ ଅଜୟେ ଅବୟେ

ନ ଚଳଇ ମହାରସ ସେ ପାଷାଣର ପ୍ରାୟେ।୩୦।

 

ବଢିଲାକ ଶୃଙ୍ଗାର ସେ ପ୍ରାକ୍ରମେ ବଳବନ୍ତା

ଚଳଇ ମହାରସ ସେ ପ୍ରତିଗ୍ୟାଂ ଶକତା।୩୧।

ପ୍ରାଣ ଅପାନ ବ୍ୟାନ ଉଦାନ ସମାନ ପଞ୍ଚୁଆତ୍ମା

ୟେହାକୁ ଦୃଢ କରିଣ ଇଚ୍ଛିଲା ମହାତମା।୩୨।

 

ଯଦ୍ୟପି ଶୃଙ୍ଗାର ହୋଇଲା ବେନି ରଙ୍ଗେ

ଲଜ୍ଜାଭରେ ସୁନ୍ଦରୀ ନଛାଡ଼ିଲା ତାହାର ଅଙ୍ଗେ।୩୩।

ମିଥୁନ ଅର୍କବାସର କୃଷ୍ଣ ତିରୋଦଶୀ

ଅମ୍ୱିକାର ତୁଲେ ଶୃଙ୍ଗାର କଲେ ବ୍ୟାସ ମହାଋଷି।୩୪।

 

ୟେସନେକ ଶୃଙ୍ଗାର ଯେ ରାତ୍ର ଅଷ୍ଟାଦଶ ଦଣ୍ଡ

ଛାଡିଲେ କାମଦେବ ଚନ୍ଦ୍ର ଅର୍ଦ୍ଧଖଣ୍ଡ।୩୫।

ଢଳିଲାକ ମହାରେତ ଯେ ପ୍ରସର ହେଲା ବିନ୍ଦୁ

ଅସାଷ୍ଟମ ହୋଇଲା ସୁନ୍ଦରୀ ଦର୍ପଇନ୍ଦୁ।୩୬।

 

ମହାବ୍ରହ୍ମ ଭେଦିଣ ଛାଡିଲେ ମୁନିବୀର୍ଯ୍ୟ

ଅମୋହ ରେତ ପଡ଼ନ୍ତେଣ ସୁନ୍ଦରୀ ଆତ୍ମା ହୋଇଲା ବିସର୍ଜ।୩୭।

ପ୍ରାଣ ତେଜ୍ୟା ହୋଇଣ ସେ ପଡ଼ିଲା ଯୁବତୀ

କୋଳ କରି ଧଇଲେ ସେ ପଣ୍ଡିତ ଭିଗ୍ୟଂ ଯତି।୩୮।

 

ଅସାଷ୍ଟମେ ସୁନ୍ଦରୀ ଯେ ନୁଆରିଲା ଚେତି

ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି।୩୯।

ପୃଥିବୀର ମଧ୍ୟେ ୟେ ଯେ ପଡ଼ିଲାକ ବାଳ

ପାଦଘାତେ ମେଦନୀ କମ୍ପିଲା ମେରୁ ଟଳମଳ।୪୦।

 

ପୁତ୍ର ପ୍ରସବିଣ ଅମ୍ୱିକା ନାଶଗଲା

କୋଳ କରି ମହାତମା ସେ ପୁତ୍ରକୁ ଧଇଲା।୪୧।

ପୁତ୍ର ଘେନି ହିଆରେ ଲଗାଇଲେ ମୁନିବର

ତୋଷେଣ ବୋଇଲେ ବଜ୍ର ହୋଉ ତୋହୋର ଶରୀର।୪୨।

 

ଧାତିକାରେ ସତ୍ୟବତୀ ପଶିଲେ ଭିତରକୁ

ପୁତ୍ର ଗୋଟିକୁ ବ୍ୟାସେ ସମର୍ପିଲେ ମାତାଙ୍କୁ।୪୩।

ପୁତ୍ର କୋଳେ ଦେଇ ସେ ମୁନିବର ଉତ୍ତମା

ଶୂନ୍ୟେଣ ଅନ୍ତର୍ଦ୍ଧାନ ସେ ଗଲେ ମହାତମା।୪୪।

 

ପୁତ୍ର ଗୋଟି କୋଳେ ଧରି ବିଚାରନ୍ତି ସତ୍ୟବତୀ

ବତିଶ ଗୁଣେ ସୁନ୍ଦର ସେ ଅନଙ୍ଗ ମୂରତି।୪୫।

ରୂପ ଗୁଣ ବିସରି ଦେବୀ ନିରୋପନ୍ତି ପୁତ୍ରକୁ

ତଦନ୍ତ କରି ଚାହିଂଲେ ମାୟେ ବେନି ଲୋଚନକୁ।୪୬।

 

ସୁଢଳ ସୁନ୍ଦର ସୋହଡ଼ ସାର୍ଥୁକ ମହାବଳା

ଦେଖିଲେ ଚକ୍ଷୁରେ ସେ ନାହିଂ ବେନି ଡୋଳା।୪୭।

ପୁଣ ପୁଣ ନିରୋପନ୍ତି ଅତିଅନ୍ତ ଶରଧେ

ବିଷାଦ ହୋଇଲେ ଦେବୀ ଦେଖିଣ ବେନୁ ଚକ୍ଷୁ ଅନ୍ଧେ।୪୮।

 

ହରଷ ଛାଡ଼ି ଦେବୀ ବିରସ ମହାକଷ୍ଟ

ସେ ପୁତ୍ର ନାମ ଯେ ଦେଲେ ଧୃତିରାଷ୍ଟ।୪୯।

ଅମ୍ୱିକା ପଡ଼ିଅଛି ମୃତ୍ୟୁ ଶବ ହୋଇ

ଶାୟେଂତନୁ ଭୀଷ୍ମ ଭୂରିଶ୍ରବା ପ୍ରବେଶ ହୋଇଲେ ଯାଇଂ।ଯ୫୦।

 

ପୁତ୍ର ଜାତ ଶୁଣି ଅନେକ ଉତ୍ସବ ସାନନ୍ଦ

ନୟନ ଅନ୍ଧ ଦେଖି ହୋଇଲେ ବିଷାଦ।୫୧।

ଅନେକ ଦାନ ସେ ଦେଲେ ବିପ୍ର ଯୋଗେ

ଅମ୍ୱିକା ଦେବୀଙ୍କି ସେ କଢାଇ ନେଲେ ବେଗେ।୫୨।

 

ଚିତା ଆରୋପଣ କଲେ ଶମଶାନେ

ପ୍ରେତ କାର୍ଯ୍ୟ କରାଇଲେ ଶାହାସ୍ର ବିଧାନେ।୫୩।

ଆହୂତି ଘୃତ ପାରଣା କଲେ ୟେକାଦଶେ

ପୁତ୍ରକଇଂ ପ୍ରତିପାଳନ୍ତି ହରଷ ବିରସେ।୫୪।

ପୁତ୍ରକୁ କୋଳେ ଧରିଣ ଭାଳନ୍ତି ସତ୍ୟବତୀ

ୟେତେ ଅବସ୍ଥାୟେ, କରାଇଲା ୟେତେ ପୀରତି।୫୫।

 

କାଳେଣ ନନ୍ଦନ ରାଜାପଣକୁ ନୋହିଲାକ ଯୋଗ୍ୟ

କାହିଂର ଫଳୁ ସୋମବଂଶ ୟେସନେ ପରିତ୍ୟାଗ।୫୬।

ପଣ୍ତିତଙ୍କ ମୁଖୁଂ ଶୁଣିଲେ ତଥ୍ୟବାଣୀ

ଜାତ ଅନକୂଳ ଯୋଗ ବେଳଜାଣି।୫୭।

 

ପୁତ୍ରର ହୋଇଲା କୃତ୍ତିକା ବୃଷରାଶି

ଶୁକ୍ର କ୍ଷେତ୍ରେ ବ୍ରହ୍ମରାକ୍ଷସ ଜନ୍ମ ଆସି।୫୮।

ଶୁଣ ହୋ ଯୁଗମନୁ ବଦନ୍ତି ଅଗସ୍ତି

ଅନ୍ଧପୁତ୍ର ଦେଖି ବିଷାଦ ସତ୍ୟବତୀ।୫୯।

 

ରାଜାକୁ ଯୋଗ୍ୟତ ନୋହିଲା କୁମର

ଭୋ ଦଇବ ପୁରୁଷ ତୁ କର ପ୍ରତିକାର।୬୦।

 

ସତ୍ୟବତୀଙ୍କ ଦ୍ୱାରା ବ୍ୟାସଙ୍କ ଆଗମନ ଓ 

ଅମ୍ୱାଳିକା ଗର୍ଭରୁ ପାଣ୍ଡୁଙ୍କ ଜନ୍ମ

 

ପୁଣି ବ୍ୟାସକଇଂ ସୁମରିଲେ ଦେବୀ ଧ୍ୟାନେ

ମାତାଙ୍କର ପାଶେ ପ୍ରବେଶ ହୋଇଲେ ମହାମୁନ୍ୟେ।୧।

ପୁତ୍ର ଗୋଟିକି କୋଳେ ଧରି ଦାସରାଜାର କୁମାରୀ

ବ୍ୟାସଙ୍କର କୋଳେ ନେଇ ଦେଲେକ ଯୋଜନଗନ୍ଧା ନାରୀ।୨।

 

ବାବୁ ୟେତେ କଷ୍ଟେ ଉପୁଜାଇଲୁ ସନ୍ତତି

ନୟନ ଭ୍ରଷ୍ଟ ହୋଇଲା ସେ ରାଜ୍ୟକୁ ଅଗତି।୩।

ବାବୁ ଶରୀରକୁ ସାର ହାଦେ ଅଟଇ ବେନି ଚଛୁ

ସେ ନୟନ ଭ୍ରଷ୍ଟ ହୋଇଲା ତାକୁ ମନରେ କିସ ବାଞ୍ଛୁ।୪।

 

ୟେଡ଼େକ ପାତେକ ତୁ ଯେ କଲୁ ବ୍ରହ୍ମଋଷି

ଅନ୍ଧେଣ ସେ ଯେ ବଂଶ ତ ହୋଇଲା ଉଦାସୀ।୫।

କ୍ରୋଧ କରିଣ ସତ୍ୟବତୀ କହନ୍ତି ବ୍ୟାସଙ୍କୁ

ପୁଣ ୟେବେ ବିଜେକର ବାବୁ ଅମ୍ୱାଳିକା ପୁରକୁ।୬।

 

ତାହାର ତୁଲେ ପୁତ୍ର ତୁ ବଢାଅ ପୀରତି

ପୁତ୍ର ଜାତ ହୋଉ ବାବୁ ରାଜ୍ୟଧର ମୂରତି।୭।

ଶୁଣିଣ ବିଷାଦ ହୋଇଲେ ତପୀ ଭଗବନ୍ତ

କେତେ କରାଉ ମା ଗୋ ଅଲୋକିତ ପାତକନ୍ତ।୮।

 

ସତ୍ୟବତୀ ବୋଇଲେ ବାବୁ ଯେବେ ସେ ହରିଲୁ

ଆବର ପାତକକୁ ବାବୁରେ କିଂପେ ଭୟେ କଲୁ।୯।

ବାବୁ ମୋହୋର ଶପତ ତୋତେ ନ ଧର ମନେ ଆନ

ପାତକ ଦୂର କରି ଉପୁଜାଅ ସନ୍ତାନ।୧୦।

 

ବ୍ୟାସକୁ ସନମତ କରାଇଲେ ଯୋଗେଶ୍ୱରୀ

ପ୍ରବେଶ ହୋଇଲେ ଦେବୀ ଅମ୍ୱାଳିକା ପୁରୀ।୧୧।

ତିଆରନ୍ତି ସତ୍ୟବତୀ ଅମ୍ୱାଳିକାର ସମେତେ

ଅନେକ ଭଗତି ଅମ୍ୱାଳିକା ହୋଇଲା ପ୍ରଣପତ୍ୟେ।୧୨।

 

ସତ୍ୟବତୀ ବୋଇଲେ ମା ଗୋ ଶୁଣ ଅମ୍ୱାଳିକା

ତୁ ମୋହୋର କୁଳ ମଣ୍ଡଣୀ ଅଟୁ ଗୋ ୟେକା।୧୩।

ଅମ୍ୱିକାର ହୋଇଲା ପୁତ୍ର ଯେ ଗୋଟିୟେ

ତୁ କିଂପେ ତୁଷ୍ଟ ହୋଇଲୁ ନ କଲୁ ଉପାୟେ।୧୪।

 

ଯେମନ୍ତେ ପୁତ୍ର ଗୋଟିୟେ ହୁଅଇ ତୋର ଜାତ

ତହିଂକି ଉପାୟ ବୁଦ୍ଧି କରସି ଗୋ ମାତ।୧୫।

ଅମ୍ୱାଳିକା ବୋଇଲା ଗୋ ଛାଡିବା କେହ୍ନେ ଧର୍ମ

ନୋହଇ କିନା ପୁତ୍ର ଲିଖିତ ଯେହ୍ନେ ମୋର କର୍ମ।୧୬।

 

ସତ୍ୟବତୀ ବୋଇଲେ ବୁଦ୍ଧି ଉପାୟେ ଗୋ ଥିଲେ

ବଂଶ ରକ୍ଷାକର ଗୋ ଯେ ଯାହାର ବୁଦ୍ଧିବଳେ।୧୭।

ଦୁଇ ଭୟେଣୀ ଯେବେ ଥାଆନ୍ତ ସେହିମତେ

ତାହାର ସଂପଦ ତୁ ମୂର୍ଚ୍ଛିବୁ କେମନ୍ତେ।୧୮।

 

ୟେବେ ବ୍ୟାସ ଆସିବେଟି ତୋହୋର ଭୁବନକୁ

ଭାବେଣ ଭଗତି ତୁ ହୋଇବୁ ତାହାକୁ।୧୯।

ୟେକ ମନେ ୟେକ ଯୋଗେ ବଢାଅ ପୀରତି

ରାଜ୍ୟଧର କୁମରେକ ହୋଉ ଉତପତ୍ତି।୨୦।

 

ଶୃଙ୍ଗାର କାଳେ ଅମ୍ୱିକା ଅସାଷ୍ଟମ ହୋଇଲା

ନୟନ ବୁଜିଲାକୁ ପୁତ୍ର ଅନ୍ଧ ଯେ ହୋଇଲା।୨୧।

ବ୍ୟାସକଇଂ ଆନନ୍ଦେଣ ଦିଅସି ଶୃଙ୍ଗାର

ତୋହୋର ପୁତ୍ର ଗୋଟି ଗୋ ହୋଉ ରାଜ୍ୟଧର।୨୨।

 

ୟେହା ଶୁଣି ବିଷାଦ ଛାଡ଼ିଲା ମାନବତୀ

ଅମ୍ୱାଳିକାକୁ ବେଶନ କରାଇଲେ ସତ୍ୟବତୀ।୨୩।

ବ୍ୟାସନ୍ତ ଘେନି ପ୍ରବେଶ ହୋଇଲେ ଅନ୍ତେଶ୍ୱର ପୁରେ

ବିଜେ କରାଇଲେ ନେଇ ଚନ୍ଦ୍ରଶାଳା ମନ୍ଦିରେ।୨୪।

 

ଅନେକ ବେଶ ବେଶନ କରାଇଲେ ଅମ୍ୱାଳିକା

ବ୍ୟାସକଇଂ ଭେଟ କରାଇଲେ ଶଉନିକା।୨୫।

ପାରେଶ୍ୱର ନନ୍ଦନ ହୋଇଲେ ଆନ ବେଶ

ପାଣ୍ଡୁର ବର୍ଣ୍ଣ ମୁନିଙ୍କର ଶରୀର ପରକାଶ।୨୬।

 

ଚନ୍ଦନ ଅଗର ଚଉସମ କର୍ପୂର କସ୍ତୁରୀ

ନାନା ସୁଗନ୍ଧ ଯେ ଶରୀରେ ଲେପନ କରି।୨୭।

ଅନେକ ଆଭରଣ ଅଳଙ୍କାର କାୟେ

ଋଷି ରୂପ ଛାଡ଼ି ଦିଶିଲେ ରାଜ୍ୟଧର ପ୍ରାୟେ।୨୮।

 

ଜଗବନ୍ଦନ ପୁରୁଷ ଅଟଇ ମହାବ୍ରହ୍ମ

ଅନଙ୍ଗ ସୁନ୍ଦର ସେ ପୁରୁଷଙ୍କ ଉତ୍ତମ।୨୯।

ଦୀକ୍ଷାଗୁରୁ ଗ୍ୟାନଗୁରୁ ଶିକ୍ଷାଗୁରୁ ମହାଭିଗ୍ୟଂ

ପରମଗୁରୁ ସାଧକ ପୁରୁଷ ଅନାଦି ସର୍ବଗ୍ୟଂ।୩୦।

 

ଦ୍ୱୈପାୟନ ନାରାୟଣ ଯେ ପ୍ରଳୟ କାଳ ବଞ୍ଚା

ଷାଠିୟେ ଲକ୍ଷ ମହାଭାରତ ଯେହୁ କଲେ ସଞ୍ଚା।୩୧।

ମଦନ ଭାବିନୀ ସେ ଅଟଇ ଅମ୍ୱାଳିକା

ପରମ ଯୋଗେଶ୍ୱରୀ ସେ କାମ ରସ ଶିଖା।୩୨।

 

ମଦନ ମନ ପବନ ତିନିହିଁ ନିରୋଧି

ଘୋଟିଲା ମୟାଣ ଭେଟିଲା କାମ ଯୋଧୀ।୩୩।

ରତି ଖେଦ ଘେନିଣ ବିଜୟେ ମୁନିୟେକେ

ଅମ୍ୱାଳିକା ପ୍ରିୟଭାବ କଲା ଯେପଲଙ୍କେ।୩୪।

 

ଧର୍ମ ଧର୍ମ ସୁମରନ୍ତି ଦାସରାଜାର କୁମାରୀ

ଭୋ ଧର୍ମପୁରୁଷ ସୋମବଂଶ ହୋଉ ଯେ ଉଦ୍ଧାରି।୩୫।

ମଦନ ଶର ଘାୟେ ଭେଟିଲେ ମହାଋଷି

ଅମ୍ୱାଳିକାକୁ କୋଳ କରି ଧଇଲେ ଆକ୍ରେଷି।୩୬।

 

ଧର୍ମ ଧର୍ମ ସୁମରନ୍ତି ଯେ ପଦ୍ମନାଭର ବାଳୀ

ଭୁଜେ ଭୁଜେ ଭିଡ଼ି ମହାତମା ବିନୟେ ହିଆଳି।୩୭।

ହୃଦୟରେ ହୃଦଭିଡ଼ି ମୁଖରେ ଚୁମ୍ୱନ

କାମର ଆତୁରେଣ ମୁନି ହୋଇଲେ ବିବସନ।୩୮।

 

ବିବସନ କରିଣ କୋଳେ ଧଇଲେ ମହାମୁନ୍ୟେ

ହାସ୍ୟ ଲାସ୍ୟ ପ୍ରେମ କୁତୋହଳେ ଅଧର ପାନେ।୩୯।

ଚନ୍ଦ୍ରକଳା ଭେଦିଲା ସେ ରତି ଶାସ୍ତ୍ର ଯୋଗେ

ଧାତୁ ମାତୁ ବାମାର ଚଳିଲାକ ବେଗେ।୪୦।

 

ରସ ଖଳିତ ଯହୁଂ ହୋଇଲା ପରମଦା

ଭାବେଣ ଭାବିନୀ ଆକର୍ଷଇ ବ୍ରହ୍ମସିଦ୍ଧା।୪୧।

ମୁଖେ ଚୁମ୍ୱନ ଦେଇ ଭିଡ଼ଇ ବେନି ଭୁଜଗତେ

ଅମ୍ୱାଳିକା ବୋଇଲା ମୋହୋର ପ୍ରାଣ ରଖ ତପୋବନ୍ତେ।୪୨।

 

ଶୃଙ୍ଗାର ମାଗଇ ବାଳୀ କାମର ଉଚ୍ଚାଟେ

ଯାମଳା ତରୁ ଯେହ୍ନେ ଜଡ଼ିତ ୟେକ ଭେଟେ।୪୩।

ଅଭୟେ ବିଭଙ୍ଗ ତ ମୁନି ରତିରଙ୍ଗେ ଇଚ୍ଛା

ଛାଡିଲା ଲାଜ ଭୟ ପୂରୋଇଲା ମନ ବାଞ୍ଛା।୪୪।

 

ଭାବେଣ ବୁଡିଲା ସେ ପଚିଶ ପ୍ରକୃତି

ହେଠମାଥ ଶୃଙ୍ଗାରେ ଅଶାନ୍ତି ଅତ୍ରିପୁତି।୪୫।

ମଗୁଶୀର କୃଷ୍ଣ ଚତୁର୍ଥୀ ଯେ ଅର୍କବାର

ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ସେ ଦିନର।୪୬।

 

ବିଛା ସଂକ୍ରାନ୍ତିର ଦିନ ପଚିଶ ଯେ ଭୋଗ

ବାଳବ ନାମେ କରଣ ଶିବ ନାମେ ଯୋଗ।୪୭।

ରୋହିଣୀ ବୃଷ ରାଶି ଜାତ ଶୁକ୍ର କ୍ଷେତ୍ରୀ

ସପତମ ଘରେ ଶୁକ୍ର ନବମେ ବୃହସ୍ପତି।୪୮।

 

ୟେସନେକ ସମୟେ ଉତପତ୍ତି ହୋଇଲାକ ବଳା

ରାତ୍ର ଘଡ଼ିୟେକଠାରେ ପୂର୍ଣ୍ଣଚନ୍ଦ୍ର କଳା।୪୯।

ମରକତ ରସାଣିଲା ପ୍ରାୟେ ଦିଶଇ ଦେହ ବର୍ଣ୍ଣ

ଶିଖୀ ସିଦ୍ଧ କପାଳ ଯେ ଘଟିତ ଲେଖନ।୫୦।

 

ଆରକତ ପଦ୍ମ ଜିଣି ଦିଶଇ ବେନି ଚଛୁ

ଗଜ ରିପୁ ବକ୍ଷସ୍ଥଳ ମଝା ସମକଛୁ।୫୧।

ଆକର୍ଷଣ ବାହୁ ବିଜେ ମକରକେତନ ସରୂପ

ଚଉଷଠି ଗୁଣ ଲକ୍ଷଣ ଅନଙ୍ଗ ସମଧାପ।୫୨।

 

ଅନେକ ଲକ୍ଷଣେ ଉତପତ୍ତି ହୋଇଲାକ ସୁତ

ଦିବି ଭୁବି ପାତାଳ ତ୍ରୈଲୋକ୍ୟେ ବିଦିତ।୫୩।

ଅମୃତ ବେନି କୁଣ୍ଡଳ ଶୋଭିତ ବେନି କର୍ଣ୍ଣେ

ଶୁଦ୍ଧ ପଦକ ମଣି ଶୋଭିତ ସନ୍ନିଧାନେ।୫୪।

 

ପୁତ୍ର ଦେଖି ଉଷତ ସେ ହୋଇଲେ ସତ୍ୟବତୀ

ଦିଗପାଳମାନଙ୍କୁ କରନ୍ତି ଅନେକ ଯେ ସ୍ତୁତି।୫୫।

 

ସତ୍ୟବତୀଙ୍କ ଦ୍ୱାରା ଶିବସ୍ତୁତି

 

ପ୍ରଣପତ୍ୟ ଉମାପତି ପାଦେ ମୋର ଶିର

ଅଖଣ୍ଡିତ କପୋଳେ ଦେଇଣ ବାମକର ୧।

ପାବକ ପ୍ରଚଣ୍ଡ ଯାହାର ଲୋଚନ କଳାଂଶୁ

ପିନାକ ସାରଙ୍ଗ ଶୂଳ ଡମ୍ବୁରୁ ଲେପନ ଯାର ପାଂଶୁ।୨।

 

ଶୁଦ୍ଧ ସୁଧାକର ନିର୍ମଳ ଯାହାର ବପୁ

ସ୍ୱସିଦ୍ଧ ଭାବ ଆସନ ଆଦି ଅନାଦି ଯାହାର ସ୍ୱରୂପୁ।୩।

ହର ପାଦ ବନ୍ଦଇଂ ଯେବଣ ମହାଭୋଗୀ

ଅନନ୍ତ ହାର ତନୁ ପରମ ଗ୍ୟାନଯୋଗୀ ୪।

 

ଅନେକ ସମ୍ଭର୍ବ ଯେ ମୃତ୍ୟୁ ଶିରମାଳା

ଫଣୀ ମଣିଭୂଷଣ ତୋ କୁଣ୍ଡଳ ଢଳହଳା ୫।

ଉର୍ଦ୍ଧ୍ୱ ପିଙ୍ଗଳ ଯେ କେଶ ଲୋହିତ ବର୍ଣ୍ଣ ଜଟୀ

ଶଶାଙ୍କ ମଉଳି ତାଣ୍ଡବ ଭ୍ରୂକୁଟି ୬।

 

ସିତ ପୀତ ଲୋହିତ ହରିତ ସମ ନୋହେ

ଅନଳ ଆଦିତ୍ୟ ଚନ୍ଦ୍ର ଅନ୍ଧାର ଚଉର କଳା ଶୋହେ।୭।

ଯୋଗେନ୍ଦ୍ରନାଥ ପରମ ଦୟାଳୁ ବିଶ୍ୱନିଧି

ତ୍ରିପୁର ଅନ୍ଧକ ଅସୁର ଶିରଛେଦି ୮।

 

ବିପୁଳ ବସନ ଉଲଗ୍ନ ନାହିଂ ତୋହୋର ଲଜ୍ଜା

ତୁ ଦେବ ବାମଦେବ ଅର୍ଦ୍ଧାଙ୍ଗ ଗିରିଜା ୯।

ସୁଖେଣ ଅନକୂଳ ଦେଲୁ ଭୂମିଜାର ପତି

ସତ୍ତ୍ୱ ରଜ ତମ ତୋର ତହୁଂ ଉତପତ୍ତି ୧୦।

 

ପ୍ରଣମିତ ସୁରପତି ଶଶୀ ପଦ୍ମନାଥ

ତବ ପାଦପଦ୍ମେ ଭୂଷଣ ହୋଉ ମୋର ମାଥ ୧୧।

ତ୍ରିପୁରାରି ପାଦ ପଙ୍କଜେ ଅଙ୍କିତ ମୋର ଶିରେ

ଶୂଦ୍ରମୁନି ସାରୋଳା ଦାସ ପ୍ରଣମିତ ବିଶ୍ୱେଶ୍ୱର୧୨ -୧୦୯୨।

 

ବ୍ୟାସଙ୍କଦ୍ୱାରାଧୃତରାଷ୍ଟ୍ରଙ୍କୁଦିବ୍ୟଚକ୍ଷୁଦାନ, 

ସଞ୍ଜୟଙ୍କଠାରୁଧୃତରାଷ୍ଟ୍ରଓପଣ୍ଡୁଙ୍କରବିଦ୍ୟାପାଠ

 

ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତି

କୁରୁବଂଶେ କୁମର ଯେ ପଣ୍ଡୁ ଉତପତ୍ତି।୧।

ପୁତ୍ରନ୍ତ କୋଳେ ଧରି ସାନନ୍ଦ ଯୋଜନଗନ୍ଧା

ତ୍ରଇଲୋକ୍ୟ ମୋହନ ପୁତ୍ର ଦେଖି ସମସ୍ତେ କଲେ ଶ୍ରଦ୍ଧା।୨।

 

ବ୍ୟାସଙ୍କ ବଦନ ଚାହିଂ ବୋଇଲେ ସତ୍ୟବତୀ

ଧର୍ମ ରକ୍ଷା କଲୁ ପୁତ୍ର ଉପୁଜାଇଲୁ ସନ୍ତତି।୩।

ବଂଶେଣ ସାଧୁ ଯେ ଉପୁଜିଲା ତୋର ଧନି

ସୋମବଂଶ ଉଦ୍ଧରିଲୁ ତୁ ପଣ୍ଡିତ ଭିଗ୍ୟଂ ମୁନି।୪।

 

ଆକାଶେଣ ସାଧୁ ସାଧୁ ତୋତେ କଲେ ବୃନ୍ଦାଅର୍କେ

ୟେସନେକ ପୁତ୍ର ଜାତ କରନ୍ତା ନାହି ୟେକେ।୫।

ବାବୁ ଅମ୍ୱିକାର ପୁତ୍ର ଗୋଟି ଯେ ଉପୁଜାଇଲୁ କୁଳ ଜ୍ୟେଷ୍ଠ

ଚକ୍ଷୁର ବିହୁନେ ନାମ ତା ହୋଇଲା ଧୃତିରାଷ୍ଟ୍ର।୬।

 

ତୋହୋର ମହିମା ପୁତ୍ର ବଡ଼ ଅସମ୍ଭବ ଜାଣ

ୟେଡ଼େ ବଳବନ୍ତା ପୁତ୍ର ହୋଇଲାକ ପୁଣ।୭।

ମାତାର ବଚନେ ମୁନି ଧୃତିରାଷ୍ଟ୍ରକୁ ଦୟାକଲେ

ଦିବ୍ୟ ଚଛୁ ମହାତମା ହୃଦୟେ ତାର ଦେଲେ।୮।

 

ଗର୍ଭକୁ ଚାହିଁଲେ ତାକୁ ଦିଶଇ ସମସ୍ତ

ତୁଳେଣ ଛାଡ଼ି ମୁନି ଗାଲବ୍ୟର ସୁତ।୯।

ଅନ୍ତସିଦ୍ଧା କର୍ଣ୍ଣସିଦ୍ଧା ରସ ଧାତୁବାଦ ବିଦ୍ୟା

ଆକର୍ଷଣ ବିକର୍ଷଣ ଦୃଷ୍ଟିକୁ ମନ୍ତ୍ରସିଦ୍ଧା।୧୦।

 

ଅନୁକ୍ରମେଣ ଆମନ୍ୟାୟେ ଅଙ୍ଗନ୍ୟାସ ଧ୍ୟାୟେ

ଯୋଗବ୍ରହ୍ମ ମୁଦ୍ରା ସାତୁକ୍ୟ ବ୍ରହ୍ମ ତଲ୍ଲୟେ।୧୧।

ଧରଣ ଧାରଣ ବ୍ରହ୍ମଗୁଟିକା ଅଞ୍ଜନ ରସ ରସାୟନ

ସଞ୍ଜୟ କୁମାରକୁ କରାଇଲେ ପଠନ।୧୨।

 

ଶର ଶାହାସ୍ର ସୁର ସାଗର ସଂକଳ୍ପ ବଳ

ଗ୍ୟାନ ଧ୍ୟାନ ଶାସ୍ତ୍ର ସଂହିତା ବେଦ ବିଦ୍ୟାସକଳ।୧୩।

ୟେତେକେ ସଞ୍ଜୟକୁ କଲେ ସର୍ବଜିତା

ଆବର ଚଉଦ ବିଦ୍ୟା ଶତେ ଭାଷା ନିର୍ଜିତା।୧୪।

 

ଧାର୍ମିକ ବିବେକ ସେ ଗାଲବ୍ୟର ସୁତ

ଅନ୍ଧ ନନ୍ଦନର ତୁଲେ କରାଇଲେ ପ୍ରିୟ ମତ।୧୫।

ସଞ୍ଜୟେ କହନ୍ତେ ସେ ଶିଖଇ ଧୃତିରାଷ୍ଟ୍ର

ବ୍ୟାସର ପ୍ରସନ୍ନେ ସେ ମହାଧାର୍ମିକ ବଳିଷ୍ଠ।୧୬।

 

ପୁତ୍ରକୁ ପ୍ରତିପାଳିଲେ ଦେବୀ ଅନେକ ଯତନେ

ପୁତ୍ରକୁ ଦେଖିଣ ମୁନିଗଲେ ଅନ୍ତର୍ଦ୍ଧାନେ।୧୭।

ପୁତ୍ର ଦେଖି ହରଷ ଭୀଷ୍ମ ଭୂରିଶର୍ବା

ପାରେଶ୍ୱର ଶାୟେଂତନୁ ଦେଖି ହରଷ ପୁତ୍ର ସମ୍ଭବା।୧୮।

 

ଧୃତରାଷ୍ଟ ପଣ୍ଡୁ ପଢନ୍ତି ପୁତ୍ରବେନି

ପାଳନ୍ତି ସତ୍ୟବତୀ ଦାସରାଜାର ନନ୍ଦନୀ।୧୯।

 

ଅମ୍ୱାଳିକାର ପ୍ରୟାଗରେ ଝାସ

 

ଅମ୍ୱାଳିକା ବୋଇଲେ ଯେ ଶୁଣ ସତ୍ୟବତୀ

ବଚନ ଅଲଘିଂତେ ମୁଂ ହୋଇଲି ଅଗତି।୧।

ଦୁରାପଦ ପାତକେ ଉପୁଜାଇଲୁ ଆତ୍ମଜା

ମମ ଦୂଷିତ କର୍ମ କୁଳେଣ ବଡଲଜ୍ଜା।୨।

 

ଅନେକ ପାତକ ଦୋଷେ ହୋଇଲି ମହାଭାରି

ପୁତ୍ରନ୍ତ ଜାତକଲୁ ଗୋ ସମ୍ଭାଳ ମୋହୋରି।୩।

ଯତନେ ଦେବୀ ପ୍ରତିପାଳନ ଭାଳ ଗୋ ମୁକୁ

ମୁହିଂ ଯିବି ମା ଗୋ ପ୍ରୟାଗ ତୀର୍ଥକୁ।୪।

 

ଦୋଷ ଦହନ ନିମନ୍ତେ ତୀର୍ଥେ ଝାସିବି ଅବଶ୍ୟ

ମୁକୁଇଂ କଲ୍ୟାଣ ଗୋ କରିବା ହରଷ।୫।

ମାତାୟେ ବାରଣ ନ କଲେ ଧର୍ମ ଅର୍ଥେ

ରାଜ୍ୟଧର ପୁତ୍ର ଥାନ୍ତେ ମାତା ଯିବୁ ଗୋ କେମନ୍ତେ।୬।

 

ଆହୋ ତୁଲେଣ ଘେନିଲେ ସେ ଦ୍ୱାଦଶ କାମିନୀ

ତୀର୍ଥବାସ ନିମନ୍ତେ ବାହାର ତପୋଧନୀ ବେଶ ଘେନି।୭।

ଛାଡିଲା ରାଗ ମୋହ ମାତାଙ୍କର ସୋଗ

ପଞ୍ଚ ମାସେ ପ୍ରବେଶ ହୋଇଲେ ପ୍ରୟାଗ।୮।

 

ତୁଳ ମାସ ଶୁକ୍ଲପକ୍ଷ ଶନିବାର ଚତୁର୍ଦ୍ଦଶୀ

ରୋହିଣୀ ନକ୍ଷତ୍ରେ ଦେବୀ ପ୍ରୟାଗେଣ ପଶି।୯।

ସ୍ନାହାନ ସାରି କରି ଦେବୀ ମାଧବ ଦରଶନ

ବଟର ତଳେଣ ବିପ୍ରଙ୍କୁ ଅନେକ ଦିଲେ ଦାନ।୧୦।

 

ଭୋ ଦେବ ମାଧବ ମୋହୋର ଆବର ପାତକ ଯେ ନାହିଂ

ପରେଣ ହିଂସା ଅପବାଦ ନୋହିଲାଇ ମୁହିଂ।୧୧।

ୟେକ ପାତେକ କଲି ମୁଂ ବଂଶ ରକ୍ଷାର ନିମନ୍ତେ

ଜ୍ୟେଷ୍ଠାଶୁର ଶୃଙ୍ଗାର କରାଇଲୁଂ ଗୁରୁ ବଚନର ଅର୍ଥେ।୧୨।

 

ୟେ ମୋହୋର ଦୋଷ ଖଣ୍ଡଣ କରିବା ଶିରିରଙ୍ଗ

ସ୍ତିରୀ ଧର୍ମ ଦୋଷରୁ ମୋତେ ଉଦ୍ଧାରିବା ବେଗ।୧୩।

ୟେତେକ ଦୋଷ ସେ ପଦ୍ମନାଭର କୁମାରୀ

ତ୍ରିବେଣୀ ସଂଗମେ ଝାସିଲା କରତାର ସୁମରି।୧୪।

 

ଗୁରୁହରଣ ଦୋଷ ଯେ ସମସ୍ତ ନାଶ ଗଲା

ନିରଞ୍ଜନ ସରୂପେ ଯାଇଂ ସେ

ଆକାଶେ ବସିଲା।୧୫-୧୧୨୬।

 

ଗୁରୁ ଲୋକେଶ୍ୱରଙ୍କର ପଣ୍ଡୁ ଓ 

ଧୃତରାଷ୍ଟଙ୍କୁ ବିଦ୍ୟା ଦାନ

 

ଧୃତରାଷ୍ଟ ପଣ୍ଡୁ ବଢନ୍ତି ବେନି ଭ୍ରାଥେ

ପ୍ରସନ୍ନେ ତାଙ୍କୁ ବିଦ୍ୟା ଦିଲେ ଗାଲବର ସୁତେ।୧।

ଋଷଭ ମାସ ପୂର୍ଣ୍ଣିମା ତିଥି ଚନ୍ଦ୍ରବାର

ଜ୍ୟେଷ୍ଠା ନକ୍ଷତ୍ର ଭୋଗ ଯେ ଅଟଇ ସେ ଦିନର।୨।

 

ଶୁଭ ନାମେ ଯୋଗ ବବ ନାମେ ଯେ କରଣ

ବ୍ୟାସେ ବିଜେ କଲେ ଆସି ବାରୁଣାବନ୍ତେଣ।୩।

ବେନି ପୁତ୍ରନ୍ତ ଘେନିଣ ସତ୍ୟବତୀ

ବ୍ୟାସଙ୍କର କୋଳେ ନେଇ ଦେଲେ ବେନି ଯେ ସନ୍ତତି।୪।

 

ପୁତ୍ରନ୍ତ ଦେଖି ହରଷ ଯେ ପାରେଶ୍ୱର ତନୁ

ଅନ୍ଧକୁ ପଣ୍ଡୁକୁ ନେଇଂ ବସାଇଲେ ବେନି ଜାନୁ।୫।

ବିଦ୍ୟାପାଠମାନ ଯେତେ ସଞ୍ଜୟ ଦେଇଥିଲା

ବ୍ୟାସଙ୍କର ଅଗ୍ରତେ ସମସ୍ତ ପଠନ ହୋଇଲା।୬।

 

ହଇହୟ ବଂଶେ ଯେ ଚନ୍ଦ୍ରଗୁରୁ ବୋଲି

ତାହାଙ୍କର ନନ୍ଦନ ଭାବଗୁରୁ କହିଲି।୭।

ଭାବଗୁରୁ ନନ୍ଦନ ବରାଳଚନ୍ଦ୍ର ଗୁରୁ

ରୁଦ୍ରେଶ୍ୱର ବୋଲି ତାହାଙ୍କର ପୁତ୍ର ଚାରୁ।୮।

 

ରୁଦ୍ରଚାରୁ ନନ୍ଦନ ଯେ ଗୁରୁ ବିରୂପାକ୍ଷ।

ୟେହାର ନନ୍ଦନ ଯେ ଗୁରୁ ବିଭୁରୁକ୍ଷ।୯।

ବିଭୁରୁକ୍ଷର ନନ୍ଦନ ଅନଙ୍ଗସେନ ଗୁରୁ

ୟେହାଙ୍କର ପୁତ୍ର ସୁରଚନ୍ଦ୍ର ନାମେ ଗୁରୁ।୧୦।

 

ସୁରଚନ୍ଦ୍ର ନନ୍ଦନ ଗୁରୁ ବଜ୍ରମାଳୀ

ୟେହାର ନନ୍ଦନ ଗୁରୁ ପ୍ରଚଣ୍ଡାବଳୀ।୧୧।

ପ୍ରଚଣ୍ଡାବଳୀର ପୁତ୍ର ଭାଗ୍ୟବର ଗୁରୁ

ୟେହାଙ୍କର ନନ୍ଦନ ଲୋକେଶ୍ୱର ଗୁରୁ।୧୨।

 

ୟେ ଗୁରୁ ବଂଶଯାକେ ବ୍ୟାସଙ୍କୁ ଥାନ୍ତି ଖଟି

ବ୍ୟାସେ ଶିଖାଇଲେ ଅଶ୍ରୂତି ଅଦୃଷ୍ଟି।୧୩।

ସନ୍ନିଧ୍ୟେ ରାଇଲେ ବ୍ୟାସେ ଲୋକେଶ୍ୱର ଗୁରୁଙ୍କୁ

ବିଦ୍ୟା ଶସ୍ର ଶାହାସ୍ର ପଢାଅ ହୋ ୟେ ବେନି କୁମାରଙ୍କୁ।୧୪।

 

ବ୍ୟାସଙ୍କର ଆଗ୍ୟାଂରେ ଗୁରୁ ଲୋକେଶ୍ୱର

ଆଖଡ଼ା ୟେକ ରଞ୍ଚିଲେ ଯାଇ ବନସ୍ତ ଭିତର।୧୫।

ଶର ବିଦ୍ୟା ଶିଖାନ୍ତି ସେ ଲୋକେଶ୍ୱର ଗୁରୁ

ଧନୁ ତ୍ରୋଣ ଫଳା ଖଣ୍ଡା ମାଲବିଦ୍ୟା ଡମ୍ୱରୁ।୧୬।

 

ପରିଘ କୋନ୍ତ ନାରାଜ ଅସିପତ୍ର ଯାଠି

ସକଳ ବିଦ୍ୟାୟେଣ ନିର୍ଜିତା ସର୍ବ ନିଷ୍ଠି।୧୭।

ଅନେକ ବିଦ୍ୟାରେ ସେ ହୋଇଲେ ନିର୍ଜିତା

ବେଦ ଶାହାସ୍ର ମନ୍ତ୍ରେଣ ସେ ପଣ୍ଡିତ ଭାଗ୍ୟବନ୍ତା।୧୮।

 

କକଡ଼ା ମାସ କୃଷ୍ଣପକ୍ଷ ତିଥି ଯେ ଚଉଠି

ପଣ୍ଡିତ ବାରଶତ ଭିଷା ନକ୍ଷତ୍ର ଯେ ଘଟି।୧୯।

ବାୟବ୍ୟ ନାମେ କରଣ ଇନ୍ଦ୍ର ନାମେ ଯୋଗ

କକଡ଼ା ସଂକରାନ୍ତିକି ୟେକୋଇଶ ଦିନ ଭୋଗ।୨୦।

 

ଲୋକେଶ୍ୱର ଗୁରୁ ବିଦ୍ୟା ଶିଖାନ୍ତି କୁମାରେ

ସେଦିନ ଆଖଡ଼ାରେ ବିଜୟ ଭାଗ୍ୟବରେ।୨୧।

ପଣ୍ଡୁ କୁମାରଙ୍କୁ ଦେଖି ସେ ହରଷ ହୋଇଲେ

ସକଳ ବିଦ୍ୟାମାନ ପରୀକ୍ଷ କରାଇଲେ।୨୨।

 

ନାନା ବିଦ୍ୟାରେ ସେ ନିର୍ଜିତା କୁମାରେ

ହରଷେଣ ପଣ୍ଡୁଙ୍କୁ ପ୍ରସନ୍ନ ହୋଇଲେ ଭାଗ୍ୟବରେ।୨୩।

ସାର୍ଥୁକ ଶହସ୍ର ମନ୍ତ୍ର ଶିଖାଇଲେ ଆଦିଗୁରୁ

ଶବଦକୁ ଭେଦିବ ଯେ ଶହସ୍ର ପ୍ରହାର କରୁ।୨୪।

 

ଶବଦ ଭେଦୀ ବିଦ୍ୟା ଶିଖାଇଲେ ତାହାଙ୍କୁ

ପ୍ରସନ୍ନେଣ ଅନେକ ବିଦ୍ୟା ଦିଲେକ ସେ ପଣ୍ଡୁଙ୍କୁ।୨୫-୧୧୫୧।

 

ଧୃତରାଷ୍ଟ୍ରଙ୍କର ବିବାହ ପ୍ରସ୍ତାବ ଓ 

Unknown

ଅନେକ ରାଜକନ୍ୟାଙ୍କର ମୃତ୍ୟୁ

 

ସତ୍ୟବତୀ ବୋଇଲେ ଭୀଷ୍ମଙ୍କୁ ବସାଇ

ଧୃତରାଷ୍ଟକଇ ବିଭା କରାଅ କନ୍ୟା ଗୋଟିୟେ ଲୋଡ଼ାଇ।୧।

ଶୁଣିଣ ସାନନ୍ଦ ଯେ ଭୀଷ୍ମ ମହାରଥୀ

ଶାଲୁ ରାଜାର ଦୁହିତା ନାମ ଶାଲୁବତୀ।୨।

 

ଭୀଷ୍ମେ ସ୍ୱହସ୍ତେ ସନ୍ତକ ଦେଲେ ଶାଲୁ ରାଜାଙ୍କୁ

ତୋହୋର ଦୁହିତା ଗୋଟି ଦେବୁ ଆମ୍ଭର ପୁତ୍ରକୁ।୩।

ଶାଲୁ ପରମ ସାନନ୍ଦହୋଇଲା ଭୀଷ୍ମଙ୍କର ବଚନ ଶୁଣି

ଧୃତରାଷ୍ଟକଇ ଦେବା ନିମନ୍ତେ କନ୍ୟା ସମ୍ଭାର କରିଆଣି।୪।

 

ସମଦଣ୍ଡ ଘେନିଣ ଶାଲୁ ଯେ ନୃପତି

ଦୁହିତାକୁ ଘେନି ମିଳିଲା ସତ୍ୟବତୀଙ୍କର କତି।୫।

ସତ୍ୟ ବାକ୍ୟ କରି ଯହୁଂ ଶାଲୁ ରାଜନ ମାନିଲା

ସେହି ଦିନ ରାତ୍ରରେ ସେ କନ୍ୟା ପ୍ରାଣତ୍ୟାଗ କଲା।୬।

 

ଦେଖିଣ ଶାଲୁ ଯେ ଅନେକ ବଇକୁଲ୍ୟ ହୋଇଲା

ଯମୁନା ନଦୀ କୂଳେ ସେ କନ୍ୟାକୁ ଦହନ କରିଗଲା।୭।

ଅନଙ୍ଗଦେଶର ସେ ଅନଙ୍ଗସେନ ରାୟେ

କାଳିନ୍ଦୀ ନାମେଣ ଯେତାହାର ଦୁହିତା ଗୋଟିୟେ।୮।

 

ତାହାକୁ ବରଣହୋଇଲା ଧୃତରାଷ୍ଟ ରାୟେ

ସତ୍ୟ କରାଇଣ ଦିଲେ ମାଳା ଯେ ଗୋଟିୟେ।୯।

ବରଣ କରିଣ ୟେଣେ ଅଇଲେ ଶାୟେଂତନୁ

ସେ କନ୍ୟା ଗୋଟି ନାଶଗଲା ସେହି ଦିନୁ।୧୦।

 

ନିର୍ଝର ଦେଶର ଯେ ରାଜା ଗଣପତି

କନ୍ୟାୟେ ତାହାର ଘରେ ହୋଇଲା ଉତପତ୍ତି।୧୧।

ତାହାର ନାମ ଯେ ଅଟଇ ଶରଧୃତି

ପାରେଶ୍ୱର କନ୍ୟାବରିଲେ ଧୃତରାଷ୍ଟଙ୍କୁ, ଥାଇ ସତ୍ୟବତୀ।୧୨।

 

ନିର୍ଝର ଦେଶ ରାଜା ଗଣପତି ସାନନ୍ଦ ହୋଇଲା

ମୋହୋର ଅନେକ ଭାଗ୍ୟ ବୋଲି ନଗ୍ରେ ଉତ୍ସବ କରାଇଲା।୧୩।

ସୋମବଂଶକଇ ଦେବି ଯେ ମୋହୋର କୁମାରୀ

ୟେହି ବଂଶ ଯେ ମଧ୍ୟ ଭୁବନେ ଅଧିକାରୀ।୧୪।

 

ୟେସନେକ ବିଚାର କରନ୍ତେ ନିର୍ଝର ଗଣପତି

ଶରଧୃତି କନ୍ୟା ନାଶଗଲା ସେହି ରାତି।୧୫।

ୟେହିମତେ ଅନେକ କନ୍ୟା ଗଲେ କ୍ଷୟେ

ପୁଣିହିଂ ବରିଲେ ଆନ ଯେ କନ୍ୟାୟେ।୧୬।

 

କର୍ଣ୍ଣମାଧବ ରାଜା କନ୍ୟା ଦେବାକଲା

ଧୃତରାଷ୍ଟ ନାମେଣ ଯହୁଂ ସତ୍ୟ ମନାସିଲା।୧୭।

ସେ କନ୍ୟାକୁ ସେ ଦିନ ସର୍ପ ଡଂସନ ହୋଇଲା

ନାମ ଧରିବା ମାତ୍ରକେ ସେ କନ୍ୟା ନାଶ ଗଲା।୧୮।

 

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଙ୍କି

କନ୍ୟାୟେ କିଂପେ ନାଶ ଯାନ୍ତି ଧୃତରାଷ୍ଟ ନାମ ରାଶିକି।୧୯।

ଅଗସ୍ତି ପ୍ରତିବାଚ ୟେହାର କୃତ୍ତିକା ବୃଷରାଶି

ଜାତିରେ ବ୍ରହ୍ମରାକ୍ଷସ ୟେ ୟେମନ୍ତେଣ କନ୍ୟା ନାଶି।୨୦।

 

ବ୍ୟାସ ପରା ମହାଋଷି ବୀର୍ଯ୍ୟ ପ୍ରଦାନକଲା

ବ୍ରହ୍ମ ଅସୁର ପଣେ କିଂପେ ଜନମ ଲଭିଲା।୨୧।

କୃତ୍ତିକା ଯୋଗେ ମୁନି ଯେ ପଶିଲେ ଶୃଙ୍ଗାରେ

ରୋହିଣୀ ବେଳେ ବୀର୍ଯ୍ୟ ଛାଡ଼ିଲେ ମୁନିବରେ।୨୨।

 

ଅମ୍ୱିକା କନ୍ୟା ଯହୁଂ ଶୃଙ୍ଗାର ସହି ନୁଆରିଲା

ଗତ ଆତ୍ମା ପ୍ରାୟେକ ସେ ମୋହେଣ ପଡିଲା।୨୩।

ଆରତେ ମହାତମା ଯେ ତେଜ୍ୟା କଲେ ରେତ

ତେଣୁ କରି ବ୍ରହ୍ମ ଅସୁର ଲକ୍ଷଣେ ହୋଇଲାକ ଜାତ।୨୪।

 

ଅଗସ୍ତି ବୋଇଲେ ଯେ ବଇବସୁତ ମନୁକୁ

ଏହେହ୍ନେକ ଯୋଗ ହୋଇଲା ଧୃତରାଷ୍ଟକୁ।୨୫।

 

ବ୍ରହ୍ମ ଅସୁର ଲକ୍ଷଣେ ସେ ହୋଇଲା ତପତ୍ତି

ତେଣୁ କରି କନ୍ୟାମାନେ ବରଣ

ହୋଇଲେ ହୋଉଛନ୍ତି ବିନଶ୍ୟତି।୨୬।

ବଇବସୁତ ମନୁ ବୋଇଲେ ପୁଣ ସେ ହୋଇବ କେମନ୍ତ

ୟେ କଥା ତଦନ୍ତ କରି ମୋତେ କହିବା ଭଗବନ୍ତ।୨୭।

 

ଅଗସ୍ତି ବୋଇଲେ ହୋ ଶୁଣ ଯୁଗପତି

ଧୃତରାଷ୍ଟ ବରଣରେ ଏକ ଉତ୍ତର ଶତେ

କନ୍ୟା ହୋଇଲେ ଯେ କ୍ଷତି।୨୮।

ବ୍ରଜଗିରି ଦେଶର ରାଜା ଯେ ବୀରକେତନ

ସେ ଆସି କନ୍ୟାୟେ କଲା ପରଦାନ।୨୯।

 

ଆହୋ ସେ କନ୍ୟାର ନାମ ଯେ ଅଟଇ ଚନ୍ଦ୍ରାବତୀ

ଅନେକ ସମ୍ଭର୍ବେ କନ୍ୟା ଆଣି ଦିଲାକ ନରପତି।୩୦।

ଧୃତରାଷ୍ଟ ଅନ୍ଧ ଅଟଇ ବେନି ଆଖି

ଅନ୍ୟ ଦେଶକୁ ନ ଯାଇ ବିଭାକୁ ଲୋକେ

ଉପହାସ କରନ୍ତି ଦେଖି।୩୧।

 

ୟେମନ୍ତେ କନ୍ୟାମାନନ୍ତ ଆଣନ୍ତି ପରରାଷ୍ଟ

ବିଶେଷେଣ ନୃପତି ସେ ବଂଶେଣ ଗରିଷ୍ଠ।୩୨।

କନ୍ୟାନ୍ତ ସେ ଆଣନ୍ତି ବାରୁଣାବନ୍ତ ବିଭା କରିବାକୁ

ସେ କଥା ରହିଲାଟି ୟେବେ ସୋମବଂଶ ରାଜ୍ୟକୁ।୩୩।

 

ରାଜାୟେ ବିଭା ହୋଇଂ ନ ଯାନ୍ତି ସେହିଦିନୁ

କନ୍ୟାୟେ ଆସନ୍ତି ନିଜର ଭୁବନୁଂ।୩୪।

କନ୍ୟା ପ୍ରଦାନ କଲା ସେ ବୀରକେତନ

ମହୁଶଯ୍ୟା ଯୁଗତେ କରାଇଲେ ଶୟନ।୩୫।

 

କ୍ରୀଡା ରଙ୍ଗ ସାରିଣ ଶୁତିଲେ ବରକନ୍ୟା

ମରିଣ ଶୋଇଅଛି ସେ ଚନ୍ଦ୍ରବଦନା।୩୬।

ପ୍ରାତ କାଳେ ସୁନ୍ଦରୀକି ନେଲେ ଶମଶାନେ

ଦହନ କରି ଶୁଦ୍ଧ ହୋଇଲେ ୟେକାଦଶ ଦିନେ।୩୭।

 

ବିଭା ଯୋଗ କରନ୍ତେ ଯହୁଂ ଅନେକ କନ୍ୟା ମଲା

ଧୃତରାଷ୍ଟଙ୍କୁ କନ୍ୟା କେହୁ ଦିଅନ୍ତା ନୋହିଲା।୩୮।

 

ବିଦୁରଙ୍କ ଜନ୍ମ

 

ସମୟେକେ ବିଜେ କଲା ବ୍ୟାସ ମହାଯତି

ଦେଖିଣ ସାନନ୍ଦ ସେ ହୋଇଲେ ସତ୍ୟବତୀ।୧।

ବ୍ୟାସଙ୍କୁ ରାଇଣ ସେ ବୋଲନ୍ତି ୟେକାନ୍ତେ

ଅମ୍ୱୁବତୀ ଅନେକ ମତେ ହୋଇଥାଇ ଭଗତି ମୋତେ।୨।

 

ହରିକେଶର ଦେଶର କେଶବ ନୃପତି

ସେ ରାଜା ଅଟଇ ଶୂଦ୍ର ଯୋନିରେ ଉତପତ୍ତି।୩।

ତାହାର ନନ୍ଦନୀ ନାମ ଅଟଇ ଅମ୍ୱୁବତୀ

ତାହାକଇଂ ପ୍ରଦାନ ହୋଇଲା ବିଚିତ୍ରବୀର୍ଯ୍ୟ ନୃପତି।୪।

 

ୟେ ଦୁହେଂ ଯହୁଂ ହୋଇଲେ ପୁତ୍ରବନ୍ତୀ

ୟେ ଅମ୍ୱୁବତୀର ମନ ବାବୁ ବହୁତ ବିକୃତି।୫।

ତୁ ମୋହୋର ନନ୍ଦନ ବାବୁ ପରମ ପଣ୍ଡିତ ଗ୍ୟାନବନ୍ତ

ଅମ୍ୱୁବତୀର ତହିଂ ପୁତ୍ର ଗୋଟିୟେ କର ତୁମ୍ଭେ ଜାତ।୬।

 

ମାତାଙ୍କର ବଚନେ ଯେ ବିଜୟେ ମୁନିବରେ

ପ୍ରବେଶ ହୋଇଲେ ଯାଇ ଅମ୍ୱୁବତୀର ପୁରେ।୭।

ଅମ୍ୱିକା ଅମ୍ୱାଳିକା ତହୁଂ ଜାଣି ଅଛନ୍ତି ସେ କିରତି

ତତକ୍ଷଣେ ଅନେକ ବେଶ ବେଶନ ବୋଇଲା ପ୍ରିୟବନ୍ତୀ।୮।

 

ବ୍ୟାସଙ୍କର ଶୃଙ୍ଗାର ସେ ସହିଲା ଯୁବତୀ

ହରଷେଣ ରସିଲା ସେ ମେଳ ଭାବମତି।୯।

ତୁଳମାସ କୃଷ୍ଣପକ୍ଷ ସପତମୀ ବୃହସ୍ପତି ବାର

ପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର।୧୦।

 

ସାଧ୍ୟ ନାମେ ଯୋଗ କରଣ ନାମ ବବ

ସଇନ୍ଦୁ ଜାତ ହୋଇଲା ବାଳକ ଅପୂରୁବ।୧୧।

ଅମୃତ ଯୋଗ ଘେନି ଉତପତ୍ତି ହୋଇଲାକ ସୁତ

ଦେଖିଲେ ବ୍ୟାସ ସେ ପରମ ପଣ୍ଡିତ।୧୨।

 

ପାଦେଣ ଜନମ ସେ ହୋଇଲା ନନ୍ଦନ

ବେନି ପାଦେ ପଦ୍ମ ଚିହ୍ନ କର ତଳେ ଶଙ୍ଖ ମୀନ।୧୩।

ବିଦୁବର ବାକ୍ୟେଣ ଭାଷଇ ଦିବ୍ୟବାଣୀ

ବିଦୁର ନାମ ତାକୁ ଦେଲେ ବ୍ୟାସ ମହାମୁନି।୧୪।

 

କୋଳେ ଧରି ବ୍ୟାସେ ମୁଖେ ଦେଲେକ ଚୁମ୍ୱନ

ବୋଇଲେ ଭୂତ ଭବିଷ୍ୟେ ତୁ ହୁଅସି ଗ୍ୟାନବାନ।୧୫।

ସମସ୍ତ ଦୃଶ୍ୟ ତୋତେ ହୋଉରେ ବାଳ ବଚ୍ଛି

ଅନୁବ୍ରତେ କନ୍ଧରୁ ତୋର ନଛାଡିବ ଲଛୀ।୧୬।

 

ଦଣ୍ଡ ବଳ ବୁଦ୍ଧି ତୋତେ ହୋଉ ସାବଧାନ

ପଣ୍ଡିତ ଧାର୍ମିକ ପଣେ ତୋର ସର୍ବଦା ଯାଉ ଦିନ।୧୭।

ୟେସନେକ ବର ଯେ ବ୍ରହ୍ମଗୁରୁ ଦିଲେ

ପୁତ୍ରକୁ ସମର୍ପିଲେ ନେଇ ସତ୍ୟବତୀଙ୍କର କୋଳେ।୧୮।

 

ପାରେଶ୍ୱର ବୋଇଲେ ବାବୁ ଧୃତରାଷ୍ଟ ଜାତିରେ ବ୍ରହ୍ମଅସୁର

ଯେବଣ କନ୍ୟାକୁ ବରଇ ସେ ହୋଅଇ ଅପହାର।୧୯।

ବ୍ୟାସ ବୋଇଲେ ଗୋ କିଛିହିଂ ନଭାଳ ମାୟେ

ମନ୍ଦକ୍ଷଣେ ଜାତ ହୋଇଲା ମୁହିଂ ତହିଂ କି ବୁଦ୍ଧି କରି ସିନା ଉପାୟେ।୨୦।

 

ବ୍ୟାସଙ୍କର ଗାନ୍ଧାରସେନ ସାକ୍ଷାତ

 

ୟେତେ କହିଂ ବ୍ୟାସେ ଗଲେ ଅନ୍ତର୍ଦ୍ଧାନେ

ପ୍ରବେଶ ହୋଇଲେ ଯାଇଂ ଗାନ୍ଧାରସେନ ଆସ୍ତାନେ।୧।

ଗାନ୍ଧାରସେନ ବୋଲି ତହିଂର ନରପତି

ୟେକ ଉତ୍ତର ଶତେ ପୁତ୍ର ତାର ୟେକଇଂ ଦୁହିତି।୨।

 

ଦୁହିତାର ନାମ ଯେ ଅଟଇ ଗାନ୍ଧାରୀ

ମନ୍ଦକ୍ଷଣେ ଜାତ ହୋଇଲା ବ୍ରହ୍ମ ଯେ ଅସୁରୀ।୩।

ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବଇ ରାତି

କୃତ୍ତିକା ନକ୍ଷତ୍ରେଣ ସେ ହୋଇଲା ଉତପତ୍ତି।୪।

 

ନିତ୍ୟାନ୍ତ ଉଆଂସୀ, ଜାତି କୃତ୍ତିକା ବୃଷ ରାଶି ବ୍ରହ୍ମ ଯେ ଅସୁରୀ

ୟେହେର୍ଣ୍ଣେକ ଲକ୍ଷଣେ ସେ ଜନ୍ମିଲା ଗାନ୍ଧାରୀ।୫।

ଯାହାକୁ ବର ବରଇ ଗାନ୍ଧାରସେନ ରାୟେ

ମାଳା ଦେଇ ବରିଲେ ସେ ନୃପତି ଯାଇ କ୍ଷୟେ।୬।

 

ଉଡ଼ଙ୍ଗ ଦେଶର ସେ ଭାନୁବନ୍ତ ନୃପତି

ଗାନ୍ଧାରୀଙ୍କି ବରିଲା ସେ ମଲା ତତକ୍ଷଣାନ୍ତି।୭।

ମହାରାଷ୍ଟ୍ର ଦେଶର ଯେ ନୃପତି ବିରୁପାକ୍ଷ

ଗାନ୍ଧାରୀଙ୍କି ବରିଲା ସେ ନଶିଲା ପ୍ରତକ୍ଷ।୮।

 

ନିକଟ ରାଜାମାନେ କେହି ବିଭା ଯେ ନୋହିଲେ

ଦୂରେଣ ବାଇଶି ରାଜା ଗାନ୍ଧାରୀକି ବରି ମଲେ।୯।

କେହି ପ୍ରଦାନ ନୋହିଲେ ଗାନ୍ଧାରୀକି

ବିକଳ ଗାନ୍ଧାରସେନ ଦୁହିତାକୁ ଦେଖି।୧୦।

 

ବିଚାରଇ ଗାନ୍ଧାରସେନ ଦୁହିତା ରୂପ ଲଚ୍ଛି

ୟେହାର ସମାନେ ବର କାହିଂ ପାଇବଇଂ ଇଚ୍ଛି।୧୧।

କୁମ୍ଭ ମାସ କୃଷ୍ଣ ପକ୍ଷ ପ୍ରତିପଦା ଦିନେ

ବ୍ୟାସ ପ୍ରବେଶ ହୋଇଲେ ଗାନ୍ଧାରସେନ ଭୁବନେ।୧୨।

 

ଦେଖିଣ ସାନନ୍ଦ ସେ ନୃପତି ଗାନ୍ଧାର

ଉଦକ ଢାଳଇ ନେଇଂ ବ୍ୟାସମୁନିଙ୍କ ପୟର।୧୩।

ଆପଣେ ଗାନ୍ଧାରସେନ ପୟର ପଖାଳି

ବ୍ୟାସଙ୍କର ପାଦ ଉଦକ ନିବେଶିତ ଶିରେ ତୋଳି।୧୪।

 

ନବନେତ ବସନ କୁଣ୍ଡଳ ରତ୍ନମାଳା ଦିଲା ମହାରାଜା

ଆସନ ପାଦାସନ ପାଦାର୍ଘ୍ୟେ କଲା ଦିବ୍ୟ ପୂଜା।୧୫।

ସୁବର୍ଣ୍ଣ ସିଂଘାସନେ ନେଇ ବସାଇଲେ ବ୍ୟାସଙ୍କୁ

କିଙ୍କର ହୋଇ ପଚାରଇ ମୁନି ଅନୁଗ୍ରହ କର ମୁକୁ।୧୬।

 

ଦେଖ ବଂଶ ମୋର ହୋଇଲା ମୋକ୍ଷ ଗତି

ପ୍ରତକ୍ଷେ ଦେବ ନାରାୟଣ ବେଦବ୍ୟାସ ମୋତେ ଦେବାକ ଗତି ମୁକତି।୧୭।

ୟେ ତୋହୋର ପାଦ ରଜ ପଡିଲା ମୋହୋର ପୁରେ

ଅକାରଣେ କାରଣ ପାଇଲି ମୁନିବରେ।୧୮।

 

ଅନେକ ବିନୋୟି ହୋଇ ସ୍ତୁତି କରଇ ଗାନ୍ଧାରସେନ ନରନାହା

ସଂସାରକୁ ଗତି ଦିଲୁ ଦେବ ଭାଷିଲୁ ସ୍ୱାମୀ ଯାହା।୧୯।

ମୁହିଂ ତୋହୋର ଦାସର ଦାସ ଅଟଇ ଜନ୍ମେ ଜନ୍ମେ

ସଂସାର ତାରିଲୁ ନାଥ ଅମୃତ ବଚନେ।୨୦।

 

ଭୂତ ଭବିଷ୍ୟ ବ୍ରତମାନ ଗ୍ରନ୍ଥମାନ କଲୁ

ଅଣାକାର ମନ୍ତ୍ରେ ତୁ ଶୂନ୍ୟପୁରୁଷ ବୋଧିଲୁ।୨୧।

ଅନାଦି ବିଷ୍ଣୁ ତୋତେ ଠାବ ଅଇ ବକ୍ଷ ସ୍ଥଳେ

ନାରାୟଣ ରୂପ ତୁ ଦେଖୁ ମହାପ୍ରଳୟର କାଳେ।୨୨।

 

ଅନେକ ସ୍ତୁତି କରି ସେ ଗାନ୍ଧାରସେନ ସ୍ୱାମୀ

ବ୍ୟାସଙ୍କର ପାଦ ତଳେ ଶତସହସ୍ର ଦଣ୍ଡ ପରଣାମି।୨୩।

ଶ୍ରୀସତ୍ୟବତୀ ନନ୍ଦନ ଚରଣ ମୋର ହୃଦେ

ଶୂଦ୍ରମୁନି ସାରୋଳ ଦାସ ନମେ ସଦାନନ୍ଦର ପଦ୍ମ ପାଦେ।୨୪।

 

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ବ୍ୟାସେ କଲ୍ୟାଣ କଲେ ଗାନ୍ଧାରସେନ ନୃପତି।୨୫।

ବସ, ବସ ମହାରାଜା ତୋର ସିଦ୍ଧ ହୋଉ ମନବାଞ୍ଛା

ଅରିଷ୍ଟ ଶାନ୍ତି ହୋଉ ତୋହୋର କୁଟୁମ୍ୱ କ୍ଷମେ ରକ୍ଷା।୨୬।

 

ଆହୋ! କୁଶଳ ହୋଇଅଛନ୍ତି ନା ତୋହୋର ସୋଦରେ

ପାଟମହାଦେଈ ତୋର କ୍ଷମେ ଅଛନ୍ତି ନା ପୁରେ।୨୭।

ପୁତ୍ରସନ୍ତତି ତୋହୋର ବ୍ରତନ୍ତି ନା ସଦାଚାରେ ଭାଗ୍ୟେ

ନାତିଗଣମାନେ ତୋହୋର ବ୍ରତନ୍ତି ନା ଆରୋଗ୍ୟେ।୨୮।

 

ଦେବତା ବ୍ରାହ୍ମଣେ ହୋଉଅଛୁଂ ନାଭ ଗତି

ହବିକି ଆହୂତି ଦେଉଛୁଂତ ନିତିପ୍ରତି।୨୯।

ଦୁଖୀ ଦରିଦ୍ରଙ୍କୁ ଅନ୍ନ ତୁ ଦେଉ ନା ନୃପତି।୩୦।

 

ଶୂନ୍ୟ ପୁରୁଷମାନେ କରୁ ଅଛନ୍ତି ନା ବୃଷ୍ଟି

ସୁବିଧାନେ ଫଳଦାୟକ ହୋଉଛି ନା ସୃଷ୍ଟି।୩୧।

ସଂସାର ପାଳନ କରୁଅଛୁ କି ନା ରାଜା

କୁଶଳେ ବ୍ରତନ୍ତି ନା ତୋହୋର ଜନପ୍ରଜା।୩୨।

 

ପ୍ରଜାନ୍ତ ପାଳିଣ ରାଜା ନ କରୁ ନା ଅବିଧି

ଦଇତ ଦାନବମାନନ୍ତ ରାଜା କରୁଅଛୁ ନା ସାଧି।୩୩।

ତୀର୍ଥେଣ ଉପଦର୍ପ ନାହିଂ ନା କଉଣୋପ

ତପିଜନ ରକ୍ଷା କରୁଅଛୁ କି ନା ସର୍ବ।୩୪।

 

ସର୍ବ ସୁବିଧାନେ ହୋଉଅଛି ନା ରାଜ୍ୟ

ସଂସାର ଶୁଭଧୁନି ରାଜାକୁ ସର୍ବ କାର୍ଯ୍ୟ।୩୫।

ଆହେ ସମସ୍ତ ସୁବିଧାନ ମୋହୋର ଶୁଣିମା ମହାମୁନ୍ୟେ

କଥାୟେ କହିବି ଶୁଣିମା ହୋଉ ସାବଧାନେ।୩୬।

 

ସ୍ୱାମୀ ଦୁହିତା ଗୋଟିୟେ ଅଛଇ ନାମ ତା ଗାନ୍ଧାରୀ

କୃତ୍ତିକା ବୃଷରାଶି ଜାତିରେ ବ୍ରହ୍ମଅସୁରୀ।୩୭।

ଯେତେକ ନୃପତି ମୁଁ ବରିଲି ବିଦ୍ୟମାନେ

ବାଇଶି ରାଜା ମଲେ ବରଣ ବିଧାନେ।୩୮।

 

ଦୁହିତାକୁ ପ୍ରଦାନ ନୋହିଲେ କେହି ଡରେ

ଯୁବା ଯୁବତୀ ସେ ଅଛି ମୋହୋର ଘରେ।୩୯।

ଦୁହିତା ଯେବେ ପିତା ଘରେ ଅବିଭାଇତ ରଜବତୀ

ତାହାର ଶୋଣିତେ ପିତୃଲୋକେ ସ୍ନାହାନ କରନ୍ତି।୪୦।

 

ୟେସନେକ ଦୋଷ ପୁରାଣେଣ ମୁଇଂ ଶୁଣି

ବିଧୁର ଆତ୍ମା କରି ଥାଇ ଶରୀର କଳଙ୍କ ଜାଣି।୪୧।

ମୋତେ ପ୍ରତିକାର କରିବା ପାରେଶ୍ୱର ତନୟେ

ଗାନ୍ଧାରୀକି ମୋର କରିବା କେବଣ ଉପାୟେ।୪୨।

 

ବ୍ୟାସେ ବୋଇଲେ ରାଜା ହୋଅଇ ୟେମନ୍ତ

ସତାଇଶି ନକ୍ଷତ୍ରେ ସମସ୍ତ ହୋନ୍ତି ଜାତ।୪୩।

ଅଶ୍ୱିନୀ ମଘା ମୂଳାର ଆଦ୍ୟ ତିନିଦଣ୍ଡ

ଦୋଷ ଲାଗିବାରୁ ତାର ନାମ ଜାଣ ଗଣ୍ଡ।୪୪।

 

ଜ୍ୟେଷ୍ଠା ଅଶ୍ଳେଷା ରେବତୀ ଶେଷ ପାଞ୍ଚଦଣ୍ଡେ

ଗଣ୍ଡ ଦୋଷ ଲାଗେ ଲେଖାଅଛି ଶାସ୍ତ୍ରଖଣ୍ଡେ।୪୫।

ଅଶ୍ୱିନୀ ତ୍ରିଦଣ୍ଡ ଯେବେ ପଡ଼ଇ ଦିବସ

ପୁତ୍ର କନ୍ୟା ଉପୁଜିଲେ ୟେହି ଗଣ୍ଡଦୋଷ।୪୬।

 

ପିତାକୁ ୟେ ଗଣ୍ଡଦୋଷ ବରଷେ ଲାଗଇ

ୟେହି ଯୋଗେ ଯେବେ ଜାତ ରାତ୍ରରେ ହୁଅଇ।୪୭।

ମାତାକୁ ଷୋଳ ବରଷ ଲାଗେ ଗଣ୍ଡଦୋଷ

ଆବର କହୁଛୁ ଶୁଣ ଗାନ୍ଧାର ନରେଶ।୪୮।

 

ଉଭୟ ସନ୍ଧ୍ୟାରେ ଯେବେ ହୁଅଇ ସନ୍ତତି

ସେହି ପୁତ୍ର ନାଶଯାଇ ଜାଣ ତତକ୍ଷଣାନ୍ତି।୪୯।

ମଘାନ କ୍ଷତ୍ରରେ ଗଣ୍ଡ ଆଦି ତିନିଦଣ୍ଡ

ୟେଥି ଜନ୍ମ ହେଲେ ପାଞ୍ଚବର୍ଷ ପାଇ ଗଣ୍ଡ।୫୦।

ମୂଳା ନକ୍ଷତ୍ରର ଆଦ୍ୟ ତିନି ଦଣ୍ଡେ ପାଇ

ଚାରି ବର୍ଷ ଗଣ୍ଡ ଯେବେ ପୁତ୍ର ଉପୁଜଇ।୫୧।

 

ଜ୍ୟେଷ୍ଠା ନକ୍ଷତ୍ରର ଜାଣ ଅନ୍ତ ପାଞ୍ଚଦଣ୍ଡ

ୟେଥି ଜନ୍ମ ହେଲେ ବେନି ବର୍ଷ ପାଇ ଗଣ୍ଡ।୫୨।

ଅଶ୍ଳେଷା ରେବତୀର ଯେ ଅନ୍ତ ପାଞ୍ଚଦଣ୍ଡ

ୟେଥି ଜନ୍ମ ହେଲେ ପାଞ୍ଚବର୍ଷ ପାଇ ଗଣ୍ଡ।୫୩।

 

ୟେତେ ଯୋଗେ ଦିବସରେ ଜନମ ଲଭିଲେ

ପିତାଙ୍କୁ ଗଣ୍ଡ ଲାଗଇ ପୁତ୍ର କନ୍ୟା ହେଲେ।୫୪।

ରାତ୍ର କାଳେ ଉପୁଜଇ ଯଦ୍ୟପି ସନ୍ତତି

ମାତାଙ୍କୁ ଗଣ୍ଡ ଲାଗିବ ବୋଲନ୍ତି ଅଗସ୍ତି।୫୫।

 

ଉଭୟ ସନ୍ଧ୍ୟାରେ ଯେବେ ଉପୁଜଇବାଳ

ତାହାର ଉପରେ ପରାଭବ କରେ କାଳ।୫୬।

ଗଣ୍ଡ ଦୋଷ ଲାଗଇ ଯେ ୟେତେକ ନକ୍ଷତ୍ରେ

ବ୍ୟାସେ କହିଲେ ଗାନ୍ଧାରସେନର ଅଗ୍ରତେ।୫୭।

 

ଦେବ ଅସୁର ମାନବ କୁଳେ ଜାତ

ୟେହାଙ୍କର ପ୍ରକୃତି ବାରିବା କେମନ୍ତ।୫୮।

ଅଶ୍ୱୀ ମୃଗଶିରା ପୁଷ୍ୟା ହସ୍ତା ରେବତୀରେ ପୁତ୍ର କନ୍ୟା ଉତପତ୍ତି

ଶ୍ରବଣା ପୁନର୍ବସୁ ଅନୁରାଧା ସ୍ୱାତି ଘେନି ଦେବ ଅଂଶ ହୋନ୍ତି।୫୯।

 

ଦ୍ୱିଜା ଆରଦ୍ରା ରୋହିଣୀ ଉତ୍ତର ଭୋଦୁଅ

ପୂର୍ବା ଫାଲଗୁନୀ ଉତ୍ତର ପୂର୍ବାଷାଢା ଦ୍ୱୟ।୬୦।

ପୂର୍ବ ଭାଦ୍ରବ ଉତ୍ତରା ଫାଲଗୁନୀ ୟେ ଦୁଇ ନକ୍ଷତ୍ରେ ଉତପତ୍ତି

ସ୍ତିରି ହୋଉ ପୁରୁଷ ହୋଉ ମନୁଷ୍ୟ ଅଟଇ ଜାତି।୬୧।

 

କୃତିକା ମଘା ବିଶାକା ଜ୍ୟେଷ୍ଠା ଶତଭିଷ

ଅଶ୍ଳେଷା ଧନିଷ୍ଠା ଚିତ୍ରା ମୂଳା ୟେ ହୁଅନ୍ତି ରାକ୍ଷସ।୬୨।

କୃତ୍ତିକା ନକ୍ଷତ୍ରେ ଉପୁଜିଲା ଗାନ୍ଧାରୀ

ଆବର ଉଆଂସୀ ହୋଇଲା ଜାତିରେ ବ୍ରହ୍ମ ଯେ ଅସୁରୀ।୬୩।

 

ଆହୋ ଚନ୍ଦ୍ର ନଷ୍ଟ ହୋଅଇ ସେ ଅମାବଇ ଦିନ

ଅତି ଦୋଷେ ସ୍ତିରୀ ହୋଅନ୍ତି ଉତପନ୍ନ।୬୪।

ସେ ଉଆଂସୀ କନ୍ୟାକୁ ବିଭା ହୋଅଇ ଯେବଣ ପୁରୁଷ

ତାହାର ଦେହ ଲାଗନ୍ତେ ଯଶ ଶ୍ରୀ ଆୟୁଷ ହୁଅଇ ନାଶ।୬୫।

 

ୟେସନେକ ସନ୍ଦେଶ ଯହୁଂ ବ୍ୟାସେ କଲେ ପୁଚ୍ଛା

ଶୁଣିଣ ଗାନ୍ଧାରସେନ ନୃପତି ପଡ଼ିଲାକ ମୂର୍ଚ୍ଛା।୬୬।

କୋଳେ ଧଇଲା ତୋଳିତାର ବିଜୟସେନ ମନ୍ତ୍ରୀ

ସାଷ୍ଟମ କରାଇଲେ ଯେ ପଣ୍ଡିତ ଭିଗ୍ୟଂଯତି।୬୭।

 

ବ୍ୟାସେ ବୋଇଲେ ବାବୁ ଶୁଣ ରାଜାଗାନ୍ଧାର

ଆମ୍ଭର ବୁଦ୍ଧି ୟେ ଅଛି କରିବା ପ୍ରତିକାର।୬୮-୧୨୭୭।

 

ସାହାଡ଼ା ବୃକ୍ଷ ମାହାତ୍ମ୍ୟ

 

ଗୋଲକ ବୃକ୍ଷ କରତାର ରଥେ ଚକ

ମହାକଳପ ବୃକ୍ଷ ସେ ହରଇ ମହାପାତକ।୧।

ପୂର୍ବେ ସ୍ରିଜିତ ତାହା କଲେକ ପ୍ରଜାପତି

ଦୋଷୀ କନ୍ୟା ହୋଇଲେ ତାକୁ ବିଭା କରିବ ଯୁଗତି।୨।

 

ଗାନ୍ଧାରସେନ ବୋଇଲା ସେ ବୃକ୍ଷଅଛି

ମୋହୋର ନବର ମଝା ଥାନେ

ମୁଂ ତାହାକୁ ମୁନିହୋ ପୂଜାକରଇ ନିତିଦିନେ।୩।

ବ୍ୟାସେ ପ୍ରତିବାଚ ତୁ ଭାଗ୍ୟବନ୍ତ ରାଜା

କିସ ଫଳ ଅଛି ତୁ ସାହାଡାବୃକ୍ଷ କରୁ ପୂଜା।୪।

 

ଗାନ୍ଧାରସେନ ପ୍ରତିବାଚ ସେ କରତାର ରଥ ଚକ

ଦ୍ରଶନେ ହରଇ ସେ ଅଶେଷ କୋଟି ପାତକ।୫।

ବ୍ୟାସେ ବୋଇଲେ ରାଜା ନୋହଇଟି ୟେମନ୍ତ

ଆମ୍ଭର ତହୁଂ ଶୁଣ ହୋ ଶାହାସ୍ର ସଂଗତ।୬।

 

ବୃଷଭ ମାସ କୃଷ୍ଣପକ୍ଷ ତିଥି ଯେ ଦଶମୀ

ଗୁରୁବାର ଶତଭିଷା ନକ୍ଷତ୍ରେ ବିଜୟେ ବିଶ୍ୱନାଥ ସ୍ୱାମୀ।୭।

ନନ୍ଦିକେଶ୍ୱର ଦେବ ବୃଷଭ ପଲାଣି

ପିଠିରେ ବିଜେକଲେ ଦେବ ପିନାକୀ ଶୂଳପାଣି।୮।

 

ହୃଦରେ ଆଭରଣ ଉଡ଼ଙ୍ଗ ସପତ ଫେରୁ

ଅନ୍ତରୀକ୍ଷେ ବାଜଇ ନବଲକ୍ଷେ ଡମ୍ୱରୁ।୯।

କଉତୁକେ ବିହଡନ୍ତି ସ୍ୱାମୀ ଦେବରାଜେ

ବଇଲ ଆରୋହିଣ ଦେବ ମଧ୍ୟପୁରେ ଦିଗ ବିଜେ।୧୦।

 

ଅନେକ ତୀର୍ଥେ ପସି ଆସନ୍ତି ସୁଢଳେ

ଚଳନ୍ତି ମହେଶ୍ୱର ବଇତରଣୀ ନଦୀ କୂଳେ।୧୧।

ସାହାଡାବୃକ୍ଷ ଗୋଟିୟେ ଅଛି ବାମ କତି ଲାଗି

ପତ୍ର ଗୋଟିୟେକ ବଇଲ ମଥାରେ ଘେନିଲାକ ବେଗି।୧୨।

 

ଈଶ୍ୱର ପୁଚ୍ଛା କଲେ ଶୁଣ ହୋ ମହା ବୃଷଭ

ୟେ ପତ୍ର ଗୋଟି ମଥାରେ ଘେନିଲୁ କି ସୁଲଭ ହୋଇବ।୧୩।

ବୃଷଭ ବୋଇଲା ଦେବ ବାମେ ଯେବେ ସାହାଡା ବୃକ୍ଷଥାଇ

ପତ୍ର ଗୋଟିୟେ ଶିରେ ଘେନିଲେ ଅମୃତ ଯୋଗାଡ଼ ପାଇ।୧୪।

ଡାହାଣ ଭାଗେ ଯେବେ ବୟର ବୃକ୍ଷ ଥାଇ

 

ତହିଂରୁ ପତ୍ର ଗୋଟିୟେ ଘେନିଲେ ଶତ୍ରୁ କ୍ଷୟେ ଯାଇ।୧୫।

ଆଗରେ ଶ୍ୱେତ ଦୁବ ଦେଖିଲେ ମଥାରେ ଘେନିମ ତୋଳି

ଅନେକ ଦୋଷ କ୍ଷୟ ଯାୟେ ଶୁଣିମା କପାଳୀ।୧୬।

 

ତୁଳସୀ ବୃକ୍ଷ ଯେବେ ଦେଖିବ ପଛକତି ଲେଉଟି

ମଥାୟେଣ ଘେନିମ ହାଦେ ଝଡିଲା ପତ୍ର ଗୋଟି।୧୭।

ଗ୍ୟାନେ ଅଗ୍ୟାନେଣ ଯେତେକ ପାପ ଅଛି

ତକ୍ଷଣେ ସକଳ ପାତକ ଯାଇ ଲେଛି।୧୮।

 

ସୁପଙ୍କୁ ଅନ୍ନ ପ୍ରାପତ ସାହାଡ଼ା ପତ୍ର ଘେନିଲେ

ୟେସନେକ ଚରିତ ବୃଷଭ ବୋଇଲେ।୧୯।

ଭୋଜନ ପାପତ ହୋଅଇ ସାହାଡ଼ା ପତ୍ରେକ ଘେନିଲେ

ଆଜି ପରୀଖି ଜାଣିମା ସଦାନନ୍ଦେ ବୋଇଲେ।୨୦।

 

ଚତୁର୍ଦ୍ଦଶ ଭୁବନ ବୁଲିଲେ ମହାଦେବ

ପାଣି ଘାସ ଆହାର କତିକି ସେ ନ ନିଅନ୍ତି ବୃଷଭ।୨୧।

ମନ ସରି ବୃଷଭକୁ ସେ ବୁଲାନ୍ତି ଉପବାସେ

ଗିରି ଅରଣ୍ୟେ ବୁଲନ୍ତି କ୍ଷେପନ୍ତି ଆକାଶେ।୨୨।

 

ବାହୁଡ଼ନ୍ତି କପିଳାସେ ବିଜେକଲେ ଆଦିତ୍ୟର ଅସ୍ତେ

କପିଳାସ ନିକଟେ ବିଜୟେ ପଞ୍ଚୁବକ୍ତ୍ର ତ୍ରିନେତ୍ରେ।୨୩।

ଅମୃତ ଯୋଗାଡ଼ ଯେ ରନ୍ଧନ କରନ୍ତି ଉମା

ସ୍ୱାମୀକି ବାଟ ଚାହିଂଣ ବିମୁଖ ଦେବୀ ବାମା।୨୪।

 

ତେର ଘଡ଼ି ଯହୁଂ ଗଡ଼ିଗଲା କରତାର

ଆପଣେ ଠାକୁରାଣୀ ବିଜେ କଲେ ମୁଣୋହିର।୨୫।

ସୁବର୍ଣ୍ଣ ପଇଲମେ ସକଳ ଯୋଗଡ଼ନ୍ତ ଭରି

ପିଠା ଖିରିସା ଗୋଟିକା ଛେନା ତାଗଡା ଆଦି କରି।୨୬।

 

ସୁବର୍ଣ୍ଣ କୋପରାରେ ସମସ୍ତ ପୂରୋଇଂ

ଦେବେ ପିତ୍ରେ ଅନ୍ନ ପାଣି ଦେଇ ତୁଣ୍ଡେ ପଞ୍ଚ ଗୁଣ୍ଡି ଲାଇ।୨୭।

ପାଣି ଆଧାର କରି ତିନି ଗୁଣ୍ଡି ଭୁଞ୍ଜି

ୟେସନକ ସମୟେ ଡମ୍ୱରୁ ଡିବି ଡିବି ବାଜି।୨୮।

 

ଶୁଣିଣ ଗୋସାମଣୀ ଯେ ବିଷାଦ ହୋଇଲେ

କେମନ୍ତ କରିବି ମୁହିଂ ଈଶ୍ୱରେ ବିଜେକଲେ।୨୯।

ସଂକୋଚେଣ ମୁଣୋହି ଛାଡ଼ି ଉଠିଲେ ବେଗହୋଇ

ବୃଷଭ ଗୁଆଣିରେ ଲୁଚାଇଲେ ନେଇ।୩୦।

 

ପିଠା ଖିରି ଶାକର ପୂରୋଇଲେ କାଞ୍ଚୋଲାରେ

ଆଞ୍ଚୋବନ ସାରି ଦେବୀ ହୋଇଲେ ବାହାରେ।୩୧।

ରତନ ଝରୀରେ ଦେବୀ ପାଣି ଯେ ପୂରୋଇ

ଛାମୁରେ ପ୍ରବେଶ ଯେ ହୋଇଲେ ମହାମାଈ।୩୨।

 

ନନ୍ଦିକେଶ୍ୱରଙ୍କୁ ରାଇ ଆଗ୍ୟାଂ ଦିଲେ ସଦାନନ୍ଦ

ବୃଷଭ ଗୋଟିକ ନେଇ ଗୁଆଣିରେ ବେଗେ ବାନ୍ଧ।୩୩।

ଆଗ୍ୟାଂ ପ୍ରମାଣେ ନନ୍ଦିକେଶ୍ୱର ଗଲା

ଯତନ କରି ତାକୁ ଖମ୍ୱରେ ନେଇ ବାନ୍ଧିଲା।୩୪।

 

ଈଶ୍ୱରେ ଆଗ୍ୟାଂ ଦିଲେ ନନ୍ଦିକେଶ୍ୱରକୁ ରାଇ

ଖଡ଼ ଆହାର ଘାସ ପାଣି କିଛି ଅନ୍ନ ନଦେବୁଟି ବଇଲଇଁ।୩୫।

ସ୍ୱାମୀ ଆଗ୍ୟାଂୟେଣ ସେ ଦୃଢ କରି ବାନ୍ଧିଣ ଅଇଲା

ବଜ୍ରର କିଳିଣି ଦେଇ ସେ କବାଟ କିଳିଲା।୩୬।

 

ବୃଷଭ ବିଚାରଇ ମୋତେ ଈଶ୍ୱର କଷିଲେ

କରତାର ନାଥ ୟେହା କିମ୍ପାଇ ନ ବିଚାରିଲେ।୩୭।

ମୋହୋର ୟେତେକ କଥା ଯେ ନିଷ୍ଫଳ ହୋଅନ୍ତେ

ଆବର କରତାରଙ୍କୁ କେ ଭଗତ ହୋଇବ ଯୁଗତେ।୩୮।

 

ନିସତେଣ ବାସି ଖଡ଼ ନାଡ଼େ ଦିଅନ୍ତେ ସେ ତୁଣ୍ଡେ

ଦେଖିଲା ଅମୃତ ଯୋଗାଡ ପୂରି ଅଛି ଭାଣ୍ଡେ।୩୯।

ସନ୍ତୋଷେଣ ଭୋଜନ ଯେ କଲାକ ବୃଷଭ

ସୁମରଇ ୟେକ ଲୟେ କରି ହାଦେ କରତାର ଦେବ।୪୦।

 

ଭୁଞ୍ଜିଣ ବଇଲ ଯେ ହୋଇଲା ଆନନ୍ଦ

ହେ ବୁଧ ଜନେ କରତାର ନାଥଙ୍କୁ ନିତ୍ୟେ ବନ୍ଦ।୪୧।

ଈଶ୍ୱର କଷଣରୁ ହୋଇଲିଟି ପାର

କିସ କରି ପାରଇଟି ଆବର ନାଶକର।୪୨।

 

ୟେହି ହସ୍ତରେ ଫଳ ଲଭନ୍ତି ବିରଞ୍ଚି ନାରାୟଣ ପ୍ରସାଦେ

ଶୂଦ୍ରମୁନି ସାରୋଳ ଦାସ କରତାର ପଦ୍ମପାଦେ ବନ୍ଦେ।୪୩।

ବ୍ୟାସେ ବୋଇଲେ ଶୁଣ ଗାନ୍ଧାରସେନ ନୃପତି

ୟେ ପତ୍ର ଶିରେ ଘେନିଲେ ୟେସନେକ ଫଳ ଶ୍ରୂତି।୪୪।

 

ଭୁଞ୍ଜିଣ ବୃଷଭ ତ୍ରିପୁତି ହୋଇଲା

ଶୋଷକୁ ପଣା ଭୋଖକୁ ଅମୃତ ଯୋଗାଡ଼ ପାଇଲା।୪୫।

ଶୋଇଅଛି ବୃଷଭ ହୋଇଣ ମହା ତ୍ରିପୁତି

ଶୁଭେଣ ପ୍ରସର ଯେ ହୋଇଲାକ ରାତି।୪୬।

 

କବାଟ ଫେଡି କରି ଦେବ ଯେ ସୁଢଳେ

ଭିତରକୁ ପଶିଲେ ଦେବ ବୃଷଭ ବିକଳେ।୪୭।

ଈଶ୍ୱରେ ହସିଲେ ଯେ ମହା ବୃଷଭକୁ ଚାହିଂ

କିସ ଫଳ ପାଇଲୁ ହୋ ସାହାଡା ବୃକ୍ଷ ଦାହି।୪୮।

 

ବଇଲ ବୋଇଲା ଦେବ ଶାହାସ୍ର ନୋହଇ ଯେ ମିଥ୍ୟା

ସୁଖେଣ ପାରି ହୁଅନ୍ତି ଯେତେ କରତାର ଭଗତା।୪୯।

ଈଶ୍ୱର ବୋଇଲେ ପାଇଲୁ ତୁ ଯେହ୍ନେ

ସଂସାର ଜନଙ୍କୁ ପ୍ରାପତ ହୋଉ ତେହ୍ନେ।୫୦।

 

ବୃଷଭ ବୋଇଲା ଦେବ ପ୍ରତକ୍ଷେ ପାଇଲି

ତୁମ୍ଭର ମୁଣୋହି ନ କରୁଣୁ ମୁଂ ଆଗେ ଯେ ଖାଇଲି।୫୧।

ଯେ ଯାହାକୁ ସ୍ୱାମୀ ହୋଇଥାଇ ଭଗତା

ଅବଶ୍ୟ ସେ ତାହାନ୍ତ କରନ୍ତି ନା ଚିନ୍ତା।୫୨।

 

ସେବକ ଚିନ୍ତା ଯେବେ ସ୍ୱାମୀକି ନ ଲାଗିବ

କେବଣ ମତେ ସେ ଏ ସଂସାରୁ ତରିବ।୫୩।

ଯେତେକ ଯୋଗାଡ଼ ତୁମ୍ଭର ମଢଫୁଲି

ତୁମ୍ଭର ମୁଣୋହି ନକରୁ ମୁଂ ଆଗତା ପାଇଲି।୫୪।

 

ସ୍ୱାମୀ ଲୟେ କରି ଦେଖ ନି ମୋହୋର ଗୁଆଣି

ଗନ୍ଧ ଆମୋଦଇ କର୍ପୂର ରସ ଜାଣି।୫୫।

ସ୍ୱରୂପ ଦେଖି ଈଶ୍ୱର ବିଷାଦ ହୋଇଲେ

ପାର୍ବତୀଙ୍କି ସଲ୍ଲଜ ହୋଇ ପଚାରିଲେ।୫୬।

 

ବୃଷଭକୁ ନେଇ ଟି କେହୁ ଦିଲା ମୋ ଯୋଗାଡ଼

ତୁମ୍ଭେ ଜାଣ ନିକି ଦେବି ଏଥିରତଥ୍ୟଯେବେଭାର।୫୭।

ପାର୍ବତୀ ହସିଲେ ଈଶ୍ୱରଙ୍କ ବଚନେ

ତୁମ୍ଭର ଆସିବା ବିଳମ୍ୱ ଦେଖିଣ ତ୍ରିଲୋଚନେ।୫୮।

 

ସମସ୍ତ ବାଢିଣ ଦେବ ବସିଲି ମୁଂ ଭୁଞ୍ଜି

ୟେସନ ସମୟେଣ ଡମ୍ୱରୁ ଶବଦ ବାଜି।୫୯।

କ୍ଷୁଧାୟେଣ ତୁମ୍ଭେ ମୋତେ କୋପ କରିବ ବୋଲି

ସବୁ ନେଇ ବୃଷଭ ଗୁଆଣିରେ ଭରିଲି।୬୦।

 

ସଦାନନ୍ଦ ହସିଲେ ଗିରିଜାର ବଚନେ

ୟେହେର୍ଣ୍ଣକ କରି ଯେ ପ୍ରାପତଟି କରାନ୍ତି ଦେବତାମାନେ।୬୧।

ବଦୟନ୍ତି ବ୍ୟାସେ ପାରେଶ୍ୱର ନାନେ

କରତାକୁ ସେବିଲେ ତପଫଳ ଶ୍ରୂତ ହାଦେ ଅଟଇ ୟେସନେ।୬୨।

 

ଚାଲ ହୋ ରାଜା ୟେବେ ସାହାଡ଼ା ବୃକ୍ଷ ଯେ ଦେଖିବା

ଗାନ୍ଧାରୀକି ତାହା ପ୍ରଦାନ କରିବା।୬୩।

ଭିତର ନବର ଅଗଣା ମଧ୍ୟ ସ୍ଥାନେ

ଗୋଲକ ବୃକ୍ଷ କଲେ ବର ବେଶ ବିଧାନେ।୬୪।

କନ୍ୟା ବେଶ ଯେ କଲେକ ଗାନ୍ଧାରୀ

ମଙ୍ଗଳ ବାକ୍ୟେ ତାଙ୍କୁ ସୀଉକାର ବରଣ କରି।୬୫।

 

ଉଦକ-ପାଦ ଗୋତ୍ର ଯେ ଶାକୋଟ ବୃକ୍ଷ

ବୃନ୍ଦା ଅର୍କ ଗୋତ୍ର ସେ ଗାନ୍ଧାରସେନ ବଂଶ।୬୬।

ଉଭୟ କୁଳ ଗୋତ୍ର ଉଚ୍ଚାରିଲେ ମୁନ୍ୟେ

ଗୋଲକ ବୃକ୍ଷ ଗାନ୍ଧାରୀକି କଲେକ ପ୍ରଦାନେ।୬୭।

 

ଗାନ୍ଧାରୀର କର ଗୋଲକ ବୃକ୍ଷଡାଳେ

କୁଶ ବନ୍ଧନ କରନ୍ତି ମୁନି ମନ୍ତ୍ର ବଳେ।୬୮।

ଗାନ୍ଧାରୀ ବୃକ୍ଷ ଯହୁଂ ୟେକ ଯୋଗ ହୋଇଲା

ସେ ସାହାଡା ବୃକ୍ଷଗୋଟି ତତ୍ କ୍ଷଣାନ୍ତି ମଲା।୬୯।

 

ଦେଖିଣ ଚକିତ ଯେ ହୋଇଲେ ମୁନିବ୍ୟାସେ

ଗାନ୍ଧାରସେନ ନୃପତି ବସିଲା ବିରସେ।୭୦।

ବ୍ୟାସେ ବୋଇଲେ ତୁ ନ ଭାଳ ନୃପତି

ସମସ୍ତ ଅରଷ୍ଟି ଏହାର ହୋଇଲା ନିଶାନ୍ତି।୭୧-୧୩୪୮।

 

ଗାନ୍ଧାରୀ ସହ ଧୃତରାଷ୍ଟ୍ରଙ୍କ ବିବାହ

 

ତୁ ୟେବେ ହାଦେ ଆମ୍ଭର ବଚନ କରିବା

ଗାନ୍ଧାରୀକି ତୋର ଆମ୍ଭ ଧୃତରାଷ୍ଟକଇ ଦେବା।୧

ବ୍ୟାସଙ୍କ ବଚନେ ରାଜା ସମଦଣ୍ଡ ସାଜି

ଚଳଇ ମହାରାଜା ହସ୍ତିନାପୁର ମଝି।୨।

 

ଗାନ୍ଧାରୀ କିଘେନି ଚଳିଲେ ବ୍ୟାସ ମହାଯତି

ଧୃତରାଷ୍ଟକୁ ପ୍ରଦାନ କଲେ ସେ ଯୁବତୀ।୩।

ଧୃତରାଷ୍ଟ ବ୍ରହ୍ମ ଅସୁର କୃତ୍ତିକା ବୃଷରାଶି

ଗାନ୍ଧାରୀ ବ୍ରହ୍ମ ଅସୁରୀ ଆବର ଉଆଂସୀ।୪।

 

ଧୃତରାଷ୍ଟ ନାୟେଂ ବରିଲା ଅନେକ କନ୍ୟା ମଲା

ଗାନ୍ଧାରୀକି ବରି ବାଇଶି ରାଜା ନାଶ ଗଲା।୫।

ଧୃତରାଷ୍ଟ୍ରକଇ ନାହିଂ କନ୍ୟା ଗାନ୍ଧାରୀକି ନାହିଂ ବର

ୟେ ଜାତି ବ୍ରହ୍ମ ଅସୁରୀ ସେ ବ୍ରହ୍ମ ଅସୁର।୬।

 

ଦୁହିଂଙ୍କର ୟେକ ଯୋଗ ହୋଇଲା ପୀରତି

ଧୃତରାଷ୍ଟ ଗାନ୍ଧାରୀ ହୋଇଲେ ୟେକ ମେଳ ମତି।୭।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ଗାନ୍ଧାରୀକି ଧୃତରାଷ୍ଟ ଯେ ହୋଇଲେ ପ୍ରଦାନୁ।୮।

 

ବେନି ଅସୁର ସେ ହୋଇଲେ ସମଯୋଗ

ବଢିଲା ପୀରତି ଉପୁଜିଲା ବହୁତ ରଙ୍ଗ।୯-୧୩୫୭।

 

କୁନ୍ତୀଙ୍କ ବାଲ୍ୟ ଚରିତ, ଦୁର୍ବାସାଙ୍କ 

ସେବା ଓ ତାଙ୍କଠାରୁ ବରପ୍ରାପ୍ତି

 

ବଇବସୁତ ମନୁ ପୁଛା କଲେ ଅଗସ୍ତିଙ୍କି

ପଣ୍ଡୁଙ୍କୁ କେମନ୍ତେ ବିଭା କଲେ କହିବା ବ୍ରହ୍ମ ବାକି।୧।

ଶୁଣ ହୋ ମହାତମା ଯୁଗାନ୍ତେକ ପୁରୁଷ

ପଣ୍ଡୁର ଚରିତ ଶୁଣିମା ଅମିୟ ଦିବ୍ୟ ରସ।୨।

 

ସିଦ୍ଧପୁର ନଗ୍ରେ କୁନ୍ତଭୋଜ ନୃପତି

ତାହାର ଭାରିଯା ନାମ ଅଟଇ ଜମ୍ୱୁବତୀ।୩।

ମଦନ ମହାଦେବର ସେ ଅଟଇ କୁମାରୀ

କରବୀରପୁରର ସେ ଅଟଇ ଅଧିକାରୀ।୪।

 

କୁନ୍ତଭୋଜ ରାଜାର ସେ ୟେକଇ ଦୁହିତା

ଶ୍ରଦ୍ଧାୟେ ନୃପତି ନାମ ଦିଲେ ତାହାକୁ କୋଇନ୍ତା।୫।

ବଡ଼ାଇ ସୁନ୍ଦର ସେ ଅଟଇ ଭାଗ୍ୟବନ୍ତୀ

ଅତି ସୁନ୍ଦର ସେ ଅତୁଳାୟିତ ଯୁବତୀ।୬।

 

ପୁତ୍ର ନଥାଇ ସେ କୁନ୍ତଭୋଜ ରାଜାର

ୟେକା ଦୁଲାଳୀକି ତାର ସ୍ରାଗ ଯେ ଅପାର।୭।

ବୃଷଭ ମାସ ପଞ୍ଚମୀ ବୃହସ୍ପତି ବାର

ଗୁରୁ ପୁଷ୍ୟା ଯେ ଅମୃତ ଯୋଗ ସେ ଦିନର।୮।

 

ବବ ନାମେ କରଣ ଯେ ଶୂଳ ନାମେ ଯୋଗ

ବୃଷଭ ସଂକରାନ୍ତିକି ତେର ଦିନ ଭୋଗ।୯।

ୟେମନ୍ତ ସମୟେଣ ଦୁର୍ଭାସା ମହାଋଷି

କୁନ୍ତଭୋଜ ରାଜା କଟକେ ପ୍ରବେଶ ହୋଇଲେ ଆସି।୧୦।

 

ଦେଖି କୁନ୍ତଭୋଜ ରାଜା ପାଦ ଅର୍ଘ୍ୟ ଦେଲା

ନିସ୍ତରିଲି ମହାତମା ହୋ ଆଜ ଦିନ ମୋତେ ଭଲା।୧୧।

ଅନେକ କାର୍ଯ୍ୟ ସୁଫଳ ହୋଇଲା ଆଜ ମୁକୁ

ମୁଂ କ୍ଷମ ହୋଇବି ତୋର ପାଦପଦ୍ମ ପଖାଳିବାକୁ।୧୨।

 

ଦୁର୍ଭାସାୟେ ପ୍ରତିବାଚ ତୁ ଅଛୁ ନା କୁଶଳେ

ପାତ୍ର ଅମନାତ୍ୟେ ଖଟି ଅଛନ୍ତି ନା ସକଳେ।୧୩।

ସମସ୍ତ କୁଶଳ ବୋଲି ବୋଇଲେ କୁନ୍ତଭୋଜ

ଜୀବନ ସୁଫଳ ମୁନି ହେ ଦେଖିଲି ମୁଂ ତୋତେ ଆଜ।୧୪।

 

ଦୁର୍ଭାସାୟେ ବୋଇଲେ ଆମ୍ଭେ ଅଇଲୁ ତୋହୋର ରାଜ୍ୟକୁ

ଚତୁର୍ମାସ୍ୟା ବଞ୍ଚିବୁ ବସାଖଣ୍ଡିୟେ ଦେବୁ ମୁକୁ।୧୫।

ବଡ଼ାଇ ସମ୍ପଦ ରାଜା ଦେଖିଲୁ ତୋର ପୁରୀ

ରହିବାକୁ ତୃଷ୍ଣା ଯେ ବଳିଲା ଆମ୍ଭରି।୧୬।

 

କୁନ୍ତଭୋଜ ବୋଇଲେ ମୁଂ କିସ କରିବି

ରୁହାଇଲେ ତୁମ୍ଭନ୍ତ ଭଗତି ହୋଇ ନୁଆରିବି।୧୭।

ଯାଅ ବୋଲି ବୋଇଲେ ତୋର କୋପ ଉପୁଜିବ ତନୁ

ଜାଣି ଅନୁଗ୍ରହ ମୋତେ କରିବା ତପୋଧନୁ।୧୮।

 

ଦଶ ସହସ୍ର ଯୋଜନେ ମୁଂ ଅଟଇ ଅଧିକାରୀ

ଦକ୍ଷ ଭ୍ରାଥ ସୁତ ନାହିଂ ନା ମୋହୋରି।୧୯।

ରାଜ୍ୟ ଚିନ୍ତାୟେଣ ନ ପୁଣ ପାସୋରଇ ତୋତେ

ତୁ ଈଶ୍ୱର ସମାନେ ମହାଋଷି ନ ପୁଣ କୋପ କରୁ ମୋତେ।୨୦।

 

ଦୁର୍ଭାସାୟେ ବୋଇଲେ ତୁ କାହୁଂ ଆମ୍ଭଙ୍କୁ ସେବା କରିବୁ

ତୋହୋର କରି ଆମ୍ଭଙ୍କୁ ଜଣେ ତୁ ଦେଇଥିବୁ।୨୧।

ଆଶ୍ରମ ଗୋଟିକ ଲିପିବ ଅଗଣା ଝୋଟି ଦେବ

ପାଣି ଝରିୟେ ଆଣିମ ଫୁଲ ପୁଡାୟେ ତୋଳି ଦେବ।୨୨।

 

ପାଲଟା ବସ୍ତ୍ର ଖଣ୍ଡ ପଖାଳିବ ନେଇ

ୟେତେକ କରିଣ ସେଟି ଆମ୍ଭଙ୍କୁ ଭଗତି ହୋଇ।୨୩।

କୁନ୍ତଭୋଜ ବୋଇଲା ମୁଂ ଆନକୁ କିଂପେ ଦେବି

ୟେକା ଦୁହିତା ଗୋଟିୟେ ମୋହୋର ତୁମ୍ଭଙ୍କୁ ଥାଉ ସେବି।୨୪।

 

ଦୁହିତାଙ୍କୁ ରାଇ ସେ ଆଗ୍ୟାଂ ଦିଲେ କୁନ୍ତଭୋଜ

ଆଶ୍ରମ ଖଣ୍ଡିୟେ କଲେ ନଗ୍ରର ବାହିଜ।୨୫।

କୋଇନ୍ତାୟେ ହୋଇଥାଇ ବିନୟ ଭଗତେ

ଦୁର୍ଭାସା ଋଷିଙ୍କି ସେବା କରଇ ଅନୁବ୍ରତେ।୨୬।

 

ରାତ୍ର ପ୍ରଭାତରେ ଅଗଣା ପଅଂରି

ଗୋମୟ ଘେନି ଛେରା ପକାଇ ଯତ୍ନ କରି।୨୭।

ନିତିପ୍ରତି ପାଚିଲା ଆମ୍ୱ ପତ୍ର ଲୁଚିୟେ ଆଣଇ ସାଉଣ୍ଟି

ପଖାଳି ପୀଢାରେ ଶୁଖାଇ ପାଲଟା କାଛୋଟି।୨୮।

 

ଗଡ଼ୁ ତମ୍ୱା ପାତ୍ରୀ କପୋରା ମାଜଇ ଆମ୍ୱିଳେ

ଆଶ୍ରମ ଖଣ୍ଡିକ ଲେପଇଂ କୃଷ୍ଣ ଗୋମୟରେ।୨୯।

ବିଭୂତି ଗୁଡ଼ାୟେ ମେଦଇ ସଞ୍ଚକରି

ପତ୍ର ଗୁଡ଼ାୟେ ଆଣଇ ସେ ବେଲ ଗଛରୁ ପାରି।୩୦।

 

ବାଳୁତ ବୟସ ସେ ରାଜାର କୁମାରୀ

ସୁଗ୍ୟାନୀ ପଣେ ଥାଇ ଋଷିଙ୍କି ସେବା କରି।୩୧।

ଋଷି ରାତ୍ରେ ସମାଧିରେ ବସିଥାନ୍ତି ଯେ ଭିତରେ

କପାଟ ଗୋଟି ପାଡ଼ି କୋଇନ୍ତା ବସିଥାଇ ବାହାର ଦୁଆରେ।୩୨।

 

କୋଇନ୍ତାର ଭଗତେ ଅନେକ ସନ୍ତୋଷ ଦୁର୍ଭାସା

ନାନା ତୀର୍ଥକୁ ମୁନି ନ କଲେ ମନୀଷା।୩୩।

କୁନ୍ତଭୋଜ ରାଜ୍ୟେ ମୁନି ରହିଲେ ନିଶ୍ଚିନ୍ତେ

ଚତୁର୍ମାସ୍ୟାକୁ ବୋଲି ରହିଲେ ପାଞ୍ଚ ବରଷ ପରିଯନ୍ତେ।୩୪।

 

ମଉଦଧି ତୀର୍ଥେ ଅର୍ଦ୍ଧୋଦୟା ପଡ଼ି ପାଦଚାରି

ଦକ୍ଷିଣ ମଉଦଧିକି ସମସ୍ତେ ଯାଉଛନ୍ତି ତୀର୍ଥ କରି।୩୫।

କୁନ୍ତଭୋଜ ରାଜାର ଅଗ୍ରତେ ମିଳିଲେ ତପୋବନ୍ତେ

ଦଣ୍ଡ କମଣ୍ଡଳ ମୁନି ତାମ୍ର ପାତ୍ର ହସ୍ତେ।୩୬।

 

ଦେଖିଣ ଉଠିଲା ମୁନି ମହୀଧର ସ୍ୱାମୀ

ମୁନିଙ୍କର ଚରଣେ ସେ ହୋଇଲା ପରିଣାମି।୩୭।

ୟେତେକାଳେ ଅନୁଗ୍ରହ ମୋତେ କଲେକ ଦୁର୍ଭାସା

ସମୟେକ ଆସିଣ ପୂରିଲା ମନୀଷା।୩୮।

 

ଦୁର୍ଭାସା ବୋଇଲେ ଆମ୍ଭେ ୟେଘାନ୍ତି ସେ ଅଇଲୁ

ପାଞ୍ଚବରଷ ହୋଇଲା ତୋର ରାଜ୍ୟରେ ରହିଲୁ।୩୯।

ବୋଲଇ ନୃପତି ନିସ୍ତରିଲି ତପୋବନ୍ତ

ୟେମନ୍ତ ହୋଇ କେ ତୋତେ ହୋଇଛି ଭଗତ।୪୦।

 

ଦୁର୍ଭାସାୟେ ବୋଇଲେ ବଡ଼ ସୁସ୍ଥେଣ ଯେ ଥିଲୁ

କୋଇନ୍ତାଙ୍କର ଭଗତେ ନାନା ତୀର୍ଥ ଉପେକ୍ଷିଲୁ।୪୧।

ଆମ୍ଭେ ତୋହୋର ପୁରେ ଅନେକ ପାଇଲଇ ସୁସ୍ଥ

ଆହୋ କୁନ୍ତଭୋଜ ତୋତେ ପ୍ରାପତ ହୋଉ ଶତେ ପୁତ୍ର।୪୨।

 

ସୋମବଂଶେ ସୁଲକ୍ଷଣୀ ହୋଉ ତୋର କୋନ୍ତା

ବୀର୍ଯ୍ୟ ପ୍ରଦାନ କରୁ ୟେହାକୁ ଧର୍ମ ଯେ ଦେବତା।୪୩।

ଧର୍ମ ବଳେ ବଳବନ୍ତା କ୍ଷତ୍ରୀ ହୋଇ ତୋର ପୁତ୍ର ହୋଉ ଜାତ

ପଞ୍ଚୁ କଟକରେ ଠାକୁରାଣୀ ହୋଉ ତୋ ଦୁହିତ।୪୪।

 

ୟେସନେକ ବର ଦେଇ ଚଳନ୍ତି ବ୍ରହ୍ମଯତି

କୋଇନ୍ତାୟେ ଗୋଡ଼ାଇଛନ୍ତି ସେ ମୁନିଙ୍କ ପଛ କତି।୪୫।

ରାଜ୍ୟ ଛାଡ଼ି ମହାତ୍ମାୟେ ପଶିଲେ ବନସ୍ତରେ

କୋଇନ୍ତାୟେ ଗୋଡ଼ାଇ ଅଛନ୍ତି ପଞ୍ଚୁକୋଶ ପର୍ଯ୍ୟନ୍ତରେ।୪୬।

 

କୋଇନ୍ତାୟେ ଛିଙ୍କିଲେ ବନସ୍ତରେ ଫୁଟି

ଧାତିକାରେ ଦୁର୍ଭାସାୟେ ଚାହିଂଲେ ଲେଉଟି।୪୭।

ଦୁର୍ଭାସାୟେ ବୋଇଲେ ତୁ ଗୋଡ଼ାଇଅଛୁ ଆଈ

ଆମ୍ଭନ୍ତ ଛାଡ଼ି ତୋହୋର ଚିତ୍ତ ନ ବଳଇ ଯାଇ।୪୮।

 

ବାହୁଡ଼ି ଯାଅ ମା ଗୋ ନ ପଶ ବନସ୍ତକୁ

ବ୍ୟାଘ୍ର ଭଲ୍ଲୁକେ ଅଛନ୍ତି ନାଶ କରିବେଟି ତୁକୁ।୪୯।

କୋଇନ୍ତାୟେ ବୋଇଲେ ମୁଂ ଈଶ୍ୱର ସମାନେ ଋଷିଙ୍କି ସେବାକରି

ୟେତେକାଳ ସେବା କରି ମୁଂ ଯେ ନିଷ୍ଫଳ ହୋଇଲି।୫୦।

 

ବାଲି କୁଢ ଗୋଟିୟେ କୁଢାଇ ପତ୍ର ଲୋଚିୟେ ତହିଂରେ ଦେଇ

ଲୟେ କରି ସେବିଲେ ପ୍ରସନ୍ନ ହୋଇ ସେହି।୫୧।

ତୋହୋର ପରା ଋଷିଙ୍କି ୟେତେ କାଳ ସେବାକଲି

ନିଷ୍ଫଳ ହୋଇଲା ମୁଂ କିଛି ନ ପାଇଲି।୫୨।

 

ଦୁର୍ଭାସାୟେ ବୋଇଲେ ତୁ ତ ତୁନୀ ହୋଇଥିଲୁ

ପାଞ୍ଚ ବରଷ ଯେ ସେବା କରି କିଛି ହିଂ ନ ମାଗିଲୁ।୫୩।

ମହାମନ୍ତ୍ର ହାଦେ ଗୋ ନ ଦେଉଟି ଯାଚି

ଆମ୍ଭେ ବିଚାରିଲୁ ୟେହାର କାର୍ଯ୍ୟ ନାହିଂ କିଛି।୫୪।

 

ୟେବେ ହେ ମହାତମା ମୋତେ ଅନୁଗ୍ରହ କରିବା

ସ୍ତିରୀ ଆମ୍ଭେ ମନ୍ଦ ଜାତି ପଦାର୍ଥେକ ଦେବା।୫୫।

ଦୁର୍ଭାସାୟେ ବୋଇଲେ ଗୋ ଯେ ତୋହୋର ଇଛା

ଦେବୁ ଅବଶ୍ୟ ଯେମନ୍ତେ ସୁନ୍ଦରି ତୋର ପୂରୋଇ ମନବାଞ୍ଛା।୫୬।

 

ମୁହିଂ ବାଳସ୍ତିରୀ ମୁନି ହେ ନ ଜାଣଇଂ ସନ୍ଦେହ

ଜାଣି ମହତମା ମୋତେ କରିବା ଅନୁଗ୍ରହ।୫୭।

ଦୁର୍ଭାସାୟେ ବୋଇଲେ ଗୋ ଆଈ ସ୍ତିରୀଙ୍କର ଯେହ୍ନେ ବ୍ରତ

ସୁନ୍ଦର ଭ୍ରଥା ହୋଇବ ସୁଭିଗ୍ୟଂ ପଣ୍ଡିତ ଭାଗ୍ୟବନ୍ତ।୫୮।

 

ସୁପୁତ୍ର ହୋଇବ ତୋର ଅତିଅନ୍ତ ବଳବନ୍ତା

ସାଂଗ୍ରାମକୁ କେବେ ହେଂ ନୋହିବ ପଛଗତା।୫୯।

ୟେସନେକ ବାଞ୍ଛା ସ୍ତିରୀଙ୍କର ପ୍ରକୃତି

ସୁନ୍ଦର ପୁରୁଷ ଦେଖିଲେ ହୋଅନ୍ତି ଭୋଳମତି।୬୦।

 

ଆମ୍ଭେ ଦେବୁ ତୋତେ ମହାମନ୍ତ୍ର ଜପାମାଳୀ

ୟେହା ଯତ୍ନକରି ତୁ ଥାଅସି ସମ୍ଭାଳି।୬୧।

ଶେଜ୍ୟା ଗତେଣ ଗୋ ସୁମରିବୁ ଯାହାକୁ

ସେ ଆସି ପ୍ରସନ୍ନ ହୋଇବ ଜାଣ ତୁକୁ।୬୨।

 

ଯଦ୍ୟପି ବ୍ରହ୍ମା ଇନ୍ଦ୍ର ସୂର୍ଯ୍ୟ ପବନ ଯେ ବିଷ୍ଣୁ

ମୂର୍ଦ୍ଧନି ଫାଟି ପ୍ରାଣ ଯିବ ନ ଅଇଲେ ତା ଘଟୁଂ।୬୩।

ଜପାମାଳୀ ଦେଇଣ ଯେ ଗଲେ ବ୍ରହ୍ମଯତି

ଅନ୍ତରୀକ୍ଷେ ମହାତମା ଗଲେ ତତ୍‌କ୍ଷଣାନ୍ତି।୬୪-୧୪୨୧।

 

କର୍ଣ୍ଣଙ୍କ ଜନ୍ମ

 

ଦୁର୍ଭାସାଙ୍କ ବଚନ ୟେସନେକ ଶୁଣି

ବିଚାର କରଇ ସେ କୁନ୍ତଭୋଜର ଦୁଲଣୀ।୧।

ୟେ ମହାଯତି ଯେବେ ମାଳା ଦେଇଗଲେ ମୋତେ

ୟେଥିର ତଦନ୍ତ ମୁଂ ଜାଣିମି କେମନ୍ତେ।୨।

ଯମୁନା କୂଳେ ଦେବୀ ଶାଳପତ୍ର ଶେଜ୍ୟା ଗୋଟି କଲେ

ମେରୁ ପୃଷ୍ଠ ହୁଅନ୍ତେ କରତାର ସୁମରିଲେ।୩।

 

ଅନ୍ତରୀକ୍ଷେ ଦେବ କରତାର ଆସନ କମ୍ପିଲା

ଦୁର୍ଭାସାଙ୍କ ମହାମନ୍ତ୍ର ସେ କୋଇନ୍ତା ସୁମରିଲା।୪।

ମୁଂ ୟେହା ବଞ୍ଚାଇ ନ ଯିବି କେମନ୍ତେ

ବିଜୟେ ବିରଞ୍ଚି ନାରାୟଣ କୋଇନ୍ତାଙ୍କ ଶଯ୍ୟା ଗତେ।୫।

କୋଇନ୍ତାକୁ କରତାର ଧଇଲେ ନିଜ କୋଳେ

ମୁଖେ ଚୁମ୍ୱନ ଦେଲେ ମଦନ ରସ ଭୋଳେ।୬।

 

କରପତ୍ର ଯୋଡ଼ିଣ ବୋଇଲେ ଭୋଜର କୁମାରୀ

କେ ଟି ତୁ ମହାତମା ମୋତେ ବଳାତ୍କାର କରି।୭।

ବୋଲନ୍ତି ଆରେ ମୁହିଂ ସେ କରତାର ବିରଞ୍ଚି ନାରାୟଣ

ଋଷିଙ୍କର ମହାମନ୍ତ୍ରେ ମୋତେ କଲୁ ସୁମରଣ।୮।

ୟେବେ ମୋତେ ଶୃଙ୍ଗାର ଦେବୁ ନା ରେ ବାଳୀ

ଅନେକ ବାଗେ ତାକୁ କଟାଳ କଲେ ଅଂଶୁମାଳୀ।୯।

 

କୋଇନ୍ତାୟେ ବୋଇଲେ ମୁଂ ଅବିଭାଇ ଅଟଇ ଅରଜବତୀ

ତୁ ଦିଗପାଳ ହୋଇ ମୋତେ କରୁଛୁ ଅନୀତି।୧୦।

ଦିନକର ନାଥ ବୋଇଲେ ତୁ ମନ୍ଦକୃତ କଲୁ

ଅଲାଗି ବାମା ହୋଇ ମୋତେ କିଂପେ ସୁମରିଲୁ।୧୧।

ଭୋ କରତାର ମୁଂ ସୁମରିଲି ଋଷିବିଦ୍ୟା ପରୀଖ ନିମନ୍ତେ

ସୁଗ୍ୟାନୀ ନାଥ ତୁ ମୋତେ ହରିବୁ କେମନ୍ତେ।୧୨।

 

ବିରଞ୍ଚି ବୋଇଲେ ଦୁର୍ଭାସାଙ୍କର ମହାମନ୍ତ୍ର କେହୁ ମେଣ୍ଟି

ଅବଶ୍ୟ ପ୍ରାଣ ହାରିବ ମୂର୍ଧୁନା ଯାଇ ଫାଟି।୧୩।

ତୁ ମୋତେ ସୁମରଣା କଲୁ ନ ବିଚାରି

ରମଣ ନ କଲେ ମୁଂ ତ ନଯାଇ ବାହୁଡ଼ି।୧୪।

ଯମୁନା ନଦୀ ତୀରେ ଗହନ ଅଟବ୍ୟା

କୋଇନ୍ତାକୁ ଶୃଙ୍ଗାର ଇଚ୍ଛିଲେ କରତା ଆଦି ଦେବା।୧୫।

 

ଶାନ୍ତି ମୂର୍ତ୍ତି ହୋଇଣ ଯେ କମଳ ଲୋଚନ

ଇନ୍ଦ୍ରି ବଢାଇଲେ ଯେ ଭଗର ସମାନ।୧୬।

ଅଖଳିତ କନ୍ୟା ସେ ଅଟଇ ସୂଚୀଭେଦ

ସୂଚୀ ନାଡ଼ ସ୍ୱରୂପେଣ ଉପସ୍ଥ କଲେ ଦେବ।୧୭।

ବିବସନ ସାହୀ ସେ ହୋଇଣ ଦେବା ଦେବୀ

ଅଗ୍ୟାଂନ ବାଳସ୍ତିରୀ ସେ କାମେଣ ଅଭାବି।୧୮।

 

କିଞ୍ଚିତ ଶୃଙ୍ଗାର ସେ କଲେ କରତାରେ

ବାହୁଡ଼ି ନ ଗଲେ ଦେବ ଦୁର୍ଭାସାଙ୍କ ମନ୍ତ୍ର ଡରେ।୧୯।

ବୀର୍ଯ୍ୟ ପତନ କାଳରେ ସେ ଭୋଜର କୁମାରୀ

ବଇକୁଲ୍ୟ ହୋଇ ଦେବୀ ଅନେକ ବିନୟ କରି।୨୦।

ଭୋ କରତାର ନାଥ ନ ଛାଡ଼ ତୋର ବୀର୍ଯ୍ୟ

ଅମୋହ ରେତ ଦେବ ମୋହୋର ଗର୍ଭେ ରହିବ ଆତ୍ମଜ।୨୧।

 

ଅବିଭାଇତ କନ୍ୟା ଆବର ଅରଜବତୀ

ଆବର ଗର୍ଭେ ମୋହୋର ରହିବ ସନ୍ତତି।୨୨।

ପିତାର ବଦନ ମୁଂ ଚାହିବି କେମନ୍ତେ

ଆବର ପ୍ରଦାନ କେ ହୋଇବାକ ମୋତେ।୨୩।

ଉଭୟ କୁଳକୁ ଉପୁଜିବ ବହୁତ ଲାଜ

ଅନୁଗ୍ରହ କରି ଦେବ ଗର୍ଭେ ନ ଛାଡ଼ ତୋ ବୀର୍ଯ୍ୟ।୨୪।

 

ଦିନକର ନାଥ ବୋଇଲେ ଗୋ ରତି ରଂଗ କଲେ

ଲିଙ୍ଗ ଭଙ୍ଗ ଦୋଷ ହୋଅଇ ବୀର୍ଯ୍ୟ ନ ଛାଡ଼ିଲେ।୨୫।

କୋଇନ୍ତା ବୋଇଲେ ଯେବଣ ବୀର୍ଯ୍ୟ ତୁ ଛାଡ଼ିବୁ ଦିନକର

ସଇନ୍ଦୁ ଉତପତ୍ତି ହୋଉ ଯେ କୁମର।୨୬।

କୋଇନ୍ତାଙ୍କର ବଚନ ଶୁଣିଣ ବିରଞ୍ଚି

ଢାଳିଲା ମହାରେତ ଗର୍ଭେଣ ନ ସଞ୍ଚି।୨୭।

 

ବୀର୍ଯ୍ୟ ପତନ କାଳେ ଦେବୀ ଗାଢେଣ କୋଳ କଲା

ଅନେକ ରଙ୍ଗେ ସ୍ୱାମୀ ଶୃଙ୍ଗାର ରସ ଦିଲା।୨୮।

ଉପସ୍ଥ ଘୋଟିଲା କୋଇନ୍ତାଙ୍କର ଗର୍ଭ ଗତେ

ବିରଞ୍ଚି ବୋଇଲେ ପୁତ୍ର ଜାତ ହୋଉଛି ଟି ତୋତେ।୨୯।

କୋଇନ୍ତା ବୋଇଲେ ଭୋ ଦେବ

ଭଗ ଦ୍ୱାରୁ ଜାତ ନ ହୋଉ ସନ୍ତତି

ଭବ ଗଳନ୍ତେ ମୁଂ ଯେ ହୋଇବି ଅସତୀ।୩୦।

 

କୁଳକୁ ଦୂଷିତ କଲି ଯେ ମୋହୋର ଦୁହିତା ପଣେ

ବିକଳ ଦେଖି ଦୟାକଲେ ବିରଞ୍ଚି ନାରାୟଣେ।୩୧।

କର୍ଣ୍ଣ ଦ୍ୱାରେ ବୀର୍ଯ୍ୟ ଯେ ଟେକିଲେ ଉଜାଣି

ୟେସନେକେ ଅଛି ସେ ପୂର୍ବରୁ ନିର୍ବାଣି।୩୨।

ମହା ଅମୋହ ରେତ ଅକ୍ଷୟ ସେ ବୀର୍ଯ୍ୟ

କର୍ଣ୍ଣ ବାଟେ ସଇନ୍ଦୁ ଉପୁଜିଲା ଆତ୍ମଜ।୩୩।

 

ଦେଖିଣ ପରମ ସାନନ୍ଦ ହୋଇଲେ କମଳଲୋଚନ

କୋଳ କରି ନାମ ଦେଲେ ତାହାର ବୀର କର୍ଣ୍ଣ।୩୪।

କର୍ଣ୍ଣେଣ ଚାପିଲେ ସ୍ୱାମୀ ଅମୃତ କୁଣ୍ଡଳ ବେନି

ତାଳୁରେ ଗୋପ୍ୟାନ କଲେ ଅମୃତ ଅଭେଦ କପଚ ମଣି।୩୫।

ଶରୀରେ ଲେପନ କଲେ ବଜ୍ର ଯେ ଛଉରି

କର୍ଣ୍ଣେଣ କୁମରର ମହା ବ୍ରହ୍ମ ମନ୍ତ୍ର ପଢି।୩୬।

 

ଆକୁଞ୍ଚିତ କେଶ ରସାଣିଲା ପାଟିଆ କପାଳ

ଖଗେଶ୍ୱର ଚଛୁ ନାସା ସୁନ୍ଦର ଗଣ୍ଡସ୍ଥଳ।୩୭।

ଶାର୍ଦ୍ଦୁଳ ଆକର୍ଷଣ ଦିଶଇ ଶରୀର ସରୋଜ

ହସ୍ତୀର ଥୋର ହସ୍ତ ଜିଣି ଦିଶଇ ବେନି ଭୁଜ।୩୮।

ଆରକ୍ତ ବେନି ଲୋଚନ ବିରାଜିତ ବେନି ନେତ୍ର

କନକ କନ୍ଧ ପଟଳ ଯେହ୍ନେ ପର୍ଣ୍ଣ ପର୍ବତ।୩୯।

 

ଅଫୁଟ ଚମ୍ପା କଢି ଜାଣି ଦିଶଇ ଅଙ୍ଗୁଷ୍ଠି

ଉଲଟ କଦଳୀ ଜାନୁ ୟେସନ ସୁନ୍ଦର ଗୋଟି।୪୦।

ସୁନ୍ଦର ସୁସଞ୍ଚ ଅତୁଳାୟିତ ବଳା

ଅନଙ୍ଗ ସୁନ୍ଦର ଜାଣି ତେଜ ଅନର୍ଗଳା।୪୧।

 

ନାନା ଶହସ୍ର ତୋର ଶରୀରେ ନ ଫୁଟୁ

କୋନ୍ତ ପରଶୁ କୃପାଣ ତୋ ଶରୀରେ ନ କାଟୁ।୪୨।

ରଣେ ଅଭୟ ତୁ ହୁଅସି ରେ କୁମର

ଦାନେଣ ସାହେର ତୁ ହୋଅସି ମହାବୀର।୪୩।

 

ଯେତେବେଳେ ପରିଯନ୍ତେ ତୁ ରଥରେ ବସିଥିବୁ

ତ୍ରୈଲୋକ୍ୟେ ଜିଣନ୍ତା ତୋତେ

ସାଂଗ୍ରାମେ ନୋହୁ କେ ରେ ବାବୁ।୪୪।

ଅନେକ ବିଦ୍ୟା ତାକୁ ଦେଇଣ ମାରତଣ୍ଡ

ଉଦୟଗିରି ଭେଦି ବିକାଶିଲେ ଉଦ୍ଦଣ୍ଡ।୪୫।

 

କୁମର କୋଳେ ଧରି ସେ ଭୋଜର କୁମାରୀ

କିସ ବୁଦ୍ଧି କରିବି ବୋଲିଣ ମନରେ ବିଚାରି।୪୬।

ୟେ ସୁସଞ୍ଚ ପୁତ୍ର ଗୋଟିକି ମୁଂ କେମନ୍ତ କରିବି

ପିତା ମାତା ଛାମୁରେ ମୁଂ କି ବୋଲି ବୋଲିବି।୪୭।

 

ଅବଶ୍ୟ ପଚାରିବେ ମୋତେ ବାଳୁତ ପୁତ୍ରକଇ ଦେଖି

ବୋଲିବେ କାହୁଂ ପାଇଲୁ ତୁୟେ ପୁତ୍ର ଗୋଟିକି।୪୮।

ମାତା ପିତାଙ୍କ ଆଗରେ ମୁଂ କେମନ୍ତେ କହିବି ମିଥ୍ୟା

ସତ କହିଲେ ତ ହୋଇବ ଲଜ୍ୟା ଅପ୍ରମିତା।୪୯।

 

ପରଦାରାୟେଣୀ ବୋଲି କେହି ପ୍ରଦାନ ନୋହିବେ

ସମସ୍ତେହେଂ ଦୁର୍ଭାସା ଋଷିଙ୍କି ଦୋଷ ଦେବେ।୫୦।

ବୋଲିବେ ମୁନିଙ୍କ ସଂଗେ ଯେ ଥିଲାକ ସମୟେ

ଦୁର୍ଭାସାଙ୍କର ରମଣେ ଯେ ଉପୁଜିଲା ତନୟେ।୫୧।

 

ୟେ ଜପାମାଳୀ ଥିଲେ କାହିଂକି ମୋର ଭୀତି

ଅନେକ ବାଗେ ମୁଂ ଯେ କରିବି ପୁତ୍ର ଉତପତ୍ତି।୫୨।

କରେଣ ଘେନି ଦେବୀ କର୍ଦ୍ଦମ ଲୋଚିୟେ

ଆପଣେ ଗଢିଲେ ଦେବୀ ମଂଜୁଷ ଗୋଟିୟେ।୫୩।

 

ତହିଂର ଭିତରେ ସେ ପୁତ୍ରକଇ ଭରି

ଯମୁନା ନଦୀକଇଂ ସେ ଦେଲେ ଫିଙ୍ଗି କରି।୫୪।

ପ୍ରତକ୍ଷେ ବାଳ ଆଦିତ୍ୟ ପ୍ରାୟେ ତେଜ ଯେବଣ ତନୟେ

କର୍ଣ୍ଣର ତେଜ ଲାଗି କର୍ଦ୍ଦମ ହୋଇଲା ସୁବର୍ଣ୍ଣ ମଞ୍ଜୁଷର ପ୍ରାୟେ।୫୫।

 

ଯମୁନା ନଦୀରେ ସେ ଗଲା ଉପୁଚିଆଇ

ଈଶାନ୍ୟ ମୁଖ ହୋଇ ଯାଇଛି ହେଠ ବୁଡ଼ ହୋଇ।୫୬।

 

ବାରୁଣାବନ୍ତ ତହିଂ ପଞ୍ଚତିରିଶ ଯୁଣ

ସେ ମଂଜୁଷ ଲାଗିଲା ଯାଇ

ଉତ୍ତରାଙ୍କ କୋଣ।୫୭।

 

ରାଧାଙ୍କର ଜନ୍ମଚରିତ ଓ ତାହାଙ୍କ ଦ୍ୱାରା କର୍ଣ୍ଣ ପ୍ରତିପାଳନ

 

ଗାଲବର ନନ୍ଦନ ସେ ଅଟଇ ସଂଜୟେ

ରାଧେବୀ ବୋଲିଣ ଯେ ତାହାର ଦୋହିତାୟେ ୧।

ପୂର୍ବ ଜନ୍ମେ ସେ ଅନୁଛାୟା ଅଟଇ ଅପଛରୀ

ବାସବଙ୍କୁ ସ୍ନେହ ଭାବନ କରଇ ଗର୍ବଧରି ୨।

 

ରାଗେଣ ସୁରନାଥ ଅଭିଷାପ ଭାଷି

ଯାଆଲୋ ପାମରୀ ହୋଅ ତୁ ମାନଷୀ ୩।

ସଂଜୟେ ମନ୍ତ୍ରୀର ଭାରିଯା ନାମ ତା ଶରଧା

ସେ ତୋତେ ପାଳୁ ଲୋ ନାମ ତୋର ହୋଉ ରାଧା।୪।

 

ବାସବର ଶାପ୍ୟେ ସେ ସ୍ୱର୍ଗରୁ ପତିତ

ସେହି ସରୂପେ ସେ ହୋଇଲା ବାଳୁତ ୫।

ସିଂହ ବୃହସ୍ପତି ଯେ ପଡିଥିଲା ଗଉତମୀ

ଅନେକ ଜନେ ତହିଂ ଗଲେ ତୀର୍ଥ ଭ୍ରମି ୬।

 

ଜନ ଗହନ ମେଳେ ସେ ବାଳୁତ ତହିଂ ଥିଲା

ସଂଜୟ ମନ୍ତ୍ରୀ ତାହା ତୀର୍ଥରେ ଭେଟିଲା ୭।

ଅନ୍ତରାଳ ହୋଇ ସେ କାନ୍ଦଇ କୁମାରୀ

ଶରଧାବତୀ ଯେ ତାହାକୁ ଧଇଲା କୋଳକରି ୮।

 

କେହି ତାହାକୁ ମୋହୋର ବୋଲି ବୋଲନ୍ତା ନୋହିଲା

ସଂଜୟ ଭାରିଯା ତାକୁ ହସ୍ତିନା ଘେନିଣ ଅଇଲା ୯।

ରାଧା ନାମ ଦିଲା ତାହାକଇଂ ଭାଳି

ସୁନ୍ଦର ଦେଖିଣ ତାକୁ ଯତନେ ପ୍ରତିପାଳି ୧୦।

 

ସେ ସଂଜୟ ଦୁହିତା ଗଲା ଯମୁନା ସ୍ନାହାନେ

ମଂଜୁଷ ଗୋଟିୟେ ହେଠ ବୁଡ଼ ଦେଖଇ ଜଳର ଉଦଯାନେ ୧୧।

କର ବଢାଇ ଧଇଲା ଦେବୀ ବଡ଼ ଯେ ଶରଧା

ମଂଜୁଷ ସମେତେ ଘେନି ସେ ବେଗେ ଗଲା ରାଧା।୧୨।

 

କୂଳରେ ଆଣି ତାହା କଲା ବେନି ଫାଳ

ଦେଖିଲା ବାଳ ଆଦିତ୍ୟ ଜାଣି ଯେ ଦୁଲାଳ ୧୩।

ପୁତ୍ରକୁ କୋଳେ ଘେନି ଗଲାକ ନିଜ ପୁରେ

ସଂଜୟେ ବୋଇଲେ ଆୟି ସମ୍ଭାଳ କୁମରେ ୧୪।

 

ୟେ ପୁତ୍ର ଗୋଟିକି ତୁ ଗୋ ଆଣିଲୁ ଶରଧାୟେ

ୟେହାର ନାମ ଗୋଟି ଯେ ହୋଇବ ରାଧାୟେ ୧୫।

ଯତ୍ନ କରି କର୍ଣ୍ଣକୁ ପାଳିଲା ସେ ସଂଜୟ କୁମାରୀ

ଅନୁଭବ ନୃପତିକଇଂ କନ୍ୟା ପ୍ରଦାନ କରି ୧୬।

 

Unknown

କୁନ୍ତୀଙ୍କ ସହ ପଣ୍ଡୁଙ୍କର ବିବାହ

 

ଯମୁନା ଜଳେ ଯେ ପୁତ୍ରକୁ ପକାଇ

କୋଇନ୍ତା ଦେବୀ ଗଲେ ବିଷାଦପୂର୍ଣ୍ଣ ହୋଇ।୧।

ଶରୀର ସମ୍ଭାଳି ତହୁଂ ଗଲେ ଦେବୀ କୋନ୍ତେ

ଅନ୍ତେଶ୍ୱରେ ପ୍ରବେଶ ହୋଇଲେ ଭୋଜର ଦୁହିତେ।୨।

 

ଦୁର୍ଭାସାଙ୍କର କଲ୍ୟାଣ ଯେ ପ୍ରତକ୍ଷେ ହୋଇଲା

କୁନ୍ତଭୋଜ ନୃପତିର ତିନି ପୁତ୍ର ଉପୁଜିଲା।୩।

କର୍ଣ୍ଣଭୋଜ, ବୀରଭୋଜ, ଆବର ମୁକୁନ୍ଦଭୋଜ

ୟେମନ୍ତେ ଉପୁଜିଲେ ରାଜାର ତିନି ଯେ ଆତ୍ମଜ।୪।

 

ବଳବନ୍ତ ସୁନ୍ଦର ସେ ଅଟନ୍ତି ଜଗଜିଣା

ବିଦ୍ୟାରେ କୁଶଳ ହୋଇଲେ ସେ କୁନ୍ତଭୋଜର ଦୁଲଣା।୫।

କାର୍ତ୍ତିକ ମାସ ଶୁକଳ ପକ୍ଷ ବୁଧବାର ଯେ ପୂର୍ଣ୍ଣମୀ

ଆକାମାବଇ ସ୍ନାହାନ ଦିନ ଗଙ୍ଗାକୁ ଗଲେ କୁନ୍ତଭୋଜ ସ୍ୱାମୀ।୬।

 

ସେହି ଗଙ୍ଗା ସ୍ନାହାନକୁ ଭୀଷ୍ମେ ଯେ ଅଇଲେ

କୁନ୍ତଭୋଜ ରାଜାତୁଲେ ମଇତ୍ର ହୋଇଲେ।୭।

ଦୁଇଲୋକଙ୍କରହୋଇଲାରୋହିଣୀବୃଷରାଶି

ମଇତ୍ର ଯୋଗ ହୋଇଲେ ସେ ଗଙ୍ଗା କୂଳେ ବସି।୮।

 

ପଣ୍ଡୁକୁମର ଯାଇ ଅଛି ଯେ ଭୀଷ୍ମଙ୍କର ତୁଲେ

କୁମାରୀ ମାନଙ୍କର ତୁଲେ କୋଇନ୍ତାୟେ ଯାଇଥିଲେ।୯।

ପଣ୍ଡୁ ବସିଲେ ଯାଇ ଭୀଷ୍ମଙ୍କର କୋଳେ

କୋଇନ୍ତାୟେ ବସିଛନ୍ତି କୁନ୍ତଭୋଜର ଜାନୁରେ।୧୦।

 

ୟେହେନ୍ନେକ ସରୂପ ଦେଖିଲେ ସତ୍ୟବତୀ

କୁନ୍ତଭୋଜକୁ ପଚାରିଲେ କିୟେ ତୋହୋର ଦୋହିତୀ।୧୧।

ୟେ ଦୋହିତା ବୋଲି ବୋଇଲେ କୁନ୍ତଭୋଜ ରାୟେ

ପ୍ରଣପତ୍ୟ ହୋଇଲେ ଯାଇଂ ସତ୍ୟବତୀଙ୍କର ପାୟେ।୧୨।

 

ପାରେଶ୍ୱର ବୋଇଲେ ତୁ ଶୁଣ ନରନାଥ

ଆମ୍ଭ ପୁତ୍ର ପଣ୍ଡୁକଇଂ ପ୍ରଦାନ କର ତୁ ତୋହୋର ଦୋହିତ।୧୩।

ଶୁଣିଣ କୁନ୍ତଭୋଜ ସାନନ୍ଦ ହୋଇଲା

ଦେବଇ ଦୋହିତା ବୋଲି ସତ୍ୟ ଉଚ୍ଚାରିଲା।୧୪

 

ସେଇ ତୀର୍ଥସ୍ଥାନେ ସେ ଉତ୍ସବ କରାଇଲା

ବିଭାର ଶୁଭଯୋଗ ଲଗ୍ନ ବେଳ ଧଇଲା।୧୫।

କାଶ୍ୟପ ଗୋତ୍ର ସେ କୁନ୍ତଭୋଜନର ପତି

ସୋମବଂଶ ଗୋତ୍ରେ ଯେ ବିଚିତ୍ରବୀର୍ଯ୍ୟର ସନ୍ତତି।୧୬।

 

ଓହୋକୁଳ ଗୋତ୍ର ଉଚ୍ଚାରଣ କଲେ ସତ୍ୟବାକି

ବିଭା ଶୁଭଯୋଗ କରାବନ୍ତି ପୁରୋହିତ ଉଦ୍ଦାଳକି।୧୭।

ଶୁଭେଣ ପ୍ରଦାନ ଯେ ହୋଇଲା କୁମାରୀ

ପଦ୍ମେକ ରଥ ଯଉତୁକ ଦିଲେକ ଦଣ୍ଡଧାରୀ।୧୮।

 

ବେନି ପଦ୍ମ ଗଜ ଯେ ଚାରିପଦ୍ମ ହୟେ

ଦ୍ୱାଦଶ ଯୋଜନ ପୃଥୀ ରାଜା ଯଉତୁକ ଦିୟେ।୧୯।

ପାଞ୍ଚଲକ୍ଷ ପାଟଛତ୍ର ଆଲମ୍ୱ ୟେକ ଲକ୍ଷ ଅନେକ ବାଦ୍ୟ

ଯଉତୁକ ଦିଲା ରାଜା ପରମ ସାନନ୍ଦ।୨୦।

 

ଶତେ ପଦ୍ମ ଗୋଧନ ଦିଲାକ ନୃପମଣି

ଚଉବିଂଶ ଧନ ଭଣ୍ଡାର ଦାନ ଦିଲାକ ଆଣି।୨୧।

ଭୀଷ୍ମେ ବୋଇଲେ ଶାୟେଂତନୁକୁ ଅତି ବିନୟେ କରି

ଅପୁତ୍ରିକ ଦୋଷୁଂ ମୁଂ ନୋହିବି ଦଣ୍ଡଧାରୀ।୨୨।

 

ଭୂରିଶ୍ରବାୟେ ତ ନ ପଶିବେ ରାଜ୍ୟପଦେ

ଧୃତରାଷ୍ଟ ନାଶ ଗଲେ ସେ ହେଲେ ଚକ୍ଷୁ ଅନ୍ଧେ।୨୩।

ବିଦୁର ବିଚକ୍ଷଣ ସେ ଅଟଇ ଅନ୍ୟ ଜାତି

ପଣ୍ଡୁଙ୍କୁ କରାଇବା କି ପଞ୍ଚୁ କଟକେ ଚକ୍ରବ୍ରତୀ।୨୪।

 

ପାରେଶ୍ୱର ବୋଇଲେ ତୁ ସତ କି ମିଛ କହୁ

ପଣ୍ଡୁଙ୍କୁ ରାଜପଦ ଦିଲେ ତୁ ନିକି ଅମରିଷ ବହୁ।୨୫।

ଭୀଷ୍ମେ ବୋଇଲେ ମୋର ଚିତ୍ତେ ଆନ ନାହିଂ

ସତ୍ୟ ସତ୍ୟ ବାକ୍ୟେ ଦୃଢ ବ୍ରତ କଲି ମୁହିଂ।୨୬।

 

ପାରେଶ୍ୱର ଶାୟେଂତନୁ ଶୁଣି ପରମ ସାନନ୍ଦ ହୋଇଲେ

ରାଜ୍ୟେଣ ଅବିଷେକ ପଣ୍ଡୁଙ୍କୁ କରାଇଲେ।୨୭।

ବ୍ୟାସେ ବଶିଷ୍ଠେ ମାରକଣ୍ଡେ ଆଦି କରି

ପୂର୍ଣ୍ଣ ଅର୍ଘ୍ୟ ଦିଲେ ସମସ୍ତ ତପଚାରୀ।୨୮।

 

ଅନେକ ଯାଗଯଗ୍ୟଂ କଲେ ପୂର୍ଣ୍ଣ ଯେ ଆହୂତି

କୋଟିୟେ ତୀର୍ଥ ଘେନି ପୁଷ୍କର କ୍ଷେତ୍ର ଆଧିପତି।୨୯।

ଅବିଷେକ କଲେକ ନେଇ ପଣ୍ଡୁ କୁମରର ଶିରେ

ଜୟ ଜୟ ବାଣୀ ଯେ ଶୁଭିଲା ତିନିପୁରେ।୩୦।

 

ବିଭା ଅବିଷେକ କଲେ କଳପ ବଟ ତଳେ

ନରେନ୍ଦ୍ର ପଦ ଦିଲେ ପଣ୍ଡୁଙ୍କୁ ଶୁଭବେଳେ।୩୧।

ସମଦଣ୍ଡ ଘେନିଣ ଚଳନ୍ତି ନିଜଦେଶେ

ପୁରଜନମାନେ ଯେ ଅନେକ ହରଷେ।୩୨।

 

କାଶୀଦେଶର ରାଜା ନାମ କାଶୀଶ୍ୱର

ଅନୁମତି ନାମେଣ ଥିଲା ଦୋହିତା ତାହାର।୩୩।

ବିଦୁରକୁ ପ୍ରଦାନ କରାଇଲେ ଅନୁମତି ଯୁବତୀ

ସେ କାଶୀଶ୍ୱର ରାଜା ଯେ ଅଟଇ ବୈଶ୍ୟ ଜାତି।୩୪।

 

ଅନ୍ଧ ପଣ୍ଡୁ ବିଦୁର ହୋଇଲେ ତିନି ଭ୍ରାଥେ

ପଣ୍ଡୁ ରାଜା ପଦେ ବସିଲେ ଧର୍ମ ଅର୍ଥେ।୩୫।

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ତ୍ରୈଲୋକ୍ୟେ ବିଦିତ ହୋଇଲା ସେ ପଣ୍ଡୁ ନରପତି।୩୬।

 

ଧାର୍ମିକ ବିବେକ ଦୟାଳୁ ସେ ପଣ୍ଡୁ ମହାରାଜା

ଦାନେ ଶୂରବନ୍ତା ସେ ଦେବ ବିପ୍ରେ ବଡ଼ ପୂଜା।୩୭।

ହବିର୍ଭାଗ ଦିଅଇ ରାଜା ଅନୁବ୍ରତେଣ ଆହୂତି

ନିଯୋଗ ଭିଆଣ ରାଜଯୋଗ କରୁଥାଇ ନିତି।୩୮।

 

ଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ପଣ୍ଡୁଙ୍କୁ

ଅନେକ ବିଦ୍ୟା ଯେ ଶିଖାଇଲେ ତାହାଙ୍କୁ।୩୯।

ଶାହାସ୍ର ବିଦ୍ୟା ଉତ୍ତମ ଧନୁସାର ବିଦ୍ୟା

ମାଲବିନ୍ଧା ବିଡ଼ମ୍ୱଣ ପଦ ମନ୍ତ୍ରସିଦ୍ଧା।୪୦।

 

ୟେମନ୍ତେ ମହାଭିଗ୍ୟଂ କ୍ଷତ୍ରୀବର ଅଟଇ

ବୁଦ୍ଧିବନ୍ତେ ବଳବନ୍ତେ ଅଷ୍ଟାଦଶ ବୟେଂଶ ଖଟଇ।୪୧।

ଗୁଣବନ୍ତ ଭାଗ୍ୟବନ୍ତ ପଣ୍ଡିତ କ୍ଷତ୍ରି ମହାଯୋଧୀ

ସତ୍ୟ ବିବାଦୀ ନୋହଇ ସମସ୍ତ କଲା ସାଧି।୪୨।

 

ସୂର୍ଯ୍ୟବଂଶ ରାଜା ଋତୁପନ୍ନ ନୃପତି

ପଣ୍ଡୁ ରାଜାକୁ ଖଟଇ ସେ ଅନୁବ୍ରତୀ।୪୩।

ଗଙ୍ଗାବଶିଂକ ରାଜା ଭୀଷ୍ମ ମହାରଥା

ଆଗିଆଣି ଥାଠେ ସେ ଚଳଇ ପ୍ରତିଗ୍ୟାଂ ସାମରଥା।୪୪।

 

ହଇହୟ ବଂଶ ରାଜା ରୁଦ୍ରଦେବ ମହାମଲ୍ଲ

ତିରିଶ ଲକ୍ଷ ଯୋଦ୍ଧା ଘେନି ଖଟଇ ପଣ୍ଡୁ ନୃପତିର ତୁଲ।୪୫।

ଅନ୍ଧେକ ଦେଶର ରାଜା ଅଟଇ ବିରୂପାକ୍ଷ

ଡାହାଣ ପଖାୟେ ଖଟନ୍ତି କ୍ଷତ୍ରୀ ନବଲକ୍ଷ।୪୬।

 

ଭୋଜ ବଂଶର ନୃପତି ବିଷ୍ଣୁଭୋଜସେନ

ପଞ୍ଚୁଲକ୍ଷ ଯୋଦ୍ଧା ଘେନି ଖଟଇ ପଣ୍ଡୁରାଜାର ସନ୍ନିଧାନ।୪୭।

ବ୍ରହ୍ମଦେଶର ଠାକୁର ମଦନସେନ ବ୍ରହ୍ମ

ସମଦଣ୍ଡ ଘେନି ଖଟଇ ସେ ମହା ସମ୍ଭରେଣ।୪୮।

 

ରୁଦ୍ରବଂଶର ରାଜା ଭଇରବ ନୃପତି

ସେହି ପଣ୍ଡୁଙ୍କୁ ଖଟଇ ପରମ ସାନନ୍ଦ ମତି।୪୯।

କାକୁସ୍ଥ ବଂଶର ନୃପତି ଇନ୍ଦ୍ରପାଦ

ସେହି ଖଟଇ ନୃପତି ସୋମବଂଶ ନରେନ୍ଦ୍ର।୫୦।

 

ନବଦୀପେ ସପତ ସାଗରେ ଯେତେ ରାଜା

ସୋମବଂଶ ନୃପତିଙ୍କି ସମସ୍ତେ କରନ୍ତି ପାଦପୂଜା।୫୧।

ୟେମନ୍ତେ ପଣ୍ଡୁଙ୍କୁ ଖଟନ୍ତି ଅଷ୍ଟାଦଶ ବଂଶ

ସ୍ୱର୍ଗ ତୁଲ୍ୟ ସେ ବାରୁଣାବନ୍ତ ଦେଶ।୫୨।

 

ଅନେକ ସମ୍ଭରେ ସେ ଖଟନ୍ତି ମହାରାଜେ

ଅନେକ ସନ୍ୟ ଘେନି ମଧ୍ୟ ସ୍ୱାର୍ଗେ ବିଜେ।୫୩।

ପାରେଶ୍ୱର ଶାୟେଂତନୁ ଗାଧି ଜମଦଗ୍ନି

ୟେହାନ୍ତ ସେବା କରଇ ସେ ଶୁଭ ଅନକୂଳ ଘେନି।୫୪।

 

ୟେହାଙ୍କର ପୁତ୍ରେ ଯେ ବ୍ୟାସେ ବିଶ୍ୱାମିତ୍ରେ

ପ୍ରଶୁରାମ ଭୀଷ୍ମେ ଅଟନ୍ତି ଚାରିଭ୍ରାଥେ।୫୫।

ୟେହାନ୍ତ ଆରାଧନା କରନ୍ତି ନୃପ ପଣ୍ଡୁ

ସମସ୍ତେହେଂ ବାଞ୍ଛା କରନ୍ତି ପଣ୍ଡୁର ଆପାଦ ଖଣ୍ଡୁ।୫୬।

 

ସପତ ଦୀପା ପୃଥୀରେ ଥାପିଲେ ପାରିଦଣ୍ଡ

ଶବଦ ଭେଦୀ ଶର ପେଷନ୍ତେ ପୃଥିବୀ ନବଖଣ୍ଡ।୫୭।

ଜମ୍ୱୋଁଦୀପ ବାରରାଷ୍ଟ୍ର ଛତିଶ ମଣ୍ଡଳେ

ପାଶେକ ପାରିଦଣ୍ଡ ଯେ ଖଟନ୍ତି ସର୍ବକାଳେ।୫୮।

 

ଧୃତରାଷ୍ଟ ରହିଲେ ହସ୍ତିନା ଭୁବନେ

ଭୂରିଶ୍ରବାଙ୍କୁ ବସାଇଲେ ଇନ୍ଦ୍ରପ୍ରଶସ୍ତ ସ୍ଥାନେ।୫୯।

ଭୀଷ୍ମେ ବସିଲେ ଯେ ଯମପ୍ରଶସ୍ଥ ସ୍ଥାନ ମାଡ଼ି

ଜଇନ୍ତା ରାଜ୍ୟେ ପଣ୍ଡୁରାଜା ବସିଲେ

ବାରୁଣାବନ୍ତେ ବିଦୁରଙ୍କୁ ଛାଡ଼ି।୬୦।

 

ଦେଖ ହୋ ପଣ୍ଡୁରାଜାର ଭାଗ୍ୟବନ୍ତ ପଣ

ସୋଦର ସମ୍ଭାଳି ଦିଗବିଜୟେ କରଇ ଆପଣ।୬୧।

ଧ୍ୱଂସଇ ରିପୁ ଦର୍ପ ରଖଇ ତପୀଜନ

ଦଇତ ଦାନବର ଉପଦର୍ପ ନାହିଂ ତ୍ରିଭୁବନ।୬୨।

 

ମାଢମୂଳ କରି ଯେ ଯଯାତି ଭିଆଇଲେ

ମାଢକବାଟି କରି ପଣ୍ଡୁରାୟେ ସିରିଜିଲେ।୬୩।

ବାଟିୟେ ଯେ ଚଷଇ ପଉଟିୟେ ଦିଅଇ ସଞ୍ଜା

ଦ୍ୱାଦଶ ଫଳ ଅରଜି ସୁଖେଣ ଦିନ ଖଟନ୍ତି ପରାଜ।୬୪

ଅନେକ ଧନ ଧାନ୍ୟ ସମ୍ପଦ ଅଚଳି

ସାଧୁ ସାଧୁ ଧୁନି ସମସ୍ତେହେଂ ପଣ୍ଡୁଙ୍କୁହିଂ ବୋଲି।୬୫।

 

ପଣ୍ଡୁଙ୍କର ବନେ ଅବସ୍ଥିତି ଓ ରାଜ୍ୟ ପରିଚାଳନା

 

ତୁଳମାସ ପଞ୍ଚମୀ ଦିନ ପଣ୍ଡୁ ବିଜେକଲେ ହସ୍ତିନାକୁ

ଧୀର ଧୀର ହୋଇ ଯାଉଛନ୍ତି ଧୃତରାଷ୍ଟଙ୍କୁ ଦ୍ରଶନ କରିବାକୁ।୧।

ଧୃତରାଷ୍ଟ ବୋଲୁଛନ୍ତି ଗାନ୍ଧାରୀ ଅଗ୍ରତେ

କିଂପାଇ ବ୍ୟାସମୁନି ଜାତ କଲେ ଆବର ଯେ ମୋତେ।୨।

 

ପଣ୍ଡୁରାୟେ ତାହା ଶୁଣିଲେ ପୁରକ ଅନ୍ତରେ

ଧୀରେଣ ତୁନୀ ହୋଇ ଶୁଣନ୍ତି ସେହିଠାରେ।୩।

ଗାନ୍ଧାରୀ ପୁଚ୍ଛା କଲେ ଧୃତ ଯେ ରାଷ୍ଟଙ୍କୁ

ୟେତେ ବିରସ କଲ ସ୍ୱାମୀ କିଂପାଇ ମନକୁ।୪।

 

ଧୃତରାଷ୍ଟ ବୋଇଲେ ତୁ ଶୁଣ ଗୋ ଗାନ୍ଧାରୀ

ସାବତ ସଂପଦ ହାଦେ ଦେଖିତ ନୁଆରି।୫।

ମୁହିଂ ଅଟଇ ଜ୍ୟେଷ୍ଠ ପଣ୍ଡୁ ଅଟଇ କନିଷ୍ଠ ସାନୁଜ

ପୃଥିବୀରେ ବିକାଶିଲା ପଣ୍ଡୁର ବଳବୀର୍ଯ୍ୟ।୬।

 

ଅନେକ ସଂପଦ ତାର କହିତ କି ପାରି

ମରଣ ୟେହାଉଂ ଭଲ ସହିତ ନୁଆରି।୭।

ଭଲ ଦିନ ଖୋଜ ଗୋ ପ୍ରାଗ ତୀର୍ଥ ଯିବା

ତ୍ରିବେଣୀ ସଂଗମେ ହାଦେ ଶରୀର ଝାସିବା।୮।

 

ଛତ୍ରୀପଣ ହୋଇଣ ଯେବେ ପର ପୋଷଣ କରି

ରାଜା ହୋଇ ଯେବେ ସଂଗ୍ରାମେ ଭୟେ କରି।୯।

ଦେବତା ହୋଇ ଯେବେ ପରରେ ନିର୍ଦ୍ଦୟା

ତୀର୍ଥ ହୋଇ ଯେବେ ହୋଅଇ ସେ ମାୟା।୧୦।

 

ସୁନ୍ଦର ସ୍ତିରୀ ଯେବେ ହୁଅଇ ଦୁର୍ଭାଗୀ

ଇନ୍ଦ୍ରିୟ ନିଗ୍ରହଣ ନୋହଇ ଯେବଣ ଯୋଗୀ।୧୧।

ପଣ୍ଡିତ ହୋଇ ଯେବେ ନୋହିବ ଉପାୟବନ୍ତ

ମହାତମାଙ୍କର ବଚନେ ୟେତେକ ଜୀବନ ବିଅର୍ଥ।୧୨।

 

ଗାନ୍ଧାରୀ ବୋଇଲେ ଯୁଗତ ୟେହୁ କଥା

କପାଳ ନିହିତ କି ହୋଇବ ଅନ୍ୟଥା୧୩

ଯାହା ସେ ଅରଜି ନାଥ ତାହା ହାଦେ ଭୁଞ୍ଜି

ସମସ୍ତେ ପୁଣ୍ୟବନ୍ତ ନୋହନ୍ତି ମୃତ୍ୟୁ ମଣ୍ଡଳ ମଝି।୧୪।

 

ସ୍ୱାମୀ ସୁକୃତ ବୋଲିଣ ଯେବଣ ପୁରୁଷ

ନାନା ରୂପ ଧରଇ ସେ ନୋହଇ ପ୍ରାଣନାଶ।୧୫।

ଖଣ୍ଡିଆ କୁବୁଜା ଯେ ଅପାରଗ ଛୋଟା

ବଳବନ୍ତ କେ ଖୁର୍ପ କେ ଉଚ୍ଛର୍ଗ କେହୁ ମୋଟା।୧୬।

 

ସୁନ୍ଦର ପୁରୁଷ ସେ କ୍ଷତ୍ରିୟ ପଣ୍ଡିତ ପୁରୁଷ

କ୍ଷଣେ ବାତୁଳ ସେ କ୍ଷଣେ ହରଷ ବିରସ।୧୭।

ଚେତନା ପୁରୁଷ ସେ ଚେତି ନଚେତଇ କ୍ଷଣେ

ସକଳ ବ୍ରହ୍ମାଣ୍ଡକୁ ସେ ପୁରୁଷ ୟେକା ଜଣେ।୧୮।

 

କୁତୋହଳେ ଖେଳୁଥାଇ ସେ ନାନା ରୂପ ଧରି

କ୍ଷଣେ ଗୋରା କ୍ଷଣେ କଳା ଶ୍ୟାମଳ ରୂପେ ଅବତରି।୧୯।

କ୍ଷଣେ ଖଣ୍ଡ ପାଙ୍ଗୁଳ କ୍ଷଣକେ ହୋଅଇ ଅନ୍ଧ

ନାନା ବର୍ଣ୍ଣ ରୂପକୁ ତାହାର ଯେ ସଧ।୨୦।

 

ସେ ସୁକୃତ ମହାତମା ଯେତେବେଳେ ଧରିଥାଇ ଯେବଣ ରୂପ

ଉତ୍ତପତି ମାନବମାନେ ହୁଅନ୍ତି ସେହି ଯେ ସରୂପ।୨୧

ଛାଡ଼ ମେଲ ତୁ ଅଭିମାନ ରାୟେ ନ ଭାଳ ନ ଚିନ୍ତ

ଦୁଖ ସୁଖ ସ୍ୱାମୀ ହୃଦଗତେ କରିଥାଅ ୟେକତ୍ୱ।୨୨।

 

ବାହିଜ ପରର ଦେଖି ନୋହିବା ବିକଳ

ସୁଦଶା କୁଦଶା ହୋ ଅଳ୍ପ ହୋୟେ କାଳ।୨୩।

ଚଇତନ ପୁରୁଷକୁ ନାଥ ୟେକତ୍ୱ କରା

ପଣ୍ଡୁଙ୍କୁ ପର ବୋଲି ଶରୀର ନ ହରା।୨୪।

 

ୟେ ସଂସାରଯାକ ଯେହୁ କରଇ ୟେକତ

ତେବେ ସେ ତରି ୟେଥୁଂ ହୁଅଇ ମୁକତ।୨୫।

ଧୃତରାଷ୍ଟ ବୋଇଲେ ତୁ କହିଲୁ ନା ୟେମନ୍ତ

ପର ସଂପଦ ଦେଖି ମୁଂ ନପାରଇରେ ସଂଘାତ।୨୬।

 

ଗାନ୍ଧାରୀ ବୋଇଲେ ଯେ ଅଟଇ ୟେ କଥା

ପାପୀଲୋକଙ୍କୁ ସେ ହୋଅଇ ଅନେକ ଅବସ୍ତା।୨୭।

ବିଚାର ନାୟେକ ଯେ ଅଟଇ ଜନ୍ତୁପତି

ଆକାଶେଣ ବିଚାରଇ ସେ ମଞ୍ଚେଣ ଦିଅଇ ଶାସ୍ତି।୨୮।

 

ପାଙ୍ଗୁଳ ବଧିର ଖଣ୍ଡଣ କୁବୁଜ ଅଦୃଷ୍ଟି

ଯମର ଶାସ୍ତିମାନ ଦେବ ଅଟଇ ସବୁଟି।୨୯।

ଜନମୁଂ ୟେମାନେ ବିକଟ ବାୟି

ମନ୍ଦ ପ୍ରକୃତି ୟେମାନେ ନପାରନ୍ତି କୁଶଳ ସହି।୩୦।

 

ଡିଙ୍ଗର ସ୍ୱଭାବ ସେ ହିଂସା ଯେ ପ୍ରକୃତି

ଆପଣେ ବକ୍ର ୟେ ପର ସଂପଦ ଦେଖି ନୁଆରନ୍ତି।୩୧।

ପରନିନ୍ଦା ପରହିଂସା ପରମାଦ ଛାଡ଼ ହୋ ଧୃତରାଷ୍ଟ

ଅନିତ୍ୟ ସଂସାର ୟେ ମାୟା ଚିତ୍ରପଟ।୩୨।

 

ଲୋଭ ମୋହ କାମ କ୍ରୋଧ ଅହଂକାର ହିଂସା

ୟେହା ଦୂର କରି ନାଥ କର ନିକଳଙ୍କ ମନୀଷା।୩୩।

ଅନେକ ବାଗେଣ ଯେ ତିଆରଇ ଗାନ୍ଧାରୀ

ଶାନ୍ତି ମନ ଆତ୍ମା ନୋହିଲା ତାହାରି।୩୪।

 

ଧୃତରାଷ୍ଟ ଗାନ୍ଧାରୀର ୟେମନ୍ତ ବୋଲିବାର ସମୟେ

ତୁନୀ ହୋଇ ସମସ୍ତ ଶୁଣୁଛନ୍ତି ପଣ୍ଡୁରାୟେ।୩୫।

 

ପଣ୍ଡୁ ମହାରାଜାଙ୍କର ଧୃତରାଷ୍ଟ୍ରଙ୍କ 

ସହିତ ସାକ୍ଷାତ ଓ ମାଦ୍ରୀ ସହ ବିଭା

 

ଧାତିକାରେ ବିଜେ କଲେ ପଣ୍ଡୁରାଜ ସ୍ୱାମୀ

ଧୃତରାଷ୍ଟଙ୍କର ଚରଣେ ହୋଇଲେ ପରିଣାମି।୧।

ଗାନ୍ଧାରୀ ଅନ୍ତର ହୋଇଲେ ଦେଖିଣ ରାଜାଙ୍କୁ

ସଂଜୟେ କହିଲେ ରାଜା ଧୃତ ଯେ ରାଷ୍ଟଙ୍କୁ।୨।

 

ପଣ୍ଡୁ ବିଜେକଲେ ହୋ ଶୁଣ ଧୃତରାଷ୍ଟ

ବାଞ୍ଛାସିଦ୍ଧ ହୋଉ ବୋଇଲେ ମନରେ ମହାତୁଷ୍ଟ।୩।

ପଣ୍ଡୁ ବୋଇଲେ ତୁ ହୋ ଶୁଣସି କୁରୁପତି

ମୁହିଂ କେଉଂଣ ବାଗେ ତୁମ୍ଭଙ୍କୁ ନୋହିଲି ଭଗତି।୪।

 

ତୋହୋର ଭଗତେ ମୁଂ ବ୍ରତଇ ସର୍ବକାଳେ

ତୁ ମୋତେ ପାପ ମନ ଧଇଲୁ ବକ୍ଷ ସ୍ଥଳେ।୫।

ସ୍ୱାମୀ ମୋହୋର ସଂପଦ ଦେଖି ଉଷତ ନୋହିଲୁ

ସାବତ ସଂପଦ ବୋଲି ସେ ମୋତେ ଯେ ବୋଇଲୁ।୬।

 

ଅମନାତ୍ୟ ପୁରୋହିତେ ସେ ହକାରିଲେ ନୃପତି

ଭୂରିଶ୍ରବା ଶାୟେଂତନୁ ଭୀଷ୍ମ ମହାରଥୀ।୭।

ଆଜହୁଂ ସଂକଳ୍ପ ମୋର ହୋଇଲା ନିୟମ

ଧୃତରାଷ୍ଟଙ୍କୁ ସମର୍ପିଲି ଦଣ୍ଡ ସମସ୍ତ ରାଜ୍ୟଧର୍ମ।୮।

 

ୟେ ପଞ୍ଚୁ କଟକେ ସ୍ୱାମୀ ତୁହି ସେ ଅଧିକାରୀ

ସଂସାର ପାଳିଣ ତୁ ଭୋଗ କର ବସୁନ୍ଧରୀ।୯।

ସଂଜୟେ କହିଲେ ହୋ ଅନ୍ଧ କାହିଂ ନୃପ

ୟେହାରେ ଧ୍ୱଂସି ହୋଅଇ କି ରିପୁ ବଳ ଦର୍ପ।୧୦।

 

ପଣ୍ଡୁ ବୋଇଲେ ମୁଂ ବନସ୍ତରେ ଥିବି

ପଞ୍ଚୁ କଟକ ରାଜ୍ୟ ମୁଂ ନିତ୍ୟେହେଂ ଭ୍ରମିବି।୧୧।

ଦୁଷ୍ଟ ଚୋର ଦାନେବ ମୁଂ ସମସ୍ତ ମାରିବି

ଧୃତରାଷ୍ଟ ଆଗ୍ୟାଂ ମୁଂ ଶିରରେ ଧରିଥିବି।୧୨।

 

ମୋହୋର ତହୁଂ ଅଧିକ ଭଗତି ହୋଇଥିବ ସଭିୟେଂ ଧୃତରାଷ୍ଟଙ୍କୁ

ଅନୀତି ହୋଇଲେ କହିବ ଯାଇଂ ମୁକୁ।୧୩।

ଧୃତରାଷ୍ଟଙ୍କୁ ରାଜ୍ୟ ଦେଇ ପଣ୍ଡୁ ଯେ ନୃପତି

ରାଜ୍ୟରୁ ବାହାର ହୋଇଲେ ତୁଲେଣ ଦେବୀ କୁନ୍ତୀ।୧୪।

 

ଭ୍ରମଇ ନରନାଥ ଗହନ ବିପିନେ

ମହା ପରିମଳ ଦିଶନ୍ତି ଉଚ୍ଚ ବୃକ୍ଷମାନେ।୧୫।

ୟେମନ୍ତେଣ ପଣ୍ଡୁ ଭ୍ରମଇ ଘୋରବନେ

ହସ୍ତିନାର ଶାନ୍ୟ ଭାଗେ ବୃନ୍ଦା ଅର୍କବନେ।୧୬।

 

ଯମୁନା ନଦୀ ଯେ ବହଇ ଉତ୍ତରଗାମୀ

ଶତଶିଂଗ ପର୍ବତରେ ରହିଲେ ପଣ୍ଡୁଦେବ ସ୍ୱାମୀ।୧୭।

ପାର୍ବଣ ଜୋତିଷପୁର ରାଜା ଭଗବାନ

ମଦନାବତୀ ବୋଲି ତାହାର ଭାରିଯା ବିଦ୍ୟମାନ।୧୮।

 

ବନେ ମୃଗୟା ବିନୋଦ ସେ କରଇ ଭଗବାନ ନୃପତି

ମାଦ୍ରି ବୋଲିଣ ତାହାର ଦୁହିତା ଉତପତ୍ତି।୧୯।

ବନେଣ ଭ୍ରମନ୍ତେ ସେ ପଣ୍ଡୁଙ୍କୁ ଭେଟିଲା

ମାଦ୍ରୀ କନ୍ୟାକୁ ରାୟେ ପ୍ରଦାନ କରିଦିଲା।୨୦।

 

ଅନେକ ସମ୍ଭର୍ବେ ରାଜା ଦିଲାକ କୁମାରୀ

କୋଇନ୍ତା ମାଦ୍ରୀଙ୍କି ଘେନି ପଣ୍ଡୁ ରହିଲେ ଶତଶିଂଗ ଗିରି।୨୧।

ବେନି ଭାରିଯାନ୍ତ ଘେନି ପଣ୍ଡୁ ବିହଡ଼ନ୍ତି ବନେ

ଯମପ୍ରଶସ୍ତ, ଇନ୍ଦ୍ରପ୍ରଶସ୍ତ, ହସ୍ତିନା, ବାରୁଣା,

ଜଇନ୍ତା ଭ୍ରମଇ ପ୍ରତିଦିନେ।୨୨।

 

ପ୍ରତିଦିନ ଦୁଷ୍ଟ ରାକ୍ଷସମାନନ୍ତ ମାରଇ ଯେ ଖେଦି

ଆପଣେ ଦୁଖେ ପଡ଼ଇ ଧୃତରାଷ୍ଟଙ୍କୁ ରାଜ୍ୟପରସିଦ୍ଧି।୨୩।

ସିଂଘ ଶୁକଳ ତ୍ରୟୋଦଶୀ ଶଉରୀ ଯେ ବାର

ଶତ ଭିଷା ନକ୍ଷତ୍ର ଅଟଇ ବେଳ ଦଣ୍ଡ ତେର।୨୪।

 

ତୈତିଳ ନାମେ କରଣ ଶୂଳ ନାମେ ଯୋଗ

ସିଂଘ ସଂକରାନ୍ତିକି ଅଣତିରିଶ ଦିନ ଭୋଗ।୨୫-୧୬୧୯।

 

ପଣ୍ଡୁଙ୍କର ମୃଗୟା ଓ ଅଗ୍ନିକାମହାଋଷିଙ୍କର ଶାପପ୍ରଦାନ

 

ସେ ଦିନ ପଣ୍ଡୁ ଯେ ପଶ୍ଚିମ ପ୍ରଦେଶେ

ଗହନ ବନେ ପଶିଲେ ମୃଗୟାର ରସେ।୧।

ଶତଭିଷା ନକ୍ଷତ୍ରର ଭଗ୍ନ ପାଦ ବେଳେ

କର୍ମେ ଅର୍ଜିଅଛି ଲେଖନ ଯାହା କପାଳେ।୨।

 

ଭଗ୍ନପାଦ ବେଳେ ଯେ ବାହାର ହେଲେ ବନେ

ଲୋଡ଼ି ନ ପାଇଲେ ଯେ ଆହାର ଜୀବମାନେ।୩।

ଅଜମିତ ବନେ ଯେ ଭବାନୀ ନାମେ ନଦୀ

ସରସ୍ୱତୀ ଧାରେ ଯେ ଦକ୍ଷିଣ ମୂର୍ତ୍ତି ଭେଦି।୪।

 

ସେ ନଦୀର ପଶ୍ଚିମ କୋଣେ ଶରବୋଧନ ପର୍ବତ

ଗଙ୍ଗା କୂଳକୁ ସେ ଅଟଇ ଯେ ଯୁଣ ସାତ।୫।

ଜୀବନ ପାଇଣ ମହାଶ୍ରମେ ନୃପବର

ବିଜୟେ ପଣ୍ଡୁରାୟେ ସେ ପର୍ବତ ଉପର।୬।

 

ୟେସନେକ ସମୟେ ଯେ ହରିତା ନାମେ ମୃଗୁଣୀ

ତୃଷାୟେ ଅଇଲା ସେ ନଦୀକି ଲୋଡ଼ି ପାଣି।୭।

ଅଗ୍ନିକା ମହଋଷି ତା ଅନ୍ତରୀକ୍ଷେ ଦେଖି

ଧାତିକାରେ ଯାଇଂ ସେ ଧଇଲେ ମୃଗୁଣୀକି।୮।

 

ମୃଗୁଣୀର ତୁଲେ ଶୃଙ୍ଗାର କରନ୍ତି ସେ ଯତି

ଗାଢ ଆଲିଙ୍ଗନେ ସେ ଯେ ଭଜିଲା ବିମତି।୯।

ଋଷିଙ୍କର ଶୃଙ୍ଗାର ସେ ଯେ ମହାଭାରା ତେଜ

ରାବେକ ଦେଲା ସେ ଯେ ଶବଦ ବିସର୍ଜ।୧୦।

 

ପଣ୍ଡୁ ଶୁଣିଲେ ତାହା ସପତ ଯୋଜନ ଦୂରେ

ଗଣ୍ଡାର ରାବ ପ୍ରାୟେକ ତା ମଣିଲେ ଦଣ୍ଡଧରେ।୧୧।

ଯୁଗତେ ପଣ୍ଡୁ ଯେ ଅଟନ୍ତି ଶବଦଭେଦୀ

ଶବଦକୁ ମହାତମା ଶହସ୍ର ଘେନି ବିନ୍ଧି।୧୧।

 

ଶବଦକୁ ନାରାଜ ଯେ ଗଲା ଅନ୍ତରୀକ୍ଷେ

ଧାତିକାରେ ପଡ଼ିଲା ମୃଗୁଣୀ ଋଷିର ବଛେ।୧୨।

ଋଷିର ପିଠି କଛେ ପଡ଼ି ହୃଦୟ ଗତେ ଗଳି

ମୃଗୁଣୀର ହୃଦ ଗତେ ପଡ଼ି ପିଠିକି ନିକିଳି।୧୩।

 

ୟେକା ନାରାଜକେ ଜଡ଼ିତ ହୋଇଲେକ ବେନି

ମୃଗୁଣୀକି ଘେନି ଢଳି ପଡିଲେ ମହାମୁନି।୧୪।

ମୃଗ ପଡିଲା ବୋଲି ଧାଇଂଲେ ପଣ୍ଡୁ ନୃପ

ଦେଖିଲେ ନାରାଜ ଘାତେ ଋଷି ହତ ଦର୍ପ।୧୫।

 

ବାଳପୁଞ୍ଜା ଭିଡ଼ିଣ କଷା ବସନ କାଛଟି

ଶିରେଣ ଜଟା ଭାର କ୍ଷୀଣତନୁ ଯେ ଭ୍ରୁକୁଟି।୧୬।

ଯାମଳା ବୃକ୍ଷ ଯେହ୍ନେ ଅଟଇ ଅଭିନ୍ନ

ହରଣୀ କୋଳେ ଘେନି ଅଛନ୍ତି ମହାମୁନ୍ୟ।୧୭।

 

ଦେଖିଣ ଆଶ୍ଚର୍ଯ୍ୟ ହୋଇଲେ ମହାରାଜ

ନିର୍ଧୂମ ଅଗ୍ନି ଜାଣି ମୁନିବର ତେଜ।୧୮।

ମୁଖେ ପାଣି ସିଞ୍ଚିଲେ କୁଞ୍ଜଗଳ ଆଧିପତି

ଚେତନାପାଇ ସାଷ୍ଟାମ ହୋଇଲେ ବ୍ରହ୍ମଯତି।୧୯।

 

ପଣ୍ଡୁ ପୁଛା କଲେ ତୁ କେବଣ ମହାତମା

ୟେଡ଼େ ମହାମୁନିକି କିଂପେ କଷ୍ଠୋର କଲା କାମା।୨୦।

ଶୃଙ୍ଗାର ଆରତେ କି ନ ପାଇଲୁ ସ୍ତିରୀ

ନିର୍ଜନ ସ୍ଥାନ ଦେଖି ହରିଲୁ ମୃଗନାରୀ।୨୧।

 

କୋପେଣ ଶାପ ଯେ ଦେଲେ ଭଗବନ୍ତ

ଶୃଙ୍ଗାର କାଳେ ମୋତେ କଲୁରେ ଶରଘାତ।୨୨।

ଯୁଗତେ ପର ଶୃଙ୍ଗାର ଭାଙ୍ଗି ତନୁଆରି

ଲିଙ୍ଗ ଭଗ୍ନକଲେ ବ୍ରହ୍ମହତ୍ୟା ଦୋଷ ସରି।୨୩।

 

ବିନା ଅପରାଧେ ମୈଥୁନ କାଳେ ଶର ଘାତକଲୁ ପଣ୍ଡୁ

ତୋହୋର ଶୃଙ୍ଗାର କାଳେ ଅକସ୍ମାତେ ଅକାଳ କାଣ୍ଡ ପଡ଼ୁ।୨୪।

ସ୍ତିରୀ ଯୋଗେଣ ତୁ କରନ୍ତେଣ ରତି।

ତୁକୁ ହୋଉରେ ମୋହୋର ପ୍ରାୟେ ଶାସ୍ତି।୨୫।

 

ରାଗେଣ ଶାପ ବିହଇ ତପୋବନ୍ତ

ପଣ୍ଡୁ ପୁଛା କଲେ ମହାତମା ଥିର ହୋଇ କହ ତଥ୍ୟ।୨୬।

ତୁ କେ ଟି ୟେମନ୍ତ ହୋଇଲୁ ପରପଞ୍ଚ

ମୃଗେଣ ମାନୁଷେ କାହିଂ ଶୃଙ୍ଗାର ହୋୟେ ସଞ୍ଚ।୨୭।

 

ଋଷି ବୋଇଲେ ତୁ ଶୁଣ ହୋ ସୋମବଂଶୀ

ବୃହସ୍ପତି ବଂଶେ ଉତପତ୍ତି ପାଠଋଷି।୨୮।

ପାଠ ଋଷିଙ୍କ ତନୁଜ ମୁନି ଅରୁଣତେଜ

ୟେହାଙ୍କର ନନ୍ଦନ କାକୁସ୍ଥ ମହାବୀର୍ଯ୍ୟ।୨୯।

 

ୟେହାର ନନ୍ଦନ ମୁନି ଯେ ସତ୍ୟତପା

ତାହାଙ୍କର ନନ୍ଦନ ହୋ ବିଧୂପ ବିରୂପା।୩୦।

ବିରୂପାରନନ୍ଦନଜଳଦମହାଋଷି

ଜୀମୂତବାହନ ବୋଲି ତାହାର ଯେ ଶିଷି।୩୧।

 

ଜୀମୂତବାହନଙ୍କର ପୁତ୍ର ଯମନିକ ଯତି

ଯମନିକର ନନ୍ଦନ ମୁନି ପ୍ରଜାପତି।୩୨।

ପ୍ରଜାପତିର ନନ୍ଦନ ଅଗ୍ନିକାର ମହାଋଷି

ମୁଇଂ ସେ ଅଗ୍ନିକାର, ବାଳକାଳୁଂ ଋଷି।୩୩।

 

ଯେତେବେଳେ ମୁଂ ଉପୁଜିଲି ମାତାର ଗରଭୁଂ

କ୍ଷୀରପାନ ନ କଲି ବଞ୍ଚିଲି ଦିନ ସବୁ।୩୪।

ଜନମହୁଂ ଆହାର ମୁଂ କଲଇଂ ଉପେକ୍ଷା

ଆହାର ନିଦ୍ରା ମଇଥୁନ ନ କଲଇ ବାଞ୍ଛା।୩୫।

 

ୟେସନେକେ ବଞ୍ଚିଲି ମୋହୋର ଜନ୍ମଯାକେ

ସମସ୍ତ ଧର୍ମ ଘେନି ମୁଂ ବସିଲି ଘୋରତପେ।୩୬।

ପାଣି ପବନହୁଂ ମୋର ଆନ ନାହିଂ ଭୋଜି

ଛଡଋତୁ ବଞ୍ଚିଲି ନିରାକାର ତଲୟେ ଭଜି।୩୭।

 

ୟେକ ଆସନେ ମୋର ସଞ୍ଚୟେ ଚାରିଯୁଗ

ଚାରିଯୁଗ ପୂରିଲେ ମୋହୋର ହୁଅଇ ରାତ୍ରଦିବା ଭୋଗ।୩୮।

ୟେହିମତେଣ ବର୍ତ୍ତିଲି ମୁହିଂ ଯୁଗ ମନୁ ତିନି

ମୋତେ ସେ ମନୁ ଅର୍ଥ ପଚାରଇ ପଦ୍ମଯୋନି।୩୯।

 

କାଳ ଅନୀତି ଯହୁଂ ହୋଇଲାକ କଳି

ଶରୀର ଅବସାନ କଲି ମନଭୋଳି।୪୦।

ୟେସନେକେ ଗଲି ଆକାଶ ଭୁବନକୁ

କାଳ ବିକାଳ ଦେଖି ଛାଡ଼ି ପଳାଇଲେ ମୁକୁ।୪୧।

 

ଦୂତଙ୍କର ତ୍ରାସ ଦେଖି ପଚାରଇ ନାଶକର

ମୁହିଂ ସେ ଅଭୟାରେ ତୁମ୍ଭର କାହାକଇଂ ଡର।୪୨।

ବିନୟ ଭାବ ହୋଇ କହନ୍ତି ଚିତ୍ରଗୁପ୍ତ ବୀରେ

ପ୍ରଣପତ୍ୟ ହୁଅନ୍ତି କୃତାନ୍ତକର ଆଗରେ।୪୩।

 

ଶୁଣ ଦେବ ଜନ୍ତୁନାଥ ତ୍ରୈଲୋକ୍ୟ ଆଧିପତି

ଅଗ୍ନିକାର ମହଋଷି ଦେବ ସଞ୍ଜୀବନୀ ପୁରକୁ ଆସିଣ ଅଛନ୍ତି।୪୪।

ଋଷିଙ୍କର ତେଜ ଦିଶଇ କାଳ ଅନଳ ତେଜ ପ୍ରାୟେ

ତ୍ରାସେଣ କିଙ୍କରଗଣେ କରୁଛୁଂ ବଡ଼ ଭୟେ।୪୫।

 

ମହାଯୋଗ ପୁରୁଷ ସେ ପ୍ରତକ୍ଷେଣ ବ୍ରହ୍ମଦ୍ୱିଜା

ତେଣୁ କରି ତ୍ରାସେ ପଳାଇଲୁ ଶୁଣ ଜନ୍ତୁରାଜା।୪୬।

ଋଷିଙ୍କି ଦେଖିଣ ଯେ ଉଭା ଜନ୍ତୁପତି

ବିନୟ ଭକ୍ତି ଭାବେ ପଚାରଇ ସଞ୍ଜୀବନୀ ଚକ୍ରବ୍ରତୀ।୪୭।

 

ଆହୋ ଅଗ୍ନିକାର ତୁମ୍ଭେ ଯେ ମଞ୍ଚପୁରେ ଥିଲ

ଚିରନ୍ତନ କୀରତି ତୁମ୍ଭେ କିସ କିସ ରୁହାଇଲ।୪୮।

ବଦୟନ୍ତି ମହାତମା କଲୁ ଅନେକ ଧର୍ମ

ଯହୁଂ ସେ ବ୍ରାହ୍ମଣମାନଙ୍କର ନିତ୍ୟକର୍ମ।୪୯।

 

ଅନେକ ଯାଗଯଗ୍ୟଂ କଲୁ ରାଜାର ନିମନ୍ତେ

ଖଣ୍ଡିଲୁ ମହାପାତେକ ଆପାଦ ଶାନ୍ତି ଅର୍ଥେ।୫୦।

ମେଘେ ଅନାବୃଷ୍ଟି କରନ୍ତି ଯେବଣ କାଳେ

କୋଟି ହୋମ କରାଇ ବୃଷ୍ଟି କଲୁ ମଞ୍ଚସ୍ଥଳେ।୫୧।

 

ଋଷିଙ୍କର ବଚନେ ବଦୟନ୍ତି ନାଶକର ଜନ୍ତୁପତି

ତୁମ୍ଭର ବଂଶକୁ କାରଣ ଅଛନ୍ତି କି ସନ୍ତତି।୫୨।

ଋଷି ବୋଇଲେ ଆମ୍ଭେ ହୋ ଦାରା ସଂଘରିଲୁ

ଅପାର କାଳ ପରିଯନ୍ତେ ଶୃଙ୍ଗାର ଲେଚ୍ଛିଲୁ।୫୩।

 

ଅଣଦୋଷୀ ମହାତମା ନୁଆରିଲା ଦୋଷ ବାଛି

ବିଚାରଇ ନାଶକର ୟେଥେଂ ଶାସ୍ତି ଅଛି।୫୪।

ୟେଡ଼େ ଭିଗ୍ୟଂ ମହାତମା ହୋଇ କିଂପେ କଲୁ ୟେଡ଼େ କୃତ୍ୟ

ସନ୍ତାନ ନଥିଲେ ସକଳ ଧର୍ମ ଅଟଇ ବିଅର୍ଥ।୫୫।

ସନ୍ତାନ ଉପୁଜାଇଂ ସେ ନାନା ଧର୍ମକର୍ମ କରି

ତୃତୀୟ ବୟସେ ଯେ ହୋଇ ତପଚାରୀ।୫୬।

 

ସନ୍ତାନ ବିହୁନେ ସକଳ ଧର୍ମ ଦୂରକରି

ପରମ ପଣ୍ଡିତ ପୁରୁଷ ହୋଇ ତୁ ୟେହା କିଂପେ ନ ବିଚାରି।୫୭।

ଯମର ବଚନେ ବଦୟନ୍ତି ମହାମୁନି

ଚତୁର୍ଥ ବୟସେ ଶୃଙ୍ଗାର ଇଚ୍ଛିଲୁ କନ୍ୟାୟେ ପ୍ରଦାନୀ।୫୮।

ତାହାର ତୁଲେ ଅନେକ କଲୁ ଯେ ରମଣ

ଯେତେ ଶୃଙ୍ଗାରଟି ସମସ୍ତ ହୋଇଲା ଅକାରଣ।୫୯।

 

ନାଶକର ବୋଇଲେ ତୁ ଯେ ଗ୍ୟାନେଣ ଉତ୍ତମ

କୁସ୍ଥାନେ ପଡ଼ିଲେ ମହାତ୍ମା ନାଶଯାଇ ସକଳ ଯେ ଧର୍ମ।୬୦।

ସେ ଭାରିଯାର ତହିଂ ଯେବେ ନ ଉପୁଜିଲା ସନ୍ତତି

ଅନ୍ୟ କନ୍ୟାୟେ କିଂପାଇଂ ପ୍ରଦାନ ନୋହିଲୁ ମହାଯତି।୬୧।

 

ଋଷି ପ୍ରତିବାଚ ଆମ୍ଭେ ହୋଇଲୁ ପଞ୍ଚୁବିଭା

କାହାରି ତହିଂ ପୁତ୍ର ନୋହିଲା ରେ ବାବା।୬୨।

ନାଶକର ବୋଇଲା ୟେବେ ସନ୍ତାନ ନୋହିଲା ୟେତେ ମତେ

ବୀର୍ଯ୍ୟ ତରଳ ହୋଇଲା ୟେ ଚତୁର୍ଥ ବୟସ ଅନ୍ତେ।୬୩।

 

ପଞ୍ଚଦଶ ପରିଯନ୍ତେ ବାଳୁତ ହୋଇଥାଇଂ

ବିଂଶ ପଞ୍ଚ ବରଷେ ଶୃଙ୍ଗାର ଇଚ୍ଛଇ।୬୪।

ନାନା ସୁନ୍ଦର ହୋଇଥାଇଂ ପଞ୍ଚତିରିଶ ବରଷ ପରିଯନ୍ତେ

ମହାମତ୍ତ ହୋଇଥାଇ କାହିଂ ନ ଲେଖଇ ଦର୍ପଅର୍ଥେ।୬୫।

 

ପଞ୍ଚତିରିଶ ବରଷ ଉତ୍ତାରେ ଛାଡ଼ଇ ସେ ସେମାନ

ବିଚକ୍ଷଣ ବୁଦ୍ଧି ଦିଶଇ ଇଚ୍ଛଇ ସନ୍ତାନମାନ।୬୬।

ଚାଳିଶ ବରଷ ଯହୁଂ ହୋଅଇ ବୟସ

ତରୁଣ ବୁଦ୍ଧି ଆସି ହୋଅଇ ପ୍ରକାଶ।୬୭।

 

ଧନ ସନ୍ତାନ ଇଚ୍ଛଇ ଆପଣେ ଆପେ ପୁଣି

ଦେବତା ବ୍ରାହ୍ମଣେ ଭଗତି ମାତା ପିତା ଜାଣି।୬୮।

ଚାଳିଶ ଯାଇଣ ଯେ ପଞ୍ଚାଶ ବରଷ ପ୍ରବେଶ

ବୀର୍ଯ୍ୟ ପତନ ହୋଅଇ ନିଜ ତନୁ ଆଳସ୍ୟ।୬୯।

 

ଷାଠିୟେ ବରଷ ହୋଅନ୍ତେଣ ପ୍ରାଣୀ

କାମ ଚନ୍ଦ୍ର ଛାଡ଼ଇ ସେ ରହଇ ଠାବ ଜାଣି।୭୦।

ସତୁରି ବରଷ ହୋଇଲେ ହୋଅଇ ମତିଭୋଳା

ବୀର୍ଯ୍ୟ ନାଶ ଗଲା ହୋ ତହିଂ ନାହିଂ କାମ କଳା।୭୧।

 

ଅଶୀ ବରଷ ହୋଇଲେ ଚିତ୍ତ ଭ୍ରମଇ ଯେ ସବୁ

ତହିଂ ସନ୍ତତି ଲୋଡ଼ିଲେ ଆଉ କାହିଂ ସେ ପାଇବୁ।୭୨।

ଅପରାପର ନ ଚିହ୍ନଇ ନଉ ଯେ ବରଷେ

କୁଟୁମ୍ୱେ ଭ୍ରାନ୍ତି କରଇ ସୋଦର ନ ଚିହ୍ନଇ ପାଶେ।୭୩।

 

ଶତେ ବରଷେ ହୋଇଲେ ହୋଅଇ ବାଳ ଭୋଳା

ସେ ପ୍ରାଣୀଙ୍କର ଲୋଡିଲେ ଆଉ କାହିଂ ରତି ମେଳା।୭୪।

ଶୁଣ ହୋ ଅଗ୍ନିକାର କହଇ ମୁହିଂ ତୁକୁ

ୟେ ମାୟାପଟଳ ଅଟଇ ଯେ ୟେ କଳିଯୁଗକୁ।୭୫।

 

ମହାତ୍ମା ପୁରୁଷ ହୋଇ ନ ପାରିଲୁ ତଥ୍ୟ ଜାଣି

ଅଦଉଡିରେ ବନ୍ଧନ ହୋଇ ନାଶ ଗଲେ ସର୍ବପ୍ରାଣୀ।୭୬।

ମଧ୍ୟପୁରେ ଉତପତ୍ତି ହୋଇଲେ ସନ୍ତାନ ହିଂ ସେ ମୂଳ

ସନ୍ତାନ ନଥିଲେ ସମସ୍ତ ଧର୍ମ ହିଂ ନିଷ୍ଫଳ।୭୭।

 

ତୁମ୍ଭେ ସେ ଭିଆଇଲ ୟେହା ଆଦି ଅନ୍ତ କରି

ମୋହୋର ହାଥେ ଦିଲ ତ୍ରିଗୁଣ ଦଉଡ଼ି।୭୮।

ଯୁଗତେଣ ପୁତ୍ର ଜାତ ନୋହିଲା ମହଋଷି

ହଠ କର୍ମ ଶାହାସ୍ରେ କିଂପେ ନୁଆରିଲ ପଶି।୭୯।

 

ଷଟକର୍ମ ଶାହାସ୍ରେ ଯେ ଭିଆଇଲେ ବିଶ୍ୱାମିତ୍ରେ

ୟେକ ଭାରିଯାରେ ପୁତ୍ର ନଉପୁଜିଲେ ଭିଆଇବ ଛଡ଼ ଅର୍ଥେ।୮୦।

ମୁକୁଇ ଆସି ବୋଇଲେ ଶୁଣସି ରେ ଯମ

ଛଡ଼ କର୍ମେ ଉପୁଜାଇଲେ ଦେବୁତାକୁ ମୋକ୍ଷ କର୍ମ।୮୧।

 

ବିଭାଇ ଭାରିଯାରେ ଯେବେ ନ ଉପୁଜିବ ସନ୍ତତି

ପରର ଫଳିଲା ସ୍ତିରୀ ଯେବେ ହୁଅଇ ରଜବତୀ।୮୨।

ଦୂତିକା ପେଷିଣ ତାହା ତହିଂ ଧନ ଦେଇ

ପାକାଶୁଦ୍ଧ ସ୍ନାନ ଦିନେ ପର ତୁଲେ ଶୃଙ୍ଗାର କରାଇ।୮୩।

 

ତହିଂ ମହାତମା ଯେବେ ନ ଉପୁଜଇ ସନ୍ତାନ

ଯାହାର ବୃତ୍ତି ନାହିଂ ସେ ଭୂମି କିଣି ଉପୁଜାଇବ ଶସ୍ୟମାନ।୮୪।

ସେ ଶସ୍ୟ ଭୋଗ କରିବ ନାହିଂ କି ସେ ପ୍ରାଣୀ

ବିଶ୍ୱାମିତ୍ରଙ୍କ ଶାହାସ୍ରେ ୟେସନେକ ପରମାଣି।୮୫।

 

ତେଣେ ହେଂ କାରଣ ନା ହୁଅନ୍ତା ତୁମ୍ଭଙ୍କୁ

ଅଳପେ ବୁଦ୍ଧି ହୋଅନ୍ତା ନା ମୋତେ ଜିଣିବାକୁ।୮୬।

ଅଗ୍ନିକାର ଋଷି ବୋଇଲେ ତାହିଂ ଅପାର ଆମ୍ଭେ କଲୁ

ତେମନ୍ତେ ହେଂ ପୁତ୍ର ଜାତ କରି ତନୁଆରିଲୁ।୮୭।

 

ତାହା ଶୁଣି ବିରସ ଯେ ହୋଇଲେ ଜନ୍ତୁ ଈଶ

ୟେଡ଼େ ବଡ଼ ମହାତମା ହୋଇଲୁ ନର୍କ ବାସ।୮୮।

ଆରେକ ଉପାୟେ କି କରି ନପାରିଲୁ ମହାମୁନ୍ୟେ

ଧନ ଦେଇ ପୋଷି ନୁଆରିଲୁ କି ପରର ନନ୍ଦନେ।୮୯।

 

ତାହାକୁ ବିଭାକଲେ ଧର୍ମ ପାଞ୍ଚଭାଗ ହୁଅନ୍ତା

ଭାଗେ ତୁମ୍ଭଙ୍କୁ ଚତୁର୍ଥ ଭାଗ ପିତାଙ୍କୁ ଲାଗନ୍ତା।୯୦।

ତେଣେ ହେଂ କାରଣ ହୁଅନ୍ତା ତୁମ୍ଭଙ୍କୁ

ବଂଶକୁ କାରଣ ହୁଅନ୍ତା ସଂକେତ କରିବାକୁ।୯୧।

 

ତୁମ୍ଭେ କି ନଜାଣ ମୁଂ କିସ କହିବଇଂ ତୁମ୍ଭଙ୍କୁ।୯୨।

ଋଷି ବୋଇଲେ ହୋ ତାହାହିଂ ଆମ୍ଭେ କଲୁ

ଧନ ଦେଇ ପୁତ୍ରେକ ଅତି ଯତ୍ନେଣ ପୋଷିଲୁ।୯୩।

 

ୟେସନେକ ଆମ୍ଭର କର୍ମେ ଅଛି ଅରଜିଲା

ବିଭାକାଳେ ସେ ପୁତ୍ରହିଂ ପଡ଼ିନାଶଗଲା।୯୪।

ଋଷିଙ୍କର ବଚନେ ବିଷାଦ ନାଶକର

କାଳ ବିକାଳକୁ ରାଇଣ ବୋଇଲେ ଜନ୍ତୁଙ୍କ ଈଶ୍ୱର।୯୫

 

ଆହୋ ପୁତ୍ର ଦୋହିତା ଯେବେ ୟେହାର ମଞ୍ଚେ ନାହିଂ

କୁମ୍ଭୀପାକ ନରକେ ପକାଅ ୟେହାଙ୍କୁରେ ନେଇ।୯୬।

ଯମର ବଚନ ଶୁଣି କାଳଯେ ବିକାଳ

କୋପାନଳ ହୋଇ ଧଇଲେ ସେ ଅଗ୍ନିକାର ଋଷିଙ୍କର ବାଳ।୯୭।

 

ଋଷିଙ୍କର ଅବସ୍ଥା ଯେ ଦେଖିଲେ ଧର୍ମଲୋକେ

ଆରେ ରହ ରହ ବୋଲିଣ ଉଚ୍ଚସ୍ୱରେ ଦେଲେ ଡାକେ।୯୮।

ଋଷିଙ୍କର କେଶ ଛଡ଼ାଇଲେ ଆସି ପ୍ରସନ୍ନେ ନିରାକାରେ

ଆହୋ ନାଶକର ଆମ୍ଭଙ୍କୁ ଦେବୁ କି ଉପୁଗାରେ।୯୯।

 

ୟେ ପଣ୍ଡିତ ମହାମୁନି ଅଟଇ କଳ୍ପଋଷି

ବେଳକ ମହାତମା ୟେହାକୁ ଉପୁଗାର କରସି।୧୦୦।

ଆରେକ ଜନ୍ମ ଗୋଟି ୟେବେ ଛାଡସି ୟେହାଙ୍କୁ

ମଞ୍ଚପୁରେ ପୁତ୍ର ଜାତ କରି ୟେ ଆସନ୍ତୁ ସ୍ୱର୍ଗକୁ।୧୦୧।

 

ଯମର ଆଗ୍ୟାଂୟେ ଯେ ଶାସ୍ତି ଦେଉଥିଲେ

ଧର୍ମ ଆତ୍ମା ଲୋକେ ତାହାଙ୍କୁ ଶାନ୍ତି କରାଇଲେ।୧୦୨।

ନାଶକର ଦେବତା ପ୍ରତିବାଚ ଯାଅ ମଧ୍ୟ ସ୍ୱର୍ଗେ

ପୁତ୍ର ଜାତ କରି ମହାତ୍ମା ହୋ ଆସସି ତୁହି ବେଗେ।୧୦୩।

 

ବନ୍ଧନୁଂ ପଳାଇ ଆସନ୍ତି ବ୍ରହ୍ମଋଷି

ଚିତ୍ରଗୁପତେ ତିଆରନ୍ତି ମୁନିଙ୍କି ଗୋଡ଼ାଇ ବେଗେ ଆସି।୧୦୪।

ଜପ ତପମାନ ତୁମ୍ଭର ଛାଡ଼ ହୋ ମହଋଷି

ସମସ୍ତ ତେଜ୍ୟା କରି ମୁନି ହେ ସନ୍ତାନ ଜାତ କରସି।୧୦୫।

 

ବଦୟନ୍ତି ମୁନିବର ଶୁଣ ହୋ ପଣ୍ଡୁରାୟେ

ୟେସନେକ ଗତି ମୋତେ ହୋଇଲା ଯମର ସଭାୟେ।୧୦୬।

ଧର୍ମେଣ ଅଇଲି ମୁଂ କୁଟୁମ୍ୱ ଜାତ ଅର୍ଥେ

ବିଶ୍ରମି ଭାଳି ବସିଲି ମୁଂ ବିଝଂଗିରି ପରବତେ।୧୦୭।

 

ମନୁଷ୍ୟେ ଶୃଙ୍ଗାର ମୁଂ କଲଇଂ ଅପ୍ରମିତ

ଅନେକ ବାଗେଣ ପୁତ୍ର କୁଟୁମ୍ୱ ନୋହିଲାକ ଜାତ।୧୦୮।

ୟେସନେକ ସମୟେ ହରିତା ନାମେ ମୃଗୁଣୀ

ଶୋଷରେ ଅଇଲା ସେ ଆହାର କରିପାଣି।୧୦୯।

 

ୟେ ମୃଗୁଣୀ ହାଦେ ଅଟଇ ପବିତ୍ର ଜୀବ

ୟେହାର ଚର୍ମ ଆସନ କରନ୍ତି ସଦାଶିବ।୧୧୦।

ୟେଣୁ ସେ ଶୃଙ୍ଗାର କଲଇ ମୁଂ ଇଚ୍ଛା

ସନ୍ତାନ ଜାତ ଅର୍ଥେ କଳ୍ପିଲା ମନବାଞ୍ଛା।୧୧୧।

 

ପାଣିଆହାର କରି ଲେଉଟନ୍ତେ ମୃଗୁଣୀ

ଆକ୍ରେଷି ଧଇଲି ମୁଂ ବେଣ୍ଟକାର ଭାବ ଜାଣି।୧୧୨।

ଶୃଙ୍ଗାର ଇଛନ୍ତେ ସନ୍ତାନ ଜାତ ଅର୍ଥେ

ବେନି ଜନ ନାଶଗଲୁ ତୋହୋର ଶରଘାତେ।୧୧୩।

 

ତୁ ମହାରାଜା ପଞ୍ଚୁ କଟକେ ଆଧିପତି

ନାରାଜ କାଢ ମହାତମା ହୋ ପାଇଲୁନି ବଡ଼ ଶାସ୍ତି।୧୧୪।

ଋଷିର ବଚନେ ଯେ ଧଇଲେ ନାରାଜ

ବାମକର ପିଠିରେ ଦେଇ ମାଡିଲା ମହାରାଜ।୧୧୫।

 

ନାରାଜ କାଢଇ ସେ ଗାଢେଣ ଉକ୍ଷୁଡ଼ି

ପ୍ରାଣତ୍ୟାଗ ହୋଇଲା ମହାତମା ଭୂମିରେଣ ପଡ଼ି।୧୧୬।

ହରିତା ମୃଗୁଣୀ ଆବର ଅଗ୍ନିକାର ମହାଋଷି

ବୀର୍ଯ୍ୟ ପତନେ ହୋଇଲା ମୃଗୁଣୀ ଗର୍ଭବାସୀ।୧୧୭।

 

ଦୁହିଙ୍କର ଆତ୍ମା ଅବସାନ କାଳେ

ଗର୍ଭରୁ ପୁତ୍ରେକ ଯେ ପଡିଲା ମହୀତଳେ।୧୧୮।

ମୃଗର ଶରୀର ତାହାର ମଣିଷର ମୁଣ୍ଡ ଗୋଟି

ସେ ପୁତ୍ର ଦେଖିଣ ପ୍ରାଣ ଛାଡ଼ିଲେ ତପନିଷ୍ଠି।୧୧୯।

 

କୃତାନ୍ତକ ଦେଖି କଲେ ଅନେକ ଯେ ପୂଜା

ସ୍ୱର୍ଗ ଆସ୍ଥାନେ ବସାଇଲେ ନେଇଣ ବିଡ଼ୋଜା।୧୨୦।

ଯେବଣ ପୁତ୍ର ହାଦେ ଜାତ ହୋଇଲା ଋଷିଙ୍କର ବୀର୍ଯ୍ୟେ

କୋଳେଣ ଧଇଲେ ତାହା ପଣ୍ଡୁ ମହାରାଜେ।୧୨୧।

 

ଆକାଶବାଣୀ ପଡିଲା ପଣ୍ଡୁ ମହାରାଜାଙ୍କୁ

ମୃଗଋଷି ବୋଲି ନାମ ଦିଅ ସେ ପୁତ୍ରକୁ।୧୨୨।

ଶୁଖିଲା କାଠ କୁଢାଇ ଚିତା ଆରୋପଣ

ଋଷିମୃଗୁଣୀ ଦୁହିଙ୍କି ଦହନ କଲେକ ଆପଣ।୧୨୩।

 

ମୃଗୟା କୁମର ଘେନିଗଲେ ଶତଶିଂଗ ପର୍ବତେ

ବେନି ଭାରିଯାଙ୍କ ମୁଖ ନଚାହିଂଲେ

ବ୍ରହ୍ମହତ୍ୟା ଦୋଷ ନିମନ୍ତେ।୧୨୪।

କୋଇନ୍ତାୟେ ପଚାରିଲେ ଶୁଣ ସ୍ୱାମୀ ମହାଗ୍ୟାଂତା

ଧାର୍ମିକ ବିବେକ ପଣ୍ଡିତ ସତ୍ୟବ୍ରତା।୧୨୫।

 

ହେଠ ମାଥ ହୋଇ ସ୍ୱାମୀ କଥା କିଂପେ ଯେ ନ କହୁ

କେବଣ ଦ୍ରୋହକଲୁ ଆମ୍ଭର ବଦନ ନ ଚାହୁଂ।୧୨୬।

ପଣ୍ଡୁ ବୋଇଲେ ତୁମ୍ଭେ ଅଟ ମହାଗ୍ୟାନୀ

ବେନି ବଂଶେ ଉତପତ୍ତି ତୁମ୍ଭେ ମହାବ୍ରହ୍ମ ଘେନି।୧୨୭।

 

ମୁହିଂ ମହାପାତକ କଲି ଶୁଣସି ଗୋ କୋଇନ୍ତା

ମୃଗୟା ବିନୋଦେ ହାଦେ ମୁହିଂ କଲି ବ୍ରହ୍ମହତ୍ୟା।୧୨୮।

ଅଗ୍ନିକାର ମହାଋଷିଙ୍କି ମାଇଲି ଶୃଙ୍ଗାର କାଳେ

କୋପେଣ ମହାତ୍ମା ମୋତେ ଶାପ ଦିଲେ ପ୍ରାଣତ୍ୟାଗ ବେଳେ।୧୨୯।

 

ଶୃଙ୍ଗାର କାଳେ ଅଦୋଷେ ନାରାଜ କଲୁ ପଣ୍ଡୁ

ତୋହୋର ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡ଼ୁ।୧୩୦।

ୟେଡ଼େ ହତ୍ୟା କଲି ଶୁଣ ଗୋ ଭୋଜର କୁମାରୀ

ତେଣୁ ସେ ବିରସ ହୋଇ ବୁଲଇ ଦିଗାମ୍ୱରୀ।୧୩୧।

 

କୋଇନ୍ତାୟେ ବୋଇଲେ ତୁମ୍ଭେ ଶୁଣ ଗୋ ପ୍ରାଣନାହା

ଦଇବ କୃତ ଲେଖନ ସ୍ୱାମୀ କରିଅଛି ଯାହା।୧୩୨।

ଆପଣେ ଯାହା କରି ସ୍ୱାମୀ କର୍ମ ତାକୁ ବୋଲି

ତୁମ୍ଭର କିସ ଗଲା ସ୍ୱାମୀ ମୁହିଂ ହାଦେ ନାଶ ଗଲି।୧୩୩।

 

ୟେ ପୁତ୍ର ଗୋଟି ସ୍ୱାମୀ ଅଟଇ କାହାର

ପଣ୍ଡୁ ବୋଇଲେ ୟେ ଅଗ୍ନିକାରମହାଋଷିଙ୍କର।୧୩୪।

ମୃଗ ମହଋଷି ବୋଲି ୟେ ପୁତ୍ରର ନାମ ଗୋଟି

ଅବସାନ କାଳେ ମୋତେ ସମର୍ପିଲେ ତପନିଷ୍ଠି।୧୩୫।

 

କୋଇନ୍ତାୟେ ବୋଇଲେ ତୁମ୍ଭେ ଶୁଣ ପ୍ରାଣନାଥ

ଅଗ୍ନିକାର ବୋଲି ସେ କେବଣ ଭଗବନ୍ତ।୧୩୬।

ୟେତେ ବଡ଼ ମହାଋଷି ହୋଇ କର୍ମ ନ ଆଦରିଲା

କୋପ ନ ସଂଘରି ତୋତେ ଲେଉଟି ଶାପ ଦିଲା।୧୩୭।

 

ଧୃତରାଷ୍ଟଙ୍କୁ ରାଜ୍ୟ ସମର୍ପିଲୁ ଧର୍ମ ଅର୍ଥେ

ଧର୍ମ ଝିଘାଂସ ଆସି ତୋତେ ହୋଇଲା ଯଥା ଅର୍ଥେ।୧୩୮।

କର୍ମକୁ ଆଦରି ଯେ ରହିଲେ ଘୋରବନେ

ତହୁଂ ମୃଗୟା ନ ଯାଇ ପଣ୍ଡୁ ଯେ ରାଜନେ।୧୩୯।

 

ବ୍ୟାସଙ୍କୁ ସୁମରଣା କଲେ ପଣ୍ଡୁ ଯେ ନୃପତି

ମହାବ୍ରହ୍ମ ଋଷି ଆସି ମିଳିଲେ ତତ କ୍ଷଣାନ୍ତି।୧୪୦।

ସଂଗତେଣ ଅଛନ୍ତି ଷାଠିୟେ ସହସ୍ର ଶିଷି

ଶତଶିଂଗ ପର୍ବତେ ମିଳିଲେ ବ୍ୟାସ ମହଋଷି।୧୪୧।

 

ବଧୂନ୍ତ ଘେନି ପ୍ରଣପତ୍ୟ ହୋଇଲାକ ପଣ୍ଡୁ

ବ୍ୟାସ କଲ୍ୟାଣ କଲେ ତୋତେ ବନସ୍ତେ ପ୍ରମାଦ ନ ପଡ଼ୁ।୧୪୨।

ଆସନ ପାଦାସନ ଦେଇ ପଣ୍ଡୁରାୟେ

ମସ୍ତକେ କର ଦେଇ ପୁଣ ପୁଣ ବିନୟେ।୧୪୩।

 

ଶ୍ରୀବ୍ୟାସେ ଆଗ୍ୟାଂ ଦିଲେ ଶୁଣ ରେ ନନ୍ଦନ

କେମନ୍ତେ ବନେ ପଶିଲୁ କିସ ଅଭିମାନ।୧୪୪।

ଇନ୍ଦ୍ରପ୍ରଶସ୍ତ ରାଜ୍ୟ ବାବୁ ଛାଡ଼ିଲୁ କେମନ୍ତେ

ପଣ୍ଡୁ ବୋଇଲେ ଭୋ ତାତ ଧୃତରାଷ୍ଟଙ୍କ ନିମନ୍ତେ।୧୪୫।

 

ଅନ୍ଧ ହୋଇଣ ସେ ରାଜପଦକୁ କଲେ ଇଚ୍ଛା

ମୁହିଂ ବୋଇଲି ହୋ ଭ୍ରାଥ ଭୋଗ କର ମନବାଞ୍ଛା।୧୪୬।

ଧୃତରାଷ୍ଟଙ୍କୁ ରାଜ୍ୟ ଦେଇ ଭୋ ତାତ ପଶିଲି ଘୋରବନେ

ଅନୁବ୍ରତେ ବଞ୍ଚଇ ଅଟବ୍ୟା ଗହନେ।୧୪୭।

 

ମାରଇ କଉଣପ ରଖଇ ତପିଜନେ

ଅନୁବ୍ରତେ ଭ୍ରମଇଂ ମୁଂ ଖଟଇ କଟକ ପଞ୍ଚୁସ୍ଥାନେ।୧୪୮।

ବଦୟନ୍ତି ବ୍ୟାସେ ତୁ ହୋ ସାଧୁ ସହୋଦର

ଧୃତରାଷ୍ଟଙ୍କୁ ରାଜ୍ୟଦେଇ ଅବସ୍ଥା ପାଉ ବନସ୍ତର।୧୪୯।

 

ପଣ୍ଡୁ ବୋଇଲେ ମୁନି ହେ ଶୁଣିମା ମୋର କଷ୍ଟ

ଅଗ୍ନିକାର ମହାଋଷିଙ୍କି ମୁଂ କଲଇ ପ୍ରାଣେ ଭ୍ରଷ୍ଟ।୧୫୦।

ବ୍ରହ୍ମହତ୍ୟା ଦୋଷ ମୁଂ ବସାଇଲି ମୋର କାୟେ

ଭୋ ବ୍ରହ୍ମଋଷି ମୋତେ କହିବା ଯେଣେ ପାତେକ ହେବ କ୍ଷୟେ।୧୫୧।

 

ସୁବର୍ଣ୍ଣର ସିଂହାସନେ ବିଜେ କଲେ ବ୍ୟାସେ

ବ୍ୟାସଙ୍କର ଛାମୁରେ ଉଭା ସର୍ବ ଶିଷ୍ୟେ।୧୫୨।

ରତ୍ନଝରିରେ ନୀର ଘେନି ମୁନିପାଦ ପଖାଳିଲେ ନୃପତି

ଅନେକ ପୂଜା କଲେ ବିନୟ ଭଗତି।୧୫୩।

 

ବ୍ୟାସେ ବୋଇଲେ ତୁ ହୋ ନଭାଳ ନୃପମଣି

ଅଗ୍ନିକାର ମହାଋଷିଙ୍କି ଶରଘାତ କଲୁ ତୁ ନଜାଣି।୧୫୪।

ଅଗ୍ୟାନୀ ଲୋକର ହୋ ବହୁତ ଦୋଷ ଯେ ନଥାଇ

ବ୍ୟାସେ ପଣ୍ଡୁକୁ ଶାନ୍ତି କରାନ୍ତି ଧର୍ମ ଶାସ୍ତ୍ର କଥା କହି।୧୫୫।

 

ଅଗ୍ନିକାର ମହାଋଷି ଅର୍ଜିଲା ୟେ କୀରତି

ପୂର୍ବର ନିର୍ମିଲା ତାର କପାଳ ଘଟ ସୂତ୍ରି।୧୫୬।

ପଣ୍ଡୁ ବୋଇଲେ ବ୍ରହ୍ମବେତ୍ତା ମୁନି ଭୂତ ଭବିଷ୍ୟ ମହାଗ୍ୟାଂନୀ

କେବଣ ପାତକେ ଦୂଷିତ ହୋଇଲେ ଅଗ୍ନିକାର ମୁନି।୧୫୭।

 

ବ୍ୟାସେ ବୋଇଲେ ବାବୁ ଶୁଣ ପଣ୍ଡୁନୃପ

ସତ୍ୟଯୁଗର ବାରତା ତୋତେ କହିବଇଂ ସରୂପ।୧୫୮।

ଶୁଣ ସାବଧାନେ ହୋ ଅପାର କାଳର କଥା

କର୍ମକଳ୍ପ ନାମ ସତ୍ୟଯୁଗର ବାରତା।୧୫୯।

 

କୁଶ ଦୀପର ରାଜା ଯେ ଅନଙ୍ଗସେନ ନୃପତି

ତାହାର ଭାରିଯା ନାମ ଅଟଇ ରତ୍ନାବତୀ।୧୬୦।

ରାଜା ହୋଇଣ ସେ ଅଟଇ ମହାଗ୍ୟାଂତା

ଜିତ ଇନ୍ଦ୍ରିୟ ପଣେ ସାଧନ ତାର ୟେକଇ ବନିତା।୧୬୧।

 

ସ୍ୱାମୀ ଅପାର କଲା ସେ ଯତସତ କ୍ରିୟା

ଅନୁରାଧା ନକ୍ଷତ୍ରେ ଜାତ ତାର ପ୍ରିୟା।୧୬୨।

ଯାହାର ନକ୍ଷତ୍ର ଅଟଇ ଅନୁରାଧା

ସ୍ତିରୀ ହୋଇଲେ ଦୋଚାରୀ କାମରେ ଶରଧା।୧୬୩।

 

ପୁରୁଷ ହୋଇଣ ସେ ତେଜଇ ସର୍ବ ଧର୍ମ

ଅଷ୍ଟ ନକ୍ଷତ୍ରେ ସେ ଅଟଇ କଳା କାମ।୧୬୪।

ଅଶ୍ୱିନୀ ରୋହିଣୀ ପୁଷ୍ୟା ଅନୁରାଧା

ସ୍ୱାତୀ ଶ୍ରବଣା ଶତଭିଷା ରେବତୀ କାମ ବାଧା।୧୬୫।

 

ଅଷ୍ଟ ନକ୍ଷତ୍ରେ ଯେବେ ଉପୁଜଇ ସ୍ତିରୀ

ଅନୁବ୍ରତେ କାମ ବାଧା ସେ ଅଟଇ ଦୋଚାରୀ।୧୬୬।

ୟେ ଅଷ୍ଟ ନକ୍ଷତ୍ରେ ଯେବେ ଉପୁଜଇ ପୁରୁଷ ସ୍ତିରୀ

ଅନୁବ୍ରତେ କାମ ବାଇ ହୁଅନ୍ତି ଅନ୍ୟାଚାରୀ।୧୬୭।

 

ସେ କୁଶଦୀପର ରାଜା ଅଟଇ ସତ୍ୟବାଦୀ

ଭାରିଯା ପରଦାରେଣୀ ସେ ରାଜ୍ୟେଣ ପରସିଦ୍ଧି।୧୬୮।

ସକଳ ତପ ଧର୍ମ ସେ ନ ଛାଡ଼ଇ ରାୟେ

ଜିତ ଇନ୍ଦ୍ରିୟ ପଦ ତାର ୟେକା ଭାରିଯାୟେ।୧୬୯।

 

ଆବର ପ୍ରଦାନ ସେ ନୋହଇ ଦଣ୍ଡଧାରୀ

ୟେକା ଭାରିଯାୟେ ତାହାର ସେହି ସେ ମନୋହାରୀ।୧୭୦।

ଭାରିଯାକୁ ତିଆରଇ ସେ ଭଟ୍ଟ ମିଶ୍ରନ୍ତ ବସାଇ

ପରଦାରା ଦୋଷେ ସ୍ତିରୀଙ୍କି ମୁକତି ଗତି ନାହିଂ।୧୭୧

 

ଶୁଣିମା ପରିଯନ୍ତେ ସେ ଘେନିଥାଇ ହୃଦେ

ରାଜା ଅନ୍ତର ହୋଇଲେ ସେ ଚଳଇ କାମଖେଦେ।୧୭୨।

ଅନେକ ବାଗେ ନୃପତି ତିଆରଇ ଦିବାରାତ୍ରେ

ପୁରାଣ ବାକ୍ୟ ଶୁଣାଇଲା ଦ୍ୱାଦଶ ବରଷ ପରିଯନ୍ତେ।୧୭୩।

 

ଯେ ସେ ପାପ ଆଚରଇ ଅଟେ ମନ୍ଦଜାତି

କେବେହେଂ ସେ ନ ଛାଡିଲା ଅନୀତି ପ୍ରକୃତି।୧୭୪।

ଅନେକ ଭୋଗ ଦେଇଣ ଯତନେ ପ୍ରତିପାଳି

ପରଦାରାଉଂ ଆନେ ନ ରସେ ଜଞ୍ଜାଳୀ।୧୭୫।

 

ମକର ସଂକ୍ରାନ୍ତିକି ଗଲେ ସମୋଦ୍ର ସ୍ରାହାନେ

ଅଗ୍ନିକାର ଋଷିଙ୍କି ଦେଖିଲେ ଘୋରବନେ।୧୭୬।

ସଂଗେଣ ଅଛଇ ତାର ଅନେକ ପୋଇଲି

ଝଡ଼ା ବାକୁଟିଆଣି ଚାଙ୍ଗଡ଼ାୟିତ ମୁଦୁସୁଲୀ।୧୭୭।

 

ଶୁଣ ହୋ ମହାରାଜ ସ୍ତିରୀଙ୍କର ପ୍ରକୃତି

ସେ ଋଷିଙ୍କି କୋଳ କରି ଧଇଲା ଯାଇ ଝାତି।୧୭୮।

ଦଣ୍ଡ କମଣ୍ଡଳ ମୁନିଙ୍କର ପକାଇଲା ଉଛୁଡ଼ି

ଆକ୍ରେଷି କୋଳ କରି ଧଇଲା ଭୁଜରେ ଭୁଜ ଭିଡ଼ି।୧୭୯।

 

ବୋଲଇ ଶିଂଶୁପା ଗଛ ତଳକୁ ଆସ ଯତି

ମୁଇଂ ରାଜକନ୍ୟା ମୋତେ ଦିଅସି ସୁରତି।୧୮୦।

ଅପାର ସ୍ତିରୀ ଅଛନ୍ତି ସେ ପୁରୁଷ ଅଟଇ ୟେକା

ଦେଖିଣ ବ୍ରହ୍ମଋଷି ହୋଇଲେ ତାଟକା।୧୮୧।

 

କୋପେଣ ମହାତମା ଛଡ଼ାଇଦେଲେ ପେଲି

ବିସ୍ମୟେ ହୋଇଣ ମୁନି ନାରାୟଣ ନାରାୟଣ ବୋଲି।୧୮୨।

ମୁଖେ ଚୁମ୍ୱନ ଦେଇଣ ବୋଲଇ ଶତଶ୍ରିୟା

ବୁକୁ ଶୀତଳାଇ ଖାଇଲେ ଗଳା କୁଣ୍ଡିଆଉ କିରେ ଯତିୟା।୧୮୩।

 

ଯଦ୍ୟପି ବିପ୍ର ତୁ ଅଟୁସି ଯୁଗତେ

ସୁଲଭ ଭୋଜନ ଦେଖିଲେ ପଳାଉ କେମନ୍ତେ।୧୮୪।

ମୁହିଂ ରାଜାର ଭାରିଯା ରାଜାର କୁମାରୀ

ମୋହୋର ଅଙ୍ଗ ଲାଗି ପାତକ ଗଲାନି ତୋହୋରି।୧୮୫।

 

କିଛିହିଂ ନ ବୋଲି ଚଳି ନ ପାରନ୍ତି ଅଗ୍ନିକାର

ଉଚ୍ଚେ ଡାକ ଦିଲା ହୋ ଅନଙ୍ଗସେନ ପ୍ରତିକାର କର।୧୮୬।

ଶବଦଭେଦୀ ସେ ଯେ ଅନଙ୍ଗସେନ ରାୟେ

ପାଦୁକାମନ୍ତ୍ର ମୌଷଧୀ ଜାଣଇ ସେ ମିଳିଲା ଅନ୍ତର୍ଦ୍ଧାୟେ।୧୮୭।

 

ଦେଖିଲା ମହଋଷିଙ୍କି ଧରି ଅଛି ଆପଣାର ରାଣୀ

ଦେଖିଣ ରାଗେ ଅଧର ଯେ କଂପାଇଲା ନୃପମଣି।୧୮୮।

ମହଋଷି ବୋଲନ୍ତି ୟେ କେବଣ ରାକ୍ଷସୀ

ତୋହୋର ଥାଆନ୍ତେ ୟେ ମୋତେ କଟାଳ କରଇ ଆସି।୧୮୯।

 

କୋପେଣ ରାଣୀର କେଶ ଧଇଲା ନୃପମଣି

ବିଜେ କର୍ଣ୍ଣକଟାରୀ ଘେନି ପକାଇଲା ହାଣି।୧୯୦।

ମହଋଷି ଗଲେ ତହୁଂ ମହୋଦଧି ସ୍ନାହାନେ

ବିଜେ କଲେ ନରପତି ଆପଣା ଭୁବନେ।୧୯୧।

 

ଯମ ଧର୍ମ ପୁରାଣେ ବିଚାର ହୋଇଲା

ଯମ ବୋଇଲା ରାଜା ସ୍ତିରୀ ହତ୍ୟା କଲା।୧୯୨।

ଅନୁଆଗ୍ୟାଂ ହୋଇଲେ ୟେ ଅଗ୍ନିକାର ମହଋଷି

ତାହାର ଡାକ ଦିଲେ ରାଜା ହୋଇଲାକ ଆସି।୧୯୩।

 

ଯମ ବିଚାରେଣ ରାଜା ମହଋଷି

ୟେ ଦୁହେଂ ହୋଇଲେ ଯେ ସ୍ତିରୀ ହତ୍ୟା ଦୋଷୀ।୧୯୪।

ଯମ ଧର୍ମ ପୁରାଣେ ପୁଣ ବିଚାର ହୋଇଲା

ରାଜା ମହଋଷିଙ୍କି ହତ୍ୟା ଦୋଷ ନ ଲାଗିଲା।୧୯୫।

 

ଭାରିଯା ହୋଇ ଯେବେ ହୋଇଲା ପରଦାରାୟେଣୀ

ସ୍ୱାମୀ ଦଣ୍ଡିବ ନାହିଂକି ? ଦୋଷ ପରିମାଣି।୧୯୬।

ଯୁଗତେଣ ରାଜା ଆବର ସେ ତାହାର ପ୍ରିୟା

ଦୋଷକୁ ସେ ଶାସ୍ତି ଦିଲା ପାପ ନ ବୋଲିବା ତାହା।୧୯୭

 

ଋଷି ତ୍ରାସ କଲେ ରାକ୍ଷାସୁଣୀ ପ୍ରାୟେ ମଣି

ତାହାର ଉପରେ ଦୋଷଗଲା ସେ ଅଟଇ ପରଦାରାୟେଣୀ।୧୯୮।

ଋଷିଙ୍କି ଶୃଙ୍ଗାର ସେ କଳ୍ପିଲା ଅନୁକ୍ରମେ

ବନେଣ ଉପୁଜୁ ମୃଗୁଣୀ ରୂପ ଜନ୍ମେ।୧୯୯।

 

ଅଗ୍ନିକାର ମହଋଷିଙ୍କି ଯେବେ ଇଚ୍ଛିଲା ରତି କରି

ମୃଗୁଣୀ ରୂପେ ଋଷିଙ୍କର ହୋଉ ମନୋହାରୀ।୨୦୦।

ଋଷିରେଣ ନାଶ ଯେବେ ହୋଇଲା ଯୁବତି

ୟେ କନ୍ୟା ଯୋଗେ ନାଶଯାଉ ଅଗ୍ନିକାର ମହାଯତି।୨୦୧।

 

ମୃଗୁଣୀ ଋଷି ଦୁହିଙ୍କରି ଶୃଙ୍ଗାର ଯେ ସରି

ପଣ୍ଡୁରାଜାୟେ ୟେହାଙ୍କୁ ନାରାଜ ଘାତକରି।୨୦୨।

ସ୍ତିରୀ ହତ୍ୟା ପାତକ ଯେ ଅଗ୍ନିକା ମହାଋଷିଙ୍କର ଥିଲା

ପଣ୍ଡୁଙ୍କର ନାରାଜ ଘାତେ ତାହାଙ୍କର ସମସ୍ତ କ୍ଷୟ ଗଲା।୨୦୩।

 

ବ୍ୟାସେ କହିଲେ ତୁ ଶୁଣ ରାୟେ ପଣ୍ଡୁ

ଦେବତାଙ୍କର ସଞ୍ଚିତ ତୁ କିଂପାଇ ଧର୍ମ ଛାଡୁ।୨୦୪।

ପଣ୍ଡୁ ବୋଇଲେ ମୋତେ କୋପେଣ ଶାପ ଦିଲା

ଶୃଙ୍ଗାର ବେଳେ ତୋତେ ଅକାଳ କାଣ୍ଡ ପଡୁରେ ବୋଇଲା।୨୦୫।

 

ୟେସନେକ ବୋଲିଣ ଶାପଦିଲା ମୁକୁ

ବ୍ୟାସେ ବୋଇଲେ ବଡ଼ ଦୁର୍ଭାର ଶାପ ଦିଲା ତୁକୁ।୨୦୬।

ବ୍ୟାସେ ବୋଇଲେ ୟେ ହୋଇଲା ମହାକଷ୍ଟ

ତପି ଲୋକଙ୍କର ଶାପ କେବେହେଂ ନ ଲେଉଟ।୨୦୭।

 

ବ୍ୟାସେ ତିଆରନ୍ତି ପଣ୍ଡୁଙ୍କୁ ୟେକାନ୍ତେ ବସାଇ

ବାବୁ ଦୁର୍ଭାସାଙ୍କର ମହାମନ୍ତ୍ର କୋଇନ୍ତାୟେ ଛନ୍ତି ପାଇ।୨୦୮।

ବଧୂମାନଙ୍କୁ ତୁ ନ ଧରିବୁ ହିଂସାୟେ

ବାବୁ ସନ୍ତାନ ଉପୁଜାନ୍ତୁ ଯେଝାର ଉପାୟେ।୨୦୯।

ବାବୁ ସ୍ତିରୀ ସେ ଅଟନ୍ତି ଅନେକ ବୁଦ୍ଧିମନ୍ତୀ

ଉପାୟେଣ କରି ହାଦେ ଜାତ ସେ କରନ୍ତି ସନ୍ତତି।୨୧୦-୧୮୨୯।

 

ଧୃତରାଷ୍ଟ୍ରଙ୍କର ପଣ୍ଡୁଙ୍କୁ ରାଜ୍ୟକୁ ଫେରାଇବା 

ନିମନ୍ତେ ଆସିବା ଓ ଶିବସ୍ତୁତି

 

ଅନେକ ବାଗେ ତିଆରିଲେ ବ୍ୟାସେ ଯେ ପଣ୍ଡୁଙ୍କୁ

ଚଳିଲେ ମହାମୁନି ଯେ ହସ୍ତିନା ଭୁବନକୁ।୧।

ଯହିଂ ସେ ବିଜେ କରିଅଛନ୍ତି ଧୃତରାଷ୍ଟେ

ପାରେଶ୍ୱର ନନ୍ଦନ ଯାଇ ମିଳିଲେ ନିକଟେ।୨।

ସଞ୍ଜୟେ ବୋଇଲେ ସ୍ୱାମୀ ଶୁଣ କୁରୁନାଥ

ବ୍ୟାସେ ବିଜେ କଲେ ଆସି ତୋହୋର ଅଗ୍ରତ।୩।

 

ଆସ୍ତାନ ତେଜିଣ ଉଠିଲେ ଅନ୍ଧରାଜା

ସତ୍ୟବତୀ ନନ୍ଦନର ପାଦେ କଲେ ପୂଜା।୪।

କୃଷ୍ଣାଞ୍ଜନ ଛାଲ ଗୋଟିୟେ ରାଜା ଦିଲା

ଉଭା ହୋଇଣ ରାଜା ସମସ୍ତ ପୁଛାକଲା।୫।

ବ୍ୟାସେ ବୋଇଲେ ବାବୁ ଶୁଣ ଧୃତରାଷ୍ଟ

ପଣ୍ଡୁଙ୍କୁ ପଡିଲା ବନେ ଦୁସହ ସଂକଟ।୬।

 

ଅଗ୍ନିକାର ମହଋଷିଙ୍କି ସେ ଶରଘାତ କଲା

କୋପେଣ ମହାତ୍ମା ତାକୁ ଦୁରାପଦ ଶାପ ଦିଲା।୭।

ପିତା ବ୍ରହ୍ମଋଷିଙ୍କର ବଦନୁଂ ଅନ୍ଧ ୟେସନକ ବାକ୍ୟ ଶୁଣି

ରଥ ଗଜ ଅଶ୍ୱ ଯେ ସଇନି ପଲାଣି।୮।

ସୁବର୍ଣ୍ଣ ପଲଙ୍କରେ ବିଜୟେ ଧୃତରାଷ୍ଟ

ହାନ୍ଦୋଳାରେ ଚଢି ଗାନ୍ଧାରୀ ବାହାର ନିକଟ।୯।

 

ଦଶ ଲକ୍ଷ ରଥ ଯେ ପଞ୍ଚାଶ ଲକ୍ଷ ହସ୍ତୀ

ସତୁରି ଲକ୍ଷ ବାରୁ ପାଞ୍ଚ କ୍ଷଉଣୀ ପାଦାନ୍ତି।୧୦।

ପାଟ କ୍ଷତ୍ର ଆଲମ୍ୱ ବିମଳ ୟେକ ଲକ୍ଷେ

ଚାମର ଲକ୍ଷେ ଯେ ୟେକଲଖୀ ଲକ୍ଷେ।୧୧।

ଉଦ୍ଦଣ୍ଡ ଲକ୍ଷେ ମୟୁର କଣ୍ଠା ଲକ୍ଷେ

ଶଙ୍ଖବାଦ୍ୟ ବୀରତୂର ବାଜେ ଲକ୍ଷେ ଲକ୍ଷେ।୧୨।

 

ଟମକ ନିଶାଣ ଯେ ୟେମାନ ଲକ୍ଷେ ଲକ୍ଷେ

ହସ୍ତୀ ଘୋଡା ପାଇକ ପଲାଶି ଅଛନ୍ତି କାଛେ କାଛେ।୧୩।

ୟେସନେକ ଥାଠ ଘେନି ଅମ୍ୱିକାର ବଳା

ବିହଡ଼ନ୍ତି ବନେ ସେ ତେଜ ଅନର୍ଗଳା।୧୪।

ଚଳନ୍ତି ଯୋଦ୍ଧାୟେ କାନନ ବନ ଖେଦି

କାଳଅଗ୍ନି ନାମେଣ ଭେଟିଲେ ୟେକ ନଦୀ।୧୫।

 

ସେ ନଦୀର କୂଳେ ବିଜେ ବିଶ୍ୱନାଥ

କାଳଅଗ୍ନି ନଦୀ ସେ ଅଟଇ ମହାତୀର୍ଥ।୧୬।

ବିଦୁର ସଂଜୟେ ଧୃତରାଷ୍ଟ ମୂଳେ

ଗଙ୍ଗାର ନନ୍ଦନ ଯେ ଭୀଷ୍ମ ମହାବଳେ।୧୭।

ତୀର୍ଥରେ ସ୍ନାହାନ କରି ବିଶ୍ୱନାଥଙ୍କୁ କଲେ ତୁସ୍ତି

କାଳଅଗ୍ନି ମହାଲିଙ୍ଗ ଜୟତୁ କାଶୀପତି।୧୮।

 

ଉତପତ୍ତି ପ୍ରଳୟ ତୋ ତହୁଂ ନାହିଂ ଆନ

ଅନ୍ଧକ ବିଦାରଣ ଜୟ ତୁ ତ୍ରିଲୋଚନ।୧୯।

ବଇଲ ବାହାନେ ଭ୍ରମଣି ଅନୁବ୍ରତେଣ ମତିଭୋଳା

ଭଇରବ ରୂପ ଧରି ପାତିଲୁ ମହାଖଳା।୨୦।

କମଳାର ନନ୍ଦନ ଅନଙ୍ଗ କାମଦେବ

ତାହାକୁ ଦହିଲୁ ତୁ ପିତାର ଅଭାବ।୨୧।

 

ନିରାଳମ୍ୱ ପୁରୁଷ ତୁ ନଜାଣୁ ଦେବ କିଛି

ନାରାୟଣର ଅଭାବେ ତୁ କାଳକୂଟ ଭକ୍ଷି।୨୨।

ସ୍ୱାମି କାଶୀପତି ନାଶଗଲା ତୋହୋର କୂଟ ବୁଦ୍ଧି

ଦୟା ସାଗର ନାଥ ତୁ ଶୃଙ୍ଗାର ବାରାନିଧି।୨୩।

ୟେକା ଚରଣେକ ଚତୁର୍ଭୁଜ ତ୍ରିଲୋଚନ ପଞ୍ଚୁ ଯେ ବଦନ

ନାମ ବିଶ୍ୱନାଥ ତୁ ଗଙ୍ଗାର ରମଣ।୨୪।

 

ଖପର କୋଠାର ଘେନି ମହାମତ୍ତ ଭୋଳା

ଡିବି ଡିବି ଡମ୍ୱରୁ ମତୁଆଳ ଖେଳା।୨୫।

ଚଣ୍ଡିକା ମତୁଆଳ ଯୋଗ୍ନୀ ଘୋର ରଡ଼ି

ପ୍ରେତ ପିଚାଶ ବେତାଳ ମାନନ୍ତ ଘେନି ଖେଡ଼ି।୨୬।

 

ରକ୍ତବର୍ଣ୍ଣେ ତ୍ରାସ ସୁନ୍ଦର କପାଳୀ

ରକ୍ତ ବସନ ସିନ୍ଦୂର ରକତ ମନ୍ଦାର ମାଳୀ।୨୭।

ଅପୂର୍ବକର ନାଟ କୀର୍ତ୍ତି କାଳାନ୍ତ ଭୋଳା

ବୃଷଭ ବାହାନ ନାଥ ତେଜ ଅନର୍ଗଳା।୨୮।

ଅସାଷ୍ଟମ ମହାତମା କାୟ ମହାମତ୍ତା

ଅଚିନ୍ତା ପୁରୁଷ ନାଥ ପର ଦୁଖେଣ ଚିନ୍ତା।୨୯।

 

ସିନ୍ଦୂର ବିଲେପନ ଅଣାକାର ରୂପ

କ୍ଷଣେ ବୃଦ୍ଧ କ୍ଷଣେ କନ୍ଦର୍ପ ସରୂପ।୩୦।

କେ ମାତ ପିତା କେ ଭାରିଯା କେ ଭଗିନୀ

ନାଚନ୍ତି ଗାବନ୍ତି ଭଣ୍ଡଗୀତ ଘେନି।୩୧।

କଡ଼ା ଦାଉଣ୍ଡି ଯେ ଟହ ଟହ ଘୁମୁରା

କେ କାହାଳ କରନ୍ତି କେ ନାଚନ୍ତି ତ୍ରିପୁରା।୩୨।

 

ତ୍ରିଣାୟେକ ବୀଣାୟେକ ହେରମ୍ୱ ଗଣପତି

ନନ୍ଦୀ ମହାକାଳ ଚଣ୍ଡ ପ୍ରଚଣ୍ଡ ସେନାପତି।୩୩।

ଜୟନ୍ତକ ଅଜୟନ୍ତକ ଜାତୁ ମଲ୍ଲ କ୍ଷେତ୍ରପାଳ

ଉନମତ୍ତର କାଳ କାଦମ୍ୱରୀ ପାନେ ମତ୍ତ ଭୋଳ।୩୪।

ଧୁଧୁକାର ତାଣ୍ଡବ ପରପଞ୍ଚ ଯେ ଯୋଗୀ

ଅବଧୂତ ନାଥ ପିଙ୍ଗଳ ବଇରାଗୀ।୩୫।

 

ବଳି ଭୋଜା ମାୟେଂସ ଭୋଜା ଆବର ପୋଡ଼ାବଳି

ଶଉର୍ଯ୍ୟବନ୍ତ ଭୋଳାନାଥ ନାନା ରଙ୍ଗେଣ କେଳି।୩୬।

ଗିରିଜାର ବଲ୍ଲଭ ମହା ଭଇରବ ମୂରତି

ଶୂଦ୍ରମୁନି ସାରୋଳା ଦାସର ଅଟଇ ପ୍ରକୃତି।୩୭।

ସ୍ୱାମୀ ଯାବତ ଚନ୍ଦ୍ର ଦିବାକର କାଳ

ତୋହୋର ଲୟ ମୋର ହୃଦରେ ସମ୍ଭାଳ।୩୮।

 

ମୁହିଂ ମହାଭାରଥ ଯେ କହିବି ଆଦି ପର୍ବ

ଦୁତୀୟ ଖଣ୍ଡ ୟେ ଅପୂର୍ବ ରସ ଭାବ।୩୯।

 

ଶତଶୃଙ୍ଗ ପର୍ବତର ବର୍ଣ୍ଣନା

 

କାଳଅଗ୍ନି ନାଥ ପୂଜିଣ କୁରୁନାଥେ

ବିଜେ ସୋମବଂଶୀ ମଳୟ ବସନ୍ତ ପର୍ବତେ।୧।

ଶତଶିଂଗ ନାମେଣ ଦେଖିଲେ ଯେବଣ ଗିରି

ଶୁଦ୍ଧ ସୁବର୍ଣ୍ଣ ଘଟଣ ଯୋଜନ ଶତେ ଚାରି।୨।

ତହିଂ ଉପରେ ଯେ ଅଛଇ ରସ କୂପ

ଅଷ୍ଟ ଲୋହ ପକାଇଲେ ବିବିଧ ରତ୍ନରୂପ।୩।

 

ବୃକ୍ଷ ଶ୍ୱେତ ବର୍ଣ୍ଣ ପତ୍ରେ ଧବଳ ବର୍ଣ୍ଣ

ପୁଷ୍ପ କନକ ବର୍ଣ୍ଣ ଉଦୟେ ଯେହ୍ନେ ଜହ୍ନ।୪।

ବେନି ଶତ ଯୋଜନ ଉତ୍ସର୍ଗ ଚାରିଶତ ଯୋଜନ ପୋତା

ତହିଂର ଉପରେ ଯେ ଯାଗ କଲେ ଦକ୍ଷଧାତା।୫।

ସେ ପର୍ବତେ ବାଟ ଅଛି ପାତାଳ ଭୁବନକୁ

ଈଶାନ ଶିଖେ ଉଠିଲେ ଯାଇ ଆକାଶ ଭୁବନକୁ।୬।

 

ଜମ୍ୱୁଦୀପର ୟେ ମଧ୍ୟ ସ୍ଥାନ ଯେ ଅଟଇ

ପଞ୍ଚତିରିଶ ଧାରା ଗଙ୍ଗା ସେ ପର୍ବତେ ଫୁଟଇ।୭।

ତହୁଂ ସେ ଉତପତ୍ତି ହୋଇଛନ୍ତି ସର୍ବ ନଦୀ

ମେରୁ ଆବୃତ ହୋଇ ସଙ୍ଗମ ମଉଦଧି।୮।

ଶତେକ ଶିଂଗ ଅଛଇ ସେ ପର୍ବତ ଉପରେ

ସୁବର୍ଣ୍ଣର ଶିଂଗ ବସଇ ସେ ଈଶାନ୍ୟା ଦିଗରେ।୯।

 

ବଇଡୁର୍ଯ୍ୟ ଶିଂଗ ବସଇ ଦକ୍ଷିଣ ଭାଗ କତି

ହୀରା ଶିଂଗ ବସଇ ପଶ୍ଚିମ ମୂରତି।୧୦।

ମାଣିକ୍ୟର ଜ୍ୟୋତି ଶିଂଗ ଉତ୍ତରେ ବସଇ

ମରକତ ଶିଂଗ ବାୟବ୍ୟ କୋଣେ ପ୍ରକାଶଇ।୧୧।

ନୀଳା ଶିଂଗ ବସଇ ନଇଋତ କୋଣେ

ଅଷ୍ଟ ରତ୍ନ ଶିଂଗ ଅଛଇ ଅଗ୍ନି କୋଣେ।୧୨।

 

ୟେକ ୟେକ ଶିଂଗ ଯେ ଦ୍ୱାଦଶ ଯୋଜନ ସ୍ଥଳୀ

ଶତେ ଯୋଜନ ଉତ୍ସର୍ଗ ପାଞ୍ଚ ଯୋଜନ ଅଗୁଳି।୧୩।

ଈଶାନ୍ୟ କୋଣେଣ ବସଇ ଦିବାକର

ନୈଋତ କୋଣେ ବସଇ ଶଶଧର।୧୪।

ମେଘେ ବିଶ୍ରାମ କରନ୍ତି ବାୟବ୍ୟର କୋଣେ

ଅଗ୍ନି କୋଣେ ବିଶ୍ରାମ କରନ୍ତି ଦେବ ନାରାୟଣେ।୧୫।

 

ଈଶାନ୍ୟ ଶିଂଗ କୋଣେ ଯେ ଆକାଶକୁ ପନ୍ଥ

ବାୟବ୍ୟ ଶିଂଗ କୋଣେ ବସନ୍ତି ବିଶ୍ୱନାଥ।୧୬।

ମେରୁର ଅନୁଜ ଯେ ଶତଶିଂଗ ଗିରି

ଶ୍ରୀରାମଚନ୍ଦ୍ରଙ୍କ କାର୍ଯ୍ୟେ ତ୍ରେତୟା ଯୁଗେ

ହନୁମନ୍ତ ନେଲା ଯେ ଉପାଡ଼ି।୧୭।

ସୁସଞ୍ଚ ପର୍ବତ ବୋଲି ଶ୍ରୀରାମ ଦୟା କଲେ

ଅଙ୍ଗଦକୁ କହି ତାକୁ ଲୁଚାଇ ଥୋଇଲେ।୧୮।

 

ସ୍ୱାମୀଙ୍କର ଆଗ୍ୟାଂୟେ ତାହା ଅଙ୍ଗଦ ଫିଙ୍ଗି ଦିଲା

ଜମ୍ୱୋଦୀପ ମଧ୍ୟସ୍ଥାନେ ଯାଇଣ ପଡ଼ିଲା।୧୯।

ଆଦି ଈଶାନ୍ୟେ ଯେ ଶତଶିଂଗ ଗିରି

ଅଳକା ଭୁବନକୁ ଅଗୁଳି ଗୁଣଚାରି।୨୦।

ସେ ପର୍ବତ ଉପରେ ରହିଛନ୍ତି ପଣ୍ଡୁ ରାୟେ

ସପତ ଦୀପ ଦିଶଇ ତହିଂ ଥାଇଂ କଲେ ୟେକ ଲୟେ।୨୧।

 

ସେବା କଲେ ପରସନ୍ନ ହୋଅଇ ପରବତ

ସେ ପର୍ବତେ ଜନମ ହୋଇଲେ ହୋଅନ୍ତି ଶୂରବନ୍ତ ବଳବନ୍ତ।୨୨।

ଧୃତରାଷ୍ଟ ବିଜେ କଲେ ଶତଶିଂଗ ପର୍ବତେ

ପଣ୍ଡୁ ଦ୍ରଶନ କଲେ କୁରୁନାଥର ଅଗ୍ରତେ।୨୩।

କରେଣ ଧାମଣା କାଠର ଧନୁକଣ୍ଟା ବାୟେଂଶର ଗୁଣ

ମଜୁର ପକ୍ଷୀ ଆଭରଣ ଫିରିକି ନାରାଜ ତ୍ରୋଣ।୨୪।

 

କଣ୍ଠେଣ ଗୁଞ୍ଜରା ମାଳୀ ଲୋହିତ ବର୍ଣ୍ଣ ଆଖି

ବିଜେ କର୍ଣ୍ଣ କଟାରି ମେଖଳା ଝିଙ୍କ ପକ୍ଷୀ।୨୫।

ବେଣ୍ଟକାର ସରୂପେ ବିଜୟେ ପଣ୍ଡୁ ରାୟେ

ଧୃତରାଷ୍ଟ ଅଗ୍ରତେ କହିଲେ ସଂଜୟେ।୨୬।

ପଣ୍ଡୁ ଦର୍ଶନ କଲେ, ଶୁଣ ଧୃତରାଷ୍ଟେ

ଅନେକ ମଧୁର ବଚନ କହନ୍ତି ରାୟେ ଜ୍ୟେଷ୍ଠେ।୨୭।

 

ବାବୁ ପରମ କଲ୍ୟାଣ ହୋଉ ହୋଅ ତିରିଜୀବୀ ଆଷ୍ୟ

ଧନ ସନ୍ତାନ ବର୍ଦ୍ଧୁତ ହୋଉ ଚାଣ୍ଡେ ହୋଉ ଯଶ।୨୮।

ବାବୁ ଶୁଣିଲି ମୁଂ ବନସ୍ତେ ଆପତ୍ତି ପଡିଲାକ ତୋତେ

ପାରେଶ୍ୱର ନନ୍ଦନ କହିଲେ ହାଦେ ଆସି ମୋତେ।୨୯।

ଅନେକ ବଇକୁଲ୍ୟ ହୋଇଲା ମୋର ଚିତ୍ତେ।୩୦।

କରପତ୍ର ଯୋଡ଼ିଣ ଯେ ପଣ୍ଡୁ ମହାରଥା

ସଞ୍ଚପି କହିଲା ହାଦେ ସକଳ ବାରତା।୩୧।

 

ଭୋ ଭ୍ରାଥ ଅଗ୍ନିକାର ମହାଋଷି ଶାପ୍ୟ ଦିଲାକ ମୋତେ

ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡ଼ୁ ହାଦେ ତୋତେ।୩୨।

ଅନେକ ବଇକୁଲ୍ୟ ହୋଇଲେ ଶୁଣି ଧୃତରାଷ୍ଟ

ଧର୍ମ ଆଶ୍ରେ କଲାଲୋକଙ୍କୁ ବାବୁ ପଡ଼ଇ ସଂକଟ।୩୩।

ରାଜ୍ୟକୁ ଯିବା ଚାଲ ବାବୁ ନଥିବା ୟେହୁ ଘୋରବନେ

ଅନେକ ଆପାଦ ବାବୁ ସେ ଥାଇଟି ଅରଣ୍ୟେ।୩୪।

 

ବୋଲନ୍ତି ପଣ୍ଡୁ ନୃପତି ଶୁଣ ମହାଗ୍ୟାଂତା

ସ୍ୱାମୀ ତୁମ୍ଭେ କିସ ଜାଣ ୟେ ପର୍ବତ ବାରତା।୩୫।

ସ୍ୱାମି ତୁମ୍ଭେ ବିଜେ କରି ଥାଅ ଯେ ହସ୍ତିନା

ସେ ପଞ୍ଚୁ କଟକେ ତୁମ୍ଭେ ଯେ ବଜ୍ରସେହ୍ନା।୩୬।

ଅନେକ ବିନୋୟି ହୋଇ ପଣ୍ଡୁ ଯେ ନୃପତି

ବଡ଼ କୁତୋହଳେ ଫଳ ଯୋଗାଡ଼ ଆଣି ଦିଲେ ଅପ୍ରମିତି।୩୭।

 

ସନ୍ୟ ସାଗର ଆଦି ଯେତେକ ରାଜାର ତୁଲେ ଥିଲେ

ଆମ୍ୱ ପଣସ କଦଳୀ ଦାରାକ୍ଷ ସମସ୍ତେ ଭୁଞ୍ଜିଲେ।୩୮।

ଅନେକ ଯୋଗାଡ଼ ଦିଲେ ପଣ୍ଡୁ ନରପତି

ଭୁଞ୍ଜିଣ ସାତ କ୍ଷଉଣୀ ବଳ ହୋଇଲେ ତ୍ରିପୁତି।୩୯।

ମଣୋହି ସାରିଣ ଯେ ଆଞ୍ଚୋବନ କୟେ

କର୍ପୂର ତାମ୍ୱୋଳ ଯେ ଭୁଞ୍ଜିଲେ କୁରୁ ରାୟେ।୪୦।

 

ଭୀଷ୍ମ ଭୂରିସର୍ବା ସଂଜୟେ ବିଦୁର

ସମଦଣ୍ଡ ଘେନି ବିଜୟେ ନିଜ ପୁର।୪୧।

ଥୋକାୟେକ ଦୂର ପଣ୍ଡୁ ପାଛୋଟି ଅଇଲେ

ରତିକାମ ବୋଲିଣ ପର୍ବତ ତଳୁ ବାହୁଡିଲେ।୪୨।

ଚଳନ୍ତି ଧୃତରାଷ୍ଟ ଥାଠ ସେନା ଘେନି

ହସ୍ତିନା ଭୁବନେ ଯାଇ ପ୍ରବେଶ ସଇନି।୪୩।

 

Unknown

ପଣ୍ଡୁ ଓ କୁନ୍ତୀଙ୍କ ଆଳାପ, ଅଗସ୍ତିଙ୍କ

ଆଗମନ ଓ ଉପଦେଶ

 

ପଣ୍ଡୁ ରହିଲେ ଯେ ଶତଶିଂଗ ପର୍ବତେ

ପାକାପରଶ ଯେ ହୋଇଲେ ଦେବୀ କୋନ୍ତେ।୧।

ଶୁଦ୍ଧ ସ୍ନାହାନ କଲେ ସେ ପଞ୍ଚମ ଦିବସେ

ରାତ୍ରେ ବିଜେ କଲେ ପଣ୍ଡୁରାଜାୟେ ପାଶେ।୨।

ପଣ୍ଡୁ ବୋଇଲେ ଶୁଣସି ରେ ପ୍ରାଣସଖି

ମୋର କର ଧରି ତୁ ହୋଇଲୁ ମହାଦୁଖୀ।୩।

 

କୋଇନ୍ତାୟେ ବୋଇଲେ ସ୍ୱାମୀ ବିକଳ ନୋହିବା

ମୁହିଂ ରଜବତୀ ମୋତେ ଆକଟ କରାଇବା।୪।

ପରମ ସାଧବୀ ଯେ ସୁଗ୍ୟାନୀ ଭାରିଯା

ତାହାର ଶରୀର ଆକର୍ଷଣ କଲେ ପଣ୍ଡୁରାଜା।୫।

ଯୁବତୀ ପତି ଯେତେବେଳେ ୟେକ ଯୋଗ ହୋଇଲା

ପ୍ରତାପୀ କାମଦେବ ସେ ଅନେକ କଠୋର କଲା।୬।

 

ପଣ୍ଡୁ ଇଚ୍ଛା କଲେ ଯହୁଂ ସେ ଶୃଙ୍ଗାର

ଧାତିକାରେ କୋଇନ୍ତାୟେ ତହୁଂ ହୋଇଲେ ବାହାର।୭।

କୋଇନ୍ତାୟେ ତୁସ୍ତିକରନ୍ତି ପିତୃ ଯେ ଲୋକଙ୍କୁ

ସ୍ୱାମୀର ଅଭିଶାପ ହୋଇଲା ବଞ୍ଚିଲୁ ଶୃଙ୍ଗାରକୁ।୮।

ତୁମ୍ଭର ଚରଣ କରୁଅଛୁଂ ଆମ୍ଭେ ସେବା

ୟେଥକୁ ମହାତମା ମୋତେ କୋପ ନ କରିବା।୯।

 

ବଞ୍ଚିଲେ ଶୃଙ୍ଗାର ଛାଡ଼ିଲେ ରତି ଆଶା

ସଂକଳ୍ପ କରିଣ ଯେ ଛାଡ଼ିଲେ ମନୀଷା।୧୦।

ରତି ଇଚ୍ଛା ନ କଲେ ସେ ମହତ ସାଧବୀ

ସ୍ୱାମୀର ନିମନ୍ତେ କରି ଶୃଙ୍ଗାର ମନେଣ ନ ଭାବି।୧୧।

କୋଇନ୍ତାୟେ ତିଆରିଲେ ମାଦ୍ରୀଙ୍କି ହକାରି

କେତେ କାଳ ବଞ୍ଚିବାଟି ଯୁବା ବୟସ ଧରି।୧୨।

 

ମାଦ୍ରୀ ବୋଇଲେ ତୁମ୍ଭେ ନ ଭାଳ କିଛି ଲଜ୍ଜା

ସ୍ୱାମୀର ଅର୍ଜିଲା ସିନା ଭୁଞ୍ଜଇ ଭାରିଯା।୧୩।

କାହାକଇଂ ଦୋଷ କରିଅଛୁଂ ଅର୍ଜିଅଛୁଂପାପ

ଅକାରଣେ ନାଶ ଗଲାନି ଆମ୍ଭର ଯେ ତପ।୧୪।

 

ଇଦଂ ପ୍ରତିବାଚ ଅଗସ୍ତି ଶୁଣ ହୋ ଦଣ୍ଡଧାରୀ

କର୍ମ ଆଦରିଣ ସେ ରହିଲେ ବେନି ନାରୀ।୧୫।

ୟେଥୁ ଅନନ୍ତରେ ଶୁଣ ହୋ ନୃପରାୟେ

ଶ୍ରୀମହାଭାରଥ ଶୁଣି ପାତେକ କର କ୍ଷୟେ।୧୬।

 

ଦାରା ସଂଘରିଲେ ପତି ଯେ ପତନୀ

ସ୍ୱାମୀ ଶଯ୍ୟାଗତ ନୋହିଲେ ଯୁଗତେ ବରଷ ତିନି।୧୭।

ଶତଶିଂଗ ପର୍ବତେ ବିଜୟେ ପଣ୍ଡୁରାଜା ସ୍ୱାମୀ

କୋଇନ୍ତାୟେ ମଦନାବତୀ ଅଛନ୍ତି ପାରୁଶେ ଚାମର ଘେନି।୧୮।

 

ବସନ୍ତ ଋତୁ ବୈଶାଖ ମାସ ଶୁକଳ ଯେ ପକ୍ଷ

ଅଗସ୍ତି ଭେଟିଲେ ଯାଇଂ ସେ ପଣ୍ଡୁଙ୍କୁ ପ୍ରତକ୍ଷ।୧୯।

ଶୁକଳ ପକ୍ଷ ତୃତୀୟା ଆବର ଅର୍କବାର

କୃତ୍ତିକା ନକ୍ଷତ୍ର ଭୋଗ ସେ ଦିନର।୨୦।

 

ତତ୍ତୁଲ୍ୟ ନାମେ କରଣ ଅତିଗଣ୍ଡ ନାମେ ଯୋଗ

ମେଷ ସଂକ୍ରାନ୍ତିକି ବେନି ଦିବସ ଯେ ଭୋଗ।୨୧।

ସେ ଦିନ ବିଜେକଲେ ଅଗସ୍ତି ମହାଋଷି

ତୁଲେଣ ଅଛନ୍ତି ତାହାଙ୍କର ଚାଳିଶ ସହସ୍ର ଶିଷି।୨୨।

 

ଅଗସ୍ତିଙ୍କି ଦେଖିଣ ସାନନ୍ଦ ପଣ୍ଡୁରାଜା

ପାଦାର୍ଘ୍ୟ ଦେଇଣ ଯେ ମୁନିଙ୍କି କଲେ ପାଦପୂଜା।୨୩।

ବସନ କୁଣ୍ଡଳ ଆବର ବଇଜୟନ୍ତୀ ମାଳା

ସାନନ୍ଦେଣ ଦିଲେ ନେଇ ସେ ଅମ୍ୱାଳିକାର ବଳା।୨୪।

 

ମୁନିଙ୍କରପାଦ ଉଦକ ଜଳ ଆଣି

ଶିରରେ ନିବେଶିତ ପଣ୍ଡୁରାୟେ ପୁଣି।୨୫।

କୃଷ୍ଣାଞ୍ଜନ ଛାଲ ଗୋଟିୟେ ଗୋଟିୟେ ଆଣି

ଆସନେ ବସିଲେ ବାଳଖିଲ୍ୟା ସକଳ ଯେ ମୁନି।୨୬।

 

କୁଶଳ ବାରତା ଯେ ପଚାରନ୍ତି ବ୍ରହ୍ମଚାରୀ

କ୍ଷମେଣ ବ୍ରତି ଅଛୁ ନା ପଞ୍ଚୁ କଟକେ ଅଧିକାରୀ।୨୭।

ସୋଦ୍ରିମା ପଣ ତୋର ଜାଣିଲୁ ଆମ୍ଭେ ତଥ୍ୟ

ଧୃତରାଷ୍ଟ ଅଟଇ ତୋର ଅଦକ୍ଷ ଅଯୋଗ୍ୟ ଜ୍ୟେଷ୍ଠଭ୍ରାଥ।୨୮।

 

ତାହାଙ୍କୁ ଦକ୍ଷ କରାଇଲୁ ଆପଣା ସ୍ୱାର୍ଥ ପଦେ

ଆପଣେ ବନଗାମୀ ହୋଇଲୁ ସୋଦର ପରମାଦେ।୨୯।

ୟେ ସମସ୍ତ ଯିବ କଥାହିଂ ସେ ରହିଥିବ

ଦୟାଳୁ ଘଟକୁ ଧର୍ମ କେମନ୍ତେଣ ଛାଡ଼ିବ।୩୦।

 

ପରତେ ଗ୍ୟାନୀ ପିଣ୍ଡ ଅଟୁ ତୁ ରାୟେ ପଣ୍ଡୁ

ଅନ୍ଧକୁ ରାଜ୍ୟ ଦେଇ ତୁ ବନସ୍ତେ ଦୁଖ ପଡ଼ୁ।୩୧।

ଅଇରି ଦର୍ପ ମାନ ନିଶୋଧନ କରୁ ରାଜା

ସଂସାର ଜନ ରଖି ସୁଖେଣ ପାଳୁ ପ୍ରଜା।୩୨।

 

ସାଧୁ ଜୀବନ ଗୋଟି ପଣ୍ଡୁ ଅଟଇ ତୋହୋରି

ରାଗ ମୋହ ଅହଙ୍କାର ପକାଇଲୁ ଦୂରକରି।୩୩।

ସାବତେଣ ସଂପଦ ଦେଲୁ ନୋହଇ ସେ କ୍ଷମ

ସତ୍ୟେଣ ସଂସାର ପାଳିଲୁ ଜିଣିଲୁ ସବୁ ଧର୍ମ।୩୪।

 

ଶତ ସହସ୍ର ଦଣ୍ଡ ପ୍ରଣମିତ ପଣ୍ଡୁ ଯେ ନୃପତି

ତୁମ୍ଭର ପ୍ରସାଦେ ସମସ୍ତ ସାଧୁ ହେ ଅଗସ୍ତି।୩୫।

ପଣ୍ଡୁ ପ୍ରତିବାକ୍ୟ ମୁନି ହେ ମୁଂ କଲି ମନ୍ଦ କୃତ୍ୟ

ଋଷି ମୃଗୀ ସଙ୍ଗମ ଅଛି କି ୟେମନ୍ତ।୩୬।

 

ଅଗସ୍ତି ବୋଇଲେ ହୋ ତପି ଲୋକମାନେ

ବଳବପୁ ବୟସେ ଯେ ଥାନ୍ତି ଘୋର ବନେ।୩୭।

କାମଦେବ ବୋଲି କରି ସେ ଯେବଣ ପୁରୁଷଇ

ବତିଶ କଳା ଘେନିଣ ସେ ସବୁରି ଦେହେ ବସଇ।୩୮।

 

ତୈଲୋକ୍ୟେ ଜିଣିବାକୁ କେ ସମାନ ନାହିଂ ସେ କାମକୁ

ସେହି ସେ ନାଶ କରଇ ସମସ୍ତ ତପିମାନଙ୍କୁ।୩୯।

ଯହିଂ ଧର୍ମ ତହିଙ୍କି ଦିଗୁଣ ଯୋଚଇ ଶର

ଦୁଲଭ ଗୋଟିୟେ ଅଛି କାମକୁ ଜିଣିମାକୁ କୋଟିକର।୪୦।

 

ସେ କାମ ଯେତେବେଳେ କରଇ ଉନୁମତ୍ତ

କେ କାହାର ଗଉରୋବ କେ କାହାର ମାନି ତ।୪୧।

ବନସ୍ତରେ ସ୍ତିରୀନ୍ତ ସେ ପାଇବେ କାହିଂ ଲୋଡ଼ି

କେ ବିନ୍ଦୁ ପକାନ୍ତି ହସ୍ତରେ ରେତ କରି।୪୨।

 

ପଂକୁ କଦଳୀର ଚୋପା ଲାଇଣ କେ କରଇ ରତି

ତେମନ୍ତେ ହେଂ ଢାଳି କରି ରେତ ପକାବନ୍ତି।୪୩।

କେ ମୃତ୍ତିକା ଖଣ୍ଡିରେ ଜଳା ଗୋଟିୟେ କରି

ପକାଇ ମହାରସ ଭିତରେ ପତ୍ରଭରି।୪୪।

 

କେ ଗାଈ ମଇଂଷୀ କେ ଅବା ମେଷ ଛେଳି

ନାନା ପ୍ରକାରେ କରନ୍ତି ରତି ରସ କେଳି।୪୫।

ମୃଗୁଣୀ ଜୀବ ତ ପବିତ୍ର ହୋଇଲା

ଅମେଣ୍ଟଣ ତପୀ ୟେମନ୍ତେଣ ନାଶ ଗଲା।୪୬।

 

ପଣ୍ଡୁ ବୋଇଲେକ ଅଗ୍ନିକାର ମହଋଷି

ମୃଗୁଣୀ ୟେକ ଘେନି ସେ ରମଇ ବନେ ପଶି।୪୭।

ଶବଦ ଶୁଣି ମୁଂ ନାରାଜ କଲି ବୃଷ୍ଟି

ଋଷି ମୃଗୁଣୀ ଦୁହେଂ ଯେ ନାରାଜେଣ ଫୁଟି।୪୮।

 

ରାଗେଣ ଶାପ୍ୟ ଦିଲା ମୋତେ ମୁନିଗରୁ

ଶୃଙ୍ଗାର କାଳେ ତୋତେ ଅକାଳ କାଣ୍ଡ ପଡୁ।୪୯।

ଜନ୍ମତ ନିଷ୍ଫଳ ହୋଇଲା ନାଶ ଗଲା ବଂଶ

କହିବା ଅଗସ୍ତି ହୋ ମୋତେ ପ୍ରତିକାର କିସ।୫୦।

 

ଅଗସ୍ତି ବୋଇଲେ ସେ ନୁହଇଟି ମତି ଭୋଳା

ନାଶକର ଶାସ୍ତିରେ ମୃଗୁଣୀ ସଂଗେ ମେଳା।୫୧।

ଦୁରାପଦ ଶାପ ତୁ ଯେ ପାଇଲୁ ମହାରାଜା

ନାଶ ଯିବୁଟି ରାଜା ଶୃଙ୍ଗାର ରସେ ନ ଯା।୫୨।

 

କୋଇନ୍ତା ମାଦ୍ରୀ ବେନି ରାଣୀନ୍ତ ହକାରି

ତୁ ଆପଣେ ଆଗ୍ୟାଂ ଦେବୁ ନା ତିଆରି।୫୩।

କେଉଂଣ ବାଗେ ଗୋ ଉତପତ୍ତି ହୋଅଇ ସନ୍ତତି

ତହିଂକି କାରଣ ତୁମ୍ଭେ କର ବେନି ଯେ ଯୁବତୀ।୫୪।

 

ଶାହାସ୍ର ପୋଥି ଫେଇ ମୁନି ଶୁଣାନ୍ତି ବେନି ରାଣୀ

ସନ୍ତାନକୁ ଉପାୟ କର ଗୋ ଭୋଜର ଦୁଲଣୀ।୫୫।

ଯତନେ ପର ରେତ ନକଲ ତହିଂ ଇଚ୍ଛା

ସନ୍ତାନ ନିମନ୍ତେ କରିବ ନାହିଂ କିଗୋ ମନବାଞ୍ଛା।୫୬।

 

ସ୍ୱାମୀଙ୍କି ସଂକୋଚ ଗୋ ନକର ମାହେଶ୍ୱରୀ

ପୁତ୍ର ଉପୁଜାଇ ଗୋ ଲଭ ସ୍ୱର୍ଗପୁରୀ।୫୭।

ଅଗସ୍ତି ବୋଇଲେ ଗୋ ଶୁଣ ଦେବୀ କୋନ୍ତେ

ଦୁର୍ଭାସାଙ୍କ ମହାମନ୍ତ୍ର ଅଛି ତୋହୋର ଯେ ହସ୍ତେ।୫୮।

 

ମାନବ ଇଚ୍ଛିଲେ ଗୋ ହୋଇବ ଦୋଚାରୀ

ଦେବତାନ୍ତ ଇଛା କର ଗୋ ହୁଅ ରତିକାରୀ।୫୯।

ଦେବକଳା ଘେନି ଗୋ ଦେବେ ହୁଅନ୍ତି ଜନମ

ଛାଡ଼ିବ ଦୁପାତକ ଉଦିତ ହେବ ଧର୍ମ।୬୦।

 

କୋଇନ୍ତା ବୋଇଲେ ତୁମ୍ଭେ ଗୁରୁ ପରମ ଗୁରୁ

ତୁମ୍ଭର ଆଗ୍ୟାଂ କେ ଅନ୍ୟସ୍ତା କରିପାରୁ।୬୧।

ଅଗସ୍ତି ବୋଇଲେ ମା ଗୋ ୟେହେନେକ ଅଛି ପୂର୍ବେ

ତୁମ୍ଭେ କିଛି ଅନ୍ତର ନଧର ମନେ ୟେବେ।୬୨।

 

ଆଗୋ ସ୍ତିରୀଙ୍କର ଧର୍ମ ଗୋ ଅଟଇ ଯୁଗତି

ସ୍ୱାମୀର ବୀର୍ଯ୍ୟେ ଯେବେ ନ ଉପୁଜଇ ସନ୍ତତି।୬୩।

ଆଗୋ ପରଦାର କରାଇ ଗୋ ଉପୁଜାଇ ବଂଶ

ସ୍ୱାମୀର ଅଭିଶାପ ତୁମର କିସ ଦୋଷ।୬୪।

 

ତୁମ୍ଭର ଉପର ବଂଶେ ସନ୍ତତି ବିହୁନେ

ଦେଖିଲଟିକି କେମନ୍ତେ କଲେ ଶାଶୁମାନେ।୬୫।

ବ୍ୟାସେ ଅଟନ୍ତିଟିକି ତାହାଙ୍କର ଜ୍ୟେଷ୍ଠ ଶଶୁର

ତାହାନ୍ତ ଘେନି ପୁଣ ଇଛିଲେ ଶୃଙ୍ଗାର।୬୬।

 

ଅନ୍ଧ ପଣ୍ଡୁ ବିଦୁର ଉପୁଜିଲେ ତିନିଭ୍ରାଥେ

ତୁ ଅର୍ଣ୍ଣପୂର୍ଣ୍ଣା ମା ଗୋ ଯୁଗତେ ଥାଅ ୟେଥେ।୬୭।

ୟେବେ ଯାଉଅଛୁଂ ଆମ୍ଭେ ଆସିବୁଂ ସମୟେ

ଆମ୍ଭର ଗୋଚରେ ଦେବୁଟି ତୋହୋର ତନୟେ ଗୋ ମାୟେ।୬୮।

 

କୋଇନ୍ତାକୁ ବୋଇଲେ ମା ଗୋ ଆମ୍ଭର ବୁଦ୍ଧିକର

ଅବିଭାଇତ କାଳେ ତୁ ଇଛିଲୁ ଶୃଙ୍ଗାର କରତାର।୬୯।

କର୍ଣ୍ଣ ଜନ୍ମ ହୋଇଲାଟି ଆଦିତ୍ୟଙ୍କର ବୀର୍ଯ୍ୟେ

ରାଧେବ ପାଳିଲାଟି ସେହୁ ତୋହୋର ଆତ୍ମଜେ।୭୦।

 

କୋଇନ୍ତାୟେ ବୋଇଲେ ମୁନିହେ ତୁମ୍ଭେ କାହିଂଥିଲ

ୟେ ମୋହୋର ମନ୍ତ୍ର ପରୀଖ ତୁମ୍ଭେ କେମନ୍ତେ ଜାଣିଲ।୭୧।

ଅଗସ୍ତି ପ୍ରତିବାଚ ଆମ୍ଭେ ଭୂତ ଭବିଷ୍ୟ ଗ୍ୟାଂତା

ପୁରାଣେ ସ୍ରିଜିଅଛୁଂ ଆଗତ ଭବିଷ କଥା।୭୨।

 

ୟେବେ ତୋତେ ହୋ କହୁଅଛୁଂ ଆଗତକୁ

ଧର୍ମେଣ ପୁତ୍ର ଗୋ ପ୍ରାପତ ହେବ ତୁକୁ।୭୩।

ପବନେଣ ପୁତ୍ର ହୋଇବ ସମ୍ଭୂତ

ଇନ୍ଦ୍ରଦେବତା ତହୁଂ ଗୋ ପୁତ୍ରେକ ହେବ ଜାତ।୭୪।

 

କର୍ଣ୍ଣକୁ ବୋଇଲେ ଗୋ ତୋର ହୋଇବ ପୁତ୍ରଚାରି

ପୁଣିହିଂ ଯୁଝେଷ୍ଠି ଭୀମ ଅର୍ଜୁନ ତିନି ନାମ ଧରି।୭୫।

ଯୁଝେଷ୍ଠି ହାଦେ ଯେ ପ୍ରତକ୍ଷେ ହୋଇବାକ ବ୍ରହ୍ମା

ଭୀମସେନ ହୋଇବ ଯେ ଈଶ୍ୱର ମହାତମା।୭୬।

 

ଅର୍ଜୁନ ହୋଇବ ଯେ ପ୍ରତକ୍ଷେ ବିଷ୍ଣୁନାଥ

ୟେମନ୍ତେ ବ୍ରହ୍ମା ବିଷ୍ଣୁ ଶିବ ହୋଇବେ ତିନି ପୁତ୍ରେ ଜାତ।୭୭।

ମାଦ୍ରୀଙ୍କି ଦୟା କରିବୁଟି କୋନ୍ତଭୋଜର ଦୁଲାଳୀ

ୟେହାକୁହିଂ ଦେବୁଟି ବେଳେ ଦୁର୍ଭାସାଙ୍କ ମନ୍ତ୍ର ଜପାମାଳି।୭୮।

 

ୟେହାର ତହୁଂ ଜାତ ହୋଇବ ପୁତ୍ର ବେନି ଗୋଟି

ଭାରାଭର ନିବାରିଣ କରିବେ ୟେ ନବସୃଷ୍ଟି।୭୯।

ମା ଗୋ ୟେ କଥା ଅନ୍ତର ନୋହଇଟି ଆନ

ଆମ୍ଭର ଶପତଟି ନ ଧର ଆନମନ।୮୦।

 

ସୁଲକ୍ଷଣୀ ଆଶିଷ ଦେଲେ ମହାତ୍ମା ଅଗସ୍ତି

କୁଶ ଶେଜ୍ୟା ଗୋଟିୟେ ଦେଲେ ଦେବୀଙ୍କି ମନ୍ତ୍ରି।୮୧।

ୟେ ଶେଜ୍ୟାରେ ଶୋଇଣ ଦୁର୍ଭାସାଙ୍କର ମହାମନ୍ତ୍ରେ

ଯାହାକୁ ସଂକେତ କରିବୁ ସେ ଭେଟିବ ଯୁଗତେ।୮୨।

 

ମୋହନ ଅଞ୍ଜନ ଦିଲେ ଯେ ମଦନାକୁ

ୟେହାନ୍ତ ଘେନି ମୋହ ତୁ ଅଶ୍ୱିନୀ କୁମାରଙ୍କୁ।୮୩।

ସୁକୁମାର ସୁନ୍ଦର ସେ ସଗ୍ୟାଂର ଅଟଇ ଚାଟ

କୁମାର ସମ୍ମୁଖେ ଯାକୁ ଅଛି ଆକାଶେ ପାଟ।୮୪

 

ସେ ବେନି କୁମାର ଗୋ ତୋତେ ଅନଙ୍ଗ ଭୋଗ କରାଇବେ

ବେନି ପୁତ୍ରେ ଉପୁଜିବେ ନାମ ଦେବୁ ନକୁଳ ସହଦେବେ।୮୫।

ସହଦେବ ବୋଲିଣ ତୋର ଯେବଣ ପୁତ୍ରଗୋଟି

ଭୂତଭବିଷ୍ୟ ତାହାକୁ ଦିଶିବ ନବସୃଷ୍ଟି।୮୬।

 

ଅନେକ ପୁଣ୍ୟଧର୍ମ ସେ କରିବେ ଦ୍ୱାପରେ

ଚିରାନ୍ତନ କୀର୍ତ୍ତି ରୁହାଇବେ ସେ ମଧ୍ୟ ଭୁବନରେ।୮୭।

କୋଇନ୍ତାକୁ ଭଗତି ଗୋ ହୋଇଥାଅସି ମଦନା

ମା ଗୋ କୋଇନ୍ତା ୟେହାକୁ ଦୟା କରିଥିବୁଟି

ୟେ ତୋହୋର ଦାସୀ ସିନା।୮୮।

 

ଅଗସ୍ତିଙ୍କ ବଚନେ ସେ ହୋଇଲେ ପରମ ଶାନ୍ତି

ଛାଡ଼ିଲେ ଦୋଷାଦୋଷମାନ ହୋଇଣ ନିଭ୍ରାନ୍ତି।୮୯।

ପଣ୍ଡୁରାଜା କୋଇନ୍ତା ମାଦ୍ରୀ ଘେନି ହୋଇଲେ ପରିଣାମି

ସେଠାରୁ ଅନ୍ତର୍ଧାନହୋଇଲେ ଅଗସ୍ତି ମହାମୁନି।୯୦।

 

ଯୁଧିଷ୍ଠିରଙ୍କ ଜନ୍ମ

 

ପଣ୍ଡୁ ତିଆରିଲେ ଶୁଣିଲଟିକି ପୁରାଣେ

ଦୁତୀ ବ୍ରହ୍ମା କହିଲେ ଶାହାସ୍ର ପରମାଣେ।୧।

କୋଇନ୍ତାୟେ ବୋଇଲେ ଦେବ କହିଲେ ଅଗସ୍ତି

ତାହାଙ୍କର ବଚନେ ଯେହ୍ନେ ହୋଇବ ଫଳଶ୍ରୁତି।୨।

 

ପଣ୍ଡୁ ବୋଇଲେ ଆବର ବିଳମ୍ୱ ନକର

ଦେଖିବି ନନ୍ଦନ ଗୋ ସଂପ୍ରତେ ହୋଇବ ମନର।୩।

କୋଇନ୍ତାୟେ ବୋଇଲେ ଆମ୍ଭେ ବୁଝିବାକ ଭଲତିଥି

ଇଛାୟେ ଯେବେ କରାଇବା ପୁତ୍ର ଉତପତ୍ତି।୪।

ବିଚାର କରନ୍ତି ଯେ ଶତଶିଂଗ ପର୍ବତେ

ପଣ୍ଡୁ ଅନ୍ଧାରି ବିଜେ କରି ପଶିଲେ ବନସ୍ତେ।୫।

 

ଯତନେଣ ଭାରିଯାନ୍ତ ଛାଡ଼ଇ ରାତ୍ର କାଳେ ରାୟେ

ଯେମନ୍ତେ ପାରନ୍ତୁ ସେ ଉପୁଜାନ୍ତୁ ତନୟେ।୬।

ୟେମନ୍ତେଣ ମନେ ବିଚାରି ପଣ୍ଡୁ ବୁଲନ୍ତି ଘୋରବନେ

କରନ୍ତି ବେଣ୍ଟ ମୃଗୟା ସେ ଗହନ ଅରଣ୍ୟେ।୭।

 

ବଇଶାଖ ଶୁକଳ ପକ୍ଷ ପ୍ରତିପଦା ଚନ୍ଦ୍ରବାର

ଦ୍ୱିଜା ମେଷ ରାଶିକି ଭୋଗ ସେ ଦିନର।୮।

ତୈତିଲ୍ୟ ନାମେ କରଣ ପ୍ରୀତି ନାମେ ଯୋଗ

ମେଷ ସଂକ୍ରାନ୍ତିକି ଉଣାଇଶ ଦିନ ଭୋଗ।୯।

 

ସଂପୂର୍ଣ୍ଣ ହୋଇ ଅଛଇ ସାତ ଘଡ଼ି ରାତି

ମଦନାକୁ ବସାଇ ଭାଳନ୍ତି ଦେବୀ କୋନ୍ତୀ।୧୦।

ଅଗସ୍ତିଙ୍କ ବଚନେ କୁଶ ଶେଜ୍ୟା ଗୋଟିଏ କଲେ

ଝୀନ ବସ୍ର ଗୋଟିୟେ ଉପରେ ଘୋଡ଼ାଇଲେ।୧୧।

 

ଶଉଚ ଭାବ ହୋଇଣ ଦେବୀ ବେଶ ବେଶନ ହୋଇ

ପୁଷ୍ପ ପାଖୁଡ଼ା ପୁଡ଼ା ଉପରେଣ କର୍ପୂର ଗୁଣ୍ଡିକି ଉଛାଇ।୧୨।

ଦୁର୍ଭାସାଙ୍କ ଜପାମାଳୀ ଘେନିଲେ ଦେବୀ ହସ୍ତେ

ଭୋ ଧର୍ମ ଦେବତା ବୋଲି ସୁମରିଲେ ହୃଦଗତେ।୧୩।

 

ନିଜ ପତିର ତୁଲେ ଗୋ ନୋହିଲାକ ରତି

ୟେହା ସେ ଅରଜିଲୁ ଆମ୍ଭେ ହୀନ ଯେ ଯୁବତୀ।୧୪।

ୟେ କଷଣୁ ସ୍ୱାମୀ ଧର୍ମଦେବ କର ପାରି

ଧର୍ମ ଧର୍ମ ସୁମରଇ ଦେବୀ ଭୋଜର କୁମାରୀ।୧୫।

 

ଆସନ କମ୍ପିଲା ସ୍ୱାମୀ ନିରଞ୍ଜନ ପୁରୁଷ

ଶୁକ୍ଳାମ୍ୱର ପୁରୁଷ ଆସି ହୋଇଲେ ବେଗେ ଦୃଶ୍ୟ।୧୬।

କୁଶଶଯ୍ୟା ଯୁଗତେ ଆସି ବିଜୟେ ଧର୍ମ ନିରଞ୍ଜନ

ଦେଖିଣ କୋଇନ୍ତାୟେ ବିନୟ ଭଗତିମାନ।୧୭।

 

ବାବୁ ଦୁର୍ଭାସା ମହଋଷିର ମନ୍ତ୍ର ପରସାଦେ

କୋଇନ୍ତାକୁ ଦୃଶ୍ୟ ହୋଇଲା ମନୁଷ୍ୟ ପ୍ରାୟେ ହାଦେ।୧୮।

ଅନେକ ପୂଜା କରନ୍ତି ଦେବୀ ଯେ କୋଇନ୍ତା

ଦେଖିଣ ପରମ ସାନନ୍ଦ ସେ ଧର୍ମଦେବତା।୧୯।

 

ଦେଖିଣ କୋଇନ୍ତାୟେ ହୋଇଲେ ଧୀର ମତି

ଶୂନ୍ୟପୁରୁଷ ତୁଲେ ବଢାଇଲେ ଅନେକ ପୀରତି।୨୦।

ଶୃଙ୍ଗାର ପରିତୋଷେ ଅକ୍ଷୟ ନିରଞ୍ଜନ

ତେଜିଲେ ବୀର୍ଯ୍ୟ ସେ ସମ୍ଭର୍ବେ ବିଦ୍ୟମାନ।୨୧।

 

ଅମୃତ ଯୋଗେ ଅଢାଇ ପ୍ରହର ରାତି

ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି।୨୨।

ଶୁକ୍ଲାମ୍ୱର ଶରୀର ଆଦିତ୍ୟ ତେଜ ଜାଣି

ନିକଳଙ୍କେ ଉତପତ୍ତି ସେ ଜାଣି ନିଶାମଣି।୨୩।

 

ଆକାଶ ଭୁବନେ ବିକାଶିଲା ଯେ ଜ୍ୟୋତି

ପୁତ୍ରକଇ କୋଳେ ଧଇଲେ ଦେବୀ କୋନ୍ତୀ।୨୪।

ସୁନ୍ଦର ନିର୍ମଳ ନିକଳଙ୍କ କାୟେ

ସୁକୁମାର ଶରୀର ଦିଶଇ ଶୁଦ୍ଧ ସଷ୍ଟିକର ପ୍ରାୟେ।୨୫।

 

ଶ୍ରୀଖଣ୍ଡ କପାଳ ଯେ ଅମୂଲ୍ୟ ରେଖ ପାଟି

ତିଳ କୁସୁମ ନାସିକା ରକ୍ତ କୁମୁଦ ଦୃଷ୍ଟି।୨୬।

ଲଳିତ ଶ୍ରବଣ ଯେ ପଂକୁ ବିମ୍ୱଓଷ୍ଠ

ବଳିଣ ବେନି ବାହୁ ଗଣ୍ଡସ୍ଥଳ ମୋଟ।୨୭।

 

କନକ ମୃଣାଳ ବେନି ଯେ ବାହୁଟି

ସଂପୂର୍ଣ୍ଣ ଚନ୍ଦ୍ରବଦନ କମଳ ମୁଖଗୋଟି।୨୮।

ଅଭୟେ ଆକର୍ଷଣ ବକ୍ଷସ୍ଥଳ ଯେ ବିରାଜି

କନକ କଳ୍ପବୃକ୍ଷ ଗଜ ରିପୁ ମଝା ବୁଝି।୨୯।

 

ପ୍ରଲମ୍ୱ ବାହୁ ଜାନୁ କମଳ ସୁସଞ୍ଚ

ନୋହଇ ସଂକୀର୍ଣ୍ଣ ସେ ନୋହଇ ପ୍ରଲମ୍ୱ ଉଞ୍ଚ।୩୦।

ଆରକ୍ତ କୁସୁମ ଜାଣି ବେନି କର ସ୍ଥଳୀ

ନିକଣ୍ଟେକ ଫୁଟେକ ଚମ୍ପେକ ଜାଣି ଶୋଭିତ ଅଙ୍ଗୁଳୀ।୩୧।

 

ବିଘଂସିତ ଦଶନହ କୁନ୍ଦ ପାଖୁଡ଼ା ପ୍ରାୟେ ଜାଣି

ପୃଥୀକି ଅଳଙ୍କାର ପ୍ରାୟେ ଦିଶଇ ଆଜାନୁ ବେନି ପାଣି।୩୨।

ବିକ୍ରମ ସିଂହ ଶୋଭା ଦିଶଇ ବେନି ଜାନୁ ଠାଣି

ବେନି ପାଦ କାନ୍ତି ରକତ କୁମୁଦ ଜାଣି।୩୩।

 

ପୋୟେଳା ରେଖ ଯେହ୍ନେ ପାଦ ଦଶ ଅଙ୍ଗୁଷ୍ଠି

ସେବତୀ ପାଖୁଡ଼ା ଜାଣି ଦଶ ନହ ଫୁଟି।୩୪।

ବେନି ପାଦ ସ୍ଥଳୀ ବିରାଜିତ ପଦ୍ମ ଚିହ୍ନ

ଶଙ୍ଖ ମତ୍ସ ଚିହ୍ନ ବେନି କର ସ୍ଥଳେ ଗୋପ୍ୟାନ।୩୫।

 

ଶରଦ ଆଦିତ୍ୟ ପ୍ରାୟେ ଘଟଣ ଯାହାର ତନୁ

ଯେ ସେ ମହାତ୍ମା ଭେଦିଲା ଶୂନ୍ୟ ଆସନୁଂ।୩୬।

ମୁକତି ଗତି ପୁରୁଷ ସେ ଦ୍ୱାପର ଯୁଗକୁ

ପ୍ରତକ୍ଷେ ନିରଞ୍ଜନ ଜାତ କଲେ କାଳଦର୍ପ ଧଂସିବାକୁ।୩୭।

 

ଉଦୟେ ଚନ୍ଦ୍ର ଯେହ୍ନେ ନିକଳଙ୍କ ସୂର୍ଯ୍ୟମଣି

ଲଲାଟେ ଶୂନ୍ୟପୁରୁଷ ଖଞ୍ଜିଲେ ତାହା ଆଣି।୩୮।

ହୃଦୟେ ଭୂଷଣ ତାର କଣୟ ପୁଷ୍ପମାଳ

ଶଉଚବନ୍ତ ପୁଷ୍ପ ସ୍ଥାପିଲେ ଗଣ୍ଡସ୍ଥଳ।୩୯।

 

ସଦୟେ ଶୋଭାବନ ସତ୍ୟ ପଞ୍ଚ ମୁଦ୍ରା

ପାପ ଆତ୍ମା ଛଡ଼ାଇଲେ ସେ ଅନାଦି ବ୍ରହ୍ମସିଦ୍ଧା।୪୦।

ଭୂତ ଭବିଷ୍ୟ ଜାଣିମା ହୃଦ ଗତେ

ଦିବ୍ୟଚକ୍ଷୁ ପରାପତ କରାଇଲେ ସେ ନିରଞ୍ଜନ ଦଇବତେ।୪୧।

 

ପୁତ୍ର କୋଳେ ଧରି ବଦୟନ୍ତି କରତା

ୟେ ମଧ୍ୟଭୁବନେ ହେବୁ ତୁହି ସେ ଧର୍ମଦେବତା।୪୨।

ୟେ ମଞ୍ଚ ସ୍ୱର୍ଗେଣ ଦେବତାୟେ ହୋଉ ଯଦ୍ୟପି ଉତପତ୍ତି

ସମସ୍ତେହେଂ ତୋହୋର ଦାସ ତୁ ସବୁଙ୍କରି ଆଧିପତି।୪୩।

 

ନାରାୟଣ ଉତପତ୍ତି ହୋଇବେ ମଞ୍ଚ ପୁରେ

ସେ ହରି ଆରାଧନା କରିବେ ତୋହୋର ପୟରେ।୪୪।

କୋଟି ତାର୍ଥ ସ୍ନାନେଣ ବାବୁ ଯେତେ ଫଳଶ୍ରୁତି

ତବ ନାମ ସୁମରନ୍ତେ ସଂସାର ଜନେ ପାବନ୍ତୁ ସଦଗତି।୪୫।

 

ଦ୍ରଶନେ ଲଭନ୍ତୁ କୋଟିୟେ ଅଶ୍ୱମେଧ ଯଗ୍ୟଂ ଫଳ

ୟେ ମଧ୍ୟ ଭୁବନକୁ ବାବୁ ତୁହି ସେ ଧର୍ମ ଦିଗପାଳ।୪୬।

ଅନୁବ୍ରତେ ଧର୍ମବ୍ରତ ଯେ ତୋହୋର ଇଚ୍ଛା

ୟେବେ ୟେ ସୃଷ୍ଟି ବାବୁ ଧର୍ମେ କର ରକ୍ଷା।୪୭।

 

ୟେସନେକ ବର ଦେଇ ସ୍ୱାମୀ ନିରଜଂନ

ଶୂନ୍ୟେଣ ମହାତମା ଯେ ହୋଇଲେ ଅନ୍ତର୍ଧାନ।୪୮।

ପୁତ୍ରକୁ କୋଳେ ଧରି ବସିଛନ୍ତି ଦେବୀ କୋନ୍ତା

ମାଦ୍ରୀ ଆରୋପଣ କଲେ ଅଗ୍ନି ଯେ ଦେବତା।୪୯।

 

ଧର୍ମ ସୁମରି କରି ପୁତ୍ର ଦିଲା ରାବ

ବିଜୟ କେତନ ପର୍ବତେଥାଇ ଶୁଣିଲେ ପଣ୍ଡୁ ରାଜଦେବ।୫୦।

ଚତୁର୍ଦଶ ଘଡ଼ି ଆସି ହୋଇଅଛି ରାତି

ଶ୍ରୀହସ୍ତେ ଧନୁ ଧରି ଆସି ମିଳିଲେ ପଣ୍ଡୁ ଯେ ନୃପତି।୫୧।

 

ପର୍ବତ ତଳେ ବିଜୟେ ଅମ୍ୱାଳିକା ତନୟେ

ଅନ୍ଧାର ଭେଦି ପର୍ବତ ଦିଶୁଅଛି ଦିବସର ପ୍ରାୟେ।୫୨।

ଗିରିବର ଶିଖରେ ଯାଇ ଉଠିଲେ ନୃପମଣି

ପାଷାଣ ଝଡୁ ଅଛି ପୁତ୍ରର ରାବ ଶୁଣି।୫୩।

 

ସ୍ୱର୍ଗ ତେଜି ଚନ୍ଦ୍ରଦେବତା କି ପର୍ବତେ ଉଦୟେ

ରାତ୍ରକାଳେ ପର୍ବତ ଦିଶଇ ଶୁକ୍ଲାମ୍ୱର ପ୍ରାୟେ।୫୪।

ହରଷେ ପଣ୍ଡୁରାଜା ବିଜେ କଲେ ସନ୍ନିଧାନେ

ସାନନ୍ଦେ ଅଶ୍ରୁଜଳ ବହଇ ବେନି ଯେ ନୟନେ।୫୫।

 

ପୁତ୍ରକଇ ଦେଖଇ ରାଜା ଅନେକ ହରଷେ

ମାଦ୍ରୀ ବୋଇଲେ ଦେବ ନୁ ଆସ ପୁତ୍ର ପାଶେ।୫୬।

ଗଣ୍ଡମୂଳ ଦୋଷ ଜାଣିମା ତଥ୍ୟକରି

ଶୁଣିଣ ହସିଲେ ସେ ପଣ୍ଡୁ ଦଣ୍ଡଧାରୀ।୫୭।

 

କୁନ୍ତଭୋଜର ନନ୍ଦନୀ ଆଦି ଯେ ଅପର୍ଣ୍ଣା

ୟେ ଦୋଷରୁ ଉତ୍ତାରିବାକୁ ସେ ପରମ ପଣ୍ଡିତ ସିନା।୫୮।

ବ୍ରାହ୍ମଣ ରୂପ ଧରି ଦେବ ଗୁରୁ ବୃହସ୍ପତି

ଶ୍ରୀହସ୍ତେ ଧରିଛନ୍ତି ସେ ସପତାଙ୍ଗ ପୋଥି।୫୯।

 

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ସୋମବଂଶେଣ ପଣ୍ଡୁରାଜା ଧର୍ମେ ଜାତ ତନୁ।୬୦।

ମେଷମାସ ଶୁକଳପକ୍ଷ ପ୍ରତିପଦାର ତିଥି

ଚନ୍ଦ୍ରବାର ଭୋଗ ଅଢାଇ ପ୍ରହର ରାତି।୬୧।

 

ତୈତିଳ ନାମେ କରଣ ପ୍ରୀତି ନାମ ଯୋଗ

ଦ୍ୱିଜା ନକ୍ଷତ୍ରର ସତାଇଶ ଦଣ୍ଡ ଭୋଗ।୬୨।

ମେଷରାଶିକୁ ଯେ ନାହିଂ ପାପ ଗ୍ରହ ଦୋଷ

ମେଷରାଶିରେ ଯେ ସୂର୍ଯ୍ୟ କରିଛନ୍ତି ବାସ।୬୩।

 

ମଙ୍ଗଳ କ୍ଷେତ୍ରୀ ହୋଇଣ ଉପୁଜିଲା ବଳା

ମିତ୍ର ଘରେ ରହି ଚନ୍ଦ୍ର ହୋଇଅଛି ମେଳା।୬୪।

ଚଉଧର୍ମ ନାମ କାଳ ଅମୃତ ଘରେଣ ସ୍ଥିତି

ଶାନ୍ୟେଣ ଯୋଗିନୀ ଯେ ମହାଲକ୍ଷ୍ମୀ ମୂର୍ତ୍ତି।୬୫।

 

ମାହେନ୍ଦ୍ର ଯୋଗ ଘେନିଣ ସେ ଉତପତ୍ତି ନନ୍ଦନ

ବୃହସ୍ପତିଙ୍କର ବଚନେ ସେ ସାନନ୍ଦ ପଣ୍ଡୁ ରାଜନ।୬୬।

ସୁବର୍ଣ୍ଣ ସ୍ଥାଳୀରେ ପଞ୍ଚୁରତ୍ନ ଘେନି ରାୟେ

ଗୁଆଘୃତ ପୂରୋଇ ଅଷ୍ଟରତ୍ନେ ଦୀପ ଯେ ଗୋଟିଏ।୬୭।

 

ପଞ୍ଚୁମାଣିକ୍ୟ ଘେନି ଅର୍ଘ୍ୟ ସେ ଯୋଗାଡ଼ି

ଥିର ଲଗ୍ନେ ପୁତ୍ର ଦେଖିତେ ବିଜୟେ ଦଣ୍ଡଧାରୀ।୬୮।

ବୃହସ୍ପତି ବୋଇଲେ ୟେଥି ପାପଦୋଷ ଗଣ୍ଡଯୋଗ ନାହିଂ

ଲଭସି କୋଟିୟେ ପୁଣ୍ୟ ୟେ ପୁତ୍ର ମୁଖ ଚାହିଂ।୬୯।

 

ପଣ୍ଡିତଙ୍କର ବଚନେ ସାନନ୍ଦ ମହାରାଜା

ଜନ୍ମର ମନ୍ଦିରେ ପଶି ଦେଖଇ ଆତ୍ମଜା।୭୦।

ଅର୍ଘ୍ୟ ନେଇଣ ରାଜନ ଜୟେ ଧୁନି ତୋଳି

ଶୂନ୍ୟେ ଦେବସ୍ତିରୀମାନେ ଦିଅନ୍ତି ହୁଳହୁଳି।୭୧।

 

ଦେଖିଲେକ ପଣ୍ଡୁରାଜା ପୁତ୍ରର ବଦନ

ଆକାଶରୁ ଅଦଭୁତେ ପୁଷ୍ପ ବୃଷ୍ଟି କଲା ମଘବାନ।୭୨।

ସାଧୁ ସାଧୁ ବୋଲି ଧୁନି ଶୁଭିଲା ଗୋଟିୟେ

ଗଗନୁଂ ପୁଷ୍ପ ବୃଷ୍ଟି କଲେକ ଦେବତାୟେ।୭୩।

 

ପୁତ୍ରକଇ ଦେଖି ରାୟେ ଅନେକ ଉଷତ

ବୁଡିଲାର ବଂଶ ମୋର ଧର୍ମେଣ ଉଦିତ।୭୪।

ସାଧୁ ସାଧୁ କୋଇନ୍ତାୟେ ଗୋ ଜୀବନ ତୋହୋର

ଦୁର୍ଭାସାଙ୍କର ମନ୍ତ୍ର ସେ ମୋତେ ହୋଇଲା ଉପଗାର।୭୫।

 

କେବଣ କ୍ଷଣକେ ଭଗତି ହୋଇ ତୋଷିଲୁ ମହଋଷି

ତୋହୋର ପ୍ରସନ୍ନେ ଗୋ ମୁଂ ହୋଇଲି ସ୍ୱର୍ଗବାସୀ।୭୬।

ଅନେକ ପୁରସରି ବୋଲନ୍ତି ପଣ୍ଡୁରାୟେ

ତୋହୋର ସେ ପୁଣ୍ୟ ନା ବୋଲନ୍ତି କୋଇନ୍ତାୟେ।୭୭।

 

ପଣ୍ଡୁ ପ୍ରତିବାଚ ଶୁଣ କୁନ୍ତଭୋଜର ଦୋହିତା

ପୁତ୍ର ଗୋଟିକର ନାମ ଦେସି ସଂସାର ଜନହିତା।୭୮।

କୋଇନ୍ତାୟେ ନାମ ତୋଳନ୍ତି କରେ ଘେନିଣ ଅର୍ଘ୍ୟଗୋଟି

ୟେ ପୁତ୍ର ନାମ ମୋର ହୋଇବ ଯୁଝେଷ୍ଠି।୭୯।

 

ଅନେକ ସାନନ୍ଦ ଯେ ମଙ୍ଗଳ ଧୁନି ତୋଳି

ଯୁଝେଷ୍ଠି ନାମ ଗୋଟି ସଂସାର ହିତକାରୀ।୮୦।

ପୁତ୍ର ଉଦିତ ଉତ୍ସବ କରାଇଲେ ନୃପମଣି

ପୂଜନ୍ତି ମଙ୍ଗଳା ଦିଉଛି ଗୋସାମଣୀ।୮୧।

 

ପୁତ୍ର ପ୍ରତିପାଳିଲେ ପଣ୍ଡୁ ଯେ ନୃପତି

ଶତଶିଂଗ ପର୍ବତେ ରାଜା ଅନୁବ୍ରତେ ଥାନ୍ତି।୮୨।

ରାତ୍ରେଣ ଭ୍ରମଇ ସେ ପଞ୍ଚୁ କଟକ ପୁରୀ

ଦେଖିଲେ ନାଶ କରଇ ଦୁର୍ଭାର ଦୁଷ୍ଟ ଅଇରି।୮୩।

 

ଦେଶାଉର ବାରତା କହିଲେ ହସ୍ତିନା ଭୁବନେ

ପଣ୍ଡୁରାଜାର ପୁତ୍ର ଉତପତ୍ତି ଦେବ ହୋଇଲା ବିଦ୍ୟମାନେ।୮୪।

ଶୁଣିଣ ସାନନ୍ଦ ସେ ଅମ୍ୱିକାର ସୁତ

ଉଛବ କରାଇଲା ରାଜା ପଞ୍ଚୁ ଯେ ପ୍ରଶସ୍ତ।୮୫।

 

ସନ୍ତତି ଉଛବ ବୋଲିଣ ରାଜା ନଗ୍ରେଣ ଘୋଷଣ

ଅନେକ ଦାନ ଦିଅଇ ନୃପତି କୁରୁରାଣ।୮୬।

ସୁବର୍ଣ୍ଣ ରଥେକ ସାଜିଣ ଧୃତରାଷ୍ଟ

ଗାନ୍ଧାରୀର ସହିତେ ବିଜେ କଲେ କୁରୁରାଜ ଶ୍ରେଷ୍ଠ।୮୭।

 

ଶାୟେଂତନୁ ପାରେଶ୍ୱର ଭୀଷ୍ମ ଭୁରିସର୍ବା

ବିଦୁର ସମେତେ ଘେନି କୁରୁରାଜ ଦେବା।୮୮।

ପଣ୍ଡୁର ପୁତ୍ର ଜନ୍ମ ଶୁଣି ବ୍ୟାସ ମହଋଷି

ତୁଲେଣ ଅଛନ୍ତି ତାଙ୍କର ଷାଠିଏ ସହସ୍ର ଶିଷି।୮୯।

 

ପ୍ରବେଶ ହେଲେ ମହାତମା ଶତଶିଂଗ ପରବତେ

ବଶିଷ୍ଠ ମାରକଣ୍ଡ ଦୁର୍ଭାସା ସମେତେ।୯୦।

ପୌଲସ୍ତି ବିଶର୍ବା ଋଷି ସୁଦେବ ଅଗସ୍ତି

ଶତଶିଂଗ ପର୍ବତରେ ବିଜୟେ ତତକ୍ଷଣାନ୍ତି।୯୧।

 

ବିଶ୍ୱାମିତ୍ର ଜନକ ଆବର ସୁମନ୍ତକ

ଦେବଋଷି ବ୍ରହ୍ମଋଷି ରାଜଋଷି ବାଳଖିଲ୍ୟା ଯେ ଶୌନକ।୯୨।

କୁନ୍ତଭୋଜ ରାଜା ସହିତେ ସାଜିଣ ସମଦଣ୍ଡ

ଅନେକ ସମ୍ଭର୍ବେ ବିଜୟେ ଶତଶିଂଗ ମଧ୍ୟ ଖଣ୍ଡ।୯୩।

 

ଦେଖି ଋଷିଗଣମାନଙ୍କୁ ପଣ୍ଡୁ କଲେ ପାଦ ପୂଜା

ସମସ୍ତକଇଂ କୃଷ୍ଣାଞ୍ଜନ ଛାଲ ଦିଲେ ମହାରାଜା।୯୪।

ଗଣ୍ଡା ଜୀବ ମାରିଣ କରନ୍ତି ପିତୃକାମ୍ୟ ଶ୍ରାଦ୍ଧ

ପୁତ୍ରକୁ ଆଶିଷ କରାଇ ରାଜାର ବହୁତ ସଧ।୯୫।

 

ବନ ଫଳ କନ୍ଦମୂଳ ଋଷିଙ୍କି ଭୋଜନ

ୟେସନେକ ସମ୍ଭର୍ବ କରାଇ ରାଜନ।୯୬।

ସମାର୍ଜନା କଲା ରାଜା ସମସ୍ତ ତପନିଷ୍ଠି

ଧୃତରାଷ୍ଟଙ୍କୁ ପଣ୍ଡୁରାୟେ ଆସଇ ପାଛୋଟି।୯୭।

 

ଅନୁମାନ ପର୍ବତେ ଭେଟିଲେ ଧୃତରାଷ୍ଟେ

ପଣ୍ଡୁ ପ୍ରଣପତ୍ୟ ଯାଇଂ କୁରୁସାଇଂ ନିକଟେ।୯୮।

ବିଦୁର କହିଲେ ଯେ ଧୃତରାଷ୍ଟ ରାଜାକୁ

ପଣ୍ଡୁରାୟେ ଦ୍ରଶନ ହାଦେ ଆସି କଲେକ ତୁମ୍ଭଙ୍କୁ।୯୯।

 

ଶୁଣିଣ କଲ୍ୟାଣ ବାଞ୍ଛା କଲେ ମହାରାୟେ

ଯାହା ବାଞ୍ଛା କଲୁ ପ୍ରାପତ ହୋଉ ତୋୟେ।୧୦୦।

ସମଦଣ୍ଡ ଘେନିଣ ସେ ବିଜୟେ କୁରୁପତି

ପୁତ୍ର ଉଚ୍ଛବ କରାନ୍ତି ମହାତୋଷ ମତି।୧୦୧।

 

ପୁତ୍ରକୁ କୋଳେ ଧରିଣ ସେ ଦେଖନ୍ତି ଗାନ୍ଧାରୀ

ଧୃତରାଷ୍ଟ କୋଳେ ପୁତ୍ର ଦିଲେ ତୋଳି କରି।୧୦୨।

ପୁତ୍ରକୁ କୋଳେ ଧରି ସାନନ୍ଦ କୁରୁବଇଂ

ଶରୀର ଶୀତଳ ହୋଇଲା ହୃଦରେ ଲଗାଇ।୧୦୩।

 

ଧନ୍ୟ ଧନ୍ୟ ସାଧବୀ ସେ ଭୋଜର କୁମାରୀ

ବଂଶ ଉଦ୍ଧାରିଲା ୟେ ବୁଦ୍ଧି ଉପାୟେ କରି।୧୦୪।

ସେ କୋନ୍ତଭୋଜ ନୃପତି ଯେ ଘେନିଣ ସଇନି

ଶତଶିଂଗ ପର୍ବତେ ପ୍ରବେଶ ସମଦଣ୍ଡ ଘେନି।୧୦୫।

 

ଦୋହିତା ଜାମାତା ନାତି ଦେଖିଣ ସେ ରାଜା

ଅନେକ ଧନରତ୍ନ ଦେଇ ବହୁତ କଲା ପୂଜା।୧୦୬।

କୋଇନ୍ତାଙ୍କ କୋଳେ ଯେ ପୁତ୍ରକୁ ବସାଇ

ସର୍ବ ଅଳଙ୍କାର ବେଶ ବେଶନ କରାଇ।୧୦୭।

 

ଖିରି ଉଚ୍ଛବ ବନ୍ଦାପନା କରନ୍ତି ଶୁଭଯୋଗେ

ଜଗତ ଉଷତ ଉଲ୍ଲାସ ମଞ୍ଚ ପୁର ସ୍ୱର୍ଗେ।୧୦୮।

ପାଞ୍ଚ ଦିନ ରହିଲେ ସେ ଶତଶିଂଗ ପର୍ବତେ

ଋଷିମାନେ କଲ୍ୟାଣ କରନ୍ତି ମହାମନ୍ତ୍ରେ।୧୦୯।

 

ଧର୍ମ ବର୍ଦ୍ଧୁତ ହୋଉରେ ତୋହୋର ଯୁଝେଷ୍ଠି

ସ୍ୱର୍ଗରେ ବସୁଦିଗପାଳ ମେଳେ ୟେହି ଦେହ ଗୋଟି।୧୧୦।

ୟେସନେକ ବାଞ୍ଛା କଲେକ ସକଳ ମହାଋଷି

ଶୁଣିଣ ପଣ୍ଡୁ ମହାରାଜା ମନେଣ ମହାତୋଷୀ।୧୧୧।

 

ପଣ୍ଡୁକୁ କୋଳେ ଧରି ବଦୟନ୍ତି ଧୃତରାଷ୍ଟେ

ରାଜ୍ୟକୁ ଚାଲ ବାବୁ ବନସ୍ତେ ପଡ଼ଇ ନିକି କଷ୍ଟେ।୧୧୨।

ପଣ୍ଡୁ ବୋଲନ୍ତି ଭ୍ରାଥ ଶୁଣିମା ମୋହୋର ବାଣୀ

ୟେ ଶତଶିଂଗ ପର୍ବତ ଅଟଇ ଅମର ଭୁବନ ଜାଣି।୧୧୩।

 

ୟେହାଉଂ ରାଜ୍ୟ ତୋର ନ ହୋଇ ବଡ ସୁସ୍ଥ

ୟେଥକୁ ନିକଟ ହାଦେ ଅଟଇ ସକଳ ତୀର୍ଥ।୧୧୪।

ରାଜ୍ୟ ହିଂ ରଖିବି ତପୋବନ ହିଂ ରଖିବି

ତୁମ୍ଭ ଆଗ୍ୟାଂ ଘେନି ୟେହି ପର୍ବତରେ ଥିବି।୧୧୫।

 

ତୁ କ୍ଷେମ ହୋଇ ସ୍ୱାମୀ ଥାଅସି କୁଶଳେ

ମୁହିଂ ରିପୁ ଧଂସଇ ତୋହୋର ବାହୁବଳେ।୧୧୬।

ସନ୍ତାନକୁ ଇଛା ତୁ କର ନୃପମଣି

ଗାନ୍ଧାରୀକି ପୁତ୍ର ନାହିଂ ମୁଂ ବଶିଷ୍ଠଙ୍କ ତହୁଂ ଅଛି ଶୁଣି।୧୧୭।

 

ୟେସନେକ ପ୍ରବୋଧି ସେ ପଣ୍ଡୁ ମହାରାଜା

ଧୃତରାଷ୍ଟ ନୃପତିକି ସେ କଲେ ପାଦପୂଜା।୧୧୮।

ଅନେକ ସମ୍ଭର୍ବେଣ ଚଳଇ କୁରୁପତି

ବିଜୟେ ମହାରାଜା କୁଞ୍ଜଗଳ ଦେଶ ଚକ୍ରବର୍ତ୍ତୀ।୧୧୯।

 

ଥୋକାୟେ ଦୂର ପଣ୍ଡୁ ଅଇଲେ ପାଛୋଟି

ବ୍ୟାସଙ୍କ ଚରଣେ କରଇ ପ୍ରଣପତ୍ୟ ଶିର ଲୋଟି।୧୨୦।

ବୁଡ଼ନ୍ତେଣ ବଂଶ ସ୍ୱାମୀ ତୁହି ସେ କଲୁ ରକ୍ଷା

ୟେବେ ଯେମନ୍ତେ ଧୃତରାଷ୍ଟଙ୍କର ସନ୍ତାନ

ହୋଅଇ ସେ କଥା କର ବାଞ୍ଛା।୧୨୧।

 

ତହୁଂ ଅନ୍ତର୍ଧାନେ ଗଲେ ସମସ୍ତ ମହାଋଷି

ବାହୁଡ଼ଇ ପଣ୍ଡୁରାଜା ଧୃତରାଷ୍ଟଙ୍କୁ ନିବେଶି।୧୨୨।

ଶତଶିଂଗ ପର୍ବତେ ରାଜା ହୋଇଲେ ପ୍ରବେଶ

କୁନ୍ତଭୋଜ ନୃପତି ଗଲେ ନିଜ ଦେଶ।୧୨୩।

 

ରହିଲେ ପଣ୍ଡୁ ଯେ ଭାରିଯାନ୍ତ ଘେନି

ଧୃତରାଷ୍ଟ ତୁଲେ ହସ୍ତିନାକୁ ଗଲେ

ବ୍ୟାସ ମହାମୁନି।୧୨୪।

 

ଦୁର୍ଯ୍ୟୋଧନ ପ୍ରଭୃତିଙ୍କ ଜନ୍ମ

 

ଅନେକ ବିନୟ ଭାବ ଅମ୍ୱିକାର ସୁତ

ଗାନ୍ଧାରୀ ଧୃତରାଷ୍ଟ ବ୍ୟାସଙ୍କୁ ଅନେକ ଭଗତ।୧।

ପୁତ୍ରଦାନ ଅର୍ଥେ ପ୍ରାର୍ଥନା କରନ୍ତି ନୃପତି

ଶୁଣି ବିଚାର କରନ୍ତି ପଣ୍ଡିତ ଭିଗ୍ୟଂଯତି।୨।

 

ଧ୍ୟାୟେ କରି ଜାଣିଲେ ସେ ପଣ୍ଡିତ ବ୍ରହ୍ମବେତ୍ତା

ଧୃତରାଷ୍ଟ ବୀର୍ଯ୍ୟେ ପୁତ୍ର ନାହିଂ ବିଚାରନ୍ତି ମହାଗ୍ୟାଂତା।୩।

ଶୁଣ ହୋ ମହାରାଜା ବଦୟନ୍ତି ମହାଯତି

ଗାନ୍ଧାରୀର ଗର୍ଭେ ତୋର ନାହିଂ ପୁତ୍ର ଯେ ସନ୍ତତି।୪।

 

ଲାଗିଲା ମହାଭୟେ ବ୍ୟାସଙ୍କର ବଚନେ

ବଂଶକୁ କାରଣ ମୋତେ କରିବା ମହାମୁନ୍ୟେ।୫।

ବ୍ୟାସେ ପ୍ରତିବାକ୍ୟ ଶୁଣସି ହୋ ବାବା

ସନ୍ତାନ ନିମନ୍ତେ ମହାଯଗ୍ୟଂ କରାଇବା।୬।

 

ଧୃତରାଷ୍ଟ ବୋଇଲେ ମୁଂ ନ ଜାଣଇ ଯଗ୍ୟଂ ତଥ୍ୟ

ତୋହୋର ଆଗ୍ୟାଂ ପ୍ରମାଣେ ମୁଂ ଦେବଇ ସମସ୍ତ।୭।

ବିଛା ମାସ ଶୁକଳ ଚଉଠୀ ଯେ ତିଥି ଗୁରୁବାର

ଶ୍ରବଣା ନକ୍ଷତ୍ର ଯେ ଅଟଇ ସେ ଦିନର।୮।

 

ବାଣିଜ୍ୟେ ନାମେ କରଣ ଶୂଳ ନାମେ ଯୋଗ

ବିଛା ସଙ୍କରାନ୍ତିକି ଚଉଦିନ ଭୋଗ।୯।

ୟେସନେକେ ଅନକୂଳ କରନ୍ତି ବ୍ରହ୍ମଯତି

ଯମୁନା ନଦୀ କୂଳେ ଯଗ୍ୟଂ ଆରୋପନ୍ତି।୧୦।

 

ହଳ ଘେନି ଭୂମି ଚିରିଲେ ଶୁଭଯୋଗେ ଆରୋପନ୍ତି

ମାଘି ତିଳ ବୁଣନ୍ତି ଜଳ ଉଦେ ପାଗେ।୧୧।

ମହାରସ ପାଇଣ ସେ ପବିତ୍ର ତିଳ ଉଠି

ମକର ମାସ ମଧ୍ୟରେ ତିଳ ପଡ଼ଇ ସେ ଫୁଟି।୧୨।

 

ଯଗ୍ୟଂଶାଳ ତୋଳିଲେ ଶୁଭ ଅନକୂଳେ

ଦିଗପାଳ ମାନନ୍ତ ବରିଲେ ଶୁଭ ଯେ ମଙ୍ଗଳେ।୧୩।

ବଶିଷ୍ଠ ମାରକଣ୍ଡ ବିଶ୍ୱାମିତ୍ର ଅଗସ୍ତି

ଯଗ୍ୟେଂ ଯାଗନିକ ବରିଲେ ପାରେଶ୍ୱର ସନ୍ତତି।୧୪।

 

ଉଦ୍ଦାଳେକ ବାମଦେବ ଧୌମ୍ୟ ପୁରୋହିତେ

ବାହାର ବରଣେ ଯାଗନିକ ସୁମନ୍ତେ।୧୫।

ବ୍ରହ୍ମାବରଣ ହୋଇଲେ ଦୁର୍ଭାସା ତପୋବନ୍ତେ

ଯାଗକୁଣ୍ଡ ଖୋଳନ୍ତି ଶାହାସ୍ର ଯୁଗତେ।୧୬।

 

ଅନେକ ବାଳଖିଲ୍ୟା ମିଳିଲେ ବ୍ରହ୍ମଋଷି

ଶୁଭଯୋଗ ଘେନିଣ ଦୁର୍ଭାସାୟେ ମହାଯଗ୍ୟେଂ ବସି।୧୭।

ବଦୟନ୍ତି ଅଗସ୍ତି ଶୁଣହୋ ବଇବସୁତ ମନୁ

ପ୍ରଥମ ମହାଯାଗ ଅନକୂଳ କଲେ ମକର ପଞ୍ଚମୀର ଦିନୁ।୧୮।

 

ଚନ୍ଦ୍ରବାର ନକ୍ଷତ୍ର ସେ ଦିନ ଉତ୍ତରା ଫାଲଗୁନି

ବାଳବ ନାମେ କରଣ ସଉଭାଗ୍ୟ ଯୋଗ ଘେନି।୧୯।

ବୈଶ୍ୱାନର ବରଣ କଲେ ବିଶ୍ୱାମିତ୍ର ତୁଲେ

ଦ୍ୱାଦଶ ସମିଧ ଯବ ତିଳ କଲେ।୨୦।

ଗୁଆଘୃତ ଲକ୍ଷେକ ଭାର ଅନେକ ଶୀତଳ ଦ୍ରବ୍ୟ

ବାହୁଟିଆ କୃଷ୍ଣାଞ୍ଜନ ଛାଲ ସବୁ ଥିବ।୨୧।

 

ୟେସନେକ ଆରମ୍ଭେ ଯେ ଯଗ୍ୟଂର ଭିଆଣ

ଚତୁର୍ବେଦୀ ଲକ୍ଷେକ ବ୍ରାହ୍ମଣ ବରଣ।୨୨।

ବିଜୟେ ମହାରାଜା ଧୃତରାଷ୍ଟ ନୃପତି

ତୁଲେଣ ଛନ୍ତି ଗାନ୍ଧାରୀ ଗାନ୍ଧାରସେନର ଦୋହିତୀ।୨୩।

 

ସ୍ୱହସ୍ତେ ଘେନିଲା ରାୟେ କନକ ଆଞ୍ଜୁଳି

ମହାଯଗ୍ୟଂ କୁଣ୍ଡରେ ଅଷ୍ଟଉତ୍ତରଶତ ବେଳ ଦିଅନ୍ତି ତୋଳି।୨୪।

ଅଶ୍ୱମେଧେ ଶତେ ଘୃତ ଆଞ୍ଜୁଳି ଦେଇ ତୋଳି

ଯବ ତିଳ ବୃଷ୍ଟି ସେ କରନ୍ତି ମହୀଆଳୀ।୨୫।

 

ପାଖୁଡ଼ା କୁସୁମ ଶତେ ବେଳ ବୃଷ୍ଟି

ମହାମନ୍ତ୍ର ଆଧ୍ୟାନ କରନ୍ତି ସକଳ ତପନିଷ୍ଠି।୨୬।

ସହସ୍ରେକ ବ୍ରାହ୍ମଣ ଦିଅନ୍ତି ହବିର୍ଭାଗ

ଅନେକ ପଂକୁ ଯେ ଶୀତଳ ସର୍ବଦ୍ରବ୍ୟ ଭୋଗ।୨୭।

 

ନତ୍ୟକର୍ମ ବିଧାନ ସାରିଲେ ତପୋବନ୍ତେ

ବିଜୟେ ଧୃତରାଷ୍ଟ ଗମନ୍ତି ପଞ୍ଚୁତୀର୍ଥେ।୨୮।

ପଞ୍ଚୁକଟକ ବେଢି ଅଛନ୍ତି ପଞ୍ଚୁତୀର୍ଥ

ସ୍ନାହାନ ସାରି ଆସଇ ଅମ୍ୱିକାର ସୁତ।୨୯।

 

ଅନେକ ଘୃତ ସେ ବରଷନ୍ତି ଆହୂତି

ଅଜପା ମନ୍ତ୍ରେ ବରଣ ମାରକଣ୍ଡ ଯତି।୩୦।

ପଞ୍ଚ ଦିବସ ଆହୂତି ଦିଅନ୍ତି ତପୋବନ୍ତେ

ଅନୁବ୍ରତେ ଅଗ୍ନି ବୁଲଇ ବାମାବର୍ତ୍ତେ।୩୧।

 

ବ୍ୟାସେ ବୋଇଲେ ୟେଥେ ଦିଅନ୍ତେ ଆହୂତି

ଦୋହିତା ମାତ୍ର ତୋହୋର ହୋଇବ ଉତପତ୍ତି।୩୨।

ଧୃତରାଷ୍ଟ ବୋଇଲେ ମୁନି ହେ ତେତେଣ ପ୍ରିୟୋଜନ କିସ

ପୁତ୍ର ସନ୍ତାନ ଉତପତ୍ତି ହୋଇଲେଟି ରକ୍ଷା ହେବ ବଂଶ।୩୩।

 

ପୁଣି ଅଗ୍ନିକି ଯେ କରନ୍ତି ବହୁତ ସ୍ତୁତି

ମହାମନ୍ତ୍ର ବାକ୍ୟେ ହାଦେ ଦିଅନ୍ତି ଆହୂତି।୩୪।

ଯହୁଂ କଷ୍ଠୋର କଲେ ବ୍ୟାସ ମହାମୁନି

ଡାହାଣାବର୍ତ୍ତେକ ହୋଇଣ ବୁଲଇ ବହନି।୩୫।

 

କନକ ରସାଣ ଭାଣ୍ଡ ବସାଇଲେ କୁଣ୍ଡର ଭିତରେ

ଘୃତ ଦେଇ ତଣ୍ଡୁଳ ମେଲିଲେ ବ୍ୟାସ ମୁନିବରେ।୩୬।

ଫୁଟାଇ ତଣ୍ଡୁଳ କାଢିଲେ ବ୍ୟାସ ତପନିଷ୍ଠି

କୁଶଳେ ବସାଇଲେ ପରିମଳ ଅନ୍ନ ଫୁଟି।୩୭।

 

ମାରକଣ୍ଡେ ବୋଇଲେ ହୋ ଶୁଣ କୁରୁବୀର

ସ୍ନାହାନ କରି ଆସୁ ଗାନ୍ଧାରୀ ଭାରିଯା ତୋହୋର।୩୮।

(ୟେହାଶୁଣି) ନିତ୍ୟକର୍ମ ସାରି ଅଇଲେ ଗାନ୍ଧାରସେନ ଦୁଲଣୀ

ବିଷ୍ଣୁବାକ୍ୟ କରନ୍ତି ଅମୃତ ଯୋଗଜାଣି।୩୯।

 

ଦେଖିଲେ ଅନ୍ନ ଯେ ଫୁଟିଅଛି ଶତେଗୋଟି

ବାଛିଣ କାଢିଲେ ତାହା ମାରକଣ୍ଡ ତପନିଷ୍ଠି।୪୦।

ବଦୟନ୍ତି ମହାତ୍ମାୟେ ମା ଗୋ ଆସ ଆୟି ମାଗବର

ୟେ ମନ ବାଞ୍ଛା ଯେ ସିଦ୍ଧହୋଉ ଗୋ ତୋହୋର।୪୧।

 

ଯେହ୍ନେ କଳପଣା ହୁଅଇ ମିଳଇ ତୋର ବାଞ୍ଛା

ହରଷ ହୋଇ ଆୟି ମାଗ ବର ଇଛା।୪୨।

ଶତ ସହସ୍ର ଦଣ୍ଡ ହୋଇଣ ପ୍ରଳମ୍ୱିତ

ପୁଣ ପୁଣ ବିନୟେ ବହୁତ ଭଗତ।୪୩।

ତୁମ୍ଭେ ବ୍ରହ୍ମଋଷି ମୋତେ ସଦୟେ କରିବା

ଯେବେ ଅନଗୃହ ମୋତେ ଶତେ ପୁତ୍ର ଦେବା।୪୪।

 

ଗାନ୍ଧାରୀ ବଚନ ଶୁଣିଣ ସନ୍ତୋଷ ତପୋଧନ

ରତ୍ନ ଭାଣ୍ଡେ ପାଇଲେ ସେ ଶତ ଗୋଟି ଅନ୍ନ।୪୫।

ଗାନ୍ଧାରୀକି ବୋଇଲେ ଆୟି ପ୍ରାଶନ ଏହା କର

ବାଞ୍ଛା ପ୍ରାପତ ଯେ ହୋଇବ ତୋହୋର।୪୬।

 

ଯେହ୍ନେ ସିଦ୍ଧ ବାଞ୍ଛା ପ୍ରାପତ ହୋଇଲା

ତିନିପୋଷେ ତଣ୍ଡୁଳ ମା ଗୋ ଶତେ ଗୋଟି ଫୁଟିଲା।୪୭।

ୟେହାକୁ ଗ୍ରାସ ଆୟି କର ମହାସତୀ

ଅରଜିଲୁ ଅନେକ ପୁଣ୍ୟ ତୁ ହୋଇଲୁ ପୁତ୍ରବନ୍ତୀ।୪୮।

 

ଋଷିଙ୍କର ବଚନେ ଗ୍ରାସ କଲା ଅନ୍ନ

ଯାଗ ସମାପତ ସେ କଲେ ମହାମୁନ୍ୟ।୪୯।

ଅନେକ ଦାନ ଦକ୍ଷିଣା ଦେଲେ ଧୃତରାଷ୍ଟ

ଋଷିମାନେ କଲ୍ୟାଣ କଲେ ମହାତୁଷ୍ଟ।୫୦।

 

ଅନେକ କାଳକୁ ଗୋ ରହୁ ଦେବୀ କଥା

ଉପୁଜୁ ଶତେ ପୁତ୍ର ଗୋ ହୁଅନ୍ତୁ ଭାଗ୍ୟ ବଳବନ୍ତା।୫୧।

ୟେସନେକ ବର ଦିଲେ ସମସ୍ତ ତପୋଧନି

ହରଷେ ଧୃତରାଷ୍ଟ ଋଷିଙ୍କର କଲ୍ୟାଣ ଘେନି।୫୨।

 

ଋଷିଙ୍କି ସନ୍ତୋଷ ରାଜା କଲା ଭଗତି ଭାବେ

ଚଳିଲେ ମୁନିମାନେ ଯେ ଯାହାର ଠାବେ।୫୩।

ରାଜାଗଣମାନେ ଗଲେ ଯେ ଯାହର ଭୁବନେ

ଲଭଇ ଧୃତରାଷ୍ଟ ଅନେକ ପୁଣ୍ୟମାନେ।୫୪।

 

ଦାନେଣ ଅତି ପୁଣ୍ୟବନ୍ତ ଯେ ହୋଇଲେ ନୃପବର

ଅନୁବ୍ରତେ ଧର୍ମରାଜା ସଦୟା ଶରୀର।୫୫।

ଶୁଣଇ ଧର୍ମ ପୁରାଣ ରାଜା ଭାରିଯା ସହିତେ

ଦେବମନ୍ତ୍ରେ ବରଣ ଯେ କରଇ ଅନୁବ୍ରତେ।୫୬।

 

ଅନେକ ଉତ୍ସବ ରାଜ୍ୟେ କରାଇ ହରଷେ

ସାନନ୍ଦ ଚିତ୍ତେ ରାଜା ପିତୃ ଦେବତା ପୋଷେ।୫୭।

ଋଷିଙ୍କର ମହାମନ୍ତ୍ର କେହୁ ଆନ କରି

ମହାମନ୍ତ୍ରେ ଗାନ୍ଧାରୀ ଯେ ହୋଇଲା ଗର୍ଭ ଭାରି।୫୮।

 

ପ୍ରକୃତି ଅନ୍ତରେ ସେ ଅନୁଆନେ ଇଚ୍ଛା

ଯାହା ମାଗଇ ନୃପତି ଦିଅଇ ମନବାଞ୍ଛା।୫୯।

ନିଦାଘ କାଳେ ଯେ ବଇଶାଖ ମାସଇ

ଗଙ୍ଗାସ୍ନାହାନେ ଗାନ୍ଧାରୀ ବିମାନ ଚଢି ଆସଇ।୬୦।

 

ବିମାନୁଂ ଓହ୍ଳାଇ ଦେବୀ ବସଇ ଗଙ୍ଗାକୂଳେ

ଚଳି ନ ପାରଇ ସେ ଗର୍ଭର ବିକଳେ।୬୧।

ଶତେ ପୁତ୍ର ଗର୍ଭରେ ଯେ ହୋଇଲା ମହାଭାରି

ସମ୍ଭାଳି ନ ପାରି ସେ ପକାଇଲା ଉଦୁଗାରି।୬୨।

 

ଋଷିଙ୍କ ଅନ୍ନ ଯେ ଅତୁଟ ହୋଇଥିଲା

ପକାଇ ଗାନ୍ଧାରୀ ଯେ ମୂର୍ଚ୍ଛାଗତ ଗଲା।୬୩।

ଋଷିଙ୍କ ସଂଚିତ ଯେ ଅମଳାନ ଚରୁଅନ୍ନ

ଜଳେ ପଡ଼ି ଦିଶଇ ସେ କନକର ବର୍ଣ୍ଣ।୬୪।

 

ଗାନ୍ଧାରୀ ପଡ଼ିଛି ଯେ ଗତ ଆତ୍ମା ହୋଇ

ଗଙ୍ଗା ସ୍ରାହାନ କରି ଯାନ୍ତେ ବ୍ୟାସେ ଭେଟିଲେକ ଯାଇଂ।୬୫।

ଦେଖିଲେ ମୂର୍ଚ୍ଛାଗତେ ପଡିଛି ଗାନ୍ଧାରୀ

କମଣ୍ଡଳୁ ପାଣି ଛିଞ୍ଚିଲେ ବ୍ୟାସେ ବ୍ରହ୍ମଚାରୀ।୬୬।

 

ମହାମନ୍ତ୍ର ପାଇ ସେ ଦେବୀ ହୋଇଲେ ସଚେତନ

ଦେଖିଣ ବିରସ ହୋଇଲେ ପାରେଶ୍ୱରଙ୍କ ନନ୍ଦନ।୬୭।

ଦୁଖେଣ ଅରଜିଲୁ ଯେବଣ ଆହୂତି

ୟେହେନେକ ବିପାକ କର୍ମ ନୋହିଲାକ ସନ୍ତତି।୬୮।

 

ଶାହାସ୍ର ନିନ୍ଦିତ ଯେ ହୋଉଛି ଯୁଗତେ

ସମସ୍ତ ଅନ୍ନ ୟେକରୁଣ୍ଡ କରି ଘେନିଲେ ତପୋବନ୍ତେ।୬୯।

କମଣ୍ଡଳୁ ପାଣି ଛିଞ୍ଚି ମୁନି ଜୀବନ୍ୟାସ କଲେ

ଅମୃତ ଦୃଷ୍ଟିରେ ଚାହିଂ ଉଠ ଉଠରେ ବୋଇଲେ।୭୦।

 

ପ୍ରତ୍ୟକ୍ଷେ ନାରାୟଣ ସେ ଯେବଣ ମହାମୁନି

ଶତେ ପୁତ୍ର ଜନ୍ମ ହୋଇଲେ ମହାବୀର୍ଯ୍ୟ ଘେନି।୭୧।

ଅତ୍ୟନ୍ତ ସୁନ୍ଦର ସେ ମକରଧ୍ୱଜ ପ୍ରାୟେ

ତିନି ଭୁବନ ମୋହନ୍ତି ସେ ବାଳୁତ ତନୟେ।୭୨।

 

ଦେଖିଣ ଗାନ୍ଧାରୀ ଯେ ସେ ପରମ ସାନନ୍ଦେ

ବ୍ୟାସେ ବୋଇଲେ ଆୟି ପୁତ୍ର ସମ୍ଭାଳ ତୋ ହାଦେ।୭୩।

ଶତେ ପୁତ୍ର ବିମାନେ ଶୁଆଇ ଗାନ୍ଧାରୀ

ସେହିଠାରେ ଅନ୍ତର୍ଧାନ ହୋଇଲେ ବ୍ୟାସ ବ୍ରହ୍ମଚାରୀ।୭୪।

 

ପୁତ୍ରନ୍ତ ଘେନି ଦେବୀ ବିଜୟେ ନିଜପୁରେ

ବିଦୁର କହିଲେ ଧୃତରାଷ୍ଟଙ୍କ ଆଗରେ।୭୫।

ସାବଧାନ ହୋଇ ଶୁଣିମା ଦଣ୍ଡଧାରୀ

ଶତେପୁତ୍ର ଘେନିଣ ହାଦେ ବିଜୟେ ଗାନ୍ଧାରୀ।୭୬।

 

ଅନେକ ହରଷ ହୋଇଲେ ଶୁଣି ଅନ୍ଧ ରାୟେ

ଆଣି କୋଳେ ଦେସି ମୁଂ ଧରଇ ତନୟେ।୭୭।

ପ୍ରଥମ ପୁତ୍ରକୁ ଘେନିଣ ବିଦୁର

କୁମରଙ୍କୁ ଦିଲେ ନେଇ ଧୃତରାଷ୍ଟଙ୍କ କୋଳର।୭୮।

 

ପ୍ରଥମ ପୁତ୍ରକୁ କୋଳେ ଘେନିଣ କୁରୁପତି

ହୃଦୟରେ ଚକ୍ଷୁ ଘେନି ସେ ବାରଇ ତୋଷମତି।୭୯।

ଅନ୍ଧ ବୋଇଲା ବିଦୁର ୟେ ପୁତ୍ର କେବଣ ଲକ୍ଷଣବନ୍ତ

ବିଦୁରେ ବୋଇଲେ ୟେ ପନ୍ନଗାନାରାୟଣ ସଂଜାତ।୮୦।

 

ଦୁଇ ପାଦରେ ୟେହାର ଅଛଇ ପଦ୍ମଚିହ୍ନ

ଶଙ୍ଖ ପଦ୍ମ ନିଧି ବେନି କରତଳେ ଶୋହାବନ।୮୧।

ଯବ ମତ୍ସ୍ୟ ଆରୋପଣ ୟେହାର ଦକ୍ଷିଣକର ସ୍ଥଳୀ

ଉଭୟ ପଦ୍ମ ବିଦ୍ୟମାନ ଶୋହାବନ ଅଙ୍ଗୁଳି।୮୨।

 

ଚଉରାଶି ଲକ୍ଷଣ ଚଉଷଠୀ ଗୁଣବନ୍ତା

ଆକର୍ଷଣ ମୂରତି ତାତ ୟେ ମହା ବଳବନ୍ତା।୮୩।

ୟେହେର୍ଣ୍ଣକ ଲକ୍ଷଣବନ୍ତ ସ୍ୱାମୀ ତୋହୋର ପ୍ରଥମ ପୁତ୍ରଗୋଟି

ଜଗୁ ଜନମୋହନ ପନ୍ନଗାନାରାୟଣ ସେ ଟି।୮୪।

 

ପୃଥିକି ଧାରଣା ୟେ ହୋଇବ ୟେକା ଜଣେ

ଲକ୍ଷେ ରାଜା ଖଟିଥିବେ ୟେହାର ଚରଣେ।୮୫।

ଜମ୍ୱୁଦୀପ ମଧ୍ୟରେ ହୋଇବ ୟେକଛତ୍ର ରାଜା

ୟେହାର ପ୍ରସାଦେ ପାଇବୁ ଅନେକ ତୁ ପୂଜା।୮୬।

 

ଗୁଣକଇଂ କାରଣ ୟେ ତୋର ହୋଇଲା ତନୟେ

ସମ୍ପଦ ହିଂ ଅରଜିବ ନାଥ ୟେ ଅଳପ ସମୟେ।୮୭।

ତ୍ରୈଲୋକ୍ୟ ସାଧ୍ୟ ୟେ କରିବ ସର୍ବ ନୃପେ

ମାନଗୋବିନ୍ଦ ବୀରଧୂ ୟେ ବୋଲାଇବ ପ୍ରତାପେ।୮୮।

 

ଗୁଣବନ୍ତ ବିବେକ ଧାର୍ମିକ ବିଧ୍ୱଂସ

ପୁଣ ୟେ ପୁତ୍ର ପ୍ରମାଦେ ନାଶ ଯିବ ତୋର ବଂଶ।୮୯।

ଦୁଷ୍ଟ ପ୍ରକୃତି ଅସଂଖ୍ୟ ସେ କଳହ ପ୍ରିୟା

କୋଟିପାଦେ ଅନୁବ୍ରତେ କନ୍ଧରେ ଥିବେ ଶ୍ରିୟା।୯୦।

 

କୁଳ କ୍ଷୟାନ୍ତକ ୟେହୁ ହୋଇବ ତୋର ପୁତ୍ର

ମହାମାନୀ ମଧୁ ପିଙ୍ଗଳ ଅଶାନ୍ତି ପ୍ରକୃତି ନ ସହିବ ଜଗତ।୯୧।

ଅପଖ୍ୟାତି ଅପକୀର୍ତ୍ତି ଅର୍ଜିବ ବହୁତ ଜଗତେ

କଳି ଅଂଶେ ଜାତ ହୋଇଲା ୟେ ତୋହୋର ଜ୍ୟେଷ୍ଠ ପୁତ୍ରେ।୯୨।

 

ୟେତେକାଳ ପରିଯନ୍ତେ ତୋହୋର ପୁତ୍ର ଯେ ନଥିଲା

ଦୁର୍ଭାସାଙ୍କର ମହାମନ୍ତ୍ରେ ତୋର ଶତେକ ପୁତ୍ର ଉପୁଜିଲା।୯୩।

ୟେକ ପୁତ୍ରକୁ ଯେବେ ମୂର୍ଚ୍ଚି ପାରିବୁ ଦଣ୍ଡଧାରୀ

ଆଗ୍ୟାଂ ଦେବୁ ୟେହାକୁ କି ପକାଇବି ମାରି।୯୪।

 

ୟେକ ପୁତ୍ର ନାଶଗଲେ ତୋର ଅନେଶ୍ୱତ ପୁତ୍ର ଭଲେ ଥିବେ

ଚିରାନ୍ତନ ପୃଥୀ ଭୋଗ କରିବୁ ତୋତେ ଧର୍ମ ନ ଛାଡ଼ିବେ।୯୫।

ଧୃତରାଷ୍ଟ ପଚାରିଲେ ଶୁଣସି ହୋ ବିଦୁର

ଆରେ ବାବୁ ଅନେଶ୍ୱତ ପୁତ୍ରକଇଂ କହନି ବିଚାର।୯୬।

 

ଆରେକ ପୁତ୍ର ପୁଣି ଦିଲାକ କୋଳର

ବୋଇଲେ ବିଦୁର ୟେ ପୁତ୍ର ନିଅସି ଦଣ୍ଡଧର।୯୭।

ଦୁଜପୁତ୍ର କୋଳରେ ଧଇଲେ ଧୃତରାଷ୍ଟ

ପର୍ବତ ସମାନେ ଗରୁ ସେ ମହା ମହା ବଳିଷ୍ଠ।୯୮।

କରପତ୍ର ଯୋଡ଼ିଣ ସେ ବୋଲଇ ବିଦୁର

ୟେ ମହା ଦର୍ପିଷ୍ଠ ସ୍ୱାମୀ ଦୁଷ୍ଟ ଯେ ଦୃଭାର।୯୯।

 

ଗୋଟି ଗୋଟି କରି ଲକ୍ଷଣ ବିଚାରଇ ବିଦୁର ମହାତମା

ୟେକୁଂ ୟେକ ଦୁଷ୍ଟ ଯେ ଅଟନ୍ତି ଅପ୍ରତିମା।୧୦୦।

ଅପ୍ରୀତି ଲକ୍ଷଣ ୟେ ସମସ୍ତେ ମହାଦୁଷ୍ଟ

ୟେବେ ଆନନ୍ଦ ହୋଉଂଛୁ ପଛନ୍ତେ ପାଇବୁ ଦାରୁଣ କଷ୍ଟ।୧୦୧।

 

ଗୁଣବନ୍ତ ଉପୁଜାଇ ଯେବେ ନାଶଗଲେ ହାଦେ ବଳା

ସେହି ସେ ମହାକଷ୍ଟ ବୋଲି ବିଦୁର ବୋଇଲା।୧୦୨।

ଧୃତରାଷ୍ଟ ବୋଇଲେ ବାବୁ ୟେହା ସେ କହିଲୁ

ପୁତ୍ରେକ ମୂର୍ଚ୍ଛିବାକୁ ବୋଇଲୁ ପୁଣି ସବୁନ୍ତି ବାଛିଲୁ।୧୦୩।

 

ପୁଣି ସବୁନ୍ତି ଯେ ବୋଇଲୁ ଦୋଷକାରୀ

କର୍ମେ ଯାହା ଫଳିବ ତାହା କେହୁ ଆନକରି।୧୦୪।

ଭାଗ୍ୟେ ଯେ ପ୍ରାପତ ତାହା ମୂର୍ଚ୍ଛିବା କେମନ୍ତେ

ଲୟେ କରି ଧୃତରାଷ୍ଟ ଚିନ୍ତିଲା ବ୍ୟାସ ତପୋବନ୍ତେ।୧୦୫।

 

ପାରେଶ୍ୱରଙ୍କର ନନ୍ଦନ ସତ୍ୟବତୀଙ୍କର ସୁତ

ବ୍ୟାସେ ବିଜେକଲେ ଆସି କୁରୁନାଥର ଅଗ୍ରତ।୧୦୬।

ସଞ୍ଜୟେ ବୋଇଲେ ଶୁଣ ଧୃତରାଷ୍ଟ ମହାଛତ୍ରୀ

ପାରେଶ୍ୱର ନନ୍ଦନ ଯେ ବିଜେ କଲେ ଧାତି।୧୦୭।

 

ଆସ୍ତାନ ତେଜି ଉଠିଲେ ଯେ କୁରୁବଇ ସ୍ୱାମୀ

ବ୍ୟାସ ଚରଣେ ଶତ ସହସ୍ର ଦଣ୍ଡ ପରିଣାମି।୧୦୮।

ସମସ୍ତ ପୁତ୍ରଙ୍କୁ ଧୃତରାଷ୍ଟ ବ୍ୟାସଙ୍କ ସନ୍ନିଧ୍ୟେ ଦିଲେ ନେଇ

ୟେକା ପଲଙ୍କ ଗୋଟିକରେ ସବୁ ପୁତ୍ରମାନଙ୍କୁ ଶୁଆଇ।୧୦୯।

 

ଭୋ ବ୍ୟାସେ ତୋହୋର ପରସାଦେ ମୋହୋର ଶତେ ତନୁ

ପୁତ୍ରନ୍ତ ତୋହୋର କୋଳେ ଧରି କଲ୍ୟାଣ କର ଅବଧାନୁ।୧୧୦।

ପ୍ରଥମ ପୁତ୍ର ଗୋଟି ନେଇ ବିଦୁର ବ୍ୟାସଙ୍କର କୋଳେ ଦିଲା

ବଡ଼ ବିଚକ୍ଷଣ ବୋଲି ମହାମୁନି ବୋଇଲା।୧୧୧।

 

ଶରୀର ଆଉଂଶି ବୋଇଲେ ତୋହୋର ଶରୀର ବଜ୍ର ହୋଉ

ଆମ୍ଭର ସର୍ଜନ ୟେହାର ତହିଂ କଥାୟେ ଥାଉ।୧୧୨।

ବାଳୁତ ବେନି ଜାନୁ ୟେକ ଠାରେ ଲାଗିଥିଲା

ତହିଂରେ ହସ୍ତ ନ ଲାଗିଲା ଛିଦ୍ର ଯେ ରହିଲା।୧୧୩।

 

ଅଇବ୍ରତେକ ସିଂହର ତୋହୋର ହୋଉ ପରାକର୍ମ

ଜଗଜିଣା ହୋଅ ତୋତେ କେହୁ ଜିଣନ୍ତା ନୋହୁ ସାଂଗ୍ରାମ।୧୧୪।

ୟେସନେକ ବର ଯହୁଂ ଦିଲେ ତପୋବନ୍ତେ

କାନ୍ଦନ୍ତେ ଦକ୍ଷିଣ ଚରଣ ବାଜିଲା ବ୍ୟାସଙ୍କ ହୃଦଗତେ।୧୧୫।

 

ଅସାଷ୍ଟମ ହୋଇ ଯେ ପଡ଼ିଲେ ବ୍ରହ୍ମଯତି

ନାସିକା ବାଟେ ଶ୍ରୋଣିତ ବହଇ ଅପ୍ରମିତି।୧୧୬।

ସାଷ୍ଟାମ ହୋଇଲେ ତହିଂ ବସିଲେ ବ୍ରହ୍ମବେତ୍ତା

ୟେହି କ୍ଷଣି ବର ଦିଲୁ ରେ ୟେଡ଼େକ ବଳବନ୍ତା।୧୧୭।

କଳ୍ପ ଆତ୍ମା ମୋ ତୁଟିଲା ତୋହୋର ଚରଣ ବାଜୁଂ

ସାଂଗ୍ରାମ କାଳେ ତୋହୋର ୟେହି ଚରଣ ଭାଞ୍ଜୁ।୧୧୮।

 

ଅଇବ୍ରତେକ ସିଂହର ପ୍ରାକର୍ମ ତୋହୋର

ୟେକା ସିଂହର ପ୍ରାକର୍ମେ ତୁ ହୋଅ ଅପହାର।୧୧୯।

ପ୍ରଥମେ ଦୁର୍ବୁଦ୍ଧି ଯେ ଚିନ୍ତା କରାଇଲୁ ମନ

ୟେ ତୋହୋର ପୁତ୍ର ନାମ ହୋଉ ଦ୍ରିଯୋଧନ।୧୨୦।

 

ଧୃତରାଷ୍ଟଙ୍କ ଅଗ୍ରତେ ୟେହା ସଞ୍ଜୟେ କହିଲା

ନିକଳଙ୍କ ପୁତ୍ରକୁ ହାଦେ କଳଙ୍କ ଲାଗିଲା।୧୨୧।

ଶୁଣିଣ ବିରସ ଯେ ହୋଇଲା ନୃପତି କୁରୁବୀର

ତଲୟେ କରି ଚିନ୍ତିଲେ ସେ ଦୁର୍ଭାସା ମୁନିବର।୧୨୨।

 

ଦଣ୍ଡ କମଣ୍ଡଳ କଷା କଉପୁନି

ପ୍ରବେଶ ହୋଇଲେ ମହାତ୍ମା କୁରୁନାଥର ସନ୍ନିଧାନି।୧୨୩

ସଞ୍ଜୟ କହିଲେ ହୋ ଶୁଣ କୁରୁପତି

ବିଜେ କଲେ ମହାତ୍ମା ଦୁର୍ଭାସା ମହାଯତି।୧୨୪।

 

ଆସ୍ତାନ ତେଜିଣ ସେ ଉଠିଲା କୁରୁରାୟେ

ମୁନିଙ୍କ ପଦ୍ମପାଦେ ଅର୍ଘ୍ୟ ପୂଜାକୟେ।୧୨୫।

ଦୁର୍ଭାସା ମୁନି ହୋ ମୋର ପୁତ୍ରନ୍ତ ତୁ ଚାହାଂ

ତୋହୋର ପ୍ରସାଦେ ଯେ ପାଇଲି ମୁଂ ୟେହା।୧୨୬।

 

ଦୁର୍ଭାସାୟେ ବୋଇଲେ ଶୁଣ ହେ ମୁନି ବ୍ୟାସେ

ପୁତ୍ରଙ୍କର ନାମ କିସ କିସ ଦେଲଟି ସନ୍ତୋଷେ।୧୨୭।

ବୋଲନ୍ତି ବ୍ୟାସେ ୟେ ଜ୍ୟେଷ୍ଠ ପୁତ୍ରକୁ

ଦୁଷ୍ଟ ବୁଦ୍ଧି ଜାଣି ଦ୍ରିଯୋଧନ ନାମ ହାଦେ ଦିଲଇଂ ୟେହାକୁ।୧୨୮।

 

ଦୁଜ ପୁତ୍ର ଗୋଟିକ ଦୁର୍ଭାସା ଧଇଲେକ କୋଳେ

ମୁଖେ ଚୁମ୍ୱନ ଦେଇ ଲଗାଇଲେ ବକ୍ଷ ସ୍ଥଳେ।୧୨୯।

ପୁଣି ବିଚାରୁଛନ୍ତି ଦୁର୍ଭାସା ତପୋବନ୍ତେ

କୋଳେ ଧରି ବୋଇଲେ ଶତେ ସିଂଘ ପ୍ରାକର୍ମ ହୋଉ ତୋତେ।୧୩୦।

 

ହସ୍ତ ଗୋଟି ମୁଷ୍ଟି କରି କାନ୍ଦନ୍ତେଣ ବାଳ

ସେ ମୁଷ୍ଟି ବାଜିଲା ଦୁର୍ଭାସାଙ୍କ ବକ୍ଷ ସ୍ଥଳ।୧୩୧।

ଉତ୍ତାନଶାହୀ ହୋଇ ପଡିଲେ ମହାମୁନି

ଘଡ଼ିକେ ଚେତନ ପାଇଲେ ସାଷ୍ଟମ ଯେ ଘେନି।୧୩୨।

 

ମୁଷ୍ଟି ବାଜନ୍ତେଣ ମୁନି ଅସାଷ୍ଟମ ହୋଇଲେ

ସେ ଦୁସହ ଘାତ ପାଇ ତାହାକଇ ଦୁଶାସନ ନାମ ଦିଲେ।୧୩୩।

ଆପଣାର ସର୍ଜନା ବୋଲି ଇଚ୍ଛାୟେ ଯେବେ ଅନଗୃହ କଲେ

ରାଗ ସହି ନ ପାରି ଶାପ ତାକୁ ମୁନି ଯେ ବିହିଲେ।୧୩୪।

 

ଆରେ ଦକ୍ଷିଣ ଭୁଜେ ପ୍ରହାର କଲୁ ମୋତେ ମୁଥେ

ଆତ୍ମା ବିସର୍ଜନ ହୋଇଲା ତୋହୋର ମୁଥ ଘାତେ।୧୩୫।

ମୋହୋର ଶାପ ତୋତେ ନ ଯାଉରେ ଗଡ଼ି

ସୋଦର ଶାସ୍ତି ଦେଉ ତୋତେ ଦକ୍ଷିଣ ଭୁଜ ଉପାଡ଼ି।୧୩୬।

 

ୟେସନେକ ଶାପ ଦିଲେ ଦୁର୍ଭାସା ମହଋଷି

ଶାପ କଥା ଶୁଣି ବ୍ୟାସେ ମନେ ମନେ ହସି।୧୩୭।

ସଞ୍ଜୟ ବୋଇଲେ ହୋ ଶୁଣ ଧୃତରାଷ୍ଟ

ଋଷିମାନଙ୍କରେ ତୋତେ ହୋଉଛି ପୁତ୍ର କଷ୍ଟ।୧୩୮।

 

ଜାତ ହିଂ କଲେ ବର ହିଂ ହାଦେ ଦିଲେ

ରାଗ ସହି ନୁଆରି ଶାପ ହିଂ ପ୍ରାଭବିଲେ।୧୩୯।

ଯେହ୍ନେ ସେ କର୍ମେଣ ପ୍ରାପତ ହୋଇଲା ତୁକୁ

ପୁତ୍ରନ୍ତ କୋଳେ ନ ଦିଅ ଋଷିମାନଙ୍କୁ।୧୪୦।

 

ବ୍ୟାସେ ବୋଇଲେ ଯେ ଦୁର୍ଭାସାଙ୍କର ମହାମନ୍ତ୍ରେ

ଶତେ ପୁତ୍ର ପ୍ରାପତ ହୋଇଲାକ

ରାଜା ତୋତେ।୧୪୧।

ଦୁ ଅକ୍ଷରେ ହାଦେ ସବୁଙ୍କରି ନାମ

ପ୍ରଥମ ପୁତ୍ର ନାମ ଯେ ହୋଇଲା ଦୁର୍ଯୋଧନ।୧୪୨।

 

ଦୁଜେଣ କୁମାର ହୋଇଲା ଦୁଶାସନ

ଶତେକ ପୁତ୍ର ନାମଟି ଦେବାକ ଅନୁମାନ।୧୪୩।

ତିଜ କୁମାର ନାମ ଦିଲେ ଯେ ଦୁର୍ମନ

ଚତୁର୍ଥ କୁମାର ଯେ ଦୁର୍ବାଳ ବୋଲି ନାମ।୧୪୪।

 

ଦୁର୍ଜନ ନାମେ ପୁ ତ୍ରହୋଇଲା ପଞ୍ଚମେ

ଦୁର୍ବୀର ନାମ ଯେ ହୋଇଲା ଷଷ୍ଠମେ।୧୪୫।

ଦୁରାନ୍ତକ ନାମ ଯେ ହୋଇଲା ସପ୍ତମେ

ଦୁର୍ବିନ୍ଦ ନାମ ଯେ ହୋଇଲା ଅଷ୍ଟମେ।୧୪୬।

 

ଦୁରନ୍ତ ନାମ ହୋଇଲା ନବମେ

ଦୁସହ ନାମ ଯେ ହୋଇଲା ଦଶମେ।୧୪୭।

ୟେକାଦଶ ନାମ ହୋଇଲା ଦୁରାମ।୧୪୮।

ଦୁସମ ନାମ ଯେ ହୋଇଲା ଦ୍ୱାଦଶମେ

ତ୍ରୟୋଦଶମେ ନାମ ହୋଇଲା ଦୁଷ୍କାମେ।୧୪୯।

 

ଚତୁର୍ଦ୍ଦଶମେ ନାମ ଦୁର୍ମାଳୀ ହୋଇଲା

ପଞ୍ଚୁଦଶ ନାମ ଦୁକୁଳ ଯେ ହେଲା।୧୫୦।

ଦୁକର୍ଣ୍ଣ ନାମଟି ଅଟେ ଆର ଭାଇ

ଦୁର୍ହଣ ନାମେ ଯେ ସପ୍ତଦଶ କୁମାର ହୋଇ।୧୫୧।

 

ଦୁର୍ଦକ୍ଷ ନାମ ଯେ ଆରେକ ପୁତ୍ର ଗୋଟି

ଦୁର୍ଗମ ନାମ ଆରେକ ବଳିଷ୍ଠି।୧୫୨।

ଦୁରାଷ୍ଟ ନାମେ ହୋଇଲା ବିଂଶ ବାଳ

ୟେକବିଂଶ ନାମ ହୋଇଲା ଦୁର୍ବଳ।୧୫୩।

 

ଦୁଷକ ବୋଲି ବାଇଶି ପୁତ୍ର ନାମ

ଦୁର୍ଭାରବୋଲି ଆରେକ ପୁତ୍ର ନାମ।୧୫୪।

ଚତୁର୍ବିଂଶ ନାମ ଦିଲେ ଦୁର୍ଭୀମ

ପଞ୍ଚବିଂଶ ନାମ ହୋଇଲା ଦୁର୍ନାମ।୧୫୫।

 

ଦୁରାଣ ନାମ କୁମର ଷଷ୍ଠବିଂଶ

ସପ୍ତବିଂଶ ପୁତ୍ର ନାମ ଦିଲେକ ଦୁର୍ଦ୍ଧଂସ।୧୫୬।

ତହିଂର କନିଷ୍ଠ ନାମ ଦିଲେ ଦୁସନ

ଊନତ୍ରିଂଶ ଦୂଷଣ ନାମ ଅନୁଜ ବିଦ୍ୟମାନ।୧୫୭।

 

ତ୍ରିଂଶ ପୁତ୍ର ନାମ ହୋଇଲା ଯେ ଦୁଷ୍ଟ

ୟେକତ୍ରିଂଶ ଦୁରାନ୍ତନ ହୋଇଲା ବଳିଷ୍ଠ।୧୫୮।

ଦୁର୍ଦଣ୍ଡ ବୋଲି ତାହାର ସାନୁଜ

ତାହାର ସାନ ନାମ ଦିଲେ ଯେ ଦୁରାଜ।୧୫୯।

 

ଚଉତ୍ରିଂଶ ପୁତ୍ରର ନାମ ହୋଇଲା ଦୁର୍ଦାନ

ତହୁଂ ଜାତ ହେଲେ ଦୁର୍ଭାନୁ ଦୁରାକ୍ଷ ଦୁରାଶନ।୧୬୦।

ଦୁଶୟ ଦୁସନ୍ତେକ ଦୁସ୍ତର ଦୁର୍ବହଣ

ଦୁର୍ମାଳ ଦୁରାନନ୍ଦ ଦୁର୍ହରି ଦୁର୍ମର୍ଷଣ।୧୬୧।

 

ଦୁରାପଦ ଦୂରକ ଦୁର୍ଦାସ ଦୁକାଳ ଦୁରାୟ

ଦୁରାନନ ଦୁର୍ଗତ ଦୁଷ୍ପାପ ଦୁରାଳୟ।୧୬୨।

ଦୁର୍ମତି ଦୁରଙ୍ଗ ଦୁର୍ଜୟ ଦୁର୍ନିଧି ଦୁର୍ଦ୍ଧାର

ଦୁରାକର୍ଣ୍ଣ ଦୁର୍ଭାଷ ଦୁର୍ଭାବ ଦୁଷ୍କର।୧୬୩।

 

ଦୁଶିବ ଦୁର୍ମୋହ ଦୁର୍ଭଗ ଦୁର୍ଲୟ ଦୁର୍ଭୟ ଦୁରାମୟ

ଦୁକେତୁ ଦୁରାୟନ ଦୁସିଦ୍ଧି ଦୁତନୁ ଦୁସିଂହ ଦୁରାଶୟ।୧୬୪।

ଦୁର୍ବାହ ଦୁର୍ନିରୀକ୍ଷ ଦୁର୍ବହ ଦୁର୍ମଦ

ଦୁରାତ୍ମା ଦୁରାଚାର ଦୁସ୍ତେଜ ଦୁରାସଦ।୧୬୫।

 

ଦୁର୍ମୋକ ଦୁର୍ମୁଖ ଦୁର୍ଦ୍ଦାନ୍ତ ଦୁଶଳ ଦୁର୍ବାକ

ଦୁର୍ବିଗାହ ଦୁର୍ବିନୀତ ଦୁରାଧ ଦୁରକ୍ଷକ।୧୬୬।

ଦୁରଭିସନ୍ଧି ଦୁର୍ଣ୍ଣୟ ଦୁରୂହ ଦୁର୍ମେଧ୍ୟ

ଦୁର୍ଦ୍ଦର୍ଷ ଦୁର୍ବିମୋଚନ ଦୁର୍ଭେଦ୍ୟ ଦୁସାଧ୍ୟ।୧୬୭।

 

ଦୁର୍ଭାସା ବୋଇଲେ ଶୁଣ ହୋ ଧୃତରାଷ୍ଟ

ୟେକୁଂୟେକ ପୁତ୍ର ତୋର ମହା ଯେ ବଳିଷ୍ଠ।୧୬୮।

ଶୂରବନ୍ଥ ପୁତ୍ରନ୍ତ ତୁ ଘେନି କୁରୁବଇଂ

ସୁଖେଣ ତୁ ରାଜ୍ୟ କର ନରବଇ।୧୬୯।

 

ପଣ୍ଡୁର ପ୍ରସାଦେ ତୋତେ ନାହିଂ ନା ଅନୀତି

ଆପଣେ କଷ୍ଟେ ସେ ତୋତେ ଶୁଭ ଚିନ୍ତି।୧୭୦।

ତିଆରିଣ ତୀର୍ଥକଇ ଗଲେକ ଦୁର୍ଭାସା

ବ୍ୟାସେ ବିଜେକଲେ ଯାଇଂ ଶତଶିଂଗ ବସା।୧୭୧

 

ପଣ୍ଡୁରାୟ ପ୍ରଳମ୍ୱିତ ବ୍ୟାସଙ୍କର ପଦ୍ମ ପାଦେ

ଅନେକ ସମ୍ପଦ ସ୍ୱାମୀ ହେ ତୁମ୍ଭର ପରସାଦେ।୧୭୨।

କେଉଂଣ ଭୁବନେ ତୁମ୍ଭେ ଥିଲ ପିତାମହ

ହସ୍ତିନାର କୁଶଳ ବାରତା ମୋତେ କହ।୧୭୩।

 

ବ୍ୟାସେ ବୋଇଲେ ହୋ ଦୁର୍ଭାସାଙ୍କର ମନ୍ତ୍ର ବଳେ

ଶତେ ପୁତ୍ର ଉପୁଜିଲା ଗାନ୍ଧାରୀର କୋଳେ।୧୭୪।

ମହା ଆରମ୍ଭେ କୁମରେ ବଡ଼ାଇ ବଳବନ୍ତା

ଦୁଷ୍ଟ ପ୍ରକୃତି ସେ ହୋଇବେ ଜଗୁ ଜିତା।୧୭୫।

 

ତିଆରସି ପଣ୍ଡୁ ହୋ ତୋହୋର ଭାରିଯାକୁ

ଗାନ୍ଧାରୀ ପୁତ୍ର ରାଜ୍ୟ ନୋହିବଟି ତୁକୁ।୧୭୬।

ଦେବତାଙ୍କର ମଧ୍ୟେ ବଳବନ୍ତ ମରୁତ

ସେ ପବନର ବୀର୍ଯ୍ୟେ ଉପୁଜିଲା ହନୁମନ୍ତ।୧୭୭।

 

ତ୍ରେତା ଯୁଗରେ ସେ ହୋଇଲା ମହାଛତ୍ରୀ

ପର୍ବତେ ସେତୁ ବାନ୍ଧିଲା ୟେକ ଘାନ୍ତି।୧୭୮।

ଶ୍ରୀରାମ ପ୍ରସନ୍ନେ ସେ ହୋଇଲା ତ୍ରିଜୀବୀ

ପବନର ବୀର୍ଯ୍ୟେ ପୁତ୍ର ଗୋଟିୟେ କରସି ଗୋ ଦେବି।୧୭୯।

 

ଅମରାଧିନାଥ ଗୋ ସେ ଇନ୍ଦ୍ର ଯେ ଦେବତା

ତେଣେ ହେଂ ପୁତ୍ର ଗୋଟିୟେ ଜାତ କରା ଗୋ ମାତା।୧୮୦।

ୟେତେକ କାର୍ଯ୍ୟ ଗୋ ହୋଅଇଟି ସିନା ତୋହୋର

ତୁ ମହାଭିଗ୍ୟଂ ଗୋ ବିଚାରି କାର୍ଯ୍ୟ କର।୧୮୧।

 

କହିଣ ବ୍ୟାସେ ଗଲେ ଶୂନ୍ୟ ଭୁବନେ

ଅନ୍ତରୀକ୍ଷ ହୋଇଣ ଚଳିଲେ ଗଗନେ।୧୮୨।

 

Unknown

ଭୀମ ଜନ୍ମ

 

ଅନେକ ସାନନ୍ଦ ହୋଇଲେ କୋଇନ୍ତାୟେ ପୁତ୍ରକଇଂ ଦେଖି

ଅତିଅନ୍ତ ସ୍ନେହେଣ ସେ ପାଳନ୍ତି ଯୁଝେଷ୍ଠିକି।୧।

ସାତ ବରଷ ଯେ ହୋଇଲେ ଧର୍ମସୁତ

ଚାଲନ୍ତେଣ ଚରଣ ନବାଜଇ ଭୂମିଗତ।୨।

 

ଦିନେକ ଦେହରେ କଣ୍ଟିଲା ମଶା ଗୋଟିୟେ

ଧୀର କରି ଉଡ଼ାଇଦିଲା ବାଳୁତ ତନୟେ।୩।

ଦିନେକ ଲିମ୍ୱ ଗଛରୁ ଝିଣ୍ଟିପିଟି ଗୋଟିଏ ପଡ଼ିଲା

ପର୍ବତରେ ପଡ଼ନ୍ତେଣ ସେହି ଅସାଷ୍ଟମ ହୋଇଲା।୪।

 

ଖେଳୁଂ ଖେଳୁଂ ତାହା ଯୁଝେଷ୍ଟି କୁମର ଦେଖି

ଲକ୍ଷଣବନ୍ତ କୁମର ତାହା କାନରେଣ ଫୁଙ୍କି।୫।

କୋଇନ୍ତାୟେ ଦେଖିଣ ତାହା ହୋଇଲେ ଆଶ୍ରିଯ

ବିଚାରନ୍ତି ୟେ ପୁତ୍ରରେ ନୋହିବ କିଛୁ କାର୍ଯ୍ୟ।୬।

 

ଆଦ୍ୟହୁଂ ଗାନ୍ଧାରୀ ଯେ ଅଟଇ ହିଂସାକାରୀ

ୟେ ପୁତ୍ରକୁ ଘେନି କି କାର୍ଯ୍ୟ କରିପାରି।୭।

ଅତି ହିଂ ଧର୍ମପଣେ କି ରହଇ ଛତ୍ରୀପଣ

ଦୁଖ ପଡ଼ି ଉପୁଜାଇଲି ନୋହିଲା କାରଣ।୮।

 

ଭୋ ଧର୍ମପୁରୁଷ ୟେହେର୍ଣ୍ଣେକ ମୋର କର୍ମ

କେବଣ ପାପ କ୍ଷଣେ ହୋଇଲି ମୁହିଂ ଜନ୍ମ।୯।

ସ୍ତିରୀ ଜନ୍ମରେ ମୁଂ ହୋଇଲି ଅସତୀ

କେତେ ଭ୍ରଥାରେ ଦିନ ଯିବ କର୍ମର ଅଗତି।୧୦।

 

ପ୍ରଥମେ ଆଦିତ୍ୟ ଦୁଜେଣ ପଣ୍ଡୁରାୟେ

ତୃତୀୟେ ଧର୍ମଦେବତା ବୀର୍ଯ୍ୟ ପ୍ରଦାନ କୟେ।୧୧।

ୟେତେକେହେଂ ଭୋ ଧର୍ମଦେବତା ନୋହିଲା ମୋର କାର୍ଯ୍ୟ

ୟେଡେ ବଡରାଜ କୁଳେ ଉପୁଜି ଲେଛିଲି ସର୍ବ ଲାଜ।୧୨।

 

ସଂସାରେ ଉପୁଜି ଦେବ ନକଲି କିଛି ଧର୍ମ

କେମନ୍ତେ କରି ମୁକତ କରିବଟି ଯମ।୧୩।

ରାଗ ମୋହ ଅହଙ୍କାର ଥିଲେ ଉପୁଜିଟି ଅନେକ ପାପ

ରାଜ ପଦେ ବସିଲେ ବଡ଼ାଇ ପରତାପ।୧୪।

 

ୟେତେକ ବିଚାର କରନ୍ତେଣ ଦେବୀ ବସି

ଆଦିତ୍ୟ ଅସ୍ତ ହୋଇଲେ ପ୍ରବେଶ ଆସି ନିଶି।୧୫।

ଅନ୍ଧାରି ବିଜେ କଲେ ପଣ୍ଡୁ ଗହନ ବିପିନେ

ବେନି ଭାରିଜା ପୁତ୍ରଗୋଟି ଅଛନ୍ତି ସେ ସ୍ଥାନେ।୧୬।

 

ମାଦ୍ରୀର କୋଳେ ଦେବୀ ସମର୍ପିଲେ ପୁତ୍ର ଗୋଟି

ଗୀତ ରସେ ମଦନା ନିଦ୍ରା କରଇଲା ଯୁଝେଷ୍ଠି।୧୭।

ଶ୍ରାବଣ ଶୁକଳ ପକ୍ଷ ତୃତୀୟାର ତିଥି

ତୃତୀୟା ତେର ଦଣ୍ଡ ଉତ୍ତାରେ ଚଉଠୀ ବାର ବୃହସ୍ପତି।୧୮।

 

ନକ୍ଷତ୍ର ଯେ ପୂରା ସେଦିନର ଭୋଗ

ତତ୍ତୁଲ୍ୟ ନାମେ କରଣ ସିଦ୍ଧ ନାମେ ଯୋଗ।୧୯।

ଶେଯ୍ୟାୟେକ ସୁସଞ୍ଚ ଯେ ଆପଣେ କୋନ୍ତା ଦେବୀ କଲେ

ତହିଂର ଉପରେ ବସି ଦୁର୍ଭାସାଙ୍କର ଜପାମାଳୀ ଘେନିଲେ।୨୦।

 

ପଞ୍ଚୁ ଭୂତ ଆତ୍ମାରେ ଲୟେ କରିଣ ଦେବୀ କୋଇନ୍ତା

ଧ୍ୟାନେଣ ସୁମରିଲେ ସେ ଦୁର୍ଦ୍ଦଣ୍ଡ ପବନ ଦେବତା।୨୧।

ଅମୃତ ପୁରୁଷ ସେ ଋଷିର ମହାମନ୍ତ୍ରେ

ବିଜେକଲେ ପବନ ଦେବତା କୋଇନ୍ତାଙ୍କର ଶେଯ୍ୟାଇ ଯୁଗତେ।୨୨।

 

ବାମ କରେ ପାଶ ଯେ ଦକ୍ଷିଣେ ମୁଦୁଗର ପୁଣି

ଦେଖିଣ ପଚାରନ୍ତି କୁନ୍ତଭୋଜର ଦୁଲଣୀ।୨୩।

ମହାପ୍ରଚଣ୍ଡ ତେଜ ଦିଶଇ ଲୋହିତ ବର୍ଣ୍ଣ ରୂପେ

ଅଦଭୁତ ମହାତ୍ମା କାହୁଂ ବିଜେ କଲୁ ମୋହୋର ସମୀପେ।୨୪।

 

ବଦୟନ୍ତି ଶୂନ୍ୟେପୁରୁଷ ତୁ ଯାହା ସୁମରିଲୁ କୋଇନ୍ତା

ଚେତନା ପୁରୁଷ ହାଦେ ମୁଂ ପବନ ଦେବତା।୨୫।

ତୁ ମୋତେ ଅଭିଳାଷ କଲୁ କୋନ୍ତଭୋଜର ଦୁଲାଳୀ

ଅମୃତ ପୁରୁଷ ମୁଂ ବିଜେ କଲି ଦୁର୍ଭାସାଙ୍କର ମନ୍ତ୍ର ଭୟେ କରି।୨୬।

 

ସରୂପ ଜାଣି ଦେବୀ ସଲଜ୍ଜିତ ମତି

ପବନ ଦେବତାୟେ କୋଇନ୍ତାଙ୍କୁକୋଳେ ଧଇଲେ ତତକ୍ଷଣାନ୍ତି।୨୭।

ୟେସନେକ ପ୍ରଭୁ ଭାରିଯା ବିବସନଶାହୀ

ମଦନା ହିଂ ଯତନେ ଛାଡ଼ିଗଲା ସନ୍ନିଧ୍ୟେ କେହି ନାହିଂ।୨୮।

 

ମରୁତ ଦେବତା ତୁଲେ ଯହୁଂ ଶୃଙ୍ଗାରକୁ ଇଚ୍ଛା

ବଢିଲା ରତି ରଙ୍ଗ ଓହୋ କୁଳର ମନ ବାଞ୍ଛା।୨୯।

ଚନ୍ଦ୍ର ପବନ ଘେନି ପଞ୍ଚିଶ ପ୍ରକୃତି

ବଳବନ୍ତ ଦେବତାର ଶୃଙ୍ଗାର ସହିଲା ସେ ଅନାଦି ଶକତି।୩୦।

 

ଚନ୍ଦ୍ରମେଳକ ଘେନି ବିଷ୍ଣୁ ବାତ ପ୍ରସନ୍ନେ

ଛାଡିଲା ମହାବୀର୍ଯ୍ୟ ସେ ଦୁର୍ଦଣ୍ଡ ପବନେ।୩୧।

ପବନ ଦେବତାର ସେ ଅମୋହ ରେତ ପଡ଼ି

ମୂର୍ଚ୍ଛାଗତ ହୋଇ ପଡିଲେ କୋଇନ୍ତାୟେ ସହିତ ନୁଆରି।୩୨।

 

କୋଳ କରି ଧଇଲେ ପବନ ଦେଇଣ ଜୀବ ନ୍ୟାସ

ଆପଣାର ଆତ୍ମା ଯାଇ ତାହାର ଗର୍ଭରେ ପ୍ରବେଶ।୩୩।

ଯହୁଂ ମହାଭାରା ସହି ନପାରିଲେ ଦେବୀ କୋନ୍ତୀ

ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉତପତ୍ତି।୩୪।

 

କୋଇନ୍ଥାଙ୍କର ଗର୍ଭରୁ ପୁତ୍ରେକ ଅବତରି

ଥରହର କମ୍ପୁଅଛି ଚାରିଶତ ଯୁଣ ଶତଶିଂଗ ଗିରି।୩୫।

ପୁତ୍ର ରାବେ କମ୍ପିଲା ଆକାଶ ସପତ ବ୍ରହ୍ମାଣ୍ଡ

ଆଠଲକ୍ଷ ପର୍ବତ ଘେନି କମ୍ପିଲା ମେଦିନୀ ନବଖଣ୍ଡ।୩୬।

 

ପୁତ୍ର ଦେଖି ପବନ ଦେବତା ସାନନ୍ଦ ଚିତ୍ତେ

ଦେଖଇ ଭୁବି ଭୁବନ ସେ କମ୍ପଇ ଅପ୍ରମିତେ।୩୭

ଦେବରାଜା ଗିରିରାଜା କମ୍ପଇ ଯମରାଜା

ଭୀମସେନ ନାମ ଦିଲେ ପବନ ଦେବ ରାଜା।୩୮।

 

ପୁତ୍ରକଇ ନାମ ଦେଇ ସେ ଚଳିଲେ ପବନ ପୁଣି

ନନ୍ଦନ ଦେଖି ସାନନ୍ଦ କୁନ୍ତଭୋଜର ଦୁଲଣୀ।୩୯।

ମହାଘୋର ଅନ୍ଧକାର ବରଷନ୍ତି ମେହେ

କ୍ଷେପନ୍ତି ବଳାହକେ ଯେହ୍ନେ ବିଜୁଳି କନକ ରେହେ।୪୦।

 

ପୁତ୍ରଗୋଟି ଘେନି ଦେବୀ ରାତ୍ରକାଳେ ପର୍ବତେ ଅଛଇଂ ବସି

ମହାମତ୍ତ ବ୍ୟାଘ୍ରେକ ଗର୍ଜନ କଲା ଆସି।୪୧।

ବ୍ୟାଘ୍ରର ଗର୍ଜନ ଶୁଣି ତ୍ରାସିଲେ ଦେବୀ କୋଇନ୍ତେ

ଭୟେଣ ଛାଡି ପଳାଇଲେ ପୁତ୍ରକୁ ପକାଇ ଶତଶିଂଗ ପର୍ବତେ।୪୨।

 

ଚାରିଶତ ଯୋଜନ ଯେବଣ ମହାଗିରି

ସେ ପର୍ବତ ରସାଂଗତ ହୋଇଲା କୁମର ଯହୁଂ ପଡ଼ି।୪୩।

ମହାଭାରା ପର୍ବତ ଯହୁଂ ପଶିଲା ରାସାନ୍ତଳେ

ଦେଖିଣ ତ୍ରାସିଲେ ସକଳ ଦିଗପାଳେ।୪୪।

 

ପୁତ୍ରନ୍ତ ତଳେ ପକାଇ କୁନ୍ତୀ ପଳାଇଲେ ଡରେ

ଧାତିକାରେ ଉଠିଲେ ସେ ବୃକ୍ଷର ଉପରେ।୪୫।

ପର୍ବତେ ପଡ଼ି କାନ୍ଦଇ ସେ ବାଳଶିଷି

ଶ୍ରାବଣ ମାସ ଘୋର ଅନ୍ଧକାର ପଛିମୁଂ ବତାସ କରି ବରଷି।୪୬।

 

ପଡ଼ି ଅଛି ନନ୍ଦନ ଉତ୍ତାନଶାହୀ ହୋଇଂ

କାନ୍ଦଇ ନନ୍ଦନ ଯେ ବାଳୁତ ରାବ ଦେଇ।୪୭।

ଗର୍ଜନ ନାଦ କରି ଧାମଇ ମତ୍ତ ବ୍ରାଘ

ପୁତ୍ରକୁ ଘୋଟିଲା ସେ କରିବ ଆଧାର ଯୋଗ।୪୮।

 

କାନ୍ଦଇ ସେ ଭୀମସେନ ଚରଣ ହଲାଇ

ବ୍ୟାଘ୍ରର ମୃଧୁନିରେ ବାଜିଲା ପାଦ ଯାଇ।୪୯।

ଭୀମର ଦକ୍ଷିଣ ଚରଣ ବାଜିଲା ବ୍ୟାଘ୍ରର ମୃଧୁନା

ବାଜନ୍ତେ ମୃଧୁନା ତାର ହୋଇଲା ଶତେ ଚୂନା।୫୦।

 

ରୁଧିର ବୃଷ୍ଟି ହୋଇ ପଡ଼ିଲାକ ବ୍ୟାଘ୍ର

ରଜନୀ ପ୍ରଭାତ ହୋଇଲା କାନ୍ଦଇ ଯେ ପୁତ୍ର।୫୧।

କୋଇନ୍ତାୟେ ଉଠିଛନ୍ତି ବୃକ୍ଷର ଉପରେ

ପଣ୍ଡୁ ଆସି ହୋଇଲେ ଶତଶିଂଗ ପର୍ବତରେ।୫୨।

 

ଦେଖିଲେ କାନ୍ଦୁଅଛି ସୁନ୍ଦର ବାଳୁତ

ପୁତ୍ର ପାଦତଳେ ବ୍ୟାଘ୍ର ହୋଇଅଛି ହତ।୫୩।

ପୁଣ ଯେ ରୋଦନ କରନ୍ତେ ବାଳୁତ

ସରୂପ ଦେଖିଣ ପଣ୍ଡୁ ହୋଇଲେ ଚକିତ।୫୪

ଚଉଦିଗକୁ ଅନାଇ ଅମ୍ୱାଳିକା ସୁତ

ଭାଳିଲେ ମାୟା କରିଛି କେବଣ ଦଇବତ।୫୫।

 

କେବଣ ମହାତ୍ମାୟେ ପୁତ୍ର ଗଲା ଛାଡ଼ି

କେଣିକି ଗଲା ପୁତ୍ର ୟେକା ଅଛି ପଡ଼ି।୫୬।

ଅନଙ୍ଗ ଶରୀର ଜାଣି ବ୍ରହ୍ମାଣ୍ଡ ତେଜ ଫୁଟି

ବିଚାରନ୍ତି ପଣ୍ଡୁ ରାୟେ ୟେ କାହାର ପୁତ୍ର ଗୋଟି।୫୭।

 

ସ୍ୱାମୀକି ଦେଖିଣ କୋନ୍ତଭୋଜର କୁମାରୀ

ଭୟ ଛାଡ଼ିଣ ଦେବୀ ବୃକ୍ଷରୁ ଅବତରି।୫୮।

ପଣ୍ଡୁର ଦେଖନ୍ତେଣ ଯେ କାନ୍ଦଇ କୁମର

ବାମପାଦ ଅଙ୍ଗୁଷ୍ଠି ବାଜିଲା ପର୍ବତ ଶିଖର।୫୯।

 

ଅନାଦି ସିଦ୍ଧ ସେ ଅଟଇ ଗିରିବର

ଶିଂଗ ତୁଟନ୍ତେ ଅନୁବ୍ରତେ ବହୁଅଛି କ୍ଷୀର।୬୦।

ଶିଂଗ ଦ୍ୱାଦଶ ଯୋଜନ ତଳି ଶତେ ଯୋଜନ ଶିର

ବାମପାଦ ଅଙ୍ଗୁଷ୍ଠି ଲାଗି ହୋଇଲା ଶତେ ଚୂର।୬୧।

 

କୋପେ ପ୍ରଜ୍ଜ୍ୱଳିତ ହୋଇଲା ଡିଙ୍ଗର

ପ୍ରଥମରେ ପାଦ ମତେ କଲୁରେ ପ୍ରହାର।୬୨।

ରାଗେଣ ବ୍ୟଥା ପାଇ ବୋଇଲା ଗିରିବର

ବାଳୁତ ବୟସୁଂ ୟେତେ ପ୍ରାକର୍ମ ତୋହୋର।୬୩।

 

ଜନ୍ମ ହୋଇଲୁ ତୁ ମୋହୋର କୋଳର

ମୋର ଶାପ ତୋତେ ଫଳୁରେ ମରୁତ କୁମର।୬୪।

ଆରେ ଆରେ ଭୀମା ତୁ ପ୍ରଥମ ଯୁଦ୍ଧେ ହାର।୬୫।

 

ୟେସନେକ ଶାପ ଯହୁଂ ଗିରିବର ଦିଲା

ଆସିଣ କୋଇନ୍ତାଦେବୀ ପୁତ୍ରନ୍ତ ସମ୍ଭାଳିଲା।୬୬।

ପଣ୍ଡୁ ପୁଚ୍ଛା କଲେ କୋନ୍ତାୟେ କାହାର ନନ୍ଦନ

ୟେ ପୁତ୍ର ଦେଖି ସାନନ୍ଦ ହୋଇଲା ମୋ ମନ।୬୭।

 

ଆହୋ ସ୍ୱାମୀ ତୁମ୍ଭେ ଛାଡ଼ିଣ ଗଲ ଯେବଣ ରାତି

ମେଘ ଅନ୍ଧାର କରି ବରଷଇ ଘୋର ମୂର୍ତ୍ତି।୬୮।

କାମେଣ ସୁମରିଲି ମୁଂ ପବନ ଦେବତାଙ୍କୁ

ସେ ମହାପୁରୁଷ ଆସି ଆବୋରିଲେ ମୁକୁ।୬୯।

 

ତାହାରେଣ ପୁତ୍ରେକ ପ୍ରାପତ ହୋଇଲା ଯେ ମୋତେ

ଭୀମସେନ ନାମ ୟେହାକୁ ଦିଲେକ ମରୁତେ।୭୦।

ଶୁଣିଣ ପଣ୍ଡୁରାୟେ ହୋଇଲେ ଅନେକ ଉଷତ

ବୋଇଲେ ପୁତ୍ର ଗୋଟି ମୋର କୋଳେ ଦିଅସି ସଂଘାତ।୭୧।

 

ୟେତେ ବୋଲି ପୁତ୍ରକୁ ଧଇଲେ ପଣ୍ଡୁ ନରନାଥ।୭୨।

ୟେ ପର୍ବତ ଶାପ ଦିଲା ଯେ ପୁଅକୁ

ଅନେକ ବିନୋୟୀ ହୋଇ ଦେବୀ କହିଲେ ପର୍ବତକୁ।୭୩।

 

ହେ ମହତ ପର୍ବତ ଆମ୍ଭନ୍ତ ସମ୍ଭାଳିଲୁ

ପବନ ଦେବତାର ପୁଅର ଆର୍ଦ୍ଦୋଳି ସହିତ ନୁଆରିଲୁ।୭୪।

ତୋହୋର ତହିଂ ଆମ୍ଭେ କରୁଅଛୁଂ ବାସ

ତୁ ସୟଳ ଆମ୍ଭର ଯେ ସହିବୁ ଦଶ ଦୋଷ।୭୫।

 

ନିକଳଙ୍କ କରି ମୁଂ ଯେ ପୁତ୍ର କଲି ଜାତ

ବାଳୁତକୁ କୋପ କିମ୍ପେ କଲୁ ହେ ମହତ ପର୍ବତ।୭୬।

ପୁତ୍ରକଇ ଶାପ ମୋର ଦିଲୁ ନବିଚାରି

ତୁମ୍ଭଙ୍କୁ କାଟନ୍ତୁ ଜନେ ଖଣ୍ଡ ଖଣ୍ଡ କରି।୭୭।

 

ଆବର ଶାପ ଦେଇଂ ଲୋଡୁଛଇ କୋନ୍ତେ

ବିନୟ ଭାବ ହୋଇ ବୋଲାଇ ପରବତେ।୭୮।

ରାଗେଣ ଯେବଣ ଶାପ ଦେଲୁସି ଗୋ ମାୟେ

ଖଣ୍ଡ ଖଣ୍ଡ କରାଇଲୁ ଅତୁଟ ମୋର କାୟେ।୭୯।

 

ଆହୁରି ହିଂ ଶାପ ଦେଇ ଲୋଡୁଅଛୁ ମୋତେ

ରହ ରହ ମାତା ଗୋ ମୁଂ ପ୍ରସନ୍ନ ହୋଇଲହିଂ ତୋତେ।୮୦।

ଅବଶ୍ୟ ୟେ ପୁତ୍ର ତୋର ପ୍ରଥମ ଯୁଝରେ ହାରିବ

ଦୁଜ ଯୁଝରେ ମୋତେ ସୁମରଣା କରିବ।୮୧।

 

ପବନର ବୀର୍ଯ୍ୟେ ଜାତ ୟେ ତୋହୋର ପୁତ୍ର ଭୀମ

ଶତେସିଂଘର ୟେହାର ହୋଇ ବପରାକ୍ରମ।୮୨।

ମୁଂ ୟେତେବେଳେ ବସିବି ୟେହାର ଦକ୍ଷିଣପାଣି

ବ୍ରିକୋଦର ମୂରତି ହୋଇବ ବ୍ରହ୍ମାଣ୍ଡ ଶିରୋମଣି।୮୩।

 

ଯଦ୍ୟପି ବ୍ରହ୍ମା ବିଷ୍ଣୁ ମହେଶ୍ୱର ହୋଇବ

ବ୍ରିକୋଦର ମୂରତି ଦେଖି ସବୁନ୍ତି ଭୟେ ଉପୁଜିବ।୮୪।

ଯେତେବେଳେ କ୍ରୀଡ଼ା କଲୁ ନିରଞ୍ଜନ ଦେବତାଙ୍କୁ ଘେନି

ତୋହୋର ନାମ ଗୋଟା ଗୋ ପ୍ରତକ୍ଷେ ନିରଞ୍ଜନୀ।୮୫।

 

ପବନକଇଂ ଘେନିଣ ରମଣ କଲୁ ଗୋ ଆଜ ରାତି

ପ୍ରଭଞ୍ଜନୀ ନାମ ତୋର ଆଜହୁଂ ଦେବୀ କୋନ୍ତୀ।୮୬।

ସତ୍ୟଯୁଗ ଅନ୍ତେ ତ୍ରେତୟା ଯୁଗେ ଗଉତମ ମହାମୁନି

ଅହଲ୍ୟା ମହାସତୀ ଗୋ ତାହାର ଭାବିନୀ।୮୭।

 

ଋଷିଙ୍କର ଘରେ ଉତପତ୍ତି ଅନାଦି ରୂପ ଘେନି

ପିତାମାତାୟେ ନାମ ତୋର ଦିଲେ ପ୍ରଭଞ୍ଜନୀ।୮୮।

ସେ ଜନମେ ସହିଲୁ ତୁ ବୀର୍ଯ୍ୟଦାତା ମରୁତ

ମହା ବଳବନ୍ତ ତୋର ତହୁଂ ଜାତ ହୋଇଲେ ହନୁମନ୍ତ।୮୯।

 

ତ୍ରେତୟା ଯୁଗେ ପ୍ରଦାନ ତୋତେ ହୋଇଲେ ଉତଙ୍ଗ

ପୁଣି ପବନେ ହୋଇଲା ତୋର ରତି ରଙ୍ଗ।୯୦।

ସେ ମହାବୀର୍ଯ୍ୟର ଭାରା ତୁହି ସିନା ସହୁ

ପୃଥୀର ନିମନ୍ତେ ତୁହି ମହାଭାରା ଯେ ବହୁ।୯୧।

 

ୟେବେ କୋନ୍ତଭୋଜର ଘରେ ହୋଇଲୁ ଉତପତ୍ତି

ପ୍ରଥମରେ ତୋଷିଲୁ ଗୋ ଦୁର୍ଭାସା ମହାଯତି।୯୨।

ସେ ତୋତେ ପ୍ରସନ୍ନ ହୋଇଲେ ଦୟା ପ୍ରତିପାଳି

ଅଜପା ମହାମନ୍ତେଣ ଦିଲେକ ଜପାମାଳୀ।୯୩।

 

ତୁ ଯେ ପରମ ବୈଷ୍ଣବୀ ଦେବୀ ଯେ ଅର୍ଣ୍ଣପୂର୍ଣ୍ଣା

ମୋତେ ସେ ଦୟାକର ଗୋ ପଣ୍ଡୁ ରାଜା ବାମା।୯୪।

ଶୁଣିଣ ସନ୍ତୋଷ ଯେ କୋଇନ୍ତା ହୋଇଲେ

ତୁ ମହତ ଗିରିବର ବୋଲିଣ ବୋଇଲେ।୯୫।

 

ମୋହୋ ଶାପ ତୋତେ ନୋହିବାକ ଆନ

ଥୋକାୟେ ଖଣ୍ଡ ହୋଇ ହୋଇବ ଦେବତାମାନ।୯୬।

ଜଗତଯାକ ତୋତେ ଆରାଧନା କରିବେ

ତୋହୋର ଥିଲା ଥାନେ ଦେବତାୟେ ବସିବେ।୯୭।

 

ବଦନ୍ତି ଅଗସ୍ତ ଶୁଣସି ମହାରଥା

ଶୁଣ ସାବଧାନେ ଭୀମସେନର ବାଳ କାଳ କଥା।୯୮।

ଭୀମକୁ ଶୁଆଇଣ ଦେବୀ କୋନ୍ତଭୋଜର କୁମାରୀ

ରାନ୍ଧଣା ବିଧି ଯୋଗାଡ଼ମାନ ଦେବୀ ସାରି।୯୯।

 

ମାଦ୍ରୀ କୋଇନ୍ତାୟେ ଗଲେ ଗଙ୍ଗା ଯେ ସ୍ନାହାନେ

ପଣ୍ଡୁ ରହିଛନ୍ତି ଯେ ଉଦ୍ଦାଳକ ବନେ।୧୦୦।

ରାନ୍ଧଣା ଶାଳରେ ସେ ପଶିଲା ମାରୁତି

ପାକଶାଳେ ଯାଇ ମିଳିଲା ତଡ଼ତି।୧୦୧।

 

ଭାତ ତିଉଣ ଯେତେ ଥିଲାଟି ରାନ୍ଧଣା

ସବୁଠାରୁ ଅଧେ ଅଧେ ଭୁଞ୍ଜଇ ବାଳୁତ ଦୁଲଣା।୧୦୨।

ବାହୁଡ଼ିଣ ଆସି ଭୀମସେନ ସେହିଠାରେ ଶୁତେ

ସ୍ନାହାନ ସାରି ଅଇଲେ ଦେବୀ ଯେ କୋଇନ୍ତେ।୧୯୩।

 

ପଣ୍ଡୁ ବିଜେ କଲେ ନିତ୍ୟକର୍ମ ସାରି

ମଣୋହିଠାରେ ସେ ବିଜୟେ ଦଣ୍ଡଧାରୀ।୧୦୪।

କୋଇନ୍ତା ଦେବୀ ବିଜେକଲେ ରାନ୍ଧଣା ଶାଳରେ

ଦେଖିଲେ ଅଧେ ଅଧେ ନାହିଂ ରାନ୍ଧଣା ହାଣ୍ଡିରେ।୧୦୫।

 

ବାହୁଡ଼ି କହିଲେ ଯାଇ ପଣ୍ଡୁ ରାଜା ଆଗେ

ଭୋ ଦେବ ଅଧେ ଅଧେ ନାହିଂ ରାନ୍ଧଣା ଯୋଗାଡ଼ ପାଗେ।୧୦୬।

ପଣ୍ଡୁ ବୋଇଲେ ଶିଝିଲାର ପଂକୁ ଅନ୍ନ

ବିଶୋଇଲେ ହୁଅଇ ସେ ଅଳପ ବିଧାନ।୧୦୭।

 

ଆହୁତିକ ଆଧାର ଦିଲେ ଅନ୍ନ ଯେ ମେଞ୍ଜନ

ଦେବ ପିତୃ ଦେଇ ଆପଣେ କଲେକ ଭୋଜନ।୧୦୮।

ଏହି ମତି ବାଳୁତ ଭୁଞ୍ଜଇ ନିତି ପ୍ରତି

ଦିନୁଂ ଦିନୁଂ ଆଧାରେ ବଢିଲା ପୀରତି।୧୦୯।

 

ପୁଆଇ ପୁଆଇ କରି ଭୁଞ୍ଜୁ ଭୁଞ୍ଜୁ ଅଳପ ରହିଲା

ଏହି ମତ ବରଷ ପରିଯନ୍ତେ ଗଲା।୧୧୦।

ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚଉଠି ସୌରିବାର

ଉତ୍ତରାଷାଢା ନକ୍ଷତ୍ର ଭୋଗ ସେ ଦିନର।୧୧୧।

 

ବବ ନାମେ କରଣ ସିଦ୍ଧି ନାମେ ଯୋଗ

ଋଷଭ ସଂକ୍ରାନ୍ତି କି ଦ୍ୱାଦଶ ଦିନ ଭୋଗ।୧୧୨।

ସେ ଦିନ ପାକଶାଳେ ପଶିଣ ବାଳ ଶିଷି

ମହା ସରାଗ କରି ସମସ୍ତ ଗରାସି।୧୧୩।

 

ଭୁଞ୍ଜୁ ଭୁଞ୍ଜୁ ନନ୍ଦନ ସମସ୍ତ କଲା ଭକ୍ଷା

ଯୋଗାଡ଼ ସରିଲା ହାଣ୍ଡିମାନ ହେଲା ତୁଚ୍ଛା।୧୧୪।

ବାହୁଡ଼ିଶୋଇଲା ଯାଇ ଶଯ୍ୟାରେ ଯୁଗତେ

ସ୍ନାହାନ ସାରି ପ୍ରବେଶ ହେଲେ ଦେବୀ କୋନ୍ତେ।୧୧୫।

 

ପଣ୍ଡୁ ବିଜେ କଲେ ଆସି ଆପଣା ଆସନେ

କୋଇନ୍ତାୟେ ବିଜେ କଲେ ପାକଶାଳା ଭୁବନେ।୧୧୬।

ପ୍ରଥମ ଓରେୟାରେ ଦେଖିଲେ ତହିଂ କିଛି ନାହିଂ

ଆଶ୍ରିଜ ହୋଇଲେ ଦେବୀ ସମସ୍ତ ପାକ ଚାହିଂ।୧୧୭।

 

ବିସ୍ମୟେ ହୋଇ ପ୍ରବେଶ ହୋଇଲେ ପଣ୍ଡୁ ରାଜାଙ୍କର କତି

କେବଣ ଚରିତ ବୋଲି ପୁଚ୍ଛାକୟେ ପଣ୍ଡୁ ନୃପତି।୧୧୮।

କୋଇନ୍ତାୟେ ବୋଇଲେ ଦେବୀ ମଣୋହି ଯୋଗାଡ଼

କିଛିହିଂ ନାହିଂ ଦେବ ହାଣ୍ଡିମାନଙ୍କର।୧୧୯।

 

ପଣ୍ଡୁ ପ୍ରତିବାଚ ତୁ ଥିର ହୋଇଥାଅ ପ୍ରିୟା

ତଦନ୍ତ କରି ଦେବୀ ବୁଝିବା ଆମ୍ଭେ ୟେହା।୧୨୦।

ଶୀତଳ ଦ୍ରବ୍ୟମାନ ଭୁଞ୍ଜିଲେ ନୃପମଣି

ଦିନ ଅସ୍ତ ଗଲା ପାହିଲା ରୟଣୀ।୧୨୧।

 

ପଣ୍ଡୁ ବୋଇଲେ ଆଜ କ୍ଷୁଧା ବଡ଼ ଲାଗି

ଦୁଗୁଣା ମଡ଼ଫୁଲି ରାନ୍ଧଣା କର ବେଗି।୧୨୨।

କୋଇନ୍ତା ମାଦ୍ରୀ ଯେ ପାକ ସଞ୍ଚାକଲେ

କବାଟ କିଳି ତିନିହେଂ ସ୍ନାହାନକୁ ଗଲେ।୧୨୩।

 

ବଦୟନ୍ତି ଅଗସ୍ତି ଶୁଣସି ମହତ

ଭୀମସେନ ବାଳୁତ କୁତୁହୋଳ ଚରିତ।୧୨୪।

ଶୋଇଲା ଠାବରୁ ଗୁଳୁଗୁଞ୍ଚା ମାରି ଉଠି

ରାନ୍ଧଣା ଶାଳେ ପଶି ପାକନ୍ତ କରଇ ଅଇଂଠି।୧୨୫।

 

ପଣ୍ଡୁ ଗୁପତ ହୋଇ ବସିଥିଲେ ପରବତେ

ଧାତିକାରେ କବାଟ ଫେଡିଣ ପଶିଲେ ଗୃହଗତେ।୧୨୬।

ମଡ଼ଫୁଲି ଘରେ ଯେ ପଶିଲେ ଗୁପତ ହୋଇ

ଦେଖିଲେ ଭୀମସେନ ପାକନ୍ତ ସବୁ ଖାଇ।୧୨୭।

 

ବେସାଳିନ୍ତ କରେ ଘେନି ବିସ୍ତାର କରଇ ତୁଣ୍ଡ

ୟେକା ଗ୍ରାସକେ ଢୋକଇ ତ୍ରିପୁତି କରଇ ପିଣ୍ଡ।୧୨୮।

ରାଗେଣ ପଣ୍ଡୁ ବୋଇଲେ କୋପ ସଂଘରି ନପାରି

ହାଣିମି ବୋଲି ସେ ଖଡ଼ଗ ବେଗେ ଲୋଡ଼ି।୧୨୯।

 

ସାଂଜୋୟା ଶାଳେ ପଶି ଆଣନ୍ତେ ଅସିବର

ବାହାର ହୋଇ ପଳାଇ ସେ ବାଳୁତ କୁମର।୧୩୦।

ଅସିପତ୍ର ଘେନି ରାୟେ ଅଛନ୍ତି ଗୋଡ଼ାଇ

ପବନହୁଂ ବେଗେ ବାଳୁତ କୁମର ପଳାଇ।୧୩୧।

 

ବନ କନ୍ଦର ପର୍ବତ ନିର୍ଝର ଅଟବ୍ୟା

ମହାରାଜେ ଗୋଡ଼ାବନ୍ତି ପଣ୍ଡୁ ରାଜଦେବା।୧୩୨।

ଭୀମସେନ ପଳାନ୍ତେ ପଣ୍ଡୁ ଗୋଡ଼ାଇ ପଛ କତି

ପଣ୍ଡୁର ପଛେ ଅଗ୍ନି ବ୍ରାହ୍ମଣେକ ହୋଇଣ ଧାମନ୍ତି।୧୩୩।

 

ପଣ୍ଡୁ ବୋଇଲେ ମୋହୋର ଅବଶ୍ୟ ନିୟମ

ନିଶ୍ଚୟେ ଆଜ ତୋର ଶିର ଛେଦିବି ରେ ଭୀମ।୧୩୪।

କୋଇନ୍ତା ମାଦ୍ରୀ ଦୁହେଂ ସ୍ନାହାନ କରି ଆସୁଥିଲେ

ଧାଇଂଣ କୋଳ କରି ପଣ୍ଡୁ ରାଜାଙ୍କୁ ଧଇଲେ।୧୩୫।

 

ରାଗେଣ ମହାରାଜା ଯେ ଅନେକ ମନ୍ଦ ବୋଲି

କୋପେଣ ବେନି ଭାରିଯାନ୍ତ ପକାଇଲେ ପେଲି।୧୩୬।

ବିକଳ ହୋଇକରି ବୋଇଲେ କୋଇନ୍ତାୟେ

ଅଗ୍ୟାନେ ଦୋଷ କଲା ବାଳୁତ ତନୟେ।୧୩୭।

 

କାହିଂର ପଣ୍ଡାୟେ ତୁମ୍ଭେ ଧର୍ମ ଦଇବତ

ପୁତ୍ର ଗୋଟିକ ମୋହୋର ରକ୍ଷା କରିବା ମହତ।୧୩୮।

ରୋଦନ କରିଣ ଯେ ପଳାଇ ପୁତ୍ର ଆଗେ

ଅସିବର ଉହାଇ ଗୋଡ଼ାଇ ପଣ୍ଡୁରାଗେ।୧୩୯।

 

ପଣ୍ଡୁର ପଛ କତି ବିଚକ୍ଷଣ ବ୍ରାହ୍ମଣେକ ହୋଇ

ଅଗ୍ନିଦେବତାୟେ ପଛେ ଅଛନ୍ତି ଗୋଡ଼ାଇ।୧୪୦।

ତାହାଙ୍କର ପଛ କତି କୋଇନ୍ତାୟେ ଗୋଡ଼ାବନ୍ତି

ମାଦ୍ରୀ ଦେବୀ ପଛରେ ଧାପ ଦେଇଛନ୍ତି।୧୪୧।

 

ୟେମନ୍ତେ ପଳାଇ ସେ ଯେ ବାଳୁତ ନନ୍ଦନ

ଭୀମସେନ ପଳାଇଲା ଶତଷଠି ଯୋଜନ।୧୪୨।

ଉର୍ଦ୍ଧ୍ୱବାହୁ ବୋଲିଣ ଯେ ପର୍ବତ ଗୋଟିଏ

ସନ୍ଧ୍ୟାବେଳେ ଝୁଣ୍ଟିଲା ତାହା ବାଳୁତ ତନୟେ।୧୪୩।

 

ତିନି ଯୋଜନ ଆୟତନ ସେ ପର୍ବତ ପ୍ରଚଣ୍ଡା

ଭୀମସେନ ଝୁଣ୍ଟନ୍ତେଣ ହୋଇଲା ମସି ଗୁଣ୍ଡା।୧୪୪।

ସେ ପର୍ବତ ତଳେ ଅଛି ନଦୀ ଯେ ଗୋଟିୟେ

ତହିଂ ଯାଇ ହୁଡ଼ି ପଡିଲା ବାଳୁତ ତନୟେ।୧୪୫।

 

ରାଗେ ଡେଇଂ ପଡିଲା ପଣ୍ଡୁ ବାଳୁତ ଉପର

ବାମକରେ ଆକ୍ରୋଷି ଧଇଲା ଭୀମସେନର ବାଳ।୧୪୬।

ଖଡ଼ଗ ଘେନିଣ ପଣ୍ଡୁ ହାଣି ଲୋଡ଼ଇ ନିର୍ଭରେ

ଖଣ୍ଡା ଧଇଲେ ଯାଇଂ ଦେବ ବୈଶ୍ୱାନରେ।୧୪୭।

 

କୋପେଣ ଉଚ୍ଛୁଡ଼ନ୍ତେ ପଣ୍ଡୁ ଦେବ ରାୟେ

ମାରିବି ୟେ ଦୁଷ୍ଟ ପୁତ୍ର ଛାଡ଼ ହୋ ପଣ୍ଡାୟେ।୧୪୮।

ଅଗ୍ନିବୋଇଲେ ରାଜା କୋପ କିମ୍ପା ୟେତେ

ଅଗ୍ୟାନ ବାଳକ ୟେହାର ଦୋଷ ଅଛି କେତେ।୧୪୯।

 

ଆହୋ ରାଜା ତୁମ୍ଭେ ଥିର କରନି ନିଶ୍ୱାସ

ବାଳ ଛାଡ଼ି ରାୟେ ଥିର ହୋଇ ବସ।୧୫୦।

କୁନ୍ତୀ ମାଦ୍ରୀ ଦୁହେଂ ରାଜା ବାମ ହସ୍ତକୁ ଧଇଲେ

କୌଣସି ମତେ ଚୂଳ ଗୋଟି ଛଡ଼ାଇ ନପାରିଲେ।୧୫୧।

 

ବୈଶ୍ୱାନର ବୋଇଲେ ବାଳୁତର କିସ ଦୋଷ ବାବୁ

ସଞ୍ଚପି କରିଣ କହନି ମୋତେ ସବୁ।୧୫୨।

ପଣ୍ଡୁ ବୋଇଲେ ତୁ ଶୁଣ ସୁଗ୍ୟାନୀ ଦ୍ୱିଜ ଶ୍ରେଷ୍ଠା

ପାକମାନସବୁ ମୋର କରି ଅଇଂଠା।୧୫୩।

 

ଭାରିଯା କହନ୍ତି ମୁନି ଜାଣଇଂ ୟେମନ୍ତ

ପାକ ନାଶ କଲାନି ୟେ ବର୍ଷ ପରିଯନ୍ତ।୧୫୪।

ଦେବ ପିତୃ ଅତିଥି ଅଗ୍ନି ଆଦି କରି

ୟେହାର ଉତ୍ତିଷ୍ଟମାନ ଦିଅଇ ସବୁଙ୍କୁ ହିଂ ନବିଚାରି।୧୫୫।

 

ବରଷକ ଦିନୁଂ ୟେହାର ୟେହେନେକ ପ୍ରକୃତି

ୟେ ମନ୍ଦଦୁଷ୍ଟକୁ ମୁଂ ଥୋଇବି କେମନ୍ତି।୧୫୬।

ଦଇନି କରୁଅଛି ପଣ୍ଡାୟେ ୟେହାର ପାଇଂ ନବୋଲ

ୟେହାର ବ୍ରତି ଥିଲେ ମୋହୋର କାଳେହେଂ ନାହିଂ ଭଲ।୧୫୭।

 

ସମସ୍ତ କ୍ରିୟା ମୋର ଭାଙ୍ଗିଲା ମହାଦୁଷ୍ଟ

ବାଳୁତ କାଳୁଂ ୟେହାର ହୋଇଲା ୟେଡ଼େ ପେଟ।୧୫୮।

ବୈଶ୍ୱାନର ବୋଇଲେ ପଣ୍ଡୁ ୟେମନ୍ତ ତୋର କଥା

କଣକଳ୍ପ ଦୋଷକୁ ଦେଉ ୟେଡ଼େକ ଅବସ୍ଥା।୧୫୯।

 

ବାଳ ପୁଅ ଆବର ମାଛି ସଙ୍ଗେ ସରି

ଅଗ୍ୟାନ ମୂଢ ଲୋକ ସେ ୟେଥକୁ ବିଚାରି।୧୬୦।

ତୁ ଯେ ବୋଇଲୁ ମୁଂ ଦିଅଇ ପିତୃ ଲୋକଙ୍କୁ

ପିତୃ ଲୋକେ ଆଶା କରନ୍ତି ବାଳୁତ ଉତ୍ତିଷ୍ଟକୁ।୧୬୧।

 

ଯେବେ ବ୍ରହ୍ମହତ୍ୟା ଗୋହତ୍ୟା କରିଥିବ

ସନ୍ତାନ ଥିଲେ ଶାସ୍ତି ନ ଦିଅଇ ଯମଦେବ।୧୬୨।

ୟେ ଅବା ପାତକ କଲା ମୂର୍ଖ ଯେ ଅଗ୍ୟାନେ

ପୁତ୍ର ଗୋଟିଏ ଅଛି, ୟେହାର ମୋକ୍ଷ କରିବା କାରଣେ।୧୬୩।

 

ସନ୍ତାନକୁ ଆଶ କରଇ ଯମର ବିଚାର

ତାହାକୁ ଶାସ୍ତି ଦେଇ ନ ପାରଇ ନାଶକର।୧୬୪।

ଅନେକ ପୁଣ୍ୟ କରି ଯେବେ ଅପୁତ୍ରିକ ହୋଇ ମରଇ

ଅନେକ ଅବସ୍ଥା ତାକୁ ଦିଅଇ ଜନ୍ତୁସାଇଂ।୧୬୫।

 

ଶଉଚ ଅଶଉଚ ହୋଇ ବ୍ରତିଥାଉ ବାଳ

ବଂଶକୁ କାରଣ ସେ ହୋଇଥାଇ ସର୍ବକାଳ।୧୬୬।

ୟେହା ବିଚାର କର ତୁ ପଣ୍ଡୁ ମହୀପାଳ।୧୬୭।

 

ବାଳୁତ ଅଇଂଠା ପାଇଲେ ପିତୃଗଣେ

ବହୁତ ସାନନ୍ଦ ତାଙ୍କର ଉପୁଜଇ ମନେ।୧୬୮।

ପଣ୍ଡୁ ବୋଇଲେ ଯେବେ ପିତୃଲୋକେ ହୋଇଲେ ତ୍ରିପୁତି

ଇଷ୍ଟଦେବତାମାନନ୍ତ ଯେ ଅନ୍ନ ଦିଅଇ ମୁଂ ନିତି।୧୬୯।

 

ସେ ଧର୍ମ ମୋହୋର ନାଶଗଲା ହୋ ଦ୍ୱିଜବର

ଛାଡ଼କି ନା ଖଡ଼ଗେ ଛେଦିବି ୟେହାର ଶିର।୧୭୦।

ଦେବତାୟେ କାହିଂ ଥାନ୍ତି ହୋ ମହାବୀରା

ଶରୀରରେ ସେ ନିଜ ଦେବତା ବଦନ୍ତି ଦୋହୋରା।୧୭୧।

 

ପ୍ରଥମ ଶିର ତାଳୁରେ ବିଜେ କରନ୍ତି ବ୍ରହ୍ମା

କପାଳ ପାଟିରେ ହାଦେ ନାରାୟଣ ମହାତମା।୧୭୨।

ଚନ୍ଦ୍ର ସୂର୍ଯ୍ୟ ଦେବତା ଅଟନ୍ତି ଚକ୍ଷୁ ବେନି

ନାସିକାୟେ ବସଇ ପବନ ମହାଗ୍ୟାନୀ।୧୭୩।

 

ଦୁଇ ଆଡ଼େ ଯେ କର୍ଣ୍ଣସ୍ଥଳୀ ବେନି

ରୁଦ୍ର ଦେବତା ବସଇ ଭ୍ରୂକୁଟିଗଣ ଘେନି।୧୭୪।

ବେନିଶ୍ରବଣେ ବସଇ ରାୟେ ଚଇତନ

ଗର୍ଭଭେଦି ବସଇ ରାୟେ ଶୂନ୍ୟ ନିରଞ୍ଜନ।୧୭୫।

 

ବତିଶ ଦନ୍ତ ଯେ ବସଇ ବେନି ପାଟି

ବଜ୍ର ନିର୍ଘାତ ବସନ୍ତି ଗ୍ରହଗଣ ଘେନିଟି।୧୭୬।

ଅନୁସରି ରୁଚିର ସଦନ ମଉଳି

ଶୁକ୍ର ବୃହସ୍ପତି ବସନ୍ତି ବେନି ଯେ ଚହଳି।୧୭୭।

 

ଋକ୍ଷ ତୁଲେ ବସଇ ଯେବଣ ଓଷ୍ଠ

ସେହି ସେ ଇନ୍ଦ୍ର ଆସନ କରଇ ସୁର ରାଷ୍ଟ।୧୭୮।

ଗଣ୍ଡ ସ୍ଥଳ ଆବୋରି ବସନ୍ତି ପଞ୍ଚତିରିଶ ଦେବତା

କୃତକୃତାନ୍ତକଗଣ ଆଦି ଜିତା।୧୭୯।

 

ସଲୀଳ ଶଇଳ ଶୋଭାବନ ସମୀର

ମନ ତଲୟେ ଯେ ଗ୍ୟାନ ବୁଦ୍ଧି କଣ୍ଠର।୧୮୦।

କଣ୍ଠର ତଳେ ବସନ୍ତି ୟେତେକ ଦେବତା

ହୃଦଗତେ ରୋମେ ବସନ୍ତି ନକ୍ଷତ୍ର ଅପ୍ରମିତା।୧୮୧।

 

ଦ୍ୱାଦଶ ବିଶ୍ୱେ ଦେବା ବସନ୍ତି ହୃଦଗତେ

ସନକ ସନାତନ ବସନ୍ତି କରସ୍ଥଳ ଯୁଗତେ।୧୮୨।

ଚଉଦ ବିଦ୍ୟାୟେ ବସନ୍ତି ବେନି କରସ୍ଥଳୀ

ସାଧନ ତଲୟେ ବସନ୍ତି ଆକ୍ରଷଣ ମହାବଳୀ।୧୮୩।

 

ପ୍ରାକର୍ମ ଗ୍ୟାନବନ୍ତ ବଳବନ୍ତ ଶକତା

ବେନି ଭୁଜେ ବସନ୍ତି ସତାଇଶ ଦେବତା।୧୮୪।

ନାଭିଠାରୁ ଉପରକୁ ତାଳୁ ବ୍ରହ୍ମଦ୍ୱାର ଯାକେ

ୟେଥେଂ ଭୋଗ କରନ୍ତି ତେତିଶକୋଟି ଦେବ ଲୋକେ୧୮୫

 

ପିତୃ ଦଇବତ ପୁରୁଷ ବସନ୍ତି ନାଭିମଣ୍ଡଳ ମାଡ଼ି

ସଂକଳ୍ପ ଉଦକ ଅନ୍ତେ ସେହୁ ଯାନ୍ତି ଛାଡ଼ି।୧୮୬।

ତିନି ଦିହୁଡ଼ିୟେ ଆକାଶକୁ ଉଜାଣି

ଧାତୁ ଭେଦି ତଳକୁ ବହଇ ନବଝର ପାଣି।୧୮୭।

 

ଉପରକୁ ବହଇ ଧାରେ ତଳକୁ ବହଇ ଧାରେ

ଆଗକୁ ବହଇ ଧାରେ ଧାରେକ ପଡ଼ଇ ଆକାଶରେ।୧୮୮।

ପୃଥିବୀ ଆପ ତେଜ ବାୟବ୍ୟ ଆକାଶ

ପଞ୍ଚଧାତୁ ଭେଦି ୟେ ଦ୍ୱାଦଶ ପୁରୁଷ।୧୮୯।

 

କାଳ କାମ ଅର୍ଥ ଧର୍ମ ଅନୁସ୍ୱାର ପାଞ୍ଚ

ସିଦ୍ଧପୁରୁଷମାନଙ୍କ ୟେ ଦୃଢସଞ୍ଚ।୧୯୦।

ବେନି ଜାନୁ ମାଡ଼ି ନାଭିମଣ୍ଡଳ ପରିଯନ୍ତେ

ଯୋଗପୁରୁଷମାନେ ୟେଥେ ବସନ୍ତି ପଞ୍ଚଶତେ।୧୯୧।

 

ତୁୟେ ବୋଇଲୁ ମୁଂ ଦେବତାଙ୍କୁ ଦିଅଇ ଅନ୍ନ

ଶରୀରେ ସେ ଥାନ୍ତି ନା ସମସ୍ତ ଦେବତାମାନ।୧୯୨।

ପଣ୍ଡୁ ବୋଇଲେ ଯେ ଭୂମିରେ ପତ୍ର ପାଡ଼ି

ନାମ ସଂକେତ କରି ଯେ କରସ୍ଥଳେ ପାଣି ଛାଡ଼ି।୧୯୩।

 

ପଣ୍ଡାୟେ ବୋଇଲେ ତାହା ଆମ୍ଭେ କହୁଂ ତୋହୋର ଆଗେ

ସେ ଅନ୍ନକୁ ପାଆନ୍ତି ଯେ ଅଷ୍ଟକୁଳା ନାଗେ।୧୯୪।

ହାଣ୍ଡିୟା ଚାଣ୍ଡାଳିୟା ଆମ୍ୱୁଆ କ୍ଷାଙ୍କରା

ଭାଲୁଙ୍କା ରାକ୍ଷସା କ୍ଷେପଣୀ କ୍ଷେତ୍ରପାଳା।୧୯୫।

 

ୟେତେକ ପିଶାଚ ବୀରମାନେ ଅଇଂଠାଚଣ୍ଡ ବୋଲି

ପ୍ରତିବାୟେ ଭୁଞ୍ଜିଲେ ପତ୍ରେ ଦିଅଇ କର ତୋଳି।୧୯୬।

ପତ୍ରରୁ ଯାଇଣ ଯେବେ ପଡ଼ଇ ଭୂଇଂରେ

ତାହା ଆହାର କରନ୍ତି ଅଇଂଠା ଅଷ୍ଟବୀରେ।୧୯୭।

 

ପଞ୍ଚଅସୁର ଅଛନ୍ତି ହୋ ପଞ୍ଚଭୂତ ଆତ୍ମାକୁ

ବାହାରେ ମେଞ୍ଚାୟେ ଦେଲେ ସେ ଭୋଗ୍ୟ ହୋଅଇ ତାହାଙ୍କୁ।୧୯୮।

ଚଣ୍ଡ ପ୍ରଚଣ୍ଡ ଦୃଦଣ୍ଡ ମହାକାଳ ଅନଳ

ସେ ମେଞ୍ଚିକି ଖାଇ ଜୀଅନ୍ତି ୟେମାନେ ରକ୍ଷାପାଳ।୧୯୯।

 

ବାହାର ମେଞ୍ଚିୟେ ନ ଦେଇ ଭୁଞ୍ଜନ୍ତି ଯେ ଅନ୍ନ

ଅସୁର ଭୋଜନ ହାଦେ ହୋଇଟି ସେ ଦିନ।୨୦୦।

ହିରଣ୍ୟଗର୍ଭ ବୋଲି ଅଷ୍ଟ ହସ୍ତୀବର ବିଧାନ

ପାଦ ଅରବିନ୍ଦେ ହୋଅଇ ଗୋପ୍ୟାନ।୨୦୧।

 

ପାଦ ଶଉଚ ଜଳରେ ସେ ହୁଅନ୍ତି ତ୍ରିପୁତି

ସମସ୍ତ ଦେବତାୟେ ଯେ ଶରୀରେ ଅଛନ୍ତି।୨୦୨।

ଜନଜନ୍ତୁ ଥିଲେ ସେ ଦେବତାୟେ ପାଆନ୍ତି ପୂଜା

ଆପଣେ ଅତି ତ୍ରିପୁତି ହୋଇଲେ ସମସ୍ତେ ହୁଅନ୍ତିପୂ ଜା।୨୦୩।

 

ପଣ୍ଡୁ ବୋଇଲେ ହୋ ଦେବତାୟେ ହୋଇଲେ ତ୍ରିପୁତି

ଦୋହରା ଅଗ୍ନିରେ ମୁଂ ଆହୂତି ଦିଅଇ ନିତି।୨୦୪।

ଅଗ୍ନିକି ଅତ୍ରିପୁତି କଲେ ନାଶଯାଇ ପିଣ୍ଡ

ୟେଯେ ଅନୀତି କଲା ପୁତ୍ରର କେମନ୍ତେ ନକାଟିବି ମୁଣ୍ଡ।୨୦୫।

 

ପଣ୍ଡା ବୋଇଲେ ତୁ ନଜାଣି ହୁଡ଼ିଲୁ ୟେବେ

ଅଗ୍ନି ଦେବତାୟେ ଥାଆନ୍ତି ସବୁଙ୍କରି ଗର୍ଭେ।୨୦୬।

ସବ୍ୟେ ଅସବ୍ୟେ ଯବେ କରଇ ଭକ୍ଷ

ସମସ୍ତ ଦହନ କରଇ ସେ ଅଗ୍ନି ପରତକ୍ଷ।୨୦୭।

 

ଅଗ୍ନି ଦେବତାୟେ ନଜାଣନ୍ତି ନା ଉତ୍ତିଷ୍ଟ

ସମସ୍ତ ଭକ୍ଷନ୍ତି ୟେ କ୍ରୋଟାନଳ ଦୁଷ୍ଟ।୨୦୮।

ଉତ୍ତିଷ୍ଟ ଅଣଉତ୍ତିଷ୍ଟ ସେ ନଜାଣନ୍ତି କିଛି

ଦହନ ପାନ ପୁରୁଷ ସେ ସମସ୍ତ ପାରେ ଭଛି।୨୦୯।

 

କହୁ କହୁ ରୋଷେଣ କହିଲେ ମହାତମା

ଆମ୍ଭେ ସେ ଦୋହରା ଅଗ୍ନି ବୈଶ୍ୱାନର ଦେବବ୍ରହ୍ମା।୨୧୦।

ତୁ ଆଜ ସିନା ଦେଖିଲୁ ହୋ ପଣ୍ଡୁ

ଦେଢ ବରଷ ହୋଇଲାନି ହୋ ଉତ୍ତିଷ୍ଟମାନ ଛାଡୁ।୨୧୧।

 

ସମସ୍ତ ଭକ୍ଷି ଆମେ ହୋଉ ଯେ ତ୍ରିପୁତି

ବାଳୁତଙ୍କର ଦୋଷ ଘେନିବାର ନୋହଇ ଯୁଗତି।୨୧୨।

ଅଗ୍ନିର ପ୍ରତିବାକ୍ୟେ ଶାନ୍ତ ପଣ୍ଡୁରାଜା

ତତକ୍ଷଣେ କେଶ ରାଜା ଛାଡିଲା ଆତ୍ମଜା।୨୧୩।

 

ପଣ୍ଡୁ ବୋଇଲେ ଯେବେ ବୈଶ୍ୱାନର ଦେବ

ତୁମ୍ଭ ନିଜ ସରୂପ ମୋତେ ଦେଖାଇବ।୨୧୪।

ଯେମନ୍ତେ ମୋହୋର ମନେ ପ୍ରତେ ଯାଇଂ

ନିଜ ସରୂପ ମୋତେ ଦେଖାଇବା ଗୋସାଇଂ।୨୧୫।

 

ପଣ୍ଡୁର ବଚନେ ବୋଲନ୍ତି ବୈଶ୍ୱାନର

ମୋହୋର ନିଜ ସରୂପ ଯେବେ ଦେଖିବାକୁ ଶରଧା ତୋହୋର।୨୧୬।

ପଣ୍ଡୁ ବୋଇଲେ ଦେବ ସମ୍ପଦ ନିମନ୍ତେ

ନିଜ ଶରୀର ଦେଖାଇବା ମୋତେ।୨୧୭।

ପଣ୍ଡୁର ବଚନେ ସାନନ୍ଦେ ଅଗ୍ନି ଦଇବତେ

ଆପଣାର ନିଜ ଶରୀର ବିକାଶିଲେ ଜଗତେ।୨୧୮।

 

ମହା ଅନଳ ବିକାଶିଲା ଜ୍ୟୋତି

କୋଟିୟେ ତେଜ ହୋଇ ବିକାଶିଲେ ଅଗ୍ନିମୂର୍ତ୍ତି।୨୧୯।

ମହାକାଳାନଳ ବିକାଶିଲା କାୟେ

ଦେଖିଣ ପଣ୍ଡୁକୁ ଲାଗିଲା ମହାଭୟେ।୨୨୦।

 

ଭୟେଣ ଅନ୍ତର ହେଲେ ନୃପମଣି

କୋଇନ୍ତା ମାଦ୍ରୀ ପଳାଇଲେ ବେନିରାଣୀ।୨୨୧।

ମହାଭୟେ ପଣ୍ଡୁ ପଳାଇଲେ ବହନ

ଅଗ୍ନିଦେବତା ପାରୁଶେ ଅଛଇ ଭୀମସେନ।୨୨୨।

 

ଅନଳ ଜ୍ୟୋତିକି ତାର କିଛି ଭୟ ନାହିଂ

ଅଗ୍ନି ଦେବତାଙ୍କ କୋଳେ ଅଛି ରହି।୨୨୩।

ମହାଭୟେ କରି ପଳାଇଲେ ନୃପବର

ବେନିରାଣୀ ଘେନି ରହିଲେ ଯୋଜନକ ଅନ୍ତର।୨୨୪।

 

ଦୋହୋରାଙ୍କ ମୂର୍ତ୍ତି ଦେଖି ପଣ୍ଡୁ ନୃପତି

ଅଗ୍ନିଦେବତାଙ୍କୁ କରଇ ବହୁତ ତୁସ୍ତି।୨୨୫।

ଜୟତୁ ବୈଶ୍ୱାନର ଅନାଦି ସିଦ୍ଧ ଦେବତା

ଜୟତୁ ବୈଶ୍ୱାନର ସୟଳ ଦହନ୍ତା।୨୨୬।

 

ଜୟତୁ ବୈଶ୍ୱାନର ଅନନ୍ତ କାଳ ବଞ୍ଚା

ଜୟତୁ ବୈଶ୍ୱାନର ଅନନ୍ତ ରୂପ ସଚ୍ଚା।୨୨୭।

ଜୟତୁ ବୈଶ୍ୱାନର ଅନାଦି ସିଦ୍ଧ ବ୍ରହ୍ମା

ଜୟତୁ ବୈଶ୍ୱାନର ଦାବାନଳ ମହାତ୍ମା।୨୨୮।

 

ପିଙ୍ଗଳ ଜଟା ଶିର ରୂପ ଅନଳ ବ୍ରହ୍ମ

ଜୟତୁ ବୈଶ୍ୱାନର ଯଗ୍ୟଂରେ ପୂର୍ଣ୍ଣକାମ।୨୨୯।

ଜୟତୁ ଜୟ ଦେବ ଜ୍ୱଳିତ ଅନଳ

ହାନ୍ଦୋଳା ଲହରୀ ଦେବ ତୁହି ସେ ମହାବଳ।୨୩୦।

 

ଜୟତୁ ଜୟତୁ ଦେବ କ୍ରୋଟ ଅନଳ ନାଥା

ବ୍ରହ୍ମ ନିରାକାର ମହାତ୍ମା ଆକାଶ କରତା।୨୩୧।

ଜୟତୁ ଜୟତୁ ଦେବ ଯୋଗ ଯେ ଅନଳ

ଜୟତୁ ଜୟତୁ ଦେବ ବଡବା ଅନଳ।୨୩୨।

 

ଜୟତୁ ଜୟତୁ ନିର୍ଘାତ ବଜ୍ର ସଚୀ

ଜୟତୁ ଜୟତୁ ଦେବ ପାତାଳ ଅନଳ ରୁଚି।୨୩୩।

ଜୟତୁ ଜୟତୁ ଦେବ ମହା ବ୍ରହ୍ମ ଅଗ୍ନି

ଜୟତୁ ଜୟତୁ ସୁର ତରଙ୍ଗ ମୁନି।୨୩୪।

 

ଜୟତୁ ଜୟତୁ ଦେବ ନିତ୍ୟକର୍ମ ଦୋହୋରା

ଜୟତୁ ଜୟତୁ ଦେବ ସର୍ବଭକ୍ଷ ସଚରା।୨୩୫।

ଜୟତୁ ଜୟତୁ ଦେବ ସ୍ୱାହା ସ୍ୱଧା ଚରଣେ ନମାମି

ମୁହିଂ ତୋହୋର ଚରଣ ତଳେ ଶତେ ସହସ୍ର ଦଣ୍ଡ ପରଣାମି।୨୩୬।

 

ଗୋପ୍ୟାନ ପୁରୁଷ ସ୍ୱାମୀ ତୁ ସମସ୍ତ ପ୍ରତିପାଳୁ

ନିରାକାର ଦଇବତ ତୁ ଚଳୁ ଯେ ଅଚଳୁ।୨୩୭।

ଶରଦ ଶିଶିର ହେମ ବସନ୍ତ, ଗ୍ରୀଷମ ବରଷା

ୟେ ଛଡ଼ ଋତୁ ହେତୁ ତୁ ଦ୍ୱାଦଶ ଯେ ମାସା।୨୩୮।

 

ଋତୁକେ ହେଉ ତୁ ଆନ ଆନ ଯେ ମୂରତି

ତୋହୋର ଉତ୍ତିଷ୍ଠ ଖାଇ ସଚରାଚର ବର୍ତ୍ତି।୨୩୯।

କାହିଂରେଣ ଅଛୁ ନାଥ ହାଦେ କାହିଂରେଣ ନାହୁଂ

ଆହାରେଣ ଦର୍ପ ତୋହୋର ଗୋପ୍ୟାନେ ଦେଖାଉ।୨୪୦।

 

ଶ୍ୱେତ ରାଜା ଯଗ୍ୟେଂ ଦେବ ଅନେକ ଘୃତ ଭକ୍ଷି

ଲୁଦୁ ବୁଦ ହୋଇ ଦେବ ମନ୍ଦାଗ୍ନି ହୋଇଅଛି।୨୪୧।

କେବଣ ପୁରୁଷ ସଞ୍ଚପି କହିବ ତୋହୋର ଚିହ୍ନବର୍ଣ୍ଣ ଗୋଟି

ୟେକ ଲୟେ ସରଇ ମେଦିନୀ ନବ କୋଟି।୨୪୨।

 

ସ୍ୱେଦଜ, ଅଣ୍ଡଜ, ଉଦ୍ଭିଜ୍ଜ, ଜରାୟୁଜ ଚାରିଖାନି

ବିନା ଅଗ୍ନିରେ ତ କେହି ନବ୍ରତନ୍ତି ପ୍ରାଣୀ।୨୪୩।

ଭିତରେ ଦେବ ତୁହି ବାହାରେ ଦେବ ତୁହି

ମହାଅନଳ ରୂପେଣ ଦେବ ସକଳ ଦ୍ରବ୍ୟ ଦହି।୨୪୪।

 

ନାନା ପାତକ ଯେବେ କରିଥିବ ପ୍ରାଣୀ

ହୋମ କରିଣ ତୋର ତହିଂ ପକାବନ୍ତି ଆଣି।୨୪୫।

ଅଭୟା ପୁରୁଷ ତୁ ସମସ୍ତ ଦେବ ବହୁ

ଆପଣା ଶରୀରରେ ଲାଇ ଦେବ ସର୍ବ ପାପ ଦହୁ।୨୪୬।

 

ସାଧୁ ମାହେଶ୍ୱରୀ ସେ ଦକ୍ଷର କୁମାରୀ

ତବ ତେଜ ଶୀତଳ କଲେ ହୋଇଲେ ମନୋହାରୀ।୨୪୭।

ଶ୍ରୀ ଦୋହୋରା ଅଗ୍ନିଙ୍କର ସେବେ ପଦ୍ମପାଦେ

ଧର୍ମ ବର୍ଦ୍ଧୁତ ହୋଇବ ସ୍ୱାମୀ ତୋହୋର ପ୍ରସାଦେ।୨୪୮।

 

ଶ୍ରୀବୈଶ୍ୱାନର ଅଗ୍ନିଙ୍କର ଚରଣେ ମୁହିଂ ଦାସ

ଶୂଦ୍ରମୁନି ସାରୋଳା ଦାସ ଜନ୍ମେ ଜନ୍ମେ ଅଭ୍ୟାସ।୨୪୯।

ୟେସନେକ ସ୍ତୁତି ଯହୁ କଲେ ପଣ୍ଡୁ ନୃପତି

ମହାତେଜ ଛାଡ଼ି ଅଗ୍ନି ହୋଇଲେ ଶାନ୍ତିମୂର୍ତ୍ତି।୨୫୦।

 

ପଣ୍ଡୁ କୋଇନ୍ତା ମାଦ୍ରୀ ହୋଇଲେ ସନ୍ନିଧାନ

ଦେଖି ଅଗ୍ନି ଦେବତା ହୋଇଲେ ତୋଷମନ।୨୫୧।

କୋଇନ୍ତା ମାଦ୍ରୀ ଦେବୀ ଦୁହେଂ ଆୟେ

ପ୍ରଣପତ୍ୟ ହେଲେ ଅଗ୍ନିଦେବତାଙ୍କ ପାୟେ।୨୫୨।

 

ଭୀମସେନଙ୍କୁ ଆଶ୍ୱାସନା କଲେ ବୈଶ୍ୱାନର

ଶାନ୍ତି ହୋଇ ମହାତ୍ମା ତାଙ୍କୁ ଦିଲେ ବର।୨୫୩।

ବୈଶ୍ୱାନର ବୋଇଲେ ତୋହୋର ଆହାରେ ଏଡ଼େ ଶ୍ରଦ୍ଧା

କ୍ରୋଟ ଅନଳେ ତୋତେ ହୋଉ ବଡ଼ କ୍ଷୁଧା।୨୫୪।

 

ଆହାରେ ଅତ୍ରି ପୁତି ହୁଅସିରେ ଭୀମା

ଆହୋ ପଣ୍ଡୁ ୟେ ପୁତ୍ର ତୋହୋର ଉଦ୍ଧରିବ ସୀମା।୨୫୫।

ପଣ୍ଡୁ ବୋଇଲେ ୟେ ଆଜହୁଂ ୟେଡ଼େ ଅତ୍ରିପୁତି

ଅସଂକ୍ଷେପକ ଖାଇବ ୟେ କାହୁଂ ଦେବି ନିତି।୨୫୬।

 

ଦୋହୋରାୟେ ବୋଇଲେ ଆମ୍ଭେ ହୋଇଲୁ ପ୍ରସନ୍ନ

ନିତି ପ୍ରତି ରାନ୍ଧଣା ୟେହାକୁ ହୋଇବ ବିଦ୍ୟମାନ।୨୫୭।

ଗଉରୀ ଶଉରୀ ଆବର ନଳ ବିଧି

ୟେ ତିନି ପାକ ୟେହାକୁ ହୋଇବ ପରସିଦ୍ଧି।୨୫୮।

 

ଅକଟା ଅବଟା ଯେ କଞ୍ଚା ଯୋଗାଡ଼ର

ୟେହା ହସ୍ତ ଲାଗନ୍ତେ ହୋଇବ ଅମିୟ ରସ ସାର।୨୫୯।

ଭୋଜନେ ଅତ୍ରିପୁତି ହୋଉ ତୋହୋର ବଳା

ସଂଗ୍ରାମେ ଅତ୍ରିପୁତ୍ରି ହୋଉ ଅଚାର୍ଗଳା।୨୬୦।

 

ଶୃଙ୍ଗାରେ ଅତ୍ରିପୁତ୍ରି ହୁଅସିରେ ଭୀମ

ବ୍ରିକୋଦର ମୂରତିକି ତୋର କେହି ନୋହିବେ ସମ।୨୬୧।

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ପଣ୍ଡୁ ପ୍ରଣପତ୍ୟ ହେଲେ ବୈଶ୍ୱାନର କତି।୨୬୨।

 

ବହୁତ ପ୍ରସନ୍ନ ହେଲେ ବାଳୁତ କୁମରକୁ

ବୈଶ୍ୱାନର ପ୍ରସନ୍ନ ହୋଇଲେ ଭୀମସେନକୁ।୨୬୩।

ବର ଦେ ଇବୈଶ୍ୱାନର ଗଲେ ଅନ୍ତର୍ଧାନେ

ପଣ୍ଡୁ ବାହୁଡ଼ି ବିଜେ କଲେ ମନୋହର ବନେ।୨୬୪।

 

ଭୀମସେନକୁ କାଖେ ଘେନିଲେ ପଣ୍ଡୁରାଜା

ତାହାଙ୍କର ପଛରେ ଗୋଡ଼ାବନ୍ତି ବେନି ଯେ ଭାରିଯା।୨୬୫।

ପ୍ରବେଶ ହୋଇଲେ ଯାଇ ଶତଶିଂଗ ପର୍ବତେ

ପୁତ୍ର ଭାରିଯା ଘେନି ରହିଲେ ନିଶ୍ଚିନ୍ତେ।୨୬୬।

 

ବଇବସୁତ ମନୁ ପଚାରିଲେ ଅଗସ୍ତି ମହାଦେବ

କୋଇନ୍ତାଙ୍କ କଥାତ ଅତି ଅସମ୍ଭବ।୨୬୭।

ଧର୍ମଦେବତାଙ୍କ ରସେ ସହିଲା ଆରଦୋଳି

ପବନ ଦେବତା ଯେ ସେ ଅଟଇ ମହାବଳୀ।୨୬୮।

 

ମାନବୀ ହୋଇଣ ସେ ଦେବତାଙ୍କୁ ଦିଅଇ ରତି

ୟେ ବଡ଼ ଆଶ୍ରିଜ କଥା କହିବା ଅଗସ୍ତି।୨୬୯।

ଶୁଣ ହୋ ମନୁପୁରୁଷ ବଦୟନ୍ତି ଅଗସ୍ତି ମହାମୁନ୍ୟେ

ସତ୍ୟ ଯୁଗେ ଅଞ୍ଜନା ୟେ ଅଟଇ ପୂର୍ବଜନ୍ମେ।୨୭୦।

 

ସେକାଳେ ପବନ ଦେବତା ସଙ୍ଗରେ ପୀରତି

ଶ୍ୱର ବୀର୍ଯ୍ୟ ଆଣି ଦିଲାକ ତଡ଼ତି।୨୭୧।

ସେବୀ ର୍ଯ୍ୟ ସମ୍ଭାଳି ଇଚ୍ଛିଲା ଗର୍ଭଗତେ

ତହୁଂ ଜନ୍ମ ହୋଇଲେ ବୀର ହନୁମନ୍ତେ।୨୭୨।

 

ସେ ହନୁମନ୍ତଟିତ୍ରେତୟା ଯୁଗେ ମହା ମଲ୍ଲ

ଶ୍ରୀରାମଚନ୍ଦ୍ର ତାହାକୁ ବୁଝେଲେକ ଭଲ।୨୭୩।

ସତ୍ୟଯୁଗରେ ଯେ ଅଞ୍ଜନା ରୂପ ଧରି

ୟେବେ କୋନ୍ତୋଭୋଜ ରାଜାର ଘରେ ଅବତରି।୨୭୪।

 

ଦ୍ୱାପର ଯୁଗେ ଯେ ସେ ଭାରା ନିବାରିବା ଅର୍ଥେ

ପବନ ଦେବତା ଆସି ସମ୍ଭର୍ବେ ଭେଟିଲା ଯୁଗତେ।୨୭୫।

ତହୁଂଟି ଜାତ କଲେ ଭୀମସେନ ତାହାର ପୁତ୍ର

ୟେ ଯୁଗେ ଭାଗ ଯେ କରିବ ରସାଂଗତ।୨୭୬।

 

ଶତଶିଂଗ ବହୁତ କଲା କୋଇନ୍ତାଙ୍କୁ ବିନୟେ

କୋଇନ୍ତାଙ୍କୁ ପଣ୍ଡୁରାଜା କଲାକ ମହାଭୟେ।୨୭୭।

ମୁହିଂ ଅଗ୍ୟାନ ଯେ ଗ୍ୟାନ ମୋର ନାହିଂ

ତୁ ଅନାଦି ଅପର୍ଣ୍ଣା ଅଛୁ ୟେହେନେକ ରୂପ ବହି।୨୭୮।

 

ଶତଶିଂଗ ପର୍ବତ କହନ୍ତେ ତୁ ଅଟୁ ମହାଦେବୀ

ଆଝୁଂ କୋଇନ୍ତା ଗୋ ତୋତେ ଥିବି ମୁହିଂ ସେବି।୨୭୯।

କହିଣ ପର୍ବତ ଯେ ହୋଇଲା ଗୋପ୍ୟାନ

କୋଇନ୍ତାୟେ ବିନୟ ଭାବେ ଖଟନ୍ତି ପବନ।୨୮୦।

 

ଯୁଝେଷ୍ଠି ଭୀମସେନ କୋଇନ୍ତାଙ୍କର ପୁତ୍ର ବେନି

ଅତି ସ୍ନେହେ ପାଳନ୍ତି ମାଦ୍ରୀ ମକରଧ୍ୱଜର ନନ୍ଦିନୀ।୨୮୧।

ଭୀମସେନର ସପତ ବରଷ ଉତ୍ତାରେ

ଦୁଷ୍ଟ ପ୍ରକୃତି ଦେଖି କୋଇନ୍ତାୟେ କରନ୍ତି ବିଚାରେ।୨୮୨।

 

ବଳବନ୍ତ ମୂର୍ଖ ୟେ ହୋଇବ ଅପଣ୍ଡିତ

ଧନୁ ଶହସ୍ର ବିଦ୍ୟାରେ ୟେ ନୋହିବ ନିର୍ଜିତ।୨୮୩।

 

ଅର୍ଜୁନଙ୍କ ଜନ୍ମ

 

ଫାଲଗୁନ ମାସ ପୂର୍ଣ୍ଣିମା ଅନ୍ତରେଣ ତିଥି

କୃଷ୍ଣପକ୍ଷ ଦ୍ୱିତୀୟା ପଣ୍ଡିତ ବାର ରାତି।୧।

ନକ୍ଷତ୍ର ଭୋଗ ଯେ ଉତ୍ତରା ଫାଲଗୁନୀ

ପଣ୍ଡୁ ରାଜା ମୃଗୟାକୁ ବିଜୟେ ଯୁଝେଷ୍ଠି ଭୀମସେନ ଘେନି।୨।

 

ମହା ନିଶା କାଳେ ଶେଯ୍ୟାର ଯୁଗତେ କୋନ୍ତଭୋଜ ରାଜାର ଦୁଲାଳୀ

ଶ୍ରୀହସ୍ତେ ଘେନିଲେ ସେ ଦୁର୍ଭାସାଙ୍କ ଜପାମାଳୀ।୩।

ଧ୍ୟାନେଣ ସୁମରଣା ସେ କଲେକ ଦେବରାଜ

ଜାଣିଣ ଅନେକ ଅଳଙ୍କାରେ ବାସବ ଦେବ ସଜ।୪।

 

ହୃଦରେ ଲମ୍ୱାଇ ପାରିଜାତକ ପୁଷ୍ପମାଳା

କୋଟିୟେ ଅଭିଷେକ ଅଳଙ୍କାର ଶୋଭିତ ଢଳହଳା।୫।

ଶ୍ରୀଅଙ୍ଗେ ଲେପନ ମୃଗଲାଭ କସ୍ତୁରୀ

କୋଇନ୍ତାଙ୍କ ଶେଯ୍ୟାରେ ଆସି ବିଜୟେ ବଜ୍ରଧାରୀ।୬।

 

ଦେଖିଣ ସାନନ୍ଦ ଯେ ଭୋଜର ଦୁଲାଳୀ

ତୀର୍ଥଜଳ ଘେନିପାଦ ସେ ପଖାଳି।୭।

ପାଦ ଅର୍ଘ୍ୟ ଦେଇଣ କୋଇନ୍ତାୟେ କରନ୍ତି ଅନେକ ସ୍ତୁତି

ଜୟତୁ ସୁରନାଥ ଅମର ଆଧିପତି।୮।

 

ଜମ୍ଭୋ ଦଇତ୍ୟ ଦର୍ପ ଧଂସିଲୁ ଦେବ ଅବହେଳେ

ତେଣୁ ସେ ଜମ୍ଭୋଭେଦୀ ନାମ ବହିଲୁ କୁତୋହଳେ।୯।

ଅଭୟେ ମୁଦୁଗର କରେଣ ବଜ୍ର ଶକତି

ହେଳେଣ ନାଶିଲୁ ହିରଣ୍ୟକଶିପୁର ନାତି।୧୦।

 

ଅଜଙ୍ଗମ ଅକମ୍ପ୍ୟ ଅସିବର ପରଶୁ କୁଠାରେ

ବାହନ ଇଚ୍ଛିଲୁ ଦେବ ଅଇରାବ୍ରତର ଉପରେ।୧୧।

ଶଚୀର ବଲ୍ଲଭ ନାଥ ଅନଙ୍ଗ କାମ ମୂର୍ତ୍ତି

ଚଉଷଠୀ କୋଟି ବିଦ୍ୟାଧରୀଙ୍କି ଅଭିଳାଷ ନିତି ପ୍ରତି।୧୨।

 

ଅମରାଧିନାଥ ତୁ ଅଳକାପୁର ରକ୍ଷା

ଅଦିତିର ନନ୍ଦନ କଶ୍ୟପର ବଚ୍ଛା।୧୩।

ଅଣାକାର ପୁରୁଷ ତୁ ଦେଖିଲୁ ବର୍ଣ୍ଣଚିହ୍ନ

ତେଣୁ ସେ ଲଲାଟ ତୋର ହୋଇଲା ସୁବର୍ଣ୍ଣ।୧୪।

 

ସ୍ୱର୍ଗର ଠାକୁର ତୁ ବୃନ୍ଦା ଅର୍କ କୁଳ ଦକ୍ଷ

କୋଟିଏ ଭୁବନ ଦୃଷ୍ଟି ତୁ ଅଟୁ ସହସ୍ରାକ୍ଷ।୧୫।

ଅନେକ ବିଳାସୁଣୀ ଖଟନ୍ତି ଅନୁବ୍ରତେ

ଭରହରଷ ନାୟକ ଦେବ କସ୍ୟପର ଗୋତ୍ରେ।୧୬।

 

କୋଟିଏ ଭୁବନର ତୁ ଖଣ୍ଡୁସି ଅରଷ୍ଟି

ତୋହୋର ଆଗ୍ୟାଂୟେଣ ମେଘ ସଚରାଚର ବୃଷ୍ଟି।୧୭।

ସଦା ଆନନ୍ଦନାଥ ତୁ ବାହନ ମତ୍ତ ନାଗ

ପାତାଳ ଥମ୍ୱ ତୋହୋର ଅନନ୍ତ ଉଡ଼ଙ୍ଗ।୧୮।

 

ବ୍ରହ୍ମ ଦତ୍ୟ ମୁଣ୍ଡ ମୋଡ଼ିଲୁ ଚନ୍ଦ୍ର ବୋଲେ

ରିପୁ ପୁରୁଖ ପଳାବନ୍ତି ତୋହୋର ଶହସ୍ର ଧଇଲେ।୧୯।

ଲୋଭେଣ ହରିଲୁ ନାଥ ଗଉତମର ପତନୀ

ସେ ମହାତମାର ଶାପେ ତୁ ହୋଇଲୁ ସହସ୍ର ଯୋନି।୨୦।

 

ଶାନ୍ତି ହୋଇଲା ସେ ଆପାଦ ମାନସ ସରୋବରେ

ଦୁଷ୍ଟ ନିବାରଣ କଲୁ ନାଥ ନିର୍ଘାତ ବଜ୍ର ଶରେ।୨୧।

ତୁ ଦେବ ଜଳ ସ୍ଥଳ ନିରାକୁଳ ଅନାଦି

କୃତାନ୍ତକ ନାଥ ସ୍ୱାମୀ ଜୟତୁ ଜମ୍ଭୋ ଭେଦୀ।୨୨।

 

ସପତ ସାଗର ଜଳ ସ୍ଥଳ ନାଥ ନବ ଦ୍ୱୀପା ପୃଥୀ

ତୋହରେଣ ଦେବ ସଚରାଚର ବ୍ରତି।୨୩।

ଯମଦଣ୍ଡ କାଳଦଣ୍ଡ ଶୂଳଦଣ୍ଡ

ଦଣ୍ଡାଧିପତି ଦେବ ତୁହି ସେ ସର୍ବଦଣ୍ଡ ଖଣ୍ଡ।୨୪।

 

ବେଦବର ମନ୍ତ୍ରବର ଶାହାସ୍ର ବର ନାଥ

ସତ୍ୟବନ୍ତ ପୁରୁଷ ସ୍ୱାମୀ ତୁ ପରମ ପଦାର୍ଥ।୨୫।

ଦର୍ଶନେ ପ୍ରସନ୍ନେ ତୁ ଦୁର୍ଗତି ଦୁଖ ଧଂସି

ଯମର ଉପରେ ଦୈବତ ସକଳ ଦର୍ପ ବିନାଶୀ।୨୬।

 

ବ୍ରହ୍ମାର ଉପରେଣ ତୋହୋର ବ୍ରହ୍ମ ପଦ

ମହେଶ୍ୱର ଉପରେ ତୁ ମହେଶ ଦେବ ଇନ୍ଦ୍ର।୨୭।

କଉସ୍ତୁଭ ମଣି ବିରାଜିତ ଯାର ହୃଦେ

ଚନ୍ଦ୍ରକିରଣ ମଣି ଲଲାଟ ସାନନ୍ଦେ।୨୮।

 

ଜାତ ଅନ୍ତକରି ନାଥ ତୁହି ସେ ଭିଆନ୍ତା

ନିର୍ଭୟା ପୁରୁଷ ତୁଯେ ପ୍ରସନ୍ନେ ଗତି ଦ୍ୟନ୍ତା।୨୯।

ସୟଳ ସାହେର ନାଥ ଭଗତ ଜଗ ହିତା

ମୁହିଂ ମନୁଷ ଜନ୍ମ ମଞ୍ଚ ପୁରେ ନ ଛାଡ଼ୁ ମୋର ଚିନ୍ତା।୩୦।

 

ନାଶ କର ନିଶାକର ଯାହାର ଆଗ୍ୟାଂରେଣ ବର୍ତ୍ତି

ତେଣୁ କରି ତୋତେ ମୁଂ ପ୍ରାର୍ଥନା କରଇ ଅଭ୍ୟର୍ଥୀ।୩୧।

ଶ୍ରୀ ଅମରାଧିନାଥ ଚରଣ ମମ ହୃଦେ

ଶୂଦ୍ରମୁନି ସୋରୋଳ ଦାସ ବଦୟନ୍ତି ପରମ ସାନନ୍ଦେ।୩୨।

 

କହନ୍ତି ଅଗସ୍ତି ଶୁଣ ଆହୋ ଯୁଗପତି

ଏହି ମନୁ ତବ ଅର୍ଥେ ଜଗତେ ବିଖ୍ୟାତି।୩୩।

ଇନ୍ଦ୍ର ଦେବତାଙ୍କୁ କୋଇନ୍ତାୟେ କଲେ ପୂଜା

ଶୃଙ୍ଗାର ସମ୍ପଦ ରସ ମାଗଇ ଦେବ ରାଜା।୩୪।

 

କୁନ୍ତଭୋଜର ନନ୍ଦନୀ ସେ କାର୍ଯ୍ୟେଣ କାର୍ଯ୍ୟବନ୍ତୀ

ଭାରାଭର ବହନ୍ତି ସେ ଅନାଦି ଦଇବତୀ।୩୫।

କୋଇନ୍ତାଙ୍କର ତୁସ୍ତି ଯେ ଶୁଣିଣ ବଜ୍ରଧାରୀ

ମହା ସନ୍ତୋଷେଣ ଆଲିଙ୍ଗନ ଚୁମ୍ୱନ ସେହୁ କରି।୩୬।

 

ବଂଶେଣ ନିକଳଙ୍କ ମହାମନ୍ତ୍ରେଣ ନିର୍ଦ୍ଦୋଷୀ

ଇନ୍ଦ୍ରେଣ ରମଣ ଯେ ବଢିଲା ମହାନିଶି।୩୭।

ଶତଶିଂଗ ପର୍ବତୁଂ ସେ ଗଙ୍ଗା ହୋଇଛି ଉତପତ୍ତି

ପାତାଳ ଭେଦିଛି ପଞ୍ଚଚିରିଶ ଧାରା ମୂର୍ତ୍ତି।୩୮।

 

ପାବିନୀ ଭାବିନୀ କାମିନୀ ପାପନାଶିନୀ

ଗଙ୍ଗା ଗୋମତୀ ନର୍ମଦା ବଇତ୍ରଣୀ।୩୯।

ମେଖଳା ତ୍ରିପୁରା ଭାଲୁଙ୍କୀ ଭଇରୋବୀ

ଯମୁନା ସରସ୍ୱତୀ ପାତାଳ ସମ୍ଭବୀ।୪୦।

 

କାଶା କଉଶିକୀ ଅରଣ୍ୟ ମେଖଳା

ବେଣୀ ଗଉତମୀ ନାରାୟଣୀ ଚଞ୍ଚଳା।୪୧।

ବିଜୟା ଚିତ୍ରଉତପଳା ଗଗନ ଗୁପତା

ଚନ୍ଦ୍ରଭାଗା ବୃହସ୍ପତୀ ନନ୍ଦିନୀ ବୃଦ୍ଧମାତା।୪୨।

 

ତମସା ସଉଭଦ୍ରା ଚଉରୀ ଧବଳାଙ୍ଗୀ

ବୃଦ୍ଧାୟୀ ହରପ୍ରିୟା ଅନନ୍ତା ଯୋଗାଙ୍ଗୀ।୪୩

ପଞ୍ଚତିରିଶ ଧାରା ସେ ପର୍ବତେ ଫୁଟଇ

ମହାତୀର୍ଥମାନେ ସେ ବିଷ୍ଣୁପାଦ ଅଟଇ।୪୪।

 

ତହିଂ ମିଶ୍ରିତ ଯେ ସରସ୍ୱତୀ ତ୍ରିବେଣୀ

ତହିଂର ତୀରେ ଇନ୍ଦ୍ର କୋଇନ୍ତାଙ୍କର ରମଣି।୪୫।

 

ସେ ନଦୀର ତୀରେ ଅଛି ଅର୍ଜ୍ଜୁନ ନାମେ ବନ

ଶୀତଳ ଅମିୟ ବହଇ ପବନ।୪୬।

ବିଶେଷେ ବସନ୍ତ ଋତୁ ମୀନ ମାସ କୃଷ୍ଣପକ୍ଷ ପ୍ରଥମ ଦୁତୀୟା

ଭୃଗୁବାର ଉତ୍ତରା ଫାଲୁଗୁନୀ ଶତଶ୍ରିୟା।୪୭।

 

ବାଣିଜ୍ୟ ନାମେ କରଣ ଧୃତି ନାମେ ଯୋଗ

କନ୍ୟା ଚନ୍ଦ୍ରମାକୁ ସପତମ ଦଣ୍ଡଭୋଗ।୪୮।

ଦୁତୀୟା ଘରେ ଶନିଚର ଚତୁର୍ଥେ ବୃହସ୍ପତି

ଅମୃତାକ୍ଷ ନାମେ କାଳ ପାତାଳେ ଭୋଗ ରାତି।୪୯।

ରାହୁ ନବମରେ ଚନ୍ଦ୍ର ବଳୀୟାର ଯୋଗେ

ଇନ୍ଦ୍ରଙ୍କର ଶୃଙ୍ଗାର କୋଇନ୍ତା ଦେବୀଙ୍କର ସଙ୍ଗେ।୫୦।

 

କୋଇନ୍ତାୟେ ବୋଇଲେ ଦେବ ଶୁଣିମା ସୁରପତି

ସଇନ୍ଦୁ ପୁତ୍ରେକ କରିବୁଟି ଉତପତ୍ତି।୫୧।

ପୁତ୍ରର ଦର୍ପ ମୁଂ ସହି ନୁଆରଇ ଭାରି

ମଣ୍ଡଳାଧିପତି ତୁ ଆକାଶକୁ ଅଧିକାରୀ।୫୨।

 

ମହା ବଳବନ୍ତା ତୁ ଦେବତାଙ୍କର ରାଜ

ମୁହିଂ ମାନୁଷୀଟି ସହି ନୁଆରଇ ୟେ ତୋହୋର ବୀର୍ଯ୍ୟ।୫୩।

ଆଦିହୁଂ ଅବିଭାଇତ କାଳେ ମୋତେ ଆଦିତ୍ୟ ରମଣ କଲା

ସଇନ୍ଦୁ ପୁତ୍ରେକ ଉତପତ୍ତି ଯେ ହୋଇଲା।୫୪।

 

ସେହି ପ୍ରକୃତି ଯେ ଭାବିଲାକ ମୋର ଅଙ୍ଗେ

ୟେବେ ମୁଂ ଗର୍ଭର ଭାରା ସହିବି କେବଣ ବାଗେ।୫୫।

ଶୁଣିଣ ସାନନ୍ଦ ଯେ ପୁରନ୍ଦର ଦେବତା

କୋଇନ୍ତାୟେ ରମଣ ଇଚ୍ଛଇ ବରଦାତା।୫୬।

 

ବିଶେଷେ କାମିନୀ ସେ ପ୍ରୋଢାୟେ ବୟସୀ

ଦେବରାଜା ତୁଲେଣ କ୍ରିଡା ରଙ୍ଗେ ରସି।୫୭।

ଅପଛରୀ ରମଣୀ ସେ ରତି ଶାସ୍ରେ ଜିତା

ଚନ୍ଦ୍ର ପବନ ବାରିଣ ସେ ଶୃଙ୍ଗାରେ ଶକତା।୫୮।

 

ସ୍ତିରୀଜନଙ୍କର ସଭାବ ସେ ଗାଢ ଶୃଙ୍ଗାରେଣ ତ୍ରିପୁତି

ଅଗ୍ନି ଦେବତା ଯେହ୍ନେ ଘୃତେ ହୋନ୍ତି ଶାନ୍ତି ମୂର୍ତ୍ତି।୫୯।

ମତ୍ତ ତନୁ ଘେନି ଯେବଣ ପୁରୁଷ ପାବନ୍ତି କେଳି

ରାତ୍ର ଦିବସେ ସେ ସହିପାରନ୍ତି ଆର୍ଦୋଳି।୬୦।

 

ମନ ଚଇତନ ୟେକତ୍ୱ କଲା ସଞ୍ଚା

ପବନ ହେଠାଇଣ ଉଜାଣି କଲାକ ସେ ବଞ୍ଚା।୬୧।

ଶ୍ରୁତି ସ୍ମୃତି ଧୃତି ଶାନ୍ତି ସୁଷୁମୁନା

ୟେ ପଞ୍ଚନାଡ଼ି ଅଟଇ ଶରୀରକୁ ବଜ୍ରସେହ୍ନା।୬୨।

 

ତରଳ ତାରଳ ଇଅଂଳା ପିଅଂଳା ଘୋଟି

ନବ ନାଡ଼ି ମୂଳେଣ ଅଛଇ ବାଆସ୍ତୋରି କୋଟି।୬୩।

ୟେହାନ୍ତ ୟେକତ୍ୱ କରି ପଞ୍ଚମ ଶରଭୋଗୀ

ଅନଙ୍ଗ ବଞ୍ଚାଇଲା ସେ ପୁରୁଷ ପରମ ଯୋଗୀ।୬୪।

 

ଅଗ୍ୟାନେ ହେଠାଇଲା ସେ ଟେକିଲା ୟେକ ବ୍ରହ୍ମେ

ବାସ୍ତରୀ କ୍ରୀଡ଼ା କଲେ ଭବ ଯେ ସାଂଗ୍ରାମେ।୬୫।

ଖେପଇ ବାସବ ଯେ ନଖ ଦନ୍ତ ଶର

କୋଇନ୍ତାୟେ ବଞ୍ଚାବନ୍ତି ନ ଫୁଟଇ ଶରୀର।୬୬।

 

ଓହୋ ବଳ ସଂଗ୍ରାମେ ବଢିଲା ରସ ଯୁଦ୍ଧ

ଭବ ଭଗ ଶାନ୍ତି ଯେ ନୋହିଲା କାମ ବନ୍ଧ।୬୭।

ଅଦୁଷ୍ଟି ନାରାଜ ବିନ୍ଧଇ ପଞ୍ଚବାଣ

ଭାବେ ଅନ୍ୟୋଅନି ପୀଡୁଛି ମୟାଣ।୬୮।

 

ବିଶେଷେ ବନଗହନ ନିଗମ ସ୍ଥାନ ଭୂମି

ଆକାଶେ ଦୃଶ୍ୟଭାବ ରୋହିଣୀ ବଲ୍ଲଭ ଦେବ ସ୍ୱାମୀ।୬୯।

ବସନ୍ତେ ଚନ୍ଦ୍ରମାୟେ ମହା ନିରିମଳ

ସମସ୍ତ ଦିଶଇ ସେ ଦିବସହୁଂ ପରିମଳ।୭୦।

 

ଅଶାନ୍ତ ଶୃଙ୍ଗାରେଣ ଅତୁଷ୍ଟ ଦେବରାଜ

ରଜନୀ ନିକଟେ ଶେଷ ସେ ଛାଡିଲେ ମହାବୀର୍ଯ୍ୟ।୭୧।

ଦୁହେଂ ମନ ଶାନ୍ତି ସେ ପରମ ସାନନ୍ଦୁଂ

ସୁସଞ୍ଚେ କୁମାରେକ ଉତପତ୍ତି ହୋଇଲା ସଇନ୍ଦୁ।୭୨।

 

ମାତଳି ମେଳେ ଯେ ଥିଲେ ଚଞ୍ଚଳାଗଣ ଅନ୍ତରୀକ୍ଷେ

ପୁଷ୍ପକ ଘେନିଣ ଯାଇଂ ମିଳିଲେ ସହସ୍ରାକ୍ଷେ।୭୩।

ଦେବଗଣେ ଦୁନ୍ଦୁଭି ବଜାନ୍ତି ରଙ୍ଗେ ଘେନି

ଚଉଷଠି କୋଟି ଅପଛଇରୀ ଦିଲେ ହୁଳହୁଳି ଧୂନି।୭୪।

 

ଅମଳାଣ ବସ୍ତ୍ର ଯେ ପିନ୍ଧିଣ ସର୍ବବାଳୀ

କେହୁ କୋନ୍ତାଙ୍କୁ ଧରଇ କେ ପୁତ୍ରକୁ ସମ୍ଭାଳି।୭୫।

ତପତ ଜଳ ଘେନି ସୁବାସିତ ପାଣି

ପୁତ୍ର ଅଙ୍ଗ ପଖାଳନ୍ତି ଅତ୍ୟନ୍ତ କୋମଳ ଜାଣି।୭୬।

 

ମଧୁ ଘୃତ କପିଳାର କ୍ଷୀର ଯେ ପ୍ରବର୍ତ୍ତି

କୁମାରର ଅଙ୍ଗେ ନେଇ ଲେପନ କରନ୍ତି।୭୭।

ଆପଣେ ଥାଇଣ ସେ ସୁରେଶ୍ୱର ରାଜା

ଶ୍ରୀହସ୍ତେ ଅର୍ଘ୍ୟ ଘେନି କୁମାରକୁ କଲେ ପୂଜା।୭୮।

 

ରମ୍ଭା ଉର୍ବଶୀ ମଦନା ମେନକା କାମସେଣା

ଶେଯ୍ୟାୟେ ଯୁଗତେ ଶୁଆଇଲେ ସମସ୍ତେ ଅପର୍ଣ୍ଣା।୭୯।

ନୀଳେନ୍ଦୀ ଦଳ ପରାୟେ କୁମରର ତନୁ

ବିଚିତ୍ର ବେଶନ ରୂପ ସୁନ୍ଦର କି କୋଟି ସୂର୍ଯ୍ୟଭାନୁ।୮୦।

 

ଅତି ସୁନ୍ଦର ସେ ଅର୍ଜ୍ଜୁନ ନାମେ ବନ

ସେ ବନେଣ ଯେ ପୁତ୍ର ହୋଇଲା ଉତପନ୍ନ।୮୧।

ଅତିଅନ୍ତ ହରଷ ହୋଇଣ ମଘବାନ

ଅର୍ଜ୍ଜୁନ ବନ ଦେଖି ପୁତ୍ର ନାମ ଦିଲେ ଅରଜୁନ।୮୨।

 

ବୃହସ୍ପତି ଗଣିଲେ ସପତାଙ୍କ ପାଞ୍ଜି ଘେନି

ପୁତ୍ର ଜାତ ହୋଇଲା ଉତ୍ତରା ଫାଲୁଗୁନୀ।୮୩।

ବୃହସ୍ପତି ବୋଇଲେ ଅତିଅନ୍ତେ ସୁନ୍ଦର ସଉଚ୍ଛମ

ତେଣୁ ଦେବଗୁରୁ ଦିଲେ ଫାଲଗୁନି ୟେହାର ନାମ।୮୪।

 

ଉତ୍ତରା ଫାଲଗୁନୀ ହୋଇଲା କନ୍ୟାରାଶି

ଗଣ୍ଡମୂଳ ନାସ୍ତି ମାହିନ୍ଦ୍ର ଯୋଗ ଭାଷି।୮୫।

ସର୍ବ ଗୁଣେ ସୁନ୍ଦର ସୁଲକ୍ଷଣ ସୁରବଇଂର ବଳା

ଅମର ଆସନକୁ ବିଜୟେ ଆଖଣ୍ଡଳା।୮୬।

 

ଅମର ଅଳଙ୍କାର ଯେତେ ଦେବରାଜାର ଥିଲା

ପୁତ୍ରକଇ ମଣ୍ଡିଣ ସୁରନାଥ ବେଗେ ଗଲା।୮୭।

ଉର୍ବଶୀ ଆସି ଧଇଲେ କୋଳରେ

ସବ୍ୟସାଚୀ ନାମ ଦିଲେ ଯୁବତୀ ରତ୍ନ ସାରେ।୮୮।

 

ପଣ୍ଡୁ ପ୍ରବେଶ ହୋଇଲେ ସୁରନଦୀ କୂଳେ

ତ୍ରିଭୁବନ ମୋହନ ପୁତ୍ର କୋଇନ୍ତାଙ୍କର କୋଳେ।୮୯।

ଦେଖିଣ ମହାରାଜା ଅନେକ ସାନନ୍ଦେ

ବହୁତ ପୁରସରି କୋଇନ୍ତାଙ୍କୁ ହାଦେ।୯୦।

 

ଯୁଝେଷ୍ଠି ଭୀମ ଅରଜୁନ ଯେ ପୁତ୍ର ତିନି

ପାଳନ୍ତି କୋଇନ୍ତାୟେ ମାଦ୍ରୀ ଦେବୀ ଘେନି।୯୨।

ବଇବସୁତ ମନୁ ବୋଇଲେ ଶୁଣ ଅଗସ୍ତିୟେ

ମୁକୁଇଂ ଫେଡ଼ିବ କଥା ୟେକ ସନ୍ଦେହେ।୯୨।

 

ଧର୍ମ ଦେବତାୟେ ଯେବଣ ପୁତ୍ର ଗୋଟି

ତାହାର ନାମ ଦିଲେ କିମ୍ପା ଧର୍ମଯେ ଯୁଝେଷ୍ଠି।୯୩।

ଅଗସ୍ତି ପ୍ରତିବାକ୍ୟ ଶୁଣିମା ମହାରାଜେ

ପ୍ରଥମେ କର୍ଣ୍ଣ ଉପୁଜିଲା ୟେ ପୁତ୍ର ହୋଇଲା ଦୁଜେ।୯୪।

 

କୋଇନ୍ତାୟେ ବୋଇଲେ କର୍ଣ୍ଣ ମୋହୋର ଜ୍ୟେଷ୍ଠ

ଗଙ୍ଗାରେ ପକାଇଲି ମୁଂ ବାଳୁତ ଗ୍ୟାନଭ୍ରଷ୍ଟ।୯୫।

ସେ ପୁତ୍ର ଲୋଡ଼ିଲେ ପାଇବି ଆର କାହିଂ

ଦୁଜେ ଉପୁଜିଲା ଜ୍ୟେଷ୍ଠ ପୁତ୍ର ୟେହି।୯୬।

 

ମହା ଗ୍ୟାନବନ୍ତ ୟେ ଅହର୍ନିଶି କର୍ମ

ତେନ୍ୟାୟଂରୁ କରି ନାମ ଦିଲେ ଯୁଝେଷ୍ଠି ଦେବଧର୍ମ।୯୭।

କୋଇନ୍ତା ଦେବୀଙ୍କର ଯେ ତିନି ପୁତ୍ର ଉପୁଜିଲା

କୋଇନ୍ତାଙ୍କୁ ଭଗତି ହୋଇଂ ମଦନା କିସ କଲା।୯୮।

 

ତିନି ପୁତ୍ର ଘେନି ସେ କୋଇନ୍ତା ଦେବୀ ଭାଳି

ସହି ନୁଆରଇ ଆଉ ପର ଶୃଙ୍ଗାର ଆର୍ଦୋଳି।୯୯।

ଆପଣା ସ୍ୱାମୀ ଜାଣଇଂ ଆପଣା ଭାରିଯାର ଚିନ୍ତା

ପର ପୁରୁଷ ଶୃଙ୍ଗାରେ ବଡ଼ାଇ ଅବସ୍ତା।୧୦୦-୨୬୯୦।

 

ପୁତ୍ର ନିମନ୍ତେ ମାଦ୍ରୀର ନାରାୟଣଙ୍କୁ ସ୍ମରଣ, ନାରାୟଣଙ୍କ 

ନାସ୍ତିରେ ଦୁର୍ବାସାଙ୍କର ଅନ୍ୟ ଦେବତାଙ୍କୁ 

Unknown

ସ୍ମରଣ କରିବାକୁ ମାଦ୍ରୀଙ୍କୁ କଥନ

 

ନପାରଇ ସହି ତାର ଶୃଙ୍ଗାର ଆର୍ଦ୍ଦୋଳି

ମଦନାକୁ ବସାଇ ଦେବୀ ସନ୍ନିଧ୍ୟରେ ଭାଳି।୧।

ତୁ ମାଦ୍ରୀ ମୋହୋର ସପତଣୀ ହୋଇଲୁ ଅବା

ଭୃତ୍ୟର ଭୃତ୍ୟ ହୋଇଣ ତୁ ମୋତେ ବହୁତ କଲୁ ସେବା।୨।

 

ତୁ ମୋହୋର ଅଭିନ୍ନ ପ୍ରାଣର ସଂଘାତୁଣୀ

ମୋତେ ସେବା କରି ହୋଇବୁକି ଅପୁତ୍ରିକ ଲକ୍ଷଣୀ।୩।

କୋଇନ୍ତାୟେ ମାଦ୍ରୀକି ଦଲେ ଜପାମାଳି

ଦିଗପାଳ ଗୋଟିକୁ ସୁମରଣା କର ମନର ହିଆଳୀ।୪।

 

ଆପଣେ ଥାଇ କୋନ୍ତଭୋଜର ଦୁହିତେ

ମଦନାକୁ ସଞ୍ଚିତ କଲେ ସେ ଶେଯ୍ୟାର ଯୁଗତେ।୫।

ମଦନା ମହାଦେବୀ ଯେ ଅଟଇ କୁମାରୀ

ୟେହାର ମାତା ଅଟଇ ମଳୟ ବସନ୍ତା ଅପଛରୀ।୬।

 

ବାସବର କୋପେ ସେ ପାଇ ଅଭିଶାପ

ମଧ୍ୟପୁରେ ଉପୁଜିଲା ଧରି ମାନୁଷୀ ସରୂପ।୭।

ତାହାର ଦୋହିତାୟେ ମଦନାବତୀ ନାମ

ବାଛିଣ ପଣ୍ଡୁରାଜାକୁ କଲାକ ପ୍ରଦାନ।୮।

 

ତାହାର ରୂପଗୁଣ କହିତ କିପାରି

ପୃଥିବୀ ଅଳଙ୍କାର ସେ ଅଟଇ ସୁନ୍ଦରୀ।୯।

କରେଣ କୋଇନ୍ତାୟେ ଦିଲେକ ଜପାମାଳି

ଯାହାକୁ ଇଚ୍ଛା ତୋର ସୁମର ମନେ ଭାଳି।୧୦।

 

ୟେତେକ ତିଆରି ଗଲେ ଦେବୀ କୋନ୍ତେ

ମାଦ୍ରୀ ବେଶନ ହୋଇଲା ଶେଯ୍ୟାର ଯୁଗତେ।୧୧।

ବୋଇଲେ ଧର୍ମ ପବନ ଇନ୍ଦ୍ରେ କୋଇନ୍ତାୟେ ପୁତ୍ର କଲେ ଜାତ

ଦେବତାଙ୍କ ମଧ୍ୟେ ଆଉ ନାହିଂ ବଲବନ୍ତ।୧୨।

ନାରାୟଣ ଦେବାତାଙ୍କୁ ସୁମରିବି ଆଜ

 

ବିଷ୍ଣୁଙ୍କର ବୀର୍ଯ୍ୟେ ମୋର ଉପୁଜୁ ତନୁଜ।୧୩।

ମୋହୋର ପୁତ୍ର ଗୋଟି ହୋଇବ ଯେ ବଳବନ୍ତ

ସପତ ବ୍ରହ୍ମାଣ୍ଡକୁ ସେ ହୋଇବ ଯେ ୟେକ ଛତ୍ର।୧୪।

 

ଗାନ୍ଧାରୀ ପୁତ୍ରନ୍ତ କୋଇନ୍ତା ପୁତ୍ରନ୍ତ ଜିଣି

ୟେ ମୋହୋର କୁମର ହୋଉ ୟେକାଙ୍ଗ ନୃପମଣି।୧୫।

ୟେତେକ ବିଚାରି ଦେବୀ ୟେକାନ୍ତ ନିଶାକାଳେ

ନାରାୟଣ ସୁମରଇ ସେ ଦୁର୍ଭାସା ମନ୍ତ୍ରବଳେ।୧୬।

 

ବଇନେତ୍ରେୟ ବାହାନେଣ ସେ ଦେବ ନାରାୟଣ

ଅନ୍ତରୀଚ୍ଛ୍ୟେ ବିଜେକଲେ ଶତଶିଂଗ ପର୍ବତେଣ।୧୭।

ଅନେକ ବେଶନ ହୋଇ ମଦନସେନର କୁମାରୀ

ଅର୍ଘ୍ୟ ତଳେ ଥୋଇଲା ସେ ନାରାୟଣ ନାରାୟଣ ସୁମରି।୧୮।

 

ୟେମନ୍ତ ସମୟେ ଯାଇଂ ଶ୍ରୀକୃଷ୍ଣ ବିଜେକଲେ

ଦେଖିଣ ମାଦ୍ରୀ ଦେବୀ ଆସନ ତେଜ୍ୟା କଲେ।୧୯।

ନାରାୟଣ ବୋଇଲେ ତୁ ଶୁଣ ପଣ୍ଡୁର ପାଟରାଣୀ

ନିରାକାର ବୋଧିଲା ତୋହୋର ଜ୍ୟେଷ୍ଠ ସପତଣୀ।୨୦।

 

ତାହାର ବୀର୍ଯ୍ୟେ ଉପୁଜିଲା ଯେବଣ ପୁତ୍ରଗୋଟି

ନିରଞ୍ଜନ ଦେବତା ସେ ମୋହୋର ଠାକୁର ଯୁଝେଷ୍ଠି।୨୧।

ତୁ ମୋହୋର ମାତା ଗୋ ପ୍ରତକ୍ଷେ ନିରଞ୍ଜନୀ

ପୁତ୍ରକୁ କିମ୍ପା ସୁମରିଲୁ ମହାମନ୍ତ୍ର ଘେନି।୨୨।

 

ଋଷିର ମହାମନ୍ତ୍ର ଗୋ କେମନ୍ତେ ଯିବି ମେଣ୍ଟି

ନିଜ ପ୍ରାଣ ବିସର୍ଜିବି ମୃଧୁନା ଯିବ ଫାଟି।୨୩।

ମାତାର ତୁଲେ ଗୋ କାହିଂ ପୁତ୍ରର କାମ ଭେଟ

ମୋତେ କରାଇଲୁ ଗୋ ଦୁସହ ସଂକଟ।୨୪।

 

ତୁ କିମ୍ପା ବିଚାର ଗୋ ନକଲୁ ୟେହା ମନେ

ଗ୍ୟାନ ଥାଉଂ ଥାଉଂ ଗୁରୁପତ୍ନୀ ହରିବି କେସନେ।୨୫।

ୟେମନ୍ତ କର୍ମ କିମ୍ପା କଲୁ ଗୋ ମାହେଶ୍ୱରୀ

ମୋତେ ସୁମରିଲୁ କଥାନ୍ତ ନ ବିଚାରି।୨୬।

 

ୟେବେ କିସ ବିଚାର କର ଗୋ ମହାତ୍ମାଣୀ

ମାଦ୍ରୀ ଆଶ୍ରିଜ ହୋଇଲେ ନାରାୟଣଙ୍କ ବଚନ ଶୁଣି।୨୭।

ମମ କର୍ମେ ୟେହେନେକ ଫଳ ଫଳିଲା ଚକ୍ରପାଣି।୨୮।

ଅନ୍ତରେ ଥାଇଂ ଯେ ଦେଖୁଥିଲେ ଦେବୀ କୋଇନ୍ତା

ଧାତିକାରେ ବିଜେ କଲେ ଧର୍ମର ବନିତା।୨୯।

 

ଦେଖିଲେ ନାରାୟଣ ଶଙ୍ଖ ଚକ୍ର ଧାରୀ

କୋଦଣ୍ଡ ଧରିଣ ନାଥ ବିଜୟେ କି ବିଚାରି।୩୦।

ନାରାୟଣଙ୍କ ବିଜେ ଦେଖି କୋଇନ୍ତାୟେ ଆଶ୍ରିଜ

ସୁଗ୍ୟାନୀ ମାଦ୍ରୀତ ପାଇଲା ଦେବରାଜ।୩୧।

ୟେହାର ବୀର୍ଯ୍ୟେ ଉତପତ୍ତି ହୋଇଲେ ସନ୍ତତି

ନାରାୟଣ ତନୁଜ ଯେ ହୋଇବ ୟେକଛତ୍ରୀ।୩୨।

 

କୋଇନ୍ତାକୁ ଦେଖିଣ ସେ ଦେବ ଚକ୍ରଧାରୀ

ଧାତିକାରେ ନାରାୟଣ ଗରୁଡ ପିଠିରୁ ଅବତରି।୩୩।

ନାରାୟଣ ବୋଇଲେ ମା ଗୋ ନିରଞ୍ଜନ ତୋଷିଲୁ ମହା ମନ୍ତ୍ରବଳେ

ଧର୍ମଦେବତାୟେ ବିଜେ କଲେ ଆସି ତୋର କୋଳେ।୩୪।

 

ବିବୁଧାଦିଗଣ ଯାହାର ନ ଦେଖନ୍ତି ବର୍ଣ୍ଣ ଚିହ୍ନ

ସେ ଧର୍ମ ମହାତମା ତୋତେ ହୋଇଲେ ପ୍ରସନ୍ନ।୩୫।

ଆମ୍ଭେ ଯେ ତୁମ୍ଭର ପୁତ୍ର ତୁମ୍ଭେ ଆମ୍ଭର ମାୟେ

ତୁମ୍ଭେ କିମ୍ପା ଚିନ୍ତିଲ ମା ଗୋ ୟେସନେକ ଉପାୟେ।୩୬।

 

ଗୁରୁପତ୍ନୀ ଶିଷ୍ୟପୁତ୍ର କାହିଂ ଅଛି ୟେକ ଯୋଗ

ଦୁର୍ଭାସାଙ୍କ ମନ୍ତ୍ର କେହ୍ନେ କରିବି ପରିତ୍ୟାଗ।୩୭।

ୟେ କଥା ବିଚାର ଗୋ କରିବା ମାହେଶ୍ୱରୀ

କୋଇନ୍ତାୟେ ବୋଇଲେ ୟେତ ନଜାଣିଲା ବିଚାର କରି।୩୮।

 

ୟେହା କହୁଂ କୋଇନ୍ତାକୁ ଲାଗିଲା ମହାଭୀତି

ତହିଂକି ପ୍ରିୟ ଯୋଗ ଜଗନ୍ନାଥେ କରନ୍ତି ନାସ୍ତି।୩୯।

କୋଇନ୍ତାୟେ ବୋଇଲେ ତୁମ୍ଭେ ବିଜେ କରିବା ଦାମୋଦର

ଆଗୋ ମାଦ୍ରୀ ତୁ ଆନ ଦେବତା ସୁମର।୪୦।

 

ଗୋବିନ୍ଦ ବୋଇଲେ ମା ଗୋ ଦୁଃସହ ହୋଇଲାକ ମୋତେ

ଦୁର୍ଭାସାଙ୍କର ମହାମନ୍ତ୍ର ମୁଂ ବଞ୍ଚିମି କେମନ୍ତେ।୪୧।

ୟେଥକୁ ପ୍ରତିକାର ସିନା ସେହି ଋଷିହିଂ ଜାଣନ୍ତି

ତାହାଙ୍କୁ ସୁମରଣା କର ମା ଗୋ କୁନ୍ତୀ।୪୨।

ଶୁଣିଣ ସାନନ୍ଦ ଯେ ଭୋଜରାଜର କୁମାରୀ

ୟେକ ଲୟେ କରି ଦୁର୍ଭାସାଙ୍କୁ ଯେ ସୁମରି।୪୩।

 

ଦଣ୍ଡକମଣ୍ଡଳ କଷା କଉପୁନୀ ଶୀତାଂସୁ

ତାମ୍ର ବର୍ଣ୍ଣ ଗାତ୍ର ଅଙ୍ଗେଣ ଲେପନ ପାଂଶୁ।୪୪।

ନାରାୟଣଙ୍କୁ ଦେଖିଲେ ଦୁର୍ଭାସା ମହଋଷି

ଅର୍ଘ୍ୟ ଘେନି ପୂଜା କଲେ ଯେ ପଣ୍ଡୁରାଜାର ପାଟବଂଶୀ।୪୫।

 

ଦୁର୍ଭାସାୟେ ବୋଇଲେ ମା ଗୋ ମାଦ୍ରୀ ତୁ ମନ୍ଦ କୃତ୍ୟ କଲୁ

ନାରାୟଣ ଦେବତାଙ୍କୁ କିମ୍ପେ ସୁମରିଲୁ।୪୬।

ଦୁର୍ଭାସାଙ୍କ ବଚନେ ବଦୟନ୍ତି ଦାମୋଦର

ଭୋ ମୁନିବର ତୋହୋର ବଚନ ୟେଥି କି ପ୍ରତିକାର କର।୪୭।

 

ନାରାୟଣଙ୍କ ଆପଦ ଖଣ୍ଡିଲେ ଦୁର୍ଭାସା

ଆନ ପୁରୁଷକୁ ମଦନାବତୀ ଗୋ ବଳାଅ ମନୀଷା।୪୮।

 

ଦୁର୍ବାସାଙ୍କର କୁନ୍ତୀଙ୍କ ପୁତ୍ର ଦର୍ଶନ କାଳରେ ହରି ଅର୍ଜୁନଙ୍କର ସାକ୍ଷାତ। ବ୍ୟାସଙ୍କୁ କୃଷ୍ଣ-ଅର୍ଜ୍ଜୁନର ମିତ୍ରତା ଯୁଗ ଯୁଗ କରିହେବା ବର୍ଣ୍ଣନା। କୃଷ୍ଣଙ୍କ ଦ୍ୱାରା ବିଶ୍ୱରୂପ ଦର୍ଶନ

 

ଦୁର୍ଭାସା ବୋଇଲେ ଆଗୋ କୁନ୍ତଭୋଜର କୁମାରୀ

ଦେଖିବା ଆଣନି ଗୋ ପୁତ୍ରନ୍ତ ତୋହୋରି।୧।

ଶୁଣିଣ ଉଷତ ଯେ ପଣ୍ଡୁର ପାଟରାଣୀ

ଯୁଝେଷ୍ଠି ଭୀମ ଅର୍ଜୁନ ତିନିକଇ ଆଣି।୨।

 

ପୁତ୍ରନ୍ତ ଘେନିଣ ସେ ଭୋଜରନନ୍ଦନୀ

ଶତ ସହସ୍ର ଦଣ୍ଡ ପ୍ରଲମ୍ୱ ଦୁର୍ଭାସା ମହାମୁନି।୩।

ଦୁର୍ଭାସାୟେ ବୋଇଲେ ତୋର ପୂରୁ ମନବାଞ୍ଛା

ସୁଖେ ପଞ୍ଚୁ କଟକ ଭୋଗକର ଯେ ତୋହୋର ସଇଚ୍ଛା।୪।

 

ନାରାୟଣ ନିରୋପନ୍ତି ଯୁଝେଷ୍ଠିଙ୍କ ବଦନ

ଶୁକ୍ଲାମ୍ୱର ପୁରୁଷ ୟେ ପ୍ରତକ୍ଷେ ନିରଞ୍ଜନ।୫।

ଧବଳ ଶରୀର ଶୁଦ୍ଧ ସଷ୍ଟିକର ପ୍ରାୟେ

ନାରାୟଣ ପ୍ରଣପତ୍ୟ ହୋଇଲେ ଯୁଝେଷ୍ଠିଙ୍କ ପଦ୍ମ ପାୟେ।୬।

 

ମହାଧାର୍ମିକ ସେ ବିବେକ ଗୁଣବନ୍ତା

ଅଜପା ଲୟେ କଲ୍ୟାଣ କଲେ ନ କହିଣ କଥା।୭।

ନାରାୟଣ ବିଚାରନ୍ତି ୟେ ପୁରୁଷ ମହାବ୍ରହ୍ମ

ଜନ୍ମର ସୁଫଳ ହୋଇଲା ପାଇଲି ଦରଶନ।୮।

 

ଅନେକ ସାନନ୍ଦ ସେ ହୋଇଲେ ଦେଖିଣ ଅର୍ଜୁନକୁ

ହୃଦରେ ଲଗାଇ ବୋଇଲେ ମୋହୋର ୟେହି ସେ କଳାବୁକୁ।୯।

ଗଳାରେ ଲମ୍ୱାଇଲେ କୃଷ୍ଣ ମରକତ ମଣି

ଅନେକ ଅଳଙ୍କାର ଆଭରଣ କଲେ ଦେବ ଚକ୍ରପାଣି।୧୦।

 

ଅନେକ ସନ୍ତୋଷେ ନାରାୟଣ ବୋଇଲେ

କୋଳରେ ଧରି ହରି ଦୁତିକୃଷ୍ଣ ନାମ ଦିଲେ।୧୧।

ଯହୁଂ ଅର୍ଜୁନକୁ କୋଳେ ଧଇଲେ ଶ୍ରୀପତି

ସରୂପ ବାରଣ ନୋହିଲା ଦୁହିଂଙ୍କର ୟେକ ମୂର୍ତ୍ତି୧୨

 

ଅର୍ଜୁନକୁ ଘେନିଣ ଦେବ ବନମାଳୀ

ମଥୁରା ନ ଗଲେ ଶତଶିଂଗ ପର୍ବତେଣ ଖେଳି।୧୩।

ମହା ଅରଣ୍ୟେ ପଶନ୍ତି କ୍ରୀଡା ରଙ୍ଗ ରସେ

ରାତ୍ରେଣ ଅର୍ଜୁନର ମେଳେ, ମଥୁରା ଦିବସେ।୧୪।

 

କୃଷ୍ଣ ଅର୍ଜୁନ ଦୁହେଂ ଅଛନ୍ତି ଯମୁନା କୂଳେ ବସି

ବାରିତ ନ ହୁଅନ୍ତି ଦୁହେଂ ୟେକ ସରୂପ ପ୍ରାୟେ ଦିଶି।୧୫।

ହସନ୍ତି ରସନ୍ତି ଖେଳନ୍ତି ସେ କ୍ରୀଡ଼ା ରଙ୍ଗରସେ

ୟେମନ୍ତର ସମୟେ ଆସି ମିଳିଲେ ମୁନିବ୍ୟାସେ।୧୬।

 

ବ୍ୟାସଙ୍କୁ ଦେଖି ଉଠିଲେ କୃଷ୍ଣ ଅରଜୁନ

ଶତ ସହସ୍ର ଦଣ୍ଡପ୍ରଲମ୍ୱ ହୋଇଲେ ପଣ୍ଡୁନାନ।୧୭।

ବ୍ୟାସେ ପ୍ରତିବାକ୍ୟ ତୁମ୍ଭର ବହୁତ ଅନ୍ତର

ଶତଶିଂଗ ପର୍ବତକୁ ମଥୁରା ଚାରି ସହସ୍ର ଯୋଜନ ଦୂର।୧୮।

 

ୟେତେଦୂରେ ଥାଇଂ ତୁମ୍ଭର କେମନ୍ତେ ୟେଡ଼େକ ପୀରତି

ମନୁଷ୍ୟ ଦେଖି ନାରାୟଣ କେମନ୍ତେ ଧୀରମତି।୧୯।

ନାରାୟଣ ବଦନ୍ତି ଶୁଣ ମୁନିବ୍ୟାସେ

କୁମୁଦ ଥାଇ ଜଳେ ଚନ୍ଦ୍ର ଥାଇ ଆକାଶେ।୨୦।

 

ଦୁଇଲକ୍ଷ ଯୋଜନ ବହୁତ ଅନ୍ତର

କୁମୁଦବନ୍ଧୁ ନାମ କିମ୍ପା ବହିଲା ଶଶଧର।୨୧।

ଯାହାରେ ଯାହାରେ ସେ ଅଟଇ ପ୍ରୀତିଭାବ

କେ ଆକାଶେ କେହୁ ପାତାଳେ କେହୁ ରାତ୍ର ଦିବ।୨୨।

 

ଦୀପିତ ସତ୍ୟଯୁଗେ ମୁଂ ନାରାୟଣ ଅବତାର

ୟେ ମୋହୋର ଅର୍ଜୁନ ଅଟଇ ବ୍ରାହ୍ମଣ ଦାମୋଦର।୨୩।

ଶୁକ୍ଲାମ୍ୱର ସତ୍ୟ ଯୁଗେ ଅଣାକାର ବିଷ୍ଣୁ ଦ୍ୱାରେ

ଜୟେ ବିଜୟେ ହୋଇଥାଇଂ ବୈକୁଣ୍ଠ ପୁରେ।୨୪।

 

ଭବାନୀ ସତ୍ୟଯୁଗେ ମୁଂ ଅଟଇ ନୀଳାମ୍ୱର

ୟେ ମୋହୋର ସଖା ଅଟଇ ରୁଦ୍ର ଅବତାର।୨୫।

ବିଧୃତ ସତ୍ୟଯୁଗେ ମୁଂ ଅଟଇ ବିଷ୍ଣୁନାଥ

ସନକ ନାମେ ବ୍ରହ୍ମା ୟେ ମୋର ପଞ୍ଚଭୁତ।୨୬।

 

ଅଭିନ୍ନ ସତ୍ୟଯୁଗେ ମୁଂ ଅଟଇ ଅନନ୍ତ

ଇନ୍ଦ୍ର ଅବତାରେ ୟେ ମୋହୋର ପ୍ରାଣ ହିତ।୨୭।

ହରି ମେଖଳା ସତ୍ୟଯୁଗେ ମୁଂ ଗରୁଡ ନାରାୟଣ

ୟେ ମୋହୋର ମିତ୍ରଟି ଶ୍ରୀବତ୍ସ ବ୍ରାହ୍ମଣ।୨୮।

 

ୟେହୁ ମୋହୋରେ ପ୍ରୀତି ହୋଇ ବହୁତ ଗର୍ବକଲା

ତୋ ତହୁଂ ବଡ଼ ହୋଇବି ବୋଲି ବୋଲିଣ ବୋଇଲା।୨୯।

ସେ କଥାକୁ ୟେହାକୁ ମୁଂ ଅନେକ ରାଗକଲି

ଅନ୍ଧ ଅନ୍ଧୁଣୀ ଘରେ ଜାତ କରାଇଲି।୩୦।

 

ଦରିଦ୍ର ଅବସ୍ଥା ହୋଇ ମାଗୁଥାଇ ଭିକ୍ଷା

ୟେଡ଼େ ଶାସ୍ତି ହେଲା ମୋତେ ଦଣ୍ଡେହେଂ ନକଲା ଉପେକ୍ଷା।୩୧।

ଦିନେ ଭିକ ମାଗି ଯାଉଅଛି ୟେ ନଗ୍ରକୁ

ମାୟାକରି ଲୁଚାଇଲି ମୁଂ ଲୋକ ଯେ ମାନଙ୍କୁ।୩୨।

 

ଅପାର ନଗ୍ର ଉଡ୍ରାଦି ଶିବପୁର ଆଦିକରି

ଆରତେଣ ଭ୍ରମିଲାନି ଦେଶ ନଗ୍ର ଚାରି।୩୩।

ଜନ ମନୁଷ୍ୟ କାହିଂ ଯେ ନ ଦେଖି

ବାହୁଡ଼ି ଆଶ୍ରମକୁ ଆସଇ ମହାଦୁଖୀ।୩୪।

 

ଜଗନ୍ନାଥ ପାଷାଣ ୟେ ଦେଖିଣ କୋପକଲା

ବାମ ପାଦ ନେଇ ମୋର ହୃଦରେ ମାଇଲା।୩୫।

ମୂର୍ତ୍ତିବନ୍ତ ହୋଇଣ ମୁହିଂ ଉଭା ଯେ ହୋଇଲି

ବଥା ପାଇଲୁ ବୋଲି ମୁଂ ତାର ବେନି ପାଦ ମଞ୍ଚାଳିଲି।୩୬।

 

ଭୋ ବ୍ୟାସେ ୟେହାର ମୋହୋର ଭାବ ୟେଡ଼େ ହାଦେ

ୟେହାର ପାଦଚିହ୍ନ ଦେଖ ହୋ ମୋହୋର ହୃଦେ।୩୭।

ହିରଣ୍ୟ ସତ୍ୟଯୁଗେ ମୁଂ ନରସିଂହ ମୂରତି

ୟେହୁ ପ୍ରହଲାଦ ରୂପେ ହିରଣ୍ୟ ଘରେ ଉତପତ୍ତି।୩୮।

 

ହିରଣ୍ୟ ବିଦାରି ମୁଂ ୟେହାଙ୍କୁ ବସାଇଲି କୋଳେ

ଚିରନ୍ତନ ପଦ ଦେଲି ଗଗନ ମଣ୍ଡଳେ।୩୯।

କୁତୂହୋଳ ଇଚ୍ଛାୟେ ସାଂଗ୍ରାମ ପୁଣ କଲୁ

ଶସ୍ତ ପ୍ରଶସ୍ତ ହୋଇଣ ଅବତାର ହେଲୁ।୪୦।

 

ଗ୍ରହଯୋଗ ଇଚ୍ଛା ହିଂ ହୋଇ କୁତୂହୋଳେ

ନାମ ବହିଲୁ ହାଦେ ଆମ୍ଭେ କେତୁ ଯେ ମଙ୍ଗଳେ।୪୧।

ମୁହିଂ କେତୁ ହାଦେ ମଙ୍ଗଳ ଅଟେ ୟେହୁ

କାଳ ଅନରୂପେ ଆମ୍ଭେ ଛଡ଼ା ଛଡି ନୋହୁଂ।୪୨।

 

ୟେ ମହୀମଣ୍ଡଳେ ସତ୍ୟଯୁଗେ ପ୍ରଶୁରାମ ଅବତାରେ

ଦୁହେଂ ଜନମ ହୋଇଲୁ ଜମଦଅଗ୍ନି ଘରେ।୪୩।

ମୁହିଂ ପରଶୁରାମ ୟେ ଅଟଇ ନୀଳରାମ

କ୍ଷତ୍ରୀ ଅନ୍ତ କରିଣ ପାଳିଲୁଂ ଅନେକ ଧର୍ମ।୪୪।

 

ତ୍ରିଜୀବି ହୋଇଲୁଂ ପ୍ରଶୁରାମ ଅବତାରେ

ଆନ କଳାୟେ ଉପୁଜିଲୁଂ ଦଶରଥ ଘରେ।୪୫।

ମୁହିଂ ଯେ ହାଦେ ଶ୍ରୀରାମ ୟେ ଅଟଇ ବୀରଭ୍ରଥ

ୟେବେ ଦ୍ୱାପର ଯୁଗେ ଆମ୍ଭେ ହୋଇଲୁ କୃଷ୍ଣ ପାଥ।୪୬।

 

ଅନେକ ଅବତାର ଆମ୍ଭେ ହୋଉଅଛୁଂ ୟେହି ମତେ

ତୁମ୍ଭେ ବ୍ୟାସେ ଆମ୍ଭନ୍ତ ଅନ୍ତର କର ଯେ କେମନ୍ତେ।୪୭।

ବ୍ୟାସେ ବୋଇଲେ ତୁମ୍ଭେ କହିଲ ଦେବରାଜା

ମୋତେ ନାରାୟଣ ଦେଖି ସମ୍ପ୍ରତେ ଉପୁଜା।୪୮।

 

କୁଷ୍ଣ ଅର୍ଜ୍ଜୁନ ତୁମ୍ଭେ ୟେକ କଳା ବେନି

ଭାରାଭର ନିବାରଣ ଅର୍ଥେ ତୁମ୍ଭେ ଉତପତ୍ତି ହୋଇଲ ମେଦିନୀ।୪୯।

ତୁ ସ୍ୱାମୀ ୟେହାକୁ ବିଶ୍ୱରୂପ ଦେଖା

ୟେ ଯେବେ ଦେଖିପାରଇ ଅଟଇ ତୋର ସଖା।୫୦।

 

ଗୋବିନ୍ଦେ ବୋଇଲେ ହୋ କେମନ୍ତ ଫାଲଗୁନି

ଅର୍ଜ୍ଜୁନ ବୋଇଲେ ସଂପ୍ରତେ ଯାନ୍ତୁ ବ୍ୟାସ ମହାମୁନି।୫୧।

କେମନ୍ତଟି ବିଶ୍ୱରୂପ ଅଟଇ ତୋହୋର

ଦେଖିବାକୁ ଇଚ୍ଛା ଦେବ ଅଛଇ ମୋହୋର।୫୨।

 

ନାରାୟଣ ପ୍ରସନ୍ନ ହୋଇଲେ ଅର୍ଜ୍ଜୁନ ବଚନେ

ଧଇଲେ ବିଶ୍ୱରୂପ ଦେବ ସ୍ୱାମୀ କମଳ ଲୋଚନେ।୫୩।

ବ୍ୟାସଙ୍କ ବଚନେ ଅର୍ଜୁନ କୁତୋହୋଳେ

କ୍ଷଣକେ ମୃଧୁନି ଲାଗିଲା ଗଗନ ମଣ୍ଡଳେ।୫୪।

 

ଆକାଶେ ଘୋଟିଲା ସେ ନାରାୟଣ କାୟା

ସ୍ୱର୍ଗେ ଶିର ହୋଇଲା ଅଦଭୁଦେ ମାୟା।୫୫।

ଆକାଶେଣ ଶିର ପାଦ ଯେ ରାସାନ୍ତଳ

ମଧ୍ୟଭୁବନ ହୋଇଲା ନାଭି ଯେ ମଣ୍ଡଳ।୫୬।

 

ଶୂନ୍ୟମଣ୍ଡଳ ଯେ ବକ୍ଷସ୍ଥଳେ ହୋଇଲା

ମଣ୍ଡଳ ଶିଖା ଖଣ୍ଡି ଗଣ୍ଡସ୍ଥଳେ ବିକାଶିଲା।୫୭।

ବେନି ଲୋଚନ ଯେ ହୋଇଲା ଚନ୍ଦ୍ର ସୂର୍ଯ୍ୟେ

ଦେବତାୟେ ରୋମାବଳୀ ହୋଇଲେ ସହଜେ।୫୮।

 

ଚକ୍ରଧର ସ୍ୱାମୀ ହୋଇଲେ ଚତୁର୍ଭୁଜେ

ପଞ୍ଚବିଂଶ ଅଗ୍ନି ବିରାଜିଲେ ତେଜେ।୫୯।

କରତଳ ମଧ୍ୟେ ଯେ ବିକାଶିଲେ ଅଙ୍ଗୁଷ୍ଠି

ପର୍ବତମାନେ ତହିଂ ହୋଇଲେ ଗୋପ୍ୟାନଟି।୬୦।

 

ସପତ ସାଗର ଯେ ସିନ୍ଧୁ ମହାଘୋଷ

ଦକ୍ଷିଣ କରସ୍ଥଳେ ସେ ହୋଇଲା ଗଣ୍ଡୂଷ।୬୧।

ନାରାୟଣ କରତଳେ ରହିଲା ଯହୁଂ ପାଣି

ତହୁଂ ସେ ଭୁଜକୁ ପାଣି ବୋଲିଣ ବଖାଣି।୬୨।

 

ଚାରିଖାନି ଚଉରାଶୀ କୋଟି ଜୀବ ପୃଥିବୀର ମୂଳେ

ୟେମାନେ ରହିଲେ ନାରାୟଣଙ୍କ ବାମ କର ସ୍ଥଳେ।୬୩।

ୟେହେନେକ ବିଶ୍ୱରୂପ ଧଇଲେ ଜଗତଭୂତ

ୟେକା ଶରୀର ବିକାଶିଲା ତିନି ଯେ ଜଗତ।୬୪।

 

ଅର୍ଜୁନର ବଦନ ଚାହାନ୍ତି ମୁନି ବ୍ୟାସେ

ନ ପୁଣ ଦହିଜ ହୁଅଇ କୃଷ୍ଣର ତରାସେ।୬୫।

ବ୍ରହ୍ମା ଦେବତା ଯାହା ଦେଖିତ ନୁଆରିଲା

କରସ୍ଥଳୀ ଗଙ୍ଗାରେ ବୁଡ଼ିଣ ପଡିଲା।୬୬।

 

ଶ୍ୱେତରାଜା ଯଗ୍ୟଂ କାଳେ ଅଗ୍ନି କୁଣ୍ଡରେ ପାଂଶୁ

ରୁଦ୍ରଦେବତା ତହିଂ ପଡ଼ିଲୋଟି ହୋଇଲେ ଶୀତାଂଶୁ।୬୭।

ସେ ପାଉଂଶରେ ପଡ଼ି ରୁଦ୍ରଦେବତା ମୂର୍ଚ୍ଛା ଯାନ୍ତି

ତେଣୁ ସେ ହର ନାମ ବହିଲେ ପଶୁପତି।୬୮।

 

ପବନ ଯେ ଆତଯାତ ନାରାୟଣଙ୍କ ନାସାଗ୍ରତେ

ତେଣୁ ସେ ବିଷ୍ଣୁବାତ ନାମ ବହିଲେ ମରୁତେ।୬୯।

ସମସ୍ତ ବୁଡ଼ିଲା ନାରାୟଣଙ୍କ କାୟାକେ

ବିଷ୍ଣୁ ଆଶ୍ରକେ ରହିଲେ ସମସ୍ତ ବୃନ୍ଦାଅର୍କେ।୭୦।

 

ଅର୍ଜୁନ ହସିଲା ବାଳୁତ ମତି ବୃଦ୍ଧ ପ୍ରାୟେ

ବୋଇଲା ଆବର ବଢିବୁ ନା ୟେତିକି ତୋର କାୟେ।୭୧।

ଶୁଣିଣ ହସିଲେ ଯେ ପାରେଶ୍ୱର ସନ୍ତତି

ଭୋ ଦେବ ନାରାୟଣ ହୋଅସି ଶାନ୍ତିମୂର୍ତ୍ତି।୭୨।

 

ୟେ କାୟା ଘୋଟିଲା ବ୍ରହ୍ମାଣ୍ଡ କୋଟି ଚାରି

ଅର୍ଜୁନ ବୋଇଲା ଭୋ ଦେବ ତୋହୋର ଅଛିଟି କି ଆହୁରି।୭୩।

ମୁହିଂ ହାଦେ ତୋର ଉଦରେ ପଶଇ କାଳେ କାଳେ

ୟେ ତୋହୋର ଲୋମେ ମୁଂ ଲୀନ ହୋଇ ସର୍ବ କାଳେ।୭୪।

 

ମୁଂ ତୋତେ ଭୟ କଲି ନାଥ ଦେଖିଣ ତୋହୋର ବିଶ୍ୱମୂର୍ତ୍ତି

ଭାବେ ବୋଲଇ ଆହୁରି ବଢିବୁ ନା ଶିରୀପତି।୭୫।

ବ୍ୟାସେ ବୋଇଲେ ମୋହୋର ତୋ ତହୁଂ ବାନ୍ଧବ ନାହିଂ ବୋଲି ଜାଣିଥିଲି

ଆଉ ୟେଡ଼େ ଜଣେ ଅଛି ବୋଲି ୟେବେ ସେ ପ୍ରତେଗଲି।୭୬।

 

ବ୍ୟାସେ ବୋଇଲେ ଅର୍ଜୁନ ହୋ ତୋହୋର ଜୀବନ ସାଧୁ ସାଧୁ

ନାରାୟଣର ବଲ୍ଲଭ ତୁହି ସେ ପ୍ରାଣବନ୍ଧୁ।୭୭।

ଅର୍ଜୁନର ଭୟ ଦେଖିଣ ଜନାର୍ଦ୍ଦନ

ଛାଡିଲେ ବିଶ୍ୱରୂପ ହୋଇଲେ ସାମାନ୍ୟ।୭୮।

 

ଅର୍ଜୁନକୁ କୋଳ କରି ବଦୟନ୍ତି ମୁନିବ୍ୟାସେ

ଭାରା ନିବାରଣ କରିବୁ ଭାରତେ ଭାରୋଇ ମଲ୍ଲ ତୁ ସେ।୭୯।

ଅର୍ଜୁନକୁ ଛାଡିଲେ ଶତଶିଂଗ ପରବତେ

ବ୍ୟାସେ ତତକ୍ଷଣେ ହୋଇଗଲେ ଅନ୍ତର୍ଗତେ।୮୦।

 

ଶ୍ରୀକୃଷ୍ଣ ଗଲେ ଯେ ମଥୁରା ଭୁବନେ

ଗୋପପୁରେ ପ୍ରବେଶ ବାଳୁତ ବିଧାନେ।୮୧।

 

ନକୁଳଙ୍କର ଜନ୍ମ

 

ଅଶିଣ ଶୁକଳ ଯେ ଦଶମୀ ଗୁରୁବାର

ଶରଦ ଋତୁ ମଧ୍ୟେ ଶ୍ରବଣା ନକ୍ଷତ୍ର ସାର।୧।

କୌଳବ ନାମେ କରଣ ଶୂଳ ନାମେ ଯୋଗ

କନ୍ୟା ସଙ୍କରାନ୍ତି କି ପଞ୍ଚିଶ ଦିନ ଭୋଗ।୨।

 

ସେ ଦିନ ପଣ୍ଡୁ ଅନ୍ଧାରି ବିଜେ କଲେ ବନେ

ମାଦ୍ରୀ ବସିଛନ୍ତି ଯେ ଶେଯ୍ୟାର ବିଧାନେ।୩।

ବୋଇଲେ ଦୁର୍ଭାସାଙ୍କ ମନ୍ତ୍ରେ ମୁଂ ନାରାୟଣ ସୁମରିଲି

ଅପ୍ରାପତ ହୋଇଲା ମୁଂ ବୁଝି ନୁଆରିଲି।୪।

 

ମୁହିଂ ବାଳୁତ ଯେ ଅଟଇ ସୁକୁମାରୀ

ଗାଢ ଶୃଙ୍ଗାର ବୀର୍ଯ୍ୟ ମୁଂ ନ ପାରଇ ସଂହରି।୫।

ଅଶ୍ୱନୀ କୁମାର ଯେ ଆଦିତ୍ୟଙ୍କର ସୁତ

ଦେବେ ବଡ଼ ବଲବନ୍ତା କୁମାର ଭାଗ୍ୟବନ୍ତ।୬।

 

ଶ୍ରୀହସ୍ତେ ଘେନିଲେ ସେ ଦୁର୍ଭାସାଙ୍କର ଜପାମାଳୀ

ଲୟେ କରି ସୁମରିଲେ ଦୁତୀ ଅଂଶୁମାଳୀ।୭।

 

ସୁରବର ସୁନ୍ଦର ସେ ଲୋହିତାକ୍ଷ ରୂପ

ଅମୃତାକ୍ଷ ପୁରୁଷ ସେ ପ୍ରତକ୍ଷେ କନ୍ଦର୍ପ।୮।

ରାତ୍ରରେ ସେ ତେଜ ଲାଗିଲା ଶତଶିଂଗ ପର୍ବତ

ଦିବସ ପ୍ରାୟ ଦିଶିଲା କୁମାର ଉଦବେଗ ଗତ।୯।

 

ଅନେକ ଅଳଙ୍କାର ଭୂଷଣ ତାରକାୟେ

ଦେଖିଣ ପୂଜା କଲା ସେ କୁମାରକୁ ନିଭୟେ।୧୦।

କୁମାରଙ୍କ ତୁଲେ ସେ ମଦନା ପୀରତି

ରହସ ଛଛନ୍ଦ୍ରେଣ ମନେଣ ତ୍ରିପୁତି।୧୧।

 

ହାସ୍ୟ ପରିହାସ୍ୟ ଯେ ଶୃଙ୍ଗାର ବିନୋଦେ

ପ୍ରେମ ଚାଟୁ ପଟଳ ପରମ ଆନନ୍ଦେ।୧୨।

ମାଦ୍ରୀର ରଜେ ଅଶ୍ୱନୀକୁମାରଙ୍କ ବୀର୍ଯ୍ୟେ

ସଇନ୍ଦୁ ଉପତପ୍ତି ହୋଇଲା ୟେକଇ ଆତ୍ମଜେ।୧୩।

 

କୁମାର ସମ୍ଭବେ ନକୁଳ ବୋଲି ବଳା

ତାକୁ ଅଶ୍ୱିନୀ ନାମ ଦିଲେ ଅଚାର୍ଗଳା।୧୪।

ନବଘନ ଅନ୍ଧାର ଯେ ବାହିନୀ କୂଳ ଘେନି

ନବକୁଳ ସଙ୍ଗମ ୟେକଇ କାମିନୀ।୧୫।

 

ନବନଦୀ କୂଳେ ଯେଣୁ କୁମାର ଉପୁଜିଲା

ତେଣୁ କରି ମହାତ୍ମା ନକୁଳ ନାମ ଦିଲା।୧୬।

ଅତି ସୁକୁମାର ଯେ ସେହୁ ବାଳ ଶିଷ

ନିର୍ଧୂମ ଅଗ୍ନି ଜାଣି ତେଜ ତା ବିକାଶି।୧୭।

 

ଶ୍ରବଣା ନକ୍ଷତ୍ରେ ଯେ ଉପୁଜିଲାକ ବାଳ

ଅତି ସୁକୁମାର ସେ କୁମାର ନକୁଳ।୧୮।

ତହୁଂ ଅଶ୍ୱିନୀକୁମାରେ ଅନ୍ତରୀକ୍ଷେ ଚଳିଗଲେ

ଅତି ଆନନ୍ଦେ ମାଦ୍ରୀ ପୁତ୍ରକୁ ପାଳିଲେ।୧୯।

 

କୋଇନ୍ତାଙ୍କର ତିନି ପୁତ୍ର ଗାନ୍ଧାରୀର ଶତେ ପୁତ୍ର

ମାଦ୍ରୀର ୟେକ ପୁତ୍ର ହୋଇଲା ସମ୍ଭୂତ।୨୦।

ଦେଖି ପଣ୍ଡୁରାଜା ହୋଇଲେ ଆନନ୍ଦ

ଚାରି ପୁତ୍ରକଇଂ କୋଇନ୍ତାୟେ ପାଳିଲେ ସାନନ୍ଦ।୨୧-୨୮୪୦।

 

ଦୁର୍ବାସାଙ୍କ ହସ୍ତିନା ଗମନ, ତାଙ୍କ ବରରେ 

ଗାନ୍ଧାରୀଙ୍କର ପୁନର୍ବାର ଏକ ପୁତ୍ର ଓ କନ୍ୟା ଜନ୍ମ

 

ଭାଦ୍ରବ ଶୁକ୍ଲ ଯେ ଅଷ୍ଟମୀର ହାଦେ ଦିନ

ଦୁର୍ଭାସା ମହଋଷି ୟେ ହସ୍ତିନାକୁ ଗବନ।୧।

ଗାନ୍ଧାରୀ ସ୍ରାହାନ କରି ଆସଇ ଯମୁନା ନଦୀ ତୀରେ

ୟେମନ୍ତ ସମୟେ ଯାଇ ପ୍ରବେଶ ଦୁର୍ଭାସା ମୁନିବରେ।୨।

 

ଦୁର୍ଭାସାଙ୍କୁ ଦେଖିଣ ଯେ ପ୍ରଣପତ୍ୟ ଗାନ୍ଧାରୀ

ଆଶିଷ୍ୟ ବାଞ୍ଛା ତାକୁ କଲେ ବ୍ରହ୍ମଚାରୀ।୩।

ଗାନ୍ଧାରୀ ବୋଇଲେ ତୁମ୍ଭେ ପ୍ରତକ୍ଷେ ବ୍ରହ୍ମବେତ୍ତା

କେଉଂଣ ଲକ୍ଷଣେ ତୁମ୍ଭଙ୍କୁ ଭଗତି ହୋଇଲେ କୋଇନ୍ତା।୪।

 

ଦୁର୍ଭାସାୟେ ବୋଇଲେ ଆଉ ଇଚ୍ଛା ଯେବେ ତୋହୋର

ହୋଇବ ପ୍ରାପତ ତୋତେ ମାଗୁ କିନା ବର।୫।

ମହାମନ୍ତ୍ର ଆମ୍ଭେ ଦେଇ ନ ପାରୁଂ ହାଦେ ଯାଚି

ମାଗ ତୋହୋର ଇଚ୍ଛା ଯେଣେ ତୋତେ ରୁଚି।୬।

 

ଗାନ୍ଧାରୀ ବୋଇଲେ ମୁନି ହେ ତୁମ୍ଭର ମନ୍ତ୍ରବଳେ

ଶତପୁତ୍ର ପାଇଲି ମୁଂ କର୍ମର ସୁଫଳେ।୭।

ପୁତ୍ରନ୍ତ କୋଳେ ଧରି ବୋଇଲେ ବ୍ୟାସ ତପନିଷ୍ଠ

ସଜ୍ଜନ ନୁହନ୍ତି ପୁତ୍ର ତୋହୋର ସମସ୍ତେ ମହାଦୁଷ୍ଟ।୮।

 

ଅବିଚାରେ ବାଞ୍ଛା କଲୁ ଧୃତରାଷ୍ଟ ରାଣୀ

ରାଜ୍ୟକୁ କେହି ତୋହୋର ନୋହିବେ କାରେଣି।୯।

ଗାନ୍ଧାରୀ ବୋଇଲେ ମୋତେ ଅନୁଗୃହ କରିବା

ବଂଶକୁ କାରଣ କରିବା ମୋତେ ଗୋଟିୟେ ପୁତ୍ର ଦେବା।୧୦।

 

ଆବର ଦେବା ମୋତେ ଦୋହିତା ଗୋଟିୟେ

ଭଗତି ଘେନି ମହାତ୍ମା ମୋତେ କରିବା ସଦୟେ।୧୧।

ଗାନ୍ଧାରୀ କଟାଳ କଲେ ଯମୁନା ନଦୀ କୂଳେ

ଦେଖ ହୋ ମହାତମା ଦୁର୍ଭାସାଙ୍କର ମନ୍ତ୍ରବଳେ।୧୨।

 

ସନ୍ତତି ଜାତ କର ବୋଲି ରାମ ଯେ ତୁଳସୀ

ତହୁଂ ଫୁଲ ଗୋଟିୟେ ପତ୍ର ଗୋଟିୟେ ତୋଳିଲେ ମହଋଷି।୧୩।

ୟେହା ଆୟି ଆପ୍ୟାନ ତୁ କରସି ଗାନ୍ଧାରୀ

ପଣ୍ଡିତ ପୁତ୍ରେକେ ପାଇବୁ କନ୍ୟା ସୁନ୍ଦରୀ ସୁକୁମାରୀ।୧୪।

 

କମଣ୍ଡଳୁ ପାଣି ଚଳୁ ୟେକ ଦିଲେ ତପନିଷ୍ଠି

ଗାନ୍ଧାରୀ ଗର୍ଭଗତ କଲା ହୋଇଣ ମହାତୁଷ୍ଟି।୧୫।

ଋଷିଙ୍କର ମହାମନ୍ତ୍ର ଅନ୍ତର ନୋହିଲା

ପୁତ୍ରେକ ଦୁହିତାୟେ ତାର ଗର୍ଭରେ ରହିଲା।୧୬।

 

ମହାମନ୍ତ୍ର ଦେଇ କରିଗଲେ ଯେ ଦୁର୍ଭାସା

ଗାନ୍ଧାରୀ ଶରୀର ଯେ ହୋଇଲା ମହା ଅଳସା।୧୭।

ଧୃତରାଷ୍ଟ ପୁଚ୍ଛା କଲେ ଶୁଣ ଗୋ ଗାନ୍ଧାରୀ

ଉଦର ଆଉଂଶି ବୋଇଲେ ତୁ ତ ହୋଇଲୁ ଗର୍ଭଭାରି।୧୮।

 

ଗାନ୍ଧାରୀ ବୋଇଲେ ଦୁର୍ଭାସାୟେ ଦୟା କଲେ ମୋତେ

ଗର୍ଭେ ପୁତ୍ର ଦୁହିତା ରହିଲେ ଋଷିଙ୍କର ମନ୍ତ୍ରେ।୧୯।

ଶୁଣିଣ ବିରସ ହୋଇଲେ ଧୃତରାଷ୍ଟ

ଅପାର କୁଟୁମ୍ୱେ ବହୁତ ଅଛି କଷ୍ଟ।୨୦।

 

ଗାନ୍ଧାରୀ ବୋଇଲେ ସେ ଅଟନ୍ତି ଅଜାତି

ପରମ ପଣ୍ଡିତ ପୁତ୍ର ହୋଇବ ୟେ ଘାନ୍ତି।୨୧।

ଧନୁ ଶୁକଳ ପକ୍ଷ ଯେ ତ୍ରୟୋଦଶୀ ଦିନ

ସଉରି ବାର ନକ୍ଷତ୍ର ମୃଗୁଶିରା ମିଥୁନ।୨୨।

 

ବେଳ ମଧ୍ୟସ୍ଥାନେ ବିଜୟେ ଦିନକର

ଶୁଭ ଲଗ୍ନ ଯୋଗେ ଉତପତ୍ତି ହୋଇଲା କୁମର।୨୩।

ଗାନ୍ଧାରୀ ଦେଖଇଲା ବତିଶ ଗୁଣେ ସୁସଞ୍ଚ

ସେ ପୁତ୍ରର ନାମ ଦିଲେଟି ଦୁରୁଦଛ।୨୪।

 

ତାହାକୁ ଗୋଡ଼ାଇ ୟେକ ଦୋହିତାୟେ ହୋଇଲା

ସୁନ୍ଦର ପଣ ଦେଖିଣ ଗାନ୍ଧାରୀ ଦୃଶିଲା ନାମ ଦିଲା।୨୫।

ଦୃଦକ୍ଷ ଦୃଶିଲା ଉତପତ୍ତି ହୋଇଲେକ ବେନି

ଅନେକ ହରଷ ଯେ ଗାନ୍ଧାରସେନର ନନ୍ଦନୀ।୨୬।

 

ୟେମନ୍ତ ଧୃତରାଷ୍ଟର ୟେକ ଉତ୍ତର ଶତେପୁତ୍ର

ଦୃଶିଲା ନାମ ହୋଇଲା ୟେକ ହିଂ ଦୋହିତ।୨୭।

ଦୁର୍ଭାସାଙ୍କର ମନ୍ତ୍ରେ ଯେ ସନ୍ତାନ ହୋଇଲା

ଦୁ ଅକ୍ଷରେ ଧୃତରାଷ୍ଟ ସବୁରି ନାମ ଦିଲା।୨୮।

 

ଗାନ୍ଧାରୀଙ୍କ ଅନ୍ଧପଟଳ ବାନ୍ଧିବା, କୁନ୍ତୀଙ୍କର ହସ୍ତିନାକୁ ଯିବା, 

କର୍ଣ୍ଣକୁ ଦେଖିବା ଓ ଗାନ୍ଧାରୀଙ୍କୁ ଅନ୍ଧପଟଳ ବାନ୍ଧିବାରୁ ନିବର୍ତ୍ତାଇବା

 

ବଦୟନ୍ତି ଅଗସ୍ତି ଶୁଣ ନରପତି

ୟେଥୁ ଅନନ୍ତରେ କଥା ଶୁଣ ଦିବ୍ୟ ରୀତି।୧।

ସ୍ୱାମୀର ଅନ୍ଧପଣ ଦେଖିଣ ଗାନ୍ଧାରୀ

ଆପଣେ ଆପଣେ ଦେବୀ ମନରେ ବିସରି।୨।

 

କେବଣ ପାତକ ସ୍ୱାମୀ କରମ ବିପଦ

ସନ୍ତାନ ଉଛବ ରାଜା ନ ଦେଖଇ ସମ୍ପଦ।୩।

ସ୍ୱାମୀର ଅନ୍ଧପଟଳ ଯେବେ ବେନି ଆଖି

ମୁହିଂ ସେ ପାମରୀ କିସ ତାହାର ଦୁଖ ଦେଖି।୪।

 

କପାଳେଶ୍ୱର ତୀର୍ଥେ ଦେବୀ ସଂକଳ୍ପ ଯେ କଲା

ସ୍ୱାମୀର ଦୁଖ ନ ଦେଖିବି ବୋଲି ଅନ୍ଧପଟଳ ବାନ୍ଧିଲା।୫।

ଗାନ୍ଧାରୀକି କଢାବଇ ଦେବୀ ରାଧେବ କୁମାରୀ

ସଞ୍ଜୟର ଦୁହିତା ସେ ମାଧବସେନର ମନୋହାରୀ।୬।

 

ଧୃତରାଷ୍ଟଙ୍କୁ କଢାବଇ ସେ ସଞ୍ଜୟେ ମହାମନ୍ତ୍ରୀ

ୟେସନେକ ବଞ୍ଚଇ ହସ୍ତିନାୟେ କୁରୁପତି।୭।

ବ୍ୟାସେ କହିଲେ ଯାଇ ଶତଶିଂଗ ପର୍ବତେ

କୋଇନ୍ତା ମାଦ୍ରୀ ଦେବୀ ପଣ୍ଡୁର ଅଗ୍ରତେ।୮।

 

ଧୃତରାଷ୍ଟ ଅନ୍ଧ ପଣ ଦେଖିଣ ନ ପାରି

ଆପଣେ ଅନ୍ଧପଟଳ ବାନ୍ଧିଲା ଗାନ୍ଧାରୀ।୯।

ଶୁଣିଣ ପଣ୍ଡୁ ଯେ ମନରେ ବିସରି

ମନେଣ ଆରତ ହୋଇଲେ ପଣ୍ଡୁ ନୃପଧାରୀ।୧୦।

 

ବ୍ୟାସଙ୍କର ବଚନେ ପଣ୍ଡୁ ଅନେକ ବିକଳ

ଗାନ୍ଧାରୀ କି ନିମନ୍ତେ ବାନ୍ଧିଲେ ଅନ୍ଧ ଯେ ପଟଳ।୧୧।

ଭୋଜନ ଶୟନ ଗବନେ ଯେ ବାଟ କଢାଉଣ ଥିଲା

ୟେବେ ହେଂ ସ୍ୱାମୀକି ବଡ଼ କଟାଳ ପଡିଲା।୧୨।

 

କୋଇନ୍ତାୟେ ବୋଇଲେ ସ୍ୱାମୀ ଚାଲ ହସ୍ତିନାକୁ ଯିବା

ଗାନ୍ଧାରୀଙ୍କ ଅନ୍ଧପଟଳ ଚକ୍ଷୁରୁ କଢାଇବା।୧୩।

ପଣ୍ଡୁ ବୋଇଲେ ସେ ଅନ୍ଧଅନ୍ଧୁଣୀର ଅବସ୍ତା

ମୋହୋର ବେଳେ ଦେଖି ତାହା ନୋହିବ ଗୋ କୋଇନ୍ତା।୧୪।

 

କୋଇନ୍ତା ବୋଇଲେ ମୁଂ ଯିବି ହସ୍ତିନାକୁ

ଅନେକ ବାଗେ ତିଆରିବି ଗାନ୍ଧାରସେନ ଦୁହିତାକୁ।୧୫।

ପଣ୍ଡୁ ବୋଇଲେ ୟେ ମିଳଇ ଉଚିତ

ଯାଆ, ଯାଆ ବାମା ଗୋ ବହନ ହୋଇ ଆସ କୋନ୍ତ।୧୬।

 

ପୁଅନ୍ତ ଘେନିଣ ଯାଅ ଗୋ ତୋହୋର ତୁଲେ

ଅନ୍ଧପଟଳ ଫେଡିବ ସେହୁ ଗୋ ଯୁଝେଷ୍ଠିଙ୍କି ଦେଖିଲେ।୧୭।

କୋଇନ୍ତାୟେ ସଜ ହୋଇଲେ ହସ୍ତିନା ଭୁବନକୁ

ଧୃତରାଷ୍ଟ ଗାନ୍ଧାରୀ ପୁଅନ୍ତ ଦେଖିବାକୁ।୧୮।

 

କୋଇନ୍ତାୟେ ତିଆରିଲେ ଶୁଣ ଗୋ ମଦନା

ଆଗୋ ସ୍ୱାମୀଙ୍କି ସେବିଥାଅ ମୁଂ ବହନ ଆସଇ ସିନା।୧୯।

ୟେ ତୋହୋର ରୂପ ଗୁଣ ସୁସଞ୍ଚ ହାଦେ ଦେଖି

ନ ପୁଣ ପଣ୍ଡୁ ବିଜୟେ କରନ୍ତି ଟି ତୋହୋର ତହିଂକି।୨୦।

 

ଶୁଣିଣ ହସିଲା ଯେ ଭାବିନୀ ମଦନା

ୟେମନ୍ତ କଥାକୁ ଦେବୀ ଗୋ ମୁହିଂ ସେ ବଜ୍ରସେହ୍ନା।୨୧।

କୋଇନ୍ତାୟେ ତିଆରିଲେ ସମ୍ଭାଳ ମଦନା

ୟେତେ ତିଆରି ଦେବୀ ଗବନ ହସ୍ତିନା।୨୨।

 

ଆହୋ ଶିବ ପାଦ ବୋଲି ଏକଇ ଶବରେ

ତୁଲେ ତା ଘେନିଲା ସେ ଦାରାକ୍ଷ ଫଳ ଭାରେ।୨୩।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ କୁମାର

ଚାରି ପୁତ୍ରଙ୍କୁ କଲେ ସର୍ବାଙ୍ଗ ଅଳଙ୍କାର।୨୪।

 

ବନସ୍ତରେ ଥାଆନ୍ତି ୟେକଡ଼ା ନାମେ ମେଷ

ଅର୍ଜୁନ ନକୁଳ ବାହାନ କଲେ ବେନି ଶିଷ।୨୫।

ଧବଳ ଚୋଖାର ତୁରଙ୍ଗ ବେନି ଗୋଟି

ତାହା ଆରୋହଣ କଲେ ଭୀମ ଯେ ଯୁଝେଷ୍ଠି।୨୬।

 

ପୁଅନ୍ତ ଘେନିଣ କୋନ୍ତ ଭୋଜର କୁମାରୀ

ହସ୍ତିନା ଭୁବନକୁ ବିଜୟ କଲେ ମାହେଶ୍ୱରୀ।୨୭।

ମକର ମାସ କୃଷ୍ଣପକ୍ଷ ଦୁତୀୟାର ତିଥି

ସଉରିବାର ମଘା ନକ୍ଷତ୍ର ଯୁଗତି।୨୮।

 

ବିଷ୍ଟି ନାମେ କରଣ ପ୍ରୀତି ନାମେ ଯୋଗ

କୋଇନ୍ତାୟେ ବିଜେ କଲେ ହସ୍ତିନା ଭୁବନ ମାର୍ଗ।୨୯।

ରାଧେବୀ କନ୍ୟାକୁ ଦେଖିଲେ ଯମୁନା ସ୍ରାହାନେ

କୋଇନ୍ତାକୁ ପ୍ରଣପତ୍ୟ ଅନେକ ଭକ୍ତି ମାନ୍ୟେ।୩୦।

 

ଦେଖିଣ କୋଳ କଲେ କୋନ୍ତଭୋଜର ନନ୍ଦନୀ

କୁଶଳ ବାରତା ଯେ ପୁଚ୍ଛଇ ପୁଣ ପୁଣି।୩୧।

ରାଧେବୀ ବୋଇଲେ ଗୋ ତୋର ପୁତ୍ର ଚାରିଗୋଟି

କ୍ଷମା ସାଧବୀ ତୁ ଉଦ୍ଧରନ୍ତା ନବସୃଷ୍ଟି।୩୨।

 

କୋଇନ୍ତାୟେ ପୁଚ୍ଛା କଲେ ହୋଇଣ ହରଷ

ଆଗୋ ରାଧେବୀ ତୋର ପୁତ୍ର ଦୁହିତା କିସ।୩୩।

ରାଧେବୀ ବୋଇଲେ ତୁ ମୋ ପ୍ରାଣ ଅଧିକାରୀ

ପ୍ରିୟ ଲୋକ ତୁଲେ ମିଥ୍ୟା କହିତ କିପାରି।୩୪।

 

ବରଷ ବାଇଶ ଗୋ ପୂର୍ବାପୂର୍ବୀ କଥା

ୟେହି ଯମୁନାରେ ସ୍ନାନ କରନ୍ତେ ଗୋ ମାତା।୩୫।

ଜଳେ ଉପୁଚିଆଇଂ ଆସୁଛି ମଞ୍ଜୁଷା ଗୋଟିୟେ

ମହା ତେଜେ ଦିଶୁଅଛି ନିର୍ଧୂମ ଅଗିନି ପରାୟେ।୩୬।

 

ତାହା ଧଇଲି ମୁଂ ସ୍ରାହାନର କାଳେ

ମହା ଭାର ପାଇ ପାଣି ପକାଇଲି କୂଳେ।୩୭।

ପାଷାଣେ ସେ ପଡ଼ିଣ ହୋଇଲା ବେନି ଫାଳ

ତହୁଂ ବାହାର ହୋଇଲା ୟେକଇ ଦୁଲାଳ।୩୮।

 

ଲୋହିତ ବର୍ଣ୍ଣ ତେଜ ବାଳ ଆଦିତ୍ୟର ପ୍ରାୟ

ଶ୍ରବଣେ ଅମୃତ କୁଣ୍ଡଳ ବଜ୍ର ଛଉରୀ ନିର୍ମିତ ଯେ କାୟ।୩୯।

ତାଳୁରେ ବିରାଜଇ ଅଭେଦ କପଚମଣି

ୟେମନ୍ତ ପୁତ୍ରଗୋଟି ମୁଂ ପାଇଲି ଗୋସାମଣୀ।୪୦।

 

ରାଧେବୀ ବଚନେ ହସିଲେ ମାହେଶ୍ୱରୀ

ତୋତେ ସେ ପ୍ରାପତ ହୋଇଲାକି ପାଳିଲୁ ଯତ୍ନକରି।୪୧।

ମା ଗୋ ଦୁର୍ଭାସାୟେ ମୋତେ ଜପାମାଳା ଦିଲେ ବାଳ କାଳେ

ବିଦ୍ୟା ପରୀକ୍ଷ ନିମନ୍ତେ ସୁମରିଲି ଆଦିତ୍ୟଙ୍କୁ ମନ୍ତ୍ରବଳେ।୪୨।

 

ଶୃଙ୍ଗାର କଲେ ମୋତେ ଦିନକର ନାଥ

ସଇନ୍ଦୁ ପୁତ୍ରେକ ଯେ ହୋଇଲା ସମ୍ଭୂତ।୪୩।

କର୍ଣ୍ଣର ବାଟେ ଗୋ ପୁତ୍ର ହୋଇଲା ଉତପତ୍ତି

କର୍ଣ୍ଣ ବୋଲି ନାମ ଦିଲେ ବଦୟନ୍ତି ଦେବୀ କୋନ୍ତି।୪୪।

 

ଲାଜେଣ ନ ନେଲି ଗୋ ପିତାର ରାଜ୍ୟକୁ

ମଞ୍ଜୁଷେ ଭରି ପକାଇଲି ଯମୁନା ଭିତରକୁ।୪୫।

ମୋହୋର ସୁଫଳ ଗୋ ତୋହୋର ପରମ ଯେ ଭାଗ୍ୟ

ସେ ମୋହୋର ନନ୍ଦନ ଗୋ ହୋଇଲା ତୋତେ ଯୋଗ୍ୟ।୪୬।

 

ମୋହୋର ଜ୍ୟେଷ୍ଠ ପୁତ୍ର ଗୋଟି ହୋଇଲା ତୋତେ ଶାଖା

ଆଗୋ ରାଧେବୀ ତୁ ମୁକୁଇଂ କର୍ଣ୍ଣକୁ ଆଣି ଦେଖା।୪୭।

ଶୁଣିଣ ସାନନ୍ଦ ଯେ ସଞ୍ଜୟ କୁମାରୀ

କୋଇନ୍ତାକୁ ଘେନି ବିଜେ ଆପଣା ନିଜ ପୁରୀ।୪୮।

 

ରାଇଣ ରାଧେବୀ ଯେ ଆଣିଲା କର୍ଣ୍ଣକୁ

କୋଇନ୍ତାୟେ ବୋଇଲେ ବାଭିୟେ ଚିହ୍ନିଲୁ ଟିକି ମୁକୁ।୪୯।

କରପତ୍ର ଯୋଡ଼ିଣ ଯେ ବୋଲଇ ବୀର କର୍ଣ୍ଣ

ମୁହିଂ ଜାଣଇଂ ଗୋ ସମସ୍ତ ବିଧାନ।୫୦।

 

ଅବିଭାଇତ କାଳେ ଗୋ ମନ୍ତ୍ର ପରୀକ୍ଷ ନିମନ୍ତେ

ଆଦିତ୍ୟ ଦେବତାଙ୍କୁ ସୁମରିଲୁ ଅଭିନବ ବନସ୍ତେ।୫୧।

ଛିଦ୍ରେଣ ଶୃଙ୍ଗାର ତୋତେ କଲେ କରତାର

କର୍ଣ୍ଣ ବାଟେ ତୋହୋର ମୁଂ ହୋଇଲି ବାହାର।୫୨।

 

ମାଟିର ମଞ୍ଜୁଷ କରି ମୋତେ ଯତନେହେଂ ଭରି

ଜଳରେ ଭରି ମେଲିଲୁ ନିରାଶ ମୋତେ କରି।୫୩।

ଉପୁଚିଆଇଂ ଅଇଲି ଜଳର ଉଦଯାନେ

ହସ୍ତିନାୟେ ଲାଗିଲି ଗୋ ପଞ୍ଚସହସ୍ର ଯୋଜନେ।୫୪।

 

ରାଧେବୀ କନ୍ୟା ପାଳିଲା ମୋତେ ଧର୍ମେ

ରାଧେବ ନାମ ମୋତେ ଦିଲେ ନିଜ କର୍ମେ।୫୫।

ଧୃତରାଷ୍ଟର ନନ୍ଦନ ଗୋ ଅଟଇ ଦ୍ରିଯୋଧନ

ଅନେକ ପ୍ରୀତି ଗୋ ତାହାର ମୋହୋର ଅଭେଦ ମନ।୫୬।

 

ମୋହୋ ରଅଟଇ ଗୋ ଜ୍ୟେଷ୍ଠା ନକ୍ଷତ୍ର ରାଶି

ଜ୍ୟେଷ୍ଠା ନକ୍ଷତ୍ରରେ ଜାତ ଗାନ୍ଧାରୀର ଶିଷି।୫୭।

ୟେମନ୍ତେ ୟେକ ରାଶିରେ ମଇତ୍ର ଆମ୍ଭେ ହୋଇଲୁ ଯେ ବେନି

ଦଣ୍ଡେ ମରୁଛି ନପାରୁ ଦିବା ଯେ ରୟେଣୀ।୫୮।

 

ଚାରିପୁତ୍ରନ୍ତ ରାଇଣ ଦେବୀ ଯେ କୋଇନ୍ତେ

ବାବୁ ପ୍ରଣପତ୍ୟ ହୁଅରେ କର୍ଣ୍ଣର ପାଦଗତେ।୫୯।

ୟେ ତୁମ୍ଭର ଜ୍ୟେଷ୍ଠଭ୍ରାଥ ଅଟଇ ସମପିତା

ମୁହିଂ ତୁମ୍ଭର ଅଟଇରେ ଗର୍ଭଧାରୀ ମାତା।୬୦।

 

ମାତାଙ୍କର ବଚନେ ନକୁଳ ଅର୍ଜୁନ ଭୀମ ଯେ ଯୁଝେଷ୍ଠି

କର୍ଣ୍ଣର ପାଦ ତଳେ ଯାଇଂ ସମସ୍ତେହେଂ ଲୋଟି।୬୧।

ଅନେକ କଲ୍ୟାଣ କଲା କର୍ଣ୍ଣ ଜ୍ୟେଷ୍ଠଭ୍ରାଥ

ରାଧେବୀ କନ୍ୟାର ଯେ ଅନେକ ହରଷ ଚିତ୍ତ।୬୨।

 

କର୍ଣ୍ଣ ମାତାଙ୍କୁ ଯେ ହୋଇଲା ପରିଣାମ

ୟେ ପୁତ୍ରମାନଙ୍କର ଗୋ କିସ କିସ ନାମ।୬୩।

ମାତାୟେ ବୋଇଲେ ବାବୁ ୟେ ଜ୍ୟେଷ୍ଠ ପୁତ୍ର ଗୋଟି

ୟେହାର ନାମ ବାବୁ ହୋ ଅଟଇ ଯୁଝେଷ୍ଠି।୬୪।

 

କର୍ଣ୍ଣ ବୋଇଲା ମା ଗୋ ମନ୍ଦ କୃତ୍ୟ କଲୁ

ଦୁଜ ପୁତ୍ରକୁ କେସନେ ଜ୍ୟେଷ୍ଠ ନାମ ଦିଲୁ।୬୫।

ମୋତେ ଜ୍ୟେଷ୍ଠ ପଣେ ଥୋଇଲୁ କାହିଂ ମାତେ

ୟେ ପୁତ୍ରନ୍ତ ତୋର ଆବର ମୁଂ ସମ୍ଭାଳିବି କେମନ୍ତେ।୬୬।

 

ତୁ ସେ ମାତା ହୋଇ ମୋତେ କଲୁ ଗୋ ନିରାଶ

ମୁଂ ବାଳୁତ ହୋଇ କେହ୍ନେ ବଢାଇବି ମୁହାଂସ।୬୭।

କୋଇନ୍ତା ପ୍ରତିବାଚ ତୁ ନ ହୋଅସି ବିମନ

ମୋହୋର ସଙ୍ଗେ ଚଳ ଜ୍ୟେଷ୍ଠ ଦେବି ନାମ।୬୮।

 

ୟେ ଭ୍ରାଥଙ୍କ ଉପରେ ତୋତେ ରାଜା କରାଇବି

ଧୃତରାଷ୍ଟଙ୍କ ତହୁଂ ମାଗି ପଞ୍ଚୁକଟକେ ତୋତେ ଛତ୍ର ଧରାଇବି।୬୯।

ଜେଷ୍ଠ ନାମ ତୋତେ ଦେବଇ ସମ୍ଭର୍ବେ

ଚାରି ଭାଇ ତୋତେ ସେବା କରୁଥିବେ।୭୦।

ଆସ ବାବୁ ଯିବା ଆମ୍ଭର ପୁରକୁ

ଶତଶିଂଗେ ଦର୍ଶନ କରିବୁ ପଣ୍ଡୁକୁ।୭୧।

 

ୟେ ଦୁଜପୁତ୍ର ହୋଇ ଗୋ ବହିଲା ଜ୍ୟେଷ୍ଠ ନାମ

ୟେହାକୁ ମାଇଲେ ସିନା ଦିଶିବ ମୋହୋରି ଧର୍ମ।୭୨।

ୟେହାର ଥିଲେ ମୋହୋର ସମ୍ପଦ ନାହିଂ କିଛି

ୟେ ଯେବେ ମୋତେ ମାରଇ ୟେହାର ଜ୍ୟେଷ୍ଠ ନାମ ହୋଉସି।୭୩।

 

ୟେ ମୋହୋର ବ୍ରତଟି ଅଟଇ ନିୟମ

ୟେମାନଙ୍କର ତୁଲେ ମୁହିଂ ନୋହିଲଇ ସରିସମ।୭୪।

ୟେତେ ବୋଲି କର୍ଣ୍ଣ ଗଲାକ ତହୁଂ ରାଗେ

ଆଉ ବେଳେ ନୋହିଲା ସେ କୋଇନ୍ତାଙ୍କର ଆଗେ।୭୫।

 

ପୁଅନ୍ତ ଘେନି କୋନ୍ତଭୋଜର କୁମାରୀ

ନାରାୟଣ ନାରାୟଣ ବୋଲି ଅନେକ ବିସରି।୭୬।

 

କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ଗାନ୍ଧାରୀକୁ 

Unknown

ଅନ୍ଧପଟଳ ଛାଡିବାକୁ ଅନୁରୋଧ

 

ଶୁଣ ହୋ ଯୁଗଧର ବୋଲନ୍ତି ବ୍ରହ୍ମବେତ୍ତା

ଧୃତରାଷ୍ଟ ମନ୍ଦିରେ ବିଜେ କଲେକ କୋଇନ୍ତା।୧।

ସଞ୍ଜୟ ଜଣାଇଲେ ଧୃତରାଷ୍ଟ ଅଗ୍ରତେ

ଚାରି ପୁତ୍ର ଘେନି ବିଜେ କଲେ ଦେବୀ କୋନ୍ତେ।୨।

ଶୁଣି ଉଠିଲେ ଗାନ୍ଧାରସେନର କୁମାରୀ

ଚାରି ପୁତ୍ର ଘେନି କୋନ୍ତୀ ଗାନ୍ଧାରୀଙ୍କ ଚରଣେ ପଡ଼ି।୩।

 

ଅନେକ କଲ୍ୟାଣ ବାଞ୍ଛନ୍ତି ଗାନ୍ଧାରସେନର କୁମାରୀ

ଅହେ ଓ ସୁଲକ୍ଷଣୀ ହୋଅ ଗୋ ବ୍ରତଚାରୀ।୪।

ପୁତ୍ରନ୍ତ ଦେଖିଣ ସେ ଧୃତରାଷ୍ଟ ହରଷ

ଚାରିକୁମାରେ ପିତା ଚରଣେ ଆବେଶ।୫।

ସଞ୍ଜୟେ କହିଲେ ଶୁଣ ଅନ୍ଧ ଧୃତରାଷ୍ଟ

ପଣ୍ଡୁର ତନୟେ ଦିଅ ତବ ପାଦପୃଷ୍ଠ।୬।

 

ପୁତ୍ରେ କୋଳେ ବସାଇ ଅନ୍ଧରାଜନ

ଅନେକ ଉଷତ ହୋଅଇ ମନେ ମନ।୭।

ପୁତ୍ରକୁ କୋଳେ ଧରି ଧୃତରାଷ୍ଟ ନୃପତି

ଗାନ୍ଧାରୀ ଚରଣେ ପ୍ରଳମ୍ୱିତ ଦେବୀ କୋନ୍ତୀ।୮।

କୁଶଳ ସମ୍ଭାଷଣ ହୋଇଲେ ବେନିଜନ

ଗାନ୍ଧାରିକି ପ୍ରଳମ୍ୱ କଲେ ଭୀମ ଯୁଝେଷ୍ଠି ନକୁଳ ଅର୍ଜୁନ।୯।

 

କୋଇନ୍ତାୟେ ବୋଇଲେ ମା ଗୋ ୟେକଥା କି ଯୋଗାଇ

କିମ୍ପା ଅନ୍ଧପଟଳ ଗୋ ବାନ୍ଧିଲ ମହାମାୟି।୧୦।

ଗାନ୍ଧାରୀ ବୋଇଲେ ମୋର ଯେସନେକ ସ୍ୱାମୀର ଯୋଗ

ମୁହିଂ ତାହାର ଭାରିଯା କରିବି ଟିକି ଭୋଗ? ।୧୧।

କୋଇନ୍ତାୟେ ବୋଇଲେ ଗୋ ନୁହଇ ୟେ ପଦ

ପୁଅ ଗୋଟି ମାନଙ୍କର ଦେଖିବୁଟି ନା ସମ୍ପଦ।୧୨।

 

ଅନେକ ଦୁଖେ ଗୋ ଅରଜିଲୁ ପୁଅଙ୍କୁ

ୟେବେ ପ୍ରତିପାଳଣା କରିବୁଟିକି ୟେହାଙ୍କୁ।୧୩।

ଗାନ୍ଧାରୀ ବୋଇଲେ ସମସ୍ତେ ମୋର ଦୁଷ୍ଟ

ଯାହା କର୍ମେ ଅର୍ଜି ଅଛଇଂ ଧୃତରାଷ୍ଟ।୧୪।

ସ୍ୱାମୀର ଯେବେ ଦୃଶ୍ୟ ନାହିଂ ମୋର କି ସଦୃଶ୍ୟ

ସ୍ୱାମୀ ଯେବେ ମୋହୋ ରଅଦୃଶ୍ୟ ତେବେ ନାହିଂ ମୋହୋର ଦୃଶ୍ୟ।୧୫।

 

ତୁ ମୋହୋର ମାତା ଗୋ ନବୋଲ ମୋତେ ଆନ

ମୋର କୁମରଙ୍କର ମାତା ଗୋ ସାର ଅଭିମାନ।୧୬।

କାହାରି ବୋଲ ସେ ନକଲା ଗାନ୍ଧାରୀ

ସୁଖେ ଅନ୍ଧପଟଳ ବାନ୍ଧିଲା ଧୃତରାଷ୍ଟ ମନୋହାରୀ।୧୭।

ଦ୍ରିଯୋଧନ ଯୁଝେଷ୍ଠି ଭାଇ ୟେକ ମେଳେ

ପାଞ୍ଚ ଉତ୍ତର ଶତେ ଭ୍ରାଥ ଖେଳନ୍ତି କୁତୋହଳେ।୧୮-୨୯୬୨।

 

ସହଦେବଙ୍କ ଜନ୍ମ

 

ଶୁଣ ହୋ ଯୋଗେଶ୍ୱର ବୋଲନ୍ତି ବ୍ରହ୍ମବେତ୍ତା

ମାଦ୍ରୀକି ଛାଡ଼ିଣ ଯେ ଅଇଲେ ଦେବୀ କୋଇନ୍ତା।୧।

ମହା ନିଶା କାଳେ ସେ ମଦନସେନର କୁମାରୀ

ଉତ୍ତନସାହୀ ହୋଇ ପଲଙ୍ଗେ ଅଛଇ ପହୁଡ଼ି।୨।

କରେଣ ଦୁର୍ଭାସାଙ୍କର ଘେନି ଅଛି ଜପାମାଳୀ

ଭୋ ଧରମ ଦେବତା ବୋଲି ପଞ୍ଚୁ ମନେ ଭାଳି।୩।

 

ୟେ ଯେ ଅଲେଖ ତିଳକ ଶୃଙ୍ଗାର ସୁରତି

ଭାରିଯାର ରୂପ ବିଳସିବ ନିଜ ପତି।୪।

ଭୋ ମହାରାଜା ୟେମନ୍ତ କିମ୍ପା କଲୁ ପଣ୍ଡୁ

ଆବର ବର ପାଇଲୁ ନାରାଜ ହୃଦେ ପଡୁ।୫।

କରେ ଧରି ଅଛଇ ଦୁର୍ଭାସାଙ୍କ ଜପାମାଳୀ

ସ୍ୱାମୀକି ସୁମରିଣ ସେ କର୍ମ ଘେନି ଭାଳି।୬।

 

ପଣ୍ଡୁ ନାମ ଜପଇ ସେ ଜପାମାଳା ଘେନି

ଅନ୍ତରୀକ୍ଷେ ମିଳିଲେ ପାଇ ପଣ୍ଡୁ ନୃପମଣି।୭।

ଦେଖିଣ ତ୍ରାସିଲେ ସେ ସୁନ୍ଦରୀ ମଦନା

ତୁମ୍ଭର ଆମ୍ଭର ସ୍ୱାମୀ ଛାଡବ୍ରତ ସିନା।୮।

ତୁହି କିମ୍ପା ନିଶା ରାତିରେ ଅଇଲୁ ଆମ୍ଭର ତହିଂକି

ମୁହିଂ ତ୍ରାସିଲି ସ୍ୱାମୀ ତୁମ୍ଭର ଆଗତ ଦେଖି।୯।

 

ପଣ୍ଡୁ ବୋଇଲେ ଦୁର୍ଭାସାଙ୍କର ଜପାମାଳୀ ହସ୍ତେ ଘେନି ସୁମରିଲୁ ମୋତେ

ୟେହାକୁ ବଞ୍ଚାଇ ମୁଂ ଯିବଇଂ କେମନ୍ତେ।୧୦।

ଦେବେ ଦାନବେ ଯାହା ନପାରନ୍ତି ମେଣ୍ଟି

ଅବଶ୍ୟ ସ୍ୱପ୍ରାଣ ବିସର୍ଜିବି ମୃଧୁନା ଯିବ ଫାଟି।୧୧।

ସଞ୍ଚୟେ ମୃତ୍ୟୁ ମୋହୋର ହୋଇଲା ନିକଟ

ମୃତୁ କାଳେ ପୁଅନ୍ତି ମୁଂ ନପାଇଲି ଭେଟ।୧୨।

 

ୟେ ମନ୍ତ୍ର ମେଣ୍ଟିଲେ ଗୋ ନବ୍ରତଇ ସଂଘାତୁଣୀ

ଶୃଙ୍ଗାର କଲେ ଗୋ ମରିବି ୟେହି କ୍ଷଣି।୧୩।

ଆବର କିପାଇଂ ରମଣ ଛାଡ଼ିବି ମନଇଛା

ଅକାରଣେ ସୁନ୍ଦରୀଗୋ ତୁ କଲୁ ମନ ବାଞ୍ଛା।୧୪।

ମାଦ୍ରୀ ବୋଇଲେ ମୁଂ ନଚିନ୍ତଇ ତୋତେ

ଅଦଭୁତେ ନୃପତି ଭେଟିଲୁ କିମ୍ପା ମୋତେ।୧୫।

 

ବିଶେଷେ ଅଟଇ ୟେ ନିର୍ଜନ ସ୍ଥାନ ଭୂମି

କୋଇନ୍ତାୟେ ନାହାନ୍ତି ମାଦ୍ରୀକି କଟାଳିଲେ ପଣ୍ଡୁ ନୃପମଣି।୧୬।

ପଲଙ୍କ ଉପରେ ବସିଲେ ଦେବ ମାଡ଼ି

ମଦନାକୁ କୋଳ କଲେ ସ୍ୱାମୀ ସେ ଶାପକୁ ଭୟ ଛାଡ଼ି।୧୭।

ମାଦ୍ରୀ ସୁମରଇ ନାରାୟଣ ତ୍ରାହି ତ୍ରାହି

ମୁହିଂ ସ୍ତିରୀ ମାତ୍ରକ ପୁରୁଷ ବଳବନ୍ତା ୟେହି।୧୮।

 

ପୁରୁଷ ବଳ କଲେ ସ୍ତିରୀ କାହିଂ ରଖି

ୟେହେନେକ ଘଟ ଶୂତ୍ର ବିହି ଅଛି ଲେଖି।୧୯।

ଧର୍ମ ଧର୍ମ ସୁମରଇ ମଦନ ମହାଦେବର ନନ୍ଦନୀ

ପଣ୍ଡୁ ବିବସନ କଲେ ମାଦ୍ରୀକି କୋଳେ ଘେନି।୨୦।

ଯହିଂ ସେ ପାତକ ତହିଂ କାମଦେବର ଅନୀତି

ସମସ୍ତ ବୁଡ଼ାଇଲା ଅନଙ୍ଗ ସେନାପତି।୨୧।

 

ବିପରୀତ ବୁଦ୍ଧି ପ୍ରସରଇ ନଶିବାର ବେଳେ

ମଦନାକୁ ପଣ୍ଡୁରାଜା ଧଇଲେକ ଯାଇଂ ବଳେ।୨୨।

ମାଦ୍ରୀର ତୁଲେ ଯେ ବଢିଲା ଶୃଙ୍ଗାର

ହାସ୍ୟ ଉଲ୍ଲାସ ଯେହ୍ନେ କାମର ବେଭାର।୨୩।

ପଣ୍ଡୁରାଜାର ରମଣ ନାହିଂ ତିନିଶ ବରଷ ପରିଯନ୍ତେ

କାମ ସଂହାରଣ କଲା ସେ ମହାଯୋଗ ମତେ।୨୪।

 

ଅନେକ ରମଣ ବଢିଲା ପୀରତି

ବହୁତ ଶୃଙ୍ଗାରେ ସେ ଅଶାନ୍ତି ଅତ୍ରିପୁତି।୨୫।

ଦଇବର ଘଟ ସୂତ୍ର କେହୁ ଆନକରି

ଯାହା ସେ ଶାପ ଦିଲେ ଅଗ୍ନିକାର ବ୍ରହ୍ମଚାରୀ।୨୬।

ହେଠ ପୂରା ଶୃଙ୍ଗାର ସମୟେ ଅପ୍ରମିତେ

ନିର୍ଘାତ ନାରାଜେକ ପଡ଼ିଲା ଅଦଭୁତେ।୨୭।

 

ମହାଋଷିଙ୍କର ଶାପ କେହୁ ଆନ କରିପାରୁ

ବୋଇଲେ ଯେ ତୋହୋର ଶୃଙ୍ଗାର କାଳେ ଅକାଳ କାଣ୍ଡ ପଡ଼ୁ।୨୮।

ସେ ଋଷିର ଶାପ ଯେ ଅନ୍ୟଥା ନୋହିଲା

ପଣ୍ଡୁର ଶୃଙ୍ଗାର କାଳେ ଅଦଭୁତେ ଆସି ନାରାଜ ପଡ଼ିଲା।୨୯।

ଆକାଶୁଂ ପଡିଲା ଶର ପଣ୍ଡୁରାଜାର ପିଠି

ମାଦ୍ରୀର ହୃଦଗତେ ବାହାର ହୋଇଗଲା ଫୁଟି।୩୦।

 

ମହା ତେଜ ବଳବନ୍ତା ଅଭିଶାପ ବାଣ

ଅଦଭୁତେ ପଡ଼ି ହରିଲା ପଣ୍ଡୁ ମାଦ୍ରୀଙ୍କର ପ୍ରାଣ।୩୧।

ଶୃଙ୍ଗାର ପ୍ରାନ୍ତ ଯେ ହୋଇଲା ନିକଟ

ବୀର୍ଯ୍ୟ ପ୍ରଦାନ ହୋଇଲା ଉଭୟ ସଂକଟ।୩୨।

ଯେବଣ ବୀର୍ଯ୍ୟ ପଡ଼ିଲା ମାଦ୍ରୀର ଗର୍ଭଗତେ

ସେ ଅମୋହ ରେତ ନାଶ ନୋହିଲା ଯୁଗତେ।୩୩।

 

ମାଦ୍ରୀ ପ୍ରାଣ ତ୍ୟାଜ ହୋଇଲା ଶର ଘାତେ

ସଇନ୍ଦୁ ପୁତ୍ରେକ ଯେ ହୋଇଲା ଉପଜାତେ।୩୪।

ଶୁଣ ହୋ ମହାରାଜା ବଦୟନ୍ତି ଅଗସ୍ତି

ସୋମବଂଶ ଠାକୁର ପଞ୍ଚୁକଟକେ ଆଧିପତି।୩୫।

ଯାହା ସେ ଅରଜିଲା କର୍ମର ବିପତ୍ତି

କାହାର ବେଳେ ସେ ହୋଇବ ଅନିତି।୩୬।

 

ଅଲଘିଂତ କର୍ମ ପଣେ ଯେ ପଣ୍ଡୁ ନାଶଗଲା

କେହି ଜଣେ ପୁତ୍ର ଯେ ଆବୋରନ୍ତା ନୋହିଲା।୩୭।

ପୁତ୍ର ଗୋଟି ପଡ଼ିଅଛି ଭୂମିର ମଧ୍ୟେ

ବାଳୁତ କୁମର କାନ୍ଦଇ ଅତି କ୍ରୋଧେ।୩୮।

ୟେମନ୍ତର ସମୟେ ଯେ ରୟଣୀ ପ୍ରଭାତ

ଉଦେଗିରୁ ପ୍ରଦକ୍ଷିଣ ଦିନକର ନାଥ।୩୯।

 

ତ୍ରୈଲୋକ୍ୟ ବ୍ରହ୍ମାଣ୍ଡର ସେ ଅଟଇ ଦିବ୍ୟ ଆଖି

ପାପପୁଣ୍ୟ ବିପଦ ସମ୍ପଦ ସମସ୍ତହିଂ ଦେଖି।୪୦।

ଲକ୍ଷେକ ଯୋଜନେ ଥାଇ ଦେଖିଲେ କରତାର

ମାତା ପିତା ପ୍ରାଣତ୍ୟାଗ ପୁତ୍ରେକ ହୋଇଛି ଅବତାର।୪୧।

ଗହନ ଘୋର ଅରଣ୍ୟ ଅଟଇ ଅଟବ୍ୟା

ଶତଶିଂଗେ ପ୍ରାଣ ତ୍ୟାଗ ପଣ୍ଡୁରାଜ ଦେବା।୪୨।

 

ଅନେକ ଜୀବଜନ୍ତୁମାନେ ତହିଂ ଛନ୍ତି ପୂରି

ବ୍ୟାଘ୍ର ଭାଲୁକ ଗ୍ରିଧିନୀ ପ୍ରେତ ତହିଂ ଭୂରି।୪୩।

ୟେମାନେ ବେଢିଲେ ସେ ଅପାର ଗହନ

ମୃତୁ ପିଣ୍ଡ ବାଳୁତ କୁମାର ଭକ୍ଷିତେ କଲେ ମନ।୪୪।

ବାଳୁତ ପୁତ୍ର ଚିଆଇଂ ଚାହିଂଲା ମୁଖ ତୋଳି

ପିଚାଶ ଜୀବମାନେ ଗଲେ ସର୍ବେ ଜଳି।୪୫।

 

କୁମାର ନୟନ ତେଜ ଯେ କାଳାନଳ ଜାଣି

ଶୂନ୍ୟ ପୁରୁଷମାନେ ତ୍ରାସିଲେ ଗଗନ ଯେ ମଣି।୪୬।

ଆକାଶେଣ ଦେଖିଲେ ଯେ ଗଗନ ବିହାରୀ

ଚିନ୍ତାମଣି ପୁରୁଷ ସେ ସକଳ ଚିନ୍ତାକାରୀ।୪୭।

ଆଗ୍ୟାଂ ଦିଲେ ଅଶ୍ୱିନୀକୁମାରନ୍ତ ରାଇ

ପୁତ୍ରକଇ ତୁମ୍ଭର ହୋ ସମ୍ଭାଳ ବେଗେ ଯାଇ।୪୮।

 

ସେ ପୁତ୍ରରେ କାରଣ ହୋଇବ ତୁକୁଇ।୪୯।

ବିରଞ୍ଚି ନାରାୟଣଙ୍କର ଆଗ୍ୟାଂ ପରମାଣେ

ଅଶ୍ୱିନୀକୁମାରେ ଯାଇ ଭେଟିଲେ ତତକ୍ଷଣେ।୫୦।

ଦେଖିଲେ ନନ୍ଦନ ପଡ଼ିଛି ଉତ୍ତାନସାହୀ ହୋଇ

କୁମାରକୁ କୋଳ କରି ଧଇଲେ ଗୁଣଗ୍ରାହୀ।୫୧।

 

ଜାତ ହୋଇଲା ପୁତ୍ର ଯେ ସମ୍ଭାଳନ୍ତା ନୋହିଲା

କ୍ଷୀର ପାନ ନପାଇ ଯେ କୁମର ନାଶ ଗଲା।୫୨।

ଅଶ୍ୱିନୀକୁମାରେ କୋଳ କରି ଧଇଲେ ବାଳ ବଛି

ଦେଖିଲେ ପୁତ୍ର ଶରୀରେ ପ୍ରାଣ ନାହିଂ କିଛି।୫୩।

କାନ ଫୁଙ୍କନ୍ତି ମହାତ୍ମା ଆଦିତ୍ୟର ଶିଷି

ମୃତୁ ଗତ କୁମର ସେ ଚେତନା ନ ଦିଶି।୫୪।

 

ଭାଳନ୍ତି ଅଶ୍ୱିନୀକୁମାରେ ମୁଂ ଯେ ମନ୍ଦକୃତ୍ୟ କଲି

ଅକାରଣେ ଆସି ମୃତୁ ପିଣ୍ଡକୁ ଛୁଇଂଲି।୫୫।

ଗଗନେ ସେ ଆଗ୍ୟାଂ ମୋତେ ଦିଲେ କରତାର

ବୋଇଲେ ପୁତ୍ର ଯାଇଂ ସମ୍ଭାଳସି ତୋହୋର।୫୬।

ଆସନ୍ତେଣ ପୁତ୍ର ଗୋଟି ପ୍ରାଣେ ନାଶଗଲା

ମୋହୋର ଧରିବା ଯାୟେ ଆତ୍ମା କିମ୍ପାଇ ନଥିଲା।୫୭।

 

ୟେ ମୃତୁପିଣ୍ଡକୁ ପକାଇ ବାହୁଡ଼ିଣ ଗଲେ

ଦେବତାୟେ ହାସ୍ୟ କରିବେ ନା ମୋତେ ସେ ଦେଖିଲେ।୫୮।

ୟେତେକ ବିଚାରି ସେ କୁମାର ମହାତ୍ମା

ଆପଣା ତନୁରୁ ସେ କାଢିଲେ ଅର୍ଦ୍ଧ ଆତ୍ମା।୫୯।

ସେ ମୃତୁ ପିଣ୍ଡରେ ପ୍ରବେଶ କରାଇଲେ ଜୀବ

ଜୀବନ୍ୟାସ ମନ୍ତ୍ର ପଢିଲେ ଅଶ୍ୱିନୀକୁମାର ଦେବ।୬୦।

 

ଅମୃତ ଭାବେ ଚାହିଂଣ ଫୁଙ୍କିଲେ କାମ ଗୋଟି

ଗତ ଆତ୍ମା କୁମର ଚାହିଂଲା ୟେକ ଦୃଷ୍ଟି।୬୧।

ଆପଣା ତହୁଂ କାଢି ଭରି ଦିଲେ ଯହୁଂ ଜୀବ

ତେଣୁ କରି ଅଶ୍ୱିନୀକୁମାରେ ନାମ ଦିଲେ ସହଦେବ।୬୨।

ତୋଷେଣ ବର ଦିଲେ ପ୍ରସନ୍ନେ ଅଶ୍ୱିନୀ

ଆରେ କୁମର କରକୁ ଚାହାନ୍ତେ ଦିଶୁ ତୋତେ ବ୍ରହ୍ମାଣ୍ଡ କୋଟି ତିନି।୬୩।

 

ଭୂତ ଭବିଷ୍ୟତ ଗ୍ୟାଂତା ହୁଅରେ ସହଦେବ

ମନ୍ତ୍ରୀପଣେ ତୋତେ ଦୃଶ୍ୟ ହୋଉ ଗତ ଆଗତ ସର୍ବ।୬୪।

ଯେ ତୋତେ ପଚାରିବ ଗତ ଆଗତ କଥା

ଅବଶ୍ୟ ତୁ କହିବୁ ଭୂତ ଭିବଷ୍ୟ ବାରତା।୬୫।

ଆହୋ ୟେସନେକ ବର ତାକୁ ଦିଲେ କୁମାରଅଶ୍ୱିନୀ

ମହାତ୍ମାର ପ୍ରସନ୍ନେ ସେ ହୋଇଲେ ମହାଗ୍ୟାନୀ।୬୬।

 

କୁମାର ଆଗ୍ୟାଂ ଦିଲେ ସେ ବିଶ୍ୱଦେବତାଙ୍କୁ

କୋଇନ୍ତାୟେ ଆସିବା ଯାୟେ ସମ୍ଭାଳି ଥାଅ ପୁତ୍ରକୁ।୬୭।

ସହଦେବଙ୍କୁ ଦିଲେ ନେଇ ବିଶ୍ୱଦେବାଙ୍କର କୋଳେ

ଚଳିଲେ ଅଶ୍ୱିନୀକୁମାର ଆକାଶ ମଣ୍ଡଳେ।୬୮-୩୦୩୦।

 

କୁନ୍ତୀଙ୍କର ହସ୍ତିନା ପ୍ରବେଶ ଓ ପଣ୍ଡୁଙ୍କ

ମୃତ୍ୟୁରେ ଶୋକ ପ୍ରକାଶ

 

ବଇବସୁତ ମନୁ ପୁଛା କଲେ ହୋ ଅଗସ୍ତି

ହସ୍ତିନାରେ ପ୍ରବେଶ ଆସି ହୋଇଲେ ଦେବୀ କୁନ୍ତୀ।୧।

କର୍ଣ୍ଣର ନଗରୁ ମାତା ଅଇଲେ ତଡ଼ ବେଗେ

ସଞ୍ଜୟେ କହନ୍ତି ଧୃତରାଷ୍ଟଙ୍କର ଆଗେ।୨।

 

ପଣ୍ଡୁ ପାଟରାଣୀ ତୁମ୍ଭଙ୍କୁ ଅବଧାରୀ

ପୁତ୍ରବନ୍ତୀ ଯଶୋବନ୍ତୀ ହୁଅରେ ଭୋଜର କୁମାରୀ।୩।

ଗାନ୍ଧାରୀ ତାହାଙ୍କର ସନ୍ନିଧ୍ୟରେ ଛନ୍ତି ବସି

ସାନନ୍ଦ ହୋଇ ବେନି ଜନ କୁଶଳ ସମ୍ଭାଷି।୪।

 

ଦିନା ଦୁଇ ତିନି ରହିଲେ ଭୋଜରାଜର କୁମାରୀ

ଦ୍ରିଯୋଧନର ସଙ୍ଗତରେ ଖେଳନ୍ତି ଭାଇ ଚାରି।୫।

ଅଗସ୍ତି ବୋଇଲେ ହୋ ଶୁଣ ଦଣ୍ଡଧାରୀ

ଗଙ୍ଗାକଇ କୋଇନ୍ତା ଗଲେ ସ୍ନାହାନ ଯେ କରି।୬।

 

ଅନେକ ଅଳଙ୍କାର ଭରି ଭୋଜର କୁମାରୀ

ଶ୍ରୀହସ୍ତେ ଦର୍ପଣ ଘେନି ଆପଣ ରୂପ ଅନୁସରି।୭।

ଦେଖଇ ଅଲେଖ ତିଳଖ ଦିଶଇ ବିଭଳି

ଅଲକ୍ଷଣ ଦେବୀ ମନେ ମନେ ଭାଳି।୮।

 

ବିଚାରିଣ ବୋଇଲେ କୋଇନ୍ତା ୟେ କେମନ୍ତେ ଦିଶଇ ମୋର କାୟେ

ଶରୀର ଦିଶିଲା ମୋର ବିଧବା ଲକ୍ଷଣ ପ୍ରାୟେ।୯।

କିଅବା ବନେ ପ୍ରମାଦ ପଡ଼ିଲା ପଣ୍ଡୁଙ୍କୁ

କିଅବା ପ୍ରମାଦ ପଡ଼ିଲା କୋନ୍ତଭୋଜ ରାଜାଙ୍କୁ।୧୦।

 

ଜାତ କଲା ପିତା କି ଆବର ସ୍ୱାମୀ ଦେବତା

ଦୁହିଂଙ୍କ ଅବସାନେ ବିଭଳିତ ଦିଶଇ ବନିତା।୧୧।

ମୁହିଂ ଯେ ପଣ୍ଡୁଙ୍କୁ ଛାଡ଼ି ଅଇଲି ବନେ

ମଦନାର ତୁଲେ ଅବା କ୍ରୀଡା କଲେକି ତୋଷ ମନେ।୧୨।

 

ସଂଚୟେ ସ୍ୱାମୀ ମୋର ରମଣ କି ଇଛାକଲା

ଋଷିର ଶାପ ସେ ମେଣ୍ଟଣ ନ ଗଲା।୧୩।

ଛାଡ଼ିଣ ଅଇଲି ନ ପାରିବି ଦେଖି

ଅନେକ କ୍ରୋଧ ଅବସ୍ଥାରେ ଲୁଅ ବହଇ ବେନି ଆଖି।୧୪।

କୋଇନ୍ତାୟେ ବିଜେ କଲେ ଗାନ୍ଧାରୀ ସମୀପେ

ପଣ୍ଡୁଙ୍କୁ ପ୍ରମାଦ ଆଗୋ ପଡିଲାକି ବନସ୍ତେ।୧୫।

 

ମୁଂ ବହନ ଯାଉଛି ଶତଶିଂଗ ପର୍ବତେ

ସ୍ୱାମୀର ବଦନ ଆଉ ଚାହିଂବି କେବଣ ମତେ।୧୬।

ଗାନ୍ଧାରୀ ବୋଇଲେ ଗୋ ନୋହଇ ୟେମନ୍ତ

ତ୍ରଇଲୋକେ ଅଜୟେ ସେ ପଣ୍ଡୁ ନରନାଥ।୧୭।

 

ଶବଦ ଭେଦୀ ମହାତ୍ମା ତ୍ରୈଲୋକ୍ୟେ ଅଧିକାରୀ

ତିନି ଭୁବନ ମଧ୍ୟରେ ଗୋ କେ ଅବା ତାହାକୁ ସରି।୧୮।

କୋଇନ୍ତାୟେ ବୋଇଲେ ଗୋ ପଡିଲାନି ଅପଚୟେ

ମାଦ୍ରୀର ମେଳେ ନାଶ ଗଲାନି ପଣ୍ଡୁ ରାୟେ।୧୯।

 

ୟେହି ବିଚାର ସତ ଗୋ ଅଟଇ ଗାନ୍ଧାରୀ

ଆବର ପଣ୍ଡୁଙ୍କୁ କି ପାଇବି ମୁହିଂ ଲୋଡ଼ି କରି।୨୦।

ବହନ ସଜ ଯେ ହୋଇଲେ ଦେବୀ କୋନ୍ତେ

ଧୃତରାଷ୍ଟ ଆଗ୍ୟାଂ ଦିଲେ ବିଦୁର ସମେତେ।୨୧।

 

ସଞ୍ଜୟେ ତୁ ଯାଅ ଭୀଷ୍ମଙ୍କୁ ଆଦି କରି

ବଧୂଙ୍କର ସଙ୍ଗତେ ଶତଶିଂଗ ଗିରି।୨୨।

ଅଲୋକିତ ବଚନ କହିଲେ ଦେବୀ ଯେ କୋଇନ୍ତେ

ପଣ୍ଡୁଙ୍କୁ ଘେନି ଆସ ତୋହୋର ସଙ୍ଗତେ।୨୩।

 

ବିଦୁର ବୋଇଲେ ମାୟେ ଗୋ ତୋ ପୋୟେ ୟେଥେ ଥାନ୍ତୁ

ଭୂରିସର୍ବାୟେ ପଛେ ତୋ ପୋଅନ୍ତ ଘେନିଯାନ୍ତୁ।୨୪।

ଧୃତରାଷ୍ଟ ଗାନ୍ଧାରୀ ସନ୍ନିଧ୍ୟେ ପୋଅନ୍ତମାନ ଦେଇ

ବାବୁ ତୁମ୍ଭେ ୟେଥେ ଖେଳୁଥାଅ ମୁଂ ନଦୀରୁ ଆସେ ଯାଇଂ।୨୫।

 

ପଙ୍କୁ କଦଳୀ ଖଣ୍ଡ ରସ ଦିବ୍ୟ ପଦାର୍ଥମାନ

ପୁଅଙ୍କର ହାଥେ ଦେଇ କରାଇଲେ ତୋଷ ମନ।୨୬।

ଦ୍ରିଯୋଧନ ଧୁଶାସ ନସଙ୍ଗେଣ ଖେଳନ୍ତି

ପୁଅନ୍ତ ଛାଡି ତହୁଂ ଚଳିଲେ ଦେବୀ କୋନ୍ତୀ।୨୭।

 

ଭୀଷ୍ମ ଭୂରିସର୍ବା ସଞ୍ଜୟ ବିଦୁର

ୟେମାନେ ଆରୋହିଲେ ରଥର ଉପର।୨୮।

ବିମାନେ ଆରୋହୀ କୋନ୍ତଭୋଜର ଦୁହିତା

ଶତଶିଂଗ ପର୍ବତକୁ ବୋଲି ବାଟ କଢାନ୍ତି ଦେବୀ କୋନ୍ତା।୨୯।

 

ବୃନ୍ଦାଅର୍କ ବନେ ସେ ହୋଇଲେ ପ୍ରବେଶ

ଦେଖିଲେ ଯେ ଅମଙ୍ଗଳ ବନସ୍ତ ଦଶ ଦିଶ।୩୦।

ହାହା ବଲ୍ଲଭ ବୋଲି ବୋଲନ୍ତି କୋନ୍ତଭୋଜର ନନ୍ଦନୀ

ଜୀବନ୍ତେଣ ପଣ୍ଡୁଙ୍କୁ କି ଦେଖିବ ଚକ୍ଷୁ ଘେନି।୩୧।

 

ଶିବପାଦ ନାମେଣ ଯେବଣ ଶବର

ସେ ଯାଇଥିଲା କୋଇନ୍ତାଙ୍କ ସଙ୍ଗତର।୩୨।

ଯହୁଂ ବିଅର୍ଥ ୟେଣେ ହୋଇଲେ ପଣ୍ଡୁରାଜା

ହସ୍ତିନାକୁ ଯାଉଅଛି ସେ କିରାତ ଭାରିଯା।୩୩।

 

କୋଇନ୍ତାୟେ ପଚାରିଲେ ଆଲୋ କିରାତୁଣୀ

ପଣ୍ଡୁ ମାଦ୍ରୀଙ୍କର କହ ଶୁଭବାଣୀ।୩୪।

ପୋୟେଳା ନାମେ କିରାତୁଣୀ ସେ କୋଇନ୍ତାୟେ ବୋଲେ

ପଣ୍ଡୁ ମାଦ୍ରୀ ଗୋ ତୋର ଶତଶିଂଗେ ଛନ୍ତି ଭଲେ।୩୫।

ଉଷତ ହୋଇଲେ ଶୁଣି କୋନ୍ତଭୋଜର ବାଳୀ

ହୃଦର ବ୍ୟଥା ଦେବୀ ଛାଡ଼ିଲେ ବିକଳି।୩୬।

 

ଧାତିକାରେ ବିଜେକଲେ ପର୍ବତ ଶିଖରେ

ପଣ୍ଡୁ ମାଦ୍ରୀ ପଡ଼ିଛନ୍ତି ଆତ୍ମ ଅଚେତରେ।୩୭।

ଉଲଗ୍ନସାହୀ ହୋଇ ମାଦ୍ରୀ ପଡ଼ିଛଇ ପଲଙ୍କ ଉପରେ

ଦୁହିଂଙ୍କର ଶରୀର ଫୁଟି ଅଛି କାଳଚକ୍ର ଶରେ।୩୮।

 

ବିଦୁର ଦେଖିଣ ପଡ଼ିଲେ ମୂର୍ଚ୍ଛାଗତେ

ବିମାନୁ କୋଇନ୍ତାୟେ ପଡ଼ିଲେ କି ଜାଣି ବଜ୍ରଘାତେ।୩୯।

ହା ହା ନାଥ ବୋଲି ରୋଦନ୍ତି ମାହେଶ୍ୱରୀ

ଗୁଣସାର ନାଥ କିମ୍ପା ନାଶ ଗଲା ହୁଡ଼ି।୪୦।

 

ସ୍ୱାମୀକି କୋଳ କରି ହୃଦରେ ଲଗାଇ

ଶତ ଚନ୍ଦ୍ର ବଦନ ଗୋଟିର ମୁଂ ଆପାଦ ଘେନିଯାଇ।୪୧।

ପ୍ରାଣର ବଲ୍ଲଭ ମୋର ଦୁଖୀର ସଂଘାତ ଗୋଟି

ମୃତ ପିଣ୍ଡ ଘେନିଣ ଦେବୀ ପଡ଼ଇ ମହୀ ଲୋଟି।୪୨।

 

ହା ହା ଜଗବଦନ ନାଥ ମୋତେ କେଉଂଣ ଗତି କଲୁ

ଗଭୀର ସମୋଦ୍ରେ ମୋହୋର ଭେଳା ବୁଡ଼ାଇଲୁ।୪୩।

ଧର୍ମେଣ ରାଜ୍ୟ ରକ୍ଷା କଲୁ ପ୍ରାଣଗୁରୁ

ପାପ ଲଘିଂଲୁ ଧର୍ମ ଅଧର୍ମ ବିଚାର ନକରୁ।୪୪।

 

ମୁହିଂ ରାଢେଣୀ କିମ୍ପା ଛାଡ଼ିଗଲି ତୋତେ

ମାଦ୍ରୀ ୟେମନ୍ତ କର୍ମ କଲା ଅଦଭୁତେ।୪୫।

ଆହା ପ୍ରାଣନାଥ ପଞ୍ଚୁକଟକେ ଅଧିକାରୀ

ଶୋକ ସମୋଦ୍ରେ ମୋତେ ଗଲୁ ଛାଡ଼ି କରି।୪୬।

 

କୋଇନ୍ତାଙ୍କର କୋଳରୁ ଛଡାଇ ମୃତୁଶବ

ଆପଣେ କୋଳ କରି ଧଇଲେ ଗାଙ୍ଗେବ।୪୭।

ଭୂରିସର୍ବାୟେ ପଣ୍ଡୁଙ୍କୁ ଧଇଲେକ କୋଳେ

ଆମ୍ଭେ ଅଛୁ ବାବୁ ତୁରେ ପଶିବୁ ଅନଳେ।୪୮।

 

ତୁ ସେ ଜମ୍ୱୋଦୀପକୁ ଅଳଙ୍କାର ଗୋଟି

ୟେତେ କୃତ୍ୟ କଲା ତୋତେ ଅଗ୍ନିକାର ତପୋନିଷ୍ଠି।୪୯।

ୟେହାଙ୍କର କ୍ରୋଧ ଦେଖି ବିଶ୍ୱଦେବା ପୁରୁଷେ

ସହଦେବ କୁମରକୁ ଆଣିଲେ ହରଷେ।୫୦।

 

କୋଇନ୍ତାଙ୍କର କୋଳେ ନେଇ ଦିଲେ ବିଶ୍ୱଦେବେ

ପଣ୍ଡୁର ପୁତ୍ର ଗୋଟି ଯେ ୟେହାର ନାମ ସହଦେବେ।୫୧।

ମାଦ୍ରୀର ତୁଲେ ରମଣ କରିବାର ବେଳେ

ୟେ ପୁତ୍ର ଗୋଟି ଉତପତ୍ତି ହୋଇଲା ପଣ୍ଡୁର ନାଶକାଳେ।୫୨।

 

ଅଶ୍ୱିନୀକୁମାରେ ପାଳିଲେ ମହାମନ୍ତ୍ରଦେଇ

ଆପଣାର ତହୁଂ ଅର୍ଦ୍ଧ ଆୟୁଷ ଲଗାଇ।୫୩।

ସତ୍ତ୍ୱକୁ ଭାଞ୍ଜିଣ ୟେ ପୁତ୍ରକୁ ଦିଲେ ଜୀବ

ତେଣୁ କରି ୟେହାର ନାମ ଦିଲେ ସହଦେବ।୫୪।

 

ଶୁଣିଣ କୋଇନ୍ତାୟେ ପୁତ୍ରକୁ ପ୍ରତିପାଳି

କ୍ରୋଧ ସମ୍ଭାଳିଲେ କୋନ୍ତଭୋଜର ଦୁଲାଳୀ।୫୫।

ଭୂରିସର୍ବାୟେ ପଣ୍ଡୁଙ୍କୁ ଧରିଥିଲେ କୋଳେ

ଶୋକଭର ହୋଇ ଲଗାଇଲେ ବକ୍ଷସ୍ଥଳେ।୫୬।

 

ଭୂରିସର୍ବା ଭୀଷ୍ମ କଲେ କ୍ରୋଧ ସଂଘରଣ

କୋଇନ୍ତାକୁ ବୋଇଲେ ଗୋ ଛାଡ଼ ତୁ କାରୁଣ୍ୟ।୫୭।

ଯେ ସେ ଗଲା ତାହା ଲୋଡ଼ିଲେ ପାଇବା ଆଉ କାହିଂ

ଚିତା ଆରୋପଣ କଲେ ଗଙ୍ଗା କୂଳେ ନେଇ।୫୮।

 

ଚନ୍ଦନ ଅଗର ସରଳ କାଷ୍ଠ ଆବର ଦେବଦାରୁ

ଅଗ୍ନି ଆରୋପଣ କଲେ ତେଜ ସେ ବିସ୍ତାରୁ।୫୯।

ଅଗ୍ନି ଦାନ ଦିଲେ ଯେ ମହାମନ୍ତ୍ର ବାକ୍ୟେ

ହିରଣ୍ୟ ଦାନ ଦିଲେ ଗୋଧନ ଅନେକେ।୬୦।

 

ସୁବର୍ଣ୍ଣ ପଲଙ୍କରେ ଶୁଆଇଲେ ମୃତୁ ଶବ

ବେନି କତି ଧଇଲେ ଭୂରିସର୍ବା ଗାଙ୍ଗେବ।୬୧।

ଅନେକ କ୍ରୋଧ କଲେ ପଣ୍ଡୁର ବଦନ ଦେଖି

ବ୍ରହ୍ମାଣ୍ଡକୁ ଧାରଣା ତୁ ହୋଇଲୁ ନିରିମାଖୀ।୬୨।

 

ତିନି ବାର ପ୍ରତିକ୍ଷଣ କଲେ ବହନିକି

ଅନଳେ ବସାଇଲେ ପଣ୍ଡୁ ନୃପତିକି।୬୩।

କୋଇନ୍ତାୟେ ମାଦ୍ରୀକି ଯେ କୋଳ କରି ନେଲେ

ଆନ ଅଗ୍ନି ଆରୋପଣ କରି ମାଦ୍ରୀକି ଶୁଆଇଲେ।୬୪।

 

ଶମଶାନ ଭୂମିକି ବାଳୁତ ସହଦେବକଇ ନେଲେ

ତିଳ କୁସୁମ ଘୃତ ଘେନିଣ ମୁଖ ଅଗ୍ନି ଦିଆଇଲେ।୬୫।

ଦହନ କଲେ ସେ ପଣ୍ଡୁ ମଦନାକୁ

ଅନେକ ହରଷ ହେଲେ ପୁତ୍ର ଦେଖି ପାଶୋରିଲେ ପଣ୍ଡୁଙ୍କୁ।୬୬।

 

ପଣ୍ଡୁ ମାଦ୍ରୀ ଦୁହିଙ୍କି ଅଗ୍ନି ସଂସ୍କାର କରି

ଅଗ୍ନି ଶାନ୍ତି କଲେ ଜଳ ଅବଧାରି।୬୭।

ଶ୍ମଶାନ ଭୂମିରୁ ଆସିଲେ ସହଦେବ କୋନ୍ତୀ

ଶୀତଳ ଦ୍ରବ୍ୟମାନ ପରାଶନ କରାନ୍ତି।୬୮।

 

ଭୂରିସର୍ବାୟେ ବୋଇଲେ ମା ଗୋ ବହନ ହୋଇଯିବା

ଧୃତରାଷ୍ଟ ଅଗ୍ରତେ ଯାଇ ପ୍ରେତ କାର୍ଯ୍ୟ କରାଇବା।୬୯।

କୋଇନ୍ତାୟେ ବୋଇଲେ ଗୁରୁୟେ ହସ୍ତିନାକୁ ଯାଆନ୍ତୁ

ମୁହିଂ କିପାଇଂ ଯିବି ଶତଶିଂଗ ପରବତୁଂ।୭୦।

 

କୁନ୍ତୀଙ୍କର ଶତଶୃଙ୍ଗ ପର୍ବତରେ ରହିବା ଓ ଭୀଷ୍ମଙ୍କ

ଦ୍ୱାରା ଧୃତରାଷ୍ଟ୍ରଙ୍କୁ ପଣ୍ଡୁଙ୍କ ମୃତ୍ୟୁ ଖବର କହିବା

 

ପୁଅନ୍ତ ଅଣାଇ ଦିଅ ମୋର ୟେଥ

ମୁହିଂ ରହି ପାରିବିକି ଗାନ୍ଧାରୀ ସଙ୍ଗତ।୧।

ଦୁଷ୍ଟ ପ୍ରକୃତି ସେ ଅଟଇ ଗାନ୍ଧାରୀ

ପୁତ୍ରଗୋଟି ମାନେ ତାର ଅଟନ୍ତି ଦୁଷ୍ଟ ଆଚାରୀ।୨।

 

ତାହାର ବେଳେ ମୋତେ ନୋହଇ ସମ୍ଭାଳି

ସେ ସହି ନପାରିବେ ମୋର ଭୀମାର ଆରଦୋଳି।୩।

ସୋଦରେ ସୋଦରେ ଦ୍ୱନ୍ଦ ହୋଇବାକ କି କେମନ୍ତେ

ପୁଅନ୍ତ ଘେନି ମୁଂ ୟେଥେ ଥାଇଂନା ନିଶ୍ଚିନ୍ତେ।୪।

 

ଭୀଷ୍ମଙ୍କୁ ପରିଣାମି ବୋଲନ୍ତି ଦେବୀ କୋନ୍ତେ

ପୁଅନ୍ତ ବହନ କରି ଅଣାଇବା ୟେଥେ।୫।

ଭୀଷ୍ମେ ବୋଇଲେ ମା ଗୋ ନୋହଇ ୟେମନ୍ତ

ପଣ୍ଡୁର ତେଜେ ୟେଥେ ହୋଇଥିଲୁ ନିଶ୍ଚିନ୍ତ।୬।

 

ଅସୁର ବଳ ଦୁଷ୍ଟ ରାକ୍ଷସ ଶିର ଛେଦି

ତ୍ରଇଲୋକ୍ୟେ ଅସମ୍ଭବ ପଣ୍ଡୁ ଅଟଇ ଶବଦ ଭେଦୀ।୭।

ତେଡେ ବଡ ଛତ୍ରୀ ଗୋ ପାର ନଗଲାଟି କାଳେ

ଅଭିଶାପ ହୋଇଲାଟି ଗୋ କର୍ମର ଅବଳେ।୮।

 

ଅଦୋଷେଣ ସେ ନାଶ ଗଲାଟି ରାୟେ ପଣ୍ଡୁ

ରାଜ୍ୟକୁ ଯିବା ଗୋ ମାୟେ ୟେ ବନସ୍ତ ପୁଡୁ ପୁଡୁ।୯।

କୋଇନ୍ତାୟେ ବୋଇଲେ ଆମ୍ଭେ ରହିଥିଲୁଂ ୟେଥେ

ନିର୍ଦ୍ୱନ୍ଦୀ ହୋଇଥିଲୁ ତିନିଶ ପଞ୍ଚାଶ ବର୍ଷ ପରିଯନ୍ତେ।୧୦।

 

ୟେ ଥାନ ଛାଡ଼ି ଯିବାକୁ ନବଳଇ ମୋର ଇଛା

ତହିଂକି ମୋତେ ନେଇ କରି ନପାରିବଟି ରକ୍ଷା।୧୧।

ୟେତେବେଳ ପରିଯନ୍ତେ ସ୍ୱାମୀତ ମୋର ନାହିଂ

ୟେମନ୍ତେହେଂ ପର୍ବତ ଅଛି ମୋତେ ସହି।୧୨।

 

ସ୍ୱାମୀର ଶବ ଯେ ମୋର ପଡ଼ିଲାକ ୟେଥେ

କେମନ୍ତେ ଯିବି ପ୍ରେତ କାର୍ଯ୍ୟ ନସରିବା ପରିଯନ୍ତେ।୧୩।

ୟେବେ ତୁମ୍ଭେ ଦେବ ବିଜେ କରିଯିବା

ପୁଅନ୍ତ ଘେନିଣ ମୋର ବହନ ଆସିବା।୧୪।

 

କୋଇନ୍ତାୟେ ଯେ ସେ ପରମ ମାହେଶ୍ୱରୀ

ଚଳିଲେ ଗାଙ୍ଗେବ ଯେ ଦେବୀର ଆଗ୍ୟାଂୟେଣ କରି।୧୫।

ଭୀଷ୍ମ ଭୂରିସର୍ବା ବିଦୁର ସହିତେ

ବାହୁଡ଼ିଣ ଆସନ୍ତିୟେ କୋଇନ୍ତାକୁ ଛାଡ଼ିଣ ବନସ୍ତେ।୧୬।

 

ହସ୍ତିନା ରାଜ୍ୟରେ ଯେ ପ୍ରବେଶ ହୋଇଲେ

ଧୃତରାଷ୍ଟ ଆଗେ ଯାଇ ଗାଙ୍ଗେବ ବସିଲେ।୧୭।

ସଞ୍ଜୟେ କହିଲେ ଶୁଣ ଆହୋ କୁରୁପତି

ସନ୍ନିଧ୍ୟେ ବିଜେ କଲେ ଭୀଷ୍ମ ମହାରଥୀ।୧୮।

 

ଆସ୍ଥାନ ତେଜି ଯେ ଉଠିଲେ ସୋମବଂଶୀ

ଭୀଷ୍ମଙ୍କ ଚରଣେ ଧୃତରାଷ୍ଟ ଶିର ଯେ ନିବେଶି।୧୯।

 

ଭୀଷ୍ମଙ୍କ ମୁଖରୁ ପଣ୍ଡୁଙ୍କ ମୃତ୍ୟୁ ବାର୍ତ୍ତା ଶୁଣି

 ଧୃତରାଷ୍ଟ୍ରଙ୍କଶୋକ

 

ତୁମ୍ଭେ ଯେ ଗଲ ଶତଶିଂଗ ପର୍ବତକୁ

ତୁଲେ କିମ୍ପେ ନଆଣିଲ ପଣ୍ଡୁ ଯେ ରାଜାଙ୍କୁ।୧।

ଭୀଷ୍ମେ ବୋଇଲେ ସେ ତହିଂରେ ରହିଲା

ଶତଶିଂଗ ପର୍ବତକୁ ବୋଲି ତାକୁ ଦଇବ ସ୍ରିଜିଲା।୨।

 

ଆମ୍ଭେ ୟେହି କ୍ଷଣି ବାହୁଡ଼ିଣ ଯିବୁ

ପୁଅନ୍ତ ନେଇ ତାର ଶତଶିଂଗେ ଦେବୁ।୩।

ଭୀଷ୍ମଙ୍କ ତହୁଂ ଶୁଣି ପଣ୍ଡୁର କୁମାରେ

ଲାଟ ଖେଳୁଥିଲେ ଦ୍ରିଯୋଧନ ସଙ୍ଗତରେ।୪।

 

ବାରତା ପାଇଣ ସେ ଅଇଲେକ ବାଳେ

ଦେଖିଣ ଭୀଷ୍ମ ପୁଅଙ୍କୁ ଧଇଲେକ କୋଳେ।୫।

ଯୁଝେଷ୍ଠି ଭୀମ ଯେ ଅର୍ଜୁନ ନକୁଳ

ଦେଖିଣ ଗାଙ୍ଗେବ ନୟନୁଂ ବହେ ଅଶ୍ରୁଜଳ।୬।

 

ଅନେକ କରି ପଚାରନ୍ତି ଧୃତରାଷ୍ଟେ

ଭୀଷ୍ମେ କହିଣ ନପାରନ୍ତି କ୍ରୋଧର ଗରିଷ୍ଠେ।୭।

ଧୃତରାଷ୍ଟ ବୋଇଲେ ଶୁଣିମା ମହାଗୁରୁ

କି ନିମନ୍ତେ କ୍ରୋଧ ଗତ କହିତ ନୁଆରୁ।୮।

 

ଭୀଷ୍ମେ ବୋଇଲେ ଶୁଣ ତୁ ରାଜସୁତେ

ବଡ଼ି ଦୁଲଭ କଥା ତୋତେ କହିବା ୟେକାନ୍ତେ।୯।

ଯୁଝେଷ୍ଠି ପୁଛା କଲେ ଭୀଷ୍ମଙ୍କ କୋଳେ ବସି

ମାତାୟେ ଆମ୍ଭର କେତେବେଳେ ହୋଇବେ ୟେଥେଂ ଆସି।୧୦।

 

ଭୀଷ୍ମେ ବୋଇଲେ ବାବୁ ଆସୁଛନ୍ତି ପନ୍ଥେ

ପୁଅନ୍ତ ଘେନିଗଲେ ସେ ଭୋଜନର ନିମନ୍ତେ।୧୧।

ଭୀଷ୍ମେ ୟେକାନ୍ତେ କହିଲେ ଧୃତରାଷ୍ଟଙ୍କୁ

ଆହୋ କୁରୁନାଥ ବିପତ୍ତି ପଡ଼ିଲା ପଣ୍ଡୁଙ୍କୁ।୧୨।

 

ଗାନ୍ଧାରୀ ଅନ୍ଧପଟଳ ବାନ୍ଧିବାକ ଶୁଣି

ପୁତ୍ରନ୍ତ ଘେନି ୟେଥକୁ ଅଇଲେ କୋନ୍ତଭୋଜର ଦୁଲଣୀ।୧୩।

ପଣ୍ଡୁ ତେଣେ ମୁରୁଛି ନପାରିଲେ ଶୃଙ୍ଗାର

ମଦନାର ତୁଲେ ବଢିଲ ପ୍ରିୟ ଭାବ ଅପାର।୧୪।

 

ଯାହା ସେ ଶାପ ଦିଲେ ଅଗ୍ନିକାର ମହଋଷି

ଓହୋକୁଳ ଶୃଙ୍ଗାର କରନ୍ତେଣ ମହାନିଶି।୧୫।

ମହାତ୍ମାର ଶାପ ନପାରିଲା ମେଣ୍ଟି

ଅନ୍ତରୀଛେ ନାରାଜ ପଡ଼ିଲା ଦୁହିଙ୍କର ଶରୀର ଗଲା ଫୁଟି।୧୬।

 

ପଣ୍ଡୁ ମାଦ୍ରୀ ଦୁହେଂ ହାଦେ ନାଶ ଗଲେ

ସେ ସମୟେ ସଇନ୍ଦୁ ପୁତ୍ରେକ ଜନ୍ମିଲେ।୧୭।

ଅଶ୍ୱିନୀକୁମାର ତାକୁ ପ୍ରାଣ ଦାନ କଲା

ସହଦେବ ବୋଲି ସେହୁ ପୁତ୍ର ନାମ ଦିଲା।୧୮।

 

ଆମ୍ଭେ ଯାଇ ପ୍ରବେଶ ହୋଇଲୁ ଶତଶିଂଗେ

ଦେଖିଲୁ ପଣ୍ଡୁଙ୍କ ୟେସନକ ବିଯୋଗେ।୧୯।

କୁମାର ଗୋଟିକି ସମ୍ଭାଳି ଥିଲେ ବିଶ୍ୱଦେବାୟେ

କୋଇନ୍ତାଙ୍କର କୋଳେ ଆଣି ଦିଲେ ସେ ବାଳୁତ ତନୟେ।୨୦।

 

ଅନେକ କ୍ରୋଧ ସେ କୋଇନ୍ତା ଦେବୀ କଲା

ପଣ୍ଡୁର ଅବସ୍ତା ଦେଖି କାହାର ଦେହ ନରହିଲା।୨୧।

ଚିତା ବହନି ଆମ୍ଭେ କଲୁ ଆରୋପଣ

ପଣ୍ଡୁ ମାଦ୍ରୀଙ୍କି ଦହନ କଲୁ ତତକ୍ଷଣ।୨୨।

 

କୋଇନ୍ତା ନ ଅଇଲେ ଶତଶିଂଗ ପର୍ବତୁଂ

ତାହାର ପୁଅନ୍ତ ଘେନି ଆମ୍ଭେ ଯିବୁଂ ୟେଥୁଂ।୨୩।

ଭୀଷ୍ମଙ୍କର ମୁଖୁଂ ୟେସନକ ବାଣୀ ଶୁଣି

ଅନ୍ଧ ରାଜା ଶୋକ କଲା ମହା କ୍ରୋଧ ବାଣୀ।୨୪।

 

ଧୃତରାଷ୍ଟ ରାୟେ ରାଇଲେ ଦେବୀ ଗାନ୍ଧାରୀକି

ଶତଶିଂଗ ପର୍ବତକୁ ଯିବା ଗୋ ପୁଅନ୍ତ ଘେନି ପଣ୍ଡୁଙ୍କୁ ଯେ ଦେଖି।୨୫।

ସ୍ୱାମୀର ଅଗ୍ରତେ ଗାନ୍ଧାରୀ ବୋଇଲା

ମୋତେ ଲୁଚାଇବାର କିସ କାରଣ ହୋଇଲା।୨୬।

 

ପଣ୍ଡୁ ନାଶ ଗଲାର ହୋଇଲାଣି ପାଞ୍ଚ ଦିନ

ତହିଂକି ଯାଇ କିସ କରିବା ରାଜନ।୨୭।

ଛାଡ଼ିଲେ ଆଶ ସେ ହୋଇଲେ ନିରାଶ

କ୍ରୋଧ କରିଣ ସେ କରନ୍ତି ଉପବାସ।୨୮।

 

ପ୍ରେତ କାର୍ଯ୍ୟ କଲେ ସେ ରାଇଣ ପୁରୋହିତେ

ପୋୟେ ନ ଜାଣନ୍ତୁ ପ୍ରେତ କାର୍ଯ୍ୟ କରାଅ ଗୁପତେ।୨୯।

ଭୋ ଦେବ ଭୀଷ୍ମ ତୁମ୍ଭେ ବାହୁଡ଼ିଣ ଯିବା

କୋଇନ୍ତା କୁମର ଗୋଟିକି ଘେନିଣ ଆସିବା।୩୦।

 

ଗାନ୍ଧାରୀ ବୋଇଲେ ମୁଂ ଯିବଇଂ ଶତଶିଂଗ ପରବତେ

କ୍ରୋଧ ଶାନ୍ତି କରାଇ କୋଇନ୍ତାଙ୍କୁ ଘେନି ଆସିବି ସାଥେ।୩୧।

ପୋୟେଙ୍କର କ୍ରୋଧ ନଦେଖିବା ନିମନ୍ତେ

ଧୃତରାଷ୍ଟ ପ୍ରେତ କାର୍ଯ୍ୟ କରାନ୍ତି ଗୁପତେ।୩୨।

 

ଗାନ୍ଧାରୀଙ୍କର ଶତଶୃଙ୍ଗ ପର୍ବତକୁ କୁନ୍ତୀଙ୍କୁ 

ଆଣିବା ନିମନ୍ତେ ଗମନ, ବ୍ୟାସଙ୍କର କୁନ୍ତୀଙ୍କୁ ଉପଦେଶ

 

ୟେଥୁ ଅନନ୍ତରେ ଶୁଣ ହୋ ନୃପ ନାଥେ

ୟେମନ୍ତେଣ ତହିଂ ଗଲା ଦିନା କେତେ।୧।

ଧୃତରାଷ୍ଟ ଗାନ୍ଧାରୀ ବିଚାରି ହୃଦଗତେ।୨।

 

ଗାନ୍ଧାରୀ ବିଜେ କଲେ ହସ୍ତିନା ଭୁବନୁଂ

ଆଗେ ସହସ୍ରେକ ରଥ ଘେନିଣ ଗଙ୍ଗାଙ୍କର ତନୁ।୩।

ସହସ୍ରେକ ପରିବାରୀ ଘେନି ଗାନ୍ଧାରସେନର ଦୁଲଣୀ

ଚଳନ୍ତି ମହାସତୀ କୋଇନ୍ତା ଦେବୀଙ୍କର ଆଣି।୪।

 

ବ୍ୟାସେ ବିଜେ କଲେ ଶତଶିଂଗ ପର୍ବତେ

ଦେଖିଣ ନିଉଛାଳି କଲେକ ଦେବୀ କୋନ୍ତେ।୫।

ପୁତ୍ର ଗୋଟିକି ନେଇ ଦିଲେ ବ୍ୟାସଙ୍କ କ୍ରୋଡ଼ରେ

ପୁତ୍ର ଦେଖିଣ ସାନନ୍ଦ ହୋଇଲେ ମୁନିବରେ।୬।

 

ହରଷେ ପୁତ୍ରକୁ ବର ଦିଲେ ତପନିଷ୍ଠି

ଭୂତ ଭବିଷ୍ୟ ଗତ-ଆଗତ ହୋଉ ତୋତେ ଦୃଷ୍ଟି।୭।

କୋଇନ୍ତାଙ୍କୁ ତିଆରନ୍ତି ପାରେଶ୍ୱରଙ୍କ ତନୟେ

ପଣ୍ଡୁ ଅଭାବେଣ କ୍ରୋଧିତ ନୋହ ଆଗେ ମାୟେ।୮।

 

ଛାଡ଼ସି କ୍ରୋଧ ତୁ ଗୋ ଭୋଜର କୁମାରୀ

ପୁତ୍ରନ୍ତ ଘେନି ଆୟି ସୁଖେ ଥାଅସି ରାଜ୍ୟ କରି।୯।

କୋଇନ୍ତାୟେ ବୋଇଲେ ମୁଂ ପ୍ରୟାଗ ତୀର୍ଥେ ଯିବି

ବାଞ୍ଛାବଟ ତଳେ ମୁଂ ପ୍ରାଣ ବିସର୍ଜିବି।୧୦।

 

ବ୍ୟାସେ ବୋଇଲେ ଗୋ ନୋହଇଟି ୟେମନ୍ତ

ଅନେକ ଦୋଷଟି ଗୋ ହୋଅଇ ଆତ୍ମାଘାତ।୧୧।

ପଞ୍ଚୁଗୋଟି ପୁତ୍ର ଗୋ ପାଇଲୁ ତୋର କର୍ମେ

ୟେ ପଞ୍ଚୁରାଜ୍ୟ ମାତା ଗୋ ପାଳିଲୁ ତୋରଧର୍ମେ।୧୨।

 

ତୁମ୍ଭେ ବିରସ କିମ୍ପାଇ ଗୋ ହୋଉଛ ମହାଦେବୀ

କୁନ୍ତଭୋଜର ନନ୍ଦନୀ ଗୋ ତୁ ପରମ ସାଧବୀ।୧୩।

ୟେ ସଂସାରଯାକ ଗୋ ମାୟା ପଟଳ ସିନା

ବିପରୀତ ମାୟା ଫାଶ ଗୋ ଦଇବ ରଞ୍ଚନା।୧୪।

 

ସୁଖେଣ ଦିନ ଗୋ ନେବ ଦେବୀକୋନ୍ତେ

ଭାରା ନିବାରଣ କରିବେ ୟେ ତୋହୋର ପୁତ୍ରେ।୧୫।

ଜାତ ହୋଇଲେ ଗୋ ଅବଶ୍ୟ ହୋଇ ମୃତୁ

ୟେମନ୍ତେଣ ଚାରିଯୁଗ ହୋୟେ ଆତୁଯାତୁ।୧୬।

 

ୟେମନ୍ତେଣ ପଛରେ ଗୋ ଚଳନ୍ତି ପଥଶ୍ରାନ୍ତି

ଆତଯାତ ଲୋକେ କି ଗୋ ବିଳମ୍ୱେ ରହିଥାନ୍ତି।୧୭।

ତୁ ଦେବୀ ଗୋ କିଛିହିଂ ଭ୍ରାନ୍ତି ନକର ୟେଥିକି

ଯେତେବେଳେ ଧର୍ମ ଥାଇ ସମସ୍ତ ପୁଣ୍ୟ ଦେଖି।୧୮।

 

ଆମ୍ଭେ ପ୍ରଳୟ କାଳେ ପଶୁ ବିଷ୍ଣୁନାଥ ପଞ୍ଜରାୟେ

କାଳ ଉଚିତ ମରଣକୁ ବଡ଼ ଭୟେ।୧୯।

ସୁଖ ଭୋଗ ଇଛା ହୋ କରନ୍ତି ଯେବଣ ପ୍ରାଣୀ

ମୃତୁ ସମାପତ କରଇ ଗୋ ନିଶ୍ଚୟେ ନିକଟେ ଆଣି।୨୦।

 

ଯେ ସେ ଗଲା ତାହା ଲୋଡ଼ିଲେ ନପାଇ

ଥିଲା ପୁଅନ୍ତ ଯତନେ ୟେବେ ସମ୍ଭାଳ ଗୋ ଆଈ।୨୧।

ଯୁଝେଷ୍ଠି ବୋଲିଣ ତୋର ଯେବଣ ପୁତ୍ର ଗୋଟି

ପ୍ରତକ୍ଷେ ଦେଖୁ ସିନା ନିରଞ୍ଜନ ଦେବତା ଅଟେ ସେ ଟି।୨୨।

 

ଭୀମ ଚରିତ୍ର ଗୋ ଅସଂଖ୍ୟ ଅଟଇ ମୋତେ

ଅର୍ଜୁନ ବୋଲିଣ ସେ ନାରାୟଣଙ୍କ ପଞ୍ଚଭୂତେ।୨୩।

ନକୁଳ ବୋଲିଣ ସେ ଯେବଣ ପୁତ୍ର ଅଟଇ

କୁମାର ମୁଖେ ତାକୁ ଆକାଶେ ପାଟ ଅଛଇ।୨୪।

 

ୟେ ବାଳୁତ ପୁଅ ଗୋଟିର ୟେହେନେକ ଲକ୍ଷଣ

ସ୍ତରି ପ୍ରମଦା ଗୋ ତୁମ୍ଭେ ତଥ୍ୟ ହିଂ ନଜାଣ।୨୫।

ତୀର୍ଥକୁ ଇଛା ଯେବେ କଲସି ଗୋ ମାୟେ

ବଡ଼ ବଡ଼ ହୋଅନ୍ତୁ ଗୋ ତୋହୋର ତନୟେ।୨୬।

 

ସ୍ତିରିଙ୍କର ଧର୍ମ ତୋତେ ଗୋ ହୋଉ ପରାପତ

ପୁତ୍ରନ୍ତ ଘେନିଣ ଗୋ ରାଜ୍ୟ ପ୍ରାପତି ଚିନ୍ତ।୨୭।

ପଣ୍ଡିତ ପଣେ ଗୋ ସଂଘର ସର୍ବ କଥା

ଆମ୍ଭନ୍ତ ଦେଖି ଗୋ ଛାଡ଼ ନିଜ ସ୍ୱାମୀର ଯେ ଚିନ୍ତା।୨୮।

 

ୟେମନ୍ତେ ଅନେକ ତିଆରିଲେ ବ୍ୟାସ ମହାଯତି

ଦଣ୍ଡ ଘେନିଣ ଭୀଷ୍ମେ ପ୍ରବେଶ ହୋଇଲେ ଝାତି।୨୯।

ବ୍ୟାସଙ୍କର ପାଦ ତଳେ ସମସ୍ତେ ହୋଇଲେ ପରଣାମି

କ୍ଷମେ ଆଶିଷ କଲ୍ୟାଣ ବ୍ୟାସ ମହାମୁନି।୩୦।

 

ଆପଣେ ପ୍ରୋହିତ ଯେ ହୋଇଲେ ଉଦ୍ଦାଳକେ

ପ୍ରେତ କାର୍ଯ୍ୟ ବିଧି କରନ୍ତି ବେଦ ବାକ୍ୟେ।୩୧।

ଶ୍ରାଦ୍ଧକର୍ମ ସେ ଯେ କଲେ ଶମଶାନେ

ଘୃତ ପାରଣା କଲେ ୟେକା ଦଶଦିନେ।୩୨।

 

ଘୃତ ଘେନି ସଞ୍ଜୟ ଗଲେ ହସ୍ତିନାକୁ

ଧୃତରାଷ୍ଟ ଭଣ୍ଡି କରି ରଖିଅଛନ୍ତି ପୁଅଙ୍କୁ।୩୩।

ଯୁଝେଷ୍ଠି ଦ୍ରିଯୋଧନର ଅନେକ ପୀରତି

ଖେଳର ସେ ଭାବେ ପାସୋରି ମାତାପିତା ଦୁହିନ୍ତି।୩୪।

 

ବନସ୍ତରେ ଥିଲେ ସେ ସଙ୍ଗମେଳ ନାହିଂ

କୁତୋହୋଳେ ରହିଲେ ସେ ଧୃତରାଷ୍ଟଙ୍କୁ ଚାହିଂ।୩୫।

ଯୁଝେଷ୍ଠି ପଚାରିଲେ ଧୃତରାଷ୍ଟଙ୍କ କୋଳେ ବସି

ପିତାମାତ ତହିଂକି ଯିବୁ ତାତ ଆଗ୍ୟାଂ ମୋତେ ଦେସି।୩୬।

 

ଧୃତରାଷ୍ଟ ପ୍ରତିବାକ୍ୟ ଶୁଣରେ ତନୟେ

ୟେଥକୁ ଆସୁଅଛନ୍ତି ସିନା ତୁମ୍ଭର ବାପମାୟେ।୩୭।

ଗାନ୍ଧାରୀ ଗଲେଣି ବାବୁ ତାହାଙ୍କୁ ଆଣିମାକୁ

ପୋଡ଼ଇ କିନା କିମ୍ପା ଯିବା ଗହନ ବନସ୍ତକୁ।୩୮।

 

ଭଲ ଭଲ ପଦାର୍ଥମାନ ଦିଲେକ ଅପୂର୍ବ

ସର୍ବ ଅଳଙ୍କାର କଲେ ପୁଅନ୍ତ ରାଜଦେବ।୩୯।

ପହରଣ କରାଇଲେ ଦେବାଙ୍ଗ ବସ୍ରନ୍ତ

ଯେସନକ ବାଗେ ଭଣ୍ଡି ବାଳୁତ ପୁଅନ୍ତ।୪୦।

 

ଧୃତରାଷ୍ଟେ ସୁମରନ୍ତି ଭୋ ଦେବ ଧର୍ମ

ବାଳୁତ ପୁତ୍ରନ୍ତ ହୋଇଲା ୟେହେନେକ କର୍ମ।୪୧।

ୟେସନେକ ଯୋଗ ମାନ କଲୁ କି ପ୍ରଜାପତି

ପିତାର ଅଭାବେ ପୁତ୍ର କେବଣ ବାଗେ ବ୍ରତି।୪୨।

 

ଧୃତରାଷ୍ଟ ବୋଇଲେ ହେ ଦଇବ ତୁ ସ୍ରିଜିଲୁ ସଚରାଚର

ବିନା ଅପରାଧେ କିମ୍ପେ ନାଶ କଲୁ ଯେ ସଂସାର।୪୩।

ନୋହୁ ନୋହୁ ୟେଡ଼େ କଷ୍ଟ ୟେ ନୋହୁ ସଂସାରକୁ

କେବଣ ଭାବେ ଜନମ କରାଉ ସମସ୍ତଙ୍କୁ।୪୪।

 

ଜାତ ହୁଂ କଲୁ ଯେବେ ମରିବେନା ପ୍ରାଣୀ

ତୋହୋର ତହୁଂ ବିଗ୍ୟଂ ଆବର କେ ପରିମାଣି।୪୫।

ଯେବେ ସ୍ରିଜିଲୁ ସେ ହୋଇବ ଚିରନ୍ତନ

ମହତ ଲୋକର ବାକ୍ୟ କିମ୍ପା ହୋଇବାକ ଆନ।୪୬।

 

କିମ୍ଭୂତ ମାୟା ୟେ ନ ପାରିଲୁ ବୁଝି

ନାଶକର ଲେଖାତ ନ ପାରିଲୁ ଶୁଝି।୪୭।

ୟେଡ଼େ ୟେଡ଼େ ଦେବତା କଲେ ୟେଡ଼େ କୃତ୍ୟ

ତାହା ନାଶ କରିବାକୁ ଭିଆଇଲେ ୟେମନ୍ତ।୪୮।

 

କେହି ନୁଆରିବ ନାମକଇଂ ବଞ୍ଚି

ନ ଜାଣି ପ୍ରାଣୀ ମରନ୍ତି କିମ୍ପା ଆମ୍ଭେ ସଞ୍ଚି।୪୯।

ଅବୟେ ପୁରୁଷ ଯାହା ସଞ୍ଚିଲା ଦୃଢ କରି

କାଳାନ୍ତେକ ପୁରୁଷ ଯେ ଧଂସିଲା ଦଣ୍ଡଧାରୀ।୫୦।

 

କରାଳୀ ବଲ୍ଲଭ ପଦ୍ମ ପାଦେ ମୋର ସେବା

ଶୂଦ୍ରମୁନି ସାରୋଳ ଦାସକୁ ଚିର ଆଷ୍ୟ ଦେବା।୫୧।

 

ଧୃତରାଷ୍ଟ୍ରଙ୍କ ଶୋକରେ ଯୁଧିଷ୍ଠିର ତତ୍ତ୍ୱକଥା କହି 

ସାନ୍ତ୍ୱନା ପ୍ରଦାନ କରିବା

 

ବଦୟନ୍ତି ଅଗସ୍ତି ଶୁଣ ମନୁ ଗ୍ୟାଂତା

ୟେଥିର ଉତ୍ତାରୁ ହୋଇଲା ଯେତେ କଥା।୧।

ରୋଗାର୍ତ୍ତୀ ଅପଣ୍ଡିତ ଅଗ୍ୟାନୀ ଜନ ଲୋକେ

ମଲା ଲୋକଙ୍କୁ ସେ ବିଚାର କରନ୍ତି ଶୋକେ।୨।

 

ତାହାର ଯେତେ ପୁଣ୍ୟ ମୁକତି ଗତି ଦେବା

ଯୁଝେଷ୍ଠି କହନ୍ତି ଶୁଣ ହୋ ରାଜଦେବା।୩।

ଧୃତରାଷ୍ଟ ଯହୁଂ ବିସରିଲେ ପୁଅନ୍ତ କୋଳେ ଧରି

ଅନ୍ଧଲୋଚନରୁ ବହଇ କ୍ରୋଧ ଅଶ୍ରୁ ବାରି।୪।

 

ଯୁଝେଷ୍ଠି ବୋଇଲେ ଶୁଣିମା ଜ୍ୟେଷ୍ଠ ତାତ

ପୃଥୀପତି ହୋଇ କିମ୍ପା କ୍ରୋଧ ଅପ୍ରମିତ।୫।

ଯୁଗତେ ରାଜ୍ୟେ ଯେବେ ରାଜା ହୋୟେ କ୍ରୋଧୀ

ମନ୍ଦ ବୃଦ୍ଧି ହୋଅଇ ଶରୀରେ ହୋୟେ ବ୍ୟାଧି।୬।

 

ଅଭିଷେକ ହୋଇବା ରାଜାର ଅଶ୍ରୁଜଳ ପଡ଼ନ୍ତେଣ ସୃଷ୍ଟି

ପୃଥୀ ଫଳ ଦାୟକ ନୋହଇ ଇନ୍ଦ୍ର ନକରଇ ବୃଷ୍ଟି।୭।

ନୃପତି ହୋଇ ଯେବେ ହୋଅଇ କ୍ରୋଧକାରୀ

ସନ୍ତାନ ହାନି ହୋଅଇ କନ୍ଧରୁ ଛାଡ଼ଇ ଶିରୀ।୮।

 

ରାଜା ହୋଇ ଯେବେ କ୍ରୋଧ କରଇ ଭୋ ପିତା

ପ୍ରଥମେ ହବିର୍ଭାଗ ନ ଘେନଇ ଅଗ୍ନି ଯେ ଦେବତା।୯।

ରାଜାର ଧର୍ମେ ସେ ବ୍ରତଇ ମହୀୟାଳୀ

ରାଜାର କ୍ରୋଧ ଦେଖି ସମସ୍ତେ ହୋଅନ୍ତ ବିକଳି।୧୦।

 

ରାଜା ହୋଇ ଯେବେ ଅଦଭୁତେଣ କ୍ରୋଧୀ

ବୀର୍ଯ୍ୟ ହାନି ହୋଅଇ ଶତ୍ରୁ ନୋହଇ ସାଧି।୧୧।

ପରରାଷ୍ଟ୍ର ଚାରଗଣେ ଗୁପତେ ଥାଆନ୍ତିଟି ପିତା

ରାଜ୍ୟର ବିଲକ୍ଷଣ ପରରାଷ୍ଟ୍ରକୁ ହୋଅଇ ବାରତା।୧୨।

 

ଚକ୍ଷୁ ଅବା ତୋହୋର ହୋଇଲା ଅଦୃଶ୍ୟ

ବଳବନ୍ତ ପଣ୍ଡିତ ତୁ ଗ୍ୟାଂତା ଭୂତ ଯେ ଭବିଷ୍ୟ।୧୩।

ଆହାରେଣ ଜିତା ହାଦେ ହୋଇବାକ ରାଜା

ଶୃଙ୍ଗାରେଣ ଜିତା ହୋଇ ବିଳସିବ ଅନେକ ଭାରିଯା।୧୪।

 

ଶହସ୍ରେ ଶାହସ୍ରେଣ ହୋଇବ ଜଗୁଜିତା

ପରରାଷ୍ଟ୍ରେ ଜିଣିମ ବାହାନେ ନିର୍ଜିତା।୧୫।

ଆଗ୍ୟାଂରେ ଥିବେ ପାତ୍ର ମନ୍ତ୍ରୀ ଗୋ ଶକତା।୧୬।

 

ପ୍ରତାପ ଗୁଣ ବହିବ ହୋଇ ଅଣକ୍ରୋଧୀ

ପରଭୂମି ଘେନିମ ସମରେଣ ନିରୋଧୀ।୧୭।

ଦଣ୍ଡେ ଦଣ୍ଡିଲେ ରାଜାକୁ ନୋହଇ ଅଧର୍ମ

କ୍ଷତ୍ରୀକୁଳକୁ ନାଥ ୟେସନେକ ନିଜ କର୍ମ।୧୮।

 

ୟେସନେକ ପରମାର୍ଥ କଥା ଧୃତରାଷ୍ଟଙ୍କୁ କହିଲେ ଯୁଝେଷ୍ଠି

ଶୁଣିଣ ରାଜା ବୋଇଲେ ତୁ ମୋହୋର ସାଧୁପୁତ୍ର ଗୋଟି।୧୯।

ୟେଡ଼େ ଗ୍ୟାନବନ୍ତ ତୁ ବାଳୁତ ବୟସୁଂ

ନପଢି ପଣ୍ଡିତ ବାବୁ କେମନ୍ତେ ବିଘଂସୁ।୨୦।

 

ହୃଦରେ କଳଙ୍କ ଘେନିଲେ ରାଜା ଯୁଝେଷ୍ଠି ଗୁଣ ବାଛି

ଆବର ପୁଅଙ୍କର ମୋର ଜୀବନ କାହିଂ ଅଛି।୨୧।

ବାଳୁତ ପୁତ୍ର ବୋଲି ମୁଂ ଖେଳାଇଲି ୟେହାଙ୍କୁ

ଅନ୍ତେଣ ବ୍ରହ୍ମଗ୍ୟାନ ୟେ ଶିଖାଇଲା ମୁକୁ।୨୨।

 

ରାଗ ଖଣ୍ଡି ଧରି ଧୃତରାଷ୍ଟ ବୋଇଲା

ବାବୁ ତୋହୋର ପିତା ପଣ୍ଡୁ ଶତଶିଂଗେ ନାଶ ଗଲା।୨୩।

ଶୁଦ୍ଧଘୃତ ଘେନିଣ ଅଇଲେ ସଞ୍ଜୟେ

ୟେଥୁଂ ଗଣ୍ଡୁଷ କର ବାବୁ ଲିତାୟେ, ଲିତାୟେ।୨୪।

 

ଯୁଝେଷ୍ଠି ବୋଇଲେ ବାବୁ ପଣ୍ଡୁର ନିମନ୍ତେ

ତହିଂକି ସନ୍ତାପ କି ନା ତାତ କରୁଅଛୁ ୟେତେ।୨୫।

ପାପ ଯେ କଲା ପଣ୍ଡୁ ଅଳପେ ନାଶ ଗଲା

ଆମ୍ଭର କୃତ୍ୟମାନ ସେ ଦେଖି ନପାରିଲା।୨୬।

 

ମଲେ ଗଲେ ପଣ୍ଡୁ ଆମ୍ଭର ନାହିଂ ଚିନ୍ତା

ତୁ ମାତ୍ର କ୍ଷମେ କୁଶଳେ ଥାଅସି ଜ୍ୟେଷ୍ଠପିତା।୨୭।

ଭୋ ତାତ ରୋଗିତ ଅପଣ୍ଡିତ ଅଗ୍ୟାନୀ ଯଉଂ ଲୋକ

ମଲା ଲୋକଙ୍କୁ ୟେମାନେ କରୁଥାନ୍ତି ଶୋକ।୨୮।

 

ତାହାର ପୁଣ୍ୟ ଥିଲା ସେ ଭୋଗ କରୁଥିଲା

ତାହାର ପୁଣ୍ୟ ସରିଲା ସେ ଅଳପେ ନାଶ ଗଲା।୨୯।

ତୋହୋର ମୋହୋର ଶୋକ କଲେ କିସ ହୋଇବ ମଲା ଲୋକକୁ

ଆପଣେ କଷ୍ଟୀ ହୋଇଲେ କି ପାଇବା ପିତାକୁ।୩୦।

 

ଯୁଝେଷ୍ଠି ତିଆରିଲେ ଧୃତ ଯେ ରାଷ୍ଟଙ୍କୁ

ଅନ୍ଧ ବୋଇଲା ତୁ ଧାରଣା ହୋଇଲୁ ପଞ୍ଚୁ କଟକକୁ।୩୧।

ୟେ କୁଳକୁ ଉତପତ୍ତି ତୁହି ସେ ମହାବ୍ରହ୍ମି

ଶୋକ କ୍ରୋଧ ତେଜିଲା ସେ କୁରୁରାଜ ସ୍ୱାମୀ।୩୨।

 

ପାଞ୍ଚ ଉତ୍ତର ଶତେ ପୁତ୍ରେ ଘେନି ଅନ୍ଧ ଗଙ୍ଗାୟେ ସେ କଲେ ସ୍ନାନ

ଶୁଦ୍ଧ ଘୃ ତପାରଣା କରାଇଲେ ଉଦ୍ଦାଳକ ମହାମୁନ୍ୟ।୩୩।

 

ଗାନ୍ଧାରୀଙ୍କ କଥାରେ କୁନ୍ତୀଙ୍କ ଶତଶୃଙ୍ଗକୁ 

ସ୍ତୁତି ଓ ହସ୍ତିନା ଗମନ

 

ବଦୟନ୍ତି ଅଗସ୍ତି ଶୁଣସି ମନୁରାୟେ

ପୁତ୍ରଙ୍କୁ ନଦେଖିଣ ସେ ବିକଳ କୋଇନ୍ତାୟେ।୧।

କୋଇନ୍ତାଙ୍କ ଅଗ୍ରତେ ସେ କହିଲେ ଭୂରିସର୍ବା

ଭୋ ମାତା ହସ୍ତିନାପୁରକୁ ଚାଲ ଯିବା।୨।

 

ମା ଗୋ ବାଟ ଚାହିଂ ଧୃତରାଷ୍ଟ ରାୟେ

ଅନ୍ନଭୋଜନ ନାହିଂ ଗୋ ତୁମ୍ଭର ଯିବାଯାୟେ।୩।

ଆମ୍ଭର ବଚନ ଗୋ ନକର ବୋଲି ମାୟେ

ଗାନ୍ଧାରୀକି ପଠିଆଇଲେ ଧୃତରାଷ୍ଟ ରାୟେ।୪।

 

ସେ ଚାରିପୁତ୍ର ଗୋ ଅଛନ୍ତି ତୋର ତହିଂ

ୟେ ପୁତ୍ର ଘେନି ଚାଲଯିବା ମହାମାୟୀ।୫।

ଗାନ୍ଧାରୀ କୋଳ କରି ଧଇଲେ କୋଇନ୍ତାଙ୍କୁ

ମା ଗୋ ଯିବା ଚାଲ ଆମ୍ଭ ସଙ୍ଗେ ହସ୍ତିନା ଭୁବନକୁ।୬।

 

କୋଇନ୍ତାୟେ ବୋଇଲେ ଗୋ ତୁମ୍ଭେ ନୋହସି ଦୟାବନ୍ତ

ସମ୍ଭାଳି ନପାରିବ ଗୋ ମୋହୋର ପୁଅନ୍ତ।୭

ୟେବେ ମୋତେ ଅପାର କରିଛ ସଦୟେ

କାଳେ ମୋତେ ସମ୍ଭାଳି ନ ପାରିବ ବୋଇଲେ କୋଇନ୍ତାୟେ।୮।

 

ସେ ଚାରିପୁତ୍ରଗୋ ଥାଆନ୍ତୁ ତୋର ତହିଂ

ୟେ ସାନ ପୁତ୍ର ଗୋ ଘେନି ୟେଥେ ଥାଇଂ ରହି।୯।ସଂଖ୍ୟା

କୋଇନ୍ତାଙ୍କର ଅଗ୍ରତେ କହନ୍ତି ଗାନ୍ଧାରୀ

ରାଜ୍ୟ ଛାଡ଼ି ବନେ କି ଥିବୁ ଦୁଖେ ପଡ଼ି।୧୦।

 

ୟେ ସଂସାର ଦୁଖ ନ ଦେଖିବି ବୋଲି

ତେଣୁ କରି ହାଦେ ମୁଂ ଅନ୍ଧପଟଳ ବାନ୍ଧିଲି।୧୧।

ଅନ୍ଧ ଅନ୍ଧୁଣୀ ଆମ୍ଭେ ହୋଇଲୁ ଅଚଳ

ସବୁ ପୁଅନ୍ତ ମାତା ଯତନେ ପ୍ରତିପାଳ।୧୨।

 

କେତେକାଳ ବ୍ରତିବୁଂ ଆମ୍ଭେ ଅନ୍ଧ ଯେ ଅନ୍ଧୁଣୀ

ତୁହି ସେ ପଞ୍ଚୁରାଜ୍ୟକୁ ହୋଇବୁ କାରେଣୀ।୧୩।

ୟେକା ପଣ୍ଡୁକୁ ମାତ୍ର ଗୋ ମୁଂ ଦେଇ ନ ପାରିବି

ତୋହୋର ଆଗ୍ୟାଂ ବ୍ରତୀହୋଇ ପୁତ୍ରେ ଥିବେ ସେବି।୧୪।

 

ଉଠିଣ ଗାନ୍ଧାରୀ କୋଇନ୍ତାକୁ କୋଳ କଲେ

ମୁଂ ତୋହୋର ଆପାଦ ଘେନି ଯାଇଂ କିନା ଶିର ଆଉଂସିଲେ।୧୫।

କୋଳକରି ନେଇ କୋଇନ୍ତାଙ୍କୁ ବସାଇଲେ ରଥେ

ସହଦେବଙ୍କୁ କୋଳେ ଧଇଲେ ଦେବୀ କୋନ୍ତେ।୧୬।

 

ଶିବ ପାଦ ନାମେ ରାଇଲେ କିରାତକୁ

ତୁ ବାବୁ ଅନେକ ଭଗତ ହୋଇଥିଲୁ ପଣ୍ଡୁଙ୍କୁ।୧୭।

ଶତଶିଂଗ ପର୍ବତେ ରାଜ୍ୟ କର ତୁ ନିଶ୍ଚିନ୍ତେ

ୟେ ଧନମାନ ତୁ ବିଳସ ସୁଚିତ୍ତେ।୧୮।

 

 

ଅନେକ ପୁରୁଷାର୍ଥ ଥାଇ ସର୍ବଦ୍ୱାରେ

ଜଗତ ହିତ ତୋତେ ବୋଲନ୍ତି ପଣ୍ଡୁ ନୃପବରେ।୧୯।

ତୁହି ସଖା ହୋଇଲୁ ୟେହୁ ବନସ୍ତକୁ

ଅନେକ ଭଗତ ଭାବେ ଖଟିଥିଲୁ ପଣ୍ଡୁଙ୍କୁ।୨୦।

 

ୟେବେ ୟେଥେ କିରାତ ତୁ ହୋଅ ମହୀପାଳ

ଆମ୍ଭଙ୍କୁ ସ୍ନେହ କରିଥିବୁଟି ଚିରକାଳ।୨୧।

ତୁହି ସର୍ବକାଳେ ସ୍ନେହ କରିଥିବୁ ମୁକୁ

ୟେଥକୁ ଅଇଲେ ସମ୍ଭାଳିବୁ ତୁ ମୋହୋର ପୁଅଙ୍କୁ।୨୨।

 

ଭୋ ମହତ ଗିରିବର ମୋତେ ଦୟା କରିଥିବା

ମୋହୋ ପାପ କରମେ ତୋତେ କରି ନପାରିଲି ସେବା।୨୩।

ହିମବନ୍ତର ନନ୍ଦନ ଗିରିଜାର ଜ୍ୟେଷ୍ଠ ଭ୍ରାଥ

ଶରଣ ରକ୍ଷଣ ସ୍ୱାମୀ ତୁ ଗିରିବର ମହତ।୨୪।

 

ପର୍ବତ ସ୍ତୁତି କରି ଆସନ୍ତି ଶାକମ୍ୱରୀ

ଲେଉଟି, ଲେଉଟି ଚାହିଂ ଅଇଲେ ଯୁଣ ଚାରି।୨୫।

ଭୀଷ୍ମ ଭୂରିସର୍ବା ଗାନ୍ଧାରୀ କୋଇନ୍ତା ଦେବୀ

ହସ୍ତିନାକୁ ଚଳିଲେ ବ୍ୟାସଙ୍କର ପଦ ସେବି।୨୬।

 

ବ୍ୟାସେ ବୋଲେ ଗୋ ଶୁଣସି ଗାନ୍ଧାରୀ

ଯେମନ୍ତେ କୋଇନ୍ତାୟେ ପଣ୍ଡୁଙ୍କୁ ନ ସୁମରି।୨୭।

ଯତନ କରି ଗୋ ୟେହାଙ୍କୁ ଥାଅସି ପ୍ରତିପାଳି

ତୁ ମହତ କୁଳୀଣ ଗୋ ଅଟୁ ଶୁଦ୍ଧଶାଳୀ।୨୮।

 

ଶତଶିଂଗ ଛାଡ଼ିଲା ସେ ତୋହୋର ପ୍ରତିଆଶୁ

ଆମ୍ଭେ ହସ୍ତିନାକୁ ସମୟେକେ ଯାଇଂ ଆସୁ।୨୯।

ତିଆରିଣ ବାହୁଡ଼ିଲେ ପାରେଶ୍ୱରଙ୍କ ସୁତ

ପ୍ରୟାଗେଣ ପ୍ରବେଶ ହୋଇଲେକ ତପୋବନ୍ତ।୩୦।

 

ହସ୍ତିନାରେ ପ୍ରବେଶ ଯାଇ ହୋଇଲେ ଦେବୀ କୋନ୍ତେ

ସଞ୍ଜୟେ କହିଲେ ଧୃତରାଷ୍ଟଙ୍କ ଅଗ୍ରତେ।୩୧।

ଭୋ ଧୃତରାଷ୍ଟ ଆଣିଲୁ ଆମ୍ଭେ କୋଇନ୍ତାଙ୍କୁ

କୋଳେ ନେଇ ଦିଲେ ନନ୍ଦନ ସହଦେବଙ୍କୁ।୩୨।

 

ହୃଦେ ଭରିଣ ସେ ବୋଲଇ ଅନ୍ଧରାୟେ

ୟେହେନେକ ଅରକ୍ଷିତ ତୁ ହୋଇଲୁରେ ତନୟେ।୩୩।

କ୍ରୋଧ ସମ୍ଭାଳଣ ସେ କଲେକ ସମସ୍ତେ

ଗରୁ ଚିନ୍ତାଭରେ ସେ ରହିଲେ କୋଇନ୍ତେ।୩୪।

 

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ୟେ ପାଞ୍ଚନନ୍ଦନ ଯେ ହୋଇଲେ ୟେକ ଠାବ।୩୫।

 

ରାଜକୁମାରଙ୍କ ବିଦ୍ୟାଶିକ୍ଷା ପ୍ରସଙ୍ଗେ 

ଦ୍ରୋଣଙ୍କ ଜନ୍ମ ଉପାଖ୍ୟାନ

 

ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତି

ପଞ୍ଚୁପୁତ୍ର ପାଳି ରହିଲେ ଦେବୀକୋନ୍ତୀ।୧।

କାଶୀପତି ବୋଲିକରି ୟେକଇ ଦ୍ୱିଜବର

ପାଠଗୁରୁ ହୋଇଲେ ସେ ସବୁ ଭାଇଙ୍କର।୨।

 

ଧୃତରାଷ୍ଟ ବୋଇଲେ ଭୀଷ୍ମଙ୍କର ପାଶେ

ସମସ୍ତ ପୁତ୍ରମାନଙ୍କୁ ବିଦ୍ୟା ଶିଖାଅ ଆଦେଶେ।୩।

ଭାଗ୍ୟବର ବିଦ୍ୟାଗୁରୁ ହୋଇଲେ ତୁମ୍ଭଙ୍କୁ

ସେ ବିଦ୍ୟା ପ୍ରସନ୍ନେ ଯେ ଶିଖାଅ ପୁଅଙ୍କୁ।୪।

 

ଇନ୍ଦ୍ରପ୍ରଶସ୍ତ କତିରେ ହିରଣ୍ୟକ ବନ

ତହିଂ ନେଇ ଆଖଡ଼ା କଲେ ଗୋପ୍ୟଥାନ।୫।

ଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ଆଖଡ଼ାର

ବିଦ୍ୟା ଆରମ୍ଭ ଯେ କଲେ କ୍ଷତ୍ରିବର।୬।

 

 

ସକାଳ ମଧ୍ୟାହ୍ନ ଦୁଇବେଳ ଆଖଡ଼ା

ଦ୍ୱିପ୍ରହରେ ସର୍ବ ପାଠ ପଢନ୍ତି ସର୍ବବୀରା।୭।

ବଇବସୁତ ମନୁ ଯେ ପଚାରିଲେ ବ୍ରହ୍ମଚାରୀ

ଭୀଷ୍ମେ ବିଦ୍ୟାଗୁରୁ ହୋଇଲେ ଦଣ୍ଡଧାରୀ।୮।

ଦ୍ରୋଣେ ବିଦ୍ୟାଗୁରୁ ହୋଇଲେ କେମନ୍ତେ

କାହିଂ ଯାଇ ମିଳିଲେ ସେ ଭାରଦ୍ୱାଦଶଙ୍କ ସୁତେ।୯।

 

ଭାରଦ୍ୱାଦଶଙ୍କ ନନ୍ଦନ ଅଟନ୍ତି ଗୁରୁ ଦ୍ରୋଣେ

କ୍ଷତ୍ରୀ ବିଦ୍ୟା ସେ କାହିଂ ପାଇଲେ କି କାରଣେ।୧୦।

ୟେଥର ଚରିତ ମୋରେ କହିବା ତପନିଷ୍ଠି

ଶୁଣିଣ ଭ୍ରାନ୍ତି ମନରୁ ଯାଉ ମୋର ଫିଟି।୧୧।

 

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

କଶ୍ୟପ ଗୋତ୍ରୀ ଯେ ଅଟନ୍ତି ଶତମନୁ।୧୨।

ଶତମନୁର ପୁତ୍ର ତାରଣ ମହଋଷି

ଅଜମୀଢ ବୋଲି କରି ୟେହାଙ୍କର ଶିଷି।୧୩।

 

ଅଜମୀଢ ନନ୍ଦନ ଅଟଇ କୃତକେଶୀ

ବ୍ରହ୍ମରାକ୍ଷସ ହୋଇ ସେ ଅନେକ ଜୀବ ନାଶି।୧୪।

କୃଷ୍ଣ ଅବତାରେ ତାକୁ ମାଇଲେ ଦେବ ହରି

ୟେହାର ନନ୍ଦନ ଯେ ଅଟଇ ସଉଭରି।୧୫।

 

ସଉଭରିର ନନ୍ଦନ ନାରାୟଣ ମହଋଷି

ସ୍ୱୟେଂଣ ତପୋବନ୍ତ ପୁରୁଷ ତପସ୍ୱୀ।୧୬।

ନାରାୟଣର ନନ୍ଦନ ମଦନ ତପୋବନ୍ତା

ୟେହାର ନନ୍ଦନ ନାମ ହେଲା ବ୍ରହ୍ମବେତ୍ତା।୧୭।

 

ବ୍ରହ୍ମବେତ୍ତାର ନନ୍ଦନ ଶରଦ ମହଋଷି

ଭାନୁବନ୍ତ ବୋଲି କରି ଏହାଙ୍କର ଶିଷି।୧୮।

ଭାନୁବନ୍ତର ନନ୍ଦନ ସୁଦେବ ବ୍ରାହ୍ମଣ

ତାହାଙ୍କର ନନ୍ଦନ ମାରକଣ୍ଡ ଦେବ ଜାଣ।୧୯।

 

ମାରକଣ୍ଡର ନନ୍ଦନ ତୀରଣ ତେଜମୁନି

ତାହାର ନନ୍ଦନ ଅଟଇ ଶାନ୍ତିପନୀ।୨୦।

ୟେହାଙ୍କର ନନ୍ଦନ ଅରୁଣ ମହଋଷି

ଜଳଦ ବୋଲିଣ ୟେହାଙ୍କର ଶିଷି।୨୧।

 

ଜଳଦର ନନ୍ଦନ ଦ୍ୱାଦଶ ବିଶ୍ୱଦେବା

ୟେ ସେ ମୃଗପାଳ ଖଟନ୍ତି ମଘବା।୨୨।

ଦ୍ୱାଦଶ ବିଶ୍ୱଦେବାୟେ ସଂଘରଣ କଲେ ରତି

ବିଭା ହୋଇଣ ସେ ଉପେକ୍ଷିଲେ ଯୁବତୀ।୨୩।

 

ପୁରୁଷ ନପୁଂସକ ସେ ହୋଇଲେ ମହାଯତି

ନିରାଶି ଭାଙ୍ଗିଲେ ସେ ଅନଙ୍ଗ ଦର୍ପମୂର୍ତ୍ତି।୨୪।

ବ୍ୟାସେ କହିଲେ ସେ ଅପୁତ୍ରିକ ହୋଇଲେ

ଯମ ଶାସ୍ତି ଦିଅଇ ସଂଜୀବନୀ ପୁର ଗଲେ।୨୫।

 

ଅନେକ ପାତକ ଯେବେ ମଧ୍ୟ ପୁରେ କରିଥିବ

ସନ୍ତାନ ଥିଲେ ୟେହାନ୍ତ ଦଣ୍ଡି ନପାରଇ ଯମଦେବ।୨୬।

ଧର୍ମଲୋକ ବିଚାରି ବୋଲନ୍ତି ୟେହାନ୍ତ ନ ଦିଅଶାସ୍ତି

ମଞ୍ଚେ ସନ୍ତାନ ଅଛି ୟେହାକୁ କରିବେ ସଦଗତି।୨୭।

 

ପୁତ୍ର ଯେବେ ୟେହାଙ୍କର ନକରିବ ଧର୍ମବାଟ

ତେତେବେଳେ ପଛେ ୟେହାର ମାଂସ କାଟ।୨୮।

ଅପୁତ୍ରିକ ହୋଇ ଯେ ମରନ୍ତି ଯେବଣ ପ୍ରାଣୀ

ଧାତିକାରେ ନାଶକର ତାକୁ ଶାସ୍ତି ଦିଅଇ ଆଣି।୨୯।

 

ସନ୍ତାନ ଯାହାର ଗୋଟିୟେ ଥାଇ ପିତାର ମରନ୍ତେ

ପିତାକୁ ଯମ ଶାସ୍ତି ଦେଇ ନ ପାରଇ ସେ ପୁତ୍ର ମରିବା ପରିଯନ୍ତେ।୩୦।

ବିଶ୍ୱଦେବାୟେ ଶୁଣିଲେ ବ୍ୟାସଙ୍କର ପୁରାଣେ

ପୁତ୍ର ଜାତ କରିବାକୁ ଇଛନ୍ତି ପୁଣ ମନେ।୩୧।

 

କାମସେଣା ନାମେଣ ୟେକଇ ଅପକ୍ଷରୀ

ବାସବ ଦେବତାର ସଙ୍ଗେ ସେ କ୍ରୀଡା ରଙ୍ଗ କରି।୩୨।

କାମ କୁତୁହୋଳେ ସେ ପ୍ରେମ ରସ ଭରେ

ଇନ୍ଦ୍ରଦେବତାଙ୍କୁ ସେ ନିନ୍ଦା କଲାକ ଶୃଙ୍ଗାରେ।୩୩।

 

ବୋଇଲା ଇନ୍ଦ୍ର ତୁ ହୋ ମୋତେ ରମଣେ ନୋହୁ ସରି

ଅଭୟେ କାମେନୀ ସେ ଇନ୍ଦ୍ରକୁ ତଳେ ପାଡ଼ି।୩୪।

କରଇ ରମଣ ସେ ଇନ୍ଦ୍ର ବାସବର ଉପରେଣ ଉଠି

ଇନ୍ଦ୍ର ଦେବତା ତାହାକୁ ବିକୋତିଲା ତଦ୍ୟାପି ନ ପାରିଲା ଉଠି ଫୁଟି।୩୫।

 

କାମ ଖଳିତ ଯହୁଂ ହୋଇଲାକ ବାଳୀ

ଅଚେତ ହୋଇ ପଲଙ୍କ ତଳେ ପଡିଲା ସେ ଢଳି।୩୬।

ଇନ୍ଦ୍ର ଦେବତାଙ୍କ ଶରୀରେ ବିଦାରଣ ନଖ, ଦନ୍ତ, ଘାୟେ

ଶରୀରଯାକ ବିକୋତିଲା କଣ୍ଟିଲତା ପ୍ରାୟେ।୩୭।

 

କାମ କାଳେ ତାହାର ଗୋଚର ନ ଗଲା

ଶୃଙ୍ଗାର ନିଗ୍ରହେ ଇନ୍ଦ୍ର ଦେବତାର କୋପ ଯେ ବଢିଲା।୩୮।

ମୁହିଂ ରତି ଶାହାସ୍ରେଣ ନିର୍ଜିତା ବେଶ୍ୟାନ୍ତ ବିକୋତି

କୋଟିୟେ ବିଳାସୁଣୀ ମୁଂ ରମଣ କରଇ ନିତି।୩୯।

 

ତୋତେ ହାରିଲି ମୁଂ ଶୃଙ୍ଗାର ରତିକାଳେ

ପୁରୁଷ କୁଳକୁ ଦୁଷିଲୁ ତୁ ଅମର ମଣ୍ଡଳେ।୪୦।

ମୋହୋରେ ତ୍ରିପୁତି ତୁ ନୋହିଲୁ ଶୃଙ୍ଗାରେ

ବାତୁଳୀ ହୋଇ ତୁଲୋ ବୁଲ ମଧ୍ୟପୁରେ।୪୧।

 

ଅଭାବେ ଭ୍ରମ ତୁଲୋ ଲାଜ କର ଉପେକ୍ଷା

ଥନ ଜାନୁ ଭବ ମାର୍ଗ ତୋର ମଞ୍ଚପୁରେ ଦେଖା।୪୨।

ମଞ୍ଚେଣ ବୁଲୁଥିବୁ ତୁ ଉଲଗ୍ନସାହୀ ହୋଇ

ସମସ୍ତେ ଶୃଙ୍ଗାର ତୋତେ କରନ୍ତୁ ଥନ ଜାନୁ ଚାହିଂ।୪୩।

 

ମୋହୋରେ ତ୍ରିପୁତି ଯେ ନୋହିଲୁ ରତି କାଳେ

ଲକ୍ଷେ ଇନ୍ଦ୍ରି ଭୋଗ କର ତୁ ଲୋ ମଞ୍ଚ ମଣ୍ଡଳେ।୪୪।

କାର୍ପୁଣ୍ୟ ହୋଇ ବାଳୀ କହଇ ଉତ୍ତର

ଭୋ ବାସବ ଦେବତା ମୋତେ କର ପ୍ରତିକାର।୪୫।

 

ସ୍ତିରୀ ହୋଇଣ ମୁଂ ହୋଇଲି ମହାଗର୍ବୀ

ପ୍ରକୃତି ଜାଣି ନୁଆରିଲି ମୁହିଂ ସେବି।୪୬।

ମୁହିଂ ଅମର ଅଷ୍ଟ ନାୟେକାରେ ଅଟଇ ୟେକ

କେତେ କାଳରେ ଖଣ୍ଡିବି ମୋହୋର ପାତେକ।୪୭।

 

ଭାବିନୀ ଭାବେ ପୁଣି ଦୟା କଲେ ଇନ୍ଦ୍ର

ତ୍ରେତୟା ଯୁଗେ ତୁ ଅନେକ କରାଇବୁ ମନ୍ଦ।୪୮।

ତ୍ରେତୟା ଯୁଗ ତେର ଲକ୍ଷ ପଞ୍ଚଚାଳିଶ ସହସ୍ର ବରଷ ପରିଯନ୍ତେ

ବିଶ୍ୱେଦେବତାୟେ ତୋତେ ରମନ୍ତୁ ତ୍ରେତୟା ଯୁଗ ଅନ୍ତେ।୪୯।

 

ତାହାଙ୍କର ବୀର୍ଯ୍ୟେ ଉପୁଜିବ ୟେକ ପୁତ୍ର

ସେ ପୁତ୍ର ଦର୍ଶନ ମାତ୍ରେ ତୋତେ ସ୍ୱର୍ଗ ହୋଉ ପରାପତ।୫୦।

 

ୟେସନେକ ଶାପ ଯହୁଂ ଦିଲେ ପୁରନ୍ଦର

ମଞ୍ଚେ ଆସି ବାତୁଳୀ ହୋଇଣ ସେ ବୁଲଇ ବନସ୍ତର।୫୧।

ତ୍ରିଭୁବନ ମୋହିନୀ ସେ ଅପୂର୍ବ ଚଞ୍ଚଳା

ଥନ ଜାନୁ ଦେଖାଇ ସେ ବୁଲଇ ଲଙ୍ଗଳା।୫୨।

 

ବିଶ୍ୱଦେବତାୟେ ତାକୁ ଦେଖନ୍ତି ନିତି ପ୍ରତି

ୟେହୁ ଦେଖଇ ତାକୁ ଇଛାୟେ କରଇ ରତି।୫୩।

କାମେନୀକୁ ଗାଢେ ଶାପ ଦିଲେ ସୁରସାଇଂ

ଶାପ ଚେରେଷ୍ଟା ଲାଗିଲା ହୋଇଲା ସେ କାମେ ବାଇ।୫୪।

 

ତୁଳ ମାସ କୃଷ୍ଣ ପକ୍ଷ ଦ୍ୱିତୀୟାର ତିଥି

ଦ୍ୱିଜା ନକ୍ଷତ୍ର ଯେ ବାର ବୃହସ୍ପତି।୫୫।

କୌଳବ ନାମେ କରଣ ବ୍ୟତିପାତ ନାମେ ଯୋଗ

ତୁଳ ସଂକ୍ରାନ୍ତିକି ଚାରି ଦିବସ ଯାଇ ଭୋଗ।୫୬।

 

ସେ ଦିନ ଭ୍ରମିଣ ଯାଉଛି ବାତୁଳୀ

ଉତ୍ରାଙ୍କୁର ତୀର୍ଥରେ ସେ ଶରୀର ପଖାଳି।୫୭।

କଣୟ ଗିରି ଉପରେ ଅଛଇ ବାଳୀ ଶୋଇ

ଦ୍ୱାଦଶ ପୁରୁଷ ଯେ ମୋହ ଗଲେ ଚାହିଂ।୫୮।

 

ବୋଇଲେ ଅଟଇ ୟେତ ଆକାଶର ଅପକ୍ଷରୀ

ଅତି ଗର୍ବେ ୟେହାକୁ ଶାପ ଦିଲେ ବଜ୍ରଧାରୀ।୫୯।

ୟେହାର ତୁଲେ ହୋ ସଭିୟେ ରମଣ କର

ଅବିକ୍ଷଣେ ଧ୍ୟାୟେ କରି ଶୃଙ୍ଗାର।୬୦।

 

 

ସମସ୍ତେ ଛାଡ଼ିବା ହୋ ୟେକ ଯୋଗ କରି ବୀର୍ଯ୍ୟ

ବିତକ୍ଷଣ ହୋଇଣ ୟେଥୁଂ ଉପୁଜିବ ଆତ୍ମଜ।୬୧।

ବନେ ପର୍ବତେ ତ ୟେକା ଅଛଇ ଯୁବତୀ

ବିଶ୍ୱଦେବାୟେ ତାହାକୁ ଶୃଙ୍ଗାର କଲେ ଧାତି।୬୨।

 

ରତି ଭୋଗ କଲେ ସେ ଦ୍ୱାଦଶ ବିଶ୍ୱଦେବ

ସବୁହିଂ ବୀର୍ଯ୍ୟ ପ୍ରଦାନ କଲେ ଭବ।୬୩।

ଦ୍ୱାଦଶ ବୀର୍ଯ୍ୟ ୟେକା ଗର୍ଭେଣ ରହିଲା

ୟେକଇ ପୁତ୍ର ସେ ମହାଭାରା ପାଇଲା।୬୪।

 

କକଡ଼ା ମାସ ଆବର ପୂର୍ଣ୍ଣିମାର ରାତ୍ର

ରବିବାର କୁମ୍ଭରାଶି ଶତଭିଷା ନକ୍ଷତ୍ର।୬୫।

ବିଷ୍ଟି ନାମେ କରଣ ଅତି ଗଣ୍ଡ ଯୋଗ

କକଡ଼ା ସଂକରାନ୍ତିର ନବ ଦିନ ଭୋଗ।୬୬।

 

ତିଥିବାର ନକ୍ଷତ୍ର ଯେ ଚନ୍ଦ୍ର ଯୋଗବଳେ

ପୁତ୍ରେକ ଉପୁଜିଲା ଯେ ମହା ନିଶା କାଳେ।୬୭।

କୁମର ମହାପ୍ରତାପୀ ମହା ଭୀଷ୍ମ ରୂପୀ

ପେଟ ବିଦାରିଣ ପୁତ୍ର ଜନମ ହୋଇଲେ କ୍ଷେପି।୬୮।

 

ଦ୍ୱାଦଶ ବଦନ ଦ୍ୱାଦଶ ତାର ଭୁଜ

ଆଦିତ୍ୟକୁ ଲାଗିଲା କୁମାରର ତେଜ।୬୯।

ପୁତ୍ର ଜନ୍ମିଲା ଯେ ମାତା ନାଶ ଗଲା

ବିଶ୍ୱଦେବା ପୁରୁଷ ତାହା କୋଳେଣ ଧଇଲା।୭୦।

 

ସ୍ୱରୂପ ଦେଖିଣ ତୋଷ ହୋଇଲେ ମହାଯତି

ଦ୍ୱାଦଶ ବଦନ ଯେ ସବୁଙ୍କରି ମୂର୍ତ୍ତି।୭୧।

ମହା ଭାରା ପାଇଣ ଯେ ମାତା ନାଶ ଗଲା

ଦ୍ୱାଦଶ ବିଶ୍ୱଦେବାଙ୍କ ବୀର୍ଯ୍ୟ ସଂହରି ହୋଇଲା।୭୨।

 

ପୁତ୍ର କୋଳେ ଧରି ସେ ଦ୍ୱାଦଶ ପୁରୁଷ

ତୋଷେଣ ନାମ ତାକୁ ଦିଲେ ଭାର ଦ୍ୱାଦଶ।୭୩।

ପୁତ୍ର ଉପୁଜାଇ ସେ ବାତୁଳୀ ନାଶ ଗଲା

ଅମରପୁରେ ସୁରନାଥଙ୍କୁ ଦ୍ରଶନ ସେହୁକଲା।୭୪।

 

ଦେଖିଣ ସାନନ୍ଦ ଯେ ହୋଇଲେ ମଘବାନ

ଶାପକୁ ଅନଗୃହ କଲେ ସୁରରାଜ ପୁଣ।୭୫।

ବିଶ୍ୱଦେବା ସମର୍ପିଲେ ଯଦୁ ମହାଋଷିଙ୍କି

ସେ ନେଇ ପାଳିଲେ ଅଗ୍ୟାନ ବାଳ ଶିଷିକି।୭୬।

 

ଦ୍ରୋଣଙ୍କ ଜନ୍ମ ଓ କୃପୀ ସହ ବିବାହ

 

ବଦୟନ୍ତି ଅଗସ୍ତି ଶୁଣ ବୈବସୁତ ମନୁ

ୟେ ସେ ଭାରଦ୍ୱାଦଶ ବଢିଲା ବ୍ରହ୍ମଗ୍ୟାନୁଂ।୧।

ଆହୋ ମନ୍ଦପାଳ ଋଷିଙ୍କର ଭାର୍ଯ୍ୟା ଭାନୁମତୀ

ତାହାର ନନ୍ଦନୀ ଯେ ଶ୍ରିୟା ସରସ୍ୱତୀ।୨।

 

ଭାରଦ୍ୱାଦଶେ ପ୍ରଦାନ ହୋଇଲେ ସେ କନ୍ୟାକୁ

ବନ୍ଦାପନା କାଳୁଂ ରମଣ ନକଲା ଯେ ତାକୁ।୩।

ତପରେଣ ଇନ୍ଦ୍ରି ମାଇଲେ ବ୍ରହ୍ମଋଷି

ଶିଷୁମୁନା ଟେକି ସେ ହୋଇଲେ ତପବାସୀ।୪।

 

ସେ ଶ୍ରିୟା ଭଗତି ହୋଇ ଥାଇ ଅନୁବ୍ରତେ

ଶୃଙ୍ଗାର ଲେଛଇଲେ ସେ ଶତ ବରଷ ପରିଯନ୍ତେ।୫।

ପ୍ରୟାଗ ତୀର୍ଥରେ ପୁରାଣ ପଢୁ ଅଛନ୍ତି ଅଗସ୍ତି

ଯେତେ ଥିଲେ ତପ, ସନ୍ତାନ ନ ଥିଲେ ନାହିଂ ସଦଗତି।୬।

 

ୟେସନେକ ଚରିତ ଶୁଣିଲେ ପୁରାଣ ବଚନେ

ଅନେକ ବିରସ ବାଳୀ ସନ୍ତାନ ବିହୁନେ।୭।

ଶ୍ରିୟା ପୁଛା କଲେ ପୁରାଣ ବେଳେ ଅଗସ୍ତିଙ୍କି

ସ୍ୱାମୀ ପରଦାରା ଶୃଙ୍ଗାର କଲେ କିସ ଦୋଷ ସ୍ତିରୀକି।୮।

 

ଅଗସ୍ତି ବୋଇଲେ ମା ଗୋ କରିବା ନା ଉପାୟେ

ଅଷ୍ଟ ପ୍ରକାରେ ଜାତ କରିବା ଅଛିତ ତନୟେ।୯।

ନିଜ ସ୍ୱାମୀ ବୀର୍ଯ୍ୟେ ଯେବେ ନୋହିଲା ସନ୍ତତି

ଯଗ୍ୟଂ କରାଇ ସେ ସନ୍ତାନ କରିବ ଉତପତ୍ତି।୧୦।

 

ତେଣେ ପୁତ୍ର ଯେବେ ନୋହିଲାକ ଜାତ

ତୀର୍ଥ ସେ ପଶି ଲୋଡ଼ିବ ଯେ ଫଳ ପ୍ରାପତ।୧୧।

ୟେମନ୍ତେ ହେଂ ଯେବେ ନୋହିଲା ସନ୍ତାନ

ରାମାୟଣ ଶୁଣ ମା ଗୋ ଆଦି ଅନ୍ତ ମଧ୍ୟମାନ।୧୨।

 

ତେତେ ବାଗେ ଯେବେ ନୋହିଲା ସନ୍ତାନ

ପର ପୁତ୍ର ଗୋଟିଏ କିଣି କରିବ ପାଳନ।୧୩।

ତହିଂରେ ଯେବେ ପୁତ୍ର ନ ପାଇବ ଲୋଡ଼ି

ପରଦାରା କରାଇ ହୋଇବ ଦୋଚାରୀ।୧୪।

ତେତେ ବାଗେ ଯେବେ ନୋହିବ ଆତ୍ମଜା

ଧର୍ମ ଅର୍ଥେ ବିଭା ହୋଇବା ଆପଣା ଭଣଞ୍ଜା।୧୫।

 

ୟେତେ ବାଗେ ଯେବେ ନୋହିବ ସନ୍ତତି

ବାଟେ ବୃକ୍ଷ ଲଗାଇବା ବୋଇଲେ ଅଗସ୍ତି।୧୬।

ଅଷ୍ଟ ପ୍ରକାରେଣ ସନ୍ତତି ଜାତ କଥା

ସ୍ତିରୀଜନମାନଙ୍କୁ ଗୋ ବଡ଼ ଦୁଲ୍ଲଭ ଅଟଇ ମାତା।୧୭।

 

ୟେତେ ବାଗେ ଯେବେ ନୁଆରିଲା ସନ୍ତତି ଜାତ କରି

ପ୍ରାଗେ ଝାସିଲେ ହୋଅଇ ଅପୁତ୍ରିକ ଦୋଷୁଂ ତରି।୧୮।

ପ୍ରାଗ ତ୍ରିବେଣୀରେ ଝାସିଲେ ଫିଟଇ ଅପୁତ୍ରିକ ଦୋଷ

ଯମ ଦେବତା ଆସି ନୁଆରନ୍ତି ଟି ତାହାର ପାଶ।୧୯।

 

ପୁରାଣ ବାକ୍ୟ ଯହୁଂ କହିଲେ ଅଗସ୍ତି

ଶୁଣି ବିସରିଲେ ସେ ଶ୍ରିୟା ସରସ୍ୱତୀ।୨୦।

ସେହି ବାଞ୍ଛାବଟ ତଳେଣ ଦେବୀ ବସି

ଦ୍ରୋଣପକ୍ଷୀକି ଭଗତି ଭାବେ ଭାବିଲା ଶୁଭ୍ରକେଶୀ।୨୧।

 

ଶତେ ବରଷ ଲୟେ କଲା ମହାସତୀ

ଦେଖିଣ ବୋଇଲେ ଦ୍ରୋଣ ପନ୍ଥୀ ମହାଯତି।୨୨।

ଧର୍ମପକ୍ଷୀ ବୋଇଲେ ବର ତୁ ମାଗରେ ଶ୍ରିୟା

ବିନୟ ଭାବେ ବୋଇଲେ ଭାରଦ୍ୱାଦଶଙ୍କର ପ୍ରିୟା।୨୩।

 

ଭୋ ଧର୍ମପକ୍ଷୀ ମୋତେ ଅନଗୃହ କରିବା

ଅତିଭିଗ୍ୟଂ କରିଣ ମୋତେ ପୁତ୍ର ଗୋଟିୟେକ ଦେବା।୨୪।

ଅତି ନିରେଖ ଦେଖି ଦୟାକଲେ ଧର୍ମପକ୍ଷୀ

ହୃଦଗତେ ଦୟା ବସିଲା ତାହାର କଷ୍ଟ ଦେଖି।୨୫।

 

ଦକ୍ଷଣ ଅଂଗୁ ପକ୍ଷ ଦେଲେ ଡିମ୍ୱ ଯେ ଗୋଟିୟେ

ୟେହା ନେଇଣ ଯତନ କରସି ଗୋ ମାୟେ।୨୬।

ୟେଥୁଂ ଉତପତ୍ତି ହୋଇବ ଯେବଣ ପୁତ୍ର ସନ୍ତତି

ମହାଭିଗ୍ୟଂ ବଳବନ୍ତା ସେ ହୋଇବ ମହାଛତ୍ରୀ।୨୭।

 

ଦ୍ରୋଣ ପକ୍ଷୀ ଡିମ୍ୱ ଘେନିଣ ସେ ଶ୍ରିୟା ସରସ୍ୱତୀ

ସେହି ପ୍ରାଗ ତୀର୍ଥେ ତାହାକଇ ଧରିଥାଇ ନିତି।୨୮।

ପଞ୍ଚଦଶ ବରଷେ ସେ ଫୁଟିଲା ଡିମ୍ୱ ଗୋଟି

ମହା ବ୍ରହ୍ମେ ପୁତ୍ରେକ ବାହର ହେଲା ଡିମ୍ୱ ଫୁଟି।୨୯।

 

ମନିଷର ଶରୀର ହୋ ଧର୍ମ ପକ୍ଷୀର ବଦନ

ସୂଚୀ ମୁଖ ଓଷ୍ଠ ରକତ ତାମ୍ର ବର୍ଣ୍ଣ।୩୦।

ବେନି ଭୁଜେଣ ଅଛି ପକ୍ଷ ଲତାୟେ ଲତାୟେ

ପ୍ରତକ୍ଷେ ଦିଶଇ ସେ ଗରୁଡ଼ ପକ୍ଷୀର ପରାୟେ।୩୧।

ଦେଖିଣ ସନ୍ତୋଷ ହୋଇଲେ ଭାର ଯେ ଦ୍ୱାଦଶେ

ଦ୍ରୋଣ ପକ୍ଷୀ ପରସାଦେ ପାଇଲାଟି ୟେହେନେକ ଶିଷେ।୩୨।

 

କୁମାରକୁ ତୋଳିଣ ଧଇଲେ ତପନିଷ୍ଠି

ବୋଇଲେ ୟେହାର ନାମ ହୋଉ ଦ୍ରୋଣ ଗୋଟି।୩୩।

ଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁ

ସେ ଦ୍ରୋଣ ହୋଇଲେ ଭାରଦ୍ୱାଦଶଙ୍କ ତନୁ।୩୪।

ଅତି ଯତନ କରି ସେ କୁମାରନ୍ତ ପାଳିଲେ

ସପତ ବରଷେ ସେ ତାକୁ ବଡୁ ବ୍ରତ କଲେ।୩୫।

 

ଆହୋ କୁଶବ୍ରହ୍ମା ବୋଲି ସେ ଶୁକବ୍ରହ୍ମର ବଳା

ପ୍ରଜାପତିଙ୍କର ଗୋତ୍ରେ ସେ, ତାହାର ତେଜ ଅନର୍ଗଳା।୩୬।

କୁଶବ୍ରହ୍ମଙ୍କର ପୁତ୍ର ଯେ ଆଚାର୍ଯ୍ୟେ

ତାହାଙ୍କର କୃପୀ ବୋଲିଣ ଭଗ୍ନୀ ଯେ।୩୭।

ଭାରଦ୍ୱାଦଶ ସେ କନ୍ୟାକୁ ସୁସଞ୍ଚ ଦେଖି

ଦ୍ରୋଣକୁ ବିଭା କରାଇଲେ ସେ କୁମାରୀ କୃପୀକି।୩୮।

 

କୃପୀ କନ୍ୟାକୁ ଘେନି ଦ୍ରୋଣେ ଯେ ଅଇଲେ

ବାଳୁତକାଳୁଂ ସେ ତୀର୍ଥବାସୀତ ହୋଇଲେ।୩୯।

ଚନ୍ଦ୍ରଭାଗା ତୀର୍ଥେ ସେ ଭେଟିଲେ ପ୍ରଶୁରାମକୁ

ଜମଦଗ୍ନିଙ୍କ ନନ୍ଦନ ପଚାରିଲେ ଦ୍ରୋଣଙ୍କୁ।୪୦।

 

ବେଦ ଆଧ୍ୟାନ ଜାଣୁନି ଟି କି ବାବୁ

ମହା ମନ୍ତର ଉଂକାର କର ନି ଆମ୍ଭେ ପରୀକ୍ଷ କରିବୁଂ।୪୧।

ଯଦୁର୍ବେଦ ଉଂକାରିଲେ ଭୂତ ଯେ ଭବିଷ୍ୟେ

ବ୍ରହ୍ମାଣ୍ଡ କମ୍ପିଲା ସେ ମହାମନ୍ତ୍ର ତ୍ରାସେ।୪୨।

 

ପ୍ରଶୁରାମ ଅଛନ୍ତି ପ୍ରାଗବଟ ତୀର୍ଥେ

ଆସନ କମ୍ପିଲା ଜମଦଗ୍ନିଙ୍କର ସୁତେ।୪୩।

କ୍ଷଣକେ ବିଶ୍ରାମ ନାହିଂ ମହା ବ୍ରହ୍ମତପୀ

ତୀର୍ଥ ବାସେ ଆଗମନ ଯେ ଶହସ୍ର ଧର୍ମ ଆରୋପି।୪୪।

 

ମକର ମାସେ ଦାନ ଦେଇଅଛନ୍ତି ପ୍ରାଗେ

ଛତ୍ରୀ ବିଦ୍ୟା ଛାଡ଼ି ପଶିଲେ ଧର୍ମ ମାର୍ଗେ।୪୫।

ଦ୍ରୋଣ ରହିଅଛନ୍ତି ଯେ ଆକାଶଗଙ୍ଗା କୂଳେ

ଭିକ୍ଷାପାତ୍ର କରି ବ୍ରତିଲେ ଧର୍ମବଳେ।୪୬।

 

ଭିକ୍ଷାପାତ୍ର ଧରି ବଞ୍ଚନ୍ତି ବେନି ପ୍ରାଣୀ

ନଗ୍ରେ ଭିକ୍ଷା ମାଗି ବ୍ରତନ୍ତି ଗଙ୍ଗାକୂଳେ ଆଣି।୪୭।

 

Unknown

ଦ୍ରୋଣ ଓ ଦ୍ରୁପଦଙ୍କ ଚରିତ

 

ଶୁଣ ହୋ ସେ ପଞ୍ଚାଳ ଦେଶର ରାଜା ଯେ ଦ୍ରୋପତ

ତାହାର ବଇରି ଯେ ଅଟଇ କିରାତ।୧।

ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ଗୁରୁବାର

କିରାତ ଦଣ୍ଡ କଲା ଦ୍ରୋପଦ ଉପର।୨।

ଦ୍ରୋପଦ କିରାତର ହୋଇଲା ଅନେକ ଯୁଦ୍ଧ

ବହୁତ ଯୋଦ୍ଧାୟେ ପଡ଼ିଲେ ସାଂଗ୍ରାମର ମଧ୍ୟ।୩।

 

ସାଂଗ୍ରାମରେ ଅପ୍ରାଂଜୟେ ପାଇଲେ ଦ୍ରୋପଦ

ଦଣ୍ଡ ଭଗ୍ନ ହୋଇ ପଳାଇଲେ ପାଂଚାଳ ନରେନ୍ଦ୍ର।୪।

ଭାଜିଣ ଦ୍ରୋପଦ ପଲାଇଲା ରାଜ୍ୟ ଛାଡ଼ି

କିରାତ ନୃପତି ବସିଲା ପାଂଚାଳ ଦେଶ ମାଡ଼ି ।୫।

ହତ ରାଜ୍ୟ ହୋଇ ଯେ ଦ୍ରୋପଦ ପଳାଇଲା

ଗଙ୍ଗାକୂଳେ ରାଜା ଭଗନସ୍ତ ହୋଇଣ ରହିଲା।୬।

 

ମହା ଭଇରୋବୀ ଯେ ଗଙ୍ଗାନଦୀ କୂଳେ

ଦ୍ରୋଣ ରହିଛନ୍ତି ସେ ସ୍ଥାନେ ସର୍ବକାଳେ।୭।

ନିତ୍ୟକର୍ମ ସାରି ଦ୍ରୋଣ ବସିଚନ୍ତି ତପେ

ଦ୍ରୋପଦେଶ୍ୱର ଆସି ମିଳିଲା ସମୀପେ।୮।

 

ଦ୍ରୋଣଙ୍କୁ ନମସ୍କାର ହୋଇଲେ ଦ୍ରୋପଦ

କଲ୍ୟାଣ ବାଞ୍ଛାକଲେ ରାଜା ତୋତେ ନପଡୁ ପ୍ରମାଦ।୯।

କେବଣ ଦେଶର ବୀର ନୃପତି ତୁ ଅଟୁ

ରାଜ୍ୟ ଭାର ତେଜି କିମ୍ପା ବନବାସ ଖଟୁ।୧୦।

ବତିଶ ଗୁଣେ ସୁନ୍ଦର ସୁକୁମାର ଅଟଇ ତୋର କାୟେ

ମୃଧୁନା ଅବିଷେକୀ ଅଟୁ ଦିଶୁଛି ହତରାଜ୍ୟ ପ୍ରାୟେ।୧୧।

 

ଦ୍ରୋପଦ ବୋଇଲେ ତୁମ୍ଭେ ଶୁଣିମା ବ୍ରହ୍ମଚାରୀ

ପାଂଚାଳ ଦେଶର ମୁଂ ଅଟଇ ଅଧିକାରୀ।୧୨।

ମୋହୋର ରାଜ୍ୟକୁ ବାହିଲା କିରାତ ମହୀପାଳେ

ରାଜ୍ୟଭାର ସିଂହାସନ ଘେନିଲା ମୋର ବଳେ।୧୩।

ପାଞ୍ଚାଳ ନୃପତି ମୁଂ ପଞ୍ଚୁକଟକେ ଆଧିପତି

ମୋହୋର ନାମ ଗୋସାଇଂ ଦ୍ରୋପଦ ନୃପତି।୧୪।

 

ଦ୍ରୋଣ ବୋଇଲେ ସେ ମନ ମନେଣ ବିଚାରି

ତୋହୋର ମୋହୋର ନାମ ୟେକା ଅକ୍ଷରେ ପଡ଼ି ।୧୫।

ଆମ୍ଭର ନାମ ଦ୍ରୋଣ ତୁମ୍ଭର ନାମ ଦ୍ରୋପତ

ତୁ ମହାରାଜା ଆମ୍ଭର ହୋଇଲୁ ମଇତ୍ର।୧୬।

ଦ୍ରୋପଦ ବୋଇଲା ଦେବ ବୋଲିବାକୁ ନୋହିଲି ମୁଂ କ୍ଷମ

ତୁମ୍ଭେ ମହାଭିଗ୍ୟଂ ଅଟ ହୋ ମହାବ୍ରହ୍ମ।୧୭।

 

ଠାକୁର ଦାସର ୟେକା ନାମ ହୋଇଲେ

ସେହିକି ମଇତ୍ର ହୋଇବ ଦ୍ରୋପଦ ବୋଇଲେ।୧୮।

ଦ୍ରୋଣେ ବୋଇଲେ ମିତ ହୋଇଲ କି ବାଇ

ନାମର ମଇତ୍ର ହୋ ଅତି ଭାଗ୍ୟରେ ସେ ପାଇ।୧୯।

 

ତୋହୋର ମୋହୋର ଅଛିନି ପୀରତି

ଶୁଣିଣ ସାନନ୍ଦ ହୋଇଲେ ଦ୍ରୋପଦ ନୃପତି।୨୦।

ଆହୋ ଦ୍ରୋଣ ଅନେକ ଯେ ଯାଉଛନ୍ତି ଦାନ

ପ୍ରତିଗ୍ରହ କରି ମହାତ୍ମା ଅର୍ଜିଲେ ଅନେକ ଧନ।୨୧।

 

ମହା ବେଦାନ୍ତୀ ଦେଖି ପ୍ରଶୁରାମ ନୃପତି

ଦ୍ରୋଣକୁ ବହୁତ ଦାନ କଲେ ଭଣ୍ଡାର ଆଧିପତି।୨୨।

ଦ୍ରୋପଦ ରାଜାର ଯହୁଂ ସେ ବିପତ୍ତି ଦେଖିଲେ

ଅନେକ ଧନ ଥିଲା ଦ୍ରୋଣ ଦ୍ରୋପଦକୁ ଦିଲେ।୨୩।

 

ଅନେକ ଦାନ ଘେନନ୍ତି ଦ୍ରୋପଦର ନିମନ୍ତେ

ଯେସନେକ ଲାଗଇ ଦ୍ରୋଣ ଦିଅନ୍ତି ନିତ୍ୟେ ନିତ୍ୟେ।୨୪।

ରାଜ୍ୟରୁ ନୃପତି ଧନ ଆଣିଥିଲା ଯେତେ

ଥାଠକୁ ଅଣ୍ଟିଲା ନବ ବରଷ ପରିଯନ୍ତେ।୨୫।

 

ଧର୍ମ ବାସନା ସେ ଅଟଇ ଦ୍ରୋପଦ ନୃପତି

ଆନ ଭୂମି ନଲଂଘଇ ନଯାଇ ଆନକତି।୨୬।

ୟେତେ ବାଗେଣ ସେ ଦ୍ରୋପଦ ରାୟେ ବ୍ରତି।୨୭।

କିରାତ ରାଜା ତାହାର ରାଜ୍ୟ ମାଡ଼ି ବସିଥିଲା

ୟେକୋଇଶ ବରଷ ପରିଯନ୍ତେ ରାଜ୍ୟ ନଛାଡ଼ିଲା।୨୮।

 

ରାଜାର ଥାଠକୁ ଯହୁଂ ନମିଳିଲା ଅନ୍ନ

ତେଣୁ କରି ମଲେ ସନ୍ୟ ମୋର ଥାଠ ହୋଇଲା କ୍ଷୀଣ।୨୯।

ଦ୍ରୋଣ ବୋଇଲେ ସମସ୍ତ ଥାଠକୁ ହକାରି

ଯାହାକୁ ଯେତେ ଲାଗଇ ତାହାକୁ ଆମ୍ଭେ ଦେବୁ ପଡ଼ି।୩୦।

ହସ୍ତୀ ଘୋଡାକୁ ଦିଲେ ଚରଣୀ ପିଉଣି ଆଦି କରି

ୟେମନ୍ତେ ଦ୍ରୋଣ ସମ୍ଭାଳିଲେ ଦ୍ରୋପଦ ଥାଠକୁ ଆବୋରି।୩୧।

 

ଦ୍ରୋଣଙ୍କର ଭାରିଯା ଯେ କୃପୀ ମାହେଶ୍ୱରୀ

ଅତୁଟ ବିଦ୍ୟା ଯେ ପ୍ରସନ୍ନ ତାହାରି।୩୨।

ଦକ୍ଷିଣ କରେ ଅଛି ତାର ଶଂଖ ପଦ୍ମ ନିଧି

ଦିଲେ ଦାନ ନସରଇ ତାର ମହିମା ପ୍ରସିଦ୍ଧି।୩୩।

ୟେକ କଠାକରେ ଅନ୍ନ ଯେ ରାନ୍ଧିଲେ

ଥାଠକୁ ଅନ୍ନ ଅଣ୍ଟଇ ନସରଇ ଭଲେ ପରଶିଲେ।୩୪।

 

ସେ ମହାସତୀ ଅନ୍ନ ଦିଅଇଟି ନିତ୍ୟେ

ନିତି ପ୍ରତି ପୁଣ ଯାହାକୁ ଯେତେ ଲାଗଇ ଯୁଗତେ।୩୫।

ସ୍ତିରୀ ପୁରୁଷ ପୁତ୍ର ସଭିୟେଂ ଆଦି କରି

ରହିଲେ ନିଶ୍ଚିନ୍ତେ ପଞ୍ଚାଳ ଦେଶକୁ ପାସୋରି।୩୬।

ଦ୍ରୋଣ ଦିଅନ୍ତି ଯେ ଅଷ୍ଟ ରତ୍ନମାନ

ଯାହାକୁ ଯେତେ ଲାଗଇ ଅଳଙ୍କାର ବିଧାନ।୩୭।

 

ଦ୍ରୋଣଙ୍କର ପ୍ରସାଦେ ରହିଲେ ନିଶ୍ଚନ୍ତେ

ରହିଲେ ଦ୍ରୋପଦ ଚଉବିଂଶ ବରଷ ପରିଯନ୍ତେ।୩୮।

ଅଗସ୍ତି ବୋଇଲେ ଶୁଣହୋ ଯୁଗପତି

ମଇତ୍ର ଯୋଗ ହୋଇଲେ ୟେସନେକ ପୀରତି।୩୯।

କିରାତ ରାଜା ସେ ପଞ୍ଚାଳ ଦେଶେ ଅଛି ରହି

ଅନେକ ସୁସ୍ଥେଣ ସେ ପାଳିଲାକ ମହୀ।୪୦।

 

ଆପଣା ରାଜ୍ୟରେ ସେ ପାତ୍ରକୁ ବସାଇଣ ଥିଲା

ତାହାର ରାଜ୍ୟକୁ ତେଣେ ଦରଦସେନ ଯେ ବାହିଲା।୪୧।

ଦେଶାଉର ବାରତା କଲା ବ୍ରହ୍ମ ବୈତରଣୀ କୂଳେ

କିରାତ ବିଜେ କରିଅଛି ରଣସ୍ତମ୍ଭ ପର୍ବତର ତଳେ।୪୨।

 

କିରାତର ଅଗ୍ରତରେ କହନ୍ତି ମୁନେହି

ସ୍ୱାମୀ ଆବର କିମ୍ପା ପଞ୍ଚାଳ ଦେଶେ ରହି।୪୩।

ତୋହୋର ଦେଶକୁ ତେଣେ ବାହିଲା ଦରଦ

ଆପଣା ଦେଶ ଛାଡ଼ି ପରଦେଶରେ କି ସମ୍ପଦ।୪୪।

 

ୟେହୁ ବଳ ବୟେସ ଦେବ ସର୍ବଦା ନଥିବ

ଯେ ଯାହାର ରାଜ୍ୟ ପୁଣ ସେହୁ ସେ ଘେନିବ।୪୫।

ଚିରନ୍ତନ କାଳକୁ ୟେହି କଥା ରହିଥିବ।୪୬।

ତୁଳମାସ ଶୁକ୍ଲପକ୍ଷ ଦଶମୀର ଦିନ

ପଞ୍ଚାଳ ଦେଶ ଛାଡ଼ିଲା ଯେ କିରାତ ରାଜନ।୪୭।

 

ଆପଣା ଦେଶକୁ ସେ ଗଲାକ କିରାତ

ଦରଦର ତୁଲେ ସଂଗ୍ରାମ ହୋଇଲା ଅପ୍ରମିତ।୪୮।

ପଞ୍ଚାଳ ଦେଶେ ଯେ ଦ୍ରୋପଦ ରାଜାର ଲୋକ ଥିଲେ

ରାଜାର ଆଗେ ଯାଇ ବାରତା କହିଲେ।୪୯।

ଭୋ ସ୍ୱାମୀ କିରାତ ରାଜା ଯେ ଆମ୍ଭ ରାଜ୍ୟ ଘେନିଥିଲା

ତାହାର ରାଷ୍ଟ୍ରକୁ ଦେବ କିରାତ ବାହୁଡ଼ି ଗଲା।୫୦।

 

ଆମ୍ଭର ରାଜ୍ୟକୁ ଦେବ ବହନ ଚଳିଆସ

ଶୁଣିଣ ଦ୍ରୋପଦ ନୃପତି ସେ ହୋଇଲା ହରଷ।୫୧।

ଦ୍ରୋଣଙ୍କର ପାଦ ତଳେ ଦ୍ରୋପଦ ରାଜା ପରିଣାମି

ତୋହୋରେଣ ମୋହୋର ଆପାଦ ଖଣ୍ଡଣ ଗଲା ଦେବସ୍ୱାମୀ।୫୨।

 

କିରାତ ରାଜା ଯେ ଛାଡ଼ିଲା ମୋହୋର ଦେଶ

ଭୋ ମଇତ୍ର ମୋହୋର ରାଜ୍ୟକୁ ଯିବା ଆସ।୫୩।

ଦ୍ରୋଣେ ପରମ ସାନନ୍ଦ ହୋଇଲେ ତାହା ଶୁଣି

ଧର୍ମେଣ ତୋହୋର ରାଜ୍ୟ ପ୍ରାପତ ହୋଇଲା ନୃପମଣି।୫୪।

 

ସଂପଦ ବିପଦ ୟେ ସମୟେ ସମୟେ

ଅନୁବ୍ରତେ ପ୍ରାଣୀକି ବିପଦ ନାହିଂ କାୟେ।୫୫।

ଭୋ ମଇତ୍ର ଯାଅସି ତୋହୋର ମଣ୍ଡଳେ

ସୁବିଧାନେ ରାଜ୍ୟେ ତୋର ବସ ଶୁଭ ବେଳେ।୫୬।

ତୋହୋର ରାଜ୍ୟ ୟେବେ କର ଯାଇ ସୁସ୍ତେ

ଜନ ସଂସାର ଭଜନ୍ତୁ ଖଟନ୍ତୁ ଅମନାତ୍ୟେ।୫୭।

 

ଆଗ୍ୟାଂ ପ୍ରମାଣେ ଚଳନ୍ତି ପ୍ରକୃତି ନିଯୋଗୀ

ରାଜ୍ୟ ଭୋଗ ସମ୍ପଦ ତୋତେ ମଣ୍ଡଳ ହୋଉ ଭୋଗୀ।୫୮।

ସଂସାର ତୋହୋର ଭଜଇ ଯେତେବେଳେ

ଆମ୍ଭେ ପ୍ରବେଶ ହୋଇବୁ ତୋହୋର ସୁବିଧାନ ମଙ୍ଗଳେ।୫୯।

ଦ୍ରୋପଦେ ପ୍ରଣିପତ୍ୟ ଦ୍ରୋଣଙ୍କର ପଦ୍ମ ପାଦେ

ସମସ୍ତ କୁଶଳ ସିନା ତୁମ୍ଭର ପରସାଦେ।୬୦।

 

ଭୋ ମଇତ୍ର ଚାଲିଯିବା ମୋହୋରେ ଅଛି ଯେବେ ସଦୟେ

ରାଜ୍ୟେ ମୋହୋର କାର୍ଯ୍ୟ ନାହିଂ ସର୍ବଦା ତୋତେ ଲୟେ।୬୧।

ଦ୍ରୋଣେ ବୋଇଲେ ତୁ ମତେ କଟାଳ ନକର

କଥାୟେ କହି ହେ ବଚନ ନିରାଧାର।୬୨।

 

କୃପୀ କନ୍ୟା ଯେ ହୋଇଅଛି ଆଶାବତୀ

ଚାରିମାସ ହୋଇଲା ଅଳସ ପ୍ରକୃତି।୬୩।

ଗର୍ଭିଣୀ ସ୍ତିରୀକି ଆନ ଠାବ କରି ତ ନ ପାରି

ଭୋ ମଇତ୍ର ଯିବୁଂ ପ୍ରସବ ହୋଇଲେ ନାରୀ।୬୪।

 

ଦ୍ରହସିତେ କହିଲେ ଭାରଦ୍ୱାଦଶଙ୍କ ତନୁ

ରାଜ୍ୟେ ଭୋଗ ପଶିଲେ ନପୁଣ ମୋତେ ଚିହ୍ନୁ।୬୫।

ଦ୍ରୋପଦ ବୋଇଲେ ମୋହୋର ୟେହେନେକ କର୍ମ

ନିଶ୍ଚୟ ମୋତେ ଯେବେ ଛାଡ଼ିବଟି ଧର୍ମ।୬୬।

 

ତେତେବେଳେ ତୋତେ ଅବା ନ ଚିହ୍ନିବି

ଅପ୍ରତେ ହୋଇଲେ ସଞ୍ଚୟେ ନାଶ ଯିବି।୬୭।

ଦ୍ରୋଣେ ବୋଇଲେ ତୁ ନକର ମନେ କିଛି ଭ୍ରାନ୍ତି

ତୋହୋର ମୋହୋର ଜନ୍ମେ ଜନ୍ମେ ୟେସନେକ ପୀରତି।୬୮।

 

ଦ୍ରୁପଦଙ୍କ ରାଜ୍ୟ ପ୍ରାପ୍ତି ଓ ତାଙ୍କ 

ଦ୍ୱାରା ଦ୍ରୋଣଙ୍କ ଅପମାନ

 

ଅନେକ କଲ୍ୟାଣ କଲେକ ତପୋବନ୍ତ

ଅନେକ ଧନ ଦିଲେ ଭାରଦ୍ୱାଦଶଙ୍କ ସୁତ।୧।

ସମଦଣ୍ଡ ଘେନି ତହୁଂ ଗଲେକ ଦ୍ରୋପଦ

ପଞ୍ଚାଳ ଦେଶରେ ସେ ପ୍ରବେଶ ନରଇନ୍ଦ୍ର।୨।

ପଞ୍ଚାଳ କଟକେ ଭିଆଇଲେ ନିଜ ପୁର

ସମସ୍ତ ଖଟିଲେ ସାୟେନ୍ତ ପାତ୍ର ପରିବାର।୩।

 

ରାଜ୍ୟେ ଦ୍ରୋପଦ ବସିଲେ ନିଶ୍ଚିନ୍ତେ

ସଂସାର ପାଳନ କରାଇଲେ ଅନୁବ୍ରତେ।୪।

ଦ୍ରୋଣେ ରହିଛନ୍ତି ମହାଭୈରବୀ ଗଙ୍ଗା କୂଳେ

କୃପୀକି ପୁରାଣ ବାକ୍ୟ କହନ୍ତି ପ୍ରାତ କାଳେ।୫।

ଗଙ୍ଗା କୂଳେ ଦ୍ରୋଣେ ରହିଲେ ସୀମନ୍ତେ

ସେ ବିଧି ବନ୍ଦାପନା ପୁତ୍ର କାର୍ଯ୍ୟ ଅର୍ଥେ।୬।

 

ସିଂହମାସ କୃଷ୍ଣପକ୍ଷ ଷଷ୍ଠୀତିଥି

ସଉରିବାର ସେ ଦିନ ନକ୍ଷତ୍ର ରେବତୀ।୭।

ବିଷ୍ଟି ନାମେ କରଣ ଶୂଳ ନାମେ ଯୋଗ

ସପତମୀ ଚନ୍ଦ୍ର ହେଲା ଦିନ ଶେଷ ଭୋଗ।୮।

ରେବତୀର ଭୋଗ ରାତ୍ର ପାଞ୍ଚଘଡ଼ି ଗଲା

ଆଦ୍ୟ ନକ୍ଷତ୍ର ଅଶ୍ୱିନୀ ପ୍ରବେଶ ହୋଇଲା।୯।

 

ୟେ ତିନିଦଣ୍ଡର ମଧ୍ୟେ ପୁତ୍ରେକ ହୋଇଲା ଜାତ

ମାତା ଗଣ୍ଡକୁ ପାଇଲା କୃପୀ ହୋଇଲା ହତ।୧୦।

ପୁତ୍ର ଜାତ ହୋଅନ୍ତେ ମାତା ନାଶ ଗଲା

ଅଶସ୍ତମା ବୋଲି ଦ୍ରୋଣ ପୁତ୍ର ନାମ ଦିଲା।୧୧।

ଅନେକ ବଇକୁଲ୍ୟ ସେ ହୋଇଲା ମହାତମା

ଅତି ଯତନେ ପାଳିଲେ ପୁତ୍ର ଅଶସ୍ତମା।୧୨।

 

କୃପୀ ନାଶ ଗଲା ପୁତ୍ରକଇ ପ୍ରସବି

ଭାରିଯାକୁ ଦହନ କଲେ ଆରୋପିଣ ହବି।୧୩।

ଅଗ୍ନି ସଂସ୍କାର କଲେକ ଦ୍ୱିଜବରେ

ପାଣିର ଫେଣ ନେଇ ଦିଅନ୍ତି ପୁତ୍ରର ତୁଣ୍ଡରେ।୧୪।

ବନସ୍ତରେ ଥାଇ ସେ ଅମୃତା ନାମେ ଲାଇ

ତହିଂର ରସ ଦେଇ ଜୀଆନ୍ତି ବାଳୁତ ପୋଇ।୧୫।

 

ମନେ ବିଚାରିଲେ ଦ୍ରୋଣେ ପଡ଼ିଲା ପରମାଦ

ଆମ୍ଭର ମଇତ୍ର ଯେ ଅଟନ୍ତି ଦ୍ରୋପଦ।୧୬।

ମଇତ୍ର ତହିଂକି ୟେ ପୁତ୍ର ଗୋଟିକି ଘେନିଯିବୁ

ଧେନୁ ଗାଈ ଗୋଟିୟେ ମାଗିଣ ଆଣିବୁ।୧୭।

ଆବର ମାଗିବୁ ଆଶ୍ରମ ଖଣ୍ଡିୟେ

ସୁସ୍ତେଣ ରହିବୁ ପୁତ୍ର ଗୋଟି ବଡ଼ ହେବା ଯାୟେ।୧୮।

ବିପଦର କାଳ ମଇତ୍ର ହିଂ ସେ ସମ୍ଭାଳଇ

ସୋହଦ୍ର ଆଶ୍ରେ ନ ଯୋଗାଇ ବିପଦ କାଳକଇଂ।୧୯।

ପତ୍ନୀ ଭ୍ରଷ୍ଟ ହୋଇଣ ସେ ଚିନ୍ତା ଅନ୍ତରାଳେ

ଦ୍ରୋଣେ ଚଳିଲେ ହୋ ରାଜ୍ୟ ଯେ ପଞ୍ଚାଳେ।୨୦।

 

କୋଳେଣ ପୁତ୍ର ଯେ ଘେନିଣ ଅଶସ୍ତମା

ଦ୍ରୋପଦ ରାଜ୍ୟେ ଯାଇ ପ୍ରବେଶ ମହାତମା।୨୧।

ହସ୍ତେ ଦଣ୍ଡ କମଣ୍ଡଳ ବାଳପୁତ୍ର ଘେନି

ସିଂଘଦ୍ୱାର ଲୋକେ ତାଙ୍କୁ ନପାରିଲେ ଚିହ୍ନି।୨୨।

ଅନେକ ରଥ ଗଜ ଅଶ୍ୱ ଯେ ସଇନି

ଗହଳ ଧନ୍ଦୋଳ ଘାୟେ କତିରେ ଆଉଜିଲେ ମୁନି।୨୩।

 

ଦ୍ରୋଣ ବୋଇଲେ ଦ୍ୱାର ନାୟେକକୁ ଚାହିଂ

ରାଜାର ଛାମୁରେ ବାବୁ ଜଣାଅ କିନା ଯାଇଂ।୨୪।

ଆମ୍ଭେ ରାଜାଙ୍କର ମଇତ୍ର ହାଦେ ଅଟୁଂ ବାବୁ

ଦ୍ୱାର ଛାଡ଼ିବୁ କି ଆମ୍ଭେ ଦ୍ରଶନ କରିବୁ।୨୫।

ତାହା ଶୁଣି ହସିଲେ ଯେ ଦ୍ୱାରପାଳମାନେ

ବୋଇଲେ ପଳାଯା ବ୍ରାହ୍ମଣ ବାତୁଲ ଅଗ୍ୟାନେ।୨୬।

 

ତୁ ଅଟୁ ଦରିଦ୍ର ଭିଖାରୀ ବ୍ରାହ୍ମଣ ଦେଶାନ୍ତରୀ

ରାଜାକୁ ମଇତ୍ର ବୋଲୁ ଭୟ କିଂପା ନ କରି।୨୭।

ଥୋକାୟେ ବୋଇଲେ ଆମ୍ଭର ଅଧିକାରୀ

ହତରାଜ୍ୟ କାଳେ ସେ ଥିଲେ ଦେଶାନ୍ତର କରି।୨୮।

ସେ କାଳରେ ଅବା ହୋଇଥିବେ ମଇତ୍ର

ଜଣାଇବା ପଣ୍ଡାୟେ ତୁମ୍ଭେ ରହିଥାଅ ୟେଥ।୨୯।

 

ରଥ ଗଜ ଅଶ୍ୱ ସଇନି ବଡ଼ାଇ ଗହନ

କତିୟେ ହୋଇ ବସିଥାଅ କରାଇବା ଦ୍ରଶନ।୩୦।

ଦେବାର୍ଚ୍ଚନା ସାରି ରାୟେ ରସାଣ ଲାଗିହୋଇ

ଆସ୍ତାନ ନବରେ ବିଜେ ବାଂକିୟାରେ ଯାଇଂ।୩୧।

ୟେମନ୍ତର ସମୟେ ଦ୍ୱାରନାୟକ ବେଗେ ଗଲା

ପ୍ରଣପତ୍ୟ ହୋଇଣ ଯେ ମଥାରେ ହାଥ ଦିଲା।୩୨।

 

ଅବଧାନ ଭୋ ଦେବ ପଞ୍ଚାଳ ଆଧିପତି

ତୁମ୍ଭର ମଇତ୍ର ଦେବ ଆସିଣ ଅଛନ୍ତି।୩୩।

ଦ୍ରୋପଦେ ବୋଇଲେ ଯେବେ ଅଇଲେ ମଇତ୍ରେ

ରଥ ଗଜ ଅଶ୍ୱ ପାଦାନ୍ତି ବଳ ଅଛନ୍ତି କେତେ।୩୪।

ଦ୍ୱାରପାଳ ବୋଇଲେ ଶୁଣିମା ଦେବ ରାୟେ

ଦରିଦ୍ର ବ୍ରାହ୍ମଣେକ କୋଳେ ବାଳୁତ ପୁତ୍ର ଗୋଟିୟେ।୩୫।

 

ଦଇବେ ହେଠମାଥ ରସ ଲାଗିହୋଇ

ମହାମତ୍ତ ବେଳେ ସେ ଲାଗିଛି ଗଞ୍ଜାଇ।୩୬।

ୟେମନ୍ତର ସମୟେ ଚାର କହିଲା ବାରତ

ଶୁଣିଣ କୋପକଲେ ନୃପତି ଦ୍ରୋପତ।୩୭।

ଆହୋ ରାଜ୍ୟରେ ମୋହୋର ପାତ୍ର ମନ୍ତ୍ରୀ ନାହାନ୍ତି ଯେ ପୁଣ

ରାଜାର ମଇତ୍ର ବୋଲଉଛି ଭିକ୍ଷୁକ ବ୍ରାହ୍ମଣ।୩୮।

 

ୟେତେ ମାତ୍ରକ କଥା ନାହିଂ ନା ବିଚାରକୁ

ୟେସନେକ ବାରତା ଯେ ଜଣାଇଲ ମୁକୁ।୩୯।

ମହା ପ୍ରଭୁ ପଣେ ବୋଇଲେ ଦଣ୍ଡଧାରୀ

ମୋହୋର ଛାମୁରୁ ୟେହାକୁ ନିଅରେ ବାଳ ଧରି।୪୦।

ଜଣାଇଲା ଦୂତ ଯେ ଦ୍ୱାରଚାର ମାନନ୍ତ

ଅନେକ ଦଣ୍ଡ ମଣ୍ଡ କରାଇଲେ ନୃପତ୍ୟ।୪୧।

 

ଅପରାଧ ପାଇଣ ସେ ଦୂତେ ଅତି କୋପାନଳ

ଧାଇଂ ଧାଇଂ ଧଇଲେ ସେ ଦ୍ରୋଣଙ୍କର ବାଳ।୪୨।

କାହିଂର ଅଟୁ ତୁ ରେ ଦାନୁଆ ବ୍ରାହ୍ମଣ

ରାଜାଙ୍କର ମଇତ୍ର ବୋଲି ବୋଇଲୁ ଅକାରଣ।୪୩।

ତୋହୋରେଣ ଗଞ୍ଜଣା ପାଇଲୁ ଅପ୍ରମାଦେ

ଧର୍ମେ ବଞ୍ଚିଲୁ ଆମ୍ଭେ କିଂଚିତ ଅପରାଧେ।୪୪।

 

କେ ଯାଇ ତାହାର କେଶ ଧଇଲେ କୋପକରି

କେ ଲେଡ଼ା ଗୋଇଠା ବିଧା କହୁଣି ଅଛନ୍ତି ମାରି।୪୫।

କେ ତୁଣ୍ଡେ ବିଣ୍ଡା ମାଡ଼ି ପକାବନ୍ତି ଧୂଳି

ବାଳୁତ ପୁଅ ଗୋଟି ଦେଉଅଛି ବୋବାଳି।୪୬।

କେ କୁରୁଳି ଗାଲରେ ମାରନ୍ତି ନେଇ ବିଧା

କେ ଗୋଡ଼େ ଫିଙ୍ଗାଇ ଗଲେ ପକାବନ୍ତି ଖୁନ୍ଦା।୪୭।

 

ଅଇଣ୍ଠା ପତରେଣ ଟେଳା ମାରନ୍ତି ମିଶାଇ

ଧୂଳି ଆଞ୍ଜୁଳାୟେ କେ ମାରନ୍ତି ତାକୁ ନେଇ।୪୮।

ହୁରିୟା ଜୁରିୟାମାନେ ମାରୁଛନ୍ତି ବେଢି କରି

ବଡ଼ ବେଗେ ନଗ୍ରୁଂ ଦିଲେ ବାହାର କରି।୪୯।

ବିକଳେ ଦ୍ରୋଣ ପୁଅ ଗୋଟି ଲଗାଇଛନ୍ତି ହିଆରେ

ବରଷଣ ପରାୟେ ଟେଳା ପଡୁଛନ୍ତି ଉପରେ।୫୦।

 

ଅନେକ ପ୍ରାଭବ ପାଇଣ ଯେ ଅଇଲେ ବାହୁଡ଼ି

ବାହୁଡିଲେ ହୁରିଆମାନେ ନଗ୍ର ବାହାରେ ଛାଡ଼ି।୫୧।

କେଶୀ ନଦୀ କୂଳେ ବସି ବିଚାରନ୍ତି ଦ୍ରୋଣେ

ଚାଣ୍ଡାଳ ମୋଢା ତହିଂକି ଆମ୍ଭେ ଅଇଲୁ ଅକାରଣେ।୫୨।

ଆହେ ପ୍ରଜାପତି ୟେମନ୍ତ କରି ଲେଖି

ରାଜପଣ ହେଲେ ୟେତେ ଗର୍ବ ହାଦେ ଦେଖି।୫୩।

 

ଯେତେକ ବାଗେ ସମ୍ଭାଳିଲି ମୁଂହି ବନେ

କ୍ଷଣକର ଉପୁଗାର ଅହର୍ନିଶି ଥାଇମନେ।୫୪।

ମୁଂ ୟେହାକୁ ସମ୍ଭାଳିଲି ଚଉବିଂଶ ବରଷ ପରିଯନ୍ତେ

ୟେଥକୁ ଉପୁଗାରମାନ ହୋଇଲା ୟେତେ ମୋତେ।୫୫।

ଶାହାସ୍ର ମିଥ୍ୟା କି ହୋଇଲା ଅବିଚାରେ

ଧର୍ମ ନାଶ ଗଲା ମୋର ପର ଉପୁଗାରେ।୫୬।

 

ଦ୍ରୋଣଙ୍କର ପର୍ଶୁରାମଙ୍କଠାରୁ ଅସ୍ତ୍ର ପ୍ରାପ୍ତି

 

ଦ୍ରୋଣେ ଯାଉଛନ୍ତି ସନ୍ତାପିଣ କର୍ମକୁ

ମଣିକର୍ଣ୍ଣିକା ତୀର୍ଥେ ମୁଣ୍ଡାଇବୁଂ କେଶକୁ।୧।

କୋଟିୟେ ତୀର୍ଥରେ ବୁଡ଼ିଲା ଅଛି ଯେବଣ ବାଳ

ୟେ କେଶ ବିକୋତି ଧଇଲେ ପାପିଷ୍ଠ ଚାଣ୍ଡାଳ।୨।

ପ୍ରୟାଗ ତ୍ରିବେଣୀରେ ଯାଇ କରିବା ସ୍ରାହାନ

ତହିଂସେ ହରିବି ନା ଦୁସହ ପାପମାନ।୩।

 

ୟେତେ ବିଚାରିଣ ସେ ଭାରଦ୍ୱାଦଶଙ୍କ ସୁତ

ଅଶସ୍ତମାକଇଂ ଘେନି ଚଳିଲେ ପ୍ରାଗବଟ ତୀର୍ଥ।୪।

ସେ ମହାତୀର୍ଥେ ପ୍ରଶୁରାମ ଛନ୍ତି ରହି

ଦ୍ରୋଣେ ବିକଳେ ବେଦ ଆଧ୍ୟାନ କଲେ ପ୍ରଶୁରାମଙ୍କ ମୁଖ ଚାହିଂ।୫।

ଯଦୁର୍ବେଦ ଆଧ୍ୟାନ କଲେ ପଞ୍ଚତିରିଶ ଶ୍ଳୋକ ବାଛି

ଶୁଣି ପ୍ରଶୁରାମ ଥମ୍ଭୀଭୂତ ହୋଇ ନଫୁରଇ କିଛି।୬।

 

ରହ ରହ ବ୍ରାହ୍ମଣ ତୁ ଅଟୁ ମହା ବ୍ରହ୍ମବେଦୀ

ୟେଡ଼େ ବଡ଼ ବ୍ରାହ୍ମଣ ହୋଇ ତୁ କେବଣ ଅର୍ଥେ ୟେଡ଼େ କ୍ରୋଧୀ।୭।

ଦ୍ରୋଣେ ବୋଇଲେ ଶୁଣ ଜମଦଗ୍ନିଙ୍କର ଶିଷି

ମୁହିଂ ଭାରଦ୍ୱାଦଶଙ୍କ ନନ୍ଦନ ଦୁଜେ ଗୋତ୍ରପାଠ ଋଷି।୮।

ମୁହିଂ ଅନେକ ଗଞ୍ଜି ହୋଇଲି ଭୋ ପ୍ରଶୁରାମ

ମୋହୋର ନାମ ସାରି ଉଦ୍ଧରି ଧର ଧର୍ମ।୯।

 

ଶୁଣିଣ ପ୍ରଶୁରାମ ଅନେକ ସାନନ୍ଦ ମନ

ସତ୍ୟ କଲୁ ମାଗ ଦ୍ୱିଜ ଯେଣେ କଲୁ ଧ୍ୟାନ।୧୦।

ଡାହାଣାବ୍ରତେକ ଶଙ୍ଖ ଜଳ ତିଳ ଲାଇ

ପ୍ରଶୁରାମ ଦ୍ରୋଣଙ୍କର ହସ୍ତେ ଦିଲେ ନେଇ।୧୧।

ପ୍ରଶୁରାମେ ଦେଉଛନ୍ତି ଉପର ହସ୍ତକରି

ସଂକଳ୍ପ ବାକ୍ୟେଣ ସତ୍ୟ ସତ୍ୟ ଯେ ଉଚ୍ଚାରି।୧୨।

 

ତଳ ହସ୍ତ କରିଣ ଯେ ଘେନୁଛନ୍ତି ଦ୍ରୋଣେ

ମାଗ ହୋ ଦ୍ୱିଜବର ତୋତେ କାରଣ ହୋଅଇ ଯେଣେ।୧୩।

ତୁ ଯେ ଅନଳ ନାରାୟଣ ମୋତେ ପ୍ରସନ୍ନ ହୋଇବୁ

ତୋହୋର ଶସ୍ର ଶାସ୍ରମାନ ସବୁ ମୋତେ ଦେବୁ।୧୪।

ପ୍ରଶୁରାମେ ବୋଇଲେ ଯାହା ମାଗିଲୁ ଦ୍ୱିଜବର

ତୋତେ ପ୍ରାପତ ହୋଉ ମୋହୋର ସମସ୍ତ ଶସ୍ର ମନ୍ତ୍ର ସାର।୧୫।

 

ତଳ ହସ୍ତ କରିଣ ପାତି ଅଛନ୍ତି ଦ୍ରୋଣେ

ଉପର ହସ୍ତ କରିଣ ପ୍ରଶୁରାମେ ତୋଳି ଦିଲେ ଧନୁ ତ୍ରୋଣେ।୧୬।

ପ୍ରଶୁ ମୁଦୁଗର କୋଠାର ଶକତି

କୋନ୍ତ ଅସିବର ବିଜେ କର୍ଣ୍ଣ କଟାରି ଯେ କାତି।୧୭।

ବଜ୍ର ଶର ଅନଳ ଶର ଅମୋହ ଶକତି

କାଳଫାଶ ନାଗଫାଶ ବ୍ରହ୍ମଶର ଦିଅନ୍ତି।୧୮।

 

ଅଗ୍ନି ଗଦା ହେମ ଗଦା ଗରୁଡ ପନ୍ନଗା ଶର

ସୂର୍ଯ୍ୟାବ୍ରତେକ ଗଦା ବ୍ରହ୍ମ ଗଦା ଅଗ୍ନି ଶର।୧୯।

ବ୍ରହ୍ମ ଶକତି ରୁଦ୍ର ଶକତି ମହାକାଳ ଶକତି

ମୂଷଳ କାଇଂସିକା ସୂର୍ଯ୍ୟାବ୍ରତେକ ଶକତି ଅନଳ ଶକତି।୨୦।

ଜମଦଗ୍ନିଙ୍କର ପୁତ୍ର ପ୍ରସନ୍ନ ହୋଇଲେ

ସମସ୍ତ ଶହସ୍ର ଶାହାସ୍ର ତ୍ରୋଣମାନ ଯେ ଦ୍ରୋଣଙ୍କ ହସ୍ତେ ଦିଲେ।୨୧।

 

ପ୍ରଶୁରାମ ବୋଇଲେ ମୋର ସତ୍ୟ ସତ୍ୟ

ନ ସାଧି ସମସ୍ତ ବିଦ୍ୟା ଦାନ ତୋତେ ହୋଉ ପରାପତ।୨୨।

ସମସ୍ତ ବିଦ୍ୟାଦା ନଦିଲେ ପ୍ରଶୁରାମ ଧର୍ମ ଅର୍ଥେ

ଦ୍ରୋଣେ ଘେନିଲେ ଦ୍ରୋପଦକୁ ସାଧିବା ନିମନ୍ତେ।୨୩।

ଯେହ୍ନେ ଆଗ୍ୟାଂ ଦିଲେ ଜମଦଗ୍ନିଙ୍କର ଶିଷି

ନ ସାଧି ଛତ୍ରୀ ହୋଇଲେ ଦ୍ରୋଣ ମହଋଷି।୨୪।

 

ଆକ୍ରଷଣ ଗଣ୍ଠିମୁଠି ପ୍ରତଗ୍ୟାଂ ଗୁଣମାନ

ସମସ୍ତ ତୋଷେ ଦିଲେ ରେଣୁକା ନନ୍ଦନ।୨୫।

ଅନେକ ଶସ୍ରମାନ ଯେତେକ ସାଧିଥିଲେ

ତୋଷେଣ ଦ୍ରୋଣଙ୍କୁ ପ୍ରଶୁରାମ ଦିଲେ।୨୬।

ଆମ୍ଭେ ସମୟେ ଯେ ସାଧିଲୁ ସମସ୍ତ ବିଦ୍ୟା

ୟେବେ ନ ସାଧି ବ୍ରାହ୍ମଣ ତୁ ହୋଇବୁ ତପସିଦ୍ଧା।୨୭।

 

ୟେତ ପାଟ ବଂଶୀ ବିଦ୍ୟାଶୀ ବ୍ରାହ୍ମଣ

ସମସ୍ତ ବିଦ୍ୟା ତୋତେ ପ୍ରାପତ ହୋଉ ଦ୍ରୋଣ।୨୮।

ପ୍ରଶୁରାମ ବୋଇଲେ ହେ ସମସ୍ତ ଶସ୍ରମାନେ

ତ୍ରୟଲୋକ୍ୟ ଖେଦୁଥିଲେ ଆମ୍ଭର ଯେହ୍ନେ ବଚନେ।୨୯।

ଦ୍ରୋଣକୁ ସେହି ମତ ହୁଅ ହେ ପରାପତ

ଶହସ୍ର ଗୁରୁ ହୋଉ ଦ୍ରୋଣ ଜଗତେ ବିଖ୍ୟାତ।୩୦।

 

ଶହସ୍ର ମାନ ଚଳିବାକୁ ମନ୍ତ୍ରମାନ ସହିତେ

ୟେମାନହିଂ ପ୍ରାପତ ହୋଉ ହେ ଦ୍ରୋଣ ତୋତେ।୩୧।

ପ୍ରଶୁରାମଙ୍କ ବିଦ୍ୟା ବୋଲି ବୋଲନ୍ତୁ ଜଗତେ

ଗୁରୁପଣକୁ ସମସ୍ତେ ହୋଅନ୍ତୁ ଭଗତେ।୩୨।

ବିଦ୍ୟାମାନମୋର ତହୁଂ ଘେନି ହୋଅ ଦ୍ରୋଣ ଗୁରୁ

ଯୋଦ୍ଧାକୁଳେ ତୋତେ ସମସ୍ତେ ବନ୍ଦନା ଯେ କରୁ।୩୩।

 

ଦ୍ରୋଣ ବୋଇଲେ ହୋ ପ୍ରଶୁରାମ ତୁମ୍ଭେ ଯେ ପ୍ରସନ୍ନ ହୋଇଲ ମୁକୁ

ବିନୟ ଭାବ ହୋଇ ବନ୍ଦନା କରନ୍ତି ତାହାଙ୍କୁ।୩୪।

 

ପର୍ଶୁରାମଙ୍କ ବନ୍ଦନା

 

ଜୟ ଜୟ କାଳାନ୍ତେକ ଛତ୍ରୀବର୍ଗ ଧ୍ୱଂସା

ମହାତ୍ମା ପୁରୁଷ ତୁ ନିର୍ଦ୍ଦୟେ ନିରଂଶା।୧।

ଶୁଦ୍ଧ ସଷ୍ଟିକ ବିରାଜିତ ଯାହାର ତେଜବର୍ଣ୍ଣ

ଶୂର ସୋହଡ଼ ନାଥ ଜଗତ ମୋହନ।୨।

ପରମ ବ୍ରହ୍ମପୁରୁଷ ହୃଦଗତେ ବିଦ୍ୟା ସାଧି

ଦ୍ରଶନେ ପାପ ହରନ୍ତା ପ୍ରସନ୍ନେ କାର୍ଯ୍ୟସିଦ୍ଧି।୩।

 

କୃପା ସାଗର ନାଥ ଦାରିଦ୍ର ଦୁଖନିଧି।୪।

ଭୂଅ ଭାର ହରଣ ତୁ ପୁରୁଷ ଅସକନ୍ଦା

ଜମ୍ୱୁ ପଟଳ ରୁଚିର ପୁରୁଷ ଅଜପା ଲୟେ ଛନ୍ଦା।୫।

ଜୟ ତୁ ଜୟ ତୁ ଯୋଗାନ୍ତକ ପୁରୁଷ ସତ୍ୟ ଯୁଗ ଭୋଗୀ

ଜୟ ତୁ ଜୟ ତୁ ଯୋଗାନ୍ତକ ସାତୁକ୍ୟ ପରମ ଯୋଗୀ।୬।

ଆକର୍ଷଣ କୃପାଜଳ ସୁବିକଟ ଦୃଷ୍ଟି

ପାଦକ ଅନ୍ତକ ବିକ୍ରମ ବିକଟି।୭।

 

ଶହସ୍ର ବିଦ୍ୟାରେ ତୁ ସହସ୍ର ଅର୍ଜୁନ ଦର୍ପ ଧଂସୁ

ସୁର ଦର୍ପ ଧଂସନ କରେଣ ତୋର ତୀଖ ପ୍ରଶୁ।୮।

ଆଗ୍ୟାଂ କର ଠାକୁର ତୁ ଯାହାର ଅଣବଞ୍ଚା

ୟେକ ଶରେ ଦିସ ଭଂଜନ ଧ୍ୱଂସନ୍ତା ସର୍ବସଞ୍ଚା।୯।

କୃପାସାଗର ନାଥ ଦରିଦ୍ର ଦୁଖ ବିଧ୍ୱଂସା

ବାଞ୍ଛା ସାଗର ନାଥ ସ୍ୱାମୀ ପୂରାଅ ମନବାଞ୍ଛା।୧୦।

 

ଅତିଅନ୍ତ ବିକଟାଳ ପିତାର ବଚନ ପ୍ରତିପାଳି

ମାତା ଭ୍ରାଥାଙ୍କର ରୁଧିର କଲୁ ବଳି।୧୧।

ତୁ ଦେବ ସଂସାରେ ସମସ୍ତ ଦର୍ପ ଗଞ୍ଜୁ

ପ୍ରାଣ ଉଦ୍ଧାରଣ ନାଥ ଦୁସହ ଦର୍ପ ଗଞ୍ଜୁ।୧୨।

ୟେ ସଚରାଚର ପୃଥିବୀକି ତୁହି ସେ ୟେକ ଦେବ

ସଦାନନ୍ଦ ପୁରୁଷ ତୁ ଅଭୟେ ସଦାଶିବ।୧୩।

 

ସମସ୍ତେ ନିରେଖ ତୁହି ସେ ସର୍ବଟାଣ

ସପତ ବ୍ରହ୍ମାଣ୍ଡେ ତୋର ମେଣ୍ଟନ୍ତା ନାହିଂ ଆନ।୧୪।

ଅଂଶାବତାରେ ଦେବ ଅନନ୍ତ କୋଟି ମୂର୍ତ୍ତି

ପ୍ରଶୁରାମ ଅବତାରେ ନାହିଂନା ଆନ ଛତ୍ରୀ।୧୫।

ରାଗ ନ ସହିଲୁ ନାଥ ପିତାର ନିମନ୍ତେ

କ୍ଷତ୍ରୀ ଅନ୍ତ କଲୁ ନାଥ ୟେକୋଇଶ ବାର ପରିଯନ୍ତେ।୧୬।

 

କେବଣ ଯୋଗ ବଳେ ସ୍ୱାମୀ ବଢିଲା ତୋର ନାମ

ମହା ଭୟେ ଉପୁଜିଲା ନାମ ପ୍ରଶୁରାମ।୧୭।

ଅନେକ ପାତକ ଦେବ ତୋର ଦ୍ରଶନେ ଭଂଜା

ଦୁରିତ ନିବାରଣ ନାଥ ନାଶକର ଦର୍ପଗଞ୍ଜା।୧୮।

 

ଯାବତ ଚନ୍ଦ୍ର ଯେ ଦିବାକର ବ୍ରତିଥାଉ

ପ୍ରଶୁରାମ ନାମ ଗୋଟି ମୋର ହୃଦେ ରହୁ।୧୯।

ଜନ୍ମେ ଜନ୍ମେ ଭାବଇଂ ମୁହିଂ ତବ ପଦ୍ମପାୟେ

ଶୂଦ୍ରମୁନି ସାରୋଳା ଦାସ ସେବଇ ପ୍ରଶୁରାମ ଧ୍ୟାୟେ।୨୦।

 

ଦ୍ରୋଣଙ୍କର ହସ୍ତିନା ଆଗମନ, କୃପଙ୍କ 

ଘରେ ବାସ ଓ ଗୁରୁପଦ ଲାଭ

 

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ପ୍ରଶୁରାମଙ୍କ ବନ୍ଦନା କଲେ ଭାରଦ୍ୱାଦଶଙ୍କ ତନୁ।୧।

ସମସ୍ତ ବିଦ୍ୟା ଦିଲେ ସେ ଜମଦଅଗ୍ନିଙ୍କ ଶିଷି

ବିଦ୍ୟା ସାର୍ଥୁକ ହୋଇଲେ ଦ୍ରୋଣ ମହାଋଷି।୨।

 

ଶସ୍ରମାନ ଘେନିଲେ ଗୁରୁଦ୍ରୋଣେ

ୟେ ଯେବେ ପ୍ରାପତ ହୋଇଲା ନା ଜାଣିମା ୟେଥିର କାରଣେ।୩।

ଦ୍ରୁପଦ ଯେ ଆମ୍ଭନ୍ତ ଦିଲା ଅନେକ ଶାସ୍ତି

ଶରୀରେ ବ୍ୟଥା ପାଇଲୁ ଅନେକ ଦୁର୍ଗତି।୪।

 

ସଂଗ୍ରାମ କରିବୁ ଆମ୍ଭେ ଦ୍ରୁପଦର ତୁଲେ

ଯୁଦ୍ଧ କରି ନ ପାରିବୁ ୟେ ବାଳୁତ ପୁତ୍ର ଥିଲେ।୫।

ହସ୍ତିନାୟେ ଅଛନ୍ତି ଯେ କୃପ ନାମେ ଆଚାର୍ଯ୍ୟେ

ତାହାର ଘରେ ନେଇ ଛାଡିବା ବାଳୁତ ଆତ୍ମଜେ।୬।

 

ପୁତ୍ର ରୁହାଇ ଆସିବୁ ପଞ୍ଚାଳ ଦେଶେ

ଦ୍ରୁପଦର ତୁଲେ ଯୁଦ୍ଧ କରିବୁ ନିରାଶେ।୭।

ୟେତେକ ବିଚାରି ସେ ଗଲେ ହସ୍ତିନାକୁ

କରପତ୍ରେ ଧନୁ ତ୍ରୋଣେ କାଖେ ଘେନିଲେ ଅଶସ୍ତମାକୁ।୮।

ପ୍ରବେଶ ହୋଇଲେ ଯାଇଂ କୃପ ଆଚାର୍ଯ୍ୟଙ୍କ ଘରେ

ଦେଖିଣ ଆଚାର୍ଯ୍ୟେ ଆଶ୍ରିତ ହୋଇଲେ ସନିନ୍ଧରେ।୯।

 

କୃପାଚାର୍ଯ୍ୟ ପୁଛା କଲେ ଭଗ୍ନୀକି ନ ଦେଖି

ସଂଗରେ ତୁମ୍ଭେ କିଂପା ନ ଆଣିଲ କୃପୀକି।୧୦।

ୟେ ପୁତ୍ର ଗୋଟି ହାଦେ କାହାର ହୋ ଦ୍ରୋଣେ

ତପୀ ପଣ ଛାଡ଼ି କିଂପେ ଧଇଲ ଧନୁ ତ୍ରୋଣେ।୧୧।

ଅନେକ ବାଗେ ଯେ ପଚାରିଲେ କୃପେ

ଆସନେ ବସାଇଲେ ଗଉରୋବେ ସମୀପେ।୧୨।

 

ସ୍ନାହାନ କରାଇ ଭୋଜନ ଦିଲେ ତ୍ରିପୁତି

ଆଞ୍ଚୋବନ ସାରି ଆସନେ ବସାଇଲେ ମହାଯତି।୧୩।

କୃପ ଆଚାର୍ଯ୍ୟେ ପୁଚ୍ଛା କଲେକ ଦ୍ରୋଣଙ୍କୁ

ୟେ ଶହସ୍ରମାନ ହେ କେ ଦିଲା ତୁମ୍ଭଙ୍କୁ।୧୪।

ସୁସ୍ଥ ହୋଇ କହନ୍ତି ହରଷ ଭାବ ହୋଇ

ମୁକତିକଇଂ କାରଣ ପାଇଲୁ ୟେ ପୁତ୍ରକଇଂ।୧୫।

 

ଆହୋ କୃପାଚାର୍ଯ୍ୟେ ବିପଦ ଆମ୍ଭକଇଂ ପଡ଼ିଲା

ୟେ ପୁତ୍ର ପ୍ରସବି ହାଦେ କୃପୀ ନାଶ ଗଲା।୧୬।

କୃପେ ବିଷାଦ ହୋଇଲେ ତାହା ଶୁଣି

ଅତି ଦେଶାନ୍ତରୀ ହୋଇଲୁ ଅପ୍ରମାଣି।୧୭।

ୟେଥେଂ ଯେବେ କରିଥଆନ୍ତ ଗୃହ ବାସ

ଆମ୍ଭ ଭଗ୍ନୀ କିଂପେ ହୁଅନ୍ତା ପ୍ରାଣ ନାଶ।୧୮।

 

କୃପ ଆଚାର୍ଯ୍ୟଙ୍କର ଭାରିଯା ଲଘୁମଣି

ତାହା ଗୋଚରେ ଅଶସ୍ତମାକଇଂ ସମର୍ପିଲେ ଆଣି।୧୯।

ୟେ ପୁତ୍ର ଗୋଟିକି ଗୋ ପାଳସି ଯତନେ

ଆମ୍ଭର ପୁତ୍ର ହୋ ହାଦେ ୟେହାକୁ ନ ଦେଖିବୁ ଭିନ୍ନେ।୨୦।

ୟେତେ ଶୁଣି ଲଘୁ ପୁତ୍ରକୁ କାଖେ ଘେନି

ଆଶ୍ୱାସନା କରି ମୁଖେ ଚୁମ୍ୱନ ଦିଲେ ପୁଣି।୨୧।

 

ସମସ୍ତ ଶହସ୍ରମାନ ଘେନିଣ ଦ୍ରୋଣ ମହାକ୍ଷତ୍ରୀ

ବନସ୍ତେ ପଶି ବିଦ୍ୟା ସାଧନ୍ତି ନିତି ପ୍ରତି।୨୨।

ପ୍ରଶୁରାମଙ୍କର ଶିକ୍ଷାୟେ ଚଳନ୍ତି ଶସ୍ରମାନ

ଶରଘାତ ହୋଇ ପଡ଼ନ୍ତି ସମସ୍ତ ଜୀବମାନ।୨୩।

ହରିଣ ବାହୁଟିଆ ଗଣ୍ଡା ଜୀବ ମାରି

କୃପ ଆଚାର୍ଯ୍ୟଘରକୁ ଆଣନ୍ତି ଭାର କରି।୨୪।

 

ଶିବପୁର ନଗ୍ର କୌଶିକ ବ୍ରାହ୍ମଣ

ତାହାର ତହୁଂ କନ୍ୟା ଗୋଟିୟେ ପ୍ରଦାନ ହୋଇଲେ ଦ୍ରୋଣ।୨୫।

ସେ କନ୍ୟାର ନାମ ଯେ ଅଟଇ ହରିତା

ସେ କୁମାରୀ ହୋଇଲା ଦ୍ରୋଣଙ୍କର ବନିତା।୨୬।

ଫାଲଗୁନ୍ୟ ଶୁକଳ ପକ୍ଷ ସଉରି ବାର ଷଷ୍ଠୀ

କୃପ ଆଚାର୍ଯ୍ୟେ ରାଇଲେ ଦ୍ରୋଣ ତପନିଷ୍ଠି।୨୭।

 

ବାରୁଣାବନ୍ତ ଆଖଡ଼ାକୁ ଚାଲ ଆମ୍ଭେଯିବା

ରାଜକୁମରମାନଙ୍କର ଶର ସାଧନ ଦେଖିବା।୨୮।

କୃପେ ଦ୍ରୋଣେ ଗଲେ ହସ୍ତିନା ଆଖଡ଼ାକୁ

ଭୀଷ୍ମେ ପୁଅନ୍ତ ଖେଳାଉଛନ୍ତି ଶହସ୍ର ସୂତ୍ର ଜାଣିମାକୁ।୨୯।

ଦ୍ରୋଣେ କୃପେ ଦୁହେଂ ଉଭା ହୋଇଣ ଅଛନ୍ତି

ଦେଖିଲେ ସମସ୍ତେ ଶର ସାଧନା କରନ୍ତି।୩୦।

 

ଖେଳେ ଦ୍ରିଯୋଧନ ଲାଟ ଗୋଟିୟେ ମାରିଣ ଯେ ଦିଲା

ସେ ଲାଟ ଜୀର୍ଣ୍ଣ କୂପରେ ଯାଇଣ ପଡିଲା।୩୧।

ଭୀଷ୍ମଙ୍କର ଅଗ୍ରତେ କହିଲେ ଯାଇଂ ଚାଟ

ବାମ୍ଫୀର ଭିତରେ ଦେବ ପଡ଼ିଲା ଯାଇ ଲାଟ।୩୨।

ସଭିୟେ ରୁଣ୍ଡ ହୋଇଲେ ବାମ୍ଫୀ କୂପ ବେଢି

ଦେଖିଲେ ସାତ ତାଳ ଗଭୀରେ ଲାଟ ଅଛି ପଡ଼ି।୩୩।

 

ଦ୍ରିଯୋଧନ ବୋଇଲା ୟେହା କାଢିବା କେମନ୍ତେ

ପଶି ତ ନୁଆରିଲୁ ଗଭୀର ଅପ୍ରମିତେ।୩୪।

ଦ୍ରୋଣ ବୋଇଲେ ୟେ ସାମାନ୍ୟ କୂପ ଗୋଟି

ୟେ ଛାର ପୁଣ କିସ ଦୃଷ୍ଟି ବିଦ୍ୟା ସେ ଟି।୩୫।

ଦ୍ରିଯୋଧନ ବୋଇଲା ତୁମ୍ଭେ ହୋ କାହିଂର ବ୍ରାହ୍ମଣ

ଦୃଷ୍ଟି ବିଦ୍ୟା ବୋଇଲେ ଯେବେ ଲାଟ ଦେଖି ଆଣ।୩୬।

 

କୃପାଚାର୍ଯ୍ୟଙ୍କୁ ବୋଇଲେ ଭାରଦ୍ୱାଦଶଙ୍କ ତନୟେ

ଉପାଡ଼ି ଆଣ ହୋ ଗୁଗୁଚିଆ ଲୋଚିୟେ।୩୭।

କୃପଆଚାର୍ଯ୍ୟେ ତାହା ଘେନି ଅଇଲେ ବହନ

ଗୁଗୁଚିୟା ଶର ଗୋଟିୟେ ଘେନିଲେକ ଦ୍ରୋଣ।୩୮।

ମନ୍ତ୍ର ପଢି ମାଇଲେ ସେ କୂପର ଭିତରେ

ଗୁରୁଚିୟା ଶର ଯାଇ ବସିଲା ଲାଟର ଉପରେ।୩୯।

 

ପୁଣ ଆରେକ ଗୋଟିୟେ ଦିଲେ ଦ୍ରୋଣ ଫିଙ୍ଗି

ସେ ଗୋଟି ଉପରେ ୟେ ଗୋଟି ବସିଲା ଯାଇ ବେଗି।୪୦।

ପୁଣ ଗୋଟିଏ ଫିଙ୍ଗି ଦିଲେ ଭିତରେ

ୟେ ଗୋଟି ବସିଲା ଯାଇ ସେ ଗୋଟି ଉପରେ।୪୧।

ଦ୍ରୋଣଙ୍କର ମନ୍ତ୍ର ମହିଂମା ଦେଖନ୍ତି ସର୍ବ ନୃପ କୁମରେ

ଗୁଗୁଚିଆ ଶର ଛାଡ଼ିଲେ ସାତ ତାଳ କୂପରେ।୪୨।

 

ଦ୍ରୋଣେ ଘେନିଲେ ଯେଉଂ ଉପର ଶର ଗୋଟି

କୂପରୁ ବାହାର ଯେ ହୋଇ ଅଇଲା ଲାଟ ଗୋଟି।୪୩।

ଭୀଷ୍ମଙ୍କ ଛାମୁରେ ଯେ ପକାଇଲେ ନେଇ

ସମସ୍ତେ ଆଶ୍ରିଜ ହୋଇଲେ ତାହା ଚାହିଂ।୪୪।

କାହାକଇଂ ଗୋଚର ନାହିଂ ନ ଦିଶଇ ବାଟ

ଗୁଗୁଚିଆ ନାରାଜେ ସେ ବାହାର ହୋଇଲା ଲାଟ।୪୫।

 

ଗୁରୁଶ୍ରେଷ୍ଠ ହୋଇଲ ହୋ ତୁମ୍ଭେ ଦ୍ୱିଜବର

ୟେ ଘାନ୍ତି ଜାଣିବା ଦେଖି ବିଦ୍ୟା ଯେ ତୁମ୍ଭର।୪୬।

ହସ୍ତରୁ ବଚ୍ଛା ମୁଦି ପକାଇଲେ କୂପରେ ଦ୍ରିଯୋଧନ

ୟେ ଘାନ୍ତି ବୁଝିବା ନା ତୋହୋର ମନ୍ତ୍ର ଗୁଣ ପୁଣ।୪୭।

ଦ୍ରୋଣେ ବୋଇଲେ ୟେ ନୋହେ ଅସଂକ୍ଷେପ

ସମୋଦ୍ର ନଦୀ ନୋହଇ ୟେ ଛାର ମାତ୍ର କୂପ।୪୮।

 

ପ୍ରତଗ୍ୟାଂ ଗାଢ ଦେଖିଣ ଦ୍ରିଯୋଧନ ହଟୁଂ

ହସ୍ତୁଂ ଦ୍ରୋଣେ ଆପଣେ ଯେ କାଢିଲେ କୁଶ ବଟୁ।୪୯।

କୁଶ ବଟୁ ପକାଇଲେ କୂପର ଭିତରେ

ମୁଦି ଆବୋରି ବସିଲା ଯାଇ ଚାରି ଫେରେ।୫୦।

ଆସରେ ବୋଲିଣ ଡାକ ଦିଲେ ଦ୍ରୋଣଗୁରୁ

କୁଶ ବଟୁ ଲାଗି ମୁଦି ବାହାର ହୋଇଲା କୂପରୁ।୫୧।

ଭୀଷ୍ମଙ୍କ ଛାମୁରେ ମୁଦି ପକାଇଲେ ନେଇ

ଭୀଷ୍ମେ ଆଶ୍ରିଜ ହୋଇଲେ ତାହାକଇଂ ଚାହିଂ।୫୨।

 

ଭୀଷ୍ମେ ବୋଇଲେ ଶୁଣସି ହୋ ବ୍ରାହ୍ମଣ

ଭାରଦ୍ୱାଦଶଙ୍କ ନନ୍ଦନ ଅଟ କି ତୁମ୍ଭେ ଦ୍ରୋଣ।୫୩।

କୃପ ଆଚାର୍ଯ୍ୟେ ବୋଇଲେ ୟେହି ସେ ଦ୍ରୋଣ ଅଟନ୍ତି

ପ୍ରଶୁରାମଙ୍କ ବିଦ୍ୟାୟେ ସମସ୍ତ ଜାଣନ୍ତି।୫୪।

ଭୀଷ୍ମେ ବୋଇଲେ ଦ୍ରୋଣେ ଦୟାକର ୟେ ପୁଅଙ୍କୁ

ବିଦ୍ୟାଗୁରୁ ହୋଇ ବିଦ୍ୟା ଶିଖାଅ ହୋ ୟେହାଙ୍କୁ।୫୫।

 

ଅନେକ ବାଗେ ବୋଇଲେ କୃପ ଯେ ଆଚାର୍ଯ୍ୟେ

ତହୁଂ ବିଦ୍ୟାଗୁରୁ ହୋଇଲେ ଭାରଦ୍ୱାଦଶଙ୍କର ଆତ୍ମଜେ।୫୬।

ତୁଳମାସ କୃଷ୍ଣପକ୍ଷ ଚଉଠୀ ଗୁରୁବାର

ରୋହିଣୀ ନକ୍ଷତ୍ର ଯେ ବୃଷରାଶି ଅଟଇ ସେ ଦିନର।୫୭।

ତୈତିଳ ନାମେ କରମ ଶିବ ନାମେ ଯୋଗ

ତୁଳ ସଂକ୍ରାନ୍ତିକି ପଚିଶ ଦିନ ଭୋଗ।୫୮।

 

ସେ ଦିନ ବିଦ୍ୟାକୁ ଅନକୂଳ କଲେ ଦ୍ରୋଣ

ଗଣନାଥ ଆଖଡ଼ା ଚଣ୍ଡୀ ପୂଜିଲେ ତତକ୍ଷଣ।୫୯

ସକାଳ ସନ୍ଧ୍ୟାୟେ ବେନି ବେଳ ସାଧନ୍ତି ଆଖଡ଼ା

ମଧ୍ୟାହ୍ନ ବେଳେ ପାଠ ପଢନ୍ତି ସର୍ବ ବୀରା।୬୦

ଧାଉଡ଼ି ଆକ୍ରଷଣ ମାଲ ଯେ ଗୁଳୁଗୁଞ୍ଚି

ପଟା କୋନ୍ତ ବିନ୍ଧାଣ ସମସ୍ତ ଗୁରୁସଞ୍ଚି।୬୧

 

ବେଦ ଶାହାସ୍ର ମନ୍ତ୍ରେ କଲେକ ନିର୍ଜିତ

ୟେ ମନ୍ତ୍ରେଣ ଶିଷ ହୋଇଲେ ନିବିଡ଼ିତ।୬୨

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ଦ୍ରିଯୋଧନ ୟେକ ଉତ୍ତର ଶତେଭ୍ରାଥ ଅଶସ୍ତମା ରାଧେବ।୬୩।

ୟେମନ୍ତେ ଆଠ ଉତ୍ତର ଶତେ ଭାଇ

ପ୍ରଶୁରାମଙ୍କର ବିଦ୍ୟା ଦ୍ରୋଣେ ସମସ୍ତ ଶିଖାଇ।୬୪।

 

ଲାଖପଟା ଆକାଶ ତଳେ କଲେ ନେଇ

ସମସ୍ତଙ୍କୁ ଅଦୃଶ୍ୟ ହୋଇବାର ପାଇଂ।୬୫।

ପଟାଜଳା କଲେ ୟେକୋଇଶ ଗୋଟି

ଦ୍ରିଯୋଧନ ବିନ୍ଧନ୍ତେ ଜଳା ପାଖେ ବସଇଟି।୬୬।

 

ନୋହିଲେଣ ଚନ୍ଦ୍ର ଉପରେଣ ବସି

ଭୀମର ବିନ୍ଧନ୍ତେ ଜଳା ଆନଠାରେ ପଶି।୬୭।

ଧୁଶାସନ କେହି ନ ବିନ୍ଧେ ସମର କରି

ଦ୍ରୋଣେ ସେ ସାତତାଳ ବିନ୍ଧନ୍ତି ଅନୁସରି।୬୮।

 

କର୍ଣ୍ଣର ହସ୍ତରେ ନେଇ ଦିଲେକ ଯେ ଧନୁ

ବାଙ୍କ ଚନ୍ଦ୍ର ଦୁଇ ବିନ୍ଧଇ ରାଧେବର ତନୁ।୬୯।

ଦେଖିଣ ହରଷ ମନ ହେଲେ ଦ୍ରିଯୋଧନ

ଚମତ୍କାର ପଡ଼ଇ ପାଣ୍ଡେବଙ୍କର ମନ।୭୦।

 

ଅର୍ଜୁନର ହସ୍ତେ ଗୁରୁ ଦିଲେ ନେଇ ଚାପ

ବାଙ୍କ ଚନ୍ଦ୍ରକୁ ଗଳାଇ ବିନ୍ଧ ହେ ପାର୍ଥିବ।୭୧।

ଗୁରୁଙ୍କୁ ନମସ୍କାର କରି ଧନୁରେ ନାରାଜ ବସାଇ

ବାଙ୍କ ଚୂଳି ଚନ୍ଦ୍ରେ ଅଠର ଦ୍ୱାରେ ଶର ଯାଇ।୭୨।

 

ଦେଖିଣ ଚମତ୍କାର ହୋଇଲେ ଦ୍ରିଯୋଧନ

ଗୁରୁଙ୍କର ତହୁଂ ତ ହୋଇଲେ ଅଧିକ ଅର୍ଜୁନ।୭୩।

ଅଶସ୍ତମା ହସ୍ତେ ଧନୁ ପିତା ଦିଲେ ନେଇ

ୟେ ଚନ୍ଦ୍ରକୁ ବାଣ ବିନ୍ଧରେ ବାଳ ଯେ ତନଇ।୭୪।

 

କରେ ନାରାଜ ଧରି ଧନୁରେ ଗୁଣ ଦିଲା

ପିତା ନାମ ଧରି ବିନ୍ଧନ୍ତେ ପଞ୍ଚ ଚନ୍ଦ୍ରେ ନାରାଜ ଚଳିଗଲା।୭୫।

ଦେଖିଣ ଦ୍ରୋଣ ଯେ ହୋଇଲେ ଚକିତ

ବାସବି ରାଧେବକୁ କେହି ନୋହିଲେ ସାମର୍ଥ।୭୬।

 

ଢାଲ ଫରି ଆଡ଼ଣ ପାଟଣ ଓହାଡ଼ଣ

କର୍ଣ୍ଣର ତୁଲେ ସମକଛ ହୋଇବ ଅର୍ଜୁନ।୭୭।

ଦ୍ରିଯୋଧନର ତୁଲେ ଭୀମସେନ

 

ମାଲ ବିଦ୍ୟାରେ ପଥରେ ପକାନ୍ତି ସମାନ।୭୮।

ନକୁଳ ଧୁଶାସନ ଘେନିଣ ଶାବେଳୀ

ଶତ ଭେଡ଼ା ପରିଯନ୍ତେ ନକୁଳ ଦିୟେ ପେଲି।୭୯।

ଧୁଶାସନ ଦିଅଇ ପଞ୍ଚାବନ ଭେଡ଼ା

ଅଶସ୍ତମା ଦିଅଇ ପଞ୍ଚାଶୀ ପହଣ୍ଡ ଛଡ଼ା।୮୦।

 

ଦୁଇଶତ ଭେଡ଼ା ଘୁଞ୍ଚାଇ ଦିଅଇ ଅର୍ଜୁନ

ଶତ ଭେଡ଼ା ଘୁଞ୍ଚାଇ ଦିଅଇ ବୀର କର୍ଣ୍ଣ।୮୧।

ଦେଖିଣ ଦ୍ରିଯୋଧନ ହୁଅଇ ତାତିଷ୍ଠ

ସାଧୁ ସାଧୁ ଧନ୍ୟରେ ତୁ ପଣ୍ଡୁରାଜାର ଚାଟ।୮୨।

 

ମାଲ ବିଡ଼ମ୍ୱଣ ସମ ବିଦ୍ୟା ସିଦ୍ଧ

ଧନୁ ସାୟକ ବିଦ୍ୟା ସମସ୍ତେ ହେଲେ ସାଧ୍ୟ।୮୩।

 

ଜାରା ଶବର ଉପାଖ୍ୟାନ

 

ଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁ

ଜାରା ନାମେ କିରାତ ଯେ ଅଜପତିର ତନୁ।୧।

ଗଣ୍ଡା ଦୁଇଗୋଟା ଘେନି ଅଇଲା ଯତନେ

ବାରୁଣାବନ୍ତକଇଂ ଚଳଇ ତୋଷ ମନେ।୨।

 

ମଥାରେ ମଜୂର ଝାଲି କଣ୍ଠେ ଗୁଞ୍ଜରା ମାଳି

ଲୋହିତ ବର୍ଣ୍ଣ ନେତ୍ର ଶରୀରେ ରଙ୍ଗ ଧୂଳି।୩।

ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ

ଡାଳିଆ ଭରଣ ଫିରିକି ନାରାଜ ତ୍ରୋଣ।୪।

 

ୟେହେନେକ ସରୂପେ ଅଜପତିର ତନୟେ

ଦ୍ରୋଣଙ୍କୁ ଦ୍ରଶନ କଲା ବାରୁଣାବନ୍ତ ଆଖଡ଼ାୟେ।୫।

ଗଣ୍ଡା ଦେଖି ସାନନ୍ଦ ହୋଇଲେ ଦ୍ରୋଣଗୁରୁ

ମୁହିଂ ବିଦ୍ୟା ପୁତ୍ର ହୋଇକି ଆଗ୍ୟାଂ ଯେବେ କରୁ।୬।

 

ଯୁଝେଷ୍ଠି ବୋଇଲା ହୋ ଥାଉ ୟେ କିରାତ

ବନଚର ଲୋକ ୟେହାରେ କାର୍ଯ୍ୟ ଅଛି ବହୁତ।୭।

ଶୁଣିଣ କୋପକଲା ସେ ଧୃତରାଷ୍ଟ ବଳା

ରାଗେଣ ବୋଇଲା ତୁ ହୀନ କିରାତରେ ବହନ ୟେଥୁଂ ପଳା।୮।

ଅର୍ଜୁନ ବୋଇଲାୟେ ନୋହଇ ୟେମନ୍ତ

 

ବନଚର ଲୋକ ୟେହାରେ ଅଛଇ କାର୍ଯ୍ୟ ବହୁତ।୯।

ଗଣ୍ଡା ହରିଣ ଯେ ମୃଗ ବାହୁଟିୟା

ଚାମେରୀ ଆଦି କରି ଆଣୁଥିବ ଜିଆଦ ସାଳେହା।୧୦।

 

ଥାଉ ବୋଲି କରି ଆଗ୍ୟାଂ ଦିଲେ ଗୁରୁ ଦ୍ରୋଣେ

ଦ୍ରିଯୋଧନ ବୋଇଲେ କିପାଂ ଭଣ୍ଡାଅ ଅକାରଣେ।୧୧।

ଧୁଶାସନକୁ ବୋଇଲା ୟେହାକୁ ନିଅ ବାଳ ଧରି

ବନସ୍ତେ ଛାଡ଼ି ଆସ ଅନେକ ଅବସ୍ତା କରି।୧୨।

 

ଶୁଣିଣ ଧୁଶାସନ କେଶ ଧରିଣ ଯେ କୋପେ

ଯୋଜନକ ଅନ୍ତରେ ଯେ ଛାଡ଼ିଲା ଗରୁତାପେ।୧୩।

ସେ ଜାରା କିରାତ ଅନେକ କ୍ରୋଧ କଲା

ଆଖଡ଼ା ଶାଳରୁ ଆପଣା ପଲ୍ଲିକି ଝାଡ଼ କାଟି ନେଲା।୧୪।

 

ଆପଣା ପଲ୍ଲିଦ୍ୱାରେ ଭିଆଇଲା ଆଖଡ଼ା

ଦ୍ୱାଦଶ ଯୋଜନେ ଥାଇ ସାଧଇ ମହାବୀରା।୧୫।

ଆପଣା ଦ୍ୱାରେ ଥାଇ ବାରୁଣାବନ୍ତ ଆଖଡ଼ାକୁ ଲୟ ଦେଇ

ଦ୍ୱାଦଶ ଯୋଜନେ ଥାଇ ବିଦ୍ୟା ସାଧଇ ତହିଂ।୧୬।

 

ଦେଖ ହୋ ମହିମା ପ୍ରତାପୀ ଶବରା

ଦ୍ୱାଦଶ ଯୋଜନେ ଥାଇ ତଲୟେ କରଇ ଜାରା।୧୭।

ଯେବଣ ପାଦ ଗତି କରନ୍ତି ଦ୍ରୋଣ ଗୁରୁ ଦେବେ

ସେହି ମତି ସାଧନ୍ତି ସର୍ବ କଉରୋବେ।୧୮।

 

ସେହି ଗତିକି ଚାହିଂ ଶବର ସାଧଇ ସର୍ବବିଦ୍ୟା

ସମସ୍ତ ଶିଖିଲା ସେ କ୍ଷତ୍ରିୟ ମହାସିଦ୍ଧା।୧୯।

ତାରା ନାମେଣ ଯେ ତାହାର ପ୍ରିୟବତୀ

ସେ କିରାତକୁ ବୋଇଲା ବିମୁଖ କରି ମତି।୨୦।

 

ଆମ୍ଭେ ବନଚର ଲୋକ ବନ ଜୀବ ଆହାରୀ

ମୃଗୟା ନଯାଇ କିଂପା ଧାଇଂ ଧାଇଂ ମରି।୨୧।

ଜାରା ବୋଇଲା ତୁ ଶୁଣସିରେ ସଂଘାତ

କାଳେ ଜାଣିମୁ ସିନା ୟେଥିର ତଦନ୍ତ।୨୨।

 

ଭାରିଯା ବୋଇଲା ୟେହାକୁ କିସ କିସ ବୋଲି

କେବଣ ପ୍ରକୃତି ତୋର ୟେହା ବୁଝି ନପାରିଲି।୨୩।

ଅକାରଣେ ପାମରରେ କିଂପେ ଧାଇଂ ଧାଇଂ ମରୁ

ୟେହା ଯେ ସାଧୁଅଛୁ ହୋ କେ ତୋହୋର ଗୁରୁ।୨୪।

 

ଅଣଗୁରୁରେ ବିଦ୍ୟା ଯେ ନୋହଇ ପରାପତ

ମୂର୍ଖ ପାମର ହୋ ତୁ ବନଚରେ ଜାତ।୨୫।

ଭାରିଯାର ବଚନ ପରମ ହିତକଲା

ମାଟିର ଦ୍ରୋଣେକ ସେ କିରାତ ବେଗେଣ ଥାପିଲା।୨୬।

 

ମଥାରେ ଖଞ୍ଜିଲା ସେ କୃଷ୍ଣ ମୃଗର ଚାମର

ଗୁଞ୍ଜରା ମାଳୀୟେ ଖଞ୍ଜିଲାକ ଲଲାଟେ ତାହାର।୨୭।

ସଷ୍ଟିକ ବେନି ଗୋଟି ଚକ୍ଷୁରେଣ ଖଞ୍ଜି

ଗୁଞ୍ଜ ଗରଗଡ଼ ମାଳୀ ଗଳାରେ ଅଛି ରଞ୍ଜି।୨୮।

 

କୋଇଲି ସୂତା ପଇତା ଆଭରଣ କଲା ବାମ କନ୍ଧେ

କୁମୁଦ ମାଳ ଉତ୍ତୁରୀ ଲମ୍ୱାଇଲା ଛନ୍ଦେ।୨୯।

ଚନ୍ଦନ କାଠ ଘୋରି ହୃଦରେ ଦିଲା ଚିତା

ଧାମଣା କାଠର ଧନୁ ଧରାଇଲା ବାମ ହସ୍ତା।୩୦।

ଡାହାଣ ଭୁଜର ଯେ ତର୍ଜନୀ ଅଙ୍ଗୁଷ୍ଠି

ଆଖଡ଼ା ଶାଳକୁ ତାହାର କରାଇଛି ଦୃଷ୍ଟି।୩୧।

 

ସେ ମୃତ୍ତିକା ଦ୍ରୋଣର ଚରଣାମ୍ୱୁଜ ସେବି

ସାଧିଲା ସମସ୍ତ ବିଦ୍ୟା କିରାତସେନ ବଇଷ୍ଟଂଭୀ।୩୨।

ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗପତି

ୟେମନ୍ତେ ବିଦ୍ୟା ସାଧିଲା ଚଉବିଂଶ ବର୍ଷ ପରିଯନ୍ତି।୩୩।

ସମସ୍ତ ବିଦ୍ୟାରେ ସେ ହୋଇଲା ନିର୍ଜିତା

ଧନୁ ବିଦ୍ୟାରେ ସେ ହୋଇଲା ବଳବନ୍ତା।୩୪।

 

Unknown

ଯୁଧିଷ୍ଠିରାଦିଙ୍କ ଅସ୍ତ୍ର ପରୀକ୍ଷା

 

ବସନ୍ତ ଋତୁ ସେ ଫାଲଗୁନ ମାସ

ବହୁଳ ପକ୍ଷ ତୃତୀୟା ଶୁକ୍ରଙ୍କ ଦିବସ।୧।

ହସ୍ତା ନକ୍ଷତ୍ର ଯେ ବତିଶ ଦଣ୍ଡ ଭୋଗ

ବାଣିଜ୍ୟ ନାମେ କରମ ଶୂଳ ନାମେ ଯୋଗ।୨।

 

ଅଗ୍ନିକୋଣେ ଯୋଗିନୀ ନାରାୟଣୀ ମୂର୍ତ୍ତି

ସପତମେ ଚନ୍ଦ୍ର ଯେ ପଞ୍ଚମେ ବୃହସ୍ପତି।୩।

ୟେସନେକ ଯୋଗ ଅନକୂଳ ବାଢି

ବିଦ୍ୟା ପରୀକ୍ଷ ନିମନ୍ତେ ଶୁଭ ବେଳା ଧରି।୪।

 

ୟେକା ହୋଇ ଗୁରୁ ପଶିଲେ ଘୋର ବନେ

ରାତ୍ରେ ବିଜେ କଲେ କୁଣ୍ଡଳୀ ନଦୀ ସନ୍ନିଧାନେ।୫।

କୋଶେ ପରିଯନ୍ତେ ନେଲେ ବନ କାଟି

କୁଣ୍ଡଳା ନାମେ ଦେଖିଲେ ୟେକ ପର୍ବତ ଗୋଟି।୬।

 

ସେ ପର୍ବତ ଉପରେ ଥିଲା କୃଷ୍ଣ ଅଗ୍ର ବୃକ୍ଷେ

ନାରାଜେ ଅଧେକ ତାହା ଛେଦିଲେ ପ୍ରତକ୍ଷେ।୭।

ସେ ଖମ୍ୱ ଉପରେ ବସାଇଲେ ଖଡ଼ିକା ଗୋଟିୟେ

ତହିଂର ଉପରେ ବସାଇଲେ ଶୃଙ୍ଗ ଧାନ ଗୋଟିୟେ।୮।

ତହିଂର ଉପରେ ଗରଗଡ଼ ଗୋଟିୟେ ଯେ ଥୋଇ

ଗରଗଡ଼ ଉପରେ ସୋରିଷ ଗୋଟିୟେ ବସାଇ।୯।

 

ୟେସନେକ ଉପାୟେ କଲେ ଦ୍ରୋଣେ ତହିଂ

ରାଜପୁତ୍ରମାନେ ୟେହା ନଜାଣନ୍ତି କେହି।୧୦।

ବାହୁଡ଼ି ଅଇଲେ ଭାରଦ୍ୱାଦଶଙ୍କ ସୁତେ

କୁମରନ୍ତ ଘେନିଗଲେ ବିଦ୍ୟାପରୀକ୍ଷ ନିମନ୍ତେ।୧୧।

ସେ ନଦୀର ତୀରେ ରହିଲେ ଭାରଦ୍ୱାଦଶଙ୍କ ତନୁ

କର୍ଣ୍ଣର ହାଥରେ ଗୁରୁ ଦିଲେ ପ୍ରଥମେଣ ଧନୁ।୧୨।

 

ବୋଇଲେ ନାରାଜ ପୂରୋଇ ନିରୋପନି ରେ କର୍ଣ୍ଣ

କିସ କିସଇ ଦିଶଇରେ ପର୍ବତର ସ୍ଥାନ।୧୩।

କର୍ଣ୍ଣ ଚାହିଂଲା ଯେ ନାରାଜ ପୂରୋଇ

ବେନି ଜାନୁ କମ୍ପିଲା ଯେ ଥର ହର ହୋଇ।୧୪।

 

ଆକ୍ରଷଣ କରି ଯେ ଚାହିଂଲା ବୀର କର୍ଣ୍ଣ

ଗୁରୁଙ୍କର ମୁଖ ଚାହିଂ ବୋଲଇ ବଚନ।୧୫।

ପର୍ବତ ଗୋଟିୟେ ଦିଶଇ ଗୁରୁ ଦୂରେ

ଖମ୍ୱ ଗୋଟିୟେ ଦିଶଇ ତହିଂର ଉପରେ।୧୬।

 

ତହିଂର ଉପରେ ଖଡ଼ିକା ଦିଶଇ ଗୋଟିୟେ

ଖଡ଼ିକାର ପରେ ଦିଶେ ଶୃଙ୍ଗ ଧାନ ଗୋଟିୟେ।୧୭।

ଶୃଙ୍ଗ ଧାନ ଉପରେ ଗୁରୁ ହେ ଅଛଇ ଗରଗଡ଼ ପୁଣ

ଆନ କିଛି ହିଂ ନ ଦିଶଇ ବେନି ଯେ ନୟନ।୧୮।

 

ସୋରିଷ ନ ଦିଶଇ ବୋଇଲେ ଗୁରୁ ଦ୍ରୋଣେ

ଚାରିପାଦେ ବିଦ୍ୟାତ ନୋହିଲା ସଂପୂର୍ଣ୍ଣେ।୧୯।

କର୍ଣ୍ଣ ହସ୍ତରୁ ଧଇଲେ ଅଜଙ୍ଗ ନାମା ଧନୁ

ଅଶସ୍ତମା ହସ୍ତେ ଦିଲେ ଭାରଦ୍ୱାଦଶଙ୍କର ତନୁ।୨୦।

 

ତୁ ମୋହୋର ନନ୍ଦନରେ କ୍ଷତ୍ରିୟ ପୁତ୍ର ଗୋଟି

ଧନୁରେ ନାରାଜ ପୂରୋଇ କର ବାବୁ ଦୃଷ୍ଟି।୨୧।

କିସ କିସ ଦୃଶ୍ୟ ବାବୁରେ ହୋଇବାକ ତୋତେ

ନିରୋପି କହନି ବାବୁ ମୋହୋର ଅଗ୍ରତେ।୨୨।

 

ପିତାର ଆଗ୍ୟାଂରେଣ ନାରାଜ ପୂରୋଇଣ ଶିଷି

ଆକ୍ରେଷିଣ ବୋଇଲାକ ତାତ ପର୍ବତେକ ଦିଶି।୨୩।

ତହିଂର ଉପରେ ଦିଶଇ ଖମ୍ୱ ଯେ ଗୋଟିୟେ

ଖମ୍ୱର ଉପରେ ଦିଶଇ ଖଡ଼ିକା ଗୋଟିୟେ।୨୪।

 

ଅନ୍ତରେ ଗରଗଡ଼ ଗୋଟିୟେ ଦିଶଇ ତାତ

ଆନ କିଛି ନ ଦିଶଇ କହିଲା ବଳବନ୍ତ।୨୫।

ଛାଡ଼ଧନୁ ବୋଲି ଦିଲେ ଯୁଝେଷ୍ଠିଙ୍କର ହସ୍ତେ

ଧନୁରେ ନାରାଜ ପୂରୋଇ ନିରୋପନ୍ତି କୌନ୍ତେ।୨୬।

 

ଯେତେବେଳେ ଧନୁ ଆକ୍ରେଷିଲେ ଯୁଝେଷ୍ଠି

ଆକ୍ରଷଣ କରନ୍ତେ କମ୍ପଇ ବେନି ମୁଷ୍ଟି।୨୭।

ବନସ୍ତ ଭିତରେ ଦିଶଇ ପର୍ବତ ଗୋଟିୟେ

ପର୍ବତ ଉପରେ ଦିଶଇ ଖମ୍ୱ ଯେ ଗୋଟିୟେ।୨୮।

 

ଖମ୍ୱର ଉପରେ ଅଛି ଖଡ଼ିକା ଗୋଟିୟେ

ଆନ କିଛି ନ ଦିଶଇ କହିଲି ଗୁରୁ ହେ।୨୯।

ଛାଡ଼ ଛାଡ଼ ଧନୁ ବୋଲି ବୋଇଲେ ଭାରଦ୍ୱାଦଶଙ୍କ ତନୟେ

ସଂପୂର୍ଣ୍ଣ ବିଦ୍ୟା ନ ଦିଶଇ ୟେତେ ଜଣ ଠାୟେ।୩୦।

 

ଦ୍ରିଯୋଧନ ହସ୍ତେ ଦ୍ରୋଣେ ଦିଲେକ ନେଇ ଧନୁ

ନାରାଜ ପୂରୋଇ ନିରୋପଇ ଧୃତରାଷ୍ଟି

ଅପାର ଦୂରେ ଦିଶଇ ଧବଳ ପର୍ବତ ଗୋଟି।୩୨।

 

ଖମ୍ୱ ଗୋଟିୟେକ ଦିଶଇ ତହିଂର ଉପରେ

ଖଡ଼ିକା ଗୋଟିୟେ ଦିଶଇ କିଞ୍ଚିତ ମାତ୍ରକରେ।୩୩।

ଆନ ତହିଂ କିଛି ନଦିଶଇ ଶୁଣିମା ଗୁରୁ ହେ

ଦ୍ରୋଣେ ବୋଇଲେ କିଛିହିଂ ତୁ ନପାଇଲୁ ସନ୍ଦେହେ।୩୪।

 

ଦ୍ରିଯୋଧନ ହସ୍ତରୁ ଧନୁ ଯେ ଛଡ଼ାଇ

ଧୁଶାସନ ହସ୍ତେ ଅଜଙ୍ଗ ଧନୁ ଦିଲେ ନେଇ।୩୫।

ଦେଖରେ ଧୁଶାସନ କିସ କିସ ଦିଶି

ଗୁରୁଙ୍କର ବଚନେ ନାରାଜ ପୂରୋଇ ଆକ୍ରୋଷି।୩୬।

 

ବନସ୍ତ ଭିତରେ ପର୍ବତେକ ଦିଶଇ ତାତ

ମେଘମାଳମାନ ଦିଶଇ ଅପ୍ରମିତ।୩୭।

ଛାଡ଼ ଛାଡ଼ ବୋଲି ଧୁଶାସନ କରୁ ଧନୁ ଘେନି

ଭୀମସେନ ହସ୍ତରେ ଦିଲେକ ଗୁରୁ ଦ୍ରୋଣି।୩୮।

 

ନାରାଜ ପୂରୋଇ ନିରୋପରେ ଭୀମସେନ

କିସ କିସ ଦିଶଇ କହ ସରୂପ ବଚନ।୩୯।

କହଇ ଭୀମସେନ ୟେ ଶୁକଳ ପର୍ବତ

ଖମ୍ୱ ଗୋଟିୟେ ଦିଶଇ ବିଦ୍ୟମାନ ସାକ୍ଷାତ।୪୦।

 

ଖଡ଼ିକା ଗୋଟିୟେ ଦିଶଇ ଗୁରୁହେ

ଆନ କିଛି ନଦିଶଇ ବୋଇଲେ ସନ୍ଦେହେ।୪୧।

ବୋଇଲେ ଦ୍ରିଯୋଧନ ଗଦା ବିଦ୍ୟାରେ ପରିପୂର୍ଣ୍ଣ

ସମସ୍ତ ଭ୍ରାଥମାନେ ୟେହି ରୂପେ ପୁଣ।୪୨।

 

ଛାଡ଼ ଛାଡ଼ ବୋଲି ହସ୍ତରୁ ଧନୁ ଘେନି

ସନିଧ୍ୟେଣ ରାଇଲେ କୁମାର ଫାଲଗୁନି।୪୩।

ଅଜଙ୍ଗ ଧନୁ ଦିଲେ ତାହାର ଯେ ହସ୍ତେ

ନାରାଜ ପୂରୋଇ ବାବୁ କର ଦୃଷ୍ଟିପାତେ।୪୪।

 

ନାରାଜ ପୂରୋଇ ସେ ନିରୋପଇ ଅରଜୁନ

ଗୁରୁଙ୍କର ଅଗ୍ରତେ କହଇ ଫାଲଗୁନ୍ୟ।୪୫।

ଆଠ ସହସ୍ର ଆଠ ଶତ ଅଠାଇଶି ପହଣ୍ଡେ

ପର୍ବତ ଉପରେ ଦିଶଇ ବୃକ୍ଷର ଅର୍ଦ୍ଧ ଖଣ୍ଡେ।୪୬।

 

ତହିଂର ଉପରେ ଦିଶଇ ଖଡ଼ିକା ଗୋଟିୟେ

ତହିଂର ଉପରେ ଅଛି ଶୃଙ୍ଗ ଧାନ ଗୋଟିୟେ।୪୭।

ଶୃଙ୍ଗ ଧାନ ଉପରେ ଗରଗଡ଼ ଯେ ଅଛଇ

ତହିଂର ଉପରେ ସୋରିଷ ଗୋଟିୟେ ଦିଶଇ।୪୮।

 

ଖମ୍ୱକୁ ବିନ୍ଧିବି କି ଖଡ଼ିକାକୁ ବିନ୍ଧିବି

କହ ଗୁରୁ ହେ ଶୃଙ୍ଗ ଧାନକୁ ନାରାଜ ସନ୍ଧିବି।୪୯।

ଗରଗଡ଼କୁ ବିନ୍ଧିବି କି ସୋରିଷକୁ ବିନ୍ଧିବି ସନ୍ଦେହେ

କାହାକୁ ବିନ୍ଧିବି ମୋତେ ଆଗ୍ୟାଂ ହୋଉ ଗୁରୁହେ।୫୦।

 

ଦ୍ରୋଣେ ବୋଇଲେ ବାବୁ ଛାଡ଼ ଛାଡ଼ ଧନୁ

ତୁ ସେ ଭାରାଭର ଉଶ୍ୱାସିବୁ ୟେ ମଧ୍ୟ ଭୁବନୁଂ।୫୧।

ଅର୍ଜୁନ ପୂରୋଇ ଅଛି ଦିବ୍ୟ ଶର

ଦେଖି ଅଛନ୍ତି ବେଢି ସର୍ବ ରାଜକୁମର।୫୨।

 

ଅର୍ଜୁନ ବୋଇଲା ଗୁରୁ ହେ ପୂରୋଇଲି ଶର

ନ ବିନ୍ଧିଲେ ଦୋଷ ୟେଥେଂ ଅଛଇ ଅପାର।୫୩।

ଦ୍ରୋଣେ ବୋଇଲେ ବାବୁ ତୁ ଦୃଢ କରସି ମୁଷ୍ଟି

ନିଶ୍ଚଳ ହୋଇ ଖମ୍ୱ ଖଡ଼ିକା ଧାନ ଗରଗଡ଼ ଗୋଟି।୫୪।

 

ସମସ୍ତେ ତହିଂରେ ଯେ ହୋଇଥିବେ ନିଶ୍ଚଳ

ତହିଂ ଉପରେ ସୋରିଷ ଗୋଟିୟେ ହୋଇବ ବେନି ଫାଳ।୫୫।

ୟେହେନେକ ସ୍ୱରୂପ ନାରାଜ ବିନ୍ଧ ବାବୁ

ବିନ୍ଧିଲେ ଜଗଜିତା ତୁହିରେ ହୋଇବୁ।୫୬।

ଦ୍ରୋଣଙ୍କର ବଚନେ ସାନନ୍ଦ ଫାଲଗୁନି

ହୃଦଗତେ ଲୟେ କଲା ଅବଲୋକନ ଶସ୍ର ଘେନି।୫୭।

 

କିଞ୍ଚିତ ପ୍ରାକ୍ରମେ ସେ ବିନ୍ଧିଲା ସୂତ୍ର ଶର

ଅନ୍ତରୀକ୍ଷେ ପଡ଼ିଲା ସେ ସୋରିଷ ଉପର।୫୮।

ବିଦ୍ୟାର ସରୂପ ଦେଖ ହେ ମହୀପାଳ

ନାରାଜ ପଡ଼ି ସୋରିଷ ହୋଇଲା ବେନି ଫାଳ।୫୯।

ଖମ୍ୱ ଖଡ଼ିକା ଧାନ ଗରଗଡ଼ ନ ଟଳିଲା

ଦୁଇଫାଳ ହୋଇ ସୋରିଷ ସେହି ଗରଗଡ଼ରେ ରହିଲା।୬୦।

 

ପ୍ରତକ୍ଷେ ବିଦ୍ୟା ଦେଖିଲେ ଦ୍ରୋଣ ଗୁରୁ

ସାଧୁ ସାଧୁ ଧୁନି ଗୋଟିୟେ ଶୁଭିଲା ଆକାଶରୁ।୬୧।

ଦେଖି ପରମ ସାନନ୍ଦ ଭାରଦ୍ୱାଦଶଙ୍କ ଶିଷି

ବାବୁ ପ୍ରଶୁରାମଙ୍କର ବିଦ୍ୟା ତୋହୋର ତହିଂ ଅଛି।୬୨।

 

ୟେତେ ବିଚାରି ସେ ଋଷିକୁଳ ବଚ୍ଛ

ତୁହି ସେ ଭାରା ବାବୁ ନିବାରିବୁ ପ୍ରତଚ୍ଛ।୬୩।

ଆବର ୟେମାନଙ୍କରେ କିସ ପ୍ରୟୋଜନ

ବାହୁଡ଼ି ଶିଷ୍ୟନ୍ତ ଘେନି ଅଇଲେ ବାରୁଣାବନ୍ତ ଭୁବନ।୬୪-୩୭୫୨।

 

ଦ୍ରୋଣଙ୍କୁ କୁମ୍ଭୀର ମୁଖରୁ ଅର୍ଜୁନଙ୍କ ରକ୍ଷା

 

ବାହୁଡ଼ିଲେ ଦ୍ରୋଣ ଶିଷ୍ୟଗଣନ୍ତ ସମେତେ

ଗଙ୍ଗାକଇଂ ଗଲେ ଆହର୍ଣ୍ଣିକ ନିମନ୍ତେ।୧।

ଅର୍ଜୁନ ରାଇ ଆଗ୍ୟାଂ ଅବଧାରି

ତୁ ସେ ଯାଅନି ବାବୁ ଆମ୍ଭର ନିଜ ପୁରୀ।୨।

 

ତିଳ ଖଣ୍ଡିୟେ ଆଣ ବାବୁ ମଥାରେ ଲଗାଇବାକୁ

ସେ ତିଳ ତଳେ ନଥୋଇବୁ ବାବୁ ମୋହୋର ଶପତ ତୁକୁ।୩।

ଗୁରୁ ଆଗ୍ୟାଂ ଶିରେ ନିବେଶି ଅର୍ଜୁନ ଚଳିଯାଇ

ଗୁପତେ ଦ୍ରିଯୋଧନକୁ ପାଶକଇଂ ରାଇ।୪।

 

ମନଭେଦୀ ବିଦ୍ୟା ଯେ କହିଲେ ଗୁରୁ ଦ୍ରୋଣେ

ନାରାଜ ପୂରୋଇ ଦ୍ରିଯୋଧନ ହୋଇଲା ଠାଣମାଣେ।୫।

ମନ୍ତ୍ର ସୁମରି ବିନ୍ଧିଲା ସୂତ୍ରେ ଶର

ନାରାଜ ନ କ୍ଷେପିଲା ଯାଇ ପତ୍ରଙ୍କ ଉପର।୬।

 

ଛାଡ଼ ଛାଡ଼ ବୋଲି ଗୁରୁ ଆପଣେ ଧନୁ ଧରି

ମନ୍ତ୍ର ଆବାହନେ ନାରାଜ ସନ୍ଧାନ କରି।୭।

ସେ ନାରାଜ ଯାଇ ପଡ଼ିଲା ପତ୍ରଙ୍କ ଉପରେ

ଦେଖି ରହି ପତ୍ରମାନେ ପଡ଼ିଲେ ଭୂମିରେ।୮।

ତହୁଂଣ ଦ୍ରୋଣେ ଯେ ବେଗେ ଚଳିଗଲେ

ଶିଷ୍ୟମାନନ୍ତ ଘେନି ନଦୀ କୂଳରେ ରହିଲେ।୯।

 

ଅର୍ଜୁନ ଗଲା ଯେ ଗୁରୁଙ୍କ ମନ୍ଦିରେ

ତିଳ ଖୋରି ଘେନି ସେ ଆସଇ ବେଗେ ଖରେ।୧୦।

ଦେଖିଲା ବଟ ବୃକ୍ଷ ସେ ପତ୍ର ନାହିଂ କିଛି

ହୃଦଗତେ ବିଚାରି ଜାଣିଲା ସର୍ବସାଚୀ।୧୧।

ୟେଥିର ନିମନ୍ତେ ଗୁରୁ ପେଷିଲେକ ମୁକୁ

ଗୁପତେ ମନ୍ତ୍ର ୟେହା କହିଲେ ଦ୍ରିଯୋଧନକୁ।୧୨।

 

ହୃଦଗତେ ବିସରିଲା ବୀର ଫାଲଗୁନି

ପଞ୍ଚ ନାରାଜ ବିନ୍ଧିଲା ମହାମନ୍ତ୍ର ଘେନି।୧୩।

ତିଳ ଖୋରି ଗୋଟି ଥୋଇଲା ସେ ନାରାଜ ଉପରେ

ଗୁରୁଙ୍କର ବଚନ ଯେ ନିବେଶିତ ଶିରେ।୧୪।

ଧନୁରେ ଶସ୍ତ୍ର ଦେଇ ଠିଆ ଠାଣି ହୋଇଲା

ନାରାଜମାନ ପେଷି ସେ ବେଣ୍ଟମାନ ଛିନାଇଲା।୧୫।

 

ତହୁଂ ତିଳ ଖୋରି ଘେନି ଗମଇ ଅତିବେଗେ

ପ୍ରବେଶ ହୋଇଲା ଯାଇ ଗୁରୁଙ୍କର ଆଗେ।୧୬।

ଦେଖିଣ ସନ୍ତୋଷ ହୋଇଲେ ତପୋବନ୍ତେ

ସେ ତିଳ ଗୁରୁ ଲଗାଇଲେ ନିଜ ମାଥେ।୧୭।

ଗଙ୍ଗା ଜଳେ ଗୁରୁ ପଶିଲେ ଅବଗାହି

ଜଳପ୍ରଭା ଥିଲା ସେ ଧଇଲା ନିଠାଇ।୧୮।

 

ଯଦ୍ୟପି ଆପଣେ ତ ବିନାଶି ପାରଇ

ଶିଷ୍ୟନ୍ତ ହାକ ଦିଲେ ଅତି ଆକୁଳ ହୋଇ।୧୯।

ସମସ୍ତେ ପଳାଇ ଯାଇ କୂଳରେ ଉଠିଲେ

ଅର୍ଜୁନ ରହିଲା ୟେକା ଗୁରୁଙ୍କର ତୁଲେ।୨୦।

ଧନୁରେଣ ନାରାଜ ସେ ପୂରୋଇ ଛାଡ଼ିଲା

ପ୍ରାଣ ବିସର୍ଜିଣ ଜଳପ୍ରଭାହିଂ ପଡ଼ିଲା।୨୧।

 

ଦ୍ରୋଣଙ୍କର ଅଙ୍ଗେ ନୋହିଲାକ ଆଘାତ

କୁମ୍ଭୀର ମାତ୍ରକ ସେ ହୋଇଲାକ ହାତ।୨୨।

 

ଦ୍ରୋଣଙ୍କର ଅର୍ଜୁନକୁ ବ୍ରହ୍ମଶିରା ଶର ପ୍ରଦାନ

 

ଶୁଣ ହୋ ରାଜନ ସନ୍ତୋଷ ହୋଇ ଗୁରୁ କୂଳେ ଯାଇ ଉଠି

ବ୍ରହ୍ମଶିରା ଶର ଦିଲେକ କିରଟୀ।୧।

ସାମାନ୍ୟକଇଂ ପେଷିଲେ ଆପଣା ପ୍ରାଣ ନାଶ ଯାଇ

ମହାତ୍ମା ଜନ ହୋଇଲେ ସେ ନିଶ୍ଚୟେ ନଶଇ।୨।

 

ତହୁଂଣ ଗମନ କରି ଆସନ୍ତି ଗୁରୁ ଶିଷ୍ୟେ

ସେହି ବଟ ବୃକ୍ଷ ତଳେ ହୋଇଲେ ପ୍ରବେଶେ।୩।

ଦେଖିଲେ ଶାଖା ହୋଇଅଛି ମୁଣ୍ଡିତ

ହୃଦଗତେ ବିଚାରି ଜାଣିଲେ ଋଷସୁତ।୪।

 

ଅର୍ଜୁନକଇଂ ହକାରି ବୋଇଲେ ବଚନ

ଆମ୍ଭର ବଚନ ତୁ ଲଘିଂଲୁ ବିଦ୍ୟମାନ।୫।

କରପତ୍ର ଯୋଡ଼ି ସେ ବୋଇଲା ଅରଜୁନ

ତୁମ୍ଭର ବଚନ ମୋତେ ଶିରାଗ୍ରତ ଜାଣ।୬।

 

ଭୂମିଗତେ ମୁଂ ଯେ ନ ଥୋଇଲି ତିଳ ଖୋରି

ପଞ୍ଚ ନାରାଜ ବିନ୍ଧି କୁରୁଳି ଥୋଇଲି ଗଗନ ଚାରି।୭।

ଶୁଣିଣ ଗୁରୁ ଯେ ହୋଇଲେ ସନ୍ତୋଷ

ମନ ଛେଦନ ମନ୍ତ୍ର କହିଲେ ଉପଦେଶ।୮।

 

ମୁଖେ ଚୁମ୍ୱନ ଦେଇ ଶରୀର ଆଉଂଶି

ତହୁଂ ଆସି ନିଜ ମନ୍ଦିରେଣ ପଶି।୯।

ଶିଷ୍ୟମାନେ ଗଲେ ଯେ ଯାହା ନିଜ ବାସ

ଗୃହକର୍ମେ ଯାଇ ଗୁରୁ ହୋଇଲେ ପରବେଶ।୧୦।

 

କୌରବ ପାଣ୍ଡବାଦିଙ୍କର ଅସ୍ତ୍ରପରୀକ୍ଷା

 

ଅଗସ୍ତିଙ୍କି ପଚାରିଲେ ବଇବସୁତ ମନୁ

ୟେଥି ଉତ୍ତାରୁ କେବଣ କୃତ କଲେ ଭାରଦ୍ୱାଦଶଙ୍କ ତନୁ।୧।

ପୁଣ କେତେହେଂକ ଦିନ ବହି ଯାଆନ୍ତେ

ହୃଦଗତେ ବିଚାର କଲେ ଶ୍ରୟାଦେବୀ ସୁତେ।୨।

 

ଗୁପତ ପରୀକ୍ଷ ଆମ୍ଭେ କରାଇଲୁ ନିରୁତେ

ୟେବେ ବିଦ୍ୟା ପରୀକ୍ଷ କରିବା ଦେଖନ୍ତୁ ସମସ୍ତେ।୩।

ତହୁଂ ଶିଷ୍ୟନ୍ତ ଘେନି ଗୁରୁ ବେଗେ ଚଳିଗଲେ

ରାଜାର ସିଂଘଦ୍ୱାରେ ଯାଇଣ ପ୍ରବେଶ ହୋଇଲେ।୪।

 

ଧୃତରାଷ୍ଟ କୃପଆଚାର୍ଯ୍ୟ ଯେ ସୋମଦତ୍ତ

ବାଲହିକ ବିଦୁର ଅଛନ୍ତି ସମସ୍ତ।୫।

ଭୀଷ୍ମକଇଂ ଦ୍ରୋଣେ ବୋଇଲେ ପୁଣ ବାକ୍ୟନ୍ତ

ଶସ୍ର ଶାସ୍ରତ ପାଇଲେ ପୁତ୍ରେ ବହୁତ।୬।

 

ଆମ୍ଭର ବିଦ୍ୟା ତୁମ୍ଭର ଦେଖିବାର ଉଚିତ

ଶୁଣିଣ ସନମତ କଲେକ ବହୁତ।୭।

ଭୀଷ୍ମେ ବୋଇଲେ ଯେ ବିଦୁରଙ୍କୁ ଚାହିଂ

ଦ୍ରୋଣେ ବୋଇଲେ ବିଦ୍ୟା ପରୀକ୍ଷ ପାଇଂ।୮।

 

ସଭା ସମ୍ଭର ହୋ କର ତୁମ୍ଭେ ଯାଇ

ଦାଣ୍ଡେ ଘୋଷଣ ଦିଆଅ ଚାରଗଣ ରାଇ।୯।

ଶୁଣିଣ ତକ୍ଷଣେ ବିଦୁର ଚଳିଗଲେ

ନଗ୍ରେ ଘୋଷଣ ଦିଆଇ ସମସ୍ତ ରୁଣ୍ଡ କଲେ।୧୦।

 

ସୁବର୍ଣ୍ଣର କଳସ ଖଞ୍ଜିଲେ ଦିବ୍ୟ ରତ୍ନ

ମୁକୁତାର ତ୍ରୋଣ ଲମ୍ୱିତ ବିଚିତ୍ର ବିତପନ।୧୧।

ବିଚିତ୍ର ସଭାୟେକ କଲେ ବିଦ୍ୟମାନ

ମିଳିଲେ ସଭାୟେ ଯେ କ୍ଷତ୍ରି ବଶ୍ୟ ବିପ୍ରଜନ।୧୨।

 

ନଗ୍ର ନର ନାରୀ ମିଳିଲେ ସମସ୍ତ

କୁମାରମାନେ ମିଳିଲେ କରେ ଅସ୍ର ଶସ୍ର।୧୩।

ନାନା ବାଦ୍ୟ ବଜାଇଲେ କଲେ ଶଙ୍ଖଧୁନି

ସୂତ୍ର ଦେଖାଇଲେ ଯେ ଯାହାର ଶସ୍ର ଘେନି।୧୪।

 

ଦେଖି ସଭାଜନେ ହୋଇଲେ ଚମତ୍କାର

ୟେକକୁ ଆରେକ ଯେ ତେଜ ମହା ପରଖର।୧୫।

ବିଦୁର କହନ୍ତେ ହାଦେ ଧୃତରାଷ୍ଟ ଜାଣି

ଜଣେ ଜଣେ ପ୍ରତି ସନ୍ତୋଷ ବଖାଣି।୧୬।

 

ନାନା ଶସ୍ର ବିଦ୍ୟା ଦେଖାଇଲେ ସର୍ବ

ସାଧୁ ସାଧୁ ଅର୍ଜୁନ ବୋଲି ନଗ୍ରେ ଶୁଭିଲାୟେକ ରାବ।୧୭।

ଭୀମ ଦ୍ରିଯୋଧନ ମେଲନ୍ତି ଗଦା ଯୁଦ୍ଧ

ଅଶସ୍ତମା ଯାଇଂ କଲେ ମଧ୍ୟେଣ ବିରୋଧ।୧୮।

 

ଅର୍ଜୁନ ଧନୁ ଆକ୍ରେଷି କଲା ଅଗ୍ନିଶର

ପ୍ରଜ୍ୱଳିତ ବହନି ଉଠିଲା ବ୍ରହ୍ମାଣ୍ଡର।୧୯।

ପୁଣ ବାରୁଣା ଶର କଲାକ ସର୍ବସାଚୀ

ପବନା ଶସ୍ର ଘାୟେ ପ୍ରଖର ବହୁଅଛି।୨୦।

 

ପବନାସ୍ର ମେଘାସ୍ର ବିଜୟାସ୍ର ମାଳା

ମେଘାଶସ୍ରେ ପର୍ବତ ସ୍ରିଜଇ ଇନ୍ଦ୍ରବଳା।୨୧।

ଅନ୍ତର୍ଧ୍ୟାୟେ ହୋଇ ଚଳଇ ଶସ୍ରଘାତ

କ୍ଷଣେ ରଥ କ୍ଷଣେ ଗଜ କ୍ଷଣେ ଅଶ୍ୱଗତ।୨୨।

 

କ୍ଷଣେ ତୁରଙ୍ଗଗତ କ୍ଷଣେ ଭୂମିଗତ

ଲୁହା ଶରେକ ପୁଣ ପିନ୍ଧିଲା ଶରଘାତ।୨୩।

ସଭାର ସମସ୍ତେ କରନ୍ତି ଧନି ଧନି

ସାଧୁ ସାଧୁ ଶସ୍ର ବିନ୍ଧଇ ଫାଲଗୁନି।୨୪।

 

ଦ୍ରିଯୋଧନ ବୋଇଲା ଅଶସ୍ତମାକୁ ରାଇ

ସମସ୍ତ ବିଦ୍ୟା ତ ଅଛି ତୋହୋର ତହିଂ।୨୫।

ଶତେ ଭାଇ ଘେନି ହୋଇଲେ ପୁଣ କତି

ଦତ୍ୟ ବିନାଶନେ ଯେସନେକେ ପଶୁପତି।୨୬।

 

ତଦନ୍ତରେ ପୁଣ କର୍ଣ୍ଣ ହୋଇଲାକ ଆସି

ବାଳ ଅର୍କ ଜାଣି ଶରୀର ଜ୍ୟୋତି ଦିଶି।୨୭।

ଯେତେକ ଶର ଦେଖାଇଲା ବୀର ପାଥ

ତୁଲ ଶହସ୍ର କଲା ସେ ରାଧେବର ସୁତ।୨୮।

 

ଦ୍ରିଯୋଧନ ଦେଖି ୟାଇଂ କଲା କୋଳାଗ୍ରତ

ଆଝୁଂଣ ସଖା ମୋତେ ହୋଇଲୁ ଭୋ ମୈତ୍ର।୨୯।

ଅଙ୍ଗ ଦେଶ ରାଜ୍ୟ ତୁ ଭୁଞ୍ଜିବୁ ବିପୁଳ

କର୍ଣ୍ଣ ବୋଇଲା ତୁ ହୋ ଶୁଣ ମହୀପାଳ।୩୦।

 

ଅର୍ଜୁନ ତୁଲେ କରାଅ ମୋତେ ଯୁଦ୍ଧ

ମୁଂ ତାହାକୁ ଜିଣି ପାରଇ ରଣ ମଧ୍ୟ।୩୧।

କୃପ ଆଚାର୍ଯ୍ୟେ ବୋଇଲେ ଅର୍ଜୁନ ରାଜାର କୁମର

ସାରଥିର ତନୟେ ହୋଇ ୟେଡ଼େକ ଗର୍ବ ତୋହୋର।୩୨।

 

ତୋହୋର ମାତା ପିତାକଇଂ କର ଯାଅନୁମତ

ପଛେଣ ଯୁଦ୍ଧ କର ଅର୍ଜୁନ ସଙ୍ଗତ।୩୩।

ଶୁଣି କରି କର୍ଣ୍ଣ ଯେହୋଇଲା ନ୍ୟୁନପକ୍ଷ

ଦ୍ରିଯୋଧନ ତାହାକଇଂ ଆବୋରିଲା କଛ।୩୪।

 

ଶୂରବନ୍ତ ଜନ କି ହୁଅନ୍ତି ଅକୁଳୀନ

ଅର୍ଜୁନ ସରିକି କର୍ଣ୍ଣ ହୋଇଛି ଘଟଣ।୩୫।

ଭୀମସେନ ବୋଇଲା ସାରଥିର ସୁତ

ରଥ ସେ ବାହିବ ଯୁଦ୍ଧ ନୋହଇ ଯୁଗତ।୩୬।

 

ୟେଥୁ ଅନନ୍ତରେ ଆସ୍ଥାନ ମଉଳି

ଯେ ଯାହା ସ୍ଥାନକଇଂ ଗଲେ ସର୍ବେ ଚଳି।୩୭।

ଦ୍ରୋଣଗୁରୁ ଚଳିଲେ ଆପଣା ଭୁବନେ

ଅନେକ ଦେଶ ଘୋଷ ପାଇଲେ ରତ୍ନ ଯାନେ।୩୮।

 

ଶୁଣ ହୋ ରାଜନ ପୁଣହିଂ କରନ୍ତି ବିଦ୍ୟା ଉପାସନ

ମିଳିଣ ଦେଖନ୍ତି ନଗ୍ର ଜନମାନ।୩୯।

ନାରାଜ ବିନ୍ଧନ୍ତି ସେ ଲାଖେକ ଉଭାରି

ଯେ ଯାହାର ବଳ ଧନୁ ହସ୍ତେଧରି।୪୦।

 

ଧନୁ ଧରି ନାରାଜ ବିନ୍ଧନ୍ତେ ଅଶସ୍ତମାର କମ୍ପଇ ଭୁଜ

କର୍ଣ୍ଣର ଜାନୁ କମ୍ପଇ ଧନୁରେ ନାରାଜ ବିନ୍ଧିଲେ

ଧୁଶାସନ ବୁକୁସ୍ଥଳ କମ୍ପଇ ଧନୁ ଆକ୍ରେଷିଲେ।୪୨।

 

ନାରାଜ ପୂରୋଇଲେ କୁମର ଯୁଝେଷ୍ଠି

ପବନ ଗତି ପ୍ରାୟେ କମ୍ପଇ ଅଙ୍ଗୁଷ୍ଠି।୪୩।

ଭୀଷ୍ମଙ୍କର କମ୍ପଇ ଶିର ଦ୍ରୋଣଙ୍କର କମ୍ପଇ ଭୁଜ

ନିକମ୍ପ ଅର୍ଜନ ସେ ବାସେବର ଆତ୍ମଜ।୪୪।

ତଦନ୍ତ କରିଣ ବୁଝିଲୁନି ସର୍ବ ତତୁ

ୟେହାଙ୍କର ହସ୍ତରେ ହୋଇବ ସବୁଙ୍କରି ମୃତୁ।୪୫।

 

ୟେକାନ୍ତ କରିଣ ରାଇଲେ ଦ୍ରୋଣେ ଆପଣାର ବଳା

ୟେଥି ଥିଲେ ନନ୍ଦନରେ ମରିବୁ, ବହନ ହୋଇ ପଳା।୪୬।

 

ଯେବଣ ନାରାଜ ଗୋଟି ବାବୁରେ ବିନ୍ଧଇ ଫାଲଗୁନି

ସେ ନାରାଜ ମୁନେ ଦିଶଇ ବ୍ରହ୍ମାଣ୍ଡ ଖଣ୍ଡ ତିନି।୪୭।

ୟେହେନେକ କରି ୟେହାକୁ ସ୍ରିଜିଲା ବିଧାତା

ତ୍ରୈଲୋକ୍ୟେ ବ୍ରହ୍ମାଣ୍ଡେ ୟେହାକୁ ନାହିଂନା ଜିଣନ୍ତା।୪୮।

 

ଅବଶ୍ୟ ଦ୍ରିଯୋଧନ ନ ଛାଡ଼ିବ ତୋତେ

ତୁ ପୁଣ ବଧ ହୋଇଟି ଅର୍ଜୁନର ହସ୍ତେ।୪୯।

ପୁଣିହିଂ ବିଦ୍ୟାମାନ ଯେ କରନ୍ତି ଆରମ୍ଭ

ବାଘ ମୁହିଂ ଛନ୍ଦା ୟେ ପାତିଲେ ଦ୍ୱାରେ ଦମ୍ଭ।୫୦।

 

ପଞ୍ଚିଶ ସହସ୍ର ପିଟଣା ମୁଗୁରରେ ଲଗାଇ

କାଠଜଳା ଭିତରେ ଓଟାରନ୍ତି ସର୍ବେ ବୀରେ ଯାଇଂ।୫୧।

ପ୍ରଥମେ ଦ୍ରିଯୋଧନ ଓଟାରଇ ସାତ ସହସ୍ର ବଳ

ଧୁଶାସନ ଓଟାରଇ ପାଞ୍ଚ ସହସ୍ର ବଳ।୫୨।

 

କୃପେ ଚାରି ସହସ୍ର ଭୀଷ୍ମେ ପଞ୍ଚଶତ ତିରିଶ ସହସ୍ର ବଳ

ଦ୍ରୋଣେ ଓଟାରିଲେ ଚାଳିଶ ସହସ୍ର ପରିତାଳ।୫୩।

 

ଯୁଝେଷ୍ଠି ଦେବ ଓଟାରନ୍ତି ତିରିଶି ସହସ୍ର ଗରୁ

ପଞ୍ଚାଶ ସହସ୍ର ଓଟାରନ୍ତି ବ୍ରିକୋଦର ଭୟାଙ୍କାରୁ।୫୪।

କର୍ଣ୍ଣ ଓଟାରନ୍ତି ନଉ ସହସ୍ର ଭାର

ଅଶସ୍ତମା ଓଟାରନ୍ତି ଅଠୋସ୍ତରି ସହସ୍ର ପରିତାଳ ଭାର।୫୫।

 

ସହଦେବ ଚାରି ସହସ୍ର ନକୁଳ ପଞ୍ଚ ତିରିଶ ବଳ

ଦ୍ରିଯୋଧନର ଅନେଶ୍ୱତ ଭ୍ରାଥ ୟେହି ରୂପେ ପରିତାଳ।୫୬।

ଅର୍ଜୁନେ ଓଟାରନ୍ତି ସହସ୍ରେ ଲକ୍ଷେ ଭାର

ଦେଖି ଚମତ୍କାର ହୋଇଲେ ଦ୍ରୋଣେ ସମସ୍ତେ କୁରୁବୀର।୫୭।

 

ଦ୍ରୋଣେ ଅଶସ୍ତମାକୁ ଡାକିଲେ ସନ୍ନିଧ୍ୟର

ଜୀବନ ନିମନ୍ତେ ବାବୁ ଯେ ଧୂର୍ଜଟି ସେବା କର।୫୮।

ପୁଣ୍ୟତୋୟା ନଦୀ କୂଳେ ସରସ୍ୱତୀ କୂଳେ

ନିରଞ୍ଜନ ସୁମର ବାବୁ ଉଦେ ବଟ ତଳେ।୫୯।

 

ଯେବେ ହସ୍ତିନାକୁ ଯିବାକୁ କରୁ ଇଚ୍ଛା

ଅମର ବର ତୁ ବାବୁ କର ମନ ବାଞ୍ଛା।୬୦।

ଦ୍ରୋଣଙ୍କର ବଚନେ ଯେ ଚଳଇ ଅଶସ୍ତମା

ତୁଲେଣ ମାତୁଳ ସେ ଚଳଇ କୃପବ୍ରହ୍ମା।୬୧।

 

ପୁଣ୍ୟତୋୟା ନଦୀ ତୀରେ ରଞ୍ଚିଲେ ଆଶ୍ରମେ

ଅଜପାଲୟେକରିଯେଚିନ୍ତିଲେଦେବବ୍ରହ୍ମେ।୬୨।

ସରସ୍ୱତୀ ଯେ ସ୍ନାହାନ କରି ଯାନ୍ତି ଅନୁବ୍ରତେ

ଆହାର ତେଜ୍ୟା କଲେ ପଞ୍ଚଦଶ ବରଷ ପରିଯନ୍ତେ।୬୩।

 

ଗାନ୍ଧାରୀ ଓ କୁନ୍ତୀଙ୍କର ବିବାଦ

 

ବଦୟନ୍ତି ବଇବସୁତ ମନୁ ଶୁଣିମା ଅଗସ୍ତି ହେ

କଥାୟେ ପଚାରିବି ବଡ଼ାଇ ସନ୍ଦେହେ।୧।

ବିଦ୍ୟା ପରୀକ୍ଷ କଥା ଶୁଣିଲି ମୁହିଂ ଭଲେ

ୟେଥୁଂ ଉତ୍ତାରେଣ ପୁଣ କେବଣ କୃତ୍ୟ କଲେ।୨।

କୋଇନ୍ତା ଗାନ୍ଧାରୀର ବିବାଦ ବାରତା

ବଦୟନ୍ତି ଅଗସ୍ତି ଶୁଣ ମନୁ ମହାରଥା।୩।

 

ବସନ୍ତ ଋତୁ ଯେ ଫାଲଗୁନ ମାସ

କୃଷ୍ଣପକ୍ଷ ସପତମୀ ଆଦିତ୍ୟ ଦିବସ।୪।

ଗାନ୍ଧାରୀ କୋଇନ୍ତା ଏହୁ ବେନି ଯାୟେ

ଯମୁନା ନଦୀକି ସେ ପ୍ରାତ ସ୍ନାନ କରି ଗୟେ।୫।

ସୁବର୍ଣ୍ଣର ହାନ୍ଦୋଳାରେ ବିଜୟେ ଗାନ୍ଧାରୀ

ତୁଲେଣ ଅଛନ୍ତି ଅନେକ ଦାସୀ ପରିବାରୀ।୬।

 

ଅଗର ଚନ୍ଦନ ଯେ କର୍ପୂର କସ୍ତୁରୀ

କୁଶ ଅଗ୍ର ଗୁଗୁଳ ନଇବେଦ୍ୟ ଆଦି କରି।୭।

ଆଲଟ ଚାମର ଯେ ଘେନିଣ ଯୁବତୀ

ବିଶ୍ୱନାଥ ଭଗତି ନିମନ୍ତେଯମୁନା କୂଳକଇଂ ଚଳିଣ ଯାଆନ୍ତି।୮।

କୋଇନ୍ତାୟେ ଦେବୀ ଯାଆନ୍ତି ୟେକାଙ୍ଗେ

ପୁଷ୍ପ ନଇବେଦ୍ୟ ଘେନି ଚଳନ୍ତି ସେ ବେଗେ।୯।

 

ଯମୁନା ଜଳେ ପଶି ନିତ୍ୟକର୍ମ ସାରି

ରତ୍ନେଶ୍ୱର ପ୍ରାସାଦେ ପଶିଲେ ଗାନ୍ଧାରୀ।୧୦।

ହାନ୍ଦୋଳାରୁ ଓହ୍ଲାଇ ଗାନ୍ଧାରସେନ ଦୋହିତୀ

ବିଶ୍ୱନାଥ ଦ୍ରଶନେ ଗମଇ ରାଧେବ କନ୍ୟା ଅଛି କତି।୧୧।

 

ୟେମନ୍ତ ସମୟେ କୋନ୍ତଭୋଜର ଦୁଲାଳୀ

ଦେଉଳେ ପ୍ରବେଶ କରେ ଘେନି ଅର୍ଘ୍ୟସ୍ଥାଳୀ।୧୨।

ରାଧେବୀ ଜଣାଇଲା ଯେ ଗାନ୍ଧାରୀଙ୍କର ଅଗ୍ରତେ

କୋନ୍ତାୟେ ବିଜେ କଲେ ତୁମ୍ଭର ସଙ୍ଗତେ।୧୩।

ଗାନ୍ଧାରୀ ବୋଇଲେ କୋଇନ୍ତା ଦେବୀ ଚାହିଂ

କି ନିମନ୍ତେ ପ୍ରାସାଦକୁ ଅଇଲୁସି ତୁହି।୧୪।

 

ଯାବତ କାଳେ ୟେ ଲିଙ୍ଗ ଅଟଇ ମୋହୋର

ତୁ କିମ୍ପା ପୂଜିବୁ ହୀନ ଜୀବନ ତୋହୋର।୧୫।

ଯେବଣ ନାରୀ ଅଟନ୍ତି ଭ୍ରଥା ଯେ ବିଯୋଗୀ

ସମସ୍ତ କାର୍ଯ୍ୟକୁ ସେ ଅଟଇ ଅଲାଗୀ।୧୬।

ପ୍ରସ୍ତାପ ବାକ୍ୟେଣ ଅନେକ ବୋଲା ବୋଲି

ହାବୋଡ଼ା ହାବୋଡ଼ି ହୋଇଣ ହୋଇଲେ ପେଲା ପେଲି।୧୭।

 

ବେନି କୁଳ ଅପ୍ରୀତି ଦେଖିଣ ବିଶ୍ୱନାଥ

ଦୁଇ ଯାଆଙ୍କର ସେ ମିଳିଲେ ଅଗ୍ରତ।୧୮।

ବଦୟନ୍ତି ଶଶିଧର ମର କିସ ପାଇଂ

ଆମ୍ଭେ ଦେବତାୟେ କାହାର ନୋହୁଂ ଆଈ।୧୯।

ଯହିଂ ଭୋଗ ପାଇଂ ତହିଂ ଆମ୍ଭେ ଥାଇଂ

ଅକାରଣ କଥାରେ ତୁମ୍ଭର କଳି କିସ ପାଇଂ।୨୦।

 

ପ୍ରଭାତେ ସୁବର୍ଣ୍ଣ ଶତେ ଚମ୍ପା ଘେନି ଆଗେ ଯେ ପୂଜଇ

ଆମ୍ଭେ ତାହାର ହୋଇଲୁ ବୋଇଲେ ଦେବରାଜଇ।୨୧।

ନ ପୂଜି ବେନି ଯାୟେ ନବରେ ପ୍ରବେଶ

କୋଇନ୍ତାୟେ ବୋଇଲେ ମୁ କରିବଇଂ କିସ।୨୨।

ଶତେକ ପୁତ୍ର ତାହାର ପୁଷ୍ପେ ପୁଷ୍ପେ ମାଗନ୍ତେ

ଶତେକ ପୁଷ୍ପ ତ ହୋଇବାକ ଯୁଗତେ।୨୩।

 

ସର୍ବେ ମୋହୋର ପଞ୍ଚଗୋଟି ତନୟେ

ପଞ୍ଚାଣୋଇ ଗୋଟିକାହୁଂ ହୋଇବ ଉପାୟେ।୨୪।

ଶୁଣ ହୋ ମହାରାଜା କବାଟ କିଳି ଶୁତିଲେ କୋନ୍ତାୟେ

ୟେମନ୍ତର ସମୟେ ମିଳିଲା ଧନୁର୍ଜୟେ।୨୫।

ମାତାକଇଂ ଅନ୍ନ ମାଗିଲା ପାଥ ଯାଇଂ

ଉଠିଣ କୋଇନ୍ତାୟେ ବୋଇଲେ ଅର୍ଜୁନକୁ ଚାହିଂ।୨୬।

 

ଆଜ ବାବୁ ଗଲି ମୁଂ ମହାଦେବ ଦ୍ରଶନେ

ଗାନ୍ଧାରୀ ଅନେକ ଝିଂଘାସିଲା ଶୁଣ ଫାଲଗୁନ୍ୟେ।୨୭।

ବୋଇଲା ଆମ୍ଭର ଦେବତା ୟେ ଅଟଇ କାଳେ କାଳେ

ତୁ କିମ୍ପା ପାମେରୀ ପଶିଲୁ ଦେଉଳେ।୨୮।

ୟେତେକ ବଚନେ ମୁଂ ପାଇଲି ଅପମାନ

ଦୁହିଙ୍କର ଅଗ୍ରତେ ଉଭା ହୋଇଲେ ତ୍ରିଲୋଚନ।୨୯।

 

ତୁମ୍ଭେ କନ୍ଦଳ ଗୋ ନ କର ବେନି ଯାୟେ

ଆମ୍ଭର ମୁଖରୁ ତୁମ୍ଭେ ଶୁଣସି କଥାୟେ।୩୦।

ଆଜ୍ଞା ଦିଲେ ଦେବବଚନ ନିରାଧାରି

ସୁବର୍ଣ୍ଣ ଶତେ ଚମ୍ପା ଘେନି ଯେ ପୂଜଇ ଆମ୍ଭେ ହୋଇବୁ ତାହାରି।୩୧।

ତାହାର ଶତେ ପୁତ୍ର ସେ ଶତେ ଚମ୍ପା ପାଇବ

ମୋର ପାଞ୍ଚପୁତ୍ର ସେ ପାଞ୍ଚ ପୁଷ୍ପହିଂ ହୋଇବ।୩୨।

 

ପଞ୍ଚାଣୋଇ ପୁଷ୍ପ କାହୁଂ ଆଣିବି ମୁହିଂ

ୟେ କଥା ମନେ ଗୁଣି କବାଟ ବିନ୍ଧିଲଇଂ।୩୩।

ଯାହା ସେ ଧାତା କଲାକ ଲିଖିତ

ଭ୍ରଥା ବିଯୋଗେ ମୁଂ ହୋଇଲି ଅମହତ।୩୪।

ୟେତେ ବୋଲିଣ ସେ ଭୋଜରାଜାର ଦୁହିତା

ଉଚ୍ଚେ ରୋଦନ କଲେ ମନରେ ମହାଚିନ୍ତା।୩୫।

 

ଅର୍ଜୁନ ବୋଇଲେ ମାତା ଚିନ୍ତା ନକର

ସୁବର୍ଣ୍ଣ ପୁଷ୍ପ ସିନା, ଭ୍ରାନ୍ତି ମନେ ନଧର।୩୬।

କନକ ଶତେ ପାଖୁଡ଼ା ହୋଇଥିବ ଶତେ ଦଳ

ସୁବର୍ଣ୍ଣେ ସୁବର୍ଣ୍ଣେ କାଲି ପୂରୋଇବି ଦେଉଳ।୩୭।

ଅର୍ଜୁନ ବଚନେ ବେଗି ଉଠି କୋନ୍ତୀ ମାତ

ସୁବର୍ଣ୍ଣର ପଇଲମେ ଦିଲେ ଦଧି ଅନ୍ନଘୃତ।୩୮।

 

ଯେ ଯାହାର ଇଚ୍ଛାୟେ ସ୍ନାହାନ ଭୋଜନ ସାରି

ସୁଖେ ପଞ୍ଚବୀରେ ନିଦ୍ରା ଅପହରି।୩୯।

ୟେଥୁ ଅନନ୍ତରେ ରୟେଣୀ ପ୍ରଭାତ

ବିମଳ ସୁଶୀତଳ ବହଇ ମରୁତ।୪୦।

ପ୍ରାସାଦ ମାନଙ୍କରେ ଶଙ୍ଖ ଧୁନି ଫୂରି

ନିଦ୍ରା ତେଜି ଉଠିଲେ ଭୋଜରାଜାର କୁମାରୀ।୪୧।

 

ପୁତ୍ରକଇଂ ତୋଳି ଦେବୀ ବଚନ ସମ୍ଭାଷି

ଶୁଣିଣ ଅର୍ଜୁନ ଉଠିଣ ବେଗେ ଆସି।୪୨।

ସୁବର୍ଣ୍ଣର ପାତ୍ରେ ଦେବୀ ଯୋଗାଡ଼ନ୍ତ ଲାଇ

ମାତା ପୁତ୍ର ଚଳିଗଲେ ସେ ଲିଙ୍ଗ ଠାବକଇଂ।୪୩।

ଯମୁନା ଜଳେ ପଶି କଲେକ ସ୍ନାହାନ

ତର୍ପଣ ସାରି ପ୍ରାସାଦ ଭିତରେ ପଶିଲେ ବେନିଜନ।୪୪।

 

ଅଗର କର୍ପୂର କସ୍ତୂରୀ ଲେପନ ହାଦେ କରି

ଚମ୍ପା ନାଗେଶ୍ୱର ବକୁଳ ଶିରେଣ ଉଭାରି।୪୫।

ବହୁତ ବିଧି ଯେ ଶୀତଳ ଦ୍ରବ୍ୟମାନ

ଅଗ୍ରତେ ଥୋଇ ଦେବୀ ହୋଇଲେ କାର୍ପୂଣ୍ୟ।୪୬।

କରପତ୍ର ଯୋଡ଼ି ସ୍ତୁତି କଲେକ ଅପାର

ଜୟ ତୁ ଉମାପତି ଦେବ ତୁ ସେ ଚନ୍ଦ୍ରଶେଖର।୪୭।

 

ଜୟ ତୁ ବିଶ୍ୱେଶ୍ୱର କପାଳଧର ପାଣି

ସୁର ସିଦ୍ଧ ମୁନି ଯାହାର ଚରଣେ ପରିଣାମି।୪୮।

ଷାଠିୟେ ସହସ୍ର ବରଷ ସମର ଘୋରଯୁଦ୍ଧ

ଗଣନାଥ ପ୍ରସନ୍ନେ ତ୍ରିପୁର କଲୁ ବଧ।୪୯।

ତ୍ରିପୁରାରି ବୋଲି ତୋତେ ସଂସାରେଣ ଭାଷି

ମମ କଷ୍ଟ ଉଦ୍ଧାରଣ କର ଦେବକାଶୀ।୫୦।

 

ଭ୍ରଥାର ବିଯୋଗେ ମୁହିଂ ଅଟଇ ଅନାସ୍ତୁଣୀ

ତବ ପଦ୍ମପାଦେ ମୋର ଶତେକ ଦଇନି।୫୧।

ଜୟ ଜୟ ପାର୍ବତୀର ପ୍ରାଣନାଥ ଦେବ ହର

ମୁହିଂ ନିରିମାଖୀ ମୋତେ କର ପ୍ରତିକାର।୫୨।

ଶ୍ରୀ ବିଶ୍ୱନାଥ ପାଦ ପଦ୍ମେ ମୋହୋର ମାଥ

ବଦୟନ୍ତି ସାରୋଳା ଦାସ ମୁଂ ଜନ୍ମେ ଜନ୍ମେ ତୋହୋର ଭୃତ୍ୟ।୫୩।

 

ପାଦ ଅର୍ଘ୍ୟ ନେଇ ସେ ମନୁ ମହାରାଜା

ଅଗସ୍ତିଙ୍କ ଚରଣେ ସେ କଲା ଦିବ୍ୟପୂଜା।୫୪।

ଭୋ ଦେବ ଅର୍ଜୁନ ଗଲା ସୁବର୍ଣ୍ଣେଶ୍ୱର ଲିଙ୍ଗ ତହିଂ

କିସ କାରଣ ଯେ ପୁଣ ତହିଂ ହୋଇଲଇଂ।୫୫।

ଶୁଣ ହୋ ରାଜନ ପାଥ ବାବଲ ଶରେକ ପେଷିଲା ପରଚଣ୍ଡ

ଅୟେଂଳା ଶିର ଛିଡ଼ି ହୋଇଲା ବେନି ଖଣ୍ଡ।୫୬।

 

ପୁଣ ବାବଲେକ ବିନ୍ଧିଲାକ ବୀର

ପଦ୍ମ ବରଷିଲା ପାଣିର ସଙ୍ଗର।୫୮।

ଅୟେଂଳା ଶିର ବୁଡ଼ି ସୁବର୍ଣ୍ଣ କୁଢ କୁଢ ହୋଇ ପଡ଼ି

ଶତେ ଶତେ ପାଖୁଡା ଅଷ୍ଟ ରତ୍ନେ ଜଡ଼ି।୫୯।

ଶୁଣ ହୋ ରାଜା ଗାନ୍ଧାରୀ ଗଲା ଯେ ବହୁତ ପ୍ରତଜ୍ଞା କରି

ପୁତ୍ରନ୍ତ ବସି ପଚାରଇ କର ଯେ ପ୍ରସାରି।୬୦।

 

ଯମୁନା କୂଳେ ଅଛନ୍ତି ଲିଙ୍ଗର ସୁବର୍ଣ୍ଣେ

ବାବୁ ମାନଗୋବିନ୍ଦ ତୁ ଶୁଣ ସାବଧାନେ।୬୧।

ସେ ଲିଙ୍ଗ ଦ୍ରଶନେ ଗଲି କାଲି ମୁହିଂ

କୋଇନ୍ତାୟେ ଗଲେ ସେ ଲିଙ୍ଗକଇଂ ଦାହି।୬୨।

ତାହାର ମୋହୋର ଯେ ହୋଇଲା ଉଚ୍ଚ ବାଚ

ମୁହିଂ ବୋଇଲି ତୋହୋର ୟେ କେବଣ ପରପଞ୍ଚ।୬୩।

 

କାଳେ କାଳେ ୟେ ଲିଙ୍ଗ ଅଟଇ ମୋହୋର

ତୁ କିଂପା ଆସି ୟେହି ଲିଙ୍ଗର କତିର।୬୪।

ୟେମନ୍ତ ଉଚ୍ଚ ବାଚ ଶୁଣି ବିଶ୍ୱବାସୀ

ଲିଙ୍ଗର ମଧ୍ୟୁଂ ଦେବ ବିଜେ କରି ଆସି।୬୫।

ଆମ୍ଭ ଦୁହିଙ୍କର ଅଗ୍ରତେ ଉଭା ହୋଇ

ପରମାର୍ଥ ବଚନ କହିଲେ ଉମାସାଇଂ।୬୬।

 

କାଲି ପ୍ରଭାତେ ଶତେକ ସୁବର୍ଣ୍ଣ ଚମ୍ପା ଘେନି

ୟେ ପୂଜା କରିବ କାଲି ପାହିଲେ ରଜନୀ।୬୭।

ଆମ୍ଭେ ତାହାର ସେ ହୋଇବୁ ନିୟତେ

ୟେସନେକ ବଚନ ସେ ବୋଇଲେ ବିଶ୍ୱନାଥେ।୬୮।

ତୁମ୍ଭେ ମୋହୋର ଯେ ଅଟ ଶତ ପୁତ୍ର

ୟେଥକଇ ମୋତେ କାରଣ କରିବ ନିୟତ।୬୯।

 

ଶୁଣି ମାନଗୋବିନ୍ଦ ପରମ ସାନନ୍ଦ

ଶତେଭ୍ରାଥ ତହୁଂ ସେ ଶତେ ଚମ୍ପା ଧରି ଆନନ୍ଦ।୭୦।

ରଜନୀ ପ୍ରଭାତେ ଚଳଇ ଗାନ୍ଧାରୀ

ସୁବର୍ଣ୍ଣେଶ୍ୱର ଦେଉଳେ ବିଜେ ଯାଇଂ କରି।୭୧।

ଶତେ ପରିବାରୀ ଅଛନ୍ତି ତାର ତୁଲେ

ଯମୁନାତୀରରେ ଦେବୀ ବିଜୟେ ଯାଇଂ କଲେ।୭୨।

ସ୍ନାନ ସାରି ଅଇଲେ ଦେବତା ଦ୍ରଶନ ପାଇ।

ଦେଖିଲା ସୁବର୍ଣ୍ଣ ପୁଷ୍ପ ପଡ଼ିଛି କୁଢ କୁଢ ହୋଇ।୭୩।

 

ଦେଖି ସେ ବିରସ ଯେ ହୋଇଲା ଗାନ୍ଧାରୀ

ଦେବ ଆଳ ଦେଖି ସେ ବାହୁଡ଼ଇ ଖର କରି।୭୪।

ବାହୁଡ଼ିଣ ନଗରେ ସେ ପଶଇ ତୁରିତ

ମନେଣ ବିରସ ସରସ ନାହିଂ ଚିତ୍ତ।୭୫।

ଗାନ୍ଧାରୀ ପ୍ରଶଂସଇ ଧନ୍ୟ କୋନ୍ତା ଦେବୀ

ଧନ୍ୟ ଲକ୍ଷଣେ ପୁତ୍ର ଜାତ କଲୁ ଧନ୍ୟ ତୁ ସାଧବୀ।୭୬।

 

ଧନ୍ୟ ଧନ୍ୟ ତୋହୋର ପୁତ୍ର ଫାଲଗୁନି

ୟେସନେକ ପ୍ରଶଂସା କଲାକ କାମିନୀ।୭୭।

ୟେମନ୍ତ ବିଚାରି ସେ ଗାନ୍ଧାରସେନର ଦୁହିତ

ମନରେ ବିକ୍ରିୟା ଧରି ସେ ହୋଇଲା ଚକିତ।୭୮।

ୟେଥୁ ଅନନ୍ତରେ ଶୁଣ ଦିବ୍ୟ ରସ

ଯାହା ସେ କହିଲେ କୁମ୍ଭଋଷିର ଶିଷ।୭୯।

 

ଦେବତାମାନେ କଲେକ ବହୁତ ସ୍ତୁତି

ଜୟ ତୁ ପାର୍ଥିବ ତୁ ତୋଷିଲୁ ଦେବୀକୋନ୍ତୀ।୮୦।

ସୁରପୁରେ ଶୁଭିଲା ଜୟେ ଜୟେ

ଦେବତାୟେ ନାମ ଦିଲେ ଯେ ଧନଞ୍ଜୟେ।୮୧।

ଧନରେ ତୋଷି ଧନର୍ଜୟେ ନାମ ପାଇଲା

ଶୁଣ ବଇବସୁତ ମନୁ ଅଗସ୍ତି କହିଲା।୮୨।

 

ପଦ୍ମନିଧି କାଟିଲା ଯେ ଅର୍ଜୁନ ଚାପହସ୍ତ

ବାହୁଡ଼ି ସେ ନିଧି ହୋଇଲା କେମନ୍ତ।୮୩।

ୟେଥିର ଚରିତ ମୋତେ କହ ତପୋବନ୍ତ

ଅଗସ୍ତି କହିଲେ ଶୁଣ ହୋ ମନୁ ମହତ।୮୪।

ତେବତାମାନେ ସ୍ତୁତି କଲେ ଅର୍ଜୁନକୁ

ଯେବଣ ସୁବର୍ଣ୍ଣ ଦିଲୁ ସୁବର୍ଣ୍ଣ ଲିଙ୍ଗକୁ।୮୫।

 

ବାହୁଡ଼ାଇ ରତ୍ନମାନ ଥୋଅ ଧନୁର୍ଧର

କୁବେର ଭୁବନ ଯେ ନକର ନାରଖାର।୮୬।

ଦେବତାଙ୍କ ବଚନେ ଭୂମିରୁ ନାରାଜ ବିନ୍ଧିଲା

ବାହୁଡ଼ାଇ ରତ୍ନନିଧି କୁବେର ଭଣ୍ଡାରେ ଥୋଇଲା।୮୭।

ପଦ୍ମକଇଂ ଯେ ଅଟଇ ଯେବଣ ନିଧି

ମହା କଳ୍ପକୋଷ ସେ ଅଟଇ ପ୍ରସିଦ୍ଧି।୮୮।

 

ଅହୋମୁଖୀ ନାରାଜ ପବନରୁ ଜାତ

ସେ ନିଧିର ସ୍ଥଳୀ ହୋଇଲା ଜଡ଼ିତ।୮୯।

ବାହୁଡ଼ି ସଂଘରିଲା ପଦ୍ମନିଧିର ଭିତରେ

ଅର୍ଜୁନର ମହିମା ତୁ ଶୁଣିଲୁ ନୃପବରେ।୯୦।

ଶୁଣ ପରମ ସାନନ୍ଦ ମନୁ ମହାଗ୍ୟାଂତା

ଦେବକୁ ଦୁର୍ଲଭ ସେ ଅର୍ଜୁନରକଥା।୯୧।

 

ଏକଲବ୍ୟଉପାଖ୍ୟାନ

 

ୟେଥୁ ଅନନ୍ତରେ ଦ୍ରୋଣେ ଶିଷ୍ୟମାନନ୍ତ ହକାରି

ବାବୁ ତୁମ୍ଭେ ଯାଅସି ମୃଗୟା ବିନୋଦ କରି।୧।

ଅଶସ୍ତମାକୁ ପ୍ରସବି କୃପୀ ନାଶଗଲା

ତାହାର ପ୍ରାଣତ୍ୟାଜ ଦିବସ ପ୍ରବେଶ ହୋଇଲା।୨।

ଗଣ୍ଡା ଗୋଟିୟେ ବାବୁ ମାରି ଆଣ ଯାଇବନୁଂ

ଗୁରୁଙ୍କର ବଚନେ ଚଳନ୍ତି ସର୍ବ ତନୁ।୩।

 

ପଶ୍ଚିମେ ଭୀମ ଅର୍ଜୁନ ଦକ୍ଷିଣେ ବୀର କର୍ଣ୍ଣ

ଶତେ ସୋଦର ଘେନି ଉତ୍ତରକୁ ଚଳଇ ଦ୍ରିଯୋଧନ।୪।

ଭ୍ରମନ୍ତ କୁମାରେ ଖେଦନ୍ତି ମୃଗାରି

କ୍ଷିଦ୍ରେ ନ ଛାଡ଼ନ୍ତି ଯେ ଗଣ୍ଡାଜୀବ ଲୋଡ଼ି।୫।

ଦକ୍ଷିଣେ କର୍ଣ୍ଣ ଲୋଡ଼ି ନପାଇଲା ଗଣ୍ଡା ଜୀବ

ମୃଗଭାରେକ ଘେନି ଦ୍ରଶନ କଲା ଗୁରୁଙ୍କୁ ରାଧେବ।୬।

 

ପଶ୍ଚିମ କୋଶଳେଗ ଲେ ଭୀମସେନ ଅରଜୁନ

ଗଣ୍ଡା ଦୁଇଗୋଟା ଘେନି ଗୁରୁଙ୍କୁ ଦ୍ରଶନ କଲେକ ପଞ୍ଚୁଦିନ।୭।

ଉତ୍ତରକୁ ଗଲେ ଯେ ଦ୍ରିଯୋଧନ ଶତେ ଭ୍ରାଥ

ଖେଦନ୍ତି ବନଗହନେ ଯେ ଅନେକ ପର୍ବତ।୮।

ଲୋଡ଼ନ୍ତି ଗହନ ଅଟବ୍ୟା ପୁଣ୍ୟ ଗଣ୍ଡା

ଖେଦନ୍ତି ବନସ୍ତେରେ ବିହଡ଼ନ୍ତି ଦୁର୍ଦ୍ଦଣ୍ଡା।୯।

 

ମଣିନାଗ ବୋଲି ୟେକଇ ପର୍ବତ ଗୋଟିୟେ

ତହିଂର ତଳେ ଅଛି ଜଳଘାଟ ଗୋଟାୟେ।୧୦।

ସେ ପାଣିଘାଟ ଜଗିଅଛନ୍ତି ଅନୁସରି

ତହିଂକି ନିକଟ ଜାରା ବେଣ୍ଟକାର ପୁରୀ।୧୧।

ସେ ଜାରାଶବର ଭାରିଯା ଶିରିୟା ନାମେ ବାଳୀ

ସ୍ୱାମୀକି ବୋଇଲା ଦୃଷ୍ଟି ଦେଇଥାଅ ଯେ ପଲ୍ଲୀ।୧୨।

 

ସ୍ନାନ କରି ମୁଂ ଆଣଇଂ ଜଳଘଟି ଗୋଟିୟେ

ଦ୍ୱାରକୁ ତଲୟେ କରିଥାଅ ମୋର ଆସିବାର ଯାୟେ।୧୩।

ସ୍ୱାମୀକି ସମ୍ୱୋଧି ଚଳଇ ଶବର ତରୁଣୀ

ସରୋବରେ ପଶି ଘଟେ ପୂରୋଇଲା ପାଣି।୧୪।

ଘଟ ତୀରେ ଥୋଇ ସାରିଲା ସ୍ନାହାନ

କୂଳେ ଆସି କଲା ପତ୍ର ପରିହରଣ।୧୫।

 

ମଥାରେ ବସାଇଲା ପାଣିଘଟ ଗୋଟି

ସିଂଘ ଠାଣି ଜାଣି ସେ ଆସି ଲେଉଟି।୧୬।

ଦୂରେ ଥାଇ ଦେଖିଲା ତାକୁ ଧୁସାସନ ମୂଢେ

ଆକ୍ରେଷି ବେନି ଭୁଜେ ତାକୁ ଧଇଲାକ ଗାଢେ।୧୭।

ଦେଖି ସେ ଶିରିୟା ଯେ ଚାହଂଇ ଲେଉଟି

ତ୍ରିଭୁବନେ ସୁନ୍ଦର ବାଳୁତ ୟେ କାହାର ପୁତ୍ର ଗୋଟି।୧୮।

 

ଶବରଣୀ ଦେଖନ୍ତେ ସେ ଧାଇଂଲେ ସର୍ବଦୁଷ୍ଟେ

ବେଢିଣ ଶବରଣୀକି ହରି ଲୋଡ଼ିଲେ ପାପିଷ୍ଠେ।୧୯।

ଭୋ ନାଥ ରଖ ବୋଲି ଉଚ୍ଚେ ଦିଲା ଡାକେ

ଭୋ ସ୍ୱାମୀ ବଳାତ୍କାର କରନ୍ତି କାହାର ଦୁଷ୍ଟ ଲୋକେ।୨୦।

ଉଚ୍ଚ ସ୍ୱରେ ଯହୁଂ ଶୁଭିଲା ଭାରିଯା ରୋଦନ ବାଣୀ

ଆଖଡ଼ାରେ ଥାଇ ତାହା ଜାରାଶବର ଶୁଣି।୨୧।

 

ହସ୍ତରେ ଧନୁଶର ଘେନି ବାହାର କିରାତ

ଧାଇଂଣ ପ୍ରବେଶ ହୋଇଲା ଯାଇଂ କୁରୁବୀରଙ୍କ ସଙ୍ଗତ।୨୨।

ମହା ବିକଟାଳ ସ୍ୱରୂପ ସେ ଭଇରୋବ ମୂରତି

ହାକ ଦିଅଇ କିରାତ ରେ ତୁମ୍ଭେ କାହାର ହୋ କତି।୨୩।

ଶୁଣିଣ ପ୍ରଚଣ୍ଡ ମୂରତି ଧୁଶାସନ ମହାବୀରା

ପ୍ରତଗ୍ୟାଂ କରି ବୋଇଲା ମରିବୁରେ ଶବରା।୨୪।

 

ବନଚର ଲୋକ ହୋଇ କିଂପା ତୋହୋର ୟେମନ୍ତ ଘରଣୀ

ରାଜାଙ୍କର ଅବିଷେକକୁ ୟେ ଯୋଗାଇ ପାଟରାଣୀ।୨୫।

ଆମ୍ଭେ ସୋମବଂଶୀ ପୃଥୀକି ଆଧିପତି

ୟେହାର ନିମନ୍ତେ ତୁ ରେ ହୋଇବୁ ପ୍ରାଣେ କ୍ଷତି।୨୬।

ଦୁର୍ଭାର ବଚନ ଶୁଣି ସେ ଜାରା ବେଣ୍ଟକାର

ଧନୁରେ ବସାଇଲା ଆକ୍ରେଷିଣ ଶର।୨୭।

 

ଭୂମିକି ଗୋଟିୟେ ବିନ୍ଧିଲା ଗୁରୁଙ୍କ ନାମ ଧରି

ମଥାରେ ମୃତ୍ତିକା ଘେନିଲା ଦ୍ରୋଣ ଗୁରୁଙ୍କୁ ସୁମରି।୨୮।

ୟେକ ଉତ୍ତର ଶତେ ଯେ ଅଟନ୍ତି କୁରୁବୀରେ

ଜଣେ ଜଣେକେ ପୂରୋଇଲା ଶତେ ଶତେ ଶରେ।୨୯।

ଅବିକ୍ଷଣେ ବାଣ ଯହୁଂ ବିନ୍ଧିଲା ମହାମନ୍ତ୍ରେ

ଜଣେକେ ଶତେ ଶତେ ଶର ପଡ଼ିଲା ହୃଦଗତେ।୩୦।

 

ତ୍ରିପଣ୍ଡ ଗଳିତ ଯେ ଶରୀରେ ଅସ୍ତ୍ର ଭେଦି

ପଡ଼ିଲେ କୁରୁବୀରେ ରୁଧିର ବହି ନଦୀ।୩୧।

ଭାରିଯାକୁ ଘେନିଣ ଚଳଇ ବୀର ଜାରା

ଆପଣା ପଲ୍ଲୀରେ ପ୍ରବେଶ ଶବରା।୩୨।

ଦ୍ରୋଣେ ବାଟ ଚାହାନ୍ତି ଦ୍ରିଯୋଧନ ତ ନଇଲା

ପଥ ନିରୋପନ୍ତେ ଦ୍ୱାଦଶ ଦିବସ ହୋଇଲା।୩୩।

 

ସଙ୍ଗରେ ଘେନିଲେ ଗୁରୁ କର୍ଣ୍ଣ ଭୀମ କିରୀଟୀ

ବାଟ ଅନୁସରି ହାଦେ ଆସନ୍ତି ପାଛୋଟି।୩୪।

ପ୍ରବେଶ ହୋଇଲେ ଯାଇଂ ସରୋବର କୂଳ

ଦେଖିଲେ ପଡ଼ିଛନ୍ତି କୁରୁବୀର ସକଳ।୩୫।

ଯେସନେକ ବୃକ୍ଷେ ଲୋଟନ୍ତି ମହାବାତ କାଳେ

ତେସନେ ଦିଶନ୍ତି ଯେ କୁରୁବୀର ସକଳେ।୩୬।

 

ହୃଦେ ନାରାଜ ପଡ଼ି ପିଛି କତିକି ଫୁଟି

ମହାପ୍ରତାପ ବୀରେ ଭୂମିରେ ଛନ୍ତି ଲୋଟି।୩୭।

ଭୀମସେନ ଧାଇଂ ଯାଇଂ ଦେଖିଲାକ ଦୂରୁ

ସମସ୍ତେ ଶରଘାତେ ପଡ଼ିଛନ୍ତି ହେ ଗୁରୁ।୩୮।

ଭାରଦ୍ୱାଦଶଙ୍କର ନନ୍ଦନ ଦେଖିଣ ବିଚାରିଲେ

ୟେତ ଆମ୍ଭର ବିଦ୍ୟା ବୋଲି ଅର୍ଜୁନକୁ ପଚାରିଲେ।୩୯।

 

ଦେଖନି ୟେ ବନସ୍ତରେ କେ ଅଛଇ ଫାଲଗୁନି

ପ୍ରଶୁରାମଙ୍କର ବିଦ୍ୟା କେ ଆନ ଅଛଇ ଘେନି।୪୦।

ଆନକୁ ଗୋଚର ନୋହଇ ୟେ ବିଦ୍ୟା

ମାନବେ ଗୋଚର କାହିଂ ୟେତେକ ପ୍ରସିଦ୍ଧା।୪୧।

ଗୁରୁଙ୍କର ବଚନେ ଲୋଡ଼ଇ ସର୍ବସାଚୀ

ଦେଖିଲା ଗହନ ବନେ ଶବର ପଲ୍ଲୀ ୟେକ ଅଛି।୪୨।

 

କିରାତ ଆଖଡ଼ାରେ ପଟାୟେ ବିନ୍ଧଇ ବାଣ

ଅର୍ଜୁନକୁ ଦେଖି ବାହାର ତତକ୍ଷଣ।୪୩।

ହସ୍ତ ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ

କଟି ମେଖଳେ କୋଠାର ଫିରିକି ନାରାଜ ତ୍ରୋଣ।୪୪।

ଗଦ ଗଦ ବାକ୍ୟେ କିସ କିସ ବୋଲି

ଅର୍ଜୁନ ଉପରକୁ ସେ ଆସୁଅଛି ପେଲି।୪୫।

 

ଡାକ ଦିଅଇ ଜାରା ତୁ ରେ କାହାର କତି ଅଟୁ

ମୁହିଂ ବନଚର ମୋହୋର ଆଶ୍ରମେ କିନା ଭେଟୁ।୪୬।

ଆଷ୍ୟ ଥାଉଂ ଥାଉଂ କିନା ଭରସୁ ଅଛୁ ମରଣକୁ

ମରିଣ ପନ୍ଥାଇକି ବଳି ଦେବି ମୁଂ ତୁକୁ।୪୭।

ଅର୍ଜୁନ ବୋଇଲା ଆରେ ଶୁଣସି କିରାତ

ୟେ ମୋହୋର ଭାଇମାନନ୍ତ କେ କଲା ଶରାଘାତ।୪୮।

 

ଅର୍ଜୁନ ବଚନ ଶୁଣି ଜାରା ଶବର ଯେ କୋପେ

ଧନୁରେ ନାରାଜ ପୂରୋଇଲା ଗୁରୁ ତାପେ।୪୯।

ଆକ୍ରୋଷିଣ ଶର ଛାଡନ୍ତେ ଦେଖିଲା ଫାଲଗୁନି

ଶବରକୁ ମାଇଲା ଯେ ଦିବ୍ୟ ଶସ୍ର ଘେନି।୫୦।

ଶରେ ଶର ପଡ଼ି ତାଳ ହେଉଣ ଅଛନ୍ତି

ଭାଜିଣ ସମସ୍ତ ଶହସ୍ର ଚୂର ହୋଇଯାନ୍ତି।୫୧।

 

ଶତେ ନାରାଜ ଚାପେ ପୂରୋଇଲା ଜାରା

ଅର୍ଜୁନ ଉପରକୁ ବିନ୍ଧିଲା ସେ କୋପେ ମହାବୀରା।୫୨।

ଶତେକ ନାରାଜ କୋପେ ପେଷିଲା ଅରଜୁନ

ଛେଦି ପକାଇଲା ସେ ସମସ୍ତ ଶରମାନ।୫୩।

କିରାତ ଅର୍ଜୁନ ସେ ହୋଅନ୍ତେ ଅନ୍ୟୋଅନ୍ୟି

ଶହସ୍ର ବିଘାତେଣ ଯେ କମ୍ପିଲା ମେଦିନୀ।୫୪।

 

କଷୁଣି ଟଙ୍କାର ଶୁଭିଲା ଗୁଣ ଘୋଷ

ତିନି ଭୁବନକଇଂ ଲାଗିଲା ବଡତ୍ରାସ।୫୫।

ଦ୍ରୋଣେ ଶୁଣିଲେ ଯହୁଂ ସହସ୍ରମାନଙ୍କର ବାଣୀ

କର୍ଣ୍ଣ ଭୀମ ଘେନି ଗୁରୁ ଧାଇଂଲେ ବେଗେ ପୁଣି।୫୬।

ଗୁରୁ ଦେଖିଲେ ଅର୍ଜୁନ କିରାତର ସମର

ଜାରା ଅର୍ଜୁନକୁ ପୂରୋଇ ଅଛିଲକ୍ଷେ ଶର।୫୭।

 

ଦ୍ରୋଣେ ଭେଟିଲେ ସମର କରନ୍ତେଣ ବେନି

କେହି କାହାକୁ ନ ଘୁଞ୍ଚନ୍ତି ଅନ୍ୟୋଅନ୍ୟି।୫୮।

ଦ୍ରୋଣେ ଡାକ ଦିଅନ୍ତି ରହ ରହ ବାବୁ

କାହାର ତହୁଂ ସାଧିଲୁ ୟେ ବିଦ୍ୟାମାନ ସବୁ।୫୯।

କାହାର ଶିଷ ତୁ କେ ତୋହୋର ଗୁରୁ

କାହାର ବିଦ୍ୟା ସାଧି ତୁ ୟେଡ଼େ ଯୁଦ୍ଧ କରୁ।୬୦।

 

କିରାତ ବୋଇଲା ତୁ ଶୁଣ ହୋ ବ୍ରାହ୍ମଣ

ମୋହୋର ବିଦ୍ୟାଗୁରୁ ଅଟନ୍ତି ହାଦେ ଦ୍ରୋଣ।୬୧।

ଗୁରୁ ଥମ୍ୱୀଭୂତ ହୋଇଲେ କିରାତ ବଚନେ

ଆମ୍ଭେ ସେ ଦ୍ରୋଣ ହୋ ବାବୁ ଅଟୁ ବିଦ୍ୟମାନେ।୬୨।

ବଦୟନ୍ତି ଦ୍ରୋଣେ କାହିଂ ଅଛନ୍ତି ତୋର ଗୁରୁ

ଆମ୍ଭଙ୍କୁ ଦେଖାନି ତୁ କାହାକୁ ସେବା କରୁ।୬୩।

 

ଆପଣ ଆଖଡ଼ା ଶାଳକୁ ସେ କଢାଇଣ ନେଲା

ମାଟିର ଦ୍ରୋଣକୁ ଯେ ନେଇଣ ଦେଖାଇଲା।୬୪।

ୟେ ମୋହୋର ଗୁରୁ ଅଟଇ ଦ୍ରୋଣ ସିଦ୍ଧା

ୟେହାଙ୍କୁ ସେବି ମୁଂ ଲଭିଲି ସର୍ବବିଦ୍ୟା।୬୫।

ଗୁରୁ ପୁଚ୍ଛା କଲେ ତୁ କେମନ୍ତେ ସାଧ୍ୟ କଲୁ

ଅଦୃଷ୍ଟି ଅଶ୍ରତିରେ କେମନ୍ତେ ୟେ ମାନ ପାଇଲୁ।୬୬।

 

ଆମ୍ଭର ମନ୍ତ୍ରବଳେ ତୁହି ସେ ମାଇଲୁ।୬୭।

ବୋଲଇ କିରାତ ମୁଂ ଗଲଇଂ ବାରୁଣେ

ବୋଇଲି ବିଦ୍ୟା ମୋତେ ଶିଖାଅ ଗୁରୁ ଦ୍ରୋଣେ।୬୮।

ଯୁଝେଷ୍ଠି ବୋଲି ଜଣେ ମୋତେ ଦୟାକଲା

ଦ୍ରିଯୋଧନ ବୋଲି ମୋତେ ତହୁଂ ବାହାର କରିଦିଲା।୬୯।

 

ଅପମନ ପାଇ ମୁଂ ଯେ ବାହୁଡ଼ି ଅଇଲି

ବାରୁଣାବନ୍ତଠାରୁ ୟେଠାକୁ ବୋଲି ବନସ୍ତ କାଟିଲି।୭୦।

ଆଖଡ଼ାୟେ ଭିଆଇଲି ମୁଂ ପଲ୍ଲୀର ଦୁଆରେ

ମୃତ୍ତିକା ଦ୍ରୋଣ ଗୋଟି ମୁଂ ଥାପିଲି ସାଧିଲି ସମ୍ଭରେ।୭୧।

ୟେହିଠାରେ ଥାଇ ଚାହଂଇ ମୁଂ ବାରୁଣବନ୍ତ ଆଖଡ଼ାକୁ

ଦୃଷ୍ଟିପାତ କରିଥାଇଂ ଦ୍ୱାଦଶ ଯୋଜନକୁ।୭୨।

 

ଯେବଣ ପାଦ ଗତି କରନ୍ତି ଦ୍ରୋଣଗୁରୁ

ମୁଂ ୟେଥେ ସାଧଇ ଯେ ସମସ୍ତ ଗତି କରୁଂ।୭୩।

ଶୁଣି ଦ୍ରୋଣଗୁରୁ ଯେ ପରମ ସାନନ୍ଦେ

ଜାରାକଇଂ ଆଣି ବସାଇଲେ ଆପଣ ସନ୍ନିଧ୍ୟେ।୭୪।

ଆମ୍ଭେ ସେ ଦ୍ରୋଣଗୁରୁ ଅଟୁ ୟେ ସେ ଭୀମ ଅର୍ଜୁନ କର୍ଣ୍ଣ

ଯାହାକୁ ଶରଘାତ କଲୁ ସେହି ସେ ଦ୍ରିଯୋଧନ।୭୫।

 

ୟେସନ ବଚନ ଶୁଣିଣ ବୀର ଜାରା

ଗୁରୁଙ୍କ ପାଦପଦ୍ନେ ପ୍ରଳମ୍ୱ ମହାବୀରା।୭୬।

ଦ୍ରୋଣେ ବୋଇଲେ ତୁ ଆମ୍ଭର ବିଦ୍ୟା ପୁତ୍ର ବାବୁ

ସେ ପୁତ୍ରମାନ ଯେ ମାଇଲୁ ଆମ୍ଭରହିଂ ସବୁ।୭୭।

ବିଦ୍ୟା ପରୀକ୍ଷ ୟେବେ ବାବୁ ଜାଣିମା ଯୁଗତେ

ପୁଣ ସେ ପୁତ୍ରମାନେ ଆମ୍ଭର ବ୍ରତନ୍ତି କେମନ୍ତେ।୭୮।

 

ଜାରାକଇଂ ଘେନି ଗଲେ ସେ ସାଂଗ୍ରାମ ଭୂମିକି

କିରାତ ବୋଇଲା ୟେହି କ୍ଷଣି ଗୁରୁ ହେ ଜୀଆଂଇବି ସଭିଙ୍କି।୭୯।

ଧନୁରେ ବସାଇ ଜୀବନ୍ୟାସ ଶର କଲା ବୃଷ୍ଟି

ମୋହ ତେଜି ଉଠିଲେ ସେ ସକଳ ଧୃତରାଷ୍ଟି।୮୦।

ଦ୍ରୋଣଙ୍କର ପାଦପଦ୍ମେ ହୋଇଲେ ପରିଣାମି

ଶବର ଶରଘାତେ ପ୍ରାଣତ୍ୟାଜ ହୋଇଲୁ ଆମ୍ଭେ ସ୍ୱାମୀ।୮୧।

 

ତୋହୋର ପରାୟେ ଗୁରୁ ସେବି ଆମ୍ଭେ ବିଦ୍ୟାମାନ ସାଧିଲୁ

କିରାତ ମାତ୍ରକ ସମରେ ଆମ୍ଭେ କ୍ଷୟେ ଗଲୁ।୮୨।

ପ୍ରଶୁରାମଙ୍କର ବିଦ୍ୟାକୁ ଆମ୍ଭର ଗୁରୁଦ୍ରୋଣ

ଅଭାବେ ଶିଖାଇଲ କିଛି ନୋହିଲା କାରଣ।୮୩।

ଧିକ ହୋଉ ଆମ୍ଭର ଜୀବନ ଆମ୍ଭର ଛତ୍ରୀବୃତ୍ତେ କିସ କାର୍ଯ୍ୟ

କେସନେ ଜନ ମୁଖ ଚାହିଂବୁ ହୋଇଣ ନିଲଜ୍ଜ।୮୪।

 

ଦ୍ରୋଣେ ବୋଇଲେ ତୁମ୍ଭେ ନ ଭାବ କିଛି ଚିତ୍ତ

ଆମ୍ଭର ବିଦ୍ୟା ପୁତ୍ର ୟେ ଅଟଇ କିରାତ।୮୫।

ୟେକଇ ବିଦ୍ୟାୟେ ଧଂସି ହୋଇଲ ଭ୍ରାଥ ବେନି

ଘରେ ଘରେ ୟେକ ସୋଦରେ ହୋଇଲେ ଅନ୍ୟୋଅନ୍ୟି।୮୬।

ୟେଥକୁ ଅଭିମାନ ହୋ କରିତ ନ ଯୋଗାଇ

ଆମ୍ଭର ବିଦ୍ୟା ପୁତ୍ର ଅଟଇ ଜାଣ ୟେହି।୮୭।

 

ଗଣ୍ଡା ଘେନିଗଲା ୟେ ପ୍ରଥମେ ଆଖଡାକୁ

ତୁମ୍ଭେ ଅପମନ କରି ଯେ ବାହାର କରିଦିଲ ୟେହାକୁ।୮୮।

ଦ୍ରୋଣଙ୍କର ବଚନେ ଦ୍ରିଯୋଧନ ହୋଇଲା ପରମ ଶାନ୍ତି

ଦ୍ରୋଣେବୋଇଲେଜାରାରେତୁୟେବନେଥାଅନିଭ୍ରାନ୍ତି।୮୯।

ଆମ୍ଭେ ଯାଉଅଛୁଂ ହସ୍ତିନା ଭୁବନକୁ

ବାରୁଣାବନ୍ତରୁ ଭାଙ୍ଗି ଦେଇଣ ଆଖଡ଼ାକୁ।୯୦।

 

ଆମ୍ଭର ବୋଲେ ତୋତେ ସମସ୍ତ ପ୍ରାପତ ହୋଉ

ତୋତେ ତ ସମରେ ଜିଣନ୍ତା କେହି ନୋହୁ ଆଉ।୯୧।

ଉଷତ ହୋଇ ପଡ଼ିଲା କିରାତ ଗୁରୁଙ୍କ ଚରଣେ

ଦକ୍ଷିଣା ମାଗ ହୋ ମୁକୁ ଗୁରୁ ଦେବଇଂ ୟେହି କ୍ଷଣେ।୯୨।

ଶୁଣିଣ ଦ୍ରୋଣ ଗୁରୁ ପରମ ସାନନ୍ଦ ଚିତ୍ତେ

ଗୁରୁ ଦକ୍ଷିଣା ଶିଷ୍ୟରେ ଲାଗଇ ଯୁଗତେ।୯୩।

 

ସତ୍ୟ କଲେ ତୋତେ ମାଗିବି ଦକ୍ଷିଣା

ଯୁଗେ ଯୁଗେ କଥା ଥିବ ମୋହୋର କହଣା।୯୪।

ଜାରା ବୋଇଲା ସ୍ୱାମୀ ସତ୍ୟ କଲି ମୁହିଂ

ମୋହୋର ଶିର କମଳ ମାଗିଲେହେଂ ଦେବଇଂ।୯୫।

ଗୁରୁ ବୋଇଲେ ତୁ ଯେବେ ସତ୍ୟ କଲୁରେ ବାବୁ

ଦକ୍ଷିଣ ହସ୍ତ ଜ୍ୟେଷ୍ଠ ଅଙ୍ଗୁଷ୍ଠି କାଟି ମୋତେ ଦେବୁ।୯୬।

 

ଜ୍ୟେଷ୍ଠ ଅଙ୍ଗୁଷ୍ଠି ଗୋଟି ଧଇଲେ ଗୁରୁଟାଣି

ନାରାଜ ବିନ୍ଧନ୍ତେ ହସ୍ତ ନଥିବଟି କଷୁଣି।୯୭।

ଚାରି ଅଙ୍ଗୁଷ୍ଠିରେ ବିନ୍ଧିବୁ ତୁ ଶର

ୟେତେକ ଦିଲେ ଗୁରୁ ଦକ୍ଷିଣା ହୋଇଲା ଆମ୍ଭର।୯୮।

ଜାରା ବୋଇଲା ଗୁରୁହେ ଯେବେ ଭୟକଲ ମୁକୁ

ମୁକୁଇଂ କଳଙ୍କ କରି ଉଦ୍ଧରିଲ ୟେମାନଙ୍କୁ।୯୯।

 

ଯେବଣ ଅଭିମାନ କଲେ ମୋତେ ବାରୁଣାବନ୍ତେ

ସେ କଥା ଖଣ୍ଡିକ ମୁଂ ଧରିଥିଲି ହୃଦଗତେ।୧୦୦।

ମୁହିଂ ସେ ନାଶ କରନ୍ତି ଦ୍ରିଯୋଧନର ବଂଶ

କୁରୁବଳ ମାନନ୍ତ ସବୁନ୍ତି କରନ୍ତି ଯେ ଧ୍ୱଂସ।୧୦୧।

ଜାଣି ତ ରକ୍ଷାକଲ ୟେମାନଙ୍କୁ ଗୁରୁ ହେ

ପରମ ମହାତ୍ମା ତୁ ସଞ୍ଚିଲୁ ସନ୍ଦେହେ।୧୦୨।

 

ୟେତେ ବୋଲିଣ ଯେ ବୃଦ୍ଧାଅଙ୍ଗୁଷ୍ଠି କାଟିଣ ସେ ଦିଲା

ତାହା ଦେଖିଗୁରୁଙ୍କର ଚିତ୍ତ ହରଷ ହୋଇଲା।୧୦୩।

ଜାରାକୁ କଲ୍ୟାଣ କରି ରୁହାଇଲେ ନିଜ ଆଶ୍ରମେ

ପୁତ୍ରନ୍ତ ଘେନିଗଲେ ବାରୁଣାବନ୍ତ ଭୁବନେ।୧୦୪।

ବିଜେ କଲେ ମହାତ୍ମା ହସ୍ତିନା ନଗ୍ର ପୁରୀ

ନିଜ କର୍ମ ବିଧାନେ ଗଲା ପୁଣି ବରଷ ଚାରି।୧୦୫।

 

ଅର୍ଜୁନର ସ୍ନାନ ପଦାର୍ଥ ଆଣିବା ଓ ନିଜର 

ଅସ୍ତ୍ରକୁଶଳତା ଦର୍ଶାଇ ଦ୍ରୋଣଙ୍କଠାରୁ ବରପ୍ରାପ୍ତି

 

ଶୁଣ ହୋ ମହାରାଜା ଯଉଂଦିନ ବିଦ୍ୟା ପରୀକ୍ଷ କଲେ

ସେହି ଦିନୁ କଉରୋବେ ମନେ ଅନ୍ତର ଧଇଲେ।୧।

ଦ୍ରିଯୋଧନ ମୂଳେ ଯେ ବିଚାର କରନ୍ତି

ଆମ୍ଭ ତହିଂ ଗୁରୁଙ୍କର ନାହିଂ ଶୁଦ୍ଧମତି।୨।

ଦ୍ରୋଣେ ଯେ ଆମ୍ଭର ବିଦ୍ୟା ଗୁରୁ ହୋଇଲେ

ୟେକା କରି ଅର୍ଜୁନକୁ ସେ ଶସ୍ର ଶିଖାଇଲେ।୩।

 

ଆମ୍ଭେ ଶତେ ୟେକ ଉତ୍ତର ବିଦ୍ୟାୟେ ଶକତା ନୋହିଲୁ

ଦ୍ରୋଣପ୍ରାୟେ ଗୁରୁଥାଉଂ ବିଦ୍ୟା ନପାଇଲୁ।୪।

ୟେମନ୍ତେ ବିଚାରି ଧୃତରାଷ୍ଟ ତନୟେ

କର୍ଣ୍ଣ ଦ୍ରିଯୋଧନ ଧୁଶାସନ ମୂଳେ ଗୁରୁଙ୍କ ବିନୟେ।୫।

ଭୋ ଗୁରୁ ତୁମ୍ଭେ ବେଦ ଶାହାସ୍ରେ ସକଳ ନିର୍ଜିତା

ପ୍ରଶୁରାମଙ୍କ ବିଦ୍ୟାୟେ ତୁମ୍ଭେ ତ୍ରୈଲୋକ୍ୟ ଜିଣନ୍ତା।୬।

 

ତୁମ୍ଭର ମନରେ ଆମ୍ଭଙ୍କୁ ଶୁଦ୍ଧ ଚିତ୍ତ ନାହିଂ

ୟେକା କରି ଅର୍ଜୁନକୁ ଶିଖାଅସି ଗୋସାଇଂ।୭।

ଦ୍ରୋଣ ପ୍ରାୟେ ଗୁରୁଙ୍କୁ ଆମ୍ଭେ ସେବା କଲୁ

ବିଦ୍ୟା ନ ପାଇଣ ଆମ୍ଭେ ଅସାର୍ଥୁକ ଯେ ହୋଇଲୁ।୮।

ଦ୍ରୋଣେ ବୋଇଲେ ଯେହ୍ନେ ଆମ୍ଭର ମନ୍ଦକର୍ମ

ତୁମ୍ଭନ୍ତ ବିଦ୍ୟା ଶିଖାଇ ଆମ୍ଭେ ହୋଇଲୁ ଅକାରଣ।୯।

 

ତୁମ୍ଭନ୍ତ ଆମ୍ଭେ ବିଦ୍ୟା ଶିଖାଇଲୁ ଶୁଦ୍ଧଚିତ୍ତେ

ଗଣ୍ଠିମୁଠି ଦୃଢକରି ଦେଖାଉଂ ନିଜ ଗାତ୍ରେ।୧୦।

ହସ୍ତଧରି ତୁମ୍ଭଙ୍କୁ ଜଣେ ଜଣେ ଦେଖାଇ

ତୁମ୍ଭେ ତାହା ନ ଶିଖ ଯେ ମନରେ ଗର୍ବ ବହି।୧୧।

ତୁମ୍ଭନ୍ତ ବିଦ୍ୟା ଶିଖାଇଲେ ଅର୍ଜୁନ ଦେଖଇ

ଦେଖିଣ ଶିଖଇ ସେ କାହାକି ନ ପଚାରଇ।୧୨।

 

ଯେବଣ ନାରାଜ ଧରଇ ଫାଲଗୁନି

ମୋତେ ଗୋଚର ନୁହଇ ସେ ବୋଇଲେ ଦ୍ରୋଣ ମୁନି।୧୩।

ପ୍ରଶୁରାମ ବିଦ୍ୟା ତାକୁ ହୋଇଲା ପ୍ରାପତ

ଦେଖିଣ ଶିଖଇ ସେ ବାସବର ସୁତ।୧୪।

ଦ୍ରିଯୋଧନ ବୋଇଲା ତୁମ୍ଭର ଶୁଦ୍ଧ ଚିତ୍ତେ

ତେଣୁ କରି ସମସ୍ତ କହିଲ ବୀର ପାଥେ।୧୫।

 

ଦ୍ରିଯୋଧନ ବଚନେ ଦ୍ରୋଣେ ତୁନୀ ହେଲେ

ସମସ୍ତେ କୁରୁବୀରେ ଅର୍ଜୁନକଇଂ ହିଂସା କଲେ।୧୬।

ୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁ

ବିଦ୍ୟାର ମହିମା ହୋ ଶୁଣ ଯୁବରାଜ ତନୁ।୧୭।

ୟେକ ଦିନରେ ଯେ ଦ୍ରୋଣେ ଉପାୟେକ କଲେ

ସବୁ ପୁଅନ୍ତ ଘେନି ଯମୁନା ସ୍ନାହାନେ ଯେ ଗଲେ।୧୮।

 

ବାଟରେ ଦେଖିଲେ ସୁସଞ୍ଚ ଶାଳ ବୃକ୍ଷେ

ଦ୍ରୋଣେ ବୋଇଲେ ୟେଠାରେ ବୁଝିବା ପରୀକ୍ଷେ।୧୯।

ଅର୍ଜୁନକୁ ବୋଇଲେ ବାବୁ ତୁ ବାହୁଡ଼ିଣ ଯିବୁ

କୃପଙ୍କର ଘରୁ ସ୍ନାହାନ ସଞ୍ଚା ଯେ ଆଣିବୁ।୨୦।

ତିଳ ଅୟେଂଳା ସୁସଞ୍ଚ ଅଭ୍ୟଙ୍ଗ ମାନ

ଭୂଇଂରେ ନଥୋଇ ଆମ୍ଭଠାରୁ ଆଣିବୁ ଯେ ପୁଣ।୨୧।

 

ଗୁରୁଙ୍କର ବଚନେ ସେ ଚଳିଲା ଅର୍ଜୁନ

ବୃକ୍ଷର ତଳ ଯାଇଂ ମିଳିଲେ ଗୁରୁ ଦ୍ରୋଣ।୨୨।

ଦ୍ରିଯୋଧନ ବେନି କର ସଂକ୍ଷେପି ଧଇଲେ ଗୁରୁ ଦ୍ରୋଣ

ଦୃଷ୍ଟି ମୁଷ୍ଟି ଗଣ୍ଠି ଦୃଢ ସେ କରିଣ।୨୩।

ଦ୍ରିଯୋଧନ କରେ ଗୁରୁ ଦିଲେ ଧନୁ ତ୍ରୋଣ।୨୪।

କତୁରୀ ନାରାଜ ସେ ଗୁଣରେ ବସାଇ

ୟେକ ଦୃଷ୍ଟିରେ ନାରାଜ ବିନ୍ଧ କୁରୁସାଇଂ।୨୫।

 

ଶୁଣି ଦ୍ରିଯୋଧନ ବିନ୍ଧି ପତ୍ରମାନ କଲାକ ଛେଦନ

କୁରୁବୀରମାନଙ୍କର ଆନନ୍ଦ ପଞ୍ଚୁମନ।୨୬।

ଶିଷ୍ୟନ୍ତ ଘେନି ମୁନି ପ୍ରବେଶ ଯମୁନା ରକୂଳେ

ମଥା ଯୋଗାଣ ଘେନି ଅର୍ଜୁନ ସେ ବୃକ୍ଷଠାରେ ମିଳେ।୨୭।

ଦେଖିଲେ ବୃକ୍ଷରେ ପତ୍ରଗୋଟିୟେକ ନାହିଂ

ଆଶ୍ରିଜ ଅର୍ଜୁନ ସେ ବୃକ୍ଷକୁ ପୁଣ ଚାହିଂ।୨୮।

 

ଦେଖିଲା ଦ୍ରୋଣଙ୍କର ପଡିଛି ପାଦଗତି

ଅର୍ଜୁନ ବୋଇଲେ ଗୁପତ ବିଦ୍ୟା ଶିଖାଇଲେ କୁରୁପତି।୨୯।

ସେହି ମତି ଅର୍ଜୁନ ପାଦଗତି କଲା

ପାଞ୍ଚଗୋଟି ନାରାଜ ଭୂମିକି ମାଇଲା।୩୦।

ତହିଂର ଉପରେ ସ୍ନାହାନ ସଞ୍ଚା ଥୋଇ

ଅବୋଲୋକନ ଶର ବିନ୍ଧିଲାକ ତହିଂ।୩୧।

 

ବଂକ୍ଷି ଗୋଟିମାନ ଯେ ପକାଇଲା ଛେଦି

ସ୍ନାହାନ ସଞ୍ଚାମାନ ଘେନି ସେ ଚଳଇ ମନଭେଦୀ।୩୨।

ଗୁରୁଙ୍କର ସନ୍ନିଧ୍ୟେ ନେଇ ସ୍ନାହାନ ସଞ୍ଚାଦିଲେ

ସୁଗନ୍ଧ ତଇଳ ସେ ମଥାରେ ଲଗାଇଲେ।୩୩।

ଯମୁନା ନଦୀରେ ସେ ପଶିଲେ ଦ୍ରୋଣେ ଯାଇ

ସମସ୍ତ ଶିଷ୍ୟମାନେ ପଶିଲେ ଝସାଇ।୩୪।

 

ସ୍ନାହାନ କରନ୍ତେ ଯେ କୁମ୍ଭୀରେକ ଅଇଲା

ଦ୍ରୋଣ ଗୁରୁଙ୍କୁ ସେ ଯେ ଆକ୍ରେଷିଣ ନେଲା।୩୫।

ସମସ୍ତ ଶିଷ୍ୟମାନେ ଡରେ ଅଇଲେ ପଳାଇ

କୁମ୍ଭୀର ଗୁରୁଙ୍କୁ ନେଉଛି ଘୋସରାଇ।୩୬।

ଜଳରୁ ଦ୍ରୋଣଗୁରୁ ଆସିତ ନୁଆରଇ

ରଖ ରଖ ବୋଲି ସେ ଶିଷ୍ୟଙ୍କୁ ଡାକ ଦେଇ।୩୭।

 

ଦେଖି ଭୀମସେନ ଜଳ ଭିତରକୁ ଡେଇଂଲା

ଆକ୍ରେଷି ମକରି ଯାଇଂ କୁମ୍ଭୀରକୁ ଧଇଲା।୩୮।

ଭିଡନ୍ତେ ଜଳପ୍ରଭା ସେ ହୋଇଲା ନିଧନ

ଦ୍ରୋଣଗୁରୁ ବୋଇଲେ ଧନ୍ୟରେ ଭୀମସେନ।୩୯।

ତୁହି ସେ ୟେତେବେଳେ ଦିଲୁ ଜୀବଦାନ

କିସ ଦେଇ ତୋଷ କରିବି ତୋର ମନ।୪୦।

 

ଗଦା ବିଦ୍ୟା ତୋତେ ଗୋଟିୟେ ଦେବଇଂ ପ୍ରସନ୍ନ

ମୋହୋର ଗଦା ବିଦ୍ୟାରେ ତୁ ସକଳ ଭୁବନ ଜିଣ।୪୧।

ବଳରାମ ଗଦା ବିଦ୍ୟା ବୋଲନ୍ତି ଜଗତେ

ଆରେ ତୋର ଗଦା ବିଦ୍ୟା ପ୍ରକାଶୁ ସେହି ମତେ।୪୨।

ଅତୁଟ ଗଦା ବିଦ୍ୟା ଦ୍ରୋଣେ ଭୀମସେନକୁ ଦିଲେ,

ତ୍ରଇଲୋକ ବିଖ୍ୟାତ ହୋଅ ଭୀମସେନକୁ ବୋଇଲେ।୪୩।

 

ଗଦାବିଦ୍ୟା ପାଇଣସେ ସାନନ୍ଦ ଭୀମସେନ

ତହୁଂଣ ପୁଅନ୍ତ ଘେନି ଦ୍ରୋଣେ କରନ୍ତି ଗମନ।୪୪।

ନେଉଟି ଗୁରୁ ଯେ ତରୁ ତଳେ ମିଳିଲେକ ଯାଇଂ

ଦ୍ରିଯୋଧନ ବୋଇଲା ସେ ଶାଳବୃକ୍ଷକୁ ଚାହିଂ।୪୫।

ଆମ୍ଭେ ଯେ କାଟିଲୁ ସମସ୍ତ ପତ୍ରମାନ

ବଂକ୍ଷି ମାନଙ୍କୁ କେ କାଟିଲା ବୋଲଇ ଦ୍ରିଯୋଧନ।୪୬।

 

ଦ୍ରୋଣେ ବଦୟନ୍ତି ଶୁଣରେ ଅର୍ଜୁନ

ତୋହୋର ନାରାଜ ପ୍ରାୟେତ ଦିଶଇ ବିଦ୍ୟମାନ।୪୭।

ଅର୍ଜୁନ ବୋଇଲେ ମୁଂ କୃପଙ୍କ ଘରକୁ ଗଲି

ସ୍ନାହାନ ସଞ୍ଚାଘେନିଣ ମୁଂ ଶୀଘ୍ରେଣ ଅଇଲି।୪୮।

ବୃକ୍ଷ ଉପରକୁ ମୁଂ ଚାହିଂଲି ନୟନ

ଦେଖିଲି ପତ୍ରମାନେ ଭୂମିରେ ପତନ।୪୯।

 

ନିରେଖି ଚାହିଂଲି ମୁଂ ଗୁରୁଙ୍କ ପାଦଗତି

ସେହିମତି କରି ମୁଂ ବାବଲ ପେଷିଲଇଂ ଧାତି।୫୦।

ବଂକ୍ଷିମାନ ସବୁ ଛେଦି ପକାଇଲି ଭୂମି

ଶୁଣିଣ ଥମ୍ଭୀଭୂତ ଦ୍ରୋଣ ମହାମୁନି।୫୧।

ଦ୍ରିଯୋଧନ ବଦନ ଚାହିଂ ବୋଲନ୍ତି ବଚନ

ୟେ ବିଦ୍ୟା ଅବା କାହୁଂ ଅର୍ଜିଲା ଅର୍ଜୁନ।୫୨।

 

ତୁମ୍ଭେମାନେ ଆମ୍ଭଙ୍କୁ ବୋଲୁଥାଅ ଜଗତେ

ସବୁ ସହୁଂ ଆମ୍ଭେ, ତୁମ୍ଭେ ଯହୁଂ ଶିଷ୍ୟପୁତ୍ରେ।୫୩।

ଅର୍ଜୁନକୁ ଚାହିଂଣ ଯେ ବୋଇଲେ ଗୁରୁଦ୍ରୋଣ

ୟେ ଭାରା ଭର ଉଶ୍ୱାସିବାକୁ ତୁହିଂ ସେ ଯେ ଜନ୍ମ।୫୪।

ଧୁଶାସନ ବୋଇଲା ଗୁରୁ ହେ ଅର୍ଜୁନ ଆଗ୍ୟାଂତ ମେଣ୍ଟିଲା

ସ୍ନାହାନ ସଞ୍ଚାମାନ ସେ ଭୂମିରେ ଥୋଇଲା।୫୫।

 

ଅର୍ଜୁନ ବୋଇଲା ଗୁରୁହେ ଧୁଶାସନ ବୋଇଲା ଯେମନ୍ତ

ପଞ୍ଚୁ ନାରାଜ ଭୂମିକି ମାଇଲି ତୁରିତ।୫୬।

ତହିଂ ଉପରେ ଯେ ସ୍ନାହାନ ସଞ୍ଚା ମୁଂ ଥୋଇଲି

ବାବଲ ଶରେ ସବୁ ବଂକ୍ଷିମାନତ ଛେଦିଲି।୫୭।

ଗୁରୁଙ୍କର ଆଗ୍ୟାଂ ମେଣ୍ଟଇ ଯେବଣ ଶିଷ

ବିଦ୍ୟା ଅପ୍ରାପତ ହୋଇ ଅଳପେ ଯାଇ ସେ ନାଶ।୫୮।

 

ଦ୍ରୋଣ ଦେଖିଲେ ନାରାଜ ମୁନ ବସିଛି ଭୂମିର

ଦେଖିକରି ଚକିତ ଯେ ହୋଇଲେ କୁରୁବୀର।୫୯।

ପରମ ସାନନ୍ଦ ହୋଇଣ ଆନନ୍ଦ ପଞ୍ଚୁମନ

ସକଳ ବିଦ୍ୟା ତୋତେ ହୋଉରେ ଅରଜୁନ।୬୦।

ସନ୍ତୋଷ ହୋଇଣ ଅର୍ଜୁନକୁ ବର ଦିଲେ

ପୁଅନ୍ତ ଘେନି ଦ୍ରୋଣ ଇନ୍ଦ୍ରପ୍ରଶସ୍ତକୁ ଗଲେ।୬୧।

 

ଲାଖେକ ପାତି କରି ଶରମାନ ବିନ୍ଧନ୍ତି

ସେହି ଦିନୁ ପୁଣ ହାତ ସୂତ୍ର ଯେ କରନ୍ତି।୬୨।

ଯେବଣ ନାରାଜ ବିନ୍ଧଇ ଅର୍ଜୁନ

ଦେଖି କୁରୁବୀରଙ୍କର ହୃଦୟ କମ୍ପମାନ।୬୩।

କହନ୍ତି ଅଗସ୍ତି ପଣ୍ଡିତ ବ୍ରହ୍ମବେତ୍ତା

ବଇବସୁତ ମନୁ ଶୁଣନ୍ତି ଅମୃତ ରସ କଥା।୬୪।

 

ନମାମି ସିଦ୍ଧ ସାରୋଳା ଜଙ୍ଖେର ପୁରବାସୀ

କଳି କାଳ ପାତକ ତୋହୋର ହୋୟେ ଧଂସି।୬୫।

ତୁ ସେ ବ୍ରହ୍ମଗ୍ୟାଂନୀ ଅନାଦି ଅପର୍ଣ୍ଣା ସାରୋଳା ଗୋସାମଣୀ

ଅଦୃଷ୍ଟି ଅଶ୍ରୁତି ତୁ ବଞ୍ଚାଇଲୁ ଆଣି।୬୬।

ଜନ୍ମେ ଜନ୍ମେ ମୁହିଂ ନୋହଇ ଶାହାସ୍ରବାଦୀ

ପଣ୍ଡିତ ଜନ ମଧ୍ୟେ ମୁଂ ନପଶିଲି ପ୍ରସିଦ୍ଧି।୬୭।

 

ସେ ସିଦ୍ଧ ଦେବୀ ମୋତେ ପ୍ରସନ୍ନ ହୋଇଲା

ଅକଳାନ୍ତ ଶ୍ରୀମହାଭାରତ ମୋତେ ଆଗ୍ୟାଂ ଦିଲା।୬୮।

ଜଙ୍ଖେର ପୁରବାସିନୀ କୃପାଜଳ ନନ୍ଦନୀ

ତାହାର ଆଗ୍ୟାଂ ପ୍ରମାଣେ ମୁଂ ହୋଇଲି ଶୂଦ୍ରମୁନି।୬୯।

ସେ ସିଦ୍ଧ ଦେବୀ ଚରଣେ ମୋର ସେବା

ଶୂଦ୍ରମୁନି ସାରୋଳା ଦାସକୁ ଗତି ମୁକ୍ତି ଦେବା।୭୦।

 

Unknown

ଦ୍ରୋଣଙ୍କ ନିର୍ଦେଶରେ କୁରୁପାଣ୍ଡବଙ୍କର 

ଦ୍ରୁପଦଙ୍କୁ ବନ୍ଦୀକରି ଘେନିଆସିବା

 

ୟେଥୁ ଅନନ୍ତରେ ଯେ ବଇବସୁତ ମନୁ

ଯାହା ପୁଚ୍ଛାକଲୁ ତାହା କହିବା ସାବଧାନୁ।୧।

ମୀନ ଶୁକଳ ଯେ ତ୍ରୋୟୋଦଶୀ ଅର୍କବାର।

ହସ୍ତା ନାମେ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର।୨।

 

ତୈତୁଲ୍ୟ ନାମେ କରଣ ଗଣ୍ଡ ନାମେ ଯୋଗ।

ମେଷ ସଂକରାନ୍ତିକି ପଚିଶ ଦିନ ଭୋଗ।୩।

ଆଖଡ଼ା ଶାଳେ ବସିଅଛନ୍ତି ଗୁରୁ ଦ୍ରୋଣେ

ଭ୍ରାଥମାନନ୍ତ ଘେନି ଛାମୁରେ ଉଭା କୁରୁରାଣେ।୪।

 

ଦ୍ରୋଣେ ବୋଇଲେ ବାବୁ ହେ ଆମ୍ଭେ ଅଟୁଂ ଯେ ତୀର୍ଥବାସୀ

ତୁମ୍ଭଙ୍କୁ ବିଦ୍ୟା ଦେବା ନିମନ୍ତେ ଆମ୍ଭେ ସମୟେ ରହିଲୁ ଆସି।୫।

ଋଷି ବିପ୍ର ଭଗବନ୍ତ ଆବର ବ୍ରହ୍ମଚାରୀ

ପାଦ ଶ୍ରମେ ଭ୍ରମନ୍ତେଣ ସେ ଧର୍ମକୁ ଆଚରି।୬।

 

ତୁମ୍ଭେ ପରମ କଲ୍ୟାଣ ହୋଇଥାଅ କ୍ଷମେ

ଆମ୍ଭେ ତୀର୍ଥ ଯାତ୍ରା କରିବୁ ବାବୁ ଯିବୁଂ ନିଜ ଧର୍ମେ।୭।

ଦ୍ରିଯୋଧନ ଧୁଶାସନ ଆବର ବୀର କର୍ଣ୍ଣ

ୟେକାନ୍ତେ ତିଆରନ୍ତି ଭାରଦ୍ୱାଦଶଙ୍କ ନନ୍ଦନ।୮।

 

ଯଦ୍ୟପି ବିଦ୍ୟା ହୋ ଶିଖାଇଲୁ ଆମ୍ଭେ

ଭୀମ ଅର୍ଜୁନ ବିବାଦୀ ନୋହିବାକ ତୁମ୍ଭେ।୯।

ତୁମ୍ଭେ ୟେକ ସୋଦର ଅଟ ଯେ ଅଭିନ୍ନ

ଯୁଝେଷ୍ଠିଙ୍କି ଭଗତି ହୋଇଥିବଟି ପଣ୍ଡୁର ସମାନ।୧୦।

 

ଯୁଝେଷ୍ଠିଙ୍କର ତୁଲେ କେବେ ଅଭାବ ନୋହିବରେ ବାଳ

ୟେ ଶିରୀ ସମ୍ପଦ ଘେନିଥିବ ସର୍ବକାଳ।୧୧।

ଦ୍ରିଯୋଧନ ବୋଇଲା ଯୋଡ଼ିଣ ବେନି କରପତ୍ର

ଅନେକ କାଳ ବିଦ୍ୟା ଯେ ଶିଖାଇଲ ଆମ୍ଭନ୍ତ।୧୨।

 

ଗୁରୁ ଦକ୍ଷିଣା ମାଗ ଆମ୍ଭେ ଦେବୁ ଯେ ତୁମ୍ଭନ୍ତ

ଯାହା ଇଛା ମାଗ ହୋ ଭଗବନ୍ତ।୧୩।

ୟେମନ୍ତେ କେତେହେଂ ଦିନ ତହିଂ ଗଲା

ସମସ୍ତ ଭ୍ରାଥଙ୍କୁ ରାଇ ଦ୍ରିଯୋଧନ ପଚାରିଲା।୧୪।

 

ଗୁରୁ ଦକ୍ଷିଣା ଦେବୁଂ ଆମ୍ଭନ୍ତ ମାଗସି ହୋ ଗୁରୁ

ଯେ ମନେ ଇଛା ଦେବୁଂ ବାଞ୍ଛା ଯାହା କରୁ।୧୫।

ଗୁରୁ ଦକ୍ଷିଣା ନ ଦେଇ ସାଧନ୍ତି ଯେ ବିଦ୍ୟା

ସେ ବିଦ୍ୟା ପରାପତ ନୋହଇଟି ଦେବ ସିଦ୍ଧା।୧୬।

 

ଗୁରୁ ବୋଇଲେ ବାବୁ ଶୁଣ ହୋ ଧୃତରାଷ୍ଟି

ତୁ ଯାହା ବୋଇଲୁ ୟେ କଥା ସତ୍ୟଟି।୧୭।

ଆମ୍ଭେ ତଳହସ୍ତ କରି ଦାନ ଘେନିଲୁ ପ୍ରଶୁରାମଙ୍କ ତହୁଂ

ଆନକୁ ଦାନ ଆମ୍ଭେ ମାଗିବୁଂ ଅବା କାହୁଂ।୧୮।

 

ବାଞ୍ଛା ଗୁରୁ ଶିକ୍ଷା ଗୁରୁ କୋଦଣ୍ଡ ଦୀକ୍ଷାଗୁରୁ

କାରଣ ପୁରୁଷ ତହୁଂ ପ୍ରତିଗ୍ରହ ଆମ୍ଭେ କରୁ।୧୯।

ଧନ ଦାନେ ଭୂମି ଦାନ ଆମ୍ଭର ନାହିଂ ପ୍ରିୟୋଜନ

ଆମ୍ଭନ୍ତ ଦକ୍ଷିଣା ଦେବ ସତ୍ୟ କର ଦୃଢ ମନ।୨୦।

 

ଦ୍ରିଯୋଧନ ବୋଇଲା ତୁମ୍ଭେ ଯାହା ମାଗ ତାତ

ଅବଶ୍ୟ ଦେବୁ ୟେହା ଆମ୍ଭର ତ୍ରିବାର ସତ୍ୟ ସତ୍ୟ।୨୧।

ଦ୍ରୋଣେ ବୋଇଲେ ବାବୁ ହେ ମାଗୁଅଛୁଂ ତୁମ୍ଭଙ୍କୁ

ଦ୍ରୋପଦ ରାଜାକଇଂ ଧରି ଆଣିଦେବ ମୁକୁ।୨୨।

 

ମୁହିଂ ତୁମ୍ଭର ଗୁରୁ ତୁମ୍ଭେ ମୋହୋର ଦୁଲଣା

ୟେତେକ ଦିଲେ ଆମ୍ଭଙ୍କୁ ହୋଇବ ଗୁରୁ ଦକ୍ଷିଣା।୨୩।

ଶୁଣିଣ ଦ୍ରିଯୋଧନ କୋପେଣ ପ୍ରଚଣ୍ଡ

ଦ୍ରୋପଦ ପୁରକୁ ଯିବା ସାଜରେ ସମଦଣ୍ଡ।୨୪।

 

ରଥ ଗଜ ଅଶ୍ୱ ସଇନି ପାଦାନ୍ତି

ଢୋଲ ଦମାଲୁ ଭରି ବାଜଇ ଅପ୍ରମିତି।୨୫।

ଗଜ ତୁରଙ୍ଗ ଗହନେ ହାବୋଡ଼ନ୍ତି ରଥେ

ଚୋଖାର ତୁରଙ୍ଗମ ଚଢି ବିହଡ଼ନ୍ତି ରାଉତେ।୨୬।

 

ବୀର ତୂର ଟମକ ବିଜିଘୋଷ ବାଜି

ୟେକାଦଶ କ୍ଷଉଣୀ ସୈନ୍ୟବଳ ସାଜି।୨୭।

ଦଣ୍ଡ ସଜ ଦେଖି ହସି ଫାଲଗୁନି

ଦ୍ରୋଣେ ବୋଇଲେ ୟେ ତୋର ବିଚାରକୁ ନ ଯୋଗାଇକି ପୁଣି।୨୮।

 

ଅର୍ଜୁନ ବୋଇଲା ଗୁରୁ ହେ ମୁଂ ହସିଲି ୟେଥକୁ

ୟେଡ଼େ ଦଣ୍ଡସଜ କିମ୍ପେ ଦ୍ରୁପଦ ଛାରକୁ।୨୯।

ଯେ ସେ ଜଣେ ଯାଇଂ ଆଣଇଂ କିନା ଧରି

କିଞ୍ଚିତ କଥାକୁ କିମ୍ପେ ୟେଡ଼େ ଦଣ୍ଡ ଭିଡି।୩୦।

 

ଦ୍ରିଯୋଧନ ବୋଇଲା ତୁ ଜନ୍ମହୁଂ ଯେ ନଷ୍ଟ

ଯେତେକ ପ୍ରତଗ୍ୟାଂ କଲୁ ସବୁ ଗରୁ ଜ୍ୟେଷ୍ଠ।୩୧।

ବ୍ରାହ୍ମଣ ଗୁରୁ ବୋଲି ସହିଲେ ଯେ ତୋତେ

ଭାଗ୍ୟବର ହୋଇଲେ ନାଶ ଯାଆନ୍ତୁ କିଞ୍ଚିତେ।୩୨।

 

ୟେହି ଗୁରୁଙ୍କ ଛାମୁରେ ୟେଡ଼େ ଦର୍ପ କଥା କହୁ

ଅଳପ ଜାଣିତୁ ଯେ ପ୍ରତଗ୍ୟାଂ ଅପାର ତ ବହୁ।୩୩।

ଆହୋ ଦ୍ରୋପଦ ବୋଲି ଯେବଣ ଚକ୍ରବ୍ରତୀ

ମହା ବିବେକ ଧାର୍ମିକ ବଳବନ୍ତା ପଞ୍ଚାଳ ଦେଶର ଆଧିପତି।୩୪।

 

ପଦ୍ମେକ ରଥ ଯେ ନବ ସାଗର ହାଥୀ

ଚାରି ପରାୟୁଧ ଅଶ୍ୱ ନବକ୍ଷଉଣୀ ପାଦାନ୍ତି।୩୫।

ଚାରି ସହସ୍ର ପାରିଦଣ୍ଡ ଖଟନ୍ତି ରାଜା ୟେକେ

ତାହାକୁ ଧରି ଆଣିମୁ ତୁ ୟେକାଇ ଜଣକେ।୩୬।

 

ବୋଲଇ ବାସବି ଯେ ୟେହା ନୋହଇ ଅକାରଣ

ଗୁରୁଙ୍କର ବଚନ ସିନା ଅଟଇ ପରମାଣ।୩୭।

ଗୁରୁଙ୍କର ଆଗ୍ୟାଂୟେ ଯେବଣ ବଚନ

ତାହା ସେ ସାର କରି ଶୁଣ ହୋ ଦ୍ରିଯୋଧନ।୩୮।

 

ଦ୍ରୋଣେ ଯେବେ ଆଗ୍ୟାଂ ଦେବେଟି ନିରୁତାନ୍ତେ

ଦ୍ରୋପଦ ଛାରକୁ ମୁଂ ଆଣିବି କ୍ଷଣକର ମାତ୍ରେ।୩୯।

ଦ୍ରିଯୋଧନ ବୋଇଲା ଦେଖି ଯାଅନି ରେ ବାବୁ

ଦ୍ରୋପଦକୁ ଆଣିଲେ ସେ ପ୍ରତଗ୍ୟାଂ ସାଚା ସବୁ।୪୦।

 

ଅଜଙ୍ଗମ ଧନୁ ଅକ୍ଷୟେ ତ୍ରୋଣ ବେନି

ଶ୍ରୀକରେ ଦ୍ରୋଣେ ନେଇ ଦିଲେକ ଫାଲଗୁନି।୪୧।

ୟେକା ଅର୍ଜୁନ ଚଳଇ ଗୁରୁ ବାକ୍ୟେ

ଶତ ସହସ୍ର ଦଣ୍ଡ ପ୍ରଳମ୍ୱ ଗୁରୁଙ୍କର ପାଦ ଉଦକେ।୪୨।

 

ଦ୍ରୋଣେ ବୋଇଲେ ବାବୁ ତୁ ହୋଅସି ଜଗୁଜିତା

ସ୍ୱର୍ଗ ମଞ୍ଚ ପାତାଳେ କେ ତୋତେ ନୋହୁନା ଜିଣନ୍ତା।୪୩।

ଗୁରୁଙ୍କ ଆଗ୍ୟାଂ ପ୍ରମାଣେ ଚଳି ଦୁତୀକୃଷ୍ଣ

ଜଗୁଜିତା ସୁନ୍ଦର ସେ ପ୍ରତଗ୍ୟାଂ ଗରିଷ୍ଠ।୪୪।

 

ବନ ନଗ୍ର ଜିଣିଣ ସେ ପ୍ରବେଶ ପାଞ୍ଚାଳ ଦେଶେ

କୃଷ୍ଣବେଣୀ କୂଳେ ବୀର ଚଳଇ ହରଷେ।୪୫।

ରାଜ୍ୟର ନିକଟେଣ ମଳୟ ନାମେ ଗିରି

ତହିଂର ଶିଖରେ ଯେ ବିଜୟେ ଧନୁର୍ଧାରୀ।୪୬।

 

ଶିରେ ରତ୍ନମଣି ମୁକୁଟ କୁଣ୍ଡଳ ଶୋଭା

ଶୂରବନ୍ତ ସୁନ୍ଦର ରୁଚିର ଚାରୁପ୍ରଭା।୪୭।

ଦେଶାଉର ପୁଚ୍ଛା କଲେ ଲକ୍ଷଣ ଗୁଣ ଦେଖି ସବୁ

କେବଣ ରାଜାର ତୁ କୁମର ଅଟୁ ବାବୁ।୪୮।

 

ବୋଲଇ ବାସବି କହ ରେ ତୁମ୍ଭର ରାଜାକୁ

ଦ୍ରୋପଦର ବଇରୀ ମୁଂ ଆସିଛି ସାଂଗ୍ରାମ କରିବାକୁ।୪୯।

ତୁମ୍ଭେ କହ ଯାଇଂ ବେଗେ ତୁମ୍ଭ ରାଜାଙ୍କ ଆଗର

ଦଣ୍ଡ ଘେନି ଆସି କରୁ ମୋର ତୁଲେ ଯେ ସମର।୫୦।

 

ଶ୍ରୀବନ୍ତ ଲୋକଙ୍କର ଆଗ୍ୟାଂ ନୋହଇ ନା ଭ୍ରଷ୍ଟ

ଦ୍ରଶନେ ବୋଧ ହୋଇ ପ୍ରସନ୍ନେ ପୂରୋଇ ପେଟ।୫୧।

ରାଜାର ଦଣ୍ଡକୁ ୟେକା ଜଣକ ହିଂ ବାହି

ଶୁଣି ତାହାର ବଚନ ଭ୍ରଷ୍ଟ ନ କଲେ ସେ କେହି।୫୨।

 

ଦେବାର୍ଚ୍ଚନ ସାରି ରାୟେ ବିଜୟେ ଅବକାଶେ

ମନ୍ତ୍ରୀ ଅମାନାତ୍ୟମାନେ ଖଟିଛନ୍ତି ପାଶେ।୫୩।

ଦେଶାଉର ବାରତା କହଇ କରପତ୍ର ଯୋଡ଼ି

ଅଶକ୍ୟ କଥାୟେ ଦେବ ଶୁଣିମା ଅବଧାରି।୫୪।

 

ରାଜାମାନଙ୍କର ଯେ ଦେଶାଉର ଦିବ୍ୟ ଚଛୁ

ସବ୍ୟ ଅସବ୍ୟ କହଣେ ମନ୍ତ୍ରୀ ତାହା ବାଛୁ।୫୫।

ଦେବ ! ହସ୍ତେଣ ଧନୁ ଆର ହସ୍ତେ ଶହସ୍ରେକ ଅଛି ଧରି

ଯେସନେକେ ବିଦ୍ୟାଧର ଗଗନୁଂ ଅବତରି।୫୬।

 

ବୋଲଇ ବାରତା କହ ତୁମ୍ଭର ରାଜାକୁ

ଦଣ୍ଡଘେନି ଆସି ସାଂଗ୍ରାମ ଦେଉ ମୁକୁ।୫୭।

ଦ୍ରୋପଦ ବୋଇଲେ କରୁଣାକର ପାତ୍ରକୁ ରାଇ

କେହୁ ଅଟଇ ସେ ତୁମ୍ଭେ ବୁଝିଆସ ଯାଇ।୫୮।

 

ରାଜାର ବଚନେ ଯେ ପାତ୍ର ଚଳିଗଲା

ଅହିବ୍ରତେକ ଯୋଦ୍ଧା ତୁଲେଣ ଘେନିଲା।୫୯।

ଆସନ୍ତି ମତ୍ତ ନାଗେ ଦାଣ୍ଡରେ ସର୍ବେ ପୂରି

ନାଦ ଶବଦେ ଯେ ଆସନ୍ତି ଝଞ୍ଜାରୀ।୬୦।

 

ଧର, ଧର, ମାର, ମାର ଶୁଭଇ ଘୋର ବୋବି

ଝଲକନ୍ତି ଲାଙ୍କିୟା ଯେ ବାଳ କିରଣ ଯେହ୍ନେ ରବି।୬୧।

ପର୍ବତେ ଥାଇଣ ଦେଖଇ କୋନ୍ତାଙ୍କର ସୁତେ

ଦଶ ଧାଉଡ଼ି ଦଶ ନାରାଜ ବିନ୍ଧିଲେ କିଞ୍ଚିତେ।୬୨।

 

ଧାଡ଼ିକେ ଆସୁଥିଲେ ଦଶ ସହସ୍ର ମତ୍ତ ଗଜେ

ଅହିବ୍ରତେକ ହସ୍ତୀ ପଡ଼ିଲେ ଦଶ ନାରାଜେ।୬୩।

ଚିତାରେ ବାଜି ବାଣ ମଳଘର ବାଟେ ନିକିଳି

ହସ୍ତୀ ଉପରୁ ଯୋଦ୍ଧାୟେ ପଡିଲେ ମୋହେ ଢଳି।୬୪।

 

ରାଜାର ଅଗ୍ରେତେ ଯାଇ କହିଲେ ମୁନେହି

ଦଣ୍ଡ ଘେନି ଦ୍ରୋପଦ ଆପଣେ ଅଇଲା ଯେ ବାହି।୬୫।

ପଦ୍ମେକ ରଥ ବତିଶ ପଦ୍ମ ହସ୍ତୀ

ଅଶୀ ସାଗର ବାରାସ ସାତ କ୍ଷଉଣୀ ପାଦାନ୍ତି।୬୬।

 

ଧାମନ୍ତି ଯୋଦ୍ଧାୟେ ଯେ ସିଂହ ରଡ଼ି କରି

ସାତ ଯୋଜନ ପରିଯନ୍ତେ ଥାଟ ଆସଇ ପୂରି।୬୭।

ପର୍ବତ ଉପରେ ଥାଇ ବିଚାର କରଇ ଅର୍ଜୁନ

ସାଧୁ ସମ୍ପଦ ତୋରରେ ଦ୍ରୋପଦ ଧନ୍ୟ ତୋ ଜୀବନ।୬୮।

 

ଗୁରୁ ଆଗ୍ୟାଂ ଯେ ନ ଦିଲେ ତୋତେ ପ୍ରାଣେ ମାରିବାକୁ

ବିନା ଅପରାଧେ କିମ୍ପେ ମାରିବି ୟେହାକୁ।୬୯।

ଗୁରୁଙ୍କର ମଇତ୍ର ୟେ ଅଟନ୍ତି ଯୁଗତେ

ଗୁରୁ ମଇତ୍ର ମୁଂ ନାଶ କରିବି କେମନ୍ତେ।୭୦।

 

ସଦଭାବେ ମୋତେ କହିଅଛନ୍ତି ଗୁରୁ ଦ୍ରୋଣେ

ମନଭେଦୀ ନାରାଜ ବୀର କାଢିଲାକ ତ୍ରୋଣେ।୭୧।

ମୋହ ନାନାରାଜ ଭେଦିଲା ସେ ଦ୍ରୋପଦର ଥାଟ

ଅନେକ ନାରାଜ ଯାଇ ହୋଇଲାକ ଭେଟ।୭୨।

 

ରଥକେ ସହସ୍ର ନାରାଜ ଯେ ଗଜକେ ପାଞ୍ଚଶତ

ଅଶ୍ୱକେ ଅଢାଇ ଶତ ପାଦାନ୍ତିକେ ୟେକ ଶତ।୭୩।

ୟେତେକ ନାରାଜ ୟେକା ଅର୍ଜୁନ ଯେ ଭେଦି

ସାତ ଯୋଜନ ମାଡ଼ିଥାଠ ପଡ଼ିଲେ ଆଛାଦି।୭୪।

 

ମୋହେଣ ଅଚେବନ ହୋଇ ଯେ ପଡ଼ିଲେ ସଇନି

ଦ୍ରୋପଦ ରାଜାକୁ ଯାଇ ଧଇଲେ ଫାଲଗୁନି।୭୫।

ଦ୍ରୋପଦ ବୋଇଲେ ବାବୁ ତୁ କେବଣ ପୁରୁଷ

ତ୍ରିଭୁବନେ ନାହିଂ କାର ୟେମନ୍ତ ସାହସ।୭୬।

 

ଅର୍ଜୁନ ବୋଇଲେ ମୁଂ କୋଇନ୍ତାଙ୍କ ସୁତ

ଦ୍ରୋଣ ଗୁରୁ ତହୁଂ ବିଦ୍ୟା ଶିଖିଲି ଅପ୍ରମିତ।୭୭।

ସେ ଗୁରୁ ଆମ୍ଭଙ୍କୁ ଦକ୍ଷିଣା ମାଗିଲେ

ଦ୍ରୋପଦ ରାଜାକୁ ଆଣି ଦିଅସି ବୋଇଲେ।୭୮।

 

ତାହାଙ୍କର ବଚନେ ମୁଂ ଅଇଲଇଂ ୟେଥ

ତେଣୁ କରି ସଇନି ତୋର କଲଇଂ ନିପାତ।୭୯।

ଅର୍ଜୁନ ବୋଇଲେ ଦ୍ରୋପଦ ଭ୍ରାନ୍ତି ତୁ ନକର ହୋ କିଛି

ଦ୍ରୋଣଙ୍କର ଶିଷ ମୁଂ ତୋତେ ନେମାକୁ ଆସିଅଛି।୮୦।

 

ମୋହୋର ଥିଲେ ତୋତେ ନାହିଂ ପରମାଦ

ମନେ ଭ୍ରାନ୍ତି ତୁମ୍ଭେ କିଛୁ ନ କର ଦ୍ରୋପଦ।୮୧।

ଦ୍ରୋପଦ ବୋଇଲା ମୁଂ ଦ୍ରୋହ କରିଛି ଦ୍ରୋଣଙ୍କୁ

ଭୋ ଅର୍ଜୁନ ତୁମ୍ଭେ ଯେ ଶରଣ ରଖ ମୁକୁ।୮୨।

 

ଅର୍ଜୁନ ବୋଇଲେ ମୁଂ କରିବି ୟେକ ଶାସ୍ତି

ଗୁରୁଙ୍କ ବଚନେ ଶିଷ୍ୟେ ଥାଆନ୍ତି ଟି ବର୍ତ୍ତି।୮୩।

ଡୋର ଗୋଟିୟେ ଘେନି ବାନ୍ଧିବି ଯେ କର

ୟେଥକୁ ଭୋ ତାତ ମୋତେ କୋପ ଯେ ନ କର।୮୪।

 

ଶାସ୍ତି ଦେଖିଣ ତୋତେ ଦୟା କରନ୍ତୁ ଦ୍ରୋଣେ

ଚିର କୋପୀ ନୋହନ୍ତି ସେ ମହା ଶାନ୍ତି ବ୍ରାହ୍ମଣେ।୮୫।

ଦ୍ରୋପଦ ବୋଇଲା ଯେହ୍ନେ ତାହାଙ୍କର ପ୍ରତଗ୍ୟାଂ

ତୋହୋର ବଚନ କେସନେ କରିବି ଅବଗ୍ୟାଂ।୮୬।

 

ଆଗେଣ ଦ୍ରୋପଦ ପଛେ ବୀର ଫାଲଗୁନି

ନବ ଦିନେ ଚଳିଗଲେ ୟୋଜନ ଶତ ତିନି।୮୭।

ବାରୁଣାବନ୍ତ ସେ ଆଖଡ଼ାର ନିକଟେ

ଦ୍ରୋପଦକୁ ବନ୍ଧନ ସେ କଲା ଡୋର ପାଟେ।୮୮।

 

କେଶ ବାସ ଅସମ୍ଭାଳ ଧୂଳିରେ ଧୂସର

ବିବଶ ବିଛନ୍ନ କରିଦେଇ ନେଲା ଗୁରୁଙ୍କ ଛାମୁର।୮୯।

ବାମ କରେ ଅଛି ଦ୍ରୋପଦର କେଶ ଧରି

ଆଖଡ଼ା ଘରେ ପଶିଲା ଦ୍ରୋପଦଙ୍କୁ ବାନ୍ଧି କରି।୯୦।

 

ପଲଙ୍କ ଉପରେ ଗୁରୁ ଅଛନ୍ତି ଯେ ଶୋଇ

ଦ୍ରୋପଦକୁ ଘେନି ଅର୍ଜୁନ ଅଛି ଉଭାହୋଇ।୯୧।

ଗୁରୁଙ୍କର ନିଦ୍ରା ମୁଂ ଭାଞ୍ଜିବି କେମନ୍ତେ

ପାଦ ତଳେ ପଲଙ୍କ ଖୁରାରେ ବାନ୍ଧିଲେ ଦ୍ରୋପତେ।୯୨।

 

ଆହୋ ମୁହିଂ ଯାଉଅଛି ଯୁଝେଷ୍ଠି ଦେବଙ୍କ ଛାମୁରେ ଯାୟେ

ତୁ ୟେଥେ ପଡ଼ି ରୋଦନ କରୁଥାଅସି ଯେ ରାୟେ।୯୩।

ମହାଭିଗ୍ୟଂ ବ୍ରାହ୍ମଣ ଅଟନ୍ତି ଦ୍ରୋଣଗୁରୁ

ଅବସ୍ତା ଦେଖି ତୋତେ ବିଚାରି ଦୟାକରୁ।୯୪।

 

ନିସତ ହୋଇତୁ ନ ପଳାଇବୁଟି ଦ୍ରୋପଦ

ନାରାଜ ବିନ୍ଧିବି ଯେତେ ଦୂରେ ଥଲେ ହୋଇବୁ ଶିର ଛେଦ।୯୫।

ମୁଇଂ ୟେବେ ଭୀଷ୍ମ, ବିଦୁର, ଯୁଝେଷ୍ଠିଙ୍କି ଆଣଇ ରାଇ

ତୋତେ ପାରି କରିଦେବୁନି ସମସ୍ତେ ବିନୋଇ।୯୬।

 

ବାହାର ହୋଇଗଲାକ ତହୁଂ ଦୁତୀ ଶ୍ରୀହରି

ମନେ ବିଚାରଇ କଥାୟେ ଅଇଲି ପାଶୋରି।୯୭।

ଦ୍ରୋପଦ ସନ୍ୟ କିମ୍ପା ମୋହେ ପଡ଼ିଥିବେ

ସେ କି ଆଉ ଆସି ଆମ୍ଭଙ୍କୁ କିସ ଯୁଦ୍ଧ ଯେ କରିବେ।୯୮।

 

ନୋହଇ ବଇରି ସେ ଅଟଇ ବ୍ରାହ୍ମଣ

କିଞ୍ଚିତ ଦୋଷେ ଯହୁଂ ଆଗ୍ୟାଂ ଦିଲେ ଗୁରୁଦ୍ରୋଣ।୯୯।

ୟେସନେକ ସମୟେ ଘେନିଲେ ଜୀବନ୍ୟାସ ଶର

ଦ୍ରୋପଦ ଥାଠକୁ ଜୀବ ଦେବୁ ବୋଇଲା ବାସବ କୁମର।୧୦୦।

 

ଆଗ୍ୟାଂ ପ୍ରମାଣେ ସେ ଶର ଚଳିଗଲା

ତିନିଶତ ଯୋଜନେ ପଡ଼ି ସେ ସମସ୍ତ ଜୀଆଂଇଲା।୧୦୧।

ବାହୁଡ଼ି ନାରାଜ ଆସି ଅର୍ଜୁନ ତ୍ରୋଣରେ ପଶି

ସାଧୁ ସାଧୁ ବୋଇଲେ ସେ ସୁର ସ୍ୱର୍ଗବାସୀ।୧୦୨।

 

ଦ୍ରୋପଦର ସଇନି ମୋହ ତେଜିଣ ଉଠିଲେ

ରାଜାକୁ ବନ୍ଦୀ କରି ନେଲା ସେ ଯେ ଗୋଳେକଲେ।୧୦୩।

ଯେ ଯାହାପୁରେ ସେ ରୋଦନ କଲେ ଲୋକେ

ସମୟେ ଜାଣି ପୁଣି ଶାନ୍ତି ହୋଇଲେ କଥୋକେ।୧୦୪।

 

ୟେଥୁ ଅନନ୍ତରେ ଯେ ଅର୍ଜୁନ ଚଳିଗଲା

ଭୀଷ୍ମ ବିଦୁର ସଞ୍ଜୟ ଯୁଝେଷ୍ଠିଙ୍କି ରୁଣ୍ଡ କଲା।୧୦୫।

ଦ୍ରୋପଦ ବାପୁଡ଼ାକୁ ଆଣିଅଛି ଧରି

ଗୁରୁଙ୍କୁ କହି ସମସ୍ତେ ହେଂ ଦେବା ପାରିକରି।୧୦୬।

 

ୟେମନ୍ତର ସମୟେ ଯେ କର୍ଣ୍ଣ ଦ୍ରିଯୋଧନ

ଶତେକ ଭାଇ ତୁଲେ ସେ କୁମାର ଧୁଶାସନ।୧୦୭।

ଆଖଡ଼ା ଶାଳେ ଆସି ପ୍ରବେଶ ସମସ୍ତେ

ଦେଖିଲେ ବାନ୍ଧଣା ହୋଇଛି ନୃପତି ୟେଡ଼େ ଭଗନସ୍ତେ।୧୦୮।

 

ଧାଇଂଣ ବାଳ ତାର ଦ୍ରିଯୋଧନ ଧଇଲା ଯାଇଂ ଝାତି

ମାରନ୍ତି ଦ୍ରୋପଦକୁ ଦେଅନ୍ତି ଅନେକ ଶାସ୍ତି।୧୦୯।

ମୂର୍ଖ ଦୃଭାର ସେ ଦୁଷ୍ଟ ଧୃତରାଷ୍ଟି

ନାରାଜ ଘେନି ଦ୍ରୋପଦକୁ କଲାକ ସାତବେଣ୍ଟି।୧୧୦।

 

ମାରନ୍ତି ଲେଡ଼ା ଗୋଇଠା ପଛ ବାହା କରିଣ ଯେ ବାନ୍ଧି

ଅର୍ଜୁନ ରଖ, ରଖ ବୋଲି ଉଞ୍ଚ ସ୍ୱରେ ନୃପ କାନ୍ଦି।୧୧୧।

ଗୋଳ ଶବଦ ଶୁଣି ଚିଆଂଇଲେ ଗୁରୁ ଦ୍ରୋଣେ

ଦେଖିଲେ ଦ୍ରୋପଦର କେଶ ବାସ ଅସମ୍ଭାଳନେ।୧୧୨।

 

ଦ୍ରୋଣେ ବୋଇଲେ ରହ ରହ ଧୃତରାଷ୍ଟି

ୟେ ଆମ୍ଭର ମଇତ୍ର ଦ୍ରୋପଦେଶ୍ୱର ହେଟି।୧୧୩।

ପଲଙ୍କରେ ଥାଇଂ ଦ୍ରୋପଦର ଅବସ୍ତା ଦେଖିଲେ

ହା ହା ମଇତ୍ର ବୋଲି ଉଠିଣ କୋଳ କଲେ।୧୧୪।

 

ତୁ ମୋହୋର ମଇତ୍ର ଅଟୁ ପଞ୍ଚୁଭୂତ ଆତ୍ମା

ନ ଜାଣି ଅପ ଗଞ୍ଜଣା ପାଇଲୁ ମହାତମା।୧୧୫।

ଶାଢି ସରଳ ଅକ୍ଷତ ଗୁରୁ ଦିଲେକ ସମ୍ଭରେ

ଯାଅ ଯାଅ ମଇତ୍ର ହୋ ତୋହୋର ନିଜ ପୁରେ।୧୧୬।

 

ଦ୍ରୁପଦଙ୍କର ତପସ୍ୟା

 

ଛାଡ଼ିଲେ ଦ୍ରୋପଦକୁ ପଳାଇଲା ବିକଳେ

କାଶୀ ନଦୀ ବହଇ ହେମବନ୍ତ ପର୍ବତର ତଳେ।୧।

ଗୌରା ତପ କରିଥିଲେ ସେ ଥାନରେ

ଲାଜେଣ ରାଜ୍ୟକୁ ନଗଲେ ଦ୍ରୋପଦଶ୍ୱରେ।୨।

 

ୟେଡ଼େ ଅବସ୍ତା ହୋଇଣ ରାଜ୍ୟକୁ କେମନ୍ତେ ଯିବି

ଅମନାତ୍ୟ ପାତ୍ରଙ୍କ ମୁଖ ଯେ କେମନ୍ତେ ଚାହିଂବି।୩।

ଜୀବନ ନିଆଶୀ ରାଜା ବସିଲା ଘୋର ତପେ

ଛାଡିଲା ରାଗ, ମୋହ, ହିଂସା ବସିଲା ତପୋଧନ ରୂପେ।୪।

 

ପଞ୍ଚଭୂତ ନିମଜ୍ଜି ବସିଲା ମହାରାୟେ

ରୁଦ୍ର ଦେବତାଙ୍କୁ ଜପଇ ଅଜପା ମନ୍ତ୍ର ଲୟେ।୫।

ଅଣ ଅନ୍ଧର ନାଥ ଯେ କୃପାଜଳ ସିନ୍ଧୁ

ଅନ୍ଧକ ବିଦାରଣ ମଉଳି ଧର ଇନ୍ଦୁ।୬।

 

ସଂସାର ଦର୍ପ ଭାଞ୍ଜିଲା ଯେବଣ କାମଦେବ

ସଦାନନ୍ଦ ପୁରୁଷ ତୋହୋର ନାମ ସଦାଶିବ।୭।

ବ୍ରହ୍ମାର ଶାପେ ଦେବ ଦହିଲୁ ଅନଙ୍ଗ

ଅଣାକାର ପୁରୁଷ ତୁ ଯେ ଧଇଲୁ ସୋଢଳ ଅଙ୍ଗ।୮।

 

ଆଦି ଈଶାନ ନାଥ ତୁହି ସେ ଜଗତ ଗୁରୁ

ୟେ କଳିକାଳ ଧଂସିବାକୁ ନାଥ ତୁହି ସେ ଚିନ୍ତାକରୁ।୯।

ସ୍ୱାମୀ ୟେକ କାୟାକୁ ଯାହାର ପଞ୍ଚୁଶିର

ସୁର ପାବକ ନାଥ ତୋହୋର ନାମ ଗଙ୍ଗାଧର।୧୦।

 

ସଂସାରକୁ ସାର ତୋର ମହା ରୁଦ୍ର ମନ୍ତ୍ରେ

ଶୈଳଜାର ବଲ୍ଲଭ ତୁ ପିନାକ ଧରୁ ହସ୍ତେ।୧୧।

ସରଳ ଯେବଣ ଯେ କାଳାନଳ ଉଡ଼ଙ୍ଗ

କଟି ମେଖଳା ସେ ଯେ ଅନନ୍ତ ଭୁଜଙ୍ଗ।୧୨।

 

କାମ ପତନ ନାଥ ନକଲୁ ୟେହା କିଛି

ୟେକ ତଲୟେ ଭଜିଲୁ ଯୋଗ ଲୟେ ବାଛି।୧୩।

ୟେ ସଚରାଚର ଜୀବ ଜନ୍ତୁ କଲୁ କୀଟ ପୋକ

ଉଲଗ୍ନସାହୀ ହୋଇ ଲଭିଲୁ ତ୍ରୈଲୋକ।୧୪।

 

ପିନାକ ଶାରଙ୍ଗ ଖଟ୍ୱାଙ୍ଗ ଡମ୍ୱରୁ ଯେ ହସ୍ତେ

ଡାକି ଗହନ ନାଦେ ପଳାନ୍ତି ଦୁରାପାତେ।୧୫।

ପ୍ରତଗ୍ୟାଂ ସାର୍ଥୁକ ନାଥ ଦକ୍ଷର ଯାଗ ଭଞ୍ଜା

କପିଳାସ ବିହରଣ ବ୍ରହ୍ମାର ଶିରଗଞ୍ଜା।୧୬।

 

କବନ୍ଧ ବିଦାରଣ ତୁହି ସେ ଆଦି ଈଶାନ

ନମସ୍ତେ ବିରୂପାକ୍ଷ ଦେବ ତ୍ରିଲୋଚନ।୧୭।

କରୁଣାକର ନାଥ ତ୍ରୈଲୋକ୍ୟ ଚିନ୍ତାମଣି

କୋଟିୟେ ଯୁଗ ଗଲେ ସ୍ୱାମୀ ନିମିଷକ ପ୍ରାୟେ ମଣି।୧୮।

 

ସ୍ୱାମୀ ନୀଳକଣ୍ଠ ତବ ଶ୍ରୀଚରଣେ ନମାମି

କପିଳାସ ସିଂଘଦ୍ୱାର ମୋତେ ପ୍ରାପତ କର ଦେବସ୍ୱାମୀ।୧୯।

ଗିରିଜା ବଲ୍ଲଭ ଶ୍ରୀଚରଣେ ନିତ୍ୟେ ମୁହିଂ ଦାସ

କିଞ୍ଚିତ ଖଣ୍ଡଣ କରିବା ନାଥ କାଳଦଣ୍ଡ ଫାଶ।୨୦।

 

ଶ୍ରୀମହେଶ୍ୱର ରୂପକୁ ଶତେ ସହସ୍ର ଦଣ୍ଡ ପରିଣାମି

ବଦୟନ୍ତି ଶାହାସ୍ର ଯୋଗେ ସାରୋଳା ଦାସ ଶୂଦ୍ରମୁନି।୨୧।

 

ଅର୍ଜୁନର ପ୍ରତିଜ୍ଞା

 

ଅଗସ୍ତି କହିଲେ ଯେ ପୁରାଣ ସଂଯୋଗେ

ଅର୍ଜୁନ ପ୍ରତଗ୍ୟାଂ କହନ୍ତି ଯେ ବଇବସୁତ ମନୁ ଆଗେ।୧।

ଦ୍ରୋଣଙ୍କର ଭାରିଯା ପାକ ସମ୍ପାଦନ କରି

ସ୍ନାହାନ ନିମନ୍ତେ ଯେ ଯାଆନ୍ତି ବ୍ରହ୍ମଚାରୀ।୨।

 

ସୁରଭି ନଦୀକୁ ସ୍ନାହାନ କରିଣ ଯାଉଣ ଦୀର୍ଘ ପଥେ

ବାଟରେ ତେନ୍ତୁଳି ବୃକ୍ଷେକ ଦେଖିଲେ ଭାରଦ୍ୱାଦଶଙ୍କର ସୁତେ।୩।

ବୋଇଲେ ଦ୍ରୋଣେ ପଲ୍ଲବ ହୋଇଛି ବୃକ୍ଷରାଜ

ବେଗେଣ ଦ୍ରୋଣେ ପେଷଲେ କତୁରୀ ନାରାଜ।୪।

 

ବୃକ୍ଷରୁ ପତ୍ରଯାକ ଝାଡ଼ି ପକାଇଲେ

ଜାହ୍ନବୀକି ବୋଲି ଗୁରୁ ସ୍ନାହାନ କରିଗଲେ।୫।

ୟେମନ୍ତ ସମୟେ ଯେ ଅର୍ଜୁନ ଅଇଲା

ଗୁରୁଙ୍କ ଘରଠାରେ ପ୍ରବେଶ ହୋଇଲା।୬।

 

ଅର୍ଜୁନେ ପଚାରିଲେ ଗୁରୁ ଗଲେ କେଣେ

ଅନ୍ନ ତିଆରି କର ବାବୁ ଗୁରୁ ଗଲେ ସ୍ନାହାନେ।୭।

ୟେତେ ଶୁଣି ବୀର ସେହି ପଥେ ଗବନ

ବାଟରେ ଦେଖିଲେ ତେନ୍ତୁଳି ବୃକ୍ଷର ବେବସ୍ତାମାନ।୮।

 

ଚଇତ୍ର ମାସ ନୋହଇ ୟେତ ପତ୍ର ଝଡ଼ା ଦିଲା

ୟେତେ ବୋଲି ସେ ବୃକ୍ଷରାଜ କତିରେ ହୋଇଲା।୯।

ଦେଖଇ ପତ୍ର ଯେ ନାରାଜେ ଛେଦନ

ହୃଦରେ ବିଚାରି ବୋଲଇ ଦ୍ରୋଣଙ୍କ କଥାମାନ।୧୦।

 

ୟେ ମହାଖରାରେ ବୃକ୍ଷ ହେଉଛି ଦଗଧି

ଦେଖିଣ ହୃଦଗତେ ମନରେ ବଡ଼ କ୍ରୋଧୀ।୧୧।

ପବନା ଶରେକ ଗୁଣରେ ବସାଇଲା

ପତ୍ରମାନ ଉଡାଇ ଯେ ଯାହା ଠାବରେ ଲଗାଇଲା।୧୨।

 

ମନ୍ତ୍ର ବଳେ ଶୁଖିଲା ପତ୍ର କଞ୍ଚା କରି

ସମସ୍ତ ଲଗାଇଲା ନେଇ ମନ୍ତ୍ର ବଳ କରି।୧୩।

ୟେତେ କୃତ୍ୟ କରି ବାହୁଡ଼ି ଅଇଲା

ନିଜ ମନ୍ଦିରେ ଯାଇ ପ୍ରବେଶ ହୋଇଲା।୧୪।

 

ଗୁରୁ ସ୍ନାହାନ ତର୍ପଣ ବେଗେ ସାରି

ବାହୁଡ଼ି ଆସନ୍ତେ ବାଟରେ ବୃକ୍ଷ ଦେଖିଲେ ବ୍ରହ୍ମଚାରୀ।୧୫।

ଚାହିଂଣ ଦେଖିଲେ ମୁଂ ପତ୍ର ଝାଡ଼ି ଡାଙ୍ଗ କରି ଯାଇଥିଲି

ୟେହା କଲା କେହୁ ମୁଂ ତାହାକୁ ହାରିଲି।୧୬।

 

ୟେତେ ବୋଲି ଦ୍ରୋଣେ ତୁରିତେ ଅଇଲେ

ଘରେ ଆସି ଦ୍ରୋଣେ ଭୋଜନେ ବସିଲେ।୧୭।

ବୋଇଲେ ହରିତା ଗୋ ୟେଠାକୁ ଆସିଥିଲେ କିୟେ

ବୋଇଲେ ୟେଠାକୁ ଆସିଥିଲା ବାସବର ପୋୟେ।୧୮।

 

ବିଚାରି ବୋଇଲେ ୟେହାର ଛେଦନ

କାଲି ପଚାରି ବୁଝିବା ୟେ କଥା ଅର୍ଜୁନ।୧୯।

ରାତ୍ର ପାହିଲେ ଉଦୟ ହୋଇଲେ ମାରତଣ୍ଡ

ସମସ୍ତେ ଆଖଡ଼ାଶାଳେ ହୋଇଲେକ ରୁଣ୍ଡ।୨୦।

 

ଗୁରୁ ବୋଇଲେ ଅର୍ଜୁନ ଗଲୁ ଯେ ଆମ୍ଭର ମନ୍ଦିରେ

ଆମ୍ଭଙ୍କୁ ଉଦ୍ଦେଶି ଗଲୁ ତୁ ଯେ ଗତ ଯେ ପଥରେ।୨୧।

ସେ ବୃକ୍ଷରାଜକୁ ବାବୁ କେବଣ କୃତ୍ୟକଲୁ

ଶୁଣିଲେ କୁରୁବୀରେ ଗୁରୁଙ୍କ ମୁଖରୁ।୨୨।

 

ବାବୁ ସମସ୍ତ ପତ୍ର ଭାଞ୍ଜି ସୁମନ୍ତ୍ର ବଳେ ଗଲି ଭଲା

ଶୁଖିଲା କଞ୍ଚା ଶରେ ପବନା ଶରେ ଉଡ଼ାଇ ଖଞ୍ଜିଲା।୨୩।

ଶୁଣି କୁରୁବୀରେ ହୋଇଲେ ତରସ୍ତ

କି ଜାଣି ତରଳ ଭାଣ୍ଡେ ପଡ଼ିଲା କୀଟ ପୋକ।୨୪।

 

ବାବୁ ତୋହୋର ଉଦିତରେ କୁଟୁମ୍ୱେ ବିଗ୍ରହ ପଡ଼ିବ

ଅବଶ୍ୟ ଦ୍ରିଯୋଧନ ଯୁଝେଷ୍ଠିଙ୍କର ସାଂଗ୍ରାମ ହୋଇବ।୨୫।

ୟେତେକ ବଚନ ଶୁଣିଣ ଧୃତରାଷ୍ଟି

ମନରେ ଗରୁଚିନ୍ତା ବାହାରେ ଭାବ ତୁଷ୍ଟି।୨୬।

 

ଦ୍ରୋଣଙ୍କର ପ୍ରୟାଗ ଗମନ, ଅଶ୍ୱଥିମା ଓ କୃପଙ୍କର 

ତପସ୍ୟା, କୌରବଙ୍କ ଦ୍ୱାରା ସେମାନଙ୍କୁ ଆଣିବା ଓ ରାମକୃଷ୍ଣଙ୍କ ଦର୍ଶନ

 

ଅଗସ୍ତି କହିଲେ ପୁରାଣ ସଂଯୋଗେ

ବଇବସୁତ ମନୁ ଶୁଣନ୍ତି ଆସ୍ରାଗେ।୧।

ଶ୍ରୀମହାଭାରଥ ୟେ ଆଦିପର୍ବ କଥା

ସଂସାର ଗତି ଲାଭ କାୟେ ମୁକତି ଅର୍ଥଦାତା।୨।

 

ଯେବଣ ଗ୍ରନ୍ଥ ଶୁଣିଲେ ଯଶ ଶିରୀ ଆୟୁଷ ବଢଇ

ଶତ୍ରୁ କ୍ଷୟେ ଯାୟେ ଅରଷ୍ଟି ଦର୍ପ ଯେ ଗଞ୍ଜଇ।୩।

ଦ୍ରୋଣ ଗୁରୁ କୁରୁବୀରମାନଙ୍କର ପ୍ରତଗ୍ୟାଂ ଦେଖିଲେ

ନାରାୟଣଙ୍କ ଅଗ୍ରତେ ବଳରାମେ ଯେ କହିଲେ।୪।

 

ବଡ଼ ସାଧନେ ସାଧୁ ଅଛନ୍ତି ହସ୍ତିନା

ଆଖଡ଼ା ଶାଳ ତହିଂ ଯାଇ ଦେଖି ଯିବା ଭାଇ କହ୍ନା।୫।

ତାଳଧ୍ୱଜ ରଥେ ବିଜୟେ ବଳଦେବ

ନନ୍ଦିଘୋଷ ରଥରେ ବିଜୟେ ମାଧେବ।୬।

 

ତାଳଧ୍ୱଜ ରଥରେ ଯେ ସୁବଳ ସାରଥି

ନନ୍ଦିଘୋଷ ରଥ ଦାରୁକ ତଡ଼ତି।୭।

ବସନ୍ତ ଋତୁ ଯେ ଫାଲଗୁନ୍ୟ ମାସ

ଶୁକଳ ପକ୍ଷ ତୃତୀୟା ଭୃଗୁବାର ଦିବସ।୮।

 

ରେବତୀ ନକ୍ଷତ୍ର ଯେ ବାଣିଜ୍ୟ ନାମେ କରଣ

ମାହେନ୍ଦ୍ର ଯୋଗ ଘେନି ବାରୁଣାକୁ ଚଳନ୍ତି କାହ୍ନୁ ସଂକ୍ରିଷେଣ।୯।

ଦ୍ରୋଣେ ଯେ ଗଲେ ପ୍ରାଗ ମହାତୀର୍ଥେ

ପାଛୋଟି ଗଲେ ସାତ ଉତ୍ତର ଶତେ ଭ୍ରାଥେ।୧୦।

 

ଦ୍ରୋଣଙ୍କୁ ନେଇ ଛାଡ଼ିଲେ ଅଜଙ୍ଗପାଦ ବନେ

ସମସ୍ତେ ପ୍ରବେଶ ହୋଇଲେ କୃପ ଅଶସ୍ତମାର ତପ ସ୍ଥାନେ।୧୧।

ଦେଖିଲେ ଅଶସ୍ତମାର ୟେକଇ ଆସନ

ଚଉଦ ବରଷ ହୋଇଲା ୟେକଇ ନିଶ୍ଚଳ ନୟନ।୧୨।

 

କାହାରି ନାମ ଯେ ନ ଧରଇ ତାର ମନେ

ଶୂନ୍ୟକୁ ଲୟ କରି ଚାହଂଇ ଗଗନେ।୧୩।

ବୋଧଇ ଅଣାକାର ସାଧଇ ବ୍ରହ୍ମଗ୍ୟାନ

ୟେମନ୍ତେ ଚଉଦ ବରଷ ୟେକ ଲୟେ ମନ।୧୪।

 

ପବନ ନିରୋଧି ଯେ ଟେକଇ ଉଜାଣି

ଦ୍ୱାଦଶ ଇନ୍ଦ୍ରିୟ ୟେକତ୍ୱ କରି ଆଣି।୧୫।

ବିଂଶ ଆଙ୍ଗୁଳି ଗଙ୍ଗା ବୋଲି ଶୋଷି

ୟେଥୁ ସେ ନିଦ୍ରା ଅଳସ ନୁଆସି।୧୬।

 

ପଞ୍ଚମୁନା ନାଳ ଯେ ତିହୁଡ଼ିର ବାଟ

ଜ୍ୱାଳାନଳ ଟେକିଲା ସେ ଶ୍ରୀହଟ ଯେ ପାଟ।୧୭।

କ୍ଷନ୍ଦାଇ ପକାଇଲା ବାସ୍ତରୀ ଯେ ମୁଦ୍ରା

ଧାତା ଦୃଢ କରିଣ ଭାଞ୍ଜିଲା ମହାନିଦ୍ରା।୧୮।

 

ନିଦ୍ରାପୁରୁଷଟି ସେ ଅଟଇ ଯେ କାଳ

ୟେହି ସେ ନାଶ କରି ସକଳ।୧୯।

ପବନ ଉଜାଣି ଜାଇ ନବଦ୍ୱାର ବାଟେ

ତାହା ସବୁ ବନ୍ଧନ ଶିଷୁମୁନା ବାଟେ।୨୦।

 

ନବଦ୍ୱାର ନିରୋଧି ଯେ ବସିଛି ମହାତ୍ମା

ଦେଖି ନ ଦେଖଇ ଶୂନ୍ୟ ଶବଦ ସୀମା।୨୧।

ଜିହ୍ୱା ଗୋପ୍ୟାନ କଲା ସେ ଘଣ୍ଟିକାର ମୂଳେ

ତହିଂରୁ ଅମୃତ ପାନ କଲା ସର୍ବକାଳେ।୨୨।

 

ସାତୁକୀ ପୁରୁଷ ସେ ଅଭୟେ କାଳକୁ

ଅମାୟା ପୁରୁଷସେ ଚାହଂଇ ଶୂନ୍ୟକୁ।୨୩।

ନାହିଂନାହିଂପବନନାହିଂପଞ୍ଚଶାଖା

ନାହିଂ ନାହିଂ ନିଅଙ୍ଗ ନାହିଂ ନା ବାଟ ରେଖା।୨୪।

 

ନାହିଂ ପରସନ୍ନ ନାହିଂ ନାଅପ୍ରସନ୍ନ

ଜିହ୍ୱା ଇନ୍ଦ୍ରି ଗୋପ୍ୟ କଲା ନିଗ୍ରହ ବାସନ।୨୫।

ନିରାଶିତ ଜପ ଯହୁଂ କଲା ଅଣାକାରେ

ଆସନ ଛାଡ଼ିଣ ଯେ ଉଠିଲେ ନିରାକାରେ।୨୬।

 

ଶୂନ୍ୟେଣ ଶବ୍ଦ ଶୁଭିଲା ବର ମାଗ ଅଶସ୍ତମା

ସାମାଧିରେ ଥାଇଂ ଉତ୍ତର ଦିଲେ ମହାତମା।୨୭।

ଶବଦ ଶୁଭଇ ସ୍ୱାମୀ ନଦିଶଇ ଶରୀର

ଅଣ୍ଡୀର କୋକିଳ ଜାଣି ବାଣୀ ସୁସ୍ୱର।୨୮।

 

ଆରେ କେବଣ ଭୁବନକୁ କରୁ ଅଛୁ ଇଚ୍ଛା

ବର ମାଗ ତୋହୋର ଯେବଣ ମନ ବାଞ୍ଛା।୨୯।

ଅଶସ୍ତମା ବୋଇଲା ମୁଂ ଉତପତ୍ତି ହୋଇଲି ଭୁବି

ୟେ ପୃଥୀ ଥିବାଯାୟେ ମୁଂ ୟେହି ମତେ ଥିବି।୩୦।

 

କାଳ କାମ ନିଦ୍ରା ମୋତେ ନ ପୀଡ଼ିବ ନୟନେ

ହୋଉ ତୋତେ ପ୍ରାପତ ବୋଲି ବୋଇଲେ ଦେବଶୂନ୍ୟେ।୩୧।

କୃପ ଆଚାର୍ଯ୍ୟେ ମାଗିଲେ ଯେହୁ ବର

ୟେ ପୃଥୀ ଥିବା ଯାୟେ ମୁଂ ହୋଇବି ଅମର।୩୨।

 

ତ୍ରିଜୀବୀ ହୋଇବି ସ୍ୱାମୀ ତୋହୋର ସେ ବରେଣ

ହୋଉ ବୋଲି ବୋଇଲେ ଶୂନ୍ୟପୁରୁଷ ଶୂନ୍ୟେଣ।୩୩।

କରପତ୍ର ଯୋଡ଼ି ବୋଲଇ ଅଶସ୍ତମା

ଆବର ବର ମୋତେ ଦେବୁ ହେ ମହାତମା।୩୪।

 

ହସ୍ତିନା ଭୁବନେ ଥିବାକୁ ମୋର ଆଶ

ବ୍ରହ୍ମବେଦ ବିଦ୍ୟାୟେ ମୁଂ ନୋହିବି ନିରାଶ।୩୫।

ଅସ୍ତୁ ହୋଉ ବୋଲି ବୋଇଲେ ଦେବ ଶୂନ୍ୟି

ବ୍ରହ୍ମବେଦ ବିଦ୍ୟାୟେ ତୁମ୍ଭେ ହୁଅସି ମହାଗ୍ୟାନୀ।୩୬।

 

ୟେମନ୍ତେ ସମୟେ ଯାଇ ହୋଇଲେ କୁରୁବୀରେ

ଦେଖିଲେ ଗତ ଆତ୍ମା ପ୍ରାୟେ ପଡିଛନ୍ତି ଭୂମିରେ।୩୭।

ଅଶସ୍ତମା କୃପ ଯେ ଆହାର ବିହୁନେ

ଉଠିବସି ନ ପାରନ୍ତି ଆତ୍ମବଳ ହୀନେ।୩୮।

 

ଧୁଶାସନ କୋଳ କରି ଧଇଲେ ଅଶସ୍ତମା

କାନ୍ଧେଣ ଘେନିଲେ ସେ କ୍ଷତ୍ରିୟମ ହାତମା।୩୯।

କୃପ ଆଚାର୍ଯ୍ୟଙ୍କୁ ଧଇଲେ ଦ୍ରିଯୋଧନ

କାନ୍ଧେ ବସାଇଲେ ସେ ଧୃତରାଷ୍ଟର ନନ୍ଦନ।୪୦।

 

ଘେନିଣ ଆସୁ ଅଛନ୍ତି ବାରୁଣା ପ୍ରଶସ୍ତେ

ରାମକୃଷ୍ଣଙ୍କୁ ଭେଟିଲେ କଉସ୍ତୁଭ ପର୍ବତେ।୪୧।

ଯୁଝେଷ୍ଠି ଭୀମ ଅର୍ଜୁନ ସହଦେବ ନକୁଳ

ପ୍ରଣପତ୍ୟ ହୋଇଲେ ବଳଦେବଙ୍କ ପୟର।୪୨।

 

ଯୁଝେଷ୍ଠି ଦେବଙ୍କୁ କୃଷ୍ଣ ନମସ୍କାର କଲେ

କଲ୍ୟାଣ କଲେ ଧର୍ମରାୟେ ନୃପତିର ତୁଲେ।୪୩।

ରାମକୃଷ୍ଣଙ୍କୁ ନମସ୍କାର ନ କଲେ କୁରୁବୀରେ କେହି

ଅନେକ ପ୍ରସ୍ତୁତ କଥାମାନକହି।୪୪।

 

ପ୍ରବେଶ ହୋଇଲେ ବାରୁଣାବନ୍ତେ ଯାଇଂ

ଅଶସ୍ତମା କୃପଙ୍କୁ ଅନେକ ବଧାଇ।୪୫।

ସ୍ନାହାନ ଭୋଜନକଲେ କୋଇନ୍ତାଙ୍କ ପୁରେ ରହି।୪୬।

 

ସର୍ପନ୍ତ ମଉଳେ ବହନ୍ତି ଦେବ କାମପାଳ

ପବନ ଆହାରେ ସେ ବ୍ରତନ୍ତି ସର୍ବକାଳ।୪୭।

 

କୌରବଙ୍କର ବଳରାମଙ୍କଠାରୁ ଗଦା ବିଦ୍ୟା ଶିକ୍ଷା, 

ଅର୍ଜୁନଙ୍କର ଶିକ୍ଷା ନକରିବାର କାରଣ କଥନ।

 

ସଂକ୍ରିଷେଣ ବୋଇଲେ ହୋ ଦ୍ରୋଣ ତୁମ୍ଭ ବିଦ୍ୟାଗୁରୁ

କି,କି ବିଦ୍ୟା ଶିଖାଇଅଛନ୍ତି ଦେଖି ପରୀକ୍ଷା ଆମ୍ଭେ କରୁ।୧।

ଧନୁ ଶହସ୍ରବି ଦ୍ୟା ଯେ ଦେଖିଲେ ସମସ୍ତ

ବଳରାମେ ବୋଇଲେ ନୋହିଲା ସାଧନ ଗଦାହସ୍ତ।୨।

 

ବଳରାମେ ଗଦା ଯେ ଧଇଲେ ଆପଣେ

ଆକ୍ରଷଣ ଗତି କଲେକ ଦେବ ସଂକ୍ରିଷେଣେ।୩।

ଶୂନ୍ୟ ପବନେ ଗଦା ବୁଲାଇଲେ ଉଠି

ଆକ୍ରଷଣ କରିଣ ଯେ ସଂଘରନ୍ତି ଦେବ ମୁଷ୍ଟି।୪।

 

ଦ୍ରିଯୋଧନ ବିନୟ ଭାବେଣ ହୋଇଲା ପରିଣାମି

ୟେ ଗଦା ହସ୍ତ ମୋତେ ଶିଖାଇବା ଦେବ ସ୍ୱାମୀ।୫।

ବଳରାମେ ବୋଇଲେ ଆମ୍ଭେ ଆଖଡ଼ା ରଇବ୍ରତ ପର୍ବତେ

ଯାହାର କାର୍ଯ୍ୟ ତହିଂକି ଯାଅ ନିତ୍ୟେ, ନିତ୍ୟେ।୬।

 

ଅର୍ଜୁନ ବୋଇଲା ସ୍ୱାମୀ ଦ୍ରୋଣେ ଯେ ଆମ୍ଭର ଗୁରୁ

ତାଙ୍କର ବିଦ୍ୟା ବିନୁଂ ଆମ୍ଭେ ଆନ ଯେ ନ ଲୋଡୁ।୭।

ୟେକ ଗୁରୁକେ ଯେ ଅନେକ ବିଦ୍ୟା ହୋୟେ ସାଧି

ବ୍ୟାଧି ନାଶ ଯାଇଟି କଲେ ୟେକ ମଉଷଧି।୮।

 

ଅପାର ଔଷଧରେ ନ ବର୍ତ୍ତଇ ରୋଗୀ

ଅପାର ଅନ୍ନ ଖାଇଲେ ନାଶ ଯାଇ ଯୋଗୀ।୯।

ଅପାର କୁଟୁମ୍ୱେ କ୍ରୋଧ ହୋଇ ଅପାରଇ

ଅପାର ପ୍ରତିଗ୍ରହେ ବ୍ରାହ୍ମଣେ ନାଶଯାଇ।୧୦।

 

ଅପାର ବୁଦ୍ଧିରେଣ ଯେ କାର୍ଯ୍ୟ ହୋୟେ ହାନି

ଆପଣେ ନାଶ ଯାଇ ଅପାର ମତ ଘେନି।୧୧।

ଅପାର ସ୍ତିରୀ ପ୍ରସଙ୍ଗ ହୋଇଲେ

ଆୟୁଷ କ୍ଷୟେ ଯାଇ ଅପାର ଶୃଙ୍ଗାର କଲେ।୧୨।

 

ଅପାର ଲୋକରେ ଇନ୍ଦୁର ନୋହେ ମାରି

ଅପାର ତୀର୍ଥ କଲେ ହୋଅଇ ଦେଶାନ୍ତରୀ।୧୩।

ଅପାର ହିଂସାରେ ଦେହ ପତନ ଯେ ହୋଇ

ଅପାର ଲୋଭରେ ହାଦେ ମଙ୍ଗଳ ତୁଟଇ।୧୪।

 

ଅର୍ଜୁନ ଭାଞ୍ଜିଲା ସେ ଅପାର କଥାକୁ

ଅପାରୁଂ ଅପାର ଯେ କହିଲା ଯୋଗାନ୍ତକୁ।୧୫।

ୟେସନେକ କଥା ଶୁଣି ଦ୍ରିଯୋଧନ ବୋଇଲା

ତୁମ୍ଭର ନ ଗଲେ ଆମ୍ଭର କିସ ଯେ ହୋଇଲା।୧୬।

 

ଆମ୍ଭେମାନେ ଯାଇଂ ସେ ଶିଖିବୁଂ ଗଦା ବିଦ୍ୟା

ଶୁଣି ପରମ ସନ୍ତୋଷ ହୋଇଲେ ଯୋଗସିନ୍ଧା।୧୭।

ବାହୁଡ଼ି ରାମକୃଷ୍ଣ ଗଲେ ନିଜ ଦେଶ

ହସ୍ତିନା ରାଜ୍ୟରେ ରହିଲେ କୁରୁବଂଶ।୧୮।

 

ଦ୍ରିଯୋଧନ ଯାଇଂନି ତ୍ୟେ ରଇବତ ପର୍ବତକୁ

ବଳରାମଙ୍କ ଗଦା ବିଦ୍ୟା ସାଧନ କରିବାକୁ।୧୯।

ଗଦା ବିଦ୍ୟା ଶିଖିଲେ ସେ ବଳରାମଙ୍କର ସଙ୍ଗତେ

ଗଣ୍ଠି ମୁଠି ସକଳ ଜାଣିଲେ ଶତେ ଭ୍ରାଥେ।୨୦।

 

ଭାନୁମତୀ ବିବାହ

 

ଶୁଣ ହୋ ରାଜନ ବିଜୟନଗ୍ର ବୋଲିଣ ସେ ଦକ୍ଷିଣ କୋଶଳେ

ଭୂମନୁ ବୋଲି କରି ତହିଂର ମହୀପାଳେ।୧।

ତାହାର ଭାରିଯା ନାମ ଭୁବନାବତୀ

ତାହାର ଦୁହିତାର ନାମ ହୋଇଲା ଭାନୁମତୀ।୨।

 

ବଡ଼ାଇ ସୁନ୍ଦର ସେ ଅଟଇ ମହାଗ୍ୟାନୀ

ବେଦଶାସ୍ରେ ନିର୍ଜିତ ଯେ ଅଟଇ ପୁଣ୍ୟମାନୀ।୩।

ମାତାର ତହୁଂ ସେ ଯେ କଲା କ୍ଷୀରପାନ

କ୍ଷୀର ଆହାରେ ବ୍ରତଇ ନ ଭୁଞ୍ଜଇ ଅନ୍ନ।୪।

 

ଦେବାଙ୍ଗ ବସନ ଯେ ପିନ୍ଧଇ ଯୁଗତେ

ନପଢିଣ ଶାସ୍ର ସେ ବଖାଣୁଥାୟେ ନିତ୍ୟେ।୫।

କୋକିଳ ଧୁନି ସୁସ୍ୱରେ ଭାଷଇ ଦିବ୍ୟ ରସେ

ବିଚକ୍ଷଣ ସୁନ୍ଦରୀ ସେ ନାହିଂ ନା ଆକାଶେ।୬।

 

ଭୂମନୁ ପଚାରଇ ଗୋ ସ୍ତିରୀ ଜନ୍ମ ତୁହି

କାହାକୁ ପ୍ରଦାନ ଗୋ କରିବାକ ଆୟି।୭।

ଶୁଣିଣ ବଚନ ଯେ ବୋଲଇ ଭାନୁମତୀ

ତୁ ମୋତେ ବିମୁଖ ନୋହ ମୁଂ ଅଟଇ ମହାସତୀ।୮।

 

ଆମ୍ଭେ ଚାରି କନ୍ୟା ଶୂନ୍ୟର ଯେ ଦେବତୀ

ଦ୍ୱାପରଯୁଗେ ଆସି ମଧ୍ୟ ଭୁବନେ ଉତପତ୍ତି।୯।

ସତ୍ୟଯୁଗେ ଆମ୍ଭେ ରତି ଅହିଲା ଦମନ୍ତୀ ବେଦମତୀ

ତ୍ରେତୟାରେ ସୀତା ତାରା ସାବିତ୍ରୀ ଇନ୍ଦୁମତୀ।୧୦।

 

ଦ୍ୱାପରେ ଆମ୍ଭେ ଜନ୍ମିଲୁ ରେବତୀ ରୁକ୍ମଣୀ

ଭାନୁମତୀ ଦ୍ରୋପତୀ ଆମ୍ଭେ ଚାରି ଯେ ଭୟେଣୀ।୧୧।

ତୁମ୍ଭେ ଆମ୍ଭଙ୍କୁ ବିମୁଖ ନୋହସି ହୋ ତାତ

ମରି ନ ମରି ଆମ୍ଭେ କୌତୁକେ ହୋଉ ଜାତ।୧୨।

 

ଆମ୍ଭର ଯେତେବେଳେ ତାତ ହୋଇବଟି ଇଛା

ତୋହୋର ଆଗରେ କହିବୁ ଯେହ୍ନେ ମନ ବାଞ୍ଛା।୧୩।

ୟେହୁ ବଚନେଣ ସମୟେକ ଗଲା

ଶୟେ ଚଉଷଠୀ ବରଷ ସମ୍ପୂର୍ଣ୍ଣ ହୋଇଲା।୧୪।

 

ବାଳୁତ ଭାବେଣ ସେ ଖେଳଇ କୁମାରୀ

ପୁଣିହିଂ ଭୂମନୁ ଦୁହିତାକୁ ପଚାରି।୧୫।

ମା ଗୋ କେହେନେକ ଆଗ୍ୟାଂ ଦେବୁନାହିଂ କି ମୋତେ

କାହାକଇ ପ୍ରଦାନ କରିବଇଂ ତୋତେ।୧୬।

 

ଭାନୁମତୀ ବୋଇଲା ଯେବେ ହୋଇଲୁ ଆରତ

ରାଜାନ୍ତ ଆଣି ସୟମ୍ୱର କର ତାତ।୧୭।

ଦୁହିତାର ବଚନେ ଭାଷିଲା ନୃପମଣି

ଧନବନ୍ତ ରାଜା ମୁଂ ଗୋ ନୋହଇ ଦୁଲଣି।୧୮।

 

ଲକ୍ଷେ ନୃପତି ଯେ ଅଛନ୍ତି ପୃଥିବୀରେ

ସୟଂବର କଲେ ଆସିବେ ସବୁ ନୃପବରେ।୧୯।

ଯାହାକୁ ନୁଆଣିବି ସେ ହୋଇବ ଅବରଣ

ଧର୍ମ ନାଶ ଯିବ କାର୍ଯ୍ୟ ହୋଇବ ଅକାରଣ।୨୦।

 

ସତ୍ୟ ଯୁଗେ ଯାଗ କଲେ ଜମଦଅଗ୍ନି ମହାଯତି

ସହସ୍ରା ଅର୍ଜୁନକୁ ନବରି ବରିଲେ ସବୁନ୍ତି।୨୧।

ୟେକା ଜଣକ ସେ ଧାଡ଼ି ଦିଲାକ ଯଗ୍ୟଂ କାଳେ

ଶହସ୍ର ଘାୟେ ପଳାଇଲେ ଯେ ସମସ୍ତ ମହୀପାଳେ।୨୨।

 

ଜମଦଅଗ୍ନିର ସେ ଆସି ଛେଦିଲାକ ଶିର

ଯାଗ ଭାଞ୍ଜିଣ ସେ ସମସ୍ତ କଲା ଜୂର।୨୩।

ସୟଂବର କଲେ ସେ ସମସ୍ତ ଲୋକ ଆସିଯାଇ

କାରଯ ନୋହଇ ସେ ଆପଣେ ନାଶଯାଇ।୨୪।

 

ଭାନୁମତୀ ବୋଇଲା ତାତ ସୟମ୍ୱର ଯାଗ କଲେ

ଧର୍ମନାଶ ଯାଇଂ ଜଣେ କହିଂ ନ ବରିଲେ।୨୫।

ଭୂମନୁ ବୋଇଲା ମୁଂ ଅଟଇ ଧନହୀନ

ୟେତେ ସନ୍ୟକୁ ମା ଗୋ କାହୁଂ ଦେବି ଅନ୍ନ।୨୬।

 

ଭାନୁମତୀ ବୋଇଲେ ତାତ ଧନକୁ ନକରସି ଚିନ୍ତା

ମୁହିଂ ସେ ତୋତେ ହୋ ଧନ ଅନ୍ନ ଯେ ଦିଅନ୍ତା।୨୭।

ଭୂମନୁ ବୋଇଲେ ମୁଂ ସମ୍ପ୍ରତେ କେହ୍ନେ ଯିବି

ପରୀକ୍ଷ ଦେଖିଲେ ମୁଂ ତ୍ରିପୁତି ହୋଇବି।୨୮।

 

ଯୋଗାଡ଼ ଗୋଟିୟେ ତାତ ନିର୍ମିତ ତୁମ୍ଭେ କର

ମୋହୋର ମନ୍ତ୍ର ପାଣି ଫୁଟିୟେକ ଭର।୨୯।

ସେ ପାଗ ରାନ୍ଧିଲେ ହୋଇବ ଅମିୟ ରସ

ସମଦଣ୍ଡ ସନ୍ୟ ତୋହୋର ଇଛାୟେଣ ପରଶ।୩୦।

 

ଲକ୍ଷେକ ରାଜାର ଯେତେକ ସଇନି

ଇଚ୍ଛାୟେ ଭୁଞ୍ଜନ୍ତୁ ତାତ ଯେ ଯାହା ଥାଠ ସୈନ୍ୟ ଘେନି।୩୧।

ପରୀକ୍ଷ ନିମନ୍ତେ ଦେବୀ ମନ୍ତ୍ର ପାଣି ଦିଲା

ନିଜ ପାକେ ନେଇ ଭୂମନୁ ବସାଇଲା।୩୨।

 

ଅମୃତରସ ପାଗ ହୋଇଲା ଯୁଗତେ

ପରଶିଲେ ନସରଇ ସଇନି ବଳ ଯେତେ।୩୩।

ୟେକାଦଶ କ୍ଷଉଣୀ ରାଜାର ଅଟଇ ଥାଠ

ୟେକା ଯୋଗାଡ଼କେ ସମସ୍ତଙ୍କୁ ଅନ୍ନ ନ ହେଲା ନିଅଣ୍ଟ।୩୪।

 

ଭୂମନୁ ବୋଇଲା ମା ଗୋ ୟେ ବଡ଼ ଦୁଲଭ

ୟେ ମଧ୍ୟଭୂବନେ ନାହିଂ ଗୋ ୟେସନେକ ସୁଲଭ।୩୫।

ୟେମନ୍ତ ପ୍ରସନ୍ନକୁ ଅଟୁ ଅତୁଟାଇ

କେଉଂଣ ପୁଣ୍ୟ ବଳେ ୟେସନେକ ଭିଆଇ।୩୬।

 

ଦୁହିତା ପ୍ରତିବାଚ ତାତ ଶୁଣିମା ଭୂଅପତି

ବ୍ରହ୍ମାଙ୍କର ଭାରିଯା ଅଟଇ ସାବିତ୍ରୀ।୩୭।

ଆମ୍ଭେ ସାତ କନ୍ୟା ତାହାଙ୍କର ପରିବାରୀ

ରେବତୀ ଋକ୍ମଣୀ ଭାନୁମତୀ ଦ୍ରୋପଦୀ ଆଦି କରି।୩୮।

 

ଅରୁନ୍ଧତୀ ଅଞ୍ଜନା କମଳା ଘେନି ସାତ

ସେ ବ୍ରହ୍ମାୟେଣୀ ପ୍ରସନ୍ନେ ଆମ୍ଭଙ୍କୁ ରାନ୍ଧଣା ବିଦ୍ୟା ପରାପତ।୩୯।

ଭୂମନୁ ବୋଇଲା ମା ଗୋ ମିଳାଇଲୁ ଅନ୍ନ

ଧନ ନଥିଲେ ନୋହଇ ଅବିଛନେ ଦାନ।୪୦।

 

ଭାନୁମତୀ ବୋଇଲା ତାତ ଧନକୁ ନ କର ଚିନ୍ତା

ଯେତେ ଧନ ମାଗୁ ତାତ ମୁଂହି ସେ ଦିଅନ୍ତା।୪୧।

ଭୂମନୁ ବୋଇଲେ ମା ଗୋ ପରୀକ୍ଷକୁ ମୋତେ ଦେଖାଇବୁ ନା କାରଣ

ପରୀକ୍ଷ ଦିଲେ ସୟଂବରକୁ ସ୍ୱୀକାର କରିବି ୟେହିକ୍ଷଣ।୪୨।

 

ଭାନୁମତୀ ବୋଇଲା ତାତ ୟେହି ସେ ପାଷାଣ

ଧରାଧରି କରିଣ ମୋହୋର ଛାମୁକୁ ଆଣ।୪୩।

ସାତ ସାଙ୍ଗୀ ଲାଗିଲା ଦୃଢ କରି

ଭାନୁମତୀ ଛାମୁରେ ଆଣି ଥୋଇଲେ ଥିରକରି।୪୪।

 

ଭାନୁମତୀ ଡାହାଣ କର ଘଷିଲା ପାଷାଣେ

ଅଗ୍ନିହୁଂ ଉତ୍ତାର ରତ୍ନ ହୋଇଲା ତତକ୍ଷଣେ।୪୫।

ଦେଖିଣ ଆଶ୍ରିଜ ଯେ ଭୂମନୁ ନରପତି

ପ୍ରତକ୍ଷେ ଲକ୍ଷ୍ମୀ ମା ଗୋ ହୋଇଛୁ ଉତପତ୍ତି।୪୬।

 

ଭାନୁମତୀ ବୋଇଲା ତାତ ମୋର ଜନ୍ମେ ଜନ୍ମେ ୟେ ସିଦ୍ଧି

ଦୁଇ ହାଥେ ଅଛି ମୋର ଶଙ୍ଖ ପଦ୍ମ ନିଧି।୪୭।

ମାଂକଡା ପଥରେ ଲଗାଇଲେ ମୋର କର

ଯଉଂ ରତ୍ନ ଇଛିବି ସେହି ହୋଇବ ପାଣି ଦ୍ରବ୍ୟ ସାର।୪୮।

 

କନ୍ୟା ମାସ ଶୁକଳ ପକ୍ଷ ଦଶମୀ ଯେ ତିଥି

ଶରଦ ଉଚ୍ଛବ ଅନ୍ତେଣ ଅପରାଜିତା ପାର୍ବତୀ।୪୯।

ପଣ୍ଡିତ ବାର ଯେ ଶ୍ରବଣା ନକ୍ଷତ୍ରେ

ସୟଂବରକୁ ଅନକୂଳ ଘେନଇ ଭୂମନୁ ନୃପତ୍ୟେ।୫୦।

 

ଶୂଦ୍ରକ ନାମେଣ ତାର ମନ୍ତ୍ରୀକି ତତକ୍ଷଣେ ରାଇ

ରାଜାନ୍ତ ନିମନ୍ତ୍ରଣ କର ସୟଂବର କୃତ୍ୟ କହି।୫୧।

ଶୂଦ୍ରକ ମନ୍ତ୍ରୀ ଶୁଣି ଅନେକ ହରଷ

ଦେଶାଉର ପେଷିଲା ସେ ଚାରଦିଗ ପାଶ।୫୨।

 

ଭାନୁମତୀ ସାଦ୍ରିଶେ ଚିତ୍ରପଟେକ ଲିହିଲା

ରାଜାଙ୍କୁ ଦେଖାଇବାକୁ ସେ ସନ୍ଦେଶ ଭିଆଇଲା।୫୩।

ମନ୍ତ୍ରୀର ବଚନେ ଯେ ଚଳିଲେ ସର୍ବ ଦୂତେ

ରାଜାନ୍ତ ନିମନ୍ତ୍ରଣ କରନ୍ତି ତୁରିତେ।୫୪।

 

ଭାନୁମତୀର ସୟଂବର ବୋଲିଣ ଜଣାଇଂ

ଲେଖନ ଚିତ୍ରପଟ ଛାମୁରେ ଦେଖାଇଂ।୫୫।

ଭାନୁମତୀର ଛାମୁକୁ ରାଜା ଆଣଇଂ ପାଷାଣ ସର୍ବ

ତାହାର କର ଲାଗନ୍ତେ ହୋଅଇ ପାଣି ଦ୍ରବ୍ୟ।୫୬।

 

ୟେମନ୍ତେ ରାଜାର ଅନେକ ପାଣିଦ୍ରବ୍ୟ ହୋଇଲା

ନବର ଭଣ୍ଡାରମାନ ଯେ ଥୋଇତେ ଠାବ ନୋହିଲା।୫୭।

ବିଶ୍ୱକର୍ମା ମୂଳେ ଅନେକ ଦ୍ରବ୍ୟ ବାଣ୍ଟି

ଛାୟା ମଣ୍ଡୋପକେ ଉପାୟେ କରିଣ ଘଟି।୫୮।

 

ଛାୟା ମଣ୍ଡୋପ ଭିଆଇଲା ଶୁଭ ଯୋଗେ

ଛତ୍ରଘରମାନ ରାଜା ଭିଆଇଲା ବେଗେ ବେଗେ।୫୯।

ଅଶ୍ୱଶାଳ ଗଜଶାଳ ନଦୀକୂଳେ ତୋଳାଇ

ସୁବର୍ଣ୍ଣର କଳସ ରାଜା ଘରେ ଘରେ ବସାଇ।୬୦।

 

ନେତର ପାତାଙ୍ଗ ଉଡଇ ଫରହର

କଦଳୀ ତ୍ରୋଣା ଯେ ଉଭାରନ୍ତି ଦ୍ୱାର ଦ୍ୱାର।୬୧।

ଅଶୀ ପଦ୍ମ ଘର ଯେ ଭୂମନୁ ରାଜାର ନଗ୍ରରେ

ବିଜୟା ମଣ୍ଡଳ ଭୂମନୁ ରାଜା ମଣ୍ଡଇ ସମ୍ଭର୍ବରେ।୬୨।

 

ଯେସନେକ ଭୂମନୁ ପୁର ଦିଶଇ ଇନ୍ଦ୍ର ବାରସ୍ୱତୀ

କି ସେ ଭୁବନ ଦିଶଇ ଅଳକା ପୁର ଜ୍ୟୋତି।୬୩।

ଅକ୍ଷତ ପାଇଣ ଆସନ୍ତି ରାଜାଗଣମାନେ

ପ୍ରବେଶ ହୋଇଲେ ଯାଇଂ ବିଜୟା ନଗ୍ର ଥାନେ।୬୪।

 

ପାଦାଅର୍ଘ୍ୟ ପାଦାସନ ଘେନିଣ ଭୂମନୁ ରାଜା

ସମସ୍ତ ନୃପତିମାନଙ୍କୁ କରଇ ପାଦ ପୂଜା।୬୫।

କଳିଙ୍ଗ ଉଡଙ୍ଗ ବଙ୍ଗ ଯେ ତେଲଙ୍ଗ

ଖାଞ୍ଜଣ ଦେଶ ଯେ ତିହୁଡି ଦେଶ ଭାଗ।୬୬।

 

ଚିର ଦେଶ ବୀର ଦେଶ ମହାତିରଣ ଦେଶ

ଭୋଟ ଦେଶ ମନ୍ଦାର ଦେଶ କାଉଂରୀ ଯେ ଦେଶ।୬୭।

ମଙ୍ଗଳା ଦେଶ ଡାହାଳ ଦେଶ ଦେଶ ବେଲାଉଳ

କ୍ଷୀରଣ ଦେଶ ଖେଚର ଦେଶ ଦେଶ ଯେ ଭୂପାଳ।୬୮।

 

ମାଳବ ଦେଶ ଗୁର୍ଜର ଦେଶ ଦେଶ ମରହଟ୍ଟ

ମଗଧ ଦେଶ ମତ୍ସ୍ୟ ଦେଶ, ଦେଶ ଯେ ଗୁଜୁରାଟ।୬୯।

କାଶୀ ଦେଶ କଉଶିକ ଦେଶ, ଦେଶ ଯେ କୁବୁଜ

ଉଜ୍ଜୟିନୀ ଦେଶ ପାରିଜାତ କନାଉଜ।୭୦।

 

କ୍ଷେତ୍ର ଦେଶ, ବିକ୍ଷେତ୍ର ଦେଶ, ଦେଶ ଯେ ଗାନ୍ଧାର

ନୀଳ ଦେଶ, ଅନୀଳ ଦେଶ, ଦେଶ ଯେ ନେପାଳ।୭୧।

ଶାଖା ମଣ୍ଡଳ ଭାଖା ମଣ୍ଡଳ ବଜ୍ରଗିରି ମଣ୍ଡଳ

ଶୋଣିତ ମଣ୍ଡଳ ଯେ କଣୟ ମଣ୍ଡଳ।୭୨।

 

ମେରୁ ମଣ୍ଡଳ ରାଜା ଆସନ୍ତି ସକଳ ମଳୟ ମଣ୍ଡଳ

ମନ୍ଦର ମଣ୍ଡଳ ଆବର ପଦ୍ମ ଯେ ମଣ୍ଡଳ।୭୩।

କୋଶଳ ମଣ୍ଡଳ ଯାଜନଗ୍ର ମଣ୍ଡଳ

ଅମର ମଣ୍ଡଳ କୁଞ୍ଜଗଳ ମଣ୍ଡଳ।୭୪।

 

ବାରୁଣା ମଣ୍ଡଳ ଇନ୍ଦ୍ର-ପ୍ରଶସ୍ତ ମଣ୍ଡଳ।୭୫।

ୟେମନ୍ତେ ଛତିଶ ମଣ୍ଡଳ ଜମ୍ୱୁଦ୍ୱୀପ ପୃଥୀ

ବାର ରାଷ୍ଟ୍ର କରିଣ ୟେହା ଭିଆଇଲେ ଯଯାତି।୭୬।

 

ବୀର ମଲ୍ଲ ସିଂହ ମଲ୍ଲ ଅପ୍ରମିତ ରାଷ୍ଟ୍ର

ଚିତ୍ରରାଷ୍ଟ୍ର ଯେ ଜଳନ୍ତର ରାଷ୍ଟ୍ର।୭୭।

ଭାନୁରାଷ୍ଟ୍ର ଆଦି ଆବର ଯେତେ ରାଷ୍ଟ୍ର

ଅଯୋଧ୍ୟା ରାଷ୍ଟ୍ର ବିନ୍ଧ୍ୟମାଳ ରାଷ୍ଟ୍ର ସିଂହ ରାଷ୍ଟ୍ର।୭୮।

 

ପଶ୍ଚିମେ ସୋମରାଷ୍ଟ୍ର ଦକ୍ଷିଣେ ଉଡ ରାଷ୍ଟ୍ର

ମଧୁବନ ରାଷ୍ଟ୍ର କଣୟ ସଉରାଷ୍ଟ୍ର।୭୯।

ୟେମନ୍ତେ ବାର ରାଷ୍ଟ୍ର ଭିଆଣ ଯେ ମୂଳେ

ରାଷ୍ଟ୍ରପତିମାନେ ଭିଆଇଲେ ସର୍ବ କାଳେ।୮୦।

 

କାମପୁର ନଗ୍ରୀ ଯେ ଉଜାଣ ନଗ୍ରୀ

ପାରୋଳା ନାମେ ନଗ୍ରୀ ଯେ ଯାଜନ ନଗ୍ରୀ।୮୧।

କାଞ୍ଚୀ ନଗ୍ରୀ, ରୁଦ୍ର ନଗ୍ରୀ ଯେ ହୋଳ ନାମେ ନଗ୍ରୀ

ବଡବାନଳ ନଗ୍ରୀ ବିଜାୟା ନାମେ ନଗ୍ରୀ।୮୨।

 

କୁଣ୍ଡ ନଗ୍ରୀ ବେଦ ନଗ୍ରୀ ଯେ ମାହେନ୍ଦ୍ର ନାମେ ନଗ୍ରୀ

ହିଂଜଳ ନାମେ ନଗ୍ରୀ କୋନ୍ଦାବଇ ନାମେ ନଗ୍ରୀ।୮୩।

ପଦ୍ମଦଳ ନଗ୍ରୀ, ବିଷ୍ଣୁ ନଗ୍ରୀ, ସୁର ନଗ୍ରୀ, ବ୍ରହ୍ମଧାତୁ ନଗ୍ରୀ

ଜମ୍ୱୁଦ୍ୱୀପ ନଗ୍ରୀ, ଭୋଜ ନଗ୍ରୀ, ଅନୁଭବ ନାମେ ନଗ୍ରୀ ।୮୪।

 

ୟେ ନଗ୍ରମାନଙ୍କର ଯେତେକ ନୃପତି

ଭୂମନୁ ରାଜ୍ୟେ ବିଜେ କଲେ ସକଳ ଆଧିପତି।୮୫।

ଦକ୍ଷିଣେ ମହୋଦଧି କୋଶଳ ପଶ୍ଚିମେ ସୋମରାଷ୍ଟ୍ର କୋଶଳ

ଭୈରବ କୋଶଳ ଯେ କାଉଂରୀ କୋଶଳ।୮୬।

 

ଅରବିନ୍ଦ କୋଶଳ ବିଂଝମାଳ କୋଶଳ

ଉତ୍ତରା କୋଶଳ ଯେ ମତ୍ସ ଦେଶ କୋଶଳ।୮୭।

ମେରୁ କୋଶଳ କୁସୁମ ସତ୍ୟାନିଳ କୋଶଳ।୮୮।

 

ଭାନୁମତୀ କୋଶଳ ଯେ ଉଦୟଗିରି କୋଶଳ

ଈଶାନ୍ୟ ଭାଗେ ବସେ ଚାରି ଯେ କୋଶଳ।୮୯।

ଜଳତରଙ୍ଗ କୋଶଳ ଫାଲଗୁନ କୋଶଳପୁରୀ

ଅଜଙ୍ଗ କୋଶଳ ଚୁଡଙ୍ଗ କୋଶଳ ଚାରି।୯୦।

 

ସ୍ଥଳରଙ୍ଗ କୋଶଳ ଫଲୁକୀ ଯେ ଅନନ୍ତାଇ କୋଶଳ

ୟେମନ୍ତେ ଆସନ୍ତି କୋଶଳ ଅଧିକାରୀ ସକଳ।୯୧।

କୋଶଳାଧିପତିମାନେ ଦଣ୍ଡଛତ୍ର ଘେନି

ଭାନୁମତୀ ଦେଶେ ପ୍ରବେଶ ଯେ ଯାହା ସନ୍ୟ ଘେନି।୯୨।

 

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗ ଚାରି

ସମସ୍ତ ଦେଶରୁ ଯେ ଆସନ୍ତି ଦଣ୍ଡଧାରୀ।୯୩।

ସବୁନ୍ତି ୟେକ ସରୂପେ ରାୟେ କରନ୍ତି ପୂଜା

ବର ବେଶେ ମଙ୍ଗଳେ ବିଜୟେ ସର୍ବରାଜା।୯୪।

 

ସମସ୍ତ ନୃପତିଙ୍କି କନେକ ସିଂଘାସନ

କରେଣ ରତ୍ନ ଦେଇ ରାଜା କରଇ ସନମାନ।୯୫।

ପଛିମେ ଦୁଇଊଣା ପଞ୍ଚାଶ ସହସ୍ର ନୃପତି

ଉତ୍ତରେ ୟେକ ଊଣା ଚାଳିଶ ସହସ୍ର ନୃପତି।୯୬।

 

ପୂର୍ବଦିଗେ ୟେକ ଊଣା ସାତ ସହସ୍ର ରାଜନ

ଦକ୍ଷିଣେ ତିନି ସହସ୍ର ରାଜା ବସନ୍ତି ବିଦ୍ୟାମାନ।୯୭।

ୟେମନ୍ତେ ଯେ ଚାରି ଊଣା ଲକ୍ଷେକ ନୃପତି

ଭାନୁମତୀ ଦେଶେ ଆସି ସମସ୍ତେ ମିଳନ୍ତି।୯୮।

 

ବ୍ରହ୍ମ, କ୍ଷତ୍ରିୟ, ବଶ୍ୟ, ଶୂଦ୍ର ଜାତି ଚାରି

ଦତ୍ୟ ଦାନବ ରାକ୍ଷସ ପିଶାଚ ଆଦି କରି।୯୯।

କନ୍ଧ, ମହ୍ଲାର, କିରାତ, ବର୍ବର ନୃପତି

ଗନ୍ଧର୍ବ, ପକ୍ଷ, କିନ୍ନର, ଭୂପାଳ ବାରସ୍ୱତୀ।୧୦୦।

 

କନାଉଜ, ମହାରାଷ୍ଟ୍ର, ତେଲଙ୍ଗ, ମହାଭାଖା

ଉଡଙ୍ଗ, ଖାଞ୍ଜଣ ଘେନି ଅଷ୍ଟାଦଶ ବର୍ଗ ଲେଖା।୧୦୧।

ସମସ୍ତ ରାଜାମାନେ ଯେ ଯାହାର ସନ୍ୟ ତୁଲେ

ରଥ ଗଜ ଅଶ୍ୱ ଘେନି ସମ୍ଭରେ ବିଜେକଲେ।୧୦୨।

 

ଦେଖିଣ ସାନନ୍ଦ ଯେ ଜମ୍ୱୁସେନର ବାଳ

ସମସ୍ତ ରାଜାଙ୍କୁ ଦିଲା ବରଣ ରତ୍ନମାଳ।୧୦୩।

ଅନେକ ସୂପକାର ରନ୍ଧନ କରନ୍ତି ଛତ୍ରଶାଳେ

ନିତ୍ୟକର୍ମ ସାରି ମୁଣୋହିଂ କରନ୍ତି ସକଳ ମହୀପାଳେ।୧୦୪।

 

ରାଜାନ୍ତ ସମାର୍ଜି ସେ ଭୂମନୁ ନୃପତି

ଆପଣେ ବିଜେ କଲେ ଯହିଂ ଅଛି ଦୁହିତା ଭାନୁମତୀ।୧୦୫।

ବିନୟ ଭାବ ହୋଇ ସେ ପଚାରେ ନୃପତି

ମା ଗୋ ତୋହୋର ଆଗ୍ୟାଂୟେ ଅଣାଇଲି ରାଜା ସବୁନ୍ତି।୧୦୬।

 

ବୋଲଇ କେବଣ ବିଧାନ ହେବ କହ ତଥ୍ୟ କରି

ମାଳଗୋଟିୟେ ଘେନି ଗୋ ତୋହୋର ଇଚ୍ଛାୟେ ବର ବରି।୧୦୭।

ଅନେକ ସମ୍ଭର୍ବେ ଯେ ବିଜେ କଲେ ନୃପ

ତୁହି ସେ ବାରିବୁ ନା ରାଜାଙ୍କର ବିତକ୍ଷଣ ରୂପ।୧୦୮।

 

ଭାନୁମତୀ ବୋଇଲା ତାତ ବିଚାର କର ତୋର ବୁଦ୍ଧି

କେବଣ ରାଜା କରେ ଅଛି ଶଙ୍ଖ ପଦ୍ମ ନିଧି।୧୦୯।

ସେ ରାଜାକୁ ପ୍ରଦାନ କରିବୁ ତାତ ମୋତେ

ଭୂମନୁ ବୋଇଲା ମା ଗୋ ତାହା ମୁଂ ଜାଣିମି କେମନ୍ତେ।୧୧୦।

 

ତୁ ଗୋ ମାତ ଦେଖ ଯାଇ ରାଜାଙ୍କର ବର୍ଣ୍ଣ ଚିହ୍ନ

ତୁ ପରମ ମାହେଶ୍ୱରୀ ସେ ସବୁ ତୋତେ ଦୃଶ୍ୟମାନ।୧୧୧।

କନ୍ୟା ଶୁକଳ ଯେ ଦଶମୀର ଦିନ

ଭୃଗୁବାର ନକ୍ଷତ୍ର ଶ୍ରବଣା ବିଦ୍ୟମାନ।୧୧୩।

 

ରାଜାୟେ ସୟଂବରକୁ ଅନକୂଳ କଲେ

ଚତୁର୍ମାସର ମଧ୍ୟେ ସଭା ସମ୍ଭର କରାଇଲେ।୧୧୪।

ମକର ମାସ ଶୁକଳ ପକ୍ଷ ଦଶମୀର ତିଥି

ରୋହିଣୀ ନକ୍ଷତ୍ର ଯେ ବାର ବୃହସ୍ପତି।୧୧୫।

 

ବାଳକ ନାମେ କରଣ ବଇଧୃତ ନାମେ ଯୋଗ

ମକର ମାସ ସଂକରାନ୍ତିକି ଚଉଦ ଦିନଭୋଗ।୧୧୬।

ତାର ଚନ୍ଦ୍ର ଯୋଗ ବାର ନକ୍ଷତ୍ର ଶୁଭ ଅନକୂଳ ବିଚାରି

ଅମୃତ ଯୋଗେ ନୃପତି ସଭାକୁ ସ୍ୱୀକାର କରି।୧୧୭।

 

ଶ୍ରୀହସ୍ତେ ଅର୍ଘ୍ୟ ଘେନି ଭୂମନୁ ମହାରାଜା

ପଞ୍ଚାମୃତ ଯୋଗାଡ଼ ଘେନି ରାଜାଙ୍କୁ କରଇ ପାଦପୂଜା।୧୧୮।

ବସନ କୁଣ୍ଡଳ ଯେ ରତ୍ନମାଳ ଦେଇ

ସକଳ ରାଜାଙ୍କୁ ବର ବେଶ କରାଇ।୧୧୯।

 

ଶିରେଣ ମୁକୁଟ ଯେ ହୃଦରେ କୁସୁମର ମାଳ

କୁଙ୍କୁମ ଲେପନ କରି ବରଣ କଲା ମହୀପାଳ।୧୨୦।

ମଧ୍ୟ ସଭାୟେ ବିଜେ ଦକ୍ଷିଣ କୋଶଳାଧି

ସକଳ ନୃପତିଙ୍କି ପ୍ରଣପତ୍ୟ ବିନୟ ବିଧି।୧୨୧।

 

ପୁଣ ପୁଣ ପ୍ରଣପତ୍ୟ ଶତ ସହସ୍ର ପରିଣାମି

ମୁଂ ଯହିଂ କି ସୟଂବର କଲି ଅବଧାରୀ ଶୁଣିମା ଦେବସ୍ୱାମୀ।୧୨୨।

ମୋହୋର ଦୁହିତା ନାମ ଅଟଇ ଭାନୁମତୀ

ତାହାର ନିମନ୍ତେ ସୟଂମ୍ୱର କରି ବରିଲି ସବୁନ୍ତି।୧୨୩।

 

ୟେକ ପଦ୍ମକଇଂ ଯେହ୍ନେ ଲକ୍ଷେକ ଭ୍ରମର

ତେସନେକ ବୃତ୍ତାନ୍ତ ମୋହୋର ସୟଂବର।୧୨୪।

ୟେକ ଦୁହିତାୟେ ମୋହୋର ଅଟଇ ଭାନୁମତୀ

ତାହାକଇଂ ବର ତୁମ୍ଭେ ଚାରିଊଣା ଲକ୍ଷେକ ନୃପତି।୧୨୫।

 

ତୁମ୍ଭର ଇଚ୍ଛାକୁ ସେ ନୋହଇ ଯୁଗତେ

ତାହାର ଇଚ୍ଛାୟେ ସେ ବର ବରିବ ବିଚାର ଅନୁମତେ।୧୨୬।

ଯାହାକଇଂ ଇଚ୍ଛା ସେ ବରିବ କୁମାରୀ

ମାଳା ଦେଇ ବରିବ ସେ ତାହାର ହୋଇବ ମନର ହିଆଳି।୧୨୭।

 

ୟେ କଥାକୁ ଅନ୍ୟାଅନ୍ୟି ନୋହିବ ସମସ୍ତ ରାୟେ

ଲକ୍ଷେ ରାଜାଙ୍କୁ ସର୍ବେ ମୋହୋର ୟେକଇ ଦୁହିତାୟେ।୧୨୮।

ମାଳା ଦେଇ ସୁନ୍ଦରୀ ଧରିବ ଯାହାରଟି ହାଥ

ସେହି ସେ ହୋଇବନା ତାହାର ପ୍ରାଣନାଥ।୧୨୯।

 

ୟେଥକୁ ସତ୍ୟ ବଚନ ମୋତେ କରିବା ଗୋସାଇଂ

ତୁମ୍ଭେ ଅଭିମାନ କଲେ କନ୍ୟାକୁ ସଭାକୁ ଆଣି ନାହିଂ।୧୩୦।

ରାଜାମାନେ ବୋଇଲେ ୟେ ଅଟଇ ଯଥାର୍ଥ

ସମସ୍ତ ରାଜାମାନେ ଆମ୍ଭେ ଅଟୁକି ଅପଣ୍ଡିତ ? ।୧୩୧।

 

ଦୁଷ୍ଟରାଜାମାନେ ୟେଥି ଅଛନ୍ତି ବହୁତ

ଶକତା ବକତା ୟେଥେଂ ହୋଇବକୁ ଚରିତ।୧୩୨।

ଓଛ ଓଛ ଲୋକଙ୍କର ପ୍ରକୃତି ଅଟଇ ମନ୍ଦ

କାଳେ ନ ସହିବ ହୋଇବ ବଡ ଦ୍ୱନ୍ଦ।୧୩୩।

 

ରାଜାଙ୍କର ବଚନ ଶୁଣିଣ ଭୂମନୁ

ୟେଡ଼େ ବଡ ପ୍ରମାଦ କି ହୋଇବ ମୋହୋର ଗ୍ୟାନୁଂ।୧୩୪।

ବାଣା ବଜ୍ରନାଭ ଯେ କାଳଦମନ

ମେରୁଶୂଳ ଶମ୍ୱର ସକଳ ଯାତୁଧାନ।୧୩୫।

 

ୟେମାନେ ବୋଇଲେ ନ ଭାଳ ତୁମ୍ଭେ ରାୟେ କିଛି

ସୟମ୍ୱର ବିଧାନେ ଯେବେ ୟେସନେକ ବିଧି ଅଛି।୧୩୬।

ନିମନ୍ତ୍ରଣ ବରଣ କଲେ ଅବଶ୍ୟ ଯାଇ ତହିଂକି

ୟେକ କନ୍ୟା ପ୍ରାପତକି ହୁଅଇ ସଭିଙ୍କି ? ।୧୩୭।

 

ସମସ୍ତ ରାଜାୟେ ବୋଇଲେ ହୋଇଲା ଆମ୍ଭର ସତ୍ୟ

ଯାହାର ସୁକର୍ମ କନ୍ୟା ତାହାକୁ ହୋଇବ ପ୍ରାପତ।୧୩୮।

ବିଶ୍ୱନାଥଙ୍କୁ ଯେ ସେବିଅଛି ପୂର୍ବେ

ତାହାର ପୁନ୍ୟ କି ସମସ୍ତେ ପାଇବେ ? ।୧୩୯।

 

ସମସ୍ତ ନୃପତି ଆମ୍ଭେ ଅଟୁ ୟେକ ଗୋତ୍ରୀ

ଜଣେ କନ୍ୟା ପାଇଲେ ଆମ୍ଭେ ସମସ୍ତେ ତ୍ରିପୁତି।୧୪୦।

ୟେଥକଇଂ ଭ୍ରାନ୍ତି ରାଜା ନ କର ତୋର ଚିତ୍ତେ

ଦୁହିତାକୁ ଆଣ ତୋର ସଭାର ସମେତେ।୧୪୧।

 

ଦେଖିବାକୁ ବର୍ଣ୍ଣ ଚିହ୍ନ ତୋର କେମନ୍ତ କୁମାରୀ

ସୟଂବର କନ୍ୟା ମୁଖ ଚାହିଂଲେ ଦୁଷ୍କୃତି ଅପହରି।୧୪୨।

ରାଜାମାନଙ୍କୁ ସେ କରାଇ ଦୃଢବ୍ରତ

ନିଜ ଭୁବନେ ପ୍ରବେଶ ହୋଇଲେ ନୃପତ୍ୟ।୧୪୩।

 

ଦୁହିତାକୁ ବେଶ ବେଶନ କରାଇ ନୃପମଣି

ଅଷ୍ଟରତ୍ନ ଖଚିତ ହାନ୍ଦୋଳାୟେ ଦେବାଙ୍ଗ ବସ୍ତ୍ରଟାଣି।୧୪୪।

ଲକ୍ଷେକ ଚାମର ଢାଳନ୍ତି ବେନି କତି

ଲକ୍ଷେକ ଉଦ୍ଦଣ୍ଡ ଲକ୍ଷେକ ପାଟଛତୀ।୧୪୫।

 

ଲକ୍ଷେକ ଜୟ ଶଙ୍ଖ ପୁରଇ ଅଗ୍ରତେ

ଧାଈମାନେ ଗୋଡ଼ାବନ୍ତି ତୁଲେଣ ଅହିବ୍ରତେ।୧୪୬।

ସୁବର୍ଣ୍ଣର ଯୋଗାଡ଼ମାନ ଘେନିଣ କାମିନୀ

ଧାମନ୍ତି ଅସମ୍ଭାଳେ କରିଣ ମଙ୍ଗଳ ଯେ ଧୁନି।୧୪୭।

 

ସହସ୍ର ବନିତା ନୃତ୍ୟ କରନ୍ତି ଅଗ୍ରତେ

ବିଜୟେ ବିଳାସୁଣୀ ସୟଂବର ସମେତେ।୧୪୮।

ସୟଂବର ମଧ୍ୟରେ ସେ ସୁବର୍ଣ୍ଣମେଢ ଜଗତୀ

ଶରଦ କାଳ ଆଦିତ୍ୟ ଜିଣି ଦିଶଇ ତାର ଜ୍ୟୋତି।୧୪୯।

 

ସଭାରେ ଥାଇ ବୋଇଲା ନୃପତି ଜରାସନ୍ଧ

ଅମୂଲ୍ୟ ରୂପବର୍ଣ୍ଣ ୟେ ପୂର୍ଣ୍ଣମୀର ଚାନ୍ଦ।୧୫୦।

କନ୍ୟାକୁ ଓହ୍ଲାଇଲେ ହାନ୍ଦୋଳର ମଧ୍ୟୁଂ

ପନ୍ନଙ୍ଗା ନାରାୟଣ ଯାହାର ପ୍ରାଣବନ୍ଧୁ।୧୫୧।

 

ଜରାସନ୍ଧ ବଚନ ନିରାଧାର ଘେନି

ପାଦେଣ ଉଭା ହୋଇଲା ସଭାୟେ ନନ୍ଦନୀ।୧୫୨।

ରାଜାୟେ ଦେଖନ୍ତି ନିକଳଙ୍କ ଚନ୍ଦ୍ର ତେଜ

କାମଗତେ ମୂର୍ଚ୍ଛାଗତ ଦେଖିଣ ସର୍ବରାଜ।୧୫୩।

 

ସାଧ, ସାଧୁ ସାଧବୀ ୟେ ପ୍ରତକ୍ଷେ ଅନ୍ନପୂର୍ଣ୍ଣା

ଆମ୍ଭେ ଅନମିତ୍ତେ ଅଇଲୁ ୟେ ଦେବଙ୍କୁ ଭୋଗ୍ୟ ସିନା।୧୫୪।

ଜରାସନ୍ଧ ନରପତି କରଇ ବିଚାର

ୟେହାକୁ ବର ନାହିଂ ୟେ ସଭାର ମଧ୍ୟର।୧୫୫।

 

ପ୍ରତକ୍ଷେ ଦିଗପାଳ ଯେବେ ବିଜୟେ କରଇ ୟେଥି

ତାହାର ବଲ୍ଲଭୀ ସେ ହୋଇବ ଭାନୁମତୀ।୧୫୬।

ମୋହୋର ବିଚାରେ ତ ୟେଥି ନାହିଂ କିଛି କାର୍ଯ୍ୟ

ହୋଇଲୁ ଦୂଷିତ ୟେଥେ ଉପୁଜିବ ବହୁତ ଲାଜ।୧୫୭।

 

ଚନ୍ଦ୍ର ବାଞ୍ଛଇ କି ନକ୍ଷତ୍ରଗଣଙ୍କୁ

ଚିତ୍ତ ବିରସ କଲାନି ସୁନ୍ଦରୀ ଦେଖିଣ ରାଜାମାନଙ୍କୁ।୧୫୮।

ଦୁହିତାର ଅଗ୍ରତେ ଯେ ବୋଲଇ ରାଜା ଭୂମନୁ

ସୟଂବର କଲୁ ଗୋ ତୋ ଆଗ୍ୟାଂ ପରମାଣୁ।୧୫୯।

 

ଧାର୍ମିକ ବଂଶିକ ଯେ ବିବେକ କୁଳଶୀଳ

ୟେହାର ତହୁଂ ବଂଶିକ ନାହାନ୍ତି ରବିତଳ।୧୬୦।

ଯେମନ୍ତେ ତୋର ମନକୁ କରିଅଛୁ ବାଞ୍ଛା

ଯାହାକୁ ପାର ଆଈ ବରସି ତୋହୋର ଇଛା।୧୬୧।

 

ପିତାର ବଚନ ଶୁଣି ବୋଇଲା ଭାନୁମତୀ

ପଚାର ଶଙ୍ଖ ନିଧି ପଦ୍ମ ନିଧି ବହଇ କେବଣ ନୃପତି।୧୬୨।

ଦୁହିତାର ବଚନେ ଯେ ବୋଲଇ ନରସାଇଂ

କରପତ୍ର ଯୋଡ଼ି ରାଜାଙ୍କୁ କହଇ ବିନୋୟି।୧୬୩।

 

ସ୍ୱାମୀ ଆନ ସନ୍ଦେଶ ମୋର ଲୋଡନ୍ତା ନାହିଂ କିଛି

ୟେକ ସନ୍ତକ ମୋହୋର ଦୁହିତାୟେ ବାଛି।୧୬୪।

ଶଙ୍ଖ ନିଧି ପଦ୍ମ ନିଧି ଅଛଇ ଯାହାର କରେ

ତାହାକଇଂ ଦୁହିତା ମୋର କରିବ ସୟଂବରେ।୧୬୫।

 

ରାଜାର ବଚନେ ଯେ ବୋଲଇ ଜରାସନ୍ଧ

ଶଙ୍ଖନିଧି ପଦ୍ମ ନିଧି ୟେକା ବହନ୍ତି ରାମଚନ୍ଦ୍ର।୧୬୬।

ମାନବ ଜନ୍ମେ କାହିଂ ୟେଡ଼େକ ଲକ୍ଷଣ

ଶଙ୍ଖ ନିଧି ପଦ୍ମ ନିଧି ୟେକା ବହନ୍ତି ନାରାୟଣ।୧୬୭।

 

ଜରାସନ୍ଧ ବଚନେ ବୋଇଲା କାଶୀଶ୍ୱର ନୃପତି

ମୂର୍ଖ ଭାବେଣ କହିଲୁନା ମଗଧ ଅଧିପତି।୧୬୮।

ଶଙ୍ଖ ନିଧି ପଦ୍ମ ନିଧି ଯାହାର କରେ ନାହିଂ

ମୂର୍ଦ୍ଧୁନା ଅଭିଷେକୀ ସେ ହୋଇବ ପୁଣ କାହିଂ।୧୬୯।

 

ବିଷ୍ଣୁ ଅଂଶ ନଥିଲେ ପୃଥିବୀକି ନୋହଇ ଆଧିପତି

ବିଷ୍ଣୁ କଳା ନଥିଲେ କି ସେ ହୋଇ ଅଭିଷେକୀ ନୃପତି।୧୭୦।

ମୂର୍ଖ ସ୍ୱଭାବ ଭୂମନୁ ତୁ ନଜାଣୁ କିଛି

ଶଙ୍ଖ ନିଧି ପଦ୍ମ ନିଧି ହୋ ସବୁରି କରେ ଅଛି।୧୭୧।

 

କାଶୀଶ୍ୱର ବଚନେ ଚଳଇ ନୃପ ରାୟେ

ତୋର ଇଛାୟେ ବର ପାଇଲୁ କି ଗୋ ମାୟେ।୧୭୨।

ମା ଗୋ ସୟଂବରେ ବିଜେ କଲେ ଯେତେକ ନୃପତ୍ୟେ

ଶଙ୍ଖ ନିଧି ପଦ୍ମ ନିଧି ଅଛି ସବୁଙ୍କରି ହସ୍ତେ।୧୭୩।

 

ଭାନୁମତୀ ବୋଇଲେ ସଙ୍କେତ ବୁଝ ତାତ

ୟେ ଘଟଣ ଶିଳା ଗୋଟି ନେଇ ଦିଅ ରାଜାଙ୍କର ହସ୍ତ।୧୭୪।

ଯାହାର କର ଲାଗିଲେ ୟେ ହୋଇବ ପାଣିଦ୍ରବ୍ୟ

ତାହାକୁ ପ୍ରଦାନ କର ତାତ ସେ ମୋହୋର ବଲ୍ଲଭ।୧୭୫।

 

ୟେସନେକ ନିଷ୍ଠୁର ବଚନ ଯହୁଂ ବୋଇଲା ଭାନୁମତୀ

ଘଟଣ ପାଷାଣ ଘେନିଗଲା ଭୂମନୁ ନୃପତି।୧୭୬।

ଜାରା ଶାଲୁ ଦମଘୋଷ ଦନ୍ତବକ୍ତ୍ର କାଶୀଶ୍ୱର

ପରୀକ୍ଷ ନିମନ୍ତେ ରାଜା ଦିଅଇ ସବୁଙ୍କରି ହସ୍ତର।୧୭୭।

 

ଲକ୍ଷେ ନୃପତିଙ୍କର ଦିଲା କରପତ୍ରେ

ପାଷାଣହୁଂ ଆନ ସେ ନୋହିଲା ଯୁଗତେ।୧୭୮।

ସନ୍ତକ ନାସ୍ତି ବୋଲି ଦେଖି ନିନ୍ଦିଲା ଭାନୁମତୀ

ବୋଇଲା ତାତ ୟେ ସୟଂବରେ ନାହିଂ ମୋହୋର ପତି।୧୭୯।

 

ମୋହୋର ଇଛାୟେ ଯେବେ ନପାଇଲି ବର

ମୋହୋର ନିମନ୍ତେ ଧଂସି ହୋଇଲୁ ପିଅର।୧୮୦।

ବୋଲଇ ନୃପତି ସେ ସଭାରେ ଉଭା ହୋଇ

ଦୁହିତାର ଇଛା ମୋହୋର ନୋହିଲା ଗୋସାଇଂ।୧୮୧।

 

ତୁମ୍ଭେ ରାଜାମାନେ ମୋତେ ଅନୁଗ୍ରହ କରିଥିବା

ଯେ ଯାହାର ଭୁବନକୁ ବିଜେ କରିଯିବା।୧୮୨।

ଶୁଣିଣ ବିରସ ହୋଇଲେ ରାଜାଗଣ

ଜଳୁକା ମୁଖରେ ଯେହ୍ନେ ଦେଇଟି ଲବଣ।୧୮୩।

 

ସୁଜନ ରାଜାମାନେ ଯିବାକୁ କଲେ ଇଛା

ଦୁର୍ଜନ ରାଜାମାନେ ଇଛିଲେ ମନ୍ଦ ବାଞ୍ଛା।୧୮୪।

ବୋଇଲେ ୟେ ଯେବେ କନ୍ୟା ଆମ୍ଭଙ୍କୁ ନକରିବ ପ୍ରଦାନ

ଆମ୍ଭନ୍ତ କିମ୍ପାଇଂ ବିଡମ୍ୱଣ କଲା ବରବେଶ ବିଧାନ।୧୮୫।

 

କେ ବୋଲଇ ଭୂମନୁ ନୃପତିର ମୁଣ୍ଡ କାଟି

ବଳେ ଘେନି ଚାଲିଯିବା ୟେହୁ କନ୍ୟା ଗୋଟି।୧୮୬।

ୟେସନେକ ଥୋକେ ବିଚାର କରନ୍ତି ଦୁର୍ବୁଦ୍ଧି

ଛାଡ଼ିଲେ ଧର୍ମମାନ ଆଚରିଲେ ଅବିଧି।୧୮୭।

 

ଧର ଧର ମାର ମାର ଶୁଭିଲା ଗରୁ ରୋଳ

ଉଚ୍ଚ ବାଚ ଶବଦରେ ପଡ଼ଇ ଚହଳ।୧୮୮।

ଶୁଣ ହୋ ରାଜନ ୟେସନେକ ସମୟେ ଧୃତରାଷ୍ଟର ତନୟେ

ବଳରାମଙ୍କ ସଙ୍ଗତେ ଥିଲେ ରଇବ୍ରତ ପର୍ବତ ଆଖଡ଼ାୟେ।୧୮୯।

 

ବଳରାମେ କହିଲେ, ଶୁଣ ଦ୍ରିଯୋଧନ

ଦକ୍ଷଣ କୋଶଳେ ଭୂମନୁ ରାଜନ।୧୯୦।

ତାହାର ଦୁହିତା ନାମ ଭାନୁମତୀ

ଦୁହିତା ଅର୍ଥେ ସୟଂବର କରଇ ନୃପତି।୧୯୧।

 

କର୍ଣ୍ଣର ହସ୍ତ ଧରିଣ ରାଜନ

ଚାଲ ଦେଖିବା ନା ସୟଂବର ବିଧାନ।୧୯୨।

ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ସୟଂବରକୁ ବିଜେ କଲା ରାଜା ଦ୍ରିଯୋଧନୁ।୧୯୩।

 

ପୁଣ ଗୋଳ ଶବଦ ଶୁଣି ଧାଇଂଲେ କୁମରେ

ଧରିଛନ୍ତି ଅନେକ ଶହସ୍ର ମାନ କରେ।୧୯୪।

ଦେଖନ୍ତି ଭାନୁମତୀ ରାଜ୍ୟରେ ମହାଗୋଳ

ଘୋର ଶବଦ ବାକ୍ୟେ ଶୁଭଇ ଚହଳ।୧୯୫।

 

ଦୁର୍ଧଂସ ବୁଦ୍ଧି କରି କନ୍ୟା ନେଇ ଲୋଡ଼ନ୍ତି ବଳେ

ଭୂମନୁ ନୃପତିକି ଆବୋରିଲେ ଧୃତରାଷ୍ଟଙ୍କର ବାଳେ।୧୯୬।

ରାଜାଙ୍କର ଦୁର୍ବୁଦ୍ଧି ଦେଖି ସେ ଆଦିତ୍ୟର ନାନ

କରେଣ ଧନୁ ଧଇଲା ସେ ମହାବଳୀ କର୍ଣ୍ଣ।୧୯୭।

 

କେ ବଳେ କନ୍ୟା ନେବରେ କାହାର ୟେଡ଼େ ଦର୍ପ

ଖଗେଶ୍ୱର ଦେଖିଲେ ଯେହ୍ନେ ମହାଭୟ କରି କାଳସର୍ପ।୧୯୮।

ମେରୁ ତତ୍ତୁଲ୍ୟ ବଡ଼ିମା ଅଟଇ ଧନୁର୍ଧର

ଅଭେଦ କପଚ ବଜ୍ର ଛଉରୀ ସେ କର୍ଣ୍ଣ ମହାବୀର।୧୯୯।

 

ଗଜ ପଲ ଦେଖି ଯେହ୍ନେ କେଶରୀ ଧାମଇ ଗଳଗାଜି

କର୍ଣ୍ଣ ମୂର୍ତ୍ତି ଦେଖି ରାଜାଙ୍କର ଦର୍ପ ଭାଞ୍ଜି।୨୦୦।

ଆହେ ରହ ରହ ବୋଲି ଯେ କାଳଦମନ ଜାରା

ଲକ୍ଷେ ଲକ୍ଷେ ଯୋଦ୍ଧା ଘେନି ଧାଇଂଲେ ସର୍ବ ବୀରା।୨୦୧।

 

ଦ୍ରୋଣଙ୍କର ବିଦ୍ୟାରେ ସେ ଯେ ଅମାପ ବଳବନ୍ତା

ଅଭୟେ କ୍ଷତ୍ରିବର ସେ ସୋହଡ଼ ରଣ ଜିତା।୨୦୨।

ହାବୋଡ଼ା ଶର ଘେନି ସେ ମାଇଲା ଜାରାକୁ

ୟେକ ଶହସ୍ର ତେଜ ଲାଗିଲା ସକଳ ରାଜଙ୍କୁ।୨୦୩।

 

ରଥ ଭଗ୍ନ ହୋଇ ଯେ ପଡିଲା ମଗଧ ଈଶ୍ୱର

ଦଶ ସହସ୍ର ରଥୀ ଯେ ପଡ଼ିଲେ ତାହାର ସଙ୍ଗତର।୨୦୪।

ଜାରାର ଅସାଷ୍ଟମ ଦେଖି କାଳଦମନ ଭାଞ୍ଜି

ୟେକା କର୍ଣ୍ଣ ଲକ୍ଷେ ରାଜାଙ୍କର ଦର୍ପ ଗଞ୍ଜି।୨୦୫।

 

ଅବିଛନ୍ନେ ନାରାଜ କର୍ଣ୍ଣ କରେ ବିନ୍ଧୁ

ଥାଠେଣ ଶୁଭଇ କର୍ଣ୍ଣ ଜୀବନ ତୋର ସାଧୁ ସାଧୁ।୨୦୬।

କର୍ଣ୍ଣର ବଳ ବୀର୍ଯ୍ୟ ଦେଖିଣ ନୃପତି ଭୂମନୁ

କର୍ଣ୍ଣର ତୁଲେ ନାରାଜ ବିନ୍ଧିଲେ ଘେନିଣ ପଞ୍ଚବିଂଶ ତନୁ।୨୦୭।

 

ଦ୍ରିଯୋଧନ ଧୁଶାସନ ୟେକ ଉତ୍ତର ଶତେ ଭ୍ରାଥେ

ଗଦା କୋନ୍ତ ନାରାଜ ଯେ ହୋଇ ଧନୁ ହାଥେ।୨୦୮।

ପଣ୍ଡିତ ରାଜାମାନେ ଆଗହୁଂ ଗଲେ ଅପସରି

ଦ୍ୱନ୍ଦ ଇଛା କଲେ ହୋ ରାଜା ସହସ୍ର ଯେ ଚାରି।୨୦୯।

 

କର୍ଣ୍ଣର ମହିମା ଯେ ଦେବେଣ ଅଗୋଚର

ଭାଞ୍ଜିଲେ ଦୁରାନ୍ତକ ବଳ କେହି ନରହିଲେ ଛାମୁର।୨୧୦।

ରଣ ଭଗ୍ନ ହୋଇ ପଳାଇଲେ ସକଳ ନୃପମଣି

ଭୂମନୁ ନୃପତିକି ଆବୋରିଲା ସେ କ୍ଷତ୍ରିୟ ଚୂଡାମଣି।୨୧୧।

 

ଦେଖିଣ ପ୍ରଶଂସା କରଇ ସେ ନୃପତି ଭୂମନୁ

ସାଧୁ ସାଧୁ ବାଭିୟେ କାହାର ତୁମ୍ଭେ ଅଟ ତନୁ।୨୧୨।

ଦୟା ସାଗର ତୁମ୍ଭେ ପର ଦୁଖେଣ ଦୁଖୀ

ଶରଣ ପଞ୍ଜର ବାଭିୟେ ତୁମ୍ଭେ ଉଦ୍ଧରିଲ ନିରିମାଖୀ।୨୧୩।

 

ଭୂମନୁ ନୃପତି ପଚାରଇ ତାହାର ଦୁହିତାକୁ

କର୍ଣ୍ଣକୁ ପ୍ରଦାନ କରିବା ଯୋଗାଇ କି ତୋହୋର ବିଚାରକୁ।୨୧୪।

ବୁଡ଼ିଲା ରାଜ୍ୟ ମୋର ଉଦ୍ଧରି ଧଇଲାକ ହେଳେ

ନାହିଂ ନାହିଂ ସମଯୋଦ୍ଧା ୟେହାକୁ ରବି ତଳେ।୨୧୫।

 

ଧର୍ମେଣ ଆସି ରକ୍ଷା ଯେ କଲା ହାଦେ ମୋତେ

ମୋହୋର ଧର୍ମ ଉଦିତ ଗୋ ହୋଉ

ୟେହାଙ୍କୁ ପ୍ରଦାନ କଲେ ତୋତେ।୨୧୬।

ପିତାର ନିଷ୍ଠୁର କଷ୍ଠୋର ବିନୟ ବଚନ ଶୁଣି

ଇଛିଲା ସନମତ ସେ ରାଜାର ଦୁଲଣୀ।୨୧୭।

 

ଶ୍ରୀକରେ ସୁନ୍ଦରୀ ଯେ ଘେନି ନୀଳ ଉତ୍ପଳ ମାଳୀ

କର୍ଣ୍ଣର ଛାମୁରେ ପ୍ରବେଶ ହୋଇଲା ଶୁଦ୍ଧଶାଳୀ।୨୧୮।

ରାଧେବ ବୋଇଲା ମୋତେ ନବର ଗୋ ସଂଘାତ

ଆପଣେ ରାଧେବ ଧଇଲା ଭାନୁମତୀର ହାଥ।୨୧୯।

 

ଦ୍ରିଯୋଧନ ଅଗ୍ରତେ ନେଇ କନ୍ୟାକଇଂ କଲା ଉଭା

ୟେ ସେ କୁରୁବଇଂ ନାଥ ୟେହାକୁ ମାଳା ଦେଇ ବରିବା।୨୨୦।

ଦ୍ରିଯୋଧନ ବୋଇଲା ମଇତ୍ର କନ୍ୟା ଇଛିଲା ତୁମ୍ଭଙ୍କୁ

ତୁମ୍ଭର ଭାରିଯା ଦେଇ କେହ୍ନେ ଲୋଡୁ ମୁକୁ।୨୨୧।

 

କର୍ଣ୍ଣ ପ୍ରତିବାଚ ତୁ ମୋହୋର ପରମଗୁରୁ

ତୋହୋର ଥାନ୍ତେ ରାଜା ଦୁହିତା ମୋତେ ଦେଇ ଲୋଡୁ।୨୨୨।

ଶଙ୍ଖ ନିଧି ପଦ୍ମ ନିଧି ମଇତ୍ର ଦେଖ ୟେହାର ଯେ ହସ୍ତେ

ତୋହୋର ଶଙ୍ଖ ପଦ୍ମ ନିଧି ଅଛି କରଗତେ।୨୨୩।

 

ମୂର୍ଦ୍ଧୁନା ଅଭିଷେକୀ ସେ ଅଟଇ ଭାନୁମତୀ

ତୁ ଯେ ସୋମବଂଶ ଆଧିପତି ମାନ ଚକ୍ରବ୍ରତୀ।୨୨୪।

ତୋର ଥାଉଂ କି କନ୍ୟା ହୋଇବ ମୋହୋର

ଦକ୍ଷିଣ କୋଶଳେ ୟେ ଭୂମନୁ ରାଜେଶ୍ୱର।୨୨୫।

 

ରାଜାର କୁମାରୀ ହୋଇବ ଯେ ରାଜାର ବଲ୍ଲଭୀ

ଅନାଦି ଅପର୍ଣ୍ଣା ଅଟଇ ମାହେଶ୍ୱରୀ ସାଧବୀ।୨୨୬।

ଅବ୍ୟୟେ ପଦ୍ମ ନିଧି ଅଛଇ ଯାହାର ହସ୍ତେ

ମୁଂ ତାହାକଇଂ ପ୍ରଦାନ ହୋଇବି କେମନ୍ତେ।୨୨୭।

 

ଭିତରେ ସାନନ୍ଦ ବାହାରେ ନାସ୍ତି କରୁଥିଲା

କର୍ଣ୍ଣର ନିଷ୍ଠୁର ବଚନେ ଦ୍ରିଯୋଧନ ସନମତ କଲା।୨୨୮।

ଦ୍ରିଯୋଧନ କରେଣ ଅକ୍ଷୟ ନିଧି ଦେଖି

ଅନେକ ସାନନ୍ଦେ ସେ ବରିଲା ଶଶିମୁଖୀ।୨୨୯।

 

କର୍ଣ୍ଣର ମହତପଣ ଦେଖ ହୋ ଭିଗ୍ୟଂଜନେ

ଆପଣାର କନ୍ୟା ନେଇ ସମର୍ପିଲା ଆନେ।୨୩୦।

ଯହିଂ ଭାବ ତହିଂ ୟେସନେକ ପୀରତି

କର୍ଣ୍ଣ ଦ୍ରିଯୋଧନର ୟେକଇ ଆତ୍ମା ଶୁଦ୍ଧମତି।୨୩୧।

 

କର୍ଣ୍ଣର ବଚନେ ବରିଲା ଯହୁଂ ବାଳୀ

ଗଣିକାଗଣମାନେ ଦିଅନ୍ତି ହୁଳହୁଳୀ।୨୩୨।

କୋଳେଣ ଦ୍ରିଯୋଧନକୁ ଧରିଣ ବରିଲା ନୃପତି ଭୂମନୁ

ବରବେଶ କରନ୍ତି ନେଇ ଗାନ୍ଧାରୀର ତନୁ।୨୩୩।

 

ସୟଂବର ବାରତା ଶୁଣି ବ୍ୟାସ ପାରେଶ୍ୱରେ

ଦୁର୍ଭାସା ମାରକଣ୍ଡ ସମସ୍ତ ମୁନିବରେ।୨୩୪।

ପ୍ରବେଶ ହୋଇଲେ ଯାଇଂ ଭୂମନୁ ମନ୍ଦିରେ

ଦେଖିଲେ ଅନେକ ପୂଜା କଲା ସେ ଭୂମନୁ ମହୀପାଳେ।୨୩୫।

 

ଦ୍ରିଯୋଧନ ଧୁଶାସନ କର୍ଣ୍ଣ ଯେ ଦୁର୍ଜୟେ

ବେଦବ୍ୟାସଙ୍କର ଚରଣେ ଅନେକ ବିନୟେ।୨୩୬।

ବ୍ୟାସେ ବୋଇଲେ ରାଜା ଶୁଣ ତୁ ଭୂମନୁ

ୟେ ପୁତ୍ରମାନେ ସମସ୍ତେ ଅଟନ୍ତି ଆମ୍ଭର ତନୁ।୨୩୭।

 

ପଞ୍ଚୁରାଜ୍ୟରେ ଠାକୁର ୟେ ଅଟନ୍ତି ସୋମବଂଶୀ

ନିର୍ମଳ ନିକଳଙ୍କ ୟେ ଅଟନ୍ତି ନିର୍ଦ୍ଦୋଷୀ।୨୩୮।

ୟେ ଜମ୍ୱୋ ଦୀପ ପୃଥୀକି ୟେ ଅଟନ୍ତି ଧାରଣ

ୟେବେ ସେ ଜାଣିଲୁ ହୋ ତୋର ଭାଗ୍ୟବନ୍ତ ଗୁଣ।୨୩୯।

 

ବ୍ୟାସଙ୍କର ମୁଖୁଂ ୟେସନେକ ବାକ୍ୟ ଶୁଣି

ଭୋଦେବ ସୟଂବର ମୁଂ କଲଇ ନଜାଣି।୨୪୦।।

ରାଜାଙ୍କୁ ନବରିଲା ଦୁହିତା ଭାନୁମତୀ

ବୋଇଲା ଶଙ୍ଖ ପଦ୍ମ ନିଧି ଅଛି ଯାହାର ହସ୍ତେ

ସେହି ମୋହୋର ପତି।।୨୪୧।

 

ପାଷାଣେ କର ଲାଗନ୍ତେ ଯେବେ ହୋଅଇ ପାଣିଦ୍ରବ୍ୟ

ମୁହିଂ ତାର ବଲ୍ଲଭୀ ସେ ମୋହୋର ବଲ୍ଲଭ।୨୪୨।

ୟେଡ଼େ ଗୁଣବନ୍ତ ନୋହିଲେ ଜାଣ କେହି

ବଳେ ନେଇ ଇଚ୍ଛା କଲେ ମାରିବେ ମୁକୁଇଂ।୨୪୩।

 

ଧର୍ମ ଉଦିତ ମୋହୋର ହୋଇଲା ଯୁଗତେ

ୟେମାନେ ଆସି ମୋତେ ଆବୋରିଲେ ଅଦଭୂତେ।୨୪୪।

ବ୍ୟାସେ ବୋଇଲେ ଯେହ୍ନେ ସ୍ରିଜିଲେ ପ୍ରଜାପତି

କାହାର ବେଳେ ସେ ନୋହଇ ଅନୀତି।୨୪୫।

 

ବହୁତ କାଳର କଥା ରାଜା ୟେହାନ୍ତ ନ ଜାଣୁ

ଶୁଣସି ସାବଧାନେ ଆମ୍ଭେ ଶାହାସ୍ର ବଖାଣୁ।୨୪୬।

ଆକାଶ ଭୁବନେ ଯେ ମଧ୍ୟ ଭୂବନ ଶୂନ୍ୟ ଠୂଳେ

ଦେବତାୟେ ଉତପତ୍ତି ୟେଥି ହୋଅନ୍ତି ସର୍ବକାଳେ।୨୪୭।

 

ଦ୍ରିଯୋଧନ ବୋଲିଣ ସେ ଯେବଣ କୁମାର

ପନ୍ନଗା ନାରାୟଣ ପ୍ରତକ୍ଷେ ଅବତାର।୨୪୮।

ପନ୍ନଗ ବନ୍ଧ ବୋଲି ୟେକଇ ବଇକୁଣ୍ଠ

ସେ ପନ୍ନଗ ବିଷ୍ଣୁର ତହିଂ ଆସନ ଗରିଷ୍ଠ।୨୪୯।

 

ଶୁଦ୍ଧ ସଷ୍ଟିକ ବର୍ଣ୍ଣ ସେ ଅଟଇ ନିରାକାର

ଦିବାରାତ୍ର ନ ଭେଦଇ ଯାହାର ଶରୀର।୨୫୦।

ଶୁଭ ସତ୍ୟ ଯୁଗେ ଶୂଦ୍ରେକ ନାମେ ବ୍ରହ୍ମା

ପନ୍ନଗା ବିଷ୍ଣୁଙ୍କୁ ସେ ଲୟେ କଲା ମହାତମା।୨୫୧।

 

ସ୍ୱର୍ଗ ତେଜି ମଞ୍ଚ ତେଜି ପାତାଳ ଯେ ତେଜି

ସୁଢଳ ରାସାନ୍ତଳ ଅତିତାଳ ଭାଜି।୨୫୨।

ଭୂତଳ ଭୁବନେ ରାଜା ଅଟୁ ଯେ ଭୂମନୁ

ସେ ଜନ୍ମେ ଜନ୍ମେ ତୋର ଦୁହିତା ଅଟଇ ଭାନୁ।୨୫୩।

 

ସେ ପୁର ସୁରଗଣ ଯେ ଇଚ୍ଛା କଲେ ତୁକୁ

ସେ ଭାନୁମତୀ ସୁନ୍ଦରୀକୁ ଦେଲୁ ପନ୍ନଗା ବିଷ୍ଣୁକୁ।୨୫୪।

ଆହୋ ଭୂମନୁ ଭୂଅତଳେ ତୋହୋର ଦୁହିତା ତପ କଲା

ଲକ୍ଷେକ ବରଷ ପରିଯନ୍ତେ ନାରାୟଣଙ୍କୁ ଚିନ୍ତିଲା।୨୫୫।

 

ଅଷ୍ଟାଙ୍ଗ ଦେଖିଣ ପ୍ରସନ୍ନ ହୋଇଲେ ନିରାକାର

ଭାନୁ କମଳାକୁ ସେ ଆପଣେ ହୋଇଲେ ବର।୨୫୬।

ପ୍ରସନ୍ନ ହୋଇଣ ଯେ ବୋଇଲେ ପରମ ଯୋଗୀ

ତୁ ମୋହୋର ବଲ୍ଲଭୀରେ ଜନ୍ମେ ଜନ୍ମେ ଭୋଗୀ।୨୫୭।

 

ସେ ଭାନୁ କମଳାକୁ ଘେନି ବଇକୁଣ୍ଠକୁ ଗଲେ ନାରାୟଣ

କାଳ ବଞ୍ଚାଇଲେ ସେ ଯୋଗ ପୁରୁଷ ମେଳେଣ।୨୫୮।

ସେ ଶୂଦ୍ରେକ ବ୍ରହ୍ମା ଗଲା ଶରଦ ବଇକୁଣ୍ଠକୁ

ସାତ ମନୁ ଚିନ୍ତା କଲା ସେ ପନ୍ନଗା ବିଷ୍ଣୁ ରୂପକୁ।୨୫୯।

 

ୟେତେ କଠୋର ସେ ନ ପାଇଲା ସମାଧି

ନାରାୟଣ ରୂପ ସେ ଚିନ୍ତିଲା ପରମାଦି।୨୬୦।

କଠୋର ତପ ଦେଖି ସେ ଭାଳନ୍ତି ନିରାକାର

ଭାନୁ କମଳାକୁ ରାଇ ସେ ବୋଇଲେ ଉତ୍ତର।୨୬୧।

 

ବ୍ରହ୍ମ ଚିନ୍ତୁଅଛି ସେ ଆମ୍ଭନ୍ତ ଦେଖିବ

ବର କାମ୍ୟ କରି ସେ ଭୁବନକୁ ଯିବ।୨୬୨।

ୟେଥେ ରହିଲେ ସେ କଳ୍ପ କଳ୍ପ ବହିଯିବ

ନବ ସୃଷ୍ଟିକେ ପୁନ ଭିଆଣ କରିବ।୨୬୩।

 

ତେଣୁ କରି ଦୃଶ୍ୟ ଆମ୍ଭେ ନୋହିଲୁ ତାହାକଇଂ

ରାଗେଣ ଲୋଡୁଅଛି ଶିର କମଳ ମେଲାଇ।୨୬୪।

ଭାନୁମତୀ ବୋଇଲା ଶୁଣିମା ଅନାଦି

ଆକାଶହୁଂ ସୁସ୍ଥ କି ଏଥିର ସମ୍ପ୍ରଧି।୨୬୫।

 

ପନ୍ନଗ ବୋଇଲେ ୟେ ସ୍ୱର୍ଗ ମଞ୍ଚ ବେନି ପୁରେ

ଅନେକ ଭୋଗତହିଂ ବିଳସନ୍ତି ଦେବ ନରେ।୨୬୬।

କାଳେ ପୁଣ ମୃତ୍ୟୁ ହୁଅଇ ପରାପତ

ନାଶକର ଦଣ୍ଡେ ପୁଣି ହୋଇବ ବିଘାତ।୨୬୭।

 

ସୁଖ ଭୋଗ କଉତୁକେ କରନ୍ତି ଯେ ଇଚ୍ଛା

ଯେଣୁ ସ୍ୱର୍ଗ ମଞ୍ଚ ଭୁବନ କରନ୍ତି ମନ ବାଞ୍ଛା।୨୬୮।

କୃତାନ୍ତକ ଦଣ୍ଡକୁ ଯେ କରନ୍ତି ମନଭ୍ରାନ୍ତି

ଯେଣୁ ୟେ ଭୁବନେ ଆମ୍ଭନ୍ତ ସେ ବିଘ୍ନ ଚିନ୍ତି।୨୬୯।

 

ତୁ ପ୍ରିୟାରେ ୟେବେ ଆମ୍ଭର ବଚନ କର

ତୁ ସେ ଉଭା ହୋଅ ବିଧାତାର ଛାମୁର।୨୭୦।

ତୋତେଦେଖିଣ ତାହାର ତପ ଧର୍ମ ଭାଞ୍ଜୁ

ଆମ୍ଭନ୍ତ କଠୋର ତପ କରି ସେ ନ ଭଜୁ।୨୭୧।

 

ମଦନ ସଙ୍ଗେ ଘେନି ବସନ୍ତି ସଙ୍ଗତେ ତୋର ଥିବ

ଶୁଣ ହୋ ଭୂମନୁ ପୂର୍ବର ୟେସନେକ ସ୍ୱଭାବ।୨୭୨।

ସେ ଯେ ପନ୍ନଗ ନାରାୟଣର ବଚନ ଅର୍ଥ ପାଇ

ଅନେକ ବେଶ ବେଶନେ ବ୍ରହ୍ମାର ଛାମୁକୁ ଯେ ଯାଇ।୨୭୩।

 

ଶ୍ରୀକରେ ଅର୍ଘେକ ଘେନିଣ ମାହେଶ୍ୱରୀ

ଶୂଦ୍ରେକ ଛାମୁରେ ମିଳିଲେ ଅବଧାରି।୨୭୪।

ଅର୍ଘ୍ୟ ଗୋଟିୟେ ନେଇ ଦିଲେ ବ୍ରହ୍ମାଙ୍କର ମାଥେ

ହୁଳହୁଳି ଶବଦ କଲେକ ପରମାର୍ଥେ।୨୭୫।

 

ସେ ଶୁଦ୍ଧ ଅପର୍ଣ୍ଣାର ହୁଳହୁଳି ପଶିଲା ତାହାର ଗର୍ଭେ

ମଦନ ଶର ବ୍ରହ୍ମାଙ୍କୁ ପେଶଇଲା କାମଦେବେ।୨୭୬।

ରେତ ଖଳିତ ହୋଇଲା ଭାଜିଲା ମହାତପ

ଦେଖିଲାକ ବେଦବର ମୋହିନୀ ସରୂପ।୨୭୭।

 

ଧ୍ୟାନେ ଜାଣିଲା ସେ ବିଷ୍ଣୁନାଥର ମାୟା

କୋପେଣ ପ୍ରଜ୍ୱଳିତ ସେ ଅନାଦି ସିଦ୍ଧ କାୟା।୨୭୮।

ସାତ ମନୁ ପରିଯନ୍ତେ ତପ ଘୋର କଷ୍ଟୁଂ

ନିର୍ଦ୍ଦୟା ପକ୍ଷ ମୋତେ ପ୍ରସନ୍ନ ନୋହିଲୁ ପନ୍ନଗା ବିଷ୍ଣୁ।୨୭୯।

 

ୟେତେ ତପେ ବିଷ୍ଣୁ ପ୍ରସନ୍ନ ନୋହିଲୁ ଯେବେ ମୋତେ

ସମାଧି ସରୂପ ନଦେଖାଇଲୁ ତୁ ଯୁଗତେ।୨୮୦।

ମଞ୍ଚପୁରେ ଜାତ ହୋଅ ମନିଷ୍ୟ ସରୂପେ

ସମସ୍ତେହେଂ ଦେଖନ୍ତୁ ତୋତେ ଅଜପା ଅଣ ତପେ।୨୮୧।

 

ଆଗୋ ଭାନୁ କମଳ ତପ ସେ ଭାଙ୍ଗିଲୁ ମୋହୋର ଆସି

ତୁହି ସେ ମଧ୍ୟଭୁବନେ ଜାତ ହୋଅସି ମନୁଷୀ।୨୮୨।

ଦୁଖେ ଅର୍ଜିଲା ତପ ଅଟଇ ଯେବେ ସତ

ପତି ପତ୍ନୀ ତୁମ୍ଭେ ବେନି ନରଯୋନିରେ ହୋଅ ଜାତ।୨୮୩।

 

ତପ ଧର୍ମ ଛାଡ଼ି ଯେବେ ରାଗଯହୁଂ ସେ ଭଜିଲା

ରାଗ ମୋହ ହିଂସାୟେ ଧର୍ମ ନାଶ ଗଲା।୨୮୪।

ନାରାୟଣ ଦୃଶ୍ୟ ହୋଇଲେ ଶୂଦ୍ରକ ବ୍ରହ୍ମାକୁ

ଆହୋ ବେଦବର ତୁ କୋପ କଲୁ ଯେ ଆମ୍ଭଙ୍କୁ।୨୮୫।

 

ରାଗେ ବୋଇଲେ ବ୍ରହ୍ମା ତୁ ଯେ ଆମ୍ଭଙ୍କୁ ନୋହିଲୁ ଦୃଶ୍ୟ

ଧୃତରାଷ୍ଟ କୋଳେ ଜନମି ମାନବ ମେଳେ ବସ।୨୮୬।

ଭୂମନୁର ଦୁହିତା ୟେ ହୋଉ ଭାନୁମତୀ

ତୁମ୍ଭଙ୍କୁ ପ୍ରଦାନ ହୋଉ ଥାଉ ନିତି।୨୮୭।

 

ଅନୁବ୍ରତେ ବରବେଶ ହୋଉଥାଅ ନିତ୍ୟେ

ନମସ୍କାର ନ କରିବୁ ମାତାପିତା ସହିତେ।୨୮୮।

ଯାହାକୁ ନମସ୍କାର କରିବୁ କର ତୋଳି

ଦେବତା ହୋଇଲେ ସେ ଅବଶ୍ୟ ଯିବ ଜଳି।୨୮୯।

 

ୟେହା ଶୁଣି ବୋଇଲେ ପନ୍ନଗା ନାରାୟଣ

ମୁଂ ଯେବେ ମଞ୍ଚ ପୁରେ ହୋଇବଇଂ ଜନ୍ମ।୨୯୦।

କଥାୟେ କହିବି ମୁଂ ଶୁଣ ବେଦବର

ଅନର୍ଘ୍ୟ ମଣିମୁକୁଟ ଥିବ ମୋହୋର ଶିର।୨୯୧।

 

ଚାରିପାଦେ କମଳା ଥିବେ ବିଜେ କରି

ଭୋଗ ମୋହ ବାଧା ମୋତେ ନୋହିବାକ ସରି।୨୯୨।

ୟେ ଭାନୁ କମଳା ମଞ୍ଚେ ନାମ ହୋଇବ ଭାନୁମତୀ

ମାନଗୋବିନ୍ଦ ନାମେ ହୋଇବି ମୁଂ ୟେହାର ପତି।୨୯୩।

 

ଅଷ୍ଟଦିନେ ମଙ୍ଗଳ ମୁଂ ହୋଉଥିବି ବାଳୀ

ୟେତେକ ବଚନ ଯେ ମୋହୋର ପ୍ରତିପାଳି।୨୯୪।

ବ୍ୟାସେ ବୋଇଲେ ବାବୁ ଶୁଣିବା ଭୂମନୁ

ପନ୍ନଗା ବିଷ୍ଣୁ ରୂପ ୟେ ଧୃତରାଷ୍ଟର ତନୁ।୨୯୫।

 

ଭାନୁ କମଳା ଯେ ଅନାଦି କମଳିନୀ

ପନ୍ନଗା ନାରାୟଣର ୟେ ଅଟଇ ଜନ୍ମେ ଜନ୍ମେ ଘରଣୀ।୨୯୬।

ଯେତେବେଳେ ପ୍ରଦାନ ୟେ ହୋଇବ ଭାନୁମତୀ

ମାନଗୋବିନ୍ଦ ହୋଇବ ୟେ ମାନ ଚକ୍ରବ୍ରତୀ।୨୯୭।

 

ଅଷ୍ଟଦିନେ ମଙ୍ଗଳ ସେ ହୋଉଥିବ ବାଳୀ

ଶୂଦ୍ରେକ ବ୍ରହ୍ମାର ଯେ ବଚନ ପ୍ରତିପାଳି।୨୯୮।

ବରକନ୍ୟା ୟେ ହୋଉଥିବେ ଅନୁବ୍ରତେ

ୟେଥେ ଥିବ ଭାରାଭର ନିବାରିବା ପରିଯନ୍ତେ।୨୯୯।

 

ଶୁଣ ହୋ ମନୁ ପୁରୁଷ ବଦୟନ୍ତି ଅଗସ୍ତି

ବ୍ୟାସେ ଛଡ଼ାଇଲେ ଓହୋ କୁଳର ଭ୍ରାନ୍ତି।୩୦୦।

ଭାନୁମତୀକୁ ହୋ ପ୍ରଦାନ କର ଦ୍ରିଯୋଧନକୁ

ୟେ ଅନାଦି ଅପର୍ଣ୍ଣାକୁ କାହିଂ ବରି ଲୋଡୁ ଆନକୁ।୩୦୧।

 

ତୁହି ତ ଭୂତଳ ପୁରର ଅଟୁ ଆଧିପତି

ୟେଥି ଉତପତ୍ତି ହୋଇଲେ ସମସ୍ତ ହୋଇ ଭ୍ରାନ୍ତି।୩୦୨।

ଭୂମନୁ ଅନେକ ସାନନ୍ଦ ହୋଇଲେ ବ୍ୟାସଙ୍କର ବଚନେ

ଭାନୁମତୀ ଉଚ୍ଛବ କରାଇଲେ ରାଜା ବିଭାର ବିଧାନେ।୩୦୩।

 

ନଗ୍ରେଣ ମଙ୍ଗଳ ଯେ ଅନେକ ଉଚ୍ଛବ

ବିଭାକୁ ସଞ୍ଚିତ ରାଜା କରିଥିଲା ସର୍ବ।୩୦୪।

ଶଶଧର ଗୋତ୍ର ଯେ ବୀର ଦ୍ରିଯୋଧନ

ଉଦ୍ଦାଳକ ଗୋତ୍ର ଯେ ଭୂମନୁ ରାଜନ।୩୦୫।

 

ଉଦ୍ଦାଳକ ଗୋତ୍ରେ ପୁରୋହିତେ କରାବନ୍ତି ବିଭା

ପରମ ସାନନ୍ଦ ସେ ହୋଇଲେ ରାଜଦେବା।୩୦୬।

ଭୂମନୁ କୋଳରେ ଯେ ବିଜୟ କଲେ ଭାନୁମତୀ

ବ୍ୟାସଙ୍କର କୋଳେ ବସିଲେ କୁରୁପତି।୩୦୭।

 

ୟେସନେକ ପ୍ରଦାନ ଯେ ବିଭା ସୋମ ଗୋତ୍ରେ

ଦେଶ କାଳ ବାକ୍ୟ ଉଚ୍ଚାରନ୍ତି ଉଦ୍ଦାଳକ ପୁରୋହିତେ।୩୦୮।

ସତ୍ୟ ବାକ୍ୟେଣ ବରଣ ସୀଉକାର ସାରି

ବିଭା ସମ୍ଭର୍ବେ ସେ ସମର୍ପିଲେ କୁମାରୀ।୩୦୯।

 

କୁଶ ହସ୍ତ କରାବନ୍ତି ପୁରୋହିତେ

ଡାହାଣ ବ୍ରତେକ ଶଙ୍ଖେ ଜଳ ତିଳ ଘେନି ରାୟେ ହସ୍ତେ।୩୧୦।

ଦୁହିତା ପ୍ରଦାନ କଲୁ ଦକ୍ଷିଣା ଦିଅସି ହୋ ରାୟେ

ଯେସନେ ବିଧାନ କରୁ ତୋହୋର ଉପାୟେ।୩୧୧।

 

ଶଙ୍ଖେ ଜଳ ତିଳ ଘେନିଣ ଭୂମନୁ

ପଦ୍ମେକ ଗାବ ଦିଲା ସବଚ୍ଛା କରି ଧେନୁ।୩୧୨।

ଚାରି ଲକ୍ଷ ଅଶ୍ୱ ଦିଲା ସେ ଚୋଖାର ଯେ ବାଜୀ

ପବନହୁଂ ବେଗବନ୍ତ ଅଟନ୍ତି ମହାତେଜି।୩୧୩।

 

ଲକ୍ଷେକ ଗଜକେ ଲକ୍ଷେ ଚାମର ଉଭାରି

ଲକ୍ଷେକ ଗଜ ଦିଲା ଶ୍ୱେତ ବର୍ଣ୍ଣକରୀ।୩୧୪।

ସପତ ଭଣ୍ଡାର ଯେ ଦିଲା ଅଷ୍ଟରତ୍ନ

ଲକ୍ଷେକ ଧାଈ ଦିଲା ଗଣିକା ଗଣମାନ।୩୧୫।

 

ଲକ୍ଷେକ ପାଟଛତ୍ର ବେନି ଲକ୍ଷ ଉଦ୍ଦଣ୍ଡ

ରାଇଜ ସୀମା ପାଣି ଛଡ଼ାଇଲା ଚାରିଶତ ପାରିଦଣ୍ଡ।୩୧୬।

ଆଲମ୍ୱ ଚାମର ଅଗଣିତ ଦିଲାକ ରାୟେ

ଅନେକ ବୀର ତୂର ସମ୍ଭର୍ବେ ବଜାୟେ।୩୧୭।

 

ଅହିବ୍ରତେକ ରଥ ସୁବର୍ଣ୍ଣେଣ ସାଜି

ରଥଙ୍କରେ ଯୋଚିଲା ଚାରି ଚାରି ବାଜୀ।୩୧୮।

ଯଉତୁକ ପାଣି ସେ ଛାଡ଼ିଲା ଦଣ୍ଡଧାରୀ

ଅନେକ ସମ୍ଭର୍ବ କହିତ କି ପାରି।୩୧୯।

 

କନ୍ୟା ସମର୍ପଣ କଲା ଭୂମନୁ ନୃପରାୟେ

ଲାଜା ହୋମ ସାରିଲେ ପ୍ରୋହିତ ମୁନି ଧ୍ୟାୟେ।୩୨୦।

ଘୃତ ପାରଣା କଲେ ବରକନ୍ୟା ବେନି

ମୁନିଗଣମାନେ କଲେ ଆଶିଷ୍ୟ ଯେ ଧୁନି।୩୨୧।

 

ଚିର ଆଷ୍ୟ ହୋଅ ତୁ ଶୁଭ ସୁଲକ୍ଷଣୀ

ସୌଭାଗ୍ୟବନ୍ତୀମାନେ ବନ୍ଦାଇଲେ ଅର୍ଘ୍ୟ ଘେନି।୩୨୨।

ବିଭା ସାରିଣ ସେ ଗଲେ ନିଜପୁରେ

ଯେ ବିଧି ମୁଣୋହି କରନ୍ତି ସମ୍ଭରେ।୩୨୩।

ଅଷ୍ଟଦିବସ ରହିଲେ ବିଭାମଙ୍ଗଳ ଯୋଗେ

ପୁଣିହିଂ ବିଭା ହୋଇଲା ଭାନୁମତୀକି ସେହି ବାଗେ।୩୨୪।

 

ୟେଥୁ ଅନନ୍ତରେ ଶୁଣ ବଇବସୁତ ମନୁ

ବିଭା ସାରି ଚଳଇ ଯେ ଧୃତରାଷ୍ଟର ତନୁ।୩୨୫।

ରଥ ଗଜ ଅଶ୍ୱ ସଇନି ପାଦାନ୍ତି

ଚଳନ୍ତି ହସ୍ତିନାକୁ କୁରୁବଇଂ ବୀର କ୍ଷତ୍ରୀ।୩୨୬।

 

ପ୍ରବେଶ ହୋଇଲେ ଯାଇ କୁଞ୍ଜଗଳ ଦେଶେ

ଭୀଷ୍ମ ବିଦୁରେ କହିଲେ ଧୃତରାଷ୍ଟର ପାଶେ।୩୨୭।

ଭୋ ଦେବ ଅବଧାନ ହୋଅସି କହଇ ସଞ୍ଜୟେ

ବଡ ସମ୍ଭର୍ବେ ଆସନ୍ତି ତୋହୋର ତନୟେ।୩୨୮।

 

ଭାନୁମତ ଦେଶର ଭୂମନୁ ବୋଲି ରାଜା

ଦକ୍ଷିଣ କୋଶଳେ ଅନେକ ତାଙ୍କୁ ପୂଜା।୩୨୯।

ତାହାର ଦୁହିତା ଯେ ଅଟଇ ଭାନୁମତୀ

ଦ୍ରିଯୋଧନକୁ ପ୍ରଦାନ କଲା ସେ ନୃପତି।୩୩୦।

 

କନ୍ୟାକଇଂ ଘେନି ସେ ଅନେକ ସମ୍ଭରେ

ବହୁତ ଯେ ଯଉତୁକ ଦିଲାକ ନୃପବରେ।୩୩୧।

 

Unknown

ବିରୂପାକ୍ଷ ସଙ୍ଗେ ସମର

 

ଚଳନ୍ତି ଥାଠ ସେ ଯେ ତିନିଯୁଣ ମାଡ଼ି

ପ୍ରଥମ ଦିନ ଗଲେ ଯେ ପଥ ବଢି।୧।

ସମ୍ଭରେ ହସ୍ତିନାକୁ ଚଳଇ କୁରୁସାଇଂ

ଶତେକ ଭ୍ରାଥ ଘେନି ନୃପମଣି ଆସଇ।୨।

 

ୟେମନ୍ତର ସମୟେ ଯେ ବିରୂପାକ୍ଷ ବୀର

ଶୂନ୍ୟେଣ ରଥ ଚଢି ଭ୍ରମଇ ଅସୁର।୩।

ବ୍ରହ୍ମାର ବରେ ସେ ଯେ ଅମାପ ବଳବନ୍ତା

ଯାହାର ଧନୁ ଧରନ୍ତେ କମ୍ପଇ ବିଧାତା।୪।

 

ଭ୍ରମଣ କରନ୍ତେ ସେ ଚାହିଂଲା ଶୂନ୍ୟେଣ

ବୀରବାଦ୍ୟମାନ ଶୁଭିଲା ଶ୍ରବଣ।୫।

ବିଜୟା ସାରଥିକି ବୋଇଲା ଅସୁର

ଅଦଭୁତେ ବନେଣ ଯେ ବାଜି ବୀରତୂର।୬।

 

କେବଣ ରାଜାୟେ ଯେ ଆସଇ ରଥ ବାହି

କାହାର ୟେଡ଼େ ଦର୍ପ ବୀର ତୂର ବଜାଇ।୭।

ୟେମନ୍ତ ଶୁଣି ସାରଥି ଅନ୍ତରୀକ୍ଷେ ଚାହିଂ

କୁରୁବଳ ଥାଠ ନ ଦିଶଇ ମହୀ।୮।

 

ବିଜୟା ସାରଥି ବୋଇଲା ଭୋ ଦେବ

କେବଣ ରାଜା ମର୍ତ୍ତ୍ୟେ ବଡ଼ାଇ ସୁଲଭ।୯।

ଶୁଣିଣ ବିରୂପାକ୍ଷ ବୋଲଇ କ୍ରୋଧେଣ

ବାହା ମୋର ରଥ ଅଜଙ୍ଗ ନାମେ ବନ।୧୦।

 

ସହସ୍ରେ ସାର୍ଦ୍ଦୋଳ ଯୋଚିଲା ଅଛି ତହିଂ

ତିନି ଦଣ୍ଡେ ତିନି ଭୁବନେ ଭ୍ରମଇଂ।୧୧।

ତତକ୍ଷଣେ ସାରଥି ଟେକିଲାକ ଯାନ

ରାହୁ ଗ୍ରାସ କଲା କି ପୂର୍ଣ୍ଣମୀର ଜହ୍ନ।୧୨।

 

ଲୋହାର ରଥ ସେ ଯେ ଯେବଣ ନିର୍ଜିତା

ଦୀର୍ଘ ପ୍ରତି ତାର ଅଟଇ ଆୟୁତା।୧୩।

ବାବୁ ସେ ରଥ ତାର ଦେବ ରଥ ଜାଣି

ପନ୍ତି ପନ୍ତି ଲମ୍ୱନ୍ତି ଅଷ୍ଟରତ୍ନେ ମଣି।୧୪।

 

ନେତର ଚିରାଳ ଉପରେଣ ଉଡ଼ି

ଚକର ଶବଦ ଯେ ମେଘ ଘଡ଼ଘଡ଼ି।୧୫।

ଅଦଭୁତ ଶବଦ ଶୁଣିଣ କୋଳାହଳ

ଉପରକୁ ଦୃଷ୍ଟି ଯେ କରନ୍ତି କୁରୁବଳ।୧୬।

 

ମିଥୁନ ମାସେ ଯେହ୍ନେ ଦିଶନ୍ତି ମେଘମାଳ

ତେସନ ଦିଶଇ ରଥ ଯେ ଶାମଳ।୧୭।

ତଥିର ମଧ୍ୟେ ୟେ ବିଜୁଳୀ ତେଜ ଝଳି

ଅଷ୍ଟରତ୍ନେ ଲମ୍ୱନ୍ତି ସେ ତେଜରୁ ଉଗୁଳି।୧୮।

 

ଦେଖିଣ କୁରୁବଳ ନପାରିଲେ ବାରି

କେ ବୋଲି ବାସେବ ୟେ ଅମର ଅଧିକାରୀ।୧୯।

କେ ବୋଲେ ଗନ୍ଧର୍ବ ୟେ ଅଙ୍ଗାର ପନ୍ନଗ

ରଥ ଆରୋହି ଯେ ଭ୍ରମଇ ମଧ୍ୟ ସ୍ୱର୍ଗ।୨୦।

 

ଶୁଣିଣ କର୍ଣ୍ଣ ସେ ଯେ ବୋଇଲାକ ଚାହିଂ

ଅଙ୍ଗାର ପନ୍ନଗହୁଂ ଆନ ସେ ନୋହଇ।୨୧।

ମାନଗୋବିନ୍ଦର ବିଭା ସମଯୋଗ ଶୁଣି

ଆକାଶରେ ଉଚ୍ଛବ ଯେ କରାୟେ ବଜ୍ରପାଣି।୨୨।

 

ଅର୍ଜୁନ ଲେଖାୟେଂ ସେ ଅଟଇଟି ତାତ

ଅବଶ୍ୟ ସୁରରାଜା ଅବା ଆସଇ ଦେଖି ତ।୨୩।

ଅଶସ୍ତମା ବୋଇଲା ହୋ ଅଇରାବ୍ରତ ନାହିଂ

ସେ କେହ୍ନେ ମଘବା କର୍ଣ୍ଣ ହୋଇଲୁ ତୁ ବାଇ।୨୪।

 

ବଜ୍ର ତତ୍ତୁଲ୍ୟ ତ ଶୁଭଇ ଘଡ଼ଘଡ଼ି

କିଅ ବା ସ୍ୱର୍ଗ ଯେ ମର୍ତ୍ତ୍ୟକୁ ପଡ଼େ ଝଡ଼ି।୨୫।

ସ୍ତମ୍ଭୀଭୂତ ଥାଠ ଯେ ନପାରନ୍ତି ଯାଇ

ମାନଗୋବିନ୍ଦ ବୋଇଲା ଧୁଶାସନକଇ ଚାହିଂ।୨୬।

 

କେବଣ କଥା ୟେ ବୁଝି ତଥ୍ୟ କର

ଶୁଣିଣ ଧୁଶାସନ ଉଠିଲା ଝୁଣି ଶିର।୨୭।

ରେରେ କାର କରି ଉଠିଲା କୋପଭରେ

ଯାଇଣ ମିଳିଲା ଅଶସ୍ତମାଙ୍କର ଛାମୁରେ।୨୮।

 

ବୋଇଲା ଧୁଶାସନ କୋପେଣ ଶିର ଝୁଣି

ଅଭୟ କ୍ଷେତ୍ରୀ ତୁମ୍ଭେ ଆଗେ ଆଗି ଆଣି।୨୯।

କିସ ଶବଦ ଅବା ଆକାଶେ ଶୁଭିଲା

ଭୟ କରି ତୁମ୍ଭ ରଥ ଥିର କଲା।୩୦।

 

କର୍ଣ୍ଣକୁ ଧୁଶାସନ କହନ୍ତେ ଉତ୍ତର

ଆକାଶୁଂ ଆସଇ ଯେ ଖସିଣ ରହୁବର।୩୧।

ମେରୁ ତୁଲ୍ୟ ଜାଣି ଆକାଶୁଂ ପଡ଼ଇ ଖସି

ଦେଖିଣ କୁରୁବଳେ ରହିଲେକ ତ୍ରାସି।୩୨।

 

ୟେମନ୍ତ ସମୟେ ବିରୂପାକ୍ଷ ବୀର

ଲୋହା ଧନୁରେ ଯୋଚାଇଲା ବାମ କର।୩୩।

ଯୋଜନେ ଉର୍ଦ୍ଧ୍ୱେ ଥାଇ ସେ ଯେ ଅସୁର ମହାବୀରା

ବିନ୍ଧିଲା ଶର ସେ ଯେସନେ ଜଳଧାରା।୩୪।

 

ତୀଖ ମୁନାଶର ବିନ୍ଧିଲା ତ୍ରୋଣୁଂ କାଢି

ରଥୀ ହାଥୀ ପାଦାନ୍ତି ଯେ ପଡ଼ିଲେ ବିଛଡ଼ି।୩୫।

ଅଦଭୁତ ଦେଖି ବୀର ଅଶସ୍ତମା କର୍ଣ୍ଣ

ସେ ବୀରେ ଧନୁ ଯେ କଲେ ଆମଞ୍ଚନ।୩୬।

 

ଅନ୍ତରୀକ୍ଷେ ବାଣ ଯେ ଗଗନୁଂ ପଡ଼ଇ ଖସି

କେଉଣିସି ପ୍ରକାରେ ନୋହନ୍ତି ଶର ନାଶି।୩୭।

ମୁଖଟେକି ଚାହାନ୍ତେ ଲଲାଟେ ପଡ଼େ ଶର

କର୍ଣ୍ଣ ଦେଖନ୍ତେ ସନ୍ୟ ହୋଇଲେ ଅପହାର।୩୮।

 

ମର୍ତ୍ତ୍ୟକୁ ଆସୁ ଆସୁ ବିରୂପାକ୍ଷ ବୀର

କୋଟିୟେ ଯୋଦ୍ଧା ସେ ଯେ ପେଷିଲା ଯମପୁର।୩୯।

ଅନ୍ତରୀକ୍ଷୁଂ ଅଜଙ୍ଗ ବନକୁ ଆସୁ ଆସୁ

ଅସଂଖ୍ୟ ଯୋଦ୍ଧା ସେ କଲାକ ଧୂଳି ପାଂଶୁ।୪୦।

 

ସାରଥିକି ବୋଇଲା ରେ ଶୁମ ମୋ ଉତ୍ତର

ଶତ୍ରୁର ସମ୍ମୁଖକୁ ବାହା ମୋର ରହୁବର।୪୧।

ଶୁଣିଣ ବିଜୟା ଯେ ବାହିଲାକ ଯାନ

ଭେଟ ପଡିଲା ଯେ ସେ ଆଗ ଥାଠେ କର୍ଣ୍ଣ।୪୨।

 

କର୍ଣ୍ଣର ରହୁବର ଜାଣିଣ ମନ୍ଦର

ଇନ୍ଦ୍ରଧନୁ ଜାଣି ହସ୍ତରେ ଧନୁ ତାର।୪୩।

ଅଭେଦ କପଚ ବଜ୍ର ଛଉରି ଅମୃତ କୁଣ୍ଡଳ

ଦେଖିଣ ବିଚାରଇ ସେ ଯେ ଲୋହିତାକ୍ଷର ବାଳ।୪୪।

 

ୟେତେ ଲକ୍ଷଣ ଯେ ୟେହାର ତହିଂ ଅଛି

କେବଣ ଦିଗପାଳ ୟେ ମର୍ତ୍ତ୍ୟରେ ବୁଲୁଛି।୪୫।

ୟେମନ୍ତ ବିଚାରି କର୍ଣ୍ଣର ମୁଖ ଚାହିଂ

ବୋଲଇ କେବଣ ଦେଶର ରାଜା ଅଟୁ ତୁହି।୪୬।

 

କାହାର ଭରସାରେ ବୀର ତୂର ବାଉ

ସମଦଣ୍ଡ ପଲାଣି ଦେଶ ଭ୍ରମି ଯାଉ।୪୭।

ଆଜ ଜାଣିମାରେ ବଡିମା ତୋହୋର

କେ ଆଜ ରଖିବରେ ବହ୍ମା ହରିହର।୪୮।

 

ୟେମନ୍ତ କଥା ଯହୁଂ ଶୁଣିଲା ଧୁଶାସନ

ପିଟିଲା ଗଦା ସେ ଯେ କରିଣ ମହାତମ।୪୯।

ଲୋହାର ରଥେ ବାଜି ପଡିଣ ଚୂରଗଲା

ଅନେକ ବେଳ ଖଡ୍ଗ ତୋଳି ପ୍ରହାରିଲା।୫୦।

 

ବାଜନ୍ତେ ରଥରେ ଯେ ତୀଖ ଅସି ଧାର

ଭଗନସ୍ତ ହୋଇଣ ପଡିଲା ଶତେ ଚୂର।୫୧।

ଦେଖିଣ କୋପ କଲା ରାଧେବର ବଚ୍ଛି

ଆବର ଅଶସ୍ତମା ସଙ୍ଗେ ତାର ଅଛି।୫୨।

 

ଇନ୍ଦ୍ରଧନୁ ଜାଣି ବୀରେ ଧଇଲେ ବେନି ଚାବ

ଦତ୍ୟ ଉପରକୁ ଶର କରନ୍ତି ପରାଭବ।୫୩।

ନିମିଷେକ ଭିତରେ ବୀରେ ଲକ୍ଷେ ବାଣ ବିନ୍ଧି

ମଧ୍ୟ ପୁରକଇଂ ସେ ଯେ ଶରେଣ ନିରୋଦି।୫୪।

 

ଦେଖି ଅସୁର ଯେ ହୋଇଲା କୋପାନଳ

ତ୍ରୋଣରୁ କାଢିଲା ସେ ଶର କାଳାନଳ।୫୫।

ଆକର୍ଣ୍ଣ ପରିଯନ୍ତେ ଓଟାରିଣ ବାଣ

ଶରନ୍ତ ନାଶିବାକୁ ବିନ୍ଧଇ ଗରୁଟାଣ।୫୬।

 

ତତକ୍ଷଣେ ବାଣ ସେ ଯେ ଚଳିଲେ ଅନ୍ତରୀକ୍ଷେ

ସେ ଅଗ୍ନିରେ ଶର ଦହନ ହୋଇଲା ପ୍ରତକ୍ଷେ।୫୭।

ଶରନ୍ତ ନାଶି ଧୁଶାସନ ଉପରେଣ ପଡ଼ି

ପଡ଼ିଲା ମହାବୀର ଯେ ଛାଡ଼ି ସିଂଘରଡ଼ି।୫୮।

 

ଦେଖିଣ କର୍ଣ୍ଣକୁ ଯେ ନଫୁରଇ କିଛି

ପର୍ବତ ଶରେକ ଯେ ବିନ୍ଧଲା ବୀର ବାଛି।୫୯।

ବିରୂପାକ୍ଷ ଅସୁର ୟେ ବଜ୍ରଶର ବିନ୍ଧି

ବଜ୍ରର ବିଘାତେ ଯେ ଗିରିରାଜ ଛେଦି।୬୦।

 

ପୁଣିହିଂ କର୍ଣ୍ଣ ଯେ ବିନ୍ଧିଲା ମେଘା ଶର

ପବନା ଶରେ ତାହା ନିବାରେ ଅସୁର।୬୧।

ଅଶସ୍ତମା ଅଗ୍ନି ଶର ବିନ୍ଧିଲାକ ଦୃଢ କରି

ଜଳଧାରା ଶରେ ତାହା ଅସୁର ନିବାରି।୬୨।

 

ପନ୍ନଗା ଶରେ କଯେ ଗୁରୁସୁତ ଛାଡ଼ି

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଧାମନ୍ତି ଫେରୁ ଧରି।୬୩।

ଦେଖିଲା ଯେ ତାହା ଲୋହିତାକ୍ଷ ସୁତ

ଗରୁଡ଼ା ଶରେ ତାହା ନିବାରେ ଦଇତ।୬୪।

 

ବିନ୍ଧି ବିନ୍ଧି ବେନି ବୀରେ ହୋଇଲେ ବିମୁଖ

ବିଚାରନ୍ତି ଦାନବ ତ ଆମ୍ଭଙ୍କୁ ଦିଲା ଦୁଖ।୬୫।

ୟେମନ୍ତ ବିଚାରି ସେ ବିନ୍ଧନ୍ତେ ବେଗେ ଶର

ଅସୁର ଛେଦଇ ତାହା କିଞ୍ଚିତ ପ୍ରକାର।୬୬।

 

ମହାଭୀଷ୍ମ ରୂପେ ଯେ କର୍ଣ୍ଣ ମହାବଳୀ

ତିନି କାଣ୍ଡ ଗୁଣେ ବସାଇଲେ ଆଦ୍ରାବଳୀ।୬୭।

ଅସୁର ଉପରକୁ ବିନ୍ଧିଲା ରୋଷଭରେ

ପଡିଲେ ଶର ସେ ଯେ ମହାଦତ୍ୟର ଉପରେ।୬୮।

 

ବଜ୍ରସେହ୍ନା ଫୁଟି ଅଙ୍ଗେ ଶର ଯାଇଂ

ଗର୍ଜିଲା ଦାନବ ବ୍ରହ୍ମାଣ୍ଡ କମ୍ପାଇ।୬୯।

ବ୍ୟଥା ପାଇଲା ସେ ଯେ ଲୋହିତାକ୍ଷ ବାଳ

କୋପେଣ ଧଇଲା ସେ ଯେ ବୈରୋବ ମୂଷଳ।୭୦।

 

ପ୍ରଥମ ମୂଷଳ ସେ ଯେ ପିଟିଲାକ ତୋଳି

କର୍ଣ୍ଣର ସାରଥି ରଥ ସହିତେ ହେଲେ ଧୂଳି।୭୧।

ଆଡ଼ ହୋଇ କର୍ଣ୍ଣ ପଳାଇଣ ଯାଉଂ

ପଛରୁ ମୂଷଳ ପିଟିଲା ଅସୁର କୁଳ ରାହୁ।୭୨।

 

ସେ ମୂଷଳ ବାଜି କର୍ଣ୍ଣ ରୁଧିର ଉଦ୍ଗାରି

ଭୂମିରେ ପଡ଼ିଲା ସେ ରୁଧିରେ ପ୍ରାଣ ହାରି।୭୩।

ଦେଖିଣ ଅଶସ୍ତମା ଟେକିଲେ ରହୁବର

ଅସୁର ଉପରକୁ ଯେ ବିନ୍ଧିଲେ ଦେବ ଶର।୭୪।

 

ବଜ୍ରସେହ୍ନାରେ ନ ଭେଦି ଶର ପଡିଲା ଲେଉଟି

ସେ ଭୈରୋବୀ ମୂଷଳ ଅଶସ୍ତମାକୁ ନେଇ ପିଟି।୭୫।

ଅକ୍ଷୟେ ତ୍ରିଜୀବୀ ସେ ଅନାଦିର ବରେ

କିଛିହିଂ ନୋହିଲା ସେ ମୂଷଳ ପ୍ରହାରେ।୭୬।

 

ହୁଂକାରେ ତିନି ବେଳ ରିଂଝାଇ ପିଟିଲା

ଅଶ୍ୱ ସାରଥି ସହିତେ ରଥ ଧୂଳି କଲା।୭୭।

ତଦ୍ୟାପି ଅଶସ୍ତମାର ନୋହିଲାକ କିଛି

ବିଚାରିଲା ୟେହାରେ ଅନେକ କାର୍ଯ୍ୟ ଅଛି।୭୮।

 

ୟେମନ୍ତ ବିଚାରି ଦ୍ରୋଣିର ଚରଣ ଧଇଲା

ଆପଣା ଲୋହମୟ ରଥେ ନେଇ କଚାଡ଼ିଲା।୭୯।

ଯହୁଂ ସେ ଲୋହମୟ ରଥେ ପିଟିଲା ନିଠାଇ

ମୋହ ହୋଇଲେ ସେ କୃପୀଙ୍କ ତନୟି।୮୦।

 

ବିଜୟା ସାରଥିକି ବୋଇଲା କାମଚର

ରଥଦଣ୍ଡ ଉପରେ ଯେ ୟେହାକୁ ବନ୍ଧନ କର।୮୧।

ଶୁଣିଣ ସାରଥି ଯେ ଦଣ୍ଡା ପରେ ଥୋଇ

କର ଚରଣ ସେ ଯେ ବାନ୍ଧିଲା ନିଠାଇ।୮୨।

 

ୟେ ତିନିବୀରେ ଯହୁଂ ହରାଇଲେ ପ୍ରାଣ

ଶୂଳ ଘେନି ପଶିଲା ଯାଇଂ ରାଜାର ଥାଠେଣ।୮୩।

କଦଳୀ ବୃକ୍ଷ ଯେହ୍ନେ ବାତ ଘାୟେ ଭାଜି

ଶୂଳ ଘାତେ ସନ୍ୟ ଯେ ପଡିଲେ ନିମଚ୍ଛି।୮୪।

 

ମଧ୍ୟ ଗହଣରେ ଆସଇ ଦ୍ରିଯୋଧନ

ସତାଣୋଇ ଭାଇ ସେ ଘେନିଣ ସଙ୍ଗତେଣ।୮୫।

ଡଗର ଜଣାଇଲା ଶୁଣିମା କୁରୁପତି

ଧୁଶାସନ ଅଶସ୍ତମା କର୍ଣ୍ଣ ହାରିଲେ ଜୀବତି।୮୬।

 

ଅକସ୍ମାତେ କାହୁଂ ଅଇଲା ଅସୁର

ଅନେକ ସନ୍ୟ ସେ ଯେ ପେଷିଲା ଯମପୁର।୮୭।

ଅଶସ୍ତମା କର୍ଣ୍ଣ ବହୁତ ଯୁଦ୍ଧକଲେ

କର୍ମ ଅବଳେ ସେ ଯେ ଜିଣି ନପାରିଲେ।୮୮।

 

ଧୁଶାସନ କର୍ଣ୍ଣ ଭୂମିରେ ଛନ୍ତି ପଡ଼ି

ଅଶସ୍ତମାକୁ ରଥେ ବାନ୍ଧିଅଛି ଭିଡ଼ି।୮୯।

ଶୁଣିଣ ଦ୍ରିଯୋଧନ ପଡିଲାକ କ୍ଷିତି

ଶ୍ରୀକରେ ତୋଳିଣ ଯେ ଧଇଲା ଭାନୁମତୀ।୯୦।

 

ମୁଖେ ପାଣି ସିଞ୍ଚିଣ ସେ ସଚେତ କରାଇ

ସଧୀରେ ବଚନ ସେ ଯେ ସ୍ୱାମୀକି ଭାଷଇ।୯୧।

ଅକସ୍ମାତେ ଶତ୍ରୁ ଯେବେ ହୋଇଲା ବର୍ଦ୍ଧମାନ

ଲକ୍ଷେ ରାଜାଙ୍କୁ ସ୍ୱାମୀ ଜିଣିଲା ଯେବଣ କର୍ଣ୍ଣ।୯୨।

 

ଆବର ଅଶସ୍ତମା ଧୁଶାସନ ମାରି

ସୈନ୍ୟନ୍ତ ନାଶ ଦେଖି ଯେ ମହା କ୍ରୋଧ କରି।୯୩।

ଜାଣିଲି ତା ଛାମୁରେ ବ୍ରହ୍ମାଦି ନୋହେ ରହ

ଭାଇନ୍ତ ଘେନି ସ୍ୱାମୀ ପଛଘୁଞ୍ଚା ଦିଅ।୯୪।

 

ଦଇନି କରି ସ୍ୱାମୀ ଏ ତୋର ଚରଣେ

ଶରୀର ନହାର ସ୍ୱାମୀ ତାଙ୍କ ସଙ୍ଗ ରଣେ।୯୫।

ଶୁଣିଣ କୁରୁବଇଂ ବୋଲି ବଚନ

ପଛକୁ ପଳାଇବି କି ହୋଇଣ କ୍ଷତ୍ରୀ ମାନ।୯୬।

 

ପ୍ରାଣର ସଖା ମୋର ପଡ଼ିଲା ଯେବେ କର୍ଣ୍ଣ

ଆବର ଧୁଶାସନ ଗୁରୁଙ୍କ ନନ୍ଦନ।୯୭।

ସନ୍ୟ ସାଖା ବଳ ୟେ ପଡ଼ିଲେ ବହୁତ

ଆବର ସଂଘାତ କିସ ମୋହୋର ଜୀବିତ।୯୮।

 

ୟେସନେକ ସମୟେ ଧାମଇ ଅସୁର

ରଥ ଚଢିଟି କରଇ ସର୍ବ ଚୂର।୯୯।

ଦେବଙ୍କୁ ଦୁଲଭ ସେ ଅସୁରର ଯୁଦ୍ଧ

ମୃଗ ପଳାଇ କି ଦେଖିଣ ବନେ ବ୍ୟାଧ।୧୦୦।

 

ଶୂଳ ଘେନି ପିଟଇ ରାଜା ଗଳଗାଜି

ରଥୀ ପାଦାନ୍ତି ପଡ଼ିଲେ ନିମଜ୍ଜି।୧୦୧।

ଭାନୁମତୀକି ଛାଡ଼ି ରାଜା ଦ୍ରିଯୋଧନ

ସତାଣୋଇ ଭାଇ ଘେନି ଧାମଇ କୋପ ମନ।୧୦୨।

 

ଉଭାରି ଗଦା ସେ ଯେ ପିଟିଲା ଯେତେବେଳେ

କିଛୁହିଂ ନୋହିଲା ସେହୁ କଳେବରେ।୧୦୩।

ଗଦାବର ବିଅର୍ଥେ ଗାନ୍ଧାରୀର ପୋୟେ

ସିଂଘର ଆଗେ ଯେହ୍ନେ ମତ୍ତହସ୍ତୀ ରହେ।୧୦୪।

 

ଭୈରୋବୀ ଶୂଳ ଦତ୍ୟ ପିଟିଲା ରିଂଝାଇ

ମୋହେଣ ପଡ଼ିଲେ ସତାଣୋଇ ଭାଇ।୧୦୫।

ସନ୍ୟନ୍ତ ମାରି ସେ ଯେ କଲାକ କୁଢ କୁଢ

ଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼।୧୦୬।

 

ଭାନୁମତ ରାଜା ଯେତେକ ସନ୍ୟ ଦେଇଥିଲା

ବିରୁପାକ୍ଷ ବୀର ସବୁନ୍ତି ମାଇଲା।୧୦୭।

ଦ୍ରିଯୋଧନର ସନ୍ୟ ନିଶୋଧନ କରି

ଗୋଟିୟେ ହୋଇଂ ମାତ୍ର ନ ଅଇଲେ ଉବୁରି।୧୦୮।

 

ୟେହାନ୍ତି ମାରି ସେ ରଥକୁ ଦିଲା ଚାହିଂ

ଅପୂର୍ବ ସୁନ୍ଦରୀ ସେ ଦିଖିଲାକ ତହିଂ।୧୦୯।

ରୂପେ ପଟାନ୍ତର କି ସେ ସହସ୍ରେ ପାର୍ବତୀ

ତେସନେକ ସରୂପ ଦିଶଇ ଭାନୁମତୀ।୧୧୦।

 

ବିଚାରଇ ଧନ୍ୟ ମୋହୋର ଜୀବନ

ନିଶ୍ଚୟେଂ ଲଭିଲି ମୁଂ ସ୍ତିରିଙ୍କ ରତନ।୧୧୧।

ୟେତେକ ବିଚାରି ସେ ଯେ ନିରେଖିଣ ଚାହିଂ

ଭାନୁମତୀ ରୂପକୁ ସେ ମନେ ବାଉନଇ।୧୧୨।

 

ଧନ୍ୟ ଧନ୍ୟ ସୁନ୍ଦରୀ ଧନ୍ୟ ତୋର ଅଙ୍ଗ

ସଂସାର ଛାଡ଼ିବ ତୋତେ ଦେଖିଣ ଅନଙ୍ଗ।୧୧୩।

ଧନ୍ୟ ସେ ପ୍ରଜାପତି ସଂସାର ଚିନ୍ତା ଛାଡ଼ି

କଳ୍ପେ ପରିଯନ୍ତେ କି ତୋହୋର ରୂପ ଗଢି।୧୧୪।

 

ଚନ୍ଦ୍ରମା ବଦନ ମୁଂ ଯାଇଂ ନିଉଛାଳି

କେବଣ ରାଜାର ତୁ ଅଟୁ ଗୋ ଦୁଲାଳୀ।୧୧୫।

ଧନ୍ୟ ଧନ୍ୟ ସୁନ୍ଦରୀ ଧନ୍ୟ ତୋହୋର ବର୍ଣ୍ଣ

ପାଦର ଅଙ୍ଗୁଳି ଜାଈ କଢିର ସମାନ।୧୧୬।

 

ଭଲା ଶୋଭିତ ଯେ ଅଟଇ ପାଦ ଲଖ

କନ୍ଦର୍ପ ପୁରୁଷର କି ଅଟି କାମରେଖ।୧୧୭।

ଅଳତା ବେଢିଣ ଚରଣ ନୁ ଶୋହି

ଦେଖିଣ କାମ ଯେ ନ ଯିବ ଆର କାହିଂ।୧୧୮।

 

ଉଲଟ ରମ୍ଭା ପ୍ରାୟେ ଦିଶଇ ବେନି ଜାନୁ

ମଝା ସିଂହ ଜାଣି ସେ ତାହାର କୁଶାନୁ।୧୧୯।

ସମାନ ଶ୍ରୀଫଳ ଜାଣିଣ ସ୍ତନ ବେନି

ପୀୟୁଷ ପୂରୋଇ ରଖିଅଛୁ ଘେନି।୧୨୦।

 

କରୀ କର ପ୍ରାୟେ ଦିଶଇ କର ବେନି

କନ୍ଦର୍ପକୁ ବିନ୍ଧଇ କୁସୁମ ବାଣ ଘେନି।୧୨୧।

କମ୍ୱୁକଣ୍ଠ ପ୍ରାୟେ ଦିଶଇ କଣ୍ଠ ତୋର

ସୁରଙ୍ଗ ଅଧର ବିମ୍ୱ ଫଳର ଆକାର।୧୨୨।

 

ଭ୍ରୂଲତା ଇନ୍ଦ୍ରଧନୁ ଚନ୍ଦ୍ରମା ବଦନ

କୁଞ୍ଚିତ ହୋଇ ବାରେ ରୋମ ମୂଳମାନ।୧୨୩।

ସ୍ୱାମୀର କ୍ରୋଧେ ଶ୍ରମ ଝାଳ ରୋମ ମୂଳୁଂ ଗଳି

ଚନ୍ଦ୍ର ବଦନ କିବା ଏକତ୍ୱେ ଓହୋଳି।୧୨୪।

 

ଅଷ୍ଟରତ୍ନେ ଜଡ଼ିତ ଯେବଣ ଅଳଂକାର

ସର୍ବାଙ୍ଗେ ସୁନ୍ଦର ଭାନୁମତୀର ଶରୀର।୧୨୫।

ବେଳ ଅସ୍ତ ହେବାକୁ ତିନିଦଣ୍ଡ ଥାଇ

ସମସ୍ତଙ୍କୁ ମାରି ଭାନୁମତୀ ପାଶକୁ ଯାଇ।୧୨୬।

 

ରୂପକୁ ନିରୋପନ୍ତେ ରାତ୍ର ଦିବା ଗଲା

ତଥାପି ଭାନୁମତୀ ବର୍ଣ୍ଣ ବର୍ଣ୍ଣି ନପାରିଲା।୧୨୭।

ସେ ତ ନ ବଚାଇ ଦଇବ ସଂଯୋଗ

ଏବ ମ୍ଭୁତ କନ୍ୟା ମୁଂ ଯେ କରିବଇଁ ଭୋଗ।୧୨୮।

 

ୟେତେକ ବିଚାରିଣ ମେରୁର ଯେ ନାତି

ରୂପକୁ ବାଉନନ୍ତେ ଗଲା ଦିବା ରାତି।୧୨୯।

ୟେସନେକ ସମୟେ ବ୍ରହ୍ମାଙ୍କ କୁମର

ପ୍ରୟାଗକୁ ଯାଇଥିଲେ ନାରଦ ମୁନିବର।୧୩୦।

 

ତୀର୍ଥ କାର୍ଯ୍ୟ ସାରି ମନ ଦଣ୍ଡ ଚଢି

ହସ୍ତିନା ଭୁବନକୁ ଆସନ୍ତେ ଆଗ ବଢି।୧୩୧।

ମେରୁ ତତ୍ତୁଲ୍ୟ ଯେ ଦିଶିଲା ରଥମାନ

ଦେଖିଣ ବିଚାରନ୍ତି ବ୍ରହ୍ମାଙ୍କ ନନ୍ଦନ।୧୩୨।

 

କେବଣ କଥାୟେ ନ ଗଲା ବାରଣ

ଧ୍ୟାନେଣ ଜାଣିଲେ ସେ ନାରଦ ମହାମୁନ୍ୟ।୧୩୩।

ହସ୍ତିନାର ରାଜା ୟେ ମାନ ଚକ୍ରବ୍ରତୀ

ଭାନୁମତ ରାଜ୍ୟରୁ ପ୍ରଦାନ ହୋଇଲା ଭାନୁମତୀ।୧୩୪।

 

ସମଦଣ୍ଡ ଘେନି ହସ୍ତିନା ଆସନ୍ତେ

ବାଟରେ ବିନାଶ କଲେ ଲୋହିତାକ୍ଷର ସୁତେ।୧୩୫।

ଯୁଝେଷ୍ଠିଙ୍କ ଅଗ୍ରତେ କହିବା ଆମ୍ଭେ ଯାଇଂ

ୟେତେ ବୋଲି ଶୀଘ୍ରେ ଚଳିଲେ ତପସାଇଂ।୧୩୬।

 

ବାରୁଣାବନ୍ତରେ ଯେ ଅଛନ୍ତି ଯୁଝେଷ୍ଠି

ପ୍ରବେଶ ହୋଇଲେ ଯାଇଣ ତପୋନିଷ୍ଠି।୧୩୭।

ଭୀମ ଅର୍ଜୁନ ନକୁଳ ସହଦେବ

ୟେକତ୍ୱେ ବସିଣ ଯେ ଅଛନ୍ତି ପାଣ୍ଡେବ।୧୩୮।

 

ନାରଦଙ୍କୁ ଦୂରହୁଂ ଦେଖିଣ ଯୁଝେଷ୍ଠି

ଆସନେ ବସାଇ ସେ ପୂଜନ୍ତି ତପୋନିଷ୍ଠି।୧୩୯।

ପ୍ରଣପତ୍ୟ ହୋଇଣ ଯେ ଶୁତିଲେ ପାୟେଣ

ସନ୍ତୋଷେ ମୁନିବର କରନ୍ତି କଲ୍ୟାଣ।୧୪୦।

 

ଧନ ଶ୍ରୀ ଆୟୁଷ ବର୍ଦ୍ଧୁତ ହୋଉ ତୁକୁ

ଆମ୍ଭେ ଯାଇଥିଲୁ ପ୍ରୟାଗ ତୀର୍ଥକୁ।୧୪୧।

ଅଜଙ୍ଗ ପାଦ ବନେ ଆସନ୍ତେଣ ବାଟେ

ମୃତୁ ଶବ ଦେଖିଲୁଂ ଯେ ସମସ୍ତ କୁରୁଥାଠେ।୧୪୨।

 

ୟେଥକଇଂ ଯୁଝେଷ୍ଠି ବିରାରି କାର୍ଯ୍ୟକର

ୟେତେ କହି ଅନ୍ତର ହେଲେ ମୁନିବର।୧୪୩।

ଶୁଣିଣ ଯୁଝେଷ୍ଠି ଯେ ପଡ଼ିଲେକ ଢଳି

କୋଳ କରିଣ ଧଇଲେ ଭୀମ ମହାବଳୀ।୧୪୪।

 

ମୁଖରେ ପାଣି ସେ ଯେ ସିଞ୍ଚିଲେ ସହଦେବ

ଧୀର ଧୀର କରି ସେ ଯେ ବିଞ୍ଚଇ ପାର୍ଥିବ।୧୪୫।

ଘଡ଼ିକର ମଧ୍ୟେ ଦେବ ଚେତନାୟେ ପାଇଂ

ଶୋକେଣ ଦରାଣ୍ଡନ୍ତି ଅବନୀକି ଚାହିଂ।୧୪୬।

 

ହା ହା ମାନଗୋବିନ୍ଦ ବୋଲିଣ ଶୋକ କଲେ

ଆଜହୁଂ ଅନ୍ଧରାଜା ମୋର ଅନାସ୍ତ ହୋଇଲେ।୧୪୭।

ତୋ କରେ ପଦ୍ମନିଧି ଥିଲା ମୋର ବାବୁ

ବିଧାତା ଅବଶେ ସେ ହରାଇଲୁ ସବୁ।୧୪୮।

 

ମୂର୍ଖ ପଣେ ବାବୁରେ କାହିଂ କଳି କଲୁ

ସମଦଣ୍ଡ ଘେନିଣ ଯେ ଆପଣେ ପ୍ରାଣେ ମଲୁ।୧୪୯।

ଯୁଝେଷ୍ଠିଙ୍କ ବଚନେ ଭୀମ ପରିଣାମି

ଅକାରଣେ କିମ୍ପା କ୍ରୋଧ କରହେ ଦେବ ସ୍ୱାମୀ।୧୫୦।

 

ସେ ମୂର୍ଖ ପାପିଷ୍ଠ ଅଟନ୍ତି ପ୍ରମାଦ

ଆମ୍ଭର ହିତେ ତାଙ୍କୁ ଆନେ କଲା ବଧ।୧୫୧।

ତହିଂକି ଭୋ ଦେବ କ୍ରୋଧ ଯେ ନ କର

ଚାଲ ୟେବେ ହସ୍ତିନାକୁ ଯିବା ହେ ସତ୍ୱର।୧୫୨।

 

ଯୁଝେଷ୍ଠି ବୋଲନ୍ତିରେ ହସ୍ତିନାକୁ ଯାଇ

ଧୃତିରାଷ୍ଟ କ୍ରୋଧେ କି ଜୀବନ ମୋର ରହି।୧୫୩।

ନକୁଳ ବୋଇଲେ ସ୍ୱାମୀ ଗଲା ମଲା ଯିବା

ତାହାନ୍ତ ଲୋଡ଼ିଲେ ଆଉ କି ପାଇବା।୧୫୪।

 

ଯୁଝେଷ୍ଠି ବୋଲନ୍ତି ରେ ନୋହଇ ୟେମନ୍ତ

ଯଦ୍ୟପି ନ ଜୀଇଂବେ ଗାନ୍ଧାରୀର ଶତେ ପୁତ୍ର।୧୫୫।

ମୁକୁ ହିଂ ଜଣେ ରେ ହୋଇଲି ତାଙ୍କ ତୁଲେ

ଯଦ୍ୟପି ମୋହୋର ଶତେ ଭ୍ରାଥ ମଲେ।୧୫୬।

 

ସେମାନେ କେଉଂଠାରେ ଅଛନ୍ତିରେ ପଡ଼ି

ତାହାନ୍ତ ଦେଖିଲେ ମୁଂ ଯେ ଅବଶ୍ୟ ଆତ୍ମା ଛାଡ଼ି।୧୫୭।

ସହଦେବକୁ ଚାହିଂ ପୁଚ୍ଛନ୍ତି ବାରତ

ତୁ ସେ ଜାଣୁ ଭୂତ ଭବିଷ୍ୟ ଆଗତ ନିୟତ।୧୫୮।

 

କହ ତଥ୍ୟ କରି ପ୍ରତେ ଯେଣେ ଯାଇଂ

ଅକାରଣେ କିମ୍ପା ମଲା କୁରୁସାଇଂ।୧୫୯।

କାହାର ସଙ୍ଗେ ସେ ଯେ ବିବାଦୀ ହୋଇଲା

କେ ୟେଡ଼େ ବଳିଷ୍ଠରେ ତାହାନ୍ତ ମଧ୍ୟ କଲା।୧୬୦।

 

ଯୁଝେଷ୍ଠିଙ୍କ ବଚନେ ମନ୍ତ୍ରୀ ଚୂଡାମଣି

କରପତ୍ର ଯୋଡ଼ିଣ ବୋଲଇ ମୃଦୁବାଣୀ।୧୬୧।

ଭୋ ସ୍ୱାମୀ କହଇ ହୋଇବା ସାବଧାନ

ଯେଉଂ ହେତୁ ମଲେ ସେ ଗାନ୍ଧାରୀ ନନ୍ଦନ।୧୬୨।

 

ରଇବ୍ରତ ପର୍ବତକୁ ଗଲେ କୁରୁବୀରେ

କର୍ଣ୍ଣ ଅଶସ୍ତମା ଘେନିଣ ସଙ୍ଗତରେ।୧୬୩।

ଗଦା ଶିଖାବନ୍ତି ଦେବ ବଳେବର

ଅଛନ୍ତି କୁରୁବୀରେ ରଇବ୍ରତ ପର୍ବତର।୧୬୪।

 

ଭାନୁମତ ରାଜ୍ୟରେ ଭୂମନୁ ନୃପତି

ତାହାର ଦୁହିତା ନାମ ଅଟଇ ଭାନୁମତୀ।୧୬୫।

ସର୍ବ ସୁଲକ୍ଷଣୀ ସେ ଅଟଇ ନବଯୁବା

ତା ରୂପ ସମାନକୁ କମଳା ନୋହିବା।୧୬୬।

 

ସେ ଭାନୁମତ ରାଜା ବିଚାରଇ ମନେ

କାହାକଇଂ କନ୍ୟା ଯେ କରିବା ପ୍ରଦାନେ।୧୬୭।

ୟେମନ୍ତ ଭାଳନ୍ତେ ଯେ କିଛୁ ଦିନ ଗଲା

ଲକ୍ଷେକ ରାଜାଙ୍କୁ ସେ ଯେ ସୟଂବରେ ବରିଲା।୧୬୮।

 

ଦୁହିତା ବୋଇଲା ଶୁଣ ତାତ ପୁଣ

ରୁଣ୍ଡ ହୋଇଲେ ସେ ଯେ ସକଳ ରାଜାଗଣ।୧୬୯।

ଶଙ୍ଖ ପଦ୍ମ ନିଧି ଅଛି କାହା କରେ

ପରୀକ୍ଷା କର ଶିଳା ତାହାଙ୍କ ହସ୍ତରେ।୧୭୦।

 

କର ଲାଗି ପାଷାଣ ହୋଇବ ପାଣିଦ୍ରବ୍ୟ

ନିଶ୍ଚୟ ଜାଣ ତାତ ସେ ମୋହୋର ବଲ୍ଲଭ।୧୭୧।

ଶୁଣିଣ ଭୂମନୁ ପରୀକ୍ଷ ଯେ କଲା

ସଂକେତ ନୋହିଲାକୁ ରାଜାଙ୍କୁ କହିଲା।୧୭୨।

 

ଭୋ ନୃପ ରାୟେ ମୋତେ ଦୟା କରିଥିବା

ନୋହିଲା ସଙ୍କେତ ଯେ ଯାହାର ରାଜ୍ୟେ ଯିବା।୧୭୩।

ସୁଗ୍ୟାନୀ ରାଜାମାନେ ବାହୁଡ଼ିଲେ ଶୁଣି

ଦୁଷ୍ଟ ରାଜାମାନେ ଯୁଦ୍ଧ ଆରମ୍ଭିଲେ ଆଣି।୧୭୪।

 

ବୋଲନ୍ତି ଦୁଷ୍ଟ ରାଜାୟେ ୟେମନ୍ତ ବାଞ୍ଛା ତୁକୁ

କିମ୍ପାଇ ବରବେଶ କଲୁ ତୁ ଆମ୍ଭଙ୍କୁ।୧୭୫।

ଉଚ୍ଚବାଚ ଗୋ ଳଶୁଭଇ ବହୁତ ଦୂର

ରଇବ୍ରତ ପର୍ବତରୁ ଆସଇ କୁରୁବୀର।୧୭୬।

 

ଦ୍ରିଯୋଧନ ଡଗରା କହଇ ବାରତ

ଭାନୁମତ ରାଜ୍ୟରେ ଦେବ ଭୂମନୁ ନରନାଥ।୧୭୭।

ତାର ଦୁହିତାର ନାମ ଅଟଇ ଭାନୁମତୀ

ସୟଂବରେ ବରିଲା ଲକ୍ଷେକ ନୃପତି।୧୭୮।

 

ଡଗର ମୁଖରୁ ସେ ଶୁଣିଣ ବାରତ

ଭାନୁମତ ରାଜ୍ୟକୁ ଚଳିଲେ କୁରୁନାଥ।୧୭୯।

ଦେଖିଲା ରାଜା ସଙ୍ଗେ ଯୁଝନ୍ତି ରାଜା ମନ୍ଦ

ଭୂମନୁକୁ ଆବୋରିଲା ରାଜା ମାନ ଯେ ଗୋବିନ୍ଦ।୧୮୦।

 

ଲକ୍ଷେ ରାଜାକୁ ତହିଂ ଜିଣିଲା ବୀର କର୍ଣ୍ଣ

ଭାନୁମତୀକି ପ୍ରଦାନ ହୋଇଲା ଦ୍ରିଯୋଧନ।୧୮୧।

ଅନେକ ଯଉତୁକ ଯେ ଦିଲାକ ନରସାଇଂ

ଭାନୁମତୀର ଘେନି ରାଜା ହସ୍ତିନାକୁ ଆସଇ।୧୮୨।

 

ଅନେକ ସମ୍ଭାରେ ରାଜା ଥାଠ ଯେ ପଲାଣି

ଶତେ ଭ୍ରାଥ କର୍ଣ୍ଣ ବୀରବର ଦ୍ରୋଣି।୧୮୩।

ଅଜଙ୍ଗ ପାଦ ବନେ ହୋଇଲେ ପ୍ରବେଶ

ବାଜଇ ଦମା ବୀର ତୂର ବିଜି ଘୋଷ।୧୮୪।

 

ୟେମନ୍ତର ସମୟେ ବିରୂପାକ୍ଷ ବୀର

ଶୂନ୍ୟେଣ ଭ୍ରମଇ ସେ ଚଢିଣ ରହୁବର।୧୮୫।

ବୀରବର ବାଦ୍ୟ ଶୁଣିଲା ଯହୁଂ କର୍ଣ୍ଣେ

ତତକ୍ଷଣେ ଟେକିଲା ଲୋହିତ ନିର୍ମିତ ଯାନେ।୧୮୬।

 

ଗଗନୁ ଆସୁଂ ଆସୁଂ ବିନ୍ଧିଲାକ ଶର

ରଥୀ ହାଥୀ ଛିଡ଼ି ପଡିଲେ ପୟେଦାର।୧୮୭।

ଅନେକ ଯୁଦ୍ଧ କଲେ ଅର୍ଣ୍ଣ ଅଶସ୍ତମା

କର୍ମର ଅବଳେ ସେ ଯେ ହାରିଲେ ମହାତମା।୧୮୮।

 

ୟେମନ୍ତ ସମୟେ ଧୁଶାସନ ବୀର

ଗଦା ପ୍ରହାରିଲା ଅସୁର ଉପର।୧୮୯।

ସେ ଗଦା ସହି ଯେ ଅସୁର କୁଳସାଇଂ

ଭଇରୋବୀ ମୂଷଳ ଯେ ପିଟିଲା ରିଂଝାଇ।୧୯୦।

 

ଶୂଳର ଘାତେ ଧୁଶାସନ ହାରିଲାକ ପ୍ରାଣ

ସେ ଶୂଳ ନେଇ ପିଟିଲା କର୍ଣ୍ଣ ଉପରେଣ।୧୯୧।

ତତକ୍ଷଣେ ରାଧେବ ପଡ଼ିଲା ଉତ୍ତାନଶାହୀ ହୋଇ

ଅଶସ୍ତମାର ଥାଠେ ଟେକିଲା ରଥ ବେଗେ ନେଇ।୧୯୨।

 

ଅନେକ ସମର ସେ ଦତ୍ୟର ସଙ୍ଗେ କଲେ

ଅନାଦିର ବରେ ସେ ଶୂଳ ବଞ୍ଚାଇଲେ।୧୯୩।

ଦେଖିଣ ଅସୁର ଯେ ମହା କ୍ରୋଧ କଲା

ଚରଣ ଧରିଣ ରଥେ ନେଇ କଚାଡ଼ିଲା।୧୯୪।

 

ମୋହ ହେଲା ଯହୁଂ ଗୁରୁଙ୍କ ତନୟି

ଆପଣାର ରଥେ ନେଇ ଭିଡ଼ି ବାନ୍ଧିଛଇଂ।୧୯୫।

ୟେହାନ୍ତ ମାରି ସେ ଯେ ସନ୍ୟଙ୍କୁ ମାଇଲା

ଶୂଳ ପ୍ରହାରି ଯେ ବଳ ବିଧଂସିଲା।୧୯୬।

 

ଦ୍ରିଯୋଧନ ଆଦି ସତାଣୋଇ ଭାଇ

ତାହାନ୍ତ ମାଇଲା ଶୂଳେ ଲୋହିତାକ୍ଷ ନେଇ।୧୯୭।

ନିଶୋଧନ କରିଣ ସେ କୁରୁବଳ ଥାଠ

ରଥର ଉପରକୁ ଚାହିଂଲା ଦ୍ରପିଷ୍ଠ।୧୯୮।

 

ସ୍ତୁତି କରନ୍ତେ ଯେ ଦିବା ରାତି ଯାଇଂ

ଭାନୁମତୀର ରୂପକୁ ସେ ବର୍ଣ୍ଣି ନ ପାରଇ।୧୯୯।

ଯୁବତୀ ମୋହେ ଉଭା ହୋଇଅଛି ଅସୁର

ଭାନୁମତୀକି ଘେନି ଯିବ ନିଜପୁର।୨୦୦।

 

ଶୁଣିଣ ଯୁଝେଷ୍ଠି ୟେହା ହୋଇଲେ ବଇକୁଲ

ଶୁଣିଣ କ୍ରୋଧଭର ଭାରୋଇ ଯେ ମଲ୍ଲ।୨୦୧।

ଯୁଝେଷ୍ଠି ବୋଇଲେରେ ଶୁଣ ଧନଞ୍ଜୟେ

ସୋମବଂଶକୁ ଯେ ୟେ କଳଙ୍କ ବଡ଼ ହୋୟେ।୨୦୨।

 

ଯଦ୍ୟପି କଉରୋବେ ହୋଇଲେ ଅମାନୀ

ସେ ଦୁଷ୍ଟମାନଙ୍କର ମୁଂ ଦୋଷ ଯେ ନ ଘେନି।୨୦୩।

ଆମ୍ଭନ୍ତ ଜିଂଘାସ ଯେବେ କଲେ କଉରୋବେ

ଧର୍ମ ଦେବତା ତାଙ୍କୁ ଦିଅଇଂ ପରାଭବେ।୨୦୪।

 

ଧର୍ମ ଥିଲା ଲୋକେ ତରନ୍ତି ଦୁସ୍ତରେଣ

ଧର୍ମ ହୀନେ କଉରୋବେ ହରାଇଛନ୍ତି ପ୍ରାଣ।୨୦୫।

କେମନ୍ତେ କାହିଂରେ ପଡ଼ିଅଛି ସେହି

ଯୁଝେଷ୍ଠି ବଚନେ ବାହାର ଚାରିଭାଇ।୨୦୬।

 

ସହଦେବକଇଂ ବଦନ୍ତି ଧର୍ମଚାଟ

ଆଗରେ ମନ୍ତ୍ରୀବର କଢାଅ ତୁ ବାଟ।୨୦୭।

ଶୁଣିଣ ସହଦେବ ଆଗରେଣ ହୋଇ

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ପଛେ ଛନ୍ତି ଧାଇଂ।୨୦୮।

 

ପବନହୁଂ ବେଗେ ସେ ଯେ ଖେପନ୍ତି ପାଣ୍ଡେବ

ପୁଣିହିଂ ଯୁଝେଷ୍ଠି ବୋଲନ୍ତି ଚାହିଂଣ ସହଦେବ।୨୦୯।

କେବଣ ବଂଶରେ ୟେ ଅସୁର ଅବତାର

କାହାକଇଂ ସେବିଣ ୟେ ପାଇଅଛି ବର।୨୧୦।

 

କୁରୁବଳ ମାରିବାକୁ ୟେ ସାମର୍ଥ ହୋଇ

କେବଣ ଦେଶରେ ସେ ଯେ ଅସୁର ରହଇ।୨୧୧।

ତାହା ସଞ୍ଚପି ମୋତେ କହ ମନ୍ତ୍ରୀବର

ଶୁଣିଣ ବୋଇଲେ ସେ ମାଦ୍ରୀର କୁମର।୨୧୨।

 

ଶୁଣିମା ସାବଧାନେ ଅସୁର ଆଦ୍ୟ ଜନ୍ମ

ୟେଥୁ ସେ ଅସୁର ହୋଇଲେ ସାର୍ଥମ।୨୧୩।

ଶିବାନ୍ତକ କାଳ ୟେକ ସତ୍ୟଯୁଗ ଲୟେ

ପ୍ରଳୟାନ୍ତକ କାଳ ହୋଇଲା ଫେନମୟେ।୨୧୪।

 

ନିରଞ୍ଜନ ନାଥ ଶୟନ ଯୋଗ ବଳେ

ଅନାଦି ମହାଦେବ ବାକ୍ୟ ଦେବୀର କୋଳେ।୨୧୫।

ନାସିକାରୁ ରସ ପକାନ୍ତେ ନାରାୟଣ

ସେ ବେନି ଅସୁର ଉତପତ୍ତି ତତକ୍ଷଣ।୨୧୬।

 

ଆସନ୍ତେ ଆକାଶକୁ କ୍ଷେପନ୍ତି ଦଇତେ

ମଧୁ କଇଟଭ ନାମ ୟେ ସଂକେତେ।୨୧୭।

ନାରାୟଣ ସୀମସ୍ଥାନେ ଅଛନ୍ତି ବାକ୍ୟଦେବୀ

କୃଷ୍ଣଙ୍କୁ କୋଳେ ଧରି ପରମ ବୈଷ୍ଣବୀ।୨୧୮।

 

ଅନନ୍ତ କୋଟି ବ୍ରହ୍ମାଣ୍ଡ ଜଳମୟେ ଅଗାଦ

ସେ ବେନି ଦତ୍ୟଙ୍କର ନ ତିନ୍ତଇ ପାଦ।୨୧୯।

ଅତ୍ୟନ୍ତ ସୁନ୍ଦର ସେ ଦେଖିଣ ଧବଳାଙ୍ଗୀ

ସେ ବେନି ବୀରେ ଦେଖି ଶୃଙ୍ଗାର ବେନିହେଂ ଯେ ମାଗି।୨୨୦।

 

ସରସ୍ୱତୀ ବୋଇଲେ ଭୋ ଦେବ ନାରାୟଣ

ମୋତେ ଅଭିଳାଷ ୟେ ମାଗନ୍ତି ବେନି ଜନ।୨୨୧।

ଶୁଣିଣ ନାରାୟଣ ଛାଡ଼ିଲେ ଯୋଗବଳ

କାଳାନଳ ଜାଣି ଭ୍ରମଇ ବେନି ଡୋଳ।୨୨୨।

 

ଚକ୍ର ଧରି ଭ୍ରମି ଆସନ୍ତେ ଅନାଦି ଶ୍ରୀହରି

ମଧୁକୈଟଭ ଦୁହେଂ କର ଯେ ପ୍ରସାରି।୨୨୩।

ଭୋ ଦେବ ନ ଚିହ୍ନିଲୁ କଲୁ ଆମ୍ଭେ ଦ୍ରୋହ

ସେ ଅନରୂପେ ଶାସ୍ତି ସ୍ୱାମୀ ଆମ୍ଭଙ୍କୁ ଯେ ଦିଅ।୨୨୪।

 

ଭକ୍ତି ଉପୁଜାଇ ମାଗିଲେ ଯହୁଂ ବର

ସ୍ୱାମୀ ଯହିଂ ପାଣି ନାହିଂ ତହିଂ ଆମ୍ଭଙ୍କୁ ଯେ ମାର।୨୨୫।

ଶୁଣିଣ ନାରାୟଣ ବହିଲେ ବୀର ତନୁ

ଦୁଇ ଦାନବନ୍ତ ମାଡ଼ି ବସିଲେ ଦୁଇ ଜାନୁ।୨୨୬।

 

ଗଦାୟେ ମେଲି ଦେବ ମାଂସ କଲେ ଲୋଚା

ଜଳୋଦକ କରିଣ ୟେ ପୃଥୀ କଲେ ସଞ୍ଚା।୨୨୭।

ସହଦେବ ବୋଲଇ ଶୁଣିମା ଧର୍ମସୁତ

ସେ ମେଦାସୁରକୁ ଯେ ମେଦିଲେ ଅଚ୍ୟୁତ।୨୨୮।

 

ସେ ମେଦାସୁର ମେଦି ଜଳେ ପକାନ୍ତେ ଗଦାଧର

ପଞ୍ଜରା ଅସ୍ଥି ଖଣ୍ଡେ ରହିଲା ଶେଷ ତାର।୨୨୯।

ତଳେ ପକାନ୍ତେ ବିମ୍ୱ ୟେକ ହେଲା

ଅନନ୍ତ ବିମ୍ୱର ବୋଲି ଅନାଦି ନାମ ଦିଲା।୨୩୦।

 

ତାର ଉପରେ ପଡିଲା ମାଂସ ଲୋଚା

ତେଣୁ ସେ ମେଦିନୀ ନାମ ବିଷ୍ଣୁ କଲେ ସଞ୍ଚା।୨୩୧।

ସହଦେବ ବୋଲନ୍ତି ଶୁଣିମା ଧର୍ମ ବଚ୍ଛି

ଅସୁର ମାଂସେ ସ୍ୱାମୀ ମେଦିନୀ ହୋଇଅଛି।୨୩୨।

 

ୟେ ଅସୁର ବଂଶ କହଇ ଶୁଣିମା ସାବଧାନେ

ୟେଣୁ ଅସୁର ହୋଇଲେ ବର୍ଧମାନେ।୨୩୩।

ମଧ୍ୟକାର ବୋଲି ଅସୁରାଧି ଗୋତ୍ରେ

ସେ ବଂଶେ ଉତପତ୍ତି ତ୍ରିହୋତ୍ର ବୋଲି ପୁତ୍ରେ।୨୩୪।

 

ତ୍ରିହୋତ୍ରର ନନ୍ଦନ ଜମ୍ୱୁଦତ୍ୟ ବୋଲି

ଜମ୍ୱୁଦତ୍ୟର ପୁତ୍ର ଜପାସୁର କହିଲି।୨୩୫।

ଜପାସୁର ନନ୍ଦନ ଯେ ଦପାସୁର ବୀରା

ଦପାସୁର ପୁତ୍ର ହୋଇଲା ଅଙ୍ଗିରା।୨୩୬।

 

ଅଙ୍ଗିରାର ନନ୍ଦନ ମୟେ ବୋଲି ବୀର

ମୟେର ନନ୍ଦନ ଉତପତ୍ତି ଲୋହାସୁର।୨୩୭।

ଲୋହାସୁର ପୁତ୍ର ଯେ ଅସୁର ବିତକ୍ଷ

ତାହାର ନନ୍ଦନ ଶୂଳିକ ମହାତକ୍ଷ।୨୩୮।

 

ଶୂଳିକର ନନ୍ଦନ ବଜ୍ରନାଭ ଅସୁର

ବଜ୍ରନାଭ ନନ୍ଦନ ସୌଦାସ ରାକ୍ଷସ ମହାବୀର।୨୩୯।

ଜଳ ତରଙ୍ଗ ନାମେ ୟେହାର ସେ ଶିଷ୍ୟ।୨୪୦।

 

ୟେ ଜଳ ତରଙ୍ଗ ବ୍ରହ୍ମାଣ୍ଡ ବୁଲିଲା

ଅନନ୍ତ ବିମ୍ୱର ପାତାଳେ ଠାବ କଲା।୨୪୧।

କଟକ କରି ତହିଂ ରହିଲା କାମଚର

ସହସ୍ରେକ ବାରଧାଡ଼ି ଦିଲାକ ଅମର।୨୪୨।

 

ଡରେଣ ସ୍ୱର୍ଗ ଛାଡ଼ି ପଳାବନ୍ତି ଦେବବୃନ୍ଦ

ଜୂର କରି ଆଣଇ ସ୍ୱର୍ଗର ସମ୍ପଦ।୨୪୩।

ଜଳ ତରଙ୍ଗ ନନ୍ଦନ ଅସୁର ବୀର ମେଧା

ୟେ ସେ ଆକାଶକୁ କଲାକ ଶରଧା।୨୪୪।

 

ମେଧାସୁର ନନ୍ଦନ ଅଟଇ କୃତକେଶୀ

ସଂସାର ଦହିଲା ସେ ଯେ ନାଶିଲା ସର୍ବଋଷି।୨୪୫।

କୃତକେଶୀ ନନ୍ଦନ ଜଟାସୁର ନାମ

ସେ ମହାମୂଢ ଯେ ନାଶିଲା ସବୁଧର୍ମ।୨୪୬।

 

କୃତକେଶୀ ପୁତ୍ର ଅଟଇ ଲୋହିତାକ୍ଷ

ଭାସ୍କର ବରେ ସେ ଯେ ପ୍ରତାପୀ ମହାଦକ୍ଷ।୨୪୭।

ୟେ ପୁଣି ସ୍ୱର୍ଗକଇଂ ଅନେକ ଧାଡ଼ି ଦିଲା

ଡରେଣ ଶଚିପତି ସ୍ୱର୍ଗ ଛାଡ଼ି ଦିଲା।୨୪୮।

 

ବହୁତ ଦ୍ରବ୍ୟ ସେ ଯେ ଆଣିଲା ଜୂର କରି

ୟେ ପାପିଷ୍ଠର ମନ ଯେ ବଳିଲା ଦେବ ସ୍ତିରୀ।୨୪୯।

ଯହୁଂ ସ୍ୱର୍ଗ ଛାଡ଼ି ପଳାଇଲାକ ବଜ୍ରଧର

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ପାଳିଲେ ଅସୁର।୨୫୦।

 

ମକର ଶୁକ୍ଲପକ୍ଷ ଯେ ପୌର୍ଣ୍ଣମୀର ଦିନ

ମଘା ନାମେଣ ନକ୍ଷତ୍ର ଯେ ଅଟଇ ବିଦ୍ୟମାନ।୨୫୧।

ଗର ନାମେ କରଣ ଅତିଗଣ୍ଡ ନାମେ ଯୋଗ

ମକର ସଙ୍କରାନ୍ତିକି ସତର ଦିନ ଭୋଗ।୨୫୨।

 

ସେ ଦିନ ଲୋହିତାକ୍ଷ ମେରୁକୁ ଦିଲା ଧାଡ଼ି

ବିଚାରଇ ଆଜ ତାକୁ ପକାଇବି ଉପାଡ଼ି।୨୫୩।

ୟେମନ୍ତେ ବିଚାରି ସେ ଯେ ମେରୁ ସ୍ଥାନେ ମିଳି

ହୁଂକାର ଶବଦ ଯେ କଲା ଯାତୁଧାନ ମହୀ ଯେ ଉଛୁଳି।୨୫୪।

 

ତିନି ବେଳ ଝାଙ୍ଗନ୍ତେ ହଲିଲାକ ମେରୁ

ଟଳିଲାକ ପୃଥୀ ନୋହିଲାକ ଯହୁଂ ଗରୁ।୨୫୫।

ବିକଳେ ମେରୁ ସେ ଯେ ବୋଲଇ ଅସୁରକୁ

କିମ୍ପାଇ ଦୁର୍ଧଂସ ତୁ କରୁଅଛୁ ମୁକୁ।୨୫୬।

 

ମୁହିଂତ ରେ ତୋହୋର ନୋହଇ ବଇରି

ନିଶ୍ଚଳେ ମାଡି ମୁଂ ଯେ ବସଇ ବସୁନ୍ଧରୀ।୨୫୭।

କିମ୍ପାଇ ମହାଦତ୍ୟ କୋପ ମୋତେ କରୁ

ତୋତେ ସାମାନ୍ୟ ମୁଂ କାହିଂ ହେବି ଗରୁ।୨୫୮।

 

ମେରୁର କାକୁସ୍ତି ବିନୟ ବାଣୀ ଶୁଣି

ଶାନ୍ତି ଭଜିଲା ସେ ଅସୁର କୁଳ ଚୂଡାମଣି।୨୫୯।

ବୋଇଲା ଯଦ୍ୟପି ତୋତେ ମୁଂ ନ ଉପାଡ଼ିବି

କିସ ଦେବୁ ମୋତେ ଯେ ବାହୁଡ଼ିଣ ଯିବି।୨୬୦।

 

ମେରୁ ବୋଇଲା ଯେ ତୋହୋର ଇଚ୍ଛା

ମାଗୁକିନା ତୋର ପୂରୁ ମନ ବାଞ୍ଛା।୨୬୧।

ଲୋହିତାକ୍ଷ ବୋଇଲା ସତ୍ୟ କର ତୁହି

ତଦଅନ୍ତ କରି ଯାହା ମାଗିବି ମନାଇଂ।୨୬୨।

 

ଶୁଣିଣ ହେମାଦ୍ରି ଯେ ସତ୍ୟ ସତ୍ୟ କହି

ତୁ ଯାହା ମାଗିବୁ ଅବଶ୍ୟ ଦେବି ମୁହିଂ।୨୬୩।

ଶୁଣିଣ ଲୋହିତାକ୍ଷ ବୋଇଲା ନିରାଧାର

ମୁକୁଇଂ ଦେବୁ ସରିତା ଦୁହିତା ତୋହୋର।୨୬୪।

 

ଶୁଣିଣ ମେରୁ ସତ୍ୟଭଗ୍ନ ନୋହିଲା

ସରିତାକୁ ଆଣିଣ ଲୋହିତାକ୍ଷକୁ ଦିଲା।୨୬୫।

କନ୍ୟା ଘେନି ଅସୁର ବାହିଡ଼ିଲା ଧାତି

ସେ ଦିନୁଂ ମେରୁକଇଂ କଲା ବହୁତ ପୀରତି।୨୬୬।

 

ଅନନ୍ତ ବିମ୍ୱରେ ବିହରନ୍ତେ ଯାତୁ ଧାନ

ୟେମନ୍ତେ ଗଲା ତହିଂ କେତେହେଂକ ଦିନ।୨୬୭।

ସରିତାର ସଙ୍ଗେ ପ୍ରୀତି ବଶ ହୋଇ

ଆବର ସ୍ୱର୍ଗକୁ ଯେ ନ ଯାଏ ଦଣ୍ଡବାହି।୨୬୮।

 

ସ୍ୱର୍ଗେ ଦେବତାୟେ ଯେ ନିଶ୍ଚନ୍ତେ ରହିଲେ

ବହୁତ ପ୍ରଶଂସା ସେ ଯେ ମେରୁକଇଂ କଲେ।୨୬୯।

ୟେଥୁ ଅନନ୍ତରେ ଶୁଣିମା ଭୋ ଦେବ

ଚାଲିଯାଉଂ ଯାଉଂ କହଇ ସହଦେବ।୨୭୦।

 

ବୈଶାଖ କୃଷ୍ଣ ଯେ ଅମାବଇ ଦିନ

ରେବତୀ ନକ୍ଷତ୍ର ଯେ ଅଟଇ ବିଦ୍ୟମାନ।୨୭୧।

ବିଷ୍ଟି ନାମେ କରଣ ବ୍ୟତିପାତ ନାମେ ଯୋଗ

ମେଷ ସଙ୍କରାନ୍ତିକି ବାଇଶ ଦିନ ଭୋଗ।୨୭୨।

ଭୃଗୁବାରର ରାତ୍ର ଅଟଇ ବିଦ୍ୟମାନ

ସରିତାର ଗର୍ଭରୁ ଉତପତ୍ତି ନନ୍ଦନ।୨୭୩।

 

ମହା ଉଗ୍ର ତେଜ ଯେ ପ୍ରଚଣ୍ଡ କାଳାନଳ

ଦିନୁ ଦିନୁ ବଢଇ ଅସୁର ଅଚାର୍ଗଳ।୨୭୪।

ନାମ ତାହାର ଯେ ଦିଲା ଲୋହିତାକ୍ଷ

ୟେ ପୁତ୍ର ନାମ ମୋର ଅଟଇ ବିରୂପାକ୍ଷ।୨୭୫।

 

ଜନ୍ମ ହୋଉଂ ଯେଣୁ ଭୀଷ୍ମ ରୂପ ହେଲା

ତେଣୁ କରି ବରୂପାକ୍ଷ ବୋଲି ପିତା ନାମଦିଲା।୨୭୬।

କିଛୁ ଦିନ ଅନ୍ତରେ ବୋଲଇ ସରିତା

ଭୋ ପୁତ୍ର ତପସ୍ୟା କରରେ ବିଧାତା।୨୭୭।

 

ଯାହାର ପ୍ରସନ୍ନେ ଜରା ମୃତ୍ୟୁ ନାହିଂ

ଅଭୟେ ବରଦିୟେ ସାବିତ୍ରୀ ଦେବୀର ସାଇଂ।୨୭୮।

ଶୁଣି ବିରୁପାକ୍ଷ ସନମତ କଲା

ତପସ୍ୟା କରିବାକୁ ବିମ୍ୱରୁ ବାହାରିଲା।୨୭୯।

 

ଦେଖିଲା ପୃଥୀ ଯେ ତୃତୀୟ ବିଦ୍ୟମାନ

ଗ୍ରାମ ପାଟଣା ନଦ ନଦୀ ଯେ ଉପବନ।୨୮୦।

ମହାଘୋର ବନେ ପ୍ରବେଶ ରାକ୍ଷସ

ଜିଣିଣ ଗଲା ସେ ହଟକେଶ୍ୱର ଦେଶ।୨୮୧।

 

ତୁଙ୍ଗଭଦ୍ରା ବନ ଯେ ଅତ୍ୟନ୍ତ ପରିମଳ

ସେ ବନେ ବସିଲା ଯେ ଆସନ ନିଶ୍ଚଳ।୨୮୨।

ଷୋଳ ଡମ୍ୱରୁ ଯେ ଗ୍ୟାନ ତତ୍ତ୍ୱ ଧରି

ବ୍ରହ୍ମାଙ୍କୁ ତପସ୍ୟା କରି ନି-ଆହାରୀ।୨୮୩।

 

ନବ ସହସ୍ର ବରଷ କଲା ଘୋରତପ

ବ୍ରହ୍ମାଙ୍କୁ ଲୟେ କରି ଦୁରାତ୍ମା କୁଣୋପ।୨୮୪।

ଅନଳ ଜାଳିଣ ସେ ମାଂସ କାଟି ଦେହୁଂ

ଅଗ୍ନିର ଭିତରେ ମାଂସ କାଟି ଦେଉ।୨୮୫।

 

ଅଗ୍ନିରେ ଦିଅନ୍ତେ ଯେ କଅଂଳଇ ଅଙ୍ଗ

ପଶୁ ମାଂସ କାଟି ଯେ ଦିଅଇ ହବି ମଧ୍ୟ ଭାଗ।୨୮୬।

ୟେ ପ୍ରମାଣେ ତପ ୟେ ଦାନବ କରଇ

ନବ ସହସ୍ର ବରଷ ନି-ଆହାରେ ଥାଇ।୨୮୭।

 

ୟେତେ କଷ୍ଟେ ନ ଦିଖିଲାକ ଚିହ୍ନବର୍ଣ୍ଣ

ପୁଣ ଦହିଲା ଯେ ଶରୀର ଯାତୁଧାନ।୨୮୮।

ୟେକୋଇଶି ସହସ୍ର ବର୍ଷ ଅଗ୍ନିରେ ଦେହ ଝାସି

ଆହୂତି ସମର୍ପିଲା ଅଗ୍ନିରେ ଯାଇଂ ପଶି।୨୮୯।

 

ଅନଳ ଭିତରେ ଯେ ନିବେଶିଲା କାୟା

ଦହନ ନୋହିଲା ସେ ୟେ ପିତାମହର ମାୟା।୨୯୦।

ଜଳି ବହନି ଯେ ନିଜ ତେଜ ଲାଗି

ଦୁରାପଦ କଷ୍ଟେ ଜୀବନ ପରିତ୍ୟାଗି।୨୯୧।

 

ମହାକଷ୍ଟୋର ଦେଖି ଭୟେ କଲେ ବୃନ୍ଦାଅର୍କେ

ଧାତାର ତହିଂକି ୟେ ଗଲେ ଦେବଲୋକେ।୨୯୨।

ଇନ୍ଦ୍ର ଚନ୍ଦ୍ର ପବନ ଦେବ ବୃହସ୍ପତି

ସୂର୍ଯ୍ୟ ନଳ କୁବେର ବରୁଣ ନୈରୁତି।୨୯୩।

 

ଗ୍ରହଗଣ ଆଦି ସପ୍ତ ଦେବ ଲୋକେ

ବସୁଧା ସହିତେ ସମସ୍ତେ ଦେବେ ଶୋକେ।୨୯୪।

ଯଶୋବନ୍ତୀ ଭୁବନେ ବିଜୟେ ବେଦବର

ଆସ୍ତାନ ତଳେ ଉଭା ସମସ୍ତ ଦେବବର।୨୯୫।

 

ଶତ ସହସ୍ର ଯେ ପ୍ରଣମ୍ୟ ଦଇନି

ଦେଖିଣ ପ୍ରତିବାଚ ଦିଅନ୍ତି ପଦ୍ମଯୋନି।୨୯୬।

ଇଦଂ ପ୍ରତିବାଚ ପିତାମହ ସଂଚି

ସ୍ୱୟଂ ସମ୍ଭାଷଣ କରନ୍ତି ବିରଞ୍ଚି।୨୯୭।

 

କିମ୍ଭୂତ କାରଣେ ଅଇଲ ବୃନ୍ଦାଅର୍କେ

ମୁଖେ ଅଙ୍ଗୁଷ୍ଟି ଦେଇ ଦେବେ ଶୋକେ।୨୯୮।

ବୃହସ୍ପତି ବୋଇଲେ ତୁ ଜଗତର ବନ୍ଧୁ

କାରଣନାଥ ତୁ ଯେ କୃପାଜଳ ସିନ୍ଧୁ।୨୯୯।

 

ଲୋହିତାକ୍ଷର ସୁତ ବିରୂପାକ୍ଷ ବୀର

ସେ ତୋତେ ଲୟେ ଯେ କରଇ ଅପାର।୩୦୦।

କାହାର ସମ୍ପ୍ରଧି ସେ ଯେ ଘେନିମ ଯାତୁଧାନ

ଶୁଣିଣ ବୋଲନ୍ତି ସେ ଚତୁର ବଦନ।୩୦୧।

 

ମୁଂ ତାହାକୁ ବର ଦେବଇ ନିରାଧାର

ତୁମ୍ଭେ ଦେବେ ଯାଅ ଯେ ଯାହାର ଘର।୩୦୨।

ଶୁଣିଣ ଦେବେ ଗଲେ ଯେ ଯାହାର ସ୍ଥାନ

ମରୁଳ ବାହନେ ବିଜେ ଚତୁରବଦନ।୩୦୩।

 

ବିରୂପାକ୍ଷ ସନ୍ନିଧ୍ୟେ ଯାଇଂ ପ୍ରବେଶ ହୋଇଲେ

କମଣ୍ଡଳୁ ପାଣିୟେ ସଧୀରେ ସିଞ୍ଚିଲେ।୩୦୪।

ଗତୁଂ ଶତେ ଗୁଣେ ହୋଇଲା ଅସୁର

ବ୍ରହ୍ମା ବୋଇଲେ ମାଗୁ କି ନା ବର।୩୦୫।

 

କରପତ୍ର ଯୋଡ଼ି ବୋଲଇ ସରିତା ତନୟେ

ଭୋ ସ୍ୱାମୀ ବେଦବର ମୁଂ ହୋଇବି ଅକ୍ଷୟେ।୩୦୬।

ଅସ୍ତୁ ହୋଉ ବୋଲିଣ ବୋଇଲେ ପିତାମହ

ଭୋସ୍ୱାମୀ ବେଦବର ବଜ୍ର ହୋଉ ମୋର ଦେହ।୩୦୭।

 

ଦେବାସୁର ନରେ ଯେ ନ ମରିବି ମୁହିଂ

ଦେବଶରମାନ ମୋର ଅଙ୍ଗେ ନ ଭେଦଇ।୩୦୮।

ଭ୍ରମି ଆସିବ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୋର ଯାନ

ସାଂଗ୍ରାମେ ମୋତେ କେହି ନୋହିବେ ସମାନ।୩୦୯।

 

ଅସ୍ତୁ ହେଉ ବୋଲି ବୋଇଲେ ବେଦବର

କରପତ୍ର ଯୋଡ଼ି ବୋଲଇ ଅସୁର।୩୧୦।

ଭୋ ପିତାମହ ଦିଲୁ ଅଭୟେ ଯେ ବର।୩୧୧।

 

ମୃତ୍ୟୁ ଭେଦ ମୋର କହିବା ନା ତତ୍ତୁ

ଶୁଣିଣ ଉତ୍ତର ବୋଲନ୍ତି କୁଶକେତୁ।୩୧୨।

ପଞ୍ଚୁଇନ୍ଦ୍ର ଜନ୍ମିବେ ୟେ ମର୍ତ୍ତ୍ୟ ଭୁବନେ

ସେ ତୋର ହନ୍ତକାରୁ ପାଣ୍ଡେବ ଫାଲଗୁନ୍ୟେ।୩୧୩।

 

ଶୁଣିଣ ବିଚାରଇ ଅସୁର କୁଳପତି

ୟେକ ଇନ୍ଦ୍ର ସିନା ସ୍ୱର୍ଗରେ ଆଧିପତି।୩୧୪।

ପଞ୍ଚ ଇନ୍ଦ୍ର କାହିଂ ଏକତ୍ୱେ ଜନ୍ମ ହୋଇ

ଧନ୍ୟ ମୋର ବର ଅଭୟେ ବର ପାଇ।୩୧୫।

 

ୟେମନ୍ତ ବିଚାରି ସେ ବୋଇଲା ଦାନବ

ଭୋ କୁଶକେତୁ ମୋର ଅମୃତ ଲିଙ୍ଗ ଥିବ।୩୧୬।

ପଞ୍ଚୁଇନ୍ଦ୍ରେ ୟେବେ ମୋତେ ପକାଇବେ ହାଣି

ପୁନ ପୁନ ଶିର ମୋର ଲାଗିବ ତତକ୍ଷଣି।୩୧୭।

 

ଅମୃତ ଲିଙ୍ଗ ମୋର ନାଭି ପଦ୍ମେ ଥିବ

ସେ ଥିବା ଯାଏ ମୋର ମୃତ୍ୟୁ ଯେ ନୋହିବ।୩୧୮।

ଅସ୍ତୁ ହେଉ ବୋଲି ବୋଇଲେ ବେଦବର

ଅନ୍ତର୍ଧାନ ହୋଇଲେ ଅସୁରକୁ ଦେଇ ବର।୩୧୯।

 

ସେ ଦିନୁ ରାକ୍ଷସ ଯେ ଦିଗ ବିଜେକଲା

ଅନେକ ରାଜା ସେ ଯେ ରାକ୍ଷସ ଜିଣିଲା।୩୨୦।

ବ୍ରହ୍ମା ବରେ ସେ ଯେ ଅସୁର ମହାବୀର

ସରି ନୁହଂନ୍ତି ତାକୁ ସମରେ ହରିହର।୩୨୧।

 

ଭାନୁମତୀ କି ଯେବେ ରଥରେ ବସାଇବ

ପାତାଳ ଭୁବନକୁ ବୋଲି ଘେନିଯିବ।୩୨୨।

ଜଳ ଅନ୍ଧାରିପୁର ୟେ ଅଟଇ କୁଣ୍ଡଳୀ

ଭେଦ ନୋହଇ ବ୍ରହ୍ମା ବିଷ୍ଣୁ ଯେବେ ମିଳି।୩୨୩।

 

ଶୁଣିଣ ଯୁଝେଷ୍ଠି ଭୀମକୁ ଆଗ୍ୟାଂ ଦିଲେ

ଆଗରେ ଦତ୍ୟକୁ ନିରୋଧ ବୋଇଲେ।୩୨୪।

ଶୁଣିଣ ପାବନି ଯେ ଧାଇଂଲାକ ଖରେ

ଅଜଙ୍ଗ ପାଦ ବନେ ପ୍ରବେଶ ବୃକୋଦରେ।୩୨୫।

 

ଦେଖିଲା ପଡିଣ ୟେ ଅଛନ୍ତି କୁରୁବୀରେ

ରଥିରେ ବନ୍ଧନ ଦ୍ରୋଣଙ୍କ କୁମରେ।୩୨୬।

ବନ୍ଧନେ ଚେତନା ସେ ପାଇଲା ଅଶସ୍ତମା

ଦୂରହୁଂ ଦେଖିଲା ଯେ ଆସଇ ବୀର ଭୀମା।୩୨୭।

 

କର ଚରଣ ସେ ଯେ ନପାରଇ ଚାଳି

ଦାରୁଣ ରାକ୍ଷସ ତାକୁ ବାନ୍ଧିଛି ନିରୋଳି।୩୨୮।

ରଥର ସନିଧ୍ୟେ ମିଳିଲା ପବନର ନାନ

ବିଜୟା ସାରଥିକି ଧଇଲାକ ବହନ।୩୨୯।

 

ତୋଳି କଚାଡ଼ିଲା ରଥ ଚକର ଉପରେ

ଛେଚି ହୋଇ ସାରଥି ଯେ ପଡ଼ିଲା ଭୂମିରେ।୩୩୦।

ଅଶସ୍ତମା ପାଶେ ପ୍ରବେଶ ପାବେନି

ଧିକ୍‌କାର କରଇ ସେ ଯେ ଗୁରୁ ସୁତ ଚିହ୍ନି।୩୩୧।

 

ଅସିପତ୍ର ଘେନିଣ ବନ୍ଧନ ତାର କାଟି

ଅଶସ୍ତମା ବାହା ଧରି ତଳକୁ ଦିଲା ଛାଟି।୩୩୨।

ବଜ୍ର ସମ ଗଦା ରଥେ ପ୍ରହାରିଲା

ଅଖ ଚକ ଅଶ୍ୱ ରଥନ୍ତ ଧୂଳି କଲା।୩୩୩।

 

ତଦ୍ୟାପି ବିରୂପାକ୍ଷ ନଜାଣଇଂ କିଛି

ଭାନୁମତୀ ରୂପ ଦେଖି ମୋହ ହୋଇଅଛି।୩୩୪।

ୟେଥୁ ଅନନ୍ତରେ ଭାନୁମତୀ ରାଣୀ

ସ୍ୱାମୀ ସନ୍ୟ ଅଭାବେ ଯେ କାନ୍ଦଇ ତରୁଣୀ।୩୩୫।

 

ଯେତେ କ୍ରୋଧ ତାର କହିତ କିପାରି

ଲକ୍ଷେ ରାଜାନ୍ତ ମୋ ପିତା ଥିଲା ବରି।୩୩୬।

ଶଙ୍ଖ ପଦ୍ମ ନିଧି ସନ୍ତେକ ନ ପାଇ

ନାସ୍ତି କଲି ମୁହିଂ ପିତାର ମୁଖ ଚାହିଂ।୩୩୭।

 

ଶୁଣି ପିତା ମୋର ରାଜାଙ୍କୁ ଅବଧାରି

ନୋହିଲା ସଙ୍କେତ ନାସ୍ତି କଲା ମୋ କୁମାରୀ।୩୩୮।

ସଜ୍ଜନ ରାଜାମାନେ ବାହୁଡ଼ିଲେ

ଦୁଷ୍ଟ ରାଜାମାନେ ଯେ ଯୁଦ୍ଧ ଆରମ୍ଭିଲେ।୩୩୯।

 

ଅକସ୍ମାତେ ସ୍ୱାମୀ ଯେ ହୋଇଲୁ ଉତପନ୍ନ

ଲକ୍ଷେ ରାଜାଙ୍କୁ ୟେକା ଜିଣିଲା ବୀର କର୍ଣ୍ଣ।୩୪୦।

ଛାର ଦନୁଜ ୟେ ଦୁର୍ଭାର କାମ ରୂପୀ

ତାହାକୁ ଭୋ ସ୍ୱାମୀ ଯେ ହାରିଲ ଅଦ୍ୟାପି।୩୪୧।

 

ଆଶା ଦେଖାଇ ୟେ ନି-ଆଶା କରିଗଲୁ

ଯେତେ ମୁଂ କହିଲି ମୋର ବୋଲ ନ ମାନିଲୁ।୩୪୨।

ସୁନ୍ଦର ସୁଲକ୍ଷଣ ଅଟୁ ନବଯୁବା

ବୃକ୍ଷରେ ଉଠାଇ ନିଶୁଣି କାଟିଲୁ ମୋର ବାବା।୩୪୩।

 

ଅନଙ୍ଗ ସୁନ୍ଦର ଯୁବା ବୟସ ମୂରତି

ଶଙ୍ଖ ପଦ୍ମ ନିଧି ଶ୍ରୀକରେ ତୋର ସ୍ଥିତି।୩୪୪।

କୀର୍ତ୍ତି ଗ୍ରାମ ତୋର ନଜାଣଇଂ ମୁହିଂ

ପୂର୍ବେଣ କି ପୂଜି ନ ଥିଲି ମୁଂ ଉମାସାଇଂ।୩୪୫।

 

ସ୍ୱାମୀର ଗୁଣ ମୁଂ ଯେ ବାହୁନିବି କିସ

ଜଳନ୍ତା ଅନଳେ ମୁଂ ଯେ ନିଶ୍ଚେ ଦେବି ଝାସ।୩୪୬।

ତଳକୁ ନ ଆସଇ ଅସୁର ଭୟ ପାଇ

ରଥର ଉପରେ ସେ ଯେ ବାହୁନି କାନ୍ଦଇ।୩୪୭।

 

ୟେଥୁ ଅନନ୍ତରେ କର୍ଣ୍ଣ ମହାବଳୀ

ବିରୂପାକ୍ଷ ଘାତେ ସେ ଯେ ପଡ଼ିଥିଲା ଢଳି।୩୪୮।

ରାତ୍ରମାନେ ସେ ଯେ ମୃତ୍ୟୁ ପାଇଥିଲା

ରାତ୍ରର ଅନ୍ତେ ପୁଣ ଅରୁଣ ଉଇଂଲା।୩୪୯।

 

ଆଦିତ୍ୟର ସୁତ ଯେ ଅଟନ୍ତି କର୍ଣ୍ଣବୀର

ଅମୃତ କୁଣ୍ଡଳ କର୍ଣ୍ଣେ ରଞ୍ଚିଛି କରତାର।୩୫୦।

ସେ କୁଣ୍ଡଳ ଥିଲେ ମୃତ୍ୟୁ ତାର ନାହିଂ

ସୂର୍ଯ୍ୟଙ୍କ କିରଣେ ଅମୃତ ଝରଇ।୩୫୧।

 

ଶୀତ ରଶ୍ମି କାଳେ ମୃତ୍ୟୁ ପାଇଥିଲା

ରବି ଉଦେ ହୁଅନ୍ତେ ଅମୃତ ସ୍ରବିଲା।୩୫୨।

ମୁଖେଣ ପଶନ୍ତେ କର୍ଣ୍ଣ ପାଇଲା ଚେତନ

ନ ଉଠଇ ଡରେ ସେ କରିଣ ଭୟମନ।୩୫୩।

 

ୟେମନ୍ତ ସମୟେ ଯେ ପବନ ତନୟେ

ଅସୁର ରଥ ଭଗ୍ନ କରି ସିଂଘ ରଡ଼ି ଦିୟେ।୩୫୪।

କର୍ଣ୍ଣ ଶୁଣିଲା ଯହୁଂ ବ୍ରିକୋଦର ଡାକ

ଆକାଶର ପାଣି କି ସେ ପାଇଲା ଚାତେକ।୩୫୫।

 

ପର୍ବତ ସମାନେ ବେନି ଗଦା ତୋଳି

ରାକ୍ଷସ ଉପରକୁ ଯେ ଧାମଇଂ ମହାବଳୀ।୩୫୬।

ଚକ୍ଷୁ ମଳି କର୍ଣ୍ଣ ଉଠିଲାକ ଧାତି

ଦେଖିଣ ଅଳପ ହସଇ ମାରୁତି।୩୫୭।

 

ଅଶସ୍ତମା ଭୀମ କର୍ଣ୍ଣ ଘେନି ତିନି

ରାକ୍ଷସ ଉପରକୁ ଧାମଇଂ ପେବନି।୩୫୮।

ରଥ ତଳେ ଯେ ଦାନେବ ଅଛି ରହି

ସିଂଘ ରଡ଼ି ଶୁଣି ପଛକୁ ଦିଲା ଚାହିଂ।୩୫୯।

 

ମେରୁ ତୁଲ୍ୟ ଜାଣି ଭୀମସେନ କାୟେ

ମନ୍ଦର ତୁଲ୍ୟ ବେନି ଗଦା ଘେନି ଧାୟେଂ।୩୬୦।

ରେ ରେ କାର ଶବଦେ ଉଛୁଳିଲାକ ମହୀ

ବାମ ଡାହାଣେ କର୍ଣ୍ଣ ଅଶସ୍ତମା ରହି।୩୬୧।

 

ଇନ୍ଦ୍ରଧନୁ ଜାଣି କରେ ଚାପ ଧରି

ଭୀମ ସଙ୍ଗେ ଧାମନ୍ତି ବିକ୍ରମ କେଶରୀ।୩୬୨।

ଅସୁର ବିଘାତେ ମରି ଜୀଇଂଥିଲେ

ଭୀମକୁ ବଳ ପାଇ ଉଠିଣ ଧାଇଂଲେ।୩୬୩।

 

ଅସୁର ସନ୍ନିଧ୍ୟେ ପ୍ରବେଶ ହେଲେ ଯାଇଂ

ଅସୁରକୁଚାହିଂ ଭୀମସେନ ବୋଲଇ।୩୬୪।

ଆଜ ସେ ବିଧାତା ତୋତେ ମୃତ୍ୟୁ ଦିଲା

ସଞ୍ଜୀବନୀ ନାଥ ତୋର ପାଞ୍ଜି ଯେ ପୋଛିଲା।୩୬୫।

 

ୟେମନ୍ତ କହନ୍ତେ ଅସୁର କଲା ଦୁଷ୍ଟି

ଆପଣାରଥରେ ନାହିଂ ସାରଥି ଗୋଟି।୩୬୬।

ବିରରୀତ ଦେଖି ଅସୁର ମନେ ଭାଳି

ୟେ ରଥ ଭାଙ୍ଗିଲା କେ ୟେଡ଼େକ ମହାବଳୀ।୩୬୭।

 

ଦେଖିଲା ଆଗରେ ତିନି ଜଣ ଉଭା

ବିଦ୍ୟାଧରର ପ୍ରାୟେ ଦିଶନ୍ତି ଯେ ଶୋଭା।୩୬୮।

ବୋଲଇ ମାନବ ରେ ପୂରିଲା ତୁମ୍ଭ କାଳ

ୟେଡ଼େକ ଥାଠ ମାରି ପଦା କଲି ସକଳ।୩୬୯।

 

ଆବର ଜୀବନ ରେ ପାଇବ କି ତୁମ୍ଭେ

ମୋର ମୁଖେ ଭେଟ ପଡିଲ ତୁମ୍ଭେ ଯେବେ।୩୭୦।

ୟେମନ୍ତ କହିଣ ପାମର ଅସୁର

ଭୀମସେନ ଅଙ୍ଗେ ଶୂଳ କଲାକ ପ୍ରହାର।୩୭୧।

 

ଶୂଳ ପଡନ୍ତେ ଭୀମ ପାତିଲା ବାମ ଅଙ୍ଗ

ପଡିଣ ଶୂଳ ଯେ ହୋଇଲା ବିଭଙ୍ଗ।୩୭୨।

ଦେଖିଣ ପାବେନି ଯେ ରେ ରେ କାର କରି

ବାଉଂନ ବାଉଂନ ଭାର ଗଦା କରେ ଧରି।୩୭୩।

 

ଧାଇଂଣ ପିଟିଲା ସେ ଯେ ପବନର ବତ୍ସି

କାଳେବର ଗଦା ପଡ଼ି ନୋହିଲା ତାର କିଛି।୩୭୪।

ଧନୁ ଧରି କର୍ଣ୍ଣ ଅଶସ୍ତମା ଥିଲେ ରହି

ଅସୁର ଉପରକୁ ବାଣ ବିନ୍ଧିଲେ ନିଠାଇ।୩୭୫।

 

ଦେଖିଣ ଅସୁର ଯେ ପ୍ରତିଶର କରି

ଦୁହିଂଙ୍କର ଶର ଦୂରହୁଂ ନିବାରି।୩୭୬।

ଅଗ୍ନି ଶରେକ ଯେ ବିନ୍ଧିଲେ ଗୁରୁସୁତ

ଜଳଧାରା ଶରେ ତାହା ନିବାରିଲା ଦଇତ।୩୭୭।

 

ମେଘାଶରେକ ଯେ ବିନ୍ଧିଲା କର୍ଣ୍ଣବୀର

ଗର୍ଜନ୍ତି ମେଘମାନେ ପ୍ରଳୟ ମହାଘୋର।୩୭୮।

ଅସୁର ବିନ୍ଧିଲା ଯେ ପବନାଶର ବାଣ

ପବନ ବିଘାତେ ମେଘେ ରଡ଼ିଲେ ଗଗନ।୩୭୯।

 

ପଞ୍ଚଶତ ଶର ଗୁରୁ ସୁତ ମାରି

କିଞ୍ଚିତ ଶରେ ତାହା ଅସୁର ନିବାରି।୩୮୦।

କୋପେଣ କର୍ଣ୍ଣ ବୀର ପନ୍ନଗାଶର ମାରି

ଗରୁଡ଼ାଶରେ ତାହା ଅସୁର ନିବାରି।୩୮୧।

 

ଅସୁର ବୋଲେ ମାନବ ପୂରିଲା ତୋର କାଳ

ଶୂଳ ଧରି ସେ ଯେ ଧାମଇଂ ମହାବଳ।୩୮୨।

ଅସୁର ଧାମନ୍ତେ ଧାମନ୍ତି ପାବେନି

ବାଉଂନ ବାଉଂନ ଭାର ଗଦା କରେ ଘେନି।୩୮୩।

 

ଅସୁର ଭୀମସେନ ପଡ଼ିଲେ ଯେ ଭେଟ

ଐରାବ୍ରତ ଗଜ ଯେହ୍ନେ ମେରୁର ନିକଟ।୩୮୪।

ଶୂଳ ଧରି ଅସୁର ପିଟିଲାକ ନେଇ

ବାମ ଅଙ୍ଗ ପାତିଲା ଯେ ପବନ ତନୟି।୩୮୫।

 

ଶୂଳ ବାଜନ୍ତେଣ ଭୀମସେନ ଗର୍ଜି

ଗଦା ବୁଲାଇ ଭୀମ ପିଟିଲା ଗଳଗାଜି।୩୮୬।

ସେ ଗଦା ପଡ଼ିଲା ଯେ ଅସୁରର କାୟେ

କ୍ଷଣେ ଅଚେବନ ଅସୁର କୁଳ ରାୟେ।୩୮୭।

 

ଚେତନା ପାଇ ପୁଣ ଉଠିଲା ତଡତି

ଦେଖିଲା ତିନି ଜଣେ ଉଭା ହୋଇଛନ୍ତି।୩୮୮।

ଶୁଣ ହୋ ରାଜନ ବୋଲନ୍ତି ଅଗସ୍ତି ମହାଋଷି

ଯୁଝେଷ୍ଠି ଅର୍ଜୁନ ନକୁଳ ସହଦେବ ମିଳିଲେକ ଆସି।୩୮୯।

 

ଅଜଙ୍ଗ ପାଦ ବନକୁ ଯୁଝେଷ୍ଠି ଚାହିଂଲେ

ବିଧାତାକୁ ସୁମରି ଅନେକ ଶୋକ କଲେ।୩୯୦।

ଅର୍ଜୁନକୁ ଚାହିଂ ବୋଲନ୍ତି ଧର୍ମନାନ

ଦେଖରେ ଭ୍ରାଥ ପଡ଼ିଛନ୍ତି ଶତେ ଗାନ୍ଧାରୀ ନନ୍ଦନ।୩୯୧।

 

ଭାଇଙ୍କର କଷ୍ଟ ମୁଂ ପୋଶୋରିବି କେମନ୍ତେ

ୟେ ଅନାସ୍ତ ହୋଇଲେ ଆମ୍ଭର ଦେଖନ୍ତେ।୩୯୨।

ପୋଡୁ ଆତ୍ମା ଆମ୍ଭର ନିଲଜ ଶରୀରେ

ଶତେଭ୍ରାଥ ଯେବେ ପଡ଼ିଲେ ସମରେ।୩୯୩।

 

ଯୁଝେଷ୍ଠିଙ୍କର ଶୋକ କହିତ ନୋହଇଂ

ଯୁଝେଷ୍ଠିଙ୍କ ସମ୍ୱୋଧନା କରନ୍ତି ତିନି ଭାଇ।୩୯୪।

ତେଣେ ଅସୁର ସଙ୍ଗେ ଯୁଦ୍ଧ କରନ୍ତି ତିନିଜଣ

ରେ ରେ କାର କରନ୍ତେ ଶୁଣିଲା ଅର୍ଜୁନ।୩୯୫।

 

ଅସୁର ସନ୍ନିଧ୍ୟେ ଚାରିଭାଇ ହୋଇଲେ ପ୍ରବେଶ

ଦେଖି ଭୀମ ଅଶସ୍ତମା କର୍ଣ୍ଣ ହୋଇଲେ ହରଷ।୩୯୬।

କର୍ଣ୍ଣକୁ ଯୁଝେଷ୍ଠି ନମସ୍କାର କରି

ଅଶସ୍ତମାକୁ ଯୁଝେଷ୍ଠି କୋଳାଗ୍ରତ କରି।୩୯୭।

 

ଅର୍ଜୁନଙ୍କୁ ଚାହିଂ ବୋଲନ୍ତି ଯୁଝେଷ୍ଠି

ଅସୁରକୁ ବନ୍ଧନ ବାବୁ କରରେ କିରଟୀ।୩୯୮।

ଅସୁର ଭୀମସେନ ସମର ମହାଘୋର

ଯୁଝେଷ୍ଠିଙ୍କ ଆଗ୍ୟାଂରେ ଧାଣଇଂ ବାସବ କୁମର।୩୯୯।

 

ଗାଣ୍ଡୀମ ଧନୁ ପାଥ ଧରି ଅଛି କରେ

ଯାଇଂଣ ମିଳିଲା ଅସୁର ଆଗରେ।୪୦୦।

ଅସୁରକୁ ଦେଖି ଅର୍ଜୁନ ପ୍ରଜ୍ୱଳି

ଗାଣ୍ଡୀମ ଧନୁରେ ପୂରୋଇ ଆଦ୍ରାବଳି।୪୦୧।

 

ଶରକୁ ତିଆରଇ ବୀର ଫାଲଗୁନ୍ୟ

ଅସୁରର ପ୍ରାଣ ଘେନସି ବହନ।୪୦୨।

ଶରକୁ ତିଆରି ବେଗେ ଛାଡ଼ି ଦିଲା

ଲୋହିତାକ୍ଷ ସୁତ ଦେହେ ବାଜି ଉପୁଡ଼ି ପଡ଼ିଲା।୪୦୩।

 

ଟହ ଟହ ହୋଇଣ ଯେ ହସଇ ଦଇତ

ୟେଣେ କି ମାନବାରେ ଜିଣିବୁ ଆମ୍ଭନ୍ତ।୪୦୪।

ଲୋହାର ଧନୁ ଯେ ବିରୂପାକ୍ଷ କରେ ଧରି

ଅର୍ଜୁନ ଉପରକୁ ବିନ୍ଧିଲା କୋଟି ଚାରି।୪୦୫।

 

କିଞ୍ଚିତ ଶରେ ତାହା ଛେଦଇ ଅର୍ଜୁନ

ହାବୋଡ଼ାଶରେକ ବିନ୍ଧିଲା ବୀର ଫାଲଗୁନ୍ୟ।୪୦୬।

ହାବୋଡ଼ନ୍ତେ ଅସୁର ଯେ ପଡ଼ିଲା ଭୂମି ଗତେ

ପୁଣି ଚେତନା ପାଇଂ ଉଠିଲା ତୁରିତେ।୪୦୭।

 

ବଜ୍ର ମୁଦ୍ଗର ଅସୁର ପିଟିଲାକ ଧରି

ଅର୍ଜୁନ ଛେଦିଲା ତାହା ବଜ୍ରଶର ମାରି।୪୦୮।

କୋଟି ଅର୍ବୁଦ ଶର ଅର୍ଜୁନ ଓଟାରି

ଅସୁର ଉପରକୁ ବିନ୍ଧିଲେ କୋପ କରି।୪୦୯।

 

ବିରୂପାକ୍ଷ ଅସୁର ତାହା ଦୂରହୁଂ ନିବାରି।୪୧୦।

ମନଭେଦୀ ଶର ଯେ ଅର୍ଜୁନ ବେଗେ ପେଷି

ବୋଲେ ବିରୂପାକ୍ଷ ଅସୁରକୁ ପକାଅ ବେଗେ ନାଶି।୪୧୧।

 

ଶରକୁ ତିଆରି ଅର୍ଜୁନ ଛାଡ଼ି ଦିଲା

ଅମୋଦଶରେ ଅସୁର ଢଳିଣ ପଡ଼ିଲା।୪୧୨।

କ୍ଷଣକେ ଚେତନା ପାଇଲା ଅସୁର

ଅର୍ଜୁନକୁ ଚାହିଂ ବୋଲଇ କୋପଭର।୪୧୩।

 

ଶୂଳ ବୁଲାଇଣ ଉଠଇ କୋପଭରେ

ଅର୍ଜୁନ ଛାମୁରେ ମିଳିଲା ସତ୍ୱରେ।୪୧୪।

ଡାକ ଦିଅଇ ମାନବାରେ ପୂରିଲା ତୋର କାଳ

ଗାରଡ଼ି ନଜାଣି କାଳସର୍ପ ମୁଖେ ଅଙ୍ଗୁଳି ଭର।୪୧୫।

 

ରେ ରେ ମାନବା ତୁ କେବଣ ଜାତୀୟା

ତିରଣ ପ୍ରମାଣେ କାଟିବି ତୋର କାୟା।୪୧୬।

ରେ ରେ ମାନବା ସୁମର ତୋ ପିତାମାତା

ରେ ରେ ମାନବା ସୁମର ତୋର ଇଷ୍ଟ ଯେ ଦେବତା।୪୧୭।

 

ପହିଜ କରିଣ ଶୂଳ ଘେନି ପିଟି

ବଜ୍ରା ଶରେ ତାହା ଛେଦଇ କିରଟୀ।୪୧୮।

ଅଧାଚନ୍ଦ୍ର ବାଣ ଯେ ପେଷିଲା ବୀର ଟାଣି

ବିରୂପାକ୍ଷ ଶିର ଯେ ପକାଇଲା ହାଣି।୪୧୯।

 

କନ୍ଧୁଂ ମୁଣ୍ଡ ପୁଣ ହୋଇଲା ଉତପତ୍ତି

ଟହଟହ ହୋଇଂ ହସଇ ଦତ୍ୟପତି।୪୨୦।

ଅସୁର ହସନ୍ତେ ଅର୍ଜୁନ କୋପାନଳ

ତ୍ରୋଣୁଂ କାଢିଲା ସେ ନାରାଜ ମହାକାଳ।୪୨୧।

 

ଦେଖିଣ ଅସୁର ଯେ ବୈଷ୍ଣବ ଚକ୍ର ଘେନି

ନ ବିନ୍ଧିଲା, ଅର୍ଜୁନ ମହାକାଳ ପକାଇବ ଛିନ୍ନି।୪୨୨।

ଦେଖିଣ ଅର୍ଜୁନ ସେ କରଇ ବିଚାର

ବଡ଼ ଦୁର୍ଭାର ୟେ ଅଟଇ ନିଶାଚର।୪୨୩।

 

ୟେତେ ବୋଲିଣ ସେ ଯେ ଗନ୍ଧର୍ବା ଶର ବିନ୍ଧି

ରୁଦ୍ରା ଶରେ ତାହା ବିରୂପାକ୍ଷ ଛେଦି।୪୨୪।

କ୍ଷିନିକ୍ଷିନା ଶର ଯେ ବିନ୍ଧିଲା ଅସୁର

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ପୂରିଲା ତିନି ପୁର।୪୨୫।

 

ଯହୁଂ ପାର୍ଥ ଦେଖିଲା ଅସୁର ମାୟାରଣ

ଶରେକ ବିନ୍ଧିଲା ତିମିରି ବିଦାରଣ।୪୨୬।

ତକ୍ଷଣେ ତିମିରି ଫାଟି ସୂର୍ଯ୍ୟ ଉଂଇ

ଦଶ ଦିସ ନିର୍ମଳ ଦିଶିଲା ରଣଭୂଈଂ।୪୨୭।

 

କୁହୁଡ଼ି ଘୋଟିଲା ସଚରାଚର ଭୂବି।୪୨୮।

ଦେଖିଣ ଦାନବ ପ୍ରତିଅସ୍ତ୍ର କରି

ପବନା ଶରେକ ବିନ୍ଧିଲା ଆଗ ବଢି।୪୨୯।

 

ପବନ ବିଘାତେ କୁହୁଡି ଫାଟିଲା

ଶର ପଥ ମାନ ସକଳ ଦିଶିଲା।୪୩୦।

ନାରାୟଣ ଶର ଅସୁର ବିନ୍ଧିଲା

ରୁଦ୍ରା ଶରେ ତାହା ଅର୍ଜୁନ ନିବାରିଲା।୪୩୧।

 

ପର୍ବତା ଶରେକ ଅର୍ଜୁନ ଯେ ବିନ୍ଧି

ବଜ୍ରା ଶରେ ତାହା ଅସୁର ଛେଦି।୪୩୨।

କପାଳକୁ ଅର୍ଜୁନ ବିନ୍ଧିଲା ଲକ୍ଷେ ବାଣ

କଣ୍ଠକୁ ଶତେ ବାଣ ବିନ୍ଧିଲା ଗରୁଟାଣ।୪୩୩।

 

ଅର୍ବୁଦେକ ଶର ଲାଭି ମଣ୍ଡଳକୁ

ୟେତେ ଶର ବିନ୍ଧିଲା ବିରୁପାକ୍ଷ ଅସୁରକୁ।୪୩୪।

ଦେଖିଣ ଅସୁର ପ୍ରତିଅସ୍ର କରି

ଅର୍ଜୁନଶର ସବୁ ଦୂରହୁଂ ନିବାରି।୪୩୫।

 

ଶର ନିବାରିଣ ବିରୂପାକ୍ଷ ଅସୁର

ତ୍ରୋଣୁଂ କାଢିଲା ସେ ନାଗପାଶ ଶର।୪୩୬।

ଶରକୁ ତିଆରଇ ଅସୁର-କୁଳପତି

ୟେ ମାନବାର ପ୍ରାଣ ଘେନ ତୁ ତଡତି।୪୩୭।

 

ଆଗ୍ୟାଂ ପାଇଣ ନାଗମାନେ ଚଳି

ଗର୍ଜନ ନାଦରେ କୁରୁମ ଉଛୁଳି।୪୩୮।

ସଚରାଚର ଯେ ଘୋଟିଲେ ନାଗବଳ

ବୃନ୍ଦାଅର୍କେ ଦେଖି ଯେ ହୋଇଲେ ବିକଳ।୪୩୯।

 

କର୍ଣ୍ଣ ଡାକ ଦିଅଇ ରେ ଶୁଣ ସବ୍ୟସାଚୀ

ଗରୁଡା ଶର ବେଗେ ତୁ ବିନ୍ଧ ଆମଞ୍ଚି।୪୪୦।

ଗରୁଡ ଫାଶୀ ଶର ଅର୍ଜୁନ ମାରି

ଦେଖିଣ ନାଗମାନେ ପଳାଇଲେ ଡରି।୪୪୧।

 

ଅର୍ଜୁନ ବିଚାରଇ ୟେ ନୋହଇ ସାମାନ୍ୟ

ୟେହାକୁ ଜିଣିମାକୁ ମୁଂ ନୋହଇ ଭାର୍ଜନ।୪୪୨।

ୟେମନ୍ତ ବିଚାରି ସେ ଯେ ବାସବ କୁମର

ଅର୍ବୁଦେକ ବାଛି ବିନ୍ଧିଲାକ ଶର।୪୪୩।

 

ବିରୂପାକ୍ଷ ଅସୁର ଦେଖିଲା ତା ଦୂରେ

ଛେଦି ପକାଇଲା କିଞ୍ଚିତ ପ୍ରକାରେ।୪୪୪।

ଶୁଣ ହୋ ରାଜନ ବଦୟନ୍ତି ବ୍ରହ୍ମବେତ୍ତା

ତିନି ଦିବସ ତିନିରାତ୍ର ଯୁଦ୍ଧ ଅପ୍ରମିତା।୪୪୫।

 

ସହଦେବକୁ ଚାହିଂ ବୋଲନ୍ତି ଧର୍ମନାନ

କେମନ୍ତେ ଅସୁର ହୋଇବ ନାଶମାନ।୪୪୬।

ଯୁଝେଷ୍ଠିଙ୍କ ଆଗ୍ୟାଂରେ ମନ୍ତ୍ରୀ ଚୂଡାମଣି

କରପଲ୍ଲବକୁ ସେ ଚାହିଂଲା ତତକ୍ଷଣି।୪୪୭।

 

ଯୁଝେଷ୍ଠିଙ୍କ କହି ମାଦ୍ରୀ ଦେବୀଙ୍କର ଚାଟେ

ଅମୃତ ଲିଙ୍ଗ ଅଛି ଅସୁର ଲାଭି ତଟେ।୪୪୮।

ଅଗ୍ନିଶର ଯେବେ ଲାଭିରେ ପଡ଼ିବ

ତେବେ ସେ ଅସୁର ପ୍ରାଣ ତ୍ୟାଜ ହେବ।୪୪୯।

 

ହୃଦକୁ ପଶୁ ପତ୍ର ବିନ୍ଧନ୍ତୁ ବୀର ପାଥ

ଅଧା ଚନ୍ଦ୍ର ବାଣେ ଛିଡ଼ିବ ମୁଣ୍ଡ ଲୋହିତାକ୍ଷ ସୁତ।୪୫୦।

ୟେ ତିନି ଶର ପାର୍ଥ ବିନ୍ଧନ୍ତୁ ବେଗେ ଟାଣି

ଅସୁର ପ୍ରାଣ ହରନ୍ତୁ ଏହିକ୍ଷଣି।୪୫୧।

 

ୟେମନ୍ତ ମନ୍ତ୍ରୀ ଯହୁଂ କହିଲା ସନ୍ଦେଶ

ଶୁଣି ପଞ୍ଚୁଭ୍ରାଥେ ହୋଇଲେ ହରଷ।୪୫୨।

ଅଶସ୍ତମା ବୋଇଲେ ଶୁଣ ବୀରପାଥ

ୟେ ଦତ୍ୟକୁ ବେଗେ କର ପ୍ରାଣେ ହତ।୪୫୩।

 

ଶୁଣିଣ ଅର୍ଜୁନ ଯେ ମନେ ଗରୁ ଖଙ୍ଗ

ଲାଞ୍ଜ ମାଡ଼ିଲେ ଯେହ୍ନେ ଗର୍ଜଇ ପନ୍ନଂଗ।୪୫୪।

କାଳାନଳଶର କାଢିଲାକ ତ୍ରୋଣୁଂ

ଗାଣ୍ଡୀମେ ବସାଇଲା କରି କୋପ ମନୁ।୪୫୫।

 

ପଶୁପତ୍ର ଶର ମଧ୍ୟେ ଗୁଣେ ଥୋଇଂ

ଅଧା ଚନ୍ଦ୍ର ପୁଣ ଗାଣ୍ଡୀମେ ବସାଇଂ।୪୫୬।

ୟେ ତିନି ଶର ଯହୁଂ ବସାଇ ପାର୍ଥ ଗୁଣେ

ଶଙ୍ଖ ଚକ୍ର ଗଦା କି ଧଇଲେ ନାରାୟଣେ।୪୫୭।

 

ବିଶ୍ୱରୂପେ ଅର୍ଜୁନ ଶରନ୍ତ ଓଟାରି

ଶର ମୁନେ ରହିଲାକି ସପତ ସିନ୍ଧୁ ବାରି।୪୫୮।

ଇନ୍ଦ୍ରାଦି ଦେବତା ୟେ ଦେଖି ଭୟେ କଲେ

ଦିନ ଥାଉଂ ଥାଉଂ ଆଦିତ୍ୟ ଅସ୍ତହେଲେ।୪୫୯।

 

ଡରେଣ ବାସୁକି ନଟେକଇ ଶିର

ଅର୍ଜୁନ ଓଟାରି ଯେ ବିନ୍ଧିଲା ତୀକ୍ଷ ଶର।୪୬୦।

ଅହିବ୍ରତେ ବଜ୍ରଘାତ କି ଶରଙ୍କ ଗର୍ଜନ

ଲାଭିରେ ପଡ଼ିଲା ୟେ ଶର ହୁତାଶନ।୪୬୧।

 

ବୁକୁରେ ପଡ଼ିଲା ପଶୁପତ୍ର ଶର

ଅଧା ଚନ୍ଦ୍ର ପଡ଼ିଲା କଣ୍ଠର ଉପର।୪୬୨।

ମହାଅଗ୍ନି ଶର ଲାଭିରେ ପଡ଼ିଲା

ଲାଭି ମଣ୍ଡଳକୁ ସେ ଯେ ବେଗେଂ ହାନ୍ଦୋଳିଲା।୪୬୩।

 

ଅମୃତ ଲିଙ୍ଗ ପରେ ପଡ଼ିଲାକ ମାଡ଼ି

ଅଗ୍ନିର ତେଜେ ସେ ଶୂନ୍ୟେ ଗଲା ଉଡ଼ି।୪୬୪।

କଣ୍ଠକୁ ଅଧା ଚନ୍ଦ୍ର ବିରୋଳି କାଟିଲା

ତକ୍ଷଣେ ମୁଣ୍ଡ ତାର ଛେଦି ପକାଇଲା।୪୬୫।

 

ପଶୁପତ୍ର ତାର ପଡ଼ିଲା ହୃଦଗତେ

ବେନି ଫାଳ ହୋଇ ଯେ ପଡ଼ିଲା ଦଇତେ।୪୬୬।

ଉତ୍ତାନସାହୀ ହୋଇ ପଡ଼ିଲା ଅସୁର

ଛାଡ଼ିଲା ସିଂଘ ରଡ଼ି କମ୍ପିଲା ତିନିପୁର।୪୬୭।

 

ପ୍ରାଣ ଛାଡ଼ିଲା ସେ ପଡ଼ିଲା ଧରଣୀ

ସମସ୍ତେ ପ୍ରଶଂସା କରନ୍ତି ଅର୍ଜୁନକୁ ପୁଣି।୪୬୮।

ସ୍ୱର୍ଗେଣ ଯୁଦ୍ଧ ଦେଖୁଥିଲେ ବୃନ୍ଦାଅର୍କେ

ଅର୍ଜୁନ ଶିରେ କୁସୁମ ବୃଷ୍ଟି କରନ୍ତି ଦେବ ଲୋକେ।୪୬୯।

 

ଦୁନ୍ଦୁଭି ଶବଦ କରନ୍ତି ଦେବାଙ୍ଗନା

ଦୁତୀକୃଷ୍ଣ ରୂପ ବାସବ ସୁତ ସିନା।୪୭୦।

ଅର୍ଜୁନକୁ ଯୁଝେଷ୍ଠି ବୋଲନ୍ତି ବଚନ

ଶତେଭ୍ରାଥ ଯେମନ୍ତେ ପାଇବେ ଜୀବନ।୪୭୧।

 

ନୋହିଲେ ଜୀବନେ ନାହିଂ ମୁହିଂ ବ୍ରତି

ୟେମନ୍ତ କହିଂ ଯୁଝେଷ୍ଠି କ୍ରୋଧ ଯେ କରନ୍ତି।୪୭୨।

ଯୁଝେଷ୍ଠିଙ୍କର ନିଷ୍ଠୁର ଶୁଣି ପାର୍ଥ

ମନରେ ଧ୍ୟାନ ସେ କରଇଂ ଶଚୀ ନାଥ।୪୭୩।

 

ଜୟ ତୁ ବଜ୍ରଧର ଦେବଙ୍କ ଶିରୋମଣି

ଦଇନି କରଇଂ ମୁଂ ଯେ ଆସିବା ୟେହିକ୍ଷଣି।୪୭୪।

ଜୟ ତୁ ପିତାମହ ଅମର ଅଧିକାରୀ

ଅମୃତ ଘେନି ବିଜୟେ କରିବା ବଜ୍ରଧାରୀ।୪୭୫।

 

ଅନେକ ସ୍ତୁତି ଯହୁଂ କଲାକ ଅର୍ଜୁନ

ଧ୍ୟାନେଣ ଜାଣିଲେ ଦେବ ମଘବାନ।୪୭୬।

ସାରଥିକି ଆଜ୍ଞା ଦିଲା ସୁନାସୀର

ବେଗେ ହୋ ମାତଳି ରଥ ସଜ କର।୪୭୭।

 

ଶୁଣିଣ ମାତଳି ରଥ ସଜ କଲା

ପୁରନ୍ଦର ଆଗରେ ନେଇଂ ଉଭାରିଲା।୪୭୮।

ବିଦ୍ୟାଧରମାନେ ହୋଇଲେ ଯେ ସଜ

ଦୁନ୍ଦୁଭି ବିଜାଇ ବିଜୟେ ଦେବରାଜ।୪୭୯।

 

ତେତିଶ କୋଟି ଦେବ ଘେନିଣ ଆଖଣ୍ଡଳ

ଅଜଙ୍ଗ ପାଦ ବନେ ବିଜୟ ଦେବତା ସକଳ।୪୮୦।

ଦେବତାନ୍ତ ଦେଖି ଯୁଝେଷ୍ଠି ଆସନ ଉପେଖି

ରଥରୁ ଉତୁରିଲେ ଦେବ ସହସ୍ରାକ୍ଷି।୪୮୧।

 

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ବାସବଙ୍କୁ ନମସ୍କାର କଲେ ପଞ୍ଚୁ ଯେ ପାଣ୍ଡବ।୪୮୨।

ଅନ୍ତରୀକ୍ଷେ ରହି ବୋଇଲେ ମଘବା

କି କାର୍ଯ୍ୟେ ସୁମରଣା କଲ ମୋର ବାବା।୪୮୩।

 

ଯୁଝେଷ୍ଠି ବୋଇଲେ ତାତ ସଙ୍କଟ କାଳ ମୋର

ମାନବୋବିନ୍ଦ ଶତେ ଭାଇ ମୋର ଅଟନ୍ତି ସହୋଦର।୪୮୪।

ଭାନୁମତ ରାଜ୍ୟରୁ ଯେ ଭାନୁମତୀ ଘେନି

ଆପଣା ରାଜ୍ୟକୁ ୟେ ଥାଠ ଯେ ପଲାଣି।୪୮୫।

 

ବିରୂପାକ୍ଷ ବୀର ସମସ୍ତଙ୍କୁ ନାଶ କରି

ସେ ରାକ୍ଷସକୁ ପାର୍ଥ ସାଂଗ୍ରାମେ ନିବାରି।୪୮୬।

ୟେ ତୋର ପ୍ରସାଦେ ସେ ମଲାଟି ଅସୁର

ଜୀଆଇଂ ଦେବା ତାତ ଶତେ ଭାଇ ମୋର।୪୮୭।

 

ଶୁଣିଣ ଶଚୀ ସାଇଂ ହରଷ ହୋଇଂ

ଅମୃତା ଶରେକ ଯେ ଅର୍ଜୁନ କରେ ଦେଇଂ।୪୮୮।

ବଦନ୍ତି ପୁରନ୍ଦର ଶୁଣ ଫାଲଗୁନି

ବିନ୍ଧ ଥାଠ ସୈନ୍ୟ ଜୀଇଂବେ ବହନି।୪୮୯।

 

ଶୁଣିଣ ବିବଚ୍ଛ ତାହା ଗାଣ୍ଡିମେ ପୂରୋଇ

ବିନ୍ଧିଲା ନାରାଜ ମୃତ୍ୟୁ ଥାଠକଇଂ।୪୯୦।

ମାନଗୋବିନ୍ଦ ଆଦି ଅଠାଳୋଇଂ ଭାଇ

ଅମୃତ ଶର ଲାଗି ଉଠିଣ ଉଭା ହୋଇଂ।୪୯୧।

 

ମୃତ୍ୟୁ ଥାଠ ତାର ଉଠନ୍ତି ତଡତି

କର୍ଣ୍ଣକୁ ପଚାରଇ ମାନ ଚକ୍ରବ୍ରତୀ।୪୯୨।

ଭୋ ମଇତ୍ର ସନ୍ୟ ମୋର କିମ୍ପାଇଂ ଅପହାର

କର୍ଣ୍ଣ ବୋଇଲା ମଇତ୍ର ମାଇଲା ଅସୁର।୪୯୩।

 

ସମସ୍ତଙ୍କୁ ମାରି ଭାନୁମତୀ କି ନିଅନ୍ତେ

କାହୁଂ ପାଣ୍ଡବେ ଆସି ମିଳିଲେ ୟେ ବନସ୍ତେ।୪୯୪।

ୟେଡ଼େ ବଡ ଦାନବ ଅର୍ଜୁନ ବଧ କଲା

ଅମୃତା ଶରେ ପୁଣ ତୁମ୍ଭନ୍ତ ଜୀଂଆଇଲା।୪୯୫।

 

ଶୁଣି ମାନଗୋବିନ୍ଦ ମଉନ ବ୍ରତ ହୋଇ

ପାଣ୍ଡବଙ୍କୁ ସମସ୍ୟା ନ ଦିଲା କୁରୁସାଇଂ।୪୯୬।

ଧୁଶାସନ ଆଦି ସକଳ ସନ୍ୟ ତାର

ଘଡିକର ମଧ୍ୟେ ଯେ ପାଇଲେ ଶରୀର।୪୯୭।

 

ଦ୍ରିଯୋଧନ ଯାଇଂ ବସିଲାକ ରଥେ

ସମଦଣ୍ଡ ଚଳୁ ବୋଇଲା କୁରୁନାଥେ।୪୯୮।

ରାଜାର ବଚନେ ଯେ ଚଳିଲେ ସର୍ବ ସଇନ

ଦମା ଦୁନ୍ଦୁଭି ଯେ ବାଜଇ ବିଦ୍ୟମାନ।୪୯୯।

 

ଭାନୁମତୀକି ଘେନି ଚଳଇ କୁରୁସାଇଂ

ମୂର୍ଖ ସ୍ୱଭାବେଣ ଅଟଇ ମନ୍ଦବାଇ।୫୦୦।

ଯୁଝେଷ୍ଠିଙ୍କି କିଛି ସମସ୍ୟା ନଦିଲା

ପାଣ୍ଡବଙ୍କୁ ଦେଖି କିନ୍ତୁ ଯେ ମଣିଲା।୫୦୧।

 

ଯହୁଂ ହସ୍ତିନାକୁ ପ୍ରବେଶ କୁରୁସାଇଂ

ଇନ୍ଦ୍ରଦେବତା ୟେ ସୁରପୁରକଇ ଯାଇଂ।୫୦୨।

ଅପମାନ ପାଇଂ ପାଣ୍ଡବ ପଞ୍ଚରାଣ

ବାରୁଣାବନ୍ତକୁ ଯେ କରନ୍ତି ପୟାଣ।୫୦୩।

 

ଧୃତରାଷ୍ଟ ଆଗେଣ ସଞ୍ଜୟେ ଯେ କହି

ଶୁଣିମା ସାବଧାନେ ଅମ୍ୱିକା ତନୟି।୫୦୪।

ଭାନୁମତ ରାଜ୍ୟରୁ ବିଭାହୋଇଂ ଭାନୁମତୀ

ସମ୍ଭର୍ବେ ଆସଇ ଦ୍ରିଯୋଧନ କୁରୁପତି।୫୦୫।

 

ସମଦଣ୍ଡ ଘେନିଣ ଆସନ୍ତେଣ ବାଟେ

ଅଜଙ୍ଗ ପାଦ ବନେ ଭେଟିଲା ଲୋହିତାକ୍ଷ ସୁତେ।୫୦୬।

ସମସ୍ତ ସନ୍ୟ ତୋର ମାରି କଲା ଶେଷ

କର୍ଣ୍ଣ ଦ୍ରିଯୋଧନ ସମସ୍ତଙ୍କୁ ମାରି ଅସୁର ରାକ୍ଷସ।୫୦୭।

 

ଭାନୁମତୀକି ନେମାକୁ ବିଚାରେ ଦଇତ।୫୦୮।

ୟେମନ୍ତ ସମୟେ ନାରଦ ଦେବ ଋଷି

ପ୍ରୟାଗକୁ ଆସନ୍ତି ଅଜଙ୍ଗ ବନେ ପଶି।୫୦୯।

 

ଦେଖିଲେ ସେଠାରେ ମୃତ୍ୟୁ ଶବ ଥାଠ

ନାରଦେ କହିଲେ ଯାଇଂ ଯୁଝେଷ୍ଠିଙ୍କି ଅଗ୍ରତ।୫୧୦।

ଭୀମସେନ ଅର୍ଜୁନ ନକୁଳ ସହଦେବ ଘେନି

ଅନେକ ଯୁଦ୍ଧ କଲେ ଅସୁର ସଙ୍ଗେ ପୁଣି।୫୧୧।

 

ସହଦେବ କହିଲା ତାର ମୃତ୍ୟୁ ଭେଦ

ଅର୍ଜୁନ ବିନାଶ କଲାକ ଦନୁଜ।୫୧୨।

ଅମୃତ ଶରେକ ଯେ ମାଇଲା ସର୍ବସାଚୀ

ଅମୃତ ଆହାରେ ଶତେ ଭାଇ ଉଠି।୫୧୩।

 

ଦେଖିଣ ଦ୍ରିଯୋଧନ ବୀର ତୋର କଲା ଅପମାନ

ଯୁଝେଷ୍ଠି ଗଲେ ସେ ବାରୁଣା ଭୁବନ।୫୧୪।

ଶୁଣି ଧୃତରାଷ୍ଟ ହରଷ ବିରସ ମନ

ବିଦୁରକୁ ରାଇ ଆଗ୍ୟାଂ ଦିଲାକ ରାଜନ।୫୧୫।

 

ପୁତ୍ରେ ଯେବେ ଉଦିତ ହୋଇଲେ ମୋହୋର

ପୁରେଣ ଉଚ୍ଛବ ତୁ କର ହୋ ବିଦୁର।୫୧୬।

 

ଦୁର୍ଯ୍ୟୋଧନର ଭାନୁମତୀ ସହ ହସ୍ତିନାରେ ପ୍ରବେଶ

 

ରାଜାର ବଚନେ ଯେ ଅମ୍ୱୁବତୀର ବଳା

ସାନନ୍ଦେ ଉଚ୍ଛବ ସେ ରାଜ୍ୟରେ କରାଇଲା।୧

ହାଟ ବାଟ ଦାଣ୍ଡ ସମସ୍ତ ପରିମଳି

ସୁବର୍ଣ୍ଣର କଳସ ଉଭାରିଲେ ସର୍ବ ପୁରୀ।୨

 

ବହୁତ ପୁର ଜନ ମିଳି ଧାମନ୍ତି ଗହଳେ

ଅନେକ ସାନନ୍ଦ ହରଷ ସବୁରି ମନରେ।୩

ହସ୍ତିନାର ଥାଠ ଘେନି ଭୀମ ଯେ ଯୁଝେଷ୍ଠି

ଅନେକ ସମ୍ଭର୍ବେ ସେ ଯାଆନ୍ତି ପାଛୋଟି।୪

 

ଇନ୍ଦ୍ରପ୍ରଶସ୍ତେ ଭେଟିଲେ ଧର୍ମଦେବ ଯାଇ

ଭୀଷ୍ମେ ଆଶ୍ରିଜ ହୋଇଲେ ତାହାକଇଂ ଚାହିଂ।୫

ଦ୍ରିଯୋଧନ ବିଜୟେ ଶ୍ୱେତହସ୍ତୀର ଉପରେ

ସର୍ବ ଅଳଙ୍କାରେ ଭାନୁମତୀ ଅଛଇ କୋଳରେ।୬

 

ସମୋଦ୍ର ମନ୍ଥନୁ ଯେହ୍ନେ ଦେବ ନାରାୟଣ

ଲକ୍ଷ୍ମୀକି ଘେନି ଯେହ୍ନେ ଆସନ୍ତି ବୈକୁଣ୍ଠ ଭୁବନ।୭

ଚନ୍ଦ୍ରର କୋଳେ ଯେହ୍ନେ ବିଜୟେ ଶୂଳପାଣି।୮

 

ରତିକି ଘେନିଣ ଯେହ୍ନେ ବିଜୟ କନ୍ଦର୍ପ

ଦ୍ରିଯୋଧନ ଭାନୁମତୀକି ଦେଖିଲେ ତେସନ ସରୂପ।୯

 

ଅନେକ ବୀର ତୂର ବାଜଇ ଯେ ଗଗନ ଉଚ୍ଛୁଳି

ଗଣିକା ଗଣମାନେ ସାନନ୍ଦେ ଦ୍ୟନ୍ତି ହୁଳହୁଳି।୧୦

ଶଙ୍ଖ ଧୁନି ଶବଦ ଯେ ଘନଘନ ଫୁରି

ମଙ୍ଗଳ ଗୀତି ଗାବନ୍ତି ବାଜଇ ମହୁରୀ।୧୧।

 

ବାଜୀନ୍ତ ଚାଳିଣ ଯେ ବିହଡ଼ନ୍ତି ରାଉତେ

ବୁଲାବନ୍ତି ଲାଙ୍କିଆ ଅସିପତ୍ର କୋନ୍ତେ।୧୨।

ୟେମନ୍ତେକ ସମ୍ଭର୍ବେ ଯେ ଆସନ୍ତି ଦାଣ୍ଡ ପୂରି

ଅନେକ ହରଷେଣ କୁତୂହୋଳେ ଗୋଡ଼ାବନ୍ତି ନଗ୍ର ନରନାରୀ।୧୩।

 

ବୋଲନ୍ତି ୟେବେ ସେ ହସ୍ତିନାପୁର ଶୋହିଲା

ପଣ୍ଡୁ ବନବାସ ଦିନୁଂ ୟେମନ୍ତ ଦିନେ ୟେଥେଂ ନ ଦେଖିଲା।୧୪।

ଚଛୁର ଦରିଦ୍ର ଫିଟିଲା ୟେହା ଦେଖି

ୟେବେ ସେ ରାଜ୍ୟ ହୋଇବ ଅନେକ ସୁଖୀ।୧୫।

 

ଅନେକ ସାନନ୍ଦେ ଯେ ରାଜ୍ୟଜନ ହରଷ

ଦଧି ମଙ୍ଗଳ ସୁମରି ଯାଇଂ ରାଜ୍ୟରେ ପ୍ରବେଶ।୧୬

ଅନେକ ସୁଲକ୍ଷଣୀ ଘେନି ବିଜୟେ ଗାନ୍ଧାରୀ

ହସ୍ତେ ଅର୍ଘ୍ୟ ଘେନିଣ ଶୁଭ ଅବଧାରି।୧୭।

 

ହସ୍ତୀରୁ ଓହ୍ଲାଇଲା ଦ୍ରିଯୋଧନ ଭାନୁମତୀର ଭୁଜ ଧରି

ଆସ୍ତାନେ ବିଜେ କରିଅଛନ୍ତି ଧୃତରାଷ୍ଟ ଗାନ୍ଧାରୀ।୧୮।

ଦ୍ରିଯୋଧନ ବୋଇଲା ଶୁଣିମା ଗୋ ଦେବୀମାୟେ

ଜନ୍ମହୁଂ ଅନ୍ଧ ହୋଇଲେ ଧୃତରାଷ୍ଟ ରାୟେ।୧୯।

 

ଚଛୁ ଥାଇଂଣ ଅନ୍ଧ କିମ୍ପା ହୋଇଲ ଆପଣ

ଅନ୍ଧ ପଟଳ ଫେଡ ମା ମୋହୋର ବୋଲ ଶୁଣ।୨୦

ଆମ୍ଭନ୍ତ ଉତପତ୍ତି ଯେ କଲ ଗର୍ଭଗତେ

ୟେଡ଼େ ସମ୍ପଦ ମା ଗୋ ଚଛୁ ଥାଉଂ ନ ଦେଖିବ କେମନ୍ତେ।୨୧

 

ସ୍ୱାମୀର ଅଭିମାନକୁ ଗୋ ତୁମ୍ଭେ ନ ବଢ

ଆମ୍ଭର ସମ୍ପଦ ଦେଖ ଗୋ ଅନ୍ଧ ପଟଳ ଫେଡ।୨୨

ଭାନୁମତ ଦେଶର ସେ ଭୂମନୁ ନୃପତି

ତାହାର ଦୁହିତାର ନାମ ଅଟଇ ଭାନୁମତୀ।୨୩

 

ଲକ୍ଷେକ ରାଜା ଆଣି କଲାକ ସୟମ୍ୱରେ

ୟେହାର ସାଦୃଶ୍ୟେ ମୃତ୍ୟୁ ପୁରେ ନ ମିଳିଲା ବରେ।୨୪

ଦୁଷ୍ଟ ରାଜାମାନେ ୟେହା ନେଇ ଲୋଡୁଥିଲେ ବଳେ

କର୍ଣ୍ଣ ସାଂଗ୍ରାମ କଲା ଜିଣିଲା ସମସ୍ତ ମହୀପାଳେ।୨୫

 

ୟେକା କର୍ଣ୍ଣ ଘୋର ସାଂଗ୍ରାମେ ଜିଣିଲା ସବୁନ୍ତି

ବଳେ ଛଡ଼ାଇ ଆଣିଲା ସୁନ୍ଦରୀ ଭାନୁମତୀ।୨୬

କର୍ଣ୍ଣକୁ ପ୍ରଦାନ କରୁଥିଲା ଭୂମନୁ ଦଣ୍ଡଧାରୀ

ଆପଣେ ପ୍ରଦାନ ନୋହିଲା ମୋତେ ଦିଲା ଅନୁଗ୍ରହ କରି।୨୭

 

ତ୍ରୈଲୋକ୍ୟର ମୋହିନୀ ୟେ ଅଟଇ ରୂପବନ୍ତୀ

ଶଙ୍ଖ ନିଧି ପଦ୍ମ ନିଧି ୟେହାର ବେନି କରରେ ବିରାଜନ୍ତି।୨୮

ପାଷାଣେ କର ଲାଗନ୍ତେ ୟେହାର ହୋଅଇ ପାଣି ଦ୍ରବ୍ୟ

ୟେଡ଼େ ବଡ଼ ସମ୍ପଦ ମାତା ଗୋ କେମନ୍ତେ ନ ଦେଖିବ।୨୯

 

କ୍ଷଣେ ଅନ୍ଧ ପଟଳ ଗୋ କାଢି ମେଲ ଗାନ୍ଧାରୀ

ଆମ୍ଭନ୍ତ ଅର୍ଘ୍ୟ ଦେଇ ପଛେ ବାନ୍ଧ ଦୃଢକରି।୩୦

ଗାନ୍ଧାରୀ ବୋଇଲା ବାବୁ କିସ ସମ୍ପଦ ଦେଖିବି

ବିପଦ ଦେଖିଲେ ପୁଣ କେମନ୍ତେ ମୂର୍ଚ୍ଛିବି।୩୧

 

ତୁ ୟେହା ସମ୍ପଦ ରେ ବୁଝୁଅଛୁ ବାଳ

ୟେହୁ ସମ୍ପଦ ବାବୁ ରେ ନଥିବ ଚିରକାଳ।୩୨

ଜନ୍ମକାଳୁଂ ଦେଖିଲି ମୁଂ ତୁମ୍ଭର ଦୁଷ୍ଟ ଯେ ପ୍ରକୃତି

ଯେତେ କଥା ଶୁଣଇ ବାବୁ ସବୁ ହିଂ ଅନୀତି।୩୩

 

ବିଦୁର କହିଲେ ଯେବଣ ପରମାର୍ଥ ବାଣୀ

ଅନ୍ଧ ପଟଳ ବାନ୍ଧିଲି ମୁଂ ତାହାର ବଚନ ଶୁଣି।୩୪

ସମ୍ପଦ ବିପଦ ହୋଇଥାଇ ଗତାଗତ

ନଦେଖି ବିମୁଖ ରେ ଶୁଣ ମୋହୋର ସୁତ।୩୫

 

ୟେହୁ ସମ୍ପଦ ତୋତେ ନଥିବ ଚିରକାଳ ପରିଯନ୍ତେ

ହରଷ ବିରସ ନ କରାଅ ପୁତ୍ର ମୋତେ।୩୬

ଗାନ୍ଧାରୀ କହିଲେ ଯହୁଂ ନିରାପକ୍ଷ ବାଣୀ

ଦ୍ରିଯୋଧନ କୋପ କଲା ମାତାର ବଚନ ଶୁଣି।୩୭

 

କୋଇନ୍ତାୟେ କଲ୍ୟାଣ କଲେ ଆଶିଷ୍ୟ ଦେଇ

ଭାନୁମତୀକି ଘେନି ଚନ୍ଦ୍ରଶାଳା ପୁରେ ବିଜୟେ କଲେ ଯାଇଂ।୩୮

ଭାନୁମତୀକି ଘେନି ବିଜୟେ ନିଜ ଭୁବନେ

ସଞ୍ଜୟେ କହିଲେ ଯାଇଂ ଧୃତରାଷ୍ଟ ସନ୍ନିଧାନେ।୩୯

 

ବଡାଇ ସମ୍ପଦ ରାଜା ଅର୍ଜିଲେ ତୋହୋର ଯେ ପୁତ୍ରେ

ରାଜ୍ୟେ ପଶନ୍ତେ ଦିଶଇ ଯେସନେ ଶଚୀ ଇନ୍ଦ୍ର ସଂଜାତେ।୪୦

ୟେଥୁ ଅନନ୍ତରେଣ ମନୁ ମହା ରାୟେ

ଶ୍ରୀମହାଭାରତ ଶୁଣି ପାପ କର କ୍ଷୟେ।୪୧

 

ବଦୟନ୍ତି ଅଗସ୍ତି ଶୁଣ ହୋ ବଇବସୁତ ମନୁ

ଅନେକ ଉଚ୍ଛବ ହୋଇଲା ହସ୍ତିନା ଭୁବନୁଂ।୪୨

ୟେଥୁ ଅନନ୍ତରେ କେବଣ କୃତ୍ୟ କଲେ

କେମନ୍ତେ କରି ବ୍ୟାସ ସରୋବର ଭିଆଇଲେ।୪୩

 

ୟେହା ମୋତେ ସଞ୍ଚପି କହିବା ମୁନିବର

ତୁମ୍ଭର ବଚନେ ମୁଂ ହୋଇବି ଗ୍ୟାନ ସାର।୪୪

ହସ୍ତିନା ଭୁବନ ଈଶାନ୍ୟର କୋଣେ

ତହିଂ ସେ ବ୍ୟାସେ ସରୋବର କରନ୍ତି ଆପଣେ।୪୫

 

(ବେଢାଇଲେ) ନଉଭାଗ ଦୀର୍ଘ ବତିଶ ଭାଗ ପ୍ରତି

ଚାରି ପାଖ ବସାଇଲେ ପାଷାଣ ଅପ୍ରମିତି।୪୬

ହର ବ୍ରହ୍ମା ବିଷ୍ଣୁ ତିନିହେଂ ହେଲେ ସ୍ତମ୍ଭ

ଚନ୍ଦ୍ର ସୂର୍ଯ୍ୟ କଳା କାଣ୍ଡ ଅଶ୍ୱିନୀ କୁମାରେ ମେରୁଦଣ୍ଡ।୪୭

 

ଅଶୀ କୋଟି ଗନ୍ଧର୍ବେ ହୋଇଲେ ରୁଅ ବତା

ଋଷି ବଚନ ଅପଗ୍ୟାନ କରିବ ହୃଦ ଫାଟିବ ତଥା।୪୮

ଅଗ୍ନି ବରୁଣ କୁବେର ସତାଇଶ ନକ୍ଷତ୍ର

ୟେମାନେ ହୋଇଲେ ପାଣି ପାଟିଆ ଥମ୍ୱ ତଥ୍ୟ।୪୯

 

ଚାରି ମେଘେ ଯେ ହୋଇଲେ ଚାରି ପୀଢା

ଜୁଣକ ମଧ୍ୟେ ବିଭୂତି ପଡ଼ଇ ତ୍ର୍ୟକ୍ଷଉରା।୫୦

ସୁଦ୍ରିଶେନ ଚକ୍ର ଉପରେ ଭ୍ରମୁଥାଇଂ

ଦୁଷ୍ଟଜନ ଦେଖିଲେ ଶିର ଛିଡ଼ି ପଡ଼ଇ।୫୧

 

ଅଣଗତି ଲୋକକୁ ଦିଅଇ ନେଇଠାବ

ବଳାତ୍କାରେ ପଶିଲେ ତାହାର ପ୍ରାଣ ଯିବ।୫୨

ମାଣକ ଆକାରେ ଯେ ବେଢାଇଲେ ବେଢା

ଆପଣେ ବ୍ୟାସେ କଲେ ସରୋବରେ ପୀଢା।୫୩

 

ସଞ୍ଜୟେ କହନ୍ତି ଧୃତରାଷ୍ଟର ଆଗର

ଆପଣେ ବ୍ୟାସେ ଥାଇ କଲେ ବ୍ୟାସ ସରୋବର।୫୪

ଶୁଣିଣ ଧୃତରାଷ୍ଟ ଯେ ବଡ଼ ହରଷ ହୋଇଲା

କି ହୋଇବ ବୋଲି ଯେ ମନ୍ତ୍ରୀକି ପଚାରିଲା।୫୫

 

ସଞ୍ଜୟେ ଗୁପତ କଲେ ନ କହିଲେ ସେହୁ କଥା

କି କାର୍ଯ୍ୟ ହୋଇବ ସେ ଭିଆଉ ଅପ୍ରମିତା।୫୬

ଯୁଝେଷ୍ଠିଙ୍କି ସହଦେବ କହିଲେ ଗୁପତ ଯେ କରି

ଦ୍ରିଯୋଧନ କୁଶଳ ବାରତା କହଇ ବିଚାରି।୫୭

 

ହସ୍ତିନା ଲୋକଙ୍କୁ ସେ ଚମତ୍କାର ଲାଗିଲା

କି କଥା ହୋଇବ ବୋଲି ବିଦୁର ସଞ୍ଜୟକୁ ପଚାରିଲା।୫୮

କ୍ଷିଦ୍ର ଦେହରେ ରଖି କହନ୍ତି ସଞ୍ଜୟେ

ବ୍ୟାସ ସରୋବରେ ପଶିଲେ ଶତ୍ରୁରକ୍ଷା ହୋୟେ।୫୯

 

କିଛୁ ଦିନ ଅନ୍ତରେ ବ୍ୟାସ ସଞ୍ଜୟ ବାସୁଦେବ

ସହଦେବକୁ ବସାଇ କହନ୍ତି ଗୁପତ ଭାବ।୬୦

ୟେ ଗୁପତ କଥା ବାବୁ ନ କହିବୁ କାହିଂ

ବାସୁଦେବଙ୍କୁ ବ୍ୟାସେ ଅନେକ ବିନୋୟୀ ହୋଇ।୬୧

 

କେଶୀ-ଦତ୍ୟ-ଧଂସନ୍ତା ତୋତେ ଚିହ୍ନନ୍ତା କେହି ନାହିଂ

ଦୁଷ୍ଟ ନିବାରଣ ସନ୍ଥ ପାଳନ୍ତା ନାଥ ତୁହି।୬୨

ଦଶରଥ ଘରେ ଜନ୍ମ ଜାତ ମହୀ

ଋଷିଙ୍କର ଯଗ୍ୟଂ ରଖିଲୁ ନାଥ ତୁହି।୬୩

 

ତୋହୋର ବାହୁ ବଳେ ଋଷିଙ୍କ ରସେବା

ଅପାର ଦୁର୍ଧଂସ ନାଥ ମୁକତି ଗତି ଦେବା।୬୪

ଶ୍ୱେତ ପୀତ ଲୋହିତ କୁଙ୍କୁମ ଯେ ବର୍ଣ୍ଣେ

ନୀଳ ସଷ୍ଟିକ ନାଥ ବାଉନିମି କିସ ଗୁଣେ।୬୫

 

ଯଦୁ କୁଳ ନନ୍ଦନ ମୁକତି ଗତି ଦ୍ୟନ୍ତା

ଦେବକୀ କୋଳେ ନାଥ ତୁହି ସେ ସମ୍ଭୂତା।୬୬

ୟେ ବ୍ୟାସ ସରୋବର ନାଥ ତୁମ୍ଭର ପ୍ରସନ୍ନେ

ନାରାୟଣ ସୁଦ୍ରିଶେନ ଚକ୍ର ଦେବୁ ତୋଷ ମନେ।୬୭

 

ବାସୁଦେବ ତୋଷ ହୋଇ ବୋଇଲେ ଅସ୍ତୁ ହୋଉ

ଶତ୍ରୁପକ୍ଷ ହୋଇ ଯେ ପଶିବ ତାର ପ୍ରାଣ ଯାଉ।୬୮

ବାସୁଦେବଙ୍କୁ ମନାଇ ଚଳିଲେ ଦେବବ୍ୟାସ

ଗଙ୍ଗା କୂଳେ ଯାଇଂ ହୋଇଲେ ପ୍ରବେଶ।୬୯

 

ବାସୁଦେବ ସଞ୍ଜୟେ ଚଳିଲେ ଯେ ଯାହାର ପୁର

ସହଦେବ ପ୍ରବେଶ ହୋଇଲେ ଯୁଝେଷ୍ଠିଙ୍କ ଛାମୁର।୭୦

କାହିଂ ଥିଲୁ ବୋଲି ପଚାରନ୍ତି ଦେବଧର୍ମ

ସଞ୍ଜୟେ ବାସୁଦେବ ଦେଖୁଥିଲୁ ବ୍ୟାସ ସରୋବର ଆଶ୍ରମ।୭୧

 

କି ହୋଇବ ବୋଲି ପଚାରନ୍ତି ଧର୍ମଦେବ

ଅପାର ଦିନ ଅନ୍ତରେ ଦ୍ରିଯୋଧନକୁ ରକ୍ଷା ଯୋଗ ହୋଇବ।୭୨

ୟେ ବେନି କୁଳେ ଉପୁଜିବ ମହାଭାରଥ

ଗୁପତ କରିଥାଅ ବାବୁ ନକର ପ୍ରଘଟ।୭୩

 

ଯେ ଯାହାର ମାର୍ଗେ ସେ ରହିଲେ କାଳ ଜାଣି

ଅଗସ୍ତିଙ୍କି ପଚାରନ୍ତି ବଇବସୁତ ପୁଣି।୭୪।

 

Unknown

କୁରୁପାଣ୍ଡବଙ୍କର ଝିମାଣି ଖେଳ

 

ବଦନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ଅନେକ ଉଚ୍ଛବ ଯେ ହୋଇଲା ହସ୍ତିନା ଭୁବନୁ।୧

ଭୀଷ୍ମଙ୍କର ଆଗ୍ୟାଂ, ଶୟେ ଅଷ୍ଟ ଉତ୍ତର କୁମାରେ

ମହା ପ୍ରିୟ ଭାବରେ ଆଖଡ଼ାରେ କଉତୁକ କରେ।୨

 

ବଳରାମଙ୍କର ତହୁଂ ସେ ଗଦା ବିଦ୍ୟା ପାଇ

କାହାକଇଂ ଗଣନା ନ କରନ୍ତି ଦ୍ରିଯୋଧନ ଶତେ ଭାଇ।୩

ଆଖଡାୟେ ପଶି ଗଦା ଯୁଦ୍ଧ କରନ୍ତି ନିତି

ଭୀମସେନ ଧୁଶାସନର ଯେ ହୋଇଲା ଅତ୍ୟନ୍ତ ଅପ୍ରୀତି।୪

 

କର୍ଣ୍ଣ ଅର୍ଜୁନର ଯେ ଉପୁଜିଲା ଅଭାବ

ଯୁଝେଷ୍ଠିଙ୍କି ଦ୍ରିଯୋଧନ ନ କରଇ ପ୍ରିୟଭାବ।୫

ଗଜ ଅଶ୍ୱ ଚଢିଣ ଯେ ହିଙ୍ଗିଡ଼ି ଖେଳନ୍ତି

ପଶା ଆଖଡ଼ା ଯେ ନ୍ୟାୟ ବଳ ଖେଳୁଥାନ୍ତି।୬

 

ପୟାନ୍ତ ପାଦ ଗରୁ ଧାଉଡ଼ି ନିମିତ୍ୟେ

ନାନା କଉତୁକେ ଖେଳନ୍ତି ପୁତ୍ରମାନେ ସମସ୍ତେ।୭

ଇନ୍ଦ୍ରପ୍ରଶସ୍ତ ଆଖଡ଼ା ୟେ କଉତୁକ ସଂକୁଡ଼େ

କୁତୂହୋଳେ ଭିଆଇଲେ ଝିମାଣି ନାମ ଖେଡ଼େ।୮

 

ଦ୍ରିଯୋଧନ ଯୁଝେଷ୍ଠି ଯେ ହୋଇଲେ ମୂଳ ଗଣ୍ଡି

ଭୀମ ଧୁଶାସନ ହୋଇଲେ ତଳ ଗଣ୍ଡି।୯

________________________________________

୩।୨- କାହାକଇ ଭୟିତା ନାହିଂ ଦ୍ରିଯୋଧନ ଶତେ ଭାଇ।

୫।୧- ଇନ୍ଦ୍ରପ୍ରଶସ୍ତ ଆଖଡାରେ କୁତୂହୋଳ ରସ ଭାବ।

୭।୧ପୟାନ୍ତ-ପାଦଚାର, ପାଦଚାଳନ

୮।୧- ସଂକୁଡେ - ସଂକୃତ, ସମ୍ୟକ୍ କ୍ରିୟାରେ, କାର୍ଯ୍ୟରେ

---------------------------------------------------------------

କର୍ଣ୍ଣ ଅର୍ଜୁନ ଗଲେ ଯେ ଗଣ୍ଡି ଭାଗେ

ଦ୍ରିଯୋଧନ କର୍ଣ୍ଣ, ଅର୍ଜୁନ ଯୁଝେଷ୍ଠିଙ୍କ ଭାଗେ।୧୦

ଧୁଶାସନ କର୍ଣ୍ଣ ହୋଇଲେ ଦ୍ରିଯୋଧନର ଲାଗେ।୧୧

 

ଶଲ୍ୟ ସହଦେବ ଦୁହେଂ ଗଣ୍ଡି ଯେ ହୋଇଲେ

ଯୁଝେଷ୍ଠିଙ୍କି ସହଦେବ ଦ୍ରିଯୋଧନ କୁଶଲ୍ୟେ।୧୨

ନକୁଳ ଅଶସ୍ତମା ଗଣ୍ଡି ଗଲେ ଅନୁକ୍ରମେ

ଯୁଝେଷ୍ଠି ଭାଗେ ନକୁଳ ଦ୍ରିଯୋଧନ ଅଶସ୍ତମେ।୧୩

 

ୟେସନେକ ଗଣ୍ଡି ଭିଆନ୍ତି ସମକଚ୍ଛେ

ଧୁଶାସନ ବୋଇଲା ଭୀମ ତୁମ୍ଭେ ପୀଢ ହୋଇଲ ପ୍ରତକ୍ଷେ।୧୪

ଭୀମସେନ ହସିଲା ଧୁଶାସନର ବଚନେ

ତୁମ୍ଭନ୍ତ ଥାଡେ ହୋଅ ଶତେ ଭାଇମାନେ।୧୫

 

ଆମ୍ଭଙ୍କୁ ତୁମ୍ଭେ ହୋ ନ ଦିଅ ୟେକା ଜଣେ।୧୬

ଶଲ୍ୟ କୃପ ଅଶସ୍ତମା କର୍ଣ୍ଣ ଯେ ସହିତେ

କଚ୍ଛକେ ହୋଅ ତୁମ୍ଭେ ପଞ୍ଚ ଉତ୍ତର ଶତେ।୧୭

ଆମ୍ଭେ ପାଞ୍ଚ ଭାଇ ହୋଇଲୁ ୟେକ କତି

ଖେଡ଼ର ଚରିତ୍ର ଜାଣିମାନା କେ ହାରଇ ଜିଣଇ ଯୁଗତି।୧୮

 

ଭୀମସେନ ବଚନେ ଦ୍ରିଯୋଧନ କଲା ସନମତ

ପଛିମ ଭାଗେ ରହିଲେ ପାଞ୍ଚ ଉତ୍ତର ଶତେ ଭ୍ରାଥ।୧୯

ପୂର୍ବଭାଗେ ହୋଇଲେ ଯୁଝେଷ୍ଠି ପାଞ୍ଚଭାଇ

ମଧ୍ୟେରେ ବେନି ଖମ୍ୱ ପୋତିଲେ ଗାର ଦେଇ।୨୦

 

ଶାନ୍ୟେ ଯୁଝେଷ୍ଠି ପଶ୍ଚିମେ ଦ୍ରିଯୋଧନ ଭାଗ ଆଡେ

ବଢିଲା ଉଚ୍ଚବାଚ ଝିମାଣି ରସ ଖେଡ଼େ।୨୧

ପ୍ରଥମେ ଗୋଡ଼ାଇଲା କୁମାର ଧୁଶାସନ

ପଳାବନ୍ତି ଯୁଝେଷ୍ଠି ପବନହୁଂ ବେଗେଣ।୨୨

 

ବନଚର ଦେଖି ଯେହ୍ନେ ଖେଦଇ ହରିଣୀ

ନିଶ୍ୱାସ ଧରି ଖେଦଇ ଧୁଶାସନ ବୀରମଣି।୨୩

ରେ ରେ କାର କରି ଧାଇଂଲା ବେଗେଣ କ୍ଷେପି

ଚିରାୟେ ମାରିଣ ମାଇଲା ଯୁଝେଷ୍ଠିଙ୍କି।୨୪

 

ଅସାଷ୍ଟମେ ପଡିଲେ ଯୁଝେଷ୍ଠି ଧୁଶାସନର ଚାପୋଡ଼ ଘାତେ

ନାସିକା ବେନି ପୁଡ଼ାରୁ ବହଇ ଶ୍ରୋଣିତେ।୨୫

ମାରିଣ ଧୁଶାସନ ବାହୁଡ଼ଇ ଲେଉଟି

ଆରେ ଆରେ ବୋଲି ଭୀମସେନ ଧାମଇଂ ପାଲଟି।୨୬

 

ମଧ୍ୟ ଦାଣ୍ଡରେଣ ମାଇଲା ଧୁଶାସନକୁ

ୟେକା ପ୍ରହାରକେ ଭାଞ୍ଜିଲା ତାହାର ବୁକୁ।୨୭

ଦ୍ରିଯୋଧନ ପଳାବଇ ଗୋଡ଼ାୟେ ମାରୁତି

ୟେକା ଚାପୋଡ଼ାକେ ପଡିଲା କୁରୁପତି।୨୮

 

ଦୁର୍ଜୟ ଦୁର୍ବାଳ ଦୁରାଷ୍ଟର ମେଳେ

ପୟରକେ ବୀର ମାଇଲା କର ସ୍ଥଳେ।୨୯

ଶତେ ଭାଇଙ୍କି ମାଇଲା ଶତେ ଯେ ଭେଡ଼ାୟେ

କର୍ଣ୍ଣହିଂ ପଡ଼ିଲା ଭୀମ ହାଦେ ଘାୟେ।୩୦

 

ଶତେ ପହଣ୍ଡେ ମାଇଲା ଶତେ ଭ୍ରାଥଙ୍କୁ

ଗାତ୍ର ପ୍ରହାରେ ଭାଞ୍ଜିଲା ସମସ୍ତ ହିଂ ବୁକୁ।୩୧

ଅଶସ୍ତମାକୁ କ୍ଷେପି ମାଇଲା ବକ୍ଷ ସ୍ଥଳେ

ମୂର୍ଚ୍ଛାଗତେ ପଡ଼ିଲେ କୁରୁ ଯେ କୁମରେ।୩୨

 

ଶଲ୍ୟେ ପଳାବନ୍ତି ବାହୁଟିଆ ଜୀବ ଜାଣି

ନିଶ୍ୱାସ ଟେକି କଟାଳ କଲା ଭୀମଆଣି।୩୩

ଚିରାୟେ ମାରିଣ ହାବୋଡ଼ାଇଲା ଶଲ୍ୟଙ୍କୁ

ଗାଢ ପ୍ରହାରେ ଶଲ୍ୟେ ପଡ଼ିଲେ ମାଡି ବୁକୁ।୩୪

 

ବାମ ପାଦ ପଡ଼ିଲା ପିଠିର ମଧ୍ୟ ଖଣ୍ଡେ

ଡାହାଣ ଚରଣ ପଡ଼ିଲା ଶଲ୍ୟଙ୍କର ମୁଣ୍ଡେ।୩୫

ମୁଣ୍ଡ ଫାଟିଣ ଯେ ବହିଲା ଗହନ ଶ୍ରୋଣି

ବାହୁଡ଼ଇ ବ୍ରିକୋଦର ବିକ୍ରମ ସିଂହ ଠାଣି।୩୬

 

ସବୁ କୁରୁ ବୀରେ ପଡ଼ିଲେ ଅସାଷ୍ଟମ ହୋଇ

ଶଲ୍ୟ କର୍ଣ୍ଣ ଅଶସ୍ତମା କାହାରି ଚେତନା ଯେ ନାହିଂ।୩୭

ବଦୟନ୍ତି ମହାମୁନି ବ୍ରହ୍ମବେତ୍ତା ଅଗସ୍ତି

ଆଦିହୁଂ ୟେହିଠାରୁ କୁରୁପାଣ୍ଡବଙ୍କର ଉପୁଜିଲା ଅପ୍ରୀତି।୩୮

 

ଧୃତରାଷ୍ଟଙ୍କର ଅଗ୍ରତେ କହିଲେ ସଞ୍ଜୟେ

ଖେଡ଼ର ବିନୋଦେ ପଡ଼ିଲେ ଅସାଷ୍ଟମେ ତୋହୋର ପୋୟେ।୩୯

ୟେକା ୟେ ଭୀମସେନ ମାଇଲା ସବୁଙ୍କୁ ହିଂ ଖେଡ଼େ

ଝିମାଣି ଭିଆଇଲେ ୟେକା କୁତୂହୋଳେ ପୀଢେ।୪୦

 

ଭୀଷ୍ମେ ସଞ୍ଜୟେ ପ୍ରବେଶ ହୋଇଲେ ଯାଇ

ପୁଅନ୍ତ ଆଣିଲେ ଚେତନା କରାଇ।୪୧

ଧୃତରାଷ୍ଟ୍ର ସୁମରଇ ରେବତୀ ପ୍ରାଣବନ୍ଧୁ

ଜୟୁ ତୁ କାମପାଳ ଅଭୟ ବର ଇନ୍ଦୁ।୪୨

 

ଶୁଦ୍ଧ ସଷ୍ଟିକ ପ୍ରାୟେ ଯାହାର ଶରୀର ବିରାଜି

ଅଣାକାର ପୁରୁଷ ତୁ ଅଜପା ଲୟେ ଭଜି।୪୩

ଅଦୃଷ୍ଟି ମହେଶ୍ୱର ଧବଳ ବର୍ଣ୍ଣ ଚିହ୍ନ

ଅବୟ ଅବ୍ୟକ୍ତ ଯାର ବଚନ ଅପୂର୍ଣ୍ଣ।୪୪

 

ୟେକ ଆସନେ ଯାହାର କୋଟିୟେ କଳ୍ପ ବହି

ମଉଳି ଆଭରଣ ସ୍ୱାମୀ ମହାଦର୍ପ ଅହି।୪୫

ଅଚେବନ ପୁରୁଷ ପାଇଲୁ ଯୋଗ ଚିନ୍ତା

ନାଶକର ଦର୍ପ ତୁହି ସେ ଭାଞ୍ଜନ୍ତା।୪୬

 

ଅସମ୍ଭବ ପୁରୁଷ ତୁ ଗତି ମୁକତି ଦିଅନ୍ତା

କାଳାନ୍ତକ ପୁରୁଷ ଯୋଗେଣ ଯୋଗ ଚିନ୍ତା।୪୭

ଶ୍ୱେତ ଶଙ୍ଖ ପଣ୍ଡୁର ଲୋହିତ ପୀତ ବାସଇ

କୁଙ୍କୁମ ନୀଳ କଳେବର ଶିରରେ ସପତ ଫଣୀ ବସଇ।୪୮

 

ଯୋଗ ଭୋଗ ସୋଗ ଯାହାର ଅଭୟେ

ପବନ ଉଜାଇଲୁ ନାଥ ତୁ ଅଜପା ଯୋଗ ଲୟେ।୪୯

ନିଶ୍ଚଳ ଆସନ ସ୍ୱାମୀ ଯାହାର ଭୁବନ ସଉନିଧି

ସର୍ବ ସୋଦର ବନ୍ଧୁ ଦ୍ରଶନେ କାର୍ଯ୍ୟସିଦ୍ଧି।୫୦

 

ପ୍ରସନ୍ନେ ପ୍ରାପତ ହୋଅଇ ବଇକୁଣ୍ଠ ଭୁବନ

ଜଗ ବନ୍ଦନ ସ୍ୱାମୀ ସୁଢଳ ନୟନ।୫୧

ମହାଯୋଗ ଲୟେ ଦେବ ଉତ୍ତରାଙ୍କୁର ତୀର୍ଥେ

ଝରଇ ସୁଧା ରସ ଦେବ ସନ୍ତାପ କରନ୍ତେ।୫୨

 

ଶ୍ରୀଭୁଜେ ଶୋଭାବନ ଯାହାର ସମର୍ଥେକ ସଉନନ୍ଦ

ଦ୍ରଶନେ ଦହନ ସ୍ୱାମୀ ହୋଇ ସର୍ବ ବନ୍ଧ।୫୩

ଅମ୍ୱା କଦମ୍ୱା ପ୍ରଳମ୍ୱା ଅସୁର ଧଂସି

ରେବତୀ ରମଣ ନାଥ ଅଭୟ ଯୋଗ ଅଭ୍ୟାସି।୫୪

 

 

ସୁର ସିଦ୍ଧ ମୁନି ଯାହାର ଚରଣ ବନ୍ଦେ

ଅଭୟ ବର ଦେଉ ନାଥ ପରମ ସାନନ୍ଦେ।୫୫

କାଳାନଳ ବଞ୍ଚାଇଲୁ ଅନାଦି ପରମ ଯୋଗୀ

କଳି କାଳ ଦର୍ପ ଧଂସି ଇଛାକଲୁ ଭୋଗୀ।୫୬

 

ଶତେ ବେଳ ବିନୟ ମୁଂ କାମପାଳ ଚରଣେ

ଭଗତି ମୁକତି ନାଥ ଇଚ୍ଛା କଲି ଦେବ ମୁଂ ତୋହୋର ଶରଣେ।୫୭

ରେବତୀ ରମଣ ସ୍ୱାମୀ ହଳାୟୁଧ ପାଣି

ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ତୁହି ସେ ଶିରୋମଣି।୫୮

 

ଅନୀତି ସଂସାରେ ନାଥ ଲୋଭ ମୋହ କ୍ରୋଧ ହିଂସା

ୟେଥୁଂ ତରିବାକୁ ମୁହିଂ ବଢାଇଲି ମନୀଷା।୫୯

କେଶୀ ବିଦାରଣ ନାଥ ଚରଣେ ନମାମି

ୟେ ଭବସାଗରୁ ଉଦ୍ଧର ଦେବସ୍ୱାମୀ।୬୦

 

ଶ୍ରୀନୀଳାମ୍ୱରନାଥଙ୍କୁ ଶତ ସହସ୍ର ଦଣ୍ଡବତ ପାଦ ତଳେ

ଶୂଦ୍ରମୁନି ସାରୋଳ ଦାସ ମାଗଇ ସର୍ବକାଳେ।୬୧।

 

କୁନ୍ତୀସହ ପାଣ୍ଡବଙ୍କର ଇନ୍ଦ୍ରପ୍ରଶସ୍ତେ ଅବସ୍ଥିତି

 

ଆହୋ କୁରୁବଇ ନୃପତି ଧୃତରାଷ୍ଟ

ଅନେକ ତୁସ୍ତି କଲା ବଳରାମଙ୍କୁ ହୋଇ ତୁଷ୍ଟ।୧।

ଧ୍ୟାନେ ଚିନ୍ତିଲା ଯହୁଂ ଅମ୍ୱିକାର ବାଳ

ଆସନ କମ୍ପିଲା ଦେବ ସ୍ୱାମୀ କାମପାଳ।୨।

 

ହସ୍ତିନା ନଗ୍ରେ ଦେବ କଲେକ ବିଜୟେ

ଧୃତରାଷ୍ଟ ଅଗ୍ରତେ କହିଲେ ସଞ୍ଜୟେ।୩।

ଆସନ ତେଜି ଉଠିଲା କୁରୁରାଜ ସ୍ୱାମୀ

ଶ୍ରୀବଳରାମଙ୍କ ଚରଣେ ଦଣ୍ଡ ପରିଣାମି।୪।

 

କ୍ରୋଧଭର ହୋଇଣ କହଇ ଧୃତରାଷ୍ଟ

ଭୋ ଦେବ କାମପାଳ ଦେଖ ମୋହୋର ପୁତ୍ରଙ୍କର କଷ୍ଟ।୫।

ଯହିଂର ନିମନ୍ତେ ମୁଂ କଲି ହୃଦେ ଭ୍ରାନ୍ତି

ଖେଡ଼ର ବିନୋଦେ ଭୀମା ମାଇଲା ସବୁନ୍ତି।୬।

 

ବଳରାମେ ବୋଇଲେ ତୁ ଭ୍ରାନ୍ତି ନ କର କିଛି

ଖେଡ଼ର ପରିହା ସେ ହୋ ୟେସନେକ କୃତ ଅଛି।୭।

ମୋହୋର ବିଦ୍ୟାୟେଣ ଯେ ଅଟନ୍ତି ଶକତା

ଗଦା ଯୁଦ୍ଧେଣ ୟେ ହୋଇବେ ଜଗଜ୍ଜିତା।୮।

 

ଧୃତରାଷ୍ଟଙ୍କର ଶତେ ପୁତ୍ର ମସ୍ତକେ ବଳଦେବ ଦିଲେ ହସ୍ତ

ଆଜହୁଂ ୟେମାନେ ଅଟନ୍ତି ଆମ୍ଭ ପୁତ୍ର।୯।

ତୁ କିଛି ଭ୍ରାନ୍ତି ହୋ ନ କର ୟେହାଙ୍କୁ

ୟେହାଙ୍କର ସମସ୍ତ କଥା ଲାଗଇ ଯେ ମୁକୁ।୧୦।

 

ବଳରାମଙ୍କ ବଚନେ ତୁଷ୍ଟ ଧୃତରାଷ୍ଟ

ଛାଡ଼ିଲାକ ମନ ଭ୍ରାନ୍ତି ଶରୀର କଲା ତୁଷ୍ଟ।୧୧।

ତହୁଂ ବିଜୟେ କାମପାଳ ଦ୍ୱାରକା ଭୁବନେ

ସନିଧ୍ୟେ ପୁଛା କଲେ ଦେବ ଜନାର୍ଦ୍ଦନେ।୧୨।

 

କହନ୍ତି କାମପାଳ ଧୃତରାଷ୍ଟଙ୍କ ସର୍ବକଥା

ଭାବେଣ କହିଲେ ଦେବ ଖେଡ଼ର ବାରତା।୧୩।

ବଳରାମେ ନ ଜାଣନ୍ତି ଅର୍ଜୁନ ତୁଲେ ବାସୁଦେବର ପୀରତି

ଦ୍ରିଯୋଧନକୁ ଆବୋରି କହିଲେ ହଳପତି।୧୪।

 

ଧୃତରାଷ୍ଟ ପୁଅଙ୍କର ମଥାରେ ହାଥ ଦେଲି

ସମସ୍ତ ବିଦ୍ୟା ଶିଖାଇ ତାହାନ୍ତ ଆବୋରିଲି।୧୫।

ପଣ୍ଡୁର ପୁଅଙ୍କୁ ସେ କଲା ବଡ଼ ଭ୍ରାନ୍ତି

ୟେକା ଦ୍ରିଯୋଧନ ତାହାର ଜିଣିବ ସବୁନ୍ତି।୧୬।

 

ୟେ ପାଞ୍ଚପୁତ୍ରନ୍ତ ମାରି ପଞ୍ଚୁକଟକେ ହୋଇବ ରାଜା

ୟେମନ୍ତ କରି ସଞ୍ଚିଲି ମୁଂ ଗାନ୍ଧାରୀ ତନୁଜା।୧୭।

ବଳରାମଙ୍କ ମୁଖୁଂ ୟେସନେକ ବାକ୍ୟ ଶୁଣି

ହୃଦଗତେ ବିଚାରନ୍ତି ଦେବ ଚକ୍ରପାଣି।୧୮।

 

ଗରୁଡ଼ ପିଠିରେ ବିଜେ କଲେ ଦେବ ହରି

ବିଜୟେ ନାରାୟଣ ଇନ୍ଦ୍ରପ୍ରଶସ୍ତ ନଗରୀ।୧୯।

ଇନ୍ଦ୍ରପ୍ରଶସ୍ତ ନାମେଣ ୟେକଇ ପର୍ବତ ଗୋଟିୟେ

ରାତ୍ରିକାଳେ ନାରାୟଣ ତହିଂକି କଲେକ ବିଜୟେ।୨୦।

 

ଅର୍ଜୁନଙ୍କୁ ସୁମରଣା କରନ୍ତି ଦେବ ଧ୍ୟାନେ

ବାସବି ପ୍ରବେଶ ହୋଇଲା ବାସୁଦେବଙ୍କ ସନ୍ନିଧାନେ।୨୧।

ଦେଖିଲା ନାରାୟଣ ଗରୁଡ଼ ପିଠିରେ ବିଜେ

ଶତସହସ୍ର ଦଣ୍ଡ ପ୍ରଳମ୍ୱିତ ଇନ୍ଦ୍ରର ଆତ୍ମଜେ।୨୨।

 

ଅର୍ଜୁନକୁ କୋଳ କରିଣ ଦେବ ଯେ ମୁରାରି

ପଚାରନ୍ତି କୁଶଳ ବାରତା ଦେବ ଦଇତାରି।୨୩।

କେବଣ ଚରିତ ହୋଇଲା ଝିମାଣି ଖେଡ଼ ବାଗେ

କୁରୁବୀରେ ପଡ଼ିଲେ ପୁଣି ଭୀମସେନ ରାଗେ।୨୪।

 

ଅର୍ଜୁନ ବୋଇଲା ସ୍ୱାମୀ ପ୍ରଥମେ ଧୁଶାସନ ଗୋଡ଼ାଇଲା

ଅସାଷ୍ଟମ କରି ଦେବ ଯୁଝେଷ୍ଠିଙ୍କି ମାଇଲା।୨୫।

ସେ ରାଗ ସହିନ ପାରିଲେ ଯେ ମାରୁତି

ୟେକା ନିଶ୍ୱାସକେ ସେ ମାଇଲେ ସବୁନ୍ତି।୨୬।

 

ଅଭିମାନେ ଧୃତରାଷ୍ଟ ବଳରାମଙ୍କୁ ସୁମରି

ହସ୍ତିନାୟେ ପ୍ରବେଶ ଆସି ହୋଇଲେ ହଳଧାରୀ।୨୭।

ଅନେକ ପ୍ରତଗ୍ୟାଂ ଯେ କଲେକ ନୀଳାମ୍ୱର

ମସ୍ତକେ ହସ୍ତ ଦେଇ ବୋଇଲେ ୟେ ପୁତ୍ରେ ଆଜିହୁଂ ଆମ୍ଭର।୨୮।

 

ଶ୍ରୀହରି ବୋଇଲେ ବଳରାମଙ୍କୁ ମୂଳ କରି ଧୃତରାଷ୍ଟ ଭିଆଇଛି ମନ୍ଦ

ଅବଶ୍ୟ ତୁମ୍ଭର ତୁଲେ ହୋଇବଟି ବଡ଼ ଦ୍ୱନ୍ଦ।୨୯।

ଆଜହୁଂ ବିଶ୍ୱାସ ତୁମ୍ଭେ ନ ଯିବଟି ଧୃତରାଷ୍ଟଙ୍କୁ

କର୍ଣ୍ଣ ଅଶସ୍ତମା ଶଲ୍ୟ ଦ୍ରିଯୋଧନକୁ।୩୦।

 

ଅର୍ଜୁନ ବୋଇଲେ ସ୍ୱାମୀ ତୋହୋର ଆମ୍ଭଙ୍କୁ ଯେବେ ୟେଡ଼େ ଚିନ୍ତା

ଲକ୍ଷେ ବଳରାମ ହୋଇଲେ ଆମ୍ଭଙ୍କୁ ନାହିଂନା ଜିଣନ୍ତା।୩୧।

ଅର୍ଜୁନର ପ୍ରତଗ୍ୟାଂ ଦେଖିଣ ସାନନ୍ଦ ମଧୁରିପୁ

ପ୍ରତଗ୍ୟାଂ ସାର୍ଥୁକ ତୁମ୍ଭର ବୁଝିଲୁଂ ବଳ ବପୁ।୩୨।

 

ଆହୋ ଭୋଜନେ ଶୟେନେ ତୁମ୍ଭେ ନ ଯିବଟି ବିଶ୍ୱାସ

ଶତ୍ରୁର ଛିଦ୍ର ବୁଦ୍ଧିରେ ହୋଅଇ ଅନେକ କାର୍ଯ୍ୟ ନାଶ।୩୩।

ଯୁଝେଷ୍ଠି ଭୀମ ନକୁଳ ସହଦେବଙ୍କୁ ତିଆରି

ବୁଦ୍ଧି ଉପାୟେ କରି ୟେହାଙ୍କ ସଙ୍ଗ ଯାଅ ଅପସରି।୩୪।

 

କହିଣ ନାରାୟଣ ଗଲେକ ଅନ୍ତରୀକ୍ଷେ

ଯୁଝେଷ୍ଠିଙ୍କି ଅର୍ଜୁନ ଯେ କହିଲେ ପ୍ରତକ୍ଷେ।୩୫।

ଯୁଝେଷ୍ଠି ବୋଇଲେ ସେ ଜଗତମୋହନ

ସମସ୍ତ ବିଚାର ସେ ଜାଣନ୍ତି ପାପପୁଣ୍ୟ।୩୬।

 

ଆମ୍ଭେତ ହୋଇଥାଉଂ ଧୃତରାଷ୍ଟଙ୍କୁ ଭଗତେ

ସେ ଆମ୍ଭନ୍ତ ଆନ ଭାବ ଧରିବେ କେମନ୍ତେ।୩୭।

ହୃଦରେ କଳଙ୍କ ଥାଇଟି ଯେବଣ ପ୍ରାଣୀ

ତାହାର ପାପଟି ତାହାକୁ ହୋଅଇ ହାନି।୩୮।

 

ଧର୍ମକୁ ଆଶ୍ରେ କରି ବାବୁ ଥାଅ ହୃଦଗତେ

ଧର୍ମ ଥିଲେ ପାପଟି ନଲାଗଇ ଯୁଗତେ।୩୯।

ଅଜାତ ଶତ୍ରୁ ହୋ ଯାହାର କୋପ ନାହିଂ

ଅର୍ଜୁନକୁ ଶାନ୍ତି କରାଇଲେ ପରମାର୍ଥ କଥା କହି।୪୦।

 

ପୁଅନ୍ତ ବସାଇଣ ଯେ ଭାଳଇ ଧୃତରାଷ୍ଟ

ଭୀମକୁ ଭ୍ରାନ୍ତି ମୋର ହୃଦରେ ଗରୁକଷ୍ଟ।୪୧।

ସଞ୍ଜୟ ବୋଇଲେ ଯେବେ ଅନ୍ତର ଧଇଲୁ ଚିତ୍ତେ

ପଣ୍ଡୁର ପୁତ୍ରନ୍ତ ତୁ ଆଉ ସମ୍ଭାଳିବୁ କେମନ୍ତେ।୪୨।

 

ହୃଦରେ ବିକୃତ ହୋଇଲା ଯେବଣ ପ୍ରାଣୀଙ୍କି

ତାହାନ୍ତ ଘେନିଣ ଆଉ ତୁ ବିଶ୍ୱାସ କରିଥାଉ ନିକି।୪୩।

ସଞ୍ଜୟ ବଚନେ ସେ ରାଜା କୁରୁପତି

ବିଦୁରକୁ ୟେକାନ୍ତେ ରାଇଲା ନିଶାରାତି।୪୪।

 

ବାବୁ ପରମ ପଣ୍ଡିତ ତୁ ଅଟୁ ମହାଗ୍ୟାଂତା

କେମନ୍ତେ ବିଚାର କରୁ ଭୀମସେନର କଥା।୪୫।

ବିଦୁର ବୋଇଲେ ସ୍ୱାମୀ ଅଗ୍ୟାନ ବାଳକାଳେ

ପ୍ରୀତି ଅପ୍ରୀତି ହୋଉଥାନ୍ତି ସେ ଖେଡ଼ର କୁତୂହୋଳେ।୪୬।

 

ତହିଂକି କିମ୍ପାଇ ସ୍ୱାମୀ କରୁ ମନେ ତାପ

ତୋ ତହୁଂ ବିତ୍ର କେ ଆନେ କେ ଅଛି ତାହାଙ୍କର ବାପ।୪୭।

ଧୃତରାଷ୍ଟ ବୋଇଲେ ଭୀମାର ଜୀଇଂଥିଲେ

ମୋହୋର ପୁଅଙ୍କୁ ଭଲ ନାହିଂ ମୋର ପ୍ରୀତି ବଢାଇଲେ।୪୮।

 

ବିଦୁର ବୋଇଲେ ଯେବେ ଚିତ୍ତରେ ଧଇଲୁ ଅନ୍ତର

ସଙ୍ଗରୁ ଛଡାଇ ସେ ପାଞ୍ଚଙ୍କୁ ଦୂରକର।୪୯।

ବିଦୁର ବଚନେ ସେ ବୋଲନ୍ତି ଧୃତରାଷ୍ଟଇ

ୟେହା ଯେ କହିଲୁ ବାବୁ ସରୂପ ଅଟଇ।୫୦।

 

ହସ୍ତିନା ରାଜ୍ୟ ଅନ୍ତରେ ଇନ୍ଦ୍ରପ୍ରଶସ୍ତ ପୁରେ

ତହିଂ ଭୁବନେକ ଭିଆଇଲେ କୁରୁବୀରେ।୫୧।

ଆଖଡ଼ାରେ ଭୀମସେନ ପଶଇ ନିତିପ୍ରତି

ଗଦା ବୁଲାଇ କରଇ ବିକ୍ରମ ମୂରତି।୫୨।

 

କରବୀର ବୋଲି ୟେକଇ ପରବତେ

ଯୋଜନେକ ଆୟତନ ଉତ୍ସର୍ଗ ନଳ ଶତେ।୫୩।

ଗଦା ବୁଲାଇଣ ସେ ସଂହରି ନୁଆରିଲା

ପର୍ବତ ଉପରେ ନେଇ ବୁଲାଇ ପ୍ରହାରିଲା।୫୪।

 

ଲୋହାର ବେନି ଗଦା ବାଉନ ବାଉନ ଭାର

ଭୀମସେନ ଗଦା ଘାତେ ସେ ପର୍ବତ ହୋଇଲା ଚୂର।୫୫।

ଦେଖିଣ ତ୍ରାସିଲେ ଯେ କୁରୁ ବୀରମାନେ

ଭୀଷ୍ମେ କହିଲେ ଯାଇ ଧୃତରାଷ୍ଟଙ୍କ ସନ୍ନିଧାନେ।୫୬।

 

ଆହୋ କୁରୁବଇ ତୁ ସାବଧାନେ ଶୁଣ

ଭୀମର ମହିମା ଆମ୍ଭେ ଦେଖିଲୁ ୟେହି କ୍ଷଣ।୫୭।

କରବୀର ପର୍ବତକୁ ଜାଣନା କି ଭଲେ

ସେ ପର୍ବତ ଚୂର ହୋଇଲା ଭୀମସେନ ଗଦା ପ୍ରହାରେ।୫୮।

 

ବାଳୁତ ବୟସେ ତାର ୟେଡ଼େକ ମହିମା

ଜଗତ ଦର୍ପ ମର୍ଦ୍ଦିବ ସେ ପବନ ନନ୍ଦନ ଭୀମା।୫୯।

ପୁଅନ୍ତ ତିଆରିଣ ତୋହୋର ଥାଅସି ପ୍ରତିପାଳି

ଭୀମତୁଲେ କେହି ନୋହିବେ ବାରୁଆଳି।୬୦।

 

ଯାହାକୁ କରିବ ସେ ପ୍ରହାର ପରିହାସେ

କେହି ନବର୍ତ୍ତିବଟି ଭୀମାର କୋପ ତ୍ରାସେ।୬୧।

ଭୀଷ୍ମଙ୍କର ବଚନେ ଧୃତରାଷ୍ଟଙ୍କୁ ଲାଗିଲା ମହାଚିନ୍ତା

କେବଣ କ୍ଷଣେ ତାକୁ ଜାତ କଲା ଦେବୀ ଯେ କୋଇନ୍ତା।୬୨।

 

ୟେମନ୍ତ ସମୟେ ଯେ ପଣ୍ଡୁର ତନୟେ

ଧୃତରାଷ୍ଟ ଚରଣେ ଯେ ପ୍ରଣପତ୍ୟ ହୋୟେ।୬୩।

ସଞ୍ଜୟେ ବୋଇଲେ ସ୍ୱାମୀ ଶୁଣିମା କୁରୁପତି

ଯୁଝେଷ୍ଠି ଭୀମ ଅର୍ଜୁନ ଆସି ପ୍ରଣପତ୍ୟ ହୁଅନ୍ତି।୬୪।

 

କଲ୍ୟାଣ ବାଞ୍ଛାକଲେ ସେ କୁରୁବୀର ନରସାଇଂ

ଆଗ୍ୟାଂ ଦିଲେ ପୁଅନ୍ତ କତିରେ ବସାଇ।୬୫।

ବାବୁ ଇନ୍ଦ୍ରପ୍ରଶସ୍ତେ ତୁମ୍ଭେ ରହିଥାଅ ପାଞ୍ଚଭାଇ

ଭୀମର ବଚନ ଦ୍ରିଯୋଧନ କ୍ଷଣେହେଂ ନ ସହଇ।୬୬।

 

ଅନୁବ୍ରତେ ବରବେଶ ହୋଉଥାଇ ମାନଗୋବିନ୍ଦାୟି ପଣେ

ଉତକର୍ମ ବଢାଇ ସେ ହୋଇଲା ଆପଣେ ଆପଣେ।୬୭।

କିଞ୍ଚିତ ମାନ ସେ ନ ସହଇ ମାନଗୋବିନ୍ଦ

ବିନା ତପେ ଅରଜିଲା ୟେସନେକ ସମ୍ପଦ।୬୮।

 

ତୋର ଭାଇ ଭୀମା ଅଟଇ ବଡ଼ମନ୍ଦ

ୟେକାଠାରେ ଥିଲେ ବାବୁ ଉପୁଜିବ ବଡ଼ ଦ୍ୱନ୍ଦ।୬୯।

ଯୁଝେଷ୍ଠି ବୋଇଲେ ତାତ ୟେ କଥା ଯୁଗତ

ତୋହୋର ଆଗ୍ୟାଂ ପ୍ରମାଣେ ଆମ୍ଭେ ରହିବୁଂ ଇନ୍ଦ୍ରଯେ ପ୍ରଶସ୍ତ।୭୦।

 

ୟେମନ୍ତ ସମୟେ ଭୀମସେନ ଆଖଡ଼ାରେ ପଶି

ବେନି ଗଦା ବୁଲାଇଲା ପୃଥୀକି ଆକ୍ରେଷି।୭୧।

ଦେଖିଣ ଭୟେ କଲା ଦେବୀ ଯେ ବସୁଧା

ବିନୟ ଭାବେ କହଇ ଭୀମାକୁ ବଚନ ପ୍ରସିଦ୍ଧା।୭୨।

 

ୟେଡ଼େ ଆକ୍ରଷଣେ ଗଦା ପିଟନ୍ତେ ମୋହୋର ଉପରେ

ରାସାଂଗତ ହୋଇବି ନା ଗଦା ପିଟନ୍ତେ ମହା ଭାରେ।୭୩।

ଗଦା ସଂଘରିଲା ସେ ବୀର ପୃଥୀର ବିକଳେ

ପୁଣହିଂ ଗଦା ବୁଲାଇଣ ଧାମଇ କୁତୂହୋଳେ।୭୪।

 

ବନ ପର୍ବତ ଡିଙ୍ଗର କନ୍ଦର କମ୍ପିଲେ ତାହାର ମୂର୍ତ୍ତି ଦେଖି

ଶୂନ୍ୟପୁରୁଷେ ପଳାଇଲେ ଆସନ ଉପେକ୍ଷି।୭୫।

ଗଦାବର ବୁଲାଇ ସେ ବିକ୍ରମରୂ ପକଲା

ଆକ୍ରଷଣ କରି ସେ ଆକାଶକୁ ଚାହିଂଲା।୭୬।

 

ଅଧର ପୁଷ୍ଟ କରି ଓଷ୍ଠରେ ଦନ୍ତ ଚାପି

ଯମ ଦେବତା ଭୟେ କଲା ତ୍ରାସିଲା ଅଦ୍ୟାପି।୭୭।

ବୋଲଇ ମାରୁତି ୟେ ଗଦାବର ମହାଭାରା

ପୃଥିବୀ ପର୍ବତେ ସହି ନୁଆରିଲେ ଦେବ ଯେ ଅସୁରା।୭୮।

 

ଧୃତରାଷ୍ଟର ଶୟେ ପୋୟେ ସହିପାରିବେକି ମୋହୋର ଗଦା

ତାହାଙ୍କର ଉପରକୁ ମୁଂହି ଯେ ବହିଛି ଗଦା ସର୍ବଦା।୭୯।

ଭୀମସେନ ଗଦା ମୁଷ୍ଟି ଦେଖିଣ କୁରୁବୀରେ

ଡିଆଂ ଘୁଞ୍ଚାଇଂ ଲଟି ପାତିଲେ ଆଖଡ଼ାରେ।୮୦।

 

ପ୍ରଥମେ ଦ୍ରିଯୋଧନ ଡିଆଇଂ ପଞ୍ଚାଶ ଗଜ ହାଥ

ଯୁଝେଷ୍ଠି ଡିଆନ୍ତି କୋଡ଼ିୟେ ପ୍ରସ୍ତ।୮୧।

ଧୁଶାସନ ଡେଇଂଲା ପଞ୍ଚଷଠୀ ଗଜ

ବତିଶ ଗଜ ଡେଇଂଲେ ଅଶ୍ୱିନୀଙ୍କ ଆତ୍ମଜ।୮୨।

 

କର୍ଣ୍ଣ ଡେଇଂଲା ନଉ ଗଜ ହାଥ

ଅଶସ୍ତମା ଡେଇଂଲା ପଞ୍ଚାଅଶୀ ଗଜ ହାଥ।୮୩।

ଶଲ୍ୟେ ଡେଇଂଲେ ପଞ୍ଚାବନ ହାଥ କାଠି

ସହଦେବ ଡେଇଂଲେ ପଞ୍ଚତିରିଶ ଗଜଟି।୮୪।

 

ଦ୍ରିଯୋଧନ ଶତେଭାଇ ୟେହି ମତି ଡେଇଂଲେ

ପଞ୍ଚାବନ ଗଜ ଯେ ଦ୍ରୋଣେ ଡେଇଂ ଗଲେ।୮୫।

ଅର୍ଜୁନେ ଡେଇଂଲେ ଶୟେ ଗଜ କାଠି

ଦେଖି ଚମତ୍କାର ଯେ ହୋଇଲେ ଧୃତରାଷ୍ଟି।୮୬।

 

ବୋଇଲା ଗୁରୁଙ୍କଠାରୁ ବଡ଼ ହୋଇଲା ଅର୍ଜୁନ

ଜାଣିଲେ ହୃଦେ ବହୁତ ବଳ ବପୁମାନ।୮୭।

ୟେମନ୍ତେ ଭୀମସେନ ଡେଇଂଣ ଯେ ଗଲା

ଶୟେ ପଞ୍ଚସ୍ତରୀ ଗଜରେ ଉଭା ସେ ହୋଇଲା।୮୮।

 

ୟେମନ୍ତେ ବାରତା କହିଲେ ଦେବ ଶଲ୍ୟେ

କରୁନାଥ ବୋଲଇ ଭୀମା ଅଟଇ ମହାବଳେ।୮୯।

ଆହୋ ଗଦା ବୁଲାଇ ଭୀମା ମହାମୂର୍ତ୍ତି କଲା

ଗାନ୍ଧାରୀ ଶତେପୁତ୍ରଙ୍କୁ ଗଦା ଆକ୍ରେଷ ବୋଇଲା।୯୦।

 

ତ୍ରଇଲୋକ୍ୟେ ୟେ ଗଦା ତ ଆନ ଲୋକେ ନ ପାରିବେ ସହି

ତାହାଙ୍କର ଉପରକୁ ଗଦା ଭାର ଅଛି ବହି।୯୧।

ଧୃତରାଷ୍ଟ ବୋଇଲେ ବାବୁ ଶୁଣିଲୁଟିକି ଯୁଝେଷ୍ଠି

ଅନୁବ୍ରତେ ଭୀମାର ପ୍ରକୃତି ଅଟଇ ବଡଦୁଷ୍ଟି।୯୨।

 

ସେହୁ ପ୍ରତଗ୍ୟାଂ ବେଳକୁ ପୋୟେ ମୋର ଯେବେ ଥାନ୍ତେ

ଶତେ ଭାଇ ହୋଇଣ ଭୀମାକୁ ବେଢିଣ ଅବଶ୍ୟ ମାରନ୍ତେ।୯୩।

କୋଇନ୍ତାୟେ ବୋଇଲେ ମୋତେ ଭୀଷ୍ମେ ନାଶ କଲେ

ଶତ ଶିଂଗପର୍ବତୁଂ ମୋତେ ଅନମିତେ ଆଣିଲେ।୯୪।

 

ପୁଅନ୍ତ ଘେନିଣ ତହିଂ ଅଇଲେ ଅଭିମାନେ

ରହିଲେ କୋଇନ୍ତାୟେ ଇନ୍ଦ୍ରପ୍ରଶସ୍ତ ସ୍ଥାନେ।୯୫।

ପୁଅନ୍ତ ଘେନିଣ ଦେବୀ କୋନ୍ତଭୋଜର କୁମାରୀ

ଭୀମକଇଂ ରାଇ ସନ୍ନିଧ୍ୟେ ତିଆରି।୯୬।

 

ୟେଡ଼େ ଦୁଷ୍ଟ ବୁଦ୍ଧି କି ଆଚରଣ କଲୁ ବାବୁ

ତୋହୋରେଣ କାର୍ଯ୍ୟ ନାଶ ଯାଉଅଛିଟି ସବୁ।୯୭।

ଅନେକ ଦୟା ଆମ୍ଭଙ୍କୁ କରିଥିଲେ କୁରୁପତି

ୟେକା ତୋହୋର ପ୍ରମାଦେ ବାବୁ ଉପୁଜିଲା ବିକୃତି।୯୮।

 

ଭୀମସେନ ଶୁଣଇ କୋଇନ୍ତାଙ୍କ ବାଣୀ

ହୃଦରେ ନ ଧରଇ ତାହା ବଧୀର ମତ ଜାଣି।୯୯।

ରଜନୀ ପ୍ରଭାତେ ସ୍ନାହାନ ସାରିଣ ନିତ୍ୟକର୍ମ

ଧୃତରାଷ୍ଟଙ୍କୁ ଦର୍ଶନ କରିଯାନ୍ତି ଦେବଧର୍ମ।୧୦୦।

 

ମାତା ଗାନ୍ଧାରୀକି କରନ୍ତି ନମସ୍କାର

ଧୃତରାଷ୍ଟ ବୋଇଲେ ବାବୁ ବସ ଯା ସଭାର।୧୦୧।

ସଭାରେ ପ୍ରବେଶ ହ୍ୱନ୍ତି ପାଞ୍ଚଭାଇ

ଆସ୍ତାନେ ଦ୍ରିଯୋଧନ ବିଜୟେ ଗୁଣଗ୍ରାହୀ।୧୦୨।

 

ଶତେକ ଭ୍ରାଥ ଘେନିଣ ବିଜୟେ କରୁବୀର

ଭୀଷ୍ମ ଭୂରିସର୍ବା ଶଲ୍ୟ କୃପ କର୍ଣ୍ଣ ବିଦୁର।୧୦୩।

ଅଶସ୍ତମା ଆଦିକରି ସମସ୍ତେ ହେଂ ଛନ୍ତିବସି

ଯୁଝେଷ୍ଠି ପାଞ୍ଚଭାଇ ସଭାରେ ଉଭା ହୋଇଛନ୍ତି ଆସି।୧୦୪।

 

ଭୀଷ୍ମ ଭୂରିସର୍ବା ଶଲ୍ୟଙ୍କୁ କଲେ ନମସ୍କାର

କାଖେ ହାଥ ଲାଇ ଉଭା ହୋଇଲେ ମଧ୍ୟ ସଭାର।୧୦୫

ଦ୍ରିଯୋଧନ ବୋଇଲା ଯୁଝେଷ୍ଠିଙ୍କି ଧର୍ମପୁତ୍ର ବସ

ଭୀମସେନକୁବୋଇଲା ବସରେ ପବନର ଶିଷ।୧୦୬।

 

ଅର୍ଜୁନକୁ ବୋଇଲା ବସରେ ବାସବି

ନକୁଳକୁ ବୋଇଲା ବସ ରେ ଅଶ୍ୱିନୀ ସମ୍ଭବି।୧୦୭।

ସହଦେବକୁ ବୋଇଲା କୁମାର ପୁତ୍ର ବସ

ହୃଦେ କିନ୍ତୁ କରି ବୋଇଲା ଝିଂଘାସ।୧୦୮।

 

ଆଗ୍ୟାଂ ପ୍ରମାଣେ ବସନ୍ତି ପଞ୍ଚୁବୀରେ

ଆସ୍ତାନ ମଉଲିଲା ପହଡ଼କ ଉତ୍ତାରେ।୧୦୯।

ଚଳନ୍ତି ପଞ୍ଚୁ ଭାଇ ଇନ୍ଦ୍ରପ୍ରଶସ୍ତ ଭୁବନକୁ

ଭୀମସେନ ଯାଇ ପଚାରଇ କୋଇନ୍ତାଙ୍କୁ।୧୧୦।

 

ମା ଗୋ ଦ୍ରିଯୋଧନ ସଭାୟେ କହଇ ଅନୀତି

ପାଞ୍ଚଙ୍କର ପିତା କହଇ ଆନ ଆନ ପ୍ରତି।୧୧୧।

କୋଇନ୍ତା ପ୍ରତିବାଚ ବାବୁ ନ ଜାଣୁ ରେ ଭୀମ

ପିତାର ନାମ ଉଦିତ ହୋଇଲେ ପୁତ୍ରକୁ ଅନେକ ଧର୍ମ।୧୧୨।

 

ଗ୍ୟାନ ପ୍ରାୟେ କହିଲେ କୋନ୍ତଭୋଜର ନନ୍ଦିନୀ

ମାତାଙ୍କର ବଚନେ ଭୀମସେନ ହୋଇଲେକ ତୂନି।୧୧୩।

ପୁଣି ହିଂ ହସ୍ତିନାକୁ କରନ୍ତି ଗବନ

ଧୃତରାଷ୍ଟ ଗାନ୍ଧାରୀଙ୍କି କରନ୍ତି ଦରଶନ।୧୧୪।

 

ଶୁଭକଲ୍ୟାଣ ବାଞ୍ଛନ୍ତି ଧୃତରାଷ୍ଟ ପୁତ୍ରେ ଅବଧାରି

ସଭାୟେ ବସ ବୋଲି ବୋଲନ୍ତି ଦୟାଭାବ କରି।୧୧୫।

ପିତାର ଆଗ୍ୟାଂ ଯେ ପୁତ୍ରେ ଅଟଇ ଅଲଘିଂତ

ସଭାରେ ପ୍ରବେଶ ଯାଇ ହୋଇଲେ ପଞ୍ଚୁଭ୍ରାଥ।୧୧୬।

 

ଭୀଷ୍ମ ଭୂରିସର୍ବା ଶଲ୍ୟଙ୍କୁ ନମସ୍କାର ହୋଇ

ଆସ୍ତାନେ ଉଭା ହୋଇଲେ ଦେବ କରସ୍ଥଳେ ବିନୋୟି।୧୧୭।

ଆହୋ ଧର୍ମସୁତ ବସ ବୋଲି ବୋଇଲା ଦ୍ରିଯୋଧନ

ପବନର ନନ୍ଦନ ବସ ହୋ ଭୀମସେନ।୧୧୮।

 

ଅର୍ଜୁନକୁ ବୋଇଲା ରେ ବାସବର ପୁତ୍ର ବସ

ନକୁଳ ସହଦେବକୁ ବୋଇଲା ବସ ହୋ ଅଶ୍ୱିନୀକୁମାରଙ୍କ ଶିଷ।୧୧୯।

ଦ୍ରିଯୋଧନ ଆଗ୍ୟାଂରେ ବସନ୍ତି ପଞ୍ଚୁବୀରେ

ଅଭିମାନ ପା ଇସେ ବସନ୍ତି ସଭାରେ।୧୨୦।

 

ବେଳ ପ୍ରହରକ ଉତ୍ତାରେ ମଉଳିଲା ଆସ୍ତାନ

ଦ୍ରିଯୋଧନ ପ୍ରବେଶ ହୋଅଇ ଆପଣା ଭୁବନ।୧୨୧।

ଯୁଝେଷ୍ଠି ଚଳନ୍ତି ଇନ୍ଦ୍ରପ୍ରଶସ୍ତକୁ

ସ୍ରାହାନ ଭୋଜନ କରନ୍ତି, ନିତ୍ୟକର୍ମମାନଙ୍କୁ।୧୨୨।

 

ୟେହି ମତି ନିତି ପ୍ରତି ହୋଅନ୍ତି ଆତଯାତ

ପ୍ରତିଦିନ ଦ୍ରିଯୋଧନ ବୋଲଇ ୟେହି ମତ।୧୨୩।

ଯୁଝେଷ୍ଠି ଅଜାତଶତ୍ରୁ ତାହାଙ୍କର ନାହିଂ କୋପ

ମହାରାଗେ ଭୀମସେନ ପାଇଲା ପରିତାପ।୧୨୪।

 

କୋଇନ୍ତାଙ୍କର ଚରଣ ତଳେ ବ୍ରିକୋଦର ପଡ଼ି କହେ

କୂଟବଚନ ସହି ନୁଆରଇ ଗୋ ମାୟେ।୧୨୫।

କୋଇନ୍ତାୟେ ବୋଇଲେ ତୁ ଅଟୁ ବଡ଼ ମନ୍ଦ

ଅନୁବ୍ରତେ ଚିନ୍ତା କିମ୍ପା କରୁଥାଉ ଦ୍ୱନ୍ଦ।୧୨୬।

 

ପିତାର ପୁଣ୍ୟେ ସିନା ବ୍ରତଇ ନା ବାଳ

ପିତାର ବଚନେ ପୁତ୍ରକୁ ଆଷ୍ୟ ଚିରକାଳ।୧୨୭।

କୋଇନ୍ତାଙ୍କର ମୁଖ ଚାହିଂ ରାଗେଣ ବୋଲଇ ଭୀମ

ପାଞ୍ଚ ଭାଇଙ୍କର ଧରଇ ପାଞ୍ଚ ପିତାଙ୍କର ନାମ।୧୨୮।

 

କୋଇନ୍ତାୟେ ବୋଇଲେ ତୁ ନ ଜାଣୁ ରେ ମନ୍ଦବାଇ

ପଞ୍ଚୁ ଦେବତାଙ୍କର ୟେକ ଆତ୍ମା ଅଟନ୍ତି ସେହି।୧୨୯।

ଭୀମସେନ ବୋଇଲା ଆମ୍ଭନ୍ତ ଜନ୍ମ କଲୁ କେମନ୍ତେ

ପଣ୍ଡୁର ନାମ ନ ପଡ଼ଇ ସଭାର ଅଗ୍ରତେ।୧୩୦।

 

କୋଇନ୍ତାୟେ ବୋଇଲେ ପଣ୍ଡୁ ଅଟନ୍ତି ମନୁଷ୍ୟ

ଦେବ କଳାହିଂ ସେ ସବୁ ଶରୀରେ ପ୍ରବେଶ।୧୩୧।

ବାବୁ ଭଲ କଥା ସେ କହଇ ଦ୍ରିଯୋଧନ

ତହିଂ କି ବିକୃତି ବାବୁ ନ ଧରିବୁ ଭୀମସେନ।୧୩୨।

 

ସମାର୍ଜନ କରି କୋଇନ୍ତାୟେ କଲେ ଶାନ୍ତି

ହସ୍ତିନା ଭୁବନକୁ ପୁଣି ଯାଆନ୍ତି ନିତି ପ୍ରତି।୧୩୩।

ଧୃତରାଷ୍ଟ ଗାନ୍ଧାରୀଙ୍କି ପୁଣ ନମସ୍କାର କରି

ଆସ୍ତାନେ ବସ ବୋଲି ଆଗ୍ୟାଂ ଅବଧାରୀ।୧୩୪।

 

ପ୍ରବେଶ ଯୁଝେଷ୍ଠି ଯେ ହୋଇଲେ ଆସ୍ତାନେ

ପାଞ୍ଚକଇ ପଞ୍ଚୁ ପିତା ନାମ ଧରଇ ଦ୍ରିଯୋଧନେ।୧୩୫।

ଯୁଝେଷ୍ଠି ଅର୍ଜୁନ ଯେ ନକୁଳ ସହଦେବ

ୟେହାଙ୍କର ମନେ କାହିଂ ବିକୃତ ସଭାବ।୧୩୬।

ଭୀମସେନ ବିସରି ପାଇଲା ବଡ଼ ଲଜ୍ଜ୍ୟା

ବିଚାରଇ ୟେ କଥା ନ ସହିବା ଶରୀର କରିବାକୁ ତେଜ୍ୟା।୧୩୭।

ଭାଦ୍ରବ ଶୁକଳ ଷଷ୍ଠୀ ସଉରି ଯେ ବାର

ସ୍ୱାତୀ ନକ୍ଷତ୍ର ଯେ ଭୋଗ ସେ ଦିନର।୧୩୮।

 

ବିଷ୍ଟି ନାମେ କରଣ ଯେ ବିଷ୍କୁମ୍ଭ ନାମେ ଯୋଗ

ସିଂଘ ସଂକ୍ରାନ୍ତିର ଯେ ଦଶ ଦିନ ଭୋଗ।୧୩୯।

ସେଦିନ ହସ୍ତିନା ସଭାୟେ ହୋଇଲା ସେହୁ କଥା

ଉପହାସ୍ୟ କଲେ କୁରୁବୀରେ ୟେହା ସେ କଲା କୋଇନ୍ତା।୧୪୦।

 

ମାତାର ଅନାଚାରେ ପୁତ୍ରଙ୍କୁ କଳଙ୍କ ରହିଲା

ୟେତେ ବଡ଼ ସଭାରେ ଅନେକ ଉପହାସ୍ୟ ଉପୁଜିଲା।୧୪୧।

ବଂଶେଣ ପୁତ୍ର ଯେବେ ନୋହିବାକ ଜାତ

ଅନାଚାରୀ ନୋହୁ ନା ସେ ଗର୍ଭଧାରୀ ମାତ।୧୪୨।

 

ତହୁଂଣ ଯୁଝେଷ୍ଠି ଅଇଲେ ଲଜ୍ଜା ପାଇ

ଇନ୍ଦ୍ରପ୍ରଶସ୍ତ ଭୁବନେ ପ୍ରବେଶ ହୋଇଲେକ ଯାଇ।୧୪୩।

ଭୀମସେନ ଉତ୍ତର ସମସ୍ୟା କାହାକୁ ହିଂ ନ ଦିଲା

ନିଜ ମନ୍ଦିରେ କପାଟ ପାଡ଼ିଣ ଶୁତିଲା।୧୪୪।

 

ସ୍ନାହାନ ଭୋଜନ ସେ ନ କଲାକ କିଛି

କଟୁ ବଚନ ଶୁଣି ସେ ମୃତ୍ୟୁକୁ ଲୟେ କରିଅଛି।୧୪୫।

ମୁଣୋହିର ବେଳ ଯହୁଂ ହୋଇଲା ଯୁଗତେ

ଭୀମସେନକୁ ଯାଇ ଲୋଡ଼ନ୍ତି ଦେବୀ କୋନ୍ତେ।୧୪୬।

 

ବାବୁ ସୂର୍ଯ୍ୟଅସ୍ତ ବେଳ ହୋଇଲା ଉଠ ଉଠ ବ୍ରିକୋଦର

ସ୍ନାହାନ ସାରି ବାବୁ ମୁଣୋହିକି ବିଜେ କର।୧୪୭।

ଭୀମସେନ କବାଟ ପାଡି ଶୋଇଛି ବଜ୍ର ସେ କିଳଣୀ

କୋଇନ୍ତାଙ୍କର ବଚନ ସେ ଶ୍ରବଣେ ନ ଶୁଣି।୧୪୮।

 

ଆରେ ଆରେ ଭୀମା ବୋଲି ମାୟେ ଡାକ ଦେଇ ଫୁଟି

ଶବ୍ଦ ଘୋର ଶୁଣି ବିଜେ କଲେକ ଯୁଝେଷ୍ଠି।୧୪୯।

________________________________________

୧୪୬।୨-ଭୀମସେନକୁ ଯାଇଂ ତୋଳନ୍ତି ଦେବୀ କୋନ୍ତେ।

-------------------------------------------------------------

ଯୁଝେଷ୍ଠି ଡାକ ଦିଅନ୍ତି ବାବୁ ଉଠ କି ନା ଭୀମସେନ

କାହାକଇଂ ବାବୁ ମନେ ତୋହୋର ୟେଡ଼େକ ଯେ ତମ।୧୫୦।

ବାବୁ କିଂକେ ଶରୀରକୁ କରୁଅଛି ଏଡ଼େ ପ୍ରାସ

ବେଳେବେଳେ ଭୁଞ୍ଜୁଥାଉ ନୋହୁରେ ତୁ ତୋଷ।୧୫୧।

 

ଷାଠିୟେ ପଉଟି ଅନ୍ନେ ବେଳେକେ ହୋଉ ଅତ୍ରିପୁତ୍ର

ଭୋଜନେ ସାନନ୍ଦ ତୋହୋର ଦେଖି ଉଚ୍ଛର୍ଗ ମନ ଧୀରତି।୧୫୨।

ସୂର୍ଯ୍ୟବେଳେ ବାବୁରେ ଯଦି କରିବୁ ଭୋଜନ

ତେବେ ସେ ତୋହୋର ଗର୍ଭେ ପଂକୁ ହୋଇବାକ ଅନ୍ନ।୧୫୩।

 

ସୋମର ବେଳେ ବାବୁ ମୁଣୋହି ସେ କଲେ

ଅଗ୍ନି ମନ୍ଦ ହୁଅଇରେ ଆହାର ଭୁଞ୍ଜିଲେ।୧୫୪।

କାହାର ହିଂ ବଚନ ସେ ନ ଶୁଣଇ ମାରୁତି

ବେଳ ଅସତ ଗଲା ହୋଇଲା ନିଶାରାତି।୧୫୫।

 

ଯୁଝେଷ୍ଠି ବିସରିଲେ ଅର୍ଜ୍ଜୁନ ମୁଖଚାହିଂ

ଭୀମର ଅଭାବେ ଯେ କାହାରିହିଂ ମୁଣୋହିତ ନାହିଂ।୧୫୬।

ଅର୍ଜ୍ଜୁନ ବିସରି ସୁମରଇ ଜଗନ୍ନାଥ

ବଇନେତ ବାହାନେ ଆସି ବିଜୟେ ଅଚ୍ୟୁତ।୧୫୭।

 

ଖଗେଶ୍ୱର ପିଠିରୁ ଉତ୍ତୁରିଣ ଦେବ ଦାମୋଦର

ଯୁଝେଷ୍ଠି ଦେବଙ୍କୁ ଦେବ କଲେକ ନମସ୍କାର।୧୫୮।

ଯୁଝେଷ୍ଠି ଦେବ ମଥାରେ ଦିଲେ ବେନି ପାଣି

ବୋଇଲେ ଭୀମର ଚରିତ୍ର ଦେବ ବୁଝନି ପରିମାଣି।୧୫୯।

 

କବାଟ କିଳିଣ ହାଦେ ଶୁତିଲା ଅଦଭୁତେ

ଅନାସ୍ତ ହୋଇଲୁଂ ଆମ୍ଭେ ଉପୁଜିଲୁଂ ପଞ୍ଚୁ ଭ୍ରାଥେ।୧୬୦।

ବାଳୁତ କାଳହୁଂ ଆମ୍ଭର ଅଟଇ ମନ୍ଦକର୍ମ

ଅଭୋଗ ଲିଙ୍ଗ ହୋଇ ରହିଲୁ ଆମ୍ଭେ ଜନ୍ମ।୧୬୧।

 

ପିତା ପଣ୍ଡୁଙ୍କୁ ଆମ୍ଭେ ଦେଖି ନ ପାରିଲୁ ଭଲକରି

ଧୃତରାଷ୍ଟ ଚିତ୍ତରେ ଅନ୍ତର ଧଇଲେ ନ ବିଚାରି।୧୬୨।

ହସ୍ତିନା ପୁରୁଂ ବାହାର କରି ଦିଲେକ ଆମ୍ଭନ୍ତ

ମହା ଗହନ ବନେ ପଶିଲୁ ଇନ୍ଦ୍ର ଯେ ପ୍ରଶସ୍ତ।୧୬୩।

 

ୟେତେକ କଷ୍ଟକୁ ହାଦେ ୟେହାର ପୁଣ ୟେଡ଼େକ କଥା

କବାଟ କିଳି ଶୁତିଲା ପାଇଲୁଂ ବଡ଼ ବ୍ୟଥା।୧୬୪।

ଗୋବିନ୍ଦେ ବୋଇଲେ ଉଠ ଉଠ ହୋ ମାରୁତି

ଆମ୍ଭର ଛାମୁରେ କହ କେବଣ ତୋର ଗତି।୧୬୫।

 

ଭୀମସେନ ବୋଇଲା ଶୁଣ ହୋ ବାସୁଦେବ

ହସ୍ତିନା ସଭାୟେ ମୁଂ ପାଇଲି ଅନେକ ଅଭାବ।୧୬୬।

ଆସ୍ତାନେ ଦ୍ରିଯୋଧନ ବୋଲଇ ଆମ୍ଭର ପଞ୍ଚୁ ପିତା

ଉପହାସ କରି ବୋଇଲା ଧିକ ଧିକ ତୋହୋର ମାତା କୋନ୍ତା।୧୬୭।

 

ଆହୋ ୟେ ବଚନମାନ କାହାର ବେଳେ ସହୁ

ପ୍ରାଣ ବିସର୍ଜିବି ଶରୀର ପଛେ ମୋର ଯାଉ।୧୬୮।

କୂଟ ବଚନ ବ୍ରହ୍ମହତ୍ୟା ଦୋଷ ସଙ୍ଗେ ସରି

ଅନଗୃହ ନାଥ ଦୟା ମୋତେ କରିଥାଅ ଶ୍ରୀହରି।୧୬୯।

 

ଧୃତରାଷ୍ଟ ଯୁଝେଷ୍ଠିଙ୍କି ହୋଇଲେ କାଶୀ ଦେବତା

ତାହାଙ୍କ ଦ୍ରଶନ କଲେ ମୁଣୋହି କରଇ ନିତ୍ୟା।୧୭୦।

ସେ ଅନ୍ଧ ଆଗ୍ୟାଂ ପୁଣି ଦିଅଇ ଆମ୍ଭଙ୍କୁ

ଯତନେ ପଠିଆଇଂ ସଭାରେ ଆମ୍ଭଙ୍କୁ ଝିଂଘାସ କରିବାକୁ।୧୭୧।

 

ୟେ ଚାଣ୍ଡାଳ ପୁଣ ତାହା ସଂଘରଇ କେମନ୍ତେ

କିଞ୍ଚିତେ ହେଂ ଆଗ୍ୟାଂ ମୋତେ ନ ଦିଅଇ କଦାଶ୍ଚିତେ।୧୭୨।

ମାର ବୋଲି ବୋଇଲେ ମୁଂ ଲୋଟାଇ ଆସିବି ସେ ସବୁନ୍ତି

ଭୀଷ୍ମ ଭୂରିସର୍ବା ଶଲ୍ୟ ଆଦି ସକଳ ମହାରଥୀ।୧୭୩।

 

ଛତ୍ରୀକୁଳେ ଜାତ ହୋଇ ୟେ ଅଟଇ ମହାପାପୀ

ଅନୁବ୍ରତେଣ ଅଣ କୋପିତ ୟେ ଅଟଇ ଅଦ୍ୟାପି।୧୭୪।

ଭୀମସେନର ବଚନ ଶୁଣି ବୋଲନ୍ତି ଅଚ୍ୟୁତ

କବାଟ ଫେଡ଼ ମାରୁତି ମୁଂ କହଇ ୟେଥିର ଅର୍ଥ।୧୭୫।

 

ଉଠିଣ ବ୍ରିକୋଦର ଫେଡ଼ିଲା କବାଟ

ଭୀମସେନ ବାସୁଦେବ ୟେକାନ୍ତେ ହେଲେ ଭେଟ।୧୭୬।

ନାରାୟଣ ବୋଇଲେ ସେ ତୋତେ ଝିଂଘାସ କହିଲେ

ତୁ ୟେବେ କୂଟବଚନ ନୁଆରିବୁ କି ଦର୍ପଥିଲେ।୧୭୭।

 

ବୋଲଇ ମାରୁତି ମୁଂ ନଜାଣଇ ନାଥ ତାହା

କେଉଣ କଥାଟି କହିବା କାଳନ୍ଦୀର ପ୍ରାଣ ନାହା।୧୭୮।

ଗୋବିନ୍ଦ ପ୍ରତିବାଚ ତୁ ଧରିଥାଅ ହୃଦଗତେ

ପବନପୁତ୍ର ବୋଲି ତୋତେ ବୋଲିବ ଯୁଗତେ।୧୭୯।

 

ଭୀମସେନ ବୋଇଲା ମୁଂ ନ ଜାଣଇ କିଛି

କେଉଣ କଳଙ୍କ ଖଣ୍ଡି ମୋତେ କହିବା ଶ୍ରୀବତ୍ସି।୧୮୦।

ଗୋବିନ୍ଦେ ବୋଇଲେ ଭୀମସେନର ଅଗ୍ରତେ

ବସ ହେ ପବନସୁତ ବୋଲି ବୋଲିବ ସେ ତୋତେ।୧୮୧।

 

ତାହାର ବଚନ ତୁ ସଭାରେ ନ ସହିବୁ

ଆହୋ ଗୋଲକ ପୁତ୍ର ମୁଂ ବସୁଅଛିନି ବୋଲିବୁ।୧୮୨।

ୟେସନେକ ବଚନ ଯଦି ଶୁଣିମ ଧୃତରାଷ୍ଟି

ସଭାରେ ଲଜ୍ଜା ସିନା ସେ ପାଇବ ଲେଉଟି।୧୮୩।

 

Unknown

ଦୁର୍ଯ୍ୟୋଧନର ଅପମାନ ଓ ପାଷାଣ ଗୃହ ନିର୍ମାଣ

 

ୟେସନେକ ବୁଦ୍ଧି ଯହୁଂ କହିଲେ ଅଚ୍ୟୁତ

ଅନୁକ୍ଷଣେ ଭୀମସେନ ଘୋଷି ବୋଲଇ ଗୋଲକ ପୁତ୍ର, ଗୋଲକ ପୁତ୍ର।୧।

କହିଂଣ ନାରାୟଣ ଗଲେ ଅନ୍ତର୍ଧାନେ

ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଲଇ ସ୍ନାହାନ ଭୋଜନେ।୨।

 

ଅନ୍ନଗୁଡ଼ାୟେ ଭୁଞ୍ଜଇ ମହାରୋଷେ

ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଇଲ ହରଷେ।୩।

ଆଞ୍ଚୋବନ ସାରି ଶୟନ ଥାନେ ବିଜେ

ଗୋଲକ ପୁତ୍ର, ଗୋଲକପୁତ୍ର ବୋଲି ମନେ ମନେ ହେଜେ।୪।

 

ରାତ୍ର ଯହୁଂ ହୋଇଲା ତିନି ପହର ଯେ ଆସି

ପାହାନ୍ତିକି ନିଦ୍ରା ଘାରିଲା ପବନର ଶିଷି।୫।

ତତକ୍ଷଣେ ପାଶୋରିଲା ପାଣ୍ଡବ ସୁନ୍ଦର

ଉଠି ତ ଉକତି ଦରାଣ୍ଡଇ ଶୟନ ମନ୍ଦିର।୬।

 

ହା ହା ପଦ ଗୋଟି ଗଲା ମୋର କେଉଣ କତି

ଲୋଡ଼ନ୍ତେ ସହଦେବଙ୍କୁ ହାବୋଡିଲା ଯାଇଂ ଝାତି।୭।

ୟେ କେ ଟି ବୋଲି ଯେ ଉଠି ବସିଲା ସହଦେବ

ଭୀମସେନ ବୋଲଇ କେଉଣ ନାମ ଗୋଟି କହିଲେ ବାସୁଦେବ।୮।

 

ସହଦେବ ବୋଇଲେ ସେ ଗୋଲକ ପୁତ୍ର ବୋଲି

ନିସ୍ତରିଲି ନିସ୍ତରିଲି ବାବୁରେ ହରାଇଲାର ପାଇଲି।୯।

ଗୋଲକ ପୁତ୍ର ଗୋଲକ ପୁତ୍ର ବୋଲୁଅଛି ମନେ ମନେ

ରୟଣୀ ପାହିଲା ଉଠିଲା ଭୀମସେନେ।୧୦।

 

ବହନ ସ୍ନାହାନ ସାରିଲା ହରଷେ

ଗୋଲକପୁତ୍ର, ଗୋଲକ ପୁତ୍ର ହୃଦ ମଧ୍ୟେ ଘୋଷେ।୧୧।

ମହା ହରଷ ହୋଇ ବୋଲଇ ଯେଝେଷ୍ଠିଙ୍କି

ଚାଲ ସ୍ୱାମୀ ! ଦେଖିଯିବା ଧୃତରାଷ୍ଟ ତହିଂକି।୧୨।

 

ସେ ଯେବେ ଆମ୍ଭନ୍ତ ହୋଇଲେ ବିଶ୍ୱନାଥ ଦେବତା

ଦେବ ପିତୃ ଛାଡ଼ି ଯେବେ ହୋଇଲାଇ ଧୃତରାଷ୍ଟରେ ଭଗତା।୧୩।

ଯୁଝେଷ୍ଠି ଗମିତା କରନ୍ତି ହସ୍ତିନା ଭୁବନକୁ

ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଲି ବାଟ କଢାଇ ଯୁଝେଷ୍ଠିଦେବଙ୍କୁ।୧୪।

 

ବୋଲନ୍ତି ଯୁଝେଷ୍ଠି ଆରେ କି କି ବୋଲୁ ମନ୍ଦ

ନ ପୁଣ ଭାଇଙ୍କର ତୁଲେ ମୋର ଲଗାଉ କଳି ଦ୍ୱନ୍ଦ।୧୫।

ଆଗେଣ ଯୁଝେଷ୍ଠି ପଛେଣ କିରଟୀ

ତାହାଙ୍କର ପଛେ ନକୁଳ ସହଦେବ ବେନି ଗୋଟି।୧୬।

 

ପ୍ରତିଦିନ ଯାଆନ୍ତି ଯେ ଧୃତରାଷ୍ଟଙ୍କୁ ଦେଖିବାକୁ

ସବୁରି ପଛେ ଚାଲଇ ଭୀମସେନ କାହାକୁ ହିଂ ସମାଦ ନ ଦେବାକୁ।୧୭।

ସେ ଦିନ ଆଗ ହୋଇ ଭୀମସେନ ଚାଲଇ ବେଗି ବେଗି

ଯୁଝେଷ୍ଠି ଦେବଙ୍କୁ କୋଶ ଦୁଇ ଛାଡ଼ି ଚାଲଇ ଗୁରୁତ୍ୟାଗୀ।୧୮।

 

ଲେଉଟି କରି ଚାହଂଇ ସେଭୀମସେନ

ଦେଖିଲା ପଛେ ଅଛନ୍ତି ଯୁଝେଷ୍ଠି ରାଜନ।୧୯।

ଭୀମକଇଂ ଦେଖିଲେ ଯେ ଧର୍ମର କୁମରେ

ବୋଇଲେ ଆଜ ତୁ ତ ଗଲୁ ବେଗ ବେଗରେ।୨୦।

 

ଭୀମସେନ ବୋଇଲେ ମୁଂ ଆଗ ନୋହିବି

ତୁମ୍ଭେ ଯେବେ କୋପକର ମୁଂ ପଛେ ପଛେ ଯିବି।୨୧।

ସବୁରି ପଛରେ ଥାଇ ଚାଲଇ ମାରୁତି

ଗୋଲକ ପୁତ୍ର, ଗୋଲକ ପୁତ୍ର ବୋଲଇ ରୋଷମତି।୨୨।

 

ଧୃତରାଷ୍ଟ ଭୁବନେ ହୋଇଲେ ପରବେଶ

ନମସ୍କାର କଲେ ଯାଇଂ ଅନ୍ଧରାଜାର ପାଶ।୨୩।

ଆସନରେ ବସ ବୋଲି ବୋଇଲେ ଧୃତରାଷ୍ଟି

ଦ୍ରିଯୋଧନ ପାଶେ ଯାଇ ବିଜୟେ ଯୁଝେଷ୍ଠି।୨୪।

 

ଧର୍ମସୁତ ବସ ବୋଲି ବୋଇଲେ କୁରୁବୀର

ଅଣକୋପୀନାଥ ଯାଇ ବସିଲେ ସଭାର।୨୫।

ଅଜ୍ଜୁନକୁ ବୋଇଲେ ହୋ ବସ ଇନ୍ଦ୍ରସୁତ

ଆଗ୍ୟାଂ ପ୍ରମାଣେ ଯାଇଂ ବସିଲା ବୀର ପାଥ।୨୬।

 

ନକୁଳ ସହଦେବଙ୍କୁ ଯେ ବୋଇଲେ ଆଗ୍ୟାଂ ଅବଧାରୀ

ଅଶ୍ୱିନୀକୁମାର ସୁତେ ବସ ବୋଲି ବୋଇଲେ ଦଣ୍ଡଧାରୀ।୨୭।

ନକୁଳ ସହଦେବ ବସିଲେ ସଭାୟେ

ପଛେ ପରବେଶ ହେଲା ଯାଇଂ ପବନ ତନୟେ।୨୮।

 

ଦ୍ରିଯୋଧନ ବୋଇଲା ପବନ ପୁତ୍ର ବସ

ଆହୋ ଗୋଲକ ପୁତ୍ର ମୁଂ ବସୁଛି ବୋଲି ବୋଇଲା ହରଷ।୨୯।

ଭୂରିସର୍ବା ଭୀଷ୍ମେ ହସିଲେ କରତାଳି ଦେଇ

ୟେହେନେକ ମରମ ଖଣ୍ଡି ତୁ ଭିଆଇଲୁ କାହିଂ।୩୦।

 

ୟେସନେକ କଥା ଶୁଣିଣ କୁରୁପତି

ବିସରିଲା ଆତ୍ମା ଚାହଂଇ ଚଉକତି।୩୧।

ଅନେକ ବିସରି ଲଜ୍ଜା ପାଇଲା ମାନ ଯେ ଗୋବିନ୍ଦ

ମଥା ପୋତି ମହାବୀର କପାଳେ ଦିଲା କର ଧିନ୍ଦ।୩୨।

 

ତକ୍ଷଣେ ଆସ୍ତାନୁଂ ଡେଇଂ ପଡ଼ିଲା କୁରୁପତି

ଅଭିମାନ ପାଇଗଲା ମାନ ଚକ୍ରବ୍ରତୀ।୩୩।

ଭିତର ଆହୁଟ ଭୁବନେ ପ୍ରବେଶ ହୋଇଲା

କପାଟ ପାଡ଼ି ରାଜା ବିସରି ଶୁତିଲା।୩୪।

 

ମୁଣୋହିର ବେଳେ ଜଣାଇଲେ ସୂପକାରେ

ଲୋଡ଼ନ୍ତି ମାନଗୋବିନ୍ଦଙ୍କୁ ଉଭାରି ସର୍ବଦ୍ୱାରେ।୩୫।

ସଞ୍ଜୟେ ବିଦୁରେ ଆଦି କରି ସମସ୍ତେହେଂ ପରବେଶ

ଭୀଷ୍ମ ଭୂରିସର୍ବାୟେ ମିଳିଲେ ଯାଇ ପାଶ।୩୬।

 

କବାଟ ଫେଡ ବାବୁ ମାନ ଚକ୍ରବ୍ରତୀ

କି ନିମନ୍ତେ ବିକୃତ ବଢାଇଲୁ ୟେ ତୋହୋର ମତି।୩୭।

ସୂର୍ଯ୍ୟ ବେଳେ ମୁଣୋହି କରିବା ବାବୁ ଉଠ

କଠୋର ଦେଖିଣ ବିଜେ କଲେ ଧୃତରାଷ୍ଟ।୩୮।

 

ଡାକନ୍ତି ପିତା ବାବୁ ଉଠରେ କୁରୁପତି

ତୁ ମାନେ ମାନଗୋବିନ୍ଦ ଉଠ ଚକ୍ରବ୍ରତୀ।୩୯।

କି ନିମନ୍ତେ କପାଟ କିଳି ଶୁତୁଲିରେ ବାବୁ

ତୁ ସେ ପଞ୍ଚୁକଟକେ ପାଳନ୍ତା ଅଟୁ ସବୁ।୪୦।

 

କର୍ଣ୍ଣ ମହାବୀର ଯେ ଦ୍ୱାରେ ଦେଇ ଡାକ

କେବଣ ନିମନ୍ତେ ମଇତ୍ର ତୁମ୍ଭର ୟେଡ଼େ ତାପ।୪୧।

କାହାକଇଂ ରାଜା ନ ଦିଲା ସମ୍ଭାଷି

ଆପଣେ ଗାନ୍ଧାରୀ ଯେ ବିଜେ କଲେ ଆସି।୪୨।

 

ଗାନ୍ଧାରୀ ଡାକ ଦିଅନ୍ତି ଉଠସିରେ ବାଳ

ତୁ ସେ ପଞ୍ଚୁକଟକେ ଅଟୁ ମହୀପାଳ।୪୩।

ତୁହି ସେ ଭିଗ୍ୟଂବନ୍ତ ବାଇ ହୋଉ କାହିଂ

ସମସ୍ତେ ମୂର୍ଖ ୟେକା ତୁହି ସେ ବୁଝାଇ।୪୪।

 

ବାବୁ ତୋହୋର ଅପଣ୍ଡିତ ପଣେ ପୃଥୀ ହୋଇଲା ଭାସି

ତୋହୋର ବିଚାରକୁ ଯେ ନ ଯୋଗାଇ ତାହା ପକା ନାଶି।୪୫।

କୁବୁଦ୍ଧି କୁଶଯ୍ୟାୟେ ଲକ୍ଷ୍ମୀ ହୁଅଇ ହାନି

ଅଭୟେ ପୁରୁଷ ତୁ କାହାକଇଂ ୟେଡ଼େ ଅଭିମାନୀ।୪୬।

 

ଅପଣ୍ଡିତ ଲୋକଙ୍କର ୟେସନେକ ଗତି

ଛତ୍ରିଙ୍କି ୟେମନ୍ତ କଥା ତ ନୋହଇ ଯୁଗତି।୪୭।

ତୁହି ସେ ସଂସାରେଣ ଅଟୁଂ ଦଣ୍ଡଧାରୀ

ଅନେକ ବୁଝାଇଂ କହଇ ମାତା ଯେ ଗାନ୍ଧାରୀ।୪୮।

 

ଦ୍ରିଯୋଧନ ବୋଇଲା ମାତା ଗୋ ତୋତେ କହଇ ବିଶ୍ୱାସ

ଭୀମା ସଭା ମଧ୍ୟେ ମୋତେ କହିଲା ଝିଂଘାସ।୪୯।

ମନ ହିଂ ସେ ଜାଣଇ ଗୋ ହୃଦରେ ଯେତେ ପାପ

ମାତା ହିଂ ସେ ଜାଣଇଂ ପୁତ୍ରର ଯେତେ ବାପ।୫୦।

 

ଗାନ୍ଧାରୀ ବୋଇଲେ ବାବୁ ତୁହି ସେ ମନ୍ଦ କଲୁ

ଆପଣାର ମନ୍ଦ ପକ୍ଷେ ସମସ୍ତ କାର୍ଯ୍ୟ ନାଶ କଲୁ।୫୧।

ଯୁଝେଷ୍ଠି ତୋହୋର ଯୁଗତେ ଅଟଇ ଜ୍ୟେଷ୍ଠଭ୍ରାଥ

ତାହାକୁ ନିତ୍ୟେ ତୁ ବୋଲୁ ବସ ହୋ ଧର୍ମସୁତ।୫୨।

 

ସେ କି ବିଦ୍ୟାମାନେ ନୋହନ୍ତି କି ତୋର ପଞ୍ଚୁଭାଇ

ଆପଣାର ଛିଦ୍ର କଥା ଆପଣେ ସେ ଲୁଚାଇ।୫୩।

ପଣ୍ଡୁ ଧୃତରାଷ୍ଟ ଯେ ନୋହନ୍ତି ନା ଭିନ୍ନ

ତୋତେ ଲାଜ ନୋହଇ କି ଯୁଝେଷ୍ଠିଙ୍କ ଅଭିମାନ।୫୪।

 

ସୋହୋଦ୍ରେ ଝିଂଘାସ ଯେ କଲୁ ତୁ ଯୁଗତେ

କାଳେଣ ପାପ ଆସି ଦୂଷାଇଲା ତୋତେ।୫୫।

ଦ୍ରିଯୋଧନ ବୋଇଲା ମା ଗୋ ମୋହୋର ପିତା ଧୃତରାଷ୍ଟ

ଗାନ୍ଧାରସେନ ଦୁହିତୀ ତୁ ବଂଶେଣ ଗରିଷ୍ଠ।୫୬।

 

ପିତା ଧୃତରାଷ୍ଟ ଗାନ୍ଧାରୀ ମୋର ମାତା

ଗୋଲକ ପୁତ୍ର ବୋଲି ଭୀମା ବୋଲଇ ଅମର୍ଜିତା।୫୭।

ଭୀଷ୍ମ ଭୂରିସର୍ବାୟେ ହସିଲେ ତାହା ଶୁଣି

ଲାଜେ ଅପମାନ ପାଇଲି ଗୋସାମଣୀ।୫୮।

 

ଗାନ୍ଧାରୀ ବୋଇଲେ ତୁ ପଣ୍ଡିତ ମୋର ପୁତ୍ର

ପାଣ୍ଡବଙ୍କୁ ଝିଂଘାସ କଲୁ ନିଯେ ବହୁତ।୫୯।

ଆପଣାର ଶରୀରେ ପଡ଼ିଛି ଅଂସାଇ

ପରକୁ ହସୁ କିମ୍ପା ନାସିକାରେ ହସ୍ତ ଦେଇ।୬୦।

 

ଦ୍ରିଯୋଧନ ବୋଇଲା ମା ଗୋ ୟେ ଅର୍ଥ କେମନ୍ତ

ଗୋଲକ ପୁତ୍ର କଥା ମୋତେ କହସି ଗୋ ମାତା।୬୧।

ଗାନ୍ଧାରୀ ବୋଇଲେ ବାବୁ ତୁ ୟେବେ ମୁଣୋହି କର ଉଠି

ମୁଣୋହି ଉତ୍ତାରେ କହଇ ୟେଥିର ଅର୍ଥ ଗୋଟି।୬୨।

 

ଦ୍ରିଯୋଧନ ବୋଇଲା ୟେମନ୍ତ କଳଙ୍କ ଅଛି ଯେବେ

କାହିଂକି ଗୁପତେ କରୁ କହୁକିନା ୟେବେ।୬୩।

ତହିଂର ଅର୍ଥ ଗୋ ଶୁଣିଲେ ମହାମାୟୀ

ତେବେ ସେ ଉଠିଣ ମୁଂ କରିବି ମୁଣୋହି।୬୪।

 

ଗାନ୍ଧାରୀ ବୋଇଲେ ବାବୁ ଶୁଣ ପୂର୍ବର କଥା

ଗାନ୍ଧାରସେନ ରାଜା ଅଟଇ ଯେ ମୋର ପିତା।୬୫।

ଜ୍ୟେଷ୍ଠ ମାସ ଅମାବଇ କୃତ୍ତିକା ନକ୍ଷତ୍ରେ

ସେ ଦିନ ଉତପତ୍ତି ମୁଂ ହୋଇଲି ଯୁଗତେ।୬୬।

 

ଜାତି ଉଆଂସୀ ଆବର ବ୍ରହ୍ମଅସୁରୀ

କେହି ମୋତେ ପ୍ରଦାନ ନୋହିଲେ ଡରି କରି।୬୭।

ଦୂର ରାଜାମାନନ୍ତ ବାବୁରେ ପିତା ଯେ ବରିଲା

ମୋହୋର ନାମେ ବରିଲେ ବାଇଶି ରାଜା ମଲା।୬୮।

 

ବ୍ୟାସଙ୍କୁ ହକାରି ଗାନ୍ଧାରସେନ ପୁଚ୍ଛଇ

ବ୍ୟାସେ ବୋଇଲେ ୟେହାକୁ ବିଭା କରିବା ଗୋଲକ ବୃକ୍ଷକଇ।୬୯।

ପିତାଙ୍କର ମଧ୍ୟ ଅଗଣାୟେ ଗୋଲକ ବୃକ୍ଷ ଥିଲା

ବ୍ୟାସଙ୍କୁ ନେଇ ତାହା ଗାନ୍ଧାରସେନ ଦେଖାଇଲା।୭୦।

 

ଆପଣେ ବ୍ୟାସେ କନ୍ୟା ବେଶ କରାଇଲେ ମୁକୁ

ବରବେଶ କରାଇଲେ ସେ ଗୋଲକ ବୃକ୍ଷକୁ।୭୧।

ମୋତେ ପ୍ରଦାନ କରାଇଲେ ପାରେଶ୍ୱରଙ୍କ ସୁତ

ଗୋଲକ ବୃକ୍ଷର ଡାଳେ ବାନ୍ଧିଲେ ମୋହୋର ଡାହାଣ ହସ୍ତ।୭୨।

 

କୁଶରେ ବନ୍ଧନ କଲେ ସତ୍ୟବତୀର ବାଳ

ଶଙ୍ଖେ ଗାନ୍ଧାରସେନ ଲାଇଂ ଦିଲା ଜଳ ତିଳ।୭୩।

ମୋହୋର କର ତାହାର ତହିଂ ଲାଗିଲା ପ୍ରତ୍ୟକ୍ଷେ

ତତକ୍ଷଣେ ମଲା ସେ ଗୋଲକ ମହାବୃକ୍ଷେ।୭୪।

 

ତୋହୋର ପିତା ବ୍ରହ୍ମଅସୁର ତାହାକୁ କନ୍ୟା କେ ଦିଅନ୍ତା ନାହିଂ

ଶତେଅଷ୍ଟଉତ୍ତର କନ୍ୟା ମଲାନି ତାହାର ବରଣ ଚାହିଂ।୭୫।

ବ୍ୟାସେ ଥାଇ ୟେକା ଯେ ଆପଣେ ଭିଆଇଲେ

ଧୃତରାଷ୍ଟଙ୍କୁ ଆଣି ମୋତେ ଦିଆଇଲେ।୭୬।

 

ୟେହେନେକ ବିଶ୍ୱାସ କଥା କେହି ନ ଜାଣନ୍ତି ଆନ

ବ୍ୟାସେ ବାସୁଦେବେ ହିଂ ଜାଣନ୍ତି ୟେସନେକ ବିଧାନ।୭୭।

ଯାହା ଲୋଡ଼ିଲୁ ବାବୁ ତୁ ତାହାହିଂ ପାଇଲୁ

ପରକୁ ଛିଦ୍ର କହି ଆପଣା ଛିଦ୍ର ମରମ କଢାଇଲୁ।୭୮।

 

ଭୀମା ଯାହା କହିଲା ସେ ଅଟଇ ନିଚୟେ

ଶୁଣିଣ ବିଷାଦ ହୋଇଲା ଗାନ୍ଧାରୀ ତନୟେ।୭୯।

ୟେତେ ଅର୍ଥ କେମନ୍ତେ ଜାଣିଲାକ ଭୀମା

ନଜାଣି ହୁଡ଼ିଲି ମୁଂ ନାଶିଲି ଆପଣାର ସୀମା।୮୦।

 

ନିତି ପ୍ରତି ଭୀମା ୟେ ଦିପଦ ବୋଲୁଥିବ ମୋତେ

ଆବର ସଭାୟେଣ ମୁଂ ବସିବି କେମନ୍ତେ।୮୧।

ଗାନ୍ଧାରସେନ ପାମର କି ନା ୟେମନ୍ତ କୃତ୍ୟକଲା

ବିଧବା କନ୍ୟାକୁ କେମନ୍ତେ ମୋ ପିତାକଇଂ ଦିଲା।୮୨।

 

ୟେହେନେକ ପାପ କ୍ଷଣେ ଯେବେ ହୋଇଲୁ ତୁ ଜାତ

ପିତା ଘରେ ପଡ଼ି କିଂପେ ନ ମଲୁ ଗୋ ମାତା।୮୩।

ୟେତେ ବୋଲି କର୍ମକୁ ଆଦରି ବୀର ଉଠି

ସ୍ନାହାନ ନିତ୍ୟକର୍ମ ଯେ ସାରିଲା ଧୃତିରାଷ୍ଟି।୮୪।

 

ମଢ ଫୁଲିରେ ବିଜେ ରାଜା ମହାବୀର

ସେହି ଦିନୁ ଦ୍ରିଯୋଧନ ନ ବସଇ ଆସ୍ତାନର।୮୫।

ଯୁଝେଷ୍ଠି ବୋଇଲେ ଭୀମସେନର ମୁଖ ଚାହିଂ

ଦ୍ରିଯୋଧନକୁ ଅନୀତି କଥା କହିଲୁ କିସ ପାଇଂ।୮୬।

 

ଭୀମସେନ ବୋଇଲା ନିତି ଦିନ ଆମ୍ଭନ୍ତ କରଇ ଝିଂଘାସ

ଅନେକ ସହିଲୁନି ଆମ୍ଭେ ପ୍ରତି ଯେ ଦିବସ।୮୭।

ପାଞ୍ଚଙ୍କରି ପିତା ନାମ ଧରଇ ସଭାରେ

ଉପହାସ କରନ୍ତି ନା ଆମ୍ଭନ୍ତ ସକଳ କୁରୁବୀରେ।୮୮।

 

ଯୁଝେଷ୍ଠି ବୋଇଲେ ତାହାର ପିତା ଧୃତରାଷ୍ଟ ମାତା ଯେ ଗାନ୍ଧରୀ

ଗୋଲକ ପୁତ୍ର ତାହାକଇଂ କିଂପା ବୋଇଲୁ ନ ବିଚାରି।୮୯।

ଭୀମସେନ ବୋଇଲା ଦେବ ହୋଇଅଛିନି ସେହି

ନୋହିଲେ କିଂପା ଚଳନ୍ତା କଳଙ୍କ ଯେବେ ନାହିଂ।୯୦।

 

ଶୁଣିଣ ତବଦ ଯେ ଧର୍ମର ନନ୍ଦନ

ମନେ ମନେ ତୋଷ ହୋଇଲେ ଭୀମସେନ।୯୧।

ପ୍ରବେଶ ଯୁଝେଷ୍ଠି ହୋଇଲେ ଇନ୍ଦ୍ରପ୍ରଶସ୍ତ ପୁରେ

ନିତ୍ୟକର୍ମେଣ ସେବନ୍ତି ସେ ଧୃତରାଷ୍ଟର ପୟରେ।୯୨।

 

ଦୁର୍ଯ୍ୟୋଧନର ପାଷାଣ ଗୃହ ନିର୍ମାଣ

 

ସେହି ଦିନୁ ଆସ୍ତାନରେ ନାହିଂ ଜାଣ ସଭା

ଯେ ଯାହାର ଆସ୍ତାନେ ଥାନ୍ତି ସକଳ ରାଜଦେବା।୧।

କୂଟକପଟ ଛତ୍ରୀ ଯେ ମାନ ଚକ୍ରବ୍ରଥୀ

ବୃଦ୍ଧିବନ୍ତା ଭାଗ୍ୟବନ୍ତା ଉପାୟେ ଚକ୍ରବ୍ରତୀ।୨।

 

ଲୋହଗିରି ବୋଲି ୟେକ ପର୍ବତ ଗୋଟିୟେ

ଉଚ୍ଛର୍ଗ ପୋତା ବିସ୍ତାର ସେ ଅଟେ କୋଶ ମୟେ।୩।

ଶିଲପୀ ବିନ୍ଧାଣୀମାନନ୍ତ ସମସ୍ତ ରୁଣ୍ଡିଆଇଂ

ଶ୍ରୀଭୁଜେ ଶାଢୀ ସରଳ ଅନେକ ରତ୍ନ ଦେଇ।୪।

 

ରାତ୍ର କାଳେ ପର୍ବତେ ସେ ଲଗାଇଲା ନେଇ

ୟେ ପର୍ବତ ଗୋଟି ଖୋଳିବ ଭିତରେ ଭଙ୍ଗାଇ।୫।

ଯତନ କରିବ ଖୋଲ ପ୍ରାୟେ କରି

ୟେକଇ ଦୁଆରେ ଯେ ହୋଇବ ତାହାରି।୬।

 

ଘର ପ୍ରାୟେ କରି କରିବ ଯେ ସଞ୍ଚା

ୟେତେ ବୋଲି ଆଗ୍ୟାଂ ଦିଲା ଧୃତରାଷ୍ଟ ବତ୍ସା।୭।

ଯୋଜନେକ ବିସ୍ତାର ହୋଇବାକ ସଞ୍ଚ

ଉଚ୍ଛର୍ଗ ହେବ ଦୁଇ ଯୋଜନ ଯେ ଉଞ୍ଚ।୮।

 

ତହିଂକି ନିର୍ବାଣ କରିବ ବ୍ରଜକବାଟ ଯେ ଗୋଟି

ବାହାରେ ଥାଇ କିଳି କେ ସେ ଭିତରେ ନ ଫିଟି।୯।

ଜଣକେ ବରତନ କଲା ଗ୍ରାମ ପାଞ୍ଚଖଣ୍ଡ

ମାସକେ ବର୍ତ୍ତନ ହୋଇଲା ସୁବର୍ଣ୍ଣ ୟେକ ମାଢ।୧୦।

 

ପାଞ୍ଚ ଉତ୍ତର ଶତେକ ଲାଗିଲେ ବିନ୍ଧାଣି

କାଟନ୍ତି ପାଷାଣ ଯେହ୍ନେ ବଜ୍ରକୀଟ ନିର୍ବାଣି।୧୧।

ଦ୍ୱାଦଶ ବରଷେ ତାହା କଲେକ ନିର୍ମିତ

ସଉଭାଗୀ ନଦୀ କୂଳେ ସଉଭଦ୍ର ବନସ୍ତ।୧୨।

 

ତହିଂର କୂଳେ ଅରବିନ୍ଦ ଲୋହଗିରି

ଉପାୟେଣ ଦ୍ରିଯୋଧନ ତାହା ପଥର ଘର କରି।୧୩।

ଘଟଣ ନିର୍ମିତ ଯେତେ ବେଳେ ହୋଇଲା ସଂପୂର୍ଣ୍ଣ

ଭିତରେ ପିତୁଳିନ୍ତ ଭିଆଇଲେ ଚିତ୍ର ଯେ ଲେଖନ।୧୪।

 

ଗୁପତେ କରାଇଲା ତାହା ନଜାଣନ୍ତା କେହି

ଦିନେକ ଦ୍ରିଯୋଧନ ମାତା ଗାନ୍ଧାରୀ ଆଗେ କହି।୧୫।

ଭୋ ମାତା ମହାସତୀ ଆଗ୍ୟାଂ ଦେବା ମୁକୁ

ମୁହିଂ ଯିବି ମାତା ଗୋ ଗାନ୍ଧାରସେନ ରାଜ୍ୟକୁ।୧୬।

 

କେମନ୍ତ ସଂପଦେ ଗୋ ଅଛଇ ମୋର ଅଜା

କେମନ୍ତ କରିଣ ସେ ପାଳଇ ଜନ ପ୍ରଜା।୧୭।

କଥା ପାଶୋରିଲେ ନ ଜାଣିଲେ ଗାନ୍ଧାରୀ

ଯାଅ ବୋଲି ଦ୍ରିଯୋଧନକୁ ଆଗ୍ୟାଂ ଅବଧାରୀ।୧୮।

 

ଧୁଶାସନ ଦୃଜୟେ କର୍ଣ୍ଣ ଶଲ୍ୟ କୃପ

ଅଶସ୍ତମା ସହିତେ ଅଛନ୍ତି ସମସ୍ତ ନୃପ।୧୯।

ୟେତେକ ସଙ୍ଗର ସନ୍ୟ କୁମାର କୁରୁପତି

ଗାନ୍ଧାରସେନ ରାଜ୍ୟକୁ ସେ ଚଳଇ ତଡ଼ତି।୨୦।

 

ରାତ୍ର ଦିବସେଣ କରନ୍ତି ପ୍ରୟାଣ

ହସ୍ତିନାକୁ ଗାନ୍ଧାରସେନ ରାଜ୍ୟ ପନ୍ଦର ଶତ ଯୁଣ।୨୧।

ପ୍ରବେଶ ହୋଇଲେ ଯାଇଂ ପନ୍ଦର ଦିବଷେ

କଟକେ ପ୍ରବେଶ ଯାଇଂ ହୋଇଲେ ହରଷେ।୨୨।

 

ବାରତା ପାଇଣ ସେ ଗାନ୍ଧାରସେନ ନୃପତି

ଦଣ୍ଡ ସନ୍ୟ ଘେନି ସେ ପାଛୋଟି ଆସଇ ତଡ଼ତି।୨୩।

ବଇଡୁର୍ଯ୍ୟ ପର୍ବତ ତଳେ ହୋଇଲେ ଭେଟା ଭେଟି

ଗାନ୍ଧାରସେନ କୁଶଳ ବାରତା ପୁଚ୍ଛଇ ଧୃତରାଷ୍ଟି।୨୪।

 

ଦ୍ରିଯୋଧନ ବୋଇଲା ଶୁଣିମା ମାତ ତାତ

ସନ୍ୟବଳ ଛାଡ଼ି ତୋହୋର ମୋହୋର ହୋଇବା ୟେକାନ୍ତ।୨୫।

ପର୍ବତ ଉପରେ ଯାଇଂ ବସିଲେ ଅଜା ନାତି

ବଂଶାଧିକ ରାଜା ତୁ ଅଟୁ ଚକ୍ରବ୍ରତୀ।୨୬।

 

ମୁହିଂ ସହି ନୁହାରଇ ଯୁଝେଷ୍ଠିଙ୍କ ଆରଦୋଳି

ସେ ନିମନ୍ତେ ଅଜା, ଅଇଲି ତୋହୋର ତୁଲେ ଭାଳି।୨୭।

ଭୀମସେନ ଅନେକ ଝିଂଘାସ କଲାକ ମୋତେ

ମୁହିଂ ତାହାର ପ୍ରାଣତ୍ୟାଗ କରିବି କେମନ୍ତେ।୨୮।

 

ଭୂଇଂ ଛୁଇଂ ଶ୍ରବଣେ ହସ୍ତ ଦିଲା ଗାନ୍ଧାର

ବାବୁ ଯେବଣ କଥା କହିଲୁ ସେ ଦୁସହ ଅଗୋଚର।୨୯।

ତୋହୋର ବେଳେ ପାଣ୍ଡବନ୍ତ ବଳବନ୍ତେ ନୋହୁଂ ଟି ଯେ ସରି

ଦେବ କଳା ଘେନି ସେ ପ୍ରତକ୍ଷେ ଅବତରି।୩୦।

 

ଧର୍ମର ବୀର୍ଯ୍ୟେ ଜାତ ସେ ଯେବଣ ଯୁଝେଷ୍ଠି

କର ଲେଉଟାନ୍ତେ ଯାହାର ଲେଉଟଇ ନବ ସୃଷ୍ଟି।୩୧।

ବ୍ରିକୋଦର ଜାତ ହାଦେ ପବନର ବୀର୍ଯ୍ୟେ

କରେଣ ଗଦା ଧରିଲେ ତ୍ରାସଇ ଦେବରାଜେ।୩୨।

 

ମହା ବଳବନ୍ତା ସେ ପ୍ରତଗ୍ୟାଂ ସାର୍ଥୁକ ଭୀମ

ଛଡ଼ ଲକ୍ଷ ଯୋଜନେ ଥାଇଂ ତାହାକଇଂ ତ୍ରାସ କରଇ ଯମ।୩୩।

ବାସବର ନନ୍ଦନ ଯେବଣ ଫାଲଗୁନି

ୟେକା ନାରାଜକେ ତ୍ରୈଲୋକ୍ୟ ପାରଇ ସେ ଜିଣି।୩୪।

 

ନକୁଳ ବୋଲିଣ ତାହାର ଯେବଣ ଅନୁଜ

ଆକାଶେ ପାଟ ଅଛି ଅଶ୍ୱିନୀକୁମାରଙ୍କ ଆତ୍ମାଜ।୩୫।

ତାହାର ଅନୁଜ ଯେ ସହଦେବ ବୋଲି

ଭୂତ ଭବିଷ୍ୟ ଗ୍ୟାଂତା ମୁଂ ପ୍ରତକ୍ଷେ ଦେଖିଲି।୩୬।

 

ବାବୁ ମୋହୋର ବଚନ ଶୁଣରେ ମାନଗୋବିନ୍ଦ

ସମୟେ ବ୍ରତିଥାଅ ଯୁଝେଷ୍ଠିଙ୍କରେ ନ କର ତୁ ଦ୍ୱନ୍ଦ।୩୭।

ଦ୍ରିଯୋଧନ ବୋଇଲା ତାତ ସମର ନ କରିବି

ଉପାୟେ କରିଣ ହାଦେ ପାଣ୍ଡବନ୍ତ ମାରିବି।୩୮।

 

ଭୀମାର ବଳବୀର୍ଯ୍ୟକୁ ମୋହୋର ଭୟ ନାହିଂ

ଯାହାକୁ ନିଳାମ୍ୱର ଦେବ ହୋଇଛନ୍ତି ସାହି।୩୯।

ଗାନ୍ଧାରସେନ ବୋଇଲା ବାବୁ କେବଣ ଉପାୟେ

ଦ୍ରିଯୋଧନ ବୋଇଲା ଆସ ଦେଖାଇବି ଦେବ ରାୟେ।୪୦।

 

ଗାନ୍ଧାରସେନ ବୋଇଲା ଯେବେ ଅଇଲୁ ମୋର ପୁରେ

ଦିନା ପାଞ୍ଚ ସାତ ରହିବୁ ନା ମୋହୋର ପୁର ମନ୍ଦିରେ।୪୧।

ଦ୍ରିଯୋଧନ ବୋଇଲା ତାତ କଟାଳ ନ କର ଯେ ମୋତେ

ପାଣ୍ଡବନ୍ତ ନାଶ କଲେ ମୁଂ ବ୍ରତଇ ନିଶ୍ଚିନ୍ତେ।୪୨।

 

ସମସ୍ତ ସନ୍ୟମାନ ପଠିଆଅ ତୋହୋର ଦେଶ

ବର୍ଗ କୁଟୁମ୍ୱମାନ ଘେନି ସଙ୍ଗତେ ମୋର ଆସ।୪୩।

ଆପଣାର ଶତେ ପୁତ୍ର ଘେନିଣ ଗାନ୍ଧାର

ଆବର ଛୟାଣୋଇ ଭ୍ରାଥେ ଘେନିଣ ବନ୍ଧୁ ସଙ୍ଗର।୪୪।

 

ଆପଣାକୁ ଲାଇ ଶୟେ ସତାଣୋଇ ଜଣ

ଦ୍ରିଯୋଧନ ତୁଲେ ଗାନ୍ଧାରସେନ କରଇ ପ୍ରୟାଣ।୪୫।

ସଉଭଦ୍ର ବନେ ଯାଇ ହୋଇଲେ ପ୍ରବେଶ

ଲୋହଗିରି ପର୍ବତରେ ମିଳିଲେ ତାର ପାଶ।୪୬।

 

କୂଟ କପଟ ରାଜା ଫେଡିଲାକ ବାଟ ଗୋଟି

ଆପଣେ ଭିତରେ ଯାଇ ପଶିଲା ଧୃତରାଷ୍ଟି।୪୭।

ତାହାକୁ ଗୋଡ଼ାଇ ଯେ ପଶିଲେ ଗାନ୍ଧାରସେନ

ପିତାର ସଙ୍ଗତେ ପଶିଲେ ଗାନ୍ଧାରସେନ ପୁତ୍ରମାନ।୪୮।

 

ଦ୍ରିଯୋଧନ ବୋଇଲା ବିଚାର କର ପିତା

ଭୀମାର ଗଦା ଘାତୟେ ସହିବଟି ପର୍ବତା।୪୯।

ୟେହା ଭୋ ପିତା ବିଚାର କର ଦୃଢ କରି

କବାଟ ପାଡ଼ିବି ପାଣ୍ଡବନ୍ତ ଭିତରେ ମୁଂ ଭରି।୫୦।

 

ଦେଖି ବିଚାର କରଇ ଗାନ୍ଧାରସେନ ନୃପତି

ବାବୁ ଦ୍ରିଯୋଧନ ତୁ ଉପାୟେ ଚକ୍ରବ୍ରତୀ।୫୧।

ତୋହୋର ବୋଲେ ୟେହା ହୋଇଲା ନିର୍ବାଣି

ପ୍ରତକ୍ଷେ ଦିଶୁଅଛି ଇନ୍ଦ୍ର ବାରସ୍ୱତୀ ପୁର ଜାଣି।୫୨।

 

ଭଲ କରି ପିତା ପୁତ୍ର ୟେହାକୁ ବିଚାର କର

କାହାର କିସ ବୁଦ୍ଧି କହ ମୋହୋର ଆଗର।୫୩।

ୟେତେକ ବଚନ କହି ବାହାର ଧୃତିରାଷ୍ଟି

ବାହାରେ ଥାଇ ପାଡ଼ିଲା ବଜ୍ର କିଳଣୀ କବାଟ ଗୋଟି।୫୪।

 

ଗାନ୍ଧାରସେନ ବୋଇଲା କବାଟ ଫେଡ଼ ବାବୁ

ସର୍ବଗ୍ୟଂ ନାଥ ତୋତେ ବୁଦ୍ଧି ଦୃଶ୍ୟ ସବୁ।୫୫।

ଦ୍ରିଯୋଧନ ବୋଇଲା ଶୁଣ ହୋ ଗାନ୍ଧାର

ତୁମ୍ଭେ ନିରୁତାନ୍ତ ବଇରି ଅଟ ଯେ ମୋହୋର।୫୬।

 

ମାତାକୁ ମୋହୋର ଯେବଣ କୃତ୍ୟ କଲୁ ଗାନ୍ଧାରସେନ ରାଜା

ବିଧବା କନ୍ୟା କରାଇଲୁ ଧୃତରାଷ୍ଟଙ୍କ ଭାରିଯା।୫୭।

ଗୋଲକ ବୃକ୍ଷ ଯେ ବିଭା କାଳେ ମଲା ଯୁଗତେ

ବିଧବା କନ୍ୟା ପିତାକୁ ମୋହୋର ଦିଲୁ ତୁ କେମନ୍ତେ।୫୮।

 

ଅଗ୍ନିରେ ଦହନ କିଂପେ ନ କଲୁ ମହାତମା

ସେ କଥା କଳଙ୍କ ମୋତେ ସଭାରେ ବୋଇଲା ଭୀମା।୫୯।

ତୋତେ ମାଇଲେ ମୁଂ ପାଶୋରଇ ସେକଥା

ତୋହୋର ନିମନ୍ତେ ମୋତେ ହାଦେ ଲଜ୍ଜା ଅପ୍ରମିତା।୬୦।

 

ପାଣ୍ଡବଙ୍କ ନିମନ୍ତେ ନିର୍ବାଣ ନୋହଇ ୟେ ଘର

ତୋହୋର ନିମନ୍ତେ ନିର୍ବାଣ କରିଛି ୟେହୁ ପୁର।୬୧।

ତୁ ୟେବେ ନିଶ୍ଚିନ୍ତେଣ ଥାଅ ଯାଉଅଛି ମୁହିଂ

ବଜ୍ର ଯନ୍ତ୍ର କିଳଣୀ କିଳିଲା, ତହୁଂ ଗଲାକ କୁରୁସାଇଂ।୬୨।

 

ପ୍ରବେଶ ହୋଇଲା ଯାଇଂ ଆପଣା ନିଜ ଦେଶ

ସ୍ନାହାନ ଭୋଜନ ସେ କରଇ ହରଷ।୬୩।

ଗାନ୍ଧାରୀ ବାରତା ପାଇଲେ ତଥ୍ୟ କରି

ଦ୍ରିଯୋଧନ ସନ୍ନିଧ୍ୟେ ବିଜେ କଲେ ମାହେଶ୍ୱରୀ।୬୪।

ବାବୁ ପିତାକୁ ମୋହୋର ଲାଇଲୁ ପଥର ଘରେ

ଆରେ ସୋଦର ବଧରେ ପଶିଲୁ ବାଳୁତ ପାମରେ।୬୫।

 

ଗାନ୍ଧାରସେନ ବ୍ରତିଥିଲେ ତୋତେରେ ପରମ ହିତ

କେବେହେଂ ବାବୁ ନ ବାହୁଡ଼ଇ କଲା କର୍ମ କୃତ୍ୟ।୬୬।

ଦ୍ରିଯୋଧନ ନ ଶୁଣଇ ଗାନ୍ଧାରୀର ବୋଲ

ଗୋଟିୟେ କରି ଦ୍ରିଯୋଧନ ନ କଲୁ ତୁହି ଭଲ।୬୭।

 

ଯଦ୍ୟପି ପିତାକୁ ମୋହୋର କଲୁ ୟେଡ଼େ କୃତ୍ୟ

ଅନ୍ନ ଦେଉଥାଅ ତାହାର ଜୀବନ ଥିବା ପରିଯନ୍ତ।୬୮।

ଦ୍ରିଯୋଧନ ବୋଇଲା ମା ଗୋ ତୋହୋର ବଚନେ

ଦେବଇଂ ଅନ୍ନ ଯାହା ମାଗିଲୁ ତୋଷ ମନେ।୬୯।

 

ମାତାଙ୍କର ବଚନେ ଆଗ୍ୟାଂ ଦିଲା କୁରୁବୀର

ବସାଣ କଲା ଗାନ୍ଧାରକୁ ନିତ୍ୟେ ଅନ୍ନ ୟେକ ଭାର।୭୦।

ଭାରେକ ଅନ୍ନ ଆବର ପାଣି କଳସାୟେ

ଗୁଣ୍ଡିରି ଜଳା ବାଟେ ବଢାଇଣ ଦିୟେ।୭୧।

 

ଦେଖିଣ ଗାନ୍ଧାରସେନ ବିଚାର କରଇ ମନେ

ଅନ୍ନ ଶାସ୍ତିରେ ମଲେ ମୁକତି ନୁହନ୍ତି ଜନେ।୭୨।

ସମସ୍ତେହେଂ ପାତନ୍ତି ଡାହାଣ କର ଗୋଟି

ଜ୍ୟେଷ୍ଠ ପୁତ୍ର ଶଙ୍କୁନି ସବୁଙ୍କୁ ହିଂ ଦିଅଇ ବାଣ୍ଟି।୭୩।

 

ଜଣେକ ହୋଅଇ ପୋଷେ ପୋଷେ ଅନ୍ନ

ଘଡ଼ାୟେକ ପାଣି ଚଳୁୟେ ଗ୍ରାସ ପୁଣ।୭୪।

ୟେସନେକ ନିତି ପ୍ରତି ଦିଅଇ କୁରୁବଇଂ

ଉପାୟେ ଶଙ୍କୁନି ତହୁଂ ଥୋକାୟେ ଥୋକାୟେ ରଖିଥାଇ।୭୫।

 

ଭାତ ପୁଡ଼ାୟେ ଚକଟି ଲେପିଥାଇ କାନ୍ଥେ

ବୁଦ୍ଧି ଭିଆଇଲା ଆପଣା ବ୍ରତିବା ନିମନ୍ତେ।୭୬।

ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗଧର

ଛଅ ମାସ ପରିଯନ୍ତେ ଦିଲା ଅନ୍ନ ୟେକ ଭାର।୭୭।

 

ଛଅ ମାସ ଅନ୍ତରେ ପୁଣ ବୁଦ୍ଧି ୟେକ କଲା

ଅଙ୍ଗାୟେକ ଦିଅ ବୋଲି ସୂପକାରକୁ ବୋଇଲା।୭୮।

ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ଚଉଠୀର ଦିନ

ଆଗ୍ୟାଂୟେ ବଢାଇ ଦିଲା ଅଧଭାରେକ ଅନ୍ନ।୭୯।

 

ତାହା ବାଣ୍ଟି ଭୁଞ୍ଜିଲେ ସମସ୍ତେ ବିକଳେ

ଥାଳିୟେକ ଅନ୍ନ ପୁଣି ଦିଲା ଅନ୍ତ କାଳେ।୮୦।

ତାହା ଦେଖି ବିଚାର କରଇ ନୃପତି ଗାନ୍ଧାରସେନ

ବାବୁ ସବୁନ୍ତି ଅଦୋଷେ ନାଶ କଲାଟି ଦ୍ରିଯୋଧନ।୮୧।

 

ଶହେ ସତାଣୋଇ ଜଣଙ୍କୁ ଥାଳିୟେକ ଭାତ

ୟେତେକ ଆହାର କରି ହୋ ବ୍ରତିବା କେମନ୍ତ।୮୨।

ଦ୍ରିଯୋଧନର ତ ଆମ୍ଭେ ନୋହୁଂ ନା ବଇରି

ବିନା ଅପରାଧେ କିଂପା ଆମ୍ଭନ୍ତ ନାଶ କରି।୮୩।

 

ୟେ ମୋହୋର ବଂଶ ଯେ ମାରୁଅଛି ଅନମିତେ

ତାହାର ବଂଶ କେହୁ ନାଶ କରିବ ୟେହି ମତେ।୮୪।

ୟେ ଥାଳିକ ଭାତ ଜଣକହିଂ ଭୁଞ୍ଜ

ପିତୃ କାର୍ଯ୍ୟ କରି ଦ୍ରିଯୋଧନ ବଂଶ ଗଞ୍ଜ।୮୫।

 

ଗାନ୍ଧାରସେନ ରାଜାର ୟେସନେକ ବଚନ ଶୁଣି

ଜ୍ୟେଷ୍ଠ ପୁତ୍ର ଶଙ୍କୁନି କହିଲା ଦୃଢ ବାଣୀ।୮୬।

ତୁ ଯେହ୍ନେ ଆଗ୍ୟାଂ ଦିଲୁ ନରସାଇଂ

ମୁହିଂ ପାରିବି ଦ୍ରିଯୋଧନର ବଂଶ ନାଶ କରାଇ।୮୭।

 

ଗାନ୍ଧାରସେନ ବୋଇଲା ଥାଳିକ ଅନ୍ନ ଖାଅ

ସବୁରି ଆଷ୍ୟ ଘେନିଣ ତୁ ଶୁଭେଣ ବ୍ରତିଥାଅ।୮୮।

ସେ ଥାଳିକ ଅନ୍ନ ଯେ ଭୁଞ୍ଜଇ ଶଙ୍କୁନି

ସଭିଂୟେ ପ୍ରାଣ ପୟାଣ ହୋଇଲେ ଅବସାନି।୮୯।

 

ଶହେ ପାଞ୍ଚଣୋଇ ଜଣ ହୋଇଲେ ପ୍ରାଣ ତ୍ୟାଜ

ଶଙ୍କୁନି ଘେନି ବ୍ରତିଅଛି ଗାନ୍ଧାରସେନ ରାଜ।୯୦।

ଗାନ୍ଧାରସେନ ପଚାରଇ ଶୁଣରେ ଶଙ୍କୁନି

ତୁ ମୋହୋର ଜ୍ୟେଷ୍ଠପୁତ୍ର ଅଟୁ ମହାଗ୍ୟାନୀ।୯୧।

 

ମୁହିଂ ଯେ ପୁତ୍ରରେ ରକ୍ଷା କଲି ତୋତେ

ଦ୍ରିଯୋଧନର ବଂଶ ତୁ ନାଶିବୁ କେମନ୍ତେ।୯୨।

ଶଙ୍କୁନି ବୋଇଲା ତାତ ଅଛିନି ମୋହୋର ବୁଦ୍ଧି

ତୋହୋର ବଚନ କହ ମୋତେ କେମନ୍ତେ କାର୍ଯ୍ୟସିଦ୍ଧି।୯୩।

 

ତୁମ୍ଭେ ତ ଯାଉଅଛ ବୁଦ୍ଧିୟେ ମୋତେ କହ

ହୃଦରେ ଧରିଥିବି ତୋହୋର ବଚନ ସନ୍ଦେହ।୯୪।

ଗାନ୍ଧାରସେନ ବୋଇଲା ଶୁଣସି ମୋହୋର ପୁତ୍ର

ମୁହିଂ ଯେତେବେଳେ ହୋଇବି ମୃତ୍ୟୁ ପରାପତ।୯୫।

 

ୟେ ମୋହୋର ଡାହାଣ କରର ପବ ଅସ୍ଥି

ତାହା ଯତନ କରି ଥୋଇଥିବୁ ନ ଜାଣିମ କୁରୁପତି।୯୬।

ଡାହାଣ ହାଥର ଡାହାଣ ପବ ଗୋଟି

ତାହା କରାଇବୁ ବାବୁ ପଶା ଦୁଇକାଠି।୯୭।

 

ବାମ ହାଥର ପବ କରାଇବୁ ପଶାର ଗୁଟି

କରାଇବୁଟି ନିର୍ବାଣ ଯତନ କରି ତିରିଶ ଗୋଟି।୯୮।

ଅବଶ୍ୟ ଦ୍ରିଯୋଧନ ତୋତେ କରିବ ବଡ଼ ଜଣେ

ରାଜାର ତୁଲେ ବସିବୁ ତୁ ମହାମନ୍ତ୍ରୀ ପଣେ।୯୯।

 

ବାବୁ ତୁ ତ ନାଶ କରି ନୁଆରିବୁ ତାହାକୁ

ପଶା ଖେଳାଇବୁ ତୁ ଦ୍ରିଯୋଧନ ସଂଗେ ପାଣ୍ଡବଙ୍କୁ।୧୦୦।

ଆପଣେ ପାଡ଼ିବୁ ତୁ କୂଟ କପଟ ପାଶା

ଦାନ ପଡୁଥିବଟି ତୋହୋର ମନୀଷା।୧୦୧।

 

ଯୁଝେଷ୍ଠିଙ୍କି ହରାଇବୁ ଜିଣାଇବୁ ଦ୍ରିଯୋଧନ

ପଶା ଖେଳଇ ଯେ ଘେନାଇବୁ ପାଣ୍ଡବଙ୍କ ରାଜ୍ୟ ସିଂହାସନ।୧୦୨।

ଆତ୍ମା ସହିତେ ଜିଣାଇବୁ ଦ୍ରିଯୋଧନକୁ

ସଭାର ତଳେ ନେଇ ବସାଇବୁ ପାଣ୍ଡବଙ୍କୁ।୧୦୩।

 

ସମ୍ଭର୍ବେ ଆସ୍ତାନେ ବସିଥିବ କୁରୁରାଜା

ସଭାର ତଳକୁ କେଶ ଧରି ଅଣାଇବୁ ପାଣ୍ଡବଙ୍କର ଭାରିଯା।୧୦୪।

ବିବସନ କରାଇବୁ ଆଣି ମହାସଭା ତଳେ

ସେ କଥା ମାନ ଭୀମା ଲିହିଥିବ ବକ୍ଷ ସ୍ଥଳେ।୧୦୫।

 

ତହିଂର ରାଗ ଯେ ଘେନିଣ ଭୀମସେନ

ଦ୍ରିଯୋଧନର ବଂଶ ନାଶ କରିବ ସଂଗ୍ରାମେଣ।୧୦୬।

ବାବୁ ତୁହି ରଣ ଯାଗ୍ୟଂ କରିବୁ ସହଦେବର ହସ୍ତେ

ଭଣଞ୍ଜାଙ୍କୁ ମରାଇ ନ ରହିବୁ କଦାଚିତେ।୧୦୭।

 

ଜଳ ସ୍ଥଳ ଅନଳେ କହୁଅଛି ତୋତେ

ପାଣ୍ଡବେ ବଧ ନୋହନ୍ତି କେଉଣସି ମତେ।୧୦୮।

ଶଙ୍କୁନି ବୋଇଲା ତାତ କହିଲୁ ଯେଉଣ କଥା

ଦେବଙ୍କୁ ଅଶକ୍ୟ ୟେ ତୋହୋର ବାରତା।୧୦୯।

 

ୟେ ତୋହୋର ଭୁଜ ୟେତେ ପୁଣ୍ୟ କରିଥିଲା କାହିଂ

ସଂପ୍ରତେ କରାଅ ମୋତେ ୟେଥିର କଥା କହି।୧୧୦।

ଗାନ୍ଧାରସେନ ବୋଇଲା ବାବୁ ୟେ ତ୍ରେତୟା ଯୁଗର କଥା

ଶହସ୍ର ଶାହାସ୍ରେ ମୁଂ ଅଟଇ ନିର୍ଜିତା।୧୧୧।

 

ପଶା ଖେଳିଲେ ମୁଂ ହାରଇ ପ୍ରତିଦିନେ

ଗଙ୍ଗାକଇଂ ସେବା କଲି ମୁଂ ପୁତ୍ରରେ ପଶାର ଅଭିମାନେ।୧୧୨।

ପଞ୍ଚଦଶ ବରଷ ପରିଯନ୍ତେ ମୁଂ କଲି ଘୋର ତପ

କଠୋର ତପେ ଦେଖିଲି ବାବୁ ଗଙ୍ଗାଙ୍କ ସରୂପ।୧୧୩।

 

ଉତ୍ତ୍ରାଙ୍କ ତୀର୍ଥେ ପ୍ରସନ୍ନ ହୋଇଲେ ଧବଳାଙ୍ଗୀ

ବୋଇଲେ ଗାନ୍ଧାରସେନ ରେ ବର ମାଗ ବେଗି।୧୧୪।

ମୁଂ ବୋଇଲି ଗୋ ମାତା ସୁଦୟା କର ମୋତେ ଆଦିନାରୀ

ତୋହୋର ତହୁଂ ଦେବୁ ମୋତେ ବିଜୟ ପଶା ସାରି।୧୧୫।

 

ପଶାରେ କେହି ମୋତେ ନୋହିବେ ଜିଣନ୍ତା

ପ୍ରସନ୍ନେ ପଶା ସାର ମୋତେ ଦିଲେ ଆଦିମାତା।୧୧୭।

ତିନି ବରଷରେ ତୁ ତିନି ଭୁବନ ଜିଣିବୁ

କଥା ରୁହାଇ ଆଣି ମୋତେ ବାବୁ ରେ ବାହୁଡ଼ାଇ ଦେବୁ।୧୧୮।

 

ଗଙ୍ଗାହୁଂ ବିଜୟା ସାର ଘେନି ଅଇଲି ତନୟେ

ଅନେକ ରାଜାଙ୍କୁ ବାବୁ ରେ ମୁଂ ଜିଣିଲି ପଶାୟେ।୧୧୯।

ପଶାର ଭୟେ କେହି ନଇଲେ ମୋର କତି।୧୨୦।

 

ତିନି ବରଷକୁ ଆଣିଲି ସାତ ବରଷ ଗଲା

ଗଙ୍ଗାଙ୍କୁ ତୁସ୍ତି କରି ମୁଂ ବିଜୟା ପଶା ଦେଲି।୧୨୧।

ପଶା ଘେନିମାକୁ ଦେବୀ ପାତିଲେକ ହସ୍ତ

ବିନୟ ଭାବେ ଗୋସାମଣୀଙ୍କୁ ଯୋଡ଼ିଲି ବେନି କର ପତ୍ର।୧୨୨।

 

ତୁ ଯେବେ ପ୍ରସନ୍ନ ହୋଇଲୁ ମହେଶ୍ୱରୀ ମୁକୁ

ଚିରନ୍ତନ କଥା ରହୁ ମୋହୋର ବଂଶକୁ।୧୨୩।

ଗଙ୍ଗା ବୋଇଲେ ପଶା ପାତିଲୁ ଯେବଣ କର ସ୍ଥଳେ

ତୋହୋର ମୃତୁକାଳେ ଅସ୍ଥି ଘେନିମ ତୋହୋର କୁମରେ।୧୨୪।

 

ଡାହାଣ ହସ୍ତ ପବେ କରିବ ଦୁଇ ପାଶାକାଠି

ବାମ ହସ୍ତର ପବ କରିବ ପାଶା ଗୁଣ୍ଡି ତିରିଶ ଗୋଟି।୧୨୫।

ତୋହୋର ବଂଶକୁ ଯେ ରହିବ ଚିରନ୍ତନେ

କେହି ଜିଣନ୍ତା ନୋହିବଟି ତ୍ରୈଲୋକ୍ୟ ଭୁବନେ।୧୨୬।

 

ଗଙ୍ଗାର ପ୍ରସନ୍ନ ବାବୁ ନୋହଇ ଆନ କଲା

କହୁଂ କହୁଂ ଗାନ୍ଧାରସେନ ପ୍ରାଣ ତ୍ୟାଜ ହୋଇଲା।୧୨୭।

ପିତାର ବଚନେ ସେ କୁମାର ଶଙ୍କୁନି

ଦୁଇହସ୍ତର ଅସ୍ଥି ପବ ଯତନ କରି ଘେନି।୧୨୮।

 

ଶୟେ ଛୟାଣୋଇ ଜଣ ତ ପ୍ରାଣତ୍ୟାଜ ହୋଇଲା

ୟେକ ମାତ୍ର ଶଙ୍କୁନି ପ୍ରାଣ ସେ ପାଇଲା।୧୨୯।

ଥାଳିୟେକ ଅନ୍ନ ଯେ ଦେଉଥିଲା କୁରୁପତି

ଅନ୍ତେଣ ପୁଣ ନ ଦିଲା ତାହା ମୂର୍ଖମତି।୧୩୦।

 

କାନ୍ଥରେ ଶଙ୍କୁନି ଲେପିଥିଲା ଯେବଣ ଅନ୍ନ

ତାହା ଖାଇ ପ୍ରାଣ ସେ ରଖଇ ପ୍ରତିଦିନ।୧୩୧।

 

ଶକୁନିର ମନ୍ତ୍ରୀତ୍ୱ ଲାଭ

 

ୟେଥୁ ଅନନ୍ତରେ ବିଲଙ୍କ ଦେଶ ରାଜା

ଅଗସ୍ତି ଚରଣ ତଳେ କଲା ଦିବ୍ୟ ପୂଜା।୧।

ଗାନ୍ଧାରସେନର ବଂଶ ପଥର ଘରେ ଭରି

ବିନା ଦୋଷେ ନାଶ କଲା କୁରୁ ଦଣ୍ଡଧାରୀ।୨।

 

ଶୟେ ସତାଣୋଇ ଜଣ ସର୍ବେ ଗଲେ ନାଶ

ଶଙ୍କୁନି ମାତ୍ରକ ଯେ ରହିଲା ଅବଶେଷ।୩।

ୟେଥୁ ଅନନ୍ତରେ ହେଲା ଯେ କେବଣ ଚରିତ

ବିଚାରି ଆଗ୍ୟାଂ ମୋତେ କହିବା କୁମ୍ଭ ସୁତ।୪।

 

କହନ୍ତି କୁମ୍ଭସୁତ ଶୁଣିମା ବିଲଙ୍କାଧି

କେତେ ଦିନ ଅନ୍ତରେ ସେ କୁରୁ କୁଳନିଧି।୫।

ଦିନ ପ୍ରକୃତି ସଂସ୍କାର ନିମନ୍ତେ ରାଜନ

ରତ୍ନ କଠାଉ ଚଢି ବିଜେ ତୋଟା ଜଗତୀର ସ୍ଥାନ।୬।

 

ସଙ୍ଗେ ରତ୍ନଝରୀରେ ନୀର ଧରି ତାର ଦାସୀ

ବଟ ମୂଳେ ରାଜନ ମିଳିଲାକ ଆସି।୭।

ମୂତ୍ର କରନ୍ତେଣ ଧାର ଗଲା ବେଗେ ବହି

ବଟ ଫଳ ଭାସିଲା ଦେଖି ନରସାଇଂ।୮।

 

ମନେ ବିଚାର କରଇ ରାଜା ଦ୍ରିଯୋଧନ

ୟେଡ଼େ ବୃକ୍ଷର ଫଳ ଯେ ୟେତେକ ସାମାନ୍ୟ।୯।

ୟେବେ ଭାସି ଯାଉଅଛି କିଞ୍ଚିତ ମତ ହୋଇ

ୟେଥି ବୀଜ ଅଛି ପାଞ୍ଚ ସାତ ଶତହିଂ।୧୦।

 

ବିଧାତାର ବଶେ ୟେ ବୀଜମାନେ ବୃକ୍ଷ ହେବେ ଯେବେ

ସମୋଦ୍ର ପ୍ରାୟେ ଜଳ ବରଷିଲେ ୟେ ପୁଣ କିଛିହିଂ ନୋହିବେ।୧୧।

ବୃକ୍ଷକୁ ଚାହିଂଲା ଅଟଇ କେଡ଼େ ଦାରୁ

ମନେ ମନେ ବିଚାରି ହସିଲା ରାଜାଗୁରୁ।୧୨।

 

ଧନ୍ୟ ଧନ୍ୟ ବିଧାତା ଅଟଇ ପ୍ରଭୁପଣ

କାହିଂକି କେତେ ରୂପେ କରିଛୁ ନିର୍ବାଣ।୧୩।

ବୃକ୍ଷ ମାନଙ୍କର ରାଜା ଯେବଣ ସ୍ଥାବର

ତା ବୀଜ ଭାସିଲା ମୂତ୍ରରେ ମୋହୋର।୧୪।

 

ତଳକୁ ଅନାଇଂ ରାଜା ବୃକ୍ଷକୁ ଅନାଇଂ

ମନେମନେବିଚାରିଣହସିଲାକୁରୁସାଇଂ।୧୫।

ଯହୁଂ ସେ ହସିଲା ଗାନ୍ଧାରୀ ନନ୍ଦନ

ଦାସୀ ହିଂ ହସିଲା ହୋଇ ହୃଷ୍ଟ ମନ।୧୬।

 

କୋପେ ଦ୍ରିଯୋଧନ ବୋଇଲା ମୁଦୁସୁଲୀକି।

କିମର୍ଥେ ହସିଲୁ କେବଣ କଥା ଦେଖି।୧୭।

ସରୂପ କରି କହଲୋ ୟେ ତୋର କେବଣ ପ୍ରକୃତି

ଉପହାସ କଲୁକି ଅନମିତେ ହସିଲୁ ନିବୃତି।୧୮।

 

ମୁଦୁସୁଲୀ ବୋଇଲା ଶୁଣିମା ଗୋସାଇଂ

ତୁମ୍ଭେ ଯହିଂକି ହସିଲ ମୁହିଂ ହସିଲି ତହିଂ ପାଇଂ।୧୯।

ରାଜନ ବୋଇଲା ମୁଂ କି ନିମନ୍ତେ ହସିଲି କହ

ନ କହିଲେ ତୁ ଆଜ ନାଶ ଗଲୁ ତ ନିଶ୍ଚୟ।୨୦।

 

ମୁଦୁସୁଲୀ ବୋଇଲା ଶୁଣିମା ଗୋସାଇଂ

କାଲି ପ୍ରଭାତେ ଦେବାର୍ଚ୍ଚନେ ଜଣାଇବି ମୁହିଂ।୨୧।

ନୃପତି ବୋଇଲେ କାଲି ଯେବେ ମୋତେ ନ କହିବୁ ସତ

ନାସା ଶ୍ରବଣ ଦୁଇ କରିବି ତୋର ହତ।୨୨।

 

ଆଗ୍ୟାଂ ଦେଇ ରାଜନ ଗଲା ନିଜପୁର

ୟେଥୁ ଅନନ୍ତରେ ଶୁଣ ବିଲଙ୍କ ନୃପବର।୨୩।

କଣ୍ଡ କରି ମୁଦୁସୁଲୀ ଗଲାକ ଭିତର

ମନେ ବିଚାରଇ ମରଣ ହୋଇଲା ମୋହୋର।୨୪।

 

ନ ଜାଣି ହସିଲି ମୁଂ କି କହିବି କାଲି ପ୍ରଭାତେ

ଭୋ ଧର୍ମ ଦେବତା ପ୍ରତିକାର କର ମୋତେ।୨୫।

ଆଜ ଦିନ ବଞ୍ଚାଇଲି ବଳ ବୁଦ୍ଧିକରି

କାଲି ନୃପତି ଦଣ୍ଡିବ ମୁଂ କି ରୂପେ ହୋଇବି ପାରି।୨୬।

 

ଯେଉଂ ଦିନୁଂ ଗାନ୍ଧାର ବଂଶ ବନ୍ଦୀ କରି

ପଥର ଘର ଭିତରେ ଭରିଲା ଦଣ୍ଡଧାରୀ।୨୭।

ଅନ୍ନ ଜଳ ଯାହା ଦିଅଇ ମାନ ଚକ୍ରବ୍ରତୀ

ବନ୍ଦୀ ଘର ଭିତରେ ଦାସୀ ପ୍ରବେଶ କରାୟେ ନିତି।୨୮।

 

ସେ ଦିନ ଅନ୍ନ ଘେନି ମନର ବିରସେ

ପ୍ରବେଶ ହେଲା ଯାଇଂ ବନ୍ଦୀ ମନ୍ଦିର ପାଶେ।୨୯।

ଗୁଣ୍ଡୁରି ଜଳା ବାଟେ ଡାକିଲା ଥିର କରି

କେ ଅଛ ଅନ୍ନ ବାବୁ ନିଅ ବେଗ କରି।୩୦।

 

ବିହି ତୁମ୍ଭଙ୍କୁ ମୋତେ କଲାକ ଅନ୍ତର

କାଲି ନାସା ଶ୍ରବଣ ମୋ ଛେଦି ବନୃପବର।୩୧।

ଭିତରେ ଥାଇଣ ଶଙ୍କୁନି କହଇ ବଚନ

କି ଦୋଷେ ନାଶ ତୋତେ କରିବ ରାଜନ।୩୨।

 

ଦାସୀ ବୋଇଲା ଦେବ ନ ଜାଣଇ କିଛି

ପ୍ରକୃତି ସଂସ୍କାରେ କାଲି ଗାନ୍ଧାରୀର ବତ୍ସି।୩୩।

ବଟବୃକ୍ଷ ମୂଳେ ବିଜୟ କଲା ଆସି

ମୂତ୍ର ନୀର ବହନ୍ତେ ମନ୍ଦ ମନ୍ଦ ହସି।୩୪।

 

ତଳକୁ ଚାହିଂଣ ସେ ନେତ୍ରକୁ ବୁଜିଲା

ବୃକ୍ଷକୁ ନିରେଖି ସେ ପୁଣି ହିଂ ହସିଲା।୩୫।

ରାଜା ହସି ଉଠନ୍ତେ ହସିଲଇଂ ମୁହିଂ

ଶୁଣି ରାଜନ ବୋଇଲାଲୋ ହସିଲୁ କାହିଂ ପାଇଂ।୩୬।

 

କରଯୋଡି ବୋଇଲି ମୁଂ ନଜାଣଇ କିଛି

ତୁମ୍ଭେ ଯହିଂକି ହସିଲ ମୁଂ ତହିଂକି ହସିଲି କୁରୁ ବତ୍ସି।୩୭।

ରାଜା କହିଲା ତୁ କହ ମୋର ମନର ବାରତା

ନୋହିଲେ ପ୍ରାଣେ ତୋତେ ମାରିବି ସର୍ବଥା।୩୮।

 

ୟେମନ୍ତେ ବୋଲି ଆଗ୍ୟାଂ ଦେଇଛନ୍ତି ଦଣ୍ଡଧାରୀ

କାଲି ପ୍ରଭାତରେ ଯେ ପକାଇବ ମାରି।୩୯।

ଶଙ୍କୁନି ବୋଇଲା ମା ଗୋ ନ କର ମନେ ଚିନ୍ତା

ଆମ୍ଭେ କହିବା ରାଜାର ଅନ୍ତର୍ଗତ ବାରତା।୪୦।

 

ଯେମନ୍ତେ ରାଜନ ତୋତେ ନ ବୋଲିବ କିଛି

ୟେମନ୍ତେ ଆଶ୍ରିଜ ଉପାୟ ଆମ୍ଭ ତହିଂ ଅଛି।୪୧।

ଯେତେବେଳେ ରାଜନ ତୋତେ ପୁଚ୍ଛିବ ବାରତ

ବୋଲିବୁ ଶୁଣ ପ୍ରଭୁ କୁରୁ କୁଳନାଥ।୪୨।

 

ବଟମୂଳେ ଯେତେବେଳେ କଲୁ ଯେ ପ୍ରକୃତି

ବଟବୀଜ ଉପୁଚିଆଇ ମୂତ୍ରର ସୋହତି।୪୩।

ବୀଜକୁ ଅନାଇ ବୃକ୍ଷକୁ ଅନାଇ

ବିଧାତା ସୁମରି ହସିଲୁ କୁରୁସାଇଂ।୪୪।

 

ଶଙ୍କୁନି ତହୁଂ ତଥ୍ୟ ବିଚାର ପାଇ ଦାସୀ

ରାଜାର ଛାମୁରେ ମିଳିଲା ପ୍ରସନ୍ନ ହୋଇଆସି।୪୫।

ପ୍ରଭାତୁଂ ଉଠି ଦାସୀକି ପୁଚ୍ଛିଲା ଦଣ୍ଡଧାରୀ

ସୁନ୍ଦରୀ କହଇ ଭୟକୁ ଦୂରକରି।୪୬।

 

ବଟମୂଳେ ବିଜୟେ ଯେ କଲୁ ଦଣ୍ଡଧର

ରତ୍ନଝରୀରେ ମୁଂ ଯେ ଧରିଥିଲି ନୀର।୪୭।

ମୂତ୍ରରେ ତୁମ୍ଭର ବଟମଞ୍ଜି ଯେ ଭାସନ୍ତେ

ବୃକ୍ଷକୁ ଚାହିଂ ତଳକୁ ଚାହିଂ ହସିଲୁ କୁରୁନାଥେ।୪୮।

 

ଅନ୍ତର୍ଗତ ବାରତା କହିଲୀ ଦାସୀ ଯହୁଂ

ଶୁଣିଣ ଆଶ୍ରିଜ ହେଲା କୁରୁ କୁଳପ୍ରହୁ।୪୯।

ଦାସୀକି ଅନାଇ ଦଣ୍ଡେ ମଉନ ହୋଇ ରହି

ମନେ ମନେ ଅନ୍ତର୍ଗତେ ଭାଳିଲା କୁରୁସାଇଂ।୫୦।

 

ଦାସୀ ଛାରକ ନୁହେଂ ୟେହାର ୟେ ବୁଦ୍ଧି

ଭୂତ ଭବିଷ୍ୟ ବର୍ତ୍ତମାନ ତିନି କାଳେ ସିଦ୍ଧି।୫୧।

ୟେମନ୍ତ ଜନ ନିଶ୍ଚେଂ କହିଲା ୟେହାରେ

ଦାସୀକି ଚାହିଂଣ କହିଲା କୁରୁବୀରେ।୫୨।

 

ତୋହୋର ଚରିତ ୟେ ନୋହଇ କଦାଚିତ

କହ ତୋତେ କହିଲା କେବଣ ପଣ୍ଡିତ।୫୩।

ଧନରତ୍ନ ବହୁତ ଅଳଙ୍କାର ଦେବି

ଯାବତ ଦୋଷ ତୋହୋର କ୍ଷମା ମୁଂ କରିବି।୫୪।

 

ଦାସୀ ବୋଇଲା ଆହୋ ଶୁଣିମା କୁରୁନାଥ

ପ୍ରତିଦିନ ଯାହାକୁ ମୁଂ ଦିଅଇ ନୀର ଭାତ।୫୫।

ପଥର ଘରେ ଯାହାକୁ ରଖିଛୁ ନୃପବର

ସେ କହିଲା ତୋର ୟେ ହୃଦୟ ବିଚାର।୫୬।

 

ଶୁଣିଣ ରାଜନ ବହୁତ ହରଷ ହୋଇଲା

ବହୁତ ଧନରତ୍ନେ ତହୁଂ ଦାସୀକି ମଣ୍ଡିଲା।୫୭।

ଆସ୍ତାନ ଜଗତୀରେ ୟେକାନ୍ତେ ବିଚାରିଲେ ବସି

ୟେହି ସେ ଉପାୟେ ଶତ୍ରୁକୁ ପାରିବଇଂ ନାଶି।୫୮।

 

ଭୂତ ଭବିଷ୍ୟ ବର୍ତ୍ତମାନ ଜାଣଇ ତିନି କଥା

ୟେହି ସେ ମନ୍ତ୍ରୀପଣକୁ ସଭାରେ ଯୋଗ୍ୟତା।୫୯।

ସକଳ ସଭାଜନ ଘେନିଣ ନରପତି

ତେର ମାସେ ବିଜେ କଲାକ କୁରୁପତି।୬୦।

 

କବାଟ ଫେଡାଇଲା ଯାଇଂ ମାନ ଚକ୍ରବ୍ରତୀ।୬୧।

ହାକଇ ଦ୍ରିଯୋଧନ ଦ୍ୱାରେ ଉଭା ହୋଇ

ଜୀବନ୍ତା କେ ଅଛି ବୋଲି ଡାକଇ କୁରୁସାଇଂ।୬୩।

 

ଅନ୍ନ ଖିନ୍ନେ ଶଙ୍କୁନି କହଇ କ୍ରୋଧ ବାଣୀ

ଅନମିତେ ମୋର ବଂଶ ତୁ ନାଶିଲୁ ନୃପମଣି।୬୪।

ଶୟେ ଛୟାଣୋଇ ଜଣ ମାଇଲୁ ମୋହୋର ହୋ ରାୟେ

ନିଲ୍ଲଜ ଆତ୍ମା ମୋର ବ୍ରତିଛି ୟେ କାୟେ।୬୫।

 

ୟେହାଙ୍କର ଅବସ୍ତା ଦେଖି ଶରୀର କିମ୍ପା ନ ଯାଉ

ଧିକ ମୋହୋର ଜୀବନ ଗ୍ରିଧିନୀ ମାଂସ ଖାଉ।୬୬।

କର୍ମକୁ ନିନ୍ଦି କ୍ରୋଧ କରଇ ଶଙ୍କୁନି

ହୃଦୟେ ବୈକୁଲ୍ୟ ରାଜାର କ୍ରୋଧ ମାନି।୬୭।

 

ଆଗ୍ୟାଂ ଦିଲା ସେ ଧୁଶାସନ ଦୁର୍ଜୟକୁ

ଭିତରେ ପଶି ଆଣରେ ମୋହୋର ଛାମୁକୁ।୬୮।

ଆଗ୍ୟାଂ ପ୍ରମାଣେ ସେ ପଶିଲେ ଭିତରେ

ଶଙ୍କୁନି କି କୋଳ କରି ଆଣନ୍ତି ବେନି ବୀରେ।୬୯।

 

ଭିତରୁ ବାହାର ସେ ହୋଇଲା ଶଙ୍କୁନି

ଦ୍ରିଯୋଧନ ବୋଇଲା ମାମୁ ଜୀବନ ତୋହୋର ଧନି।୭୦।

କନେକ ରତ୍ନ ଘଟେ ପାଣି ଯେ ପୁରୋଇ

ସ୍ନାହାନ କରାଇଲା ଆପଣେ ସନ୍ନିଧ୍ୟେ ଉଭା ହୋଇ।୭୧।

 

ଅନେକ ସୁଗନ୍ଧ ଯେ ଲଗାଇ ତାହାର କେଶେ

ସ୍ରାହାନ କରାଇ ପିନ୍ଧାଇଲେ ଝୀନ ବାସେ।୭୨।

ଅନେକ କୁସୁମେଣ କେଶ ସାଞ୍ଜୋଇ

ଅଷ୍ଟରତ୍ନ ଅଳଙ୍କାର ଶରୀରେ ଆଭରଣ କରାଇ।୭୩।

 

ଚନ୍ଦନ ଚତୁସମ ମୃଗଲାଭ କସ୍ତୁରୀ

ଆପଣେ ଦ୍ରିଯୋଧନ ଶଙ୍କୁନି ଶରୀରେ ଲେପନ କରି।୭୪।

ଶ୍ରୀହସ୍ତେ ପାଟଶାଢୀ ଦିଲାକ କୁରୁପତି

ୟେ ପଞ୍ଚୁକଟକେ ମାତୁଳ ତୁମ୍ଭେ ୟେକାଙ୍ଗ ମହାମନ୍ତ୍ରୀ।୭୫।

 

ଯେ ସେ ନାଶଗଲେ ତୋର ପିତା ବାନ୍ଧେବ ସୋହୋଦରେ

ତାହା ମାତ୍ର ତୋତେ ଦେଇ ନ ପାରିବି ମନ୍ତ୍ରୀବରେ।୭୬।

ଇନ୍ଦ୍ରପ୍ରଶସ୍ତ ଯମପ୍ରଶସ୍ତ ହସ୍ତିନା ଜୟନ୍ତା ବାରୁଣା

ୟେ ପଞ୍ଚୁରାଜ୍ୟକୁ ମାମୁ ତୁହି ସେ ଧାରଣା।୭୭।

 

ବଇଠା ରାଜା ସେ ଆଜହୁଂ ମୋହୋର

ତୋହୋର ଆଗ୍ୟାଂ ହି ସେ ପଞ୍ଚୁରାଜ୍ୟକୁ ନିରାଧାର।୭୮।

ଆଲମ୍ୱ ପାଟଛତ୍ର ଉଭାରନ୍ତି ବେନି ପାଖେ

ଛାମୁରେ ଫୁରଇ ସୁବର୍ଣ୍ଣ ବନ୍ଧା ଶଙ୍ଖ ଲକ୍ଷେ।୭୯।

 

ଲକ୍ଷେକ ଆଲଟ ଯେ ଢାଳନ୍ତି ବେନି କତି।୮୦।

ଆଗେଣ ମହାମତ୍ତ ଯେ ପାଞ୍ଚ ଲକ୍ଷ ଗଜ

ପଛରେଣ ପାଞ୍ଚ ମର୍ଭୁତ ଅଶ୍ୱ ଚୋଖାର କଲେ ସଜ।୮୧।

 

ୟେସନେକ ସମ୍ପଦ କରାଇଣ ଶଙ୍କୁନି

ଗାନ୍ଧାରୀଙ୍କ ଛାମୁକୁ ଦ୍ରିଯୋଧନ ଗଲା ଘେନି।୮୨।

ଶଙ୍କୁନି ନାମେଣ ଯେ ବ୍ରତିଲା ତୋହୋର ୟେକ ଭ୍ରାଥ।୮୩।

 

ଅନେକ ପୁରୁଷାର୍ଥ ଯେ କରାଇଲା ଦ୍ରିଯୋଧନ

ଦୁତୀ ଇନ୍ଦ୍ର ପ୍ରାୟେ ଦିଶଇ ଗାନ୍ଧାରସେନ ନାନ।୮୪।

ଗାନ୍ଧାରୀ ବୋଇଲେ ୟେ ସଭିୟେଂ ଗଲେ ନାଶ

ୟେକା ପାମର ତୁ ଜୀବନେ କଲୁ ଆଶ।୮୫।

 

ମୁହିଂ ୟେବେ ତୋହୋର ରେ ପ୍ରକୃତି ଜାଣିଲି

ତୁ ୟେକା ବ୍ରତିଲୁ ଦ୍ରିଯୋଧନର ବଂଶ ନାଶ କରିବୁ ବୋଲି।୮୬।

ମୋହୋର ବଚନ ଶୁଣରେ କୁରୁ-ରାଜ-ଦେବ

ଶଙ୍କୁନି ବଚନକୁ ବାବୁରେ ନଯିବୁ ସଦଭାବ।୮୭।

 

ଯାହାର ବଂଶ ନାଶ କଲୁ ତାହାକୁ କଲୁ ମନ୍ତ୍ରୀ

ଉଭୟେ କୁଳ ନ ପାରିବି ବୋଲି ବୋଇଲେ ମହାସତୀ।୮୮।

ପିତାକୁଳ, ସ୍ୱାମୀକୁଳ ଅବଶ୍ୟ ଯିବ ନାଶ

ଯହିଂ ପାପ ତହିଂ ନାଶ ହୋଅନ୍ତି ଅବଶ୍ୟ।୮୯।

 

ଗାନ୍ଧାରୀ କହିଲେ ସିଦ୍ଧ ଅର୍ଥ ବାଣୀ

ମୂର୍ଖ ଦ୍ରିଯୋଧନ ତାହା ଶ୍ରବଣେ ନ ଶୁଣି।୯୦।

ରାଗେଣ ଗାନ୍ଧାରସେନକୁ ରାୟେ ମାରି

ପାଣ୍ଡବଙ୍କ ରାଗେ ହୋ ଅପାର ବିସରି।୯୧।

 

କର୍ଣ୍ଣ ଶଙ୍କୁନି ଯେ ଅଶସ୍ତମା କୃପ

ୟେହାନ୍ତ ଘେନି ୟେକାନ୍ତେ ଭାଳୁଥାଇ ନୃପ।୯୨।

ବିଦୁରେ କହିଲେ ଯେ ଯୁଝେଷ୍ଠିଙ୍କ ଅଗ୍ରତେ

ଧୃତରାଷ୍ଟି ବାବୁରେ ଅନେକ କୋପ କଲା ତୋତେ।୯୩।

 

ତୁ ବାବୁ ୟେ କଥାନ୍ତ ବୁଝିଥାଅ ପରିମାଣି

ଅନେକ ପ୍ରମାଦେ ତୋତେ ଚିନ୍ତିବ କୁରୁମଣି।୯୪।

ରାଜାଗାନ୍ଧାରସେନ ବଂଶ ନାଶ କଲା ତୁମ୍ଭ ରାଗେ

ଶଙ୍କୁନି ମହାମନ୍ତ୍ରୀ ହୋଇଲା ଶୁଭଯୋଗେ।୯୫।

 

ଅବଶ୍ୟ ପ୍ରମାଦ ସେ ଚିନ୍ତିବଟି ତୁମ୍ଭଙ୍କୁ

ବହୁତ ବାଗେ ସମ୍ଭାଳିଥିବ ଟି ଭୀମସେନକୁ।୯୬।

ଯୁଝେଷ୍ଠି ପଚାରନ୍ତି ବିଦୁର ଅଗ୍ରତେ

ଧୃତରାଷ୍ଟି ୟେତେ ରାଗ କରିଛିକିନା ମୋତେ।୯୭।

 

ଯଦ୍ୟପି ଅଦୟା ମୋତେ କରିବେ କୁରୁରାୟେ

ତୁହି ମାତ୍ର ତାତ ମୋତେ କରିଥାଅ ସଦୟେ।୯୮।

ବିଦୁର ବାସୁଦେବ ଯେବେ ହୋଇବେ ସପକ୍ଷ

ତ୍ରୈଲୋକ୍ୟ ବ୍ରହ୍ମାଣ୍ଡେ ମୋତେ କେ ଅଛି ସମକକ୍ଷ।୯୯।

 

ଜତୁଗୃହ ନିର୍ମାଣ ଓ ଭୀମର ବିଷଲଡୁ ଭକ୍ଷଣ

 

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

କୂଟ ଉପାୟେ ପାଞ୍ଚୁଅଛି ଧୃତରାଷ୍ଟର ତନୁ।୧।

ଦ୍ରିଯୋଧନ କର୍ଣ୍ଣ ଶଙ୍କୁନି ଅଶସ୍ତମା

ବାରୁଣାବନ୍ତେ ବସି ଭାଳନ୍ତି ମହାତମା।୨।

 

ତୁଳମାସ କୃଷ୍ଣପକ୍ଷ ଦ୍ୱିତୀୟାର ତିଥି

ବନସ୍ତେ ଥାଇ ଭାଳଇ ମାନଚକ୍ରବ୍ରତୀ।୩।

ଆହୋ ପୁରୋତନ ନାମେ ୟୋକଇ ଦ୍ୱିଜବର

ୟେକା ହୋଇଥାଇ ବ୍ରାହ୍ମଣ ବନସ୍ତ ଭିତର।୪।

 

ପୂର୍ବ ଅଭିଶାପରୁ ଅଷ୍ଟବସୁରୁ ୟେକ ବସୁ

ଶାପ ଅନୁମତୁଂ ୟେ ବୁଲଇ ବନ କନ୍ଦର ଦେଶୁ।୫।

ପୂର୍ବ ଅନୁକର୍ମରେ ୟେ ବନ ପର୍ବତେ ଅଛନ୍ତି ବସି

ପୁରୋଚନ ପଣ୍ଡାୟେ ସନ୍ନିଧ୍ୟେ ହୋଇଲେକ ଆସି।୬।

 

ଧାର୍ମିକ ବିବେକ ବେଦ ଶାହାସ୍ରେଣ ନିର୍ଜିତା

ବେଦ ଆଧ୍ୟାନ ସେ କରଇ ବ୍ରାହ୍ମଣ ମହତା।୭।

କର୍ଣ୍ଣ ପଚାରିଲେ ତୁମ୍ଭେ କାହିଂର ପଣ୍ଡା ହେ

ବନସ୍ତେ ଭ୍ରମୁଅଛ ହୋଇଣ ନିର୍ଭୟେ।୮।

 

ବ୍ୟାଘ୍ର ଭାଲୁକେଣ ତୁମ୍ଭେ ନକର କି ଶଙ୍କା

ୟେ ଘୋର ବନସ୍ତେ ତୁମ୍ଭେ ବୁଲ କିଂପେ ୟେକା।୯।

ପୁରୋଚନ ବୋଇଲା ତୁମ୍ଭେ କାହିଂର ନରପତି

ହତରାଜ୍ୟ ପ୍ରାୟେ ତୁମ୍ଭର ଭାଳୁଣି ଯେମତି।୧୦।

 

କର୍ଣ୍ଣ ବୋଇଲେ ତୁମ୍ଭେ ଶୁଣ ହୋ ଦ୍ୱିଜବର

ପଞ୍ଚୁକଟକେ ଆଧିପତି ୟେ ଦ୍ରିଯୋଧନ ମହାବୀର।୧୧।

ୟେହାର ବଡ଼ କଷ୍ଟ ଶତ୍ରୁର ଉପଦର୍ପେ

ଅନେକ ବିଷରଇ ରାଜା ବଇରି ମତ୍ତଗର୍ବେ।୧୨।

 

ବିଚକ୍ଷଣ ବିବେକ ଧାର୍ମିକ ମହାରାୟେ

କେଡ଼େକ ଶତ୍ରୁ ସେ ତାହାକୁ ତୋହୋର ୟେତେକ ଭୟେ।୧୩।

ରଥ ଗଜ ଅଶ୍ୱ ପାଦାନ୍ତି ବଳ ତାର କେତେ

ସର୍ବେ ମାଆ ରାଣ୍ଡ ପାଞ୍ଚ ଗୋଟି ପୁତ୍ରେ।୧୪।

 

ପୁରୋଚନ ବୋଇଲା ୟେତେକ ଛାରକୁ

ବେଢିଣ ମାରିକି ହୋ ନ ପାରିଲା ତାହାକୁ।୧୫।

ଦ୍ରିଯୋଧନ ବୋଇଲା ତାଙ୍କୁ ପ୍ରାକର୍ମେ ନୋହୁ ସରୀ

ଯୁଦ୍ଧେଣ ବଳବନ୍ତା ପ୍ରାକର୍ମେ କେଶରୀ।୧୬।

 

ପୁରୋଚନ ବୋଇଲା ମୋହୋର ଅଛିନି ଉପାୟେ

ମୁହିଂ ତାହା ନାଶକରି ପାରଇ କୁରୁରାୟେ।୧୭।

ୟେମନ୍ତ ଶତ୍ରୁ ସେ ତୁମ୍ଭର ତାହାକୁ ୟେଡ଼େ ଭୟେ

ଯାହା କହିବି ମୁଂ କରିବ କଥାୟେ।୧୮।

 

ଗ୍ରାମ ଗୋଟିୟେ ମାତ୍ରକ ତୁ ତାହାକୁ ଛାଡ଼ିବୁ

ଜଉ ସଜଳସ ଗୁଆଘୃତ ଛଣପଟ ମୋତେ ଦେବୁ।୧୯।

ଜଦୁର ଘରେକ ମୁଂ ଭିଆଇବି କୂଟେ

ଜଉ ସଜଳସ ଗୁଆଘୃତ ଛଣପଟେ।୨୦।

 

ଆହୋ ପାଣ୍ଡବନ୍ତ ରୁହାଇବୁ ସେ ଘରରେ ଆଣି

ନିଦ୍ରାକାଳେଣ ଜାଳି ଦେବଇଂ ମୁହିଂ ୟେ ରୟେଣୀ।୨୧।

ଜଦୁର ଘରେ ଦହନ ହୋଇବେ ପଞ୍ଚୁବୀରେ

ୟେକାଙ୍ଗ ରାଜା ତୁ ହୋଇବୁ ପଞ୍ଚୁକଟକରେ।୨୨।

 

ଶୁଣିଣ ପରମ ସାନନ୍ଦ ହୋଇଲା କୁରୁପତି

ବ୍ରାହ୍ମଣକଇଂ ସମ୍ଭାଳିଲା ଅନେକ କରି ପ୍ରୀତି।୨୩।

ବୋଇଲା ୟେହି ବାରୁଣାବନ୍ତ କଟକ ଯେ ମୋହୋର ରାଜ୍ୟ

ତୋହୋର ଆଗ୍ୟାଂ ହେ ୟେହା ଛାଡ଼ିଲି ହୋ ଦ୍ୱିଜ।୨୪।

 

ଅନେକ ରତ୍ନ ଦେଇ ସେ କଲାକ ଗଉରୋବ

ଆତ୍ମାହୁଂ ଅଧିକ ସେ ହୋଇଲା ପ୍ରିୟ ଭାବ।୨୫।

ଜଉ ସଜଳସ ଗୁଆଘୃତ ଛଣପଟ

ୟେ ଚାରିଙ୍କି ମର୍ଦ୍ଦି ପୁରେକ ନିର୍ମିତ କଲା କୂଟ ଯେ କପଟ।୨୬।

 

ବିଚିତ୍ର ଲେଖନ ଉପରେ ନିର୍ବାଣି

ଲମ୍ୱନ୍ତି ଅଷ୍ଟରତ୍ନେ ମୁକୁତା ଝରାମଣି।୨୭।

କାନ୍ଥ ଚାଳ ସେ ରୁଅ ବତା ଆଦି କରି

ଜଉ ସଜଳସ ଗୁଆଘୃ ତଛଣପଟେ ଜଡ଼ି।୨୮।

 

ଭିତରେଣ ସମାନ ଉପରେ ବିଚିତ୍ର କମ

ଝଲକନ୍ତି ମଣିରତ୍ନ ଚିରାଳ ଉତ୍ତମ।୨୯।

ସୁବର୍ଣ୍ଣର କଳସ ଯେ ବସାଇ ଉପରେ

ପୁର ନିର୍ବାଣ କଲା ବ୍ରାହ୍ମଣ ପାଞ୍ଚ ବରଷରେ।୩୦।

 

ଯୁଝେଷ୍ଠିଙ୍କି ହକାରୀ ଯେ ବୋଇଲେ ଧୃତରାଷ୍ଟେ

ବାବୁ ତୋହୋର ଥିବା ନ ଯୋଗାଇ ହସ୍ତିନାକଟକେ।୩୧।

ବାବୁ ଭୀମସେନ ଦ୍ରିଯୋଧନ ହୋଇଲେ ଅନେକ ଅପ୍ରୀତି

ଦ୍ୱନ୍ଦ ହୋଇବ ବାବୁ ନ ରହ ତୁ ୟେଥି।୩୨।

 

ତୁମ୍ଭନ୍ତ ଛାଡ଼ିଲୁ କଟକ ବାରୁମାବନ୍ତେ

ସୁଖେଣ ରାଜ୍ୟ ଭୋଗ କର ପଞ୍ଚୁଭ୍ରାତେ।୩୩।

ଯୁଝେଷ୍ଠି ବୋଇଲେ ଆମ୍ଭେ ଆଦ୍ୟହୁଂ ବନଚର

ଜନ୍ମହୁଂ ବଢିଲୁ ଆମ୍ଭେ ଶତଶିଂଗ ପର୍ବତର।୩୪।

 

ୟେ ତୋହୋର ଆଗ୍ୟାଂ ଶିରେ ଧରି ମାନୁ ଆମ୍ଭେ ପଞ୍ଚୁଭ୍ରାଥେ

ବାରୁଣାବନ୍ତ ରାଇଜେ ତାତ ରହିବୁ ନିଶ୍ଚିନ୍ତେ।୩୫।

ଧୃତରାଷ୍ଟର ଆଗ୍ୟାଂ ଶିରେ ନିରାଧାର କରି

ଶୁଭ ଅନକୂଳ ଯୋଗ ଲଗ୍ନ ଯେ ବିଚାରି।୩୬।

 

ମାର୍ଗଶୀର କୃଷ୍ଣପକ୍ଷ ପ୍ରତିପଦା ଚନ୍ଦ୍ରବାର

ବୃଷ ରାଶିକୁ ଭୋଗ ଯେ ଅଟଇ ସେ ଦିନର।୩୭।

ତୈତିଳ ନାମେ କରଣ ଶିବ ନାମେ ଯୋଗ

ତାର ଚନ୍ଦ୍ର ବଳ ଶଶୀ ରୋହିଣୀ ଘରେ ଭୋଗ।୩୮।

 

ୟେସନେକ ଶୁଦ୍ଧ ଶୁଭଯୋଗ ଅନକୂଳେ

ବାରୁଣାବନ୍ତକୁ ଅନକୂଳ କଲେ ଶୁଭଲଗ୍ନ ବେଳେ।୩୯।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

କୋଇନ୍ତାକୁ ଘେନି ଚଳିଲେ ପଞ୍ଚୁ ଯେ ପାଣ୍ଡବ।୪୦।

 

ପ୍ରବେଶ ଯୁଝେଷ୍ଠି ଯାଇ ବାରୁଣାବନ୍ତ ପ୍ରଶସ୍ତେ

ଜଦୁର ଘର ଦ୍ୱାରେ ଯେ ରହିଲେ ପଞ୍ଚୁଭ୍ରାଥେ।୪୧।

ଦେଖନ୍ତି ଭୁବନ ଯେ ଅତି ପରିମଳ

ସୁବର୍ଣ୍ଣର କଳସ ଯେ ବସଇ ଢଳ ହଳ।୪୨।

 

ଚଉଂରୀ ନବର ବିସ୍ତାର ଭିଆଣ ସାତପୁର

ଖଞ୍ଜିତ ରତ୍ନମଣି ମାଣିକ୍ୟ ବିସ୍ତାର।୪୩।

ସୁବର୍ଣ୍ଣର ପାତିଆ ଯେ ଉପରେ ଛାୟେଣୀ

ମରକତ ବଇଡୁର୍ଯ୍ୟ ଗଜଦନ୍ତ ଶୁଦ୍ଧମଣି।୪୪।

 

ପୀଢାର ଉପରେଣ ମାଣିକ୍ୟ ପୁଞ୍ଜୀ ପୁଞ୍ଜୀ

ବାଳ ଆଦିତ୍ୟର ତେଜ ପ୍ରଭାତେଣ ଗଞ୍ଜି।୪୫।

ପୀଢାର ଉପରେଣ ନିର୍ବାଣ ଯେ ଅଷ୍ଟରତ୍ନ କମ

ଦେଖିଣ ଅନେକ ଉଷତ ଯେ ହୋଇଲେ ବୀର ଭୀମ।୪୬।

 

ଭୀମସେନ ବୋଇଲେ ୟେ ବଡ ସୁସଞ୍ଚ ଭୁବନ ଗୋଟି

ବାରସ୍ୱତୀ ଭୁବନ ଜାଣି ତେଜ ୟେହାର ଫୁଟି।୪୭।

ଯୁଝେଷ୍ଠି ବୋଇଲେ ବାବୁ ଭିତରେଣ ପଶ

କେମନ୍ତ ସରୂପ ତାହା ତୁ ବିଚାରିଣ ଆସ।୪୮।

 

ଯୁଝେଷ୍ଠିଙ୍କ ଆଗ୍ୟାଂ ପ୍ରମାଣେ ମାରୁତି

ଜଦୁରଘର ଭିତରେ ପଶିଲା ତତକ୍ଷଣାନ୍ତି।୪୯।

କଣୟ ପତ୍ର ରସାଣି ଅନେକ ରତ୍ନଖଞ୍ଜି

କିଅବା ବାରାନିଧି ଘେନି ଲକ୍ଷ୍ମୀ ୟେଥି ଭଜି।୫୦।

 

ଭୀମସେନ ବୋଇଲା ସ୍ୱାମୀ ଶୁଣ ରାଜଦେବ

ୟେଡ଼େ ଦୟା କିଂପେ କଲା ମାନଗୋବିନ୍ଦ କେଉଂଣ ପ୍ରସ୍ତାବ।୫୧।

ୟେ ମଧ୍ୟସ୍ୱର୍ଗରେଣ ୟେମନ୍ତ ଦେଖିଲା ମୋର ନାହିଂ

ମୁହିଂ ଆଶ୍ରିଜ ହୋଇଲେ ୟେ ପୁରକଇଂ ଚାହିଂ।୫୨।

 

ଧୃତରାଷ୍ଟ ପୁଅଙ୍କୁ ମୋର ଅନେକ ରାଗ ଥିଲା

ୟେ ଦିବ୍ୟଭୁବନ ଦେଖନ୍ତେ ଦେବ ସମସ୍ତ ପାଶୋର ଗଲା।୫୩।

ଯୁଝେଷ୍ଠି ବୋଇଲେ ଯେ ସେ ମୂର୍ଖପ୍ରାଣୀ

ପଣ୍ଡିତ କଥା ସେ ଯେ କେବେହେଂ ନଶୁଣି।୫୪।

 

ଆପଣେ ବିଜେ କଲେ ଜଉଘରର ଭିତରେ

ପୁର ପରିମଳ ଜାଣନ୍ତି ପଞ୍ଚୁବୀରେ।୫୫।

ଚନ୍ଦ୍ରଶାଳା ପୁରେ ଚଉଂରୀ ଭୁବନ

ଦକ୍ଷିଣ ଜଗତୀ ଯେ ନାନାବିଧରତ୍ନଚିହ୍ନ।୫୬।

 

ମେଢକ ନିର୍ବାଣ ଯେ ଦେଖିଣ ତୋଷ ମତି

ବିଶ୍ୱେଶ୍ୱର ଆସନ କି ଅମର ବାରସ୍ୱତୀ।୫୭।

ଭିତରେଣ ଥାଇ ଜଉ ଗୁଆଘୃତ ଛଣପଟ ଜଡ଼ି

ଉପରେ ସୁବର୍ଣ୍ଣ ରସାଣ ପତ୍ର ଅଷ୍ଟରତ୍ନେ ଖଞ୍ଜଣି କରି।୫୮।

 

ଦେଖନ୍ତି ସୁସଞ୍ଚ ଯେ ଅତ୍ୟନ୍ତ ଅମୂଲ୍ୟ

କୁବେର ଅଳକା ଭୁବନେ ଯେ ନୋହଇ ସମତୁଲ।୫୯।

ପ୍ରତକ୍ଷେ ପରିମଳ ସେ ଦେବଭୁବନ ପ୍ରାୟେ

ଦେଖିଣ ପରମ ସାନନ୍ଦ ସେ ଧର୍ମର ତନୟେ।୬୦।

 

ଯୁଝେଷ୍ଠି ବୋଇଲେ ହୋ ଆମ୍ଭେ ପଞ୍ଚୁଭ୍ରାଥେ

ଆମ୍ଭର ମାତା ଅଛନ୍ତି କୋନ୍ତଭୋଜର ଦୋହିତେ।୬୧।

ୟେହେନେକ ପୁର ଯେ ନିର୍ବାଣ କଲା ଦ୍ରିଯୋଧନ

କାହାର ବିଚାରକୁ ୟେହା ଦିଶଇ କେସନ।୬୨।

 

ମାୟେ ବୋଇଲେ ବାବୁ ୟେ ବଡ଼ ସୁସଞ୍ଚ ପୁରୀ

ଦ୍ରିଯୋଧନ ବଡ଼ ସଦଭାବେ ୟେହା ନିର୍ବାଣକରି।୬୩।

ତାହାର ହୃଦେ ଯେ ଆମ୍ଭଙ୍କୁ ନାହିଂ ପାପ ବାଧା

ମାନଗୋବିନ୍ଦ ୟେ ପୁର କରାଇଲା ବହିଣ ଶରଧା।୬୪।

 

ଭୀମସେନ ବୋଇଲା ଦେବ ୟେ ଅତିଥି ସୁସଞ୍ଚ ପୁରୀ

ଅନେକ ପ୍ରିୟ ଭାବେ ୟେହା ନିର୍ବାଣିଲା ଦଣ୍ଡଧାରୀ।୬୫।

ୟେବେ ସେ ଜାଣିଲି ଦ୍ରିଯୋଧନର ନିକଳଙ୍କ ହିୟା

ସୋଦ୍ରିମା ପଣ ଦେବ ପାଳିଲା କୁରୁନାହା।୬୬।

 

ଅର୍ଜ୍ଜୁନ ବୋଇଲା ଦେବ ଦ୍ରିଯୋଧନ ଅଟଇ ଭଲ

ବଢିଲା ପିରତୀ ଦେବ ହୋଇଲା ସମତୁଲ।୬୭।

ସୋଦ୍ରିମା ପଣ ଦେବ ଜାଣିମା କେମନ୍ତେ

ଭଲ ବାଞ୍ଛା କରଇ ଦେବ ତାହାର ହୃଦଗତେ।୬୮।

 

ଅଭାବକୁ ଭାବ ଯେବେ କରନ୍ତି ଯେବଣ ପ୍ରାଣୀ

ସୁଜନ ସଙ୍ଗତରେ ତାହାନ୍ତଇଂ ଗଣି।୬୯।

ସୋଦର ସୋଦ୍ରିମା ପଣ ଜାଣିମା କେମନ୍ତେ

ଧନ ପ୍ରାଣ ଭାରିଯା ଭାବଇ ହୃଦଗତେ।୭୦।

 

ନକୁଳ ବୋଇଲା ଦେବତାର ନିକଳଙ୍କ ହିୟା

ତେଣୁ ସେ ଦ୍ରିଯୋଧନ ଆମ୍ଭଙ୍କୁ ଦେଲା ୟେହା।୭୧।

ସେ ମହା ଧାର୍ମିକ ବିବେକ ସୋଦ୍ରିମ

ଆମ୍ଭନ୍ତ ସମ୍ଭାଳିଲା ଅଟଇ ତାର ଧର୍ମ।୭୨।

 

ସହଦେବ ବୋଇଲା ଦେବ ବଡ଼ ସୁସଞ୍ଚ ପୁର

ଅତି ଅନନ୍ତ ଅଲେଖ ସେ କଣୟ ବିସ୍ତାର।୭୩।

ଦ୍ରିଯୋଧନ ଆମ୍ଭଙ୍କୁ କାହିଂ ୟେଡ଼େକ ସୁହୃଦେ

କପଟ ପ୍ରାୟେ ଦେବ ବୁଝଇ ମୋହୋର ହୃଦେ।୭୪।

 

ଯୁଝେଷ୍ଠି କୋଳ ଯେ କଲେ ସହଦେବଙ୍କୁ

ତୋହୋର ପ୍ରସାଦେ ବାବୁ କାରଣ ଅଛଇ ମୁକୁ।୭୫।

ସହଦେବଙ୍କୁ ଘେନି ୟେକାନ୍ତ ହୋଇଲେ ଯୁଝେଷ୍ଠି ଦେବ

ବାବୁ କେମନ୍ତ କପଟରେ କହସି ସହଦେବ।୭୬।

 

ସହଦେବ କହଇ ପୁରୋଚନ ନାମେ ଦ୍ୱିଜ

ତାହାର ଭିଆଣ ୟେ ଅଟଇ ଧର୍ମରାଜ।୭୭।

ଜଉ ସଜଳସ ଛଣପଟ ଗୁଆଘୃତ ଭରି

ୟେହାର ସଂଯୋଗେଣ ଘର ନିର୍ବାଣ ଯେ କରି।୭୮।

 

କାନ୍ଥ ଚାଳ ରୁଅ ବତା ଆଦି କରି

ଜଉ ସଜଳସ ଗୁଆଘୃତେ ଜଡ଼ି।୭୯।

ନିଦ୍ରାକାଳେ ୟେଥି ଲଗାଇବ ଜୁଇ

ୟେମନ୍ତ ଭିଆଣ କରିଅଛି କୁରୁସାଇଂ।୮୦।

 

ଯୁଝେଷ୍ଠି ମନେ ମନେ ସୁମରନ୍ତି ଧର୍ମ ଧର୍ମ

ବାବୁ ଗୋପ୍ୟ କରନି ୟେ କଥା ନ ଜାଣୁ ବୀରଭୀମ।୮୧।

ଜାଣିଲେ ୟେ କ୍ଷଣି ଦ୍ୱନ୍ଦ ଯେ କରିବ ସାଂଗ୍ରାମ

ଦ୍ରିଯୋଧନ ଶତେ ଭାଇଙ୍କି ମାରିବ ଅତିତମ।୮୨।

 

ଧୃତରାଷ୍ଟ ପୁଅନ୍ତ ସେ ସବୁନ୍ତି ମାରିବ

ଅନ୍ଧରାଜା ଗୋଟି ଯେ ଅନାସ୍ତ ହୋଇବ।୮୩।

ବାବୁ ସେ ଅବା କପଟ କଲା ନ ବିଚାରି

କେମନ୍ତେ ଧର୍ମେ ଆମ୍ଭେ ହୋଇବା ୟେଥୁଂ ପାରି।୮୪।

 

ସହଦେବ ତୁନି ହୋଇଲେ ଯୁଝେଷ୍ଠିଙ୍କ ବଚନେ

ରହିଲେ ଜଗବନ୍ଦନ ବାରୁଣାବନ୍ତ ସ୍ଥାନେ।୮୫।

କ୍ରୀଡ଼ନ୍ତି ବିହଡ଼ନ୍ତି ଘୋର ବିପଟ ବନ ଭେଦି

ମାରନ୍ତି ବରେହା ହରିଣ ବାହୁଟିଆ ବନଚର ଖେଦି।୮୬।

 

କୁତୂହୋଳେ ବେଣ୍ଟେ ବିହଡ଼ନ୍ତି କୁରୁଳି

ଯେସନେକେ ସିଂଘ ବନେ ନିର୍ଭୟେ ହୋଇ ଖେଳି।୮୭।

ମୃଗ ବାହୁଟିଆ ଗଣ୍ଡା ଜୀବମାନ ଧରି

ଧୃତରାଷ୍ଟଙ୍କ କତିକି ଯାଆନ୍ତି ପକ୍ଷକେ ଦ୍ରଶନ କରି।୮୮।

 

ପୁରୋଚନ ରାଇଣ ପଚାରଇ ଦ୍ରିଯୋଧନ

ପାଣ୍ଡବଙ୍କର ମୃତୁକୁ ଅଛିଟି କି ବିଧାନ।୮୯।

ପୁରୋଚନ ବୋଇଲା ମୁଂ ଗଙ୍ଗା କୂଳୀୟା ଦ୍ୱିଜ

ଅଥର୍ବ ବେଦୀ ବ୍ରାହ୍ମଣ ମୁଂ ସମସ୍ତ ବିଦ୍ୟାରେ ଗ୍ରାହିଜ।୯୦।

 

ଯେଉଣିସି ପ୍ରକାରେ ଯେ ନାଶିବା ଶ୍ରତ୍ରୁକୁ

ତହିଂକି ଅଧର୍ମ କିଛି ନାହିଂ ନା ତୁମ୍ଭଙ୍କୁ।୯୧।

ବିଷ ୟୋଗାଡ଼େକ ୟେବେ ଭିଆଇବି ମୁହିଂ

ଭୀମାକୁ ପରଷିବା ଭାବେଣ ଭୁଞ୍ଜାଇ।୯୨।

 

ଶୁଣି କରି ହରଷ ହୋଇଲା ଦ୍ରିଯୋଧନ

ବେଗ କରି ୟେହା କର ହୋ ବ୍ରାହ୍ମଣ।୯୩।

ରାଇଜ୍ୟକୁ ରୁହାଇବୁ ତୋହୋର ବୁଦ୍ଧିମତେ

ପ୍ରଥମେ ୟେ କଥା ହୋ କର ଯଥା ଅର୍ଥେ।୯୪।

 

ୟେଥୁ ଅନ୍ତେ ସଞ୍ଜୟେ ବିଦୁର ଭୂରିସର୍ବା ଭୀଷ୍ମ ସହିତ

କର୍ଣ୍ଣ ଅଶସ୍ତମା ଶଲ୍ୟ ଶଙ୍କୁନି କୃପମାନନ୍ତ।୯୫।

ୟେହାନ୍ତ ବସାଇଣ ସେ ଯେ ଭାଳନ୍ତି ଧୃତରାଷ୍ଟ

ରାଜ୍ୟକଇଂ ଅଯୋଗ୍ୟ ମୁଂ ନୟନ ମୋର ଭ୍ରଷ୍ଟ।୯୬।

 

ବ୍ୟାସେ ଦୁର୍ଭାସା ଅନୁରାଗେଣ କରି

ପୁଅନ୍ତ ପାଇଲି ମୁଂ କ୍ଷତ୍ରିୟ ଦୁର୍ଭାରି।୯୭।

ପୁଅ ଗୋଟିୟେ ଅଭିଷେକ କରାଇବି ରାଜ୍ୟକୁ

ଧର୍ମ ସରୂପ ବିଚାରି କହିବ ଜାଣ ମୁକୁ।୯୮।

 

ଭୟ ଉପ୍ରୋଧ ଦୁହିଙ୍କି କର ତୁମ୍ଭେ ପରିତେଜ୍ୟା

ୟେ ପଞ୍ଚୁରାଜ୍ୟକୁ ହୋ କେହୁ ହୋଇବ ମହାରାଜା।୯୯।

ଶୁଣିଣ ସମସ୍ତ ଯୋଧାୟେ ହୋଇଲେକ ତୂଷ୍ଣୀ

ଭୂରିସର୍ବାୟେ ବୋଇଲେ ଶୁଣ ଧୃତରାଷ୍ଟି।୧୦୦।

 

ଧର୍ମ ନିମନ୍ତେ ଯେବେ ପଚାରିଲୁ ଦୃଢ କରି

ନ ପୁଣ କୋପକୁ ତୁ ରାୟେ କରୁ ନା ବିଚାରି।୧୦୧।

ଧୃତରାଷ୍ଟ ବୋଇଲେ କିଛିହିଂ ନାହିଂ କୋପ

ଯେସନେକେ ବହୁତ ବିଚାରକୁ ଆସଇ ସରୂପ।୧୦୨।

 

ଆହୋ ସବୁନ୍ତି ବସାଇ ବଦୟନ୍ତି ସୋମବଂଶୀ ଜ୍ୟେଷ୍ଠ ଭୂରିସର୍ବା

ଆମ୍ଭର ବିଚାରକୁ ଯୋଗାଇ ଯୁଝେଷ୍ଠିଙ୍କି ରାଜ୍ୟ ଦେବା।୧୦୩।

ଯାହାର ବଚନକୁ ଭଜଇ ସଂସାର

ତାହାକଇଂ ଆସଇ ଯେ ଯୁଗତେ ରାଜ୍ୟ ଭାର।୧୦୪।

 

ଆମ୍ଭନ୍ତ ଘେନି ଯେବେ ଭାଳିଲୁ କୁରୁନାଥ

ଆମ୍ଭର ବିଚାରକୁ ଯେ ଯୋଗାଇ ୟେମନ୍ତ।୧୦୫।

ଯୁଝେଷ୍ଠି ଥିଲେ ତୋହୋର ଦ୍ରିଯୋଧନ ନୋହଇ ରାଜା

ଯୁଝେଷ୍ଠିଙ୍କି ଭଜଇ ସଂସାର ଜନପ୍ରଜା।୧୦୬।

 

ଅଳପ ଦୋଷେ ଯେବେ ବହୁତ କରଇ କୋପ

ଦୁର୍ଭାର ଭାର ସେ ଜାଣ କିସ କରିବ ନୃପ।୧୦୭।

ପ୍ରତଗ୍ୟାଂ ଦର୍ପେ ଅବା ଦ୍ରିଯୋଧନକଇଂ କରିବୁ ତୁ ରାଜା

ଅନେକ ଦେଶ ଭାଞ୍ଜିବ ଯେ ପଳାଇବେ ଜନପ୍ରଜା।୧୦୮।

 

ଜ୍ୟେଷ୍ଠ ପୁତ୍ର ଥାଉଂ କନିଷ୍ଠ ପୁତ୍ର ନୋହଇ ରାଜ୍ୟ ନୃପ

ଅଦଛ ପୁତ୍ର କି ସେ ତାହାକୁ ଭାଞ୍ଜିବୁ ତୁ ତାହାର ବାପ।୧୦୯।

ଯୁଝେଷ୍ଠିଙ୍କି ରାଜ୍ୟ ଦିଲେ ୟେ ୟେକ ରାଜ୍ୟ ହୋଇବ

ନିର୍ଦ୍ୱନ୍ଦ ହୋଇଣ ସୁବିଧାନେ ଦିନ ଯିବ।୧୧୦।

 

ତୁ ଅବା ବେଳେ ଆମ୍ଭର ବୋଲ ଭାଞ୍ଜିବୁ ଧୃତରାଷ୍ଟ

ଆପଣେ ଛତ୍ର ଉଡ଼ାଇ ବସିବ ସେହୁ ପାଟ।୧୧୧।

ୟେକା ରାଇଜେ ହୋ ଦୁଇ ଦଣ୍ଡ ହୋଇଲେ

ଅନେକ ଦ୍ୱନ୍ଦ ହୋଇବ ଦିନ ନ ଯିବଟି ଭଲେ।୧୧୨।

 

ତୋତେ ସେ ରାଇଜ ପଦ ଦିଲେ ଶାୟେଂତନୁର ତନୁ

ବଳେ ତୋର ରାଜ୍ୟ ଘେନିଲାଟି କାଳ ଯେ ଦମନୁ।୧୧୩।

ପଳାଇ ପଶିଲୁ ଯାଇ ତୁ ଶତଶିଂଗ ପର୍ବତେ

ମାଡ଼ିଣ ବସିଲା ରାଜ୍ୟ ଦମନ ପଞ୍ଚଇପ୍ରଶସ୍ତେ।୧୧୪।

 

ପଣ୍ଡୁ ଯେ ସେ ବେଳେ ତପସ୍ୟାୟେ ହୋଇଥିଲେ ଅଗ୍ନିୟାନ

ରାଜ୍ୟ ସୁଖେ ଭୋଗକଲା କାଳ ଯେ ଦମନ।୧୧୫।

ପଞ୍ଚଦଶ ବରଷ ଯହୁଂ ପଣ୍ଡୁର ସଂପୂର୍ଣ୍ଣ ହୋଇଲା

ଭାଗ୍ୟବର ତୋଷି ଅନେକ ବିଦ୍ୟା ସାଧ୍ୟ କଲା।୧୧୬।

 

କାଳ ଦମନର ତୁଲେ ଅନେକ ଘୋର ଯୁଦ୍ଧ

ପଣ୍ଡୁ ତାହାଙ୍କୁ ଜିଣିଲା ତେତିଶ ଦିନର ମଧ୍ୟ।୧୧୭।

ଚଉବିଂଶ କ୍ଷେଉଣୀ ଯେ ଦମନର ଥାଠ

ପଣ୍ଡୁର ଶରଘାତେ ସେ ହୋଇଲେ ମୁଣ୍ଡକାଟ।୧୧୮।

 

ପଞ୍ଚପୁରୁଷ ଘେନି ସେ ରାଜ୍ୟେ ବସିଥିଲା

ପଣ୍ଡୁର ବିଘାତେ ତାର ବଂଶ ନାଶଗଲା।୧୧୯।

ତୋତେ ବସାଇଲା ଆଣି ହସ୍ତିନା ଭୁବନେ

ତୋତେ ସଂପଦ ଦେଇଣ ସେ ପଶିଲା ଘୋରବନେ।୧୨୦।

 

ପଣ୍ଡୁର ଅର୍ଜିଲାର ୟେ ଅଟଇ ପଞ୍ଚୁରାଜ୍ୟଇ

ତାହାର ପୁତ୍ରକଇଂ ସେ ସଂସାର ଯୋଗାଇ।୧୨୧।

ତୁ ଅବା ୟେକଥା ହୋ ରାଜା କରିବୁ ଗୁପତ

ସେ ଜାଣି ଅଛନ୍ତି ଯେ ସମସ୍ତ ତଦନ୍ତ।୧୨୨।

 

ଯୁଝେଷ୍ଠି ଥିଲେ ତୋତେ ରାଜ୍ୟ ଭାର ନାହିଂ

ଯେଥି ମଧ୍ୟେ ଯୁଝେଷ୍ଠିଙ୍କି ସମାର୍ଜି ପାର ଯେବେ ଧର୍ମ କଥା କହି।୧୨୩।

ବିଦୁରେ ବୋଇଲେ ଯୁଝେଷ୍ଠି ହୋଇବେ ଯେବେ ଶାନ୍ତି

ଭୀମ ଅର୍ଜ୍ଜୁନ କିଂପେ ଭଜିବେ ତ୍ରିପୁତି।୧୨୪।

 

ଶଙ୍କୁନି ବୋଇଲା ମୋର କଥାୟେ ଅଛଇ

ପଣ୍ଡୁର ପଞ୍ଚୁପୁତ୍ରକୁ ଯେବେ ନିଶେଷ କରି ମାରଇଂ।୧୨୫।

ତେବେ ସେ ଦ୍ରିଯୋଧନ ୟେ ରାଜ୍ୟେ ହେବ ରାଜା

ସୁଖେ ଭୋଗ୍ୟ କରିବ ରାଜ୍ୟ ଜନ ପ୍ରଜା।୧୨୬।

 

ଧର୍ମ ଧର୍ମ ସୁମରି ସମସ୍ତେ ସଭାରୁ ଗଲେ ଉଠି

ପାଣ୍ଡବନ୍ତ ମାରିବାକୁ ବୁଦ୍ଧିୟେ କରଇ ଧୃତରାଷ୍ଟି।୧୨୭।

କୂଟ କପଟ ଭିଆଉ ଅଛନ୍ତି ଶଙ୍କୁନି ପୁରୋଚନ

କର୍ଣ୍ଣ ଧୁଶାସନ ଶତେ ଭାଇ ଦ୍ରିଯୋଧନ।୧୨୮।

 

ବିଷଲଡ଼ୁର ଯୋଗାଡ଼ ଯେ ଭିଆନ୍ତି ମନେ ଭାଳି

ଧର୍ମ ତେଜ୍ୟା କଲେ ଯେ ଅସତ୍ୟ ପ୍ରତିପାଳି।୧୨୯।

ମନେଣ ବିଚାରନ୍ତି ସେ ଧୃତରାଷ୍ଟ ରାୟେ

କେବଣ ବୁଦ୍ଧି ୟେବେ କରିବା ଉପାୟେ।୧୩୦।

 

ୟେତୁ ଅନ୍ତରେ ସେ ପଣ୍ଡୁର କୁମରେ

ଭ୍ରମନ୍ତି ମୃଗୟା ବିନୋଦେ ପଞ୍ଚୁବୀରେ।୧୩୧।

ଗଣ୍ଡା ଗୋଟିୟେ ମାଇଲେକ ଘୋର ବନେ

ଯୁଝେଷ୍ଠି ବୋଇଲେ ରେ ଶୁଣ ଭୀମସେନେ।୧୩୨।

 

ଅପୂର୍ବ ପଦାର୍ଥ ୟେ ନିଅ ହସ୍ତିନାକୁ

ଗଣ୍ଡା ଗୋଟି ନେଇ ଦେଇ ଆସ ଧୃତରାଷ୍ଟ ରାଜାଙ୍କୁ।୧୩୩।

ଯୁଝେଷ୍ଟିଙ୍କର ବଚନେ ସେ ପବନର ଶିଷି

ଗଣ୍ଡା ଗୋଟି ଘେନି ସେ ହସ୍ତିନାକୁ ଆସି।୧୩୪।

 

ଧୃତରାଷ୍ଟ ସଂଜୟେ ବିଦୁର କୃପ ଅଶସ୍ତମା

ୟେହାନ୍ତ ଘେନି ଭାଳଇ କ୍ଷତ୍ରିୟ ମହାତମା।୧୩୫।

ଧୃତରାଷ୍ଟ ବୋଇଲେ ନ ଭାଞ୍ଜ ତୁମ୍ଭେ ମୋତେ

ତ୍ରେତୟା ଯୁଗେ କେମନ୍ତେ କଲେ ଦଶରଥେ।୧୩୬।

 

ଶ୍ରୀରୀମଚନ୍ଦ୍ର ଯେ ଅଟନ୍ତି ଜ୍ୟେଷ୍ଠପୁତ୍ର

ତାହାଙ୍କୁ ଛାଡ଼ି ରାଜ୍ୟ ଦିଲାକ ଭରଥ।୧୩୭।

ବିଦୁରେ ବୋଇଲେ ସେ ଖଳ ବଚନେ ୟେମନ୍ତ କଲା

ଭ୍ରଥ ରାଜା ନୋହିଲା ଆପଣେ ନାଶ ଗଲା।୧୩୮।

 

ବିଦୁରେ ବୋଇଲେ ତୁ ନ ଭାଳ ନିୟୋମାନ

ମନ୍ଦବୁଦ୍ଧି ଭାଳିଣ ପୁଅନ୍ତ କରୁଛୁ ଅନ୍ୟୋଅନ୍ୟ।୧୩୯।

ଆପଣେ କଷ୍ଟି ହୋଇ ମରିବୁ ବଂଶହିଂ ନାଶ ଯିବ

ତୋହୋର ବୁଦ୍ଧିବଳେ ଭ୍ରଥ ୟେମନ୍ତ ହୋଇବ।୧୪୦।

 

ୟେମନ୍ତ ଭାଳେଣି ତହିଂ ହୋଇବାର ସମୟେ

ଗଣ୍ଡା ଗୋଟି ଘେନି ଭୀମସେନ ପ୍ରବେଶ ଆସି ହୋୟେ।୧୪୧।

ବିଦୁରେ ବୋଇଲେ ତାତ ନ ଧର କିଂପା ସୀମା

ଗଣ୍ଡା ଗୋଟି ଘେନି ଦ୍ରଶନ କଲା ଭୀମା।୧୪୨।

 

ୟେମନ୍ତ ଭଗତି ତୋତେ ହେଉଛନ୍ତି ପୁତ୍ରେ

ୟୋହାକୁ ପାପ ଚିତ୍ତ ତୁ ଧରିବୁ କେମନ୍ତେ।୧୪୩।

ଭଗତି ଲୋକଙ୍କୁ ଯେ ଧରଇ ପାପକଥା

ଆପଣେ ହିଂ ନାଶ ଯାଆନ୍ତି ପାପେ ବୁଡ଼ନ୍ତି ସର୍ବଥା।୧୪୪।

 

ୟେକଥା ମାନ ଯେବେ ମିଥ୍ୟାଟି ହୋଇବ

ୟେ ସଂସାର ଜନ ଆଉ କେମନ୍ତେ ବ୍ରତିବ।୧୪୫।

ପୂର୍ବର ପାତକେଣ ୟେବେ ହୋଇଲୁ ହୀନ ଚଛୁ

ୟେ ଜନ୍ମେ ପୁଣି ପରେ ପ୍ରମାଦ ଚିନ୍ତୁଅଛୁଂ।୧୪୬।

 

ୟେମନ୍ତ ପାତକ କଲେ ଉପରକୁ ନାହିଂ ତ ସଦଗତି

ନର୍କ ହିଂ ସେ ଅଛି ଟି ତୋତେ ନାଶ କର ଶାସ୍ତି।୧୪୭।

ବିଦୁର ବଚନେ ଅନ୍ଧ ଉଠିଲା ସିର ଝୁଣି

ଖଣ୍ଡାୟେକ ଘେନି ଆସଇ ବିଦୁରକୁ ହାମି।୧୪୮।

 

କୋଳ କରି ଧଇଲେ ସେ ଅଶସ୍ତମା କୃପେ

ରହ ରହ ନୃପତି କିଂପେୟେଡ଼େକ ପରିତାପେ।୧୪୯।

ଉଠିଣ ବିଦୁର ଯେ ଗଲେକ ନିଜ ସ୍ଥାନେ

ବୋଇଲେ ବଂଶ ନାଶକଲୁ ତୋହୋର ମନ୍ଦଗ୍ୟାନ।୧୫୦।

 

ଭୀମସେନକୁ କୋଳ କରି ଧଇଲେ ନିକଟେ

ମୁଖେ ଚୁମ୍ୱନ ଦେଇ ବଦୟନ୍ତି ଧୃତରାଷ୍ଟେ।୧୫୧।

ବାବୁ ତୁ ଯାଇ କହିବୁ ଯୁଝେଷ୍ଠିଙ୍କ ଆଗର

ସୋଦରେ ଅନ୍ୟୋଅନ୍ୟ କରା ଅଛି ବିଦୁର।୧୫୨।

 

ତାହାର ବଚନକୁ କେହି ନ ଯିବଟି ବିଶ୍ୱାସ

ନାରଖାର ଭିଆଇ ସେ ସବୁନ୍ତି କରିବଟି ନାଶ।୧୫୩।

ଧୃତରାଷ୍ଟ ବୋଇଲେ ଦ୍ରିଯୋଧନକୁ ରାଇ

ଭୀମସେନକୁ ଘେନି ଭୁଞ୍ଜି ବସ ସବୁ ଭାଇ।୧୫୪।

 

ପିତାର ବଚନେ ଦ୍ରିଯୋଧନ ଭୀମକୁ କୋଳ କରି

ସରୋବରେ ପଶି ସ୍ନାହାନ ବେଗେ ସାରି।୧୫୫।

ଠାବ ସଜାଡ଼ିଣ ରାଇଲେ ପୁରୋଚନ

ଭୀମାକୁ ପାଶେ ଘେନି ବସିଲେ ଦ୍ରିଯୋଧନ।୧୫୬।

 

ଡାହାଣେ ଦ୍ରିଯୋଧନ ବାମେ ଧୁଶାସନ

ମଧ୍ୟରେ ବସାଇଲେ ଯେ ପବନ ନନ୍ଦନ।୧୫୭।

ରତ୍ନଝରିରେ ଦିଲେକ ସୁବାସିତ ପାଣି

ସୁବର୍ଣ୍ଣ ପଇଲମ ଯେ ଛାମୁରେ ଦିଲେ ଆଣି।୧୫୮।

 

ପରଶଇ ଅନ୍ନ ଯେ ବିପ୍ର ସୁବର୍ଣ୍ଣ ପାତ୍ର ଘେନି

ଚିନ୍ତୁଅଛି ପ୍ରମାଦ ସେ ବିପ୍ର ଯେ ଅଗ୍ୟାନୀ।୧୫୯।

ଭୋଜନେ ଅତ୍ରିପୁତି ସେ ପବନର ବଳା

ଭୁଞ୍ଜଇ ବ୍ରିକୋଦର ସେ ଆହାରେ ମତି ଭୋଳା।୧୬୦।

 

ଦୁଦୁରା ମଞ୍ଜି ଗଞ୍ଜାଇ ଶାକାର ମିଶାଇ ଭରି

ମାଛରେ ମିଶାଇଲା ତାହା ରାନ୍ଧିଲା ଯତ୍ନ କରି।୧୬୧।

ଉପରେ ଭଲ ଥିଲା ତାହା ଦ୍ରିଯୋଧନ କୁଦିଲା

ତଳେ ଜଡ଼ି ବିଷମାନ ତାହା ଭୀମସେନକୁ ପରଶିଲା।୧୬୨।

 

ମଧୁର ସୁଆଦରେ ତାହା ଭୁଞ୍ଜଇ ମାରୁତି

ଜାଇଫଳ ଗରଳ ମିଶାଇ ଦେଲା ଖଣ୍ଡପଣା କତି।୧୬୩।

ଦ୍ରିଯୋଧନ ବୋଇଲା ମୋତେ ଶୋଷ ନାହିଂ

ଭୀମସେନ କତିକି ସେ ଦିଲାକ ବଢାଇ।୧୬୪।

 

ସୁଖେଣ ପିଅଇ ସେ ପାଣ୍ଡବ ସୁନ୍ଦର

ଦୁଗୁଣ ଘାରିଲା ବିଷ ମଧୁର ଆହାର।୧୬୫।

ଅଧାମ ଭିତରେ ଲଇଲା ଅଛି ମହୁରା ସିଂଘଡ଼ା ଜାତି

ତହୁଂ କପୋରାୟେ ଦିଲା ସେ ଭୀମସେନ କତି।୧୬୬।

 

ଖଣ୍ଡ ଶାକର ଯେ ମେଦିଲା ଅଛି ତହିଂ

ଭୁଞ୍ଜଇ ବ୍ରିକୋଦର ମନେଣ ହରଷ ପାଇଂ।୧୬୭।

ଭୋଜନ ଅନ୍ତେ ନେଇ ପରଶିଲେ ବିଷଲଡୁ

ଅହିବ୍ରତେକ ଲଡୁ ତା ଗ୍ରାସବଢୁ।୧୬୮।

 

ଲଡୁର ସୁସ୍ୱାଦେ ଯେ ଅତି ଉପମା ଦେଖି

ଗୋଟାୟେ ଗୋଟାୟେ କରି ଭୁଞ୍ଜଇ ନୟନ ନିରେଖି।୧୬୯।

ଗଞ୍ଜାଇ ଫଳ ଦୁଦୁରା ଫଳରେ କାକରା

ଆବର ମିଶ୍ରିତ ତହିଂ ସିଂଘଡ଼ା ଜାତି ମହୁରା।୧୭୦।

 

କାଳସର୍ପର ବିଷ ଲଡୁରେ ସେ ଭରି

ୟେହାକୁ ଭକ୍ଷିଣ ବ୍ରିକୋଦର ପ୍ରାଣ ହାରି।୧୭୧।

ଲାଗିଲା ବିଷ ଯେ ପଡ଼ିଲା ଅଚେତେ

ମଧୁର ରସ ପାଇ ସେ ବିଷ ଖେପିଲା ନିଜ ଗାତ୍ରେ।୧୭୨।

 

ଭୁଞ୍ଜ ଭୁଞ୍ଜୁଣ ଢଳି ପଡିଲା ବୀର ଭୀମ

ସେହିଠାରେ ଲୋଟି ସେ ହୋଇଲା ଅସାଷ୍ଟମ।୧୭୩।

ଥାନ ମାନ ନିଶ୍ଚଳ ନ ବହଇ ପବନ

ଛାଡିଲା ପଞ୍ଚଭୂତ ହୋଇଲା ଅଚେବନ।୧୭୪।

 

ଆଦିତ୍ୟ ଅସ୍ତ ଯହୁଂ ଗଲେ ପଶ୍ଚିମ ଦିଗ ଭାଗେ

ରାତ୍ର ଅଧ ଆସି ଯେ ହୋଇଲା ନିଶା ଯୋଗେ।୧୭୫।

ଧୁଶାସନ ଦୁର୍ଜୟେ ଦୁର୍ବିନ୍ଦ ଦୁରାଷ୍ଟ

ଭୀମକୁ ଧରି ନେଇ ପକାଇଲେ ଜଳଘାଟ।୧୭୬।

 

ଯମୁନା ନଦୀରେ ଯେ ଥାଆନ୍ତି ନାଗେଣୀ

ଭୀମସେନକୁ ବାନ୍ଧି ନେଇ ମେଳିଲେ ତହିଂ ପାଣି।୧୭୭।

ୟେହି ଜଳ ମଧ୍ୟେ ନାଗୁଣୀ ୟାକୁ ଖାଉ

କୁରୁବୀରମାନଙ୍କର ଆପଦ ଆଝୁଂ ଯାଉ।୧୭୮।

 

ୟେତେ ବୋଲି ଚାରିହେଂ ଅଇଲେ ପକାଇ

ଭୀମକଇଂ ମାରି ସ୍ୱସ୍ଥ ହୋଇଲେ କୁରୁସାଇଂ।୧୭୯।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଧର୍ମ ଥିଲା ପ୍ରାଣୀକି ନ ଆସେ ପାପ କତି।୧୮୦।

 

ଅନନ୍ତ ନାଗର ଦୁହିତା ବେଲାବାଳୀ

ପଦ୍ମେକ ନାଗେଣୀ ଘେନି ସେ କରଇ ଜଳକେଳି।୧୮୧।

ନାଗେଣୀ ବଳ ଘେନିଳ ସେ ଖେଡ଼ ଖେଡ଼ନ୍ତି ଜଳେ

ପଦ୍ମ ବିଙ୍ଘସିତ ଯେ ଶିଶିର ଋତୁ କାଳେ।୧୮୨।

 

ନାଗେଣୀ ବିଚାରନ୍ତି ୟେତ ବଡ଼ାଇ ଅପୂର୍ବ

ଶିଶିରେ ସୁଲଭ ତ ବସନ୍ତ ପଲ୍ଲବ।୧୮୩।

କାଲି ତ କିଛିହିଂ ନଥିଲା ୟେହୁ ଜଳେ

ଅଦଭୁତେ ହୋଇ ବିଙ୍ଘସିତ କମଳେ।୧୮୪।

 

ଦେଖନ୍ତି ଗୋଟାୟେ କିସ ଅପୁରୁବ

ଲୋଡ଼ନ୍ତେ ଦେଖିଲେ ସେ ସୁନ୍ଦର ମୃତୁ ଶବ।୧୮୫।

ଅତି ସୁକୁମାର ସୁସଞ୍ଚ ତାହାର କାୟେ

ରାତ୍ରକାଳେ ଦିଶଇ ଶରଦ ଚନ୍ଦ୍ରମାର ପ୍ରାୟେ।୧୮୬।

 

ଦେଖିଣ କୋଳ କରି ଧଇଲା ବେଲାବାଳୀ

ୟେ ପୁରୁଷ ଅଟଇ ମୋ ମନର ହିଆଳି।୧୮୭।

କୋଳ କରି ନାଗେଣୀ ଯେ ବୁଡ଼ାଇଲେ ତାହାକୁ

ଘେନିଗଲେ ସୁନ୍ଦରୀ ସେ ପାତାଳ ଭୁବନକୁ।୧୮୮।

 

ଛାମୁରେ ନେଇ ଦିଲେ ଅନନ୍ତ ନାଗରାଜା

ବିଚାରଇ ଅନନ୍ତ କେବଣ ଦିଗପାଳ ଆତ୍ମଜା।୧୮୯।

ଅମୃତ ଦିଲା ଆଣି ବ୍ରିକୋଦର ମୁଖେ

ନବ ଶସ୍ର ନାଗର ବଳ ହୋଇ ଉଠିଲା ପ୍ରତକ୍ଷେ।୧୯୦।

 

ସାଷ୍ଟମ ହୋଇ ବୀର ଚାହଇଂ ଚଉକତି

ଦେଖଇ ଜଳ ଭୁବନ ପୂରିଅଛଇ ଅପ୍ରମିତି।୧୯୧।

ଚଉକତିକି ଚାହିଂ ମନରେ ବିଚାରି

ମୁହିଂ ତ ପଡିଲି ଆସି ଜଳ ଭୁବନ ଅନ୍ଧାର ପୁରୀ।୧୯୨।

 

କେ ମୋତେ ଆଣି ୟେଥେ କଲାକ କପଟେ

ଅଗାଦ ଜଳ ଭୁବନ ୟେଥୁଂ ମୁ ଯିବି କେବଣ ଘାଟେ।୧୯୩।

ୟେ ନାଗେଣୀବଳମାନଙ୍କୁ ପକାଇବି ମାରି

ଯିବାକଇଂ ବାଟ ନାହିଂ ୟେ ଜଳ ଅନ୍ଧାରପୁରୀ।୧୯୪।

 

ପୁଣି ବିଚାରଇ ୟେହାଙ୍କର ତୁଲେ ହୋଇବି ପୀରତି

ଭାବ ବଢାଇଲେ ମୋତେ ସେ ଅଛଇ ସଦଗତି।୧୯୫।

ଭୀମସେନ ବୋଇଲା ତୁମ୍ଭେ ଶୁଣ ଗୋ ନାଗେଣୀ

ମୁହିଂ ଯେ ମାନୁଷ କେହୁ ମୋତେ ୟେଥକୁ ଆଣି।୧୯୬।

 

ଭୀମସେନର ବଚନେ ସେ ଅନନ୍ତ ଦୁଲାଳୀ

ଭୀମକୁ କୋଳ କରିଣ ସେ ବୋଇଲା ବେଲାବାଳୀ।୧୯୭।

ଅନନ୍ତ ନାଗ ଦୁହିତା ଆମ୍ଭେ ଜଳଭୁବନ ବାସୀ

ସନ୍ଧ୍ୟାବାଳୀ ବେଲାବାଳୀ ବିଝଂବାଳୀ ଉଦାସୀ।୧୯୮।

 

ୟେ ଚାରି କନ୍ୟାୟେ ଆମ୍ଭେ ଅନନ୍ତ ଦୁଲାଳୀ

ଯମୁନା ଜଳ ଗଭୀର ଯୋଜନ ସହସ୍ର ଯେ ଚାରି।୧୯୯।

କ୍ରୀଡ଼ାରଙ୍ଗ କରନ୍ତେ ଭେଟିଲୁ ତୁକୁ ଯାଇଂ

ମୃତୁ ପିଣ୍ଡ ଗୋଟି ଯେ ତୁ ଥିଲୁ ଉପୁଚିଆଇଂ।୨୦୦।

 

ଦ୍ରିଯୋଧନ ତୋତେ ଯେ ଭୁଞ୍ଜାଇଣ ନେଲା

କପଟ କୂଟ କରିଣ ସେ ତୋତେ ବିଷ ଲଡୁ ଦିଲା।୨୦୧।

ଲୁବୁଧେ ଖାଇଣ ତୁ ପଡ଼ିଲୁ ଅଚେବନେ

ଅଗାଦ ଜଳେ ତୋତେ ପକାଇଲେ କୁରୁବୀରମାନେ।୨୦୨।

 

ଆମ୍ଭେ ଭେଟିଲୁ ତୋତେ କ୍ରୀଡ଼ାରଙ୍ଗ ବେଳେ

ଅନନ୍ତ ନାଗ ଛାମୁକୁ ତୋତେ ଆଣିଲୁ ପାତାଳେ।୨୦୩।

ଅମୃତ ଦେଇଂଣ ତୋତେ ଜିଆଇଂଲେ ଆମ୍ଭ ତାତ

ତୁ ୟେବେ ମାରିଣ ଲୋଡୁ ଅଛୁ ଯେ ଆମ୍ଭନ୍ତ।୨୦୪।

 

ପରକୁ ଉପଗାର କଲେ କି ଆପଣେ ନାଶ ଯିବା

ଲେଞ୍ଚ ଲୋକଙ୍କୁ ହୋ ଉପଗାର ନ କରିବା।୨୦୫।

ନାଗେଣୀର ବଚନେ ଭୀମସେନ ପରମ ଶାନ୍ତି

ଛାଡ଼ିଲା କୋପଭର ବତାଇଲା ପୀରତି।୨୦୬।

 

ଅନନ୍ତ ବିଜେ କଲେ ଭୀମସେନର ସନ୍ନିଧାନେ

ପବନର ନନ୍ଦନ ଦେଖି ସାନନ୍ଦ ପଞ୍ଚୁମନେ।୨୦୭।

ବାବୁ ତୁ ଯେ ସୋମବଂଶୀ ଅଟୁ ମହାବଳୀ

ମୋହୋର ଦୋହିତା ତୋତେ ପ୍ରଦାନ କରିବ ବେଲାବାଳୀ।୨୦୮।

 

ବୋଲଇ ମାରୁତି ତୋର ଯେହ୍ନେକ ବିଚାରଇ

ମୋହୋର ବେଳେ କି ତାହା ନାସ୍ତି କରିପାରଇ।୨୦୯।

ଯାଚିଲାର କନ୍ୟା ଯେ ପାଚିଲାର ଅନ୍ନ

ୟେହା ଉପେକ୍ଷିଲେ ନାଶ ଯାଇ ଧର୍ମ।୨୧୦।

 

ଅମୃତ ଯୋଗେ ସେ ସୀଉକାର କରି ନାଗ ରାୟେ

ବେଲାବାଳୀ କନ୍ୟାକୁ ଭୀମସେନକୁ ପ୍ରଦାନ କୟେ।୧୧୧।

ନାଗେଣୀ ପ୍ରଦାନ କରି ସେ ଅନନ୍ତ ନାଗରାଜା

ଅନେକ ସମ୍ଭରେ ଭୀମସେନକୁ କଲା ପୂଜା।୧୧୨।

 

ପୁରୁଷ ବଶ ବିଦ୍ୟା ସେ ଜାଣଇ ନାଗେଣୀ

ଭାବେ ବଶ୍ୟ ହୋଇଲା ସେ କାଳଦଣ୍ଡ ପାଣି।୨୧୩।

ଅନନ୍ତ ବୋଇଲା ମୁ ଅପୂର୍ବ ଦେବଇଂ କିସ

ଯଉତୁକ ଦିଲା ଅମୃତ କୁମ୍ଭ ବିଶେଷ।୨୧୪।

 

ବିଚାରଇ ଭୀମସେନ ୟେହା କାହିଂ ଥୋଇବି

ପିଣ୍ଡ ତ୍ରିପୁତି ହେବ ମୁଂ ୟେହା ଆହାର କରିବି।୨୧୫।

ନବ ନିଶ୍ୱାସକେ ନବ କୁଣ୍ଡ ପିଇଲା

ଆହୁରି ନବ ସହସ୍ର ନାଗର ବଳ ହୋଇଲା।୨୧୬।

 

ୟେକେ ମହାବଳୀ ପବନ ତନୟେ

ଅମୃତ ଖାଇ ତାର ଅବଳ ବଳ କାୟେ।୨୧୭।

ପାତାଳେ ରହିଲା ବୀର ନାଗେଣୀ ରଙ୍ଗ ରସେ

ପାଶୋରିଲା ସୋହୋଦ୍ରନ୍ତ ସୁରତି ମୁହାଂସେ।୨୧୮।

 

ଯୁଝେଷ୍ଠି ଦେବ ପଚାରନ୍ତି ଅର୍ଜୁନକୁ ହକାରି

ଭୀମା ଗଣ୍ଡା ଘେନିଗଲା ହସ୍ତିନା ରାଜ୍ୟପୁରୀ।୨୧୯।

ନବ ଦିବସ ହୋଇଲା ନ ଆସିଲା ଆଜକୁ

କେମନ୍ତେ ଭୀମସେନ ମୂର୍ଚ୍ଛିଲା ଆମ୍ଭଙ୍କୁ।୨୨୦।

 

କୋଇନ୍ତାୟେ ବୋଇଲେ ସେ ଦ୍ରିଯୋଧନର ମେଳ ପାଇଂ

ଖେଡ଼ କଉତୁକେ ଯେ ଅଛଇ ତହିଂ ରହିଂ।୨୨୧।

କୋଇନ୍ତାଙ୍କର ବଚନେ ସେ ପୁଣ ଛଡ଼ ଦିବସ ଗଲା

ଷୋଳ ଦିବସ ହୋଇଲା ବାରତା ନୋହିଲା।୨୨୨।

 

ଯୁଝେଷ୍ଠି ଅର୍ଜୁନ ଗଲେ ଭୀମସେନକୁ ଲୋଡ଼ି

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନଗ୍ରପୁରୀ।୨୨୩।

ଧୃତରାଷ୍ଟଙ୍କ ପାଦ ତଳେ ହୁଅନ୍ତି ପରିଣାମି

ଭୀମ ଯେ ଅଇଲା, କେଣେ ଅଛି ସ୍ୱାମୀ।୨୨୪।

 

ଧୃତରାଷ୍ଟ ବୋଇଲେ ସେ ଅଇଲା ଯେବଣ ଦିନ

ଗଣ୍ଡା ଗୋଟି ଦେଇଗଲା ୟେଥେ ନକଲା ଭୋଜନ।୨୨୫।

ତକ୍ଷଣେ ଗଲା ସେ ନ ରହିଲା ୟେଥ

ଶୁଣିଣ ଆଶ୍ରିଜ ହୋଇଲେ ଧର୍ମସୁତ।୨୨୬।

 

ଦ୍ରିଯୋଧନ ଧୁଶାସନ ଶଙ୍କୁନି କୃପ କର୍ଣ୍ଣକୁ

ଜଣେ ଜଣେ ପୁଛା କରନ୍ତି ଦେଖିଲା କି ଭୀମକୁ।୨୨୭।

ସମସ୍ତେ ବୋଇଲେ ଆମ୍ଭର ଦେଖିଲା ତ ନାହିଂ

ପଞ୍ଚୁକଟକେ ଲୋଡ଼ନ୍ତି ମହା କ୍ରୋଧ ହୋଇ।୨୨୮।

 

କୋଇନ୍ତାଙ୍କର ଅଗ୍ରତେ ପୁଛା କଲେ ଚଉଭ୍ରାଥେ

ଭୀମାକୁ ଲୋଡ଼ି ଗୋ ନପାଇଲୁ ପଞ୍ଚୁକଟକ ପ୍ରଶସ୍ତେ।୨୨୯।

ୟେମନ୍ତେ ପାଣ୍ଡବେ ହୋଅନ୍ତି ବିକଳ

ସବୁଙ୍କରି ନୟନୁଂ ବହେ ଅଶ୍ରୁଜଳ।୨୩୦।

 

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ପାଣ୍ଡବଙ୍କୁ ମନ୍ଦ ୟେକା ଧୃତରାଷ୍ଟ ଗ୍ୟାନୁ।୨୩୧।

ଶୁଣିଣ ବିଷାଦ କୋନ୍ତଭୋଜର କୁମାରୀ

କେଣେ ଗଲୁ ଦୁଖୀର ସଂଘାତ ଆମ୍ଭଙ୍କୁ ଛାଡ଼ି କରି।୨୩୨।

 

ଧର୍ମରାଜା ବୋଇଲେ ମାତା ଗୋ ନୋହସି ବିଷାଦ ମନେ

ଭୀମସେନକୁ ଲୋଡ଼ି ନ ପାଇଲୁ ଜୀବନେ।୨୩୩।

କୋଇନ୍ତାଏ ବୋଇଲେ ବନ କନ୍ଦର ଦେଶେ

ସଙ୍ଗତ ହୋଇ ଲୋଡୁଥିବ ନ ଜାଣିମେ ରାକ୍ଷସେ।୨୩୪।

 

Unknown

ପାଣ୍ଡବାସୁର ବଧ

 

ଆହୋ ଅନ୍ଧକର ବଂଶେ ଯେ ପାଣ୍ଡବାସୁର ବୀର

ପଣ୍ଡୁବତୀର ଗର୍ଭରୁ ଯେ ଉପୁଜିଲା ବ୍ରହ୍ମଅସୁର।୧।

ଅନ୍ଧକର ପୁତ୍ର ଯେ ପାଣ୍ଡବା ମହାସୁରା

ହସ୍ତିନା ଭୁବନକୁ ସେ ବାହିଲା ମହାବୀରା।୨।

 

ଥାଠ ସନ୍ୟ ନାହିଂ ସେ ଅସୁରର ତୁଲେ

ବ୍ରହ୍ମା ରୁଦ୍ରକଇଂସେ ଜିଣଇ ସାଂଗ୍ରାମେ ପଶିଲେ।୩।

ବାମ କରେ ଶୂଳ ଡାହାଣ କରେ କୃପାଣଇ

ୟେତେକ ଘେନିଣ ସେ ସକଳ ଭୁବନ ଜିଣଇ।୪।

 

ସାଂଗ୍ରାମେ ନିର୍ଭୟା ସେ ଦାନବ ମହାବଳୀ

ଜିଭରୁ ରୁଧିର ଦେଇ ତ୍ରିପୁତି କଲା ଭଦ୍ରକାଳୀ।୫।

ପ୍ରସନ୍ନେ ବର ତାକୁ ଦିଲେ ମହାଦେବୀ

ଭଗବତୀ ବରେ ସେ ଦାନବ ତ୍ରିଜୀବୀ।୬।

 

ସେ ପାଣ୍ଡବାସୁର ଯେ ବାହିଲା ଭୁବନ ହସ୍ତିନା

ଶରୀରେ ଶହସ୍ର ନ ଭେଦଇ ସେ ଅଟଇ ବଜ୍ରସେହ୍ନା।୭।

ଯେତେକ ଜୀବଜନ୍ତୁ ଦେଖୁଅଛି ପଥେ ଯାଉଂ

ଆହାର ନ ଅଣ୍ଟଇ ଯେତେକ ଜନ୍ତୁ ଖାଉଂ।୮।

 

ହସ୍ତିନା ରାଜ୍ୟେ କଲା ଅନେକ ଅରଷ୍ଟି

ବାରତା ପାଇଣ ଧାଇଂଲେ ସେ କୁମାର ଧୃତରାଷ୍ଟି।୯।

ରଇବ୍ରତ ଆଖଡ଼ାୟେ ବଳରାମଙ୍କ ତୁଲେ ଥିଲେ

ନିଦାଘ ବନେ ସେ ପାଣ୍ଡବାସୁରକୁ ଦେଖିଲେ।୧୦।

 

କର୍ଣ୍ଣ ବୋଇଲା ୟେ ଯେ ଅଟଇ ଅସୁରଅରି

ତପ ବନ ଭାଞ୍ଜି ସେ ଋଷିନ୍ତ ନାଶ କରି।୧୧।

ଦ୍ରିଯୋଧନ ବୋଇଲା ବେଢଣ ଧର ୟେହା

ମାରିବା ନିଶାଚାର ତପୋଧନଙ୍କ ଦୋରେହା।୧୨।

 

ୟେତେକ ବିଚାରି ବେଢିଲେ ତାହାକଇ କୋପେ

ନରଜନ୍ତୁ ଦେଖି ସେ ଉଷତ କଉଣୋପେ।୧୩।

କୁରୁବୀରେ ଗଦା ମୂଷଳନ୍ତ ବୁଲାଇଲେ ତୋଳି

ଅସୁର ଶରୀରେ ପଡ଼ି ଗଦାବର ହୋଇଲାକ ଧୂଳି।୧୪।

 

ଗଦାବର ଭଞ୍ଜନ୍ତେ ଯେ ହୋଇଲେ ବିରସେ

ଲୋଚି ହୋଇ ରହିଲେ ସମସ୍ତ କୁରୁବୀର ନିରାଶେ।୧୫।

ଦେଖିଣ ପାଣ୍ଡବାସୁର ଅତି ଗରୁତାପ

ବଜ୍ର ମୂଷଳ ଘେନି ସେ ମାଇଲା କଉଣୋପ।୧୬।

 

କର୍ଣ୍ଣ ଦ୍ରିଯୋଧନ ଦୁଶାସନ ଦୁର୍ଜୟେ

ଅଶସ୍ତମା ଆଦି କରି ପଡିଲେ ଅସୁର ଶସ୍ର ଘାୟେ।୧୭।

ତବଦେଣ କୁରୁବୀରେ ପଳାଇଲେ ବିକଳେ

ସବୁନ୍ତି ହିଂ ଗୋଡ଼ାଇ ମାଇଲା ବଜ୍ର ଯେ ମୂଷଳେ।୧୮।

 

ଗାନ୍ଧାରୀ ଶତେପୁତ୍ର ଆବର କର୍ଣ୍ଣ ଅଶସ୍ତମା

ସବୁନ୍ତି ମାଇଲା ସେ ଅସୁର ଦୁରାତମା।୧୯।

ସବୁଙ୍କରି କେଶ ସେ ଧଇଲା ଲୋଚି କରି

ବେନି ଭୁଜେ ତୋଳି ଆଣଇ ବାରୁଣାବନ୍ତ ଗିରି।୨୦।

 

ବୋଇଲା ଦରବେ ଯେବେ ଦିଲାକ ମେଞ୍ଜନ

ୟେ ପର୍ବତ ଉପରେ ବସି କରିବି ଭୋଜନ।୨୧।

ଯୁଝେଷ୍ଠି ରହି ଅଛନ୍ତି ସେହି ବାରୁଣାବନ୍ତେ

ଭୀମସେନକୁ ନ ଦେଖି ବୁଲନ୍ତି ଚାରି ଭ୍ରାଥେ।୨୨।

 

ପର୍ବତ ଉପରେ ସେ ମୃତୁ ପିଣ୍ଡମାନ ଥୋଇଂ

ନଦୀରେ ସ୍ନାହାନ ଯେ କରଇ ଅବଗାହି।୨୩।

ଯୁଝେଷ୍ଠି ଦେଖିଲେ ଯେ ଧୃତରାଷ୍ଟର ପୁଅନ୍ତ

ଭୟେଣ ଯୁଝେଷ୍ଠି ଦେବ ହୋଇଲେ ଅନ୍ତର୍ଗତ।୨୪।

 

ଭୀମକୁ ସୁମରନ୍ତି ଯେ ଦେବ ଧର୍ମ ଶିଷି

ବୈବୁ ଅନାସ୍ତର ନାଥ ତୁ କେଣେ ଅଛୁ ପଶି।୨୫।

ବାବୁ କେବଣ ରାକ୍ଷସ ମୋର ଭାଇନ୍ତ ନାଶ କଲା

ଆମ୍ଭେ କି ବ୍ରତିବୁ ୟେଡ଼େ ପ୍ରମାଦ ପଡିଲା।୨୬।

 

କ୍ରୋଧଭରେ ସୁମରିଲେ ଯହୁଂ ଧର୍ମର ନନ୍ଦନ

ପାତାଳେ ଆସନ ଯେ କମ୍ପିଲା ଭୀମସେନ।୨୭।

ବୋଲଇ ବ୍ରିକୋଦର ଶୁଣଗୋ ବେଲାବାଳୀ

ମୋତେ ନ ଦେଖି ମୋହୋର ସୋଦରେ ବିକଳୀ।୨୮।

 

ଜାତଗୁରୁ ଯେ ଅଟନ୍ତି ମୋର ନିଜ ମାତ

ଆତ୍ମାଗୁରୁ ମୋର ତୁହି ପ୍ରାଣର ସଂଘାତ।୨୯।

ଭ୍ରାତା ମାତାଙ୍କୁ ମୁଂ ଯାଇଂ ଦ୍ରଶନ କରିବି

ପୁଣ ତୋର ତହିକିଂ ଗୋ ବହନ ଆସିବି।୩୦।

 

ବୋଇଲା ଯେ ବେଲାବାଳୀ ଶୁଣ ହୋ ପ୍ରାଣନାଥ

ଦେଖିବୁ ନାହିଂ କି ସ୍ୱାମୀ ତୋହୋର ସୋଦରନ୍ତ।୩୧।

ତୋହୋର ବୀର୍ଯ୍ୟ ଯେ ମୋହୋର ଗର୍ଭେ ପଡ଼ି

ମୋହୋର ଉଦର ଯେ ହୋଇଛି ଅଳ୍ପ ଅଳ୍ପ ଭାରି।୩୨।

 

ୟେଥକୁ ନ ପୁଣ ସ୍ୱାମୀ ମନେ କରୁ ଭ୍ରାନ୍ତି

ନ ପୁଣ କାଳେ ବୋଲୁଟି ତୁ ହୋଇଲୁ ଅସତୀ।୩୩।

ଭୀମସେନ ବୋଇଲା ଗୋ ଅବଶ୍ୟ ହୋଇବ ଦୁଲାଳ

ନାମ ଦେବୁଟି ତାହାର ତୁ ବଳୀ ଯେ ବେଲାଳ।୩୪।

 

ମୁହିଂ ଯେ ମହାବଳୀ ତୁ ଅଟୁ ବେଲାବଳୀ

ଦୁହିଂଙ୍କର ନାମ ଦେଇଥିବୁଟି ନାଗର ଦୁଲାଳୀ।୩୫।

ନାଗେଣୀକି ବୁଝାଇ ସେ ଚଳଇ ବ୍ରିକୋଦର

ନାଗେଣୀର ମାୟାରୁ ସେ ଯେ ହୋଇଲା ବାହାର।୩୬।

 

ସ୍ନାହାନ କରିଣ ସେ ଆସଇ ପାଣ୍ଡବାସୁର କଉଣୋପ

ମୃତୁପିଣ୍ଡମାନଙ୍କର ସେ ମିଳିଲା ସମୀପ।୩୭।

ଯୁଝେଷ୍ଠି ଅର୍ଜ୍ଜୁନ ନକୁଳ ସହଦେବ

ଚାରିଭାଇ ଆସିଣ ମିଳି ଓ ଗାଳିଲେ ଦାନବ।୩୮।

 

ଦେଖିଣ ଦାନବ ସେ ମୂଷଳେକ ବୁଲାଇ

ପର୍ବତ ଉପରକୁ ସେ ଆସୁଅଛି ଧାଇଂ।୩୯।

ଦେଖିଣ ଅର୍ଜ୍ଜୁନ ବିନ୍ଧିଲା ହାବୁଡ଼ା ନାମେ ଶର

ଧାତିକାରେ ପଡ଼ିଲା ସେ ଦାନବ ଉପର।୪୦।

 

ଦେହ ଫୁଟିଲା ସେ ହାବୋଡ଼ା ଶରଘାତେ

ରୁଧିର ବୃଷ୍ଟି ଯେ ହୋଇଲା ଦୁରାପାତେ।୪୧।

ପୁଣି ଉଠିଲା ସେ ଦୁର୍ଭାର କଉଣୋପ

ଅର୍ଜ୍ଜୁନକୁ ଶୂଳେ ପିଟିଲା ଗରୁତାପ।୪୨।

 

ଅର୍ଜ୍ଜୁନ ପ୍ରହାର କଲା ବଜ୍ର ଯେ ମୁଦଗର

ବେନି ଶସ୍ର ହାବୋଡ଼ନ୍ତେ କମ୍ପିଲା ସ୍ୱର୍ଗପୁର।୪୩।

ୟେହେନେକ ସାଂଗ୍ରାମ କରନ୍ତେ ଘୋର ମହାରଣ

ଭୀମସେନ ପ୍ରବେଶ ହୋଇଲା ତତକ୍ଷଣ।୪୪।

 

ଦେଖିଣ ପରମ ସାନନ୍ଦ ହୋଇଲେ ଯୁଝେଷ୍ଠି

ବାବୁ ଧୃତରାଷ୍ଟ ପୁଅଙ୍କର ଦେଖରେ ଅରଷ୍ଟି।୪୫।

ବାବୁ ରଇବ୍ରତ ପର୍ବତ ଆଖଡ଼ାରୁ ଆସୁଛନ୍ତି

ପାଣ୍ଡବାସୁର ଦତ୍ୟ ଯେ ମାଇଲା ସବୁନ୍ତି।୪୬।

 

ଆହାର କରନ୍ତେ ଆମ୍ଭେ ଭେଟିଲୁ ଅସୁରକୁ

ଅନେକ ଯୁଦ୍ଧ କରି ଜିଣି ନ ପାରିଲୁ ୟେହାକୁ।୪୭।

ଭୀମସେନ ବୋଇଲା ଦେବ କଥାକୁ ନ ବଢ

ଖାଉ ଖାଉ ଅସୁର କଉରୋବଙ୍କୁ ତୁମ୍ଭେ ବେଗେଂ ଛାଡ଼।୪୮।

 

ଆପଣାର ବଇରି ଦେବ ମାରୁଅଛି ପର

ୟେହି ସେ ପରମ ହିତ ହାଦେ କାର୍ଯ୍ୟହିଂ ଅପାର।୪୯।

ଗଣ୍ଡା ଗୋଟି ଘେନି ଦେବ ଗଲି ଯେବଣ ଦିନେ

ଭୁଞ୍ଜାଇ ବସାଇଲେ ମୋତେ ଦ୍ରିଯୋଧନ ଧୁଶାସନେ।୫୦।

 

କପଟ କରିଣ ଅଛନ୍ତି ଯେ ପାକ ମହାରସ

ତହିଂର ଭିତରେ ଲଇ ମୋତେ ପରଶିଲେ ବିଷ।୫୧।

ବିଷ ଖାଇ ଦେବ ମୁଂ ଢଳିଲି ଯେତେବେଳେ

ନାଗେଣୀ ଖାଉ ବୋଲି ମୋତେ ମେଲିଦିଲେ ଅଗାଦ ଜଳେ।୫୨।

 

ସ୍ୱାମୀ ଅନନ୍ତ ନାଗର ଯେ ଦୋହିତା ବେଲାବାଳୀ

ନାଗେଣୀ ବୃନ୍ଦ ଘେନି ସେ କ୍ରୀଡ଼ାରଙ୍ଗ କେଳି।୫୩।

ମୋତେ ଦେଖି ପାତାଳ ଭୁବନକୁ ଘେନିଗଲେ

ଅମୃତ ଦେଇ ମୋତେ ସେ ଜିଆଇଂଲେ ସୁବେଳେ।୫୪।

 

ଅନନ୍ତ ରାଜା ମୋତେ ବିଭାଦିଲାକ କୁମାରୀ

ଅନେକ ଭଗତି ମୋତେ ହୋଇଲା ନାଗର କୁମାରୀ।୫୫।

ଆସନ କମ୍ପିଲା ଦେବ ତୁମର ସୁମରନ୍ତେ

ୟେକା ନିଶ୍ୱାସକେ ଅଇଲି ନାଗୁଣୀର ମହାମନ୍ତ୍ରେ।୫୬।

 

ଭୋ ଦେବ ନାଶ ଆମ୍ଭେ ଯାହା କରନ୍ତୁ ବଇରି

ଦଇବ ନାଶିଲା ୟେହାଙ୍କୁ ଶୋକ ଛାଡ଼ ଦଣ୍ଡଧାରୀ।୫୭।

ଛାଡ଼ଛାଡ଼ ଦେବ କୌରବନ୍ତ ପାଣ୍ଡବାସୁର ଖାଉ

ଯାବତ କାଳକୁ ଆମ୍ଭର ଅରଷ୍ଟିମାନ ଯାଉ।୫୮।

 

ଯଦ୍ୟପି ଦ୍ରିଯୋଧନ ୟେଥୁ ପ୍ରାଣ ପାଇଯିବ

ଅନେକ ଦୁଖ ପାଇବା ଦେବ ରାଜ୍ୟ ପ୍ରାପତ ନୋହିବ।୫୯।

ଯୁଝେଷ୍ଠି ବୋଇଲେ ବାବୁ ଦ୍ରିଯୋଧନକଇ ନକର କୋପ

ଦଇବ ଦଣ୍ଡ ବିହିଲା ତହିଂର ଅନରୂପ।୬୦।

 

ଆମ୍ଭଙ୍କୁ ପାପ ଚିତ୍ତେ ଯାହା ଚିନ୍ତିଲା ଆପଣେ

ପ୍ରତ୍ୟକ୍ଷେ ଦେଖ ବାବୁ ଫଳିଲା ୟେହି କ୍ଷଣେ।୬୧।

ବାବୁରେ ଅଣଉପଗାରୀ ପର ହିଂସକ ଯେଉଂ ପ୍ରାଣୀ

ଆପଣେ ନ କଲେ ୟେହା ଦଇବ ବିହଇ ଯେ ଆଣି।୬୨।

 

ଧର୍ମହିଂ ସେ ଚାରିଯୁଗେ ବର୍ଧୁତ ଅଟଇରେ ବାବୁ

ଧର୍ମ ସେ ସଚରାଚର ପାଳନ କରଇ ସବୁ।୬୩।

ଧର୍ମ ଥିଲେ ଜିଘାଂସ ନାହିଂଟି ପ୍ରାଣୀକି

ଆପଦ ବିପଦ ପଡ଼ିଲେ ଧର୍ମହିଂ ସେ ପ୍ରାଣୀକି ରଖି।୬୪।

 

ବାବୁ ଅନିତ୍ୟ ସଂସାର ୟେ ନୋହଇ କାହାରି

ଜଳ ବିମ୍ୱ ଫୋଟକା ପ୍ରାୟେ ସଂସାର ବିହରି।୬୫।

ତୁ ଯେ ଅଧର୍ମରେ ନାହୁ ମୋର ଭୀମ

ମୃତ ପିଣ୍ଡ ଜୀଆଂଇଲେ ଉଦିତ ହୋଇଧର୍ମ।୬୬।

 

ଅଧର୍ମ ଲୋକଙ୍କୁ ବାବୁ ଧର୍ମ କରାଉଥିବା

ସେହି ତମୁ ନାଶ ଯିବେ ଆମ୍ଭେ ଧର୍ମେଣ ଉତୁରିବା।୬୭।

ବାବୁ ଧୃତରାଷ୍ଟ ପୋୟେ ଯେ ଆମ୍ଭର ସୋଦର

ୟେହାନ୍ତ ଉଦ୍ଧର ଭାଇ ଧର୍ମ ଉପୁଜୁ ତିନିପୁର।୬୮।

 

ମୁହିଂ ତୋର ଆପଦ ଘେନଇ ଆରେ ବାପ

ଅସୁରକୁ ବଦ୍ଧ କର ଦ୍ରିଯୋଧନକୁ ଛାଡ଼ କୋପ।୬୯।

ଆମ୍ଭର ଦେଖନ୍ତେ ଯେବେ ଦ୍ରିଯୋଧନ ନାଶଯିବ

ଅନ୍ଧରାଜ ଗୋଟି ମୋର ଭାଇରେ ଅନାସ୍ତ ହୋଇବ।୭୦।

 

ବାବୁ ଯଦ୍ୟପି କଉରୋବରେ ମରିବେ ୟେ ପ୍ରସ୍ତାବେ

ମୁହିଂକି ବ୍ରତିବି ଦ୍ରିଯୋଧନର ଅଭାବେ।୭୧।

ଯୁଝେଷ୍ଠିଙ୍କର ମୁଖରୁ କଷ୍ଠୋର ବଚନ ଯେ ଶୁଣି

ଅସୁର ଉପରକୁ ବୀର ଉଠିଲା ଶିର ଝୁଣି।୭୨।

 

ବ୍ରିକୋଦରକୁ ଦେଖିଣ ପାଣ୍ଡବାସୁର ବେଗେ

ବଜ୍ର ମୂଷଳ ଧରି ପିଟିଲା ଭୀମସେନ ବାମ ଅଙ୍ଗେ।୭୩।

ପଡ଼ିଣ ବଜ୍ର ମୂଷଳ ଚୂର ହୋଇଗଲା

ଅସିବର ଘେନି କୋପେ ଅସୁର ଧାଇଂଲା।୭୪।

 

ଖଡ଼କ ପ୍ରହାରନ୍ତେ ଯେ ଧଇଲା ମାରୁତି

ଅସୁର ହାଥୁଂ ଉଛୁଡ଼ି ଘେନିଗଲା ଝାତି।୭୫।

ସେ ଅସିବର ଭୀମ ଊର୍ଦ୍ଧବାହୁ କରି ହାଣି

ପଡ଼ିଣ ଅସୁରର ଛିଡ଼ିଲା ଦକ୍ଷିଣ ପାଣି।୭୬।

 

ପୁଣି ଆରେକ ବେଳେ ଯେ ପ୍ରହାର ଭୀମ କଲା

ବାମ କର ପାତିଲା ଯେ ଛିଡ଼ିଣ ପଡିଲା।୭୭।

ପୁଣି ଆରେକ ବେଳେ ପିଟିଲା କୋପାନଳେ

ତାଳୁଠାରୁ ପାଦ ପରିଯନ୍ତେ ହୋଇଲେ ବେନି ଫାଳେ।୭୮।

 

ପର୍ବେଣ ବର ତାକୁ ଦେଇଛନ୍ତି ଭଦ୍ର କାଳରାତ୍ରି

ଶରୀରେ ନ କାଟିବ ତୋର ବଜ୍ର ଛେଲ କାତି।୭୯।

ତୀକ୍ଷ ଅସିବର ଶୂଳକେଦିଲେ ହାଥେ

ୟେ ଦୁହେଂ ହସ୍ତରେ ଥିଲେ

ତ୍ରୈଲୋକ୍ୟେ କେହି ଜିଣନ୍ତା ନାହିଂ ତୋତେ।୮୦।

 

ତୋହୋରହିଂ ଶହସ୍ର ଛଡ଼ାଇ ତୋତେ ଯେ ମାରଇ

ତେବେ ସେ ଶରୀର ତୋହୋର ହଇବ ଅପହାରଇ।୮୧।

ସେ କାଳୀଙ୍କର ବଚନ ହେ ନୋହଇ ଆନକଲା

ତାହାର ଅସିବାରେ ସେହି ସେ ନାଶଗଲା।୮୨।

 

ନମସ୍ତେ ସୁରବର ସୁନ୍ଦର ଶ୍ରୀରାମ

ନମସ୍ତେ ଇଚ୍ଛାଙ୍କୁର ବଂଶ ମଣ୍ଡନ ଗୁଣଧାମ।୮୩।

ନମସ୍ତେ ରଘୁନାଥ ଅମଳାଣ ସୂର୍ଯ୍ୟ ବଂଶୀ

ନମସ୍ତେ ଶ୍ରୀରାମ କଉଣୋପ ବଳଧ୍ୱଂସୀ।୮୪।

 

ନମସ୍ତେ ଶ୍ରୀରାମ କୋଦଣ୍ଡ ଦୀକ୍ଷା ଗୁରୁ

ନମସ୍ତେ ଶ୍ରୀରାମଚନ୍ଦ୍ର ରାବଣ ଦର୍ପ ହରୁ।୮୫।

ବାରାନିଧି ବନ୍ଧନ ନାଥ ହରି ବଳ ପ୍ରାଣବନ୍ଧୁ

ଅଧାରଣ ପୁରୁଷ ଉଦ୍ଧାରଣ ତୁହି ପବିତ୍ର ପୂର୍ଣ୍ଣଇନ୍ଦୁ।୮୬।

 

ଥାବର ଜଙ୍ଗମ ଯେ କୀଟ ପତଙ୍ଗ ଆଦି

ତବ ପ୍ରସାଦେ ନାଥ ସବୁରି ବ୍ରତ ସିଦ୍ଧି।୮୭।

କଉଶିକର ପ୍ରସନ୍ନେ ତାଡକୀ ଦର୍ପ ଗଞ୍ଜି

ଜନକ ଋଷି ଘରେ ଶିବଧନୁ ଭାଞ୍ଜି।୮୮।

 

ଅଭୟ ଭୁବନେ ଯେ ବଇକୁଣ୍ଠପୁର ବାସୀ

ଯାହାର ନାରାଜେ ଅସୁର ଦର୍ପ ଧଂସି।୮୯।

ଅନନ୍ତ ଦୁର୍ଗମ ଜଳ ଯେ କଲା ୟେକ ବାଟ

ଅହିଲା ସ୍ୱର୍ଗ ପାଇଲା ଫିଟିଲା ଗରୁକଷ୍ଟ।୯୦।

 

ଶ୍ରୀଭଗବନ୍ତ ନାରାୟଣ ଚରଣେ ଶରଣ

ସୂର୍ଯ୍ୟ ବଂଶିକ ନାଥ ମୋତେ କରିବା ଉଦ୍ଧାରଣ।୯୧।

ଯଦ୍ୟପି ଶ୍ରୀରାମ ମୁଂ ଦେଖନ୍ତି ବେନି ଡୋଳେ

ସ୍ନାହାନ ଭୋଜନ ମୁହିଂ ତେଜନ୍ତି ସର୍ବକାଳେ।୯୨।

 

ଅଭୟ ପଦ୍ମପାଦ ଗୋଟି ପାଷାଣର ରେଖା

ୟେ ସଂସାର ଅନ୍ଧପଟଳରୁ ମୋତେ ମୁକତି ବାଟ ଦେଖା।୯୩।

ନୟନେ ନ ଦେଖି ଯାହା ଶ୍ରବଣେ ନ ଶୁଣିଲି

ଗ୍ୟାଂନକୁ ଉପଲେଖି ମୁଂ ଶବଦକୁ ଗୋଡ଼ାଇଲି।୯୪।

 

ଶ୍ରୀଜାନକୀ ବଲ୍ଲଭ ଚରଣେ ନିଜ ଦାସ

ଶୂଦ୍ରମୁନି ସାରୋଳା ଦାସକୁ ବୈକୁଣ୍ଠରେ ଦେବା ବାସ।୯୫।

 

ଜତୁଗୃହ ଦାହର ମନ୍ତ୍ରଣା

 

ଆହୋ ବଦୟନ୍ତି ଅଗସ୍ତି ଶୁଣ ହୋ ଯୁଗବାସୀ

ଅମୃତର ସଭା ରଥ, ଶରୀର ଯେହ୍ନେ ତୋଷି।୧।

ପାଣ୍ଡବାସୁରକୁ ଯହୁଂ ପାଣ୍ଡବେ ବଧ କଲେ

ତହୁଂ ସେ ପାଣ୍ଡବ ନାମ ପାଞ୍ଚେ ହେଂ ବହିଲେ।୨।

 

ଧାତୁବାଦ ପୁରୁଷ ବୋଇଲେ ଶୂନ୍ୟଦେବ

ଆଜହୁଂ ତୁମ୍ଭ ନାମ ହେଉ ଯେ ପଞ୍ଚୁପାଣ୍ଡବ।୩।

ଅସାଷ୍ଟମ ହୋଇ ଯେ ପଡ଼ିଥିଲେ କୁରୁବୀରେ

ଶରୀର ପାଇଲେ ସେ ଅର୍ଜୁନର ଜୀବନ୍ୟାସ ଶରେ।୪।

 

ଭୀମସେନ ବୋଇଲାରେ ପ୍ରତଗ୍ୟାଂ କରୁଥିଲ

କପଠ ଭିଆଇ ମୋତେ ବିଷଲଡୁ ଦେଲ।୫।

ତୁମ୍ୱର ନିମନ୍ତରେ ପାଣ୍ଡବାସୁର ନାଶି

ପାଣ୍ଡବ ନାମ ଆମ୍ଭନ୍ତ ଦିଲେ ସ୍ୱର୍ଗବାସୀ।୬।

 

ଚଳନ୍ତି କୁରୁବୀରେ ଅନେକ ଅଭିମାନେ

ବିଜୟେ କୁରୁବୀରେ ହସ୍ତିନା ଭୁବନେ।୭।

ସଞ୍ଜୟେ କହିଲେ ଶୁଣ ଅମ୍ୱିକାର ସୁତ

ପୁଅଙ୍କର ଚରିତ୍ର ତୋର ଶୁଣ ବିପରୀତ।୮।

 

ବଳରାମଙ୍କ ମେଳୁଂ ଆସନ୍ତେ ତୋର ପୁତ୍ରେ

ପାଣ୍ଡବାସୁର ଦାନବ ଯେ ଦେଖିଲା ବନସ୍ତେ।୯।

ସାଂଗ୍ରାମ କରି ସବୁନ୍ତିହିଂ ମାଇଲା ମହାରୋଳେ

ଭକ୍ଷଣ କରିବ ସବୁ ପକାଇ ଅନଳେ।୧୦।

 

ପଣ୍ଡୁରନନ୍ଦନ ଯେ ଦେଖିଲେ ୟେମନ୍ତର ସମୟେ

ଅସୁର ମାରି ପ୍ରତଗ୍ୟାଂ ସାଚା କଲା ପବନ ତନୟେ।୧୧।

ଅସୁର ମାରି ଯହୁଂ ପ୍ରତଗ୍ୟାଂ ସାଚା କଲେ

ପଞ୍ଚୁ ପାଣ୍ଡବ ବୋଲି ଆକାଶେ ଡାକିଲେ।୧୨।

 

ସଞ୍ଜୟ କହନ୍ତେଣ ପ୍ରବେଶ ଦ୍ରିଯୋଧନ

ଧୃତରାଷ୍ଟେଙ୍କ ଅଗ୍ରେ ସମସ୍ତ କହିଲା କର୍ଣ୍ଣ।୧୩।

ଶଙ୍କୁନି କହିଲା ଦେବ ଶୁଣ କୁରୁବଇ

ଭୀମସେନ ପାରକଲା ସେ ବିଷଲଡୁ ଖାଇ।୧୪।

 

ସଞ୍ଜୟେ ତୋ ବଂଶନାଶ ହେବ ହୋ କୁରୁବଇଂ

ପାଣ୍ଡବ ବ୍ରତିଥିଲେ ତୋର ପୁଅଙ୍କର ଜୀବନ ନାହିଂ।୧୫।

ଶୁଣିଣ ବିଷାଦ ହୋଇଲା ସେ ଅମ୍ୱିକାର ବଳା

ଅଗାଦ ସମୁଦ୍ରେ ନିଶ୍ଚେ ମୋହୋର ବୁଡ଼ିଲାକ ଭେଳା।୧୬।

 

ଶଙ୍କୁନି ବୋଇଲା ତୁ ଶୁଣ ରାଜ୍ୟେଶ୍ୱର

ପାଣ୍ଡବଙ୍କର ନାଶ ଯେହ୍ନେ ଉପାୟେ ଦେବ କର।୧୭।

ୟେସନେକ ବିଚାର ଯେ କରଇ କୁରୁନାଥେ

ପାଣ୍ଡବେ ରହିଛନ୍ତି ବାରୁଣାବନ୍ତେ ପ୍ରଶସ୍ତେ।୧୮।

 

ବାସୁଦେବଙ୍କୁ ସୁମରନ୍ତି ୟେକାନ୍ତେ ଯୁଝେଷ୍ଠି

ଯୁଝେଷ୍ଠି ସୁମରନ୍ତେ ଦେବ ମିଳିଲେ ଗରୁଡ଼ର ପିଠି।୧୯।

ରାତ୍ର ଅର୍ଦ୍ଧମାନେ ଶଙ୍କୁନି ହକାରୀ ଭଗବାନ

ସଙ୍ଗତେ ଘେନିଛନ୍ତି ସହଦେବ ମନ୍ତ୍ରୀ ପୁଣ।୨୦।

 

ତିନି ଜଣ ବସି ଯେ ବିଚାର କରନ୍ତି

ଜଦୁଘର ତୁମ୍ଭ ପାଇଂ ଭିଆଇ ଅଛିଟି କୁରୁପତି।୨୧।

ସହଦେବ ବୋଇଲେ ତୁ ମାତୁଳ ଶୁଣିମା

ଜଦୁରଘର ଭିଆଇ ଅଛନ୍ତି କାହାକୁ ରଖିବେ ମହାତମା।୨୨।

 

ଗୋବିନ୍ଦେ ବୋଇଲେ ତୁମ୍ଭେ ଶୁଣ ହୋ ବେନି ମନ୍ତ୍ରୀ

ଯୁଝେଷ୍ଠିଙ୍କି ଡକାଇ କହିବା ୟେଘାନ୍ତି।୨୩।

ବଦନ୍ତି ଶଙ୍କୁନି ଶୁଣିମା ବାସୁଦେବ

ଧର୍ମସୁତଙ୍କୁ ଦେବ କି ଅବା କହିବ।୨୪।

 

ଯୁଝେଷ୍ଠିଙ୍କି ହକାରୀ ଆଣିଲେ ନିଶା ଭାଗେ

ସକଳ ବୃତ୍ତାନ୍ତ ଯେ କହନ୍ତି ତାଙ୍କ ଆଗେ।୨୫।

ପୁରଞ୍ଚନ ପଣ୍ଡା ଯଦୁଘର ବେଗେ ଦହନ କରିବ

ବୋଲନ୍ତି ଧର୍ମନନ୍ଦନ ଶୁଣ ବାସୁଦେବ।୨୬।

 

ୟେଘୋର ସଂକଟରୁ ତୁମ୍ଭେ ସେ ରଖିବ

ତୁମ୍ଭେ ସାହାପକ୍ଷ ହୋଇଥିଲେ କେ କିସ ଯେ କରିବ।୨୭।

ବ୍ୟାସ ବାସୁଦେବ ବିଦୁର ମୋତେ ସପକ୍ଷ ହୋଇଥିଲେ

କେହୁ ଜିଣିମ ମୋତେ ପୃଥିବୀରେ ଭଲେ।୨୮।

 

ୟେକାନ୍ତେ ବାସୁଦେବ କହିଲେ ସହଦେବଙ୍କୁ

ରାତ୍ରେଣ ଜଗାଇ ରଖାଇବ ପୁର ଭୀମସେନକୁ।୨୯।

ୟେତେ କହି ଶଙ୍କୁନି ବାସୁଦେବ ଅନ୍ତର୍ଦ୍ଧାନେ ଗଲେ

ହରି ହରି ସୁମରୀ ପାଣ୍ଡବେ ନିଜ ନବରକୁ ଅଇଲେ।୩୦।

 

ପୁରଞ୍ଚନ ରାଇଣ ବୋଇଲା କୁରୁପତି

ତୁ ଯା ବ୍ରାହୁଣ ହୋ ପାଣ୍ଡବଙ୍କର କତି।୩୧।

ସୂପକାର ପଣେଣ ପାକ ସଞ୍ଚି ଦେବୁ

ବିଷ ପରଶିଣ ତୁ ପାଣ୍ଡବନ୍ତ ନାଶିବୁ।୩୨।

 

ନିଦ୍ରା ଯିବେ ପାଣ୍ଡବେ ଯେବଣ ନିଶା କାଳେ

ଜଦୁର ଘରେ ତୁ ଲଗାଇବୁ ଅନଳେ।୩୩।

 

ଦୁର୍ଯ୍ୟୋଧନ ଆଜ୍ଞାରେ ପୁରୋଚନର ବାରୁଣାବନ୍ତ ଗମନ

 

ରାଜାର ଆଗ୍ୟାଂ ସେ ପାଇଣ ପୁରଞ୍ଚନ

ବାରୁଣାବନ୍ତକୁ ସେ ଚଳଇ ବହନ।୧।

ଆଷାଢ ମାସ ବିଷ୍ଟି ଯେ ପୂର୍ଣ୍ଣୀମୀର ଦିନ

ଉତ୍ତରାଷାଢା ନକ୍ଷତ୍ର ଯେ ଧନୁ ବିଦ୍ୟମାନ।୨।

 

ସେଦିନ ପୁରଞ୍ଚନ ଯେ ବାରୁଣାବନ୍ତ ଗଲା

ଯୁଝେଷ୍ଠିଙ୍କ ସନ୍ନିଧ୍ୟେ ଯାଇ ପ୍ରବେଶ ହୋଇଲା।୩।

ବ୍ରାହ୍ମଣକୁ ଦେଖିଣ ଯେ ପଚାରନ୍ତି ଦେବୀ କୋନ୍ତେ

କେବଣ କାର୍ଯ୍ୟେ ବିପ୍ର ଅଇଲ କାହିଂର ନିମନ୍ତେ।୪।

 

ବ୍ରାହ୍ମଣ ବୋଇଲା ଶୁଣ ଭୋଜର କୁମାରୀ

ତୁମ୍ଭେ ଯେ ଦୁଖ ପାଉଅଛ ପାକ ପଚନ କରି।୫।

ମୁହିଂ ବଲ୍ଲଭ ଜାଣଇ ରାନ୍ଧଣା ବିଧାନ

ପାକ ରଞ୍ଚନ କରି ମୁଂ ଦେଉଥିବି ପ୍ରତିଦିନ।୬।

 

ପୁରଞ୍ଚନ ବୋଇଲା ଧୃତରାଷ୍ଟ ବୋଲି ଯେବଣ ରାୟେ

ତୁମ୍ଭର ଚିନ୍ତାକୁ ତାର ଅନୁବ୍ରତେ ଧ୍ୟାୟେ।୭।

ତାହାର ପୁତ୍ରଙ୍କୁ ନାହିଂ ତାହାଙ୍କର ଚିନ୍ତା

ଅନୁବ୍ରତେ ଧରଇ ସେ ପଞ୍ଚ ପୁତ୍ରଙ୍କର କଥା।୮।

 

ପୁରଞ୍ଚନ ବଚନ ଶୁଣି ବୋଲନ୍ତି ଯୁଝେଷ୍ଠିର

ସହଦେବଙ୍କୁ ହକାରି ୟେକାନ୍ତେ ନୃପବର।୯।

ବ୍ରାହ୍ମଣ ଚରିତ୍ର ତୁ କେମନ୍ତ ପ୍ରାୟେ ମଣୁ

ତୁ ଯେ ବିତକ୍ଷଣ ବାବୁ ସବୁ କଥା ଜାଣୁ।୧୦।

 

ସହଦେବ ବୋଇଲା ଦେବ ଉତ୍ତର କୋଶଳେ

ଗ୍ୟାନପୁର ନଗ୍ର ବୋଲି ଗଙ୍ଗାନଦୀ କୂଳେ।୧୧।

ନଉ ସହସ୍ର ଷାଠିୟେ ଘର ତହିଂ ଯେ ବସଇ

ସମସ୍ତେ ହେଂ କୁଗ୍ୟାନୀ ନାଶ କରଇ ମନୁଷ୍ୟଇଂ।୧୨।

 

ତହିଂର ମହାଜନ ୟେ ଅଟଇ ଶାସେନୀ

ପାପ ପ୍ରକୃତି ଦେବ ଅଟଇ କୁଗ୍ୟାନୀ।୧୩।

ଗଉଡିଆ ଗୋଖର ୟେ ଅଟଇ ମନ୍ଦ ବାଟି

ଘର ଭିଆଇଲା ଯେ ଜଉ ସଜଳସ ଗୁଆଘୃତ ଛଣପଟି।୧୪।

 

ଭୀମସେନ ଠାକୁରଙ୍କୁ ୟେଟି ଦିଲା ବିଷ ଲଡୁ

ୟେବେ ଆମ୍ଭନ୍ତ ୟେ ନାଶକରିବ ନେଇଣ ବିଷ ଯୋଗାଡୁ।୧୫।

ୟୁଝେଷ୍ଠି ବୋଇଲେ ରହ ରହରେ ସହଦେବ

ଭୀମସେନ ଜାଣିଲେ ଏହାକୁ ପ୍ରାଣେ ନାଶ କରିବ।୧୬।

 

ସବ୍ୟ ହୋଉ କି ଅସବ୍ୟ ହୋଉ ଅଟଇ ବ୍ରାହ୍ମଣ

ଅଥର୍ବ ବେଦୀ ୟେ ବହଇ ବିପ୍ର ଲକ୍ଷଣ।୧୭।

ୟେହାର ପାପେ ହୋ ନାଶ ଯାଉ ୟେହି

ବ୍ରହ୍ମହତ୍ୟା ଦୋଷ ନ ଲାଗୁ ଆମ୍ଭକଇଂ।୧୮।

 

ମୋହୋର ଶପତ ବାବୁ ସଂରକ୍ଷଣ କର ଗର୍ଭେ

କଦାଶ୍ଚିତେ ନକହିବୁଟି ଭୀମସେନର ଆଗେ।୧୯।

ଯୁଝେଷ୍ଠି ବୋଇଲେ ହୋ ଶୁଣିମା ପଣ୍ଡାୟେ

ତୁମ୍ଭନ୍ତ ହକାରି ଯେବେ ପେଷିଲେ ପିତାୟେ।୨୦।

 

ଆଦିହୁଂ ଜାତ ହୋଇଲୁ ଶତଶିଂଗ ପର୍ବତେ

ବନଫଳ ଭୁଞ୍ଜୁ ଆମ୍ଭେ ଥାଉଂ ଯେ ବନସ୍ତେ।୨୧।

ବନସ୍ତହୁଂ ଏବେ ଆମ୍ଭର ସେହି ସେ ପ୍ରକୃତି

ଅନ୍ନ ମେଞ୍ଜନେ ଆମ୍ଭେ ନୋହୁନା ତ୍ରିପୁତି।୨୨।

 

ପିତା ଯେବେ ପେଷିଲେ ତୁମ୍ଭେ ଥାଅ ଆମ୍ଭତୁଲେ

ଅନ୍ନ ପାଞ୍ଚନ କରିଦେବ ଆମ୍ଭର ଇଚ୍ଛା ଯେ ହୋଇଲେ।୨୩।

 

ବିଦୁର ଜତୁଗୃହ ଦ୍ୱାରେ ପ୍ରବେଶ

 

ରହିଲେ ପୁରଞ୍ଚନ ଯୁଝେଷ୍ଠିଙ୍କର ତୁଲେ

ହୃଦରେ ପାପ ଚିତ୍ତ ବାହରେ ଅନେକ ପୀରତି ବଢାଇଲେ।୧।

କୁମ୍ଭମାସ ଶୁକଳପକ୍ଷ ଅଟଇ ତିଥି ତ୍ରୟୋଦଶୀ

ଗୁରୁବାର ଦିନ ପୁଷ୍ୟାନକ୍ଷତ୍ରର ବେଳେ ଆସି।୨।

 

ସେ ଦିନ ରାତ୍ରକାଳେ ଆସି ବିଜେ କଲେ ବିଦୁରେ

ପ୍ରବେଶ ହୋଇଲେ ସେହୁ ଜଦୁଘର ଦ୍ୱାରେ।୩।

ଯୁଝେଷ୍ଠିଙ୍କି ତୋଳି ସେ ପଣ୍ଡିତ ମହାଭିଗ୍ୟଂ

ରାତ୍ରରେ ସନ୍ନିଧ୍ୟେଣ ବସାଇ କହନ୍ତି ସର୍ବଗ୍ୟଂ।୪।

 

ବାବୁ ଧୃତରାଷ୍ଟ ଚରିତ୍ର ମଣିଲୁ କି ମନେ

ଅଭିଷେକ କରାଇ ଲୋଡ଼ଇ ଦ୍ରିଯୋଧନେ।୫।

ଆମ୍ଭନ୍ତ ଘେନି ଭାଳିଲା ସନ୍ନିଧ୍ୟେ ବସାଇ

ଭୀଷ୍ମେ ବୋଇଲେ ଯୁଝେଷ୍ଠି ଥାଉ ଦ୍ରିଯୋଧନକୁ ପାଟ ନାହିଂ।୬।

 

ତାହା ଶୁଣି କୋପ କଲା ରାଜା ଅନ୍ଧ

ତେଣୁ କରି ତୁମ୍ଭନ୍ତ ଚିନ୍ତିଲା ପରମାଦ।୭।

ଗୋଖରା ବ୍ରାହ୍ମଣ ୟେ ଅଟଇ ମହାଦୁଷ୍ଟ

ଭାମସେନକୁ ବିଷଲଡୁ ଖୁଆଇଲା ୟେ ପାପିଷ୍ଠ।୮।

 

ଧର୍ମେଣ ପାର ହୋଇଲା ତୋହୋର ଅନୁଜ

ସମସ୍ତ ହେତୁ କରି ହୃଦୟେ ତୋହୋର ବୁଝ।୯।

ଆହୋ ୟେ ପୁର ଭିଆଇଲା ପୁରଞ୍ଚନ କପଟେ

ଜଉ ସଜଳସ ଗୁଆଘୃତେ ଛଣପଟେ।୧୦।

 

ଯେବଣ ପାକଟି କରିବ ରଞ୍ଚନ

ସବୁ ହିଂ ବିଷ ତାହା ନକରିବଟି ଭୋଜନ।୧୧।

ରାତ୍ରରେ ବାବୁରେ ତୁମ୍ଭେ ଯେବେ ନିଦ୍ରା ଯିବ

ସେହିଦି ନବ୍ରହ୍ମଣ ୟେ ପୁର ପୋଡ଼ିଦେବ।୧୨।

 

ଅଗ୍ନି ନଥିବଟି ଜଦୁଘରର ଭିତରେ

ୟେହା ଚେତି କାର୍ଯ୍ୟ ହୋ କରସି ନିର୍ଭରେ।୧୩।

ସେ ଅବା ବାପରେ ତୁମ୍ଭନ୍ତ ଚିନ୍ତିଲା ପାପଚିତ୍ତ

ଗୁପତେ ପାର ହୋଅ ସମୟେ ନଥାଅ ୟେଥ।୧୪।

 

କେ କେମନ୍ତେ ବିଚାର କରଇ ତଥ୍ୟ କରି

ତୁମ୍ଭର ଚିନ୍ତା ହିଂ ସେ ଥିବ ହୃଦେ ଧରି।୧୫।

ୟେତେ କହି ସେ ଗଲେ ଅମ୍ୱୁବତୀର ସୁତ

ଧୃତରାଷ୍ଟଙ୍କୁ ପ୍ରଳମ୍ୱିତ କଲେକ ତୁରିତ।୧୬।

 

କଲ୍ୟାଣ ବାଞ୍ଛା ଯେ କରଇ କୁରୁବଇ

ଆସନ ପାଇଣ ଯେ ବସଇ ତହିଂ ଯାଇଂ।୧୭।

ଯୁଝେଷ୍ଟି ଦେବ ହକାରିଲେ ଯେ ଭୀମସେନକୁ

ତୁ ସବୁ ରାତ୍ରେଣ ଇଚ୍ଛା ଯେ ନକରିବୁ ନିଦ୍ରାକୁ।୧୮।

 

ମହାବନସ୍ତ ୟେ ଦଇତ ଦାନବଙ୍କ ଭୂମି

ବ୍ୟାଘ୍ର ଭଲ୍ଲୁକମୟ ମତ୍ତ ହସ୍ତୀ ୟେଥି ଅନେକ ବିଶ୍ରାମି।୧୯।

ଦିବସେ କ୍ଷେପଇ ମାରୁତି ଘୋରବନେ

ଖାଇଜ ଜୀବ ମାରି ଭୁଞ୍ଜଇ ପ୍ରତିଦିନେ।୨୦।

 

କନ୍ଦମୂଳ ଦାରାକ୍ଷ ଭୁଞ୍ଜଇ କ୍ଷୁଧା ବେଳ ଜାଣି

ଭୀମସେନ ଜଦୁଘରେ ଭ୍ରମୁଥାଇ ସେ ରୟଣୀ।୨୧।

ପାତାଳ ଭୁବନେ ଭୀମସେନ ଯେ ବେଲାବାଳୀ କି ପ୍ରଦାନ ହୋଇଲା

ତାହାର ତହୁଂ ବଳୀବେଲାଉଳ ନାମେ ପୁତ୍ରେକ ଉପୁଜିଲା।୨୨।

 

ବଡ଼ାଇ ସୁନ୍ଦର ସେ ଅତିବଳବନ୍ତା

ଅନନ୍ତର ନାତି ସେ ଅନେକ ଶାହାସ୍ରେ ନିର୍ଜିତା।୨୩।

ଋଷଭ ମାସ ଶୁକଳ ପକ୍ଷ ଦଶମୀର ଦିନ

ସୋମବାର ସେ ଦିନ ନକ୍ଷତ୍ର ହସ୍ତାକନ୍ୟ।୨୪।

 

ସେଦିନ ପୁରଞ୍ଚନ ପଣ୍ଡା ଗଲା ହସ୍ତିନା ଭୁବନକୁ

ବାରତା କହିଲା ଯାଇଂ ଦ୍ରିଯୋଧନ ରାଜାକୁ।୨୫।

ଆହୋ ଅନ୍ନ ପାଞ୍ଚନ ନାହିଂ ପାଣ୍ଡବଙ୍କର

କନ୍ଦମୂଳ ଭକ୍ଷନ୍ତି ସେ ଯେହ୍ନେ ବନଚର।୨୬।

 

ଅଗ୍ନି ବିବର୍ଜିତ ଦେବା କଲେକ ଜଦୁର ଘରେ

ଲୋଡ଼ିଲେ ନ ପାଇ ଅଗ୍ନି ଗହନ ବନସ୍ତରେ।୨୭।

ଆନ ଘରମାନ ଯେବେଟି ଥାଇ ସନ୍ନିଧାନେ

ତେବେ ଅଗ୍ନି ପାଇବା ଲୋଡ଼ିବା ବିଧାନେ।୨୮।

 

ଶଙ୍କୁନି ବୋଇଲା ମୋହୋର ବଚନ କରିବା

ଝିମାଣି ଶାଳ ମାନନ୍ତ ଯେ ତହିଂ ତୋଳାଇବା।୨୯।

ସାଞ୍ଜୁ ଘଟଣ ଯେ କରୁଥାନ୍ତି ବିନ୍ଧାଣିମାନେ ତହିଂ

ଲୋଡ଼ିବାର ବେଳେ ଯେ ପାଇବାକ ଜୁଇ।୩୦।

 

ଯେତେବେଳେ ନିଦ୍ରା ଯେ ଯାଆନ୍ତି ରୟଣୀ

ଝିମାଣି ଶାଳୁଂ ଅଗ୍ନି ଆଣି ଲଗାଇ ଦେବା ପୁଣି।୩୧।

ଶଙ୍କୁନିର ବଚନ ଯେ ଶୁଣିଲା ସେ ମାନଗୋବିନ୍ଦ

ଘଟଣା ବିନ୍ଧାନ୍ତିମାନନ୍ତ ରାଇ ଆଗ୍ୟାଂ ଦିଲା ସେ ନରେନ୍ଦ୍ର।୩୨।

 

ଶାଢୀ ସରଳ ଅନେକ ରତ୍ନ ଦିଲାକ ବଧାଇ

ସହସ୍ରେ ଶାଳ ଭିଆଅ ବାରିଣାବନ୍ତେ ରହି।୩୩।

ନଦୀର ସନ୍ନିଧେଣ ଆବର ବନସ୍ତ ନିକଟ

ଅଙ୍ଗାର ପୋଡ଼ିବାକୁ ତହିଂ ପାଇବାକ ଅନେକ କାଠ।୩୪।

 

ଭ୍ରାଥମାନେ ମୋର ଯେ ରହିଲେ ତହିଂ ଯାଇ

ପାଣ୍ଡବନ୍ତ ସପକ୍ଷ ତୁମ୍ଭେମାନେ ଥିବ ହୋଇ।୩୫।

ଆପଣେ ବିଜେ କଲେ ମହାମନ୍ତ୍ରୀ ଶଙ୍କୁନି

ବାରୁଣାବନ୍ତେ ପ୍ରବେଶ ହୋଇଲେ ବିନ୍ଧାଣିମାନନ୍ତ ଘେନି।୩୬।

 

ଯଦୁର ଘର ବେଢାଇ ପାତିଲେ ମହାଖଳା

ଶଙ୍କୁନି ସନ୍ନିଧେ ପ୍ରବେଶ ହୋଇଲେ ପଣ୍ଡୁରାଜାର ବଳା।୩୭।

ମାତୁଳ ବୋଲି କରିକଲେ ନମସ୍କାର

ୟେ କିସ ଭିଆଣ ବୋଲି ପଚାରିଲେ ଯୁଝେଷ୍ଠିର।୩୮।

 

ଶଙ୍କୁନି ବୋଇଲା ତୁ ଶୁଣ ଧର୍ମସୁତ

ଶୁଣସି ସାବଧାନେ କହଇ ତୋତେ ସତ।୩୯।

ପୁରଞ୍ଚନ ପଣ୍ଡା ଯେ ଯାଇ ଧୃତରାଷ୍ଟଙ୍କୁ କହିଲେ

ମହାଘୋର ଅରଣ୍ୟେ ତୋର ପୋୟେ ୟେକା ହୋଇ ରହିଲେ।୪୦।

 

ଝିମାଣି ଶାଳମାନନ୍ତ ତୁମ୍ଭନ୍ତ ଦିଲା ସାଙ୍ଗ।୪୧।

ଶଙ୍କୁନି କହିଲା ଯେ ପାଣ୍ଡବଙ୍କର ସନ୍ନିଧାନେ

ନିର୍ଭୟେ ହୋଇଣ ତୁମ୍ଭେ ଥିବା ନା ଘୋରବନେ।୪୨।

 

ରାତ୍ର ଦିବସେ ବିନ୍ଧାଣି କରୁଥିବେ ଘଟଣା

ପଞ୍ଚ ଦଶ ମାସେ ସବୁ ହୋଇବ ସଂପୂର୍ଣ୍ଣ।୪୩।

ଦ୍ୱାଦଶ ନଳେ ବଖରାୟେ କରନ୍ତି ନିର୍ବାଣ।୪୪।

 

ୟେମନ୍ତେ ସହସ୍ର ବଖରା ଘର ହୋଇଲା ନିର୍ମିତ

ଲୋହକାର ବିନ୍ଧାଣିମାନେ ଲାଗିଲା ସମସ୍ତ।୪୫।

ପୁରଞ୍ଚନ ଥାଇ ହୋ ସେ ପାଣ୍ଡବଙ୍କର ତୁଲେ

ତୁମ୍ଭନ୍ତ ସଙ୍ଗ ବାବୁ କରାଇଲି ମୋହୋର ବୋଲେ।୪୬।

 

ଯୁଝେଷ୍ଠି ବୋଇଲେ ତୁମ୍ଭେ ମହାଭିଗ୍ୟଂ ପଣ୍ଡିତ

ଧାର୍ମିକ ବିବେକ ତୁମ୍ଭେ ବେଦଶାସ୍ରରେ ନିର୍ଜିତ।୪୭।

ତୁମ୍ଭର ଗ୍ୟାନେ କି ହୋଇ ପାପ କଥା

ଧର୍ମହିଂ ସାହା ପକ୍ଷ ହୋଇବ ନା ସର୍ବଥା।୪୮।

 

ତହିଲା ଦ୍ୱିଜବର ଯୁଝେଷ୍ଠିଙ୍କର ତୁଲେ

ଝିମାଣି ଶାଳ ବିନ୍ଧାଣିମାନେ ଶାଳନ୍ତ ସିର୍ଜିଲେ।୪୯- ୬୨୬୪

 

ଝିମାଣିଶାଳ ନିର୍ମାଣ

 

ସିଂହ ଶୁକଳ ତ୍ରୟୋଦଶୀ ତିଥି ଅର୍କବାର

ଧନିଷ୍ଠା ନକ୍ଷତ୍ର କୁମ୍ଭରାଶି ଭୋଗ୍ୟ ଅଟଇ ସେ ଦିନର।୧।

ବିଦୁର ମହାତ୍ମା ଯେ ବିଜେକଲେ ନିଶାକାଳେ

ଭାମସେନକଇ ଦେଖିଲେ ବାରୁଣାବନ୍ତ ପର୍ବତର ତଳେ।୨।

 

ଯୁଝେଷ୍ଠିଙ୍କି ହକାରି ଆଣ ମୋର କତି

ଆଗ୍ୟାଂ ପ୍ରମାଣେ ବେଗେ ଚଳଇ ମାରୁତି।୩।

ଯୁଝେଷ୍ଠି ଅର୍ଜୁନଙ୍କୁ ଘେନିଣ ବ୍ରିକୋଦର

ବିଦୁରଙ୍କୁ ଭେଟିଲେ ସେ ସୁର ନଦୀ ତୀର।୪।

 

ବିଦୁର କହିଲେ ତୁ ଶୁଣ ହୋ ଯୁଝେଷ୍ଠି

ଅନୁବ୍ରତେ କପଟ ତୁମ୍ଭନ୍ତ ଚିନ୍ତଇ ଧୃତିରାଷ୍ଟି।୫।

ଝିମାଣିଶାଳ ବିନ୍ଧାଣିମାନନ୍ତ ତୋହୋ ସନିଧ୍ୟେ ରୁହାଇ

ତହିଂର ତଦନ୍ତମାନ ଜାଣିଲୁ ଟି କି ତୁହି।୬।

 

ଯୁଝେଷ୍ଠି ବୋଇଲେ ତାତ ଥିଲି ମୁହିଂ ୟେକା

ଦତ୍ୟ ଦାନବଙ୍କୁ ମୋତେ ଲାଗୁଥିଲା ବଡ଼ ଶଙ୍କା।୭।

ଶଙ୍କୁନି ପ୍ରସନ୍ନେ ମୁଂ ହୋଇଲି ନିର୍ଭୟେ

ଅପାର ସାଙ୍ଗ ମୁଂ ପାଇଲି ପିତାମହେ।୮।

 

ସେ ମୋହୋର ତାତ ଯେ ଅଟନ୍ତି ଧୃତରାଷ୍ଟ

ସକଳ ଚିନ୍ତା କରିବାକୁ ବଂଶକୁ ସେହୁ ଶ୍ରେଷ୍ଠ।୯।

ଅନେକ କାଳ ମୁଂ ରହିଲି ଘୋରବନେ

ଅନେକ ଅରଷ୍ଟି ବଞ୍ଚିଲି ଧୃତରାଷ୍ଟଙ୍କ ପ୍ରସନ୍ନେ।୧୦।

 

ବିଦୁର ବୋଇଲେ ତୁ ଧର୍ମ ନ ଛାଡ଼ିବୁ କଦାଚିତେ

ଧୃତରାଷ୍ଟର ପ୍ରକୃତି ତୋତେ ନୋହଇ ନା ୟେମନ୍ତେ।୧୧।

ଯେମନ୍ତେ ନାଶ ଯିବ ତୁମ୍ଭେ ପାଞ୍ଚଭାଇ

ତହିଂକି ବୁଦ୍ଧି ହାଦେ ଅନୁବ୍ରତେ ଚିନ୍ତୁଅଛି ସେହି।୧୨।

 

ତୁ ଯେ ବୋଲୁଅଛୁ ହୃଦଗତେ ଧୃତରାଷ୍ଟ ମୋହୋର ପିତା

କେବଣ ବାଗେ ସହିବଟି ତାକୁ ଧର୍ମ ଯେ ବିଧାତା।୧୩।

ବାବୁ ଝିମାଣିଶାଳମାନ ଯେ ତୋଳାଇଲା ଯତନେ

ଅଗ୍ନି ନ ପାଇଲ ଯହୁଂ ପୁରଞ୍ଚନ ତୋହୋର ଭୁବନେ।୧୪।

 

ଝିମାଣିଶାଳମାନ ଯେ ୟେଥି ନିମନ୍ତେ ଟି

ଅଗ୍ନି ଘେନି ପୁରଞ୍ଚନ ଦହିବ ନିଶା ରାତି।୧୫।

ବାବୁ ଏମନ୍ତେଟି ହାଦେ ଧୃତିରାଷ୍ଟ ଚିତ୍ତ କଥା

ବାବୁ ସାବଧାନ ହୋଇଥାଅ ୟେମନ୍ତ ବେବସ୍ତା।୧୬।

 

ଯୁଝେଷ୍ଠି ବୋଇଲେ ତାତ ତୋହୋର

ଯେବେ ୟେହେନେକ ଚିନ୍ତା

କେ ମୋତେ ତ୍ରୈଲୋକ୍ୟେ ଅଛି ପ୍ରମାଦ ବିହନ୍ତା।୧୭।

କହିଣ ବିଦୁର ଯେ ଗଲେ ନିଜସ୍ଥାନେ

ଯୁଝେଷ୍ଠି ପ୍ରବେଶ ହୋଇଲେ ବାରୁଣାବନ୍ତ ଭୁବନେ।୧୮।

 

ହସ୍ତେଣ ଖଡ଼ଗ ଯେ ଘେନିଣ ବିଦୁର

ହସ୍ତିନା ଭୁବନେ ଯେ ଭ୍ରମଇ ପୁରେ ପୁର।୧୯।

ନିଶାକାଳେ ଯାନ୍ତେଣ ହସ୍ତିନା ଭୁବନ ଭ୍ରମି

ତୁଲେଣ କେହି ନାହିଂ ୟେକସରେ ରାୟେ ଗମି।୨୦।

 

ପୁରୁଷକୁ ଦେଖିଲେ ସେ ବୁଲଇ କୋନ୍ଦି କୋନ୍ଦି

ଚିରକୁଟୀ ବସ୍ରେକ ସେ କଟିରେ ଅଛି ପିନ୍ଧି।୨୧।

ନୟନେ ଅଞ୍ଜନ ଯେ ମଥାରେ କେଶ ହୀନେ

ପରପଞ୍ଚ ଅବସ୍ତା ସେ ବସ୍ରର ବିହୁନେ।୨୨।

 

ନିଶାପତିକି ଦେଖିଣ ସେହୋଇଲେ ଗୁପତ

ଧାଇଂ ଯାଇ ବିଦୁରେ ଯେ ଧଇଲେ ତାର ହସ୍ତ।୨୩।

ବିଦୁରେ ବୋଇଲେ ରେ ତୁ ଅଟୁ କାହାର କତି

ପ୍ରପଞ୍ଚ ଅବସ୍ତାରେ ତୁ ଦିଶୁ ହୀନ ଜାତି।୨୪।

 

ୟେ ହସ୍ତିନା ଭୁବନେ ୟେମନ୍ତ

ଲୋକ ଦେଖିଲା ତ ନାହିଂ

ୟେହେନେକ ଦାରିଦ୍ର ଅବସ୍ତା ହୋଇଲୁ ତୁହି କାହିଂ।୨୫।

ୟେଥିର ସରୂପ କହତୁ ମୋହୋର ଅଗ୍ରତେ

ମିଛ କହିଲେ ପ୍ରାଣେ ନାଶିବିଟି ତୋତେ।୨୬।

 

ଖନିକାର ଟସକର ବୃତ୍ତାନ୍ତ

 

ବିଦୁର ବଚନେ ସେ ବୋଲଇ ଟସକର

ମୁହିଂ ଯେବଣ ଜାତି ଶୁଣିମା ଦଣ୍ଡଧର।୧।

ମୁହିଂ ଟସକର ଯେ ଅଟଇ ଯୁଗତେ

ବିଦୁର ବୋଇଲେ ଟସକର ଜାତିରେ କେମନ୍ତେ।୨।

 

ମୁଂ ଅଟଇ ହାଦେ ଚଉର୍ଯ୍ୟ ହୀନ ଜାତି

ଘର ବାସ ନାହିଂ ମୋର ଚଉର୍ଯ୍ୟ କର୍ମେଣ ବ୍ରତି।୩।

ପୁଣ ପଚାରଇ ଅମ୍ୱୁବତୀର ବାଳ

କେବଣ ମତେ ପରଧନ ଚଉର୍ଯ୍ୟ ଯେ କର।୪।

 

କାନ୍ଥ ଖୋଲିଣ ଦେ ବପଶଇ ଭିତରେ

ପରଧନ ଚଉର୍ଯ୍ୟ କରି ନିୟେ ନିଶା କାଳେ।୫।

ବିଦୁରେ ବୋଇଲେ ଥାନ୍ତି କବାଟ ପାଡ଼ି କରି

କେବଣ ବାଗେ ପଶ ତାହାଙ୍କର ଭିତର ପୁରୀ।୬।

 

କହଇ ଟସକର ଶୁଣିମା ଗୋସାଇଂ

ଚାରିଖାନି ଚଉରାଶି ଲକ୍ଷ ଜନ୍ତୁ ନାରାୟଣ ଭିଆଇ।୭।

ଚଉର ବୋଲି କରିୟେକ ଜାତିୟେ ଭିଆଇଲା

ଲକ୍ଷଣା ଦଣ୍ଡ ବୋଲି ଶସ୍ରେକ ସ୍ରିଜିଲା।୮।

 

ତାହା ଘେନି କାନ୍ଥ ଖୋଳଇ ନିଶା ରାତି

ଭିତରେଣ ପଶିଲେ ଦେବ କେହି ନ ଜାଣନ୍ତି।୯।

ବିଦୁରେ ବୋଇଲେ ତାର ସରୂପ ମୋତେ କହ

କାହା ହାଥେ ଲକ୍ଷଣାରେ କେତେବେଳେ ଗଢାଅ।୧୦।

 

କହଇ ଖନିକାର ସ୍ୱାମୀ ଶୁଣିମା ସାବଧାନେ

ତୁଳମାସ କୃଷ୍ଣପକ୍ଷ ଅମବାଇ ଚଣ୍ଡୀ ପୂଜା ଦିନେ।୧୧।

ବିଶାଖା ନକ୍ଷତ୍ର ଯେ ଅଟଇ ସେ ଦିନର

ସେ ଦିନ ଲକ୍ଷଣାକୁ କରନ୍ତି ବିଚାର।୧୨।

 

ତହିଂର ପାହାନ୍ତି ଯେବେ ରୋବଇ ଅବଳା

ଚଉର୍ଯ୍ୟ ବିଦ୍ୟାକୁ ସେ ଅଟଇ ଶୁଭ ଅନକୂଳା।୧୩।

ଯେଉଣ ମହାରଣାର କୃତ୍ତିକା ବୃଷରାଶି

ତାହାକୁ ବରଣ କରି ଅମାବାଇ ନିଶି।୧୪।

 

ପ୍ରାତେ ସ୍ନାହାନ କରି କଳା ବସ୍ରେକ ଥାଇ ପିନ୍ଧି

ମଲା ମାଇପଙ୍କ ଶୃଙ୍ଖା ପଟିୟେ ବାମ ହସ୍ତେ ବାନ୍ଧି।୧୫।

ରାତ୍ର ହୋଇଲେଣ ଶାଳ ଯନ୍ତ୍ର ପୂଜା କରି

ନବତନ ଅଗ୍ନି ଲେହ ପାଷାଣରୁ ଉତ୍ତାରି।୧୬।

 

ରାତ୍ର ତିନି ପ୍ରହରେ କଷ୍ଣ ଛାଗଳେକ ନେଇ

ଚଉରୁଣୀ ଦେବୀଙ୍କି ରକତ ଭାତ ବଳି ଦେଇ।୧୭।

ଭୋ ଦେବ ଅବଳାମାନଙ୍କର ଯେ ପ୍ରଥମ ରାବ ଯେ ବୋବାଳି

ଅଗ୍ନିରେ ନେଇ ଲୁହା ସିଝାଇ ପରିତାଳି।୧୮।

 

ଯୋଗେଣ ନିର୍ବାଣ ସେ କରଇ ମହାରଣା

ତ୍ରିଅଧାର କରି ଦଣ୍ଡ କରାଇ ଲକ୍ଷଣା।୧୯।

ଭୋ ଦେବ ବିଦୁର ଶୁଣିମା ସାବଧାନେ

ଆପଣେ ସଞ୍ଚିଲେ ତାହା ଦେବ ଜନାର୍ଦ୍ଦନେ।୨୦।

 

ସ୍ୱାମୀ ଗୋପପୁରେ ଜନମ ଯେ ହୋଇଲେ ବନମାଳୀ

ରଙ୍ଗା ଅବତାରେ ବିଳସିଲେ ଚନ୍ଦ୍ରାବଳୀ।୨୧।

ଶ୍ରୀହରି ରାଧାର ତୁଲେ ଅନେକ ପୀରତି

ଚନ୍ଦ୍ରସେଣ ଗୁଆଳ ରାଧାର ନଛାଡ଼ଇ କତି।୨୨।

 

ରାତ୍ରରେ ଶୁଆଇ ଥାଇ ତାହାର ନିଜ ଗମ୍ଭୀରି

ଅନେକ ଯତନେ ଯେ କବାଟ କିଳିକରି।୨୩।

ମଦନ ଆରତ ହୋଇ ଦେବ ବନମାଳୀ

ରାଧାର ନିମନ୍ତେ ଯେ ରାତ୍ରେ ବୁଲନ୍ତି ଅନ୍ତରାଳି।୨୪।

 

ସାତ କବାଟ ଅନ୍ତରେଣ ଚନ୍ଦ୍ରସେଣା ଶୋଇଛି ରାଧିକାଙ୍କୁ ଘେନି

ପଶି ତ ବାଟ ଲୋଡ଼ି ନପାଇଲେ ଦେବ ସ୍ୱାମୀ ରୟଣୀ।୨୫।

ଅସମ୍ଭାଳ ହୋଇ ସ୍ୱାମୀ ମଦନ ଆରତେ

ରାଗେଣ କବାଟ ହରି ପେଲନ୍ତି ହେଠ ମାଥେ।୨୬।

 

କବାଟ କଣ୍ଟା ଗୋଟିୟେ ଲାଗିଲା କପାଳ

ଲଲାଟ ଫୁଟିଣ ରୁଧିର ବହଇ ଝରଝର।୨୭।

ଧାତାଙ୍କୁ ଚିନ୍ତା ଯେ ଲାଗିଲା ମନେ ବଡ଼ ଭ୍ରାନ୍ତି

ନାରାୟଣଙ୍କୁ ପ୍ରସନ୍ନ ହୋଇଲେ ପିତାମହ ଧାତି।୨୮।

 

ରୁଧିର ବହନ୍ତେ ହରି ପକାବନ୍ତି ପୋଛି

କଟାକ୍ଷ ମନ୍ତ୍ରେଣ ବେଦବର ଫୁଙ୍କନ୍ତି ଶ୍ରୀବତ୍ସି।୨୯।

ନାରାୟଣଙ୍କ ରୁଧିର ରୁହାଇଲେ ବେଦପତି

ପିତାମହ ବିଜେକଲେ ନାରାୟଣଙ୍କର କତି।୩୦।

 

ଭୋ ଦେବ ନାରାୟଣ କି ହୋଇଲ ବିରହିତ

ଗୋପାଳ ନିରୋଧି କଲ ପୁଷ୍ପେକର ଦୁହିତ।୩୧।

ୟେ ଲୋହ ଯନ୍ତ୍ର ତୋତେ ଦେଉଛି ବନମାଳୀ

ୟେହା ଘେନି ଭିତରେ ପଶ କାନ୍ଥ କୋଳି।୩୨।

 

ସେ ଶହସ୍ର ଗୋଟି ଘେନି ଦେବ ଯେ ଅଚ୍ୟୁତ

ତତକ୍ଷଣେ ଖୋଳିଲେ ଗୋପାଳର ପାଷାଣର କାନ୍ଥ।୩୩।

ବ୍ରହ୍ମାର ମାୟାରେ ଯେ ନଶୁଭଇ କାହାକୁ

କାନ୍ଥ ଖୋଳି ବନମାଳୀ ପଶିଲେ ଭିତରକୁ।୩୪।

 

ରାଧିକାକୁ ଲାଗି ଅଛି କାମ ଶର ବାଧା

କେଶବର ଶୃଙ୍ଗାରକୁ ଲୟେ କରିଅଛି ରାଧା।୩୫।

ଅଞ୍ଜନ ବିଦ୍ୟା ଯେ ଦେଇଥିଲେ ବେଦପତି

ନୟନେ ଲଗାଇ ହରି ଚାହିଂଲେ ଚଉକତି।୩୬।

 

ଦିବସ ଯେସନେକ ଦିଶଇ ଆଲୁଅମୟେ

ଅନ୍ଧାର ଘର ଦିଶଇ ସୂର୍ଯ୍ୟ ଉଦୟ ପରାୟେ।୩୭।

ଆରେକ ବିଦ୍ୟାୟେ କହିଲେ ବେଦବରେ

ନିଦ୍ରାଧୂଳି ଗୁଡ଼ାୟେକ ଦିଲେ ନାରାୟଣଙ୍କ ହସ୍ତରେ।୩୮।

 

ତାହା ନେଇ ପକାଇଲେ ଗୋପାଳ ଉପରେ

ଅସାଷ୍ଟମେ ନିଦ୍ରାରେ ପଡିଲେ ଗଉଡ଼େ।୩୯।

ରାଧାର ହାଥ ଧରି ନାରାୟଣ ତୋଳି

ଧାତିକାରେଣ ଉଠିଣ ସେ ଯେ ବସିଲା ଚନ୍ଦ୍ରାବଳୀ।୪୦।

 

ରାଧାର ହସ୍ତ ଧରି ପଇଠି ଗମ୍ଭିରି

ହରଷେ ବାସୁଦେବ କ୍ରୀଡା ରଙ୍ଗ କରି।୪୧।

ରସ ଖଳିତ ହୋଇ ଭାଗିଲା ସରାଗ

ସେହି ବାଟେ ବାହାର ହୋଇଲେ ଶ୍ରୀରଙ୍ଗ।୪୨।

 

କେଶବ ବିଚାରନ୍ତି ୟେ ବିମ୍ୱରେ ହୋଇଲା କାର୍ଯ୍ୟସିଦ୍ଧି

ୟେହି ବିମ୍ୱରେ ସର୍ବକାଳେ କାର୍ଯ୍ୟ ହୋଇବ ପ୍ରସିଦ୍ଧି।୪୩।

ୟେମନ୍ତେ ନାରାୟଣ ଲକ୍ଷେ ଶୃଙ୍ଗାର କଲେ

ତେଣୁୟେ ଶହସ୍ର ଗୋଟିକୁ ଲକ୍ଷଣା ନାମ ଦିଲେ।୪୪।

 

ୟେ ବିଦ୍ୟାରେ ଅନେକ କାର୍ଯ୍ୟ ସିଦ୍ଧି କରିଣ କହ୍ନାଇ

ମୋତେ ଦିଲେକ ଅଞ୍ଜନ କଜ୍ଜଳ ବିଦ୍ୟା ନିଦ୍ରା ଗୁଣ୍ଡି ସିଦ୍ଧଦାୟୀ।୪୫।

ବିଦୁରେ ବୋଇଲେ ବଡ଼ାଇ ସୁସଞ୍ଚ ପରସ୍ତାବ

ତୋହୋର କେଶବର ଏଡ଼େ କାହିଂ ଭାବ।୪୬।

 

ବିନୟ ଭାବ ହୋଇ କହଇ ଖଲ୍ୟକାର

ବାସୁଦେବ ଯେ ଗୋପପୁରେ ରଙ୍ଗା ଅବତାର।୪୭।

ରାଧାର ତୁଲେ ଯହୁଂ ନ ପାଇଲେ ପୀରତି

ସନ୍ନିଧ୍ୟେ ହକାରିଲେ ସରହସୁନ୍ଦରୀ ଦୂତୀ।୪୮।

 

ସେ ଅମର ସୁନ୍ଦରୀ ସ୍ୱର୍ଗର ଅଟଇ ଦୂତକାରୀ

ୟେହାର ମୂଳେ ଭୋଗ୍ୟ ଚଉଷଠୀ କୋଟି ବିଦ୍ୟାଧରୀ।୪୯।

ସ୍ତମ୍ଭନ ମୋହନ ଯେ ବଶ୍ୟ ଉଚ୍ଚାଟନ

ଗୁଟିକା ଅଞ୍ଜନ ଯେ ଧରଣ ଧାରଣା।୫୦।

 

ସମସ୍ତ ବିଦ୍ୟା ଯେ ଜାଣଇଂ ସରହସୁନ୍ଦରୀ

ଭାର ରସ ବଚନେ ପାଷାଣ ହୋୟେ ଜଡ଼ି।୫୧।

ନନ୍ଦ ପୁଅ କହ୍ନାଇ ବୋଲି ନିନ୍ଦା କରୁଥିଲେ

ସେ ସରହସୁନ୍ଦରୀ ଦୂତିକାର ବଚନେ ସମସ୍ତେ ବଶ ହୋଇଲେ।୫୨।

 

ବଇଶାଖ ଶୁକଳ ପକ୍ଷ ଚଉଠୀର ଦିନ

ରୋହିଣୀ ଭୋଗ ଯାଇ ମୃଗଶୀରା ସଂପୂର୍ଣ୍ଣ।୫୩।

ସେ ଦିନ ରାଧିକା ପୁରେଣ ଅଛି ରହି

ଶାଶୁ ଗଲା ତାର ଝିଅକୁ ଶାଶୁଘରକୁ ପୁଆଇ।୫୪।

 

ବସନ୍ତ ଉଚ୍ଛବ ଯେ ମଥୁରା ନଗ୍ରପୁର

ଦହି ଦୁଧ ଘୃତ ସର ଘେନିଗଲେ ଗଉଡ଼େ କଂସର ଛାମୁର।୫୫।

ଗୋପାଳୁଣୀ ଗଲା ଯହୁଂ ଶୂନ୍ୟ ମନ୍ଦିର ହୋଇଲା

ସେ ସରହସୁନ୍ଦରୀ ଦୂତିକାଙ୍କୁ ରାଧିକା ହକାରିଲା।୫୬।

 

ଆପଣାର ଅଳଙ୍କାରମାନ ସମସ୍ତ କାଢି ଦିଲା

ସେ ସରହସୁନ୍ଦରୀକି ରାଧିକା ମଣ୍ଡିଲା।୫୭।

ଆପଣାର ଅଲେଖ ତିଳକ ବସ୍ର ପିନ୍ଧାଇ

କବେରୀ ଭାର ଖୋଷା ଖୋଷିଲା ପୁଷ୍ପମାଳା ଲାଇ।୫୮।

 

କସ୍ତୁରୀ ଗନ୍ଧ ଯେ ଲେପନ କଲା ତାର ଅଙ୍ଗେ

ଆପଣାର ତାମ୍ୱୋଳ ଭୁଞ୍ଜାଇ ଅଧର କଲା ସୁରଙ୍ଗେ।୫୯।

ବୋଇଲା ସଂଘାତ ଗୋ ଯାଅ ୟେହି କ୍ଷଣ

ନନ୍ଦ ପୁଅ କହ୍ନାଇକି ବହନ କରିଆଣ।୬୦।

 

ଆପଣାର ନେପୁର କାଢି ଦୂତିକା ପାଦେ ଦେଇ

ରାଧିକାର ବଚନେ ସରହସୁନ୍ଦରୀ ଚଳଇ।୬୧।

ରାଧିକାର ନିମନ୍ତେ ଦେବ ମଧୁହାରୀ

ମାଧବୀ ଲତା ତଳେ ଛନ୍ତି ପଥ ଅନୁସରୀ।୬୨।

 

କ୍ଷଣେ ଯମୁନା କୂଳେ କ୍ଷଣେ କଦମ୍ୱ ବୃକ୍ଷେ ଉଠି

ପରଦ୍ୱାରା ଶୃଙ୍ଗାରେ ହରି ୟେହେନେକ କଷ୍ଟି।୬୩।

ୟେମନ୍ତେ ପନ୍ଥା ଅନୁସରନ୍ତି ଜଗନ୍ନାଥ

ନେପୁର ଧୂନି ଶୁଭିଲା ଦୂତିକା ଗବନର ପଥ।୬୪।

 

ଧାତିକାରେ ଡେଇଂ ପଡ଼ିଲେ କଦମ୍ୱର ଡାଳୁଂ

ତରଙ୍ଗ ନୟନେ ହରି ଚାହାଂନ୍ତି ହେଳୁ ହେଳୁ।୬୫।

ମଦନର ସେ ବୁଡ଼ାଇ ଅଛନ୍ତି କୃଷ୍ଣ ନିଜେ କାୟେ

ଦୂତିକାକୁ ଦେଖିଲେ ସୁଢଳ ଆଭରଣ ମୟେ।୬୬।

 

କାମ ଆରତେଣ ଯେ ଦେବ ମଧୁହାରୀ

ରାଧିକା ବୋଲି ହରି ଦୂତିକାକୁ କୋଳ ଧରି।୬୭।

ମଦନଆରତେ ଦେବ କିଛି ନୁଆରି ପଚାରି

ଦୂତିକାରପି ନ୍ଧିଲା ବସନ ଦେବ ପକାଇଲେ ଫେଡି।୬୮।

 

ବିଶେଷେ କୁଞ୍ଜ ଲତା ଗହନ ଘୋରବନ

ବସନ୍ତ ଋତୁ ମଳୟାନିଳ ଦେଖଇ ମଦନ।୬୯।

ବସନ୍ତ କୋକିଳ ଧୁନି ଦିଅଇ ସେ ଋତୁ

ମନସିଜ ବାଣ ଘାତେ ଦହଇ କାମ ତତ୍ତୁ।୭୦।

 

ୟେହେନେକ ଭ୍ରାନ୍ତି କଲାକ କାମଦେବ

ପରମ ଗ୍ୟାନୀ ନାଥ ନ ପାଇଲ ସଦିଭାବ।୭୧।

ରାଧିକାର ବେଶ ଅଳଙ୍କାର ମାନ ନୟନେଣ ଦେଖି

ରାଧିକା ବୋଲି ଶୃଙ୍ଗାର କଲେକ ଦୂତୀକି।୭୨।

 

ହେଠ ଉବୁଡ଼ାୟେ ଶୃଙ୍ଗାର ରସ ଭୋଳେ

ମୁଖେ ଚୁମ୍ୱନ ଦେଇ ସେ ଭିଡ଼ନ୍ତି ବକ୍ଷସ୍ଥଳେ।୭୩।

ମଦନ ଆରତେ ଦେବ ଅସମ୍ଭାଳ ଘେନି

ମୁଖେ ମୁଖ ଲଗାଇଂ ଯେ ନ ପାରନ୍ତି ଚିହ୍ନି।୭୪।

 

ଦୂତିକା ବୋଲିଣ ସେ ଯେବଣ ଯୁବତୀ

ତାହାର ବୟସେ ଯେ ନାହିଂ କେହି ପୃଥୀ।୭୫।

ପାଚିଲା କେଶ ତାର ଅତି ଗଳିତ ଖଳିତ କାୟେ

ପରପଞ୍ଚ ଦିଶଇ ଯେ କେନ୍ଦୁ କାଠ ପ୍ରାୟେ।୭୬।

 

ଅତିହିଂ ଉଚ୍ଛର୍ଗ ଯେ ପ୍ରଳମ୍ୱ ହାଥ ଗୋଡ଼

ତାହାର ତୁଲେ ହରି ଶୃଙ୍ଗାର ରସ ଖେଡ଼।୭୭।

ଅତି ଆରତେ ଯହୁଂ ହରି ବୁଡ଼ାଇଲେ କାୟେ

ଦୂତିକା ପାଚିଲା କେଶ ଦିଶିଲା ଯେ ସେବତୀ ପାଖୁଡ଼ା ପ୍ରାୟେ।୭୮।

 

ହାସ୍ୟ ଲାସ୍ୟ ରତି ରଙ୍ଗେ ଶୃଙ୍ଗାର ରସ ଭାବେ

ଲଖ ଦନ୍ତଘାତେ ଶରୀର ବିଦାରିଲେ ପ୍ରସ୍ତାବେ।୭୯।

ବାଳୁତ ପୁରୁଷକୁ ବୃଦ୍ଧ ସ୍ତିରୀ ଭାବ

ଉଷତେ ମହନ୍ତାରୀ ସହଇ ଚାଟୁଭାବ।୮୦।

 

ହୃଦକୁ ହୃଦ ଭିଡ଼ି ମୁଖେ ଦିଅଇ ଚୁମ୍ୱନ

ପ୍ରେମେ ବୋଲନ୍ତି ପ୍ରିୟେ ମୋର ରଖସି ଜୀବନ।୮୧।

ସାର୍ଥୁକ ପୁରୁଷ ସେ ଶୃଙ୍ଗାରେଣ ଜିତା

ଦୂତୀହିଂ ଅନେକ କାଳର ବୃଦ୍ଧ ଯେ ବନିତା।୮୨।

 

ଅପାର କାଳେ ପାଇଲା ବାଳୁତ ପୁଅ ଗୋଟି

ରସରଙ୍ଗ ଶୃଙ୍ଗାରେ ସରହସୁନ୍ଦରୀ ଫୁଟି।୮୩।

ରାଧିକା ବୋଲି ହରିଥିଲେ ନିଖେଦ କରି

ହାଦେ ଶୃଙ୍ଗାର ଅନ୍ତେ ଦୂତିକା ପଡିଲା ଅସାଷ୍ଟମ ଧାଡ଼ି।୮୪।

 

ଯେତେ ବେଳେ ରସ ଖଳିତ ହୋଇଲା

କାମଭ୍ରଷ୍ଟ ହୋଅନ୍ତେ ସ୍ରାଗହିଂ ଭାଂଜିଲା।୮୫।

ଛାଡ଼ିଣ ବସିଲେ ଦେବ ଶୃଙ୍ଗାର ଉପେକ୍ଷି

ଦୂତିକାର ବର୍ଣ୍ଣ ଚିହ୍ନ ସାଷ୍ଟମ ହୋଇ ଦେଖି।୮୬।

 

ନାସାରେ ହସ୍ତ ଦେଇ ହସିଲେ ଜନାର୍ଦ୍ଦନ

ବିସରିଲେ ପଞ୍ଚୁମନ ବସ୍ର ପିନ୍ଧିବାକୁ ନାହିଂ ମନ।୮୭।

ଯହୁଂଣ କେଶବ ବସିଲେ ମଥା ପୋତି

ଅସମ୍ଭାଳ ହୋଇଣ ପଲାଇଲା ଦୂତୀ।୮୮।

 

ଆପଣାର ବସ୍ର ବାରି ନୁଆରିଲା

ବେଗେ ବେଗେ କହ୍ନାଇ ବସ୍ର ପିନ୍ଧି ପଳାଇଲା।୮୯।

ବସ୍ର ନ ପିନ୍ଧନ୍ତି ହରି ନ ବାନ୍ଧନ୍ତି କେଶ

ରାଧିକାକୁ ଛାଡ଼ି ଦୂତିକାରେ କଲି ରତିରସ।୯୦।

 

କେବଣଂ କଲଇ ପାପ ୟେ କାମର ଅନୀତି

ମୋହୋର ଭଳି କି ବିହିଲା ୟେତେ ବଡ଼ ଶାସ୍ତି।୯୧।

କାହାର ବୋଲେ ମୁହିଂ କଲଇଂ ୟେଡ଼େ କଥା

ମାନବ ମାନନ୍ତତ ହୋଇବ ଅନେକ ଅବସ୍ତା।୯୨।

 

ମୁହିଂ ଯାହା କଲି ତହିଂକି ଗୋଡ଼ାଇବ ସଂସାର

ଗୁରୁ ଗଉରୋବନ୍ତେ ହୋଇବ ଅନେକ ଅବେଭାର।୯୩।

ବୃଦ୍ଧ ବୟସ ତ ନୁଆରିଲି ମୁହିଂ ବାରି

ଥାବକେ ବୁଡିଲି ମୁଂ କାମ ମହାଭାରୀ।୯୪।

 

କେତେ କାଳର ସେ ମହନ୍ତା ନାରୀ ଗୋଟା

ତାହାକଇ କାମ ମୋତେ କରାଇଲା ଚେରଷ୍ଟା।୯୫।

ନ ପୁଣ ରାଧିକାର ଛାମୁରେ କହଇ ଯାଇ

ଅନେକ ଉପହାସ୍ୟ ମୋତେ କରି ବେ ଯେ ରାହୀ।୯୬।

 

ଭୋ ସରସ୍ୱତୀ ଦୂତିକାର କଣ୍ଠେ ହୋଅ ଆଲିଙ୍ଗନ

ୟେ କଥାମାନ ନ କହୁ ଦୂତିକା ରାଧିକା ଆଗରେଣ।୯୭।

ପୁଣି ବିଚାରିଲେ ସ୍ତ୍ରୀଙ୍କର ବଡ଼ ଗର୍ବ

ପରଦାରା ଶୃଙ୍ଗାର କିମ୍ପାଇ ଆନକୁ କହିବ।୯୮।

 

ଯଦ୍ୟପି କହିବ ୟେ ରାଧିକାର ଆଗ

ରାଧିକା ଶୁଣିଲେ ୟେହାକୁ କରିବ ମହାରାଗ।୯୯।

ୟେତେକ ବିଚାରି ସେ ଉଠିଲେ ଦେବହରି

ବସ୍ର ତୋଳି ଦେଖିଲେ ଦୂତିକା ପାଲଟା ଶାଢି।୧୦୦।

 

ତା ଦେଖି ସ୍ୱାମୀ ମନ ଦୁଗୁଣ ବିରସ

କଥା ଅନୁସରି ଯେ ମାଡ଼ିଲା ପୁଣ ହସ।୧୦୧।

ୟେହେନେକ ଅବସ୍ତା କଲୁଟି ଅନଙ୍ଗ

ଜଗ ବନ୍ଦନ ପୁରୁଷକୁ କଲୁ ୟେସନେକ ଯୋଗ।୧୦୨

 

ପରଦାରା ଶୃଙ୍ଗାର ଯେ ନୋହୁ ପୋଡୁ ପୋଡୁ

ପରଦାରାକୁ ଯେ ଇଚ୍ଛିବ ଶରୀର ତାର ଛାଡୁ।୧୦୩।

ପରଦାରା ହରେଣ ଯେ ୟେହେନେକ ଅବସ୍ତା

କେଉଣଂ ରସେ ମୁଂ ଭିଆଇଲି ୟେଡ଼େ କଥା।୧୦୪।

 

ପରଦାରା ସ୍ତ୍ରୀ ଯେ ଅମୃତ ତହୁଂ ସୁଆଦ

ୟେବେ ସେ ଜାଣିଲି ପରଦାରା ପରମାଦ।୧୦୫।

ନାରାୟଣ ବିରସ ଯେ ହଇଲେ ୟେସନେ

ପରଦାରାକୁ ନ ବଢ ସଂସାର ଜନମାନେ।୧୦୬।

 

କାମେନୀ କାମସେଣୀ ସେ କାଉଂରୀ କାମାକ୍ଷୀ

ସ୍ତୀରୀ କୁଳକୁ ହାଦେ ସେ କାମ ଦେଇଅଛି।୧୦୭।

କମଳା ପିଙ୍ଗଳ ବଗଳୀ ମାତଙ୍ଗୀ ଅଭୟା

କଳ୍ମଷନାଶିନୀ କମଳାକ୍ଷୀ ବିମଳା ବିଜୟା।୧୦୮।

 

କାମାକ୍ଷୀ ସୁମରନରେ କାମ କଷ୍ଟ ଛାଡୁ

ସ୍ୱଦାରା ଇଚ୍ଛାକର ସଂସାର ନପଡୁ।୧୦୯।

କାମସାଗର ବୋଲି ତ ଅକାଦ ମହାଜଳ

କାହାକଇଂ ଦୃଶ୍ୟ ନାହିଂ ଯେ ତହିଂର ଥଳ କୂଳ।୧୧୦।

 

ଜଗମୋହନ ପୁରୁଷର ଭାଜିଲା ୟେଡ଼େ ଦର୍ପ

ପରଦାରା ସେ ଉପୁଜାଇ ସକଳ ପାପ।୧୧୧।

କ୍ଷଣକ ମାତ୍ର ସିନା ପରଦାରା ରସ ସଙ୍ଗ

କ୍ଷଣକ ଉତ୍ତାରେ ସେ ହୋୟେ ସର୍ବ ଭଙ୍ଗ।୧୧୨।

 

କାମାକ୍ଷୀ କାମସେଣୀ ଚରଣେ ସେବା ନିତି

ପରଦାରା ସଙ୍ଗରେ ମୋର ନ ବଳାଅ ମତି।୧୧୩।

ପରଦାରା କଷ୍ଟ ଯେ ଅଟଇ ୟେମନ୍ତ

ପର ଦୁଖେ କାତର ତୁ ଗୋ ସବୁଙ୍କରି ମାତା।୧୧୪।

 

ତୋହୋର ଆଗ୍ୟାଂୟେ କହିଲି ଶୂଦ୍ରମୁନି ମୋହୋର ନାମ

ୟେ କଥାକୁ ଅନ୍ତର ମୋତେ ନକରାଅ ମତିଭ୍ରମ।୧୧୫।

ତୁହି ସେ ସିଂହବାହିନୀ ଗୋ ପ୍ରତ୍ୟକ୍ଷେ ହିଙ୍ଗୁଳା

ୟେ ସଂସାରଜନଙ୍କୁ ଅଭୟ ଦିଅସି ସିଦ୍ଧ ସାରଳା।୧୧୬।

 

ମୁହିଂ ତୋର ପୁତ୍ର ଯେ ସାରୋଳା ଦାସ ବୋଲି

ଅବଶ୍ୟ ପାଇବଇ ମୁହିଂ ଯାହା ବାଞ୍ଛାକଲି।୧୧୭।

 

ଶ୍ରୀହରିଙ୍କର ବାଳଲୀଳା ଓ 

ଖନିକାରର ବିବର ନିର୍ମାଣ

 

ବଇବସୁତ ମନୁ ପୁଚ୍ଛ କଲେଅଗସ୍ତିଙ୍କି

ବଡାଇ ଚରିତ୍ର କହିଲ ବଡ଼ାଇ ରସ ବାକି।୧।

ଦୂତୀର ଉତ୍ତିଷ୍ଟ ବସ୍ର ଯେ ନାରାୟଣ ଦେଖିଲେ

ଆପଣା ବସ୍ର ବୋଲି ଶ୍ରୀକରେ ଘେନିଲେ।୨।

 

ମନେ ବିରସ ହୋଇ ପକାଇଲେ ଭୂମି

କିସ ବସ୍ର ପିନ୍ଧିଲେ ଜଗତ-ଭୂତ ସ୍ୱାମୀ।୩।

ବଦୟନ୍ତି ଅଗସ୍ତି ଶୁଣ ହୋ ମନୁପୁରୁଷ

ବସ୍ର ପକାଇ ଉଲଗ୍ନେ ବସିଲେ ହୃଷୀକେଶ।୪।

 

ବାଆଂଶ ଗୋଟିୟେ ଭାଞ୍ଜିଲେ ଦେବହରି

ଲହେଣ ଚିରିଲେ ତାହା ବେନି ଫାଳ କରି।୫।

କୋମଳ ସୁସଞ୍ଚ ହୋଇ ବାହାରିଲା କଶିର

କାଛଟା କଲେ ନେଇ ତାହା କଟିରେ କରି ଡୋର।୬।

 

ବେଣୁ ବସ୍ର ଗୋଟି ଯେ କଟିରେ ଭିଡିଲେ

ପୁଣ ଅଗସ୍ତିଙ୍କି ବଇବସୁତ ମନୁ ପଚାରିଲେ।୭।

ଭୋ ମୁନି ଦୂତିକା ଗଲା ଯେ ରାଧିକା ଛାମୁକୁ

କିସ ଉତ୍ତର ବୋଇଲା ସରହସୁନ୍ଦରୀ ତାହାଙ୍କୁ।୮।

 

ଅଲେଖ ତିଳକ ହୋଇ ବସିଛି ରାଧେବ

ବିଷ୍ଣୁ ଅଭିସାରିକା ୟେ ଆସିବେ ବାସୁଦେବ।୯।

ଛାମୁରେ ପ୍ରବେଶ ହୋଇଲା ସରହସୁନ୍ଦରୀ ଦୂତୀ

ଝାଳେଣ ତ୍ରିପଣ୍ଡ ଯେ ବିରସ ତାର ମତି।୧୦।

 

ସରହସୁନ୍ଦରୀକି ପଚାରଇ ରାଧିକା

କେଶବ ନୁ ଆସୁଂ ସଖୀ ଅଇଲୁ ତୁ ୟେକା।୧୧।

ଦୂତୀ ବୋଇଲା ରାଧା ଯେ ତୋହୋର ଯେତେ ବେଗ

ତୁକୁହିଂ ତାହାର ନାହିଂ ୟେଡ଼େ ସ୍ରାଗ।୧୨।

 

ରାଧିକା ବୋଇଲା ଆୟେ ତୋହୋର ଅଧର

ବିରସ ଦିଶଇ ତ ଚୁମ୍ୱିଲା ଆକାର।୧୩।

ଦୂତୀକା ବୋଇଲା ଲୋ ଶୁଣ ସଂଘାତୁଣୀ

ତୋହୋର ପାଇଂ ବୋଇଲି ଅନେକ ଚାଟୁବାଣୀ।୧୪।

 

ଅନେକ ଟାଟୁ ପଟଳ କଲି ଉଜାଇଂ ପ୍ରକାଶ

କହି କହି କଣ୍ଠ ଶୁଖିଲା ତେଣୁ ମୋହୋର ଅଧର ବିରସ।୧୫।

ଚାଟୁ ପଟଳ କହିଲି ଅନେକ ଯେ ରଞ୍ଜି

ମୁହିଂ ସେ ଫୁଟିଲା ତୋତେ ସେ କେବେହେଂ ନ ଭଜି।୧୬।

 

ରାଧିକା ବୋଇଲା ଖୋପା ଖୋଷିଲି ସୁସଞ୍ଚ କରି

ଆଉଳ ହୋଇ ମୁହଂ କତିକି ପଡଇ ମାଡ଼ି।୧୭।

ଦୂତୀକା ବୋଇଲା ଶୁଣ ଗୋ ରାଧେନି

ବଚନେ ନ ଭଜିଲାକୁ ତାକୁ କଲାଇ ଦୟିନି।୧୮।

 

ଅପାର ବେଳ ଯାୟେ ଶୁତିଲି ପାୟେ ପଡ଼ି

ତେଣୁ ସେ ଖୋପା ମୋହୋର ଲେଉଟି କପାଳକୁ ପଡ଼ି।୧୯।

ରାଧା ବୋଇଲେ ଗଳାରେ ଲାଇଲି ରତ୍ନମାଳୀ

ପିଠି କତିକି ସମସ୍ତ ଥୋପାମାନ ଢଳି।୨୦।

 

ଆଗୋ ପିଠି କତିକି ରତ୍ନମାଳୀ ହୃତ କତିକି ଝୁମ୍ପା

ୟେହେନେକ ବିଭଳିତ ହୋଇଲା ତୋହୋର କିମ୍ପା।୨୧।

ଦୂତୀ ବୋଇଲା ମୁହିଂ ଯେତେ ବେଳେ ଶୁତିଲି ପାୟେ ପଡ଼ି

ରତ୍ନମାଳମାନ ଲୋଟିଲା ତେଣୁ ଗଣ୍ଠି ଫେଡ଼ି।୨୨।

 

ବିକଳେ ଝୁମ୍ପାମାନ ଆଗ କତିକି ଦେଲି ଲେଉଟାଇ

ହସ୍ତକେ ଗଣ୍ଠି ମୁଠି ଧଇଲି ନିଠାଇ।୨୩।

ତେମନ୍ତେ ୟେଣିକି ଲେଉଟିଲା ପାଟଝୁମ୍ପା

ରାଧିକା ବୋଇଲା ସଖି ତୋ ପିଠିରେ ଧୂଳି କିମ୍ପା।୨୪।

 

ଯେତେବେଳେ ସଖି ଗୋ ଧଇଲି ମାଳୀର ଗଣ୍ଠିମାନ

ଲେଉଟାଇ ପାଡ଼ିଲା ମୋତେ ମୁଂ ପଡ଼ିଲି ଉତ୍ତାନ।୨୫।

ତେମନ୍ତେ ପିଠିରେ ଗୋ ମୋହୋର ଲାଗିଲାକ ଧୂଳି

ତୋହୋରେ ସହିଲି ମୁଂ ୟେତେକ ଆରଦୋଳି।୨୬।

 

ରାଧିକା ବୋଇଲେ ଆୟେ ତୋହୋର କାୟେ

ବିଦାରି ହୋଇଅଛି ଲଖ ଦନ୍ତ କ୍ଷତ ପ୍ରାୟେ।୨୭।

ଦୂତୀ ବୋଇଲା ଅପାର ଘାନ୍ତି ଯହୁଂ ଶୁତୁଲି ଗଡ଼ଘାଲି

ନଯାଇଂ ନଯାଇଂ ବୋଲି ମୋତେ ପାଦରେ ଦିଲା ପେଲି।୨୮।

 

କଣ୍ଟିକା ଲଟାୟେ ମୁଂ ପଡିଲି ମୁହଂମାଡ଼ି

କଣ୍ଟାମାନ ଲାଗି ଶରୀର ମୋର ଛିଡ଼ି।୨୯।

ରାଧିକା ବୋଇଲେ ମୁହିଂ ତୋତେ ପିନ୍ଧାଇଲି ମୋହୋର ଝୀନଶାଢି

ପୁରୁଷ ବସ୍ର ଗୋଟିଏ ଅଇଲୁ କିପରି ପିନ୍ଧିକରି।୩୦।

 

ଦୂତିକା ବୋଇଲା ମୁଂ ଅନେକ ବୋଇଲି ବିନୋୟି

ୟେତେ କଷ୍ଟ ଦେଖି ଆସିବାକୁ ସନମତ କଲା ସେହି।୩୧।

ୟେତେ କଷ୍ଟରେ ସେ ସନମତ କଲା

ଆଜରାତ୍ରରେ ତାହାର ପୁରକୁ ଯିବି ସେ ବୋଇଲା।୩୨।

 

ମୁହିଂ ବୋଇଲି ଯେବେ ଯିବୁ ଆଜର ନିଶି

ମୋହୋର ହାଥେ ରାଧିକାକୁ ସନ୍ତକ ଦେସି।୩୩।

ରାଧା ସମ୍ପ୍ରତେ ଯାଉ ତୋହୋର ସନ୍ତକ ଦେଖି

ସନ୍ତକ ଦେଖିଲେସମ୍ପ୍ରତେ ଯାଉ ଚନ୍ଦ୍ରମୁଖୀ।୩୪।

 

କୃଷ୍ଣ ବୋଇଲେ କିଛି ସନ୍ତକ ନାହିଂ ଗୋ ଦୂତିକା

ପିନ୍ଧିଲାର ବସ୍ର ଅଛି ମାତ୍ର ମୋର ୟେକା।୩୫।

ମୁହିଂ ବୋଇଲି ୟେହା ଦେବୁ ନପାଲଟି

ତୁ ପିନ୍ଧ କହ୍ନଇ ରାଧିକା ଶାଢି ଗୋଟି।୩୬।

 

ତୋର ବସ୍ର ବୋଲି ହୋଇଲା ଉଷତ

ସେ ଶାଢି ଆପଣେ ପିନ୍ଧିଲେ ଜଗନ୍ନାଥେ।୩୭।

ତାହାଙ୍କର ପିନ୍ଧିଲା ବସ୍ର ମୁହିଂ ପିନ୍ଧିଲି

ପରଚେ ନିମନ୍ତେ ମୁହିଂ ସନ୍ତକ ଆଣିଲି।୩୮।

 

ଶୁଣିଣ ରାଧିକା ଯେ ପରମ ସାନନ୍ଦ ଚିତ୍ତ

ମୋହୋର ପାଇଂ ଆଈ ପାଇଲ ଦୁଖ ବହୁତ।୩୯।

ଅନେକ ବିକଳ ଯେ ହୋଇଲେ ରାଧିକା

ବାଳୁତ କୁମାରୀକଇଂ ଭଣ୍ଡିଲା ଦୂତିକା।୪୦।

 

ଟସକର କହିଲା ଦେବ ଶୁଣିମା ବିଦୁର

ଦୁତିକାକୁ ନାରାୟଣ କଲେ ଯେ ଶୃଙ୍ଗାର।୪୧।

ସରହସୁନ୍ଦରୀ ଗର୍ଭେ ଯେ ପଡିଲା ବାସୁଦେବର ବୀର୍ଯ୍ୟ

ନବ ମାସେ ଉତପତ୍ତି ମୁଂ ଯେ ହୋଇଲି ଆତ୍ମଜ।୪୨।

 

ସରହସୁନ୍ଦରୀ ବୋଇଲା ୟେ ତୋହୋର ବୀର୍ଯ୍ୟେ ହେଟି

ତୋତେ ସେବା କରିଥାଉ ୟେ ମୋହୋର ପୁତ୍ରଗୋଟି।୪୩।

ଦୂତିକାର ଗର୍ଭରୁ ମୁଂ ହୋଇଲି ଅବତାର

ନାମ ମୋହୋର ହରି ଦିଲେ ଖଲ୍ୟକାର।୪୪।

 

ବ୍ରହ୍ମାଙ୍କର ଦିଲା ଯେ ଲକ୍ଷଣା ପ୍ରତକ୍ଷେ

ତାହା ମାହାର ହାଥେ ଆଣି ଦିଲେକ ଶ୍ରୀବଚ୍ଛେ।୪୫।

ମୋତେ ବୋଇଲେରେ ତୁ କଥା ୟେକ କର

କଦମ୍ୱ ତଳକୁ ଜୁଣେ ଯେ ରାଧିକାର ପୁର।୪୬।

 

ୟେହି କଦମ୍ୱ ତଳକୁ ବିମ୍ୱର ଗୋଟିଏ ଖୋଳିବୁ

ରାଧିକାଙ୍କର ପଲଙ୍କ ତଳେ ନେଇଣ ଫୁଟାଇବୁ ବାବୁ।୪୭।

ନାରାୟଣଙ୍କ ଆଗ୍ୟାଂୟେ ମୁଂ ଖୋଳିଲି ବିମ୍ୱର

ରାଧିକାର ପୁରେ ଫୁଟିଲା ଦିନ ଯେ ଅଠର।୪୮।

 

ତାଳେକ ଉତ୍ସର୍ଗ ବିସ୍ତାର ତାଳ ତିନି

ରାଧିକା ଲୁଚାଇ ଥାଇ ବିମ୍ୱର ପଥରେକ ଘେନି।୪୯।

ରାତ୍ର ହୋଇଲେ ଯେ ଗୁଆଳକୁ ନିଦ୍ରା କରାଇ

ବିମ୍ୱରେ ପଶି ରାଧିକା କଦମ୍ୱ ମୂଳକୁ ଯାଇ।୫୦।

 

ଇଚ୍ଛାୟେ ଶୃଙ୍ଗାର ଦିଅଇ ସେ ଚନ୍ଦ୍ରବଦନୀ

ଗୋପାଳ କତିରେ ଯାଇ ଶୋଅଇ ରଜନୀ।୫୧।

ମୋହୋର ଚରିତ୍ର ତୁମ୍ଭେ ଶୁଣସି ବିଦୁର

ଖଲ୍ୟକାର ନାମେଣ ମୁଂ ଅଟଇ ଟସକର।୫୨।

 

ଶୁଣିଣ ବିଦୁର ବିଚାରଇ ପରମାର୍ଥ

ୟେହି ମୋହୋର ପୁଅକଇଂ ହୋଇବା କହିତ।୫୩।

ବିଦୁର ପୁଚ୍ଛା କଲେ ଶୁଣରେ ମହାବଳୀ

କେତେଦୂର ତୁହୋ ବିମ୍ୱର ପାରୁ ଖୋଳି।୫୪।

 

ଖଲ୍ୟକାର ବୋଲେ ଯାହାର ଯେତେ ଦୂରେ ହୁଅଇ କାର୍ଯ୍ୟ

ତେତେକ ସମ୍ପାଦି ମୁଂ ପାରଇ ଗ୍ରାହିଜ।୫୫।

ଶୁଣିଣ ବିଦୁର ଯେ ପରମ ସାନନ୍ଦେ

ଟସକର ଘେନିଣ ଚଳିଲେ ନିଜ ଫନ୍ଦେ।୫୬।

 

ତୁ ଯେବେ ଚଉର୍ଯ୍ୟରେ ଭେଟିଲୁନି ମୋତେ

ଆବର ବେଳେ ଚଉର୍ଯ୍ୟପଣ କରିବୁ କେମନ୍ତେ।୫୭।

ଦୁଇ ଅଧିକାର ବିଦୁରର ହସ୍ତିନା ନଗରୀ

ନଗ୍ର ରକ୍ଷା କରଇ ଆବର ଭଣ୍ଡାର ଅଧିକାରୀ।୫୮।

 

ରାତ୍ରେଣ ବିଦୁର ତୁଲେ ଘେନିଣ ଖଲ୍ୟକାର

ଭଣ୍ଡାରୁ ପାଣି ଦ୍ରବ୍ୟ ଦିଲେ ୟେକ ଭାର।୫୯।

ସୁଖେଣ ବିଳସ ତୁ ରହି ହସ୍ତିନା ପୁର

ଆବର ବେଳେ ଚଉର୍ଯ୍ୟପଣ ନ କରିବୁ ଖଲ୍ୟକାର।୬୦।

 

ଧନରତ୍ନମାନ ପୋତି ଥୋଇଲା ନିଜପୁରେ

ଅନୁବ୍ରତେ ଗୋଡ଼ାଇଥାଇ ବିଦୁରଙ୍କ ସଙ୍ଗତରେ।୬୧।

ଦିନେକ ଟସକର ବୋଇଲା କରଯୋଡି

ତୁମ୍ଭେ ଯେ ମୋତେ ପୋଷୁଅଛ ମୁଇଂ କିସ ଉପୁଗାରୀ।୬୨।

 

ବିଦୁର ବୋଇଲେ ମୁଇଂ ତୋତେ ପୋଷୁଅଛି

ତୋହୋରେଣ ମୋତେ ଅନେକ କାର୍ଯ୍ୟଅଛି।୬୩।

କେବଣ ମୋତେ ତୋତେ ମୁଂ କରିବି କାରଣ

ଆଗ୍ୟାଂ ଦିଅ ମୋତେ ଭିଆଇବି ୟେହିକ୍ଷଣ।୬୪।

 

ବିଦୁରେ ବୋଇଲେ ତୁ ଯେବେ ଗର୍ଭେ କରୁ ଗୋପ୍ୟ

କାହାରି ଅଗ୍ରତେ ନକହିବୁଟିରେ ମୋହୋର ବାପ।୬୫।

ତେବେ ସେ ବାବୁରେ କହି ପାରଇ ତୋତେ

ଖଲ୍ୟକାର ବୋଇଲା ମୁଂ ନୋହଇ ୟେମନ୍ତେ।୬୬।

 

ମୀନମାସ କୃଷ୍ଣପକ୍ଷ ଦୁତୀୟା ଭୃଗୁବାର

ହସ୍ତା ନକ୍ଷତ୍ରର ଶେଷ ଭୋଗ ସେ ଦିନର।୬୭।

ଖଲ୍ୟକାର ଘେନି ଅମ୍ୱୁବତୀର ବାଳ

ବେନି ଜନେ ମିଳିଲେ ଯାଇ ସୁରନଦୀ କୂଳ।୬୮।

 

ପଥ ବୁଲାଇଣ ଘେନିଣ ଗଲେ ଟସକରକୁ

ଜଦୁର ଘରେ ନେଇ ଭେଟାଇଲେ ତାହାକୁ।୬୯।

ସୁରନଦୀ କୂଳକୁ ଜଦୁର ଘର ୟେକାଦଶ ଜୁଣ

ବାବୁ ବିମ୍ୱର ଗୋଟିୟେ ତହିଂ କରିବୁ ନିରିବାଣ।୭୦।

 

ଖଲ୍ୟକାର ବୋଇଲା କିସ ତୋହୋର ଚିନ୍ତା

ମୁହିଂ ସେ ୟେହା ଯେ ଅଟଇ ବିହନ୍ତା।୭୧।

ନାରାୟଣ ସୁମରି ସେ କଲା ଶୁଭ ଅନକୂଳ

ତ୍ରିଶିରା ପର୍ବତ ତଳୁଂ ଖୋଳଇ ବିମ୍ୱର।୭୨।

 

ବିଦୁରେ ବୋଇଲେ ଦ୍ୱାପର ଯୁଗ ଦେଉଳ ଉଚ୍ଚ ଯେତେ

ଆଠ ସହସ୍ର ଆଠ ଶତ ଅଠାଇଶ ହାଥ ପରିଯନ୍ତେ।୭୩।

ଉଚ୍ଚ ହୋଇବ ଯେ ବିସ୍ତାର ହୋଇବ ତେଡ଼େ

ଉଭାରେ ଜଣେ ଯିବ ଆସିବ ସଂପୋଡେ।୭୪।

 

ଟସକର ବୋଇଲା ତୋହୋର କାର୍ଯ୍ୟ ଯେତେ

ଆହୁରି ବିସ୍ତାର ମୁଂ କରିପାରଇ ତେତେ।୭୫।

ଖଲ୍ୟକାର ବିମ୍ୱରେ ଲଗାଇ ବିଦୁର

ରାତ୍ରେ ଆପେଣ ନେଇ ଦିଅନ୍ତି ଅନ୍ନଜଳ।୭୬।

 

ମକରମାସ ଶୁକଳପକ୍ଷ ପୂର୍ଣ୍ଣୀମୀର ଦିନ

ମଙ୍ଗଳବାର ନକ୍ଷତ୍ର ସେଦିନ ପର୍ବ ଫାଲଗୁନ।୭୭।

ସେଦିନ ହରି ବଳରାମ ବେନି ଭ୍ରାଥେ

ପ୍ରବେଶ ହେଲେ ହସ୍ତିନା ରାଜ୍ୟେ କୁରୁନାଥ ଅଗ୍ରତେ।୭୮।

 

ବିଦୁରେ ଦେଖିଲେ ରାମକୃଷ୍ଣ ବେନି

ଅନେକ ପୂଜା କଲେ ବିନୋୟ ଦୟିନି।୭୯।

ଆସ୍ତାନୁଂ ଉଠି ଦେବ ବିଜେ କରିଯାନ୍ତେ

ପଛେଣ ଗୋଡ଼ାଇ ଅଛନ୍ତି ଅମ୍ୱୁବତୀର ସୁତେ।୮୦।

 

ଆଗ ହୋଇଗଲେ ଦେବ ବଳରାମେ ତୁରିତେ

ୟେକାନ୍ତେ ବିଦୁରକୁ ପୁଚ୍ଛାକଲେ ଜଗନ୍ନାଥେ।୮୧।

ଧୃତରାଷ୍ଟ ପାଣ୍ଡବଙ୍କୁ ଯେ ଚିନ୍ତଇ ପରମାଦ

ସେ ପାର ହୋଇବେ ୟେକା ତୋହୋର ପରସାଦ।୮୨।

 

ବିଦୁରେ ବୋଇଲେ ମୋତେ ନକହ ୟେତେକଥା

ସ୍ୱାମୀ ତୋତେ ସେ ଲାଗଇ ପାଣ୍ଡବଙ୍କ କଥା।୮୩।

ଦ୍ରିଯୋଧନ କୂଟେ ଝିମାଣି ଶାଳ କଲା ବାରୁଣାପ୍ରଶସ୍ତେ

ଜଦୁର ଘରେ ଦହନ କରାଇବ ପୁରଞ୍ଚନ ପଣ୍ଡା ହାଥେ।୮୪।

 

ଖଲ୍ୟକାର ନାମେଣ ଯେ ୟେକଇ ଟସକର

ତାହାକୁ ଲଗାଇ ମୁହିଂ କରାଉ ଅଛି ବିମ୍ୱର।୮୫।

ରାତ୍ର କାଳେ ଦେବ ସେ ଯେ ଜଦୁର ଘର ଜାଳି

ସେ ବିମ୍ୱର ବାଟେ ପାଣ୍ଡବେ ରାତ୍ରେ ଯିବେ ଗଳି।୮୬।

 

ନାରାୟଣ ବୋଇଲେ ସେ ଖଲ୍ୟକାର ଚଉର୍ଯ୍ୟ

ସରହସୁନ୍ଦରୀ ପୁତ୍ର ସେ ଆମ୍ଭର ଆତ୍ମଜ।୮୭।

ଆମ୍ଭେ ଶିଖାଇଲୁ ତାହାକୁ ଚଉର୍ଯ୍ୟପଣ ବିଦ୍ୟା

ବିମ୍ୱର ଖୋଳି ପାରଇ ସେ ବଚନ ସଂସିଦ୍ଧା।୮୮।

 

ବିଦୁରେ ବୋଇଲେ ହୋ ଶୁଣିମା ଗୋସାଇଂ

ଖଲ୍ୟକାର ବଚନ ସେ ଆହୁରି ଅଛି କହି।୮୯।

ସେ ଯେ ଖୋଳୁଅଛି ଦେବ ବିମ୍ୱର ଗୋଟି

ଅସମ୍ଭାଳ ହୋଇ କାହିଂ ସମ୍ଭାଳିବ ମାଟି।୯୦।

 

ଖୋଳିବାକୁ ଶକତା ସେ ଅଟଇ ଦାମୋଦର

କେମନ୍ତେ ପ୍ରକାରେ ମାଟି ହୋଇବାକ ଦୂର।୯୧।

ବିଦୁର ତହୁଂ ୟେସନେକ ବଚନ ଶୁଣି

ମନେ ମନେ ସେ ବିଚାର କରନ୍ତି ଚକ୍ରପାଣି।୯୨।

 

ୟେତେ ବୋଲି ବିଶ୍ୱମୂର୍ତ୍ତିକି ଧଇଲେ

ବେନି ଭୁଜରୁ ବେନି ପୁରୁଷ ଭିଆଇଲେ।୯୩।

ଛାୟା ମାୟା ନାମେ ଯେ ଅଟନ୍ତି ବେନି ବୀର

ତାହାନ୍ତ ରାଇ ଆଗ୍ୟାଂ ଦିଲେକ ଦାମୋଦର।୯୪।

 

ତୁମ୍ଭେ ଦୁହେଂ ୟେବେ ସୁରନଦୀ କୂଳକୁ ଯିବ

ଖଲ୍ୟକାର ବାମ ଡାହାଣେ ଲାଗିଥିବ।୯୫।

ଯେତେକ ଭୂମି ସେ ଖୋଳିବ ପ୍ରତକ୍ଷ

ସେ ମୂତ୍ତିକାମାନ ତୁମ୍ଭେ ଦୁଇ ଭାଇ ଭକ୍ଷ।୯୬।

 

କ୍ରୋଟ ଅନଳ ଯେ ଥୋଇଲେ ତାହାଙ୍କର ଗର୍ଭେ

ସେ ମୃତ୍ତିକାମାନ ଦହନ ହୋଇବ ପଡିଲେ ଉଦର ଭାଗେ।୯୭।

ନାରାୟଣଙ୍କ ଆଗ୍ୟାଂୟେ ସେ ମହାବୀର ବେନି

ଖଲ୍ୟକାରକୁ ସପକ୍ଷ ହୋଇଲେ

ମୃତ୍ତିକା ଦହନ କଲେ ଭାଇ ବେନି।୯୮।

 

ଖୋଳନ୍ତି ଟସ୍କର ଯେ ଭକ୍ଷନ୍ତି ବେନି ଦକ୍ଷ

ତିନିହେଂ ବିମ୍ୱର ଯେ ଭିଆଇଲେ ପ୍ରତକ୍ଷ।୯୯।

 

Unknown

ବିଦୁରଙ୍କର ବାରୁଣାବନ୍ତ ଗମନ

 

ଶ୍ରାବଣ ଶୁକଳ ଯେ ଚତୁର୍ଦ୍ଦଶୀ ଦିନ

ଭୃଗୁବାର ଉତ୍ତରାଷାଢା ନକ୍ଷତ୍ର ବିଦ୍ୟମାନ।୧।

ସେଦିନ ବିଦୁର ଗଲେ ବାରୁଣାବନ୍ତକୁ

ରାତ୍ର ଅଢାଇ ପ୍ରହରେ ଭେଟିଲେ ଜଦୁର ଘରଦ୍ୱାରକୁ।୨।

 

ବାଉନ ବାଉନ ଭାର ବେନି ଗଦାଧରି

ରାତ୍ର କାଳେ ବୁଲଇ ଭୀମ ଜଦୁଘରେ ବେଢି।୩।

ବିଦୁରକୁ ଦେଖି ଭୀମ ଡାକ ଦିଲା କେ କେ ଟି ରେ

ଆପଣାର କାର୍ଯ୍ୟ ବୋଲି ମିଳିଲେ କତିରେ।୪।

 

ବିଦୁରଙ୍କୁ ଭୀମସେନ କରଇ ନମସ୍କାର

ବାବୁ ତୁନୀ ହୋଇଯାଇ ତୁ ଯୁଝେଷ୍ଠିଙ୍କି ହକାର।୫।

ତୁନୀ କରି ତୋଳି ଆଣଇ ଯୁଝେଷ୍ଠିଙ୍କି

ଯୁଝେଷ୍ଠି ବିନୋଇ ହୋଇଲେ ଯେ ବିଦୁରଙ୍କଇଂ ଦେଖି।୬।

 

ବିଦୁରେ ବୋଇଲେ ତଲେ କରିଥାସି ମନେ

ବିମ୍ୱର ଗୋଟାଏ ଫୁଟିବଟି ଜଦୁଘର ଥାନେ।୭।

ଖଲ୍ୟକାର ଟସ୍କରକୁ କରିବଟି ଅନେକ ଗଉରୋବ

ତାହାର ପ୍ରସାଦେ ତୁମ୍ଭେ ଗୋପ୍ୟାନେ ପାର ହୋଇଯିବ।୮।

 

କଉରୋବେ ତୁମ୍ଭନ୍ତ ଝିଙ୍ଘାସ କରିବେ ଅନେକ

ଭଲେ ପାରି ହୋଇଯାଅ ସମୟେକ।୯।

ତୁମ୍ଭଙ୍କୁ ସାହାପକ୍ଷ ଅଟନ୍ତି ଜଗନ୍ନାଥେ

ସମୟେକ ବଞ୍ଚ ବାବୁ ଦୁଖେଣ ବନସ୍ତେ।୧୦।

 

ପାଞ୍ଚଗୋଟି ଭ୍ରାଥ ମାତାଙ୍କୁ ଘେନି ଛଡ଼ ପ୍ରାଣୀ

ୟେକ ଆତ୍ମା ହୋଇଥିବ ନୋହିବ ପରାପର ଜାଣି।୧୧।

ମାତାଙ୍କୁ ସେବା କରିଥିବଟି ବନସ୍ତେ

ଦୁଖେଣ ସମୟେକ ବାବୁ ବଞ୍ଚ ପଞ୍ଚୁ ଭ୍ରାଥେ।୧୨।

 

ୟେତେ କହି ପୁଣ କହିଲେ ବିଦୁର

ପୁରଞ୍ଚନ ହାଥେ କିଛି ନ କରିବଟି ଆହାର।୧୩।

ଯୁଝେଷ୍ଠି ବୋଇଲେ ତୁହି ଯେ ଆମ୍ଭର ପିତା

ତୁହି ସେ ଅଟୁ ଆମ୍ଭନ୍ତ ଧର୍ମ ଯେ ଦେବତା।୧୪।

 

କହିଣ ବିଦୁର ଗଲେକ ଗହନ ବନସ୍ତେ

ସୁରନଦୀ ତୀରେ ଯେ ତ୍ରିଶିରା ପର୍ବତେ।୧୫।

ବିମ୍ୱରେ ପଶିଲେ ଯାଇ ମହାନିଶା କାଳେ

ଦେଖିଲେ ବିମ୍ୱର ଯେ ବିସ୍ତାର ନବ ତାଳେ।୧୬।

 

ଦେଖିଲେ ବିଦୁରେ ବିମ୍ୱର ଅତିହି ବିସ୍ତାର

ବରଷକେ ହୋଇଲାଣି ପାଞ୍ଚ ଯୋଜନ ଦୂର।୧୭।

ଅନେକ ଧନ ରତ୍ନ ଦିଲେ ଯେ ଟସ୍କରକୁ

ତୋହୋର ଉପୁଗାର ମୁଂ କହିବି କାହାକୁ।୧୮।

 

ୟେତେ ବୋଲି ବିଦୁରେ ଯେ ବାହାର ହୋଇଲେ

ସୁରନଦୀ କୂଳ ନାବ ବାହୁକ କହିବ୍ରତକୁ ଦେଖିଲେ।୧୯।

ନାବ ଗୋଟି କୂଳେ ଲଗାଇ ବସିଅଛି କଣ୍ଡେୟାର

ରାତ୍ରେ ଜନ ଅଇଲେ କରି ଦିୟେ ପାର।୨୦।

 

ବିଦୁରେ ବୋଇଲେ ରେ କେବଣ ତୁ ଜାତି

ୟେ ବନ ନଦୀ କୂଳେ କିମ୍ପେ ବସିଲୁ ନିଶା ରାତି।୨୧।

ମୁଂ ଦେବ ନିଷାଦ ଅଟଇ କଇବ୍ରତ

ନାବରେ ବସାଇ ପାର କରଇ ଜନମାନନ୍ତ।୨୨।

 

ପଣେ ବୋଡ଼ିୟେ ଯେ ଗଣ୍ଡାୟେ ଆଦିକରି

ୟେଣେ ବ୍ରତଇ ମୁଂ ଜୀବନ ଆହାରି।୨୩।

ବିଦୁରେ ବୋଇଲେ ଏ ମାନଗୋବିନ୍ଦର ରାଜ୍ୟ

ସମସ୍ତ ଜନେ ୟେଥେଂ ବ୍ରତନ୍ତି ଅଇଶୁର୍ଯ୍ୟ।୨୪।

 

ତୋହୋର ପରାୟେକ କଷ୍ଟି ଲୋକ ୟେଥି ନାହିଂ

କେତେଦିନ ବଞ୍ଚିବୁ ତୁ ଜଳଚର ହୋଇ।୨୫।

ନାବ ଗୋଟି ବୁଡାଇ ତୁ ଆସ ହୋ କଇବ୍ରତ

ୟେ ତର ପଡୁ ଲୋକେ ନୋହନ୍ତୁ ୟେଥେ ଆତଯାତ।୨୬।

 

ବିଦୁର ବଚନେ ନାବ ବୁଡାଇଲା କଣ୍ଡେୟାର

କଇବ୍ରତକୁ ଘେନି ତହୁଂ ଗଲେକ ବିଦୁର।୨୭।

ଭଣ୍ଡାର ଫେଡିଣ ତାହାକୁ ଦିଲେ ଅନେକ ଧନ

ଆପଣାର ପୁରେ ତାକୁ କଲେକ ଗୋପ୍ୟାନ।୨୮।

 

ବିଦୁର ପ୍ରସନ୍ନେ ତାର କଷ୍ଟ ପାରଗଲା

ଦିନେ ସେ କଣ୍ଡେୟାର ବିଦୁରଙ୍କୁ ପଚାରିଲା।୨୯।

ୟେତେ ଧନ ଦିଲେ ମୋତେ ଭଣ୍ଡାର ଫେଡି

ମୁହିଂ ଛାର ହୀନ ତୋତେ କଉଂ ଗୁଣେ ହୋଇବି ଉପୁଗାରୀ।୩୦।

 

ବିଦୁରେ ବୋଇଲେ ତୁ ଅଟୁ ଯେ ମହତ

ତୋହୋର କାରଣ ମତେ ଅଛଇ ବହୁତ।୩୧।

କଇବ୍ରତ ହସ୍ତ ଧରି ନେଲେ ନିଶାକାଳେ

ବିମ୍ୱର ସନ୍ନଧ୍ୟେ ହୋଇଲେ ରାତ୍ର କାଳେ ସୁରନଦୀ କୂଳେ।୩୨।

 

ବିଦୁରେ ବୋଇଲେ ତୁ ୟେହିଠାରେ ଜଗି ବସିଥିବୁ

ଦିବସେ ନାବ ଗୋଟି ପାଣିରେ ବୁଡାଇବୁ।୩୩।

ରାତ୍ରେଣ ପାଣିରୁ କାଢି ରଖିବୁ ବିମ୍ୱର ଦ୍ୱାର

ବିମ୍ୱରୁ ଯେ ଆସଇ ତାଙ୍କୁ କରିଣ ଦେବୁ ପାର।୩୪।

 

ପାରିକରି ଦେବୁ ସୁରନଦୀର ପଛିମ କୂଳକୁ

ତେତେବେଳେ ଯାଇ ବାରତା କହିବୁ ଆମ୍ଭଙ୍କୁ।୩୫।

ବିଦୁର ବଚନେ ସେ ନିଷାଦ କଇବ୍ରତ

ନାବ ଘେନି ଜଗି ବସିଲା ସେ ସୁରନଦୀ ତଟ।୩୬।

 

ଦିବସେ ନାବଗୋଟି ବୁଡାଇ ଘରେ ଥାଇଂ ଯାଇଂ

ରାତ୍ରେ ପାଣି ନିଗାଡ଼ି ବିମ୍ବର ଦ୍ୱାରକୁ ଯାଏ ବାହି।୩୭।

ବିମ୍ବର ଖୋଳିଲା ଯେ ଟସ୍କର ଖଲ୍ୟକାର

ବିମ୍ୱରେ ନିର୍ବାଣ ହୋଇଲା ବରଷେ ୟେଗାର।୩୮।

 

ମୀନମାସ ଶୁକଳପକ୍ଷ ଦଶମୀର ନିଶି

ଭୌମବାର ଅଶ୍ଳେଷା ଅନ୍ତରେ ଭୋଗ ମଘା ସିଂଘ ରାଶି।୩୯।

ସୁକର୍ମା ନାମେ ଯୋଗ ବାଣିଜ୍ୟ ନାମେ କରଣ

ରାତ୍ର ନବ ଘଡି ମାନେ ଫିଟିଲା ବିମ୍ୱର ଜଦୁଘର ଉତ୍ତର କଣ।୪୦।

 

ସେହିଠାବରେ ଶୋଇଥିଲା ବୀର ଯେ ଅର୍ଜୁନ

ଧାତିକାରେ ଚିଆଇଂ ଉଠିଲା ସେ ବାସବର ନାନ।୪୧।

କେ ରେ କେ ରେ ବୋଲିଣ ଦରାଣ୍ଡିଲା ରାଗେ

ବାମକରେ ଟସକର କେଶ ଧଇଲାକ ବେଗେ।୪୨।

 

ବୋଇଲା ଖଲ୍ୟକାର ମୋତେ ଛାଡ଼ବୀର ପାର୍ଥ

ବିଦୁର ଆଗ୍ୟାଂୟେ ମୁଂ ତୁମ୍ଭର କାର୍ଯ୍ୟେ ହିତ।୪୩।

ୟେସନେକ ବଚନ ଶୁଣିଣ କିରୀଟୀ

ତତକ୍ଷଣେ ଟସ୍କରର ଛାଡିଲେ କେଶ ଗୋଟି।୪୪।

 

ଆଶ୍ୱାସନା କରିଣ ସେ ବାସବର ସୁତ

କତିରେ ବସାଇ ବାରତା ପୁଛଇ ତୁରିତ।୪୫।

କତିରେ ବସି କରି ଯେ କହଇ ଚଉର୍ଯ୍ୟ

ୟେହି ବିମ୍ୱରେ ପଶି ତୁମ୍ଭେ ଯିବ ଦେବରାଜ।୪୬।

 

ଦ୍ୱାଦଶ ବରଷକୁ ମୋତେ ଅନେକ ଧନ ଦେଇ

ବିଦୁରଙ୍କ ଆଗ୍ୟାଂୟେ ମୁଂ ବିମ୍ୱର ଭିଆଇ।୪୭।

ଅର୍ଜ୍ଜୁନ ତୋଳିଲା ଯୁଝେଷ୍ଠିଦେବ ଠାକୁରଙ୍କୁ

ଯୁଝେଷ୍ଠି ହକାରିଲେ ଯେ ଭୀମସେନକୁ।୪୮।

 

ୟେ ବିମ୍ୱର ଭିତରେ ଯାଇ ପଶନିରେ ମାରୁତି

କେତେ ଥଳ କେତେ ଦୀର୍ଘ କେତେ ଉଚ୍ଛର୍ଗ ଯେ ପ୍ରତି।୪୯।

ଯାଇ ପାରିବାଟିକି ୟେ ବିମ୍ୱରେଣ ପଶି

ଆଗ୍ୟାଂୟେ ବ୍ରିକୋଦର ଗଲାକ ମହା ନିଶି।୫୦।

 

ବାଉନ ବାଉନ ଗଦା ଭାର ବେନି ହାଥେ

ବିମ୍ୱର ଭିତରେ ମାରୁତି ଗମଇ ଉଷତେ।୫୧।

ଊର୍ଦ୍ଧ୍ୱ ବାହୁ କରି ବେନି ହାଥ ତୋଳି ଗଲା

ଆକାଶ ପ୍ରାୟେ ହୋଇ ସେ କାହିଂ ନ ଲାଗିଲା।୫୨।

 

ୟେଗାର ଯୋଜନା ବିମ୍ୱର ଖେଦଇ ବ୍ରିକୋଦର

ପ୍ରବେଶ ମାରୁତି ଯାଇ ସୁରନଦୀର ଯେ ତୀର।୫୩।

ବାହୁଡ଼ା ବେଳକୁ ମାରୁତି ବିସ୍ତାରିଲା ବେନି କରପତ୍ର।୫୪।

 

ବିଚାରଇ ମାରୁତି ୟେଥି ସାଂଗ୍ରାମ ପଡିଲେ

ଯୁଦ୍ଧକୁ ଠାବ ଯେ ହୋଇବଟିକି ଦୁଇ ଭୁଜ ଆକ୍ରେଷିଲେ।୫୫।

ଗଦା ବୁଲାଇ ଯେ ଦୁଇ କରେ ବୀର

ଗଦା କାହିଂ ନ ହାବୋଡ଼ିଲା ପାତାଳ ବିମ୍ୱର।୫୬।

 

ଭୀଷ୍ମ ରୂପ ଧରିଣ ଯେ ବ୍ରିକୋଦର ଗଲା

ଜଦୁର ଘରେ ଯାଇଂ ଯୁଝେଷ୍ଠି ଦେବଙ୍କୁକହିଲା।୫୭।

ବଡାଇଂ ଆଶ୍ରିଯ ଦେବ ୟେ ଟସକର କଥା

ଦେବଙ୍କୁ ଅଶକ୍ୟ ୟେ ଅସମ୍ଭବ ବଳବନ୍ତା।୫୮।

ଯେବଣ ବିମ୍ୱର ୟେ ସମ୍ପାଦିଲା ଟସକର

 

ମଞ୍ଚ ସ୍ୱର୍ଗ ପ୍ରାୟେ ଦେବ କିଛି ନାହିଂ ଯେ ଅନ୍ତର।୫୯।

ଶୁଣିଣ ଯୁଝେଷ୍ଠି ଦେବ ପରମ ସାନନ୍ଦ ଚିତ୍ତେ

ଟସକରକୁ ଅନେକ ରତ୍ନ ଦିଲେ ଜଦୁଘରେ ଥିଲା ଯେତେ।୬୦।

ତୁ ଆମ୍ଭ ନିମିତ୍ତେ ଯେତେ କଷ୍ଟ ପାଇଲୁ ଖଲ୍ୟକାର

ଧର୍ମେଣ ରାଜ୍ୟ ପାଇଲେ ତୋହୋର କରିବୁ ଉପୁଗାର।୬୧।

 

ଟସକର ବୋଇଲା ଦେବବିଦୁର ମାହାତ୍ମା ହିଂ ଥିଲେ

ତୁମ୍ଭନ୍ତ ପଞ୍ଚୁକଟକ ପ୍ରାପତ ହୋଇବ ଭଲେ।୬୨।

ନାମଗିରି ନାମେ ଯେ ପର୍ବତ ଗୋଟାୟେ

ବିମ୍ୱର ଦ୍ୱାରେଣ ନେଇ ଭୀମ ଚାପିଣ ଗୋପ୍ୟକୟେ।୬୩।

 

ଖଲ୍ୟକାର ଗଲା ଯେ ବିଦୁର ସନ୍ନିଧାନେ

ବିମ୍ୱର ପରିକ୍ଷ କଲେ ପାଣ୍ଡବ ଭୀମସେନେ।୬୪।

ଶୁଣିଣ ବିଦୁର ଯେ ଅନେକ ସାନନ୍ଦେ

ଖଲ୍ୟକାରକଇ ବହୁତ ଧନ ଦିଲେକ ଆନନ୍ଦେ।୬୫।

 

ସେହି ରାତ୍ରେ ସେ ଟସ୍କରକୁ ତୁଲେ ଘେନି

ଜଦୁର ଘରେ ପ୍ରବେଶ ଦିବା ଅନ୍ତେଣ ରୟଣୀ।୬୬।

ପ୍ରବେଶ ହୋଇଲେ ଯାଇଂ ଜଦୁର ଘରେଟି

ପ୍ରତକ୍ଷେ ଭେଟିଲେ ଯାଇଂ ଧର୍ମରାଜା ଯୁଝେଷ୍ଠି।୬୭।

 

ବୋଲନ୍ତି ମୁଂ ତ ସଞ୍ଚିଲି ୟେସନେକ ସନ୍ଦେହେ

ଧର୍ମେ ୟେଥୁଂ ପାର ହୋଇଥାଅ ସମୟେକ ବାଭିୟେ।୬୮।

ଯେମନ୍ତ ବାବୁରେ ତୁମ୍ଭଙ୍କୁ ନଜାଣନ୍ତି ଆନ ଜନେ

ବରଷ କେତେ ରହ ଯାଇ ଅଗମ୍ୟ ଘୋର ବିପୁନ୍ୟେ।୬୯।

 

ଜାଣିମା ଧୃତରାଷ୍ଟ କେମନ୍ତ କଥା ଧରଇ ହୃଦେ

କେମନ୍ତେ ବିଚାରଇ ସେ ବିଷାଦ କି ଆନନ୍ଦେ।୭୦।

ପରମ ଆଷ୍ୟ ତୁମ୍ଭେ ହୋଅ ପାଞ୍ଚୁଭାଇ

ବରଷେ କେତେ ବାବୁ ତୁମ୍ଭର ଆମ୍ଭର ଭେଟା ଭେଟି ନାହିଂ।୭୧।

 

ମୋହୋର ଆଇଷ୍ୟ ଘେନି ବ୍ରତି ଥାଅ ଭଲେ

ଅଇରି ଦର୍ପ ଗଞ୍ଜିବ ବନସ୍ତେ ଭେଟିଲେ।୭୨।

ୟେତେ ବୋଲିଣ ସନ୍ନିଧେ ରାଇଲେ ଭୀମକୁ

ବାବୁ କଷ୍ଟ କର୍ମ କରି ଧରିଥିବୁ ଶରୀରକୁ।୭୩।

 

ବାବୁରେ ବନସ୍ତେ ପଶନ୍ତେ ହୋଇବ ଅନେକ କଷ୍ଟ ଦୁଖ

ଶରୀର ରକ୍ଷଣ ନିମନ୍ତେ ଯାଇ ମାଗିବଟିରେ ଭିଖ।୭୪।

ଅଳପ ସମୟେଟି ବାବୁ କର୍ମର ବିପଦ

ତହୁଂ ଅଇଲେଟି ପ୍ରାପତ ହୋଅଇ ସିନା ରାଜ୍ୟ ସଂପଦେ।୭୫।

 

ୟେତେକ ତିଆରିଣ ଯେ ଗଲେକ ବିଦୁର

ତୁଲେଣ ଗୋଡ଼ାଇ ଅଛି ଖଲ୍ୟକାର ଟସକର।୭୬।

 

ଜତୁଗୃହ ଦାହ ଓ ଭୀମଙ୍କର ଅଗ୍ନିସ୍ତବ

 

ବିଦୁରେ ହସ୍ତିନା ଭୁବନେ ପ୍ରବେଶ ହୋଇଲେକ ଯାଇ

ଅଛନ୍ତି ପାଣ୍ଡବ ଯେ ଜଦୁର ଘରେ ରହି।୧।

ବିଦୁରେ ଗଲେ ଯେ ଦ୍ୱାରକା ଭୁବନକୁ

ସମସ୍ତ ସଂବାଦ କହିଲେ ଶ୍ରୀବାସୁଦେବଙ୍କୁ।୨।

 

ମୋହୋରେ ୟେତେକ ୟେ ହୋଇଲାକ ଦାମୋଦର

ତୋହୋର ବୁଦ୍ଧି ବଳେ ସ୍ୱାମୀ ଜଦୁଘରୁ ପାରିକର।୩।

ଶ୍ରାବଣ ଶୁକଳ ଯେ ତ୍ରୟୋଦଶୀ ଚନ୍ଦ୍ରବାର

ମୂଳା ନକ୍ଷତ୍ର ଯେ ଭୋଗ ଅଟଇ ସେ ଦିନର।୪।

 

ବିଦୁରେ ବୋଇଲେ ହରି କେବଣ କୃତ୍ୟ କରିବା

କେମନ୍ତେ ପାଣ୍ଡବନ୍ତ ପାର କରି ଦେବା।୫।

ବିମ୍ୱର ବାଟେ ଯେବେ ହୋଇବେ ବାହାର

କେବଣ ବୁଦ୍ଧି ଉପାୟେ ଅଛଇ ତୋହୋର।୬।

 

ବୋଲନ୍ତି ଶ୍ରୀହରି ଶୁଣ ହୋ ବିଦୁର

ୟେ କଥାକୁ ଉପାୟେ ଅଛିନି ମୋହୋର।୭।

ମେଘାନ୍ତ ହକାରିଣ ବୋଲନ୍ତି ନାରାୟଣ

ବାରୁଣାବନ୍ତେ ଘୋର କରିବା ବରଷଣ।୮।

 

ନାରାୟଣଙ୍କଆଗ୍ୟାଂୟେ ବରଷନ୍ତି ମେଘେ

ମୂଷଳଧାରା ପ୍ରମାଣେ ସେ ବରଷନ୍ତି ଉଚ୍ଛର୍ଗେ।୯।

ଅନୁଭବ ବନେ ଅଜରାଜ ନାମେଣ କିରାତ

ଜୟନ୍ତା ନାମେ ଭାରିଯା ତା କୋଳେ ପାଞ୍ଚପୁତ୍ର।୧୦।

 

ନିର୍ଘାତ ବଜ୍ର ସୂଚି ପଡ଼ିଲା ତାର ବାସ

ଅଜ ଶବର ଉପରେ ପଡ଼ିଲାକ ସେ ହୋଇଲାକ ନାଶ।୧୧।

ଆଶ୍ରମ ଗୋଟି ଯେ ତାର ଗଲା ଜଳି

ପାଞ୍ଚ ଗୋଟି ପୁତ୍ର ଘେନି ପଳାଇଲା ବିକଳୀ।୧୨।

 

ଜଦୁର ଘର କାନ୍ଥରେ ସେ ଲାଗିଲାକ ଯାଇଂ

ଭୀମସେନ ବୋଇଲା ଲୋ ଆସୁଅଛୁ କାହିଂ।୧୩।

କେ ଟି ବୋଲିଣ ଚାହିଂଲେ ଦେବୀ କୋନ୍ତୀ

ଆସ ଆସ ମହାତ୍ମାଣୀ ଗୋ ଅଟୁ କେଉଣ ଜାତି।୧୪।

 

ମୁହିଂ କିରାତୁଣୀ ଅଟଇ ବନଚର

ପାଞ୍ଚ ଗୋଟି ପୁତ୍ର ଗୋ ଅଟଇ ମୋହୋର।୧୫।

ସ୍ୱାମୀ ମୋହୋର ନାଶ ଗଲା ବଜ୍ରସୂଚୀ ଘାୟେ

ରହିବାକୁ ଠାବ ଖଣ୍ଡିଏ ଦେୟସି ଗୋ ମାୟେ।୧୬।

 

ୟେ ପାଞ୍ଚଗୋଟି ପୁତ୍ର ଯେ ତୋହୋର ବାଳଶିଷ

ନାମ ଗୋଟି ଆଈ ଅଟଇ ତୋର କିସ।୧୭।

ବୋଲଇ ଶବରଣୀ ଶୁଣ ଗୋସାମଣୀ

ମୋହୋର ନାମ ଅଟଇ ଜୟନ୍ତା ଶବରଣୀ।୧୮।

 

କୋଇନ୍ତା ବୋଇଲେ ଗୋ ଭିତରେ ରହଆସି

ନାମ ଅକ୍ଷର ପଡ଼ିଲା ତୁ ମୋହୋର ବୟେସୀ।୧୯।

ମୋହୋର ପାଞ୍ଚଗୋଟି ପୁତ୍ର ତୋହୋର ପାଞ୍ଚପୁତ୍ର

ଆସ ଆସ ପଇଠି ଗମ୍ଭୀରିରେ ପଶସିରେ ସଂଘାତ।୨୦।

 

ଭୀମ ଦ୍ୱାର ଛାଡ଼, ସେ ପଶନ୍ତୁ ଭିତରେ

ମାତାଙ୍କର ଆଗ୍ୟାଂୟେ ଛାଡିଲା ଦ୍ୱାର ବ୍ରିକୋଦରେ।୨୧।

ପଇଠ ଗମ୍ଭୀରେ ସେ ରହିଲା ଶବରୁଣୀ

ଶେଯ୍ୟା ଗୋଟିୟେ ତାହାକୁ କୋଇନ୍ତା ଦିଲେ ଆଣି।୨୨।

 

ବନସ୍ତେ ଅନେକ ଯେ ଅଇଲେ ଦୁଖପାଇ

ଉଷୁମେ ନିଦ୍ରାଗଲେ ଯେ ଅସାଷ୍ଟମ ହୋଇ।୨୩।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

କୋଇନ୍ତାକୁ ଘେନି ଭିତରେ ପଶିଲେ ପଞ୍ଚୁପାଣ୍ଡବ।୨୪।

 

ଯୁଝେଷ୍ଠି ବୋଇଲେ ଶୁଣସି ଗୋ ମାୟେ

ୟେଥୁ ପାର ହୋଇଯିବା ୟେହୁ ଯେ ସମୟେ।୨୫।

ପର୍ବତକୁ ଆଡିଆଇ ପଶିଲେ ଭିତରେ

କୋଇନ୍ତାକୁ ଭୀମସେନ ବସାଇଲା ଶିରେ।୨୬।

 

ଡାହାଣ କାନ୍ଧେ ଯୁଝେଷ୍ଠି ବାମ କାନ୍ଧରେ କିରୀଟୀ

ଦୁଇ କାଖେ ବସାଇଲା ନକୁଳ ସହଦେବ ଦୁଇ ଗୋଟି।୨୭।

ବାଉନ ବାଉନ ଭାର ଗଦା ଧରି ବେନି ହସ୍ତେ

ବିମ୍ୱରେ ଚଳଇ ଭୀମ ପବନ ଅପତ୍ୟେ।୨୮।

 

ସୁର ନଦୀ କୂଳେ ନେଇ ବସାଇଲା ପାଞ୍ଚନ୍ତି

ଜଦୁର ଘରକୁ ଭୀମସେନ ଲେଉଟ ଅଇଲା ନିଶାରାତି।୨୯।

ବିମ୍ୱରେଣ ପଶି ଆସି ଜଦୁଘରେ ମିଳି

ଝିମାଣିଶାଳୁଂ ଅଗ୍ନି ଆଣି ବାମ କରେ ଦିଲା ଜାଳି।୩୦।

 

ଭାମସେନ ତୋଳିଲା ପୁରଞ୍ଚନ ପଣ୍ଡାକୁ

ତୁ ସେ ପ୍ରତଗ୍ୟାଂ ପାଣ୍ଡବନ୍ତ ମାରିବାକୁ।୩୧।

ପ୍ରତଗ୍ୟାଂ ସାଚା ହୋଇଲା ତୋହୋର ଦ୍ୱିଜବର

ପାଣ୍ଡବନ୍ତ ମାରି ରାଜ୍ୟ ଦିଅ କୁରୁବୀର।୩୨।

 

ଜଦୁର ଘର କେ ଯେ କପଟେ ଭିଆଇଲୁ

ଭୁଞ୍ଜାଇ ବସାଇ ମୋତେ ବିଷ ଖୁଆଇଲୁ।୩୩।

ପୁରଞ୍ଚନକୁ ଝିଙ୍ଘାସଇ ପବନର ବଳା

ଧାତିକାରେ ଜଦୁର ଘରେ ଲଗାଇଲୁ ହୁଳା।୩୪।

 

ଜଉ ସଜଳସ ଗୁଆ ଗୃତେ ଛଣପଟ

ୟେ ଚାରିଙ୍କି ମେଦି କରି ଘର କରିଛୁ କପଟ।୩୫।

ଯେତେବେଳେ ହୁଳା ଲଗାଇଲେ ଜଦୁର ଘରେ

ଜଳିଲା ଅନଳ ଯେ କାଳାନଳ ପରଖରେ।୩୬।

 

ପଣ୍ଡାୟେ ପଳାଅ ତୁମ୍ଭେ ବାହାର ହୋଇ

କାହୁଂ ଆଣି ଲଗାଇଲେ ତୁମ୍ଭେ ଜୁଇ।୩୭।

ୟେହି କ୍ଷଣି ଆମ୍ଭେ ମରିବଇଂ ପୋଡ଼ି

ତୁମ୍ଭେ ପଳାଅ ପଣ୍ଡା ହେ ଅଗ୍ନି ଆସୁଅଛି ମାଡ଼ି।୩୮।

 

ତୁରିତେ ଅଗ୍ନି ଲାଗିଲା ବ୍ରାହ୍ମଣ ଭୀମ ଦୁହିଙ୍କର କର

ମୁହଂ ମାଡ଼ି ପଡ଼ିଲା ବ୍ରାହ୍ମଣ ଭୂମିର।୩୯।

ଭୀମସେନ ପଳାବନ୍ତେ ଅଗ୍ନିର ତେଜ ଲାଗି

ଅନେକ ତୁସ୍ତି ଭୀମ କଲା ପରମ ଯୋଗୀ।୪୦।

 

ରହ ରହ ପବନ ନନ୍ଦନ ମୋହୋର ହାତରୁ ଯିବୁ କାହିଂ

ରହିଣ ଭୀମସେନ ବିସ୍ମୟ ହୋଇ ତୁସ୍ତି କରଇ ତହିଂ।୪୧।

ଜୟ ତୁ ଜୟ ତୁ ଦେବ ବୈଶ୍ୱାନର

ଜୟ ତୁ ଜୟ ତୁ ଦେବ ଦୋହୋରା ଅବତାର।୪୨।

 

ଜୟ ତୁ ଜୟ ତୁ ଦେବ ଦହନ ପାପଘୋରା

ଜୟ ତୁ ଜୟ ତୁ ଦେବ ଗୋପ୍ୟାନ ଦୋହୋରା।୪୩।

ଜୟ ତୁ ଜୟ ତୁ ଦେବ ଆହାରେ ମତ୍ତ ଭୋଳା

ଜୟ ତୁ ଜୟ ତୁ ଦେବ ସିଦ୍ଧ ଅନର୍ଗଳା।୪୪।

 

ଜୟ ତୁ ଜୟ ତୁ ଦେବ କାଳ ଯେ ଅନଳ

ଜୟ ତୁ ଜୟ ତୁ ଦେବ ପ୍ରସନ୍ନେ ପିଙ୍ଗଳ।୪୫।

ଜୟ ତୁ ଜୟ ତୁ ଦେବ ମହା ରୁଦ୍ରମୂର୍ତ୍ତି

ଜୟ ତୁ ଜୟ ତୁ ଦେବ କ୍ରୋଟ ଅନଳ ଜ୍ୟୋତି।୪୬।

 

ଜୟ ତୁ ଜୟ ତୁ ଦେବ ଶୂନ୍ୟ ପୁରୁଷ ଦକ୍ଷ

ଜୟ ତୁ ଜୟ ତୁ ଦେବ ଅଭକ୍ଷ ସର୍ବ ଭକ୍ଷ।୪୭।

ଜୟ ତୁ ଜୟ ତୁ ଦେବ ତୁହି ପିତା ମାତା

ଜୟ ତୁ ଜୟ ତୁ ଦେବ ପ୍ରସନ୍ନେ ବରଦ୍ୟନ୍ତା।୪୮।

 

ଜୟ ତୁ ଜୟ ତୁ ଦେବ ସୁରସିଦ୍ଧ ମହାବ୍ରହ୍ମି

ଜୟ ତୁ ଜୟ ତୁ ଦେବ ପ୍ରସନ୍ନେ ଅଭୟ ସ୍ୱାମୀ।୪୯।

ଜୟ ତୁ ଜୟ ତୁ ଦେବ ମହାବ୍ରହ୍ମ ତେଜା

ଜୟ ତୁ ଜୟ ତୁ ଦେବ ମୂର୍ଖ ଦର୍ପ ଭଞ୍ଜା।୫୦।

 

ଜୟ ତୁ ଜୟ ତୁ ଦେବ କାଳାନଳ ହୁଅ ଶାନ୍ତି

ଜୟ ତୁ ଜୟ ତୁ ଦେବ ଅନଳ ଅନନ୍ତ ମୂର୍ତ୍ତି।୫୧।

ଜୟ ତୁ ଜୟ ତୁ ଦେବ ସ୍ୱାହାର ବଲ୍ଲଭ

ଶୂଦ୍ରମୁନି ସାରୋଳା ଦାସ ଭକତି ବିନୟଭାବ।୫୨।

 

ଭୀମସେନ ତୁସ୍ତି କଲା ବୈଶ୍ୱାନର ଦେବତାଙ୍କୁ

ଅପାଦ କାଳେ ସ୍ୱାମୀ କଟାଳ ନକର ମୁକୁ।୫୩।

ମୋତେ ୟେବାରେ ଯେଥୁଂ ରକ୍ଷାକଲେ ଦେବ ହବି

ମୋହୋର ସମାନେ ସ୍ୱାମୀ ଶତେଜଣ ତୋତେ ଦେବି।୫୪।

 

ୟେତେକ ତୁସ୍ତି କରିଣ ବ୍ରିକୋଦର

ଧାତିକାରେ ପଶିଲା ଯାଇଂ ପାତାଳ ବିମ୍ୱର।୫୫।

ଦ୍ୱାରେଣ ଚାପିଲା ସେ ପର୍ବତ ଶିଳାଗୋଟି

ଧାତିକାରେ ଧାଇଂ ଯାଇଂ ବ୍ରିକୋଦର ଭେଟିଲା ଯୁଝେଷ୍ଠି।୫୬।

 

ଅନେକ ଧନ ରତ୍ନ ନେଲା ଜଦୁର ଘରୁ

ଯୁଝେଷ୍ଠି ବୋଇଲେ ୟେହା ଆଣି କିସ କରୁ।୫୭।

 

କୁମ୍ଭୀର ଦୈତ୍ୟ ବଧ

 

ୟେମନ୍ତରେ ବିମ୍ୱର ଦ୍ୱାରେ ବୀର ବିଚାରନ୍ତି ବସି

କଇବ୍ରତ ନାବ ଘେନି ମିଳିଲାକ ଆସି।୧।

ତାହାକୁ ଦେଖି ବୀରେ ବିମ୍ୱରେ ହୋଇଲେ ଗୁପତ

ସ୍ୱାମୀ ରହ ରହ ବୋଲି ଡାକ ଦିଅଇ କଇବ୍ରତ।୨।

 

ବିଦୁର ମହାତମା ମୋତେ ଅନେକ ଧନରତ୍ନ ଦିଲେ

ନବ ବରଷ ଜଗିଲି ମୁହିଂ ରାତ୍ରେ ନିଦ୍ରା ନାହିଂ ଭଲେ।୩।

ବିଦୁରଙ୍କ ବଚନ ଯେ ଶୁଣି ଅଛନ୍ତି ଯୁଗତେ

ବିମ୍ୱରୁ ବାହାର ହୋଇଲେ ପଞ୍ଚୁଭ୍ରାଥେ।୪।

 

କଇବ୍ରତ ବଚନ ଶୁଣି ସେ ହୋଇଲେ ହରଷ

ତାହାକୁ ଦେଖିଣ ପାଣ୍ଡବେ ପରମ ସନ୍ତୋଷ।୫।

ନାବରେ ବସ ସ୍ୱାମୀ ଦେବି ପାରିଆଇ

ତର ପଡ଼ିଲାନି ୟେଥେ ଆତ ଯାତ ନାହିଂ।୬।

 

ପ୍ରଥମ ନାବରେ ବସିଲେ ଦେବୀ କୋନ୍ତେ

ଯୁଝେଷ୍ଠି ଦୁଜେଣ ତୃତୀୟେ ବୀର ପାଥେ।୭।

ଚତୁର୍ଥେଣ ବସିଲେ ଯେ ନକୁଳ ସହଦେବ

ପଛେ ଭୀମସେନ ଉଠି ବସିଲାକ ନାବ।୮।

 

ଭୀମସେନର ଭାରା ନାବ ନସହିଲା

ଭଡ଼ ଭଡ଼ ହୋଇଣ ନାବ ଗୋଟି ବୁଡ଼ିଗଲା।୯।

ଧାତିକାରେ ନାବୁଂ ଡେଇଂ ପଡ଼ିଲା ବ୍ରିକୋଦର

ତୋଳିଣ ନାବ ଗୋଟି ସେ ଧଇଲା ବାମକର।୧୦।

 

ପାଣି ନିଗାଡ଼ିଣ ଯେ ବସିଲା ପୁଣ ନାବେ

ଭୀମସେନ ବସିବାକୁ ନାବ ନ ସହି ସ୍ୱଭାବେ।୧୧।

କରପତ୍ର ଯୋଡ଼ିଣ ବୋଲଇ କଣ୍ଡେୟାର

ଭୀମସେନ ଠାକୁର ବସନ୍ତୁ ନାବ ବଡ଼ ମଙ୍ଗର।୧୨।

 

ଛୟେ ହୋଇ ବସିବା ଆମ୍ଭେ ସାନ ମଙ୍ଗ କତି

ପୁତ୍ରନ୍ତ ଘେନି ସାନ ମଙ୍ଗ ବସିଲେ ଦେବୀ କୋନ୍ତୀ।୧୩।

ଯାଇଂଣ ଭୀମସେନ ନାବ ବଡ଼ ମଙ୍ଗେଣ ଉଠି

ମହା ଭାରାୟେ ନାବ ଗୋଟି ଯେ ପଡୁଛି ଲେଉଟି।୧୪।

 

ପୁଣିହିଂ ଭୀମସେନ ଡେଇଂ ପଡ଼ିଲା ତୁରିତେ

ନାବ ସମ୍ଭାଳି ଧଇଲାକ କର ପତ୍ରେ।୧୫।

କକଡା ମାସରେ ଯେ ମହାବରଷାର କାଳ

ପୂରିଅଛି ନଦୀ ଯେ ନଦିଶଇ ବେନି କୂଳ।୧୬।

 

ଅନେକ ତାଳ ଗଭୀର ନ ପାଇ ଯେ ଥଳ

ଭାଳଇ ଯେ ଯୁଝେଷ୍ଠି ଦେବ ମନେଣ ଗରୁ ବିକଳ।୧୭।

ସହଦେବ ମୁଖ ଚାହିଂ ପଚାରନ୍ତି ଧର୍ମସୁତେ

ନାବ ନ ସହଇ ବାବୁ ପାରି ହୋଇବା କେମନ୍ତେ।୧୮।

 

ସହଦେବ ବୋଇଲେ ଆଗ୍ୟାଂ ଦେବାକ ଭୀମସେନ ଠାକୁରଙ୍କୁ

ଗଦା ଦୁଇ ପକାନ୍ତୁ ୟେ ନଦୀର ଭିତରକୁ।୧୯।

ପାଣିର ଭିତରେ ଥାଉ କିନା ପଡ଼ି

ବାହୁଡାର ବେଳେ ୟେଥୁଂ ନେଇଂ ସିନା କାଢି।୨୦।

 

ୟେକେ ହେଂ ବଳବନ୍ତା ଆବର ବେନି ଗଦା ହସ୍ତେ

ବାଉନ ବାଉନ ଭାର ବେନି ଗଦା ଜାଣି ବେନି ପର୍ବତେ।୨୧।

ନାବ ମାତ୍ର ସିନା ୟେ କେମନ୍ତେ ସହିବ

ବ୍ରିକୋଦର ମୂରତି ୟେହାର ତ୍ରୈଲୋକେ ଅସମ୍ଭବ।୨୨।

 

ସହଦେବର ବଚନେ ଯୁଝେଷ୍ଠିଙ୍କର ଆଗ୍ୟାଂ ପ୍ରମାଣେ

ସୁର ନଦୀ ଭିତରେ ଗଦା ଛାଡ଼ିଲେ ଭୀମସେନ।୨୩।

ସାନ ମଙ୍ଗେ ପାଞ୍ଚେହେଂ ବ୍ରିକୋଦର ବଡ଼ମଙ୍ଗେ

ବସିଲେ ନାବରେ କଣ୍ଡେୟାର ବାହଇ ଅତି ବେଗେ।୨୪।

 

ନଦୀରେ ନାବ ଜଳ ଚହଳ ରାବଶୁଣି

ଜଳପ୍ରଭା ବାହାର ହୋଇଲା କୃତାନ୍ତେକ ଜାଣି।୨୫।

ପଞ୍ଚତିରିଶ ତାଳ ପରିଯନ୍ତ ପୂରିଅଛି ଜଳ

ତୁଣ୍ଡ ବିସ୍ତାର କୁମ୍ଭୀର ଜଳ କଲାକ ହାନ୍ଦୋଳ।୨୬।

 

ଦେ ଦେ ବୋଲିଣ ଡାକ ଦିଅଇ ଭୀଷ୍ମରୂପେ

ନାବ ହେଠ ବୁଡ ହେଉଅଛି ତାର ପରତାପେ।୨୭।

ଯୁଝେଷ୍ଠି ପୁଚ୍ଛା କଲେ ହୋ ୟେ କଥା କେମନ୍ତ

କରପତ୍ର ଯୋଡ଼ିଣ ଯେ କହଇ କଇବ୍ରତ।୨୮।

 

ସ୍ୱାମୀର ଚାରିଯୁଗ ହେଲାନି କୁମ୍ଭୀର ଅଛଇ ୟେହି ତୁଠେ

ଜଣେକ ବସାଣ ଅଛଇ ପଡଇ ଯେ ଭେଟେ।୨୯।

ସ୍ୱାମୀ ନବ ବରଷ ହେଲାନି ପଡିଲା ୟେହୁ ତର

କ୍ଷୁଧାର୍ତ୍ତୀ ହୋଇ ଅଛଇ ୟେ ଜଳପ୍ରଭା ଅସୁର।୩୦।

 

ଜଣେ ନ ପାଇଲେ ଜଳ ହାନ୍ଦୋଳ କରିବ

ନାବ ବୁଡ଼ାଇ ସ୍ୱାମୀ ସମସ୍ତ ଭକ୍ଷିବ।୩୧।

ଯୁଝେଷ୍ଠି ଦେବ ଚାହିଂଲେ ଭୀମସେନର ବଦନ

ବାବୁ ଦୁସହ କଷଣ ପଡିଲା ୟେହି କ୍ଷଣ।୩୨।

 

ତୁ ମୋହୋର ସୋଦର ପଣ୍ଡିତ ଭିଗ୍ୟଂଦକ୍ଷ

ସଭିଂୟେ ମରିବାକି ବାବୁ ଜଣେକ ୟେଥୁଂ ବାଛ।୩୩।

ବ୍ରିକୋଦର ବୋଇଲା ଦେବ ସହଦେବ ଅଟଇ ସାନ

କିଛି ହିଂ ନକହଇ ବାଳୁତ ଅଗ୍ୟାନ।୩୪।

 

ଚତୃଦଶ ଭୁବନର ବାରତା ଥାଇ ତାହାର ଗର୍ଭେ

ଜାଣି ନ କହଇ ୟେ ମୋଢା ପାପିଷ୍ଠ ସହଦେବେ।୩୫।

ମୋହୋର ବିଚାରେ ସହଦେବକଇଂ ଦେବା

ଆମ୍ଭେ ପାଞ୍ଚେ ହେଂ ଚାଲ ପାରି ହୋଇଯିବା।୩୬।

 

ଯୁଝେଷ୍ଠି ବୋଇଲେରେ ୟେ ମାତା ପିଅର ଅବସାନେ

ୟେ ପୁତ୍ର ଗୋଟିରେ ଉପୁଜିଲା ପଣ୍ଡୁର ଉଦଯାନେ।୩୭।

ଦ୍ରିଯୋଧନ ପର ପୁତ୍ର ବୋଲି ଭାଗ ନଦେବା ଆମ୍ଭଙ୍କୁ

ରାଜ୍ୟକୁ କାରେଣି ଅଛଇଟି ୟେକ ସହଦେବକୁ।୩୮

 

ଆବର ବିଶେଷେ ୟେ ଜାଣଇ ସମସ୍ତ

ଭୂତ ଭବିଷ ୟେ ଜାଣଇ ଗତ ଯେ ଆଗତ।୩୯।

ୟେହା ପରା ବିତକ୍ଷଣ ଭାଇକି ଦେବଇଂ କେମନ୍ତେ

ମନ୍ତ୍ରୀପଣେ ରାଜ୍ୟ ଭିଆଣେ ଅଟଇ ଶକତେ।୪୦।

 

ଆନ ଜଣେକ ବାଛ ବାବୁ ସହଦେବକୁ ଛାଡ଼ି

ଭୀମସେନ ବୋଇଲା ଯେ କରପତ୍ର ଯୋଡ଼ି।୪୧।

ସ୍ୱାମୀ ନକୁଳ ଯେ ଅଛଇ ଅତି ସୁକୁମାର

ଶତେ ପଳ ଚନ୍ଦନ ଲେପଇ ମାଛି ଗୋଟିଏ ବସିଲେ ଶରୀର।୪୨।

 

ହଂସୁଲୀ ତୁଳୀ ଉପରେ ଦେବ କପୂରର ଗୁଣ୍ଡି

ତହିଂ ପହୁଡ଼ିଥିଲେ ୟେହାକୁ ନିଦ୍ରା ନମାଡ଼ି।୪୩।

ବନସ୍ତେ ୟେତକ ଦ୍ରବ୍ୟ ପାଇବା ଆମ୍ଭେ କାହିଂ

ଅବଶ୍ୟ ବନସ୍ତେ ମରିବ ୟେ ସୁଖ ଭୋଗ ବାଟ ଚାହିଂ।୪୪।

 

ସ୍ୱାମୀ ମୋହୋର ଯେ ତୁମ୍ଭେ ବଚନେ କକରିବା

ନକୁଳକୁ ଦେଇ ଚାଲ ପାରି ହୋଇଯିବା।୪୫।

ଯୁଝେଷ୍ଠି ବିସରିଲେ ଭୀମସେନର ବଚନେ

ବାବୁ ସାବତ ମାତାର ପୁତ୍ର ଗୋଟି ମୁ ଦେବଇଂ କେସନେ।୪୬।

 

ଆକାଶରେ ପାଟ ବାବୁ ଅଛଇ ଯାହାକୁ

ମୁଇଂ କେମନ୍ତେରେ ନାଶ କରିବି ତାହାକୁ ।୪୭।

ଆନ ଜଣକ ହୋ ବିଚାରି ଧର ନାମ

କରପତ୍ର ଯୋଡିଣ ବୋଲଇ ଭୀମସେନ।୪୮।

 

ସ୍ୱାମୀ ବଡ଼ଇ ପାପିଷ୍ଠ ମୋଢା ଅଟଇ ଫାଲଗୁନ

ଶରଣ ପଶିଲା ଶତ୍ରୁକୁ ୟେ ନ ମାରଇ ଶସ୍ର ଘେନି।୪୯।

ଅବଶ୍ୟ ଦ୍ରିଯୋଧନର ତୁଲେ ଆମ୍ଭର ସାଂଗ୍ରାମ ହୋଇବ

ବିରଥୀ ବିଶସ୍ର ହୋଇଲେ ୟେ ଶତ୍ରୁକୁ ଛାଡ଼ିଦେବ।୫୦।

 

ୟେହାଉଂ ପାପିଷ୍ଠ ଦେବ ନାହିଂ ଆନ ଜଣେ

ଶତ୍ରୁକୁ ପାଳଇ ୟେ ସୋଦ୍ରିମା ବନ୍ଧୁପଣେ।୫୧।

ଛତ୍ରୀ ହୋଇ ଦେବ ଦୟାବନ୍ତ ହୋଇଲେ

ରାଜ୍ୟ ପ୍ରାପତ ହୋଇକି ୟେଡେ ମନ୍ଦ ଲୋକ ଥିଲେ।୫୨।

 

ସାଂଗ୍ରାମ ବେଳକୁ ଦେବା ଯେ କଳଙ୍କ ନ ଥାଉ

ଅର୍ଜୁନକୁ ଦେବା ଯେ କୁମ୍ଭୀରୀ ଦତ୍ୟ ଖାଉ।୫୩।

ଯୁଝେଷ୍ଠି କୋଳ ଧରି ଧଇଲେ ଅର୍ଜ୍ଜୁନକୁ

ଜାନୁରେ ବସାଇ ନାରାୟଣ କୃଷ୍ଣ ନାମ ଦିଲେଟି ୟେହାକୁ।୫୪।

 

ଯାହାର ପିଅର ବାବୁରେ ଅଟଇ ମଘବା

ଅମରାଧିନାଥ ଅଛଇ ସ୍ୱର୍ଗପୁର ଦେବା।୫୫।

ଯଦ୍ୟପି ଅର୍ଜ୍ଜୁନକୁ ଦେବା ଆମ୍ଭେ ୟେଥେ

ବାସବ ବାସୁଦେବ କୋପୁଂ ବ୍ରତିବା କେମନ୍ତେ।୫୬।

 

ବିଦ୍ୟା ଶିଖାଇବା ବେଳେ ମୋତେ ଦ୍ରୋଣଗୁରୁ ବୋଇଲେ

ତ୍ରୈଲୋକ୍ୟ ଜିଣିମାକୁ ଅର୍ଜ୍ଜୁନ ଅଟଇ ଭଲେ।୫୭।

ଭଲକରି ୟେହାକୁ ପାଳିଥାଅ ଯତନେ

ୟେହାରେ ସେ ରାଜ୍ୟ ପାଇବୁଟି ବିଦ୍ୟମାନେ।୫୮।

 

ବାବୁ ୟେମନ୍ତେ ବୋଲି ଦ୍ରୋଣଗୁରୁ କହିଗଲେ ମୋତେ

ଗୁରୁଙ୍କର ବଚନ ମୁଂ ଭାଞ୍ଜିବି କେମନ୍ତେ।୫୯।

ୟେ ମୋହୋର ବେଳେ ଦେଇ ନ ପାରିବ ବିବଚ୍ଛ

ୟେ ତିନିନ୍ତ ଛାଡ଼ି ବାବୁ ଆନ ଜଣେ ବାଛ।୬୦।

 

ଭୀମସେନ ବୋଇଲା ୟେ ତିନିହେଂ ନୋହିଲେ

ତୁମ୍ଭେ ତ ନ ଯିବ ମୁହିଂ ନ ଯିବି ତୁମ୍ଭର ବୋଲେ।୬୧।

ସ୍ୱାମୀ କୋଇନ୍ତାୟେ ଅଛନ୍ତି ଯେ ବୃଦ୍ଧ ମହନ୍ତାରୀ

ପଣ୍ଡୁର ପ୍ରସାଦେ ୟେ ଅନେକ ଭୋଗକରି।୬୨।

 

ବନସ୍ତେ ସୁସ୍ତ ପାଇବା ଆମ୍ଭେ କାହିଂ

ଦଇବେ ବୟେସାଧିକ ୟେ ମରିବେ ବନେ ଦୁଖ ପାଇ।୬୩।

ୟେହାଙ୍କର ଥାଉଂ ଆମ୍ଭର ଯିବାର କି ମିଳଇ ଉଚିତ

ପୁତ୍ର ଅଭାବେ ତାଙ୍କୁ ଦୁଖ ହୋଇବ ବହୁତ।୬୪।

 

ୟେ ଚାଲି ନୁଆରିବେ ଯେ ଜଞ୍ଜାଳିବେ ଆମ୍ଭଙ୍କୁ

କୋଇନ୍ତାଙ୍କୁ ଦେବା କି ୟେ କୁମ୍ଭୀରୀ ଦଇତକୁ।୬୫।

ଭୀମସେନ ବଚନେ ବିକ ଳହୋଇଲେ ଯୁଝେଷ୍ଠି

ଆମ୍ଭେ ଜାଣିଲୁ ଭୀମା ତୁ ବଡ ମୂର୍ଖ ହେଟି।୬୬।

 

ବାବୁ ଗର୍ଭଧାରୀ ମାତା ଆମ୍ଭଙ୍କୁ ମୁଖରେ କ୍ଷୀ ରଦିଲା

ଆତ୍ମାରୁ ଜାତ କରିଣ ଆମ୍ଭନ୍ତ ପାଳିଲା।୬୭।

ତାହାର ବ୍ରତିଥିଲେ ସେ ଆମ୍ଭଙ୍କୁ ଅଛଇ ବହୁତ ଧର୍ମ

ତାହାକୁ କେହ୍ନେ ଦତ୍ୟକୁ ଦେଇ ଲୋଡୁ ରେ ଭୀମ।୬୮।

 

ଭୀମସେନ ବୋଇଲା ଆମ୍ଭେ ସମସ୍ତେ ସୋଦର

ସମସ୍ତେ ଭାଇ ଆମ୍ଭେ ୟେକ ମାତା ପିଅର।୬୯।

ଆମ୍ଭର ତହୁଂ ବାହାର ୟେ ଦେବ ଅଟଇ କଣ୍ଡେୟାର

ୟେହାକୁଦେଇଆମ୍ଭେହୋଇଯିବାପାର।୭୦।

 

ଭୀମସେନ ବଚନେ ଦେବ ହୋଇଲେ ବିରସ

ପୁଣ କ୍ଷଣକେ ସ୍ୱାମୀ କି ମାଡ଼ିଲାକ ହସ।୭୧।

ବାବୁ ଆମ୍ଭର ନିମନ୍ତେ ୟେ ଜଗିଥାଇ ନିଷାଦ

ନବ ବରଷ ହୋଇଲାନି ରାତ୍ରେ ନ ମାଡ଼ଇ ନିଦ।୭୨-୭୭୧୧।

 

ଭୀମକୁ ଜଳପ୍ରଭାକୁ ପ୍ରଦାନ ଓ 

ଭୀମର ଭୀଷ୍ମରୂପ ଧାରଣା

 

ଖରା ବରଷା ଯେ ଶୀତ ଆଦି କରି

ଗୃହବାସ ତେଜି କରି ଜଗିଥାଇ ଜଳ ଯେ ଅନ୍ଧାରୀ।୧।

ପାପ ପୁଣ୍ୟ ଭୀମ ତୁ କିଛିହିଂ ନ ବିଚାରୁ

ଯେ ସେଉ ପୁଗାରୀ ତାକୁ ବାଟରେ ନେଇମାରୁ।୨।

 

ମାତାଙ୍କର ବଦନ ଚାହିଂଣ ଧର୍ମସୁତ

ମା ଗୋ ଆମ୍ଭେ ଅଟୁ ତୋହୋର ତିନିଗୋଟି ପୁତ।୩।

ନକୁଳ ସହଦେବ ଦୁହିଂନ୍ତି ଦୂର କରି

ତୋହୋର ତିନି ପୁତ୍ରହୁଂ ଜଣେ ଦିଅସି ବିଚାର।୪।

 

କୋଇନ୍ତାୟେ ବୋଇଲେରେ ଦୁଷ୍ଟ ଅଟଇ ଭୀମ

ମନ୍ଦ ବିତ୍ରକେ ୟେହାର ନାହିଂ ଆନ କର୍ମ।୫।

ୟେହାରେ ସେ ଅନ୍ତର ଧଇଲେ ଆମ୍ଭଙ୍କୁ ଧୃତରାଷ୍ଟ

ଗୁରୁ ଗଉରୋବ ମାନ୍ୟ ନାହିଂ ଆନୁବ୍ରତେ ଅଟଇ ମହାଦୁଷ୍ଟ।୬।

 

ଷାଠିୟେ ପଉଟି ଆଣିଲେ ୟେ ବେଳକୁ ସେ ନଅଣ୍ଟି

ପେଟ ନପୂରିଲେ ସେ ହୋଉ ଥାଇ ମହାକଷ୍ଟୀ।୭।

ଭିକ୍ଷା ମାଗିତ ୟେ ନ ଯିବ କଦାଶ୍ଚିତେ

ଅଳପ ନୟନେ ଯାର ନ ଦିଶଇ ଯୁଗତେ।୮।

 

ଯାଅ ଯା ପଣ୍ଡାୟେ ବୋଲି ଯେହୁଟି ବୋଲିବ

କୁଡ଼ିଆ ଗୋଟି ଉପାଡ଼ିଣ ତାହାର ସବୁନ୍ତି ମାରିବ।୯।

ୟେଡେ କୁ ଦୁଷ୍ଟ ଆମ୍ଭ ସଙ୍ଗତେ ନ ଥାଉ

ଭୀମକୁ ଦେବା ୟେବେ ୟେ ଜଳପ୍ରଭା ଖାଉ।୧୦।

 

ଯୁଝେଷ୍ଠି ଦେବ ମାୟେ କରନ୍ତେ ୟେସନ ଭାଳେଣି

ଦୁହିଂ କରି ବିଚାର ସେ ଭୀମସେନ ଜାଣି।୧୧।

ବୋଇଲା ତୁମ୍ଭର ମନ ଗୋ ମୁହିଂ ଜାଣିଲିନି ଆଈ

ମୋତେ ଦେମାକୁ ଗୋ ଭାଳୁଛ ତୁମ୍ଭେ ଦୁଇ।୧୨।

 

ୟେତେ ବୋଲି ଭୀମା ନଦୀରେ ପଡିଲାକ ଡେଇଂ

ଜଳପ୍ରଭା ଆକ୍ରେଷି ଧଇଲା ନିଠାଇ।୧୩।

ଦୁଇ ହସ୍ତେ ଧରି ଉପରକୁ ପିଙ୍ଗି ଦିଲା

ଝିଣ୍ଟିକା ମୂର୍ତ୍ତି ପ୍ରାୟେ ଭୀମ ଉଦରେ ପଶିଲା।୧୪।

 

କୁମ୍ଭୀର ଗର୍ଭ ଦିଶଇ ପାତାଳ ବିମ୍ଭର ପ୍ରାୟେ

ଗର୍ଭରେ ପଶିଅଛି ଯେ ପବନ ତନୟେ।୧୫।

ତହୁଂ ନାବ ବାହି କରି ନେଲା କଣ୍ଡେୟାର

ଚାରି ଭାଇ ମାତାୟେ ଓହ୍ଲାଇଲେ କୂଳର।୧୬।

 

ଯୁଝେଷ୍ଠି ଅନେକ କ୍ରୋଧକଲେ ଭୀମକୁ ନ ଦେଖି

ଅବିକ୍ଷଣ ଲୁଅ ବହଇ ବେନି ଆଖି।୧୭।

ନକୁଳ ସହଦେବ ଆବର କିରାଟୀ

ଅସାଷ୍ଟମ ହୋଇଣ ସେ ଭୂମିରେଣ ଲୋଟି।୧୮।

 

ଆରେ ଆରେ ମୋର କାହିଂ ଗଲୁ ବଳବନ୍ତା ଭାଇ ଗୋଟି

ଅନେକ ବିକଳେ ଯେ ବୋଲନ୍ତି ଯୁଝେଷ୍ଠି।୧୯।

କେଣିକି ଯିବି ଭୀମରେ ତୋହୋର ଅଭାବେ

ବାଟ କଢାଇଣ କେ ନେବ ମୋତେ ୟେବେ।୨୦।

 

ମନ୍ଦଅଗ୍ନି ହୋଇଲେ ଯେହ୍ନେ ନିର୍ବଳ ହୋଅନ୍ତି ପ୍ରାଣୀ

ଦଶଦିଶ ଅନ୍ଧାର ହେଲା ମୋତେ ଜାତି ଅନ୍ଧ ଜାଣି।୨୧।

ରିପୁ ତ୍ରାସ କରୁଥିଲା ତୋହୋର ପ୍ରାକର୍ମ ଦେଖି

ତୋହୋର ଅଭାବେଣ ମୁଂ ହୋଇଲି ନିରିମାଖି।୨୨।

 

କୋଇନ୍ତାୟେ ବୋଇଲେ ବାବୁ କେତେ କରୁ ଶୋକ

ରୟେଣୀ ପାଇଲେ ପୁଣ ଜାଣିମେ ସର୍ବଲୋକ।୨୩।

ହଜିଲା ବଣା ଲୋକଙ୍କୁ ବାବୁକି ବାଟ ଚାହିଂ

ମଲା ନୁଆସଇ ଭସ୍ମ କାହିଂ ନ ଆଙ୍କୋରଇ।୨୪।

 

ଚାରି ପୁଅଙ୍କର ଯେ ହସ୍ତ ଦେବୀ ଧରି

ପଶିଲେ ଗହନ ବନେ ନରସିଂଘ ସୁମରି।୨୫।

ଭୀମ ତୁନୀ ହୋଇ ଅଛି କୁମ୍ଭୀରର ଗର୍ଭେ

ଭାଇ ମାଆଙ୍କର ମନ ଜାଣିବାନା ୟେହି ପରସ୍ତାବେ।୨୬।

 

ଯେତେବେଳେ ନିରାଶେ ସେ ଗଲେ ଘୋରବନେ

କୁମ୍ଭୀର ଗର୍ଭେ ଭୀଷ୍ମରୂପ ଧଇଲେ ଭୀମସେନେ।୨୭।

ବ୍ରିକୋଦର ମୂରତି ଧଇଲା ମହାବଳ

ଶରୀର ବିକାଶିଲା ଉଚ୍ଛର୍ଗ ନବତାଳ।୨୮।

 

ପଞ୍ଚୁତାଳ ଉଚ୍ଛର୍ଗ ଯେ କୁମ୍ଭୀର ଗର୍ଭ ଗୋଟି

ମହା ଭରା ପାଇ ଗଲା ତାର ପେଟ ଫାଟି।୨୯।

କୁମ୍ଭୀରକୁ ମାରି ଚର୍ମ ଛଉରି ଭୀମ କରି

ଉପରେ ପକାଇ କରି ହୋଇଂ ବାହାର ଜଗନ୍ନାଥଙ୍କୁ ସୁମରି।୩୦।

 

ନାବ ଗୋଟି ଘେନି ଆସଇ କଣ୍ଡେୟାର

ରାଗେଣ ଚାପୋଡ଼େକ ମାଇଲା ବ୍ରିକୋଦର।୩୧।

ତାହାଙ୍କର ଭାଳେଣିରେ ତୁହି ପଶିଥିଲୁ

ମୋତେ ଦେବାକୁ ବୋଲୁଂରେ ତୁହି ସନମତ କଲୁ।୩୨।

 

କୋପେଣ ମୁଣ୍ଡ ତାର ପକାଇଲା ମୋଡ଼ି

ନାବ ଗୋଟି ଭାଞ୍ଜିଲା ଶତଖଣ୍ଡ କରି।୩୩।

ପ୍ରକୋପିତ ବଦନ ହଇଂ ଧାମଇଂ ଘୋରବନେ

ମେଦୀନି କମ୍ପୁଅଛି ତାର ଚରଣ ଉଦ୍ଦାନେ।୩୪।

 

ଯୁଝେଷ୍ଠି ବୋଇଲେ ମା ଗୋ ମୁଣ୍ଡ ତ ପୋଡ଼ିଲା

କେଉଂଣ ରାକ୍ଷସ ଆମ୍ଭଙ୍କୁ ଦେଖିଣ ଧାଇଂଲା।୩୫।

ଆରେ ମୋର ଭାଇ ମୁହିଂ କିମ୍ପାଇଂ ନମଲି

ତୋତେ ମରାଇ ମୁହିଂ ସଂପୋଡ଼େ ନାଶଗଲି।୩୬।

 

କୋଇନ୍ତା ବୋଇଲେ ବାବୁ ତୁ ନ ଭାଳ ଯୁଝେଷ୍ଠି

ଦାନବ ନୋହଇ ତୋହୋର ଭାଇ ଭୀମସେନ ହେଟି।୩୭।

ଯୁଝେଷ୍ଠି ବୋଇଲା ମା ଗୋ ୟେଡ଼େକ ନିର୍ଦ୍ଦୟା

ସ୍ତିରୀଲିଙ୍ଗ ହୋଇ ପାଷଣ ତୋର ହିୟା।୩୮।

 

ଗର୍ଭଧାରୀ ହୋଇଣ ପୁତ୍ରକୁ ମରାଇ

ଗର୍ଭ ତୋହୋର ଗୋ କିଛି ହିଂ ନ ବଥାଇ।୩୯।

କୋଇନ୍ତାୟେ ବୋଇଲେ ଭ୍ରାନ୍ତି ତୁ ନ କର କିଛି

କୁମ୍ଭୀର ଦତ୍ୟ ମାରି ତୋର ଭାଇ ଆସୁଅଛି।୪୦।

 

ୟେସନେକ ବିଚାର କରନ୍ତେ ଦେବଧର୍ମେ

ସନିଧ୍ୟେଣ ପ୍ରବେଶ ହୋଇଲେ ବୀର ଭୀମେ।୪୧।

କୋଇନ୍ତାଙ୍କର ପାଦେ ଭୀମ ହୋଇଲା ପରିଣାମି

ଭୀମକୁ କୋଳ କଲେ ଯୁଝେଷ୍ଠି ଦେବସ୍ୱାମୀ।୪୨।

 

ବାବୁ ଆମ୍ଭର ଦେଖନ୍ତେ ତୋତେ ଗିଳିଲା କୁମ୍ଭୀର

କେବଣ ବାଗେ ବାବୁରେ ହୋଇଲୁଂ ବାହାର।୪୩।

ଭୀମସେନ ବୋଇଲା ସ୍ୱାମୀ ଗର୍ଭେ ତାର ଥିଲି

ଓଦର ବିଦାରି ଦେବ ମୁଂ ବାହାର ହଇଲି।୪୪।

 

କହଇ ଭୀମସେନ ସାନନ୍ଦ ତୋଷ ମନେ

ଚାଲଇ ପବନ ଗତି ଘୋର ଗହନ ବନେ।୪୫।

ଚାଲନ୍ତେ ଶତେ ହାଥ ହୋଇ ୟେକ ଭଡ଼ା

ହାବୋଡ଼ା ଘାତେ ବୃକ୍ଷ ପର୍ବତ ହୋଉଛନ୍ତି ଚୂରା।୪୬।

 

ଚାଲି ନପାରି କୋଇନ୍ତାୟେ ବସିଲେକ ଫୁଟି

ରହ ରହ ଭୀମସେନ ଚାଲି ନ ପାରିଲେ

ମାୟେ ବୋଲି ବୋଲନ୍ତି ଯୁଝେଷ୍ଠି।୪୭।

ଭୀମସେନ ବୋଇଲା ମାତା ଗୋ କେମନ୍ତେ କରନ୍ତୁ

ଦ୍ରିଯୋଧନ ବେଣ୍ଟକାରେ ବୁଲନ୍ତି

ୟେଥୁଂ କେତେ କାଳ ଯା'ନ୍ତୁ।୪୮।

 

କୋଇନ୍ତାଙ୍କୁ କୋଳ କରି ଧଇଲା ପାବେନି

ମଥାର ଉପରେ ବସାଇଲା କରେ ଘେନି।୪୯।

ଡାହାଣ କନ୍ଧେ ଯୁଝେଷ୍ଠି ବାମ କାନ୍ଧେଣ କିରାଟୀ

ନକୁଳ ସହଦେବ ବେନି କାଖେ ବେନି ଗୋଟି।୫୦।

 

ପବନ ହୁଂ ବେଗେ ଖେପଇ ଭୀମସେନ

ଘଡ଼ିକେ ଯାଉଅଛି କୋଡ଼ିୟେ ଯୋଜନ।୫୧।

ବନଜୀବମାନେ ପଳାବନ୍ତି ଡରେ

କୁତୂହୋଳେ ଗଣ୍ଡା ଗୟଳ ହରଷେ ଧରଇ ବ୍ରିକୋଦର।୫୨।

 

ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଙ୍କି

ଜଦୁର ଘରୁ ପୁରଞ୍ଚ ନ ଗଲା ଯେ କେଣିକି।୫୩।

ଶବରୁଣୀ ପଞ୍ଚ ପୁତ୍ରେ କଲେ ଯେ କେମନ୍ତେ

ଏହା ମୋତେ ସଞ୍ଚପି କହିବା ତପୋବନ୍ତା।୫୪।

 

ଅଗସ୍ତି ପ୍ରତିବାକ୍ୟ ଶୁଣ ମହାମନୁ

ଜଦୁର ଘର ଦହିଲା ଯେ ପବନର ତନୁ।୫୫।

ଅଗ୍ନିର ତେଜେ ଯେ ପଡ଼ିଲା ମିଳାଇ

ପୁରଞ୍ଚନ ପଣ୍ଡା ଯେ ନାଶଗଲା ତହିଂ।୫୬।

 

ଜୟନ୍ତା ଶବରୁଣୀ ପଞ୍ଚୁ ପୁତ୍ର ଘେନି

ମହା ନିଦ୍ରାୟେ ସେ ଦହନ ହୋଇଲା ରୟେଣୀ।୫୭।

ଶବରୁଣୀ ପଞ୍ଚୁପୁତ୍ର ଶବରୁଣୀକି ଘେନି ଛଡ଼ ଜଣ

ତାହାଙ୍କର ତୁଲେ ଯେ ମଲା ପୁରଞ୍ଚନ ବ୍ରାହ୍ମଣ।୫୮।

 

ୟେ ସାତେ ହେଂ ଦହନ ହୋଇଲେ ଜଦୁର ଘରେ

ସମସ୍ତ ନାଶ ଗଲେ ଅଗ୍ନିର ସମ୍ଭରେ।୫୯।

 

ଶବରୁଣୀର ପଞ୍ଚୁପୁତ୍ରଙ୍କର ପୂର୍ବ ବୃତ୍ତାନ୍ତ

 

ଅଗସ୍ତିଙ୍କି ପୁଚ୍ଛାକଲେ ବଇବସୁତ ମନୁ

ବଡ଼ ଦୁଲଭ କଥା କୁମ୍ଭଋଷିଙ୍କ ତନୁ।୧।

କେଉଂଣ ପାତକ ୟେହୁ କରିଥିଲେ ପୂର୍ବେ

ବିନା ଦୋଷେ କେମନ୍ତେ ଦହନ ହୋଇଲେ ଅପ୍ରସ୍ତାବେ।୨।

 

ୟେହେ କହିବା ମୋତେ ପଣ୍ଡିତ ଭିଗ୍ୟଂଯତି

ଶୁଣିଣ ମହାତମା ଯେ ଫିଟିବ ମନ ଭ୍ରାନ୍ତି।୩।

କହନ୍ତି ଅଗସ୍ତି ଶୁଣ ହୋ ସାବଧାନେ

ପୂର୍ବର କୃତ୍ୟେ ଦହନ ହୋଇଲେ ଶବରୁଣୀ ପୁତ୍ରମାନେ।୪।

 

ବିଝଂକଳ୍ପ ଦେଶ ରାଜା ଗାଧି ଯେ ନୃପତି

ଭୋଜ ବଂଶେଣ ସେହୁ ଅଟଇ ଆଧିପତି।୫।

ସେ ଗାଧିର ନନ୍ଦନ ଯେ ବିଶ୍ୱାମିତ୍ର ରାଜା

ମଞ୍ଚେଣ ନରପତି ସେ ଜାଣିଣ ବିଡୋଜା।୬।

 

ଦିଗ ବିଜେ କରଇ ଯେ ସମସ୍ତ ଦିଗେ ପଶି

ଅନେକ ରାକ୍ଷସ ସେ ମାରଇ ଆକ୍ରେଷି।୭।

ପଦ୍ମେକ ରଥ ତାର ବେନି ପଦ୍ମ ହସ୍ତୀ

ଚାରି ସାଗର ଅଶ୍ୱ ସାତ କ୍ଷଉଣୀ ପାଦାନ୍ତି।୮।

 

ୟେତେକ ଘେନି ରାଜା କରଇ ଦିଗବିଜେ

ବନ ଅରଣ୍ୟେ ଖେଦି ମାରଇ ଦନୁଜେ।୯।

ମକର ଶୁକଳ ପକ୍ଷ ନବମୀର ତିଥି

ସେ ଦିନ ଦିଗ ବିଜେ କଲା ବିଶ୍ୱାମିତ୍ର ନୃପତି।୧୦।

 

ଅରଣ୍ୟେ ଖେଦଇ ରାଜା ଅନ୍ନ ପାଣି ନାହିଂ

ଦଶମୀ ୟେକାଦଶୀ ଯେ ଖେଦଇ ଯେ ଅବଗାହି।୧୧।

ତିନିଦିନ ଉପାସେ ଭେଟିଲେ ସତ୍ତ ଭ୍ରମେ

ଯାନ୍ତେଣ ଭେଟିଲେ ଯାଇଂ ବଶିଷ୍ଠଙ୍କ ଆଶ୍ରମେ।୧୨।

 

ଦେଖିଣ ବଶିଷ୍ଠେ ତାଙ୍କୁ କଲେକ ଅର୍ଘ୍ୟପୂଜା

ବୋଇଲେ ଅତି ଶ୍ରମେ କାହିଂ ଥିଲ ମହାରାଜା।୧୩।

ରାଜା ପ୍ରତିବାକ୍ୟ ଅସୁର ଉପଦର୍ପେ ଖେଦିଲୁ ବନବାସେ

ମାଇଲି ଅନେକ ଦୁଷ୍ଟ ପିଚାଶ ରାକ୍ଷସେ।୧୪।

 

ଅଶକତେ ଚାଲି ନୁଆରନ୍ତି ବଳ

ତିନି ଦିବସ ହେଲାନି ନାହିଂ ଅନ୍ନ ମେଳ।୧୫।

ବଶିଷ୍ଠେ ବୋଇଲେ ଶୁଣ ବିଶ୍ୱାମିତ୍ର ରାୟେ

ଆମ୍ଭର ତହିଂ ଅଛି ଅନ୍ନ ଯେ ପୁଡ଼ାୟେ।୧୬।

 

ଗୋଟି ଚାରି ଭୁଞ୍ଜି ତୁ ଯାଅ ନୃପମଣି

ବିଶ୍ୱାମିତ୍ର ବୋଇଲେ ମୋହୋର ବଳ ସାତ କ୍ଷଉଣୀ।୧୭।

ବଶିଷ୍ଠେ ବୋଇଲେ ସନ୍ୟ ଘେନିଣ ବସିବା ବିଶ୍ୱାମିତ୍ରେ

ସମସ୍ତେ ହେଂ ବାଣ୍ଟି ଭୁଞ୍ଜ ଅନ୍ନ ଅଛି ଯେତେ।୧୮।

 

ବଶିଷ୍ଠେ ବୋଇଲେ ପାଡ଼ହୋ ଶାଳପତ୍ର ଗୁଡାୟେ

ସମସ୍ତେ ସିଅଂ ଦନା ଗୋଟିୟେ।୧୯।

ସୁମନ୍ତଙ୍କୁ ବୋଇଲେ ତୁ ଦୁହଂ ଗାଈ ଗୋଟି

ମେଞ୍ଜନ ଯେ ନାହିଂ ଦେବା ଦୁଧ ଫୁଟି।୨୦।

 

ବଶିଷ୍ଠଙ୍କର ଭାରିଯା ଯେ ଅଟନ୍ତି ଅରୁନ୍ଧତୀ

ଭାତ ଓରିୟା ସେ ରାନ୍ଧିଣ ଅଛନ୍ତି।୨୧।

ସାତ କ୍ଷଉଣୀ ବଳ ଘେନି ଯେ ସେହି ବନସ୍ତେ

ତିନି ଯୋଜନ ମାଡ଼ି ବସିଲେ ବିଶ୍ୱାମିତ୍ରେ।୨୨।

 

ବଶିଷ୍ଠଙ୍କ ଚେଲା ପଞ୍ଚାଶ ସହସ୍ର ଯେ ଶିଷି

ଅରୁନ୍ଧତୀ ଢାଳି ଦିଅନ୍ତି ଯେ ସମସ୍ତେ ପରଶି।୨୩।

ଗାଈ ଗୋଟିକର ଦୁଧ ଓରିୟା ଗୋଟିକର ଭାତେ

ଯାହାକୁ ଯେତେକ ଅଣ୍ଟଇ ଭୁଞ୍ଜନ୍ତି ସମସ୍ତେ।୨୪।

 

ଦିନ ଅର୍ଦ୍ଧେ ରାଜା ମୁଣୋହିଂରେ ବିଜେ କଲା

ଆଦିତ୍ୟ ଅସ୍ତ ଯାନ୍ତେ ମୁଣୋହିଂ ସରିଲା।୨୫।

ସମସ୍ତ ସଇନି ଭୁଞ୍ଜି ହୋଇଲେ ତ୍ରିପୁତି

ଆଚୋଂବନ ସାରି ଆସ୍ତାନେ ବିଜେ ନରପତି।୨୬।

 

ବିଶ୍ୱାମିତ୍ରେ ବୋଇଲେ ଶୁଣିମା ମୁନି ହେ

ବଡ଼ାଇ ଆଶ୍ରିଜ ଦେଖିଲୁ ସନ୍ଦେହେ।୨୭।

ଗାଈ ଗୋଟିକର ଦୁଧ ଓରିୟା ଗୋଟିକର ଭାତ

ୟେତେକ ଅଣ୍ଟିଲା ମୋର ସାତ କ୍ଷଉଣୀ ସନ୍ୟ ବଳବନ୍ତ।୨୮।

 

ବଶିଷ୍ଠ ପ୍ରତିବାକ୍ୟ ଶୁଣ ବିଶ୍ୱାମିତ୍ର ରାୟେ

ଆହୁରି ହୋଇବନା ପଖାଳ ଗୁଡ଼ାୟେ।୨୯।

ବିଶ୍ୱାମିତ୍ର ବୋଇଲେ ଶୁଣିମା ତପନିଷ୍ଠି

ମୋତେ ଦେବା ୟେ ତୁମ୍ଭର ଗାଈ ଗୋଟି।୩୦।

 

ସହସ୍ରେକ ଧେନୁ ଗାବ ମୁହିଂ ଦେବଇଂ ତୁମ୍ଭଙ୍କୁ

ବଶିଷ୍ଠେ ବୋଇଲେ ଲୋକ କେ ଆମ୍ଭର ସମ୍ଭାଳିବାକୁ।୩୧।

ୟେକା କାମଧେନୁ ମୋର ଅଟଇ ଯୁଗତେ

ବିୟାଣେ ବିଆଇଲେ ଦୁହୁଂ ମନୁୟେ ପରିଯନ୍ତେ।୩୨।

 

ତୁ ରାଜା ମହାପଣ୍ଡିତ ଅଟୁ ଭିଗ୍ୟଂବନ୍ତେ

ବ୍ରାହ୍ମଣ ଗାବ ଯେ ହରିବୁଂ କେମନ୍ତେ।୩୩।

ଶୁଣି ବିଶ୍ୱାମିତ୍ରେ ତୂନୀ ଯେ ହୋଇଲେ

ଦୁଷ୍ଟଜନମାନେ ଯେ ରାଜାଙ୍କୁ ଜଣାଇଲେ।୩୪।

 

ଚାଲ ହୋ ୟେବେ ବନସ୍ତ ଠାବରେ ଗୋପ୍ୟ ହୋଇଥିବା

ଚରିବା ଠାବରୁ ଗାବ ଅଡ଼ାଇଣ ନେବା।୩୫।

ଦୁଷ୍ଟଙ୍କର ବଚନେ ଯେ ବିଶ୍ୱାମିତ୍ର ରାଜା

ମୁଂ ୟେଠାରେ ଋଷିଙ୍କି ବୋଲୁ ଥାଇଂ ତେଣେ ଅଡ଼ାଇ ନିଅଯା।୩୬।

 

ରାଜାର ବଚନେ ଚଳିଲେ ବୀର ଦୁଷ୍ଟେ

ଗାଈକି ଭେଟିଲେ ଯାଇ ବଇତରଣୀ ନଦୀ ତଟେ।୩୭।

ଏଡ଼ାଇ ନେମାକୁ ବୁଦ୍ଧିୟେ କଲେ ମହାରଥା

ଦୁଷ୍ଟନ୍ତ ଦେଖି କୋପକଲେ ଜଗତ ମାତା।୩୮।

 

ଖୁରି ଖାଇ ଲାଦେ ଦେବୀ ଚାହିଂଲେ କୋପଦୃଷ୍ଟି

ଦେଖି ତା ମହାବୀରେ କରେ ଧଇଲେ ଯାଠି।୩୯।

ଦେଖିଣ ଗୋମାତା ମାଇଲେ ନେଇ ସିଙ୍ଘେ

ଫୁଟିଲେ ଅଶ୍ୱଯୋଦ୍ଧାୟେ ପଳାବନ୍ତି ବେଗେ।୪୦।

 

ସହସ୍ରେକ ଯୋଦ୍ଧାୟେ ଯେ ବେଢିଥିଲେ ଗାଈ

ରାଗେଣ ମହାଦେଈ ମାଇଲେ ଗୋଡ଼ାଇ।୪୧।

ଋଷି ଯହୁଂ ଗାଈ ନଦିଲେ ମାଗନ୍ତେ

ସମଦଣ୍ଡ ଘେନି ଆସି ବେଢିଲେ ବିଶ୍ୱାମିତ୍ରେ।୪୨।

 

ଦେଖିଲେ ଯୋଦ୍ଧାମାନେ ସମସ୍ତେ ଛନ୍ତିପଡ଼ି

ସୁଖେଣ ଗୋମାତା ନଦୀରେ ପାଣି ହେରି।୪୩।

ଦେଖିଣ ଆଗ୍ୟାଂ ଦିଲେ ବିଶ୍ୱାମିତ୍ର ରାଜା

ସଇନିକି ବୋଇଲେ ରେ ଅଡ଼ାଇ ଆଣଯା।୪୪।

 

ରାଜାର ବଚନେ ଧାଇଂଲେ ବେଗେ ଥାଠ

ଗଜ ଅଶ୍ୱ ଯୋଦ୍ଧାୟେ ମହା ମହା ବଳିଷ୍ଠ।୪୫।

ଲକ୍ଷେ ପୁର କରିଣ ସେ ବେଢିଲେ ଗାଈଙ୍କି

ଗୋମାତାର କୋପ ଯେ ବଢିଲା ଥାଠ ଦେଖି।୪୬।

 

ବେନି ଶିଙ୍ଘେ ହୋଇଲେ ତାର ପରଶୁ ତୀକ୍ଷ କାତୀ

ନିଶ୍ୱାସ ବହିଲା ପବନ ଅଣଚାଶ ମୂର୍ତ୍ତି।୪୭।

ପାଦ ହୋଇଲେ ତାର ଅସିବର ତୀକ୍ଷ ମୁନା

ପିଠିର ଚର୍ମ ତାର ହୋଇଲା ବଜ୍ରସେହ୍ନା।୪୮।

 

ରୋମେ ହୋଇଲେ ଦେବୀଙ୍କର ଅସ୍ତି ତୀକ୍ଷ ବାଣ

ଝାଡ଼ନ୍ତେ ବର୍ଷିଲା ଯାଇସନ୍ୟଙ୍କ ଶରୀର ଉପରେଣ।୪୯।

ଘାୟେଣ ସନ୍ୟଦଣ୍ଡ ଯେ ପଡ଼ିଲେ ନିମଜାଇ

ଯମ ଦେବତା ପାଞ୍ଜି ପୋଛିଲା ସବୁନ୍ତି ହିଂ।୫୦।

 

ହତ୍ୟାକୁ ବିମୋଚନ କଲେ ସର୍ବ ସଇନି

ରାଗେଣ ବିନ୍ଧିଲେ ଧନୁ ଶସ୍ର ଘେନି।୫୧।

ଶହସ୍ର ମାନ ପଡିଲେ ଗାଈର ଶରୀରେ

ବଜ୍ର ଛଉରିରେ ପଡ଼ି ଉଚ୍ଛୁଡନ୍ତି ଶରେ।୫୨।

 

ନିଶ୍ୱାସ ଛାଡ଼ିଲେ ଦେବୀ ଅତି କୋପଭରେ

ବିଶ୍ୱାମିତ୍ର ସଇନି ଉଡ଼ିପଡିଲେ ଅପାର ଦୂରରେ।୫୩।

ପବନ ବହିଲା କି ଅଣଚାଶ ମୂର୍ତ୍ତି ଘେନି

ଯେ ଯହିଂ ପଡିଲେ ସେ ଲୋଟିଲେ ଧରଣୀ।୫୪।

 

ସାତ କ୍ଷଉଣୀ ବଳ ଯେ ବିଶ୍ୱାମିତ୍ରଙ୍କର ଥିଲା

ୟେକା ଗୋମାତାର କୋପେ ସମସ୍ତ ନାଶ ଗଲା।୫୫।

ତେର ଜଣ ଘେନି ରାଜା ଗଲା ସନ୍ୟଭଗ୍ନ ହୋଇ

ଭାରଦ୍ୱାଦଶଙ୍କ ଆଶ୍ରମେ ପ୍ରବେଶିଲା ଯାଇଂ।୫୬।

 

ଭାରଦ୍ୱାଦଶ ବୋଇଲେ ତୋର ସନ୍ୟ କାହିଂ ବିଶ୍ୱାମିତ୍ର

ସନ୍ୟର ବିହୁନେ ରାଜା ଦିଶୁ ତ ବିପରୀତ।୫୭।

କାହାର ତୁଲେ ରାଜା ହୋଇଲୁ ବିବାଦୀ

ସକଳ ଭୁବନ ତ ସମସ୍ତ ପାରୁ ସାଧି।୫୮।

 

ବିଶ୍ୱାମିତ୍ରେ କହିଲେ ଯେ ବଶିଷ୍ଠଙ୍କର କଥା

ଲୋତେଣ ହରି ମୁଂ ଆଣୁଥିଲି ତାଙ୍କର ଗୋମାତା।୫୯।

ଅନେକ ରାଜା ମୁଂ ଜିଣିଲି ସାଂଗ୍ରାମେ

ଗୋମାତା ନାଶ କଲା ମୋର ସଇନି ଅନୁକ୍ରମେ।୬୦।

 

ରାଜ୍ୟ ଭାର ମୋର କିଛି ନୋହିଲା ମହାଗ୍ୟାଂତା

ଧର୍ମ ବଳହିଂ ସେ ଅସଂଖ୍ୟ ବଳବନ୍ତା।୬୧।

ପୋଡ଼ୁ ପୋଡ଼ୁ ରାଜ୍ୟ ମୋର ନାହିଂ ପ୍ରିୟୋଜନ।

ୟେତେ ବୋଲି ଛାଡିଲା ସେ ରାଜ୍ୟ ଆଶାମାନ।୬୨।

 

ବଶିଷ୍ଠଙ୍କରଅଷ୍ଟବସୁଙ୍କପ୍ରତିଅଭିଶାପ

 

ସମସ୍ତ ତେଜ୍ୟା କରି ତପକୁ କଲା ଇଛା

ପଶିଲା ଧର୍ମେ ରାଜା ଅମର ପଦ କଲା ବାଞ୍ଛା।୧।

ମହାଘୋର ତପେ ସେ ବସିଲେ ବିଶ୍ୱାମିତ୍ରେ

ଶୂନ୍ୟ ଭେଦି ତଲୟେ କରନ୍ତି ଶୁଦ୍ଧ ଚିତ୍ତେ।୨।

 

ଲୋହ ଚୂରି ଭକ୍ଷିଲା ନବ ସହସ୍ର ବରଷ

ଶୂନ୍ୟ ପରୁଷମାନେ ହୋଇଲେ ଆସି ଦୃଶ୍ୟ।୩।

ବିଶ୍ୱାମିତ୍ରେ ବୋଇଲେ ଅଷ୍ଟବସୁନ୍ତ ରାଇ

ବଶିଷ୍ଠଙ୍କ ତହୁଂ ଦିଅ ମୋତେ କାମଧେନୁ ଗାଈ।୪।

 

ରାଜଋଷିର ବଚନେ ଚଳିଲେ ଅଷ୍ଟବସୁ

ବଶିଷ୍ଠଙ୍କର ଗାଈ ସେ ଦେଖିଲେ ଆଶ୍ରମରେ ପଶୁଂ।୫।

ଚଉର୍ଯ୍ୟ ପଣ ଧରି ପଶିଲେ ନିଶାକାଳେ

ଆଶ୍ରମେ ପଶି ଗାଈ ଫେଇଲେ ବାହୁବଳେ।୬।

 

ଗାଈକି ଓଡ଼ାଇ ସେ ନେଇ ଯାଉଛନ୍ତି ବନେ

ରୟେଣୀ ପ୍ରଭାତେ ମନ୍ଦିରେ ଗାଈ ନଦେଖିଲେ ମହାମୁନ୍ୟେ।୭।

ଦୁହିଂବାକୁ ଲୋଡ଼ିଲେ ନାହିଂ ଗାଈ ଗୋଟି

ଆଶ୍ରମ ଚଉକତି ଲୋଡ଼ନ୍ତି ତପନିଷ୍ଠି।୮।

 

ଅନେକ ଶ୍ରମେଣ ପଡ଼ି ଲୋଡ଼ନ୍ତି ମୁନି ଗାଈ

ବସୁୟେ ବୋଇଲେ ୟେମନ୍ତେ ନେମା ଯେ କିମ୍ପାଇ।୯।

ମହାମନ୍ତ୍ର ଧୂଳି ପକାଇ ଆଣ୍ଟେ ଅଷ୍ଟ ଭାଇ

ଆପଣା ଇଚ୍ଛାୟେ ଯେ ପଛେ ଗୋଡ଼ାଇ ଅଛି ଗାଈ।୧୦।

 

ଦୃମନ ପର୍ବତେ ଯେ ବାନ୍ଧିଲେ ନେଇ ଗାଈ

ଗଣ୍ଡାୟେକ ମାରି ସେ ସଉରୀ ଭୋଜନ ଖାଇ।୧୧।

ଗାଈକି ଲୋଡ଼ିଣ ଯାଉଛନ୍ତି ବଶିଷ୍ଠେ

ଭେଟିଲେ ଗାଈକି ଦୃମନ ଗିରି ନିକଟେ।୧୨।

 

ଧାଇଂ ଯାଇଂ କତିରେ ଭେଟିଲେ ବ୍ରହ୍ମଚାରୀ

ଆଶ୍ୱାନୀ ଗାଈକି ଫେଇଲେ ଦଉଡ଼ି।୧୩।

ପର୍ବତ ଉପରୁଂ ଧାଇଂ ଅଇଲେ ଉମାବସୁ

ବଶିଷ୍ଠଙ୍କ ଉପରେ ପିଟିଲେ ଯାଠି ଯେ ପରଶୁ।୧୪।

 

ଯାଠି ପଡି ମୁନି ଅଙ୍ଗ ମହା ବ୍ୟଥାପାଇ

ରାଗେଣ ବୋଇଲେ ତୁ ଥାଅରେ ନପୁଂସକ ହୋଇ।୧୫।

ମଞ୍ଚେ ଜାତ ହୁଅ ଯାଇଂ ଗଙ୍ଗାର ଉଦରେ

ଅପୁତ୍ରିକ ହୋଇ ନାଶ ଯାଅ ଭାରଥ ଯୁଦ୍ଧରେ।୧୬।

 

ବିଷମ ଶାପ ପାଇ ଉମାବସୁ ଯେ ଗଲା

ଶେଷେ ଭୀଷ୍ମ ଗଙ୍ଗାର ପୁତ୍ର ଯେ ହୋଇଲା।୧୭।

ବଶିଷ୍ଠେ ଯାଉଛନ୍ତି ଅଡ଼ାଇଣ ଗାଈ

ଅନିଳ ବସୁ ଧାଇଂ ଲଉଡ଼ିୟେକ ବୁଲାଇ।୧୮।

 

ଅନିଳ ବସୁ ବଶିଷ୍ଠଙ୍କୁ ପିଟିଲା ନେଇ ବାଡ଼ି

ବଶିଷ୍ଠେ ବୋଇଲେ ତୁ ଅନ୍ଧ ହୋଇଥାଅ ପଡ଼ି।୧୯।

ସେ ମହାତ୍ମାର ଶାପ ଯେ ମେଣ୍ଟଣ ନ ଗଲା

ଅନିଳେକ ବସୁ ତତକ୍ଷଣେ ଅନ୍ଧ ଯେ ହୋଇଲା।୨୦।

 

ଅନିଳ ବସୁ ବୋଇଲା ଶୁଣହେ ବଶିଷ୍ଠ

ବିଶ୍ୱାମିତ୍ରଙ୍କ ଆଗ୍ୟାଂୟେ ଆମ୍ଭେ ପାଇଲୁ ୟେତେ କଷ୍ଟ।୨୧।

ଚକ୍ଷୁ ମୁକତକୁ ମୋତେ କହିବା କାରଣ

ବଶିଷ୍ଠେ ବୋଇଲେ ପଡ଼ିଥାଅ ୟେହି ବନସ୍ତେଣ।୨୨।

 

ଦ୍ୱାପର ଯୁଗେ ୟେ ଅରଣ୍ୟେ ଆସିବେ ଧର୍ମ ଯୁଝେଷ୍ଠି

ତାହାଙ୍କୁ ଦେଖିଲେ ତୋହୋର ଅନ୍ଧ ପଟଳ ଯିବଫିଟି।୨୩।

ପ୍ରାୟେକ ବସୁ ଧାଇଂଲେ କୋପ ଅପ୍ରମିତେ

ବଶିଷ୍ଠଙ୍କର ଗାଈ ନିଅନ୍ତେ ଧଇଲେ କୋପ ଚିତ୍ତେ।୨୪।

 

ଗାଈ ଧରି ବଶିଷ୍ଠଙ୍କୁ ପକାଇଲେ ପେଲି

ବାଡ଼ିୟେକ ପିଟିଲେ ସେ ଅନେକ ମନ୍ଦ ବୋଲି।୨୫।

କୋପେଣ ଶାପ ତାଙ୍କୁ ଦିଲେ ମୁନିଦ୍ୱିଜ

ବୋଇଲେ ପର ଉପୁଗାରୀ ହୋଇ ଜଦୁର ଘରେ ହୁଅସି ଦହିଜ।୨୬।

 

ପୁଣି ଗାଈ ଘେନିଯା'ନ୍ତେଣ ତପୋଧନ

ଆର ପାଞ୍ଚବସୁ ଧାଇଂଲେ ମହା କୋପମନ।୨୭।

ଲଉଡ଼ିୟେ ଲଉଡ଼ିୟେ ଘେନି କୋପେଣ ବୁଲାଇ

ବଶିଷ୍ଠଙ୍କ ଉପରେ ପ୍ରହାର କଲେ ନେଇ।୨୮।

 

ମୁହଂ ମାଡ଼ି ଭୂମିରେ ପଡିଲେ ବଶିଷ୍ଠେ

ଗାଈ ଘେନିଣ ଯାଆନ୍ତି ପଞ୍ଚବସୁ ବଳିଷ୍ଠେ।୨୯।

ସାଷ୍ଟମ ହୋଇଣ ମୁନି କଲେ କୋପ

ରାଗେଣ ବସୁଙ୍କୁ ବଶିଷ୍ଠେ ଦିଲେ ଶାପ।୩୦।

 

ପାଞ୍ଚେହେଂ ହୋଅ ତୁମ୍ଭେ ଗଙ୍ଗାଙ୍କର ପୁଅ

ଜନ୍ମିଲା ଦିନହିଂ ତୁମ୍ଭେ ଶିର ଚ୍ଛେଦ ହୋଅ।୩୧।

ଶାପ ଦିଅନ୍ତେଣ ବସୁହିଂ ଅପସରି

ଭୋ ବଶିଷ୍ଠ ନ ଜାଣି ତୋହୋର ଗାବ କଲୁ ଚୋରି।୩୨।

 

ଶିରଚ୍ଛେଦ ହୋଇବୁ ଯେବେ ମାତାଙ୍କର ହସ୍ତେ

ମୁକତିକି କାରଣ କହିବା ତପୋବନ୍ତେ।୩୩।

ବଶିଷ୍ଠେ ବୋଇଲେ ରେ ଚୋରାଇଲ ୟେ ମୋହୋର ଗାବ

ବେନି ଜନ୍ମେ ତୁମ୍ଭେରେ ମୁକତ ହୋଇବ।୩୪।

 

ଗଙ୍ଗାର ହାଥେ ଶିର ଛେଦନ ହୋଇବ ବାଳ କାଳେ

ପୁଣ ଜନ୍ମ ହୋଇବ ଶବରୁଣୀର କୋଳେ।୩୫।

ଅଜ ଶବର ନାମେ ତୁମ୍ଭର ହୋଇବ ତାତ

ସେହି କିରାତ ଉପରେ ପଡ଼ିବ ବଜ୍ର ନିର୍ଘାତ।୩୬।

 

ମାତା ତୁମ୍ଭର ତୁମ୍ଭନ୍ତ ଘେନି ପଳାଇବ

ବାରୁଣାବନ୍ତେ ଯାଇଂ ଜଦୁର ଘରେ ଆଉଜିବ।୩୭।

ଜଦୁର ଘରେ ଦହନ ହୋଇବ ସେହି ରାତି

ତହିଂ ତୁମ୍ଭେ ଦହନ ହୋଇବ ପାଞ୍ଚମୂର୍ତ୍ତି।୩୮।

 

ଆରେ ଅଷ୍ଟବସୁ ତୁମ୍ଭେ ଚୋରାଇଲ ମୋହୋର ଗାବ

ଗୋରୁ ଚୋରା ନାମ ତୁମ୍ଭନ୍ତ ରହୁ ଚାରିଯୁଗ।୩୯।

ବଦନ୍ତି ଅଗସ୍ତି ଶୁଣ ମନୁ ମହା ଧାର୍ମିକ

କହନ୍ତେଣ କଥା ଯେ ନ ସରଇ ଅନେକ।୪୦।

 

ଆହୋ ବଶିଷ୍ଠଙ୍କ ଶାପ୍ୟେଣ ଅଷ୍ଟ ବସୁ

ଜଦୁ ଘରେ ଛଡ଼ ବସୁ ଶରୀର କଲେ ପାଂଶୁ।୪୧।

ଶୁଦ୍ଧାଙ୍ଗ ସାଧ୍ୟଙ୍ଗ ଭିଗ୍ୟଂ ଭାଗ୍ୟବନ୍ତ

ସର୍ବଗ୍ୟଂ ପ୍ରାଗ୍ୟଂ ୟେ ଛଡ଼ବସୁ ସଙ୍କେତ।୪୨।

ଶବରୁଣୀ ପୁତ୍ର ହୋଇ ପଞ୍ଚବସୁ ହୋଇଲେ ଦହନ

ପ୍ରାୟେ ବସୁ ଦହନ ହୋଇଲେ ପଣ୍ଡା ପୁରଞ୍ଚନ।୪୩।

 

ଅନିଲ ବସୁ ଅନ୍ଧ ହୋଇ ପଡ଼ିଅଛି ବନେ

ସେ ମୁକତି ହୋଇବ ଯୁଝେଷ୍ଠିଙ୍କ ଦରଶନେ।୪୪।

ଉମାବସୁ ଗଙ୍ଗାର ପୁତ୍ର ଭୀଷ୍ମ ମହାତେଜା

ଯୁଝେଷ୍ଠି ନିମନ୍ତେ ଭାରଥ ଯୁଦ୍ଧେ କରିବେ ଶରଶଯ୍ୟା।୪୫।

 

ୟେମାନେ ଅଷ୍ଟବସୁ ଅଟନ୍ତି ଗୋରୁ ଚୋର

ପାଣ୍ଡବଙ୍କର ନିମନ୍ତେ ଧ୍ୱଂସିବେ ଶରୀର।୪୬।

ବଶିଷ୍ଠଙ୍କ ଶାପ୍ୟୁଂ ୟେ ହୋଇଲେ ମୁକତ

      ଯୁଝେଷ୍ଠିଙ୍କର କାର୍ଯ୍ୟ ନାହିଂ ଏହାଙ୍କର

କାର୍ଯ୍ୟେ ୟେ ହୋଇଲେକ ହତ।୪୭।

 

ଶୁଣିଣ ପରମ ସାନନ୍ଦ ହୋଇଲେ ମନୁକଳ୍ପ ରାଜା

ଅଗସ୍ତିଙ୍କ ପଦ୍ମ ପାଦେ କଲେକ ପାଦ୍ୟ ଅର୍ଘ୍ୟ ପୂଜା।୪୮।

ସାଧୁ ମହାତ୍ମା ତୁମ୍ଭେ ପରମ ପଣ୍ଡିତ ଅଗସ୍ତି

ଅମୃତ ରସ ମହାଭାରଥ ଶୁଣି ପାଇଲି ପରମ ଗତି।୪୯।

 

ମନୁ ବୋଇଲେ ୟେମାନେ ସମସ୍ତେ ହୋଇଲେ ଦହନ

ଗୋପ୍ୟାନେ ପାଣ୍ଡବେ ଯେ ଗଲେକ ଘୋରବନ।୫୦।

ୟେଥିର ବାରତା ସେ ପାଇଲାକ କୁରୁପତି

କିସ କିସ ବୋଇଲେ ସଭାୟେ କହିବା ମହାଯତି।୫୧।

 

ପାଣ୍ଡବଙ୍କ ମୃତ୍ୟୁ ଶୁଣି ଧୃତରାଷ୍ଟଙ୍କର ଶୋକ ଓ ପ୍ରେତ କ୍ରିୟାସାଧନ

 

ବଦନ୍ତି ଅଗସ୍ତି କୁମ୍ଭଋଷିଙ୍କର ତନୁ

କଳି କାଳ ଧ୍ୱଂସ ନିମନ୍ତେ ଶୁଣ ବଇବସୁତ ମନୁ।୧।

ରାତ୍ରରେ ଜଦୁଗୃହ ହୋଇଲାକ ଦହନ

ପଳାଇଣ ଗଲେ ଝିମାଣିଶାଳ ଲୋକମାନ।୨।

 

ସମ୍ଭର୍ବେ ଆସ୍ଥାନେ ବିଜୟେ କୁରୁପତି

କରପତ୍ର ଯୋଡ଼ିଣ ଡଗରାୟେ ବାରତା କହନ୍ତି।୩।

ସ୍ୱାମୀ ପାଣ୍ଡବେ ଥିଲେ ଯେ ଜଦୁର ଘରେ ରହି

ଆଜ ରାତ୍ର କାଳେ ଦେବ ହୋଇଲେ ସର୍ବେ ଦହି।୪।

 

ପୁରଞ୍ଚନପଣ୍ଡା ତାଙ୍କ ସଙ୍ଗତେ ଶୋଇଥିଲା

ତାହାଙ୍କର ସଙ୍ଗତେ ସେ ଦହନ ହୋଇଲା।୫।

ୟେସନେକ ବାରତା ଶୁଣି ରାଜା କୁରୁପତି

ମୁର୍ଚ୍ଛା ଗତେ ପଡିଲା ସେ ମାନଚକ୍ରବ୍ରତୀ।୬।

 

ଧୁସାସନ ଦୃଜୟେ ଏକ ଉତ୍ତର ଶତେଭ୍ରାଥ

ଶହସ୍ରନ୍ତ ପକାଇ ଯେ ହୋଇଲେ ମୂର୍ଚ୍ଛାଗତ।୭।

ଭୂରିସର୍ବାୟେଶୁଣିଲେ ଯେ ଭୀଷ୍ମ ମହାରଥି

ଶଲ୍ୟ କୃପ ଶଙ୍କୁନି ସଞ୍ଜୟେ କୁରୁପତି।୮।

 

ଭିତରେ ବାରତା ଯେ ପାଇଲେ ଧୃତରାଷ୍ଟେ

ବଜ୍ରଘାତ ପ୍ରାୟେ ପଡ଼ିଲେ ଅଚେଷ୍ଟେ।୯।

ଥାନ ମାନ ନିଚଳ ରାୟେ ଅସାଷ୍ଟମେ ଅଛିପଡ଼ି

ନିଜ ପ୍ରାଣ ନିଶ୍ଚଳକି ପ୍ରାଣ ଗଲା ଛାଡ଼ି।୧୦।

 

ସ୍ୱାମୀକି କୋଳ କରି ଧଇଲେ ଗାନ୍ଧାରୀ

ମୁଖେ ଜଳ ନେଇ ସିଞ୍ଚିଲେ ପରିବାରୀ।୧୧।

କୋଳ କରି ମନ୍ତ୍ରୀବର ଧଇଲା ସଞ୍ଜୟେ

କେଶବାସ ଅସମ୍ଭାଳ ଚେତନ ନାହିଂ କୁରୁରାୟେ।୧୨।

 

ଆହା ପୁତ୍ର ବୋଲଇ ରୋବଇ ଧୃତରାୟେ

ୟେତେ କାଳେ ଧାତା ମୋତେ ଦିଲାକ ପୁତ୍ରକଷ୍ଟ।୧୩।

ପୁତ୍ରନ୍ତ ପାଳିଲି ମୁହିଂ ପଣ୍ଡୁର ଅଭାବେ।

ୟେଥି ଦ୍ୱନ୍ଦ ପ୍ରମାଦ ହୋଇ ବୋଲି ମୁଂ ଥୋଇଲି ଆନଠାବେ।୧୪।

 

ଜଗତ ମୋହନ ବାବୁ ଜଗତ ତାରଣ ନାମ ଗୋଟି

ଅନାସ୍ତର ବାନ୍ଧବ ମୋହୋର ଦୁଖୀର ସଙ୍ଘାତ ଯୁଝେଷ୍ଠି।୧୫।

ଅଜାତ ଶତ୍ରୁ ବାବୁ ସର୍ବଗ୍ୟଂ ସୁଧର୍ମ

ଆରେ ମୋହୋର ବାବୁ ଅର୍ଜ୍ଜୁନ ବୀରଭୀମ।୧୬।

 

ବଳବନ୍ତା ଶକତା ଯେ ଧାର୍ମିକ ବୁଦ୍ଧିବନ୍ତା

ପରଲୋକ ବାନ୍ଧବ ବାଭିୟେ ଅଭୟେ ରଣଜିତା।୧୭।

ଅନାଥର ନାଥ ବାବୁ ମୋର ଅନ୍ଧର ଲଉଡ଼ି

ୟେକହୁଂ ଜାତ ଅନ୍ଧ ଆବର ଦୁଗୁଣେ କଷ୍ଟ ପଡ଼ି।୧୮।

 

ବାବୁ ପାଣ୍ଡବାସୁର ମାରି ଉଦ୍ଧରିଲୁ କୁରୁବଂଶ

ପାଣ୍ଡବ ନାମ ତୁମ୍ଭନ୍ତ ଦିଲେ ଯେ ତ୍ରିଦଶ।୧୯।

ହା ହା ରେ ନନ୍ଦନ ମୋର କେଉଂଣ କତି ଗଲୁ

ଗଭୀର ସୋମୋଦ୍ରେ ମୋହୋର ଭେଳା ବୁଡ଼ାଇଲୁ।୨୦।

 

ଦୁଖୀର ସଙ୍ଘାତରେ ମୋହୋର ପ୍ରାଣ ପଞ୍ଚୁଭୂତ

ମୁହିଂ ତୁମ୍ଭର ଅପାଦ ଘେନି ଯାଇଂରେ ପଞ୍ଚୁପୁତ୍ର।୨୧।

ଦେବ ଲୋକେ ତୁମ୍ଭନ୍ତ କଲେ ଯହୁଂ ଜନ୍ମ

କେବଣ ପାପ ଦୋଷେ ନାଶ ଗଲାକ ୟେଡ଼େ ଧର୍ମ।୨୨।

 

ଆରେ ବାବୁ ମୋହୋର ନନ୍ଦନ ଅର୍ଜୁନରେ ଦୁତୀକୃଷ୍ଣ ଫାଲଗୁନି

ୟେ ନାମ ଗୋଟି ଦିଲେ କୃଷ୍ଣ କୋଳେ ତୋତେ ଘେନି।୨୩।

ବାବୁ ୟେକଉଂ ହୀନ ଜୀବ ଆବର ଦୁଖ ଉପରେ ଦୁଖ

ମୁହିଂ ବ୍ରତି ଚାଣ୍ଡାଳ ଚାହିବିଂ କାହା ମୁଖ।୨୪।

 

ବାଳ ଭାବ ଛାଡ଼ିପୁତ୍ରେ ଆବର ହୋଇଲାରେ ଯୁବା

ଓହୋ କୁଳ ବୁଡ଼ାଇଣ କେଣେ ଗଲ ବାବା।୨୫।

ରୋବଇ ଗାନ୍ଧାରୀ ଧୃତରାଷ୍ଟର ପାଟରାଣା

ଭୂମିରେ ପଡ଼ଇ ଦେବୀ ଯେହ୍ନେ ବଜ୍ର ଘାତ ଜାଣି।୨୬।

 

ବଜ୍ରଘାତେ ଶରୀର ମୋହୋର ହୋଉଛି ବିଦାରି

ପୋଡ଼ୁ ମୋହୋର ଶରୀର କେମନ୍ତେ ଥିବଧରି।୨୭।

ଅନ୍ଧପଟଳ ବାନ୍ଧିଲି କାହାରି ଦୁଖ ନ ଦେଖିବାକୁ

କଷ୍ଟ ଉପରେ କଷ୍ଟ ନଗଲା ହାଦେ ମୁକୁ।୨୮।

 

ଆରେ ଆରେ ବାବୁ ୟେ ମୋହୋର ନକୁଳ ସହଦେବ

ସୁଲକ୍ଷଣ ବୁଦ୍ଧି ଗୋଟି ଯାହାର ଅମୃତର ସଭାବ।୨୯।

ବାବୁ ଚାଲନ୍ତେ ଶୋହଇରେ ମୋହୋର ପଞ୍ଚୁ କଟକ ପୁରୀ

ଆସ୍ତାନ ଶୋହଇ ଯେହ୍ନେ ବିଜୟେ ମୁରାରି।୩୦।

 

ପ୍ରମାଦର ଡରେ ତୁମ୍ଭନ୍ତ ବାବୁ ଲୁଚାଇଲି ନେଇ

ସମ୍ପୋଡ଼େ ନାଶ ଗଲ ମୋହୋର ହୀନ ବୁଦ୍ଧିରେ ତହିଂ।୩୧।

ବାବୁରେ ଆମ୍ଭନ୍ତ ମରଣ ହୁଅନ୍ତା ତୁମ୍ଭର ଆଗେ

ନିଲଜ ଆତ୍ମା କିମ୍ପେ ନ ତୁଟଇ ପୁତ୍ର ଶୋଗେ।୩୨।

 

ପୁତ୍ରେ କିମ୍ପା ନାଶ ଗଲେ ମାତା ପିତା ଥାଉଂ ଥାଉଂ

ଭୋ ଦଇବ ପୁରୁଷ ୟେହା ଭିଆଣ କଲୁ କାହୁଂ।୩୩।

ଆଗୋ କୋଇନ୍ତା ତୁ ଯେ ମୋହୋର ପ୍ରାଣସଖୀ

ତୋହୋର ପୁତ୍ରହୁଂ ଅଧିକ ମୋହୋର ପୁତ୍ରେ ଦେଖି।୩୪।

 

ଆମ୍ଭେ ତ ବସିଲୁ ଯେ ହୋଇ ଅନ୍ଧ ଯେ ଅନ୍ଧୁଣୀ

ୟେହୁ ପଞ୍ଚୁ କଟକରେ ତୁହି ସେ ଠାକୁରାଣୀ।୩୫।

କାହାକୁ ସମର୍ପିଲୁ ତୋହୋର ୟେଡ଼େକ ସମ୍ପଦ

ମେଣ୍ଟିତ ନ ପାରିଲୁ ଗୋ କର୍ମର ବିପଦ।୩୬।

 

ଦରାଣ୍ଡ ହୋଇଣ ଅନ୍ଧ ଯେ ବାହାର ହୋଇ ଆସି

କେଉଂଣ ଅଗାଦେ ପଶିବି ଶରୀର ମୋର ଝାସି।୩୭।

କେ ମୋତେ କଢାଇଣ ନେବ ଜଦୁର ଘରେ

ଅନ୍ଧ ଅନ୍ଧୁଣୀ ଦହି ହୋଇବୁ ପୁତ୍ରଙ୍କ ସଙ୍ଗତରେ।୩୮।

 

ଦ୍ରିଯୋଧନ ବୋଇଲା ତାତ କ୍ରୋଧରେ ନୁହ ବାଇ

ଦହିଜ ଗଲା ଶରୀର ଆବର ଲୋଡିଲେ କାହିଂ ପାଇ।୩୯।

ତୁ ତାହାଙ୍କର ଗୁଣ ଜାଣୁଟିକି ପିତା

ଆମ୍ଭନ୍ତ ମାଇଲା ସେ ପାଣ୍ଡବା ଦଇତା।୪୦।

 

ନଦୀରେ ପଶି ଦେହ ପଖାଳୁଛି ଖାଇବ ବୋଲି ସବୁନ୍ତି

ୟେମନ୍ତର ସମୟେ ଯାଇଂ ଭେଟିଲେ ସୁତ କୁନ୍ତୀ।୪୧।

ମୁହିଂ ତାହାନ୍ତ ତାତ କରିଅଛି ଅନେକ ଯେ ପାପ

ସେ କଥା ଶରୀରେ ଯେ ନ ବହିଲେ ଗରୁତାପ।୪୨।

 

ଯୁଦ୍ଧରେ ମାରିଲେ ସେ ପାଣ୍ଡବାସୁରକୁ

ଅମୃତ ଦେଇଣ ତାତ ଜିଆଇଲେ ଆମ୍ଭଙ୍କୁ।୪୩।

କଲା ଉପୁଗାର ଯେ ନ ସୁମରନ୍ତି ଜନ

ଅବଶ୍ୟ ହୁଅନ୍ତି ସେ ନରକେ ପତନ।୪୪।

 

ୟେସନେକ ସଖା ଯେ ଅଟନ୍ତି ମୋହୋର ସୋହୋଦ୍ରେ

ୟେସନେକ ସଖା ଯେ ପିତା ମୋତେ ପଡ଼ିଲା ହାଦେ।୪୫।

ଜାରା ଶବର ମାଇଲା ଯେ ଆମ୍ଭନ୍ତ ବାଳ କାଳେ

ଦ୍ରୋଣ ଗୁରୁଥାନ୍ତେ ସେ ମୋତେ ଉଦ୍ଧରିଲେ ବେଳେ।୪୬।

 

କହୁଂ କହୁଂ ଦ୍ରିଯୋଧନ ଯେ ପଡିଲା ମହୀ ଲୋଟି

କ୍ରୋଧେ ପଡ଼ି ଗଡ଼ିଣ ଯାଉଛନ୍ତି ଧୃତରାଷ୍ଟ ଧୃତରାଷ୍ଟି।୪୭।

ଶତେ ଭାଇଙ୍କର କ୍ରୋଧ କହିତ କି ପାରି

ନିର୍ଘାତ ବାଣ କି ପଡ଼ୁଅଛି ଅଙ୍ଗେ ସବୁଙ୍କରି।୪୮।

 

ପାଣ୍ଡବଙ୍କର ବିହୁନେ ମୋର ଜୀବନେ କାର୍ଯ୍ୟ କିସ

ୟେହିକ୍ଷଣି ଭକ୍ଷିବି ମୋତେ କେ ଆଣି ଦେବ ବିଷ।୪୯।

ଦେହ ମିଳାଉ ମୋର ଯେ ଅର୍ଜୁନର କଷ୍ଟ ଦେଖି

ତୋହୋର ଅଭାବେ ବାବୁରେ ହୋଇଲି ନିରିମାଖି।୫୦।

 

ଦଶ ଦିଶ ମୋତେ ଅନ୍ଧାର ଦିଶିଲା

ଶରଦ ଚନ୍ଦ୍ରମାକୁ କି ରାହୁ ଗରାସିଲା।୫୧।

ଉର ଶିର ଦ୍ରିଯୋଧନ ପାଷାଣେଣ କୋଡ଼ି

କୋଳ କରି ଗାଙ୍ଗେବ ଧଇଲେ ତାକୁ ଭିଡ଼ି।୫୨।

 

ଭୂରିସର୍ବାୟେ ଧରି ଅଛନ୍ତି ଧୁଶାସନକୁ

ସଞ୍ଜୟେ ଧରିଅଛି ଅନ୍ଧ ଯେ ରାଜାକୁ।୫୩।

ରାଧା ଧରିଅଛି ଯେ ଗାନ୍ଧାରସେନ ଦୁହିତାକୁ।୫୪।

 

ବିଦୁର ମହାତମା କହଇ ଶାନ୍ତି ବୁଦ୍ଧି

ରହ ରହ ଦ୍ରିଯୋଧନ ତୁ ଅନମିତ୍ତେ ନୋହସି କ୍ରୋଧୀ।୫୫।

ଆମ୍ଭର ଦେହ ନ ସହଇ ତୋହୋର କ୍ରୋଧ କଲେ

ପାଣ୍ଡବେ ଆସିବେ କି ତୋହୋର ନାଶ ଗଲେ।୫୬।

 

ସମସ୍ତେ ମରିବା କି ପାଣ୍ଡବଙ୍କର ପାଇଂ

କେ ପାରୁ ଯୁଝେଷ୍ଠିକି ଆଣୁନା ଜୀଆଇଂ।୫୭।

ଅପ୍ରମିତ କ୍ରୋଧେ କରନ୍ତି ସର୍ବେ ମିଳି

ବ୍ରହ୍ମାଣ୍ଡ ଉଛୁଳୁଛି ଅସଂଖ୍ୟ ବୋବାଳି।୫୮।

 

ସମସ୍ତ ରାଜ୍ୟରେ ବାରତା କହିଲେ ଦେଶାଉରେ

ପାଣ୍ଡବେ ଦହନ ହୋଇଲେ ବାରୁଣାବନ୍ତ ଜଦୁର ଘରେ।୫୯।

ଦ୍ରୋଣେ ଥିଲେ ଯେ ତ୍ରିପୁରାନ୍ତକ ପର୍ବତେ

ତପ ଧର୍ମ ଉପେଖି ଆସନ୍ତି ଶୀଘ୍ର ଗତେ।୬୦।

 

ପ୍ରବେଶ ହୋଇଲେ ଆସି ହସ୍ତିନା ଭୁବନେ

ବିଦୁରଙ୍କୁ ପଚାରନ୍ତି ଭାରଦ୍ୱାଦଶଙ୍କର ନାନେ।୬୧।

ଲୋୟେ ଅନ୍ଧ ସବୁଙ୍କରି ଚକ୍ଷୁ ବେନି

ଦ୍ରୋଣଗୁରୁ ବୋଲି କେହି ନ ପାରିଲେ ଚିହ୍ନ।୬୨।

 

ବିଦୁରଙ୍କୁ ଦ୍ରୋଣେ ପଚାରନ୍ତି ୟେକାନ୍ତେ

ତୋହୋର ଥାନ୍ତେ ପାଣ୍ଡବେ ନାଶ ଗଲେ କେମନ୍ତେ।୬୩।

ବିଦୁର ବୋଇଲେ ଭୀମ ଧୁଶାସନ ଯହୁଂ ହୋଇଲେ ଅପ୍ରୀତି

ପୁଅନ୍ତ ଘେନି ଅପସରିଲେ ଦେବୀ ଯେ କୋଇନ୍ତୀ।୬୪।

 

ବାରୁଣାବନ୍ତେ ଯାଇଂ ରହିଲେ ଅନେକ ସୁସ୍ତେ

ପ୍ରମାଦ ଉପୁଜିଲା କର୍ମର ଘଟସୂତ୍ରେ।୬୫।

ବିଦୁର ନିରାଶ ବଚନ ଶୁଣି ଦ୍ରୋଣଗୁରୁ

ଶରୀର ବିଅର୍ଥ କଲେ ଅର୍ଜୁନ ସୁମରୁ ସୁମରୁ।୬୬।

 

ଧାଇଂ ଯାଇ କୋଳେ କରି ଧଇଲେ ଅଶସ୍ତମା

ଭୋ ପିତା ତୁମ୍ଭେ ନୋହ ଅସାଷ୍ଟମ ଆତ୍ମା।୬୭।

ବିଦୁର ବୋଇଲେ ହୋ ସମସ୍ତେ ଥିର ହୋଇରହ

ପଣ୍ଡିତ ପଣ କରି କିମ୍ପା ଜଣେହେଂ ନ କହ।୬୮।

 

ପଳାଇବା ଲୋକଙ୍କୁ କି ବିକଳ ହୋଇବା

ଦୂତ ବରଗି ବାକି ଆପଣେ ଲୋଡ଼ିବା।୬୯।

ତହିଂକି ଉପାୟ କରିବା ଦିବ୍ୟ ମଉଷୋଧି ଲୋଡି।୭୦।

 

ଅଗ୍ନି ଦହିଜ କଲା ସବୁଙ୍କରି ଗାତ୍ର

କାୟା ଭସ୍ମ ହୋଇଲା କାଳ ଯହିଂ ତ ପ୍ରାପତ।୭୧।

ଦହନ ପାନ ପୁରୁଷ ସେ ଗ୍ରାସିଲାକ ଆପଣ

ତହିଂକି କ୍ରୋଧ କର କେବଣ କାରଣ।୭୨।

 

ରହ ରହ କୁରୁନାଥ ଛାଡ଼ିମେଲ ଶୋକ

କିସ ତୋତେ ବୁଝାଇବି ତୁ କି ଅଟୁ ମୂର୍ଖ।୭୩।

ବାବୁ ଛାଡ଼ି ମେଲ କ୍ରୋଧ ମୋହବଦ୍ଧ ଚିନ୍ତା

ଥିର ହୋଇ ରହି କି ଯାଆନ୍ତା ପଥ ଶ୍ରାନ୍ତା।୭୪।

 

କାଳ ବୋଲି କରି ହୋ ଯେବଣ ପୁରୁଷ

ନିର୍ଦୟା ନିରାପକ୍ଷ ସେ କହାକୁ ହିଂ ନୋହେ ବଶ୍ୟ।୭୫।

ତାହାକୁ ଜାଣିମାକୁ ୟେଥେ କେ ଅଛି ସାମରଥ

କିମ୍ପା ଅନେକ ରାଜ୍ୟ ସିଂହାସନ ଛାଡ଼ିଲେ ବିଶ୍ୱାମିତ୍ର।୭୬।

 

ସର୍ବ ସୁଖ ଛାଡ଼ି ପରିତ୍ୟାଜ ଛାଡ଼ିଲେ ସୁଖଭୋଗୀ

ଛାଡ଼ିଲେ ଜଞ୍ଜାଳ ସେ ହୋଇଲେ ପରମ ଯୋଗୀ।୭୭।

ସୋଦର ନିଧନେ ସେ ଅନେକ କଷ୍ଟ ବୋଲି

କେ ୟେଥେ ଅମର ଅଛି ସମସ୍ତେ ମରିବା କାଲି।୭୮।

 

ଆହୋ ବଡ଼ ଭାଗ୍ୟବନ୍ତା ସେ ପାଣ୍ଡବେ ପୁଣ୍ୟ ଦେହୀ

କାହାରି କଷ୍ଟ ନ ଦେଖି ଧର୍ମ ପଥେ ଗଲେ ଆଗ ହୋଇ।୭୯।

କେହୁ ଆଗେ କେହୁ ଅବା ହୋଇ ଥାଇ ପଛ

ବହନ୍ତା ପଥକୁ କିମ୍ପା ଅରଗଳି ଦେଉଅଛ।୮୦।

 

ଆରମ୍ଭେ ମୁରାଟ ହୋ ଅକ୍ରୋଧ ଛାଡ଼ି ମେଲ

ପରରାଷ୍ଟ୍ରକୁ ୟେତେ କ୍ରୋଧ କଲେ ନୋହଇ ଭଲ।୮୧।

ହରି ବଳରାମ ଯେ ବିଜୟେ ରଇବ୍ରତ ପର୍ବତେ

ଇନ୍ଦ୍ର ଉଚ୍ଛବ ଯାତ୍ରା ବିଧାନେ ଯଦୁ ଭୋଜ ସମସ୍ତେ।୮୨।

 

ୟେସନେକ ସମୟେ ମିଳିଲେ ମୁନେହି

ଉଗ୍ରସେନର ଆସ୍ତାନେ ବାରତା ଯାଇ କହି।୮୩।

ସ୍ୱାମୀ ପାଣ୍ଡବେ ଥିଲେ ବାରୁଣାବନ୍ତ ଯଦୁର ଘରେ

କୋଇନ୍ତା ଆଦି କରି ଦହନ ହୋଇଲେ ପାଣ୍ଡବ ପଞ୍ଚୁବୀରେ।୮୪।

 

ଦେଶାଉର ତହୁଂ ୟେସନ ବାରତା ଶୁଣି

ଉଗ୍ରସେନେ ଜଣାଇଲା ଦେବ ଚକ୍ରପାଣି।୮୫।

ଶୁଣ ଦେବ ଯଦୁବୀର ବିପରୀତ ବାରତା

ଜଦୁର ଘରେ ନାଶ ଗଲେ ପଞ୍ଚୁପାଣ୍ଡବେ ଆବର କୋଇନ୍ତା।୮୬।

 

ଲୋକିତେ ଚକତି ହୋଇଲେ ଚକ୍ରପାଣି

ପୁଣି ଛଦ୍ରମେ କାନ୍ଦାନ୍ତି ଲୋଟିଣ ଧରଣୀ।୮୭।

ଯଦୁଂ ଆପଣେ ଅପାର ଶୋକ କଲେ ଶ୍ରାପୁରୁଷୋତ୍ତମ

ନାରାୟଣଙ୍କୁ ଶାନ୍ତି କରାନ୍ତି ଦେବ ବଳରାମ।୮୮।

 

ବଳରାମ ବାସୁଦେବ ଅନେକ ବିକଳ

ପୁଣ ପୁଣ ନିଚେଷ୍ଟ ଦେବ କାମପାଳ।୮୯।

ହା ହା ଯୁଝେଷ୍ଠି ବୋଲି ବୋଲନ୍ତି ହଳପତି

ଅଦୋଷେ ନାଶ ଗଲ କର୍ମର ବିପତ୍ତି।୯୦।

 

ସଞ୍ଚୟେ ପାଣ୍ଡବେ ଯେବେ ହୋଇଲେ ପ୍ରାଣ ଭ୍ରଷ୍ଟ

ଅନେକ କଷ୍ଟ ପାଇବ ନୃପତି ଧୃତିରାଷ୍ଟ।୯୧।

ବଦୟନ୍ତି ସଂକ୍ରିଷେଣ ଶୁଣ ହୋ ଜନାର୍ଦ୍ଦନ

ଧୃତିରାଷ୍ଟ ତହିଂକି ଯିବାଟି କି ପାଣି ଦରଶନ।୯୨।

 

ଦାରୁକା ସାତ୍ୟକି ହକାରି ବୋଲନ୍ତି ଦେବରାଜ

ତାଳଧ୍ୱଜ ନନ୍ଦିଘୋଷ ବେଗ କରି ସାଜ।୯୩।

ନାରାୟଣଙ୍କ ଆଗ୍ୟାଂୟେ ବେନି ଯେ ସାରଥି

ଅନେକ ରତ୍ନ ସେ ରଥରେ ମଣ୍ଡନ୍ତି।୯୪।

 

ତାଳଧବଜ ରଥ ସାଜଇ ଦାରୁକ

ଉପରେ ସୁବର୍ଣ୍ଣ ବନ୍ଧା ଶ୍ୱେତ ଚାମର ୟେକ ଲକ୍ଷ।୯୫।

ଡାଳିମ୍ୱ ନେତ ଯେ ଲମ୍ୱାନ୍ତି ଚଉସରା

ଶତେ ସରି ମାଣିକ୍ୟ ମୁକୁତା ମାଳମାନ ଝରା।୯୬।

ନେତର ଚିରାଳ ପାତଙ୍ଗ ଯେ ଫିରିଫିରାନ୍ତି ବାୟେ

ଚାରି କୋଣେ ଦାସୀ ନେତର ଆଳମ୍ୱ ଶୟେ ଶୟେ।୯୭।

 

ସୁବର୍ଣ୍ଣ କାଠିରେ ଅଷ୍ଟରତ୍ନେଣ ଉଦ୍ଦଣ୍ଡ

ଢଳନ୍ତି ବଇଡୁର୍ଯ୍ୟେ ନୀଳା ରତ୍ନେଣ ଚାରି କାଣ୍ଡ।୯୮।

ସହସ୍ରେ ସହସ୍ରେ ପତନି ହୀରା କନକରେ ଜଡ଼ି

ଫେରକେଣ ଗଜମୁକୁତା ପାଞ୍ଚ ପାଞ୍ଚ ସରି।୯୯।

 

ତଥିର ସଙ୍ଗତେ ମରକତ ଧାଡ଼ିଧାଡ଼ି

ରତ୍ନପାଟିୟା ଉପରେ ମାଣିକ୍ୟ ଦର୍ପଣ ଅଛି ଜଡ଼ି।୧୦୦।

ଶତେ ମୁକୁତାରେ ମାଣିକ୍ୟ ପୁଞ୍ଜି ପୁଞ୍ଜି

ତରୁଣ ଆଦିତ୍ୟ ତେଜ ପ୍ରଭାତରେ ଗଞ୍ଜି।୧୦୧।

 

ରଥର ଚାରି କତି ସୁବର୍ଣ୍ଣର ଘଣ୍ଟିକା

ପରିମଳ ଶବଦେ ଯେ ଝଟକନ୍ତି ରତନର ଶିଖା।୧୦୨।

ଶୁକଳ ପତନି ରଙ୍ଗ ପତନି ଦାସୀ ନେତ ତୁଲେ

ଗଜ ବନ୍ଧମାନନ୍ତ ନେଇ ଉପରେ ରଞ୍ଚିଲେ।୧୦୩।

 

ତାଳଧ୍ୱଜ ରଥେ ସୁବର୍ଣ୍ଣ ଅହିବ୍ରତେକ ଲମ୍ୱି

ଯେସନେକ ଅମର ସଭା ଦିଶଇ ଆରମ୍ଭି।୧୦୪।

ରଥର ଚାରି ପୀଢ ସୁବର୍ଣ୍ଣର କୋଣ କାଣ୍ଡ

ଝଟକନ୍ତି ହୀରାୟେ ଯେହ୍ନେ ଉଦୟ ମାରତଣ୍ଡ।୧୦୫।

 

ୟେସନେକ ସ୍ୱରୂପ ଯେ ତାଳଧ୍ୱଜ ରଥ ଶୋଭା

କୁବେର ଭୁବନ ଜାଣି ଚନ୍ଦ୍ର କିରଣ ପ୍ରଭା।୧୦୬।

ଶ୍ୱେତ ଅନନ୍ତ ଗୋକ୍ଷୁର ଶାର୍ଦ୍ଦୁଳ ଚାରି ବାଜୀ

କଳପୀ ହୟେ ଯେ ଅଟନ୍ତି ମହାତେଜୀ।୧୦୭।

 

ୟେକା ନିମିଷକେ ତ୍ରୈଲୋକ୍ୟ ପାରନ୍ତି ଖେପି

ମହାଯାଗୁଂ ସମ୍ଭୂତ ହୟେ ଅଟନ୍ତି କାମ ରୂପୀ।୧୦୮।

ତାହାଙ୍କର ମୂଳେ ସହସ୍ରେ ସହସ୍ରେ ବାଜୀ

ଚୋଖାର ତୁରଙ୍ଗମ ସେ ପବନୁ ବେଗ ତେଜି।୧୦୯।

 

ୟେ ଅଶ୍ୱନ୍ତ ଯୋଚିଲା ନେଇ ଦାରୁକ ସାରଥି

ଶେଣା ପକ୍ଷୀ ପ୍ରାୟେ ସେ ଖେପନ୍ତି ଗଗନ ଗତି।୧୧୦।

ତାଳଧ୍ୱଜ ରଥେ ବିଜୟେ କାମପାଳ

ଶ୍ରୀଭୁଜେ ଶୋଭମାନ ସ୍ୱାମୀର ସଉନନ୍ଦ ମୂଷଳ।୧୧୧।

 

ଶିରେଣ ସପତ ଫଣା ଯେ ଭୁଜଙ୍ଗ ମଉଳି

ରେବତୀର ବଲ୍ଲଭ ସ୍ୱାମୀ ପ୍ରତଗ୍ୟାଂ ସାମରଥା ଦେବହଳୀ।୧୧୨।

ଶିରରେ ସୀମନ୍ଥ କଟିରେ ମେଖଳା ପବିତ୍ରା

ନୀଳବସନ ଆଭରଣ ସ୍ୱାମୀ ଲୋହିତ ବର୍ଣ୍ଣ ନେତ୍ରା।୧୧୩।

 

ଯାତ୍ରା ମଙ୍ଗଳ ସୁଯୋଗେ ଶୁଭ ଅନକୂଳେ

ଭୁଜଙ୍ଗ ମଣ୍ଡଣ ସ୍ୱାମୀ ବିଜୟେ କାମପାଳେ।୧୧୪।

ଦାରୁକ ମଣ୍ଡିଲା ଯେ ନନ୍ଦିଘୋଷ ରଥ

ଅନେକ ସମ୍ଭରେ ସ୍ୱାମୀ ବିଜୟେ ଜଗନ୍ନାଥ।୧୧୫।

 

ଶେତ ଗୋକ୍ଷୀର ଶଙ୍ଖ କାମପାଳ ଚାରି ହୟେ

ଜଳ ବାରଣ ଅନଳ ନିସ୍ତାରଣ କାୟେ।୧୧୬।

ଶ୍ରୀଭୁଜେ ଶଙ୍ଖ ଚକ୍ର ଶାରଙ୍ଗ କୌମୋଦୀ

ବିଜେ ଜଗମୋହନ ସ୍ୱାମୀ ପରମ ସାନନ୍ଦୀ।୧୧୭।

 

ଉଡ଼ନ୍ତି ହୟବର ପବନ ଗତି ଜାଣି

ଦେଖିଣ ଅନେକ ସାନନ୍ଦ ଦେବ ଦିନକର ମଣି।୧୧୮।

ବାହାନ୍ତି ତୁରଙ୍ଗମ ସେ ବେନି ସାରଥି

ହସ୍ତିନା ଭୁବନେ ବିଜେ କୃଷ୍ଣ ହଳପତି।୧୧୯।

 

ଅମଙ୍ଗଳ ଭୁବନେ ଯେ ଦିଶଇ ନାରଖାର

କଳହ ଅସ୍ତାନ ପ୍ରାୟେ ସେବନ୍ତି କୁରୁବୀର।୧୨୦।

ଶ୍ରୀଖଣ୍ଡ ଚନ୍ଦନମାନ ଗୋବିନ୍ଦର କାୟେ

କ୍ରୋଧଭରେ ନୃପତି ହୋଇଛି ରେଣୁ ମୟେ।୧୨୧।

 

ଧୃତରାଷ୍ଟ ଦ୍ରିଯୋଧନ ସବୁରି କଷ୍ଟ ଦେଖି

ଆସନ୍ତି ବେନିଭ୍ରାଥେ ଯାନ ବାହାନନ୍ତ ଉପେଖି।୧୨୨।

ସଞ୍ଜୟେ କହିଲେ ଶୁଣ ଧୃତରାଷ୍ଟେ

ସ୍ୱାମୀ ସନ୍ନିଧ୍ୟେ ତୋହୋରି ବିଜେ କଲେ ରାମ କୃଷ୍ଣେ।୧୨୩।

 

ଅମ୍ୱିକାର ନନ୍ଦନ କହଇ ଶୋକଭରେ କଥା

ୟେହେନେକ ବିପଦ ସ୍ୱାମୀ ବିହିଲା ମୋତେ ଧାତା।୧୨୪।

ଭୀମ ଧୁଶାସନ ଯହୁଂ ହୋଇଲେ ଅନ୍ୟାଅନ୍ୟି

ମୁହିଂ ୟେକାନ୍ତେ ଭାଳିଲି ଯୁଝେଷ୍ଠିଙ୍କି ଘେନି।୧୨୫।

 

ୟେକାଠାରେ ଥିଲେ ବାବୁ ହୋଇବ ଅନ୍ୟାଅନ୍ୟି

ବାରୁଣାବନ୍ତେ ରହ ଯାଇଂ ଭାଇନ୍ତ ତୋର ଘେନି।୧୨୬।

ଗୁରୁଜନ ବଚନେ ଦେବ ଅଲଙ୍ଘିତ ଯୁଝେଷ୍ଠି

ବାରୁଣାବନ୍ତେ ରହିଲେ ମୋର ପୁତ୍ର ପାଞ୍ଚଗୋଟି।୧୨୭।

 

କାଲି ରାତ୍ରେ ଦେବ ମୋତେ ପଡ଼ିଲା ବିପଦ

ସେ ପଞ୍ଚୁ ପୁତ୍ରଙ୍କୁ ହାଦେ ପଡିଲା ପରମାଦ।୧୨୮।

ଝିମାଣିଶାଳୁ ଅଗ୍ନି ପଡ଼ି ଦେବ ପୁର ଦହନ ହୋଇଲା

କୋଇନ୍ତା ସହିତେ ମୋର ପଞ୍ଚୁ ପୁତ୍ର ନାଶଗଲା।୧୨୯।

 

ବିନାଶ କାଳକୁ ଦେଖ ବିପରୀତ ବୁଦ୍ଧି

ବିପଦ କର୍ମେଣ ମୋହୋର ୟେସନେକ ଲିହି ବିଧି।୧୩୦।

କହୁଂ କହୁଂ ମୃକ୍ଷାଗତ ହୋଇଲେ ଧୃତରାଷ୍ଟ

ରହ ରହ କୁରୁପତି ବୋଲି ଧଇଲେ ଜଗନ୍ନାଥ।୧୩୧।

 

ଜଗୁ ଜନ ବନ୍ଧୁ ଯେ ଜଗତ ଜନ ହିତକାରୀ

କେବଣ ପାତକେ ମୋତେ ୟେଡ଼େକ ବିପତ୍ତି ପଡ଼ି।୧୩୨।

ଦ୍ରିଯୋଧନ ଅସାଷ୍ଟମ ବଳରାମଙ୍କ ମୁଖ ଦେଖି

ବେଳେକ ସୋଦରନ୍ତା ସ୍ୱାମୀ ନ ପାରିଲୁ ରଖି।୧୩୩।

 

ଶ୍ରୀହରି ବୋଇଲେ ତୁମ୍ଭେ ଶୁଣ କୁରୁପତି

ଦଇବ କୃତ୍ୟେ ତୋତେ ହୋଇଲା ଅନୀତି।୧୩୪।

ବଳରାମେ ବୋଇଲେ କାହିଂ ଦହନ ହୋଇଲେ ପାଣ୍ଡବେ

ଚାଲ ହୋ ଦେଖିଯିବା ବୋଲନ୍ତି ବଳଦେବେ।୧୩୫।

 

ରାମର ବଚନେ ସଜ ହୋଇଲେ କୁରୁଥାଠ

ଅନେକ ଗହଳ ଯେ ହୋଇଲା ମୁରାଟ।୧୩୬।

ଯଦୁର ଘର ଦେଖିବାକୁ ଯାଆନ୍ତି ସଇନି

ମହାତେଜ ହୋଇ ଯେ ଦହୁଅଛି ଅଗ୍ନି।୧୩୭।

 

ବିଦୁରକୁ ୟେକାନ୍ତେ ପଚାରନ୍ତି ଜନାର୍ଦ୍ଦନ

ପାଣ୍ଡବଙ୍କର ଚରିତ ହୋ କେବଣ ବିଧାନ।୧୩୮।

ବିଦୁରେ ବୋଇଲେ ଦେବ ଗଲେନି ପାର ହୋଇ

ଅରଣ୍ୟେ ପଶିଲେନି ଯେୟେହାଙ୍କୁ ଗୋଚର ନାହିଂ।୧୩୯।

 

ଭୋ ନାଥ ନାରାୟଣ ତୁ ମନ୍ଦ କୃତ୍ୟ କଲୁ

ୟେ ଜଦୁର ଘର ଦେଖାଇ କିମ୍ପା ୟେହାଙ୍କୁ ଆଣିଲୁ।୧୪୦।

ୟେଥିରେ ଦହନ ହୋଉଛନ୍ତି ଶବରୁଣୀ ପଞ୍ଚୁ ପୁତ୍ରେ

ନପୁଣ ଚିହ୍ନନ୍ତି ୟେ ଦେଖିଲେ ନିଜ ଗାତ୍ରେ।୧୪୧।

 

ଶ୍ରୀହରି ତ୍ରାସିଲେ ଯେ ବିଦୁର ବଚନେ

ସୁଦ୍ରିଶେଣ ଚକ୍ର ପେଷିଲେ ଅଗ୍ନି ଦହନ ସ୍ଥାନେ।୧୪୨।

ନ ଚିହ୍ନନ୍ତୁ କୁରୁବୀରେ ଦୁଗୁଣ ତେଜ ବହୁ

ବାସୁଦେବର ମାୟା ହୋ ଜାଣିମାକ କେହୁ।୧୪୩।

 

ୟେ ସେ ମାୟାଧର ହୋ ମହାମାୟା ରଞ୍ଚନା

ଭାରା ନିବାରିବାକୁ ୟେ କୂଟ ଉପାୟେ ସିନା।୧୪୪।

ଶ୍ରୀହରି ବୋଇଲେ ହୋ ଶୁଣ କୁରୁପତି

ମୃତୁ ପିଣ୍ଡ ଗନ୍ଧ ଲାଗିଲେ ଶିରୀ ହୋୟେ କ୍ଷତି।୧୪୫।

 

ଦୂରେ ଥାଇ ଦେଖନ୍ତି ସମସ୍ତ ବୀରମାନେ

ଦେଖୁଛନ୍ତି ଛଡ଼ ପିଣ୍ଡ ହୋଉଛନ୍ତି ଦହନେ।୧୪୬।

ହା ହା ଦଇବ ବୋଲି ଯେ ପଡ଼ିଲା କୁରୁପତି

ଭୀଷ୍ମ, ଦ୍ରୋଣ, କର୍ଣ୍ଣ , ଭୂରିସର୍ବା, ଶଲ୍ୟ, ଅଶସ୍ତମା ସର୍ବ କ୍ଷେତ୍ରୀ।୧୪୭।

 

ଦ୍ରିଯୋଧନ ଶତେ ଭ୍ରାଥେ ଆବର କୁରୁଦେବ

ସମସ୍ତେ ବଜ୍ରଘାତେ ପଡ଼ିଲେ ପାଣ୍ଡବଙ୍କର ଅଭାବେ।୧୪୮।

ରାମ କୃଷ୍ଣ ସମାଜ୍ରନା କରନ୍ତି ସବୁନ୍ତି

ଗୋବିନ୍ଦେ ବଦନ୍ତି ହୋ କ୍ରୋଧ କର ଶାନ୍ତି।୧୪୯।

 

କ୍ରୋଧ ଶାନ୍ତି କର ହୋ ଅମ୍ୱିକାର ସୁତ

ଅନେକ କ୍ରୋଧ ଅବସ୍ତା ତୋତେ ଅଛିନି ବହୁତ।୧୫୦।

ଅପାର କୁଟୁମ୍ୱ ତୁ ଯେ ଅରଜିଲୁ ଧୃତରାଷ୍ଟ

ମୋହୋର ବିଚାରେ ତୋତେ ହୋଇବ ଅନେକ କଷ୍ଟ।୧୫୧।

 

ଧୃତରାଷ୍ଟ ଦ୍ରିଯୋଧନକୁ ଶାନ୍ତି ଯେ କରାଇ

ବାହୁଡ଼ି ହସ୍ତିନା ଭୁବନକୁ ଆସନ୍ତି କୁରୁସାଇଂ।୧୫୨।

ପ୍ରେତ କାର୍ଯ୍ୟ କରିବାକୁ ଯେସନେକ ବିଧି

ସାଂସାରିକା ଧର୍ମକୁ ରାଜା ଯେସନେକ ବିଧି

ସାଂସାରିକ ଧର୍ମକୁ ରାଜା ଯେସନେକ ହୋଇ ସିଦ୍ଧି।୧୫୩।

 

କରନ୍ତି କୁରୁ ବୀରେ ପ୍ରେତ କାର୍ଯ୍ୟ ବିଧାନ

ରହିଲେ ଯଦୁ ନନ୍ଦନ କୁରୁ ରାଜାର ଆସ୍ତାନ।୧୫୪।

ନବ ଦିବସ ପରିଯନ୍ତେ ଅନେକ ଦାନ ଦିଲେ

ଦଶାହ ଶ୍ରାଦ୍ଧ କରି ୟେକାଦଶ ପିଣ୍ଡ ଭିଆଇଲେ।୧୫୫।

 

ହୋମ କର୍ମେଣ କରାନ୍ତି ଘୃତପାକ

ପାରଣା ଆଚୋବନ ଶୁଦ୍ଧ ଯେ ପାତ୍ରକ।୧୫୬।